spot_img
Home Blog Page 4090

ଘରୋଇ ବଜାରରେ ଶସ୍ତା ହେବ ପେଟ୍ରୋଲ, ଡିଜେଲ ଏବଂ ବାୟୁ ଇନ୍ଧନ ଦର !

ନୂଆଦିଲ୍ଲୀ: ଏବେ ଶସ୍ତା ହେବ ପେଟ୍ରୋଲ, ଡିଜେଲ ଏବଂ ବିମାନ ଇନ୍ଧନ ଦର । ଗ୍ରାହକ ମାନଙ୍କୁ ବଡ଼ ଆଶ୍ବସ୍ତି । ଘରୋଇ ବଜାରରେ ପେଟ୍ରୋଲ,ଡିଜେଲ ଓ ବିମାନ ଇନ୍ଧନରେ ମୂଲ୍ୟ ହ୍ରାସ କରିବା ପାଇଁ କେନ୍ଦ୍ର ସରକାର ନେଇଛନ୍ତି ଏକ ବଡ଼ ନିଷ୍ପତ୍ତି । ଏଥର କମ୍ପାନୀ ଗୁଡ଼ିକୁ ରପ୍ତାନି ଉପରେ ଅଧିକ ଟିକସ ଦେବାକୁ ପଡ଼ିବ । ବିଶୋଧିତ ପେଟ୍ରୋଲ ଏବଂ ଡିଜେଲର ରପ୍ତାନୀ ହ୍ରାସ କରିବାକୁ ଏହି ପଦକ୍ଷେପ ନିଆଯାଇଛି ।

ଘରୋଇ ବଜାରକୁ ଇନ୍ଧନ ଯୋଗାଣକୁ ସୁଗମ ରଖିବା ଏବଂ ମୂଲ୍ୟ ନିୟନ୍ତ୍ରଣ କରିବା ପାଇଁ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ସରକାରଙ୍କ ଦ୍ବାରା ଜାରି କରାଯାଇଥିବା ବିଜ୍ଞାପ୍ତି ଅନୁଯାୟୀ ଜୁଲାଇ ପହିଲାରୁ ପେଟ୍ରୋଲ, ଡିଜେଲ ଏବଂ ବିମାନ ଟର୍ବାଇନ ଇନ୍ଧନ (ଏଟିଏଫ) ରପ୍ତାନୀ ଉପରେ ଅତିରିକ୍ତ ଟିକସ ଦେବାକୁ ହେବ । ତୈଳ ବିଶୋଧନ କମ୍ପାନୀ ଗୁଡିକୁ ବର୍ତ୍ତମାନ ପେଟ୍ରୋଲ ଏବଂ ଏଫଟିଏଫରେ ଲିଟର ପିଛା ୬ଟଙ୍କା ଲେଖାଏଁ  ରପ୍ତାନି ଟିକସ ଦେବାକୁ ହେବ । ସେପଟେ ଡିଜେଲରେ ଲିଟର ପିଛା ୧୩ଟଙ୍କା ରପ୍ତାନି ଟିକସ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।

ସୁଚନା ଅନୁସାରେ, ଚଳିତ ମାସ ଆରମ୍ଭରେ ଦେଶର ଅନେକ ସ୍ଥାନରେ ପେଟ୍ରୋଲ ପମ୍ପରେ ଇନ୍ଧନର ଅଭାବ ଦେଖାଦେଇଥିଲା। ରିଫାଇନାରୀ କମ୍ପାନୀଗୁଡିକରୁ ପର୍ଯ୍ୟାପ୍ତ ଯୋଗାଣ ନାହିଁ ବୋଲି ପମ୍ପ ଡିଲରମାନେ କହିଛନ୍ତି । ସରକାର କହିଛନ୍ତି ଯେ, ଘରୋଇ କ୍ଷେତ୍ରର ରିଫାଇନାରୀ ଗୁଡିକ ସେମାନଙ୍କର ଅଧିକାଂଶ ଉତ୍ପାଦ ରପ୍ତାନି କରଥାନ୍ତି, ତେଣୁ ଏହି ନିଷ୍ପତ୍ତି ତାଙ୍କ ଉପରେ ସବୁଠାରୁ ବଡ ପ୍ରଭାବ ପକାଇବ |

ଯଦି ଦେଶରେ ଉତ୍ପାଦିତ ଅଶୋଧିତ ତୈଳ ବାହାରେ ରପ୍ତାନି ହୁଏ, ତେବେ କମ୍ପାନୀଗୁଡିକ ଟନ୍ ପିଛା ୨୩,୨୩୦ ଟଙ୍କା ଅତିରିକ୍ତ ଟିକସ ଦେବାକୁ ପଡିବ । ବିଶ୍ବ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧିକୁ ଦୃଷ୍ଟିରେ ରଖି ଘରୋଇ ଉତ୍ପାଦନକୁ ରୋକିବା ପାଇଁ ଏହି ପଦକ୍ଷେପ ନିଆଯାଇଛି ।

ବଡ଼ଦାଣ୍ଡରେ ରଥଯାତ୍ରା ଦେଖୁଛନ୍ତି ମୁଖ୍ୟମନ୍ତ୍ରୀ

ପୁରୀ: ଆଜି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ରଥଯାତ୍ରା ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର । ଦୁଇ ବର୍ଷ ପରେ ବଡ଼ଦାଣ୍ଡରେ ହେଉଛି ଭକ୍ତ ଓ ଭଗବାନଙ୍କ ଅପୂର୍ବ ମିଳନ । ଦୁଇ ବର୍ଷ ପରେ ରଥଯାତ୍ରା ଦେଖିବାକୁ ଭକ୍ତଙ୍କୁ ଅନୁମତି ମିଳିଥିବାରୁ ଜନସମୁଦ୍ରରେ ପରିଣତ ହୋଇଛି ବଡ଼ଦାଣ୍ଡ । ତେବେ ଶ୍ରୀଗୁଣ୍ଡିଚା ଯାତ୍ରା ଅବସରରେ ପୁରୀ ଯାଇ ରଥଯାତ୍ରା ଦେଖୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବଡ଼ଦାଣ୍ଡରେ ରଥଯାତ୍ରାରେ ଦେଖୁଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀଙ୍କ ସହ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ମଧ୍ୟ ଉପସ୍ଥିତ ରହି ମହାପ୍ରଭୁଙ୍କ ରଥଯାତ୍ରା ଦେଖୁଛନ୍ତି ।

 

ତେବେ ଆଜି ପୁରୀ ଗସ୍ତରେ ଯାଇ ପ୍ରଥମେ ଶ୍ରୀମନ୍ଦିର ଦକ୍ଷିଣ ଦ୍ୱାର ପଟେ ନିର୍ମିତ ମଡେଲ ପ୍ୟାଚ୍ ବୁଲି ଦେଖିଥିଲେ ମୁଖ୍ୟମନ୍ତ୍ରୀ । ଦକ୍ଷିଣ ଦ୍ୱାର ନିକଟରେ ପରିକ୍ରମା ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ବରିଷ୍ଠ ଅଧିକାରୀଙ୍କ ସହ ଏହି ନିର୍ମାଣ କାମକୁ ବୁଲି ଦେଖିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସମ୍ପୂର୍ଣ୍ଣ ଉତ୍କଳୀୟ ଢାଞ୍ଚାରେ ଖଣ୍ଡୋଲାଇଟ୍ ପଥରରେ କାମ ହୋଇଛି । ଅତ୍ୟନ୍ତ ସୁନ୍ଦର ଓ ଆକର୍ଷଣୀୟ ଦେଖାଯାଉଥିବା ଏହି ସ୍ଥାନ ସମସ୍ତଙ୍କୁ ବିମୋହିତ କରୁଛି । ସ୍ଥାନୀୟ ଲୋକ ମଧ୍ୟ ଏଭଳି କାର୍ଯ୍ୟକୁ ପ୍ରଶଂସା କରିଥିବା ବେଳେ ପୂର୍ଣ୍ଣାଙ୍ଗ ପ୍ରକଳ୍ପ ନିଶ୍ଚିତ ଭାବେ ଚିତାକର୍ଷକ ହେବ ।

 

ନୁପୂରଙ୍କୁ ସୁପ୍ରିମକୋର୍ଟଙ୍କ କଡ଼ା ଭର୍ତ୍ସନା

ନୂଆଦିଲ୍ଲୀ: ନିଲମ୍ବିତ ବିଜେପି ନେତ୍ରୀ ନୁପୂର ଶର୍ମାଙ୍କ ଉପରେ ବର୍ଷିଛନ୍ତି ସୁପ୍ରିମକୋର୍ଟ । ବିବାଦୀୟ ମନ୍ତବ୍ୟ ପାଇଁ ନୁପୁରଙ୍କୁ କଡ଼ା ଭର୍ତ୍ସନା ସହିତ ଗଣମାଧ୍ୟମ ଜରିଆରେ ସାରା ଦେଶକୁ କ୍ଷମା ମାଗିବା ପାଇଁ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି । ତାଙ୍କ ବିବାଦୀୟ ମନ୍ତବ୍ୟ ପାଇଁ ଏବେ ସାରା ଦେଶରରେ ଯାହା ଘଟୁଛି ସେଥିପାଇଁ ସେ ହିଁ ଦାୟୀ ବୋଲି ସୁପ୍ରିମକୋର୍ଟ କହିଛନ୍ତି ।

ନୁପୂରଙ୍କ ବିବାଦୀୟ ବିବୃତ୍ତି ପରେ ସାରା ଦେଶରେ ଅନେକ ହିଂସାତ୍ମକ ଘଟଣା ଘଟୁଛି । ନିକଟରେ ରାଜସ୍ଥାନର ଉଦୟପୁରେ ଟେଲରଙ୍କ ହତ୍ୟା ମାମଲା ମଧ୍ୟ ଏହା ସହ ଜଡ଼ିତ ଥିଲା । ଯାହାପରେ ବର୍ତ୍ତମାନ ସୁପ୍ରିମକୋର୍ଟ ତାଙ୍କୁ କଡ଼ା ସମାଲୋଚନା କରିଛନ୍ତି । ଏଥି ସହିତ ଦିଲ୍ଲୀ ପୋଲିସକୁ ମଧ୍ୟ ତାଙ୍କୁ ଦାଗିଦ କରିଛନ୍ତି । ସୁପ୍ରିମ କୋର୍ଟ ନୁପୂର ଶର୍ମାଙ୍କୁ କହିଛନ୍ତି କି, ଆପଣଙ୍କ ଯୋଗୁ ଦେଶରେ ଖରାପ ପରିସ୍ଥିତି ସୃଷ୍ଟି ହୋଇଛି ଏବଂ ଆପଣ ଦୀର୍ଘ ସମୟ ଧରି କ୍ଷମା ମାଗିବାରେ ବିଳମ୍ବ କରିଛନ୍ତି । ଏବେ ଟିଭି ଜରିଆରେ ସାରା ଦେଶକୁ କ୍ଷମା ମାଗନ୍ତୁ ବୋଲି ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି ।

ଏହା ସହିତ ସୁପ୍ରିମକୋର୍ଟ ନୁପୁର ଶର୍ମାଙ୍କ ଆବେଦନକୁ ପ୍ରତ୍ୟାଖାନ କରିଛନ୍ତି । ଯେଉଁଥିରେ ସେ ନିଜ ବିରୋଧରେ ରାଜ୍ୟ ମାନଙ୍କରେ ଅପିଲ କରାଯାଇଥିବା ସମସ୍ତ FIRକୁ ଦିଲ୍ଲୀ ସ୍ଥାନାନ୍ତର କରିବା ପାଇଁ ଆବେଦନ କରିଥିଲେ । ନୂପୁରଙ୍କ ବିବାଦୀୟ ବୟାନକୁ ବିନମ୍ରତାର ସହ ଫେରାଇ ନେବାକୁ ତାଙ୍କ ଓକିଲ ସୁପ୍ରିମକୋର୍ଟକୁ ଆବେଦନ କରିଥିଲେ ମଧ୍ୟ ଏହାକୁ କୋର୍ଟ ପ୍ରତ୍ୟାଖ୍ୟାନ କରିଦେଇଛନ୍ତି ଏବଂ ଏଥିପାଇଁ ବହୁତ ଡେରି ହୋଇଯାଇଛି ବୋଲି ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି ।

ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା: ମାଉସୀ ମା’ ମନ୍ଦିର ଅଭିମୁଖେ ଗଢ଼ିଲା ତାଳଧ୍ୱଜ ରଥ

ପୁରୀ: ଆଜି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ଭାଇ ଭଉଣୀଙ୍କୁ ସାଙ୍ଗରେ ଧରି ମାଉସୀ ଘର ଯିବେ ମହାପ୍ରଭୁ । ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର । ତେବେ ନିର୍ଦ୍ଧାରିତ ସମୟର ତିନି ଘଣ୍ଟା ପୂର୍ବରୁ ଗଡ଼ିଛି ରଥ । ମାଉସୀ ମା’ ମନ୍ଦିର ଅଭିମୁଖେ ବାହାରିଲେ ବଡ଼ ଠାକୁର । ସିଂହଦ୍ୱାର ଛାଡ଼ି ଗଣ୍ଡିଚା ମନ୍ଦିର ଅଭିମୁଖେ ବାହାରିଲା ବଳଭଦ୍ରଙ୍କ ତାଳଧ୍ୱଜ ରଥ । ଡାହୁକଙ୍କ ଡାକରେ ଫାଟି ପଡ଼ୁଛି ସମଗ୍ର ପରିବେଶ ।

ଆଜି ସକାଳୁ ଧାଡ଼ି ପହଣ୍ଡିରେ ଚତୁର୍ଦ୍ଧାମୂର୍ତ୍ତି ରଥାରୁଢ଼ ହେବା ପରେ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ ଜଗତଗୁରୁ ଶଙ୍କରାଚାର୍ଯ୍ୟ । ଏହା ପରେ ରଥ ଉପରେ ’ଛେରାପହଁରା’ ନୀତି କରିଥିଲେ ଗଜପତି ମହାରାଜା ଦିବ୍ୟସିଂହ ଦେବ । ପ୍ରଥମ ବଳଭଦ୍ରଙ୍କ ତାଳଧ୍ୱଜ ରଥରେ ଛେରାପହଁରା କରିଥିଲେ ଗଜପତି ମହାରାଜା । ଏହା ପରେ ସୁଭଦ୍ରାଙ୍କ ଦେବଦଳନ ଓ ଶେଷରେ ମହାପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ ରଥରେ ଛେରାପହଁରା କରିଥିଲେ ମହାରାଜା ଦିବ୍ୟସଂହ ଦେବ । ଛେରାପହଁରା ନୀତି ସମାପନ ହେବା ପରେ ବଡ଼ଦାଣ୍ଡରେ ଗଡ଼ିଛି ବଡ଼ ଠାକୁରଙ୍କ ତାଳଧ୍ୱଜ ରଥ ।

 

 

ରଥଯାତ୍ରା ଅବସରରେ ପୁରୀରେ ମୁଖ୍ୟମନ୍ତ୍ରୀ, ରଥାରୁଢ଼ ମହାପ୍ରଭୁଙ୍କୁ କରିବେ ଦର୍ଶନ

ପୁରୀ: ରଥଯାତ୍ରା ଅବସରରେ ପୁରୀରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମହାପ୍ରଭୁଙ୍କୁ ଦର୍ଶନ କରିବେ ମୁଖ୍ୟମନ୍ତ୍ରୀ । କିନ୍ତୁ ଏହା ପୂର୍ବରୁ ଶ୍ରୀମନ୍ଦିର ଦକ୍ଷିଣ ଦ୍ୱାର ପଟେ ନିର୍ମିତ ମଡେଲ ପ୍ୟାଚ୍ ବୁଲି ଦେଖିବେ ମୁଖ୍ୟମନ୍ତ୍ରୀ । ଦକ୍ଷିଣ ଦ୍ୱାର ନିକଟରେ ପରିକ୍ରମା ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଏହି ନିର୍ମାଣ କାମକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଲି ଦେଖିବେ । ବରିଷ୍ଠ ଅଧିକାରୀ ମଧ୍ୟ ସାଙ୍ଗରେ ଉପସ୍ଥିତ ଅଛନ୍ତି । ସମ୍ପୂର୍ଣ୍ଣ ଉତ୍କଳୀୟ ଢାଞ୍ଚାରେ ଖଣ୍ଡୋଲାଇଟ୍ ପଥରରେ କାମ ହୋଇଛି । ଅତ୍ୟନ୍ତ ସୁନ୍ଦର ଓ ଆକର୍ଷଣୀୟ ଦେଖାଯାଉଥିବା ଏହି ସ୍ଥାନ ସମସ୍ତଙ୍କୁ ବିମୋହିତ କରୁଛି । ସ୍ଥାନୀୟ ଲୋକ ମଧ୍ୟ ଏଭଳି କାର୍ଯ୍ୟକୁ ପ୍ରଶଂସା କରିଥିବା ବେଳେ ପୂର୍ଣ୍ଣାଙ୍ଗ ପ୍ରକଳ୍ପ ନିଶ୍ଚିତ ଭାବେ ଚିତାକର୍ଷକ ହେବ ବୋଲି ସେମାନେ କହିଛନ୍ତି ।

ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା: ତିନି ରଥରେ ’ଛେରାପହଁରା’ ନୀତି କରୁଛନ୍ତି ଗଜପତି ମହାରାଜା

ପୁରୀ: ଆଜି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ଘୋଷଯାତ୍ରା ପାଇଁ ଚଳଚଚଞ୍ଚଳ ଶ୍ରୀକ୍ଷେତ୍ର । ଦୀର୍ଘ ଦୁଇ ବର୍ଷ ପରେ ଭକ୍ତ ଓ ଭଗବାନଙ୍କ ଅପୂର୍ବ ମିଳିନ ହେଉଥିବାରୁ ବାଡ଼ଦାଣ୍ଡରେ ଲକ୍ଷାଧିକ ଲୋକଙ୍କ ଜନସମାଗମ । ତେବେ ଆଜି ସକାଳୁ ତିନି ଠାକୁର ଧାଡ଼ି ପହଣ୍ଡିରେ ଆସି ରଥାରୁଢ଼ ହେବା ପରେ ତିନି ରଥ ଉପରେ ଶ୍ରୀଜିଉଙ୍କୁ ଦର୍ଶନ କରିଥିଲେ ଜଗତଗୁରୁ ଶଙ୍କରାଚାର୍ଯ୍ୟ । ମହାପ୍ରଭୁଙ୍କୁ ଶଙ୍କରାଚାର୍ଯ୍ୟ ଦର୍ଶନ କରିବା ପରେ ରଥ ଉପରେ ’ଛେରାପହଁରା’ ନୀତି କରୁଛନ୍ତି ଗଜପତି ମହାରାଜା ଦିବ୍ୟସିଂହ ଦେବ । ସୁବର୍ଣ୍ଣଚାମର ଧରି ’ଛେରାପହଁରା’ କରୁଛନ୍ତି ଗଜପତି ମହାରାଜା । ଗଜପତି ମହାରାଜା ପ୍ରଥମେ ତାଳଧ୍ୱଜ ରଥରେ ଛେରାପହଁରା କରିବା ପରେ ସୁଭଦ୍ରାଙ୍କ ଦେବଦଳନ ରଥ ଓ ଶେଷରେ ନନ୍ଦିଘୋଷ ରଥକୁ ଯାଇ ଛେରାପହଁରା ନୀତି ସମାପନ କରିବେ ।

ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା: ରଥଯାତ୍ରା ଅବସରରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ

ପୁରୀ: ଆଜି ପବିତ୍ର ରଥଯାତ୍ରା । ଦୁଇ ବର୍ଷ ପରେ ଭକ୍ତ-ଭଗବାନଙ୍କ ମଧ୍ୟରେ ହେଉଛି ମହାମିଳନ । ରଥଯାତ୍ରା ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର । ବଡ଼ଦାଣ୍ଡରେ ଝୁଲି ଝୁଲି ରଥ ଉପରକୁ ଆସିଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ପବିତ୍ର ରଥଯାତ୍ରା ଅବସରରେ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ।

ରଥଯାତ୍ରା ଅବସରରେ ଟ୍ୱିଟ୍ କରି ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେ ଟ୍ୱିଟ୍‌ କରି କହିଛନ୍ତି, ପ୍ରଭୁ ଜଗନ୍ନାଥଙ୍କୁ ପ୍ରାର୍ଥନା କରୁଛୁ ସମସ୍ତଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ଏବଂ ସୁଖରେ ଆଶୀର୍ବାଦ ପ୍ରାପ୍ତ ହେଉ । ରଥଯାତ୍ରା ଆମ ସଂସ୍କୃତିରେ ଏକ ଗୁରୁତ୍ବବହନ କରିଛି । ମନ୍ କି ବାତରେ ରଥଯାତ୍ରାର ମହତ୍ତ୍ୱ ବାଣ୍ଟିଥିବା ଭିଡିଓକୁ ସେୟାର କରିଛନ୍ତି ପ୍ରଧାନମନ୍ତ୍ରୀ ।

https://twitter.com/narendramodi/status/1542711976589393920?s=20&t=PN-7ox6etkoggNHncsc0QQ

ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଅବସରରେ ବିଶ୍ୱର କୋଣ ଅନୁକୋଣରେ ରହୁଥିବା ପ୍ରତିଟି ଓଡ଼ିଆ ଓ ଶ୍ରୀଜଗନ୍ନାଥ ପ୍ରେମୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ରାଜ୍ୟପାଳ ଗଣେଶୀ ଲାଲ । ମହାପ୍ରଭୁଙ୍କ ଅପାର କୃପା ସମସ୍ତଙ୍କ ଉପରେ ଅତୁଟ ରହୁ ବୋଲି ସେ ପ୍ରାର୍ଥନା କରିଛନ୍ତି ।

ସେହିପରି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଉପଲକ୍ଷେ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ ଟ୍ୱିଟ୍ କରି କହିଛନ୍ତି କି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା । ଚତୁର୍ଦ୍ଧାମୂର୍ତ୍ତିଙ୍କ ଆଶୀର୍ବାଦରୁ ପ୍ରତ୍ୟେକଟି ଜୀବନ ମଙ୍ଗଳମୟ ହେଉ ବୋଲି ଟ୍ୱିଟ୍ କରି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା: ଝୁଲି ଝୁଲି ରଥାରୁଢ଼ ହେଲେ କାଳିଆ ସାଆନ୍ତେ

ପୁରୀ: ଆଜି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ରଥଯାତ୍ରା ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର । ଶ୍ରୀଗୁଣ୍ଡିଚା ଯାତ୍ରା ପାଇଁ ମହାପ୍ରଭୁଙ୍କ ନୀତିକାନ୍ତି ୩ ଘଣ୍ଟା ଆଗୁଆ ଚାଲିଛି । ପ୍ରଥମେ ଚକ୍ରରାଜ ସୁଦର୍ଶନଙ୍କୁ ପହଣ୍ଡି କରି ଦେବଦଳନ ରଥରେ ବିଜେ କରାଯାଇଥିଲା । ଏହା ପରେ ବଡ଼ ଭାଇ ଶ୍ରୀ ବଳଭଦ୍ର ଧାଡ଼ ପହଣ୍ଡିରେ ଆସି ତାଳଧ୍ୱଜ ରଥରେ ବିଜେ ହେବା ପରେ ମା’ ସୁଭଦ୍ରାଙ୍କୁ ପହଣ୍ଡିରେ ଆଣି ଦେବଦଳନ ରଥରେ ବିଜେ କରିଥିଲେ । ଏହା ପରେ ବଡ଼ଦାଣ୍ଡରେ ଝୁଲି ଝୁଲି ରଥ ଉପରକୁ ଆସିଥିଲେ କାଳିଆ ସାଆନ୍ତେ । ପହଣ୍ଡି ସମୟରେ ହରିବୋଲ, ହୁଳହୁଳି ଓ ଜୟ ଜଗନ୍ନାଥ ଧ୍ୱନିରେ ଗଗନପବନ ମୁଖରିତ ହୋଇଉଠିଥିଲା । ତେବେ ଏହାରି ମଧ୍ୟରେ ରଥାରୁଢ଼ ହୋଇସାରିଛନ୍ତି ତିନି ଠାକୁର ।

 

କରୋନା ମହାମାରୀ ପାଇଁ ଦୀର୍ଘ ଦୁଇ ବର୍ଷ ପରେ ରଥଯାତ୍ରାରେ ସାମିଲ ହୋଇଛନ୍ତି ଲକ୍ଷାଧିକ ଭକ୍ତ । ଦୁଇ ବର୍ଷର ବ୍ୟବଧାନ ପରେ ଭକ୍ତ-ଭଗବାନର ହୋଇଛି ମହାମିଳନ । ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ୧୮୦ ପ୍ଲାଟୁନ ଫୋର୍ସ, ୧ ହଜାର ପୋଲିସ ଅଧିକାରୀଙ୍କୁ ରଥଯାତ୍ରାରେ ନିୟୋଜିତ କରାଯାଇଛି । ସେହିପରି ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ ସ୍ୱତନ୍ତ୍ର ଆୟୋଜନ କରାଯାଇଛି

ସଡ଼କ ଦୁର୍ଘଟଣାରେ ବରିଷ୍ଠ ଫଟୋ ସାମ୍ବାଦିକ ଅଶୋକ ପଣ୍ଡାଙ୍କ ମୃତ୍ୟୁ

ଭୁବନେଶ୍ୱର: ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାରେ ଆସିଛି ଏକ ଦୁଃଖଦ ଖବର । ପରଲୋକରେ ବରିଷ୍ଠ ଫଟୋ ସାମ୍ବାଦିକ ଅଶୋକ ପଣ୍ଡା । ଆଜି ଏକ ସଡ଼କ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଛି । ମୃତ୍ୟୁ ବେଳକୁ ତାଙ୍କ ୫୭ ବର୍ଷ ବୟସ ହୋଇଥିଲା । ଦୈନିକ ଖବର କାଗଜ ’ସମୟ’ ସହ ଦୀର୍ଘଦିନ ହେବ ଜଡ଼ିତ ଥିଲେ ଅଶୋକ ପଣ୍ଡା ।

ସୂଚନା ଅନୁସାରେ ରଥଯାତ୍ରା ଅବସରରେ ସେ ପୁରୀ ଯାଉଥିଲେ । ବାଇକରେ ପୁରୀ ଯାଉଥିବାବେଳେ ସାତଶଙ୍ଖ ନିକଟରେ ଅଜଣା ଗାଡ଼ି ଅଶୋକଙ୍କୁ ଧକ୍କା ଦେଇଥିଲା । ଗୁରୁତର ଅବସ୍ଥାରେ ତାଙ୍କ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ତେବେ ହଠାତ ଅଶୋକ ପଣ୍ଡାଙ୍କ ଦେହାନ୍ତ ନେଇ ସାମ୍ବାଦିକ ମହଲରେ ଶୋକର ଛାୟା ଖେଳିଯାଇଛି ।

ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା: ଧାଡ଼ି ପହଣ୍ଡିରେ ରଥକୁ ବିଜେ କଲେ ଦେବୀ ସୁଭଦ୍ରା

ପୁରୀ: ଆଜି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ରଥଯାତ୍ରା ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର । ଶ୍ରୀଗୁଣ୍ଡିଚା ଯାତ୍ରା ପାଇଁ ମହାପ୍ରଭୁଙ୍କ ନୀତିକାନ୍ତି ୩ ଘଣ୍ଟା ଆଗୁଆ ଚାଲିଛି । ଯାହାଫଳରେ ସକାଳ ସାଢ଼େ ୬ଟାରୁ ଆରମ୍ଭ ହୋଇଛି ପହଣ୍ଡି । ପ୍ରଥମେ ଚକ୍ରରାଜ, ପରେ ବଡ଼ଭାଇ ପ୍ରଭୁ ଶ୍ରୀବଳଭଦ୍ରଙ୍କ ପହଣ୍ଡି ପରେ ଦେବୀ ସୁଭଦ୍ରାଙ୍କ ପହଣ୍ଡି ବିଜେ ସରିଛି । ଧାଡି ପହଣ୍ଡିରେ ଆସି ଦେବଦଳନ ରଥରେ ବିଜେ କରିଛନ୍ତି ଦେବୀ ସୁଭଦ୍ରା । ସୁଦର୍ଶନ, ବଡ଼ ଭାଇ ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ପହଣ୍ଡି ବିଜେ ପରେ ଏବେ ବଡ଼ ଦାଣ୍ଡରେ ଝୁଲିଝୁଲି ରଥକୁ ଆସୁଛନ୍ତି ବଡ଼ ଠାକୁର ।

ତେବେ କରୋନା ମହାମାରୀ ପାଇଁ ଦୀର୍ଘ ଦୁଇ ବର୍ଷ ପରେ ରଥଯାତ୍ରାରେ ସାମିଲ ହୋଇଛନ୍ତି ଲକ୍ଷାଧିକ ଭକ୍ତ । ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ୧୮୦ ପ୍ଲାଟୁନ ଫୋର୍ସ, ୧ ହଜାର ପୋଲିସ ଅଧିକାରୀଙ୍କୁ ରଥଯାତ୍ରାରେ ନିୟୋଜିତ କରାଯାଇଛି । ସେହିପରି ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ ସ୍ୱତନ୍ତ୍ର ଆୟୋଜନ କରାଯାଇଛି ।