ବର୍ମିଂହମ: ଏଜବାଷ୍ଟନ ଠାରେ ଖେଳାଯାଉଥିବା ପଞ୍ଚମ ଟେଷ୍ଟ ମ୍ୟାଚର ପ୍ରଥମ ଇଂନିଷ ଶେଷ ହୋଇଛି । ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଏହି ମ୍ୟାଚ ଚାଲିଛି । ପ୍ରଥମେ ବ୍ୟାଟିଂ କରି ଭାରତୀୟ ଦଳ ସମସ୍ତ ୱିକେଟ ହରାଇ ୪୧୬ ରନ୍ ସଂଗୃହିତ କରିଛି । ଗତକାଲି ଇଂନିସ ଆରମ୍ଭ ବେଳେ ଭାରତୀୟ ଦଳକୁ ବ୍ୟାଟିଂ ବିପର୍ଯ୍ୟର ସାମ୍ନା କରିବାକୁ ପଡିଥିଲା । ମାତ୍ର ୯୮ ରନରେ ଭାରତ ୫ୱିକେଟ୍ ହରାଇଥିଲା । ସମସ୍ତେ ଭାବିଥିଲେ ଭାରତ ୨୦୦ ରନ୍ ଭିତରେ ସୀମିତ ରହିବ । ହେଲେ ଋଷଭ ପନ୍ଥଙ୍କ ଲଢୁଆ ଶତକ ଏବଂ ଜାଡେଜାଙ୍କ ଶତକ ବଳରେ ଭାରତୀୟ ସ୍କୋର ୪୧୬ରେ ପହଞ୍ଚିଛି । ଇଂଲଣ୍ଡ ପକ୍ଷରୁ ଜେମ୍ସ ଆଣ୍ଡରସନ ସର୍ବାଧିକ ୫ଟି ୱିକେଟ ନେଇଥିଲେ ।
ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦରଙ୍କୁ ପ୍ରାର୍ଥୀ କରିପାରେ ଏନଡିଏ
ଅମୃତସର: ରାଷ୍ଟ୍ରପତି ନିର୍ବାଚନ ପରେ ଏବେ ଉପରାଷ୍ଟ୍ରପତି ନିର୍ବାଚନକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଗଲାଣି । ପ୍ରାର୍ଥୀ ବାଛିବାକୁ ଏନଡିଏ ଏବଂ ବିରୋଧୀ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ରାଷ୍ଟ୍ରପତି ନିର୍ବାଚନ ଆଗାମୀ ୧୮ ତାରିଖରେ ହେବ । ଏନଡିଏ ପକ୍ଷରୁ ଆଦିବାସୀ ନେତ୍ରୀ ତଥା ଝାଡଖଣ୍ଡର ପୂର୍ବତନ ରାଜ୍ୟପାଳ ଦ୍ରୌପଦୀ ମୁର୍ମୁ ପ୍ରାର୍ଥୀ ହୋଇଥିବା ବେଳେ ବିରୋଧୀଙ୍କ ପକ୍ଷରୁ ପୂର୍ବତନ କେନ୍ଦ୍ରୀୟ ମନ୍ତ୍ରୀ ଯଶୱନ୍ତ ସିହ୍ନା ପ୍ରାର୍ଥୀ ହୋଇଛନ୍ତି । ଏବେ ଉପରାଷ୍ଟ୍ରପତି ପ୍ରାର୍ଥୀ କାହାକୁ କରାଯିବ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି । ସବୁଠୁ ଆଗରେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦରଙ୍କ ନାଁ ରହିଛି ।
ଏନଡିଏ ତାଙ୍କୁ ପ୍ରାର୍ଥୀ କରିବ ବୋଲି ବିଚାର କରୁଛି । କ୍ୟାପ୍ଟେନ ନିଜ ଦଳ ଲୋକ କଂଗ୍ରେସକୁ ବିଜେପିରେ ମିଶାଇବାକୁ ପ୍ରସ୍ତୁତି କରିବା ପରେ ତାଙ୍କ ନାଁକୁ ନେଇ ଚର୍ଚ୍ଚା ଜୋର ଧରିଛି । କ୍ୟାପ୍ଟେନ ଅମରିନ୍ଦରଙ୍କର ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଗୃହମନ୍ତ୍ରୀ ଅମିତ ଶାହଙ୍କ ସହ ଭଲ ସମ୍ପର୍କ ଅଛି । କୁହାଯାଉଛି ଯେ, ଦଳ ମିଶାଇବା ସହ ତାଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରାଯିବ । ଅସୁସ୍ଥତା ପାଇଁ କ୍ୟାପ୍ଟେନ ବର୍ତ୍ତମାନ ଲଣ୍ଡନରେ ଅଛନ୍ତି । ତାଙ୍କର ସର୍ଜରୀ ହୋଇଛି । ତେବେ ଆଗାମୀ ସପ୍ତାହରେ ସେ ପଞ୍ଜାବ ଫେରିବାର ସୂଚନା ରହିଛି ।
ବର୍ତ୍ତମାନ ଉପରାଷ୍ଟ୍ରପତି ଥିବା ଭେଙ୍କୟା ନାୟୁଡୁଙ୍କ କାର୍ଯ୍ୟକାଳ ୧୧ ଅଗଷ୍ଟରେ ସମାପ୍ତ ହେବ । ଏହା ପୂର୍ବରୁ ୬ ଅଗଷ୍ଟରେ ଉପରାଷ୍ଟ୍ରପତି ନିର୍ବାଚନ ହେବ । ଏଥିପାଇଁ ୫ ଜୁଲାଇରେ ବିଜ୍ଞପ୍ତି ଜାରି ହେବା ପରେ ୧୯ ଜୁଲାଇରେ ନାମାଙ୍କନ ଦାଖଲ ହେବ । ବିଜେପି କ୍ୟାପ୍ଟେନଙ୍କ ସାହାରାରେ ପଞ୍ଜାବରେ ଆଧିପତ୍ୟ ବିସ୍ତାର କରିବାକୁ ଯୋଜନା କରିଛି । କୃଷି ଆଇନକୁ ନେଇ ଶିଖ୍ ଗୋଷ୍ଠୀ କେନ୍ଦ୍ର ସରକାରଙ୍କ ପ୍ରତି କଠୋର ଆଭିମୁଖ୍ୟ ରଖିଛନ୍ତି । ଶିଖ୍ ସମୁଦାୟଙ୍କ ସମର୍ଥନ ପାଇବା ପାଇଁ କ୍ୟାପ୍ଟେନ ଅମରିନ୍ଦରଙ୍କୁ ଚେହେରା କରୁଛି ବିଜେପି । ତେବେ ଯଦି କ୍ୟାପ୍ଟେନ ପ୍ରାର୍ଥୀ ହୁଅନ୍ତି ତେବେ ନିର୍ଦ୍ୱନ୍ଦରେ ବିଜୟୀ ହେବେ । କାରଣ ଉପରାଷ୍ଟ୍ରପ୍ରତି ନିର୍ବାଚନରେ ରାଜ୍ୟସଭା ଏବଂ ଲୋକସଭା ସାଂସଦ ଭୋଟ ଦିଅନ୍ତି ଏବଂ ବିଜେପି ନେତୃତ୍ୱଧୀନ ଏନଡିଏ ପାଖରେ ଅଧିକ ସାଂସଦ ରହିଛନ୍ତି ।
ବିଏମସି ପରେ ସିଏମସିରେ ମାସ୍କ ବାଧ୍ୟତାମୂଳକ
କଟକ: ବିଏମସି ପରେ ସିଏମସିରେ ଲାଗୁ ହେଲା ମାସ୍କ କଟକଣା । କଟକରେ ମାସ୍କ ପିନ୍ଧିବା ହେଲା ବାଧ୍ୟତାମୂଳକ । ଏହାସହ ସାମାଜିକ ଦୂରତା ରକ୍ଷା କରିବାକୁ ସିଏମସି ପକ୍ଷରୁ ପରାମର୍ଶ ଦିଆଯାଇଛି । ନିୟମ ଉଲ୍ଲଂଘନ କରି ଅମାନିଆ ହେଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ ।
ଗତକାଲି ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଥିଲା । ଆଇନ୍ ଅବମାନନା କଲେ କାର୍ଯ୍ୟାନୁଷ୍ଠାନ ନିଆଯିବାର ସଙ୍କେତ ଦେଇଥିଲା ବିଏମସି ।
ସୂଚନାଯୋଗ୍ୟ, କିଛି ଦିନର ବ୍ୟବଧନ ପରେ ଦେଶରେ କରୋନା ସଂକ୍ରମଣ ପୁଣି ଉପର ମୁହାଁ ହୋଇଛି । ଏହାସହ ରାଜ୍ୟରେ ମଧ୍ୟ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ବିଶେଷ କରି ଖୋର୍ଦ୍ଧା ଜିଲ୍ଲାରେ ସଂକ୍ରମଣ ହାର ଅଧିକ ରହିଛି । ରାଜ୍ୟରେ ଚିହ୍ନଟ ହେଉଥିବା କରୋନା ସଂକ୍ରମିତଙ୍କ ମଧ୍ୟରୁ ଅଧିକାଂଶ ଖୋର୍ଦ୍ଧା ଓ ରାଜଧାନୀରୁ ଚିହ୍ନଟ ହେଉଛନ୍ତି । ଏହାକୁ ଦୃଷ୍ଟିରେ ରହି ସଂକ୍ରମଣରେ ବ୍ରେକ୍ ଲଗାଇବାକୁ ବିଏମସି ପକ୍ଷରୁ ଜୁଲାଇ ଗାଇଡଲାଇନ ଜାରି କରାଯାଇଛି । ଏଥିରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯିବା ସହ ସାମାଜିକ ଦୂରତା ରକ୍ଷା କରିବାକୁ ଲୋକଙ୍କୁ କୁହାଯାଇଛି । ବିଏମସି ଘୋଷଣାର ଦିନକ ପରେ କଟକ ମହାନଗର ନିଗମ ମାସ୍କ ବାଧ୍ୟତାମୂଳକ କରିଛି ।
ମହାରାଷ୍ଟ୍ରର ଅମରାବତୀରେ ଉଦୟପୁର ଭଳି ହତ୍ୟା !
ମୁମ୍ବାଇ: ନିକଟରେ ରାଜସ୍ଥାନର ଉଦୟପୁରରେ ଜଣେ ଦରଜୀଙ୍କର ଲୋମହର୍ଷଣକାରୀ ହତ୍ୟା କରାଯାଇଥିଲା । ଏହି ହତ୍ୟା ପରେ ସାରା ଦେଶରେ ହିଂସା ଦେଖାଯାଇଥିଲା । ପୋଲିସ ଦୁଇଜଣଙ୍କୁ ଗିରଫ କରି ପଚରା ଉଚରା ଜାରି କରିଛି । ଏହି ଘଟଣା ଏବେ ସୁଦ୍ଧା ଥମିନଥିବା ବେଳେ ପୁଣି ଆଉ ଏକ ଘଟଣା ସାମ୍ନାକୁ ଆସିଛି । ମହାରାଷ୍ଟ୍ରର ଅମରାବତୀରେ ଜଣେ ଔଷଧ ଦୋକାନୀଙ୍କ ହତ୍ୟା କରାଯାଇଛି । ଅମରାବତୀ ସହରରେ ରହୁଥିବା ଔଷଧ ଦୋକାନୀ ଉମେଶ କୋହ୍ଲେଙ୍କର ୨୧ ତାରିଖରେ ଗଳା କାଟି ହତ୍ୟା କରିଦିଆଯାଇଛି । ରାତି ସମୟରେ ଉମେଶ କୋହ୍ଲେ ନିଜ ଔଷଧ ଦୋକାନରୁ ଘରକୁ ଫେରୁଥିବା ସମୟରେ ତାଙ୍କର ହତ୍ୟା କରାଯାଇଛି । ତେବେ ହତ୍ୟାର କାରଣ ବର୍ତ୍ତମାନ ସୁଦ୍ଧା ଜଣାପଡି ନାହିଁ । ଏହି ହତ୍ୟାକାଣ୍ଡ ଉଦୟପୁରର କହ୍ନେୟାଲାଲଙ୍କ ହତ୍ୟାର ଏକ ସପ୍ତାହ ପୂର୍ବର । ମାମଲାର ତଦନ୍ତ ଅମରାବତୀ ପୋଲିସ କରୁଛି ।
ତେବେ ସାମାଜିକ ଗଣମାଧ୍ୟମରେ ଦାବି କରାଯାଉଛି ଯେ ନୁପୁର ଶର୍ମାଙ୍କ ସମର୍ଥନରେ ଏକ ପୋଷ୍ଟ କାରଣରୁ କୋହ୍ଲେଙ୍କ ନିର୍ମମ ହତ୍ୟା କରାଯାଇଛି । ଏହି ଘଟଣାରେ ପୋଲିସ ବର୍ତ୍ତମାନ ସୁଦ୍ଧା ୫ ଅଭିଯୁକ୍ତଙ୍କୁ ଗିରଫ କରିଛି । ଯେତବେଳେ କି ମୁଖ୍ୟ ଅଭିଯୁକ୍ତ ଏବେ ବି ଫେରାର ଅଛି । ଏନଆଇଏ ଟିମ୍ ମଧ୍ୟ ମହାରାଷ୍ଟ୍ରର ଅମରାବତୀରେ ମାମଲାର ଯାଞ୍ଚ କରୁଛି । ବିଜେପି ସାଂସଦ ଅନିଲ ବୋଣ୍ଡେ ଏହି ଘଟଣାର ତଦନ୍ତ ଦାବି କରି ମାଷ୍ଟରମାଇଣ୍ଡକୁ ଗିରଫ କରିବା ପାଇଁ ଦାବି କରିଛନ୍ତି ।
ଉମେଶ କୋହ୍ଲେ ମହାରାଷ୍ଟ୍ରର ଅମରାବତୀ ଜିଲ୍ଲାରେ ଅମିତ ମେଡିକାଲ ଷ୍ଟୋର ନାଁରେ ଏକ ଦୋକାନ ଚଳାଉଥିଲେ । ୫୪ ବର୍ଷୀୟ କୋହ୍ଲେ ୨୧ ଜୁନ ରାତିରେ ପୁଅ ଏବଂ ବୋହୂଙ୍କ ସହ ଅଲଗା ଅଲଗା ବାଇକରେ ଘରକୁ ଫେରିବା ସମୟରେ ଏହି ଘଟଣା ହୋଇଥିଲା । ବାଟରେ ଆସୁଥିବା ସମୟରେ ଲୁଚି ବସିଥିବା ଆକ୍ରମଣକାରୀ ତାଙ୍କ ବେକ ଉପରେ ପଛପଟୁ ଛୁରୀରେ ଆକ୍ରମଣ କରିଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ପୁଅ ବୋହୂ ମେଡିକାଲ ନେଇଯାଇଥିଲେ । କିନ୍ତୁ ଡାକ୍ତର ମୃତ ଘୋଷଣା କରିଥିଲେ । ଏହି ହତ୍ୟା ପଛରେ ସାମ୍ପ୍ରଦାୟିକ ହିଂସା ରହିଛି ବୋଲି କୁହାଯାଉଛି ।
ଇନଷ୍ଟାଗ୍ରାମରେ 5-T ସଚିବ ଭିକେ ପାଣ୍ଡିଆନ
ଭୁବନେଶ୍ୱର: ପ୍ରଥମ ଥର ପାଇଁ ସୋସିଆଲ ମିଡିଆକୁ ଆସିଛନ୍ତି 5-T ସଚିବ ଭିକେ ପାଣ୍ଡିଆନ । ସୋସିଆଲ ମିଡିଆ ସାଇଟ ଇନଷ୍ଟାଗ୍ରାମରେ ଆକାଉଣ୍ଟ ଖୋଲିଛନ୍ତି 5-T ସଚିବ । ତେବେ କେବେ ଆକାଉଣ୍ଟ ଖୋଲିଛନ୍ତି ଯଦିଓ ତାହା ସଠିକ୍ ଭାବରେ ଜଣାପନିନାହିଁ କିନ୍ତୁ ବହୁତ କମ୍ ଦିନରେ 5-T ସଚିବଙ୍କ ଆକାଉଣ୍ଟ ଭେରିଫାଏଡ ହୋଇଛି ।
ଭିକେ ପାଣ୍ଡିଆନ ମେ’ ୯ରେ ’ଜୟ ଜଗନ୍ନାଥ’ ଲେଖି ପୁରୀ ରଥଖଳାରେ କାରିଗର ରଥ ନିର୍ମାଣ ଫଟୋଟି ପୋଷ୍ଟ କରିଥିଲେ । ଏହା ପରେ ତାରାତାରିଣୀ ମନ୍ଦିର ପ୍ରତିଷ୍ଠା ସମୟର ଫଟୋ ମଧ୍ୟ ରହିଛି । ଏହା ସହ ରୋମରେ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି, ଭାରତୀୟ ବ୍ୟାଡମିଣ୍ଟନ ଟିମକୁ ସମ୍ବର୍ଦ୍ଧନା, ରୋମ ଓ ଦୁବାଇରେ ପ୍ରବାସୀ ଓଡ଼ିଆଙ୍କ ସହ ଆଲୋଚନାର ଫଟୋ ପୋଷ୍ଟ କରିଛନ୍ତି । 5-T ସଚିବ ଭିକେ ପାଣ୍ଡିଆନଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ ସ୍ୱଳ୍ପ ଦିନରେ ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ୨୬ ହଜାରରୁ ଅଧିକ ଲୋକ ତାଙ୍କୁ ଫଲୋ କରିବା ଆରମ୍ଭ କରିଛନ୍ତି ।
ବିଜେବି କଲେଜରେ ଯୁକ୍ତ ତିନି ଛାତ୍ରୀଙ୍କ ଆତ୍ମହତ୍ୟା
ଭୁବନେଶ୍ୱର: ବିଜେବି କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା । ହଷ୍ଟେଲ ଭିତରେ ଛାତ୍ରୀ ଜଣଙ୍କ ଆତ୍ମହତ୍ୟା କରିଥିବା ଜଣାପଡିଛି । ମିଳିଥିବା ସୂଚନା ମୁତାବକ
ଯୁକ୍ତ ୩ ପ୍ରଥମ ବର୍ଷ ଛାତ୍ରୀ ରୂଚିକା ମହାନ୍ତି ବିଜେବି କଲେଜରେ ପାଠ ପଢୁଥିଲେ । ଯୁକ୍ତ ତିନି ପ୍ରଥମ ବର୍ଷର ଛାତ୍ରୀ ହୋଇଥିବାବେଳେ ସେ ୟୁପିଏସସି ପାଇଁ ପ୍ରସ୍ତୁତି କରୁଥିଲେ ।
କିନ୍ତୁ କାହିଁକି ଛାତ୍ରୀ ଜଣଙ୍କ ଆତ୍ମହତ୍ୟା କରିଛନ୍ତି ଓ କେଉଁ କାରଣରୁ ସେ ଏଭଳି ନିଷ୍ପତି ନେଇଛନ୍ତି ତାହା ବର୍ତ୍ତମାନ ପର୍ଯ୍ୟନ୍ତ ଜମାପଡ଼ିନାହିଁ । ସେପଟେ ଖବର ପାଇ ଘଟଣା ସ୍ଥଳରେ ପହଁଚିଛି ବଡଗଡ଼ ଥାନା ପୋଲିସ । ଘଟଣାର ପ୍ରତିଟି ଦିଗ ଉପରେ ନଜର କରିବା ସହ ତଦନ୍ତ ଆରମ୍ଭ କରିଛି ପୋଲିସ । ବର୍ତ୍ତମାନ ପର୍ଯ୍ୟନ୍ତ ମଧ୍ୟ ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି ।
ବିଧାନସଭାରେ ପଶିଲା କରୋନା, ଜଣେ ବିଧାୟିକାଙ୍କ ସହ ୧୨ ଜଣଙ୍କୁ କରୋନା
ଭୁବନେଶ୍ୱର: ବିଧାନସଭାକୁ ପଶିଲା କରୋନା । ବିଧାନସଭାର ୧୨ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ବିଧାନସଭା ମୌସୁମୀ ଅଧିବେଶନ ପୂର୍ବରୁ ସମସ୍ତ ବିଧାୟକ, ବିଧାନସଭା କର୍ମଚାରୀ, ସାମ୍ବାଦିକଙ୍କ କରୋନା ଟେଷ୍ଟ ହୋଇଥିଲା । ତେବେ ଏହିମାନଙ୍କ ମଧ୍ୟରୁ ୧୨ ଜଣ କୋଭିଡ ସଂକ୍ରମିତ ହୋଇଥିବା ସୂଚନା ମିଲିଛି । ଏହି ୧୨ ଜଣଙ୍କ ମଧ୍ୟରୁ ଜଣେ ବିଧାୟିକା ଓ ୩ ଜଣ ଗଣମାଧ୍ୟମ ପ୍ରତିନିଧି କରୋନା ପଜିଟିଭ ହୋଇଥିବା ସୂଚନା ମିଳିଛି ।
ଓଡ଼ିଶା ବିଧାନସଭାରେ ନୂପୁର ନିଆଁ, ଶୂନ୍ୟକାଳରେ କେନ୍ଦ୍ର ସରକାରଙ୍କୁ ନରସିଂହ ମିଶ୍ରଙ୍କ ଟାର୍ଗେଟ
ଭୁବନେଶ୍ୱର: ନୂପୁର ଶର୍ମାଙ୍କ ବୟାନକୁ ନେଇ ଓଡ଼ିଶା ବିଧାନସଭାରେ ଝଡ଼ । ବିରୋଧୀ ବିଜେପି କଂଗ୍ରେସ ମୁହାଁମୁହିଁ । ଗୃହ ମଧ୍ୟଭାଗରେ ହୋହଲ୍ଲା କଲେ ବିରୋଧୀ । ପ୍ରଥମେ ୧୦ ମିନିଟି ପରେ ଅପରାହ୍ନ ୪ଟା ଯାଏ ଗୃହ ମୁଲତବି ଘୋଷଣା କଲେ ବାଚସ୍ପତି ବିକ୍ରମ କେଶରୀ ଆରୁଖ । ଶୂନ୍ୟ କାଳରେ କେନ୍ଦ୍ର ସରକାରଙ୍କୁ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ଟାର୍ଗେଟ କରିଥିଲେ । ଯିଏ ଦେଶକୁ ବିଭାଜନ କରିବା ପାଇଁ ଚାହୁଁଛି ସେ ଦଳ ଶାସନରେ ରହିବା ଯୋଗ୍ୟତା ନାହିଁ କହି କେନ୍ଦ୍ର ସରକାରଙ୍କୁ ତୀର ମାରିଥିଲେ ନରସିଂହ ।
ସେପଟେ ବିରୋଧୀ ଦଳ ଉପ ନେତା ବିଷ୍ଣୁ ସେଠୀ କଂଗ୍ରେସକୁ ଟାର୍ଗେଟ କରିଛନ୍ତି । ବାହାର ପ୍ରସଙ୍ଗକୁ କ’ଣ ପାଇଁ ଗୁରୁତ୍ୱ ଦେଉଛନ୍ତି । ରାଜ୍ୟରେ ଅନେକ ଗୁରୁତ୍ଵପୂର୍ଣ୍ଣ ପ୍ରସଙ୍ଗ ରହିଛି । ବିଜେପି ନୂପୁରଙ୍କୁ ନିଲମ୍ବିତ କରିଛି । ଆଉ କ’ଣ ତାଙ୍କୁ ଫାଶୀ ଦେଇଦେବୁ ବୋଲି ପ୍ରଶ୍ନ କରିଛନ୍ତି ବିଷ୍ମୁ ସେଠୀ । ଓଡ଼ିଶା ଏକ ଶାନ୍ତ ପ୍ରିୟ ରାଜ୍ୟ । ସେ ପ୍ରସଙ୍ଗ ଆଣି କ’ଣ ରାଜ୍ୟରେ ହିଂସା କରିବାକୁ କଂଗ୍ରେସ ଚାହୁଁଛି ବୋଲି ବିଷ୍ଣୁ ସେଠୀ ପ୍ରଶ୍ନ କରିଥିଲେ ।
ଆଜି ବାରିପଦାରେ ଗଢ଼ିବ ରଥ, ମହିଳା ଟାଣିବେ ସୁଭଦ୍ରାଙ୍କ ରଥ
ବାରିପଦା: ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାର ଶ୍ରୀ ହରି ବଳଦେବଜୀଉଙ୍କ ପୀଠରେ ଆଜି ହେବ ରଥଯାତ୍ରା । ପରମ୍ପରା ଅନୁଯାୟୀ ବାରିପଦାଠାରେ ଗତକାଲି ରଥଟଣା କାର୍ଯ୍ୟର ପ୍ରଥମ ପର୍ଯ୍ୟାୟରେ କେବଳ ଶ୍ରୀଜୀଉଙ୍କୁ ପହଣ୍ଡି କରାଯାଇ ରଥାରୁଢ଼ କରାଯାଇଛି । ତିନି ଠାକୁରଙ୍କୁ ଗୋଟି ପହଣ୍ଡିରେ ଅଣାଯାଇ ରଥାରୁଢ଼ କରାଯାଇଛି । ଆଜି ରଥଟଣା ହେବ । ଏନେଇ ବାରିପଦା ବଡ଼ଦାଣ୍ଡରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ । ରଥାରୁଢ଼ ଶ୍ରୀଜୀଉଙ୍କୁ ଦର୍ଶନ କରୁଛନ୍ତି ଭକ୍ତ । ଦୀର୍ଘ ବର୍ଷର ବ୍ୟବଧାନରେ ରଥରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଭକ୍ତଙ୍କ ଆବେଗ ବଢ଼ିଛି । ଗତକାଲି ମା’ ଅମ୍ବିକା ଦେବୀଙ୍କ ଦାସୀ ରଥ ପରିକ୍ରମା କରିବା ପରେ ପରେ ରଥ ପ୍ରତିଷ୍ଠା କରାଯାଇଥିଲା । ଅପରାହ୍ନରେ ଗୋଟି ପହଣ୍ଡିରେ ଶ୍ରୀଜୀଉମାନଙ୍କୁ ଅଣାଯାଇ ରଥାରୁଢ଼ କରାଯାଇଛି ।
ଆଜି ଅପରାହ୍ନ ୨ ଟା ୩୦ ମିନିଟରୁ ଦୁଇ ଦିନ ଧରି ରଥଟଣା ଚାଲିବ । ପ୍ରଥମେ ବଡ଼ଭାଇ ବଳଭଦ୍ରଙ୍କ ରଥ ଗୁଣ୍ଡିଚା ମନ୍ଦିର ନିକଟରେ ପହଂଚିବା ପରେ ଦେବୀ ସୁଭଦ୍ରାଙ୍କ ରଥ ଟାଉନ ଥାନା ସମ୍ମୁଖରେ ରହିବ । ଆସନ୍ତା କାଲି ଅପରାହ୍ନରେ ଦେବୀ ସୁଭଦ୍ରାଙ୍କ ରଥ ଟଣା ପରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥ ବାରିପଦାର ବଡ଼ଦାଣ୍ଡରେ ଗଢ଼ିବାର କାର୍ଯ୍ୟକ୍ରମ ରହିଛି । ଏଠାରେ ନିଆରା ପରମ୍ପରା ଅନୁଯାୟୀ ଦେବୀ ସୁଭଦ୍ରାଙ୍କ ରଥ କେବଳ ମହିଳା ମାନଙ୍କ ଦ୍ଵାରା ଟଣାଯାଇଥାଏ । ଗତ ଦୁଇ ବର୍ଷ ଧରି ରଥଯାତ୍ରା କାର୍ଯ୍ୟକ୍ରମ କୋଭିଡ କଟକଣା ଯୋଗୁଁ ବନ୍ଦ ରହିଥିବା ବେଳେ ଚଳିତ ବର୍ଷ ଅଧିକ ସଂଖ୍ୟକ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳୁଛି ବାରିପଦାର ବଡ଼ ଦାଣ୍ଡରେ । ସେଥିପାଇଁ ଆବଶ୍ୟକ ସଂଖ୍ୟକ ପୋଲିସ ମୁତୟନ କରାଯାଇ ଟ୍ରାଫିକ ନିୟନ୍ତ୍ରଣ ଉପରେ ନଜର ରଖାଯାଇଛି ।
ମଝି ଆକାଶରେ ବିମାନ କ୍ୟାବିନରୁ ବାହାରିଲା ଧୂଆଁ, ଜରୁରୀ ଅବତରଣ କଲା ସ୍ପାଇସଜେଟର ବିମାନ
ନୂଆଦିଲ୍ଲୀ: ଦିଲ୍ଲୀରୁ ଜବଲପୁର ଯାଉଥିବା ସ୍ପାଇସଜେଟର ଏକ ବିମାନକୁ ଜରୁରୀ ଅବତରଣ କରିବାକୁ ପଡ଼ିଛି । ବିମାନର କ୍ୟାବିନରେ ଧୂଆଁ ବାହାରୁଥିବା ଦେଖାଗଲା ପରେ ବିମାନକୁ ପୁଣି ଦିଲ୍ଲୀରେ ଜରୁରୀ ଅବତରଣ କରିବାକୁ ପଡ଼ିଛି । ବିମାନଟି ୫ ହଜାର ଫୁଟ୍ ଉପରେ ଉଡ଼ୁଥିବା ବେଳେ କ୍ୟାବିନରେ ଧୂଆଁ ବାହାରୁଥିବା ଦେଖିପାରିଥିଲେ ଚାଳକ ଦଳ ସଦସ୍ୟ । ଏହାପରେ ବିମାନକୁ ପୁଣି ଦିଲ୍ଲୀ ଏୟାରପୋର୍ଟ ଅଣାଯାଇ ଯାତ୍ରୀଙ୍କୁ ସୁରକ୍ଷିତ ଓହ୍ଲାଇ ଦିଆଯାଇଥିଲା ।
କ୍ୟାବିନରେ ଧୂଆଁ ବାହାରିବା ଭିଡିଓ ବି ସାମ୍ନାକୁ ଆସିଛି । କିଛି ଦିନ ତଳେ ପାଟନାରୁ ଦିଲ୍ଲୀ ଯାଉଥିବା ସ୍ପାଇସଜେଟର ହିଁ ଏକ ବିମାନର ଇଞ୍ଜିନରେ ନିଆଁ ଲାଗିଯାଇଥିବାରୁ ପୁଣି ପାଟନା ବିମାନବନ୍ଦରରେ ଜରୁରୀ ଅବତରଣ କରିବାକୁ ପଡିଥିଲା । ବିମାନ ଉଡ଼ାଣର ମାତ୍ର କିଛି ମିନିଟ ପରେ ବିମାନର ଇଞ୍ଜିନରେ ନିଆଁ ଲାଗିଥିଲା । ତେବେ ପାଇଲଟ ଓ ଏୟାର କ୍ରୁର ଉପସ୍ଥିତି ବୁଦ୍ଧି ଯୋଗୁଁ ବିମାନକୁ ନିରାପଦ ଭାବେ ପାଟଣା ଏୟାରପୋର୍ଟରେ ହିଁ ସୁରକ୍ଷିତ ଭାବେ ଜରୁରୀ ଅବତରଣ କରାଯାଇଥିଲା ।

