spot_img
Home Blog Page 4101

ଆସନ୍ତାକାଲି ଜନ୍ମାଷ୍ଟମୀ, ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କୁ ଲାଗିହେଲା ଛଅମୂର୍ତ୍ତି ଅଳଙ୍କାର

ପୁରୀ: ଆସନ୍ତାକାଲି ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥି, ଜନ୍ମାଷ୍ଟମୀ । ପ୍ରଭୁ ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବ । ଏଥିପାଇଁ ଆଜି ଶ୍ରୀମନ୍ଦିରରେ ସନ୍ଧ୍ୟା ଆଳତି ସମୟରେ ଶ୍ରୀଜୀଉଙ୍କୁ ଛଅମୂର୍ତ୍ତି ଅଳଙ୍କାର ଲାଗି କରାଯାଇଛି । ସନ୍ଧ୍ୟାଧୂପ ନୀତି ବଢିବା ପରେ ଜୟବିଜୟ ଦ୍ୱାର ବନ୍ଦ କରାଯାଇଥିଲା। ଟେରା ବନ୍ଧା ହେବାପରେ ମହାପ୍ରଭୁଙ୍କ ନିକଟରେ ଯେଉଡ ଭୋଗ ଅର୍ଥାତ ସାଗ, ତରକାରୀ, ପିଠା, ଝିଲି, ଖିରି ଆଦି ରୋଷଘରୁ ଆସି ଅଣସର ପିଣ୍ଡିରେ ରଖାଯାଇଥିଲା ।

ମୁଦିରସ୍ତ ସେବାୟତ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ପ୍ରସାଦ ଲାଗି କରିଥିଲେ । ତିନି ପୂଜାପଣ୍ଡା ପଞ୍ଚାକ୍ଷର ମନ୍ତ୍ରରେ ପୂଜା କରିବା ସହ ପୂଜାପଣ୍ଡା, ପତି ମହାପାତ୍ର ଓ ମୁଦିରସ୍ତ ତିନିବାଡରେ ବନ୍ଦାପନା କରିଥିଲେ । ଏହାକୁ ଗର୍ଭଉଦକ ବନ୍ଦାପନା କୁହାଯାଇଥାଏ । ସ୍ୱୟଂ ଶ୍ରୀଜଗନ୍ନାଥ ମହାପ୍ରଭୁ ଦେବକୀ ରୂପ ଧାରଣକରି ଗର୍ଭଧାରଣ କରିଥିବାରୁ ସୁଖ ପ୍ରସବ ଲାଗି ତାଙ୍କୁ ଯେଉଡ ପ୍ରସାଦ ଲାଗି କରାଯାଇଥାଏ ବୋଲି ବିଶ୍ୱାସ ରହିଛି ।

ରାଜଧାନୀ ଉପକଣ୍ଠରେ ଫୁଲୁଛି ଦୟାନଦୀ, ଏକାଧିକ ଘଳିଆ ସୃଷ୍ଟି

ଭୁବନେଶ୍ୱର: ରାଜଧାନୀ ଉପକଣ୍ଠରେ ବଢୁଛି ଦୟାନଦୀ । କୁମାରଡିହି ଗାଁ ନଦୀବନ୍ଧରେ ଏକାଧିକ ଘଳିଆ ସୃଷ୍ଟି ହୋଇଛି । ଦୟା ନଦୀରୁ ଧଉଳି ଗାଁ ବିଲରେ ପାଣି ପଶିଛି । ଘଟଣାସ୍ଥଳରେ ପ୍ରଶାସନ ପହଞ୍ଚି ନଦୀବନ୍ଧ ପ୍ୟାକିଂ କରୁଛି  । ୨ ହଜାର ବାଲିବସ୍ତା ପକାଇ ବନ୍ଦ ବାନ୍ଧିବାକୁ ଚାଲିଛି ଉଦ୍ୟମ । ଘଟଣାସ୍ଥଳରେ ମନ୍ତ୍ରୀ ଅଶୋକ ପଣ୍ଡା ଏବଂ ସରପଞ୍ଚ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି ।

ଜଳବନ୍ଦୀ ଅଞ୍ଚଳ ବୁଲଲେ ମନ୍ତ୍ରୀ ଓ ମେୟର, ବନ୍ୟା ସ୍ଥିତିର କଲେ ଅନୁଧ୍ୟାନ

ଭୁବନେଶ୍ୱର: ଜଳବନ୍ଦୀ ଅଞ୍ଚଳ ବୁଲଲେ ମନ୍ତ୍ରୀ ଓ ମେୟର। ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଓ ଭୁବନେଶ୍ୱର ମେୟର ସୁଲୋଚନା ଦାସ ଜଳବନ୍ଦୀ ଅଞ୍ଚଳରେ ପହଞ୍ଚି ଅନୁଧ୍ୟାନ କରିବା ସହ ଲୋକଙ୍କ ସହିତ ଆଲୋଚନା କରିଛନ୍ତି। ଭୁବନେଶ୍ୱର ଉପକଣ୍ଠ ଡିହପୁର, ଜୟପୁର, କଲ୍ୟାଣପୁର ଆଦି ବିଭିନ୍ନ ସ୍ଥାନରେ ନଦୀ ଜଳ ବୃଦ୍ଧି ପାଉଛି । ନାହରକଣ୍ଟାରେ ପୁରୀ ମୁଖ୍ୟ କେନାଲରେ ବନ୍ୟାଜଳ ଆସିବାରୁ ୪୦ରୁ ଅଧିକ ପରିବାର ଜଳବନ୍ଦୀ ହୋଇରହିଥିଲେ। ସମସ୍ତଙ୍କୁ ଉଦ୍ଧାର କରି ଉଚ୍ଚ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି । ସେମାନଙ୍କୁ ଅତ୍ୟାବଶ୍ୟକୀୟ ସାମଗ୍ରୀ ଯୋଗାଇ ଦିଆଯାଉଛି। ଉଭୟ ସ୍ଥାନରେ ଭୁବନେଶ୍ୱର ମେୟର ଓ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। ଆଗକୁ ଲଘୁଚାପ ଥିବାରୁ ସଜାଗ ରହିବାକୁ ଲୋକଙ୍କୁ ପରାମର୍ଶ ଦେଇଛନ୍ତି।

ପିପିଲି ଭାର୍ଗବୀ ନଦୀରେ ଏକାଧୀକ ଘଳିଆ

ପିପିଲି:  ଭାର୍ଗବୀ ନଦୀ ନୂଆଶାସନରେ ସୃଷ୍ଟି ହେଲା ଘଳିଆ । ବର୍ତ୍ତମାନ ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚି ଘଳିଆ ବନ୍ଦ କରିବାକୁ ଚେଷ୍ଟା କରୁଛି । ତେବେ ନଦୀ ବନ୍ଧର ପଶ୍ଚିମ ପାର୍ଶ୍ଵ ଘଳିଆ ଆୟତ୍ତ ହେଉନଥିବାରୁ ଚିନ୍ତାରେ ସ୍ଥାନୀୟ ପ୍ରଶାସନ ଓ ଜନସାଧାରଣ । ବାଲି ବସ୍ତା ବଲ୍ଲା ଦେଇ ଘଳିଆ କୁ ଆୟତ୍ତ କରିବା ନେଇ ଲଗାତାର ଉଦ୍ୟମ ଚାଲିଥିବାବେଳେ ନୂଆଶାସନ ପଂଚାୟତର ଲୋକ ଆତଙ୍କିତ ଅବସ୍ଥାରେ ଅଛନ୍ତି ।

ଭାର୍ଗବୀ ନଦୀରେ ବନ୍ୟା ଯୋଗୁ ନିମାପଡ଼ାର ଅଧିକାଂଶ ଅଞ୍ଚଳ ଜଳବନ୍ଦୀ। ବ୍ଲକର ବଡ଼ମାଛପୁର, ସଗଡ଼ା, ଧନୁଆ, ରେଞ୍ଚ, ଆଦି ପଂଚୟତର ୫୦ରୁ ଅଧିକ ଗାଁ ଜଳମଗ୍ନ ହୋଇଛି। ଏହା ସହିତ ହେକ୍ଟର ହେକ୍ଟର ଚାଷଜମିରେ ବନ୍ୟାଜଳ ପଶିଛି। ନିମାପଡା ଭୁବନେଶ୍ୱର ମୁଖ୍ୟ ରାସ୍ତା, ଗରପଦା ଓ ବଳଙ୍ଗା ନିମାପଡା ମୁଖ୍ୟ ରାସ୍ତାରେ ଦୁଇ ଫୁଟ ପାଣି ପ୍ରବାହିତ ହେଉଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି। ନିମାପଡା ଧନୁଆ ଛକରୁ ଅଧିକ ସୂଚନା ଦେଉଛନ୍ତି ଆମ ପ୍ରତିନିଧି ମାନସ ଖଣ୍ଡୁଆଳ।

ସ୍ତ୍ରୀଙ୍କୁ କଟାକ୍ଷ କରିବା, ଅନ୍ୟମାନଙ୍କ ସହ ତୁଳନା କରିବା ଏକ ମାନସିକ କ୍ରୁରତା: କେରଳ ହାଇକୋର୍ଟ

ଥିରୁଭନନ୍ତପୁରମ: ପତ୍ନୀଙ୍କୁ ଅନ୍ୟମାନଙ୍କ ସହ ତୁଳନା କରିବା ଏକ ମାନସିକ କ୍ରୁରତା । ସେହିଭଳି ସ୍ତ୍ରୀଙ୍କୁ ବାରମ୍ବାର କଟାକ୍ଷ କରିବା ମଧ୍ୟ ମାନସିକ କ୍ରୁରତା ଶ୍ରେଣୀରେ ସାମିଲ । ଆଜି ଏକ ବିବାହ ବିଚ୍ଛେଦ ମାମଲାର ଶୁଣାଣି କରି କେରଳ ହାଇକୋର୍ଟ ଏହି ଗୁରୁତ୍ୱ ପୂର୍ଣ୍ଣ ଟିପ୍ପଣୀ ରଖିଛନ୍ତି । ସ୍ୱାମୀଙ୍କ ହିସାବ ମୁତାବିକ ଚଳିବା, ତାଙ୍କ ଇଚ୍ଛାକୁ ଯେନତେନ ପ୍ରକାରେ ପୂରଣ କରିବା ମାନସିକ କ୍ରୁରତା ବୋଲି ଅଭିହିତ କରିଛନ୍ତି କେରଳ ହାଇକୋର୍ଟ।

ଜଣେ ଯୁବକ ବିବାହ ବିଚ୍ଛେଦ ପାଇଁ ହାଇକୋର୍ଟରେ ଆବେଦନ କରିଥିଲେ । ୨୦୧୯ରେ ତାଙ୍କର ବିବାହ ହୋଇଥିଲା । ଉଭୟଙ୍କ ମଧ୍ୟରେ ଆପୋସ ବୁଝାମଣା ପାଇଁ ମଧ୍ୟ ଉଦ୍ୟମ ହୋଇଥିଲା । ହେଲେ ବୁଝାମଣା ହୋଇ ନପାରିବାରୁ ଯୁବକ ଜଣକ ହାଇକୋର୍ଟରେ ବିଚ୍ଛେଦ ପାଇଁ ଆବେଦନ କରିଥିଲେ । ଶୁଣାଣିବେଳେ କୋର୍ଟ ଜାଣିବାକୁ ପାଇଥିଲେ ଯେ, ଯୁବକଙ୍କ ଇଚ୍ଛା ଅନୁସାରେ ସ୍ତ୍ରୀ ନିଜକୁ ଖାପ ଖୁଆଇ ଚଳିପାରୁନଥିଲେ । ଏଥିପାଇଁ ଯୁବକ ଜଣକ ଅନ୍ୟମାନଙ୍କ ସ୍ତ୍ରୀ ସହ ତୁଳନା କରି ବାରମ୍ବାର କଟାକ୍ଷ କରୁଥିଲେ । ତୁମେ ସୁନ୍ଦର ନୁହଁ କହି ପ୍ରତାରିତ କରୁଥିଲେ । ମାମଲାର ଶୁଣାଣି କରି ବିବାହ ବିଚ୍ଛେଦକୁ ହଁ କରିନଥିଲେ ସୁଦ୍ଧା ଏହାକୁ ମାନିନିଆଯାଇପାରେ ବୋଲି ଟିପ୍ପଣୀ ଦେଇଥିଲେ । ଆଗକୁ ମାମଲାର ଆହୁରି ଶୁଣାଣି ଅଛି ।

ପାଇକା ନଦୀରେ ୫୦ ଫୁଟର ଘାଇ, ୧୨ ପଞ୍ଚାୟତ ଜଳବନ୍ଦୀ

ଜଗତସିଂହପୁର: ପାଇକା ନଦୀରେ ସୃଷ୍ଟି ହେଲା ୫୦ଫୁଟର ଘାଇ । କାଠକୋଟ ନିକଟରେରେ ଏହି ଘାଇ ସୃଷ୍ଟି ହୋଇଛି । ଫଳରେ ପାଖାପାଖି ୧୨ଟି ପଞ୍ଚାୟତ ଜଳବନ୍ଦୀ ହୋଇଛି । ସେପଟେ ରାହାମା ନିକଟ ତେରମାଣପୁରରେ ମଧ୍ୟ ଘାଇ ସୃଷ୍ଟି ହୋଇଛି ।

ଜଗତସିଂହପୁର ଜିଲ୍ଲାରେ ଦେବୀ ମହାନଦୀ,ଓ ପାଇକାନଦୀରେ ବନ୍ୟାଜଳ ଆସିବାରୁ ଅଧିକାଂଶ ଅଞ୍ଚଳରେ ବନ୍ୟାଜଳ ପ୍ରବେଶ କରିଛି। ଜଗତସିଂହପୁର ଜିଲ୍ଲାର ତ୍ରିର୍ତ୍ତୋଲ ତଳିଆ ଅଞ୍ଚଳରେ ବନ୍ୟା ପାଣି ଲହଡି ଭାଙ୍ଗୁଛି। ତେବେ ଏହାରି ଭିତରେ ପାଇକା ନଦୀରେ ଘାଇ ଲୋକଙ୍କ ଚିନ୍ତା ବଢ଼ାଇଦେଇଛି।

ବିଜେପି ସଂସଦୀୟ ବୋର୍ଡ଼ରୁ ବାଦ ପଡ଼ିଲେ ଗଡ଼କରୀ ଓ ଶିବରାଜ

ନୂଆଦିଲ୍ଲୀ: ବିଜେପି ନିଜ ସଂସଦୀୟ ବୋର୍ଡ ଏବଂ ନିର୍ବାଚନ କମିଟିର ପୁନର୍ଗଠନ କରିଛି। ଦଳ କେନ୍ଦ୍ର ପରିବହନ ମନ୍ତ୍ରୀ ନିତିନ ଗଡକରୀଙ୍କୁ ସଂସଦୀୟ ବୋର୍ଡରୁ ହଟାଇ ଦେଇଛି। ତାଙ୍କ ବ୍ୟତୀତ ଦଳ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କୁ ମଧ୍ୟ ସଂସଦୀୟ ବୋର୍ଡ଼ରୁ ହଟାଇ ଦିଆଯାଇଛି।

ବୋର୍ଡ଼ରେ ନୂଆ ସଦସ୍ୟ ଭାବେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବିଏସ ୟେଦ୍ଦୁରପ୍ପା ଏବଂ ସୁଦ୍ଧା ଯାଦବ, ଇକବାଲ ସିଂହ ଲାଲପୁରା, ସର୍ବାନନ୍ଦ ସୁନୁୱାଲ, କେ ଲକ୍ଷ୍ମଣ ଏବଂ ସତ୍ୟ ନାରାୟଣ ଜାତିଆଙ୍କୁ ସାମିଲ କରାଯାଇଛି।

ସଂସଦୀୟ ବୋର୍ଡ ହେଉଛି ବିଜେପିର ସର୍ବୋଚ୍ଚ ନୀତି ନିର୍ଦ୍ଧାରଣକାରୀ ଗୋଷ୍ଠୀ । କିଏ ମୁଖ୍ୟମନ୍ତ୍ରୀ ହେବେ ଅବା ରାଜ୍ୟ ଦଳର ମୁଖ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱରେ କିଏ ରହିବେ ତାହା ବିଜେପିର ସଂସଦୀୟ ବୋର୍ଡ ନିଷ୍ପତ୍ତି ନେଇଥାଏ। ତେବେ ଏହାର ପୁନର୍ଗଠନ ପରେ ନୂଆ ସଂସଦୀୟ ବୋର୍ଡରେ ନରେନ୍ଦ୍ର ମୋଦୀ, ରାଜନାଥ ସିଂହ, ଅମିତ ଶାହା, ବିଏସ ୟେଦିୟୁରପ୍ପା, ସର୍ବାନନ୍ଦ ସୋନୋୱାଲ, କେ.ଲକ୍ଷ୍ମଣ, ଇକବାଲ ସିଂହ ଲାଲପୁରା, ସୁଧା ଯାଦବ, ସତ୍ୟନାରାୟଣ ଜାଟିଆ ଏବଂ ବି.ଏଲ୍ ସନ୍ତୋଷଙ୍କ ସମେତ ୧୧ ଜଣ ସଦସ୍ୟ ଅଛନ୍ତି।

 

ଶୌଚ ହେଉଥିବା ବେଳେ ବନ୍ୟା ପାଣିର ଶ୍ରୋତରେ ଭାସିଗଲେ ଯୁବକ

ଭଦ୍ରକ: ବନ୍ୟା ଜଳର ପ୍ରଖର ସ୍ରୋତରେ ଭାସିଗଲେ ଯୁବକ । ଆରଡି ନିକଟସ୍ଥ ମୁଆଁଗାଁ ନିକଟ ବୈତରଣୀ ନଦୀରେ ଶୌଚ ହେଉଥିବା ବେଳେ ଭାସିଗଲେ । ଯୁବକଙ୍କ ପତ୍ତା ମିଳୁ ନଥିବା ବେଳେ କୁମ୍ଭୀର ଝାମ୍ଫି ନେଇଥିବା ଆଶଙ୍କା କରାଯାଉଛି । ଗାଁ ଲୋକ ଡଙ୍ଗା ଦ୍ବାରା ଖୋଜାଖୋଜି ଜାରି ରଖିଛନ୍ତି। ଏପରି ଖବର ପାଇ ଧାମନଗର ଅଗ୍ନଶମ ବିଭାଗ ପହଁଚି ବୋଟ ଦ୍ୱାରା ଖୋଜିବା ଆରମ୍ଭ କରିଛି।

ମୁଣ୍ଡଳିରେ କମୁଛି ଜଳସ୍ତର; ମହାନଦୀରେ ୧୦ ଲକ୍ଷ ୯୬ ହଜାର ୯୮୦ କ୍ୟୁସେକ ଜଳ ପ୍ରବାହିତ

କଟକ: ମୁଣ୍ଡଳୀରେ କମୁଛି ଜଳ ସ୍ତର। ଗତକାଲି ପିକ୍ ଫ୍ଲଡ ଅତିକ୍ରମ କରିବା ପରେ ମୁଣ୍ଡଳିରେ ଜଳ ପ୍ରବାହ ଲଗାତାର ଭାବେ କମିବାରେ ଲାଗିଛି ହୀରାକୁଦରେ ମଧ୍ୟ ଜଳସ୍ତର କମୁଥିବା ସୂଚନା ଦେଇଛନ୍ତି ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ବିଜୟ ମିଶ୍ର।

ହୀରାକୁଦରେ ଗତକାଲି ଖୋଲାଯାଇଥିବା ଗେଟର ପାଣି ଖଇରମୂଳ ପାଖରେ ପହଞ୍ଚିଛି । ଆଉ ୨୪ଘଣ୍ଟା ମଧ୍ୟରେ ଏହା ମୁଣ୍ଡୁଳୀରେ ପହଞ୍ଚିବ। ସେତେବେଳକୁ ମୁଣ୍ଡୁଳୀରେ ପାଣି କମିଯାଇଥିବ। ତେଣୁ ସେ ପାଣି ଆସିଲେ ବି ଫ୍ଲୋ ସମାନ ରହିବ । ଚିନ୍ତାର କାରଣ ନାହିଁ ବୋଲି ଜଳସଂପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ବିଜୟ ମିଶ୍ର କହିଛନ୍ତି ।  ଗତକାଲି ୧୨ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେଉଥିଲା । ଆଜି ଅପରାହ୍ଣ ୨ଟା ସୁଦ୍ଧା ମୁଣ୍ଡୁଳୀରେ ୧୦ ଲକ୍ଷ ୯୬ ହଜାର ୯୮୦ କ୍ୟୁସେକ ଜଳ ପ୍ରବାହିତ ହେଉଛି । ଗତକାଲି ଅପେକ୍ଷା ୧ଲକ୍ଷରୁ ଅଧିକ ଜଳପ୍ରବାହ କମିଛି।

ତେବେ ବର୍ତ୍ତମାନ ହୀରାକୁଦର ୪୦ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି।  ପ୍ରତି ସେକେଣ୍ଡରେ ଜଳଭଣ୍ଡାରକୁ ୬ ଲକ୍ଷ ୨୪ ହଜାର ୨୫୪ କ୍ୟୁସେକ ଜଳ ପ୍ରବେଶ କରୁଛି । ଜଳ ଭଣ୍ଡାରରୁ ୬ ଲକ୍ଷ ୮୧ହଜାର ୪୩୧ କ୍ୟୁସେକ ଜଳ ନିଷ୍କାସିତ ହେଉଛି। ଜଳ ଭଣ୍ଡାରରେ ଏବେ ୬୨୬ .୪୭ ଫୁଟ ଜଳସ୍ତର ରହିଛି।

ବଢ଼ିଲା ଜ୍ୟାକଲିନଙ୍କ ଅଡ଼ୁଆ, ୨୧୫ କୋଟି ଠକେଇ ମାମଲାରେ ଇଡିର ଚାର୍ଜସିଟ୍

ମୁମ୍ବାଇ: ବଢ଼ିଲା ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ଅଡ଼ୁଆ । ଠକେଇ ଘଟଣାର ମୁଖ୍ୟ ଅଭିଯୁକ୍ତ ସୁକେଶ ଚନ୍ଦ୍ରଶେଖରଙ୍କ ବିରୋଧରେ ହୋଇଥିବା ମାମଲାରେ ଜ୍ୟାକଲିନଙ୍କ ନାମ ସ୍ଥାନ ପାଇଛି । ସୁକେଶଙ୍କ ନାମରେ ୨୧୫ କୋଟି ଟଙ୍କା ଠକେଇ ଅଭିଯୋଗ ରହିଛି । ଦିଲ୍ଲୀ କୋର୍ଟରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଦାୟର ଅତିରିକ୍ତ ଚାର୍ଜସିଟରେ ଅଭିନେତ୍ରୀଙ୍କ ନାମ ସ୍ଥାନୀତ ହୋଇଛି । ରାନବାକ୍ସି କମ୍ପାନିର ପୂର୍ବତନ ପ୍ରମୋଟର ଆଦିତି ସିଂ ଓ ଶିବେନ୍ଦ୍ର ସିଂଙ୍କ ନିକଟରୁ ୨୧୫ କୋଟି ଟଙ୍କା ଠକେଇ ଘଟଣାରେ ଦିଲ୍ଲୀ ପୋଲିସ ପୂର୍ବରୁ ସୁକେଶଙ୍କୁ ଗିରଫ କରିଥିଲା ।

ଇଡିର ପ୍ରଥମ ଚାର୍ଜସିଟରେ ସୁକେଶ କିପରି ଟଙ୍କା ଠକେଇ କରିଥିଲେ ତାହା ଦର୍ଶାଯାଇଥିଲା । ଦ୍ୱିତୀୟ ଚାର୍ଜସିଟରେ ଜ୍ୟାକଲିନଙ୍କୁ ସୁକେଶ ଦେଇଥିବା ୫ କୋଟି ଟଙ୍କାର ଗିଫ୍ଟ ବିଷୟ ଉଲ୍ଲେଖ ରହିଛି । ବେଆଇନ ଅର୍ଥରେ ଏହି ଗିଫ୍ଟ ଦିଆଯାଇଥିବା ନେଇ ଜ୍ୟାକଲିନ ଜାଣିଥିବା ସତ୍ତ୍ବେ ସେ ଏହି ଗିଫ୍ଟ ଗ୍ରହଣ କରିଥିଲେ ବୋଲି ଚାର୍ଜସିଟରେ ଦର୍ଶାଯାଇଛି । ପୂର୍ବରୁ ବେଆଇନ ଅର୍ଥ ଚାଲାଣ ଆଇନ ବା ପିଏମଏଲଏ ଅନୁସାରେ ଅଭିନେତ୍ରୀଙ୍କ ପ୍ରାୟ ୭ କୋଟି ଟଙ୍କାର ସମ୍ପତ୍ତି ଆଟାଚ୍ କରିଥିଲା ଇଡି । ଏହି ମାମଲାରେ ଇଡି ବର୍ତ୍ତମାନ ସୁଦ୍ଧା ସୁକେଶଙ୍କ ପତ୍ନୀ ଲୀନା ମାରିଆ ପଲଙ୍କ ସମେତ ୮ଜଣଙ୍କୁ ଗିରଫ କଲାଣି ।