spot_img
Home Blog Page 4089

ପେଟ୍ରୋଲ୍ ଢାଳି ସ୍ବାମୀ-ସ୍ତ୍ରୀକୁ ନିଆଁ ଲଗାଇଦେଲେ ଦୁର୍ବୁର୍ତ୍ତ

କେନ୍ଦୁଝର: ସ୍ବାମୀ-ସ୍ତ୍ରୀଙ୍କ ଉପରେ ପେଟ୍ରୋଲ୍ ଢାଳି ନିଆଁ ଲଗାଇ ହତ୍ୟା ଉଦ୍ୟମ । କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନା ଧଗୋଠ ଗାଁରେ ଏଭଳି ଘଟଣା ଘଟିଛି । ଦମ୍ପତି ଘରେ ଶୋଇଥିବା ବେଳେ ବାହାର ପଟୁ ତାଲା ପକାଇ ଘରେ ନିଆଁ ଲଗାଇଥିଲେ ଦୁର୍ବୃତ୍ତ । ନିଆଁରେ ପୋଡ଼ି ହୋଇ ସ୍ବାମୀ ଓ ସ୍ତ୍ରୀ ଗୁରୁତର ହୋଇପଡ଼ିଛନ୍ତି । ଉଭୟଙ୍କୁ ଗୁରୁତର ଅବସ୍ଥାରେ କଟକ ମେଡିକାଲରେ ଭର୍ତ୍ତି କରାଯାଇଛି ।

ଗୁରୁତର ଦମ୍ପତି ହେଲେ ଧଗୋଠ ଗାଁର ଉଗ୍ରସେନ ପଲେଇ ଓ ତାଙ୍କ ସ୍ତ୍ରୀ ଜୟନ୍ତୀ । ଗତକାଲି ରାତିରେ ଏହି ଘଟଣା ଘଟିଛି । ଚିତ୍କାର ଶୁଣି ପଡ଼ୋଶୀ ଆସିବା ବେଳକୁ ଗୁରୁତର ହୋଇଯାଇଥିଲେ ସ୍ବାମୀ -ସ୍ତ୍ରୀ । ଉଭୟଙ୍କୁ ପ୍ରଥମେ ହରିଚନ୍ଦନପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ପରେ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି । ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ୟୁପିଆଇ କାରବାରରେ ଲାଗିବନି ଶୁଳ୍କ: ଅର୍ଥ ମନ୍ତ୍ରଣାଳୟ

ନୂଆଦିଲ୍ଲୀ: ଡିଜିଟାଲ କାରବାର କ୍ଷେତ୍ରରେ ୟୁପିଆଇ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି। ବିଶେଷକରି ୨୦୧୬ ନଭେମ୍ବରରେ ବିମୁଦ୍ରୀକରଣ ପରେ ଲୋକମାନେ ଏହା ଜରିଆରେ ଅର୍ଥ ଦେଣ ନେଣ କରୁଛନ୍ତି । ବ୍ୟବସାୟ ପ୍ରତିଷ୍ଠାନଗୁଡ଼ିକ ମଧ୍ୟ ଏହି ମାଧ୍ୟମରେ ଗ୍ରାହକଙ୍କ ଠାରୁ ଅର୍ଥ ଗ୍ରହଣ କରୁଛନ୍ତି । ଅଧିକାଂଶ ଆର୍ଥିକ କାରବାର ଏବେ ନଗଦ ଅର୍ଥ କିମ୍ବା କାର୍ଡ ପରିବର୍ତ୍ତେ ୟୁପିଆଇ ମାଧ୍ୟମରେ ହେଉଛି । ଏହା ସୁବିଧାଜନକ ଓ ଆର୍ଥିକ କାରବାର ଶୀଘ୍ର ହେଉଥିବାରୁ ଏହାର ବ୍ୟବହାର ବଢ଼ିବାରେ ଲାଗିଛି ।

ତେଣୁ ଏସବୁ ଦୃଷ୍ଟିରେ ରଖି ୟୁପିଆଇ କାରବାର ଉପରେ ଚାର୍ଜ ଲଗାଇବା ଯୋଜନା ନାହିଁ । ରିଜର୍ଭ ବ୍ୟାଙ୍କର ପ୍ରସ୍ତାବ ପରେ ଚାର୍ଜ ଲାଗିବା ନେଇ ଦେଖାଦେଇଥିବା ଆଶଙ୍କାକୁ ଅର୍ଥ ମନ୍ତ୍ରାଳୟ ଦୂର କରିଛି । ସେବା ପ୍ରଦାନକାରୀ ଏ ବାବଦରେ ଯେଉଁ ଆର୍ଥିକ ବୋଝ ସହୁଛନ୍ତି ତାହାକୁ ଅନ୍ୟ ମାଧ୍ୟମରେ ପୂରଣ କରାଯିବ । ୟୁପିଆଇ ଏକ ଡିଜିଟାଲ ପବ୍ଲିକ ଗୁଡ୍। ଲୋକ ଏବଂ ଅର୍ଥନୀତି ପାଇଁ ଏହାର ଅନେକ ଉପକାର ରହିଛି ବୋଲି ଅର୍ଥ ମନ୍ତ୍ରାଳୟ ଟ୍ବିଟ୍ କରି କହିଛି ।

ପୂର୍ବରୁ ରିଜର୍ଭ ବ୍ୟାଙ୍କ ପକ୍ଷରୁ ବିଭିନ୍ନ ପ୍ରକାର ପେମେଣ୍ଟ ସେବା ପାଇଁ କିଭଳି ନୀତି କାର୍ଯ୍ୟକାରୀ ହେବା ଆବଶ୍ୟକ ସେ ନେଇ ଏକ ପରାମର୍ଶ ପେପର ଜାରି ହୋଇଛି । ଏହା ଉପରେ ବିଭିନ୍ନ ପକ୍ଷର ମତାମତ ଲୋଡ଼ାଯାଇଛି । ଭାରତରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ପ୍ରକାର ପେମେଣ୍ଟ ବ୍ୟବସ୍ଥା ଉପରେ ଚାର୍ଜ ଲାଗୁ କରି ଏସବୁର ଢାଞ୍ଚାକୁ ମଜଭୁତ କରିବା ପାଇଁ ରିଜର୍ଭ ବ୍ୟାଙ୍କର ଯୋଜନା ରହିଛି । ଏହି ପ୍ରସ୍ତାବ ଉପରେ ଯେଉଁ ମତାମତ ଆସିବ ତାହା ଆଧାରରେ ରିଜର୍ଭ ବ୍ୟାଙ୍କ ନୀତି ପ୍ରସ୍ତୁତ କରିବା ଲାଗି ଉଦ୍ୟମ କରିବ । ଏବଂ ବିଭିନ୍ନ ପ୍ରକାର ପେମେଣ୍ଟ ସର୍ଭିସକୁ ଅଧିକ ମଜଭୁତ କରିବ ।

ତାଇୱାନ ଉପରେ ଆକ୍ରମଣ ପାଇଁ ପ୍ରସ୍ତୁତ ହେଉଛି ଚୀନ୍

ନନ୍ଦିଘୋଷ ବ୍ୟୁରୋ: ତାଇଓ୍ବାନ ଉପରେ ଆକ୍ରମଣ ଆଶଙ୍କା ଘନୀଭୂତ । ତାଇଓ୍ବାନ ଚାରିପାଖେ ଚୀନର ସାମରିକ କାର୍ଯ୍ୟକ୍ରମ, ବାରମ୍ବାର ଯୁଦ୍ଧ ବିମାନ ଉଡାଇବା, ଯୁଦ୍ଧ ଜାହାଜ ମୁତୟନ ପ୍ରକ୍ରିୟା ଜାରି ରହିଥିବାବେଳେ ସମ୍ଭାବ୍ୟ ବିପଦ ଆଶଙ୍କା କରି ନିଜର ଆଭ୍ୟନ୍ତରୀଣ ନିରାପତ୍ତାକୁ ସଜାଗ କରାଇଛି ତାଇଓ୍ବାନ । ସ୍ବତନ୍ତ୍ର ଅସ୍ତ୍ରଶସ୍ତ୍ର ବାହିନୀ ଓ କୌଶଳ ନିର୍ଦ୍ଧାରଣ ବିଭାଗର କମାଣ୍ଡୋମାନଙ୍କୁ ଆଲର୍ଟରେ ରଖାଯାଇଛି । ଏନେଇ ସ୍ବତନ୍ତ୍ର ଡ୍ରିଲ ମଧ୍ୟ କରାଯାଉଛି ।

ତାଇଓ୍ବାନ ପ୍ରତିରକ୍ଷା ମନ୍ତ୍ରାଳୟ କହିଛି, ଗତକାଲି ଚୀନର ୧୨ଟି ଯୁଦ୍ଧ ବିମାନ ତାଇଓ୍ବାନ ଆକାଶରେ ପଇଁତରା ମାରିଥିଲେ । ପ୍ରାୟ ଦୁଇ ସପ୍ତାହ ଧରି ତାଇଓ୍ବାନ ଷ୍ଟ୍ରେଟର ନିଜର ପ୍ରାଧାନ୍ୟ ବିସ୍ତାର କରିବାରେ ଲାଗିଥିବା ଚୀନର ୫ଟି ବିମାନ ଏପରିକି ତାଇଓ୍ବାନ ଭିତରକୁ ଚାଲିଯାଇଥିଲେ ବୋଲି ସୂଚନା ମିଳିଛି । ଆମେରିକା ବାଚସ୍ପତି ନାନସି ପେଲୋସିଙ୍କ ଗସ୍ତ ପରଠାରୁ ଉଗ୍ର ହୋଇଆସିଥିବା ଡ୍ରାଗନ ବାରମ୍ବାର ତାଇଓ୍ବାନକୁ ନାଲି ଆଖି ଦେଖାଇବା ସହ କୌଣସି ମୁହୂର୍ତ୍ତରେ ଆକ୍ରମଣ କରିବା ସମ୍ଭାବନା ସୃଷ୍ଟି କରିଛି ।

ରାଜଧାନୀ ଉପକଣ୍ଠ ପଞ୍ଚୁପଲ୍ଲୀଠାରେ ବୋମାମାଡ଼, ୨ଜଣ ଆହତ

ଭୁବନେଶ୍ୱର: ରାଜଧାନୀ ଉପକଣ୍ଠରେ ବୋମାମାଡ଼ । ଏୟାରଫିଲଡ଼ ଥାନା ପଞ୍ଚୁପଲ୍ଲୀ ଠାରେ ବୋମାମାଡ଼ । ଗତକାଲି ବିଳମ୍ବିତ ରାତିରେ ଘଟିଛି ଘଟଣା । ବୋମାମାଡ଼ରେ ୨ଜଣ ଆହତ ହୋଇଥିବା ବେଳେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ବୋମାମାଡ଼ କରିଥିବା ଯୁବକର ଅକ୍ଷୟ ବୋଲି ସୂଚନା ମିଳିଛି । ଜନ୍ମାଷ୍ଟମୀ ରାତିରେ ହୋଇଥିବା ଗଣ୍ଡଗୋଳକୁ ନେଇ ହୋଇଛି ବୋମାମାଡ଼ । ଘଟଣାସ୍ଥଳରେ କମିଶନରେଟ ପୋଲିସର ଛାନଭିନ ଜାରି ହୋଇଛି । ଅଭିଯୁକ୍ତ ଅକ୍ଷୟ ଜଣେ ପେଶାଦାର ଅପରାଧୀ । ଖୁବଶୀଘ୍ର ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ଭୁବନେଶ୍ବର ଡିସିପି କହିଛନ୍ତି ।

ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ମୁଣ୍ଡ ଉପରେ ଝୁଲୁଛି ଗିରଫ ଖଣ୍ଡା

ଇସଲାମାବାଦ: କୌଣସି ମୁହୂର୍ତ୍ତରେ ଗିରଫ ହୋଇପାରନ୍ତି ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ । ଆତଙ୍କବାଦ ନିରୋଧ ଆଇନ ବା ଏଟିଏ ଆଧାରରେ ତାଙ୍କୁ ଗିରଫ କରାଯିବା ସମ୍ଭାବନା ରହିଛି । ଇସଲାମାବାଦରେ ଏକ ସାଧାରଣ ସଭାରେ ଉଦବୋଧନ ଦେବାବେଳେ ଜଣେ ବିଚାରପତି ଓ ଦୁଇଜଣ ବରିଷ୍ଠ ଅଧିକାରୀଙ୍କ ବିରୋଧରେ ମନ୍ତବ୍ୟ ଦେବା ପରେ ଇମ୍ରାନଙ୍କ ଅଡୁଆ ବଢ଼ିଛି ।

ଶନିବାର ସନ୍ଧ୍ୟାରେ ଇସଲାମାବାଦର ଏଫ-୯ ପାର୍କରେ ଉଦବୋଧନ ଦେବାବେଳେ ସେ ବିଭିନ୍ନ ସରକାରୀ ପ୍ରତିଷ୍ଠାନକୁ ଟାର୍ଗେଟ କରିବା ସହ ଉତ୍ତେଜକ ମନ୍ତବ୍ୟ ଦେବା ଆରମ୍ଭ କରିବାରୁ ଟେଲିଭିଜନରେ ତାଙ୍କ ଭାଷଣର ପ୍ରସାରଣ ବନ୍ଦ କରିଦିଆଯାଇଥିଲା । ପାକିସ୍ତାନ ଇଲେକ୍ଟ୍ରୋନିକ ମିଡିଆ ରେଗୁଲେଟୋରୀ ଅଥରିଟି ବା PEMRA କହିଛି- ଇମ୍ରାନଙ୍କ ଭାଷଣକୁ ମନିଟରିଂ ଓ ସମ୍ପାଦନା କରାଗଲେ ହିଁ ପ୍ରସାରଣ କରାଯିବ ।

ନିଜ ଅଭିଭାଷଣ କାଳରେ ପାକିସ୍ତାନର ବହୁ ରାଷ୍ଟ୍ରୀୟ ପ୍ରତିଷ୍ଠାନ ବିରୋଧରେ ଇମ୍ରାନ ବର୍ଷିଥିବା ବେଳେ ଏହାକୁ ନେଇ ଦେଶରେ ଆଇନଶୃଙ୍ଖଳା ପରିସ୍ଥିତି ଉପୁଜିବା ଆଶଙ୍କା ରହିଥିଲା ବୋଲି ଅଭିଯୋଗ କରିଥିଲା PEMRA । ଇମ୍ରାନ ନିଜ ଭାଷଣରେ ବରିଷ୍ଠ ପୋଲିସ ଅଫିସର, ଜଣେ ମହିଳା ମାଜିଷ୍ଟ୍ରେଟ ଓ ନିର୍ବାଚନ କମିଶନଙ୍କ ବିରୋଧରେ ମାମଲା ଦାୟର କରିବାକୁ ଧମକ ଦେଇଥିଲେ ।

ଦେଶଦ୍ରୋହ ଅଭିଯୋଗ କ୍ରମେ ସହଯୋଗୀ ସାହାବାଜ ଗିଲଙ୍କୁ ଗିରଫ କରାଯିବା ପରେ ଉତ୍ତ୍ୟକ୍ତ ହୋଇଛନ୍ତି ପୂର୍ବତନ କ୍ରିକେଟର । ସେପଟେ ପାକିସ୍ତାନ ଗୃହମନ୍ତ୍ରୀ ରାଣା ସାନାଉଲ୍ଲା କହିଛନ୍ତି- ଇମ୍ରାନ ସେନାକୁ ମଧ୍ୟ ଟାର୍ଗେଟ କରୁଛନ୍ତି । ଇମ୍ରାନଙ୍କ ଭାଷଣକୁ କେନ୍ଦ୍ର କରି ଇସଲାମବାଦ ପୋଲିସ ତାଙ୍କ ବିରୋଧରେ ଆତଙ୍କାବାଦ ବିରୋଧୀ ଆଇନ ଅନୁସାରେ ମାମଲା ରୁଜୁ କରିଥିଲା ।

ଆଜି ଇମ୍ରାନଙ୍କ ଆଇନଜୀବୀ ଟିମ୍ କୋର୍ଟରେ ଆଗୁଆ ଜାମିନ ଆବେଦନ କରିବେ । ତେଣେ ସମ୍ଭାବ୍ୟ ଗିରଫଦାରୀକୁ ନେଇ ଇମ୍ରାନଙ୍କ ପାକିସ୍ତାନ ତେହରିକ-ଇ- ଇନସାଫ ପାର୍ଟିର କର୍ମୀମାନେ ରାଜରାସ୍ତାକୁ ଓହ୍ଲାଇଛନ୍ତି । ବିଭିନ୍ନ ସହରରେ ପ୍ରତିବାଦ କରିବାକୁ ଦଳ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

ଜନ୍ତର-ମନ୍ତରରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ମହାପଞ୍ଚାୟତ

ନୂଆଦିଲ୍ଲୀ: ଆଜି ସଂଯୁକ୍ତ କିଷାନ ମୋର୍ଚ୍ଚାର ଆହ୍ୱାନ କ୍ରମେ ଦିଲ୍ଲୀର ଜନ୍ତରମନ୍ତରରେ କୃଷକ ମହାପଞ୍ଚାୟତ କାର୍ଯ୍ୟକ୍ରମ ରହିଛି । ତେବେ ଏହି ମହାପଞ୍ଚାୟତରେ ବିପୁଳ ସଂଖ୍ୟାରେ କୃଷକମାନେ ସାମିଲ ହେବେ । ବିଭିନ୍ନ ରାଜ୍ୟର କୃଷକ ଦିଲ୍ଲୀ ଅଭିମୁଖେ ବାହାରି ସାରିଛନ୍ତି । ଗୋଟିଏ ଦିନିଆ କାର୍ଯ୍ୟକ୍ରମ ରହିଛି । ଯାହାକି ସମ୍ପୂର୍ଣ୍ଣ ଭାବେ ଶାନ୍ତି ଏବଂ ଅନୁଶାନସହ ସହ ଆୟୋଜିତ ହେବ । ଜନ୍ତର-ମନ୍ତରରେ ଆଜି କୃଷକଙ୍କ ବିରୋଧ ପ୍ରଦର୍ଶନ ଆହ୍ୱାନ ପୂର୍ବରୁ ସିନ୍ଧୁ ସୀମାରେ ସୁରକ୍ଷା ବଢ଼ାଇ ଦିଆଯାଇଛି । ବିଭିନ୍ନ ସ୍ଥାନରେ 144 ଧାରା ଜାରି କରାଯାଇଛି ।

ଏହା ବ୍ୟତୀତ ରାଜଧାନୀ ଦିଲ୍ଲୀକୁ ଆସୁଥିବା ଗାଡ଼ି ଉପରେ ନଜର ରଖାଯାଇଛି । ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଜନ୍ତର-ମନ୍ତରରେ ଏହି ମହାପଞ୍ଚାୟତ ସକାଳ ୧୧ଟାରୁ ସନ୍ଧ୍ୟା ୪ଟା ପର୍ଯ୍ୟନ୍ତ ଆୟୋଜିତ ହେବ । ମହାପଞ୍ଚାୟତ ସରିବା ପରେ ମହାମହିମ ରାଷ୍ଟ୍ରପତିଙ୍କୁ ଦାବିପତ୍ର ପ୍ରଦାନ କରାଯିବ । ମିଳିତ କୃଷକ ମୋର୍ଚ୍ଚା ସୂଚନା ଦେଇ କହିଛି, ଯଦି ସରକାର କାର୍ଯ୍ୟକ୍ରମରେ କୌଣସି ପ୍ରକାର ବାଧା ସୃଷ୍ଟି କରନ୍ତି ତେବେ ସରକାର ଏଥିପାଇଁ ନିଜେ ଦାୟୀ ରହିବେ ।

ପ୍ରକାଶଯୋଗ୍ୟ, କୃଷକ ପଞ୍ଚାୟତ ପକ୍ଷରୁ ଅନେକ ଦାବି କରାଯାଉଛି । ଏଥିମଧ୍ୟରେ ପ୍ରମୁଖ ଦାବି ହେଉଛି ଲକ୍ଷ୍ମିପୁର ଖେରି ନରସଂହାରର ପୀଡିତ କୃଷକ ପରିବାରକୁ ନ୍ୟାୟ ମିଳୁ । ସେହିପରି ଜେଲରେ ବନ୍ଦୀ କୃଷକଙ୍କ ମୁକ୍ତି ଏବଂ ନରସଂହାରର ମୁଖ୍ୟ ଦୋଷୀ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରା ଟେନିଙ୍କ ଗିରଫଦାରୀ ପାଇଁ ଦାବି କରାଯାଉଛି । ସ୍ୱାମୀନାଥନ ଆୟୋଗର ସି-୨୦ ପ୍ଲସ ୫୦ ପ୍ରତିଶତ ଫର୍ମୁଲା ଅନୁସାରେ ଏମଏସପିର ଗ୍ୟାରେଣ୍ଟି ଆଇନ ଅଣାଯାଉ ଏବଂ ଦେଶର ସମସ୍ତ କୃଷକଙ୍କୁ ଋଣମୁକ୍ତ କରାଯାଉ । ବିଜୁଳି ବିଲ୍ ୨୦୨୨କୁ ରଦ୍ଦ କରାଯାଉ । ଅନ୍ୟପକ୍ଷରେ ଗତାକାଲିଠୁ କୃଷକନେତା ରାକେଶ ଟିକାୟତ ଅଟକ ରହିଛନ୍ତି ।

ନିର୍ମାଣଧୀନ ବିଏମସି ବିଲ୍ଡିଂ ଏବଂ ‘ଓ ହବ୍’ର ପରିଦର୍ଶନ କଲେ ଫାଇଭ-ଟି ସଚିବ ଭି କେ ପାଣ୍ଡିଆନ

ଭୁବନେଶ୍ୱର: ଆଇଟି ଟାୱାର ପରିଦର୍ଶନ କଲେ 5-ଟି ସଚିବ ଭିକେ ପାଣ୍ଡିଆନ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ 5-ଟି ସଚିବ ସତ୍ୟନଗରଠାରେ ନିର୍ମାଣାଧୀନ ବିଏମସିର ନୂଆ ବିଲଡ଼ିଂ ଏବଂ O’ ହବ୍ ନିର୍ମାଣ କାର୍ଯ୍ୟର ସମୀକ୍ଷା କରିଛନ୍ତି । ଏହି ୨ଟି ନୂଆ ବିଲଡ଼ିଂର ନିର୍ମାଣକାର୍ଯ୍ୟ ଶୀଘ୍ର ଶେଷ ହୋଇ କାର୍ଯ୍ୟକ୍ଷମ ହେବା ଉପରେ ଗୁରୁତ୍ବ ଦେଇଛନ୍ତି । ପ୍ରଥମ ଥର ପାଇଁ ଓଡ଼ିଶାରେ ଡେଭଲପମେଣ୍ଟ ସେଣ୍ଟର ପ୍ରତିଷ୍ଠା କରିବାକୁ ଆଇବିଏମ ଓ ଡିଲଏଟ ଭଳି ବହୁ ରାଷ୍ଟ୍ରୀୟ କମ୍ପାନୀ ଆଗ୍ରହ ପ୍ରକାଶ କରିଛନ୍ତି ।

ଏହି ଦୁଇଟି କମ୍ପାନୀ ଡେଭଲମ୍ପମେଣ୍ଟ ସେଣ୍ଟର ପ୍ରତିଷ୍ଠା କଲେ ବହୁ ଯୁବକ ଯୁବତୀଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ୨୦୨୨ ଅକ୍ଟୋବର ମଧ୍ୟଭାଗ ସୁଦ୍ଧା ଦୁଇଟି ଯାକ ସେଣ୍ଟର କାର୍ଯ୍ୟକ୍ଷମ କରିବାକୁ ଲକ୍ଷ ରଖାଯାଇଛି । ଏହାସହ ସେ ଭୁବନେଶ୍ବର ସ୍ମାର୍ଟସିଟି କମାଣ୍ଡ ଓ କଣ୍ଟ୍ରୋଲ ସେଣ୍ଟର କାର୍ଯ୍ୟର ଅଗ୍ରଗତି ନେଇ ସନ୍ତୋଷ ପ୍ରକାଶ କରିଛନ୍ତି । ଏଠାରେ ସାଧାରଣ ଲୋକଙ୍କ ପାଇଁ ମିଟିଂ ହଲ୍, କ୍ୟାଣ୍ଟିନ ଓ ପାର୍କିଂ ବ୍ୟବସ୍ଥା କରିବାକୁ ସେ ଗୁରୁତ୍ବ ଦେଇଛନ୍ତି । O’ ହବ୍‌ରେ ଦ୍ବିତୀୟ ଟାୱାର ନିର୍ମାଣକୁ ସେ ପ୍ରାଧାନ୍ୟ ଦେଇଛନ୍ତି ।

ସେଠାରେ ଇନକ୍ୟୁବେସନ ସେଣ୍ଟର ସହ ଷ୍ଟାଟଅପ ପାଇଁ ଆବଶ୍ୟକ ଜାଗା ଯୋଗାଇବାକୁ ଗୁରୁତ୍ବ ଦେଇଛନ୍ତି । ଇନଫୋସିଟି ଅଞ୍ଚଳରେ ବହୁତଳ ବିଶିଷ୍ଟ ପାର୍କିଂ ବ୍ୟବସ୍ଥା କରିବାକୁ ଫାଇବ ଟି ସଚିବ ପରାମର୍ଶ ଦେଇଛନ୍ତି । ଏହାଦ୍ବାରା ଆଇଟି କମ୍ପାନୀ ଗୁଡ଼ିକର ପାର୍କିଂ ସମସ୍ୟା ଦୂର ହେବ ।

ଫାଇବ ଟି ସଚିବଙ୍କ ସହ ଶିଳ୍ପ ସଚିବ ହେମନ୍ତ ଶର୍ମା, ବୈଶୟିକ ଓ ପ୍ରଯୁକ୍ତବିଦ୍ୟା ସଚିବ ମନୋଜ ମିଶ୍ର, ଭୁବନେଶ୍ବର ସ୍ମାର୍ଟସିଟି ଲିମିଟଚେଡର ଅଧ୍ୟକ୍ଷ ସଞ୍ଜୟ ସିଂ, ବିଏମସି କମିଶନର ବିଜୟ ଅମୃତା କୁଲାଙ୍ଗେ ଓ ଇଡକୋର ପରିଚାଳନା ନିର୍ଦ୍ଦେଶକ ଭୂପିନ୍ଦର ସିଂ ପୁନିଆଙ୍କ ଓ ବହୁ ବରିଷ୍ଠ ଅଧିକାରୀ ଯୋଗ ଦେଇଥିଲେ  ।

ଆଜି ଭାରତ-ଜିମ୍ବାୱେ ଶେଷ ଦିନିକିଆ ମ୍ୟାଚ୍: ସମ୍ମାନ ରକ୍ଷା ପାଇଁ ଲଢ଼ିବ ଜିମ୍ବାୱେ

ହରାରେ: ଆଜି ଭାରତ-ଜିମ୍ବାଓ୍ବେ ତୃତୀୟ ତଥା ଶେଷ ଦିନିକିଆ । ଦିନ ୧୨ଟା ୪୫ରୁ ହରାରେ ସ୍ପୋଟ୍‌ର୍ସ କ୍ଲବରେ ହେବ ମୁକାବିଲା । କେଏଲ ରାହୁଲଙ୍କ ନେତୃତ୍ବରେ ପଡ଼ିଆକୁ ଓହ୍ଲାଇବ ଟିମ୍ ଇଣ୍ଡିଆ । ୩ ମ୍ୟାଚ ବିଶିଷ୍ଟ ସିରିଜର ଦୁଇଟି ମ୍ୟାଚ ଜିତିସାରିଛି ଭାରତ । ଏହା ସହିତ ସିରିଜକୁ ଅକ୍ତିଆର କରିଛି ମେନ୍ ଇନ୍ ବ୍ଲୁ ।

ପ୍ରଥମ ଦିନିକିଆକୁ ୧୦ଓ୍ବିକେଟରେ ଜିତିଥିବାବେଳେ ଦ୍ବିତୀୟ ଦିନିକିଆକୁ ୫ ଓ୍ବିକେଟ୍ରେ ଜିତିଛି ଭ୍ରମଣକାରୀ ଦଳ । ଶେଷ ଦିନିକିଆ ଜିତି ସିରିଜ କ୍ଲିନ ସୁଇପ କରିବା ଲକ୍ଷ୍ୟରେ ରହିଛି ଭାରତ । ଏପଟେ ମ୍ୟାଚ ଜିତି ସମ୍ମାନ ରକ୍ଷା ପାଇଁ ଉଦ୍ୟମ କରିବ ଜିମ୍ବାଓ୍ବେ । ସୂଚନାଯୋଗ୍ୟ ଭାରତ ଜିମ୍ବେୱେ ବିରୋଧରେ ୯ ବର୍ଷ ହେବ କୌଣସି ଦିନିକିଆ ହାରିନାହିଁ । ଆଜି ଯଦି ଭାରତ ବିଜୟୀ ହୁଏ ତେବେ ରେକର୍ଡ ଜାରି ରହିବ ।

ବିଲକିସ୍ ବାନୋ ଗଣଦୁଷ୍କର୍ମ ମାମଲା: ଅଭିଯୁକ୍ତଙ୍କୁ ମୁକ୍ତ କରିବା ପରେ ବିବାଦ ଘେରରେ ଗୁଜୁରାଟ ସରକାର

ଗାନ୍ଧିନଗର: ବହୁଚର୍ଚ୍ଚିତ ଗୁଜରାଟ ବିଲକିସ ବାନୋ ଗଣଦୁଷ୍କର୍ମ ମାମଲା । ୧୧ ଅଭିଯୁକ୍ତଙ୍କୁ ଗୁଜରାଟ ସରକାର ମୁକ୍ତ କରିଦେବାକୁ ନେଇ ବଢିଛି ବିବାଦ । ଆଜି ଏନେଇ ଜାତୀୟ ମାନବାଧିକାର କମିଶନ ସ୍ବତନ୍ତ୍ର ଭାବେ ବିଚାର ବିମର୍ଶ କରିବେ । ମାମଲାରେ ଦୋଷୀ କେମିତି ଜେଲରୁ ମୁକୁଳିଲେ ତାକୁ ଆଲୋଚନା କରାଯିବ । ପୂର୍ବରୁ ପ୍ରାୟ ୬ ହଜାର ମାନବାଧିକାର କର୍ମୀ, ଐତିହାସିକ, ଅମଲାତନ୍ତ୍ରୀ, ଲେଖକ, ଫିଲ୍ମ ନିର୍ମାତା, ସାମ୍ବାଦିକ, ସମାଜସେବୀ ବିରୋଧ କରିଥିଲେ ।

ଅଭିଯୁକ୍ତଙ୍କ ଖଲାସ ହେବାକୁ ସେମାନେ ବିରୋଧ କରିବା ସହ ନିଷ୍ପତ୍ତିକୁ ବାତିଲ କରିବା ଲାଗି ଦାବି କରିଥିଲେ । ଗୁଜରାଟ ସରକାରଙ୍କ ଏହି ନିଷ୍ପତ୍ତି ନ୍ୟାୟ ବ୍ୟବସ୍ଥାର ବୃହତ ପରିପନ୍ଥୀ ବୋଲି ସେମାନେ ଦର୍ଶାଇଛନ୍ତି । ଏହି ମାମଲାରେ ତ ୨୦୦୮ ଜାନୁଆରୀ ୨୧ରେ ମୁମ୍ବାଇର ଏକ ସ୍ବତନ୍ତ୍ର କୋର୍ଟ ମୋଟ ୨୦ ଅଭିଯୁକ୍ତଙ୍କ ମଧ୍ୟରୁ ୧୧ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଥିଲେ । ପରେ ଏହି ରାୟକୁ ବମ୍ବେ ହାଇକୋର୍ଟ କାଏମ ରଖିଥିଲେ ।

ଫଳରେ ସମସ୍ତ ଅଭିଯୁକ୍ତ ଗୋଧ୍ରା ସବଜେଲରେ ରହିଥିଲେ । ମାତ୍ର ଗତ ଅଗଷ୍ଟ ୧୫ ତାରିଖରେ ଗୁଜରାଟ ସରକାର ସେମାନଙ୍କୁ ସ୍ବତନ୍ତ୍ର ନୀତିକୁ ଆଧାର କରି ମୁକ୍ତ କରିଦେଇଥିଲେ । ୨୦୦୨ ଗୋଧ୍ରା ଗଣହତ୍ୟା ଘଟଣା କ୍ରମେ ମାର୍ଚ୍ଚ ୩ ତାରିଖରେ ୫ ମାସର ଗର୍ଭବତୀ ବିଲକିସ ବାନୋଙ୍କୁ ଗଣଦୁଷ୍କର୍ମ କରାଯାଇଥିଲା । ଏହା ସହ ତାଙ୍କର ୩ ବର୍ଷର ଶିଶୁକନ୍ୟାଙ୍କ ସମେତ ପରିବାରର ୭ଜଣଙ୍କୁ ହତ୍ୟା କରିଥିଲେ ଦୁର୍ବୃତ୍ତ ।

ଆଜି ରାଜଘାଟରେ ପିକ୍ ଛୁଇଁବ ସୁବର୍ଣ୍ଣରେଖା

ଆଜି ରାଜଘାଟରେ ପିକ୍ ଛୁଇଁବ ସୁବର୍ଣ୍ଣରେଖା । ଏବେ ବିପଦ ସଂକେତ ଉପର ପ୍ରବାହିତ ହେଉଛି ନଦୀ । ରାଜଘାଟରେ ବିପଦ ସଂକେତ ୧୦ ଦଶମିକ ୩୬ ମିଟର ଥିବା ବେଳେ ଏବେ ଜଳସ୍ତର ରହିଛି ୧୧ ଦଶମିକ ୩୬ ମିଟର । ଝାଡ଼ଖଣ୍ଡ ସହିତ ସମନ୍ୱୟ ରକ୍ଷା କରି ଜଳ ସମ୍ପଦ ବିଭାଗ ବନ୍ୟା ନିୟନ୍ତ୍ରଣକୁ ଗୁରୁତ୍ବ ଦିଆଯାଉଥିବା କହିଛନ୍ତି ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ।

ଯାଜପୁର, ଭଦ୍ରକ, ମୟୂରଭଞ୍ଜ ଓ ବାଲେଶ୍ଵରରେ ବନ୍ୟାସ୍ଥିତି ଉପରେ ନଜର ରଖାଯାଇଛି । ଭୋଗରାଇ ଓ ବାଲିଆପାଳ ଅଞ୍ଚଳରେ ପାଣି ପଶିଛି । ବୈତରଣୀ ବିପଦ ସଂକେତ ଉପରେ ଥିଲେ ମଧ୍ୟ ଖସୁଛି ଜଳସ୍ତର । ଉଦ୍ଧାର କାର୍ଯ୍ୟରେ ୫ଟି ଏନଡିଆରଏଫ୍, ୪ଟି ଓଡ୍ରାଫ୍ ଟିମ୍ ସମେତ ଅଗ୍ନିଶମ ବାହିନୀ ମୁତୟନ କରାଯାଇଛି । ଆଜି ସନ୍ଧ୍ୟା ପର୍ଯ୍ୟନ୍ତ ସ୍ଥିତି ସଙ୍ଗୀନ ରହିବ ।

ପାଣି ଘେରରୁ ଲୋକଙ୍କୁ ଉଦ୍ଧାର ଓ ରିଲିଫ କାର୍ଯ୍ୟ ତଦାରଖ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ମନ୍ତ୍ରୀ ପ୍ରତାପ ଦେବ ଜିଲ୍ଲା ଗସ୍ତ କରିଛନ୍ତି । ଏହାସହ ଜରୁରୀ ପରିସ୍ଥିତି ପରିଚାଳନା ପାଇଁ ବାଲେଶ୍ବର ଜିଲ୍ଲାପାଳଙ୍କୁ ସ୍ବତନ୍ତ୍ର ରିଲିଫ କମିଶନର କ୍ଷମତା ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ।