spot_img
Home Blog Page 4102

ବଢ଼ିଲା ଜ୍ୟାକଲିନଙ୍କ ଅଡ଼ୁଆ, ୨୧୫ କୋଟି ଠକେଇ ମାମଲାରେ ଇଡିର ଚାର୍ଜସିଟ୍

ମୁମ୍ବାଇ: ବଢ଼ିଲା ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ଅଡ଼ୁଆ । ଠକେଇ ଘଟଣାର ମୁଖ୍ୟ ଅଭିଯୁକ୍ତ ସୁକେଶ ଚନ୍ଦ୍ରଶେଖରଙ୍କ ବିରୋଧରେ ହୋଇଥିବା ମାମଲାରେ ଜ୍ୟାକଲିନଙ୍କ ନାମ ସ୍ଥାନ ପାଇଛି । ସୁକେଶଙ୍କ ନାମରେ ୨୧୫ କୋଟି ଟଙ୍କା ଠକେଇ ଅଭିଯୋଗ ରହିଛି । ଦିଲ୍ଲୀ କୋର୍ଟରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଦାୟର ଅତିରିକ୍ତ ଚାର୍ଜସିଟରେ ଅଭିନେତ୍ରୀଙ୍କ ନାମ ସ୍ଥାନୀତ ହୋଇଛି । ରାନବାକ୍ସି କମ୍ପାନିର ପୂର୍ବତନ ପ୍ରମୋଟର ଆଦିତି ସିଂ ଓ ଶିବେନ୍ଦ୍ର ସିଂଙ୍କ ନିକଟରୁ ୨୧୫ କୋଟି ଟଙ୍କା ଠକେଇ ଘଟଣାରେ ଦିଲ୍ଲୀ ପୋଲିସ ପୂର୍ବରୁ ସୁକେଶଙ୍କୁ ଗିରଫ କରିଥିଲା ।

ଇଡିର ପ୍ରଥମ ଚାର୍ଜସିଟରେ ସୁକେଶ କିପରି ଟଙ୍କା ଠକେଇ କରିଥିଲେ ତାହା ଦର୍ଶାଯାଇଥିଲା । ଦ୍ୱିତୀୟ ଚାର୍ଜସିଟରେ ଜ୍ୟାକଲିନଙ୍କୁ ସୁକେଶ ଦେଇଥିବା ୫ କୋଟି ଟଙ୍କାର ଗିଫ୍ଟ ବିଷୟ ଉଲ୍ଲେଖ ରହିଛି । ବେଆଇନ ଅର୍ଥରେ ଏହି ଗିଫ୍ଟ ଦିଆଯାଇଥିବା ନେଇ ଜ୍ୟାକଲିନ ଜାଣିଥିବା ସତ୍ତ୍ବେ ସେ ଏହି ଗିଫ୍ଟ ଗ୍ରହଣ କରିଥିଲେ ବୋଲି ଚାର୍ଜସିଟରେ ଦର୍ଶାଯାଇଛି । ପୂର୍ବରୁ ବେଆଇନ ଅର୍ଥ ଚାଲାଣ ଆଇନ ବା ପିଏମଏଲଏ ଅନୁସାରେ ଅଭିନେତ୍ରୀଙ୍କ ପ୍ରାୟ ୭ କୋଟି ଟଙ୍କାର ସମ୍ପତ୍ତି ଆଟାଚ୍ କରିଥିଲା ଇଡି । ଏହି ମାମଲାରେ ଇଡି ବର୍ତ୍ତମାନ ସୁଦ୍ଧା ସୁକେଶଙ୍କ ପତ୍ନୀ ଲୀନା ମାରିଆ ପଲଙ୍କ ସମେତ ୮ଜଣଙ୍କୁ ଗିରଫ କଲାଣି ।

ମହାରାଷ୍ଟ୍ର ଗନ୍ଦିଆରେ ଟ୍ରେନ୍ ଦୁର୍ଘଟଣା, ୫୦ ଆହତ

ମୁମ୍ବାଇ: ମହାରାଷ୍ଟ୍ର ଗନ୍ଦିଆରେ ଟ୍ରେନ ଦୁର୍ଘଟଣା । ଏକ ମାଲବାହୀ ଟ୍ରେନ ସହ ଯାତ୍ରୀବାହୀ ଟ୍ରେନର ଧକ୍କା ପରେ ଆହତ ହୋଇଛନ୍ତି ୫୦ରୁ ଅଧିକ ଯାତ୍ରୀ । ସିଗନାଲରେ ତ୍ରୁଟି ଯୋଗୁ ଏହି ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି । ଯାତ୍ରୀବାହୀ ଟ୍ରେନଟି ରାୟପୁରରୁ ନାଗପୁର ଯାଉଥିବାବେଳେ ଏହି ଦୁର୍ଘଟଣା ଘଟିଥିଲା । ଟ୍ରେନର ଏସ-୩ କୋଚଟି ଦୁର୍ଘଟଣାରେ ନଷ୍ଟ ହୋଇଥିଲା । ଆହତ ଯାତ୍ରୀଙ୍କ ଚିକିତ୍ସା ହୋଇଛି । ଦୁଇଟି ଯାକ ଟ୍ରେନ ଗୋଟିଏ ଦିଗକୁ ଯାଉଥିବାବେଳେ ଏହି ଦୁର୍ଘଟଣା ଘଟିଥିଲା । ପ୍ରାୟ ୩ ଘଣ୍ଟା ପରେ ଟ୍ରେନ ଲାଇନ ସଜଡ଼ା ଯିବା ପରେ ଟ୍ରେନ ଚଳାଚଳ ସ୍ୱାଭାବିକ ହୋଇଥିଲା ।

ସ୍କୁଲରେ ପଶିଲା ବନ୍ୟାପାଣି, ବାତିଲ ହେଲା ପରୀକ୍ଷା

ଭଦ୍ରକ: ବନ୍ୟାପାଣି ପାଇଁ ବାତିଲ ହେଲା ପରୀକ୍ଷା । ସ୍କୁଲରେ ବନ୍ୟାଜଳ ପଶିବାରୁ ପରୀକ୍ଷା ବାତିଲ ହୋଇଛି । ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ କାସିମପୁର ହେମେନ୍ଦ୍ର ନାଥ ହାଇସ୍କୁଲରେ ଫରମେଟିଭ୍ ଆସେସମେଣ୍ଟ ପରୀକ୍ଷା ବନ୍ଦ ହୋଇଛି । ଦୀର୍ଘ ସମୟ ଛିଡ଼ା ହେବା ପରେ ଛାତ୍ରଛାତ୍ରୀ ମାନେ ପରୀକ୍ଷା ନଦେଇ ଫେରିଛନ୍ତି ।

ଖବର ଅନୁଯାୟୀ, ହେମେନ୍ଦ୍ର ନାଥ ହାଇସ୍କୁଲରେ ରେବ ଓ କପାଳି ନଦୀର ବନ୍ୟାଜଳ ପ୍ରବେଶ କରିଛି । କ୍ଲାସ ରୁମରେ ବନ୍ୟା ଜଳ ଭର୍ତ୍ତି ହୋଇଥିବାରୁ ଫରମେଟିଭ ଆସେସମେଣ୍ଟ ପରୀକ୍ଷା ହୋଇପାରିନାହିଁ । ସ୍କୁଲକୁ ଯିବା ବେଳେ ଆଣ୍ଠୁଏ ପାଣି ହେଉଥିବା ବେଳେ କ୍ଲାସ ରୁମରେ ପାଣି ଭର୍ତ୍ତି ରହିଛି । ଏମିତି ସ୍ଥିତିରେ ପ୍ରଧାନଶିକ୍ଷକ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଅବଗତ କରିବା ପରେ ପରୀକ୍ଷାକୁ ବାତିଲ କରାଯାଇଛି ।

ବନ୍ୟା ସ୍ଥିତି ସମୀକ୍ଷା କଲେ ରାଜସ୍ୱ ମନ୍ତ୍ରୀ, କହିଲେ ବିପନ୍ନଙ୍କ ପାଇଁ କରାଯାଇଛି ଖାଦ୍ୟ, ପାନୀୟ ଜଳ ଓ ଔଷଧ ବ୍ୟବସ୍ଥା

ଭୁବନେଶ୍ୱର: ରାଜ୍ୟରେ ଆହୁରି ୩ରୁ ୪ଦିନ ଏମିତି ବନ୍ୟା ସ୍ଥିତି ଲାଗି ରହିବ । ଆଗାମୀ ୨୪ ଘଣ୍ଟା ରାଜ୍ୟ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ । ବନ୍ୟା ଦ୍ବାରା ମହାନଦୀ ସିଷ୍ଟମରେ ଗତକାଲି ଦୁଇଟି ଘାଇ ହୋଇଥିଲା । ଆଜି ଆଉ ଦୁଇଟି ଘାଇ ସହ ମୋଟ ୪ଟି ଘାଇ ହୋଇଛି । ୨୦୧୧ ପରେ ରାଜ୍ୟରେ ଏଭଳି ବନ୍ୟା ହୋଇଛି । ବର୍ତ୍ତମାନ ଘଣ୍ଟାକୁ ୧୭ ହଜାର କ୍ୟୁସେକ ପାଣି ମୁଣ୍ଡଳୀରୁ ଖସୁଛି । କିଛି ସମୟ ପରେ ଘଣ୍ଟାକୁ ୨୫ ହଜାର କ୍ୟୁସେକ ପାଣି ଖସିବ। ହୀରାକୁଦ ଡ୍ୟାମର ବନ୍ୟା ଜଳ ମୁଣ୍ଡଳୀଠାରେ କାଲି ସକାଳେ ପହଞ୍ଚିବ । ପ୍ରାୟ ୯ରୁ ୧୦ ଲକ୍ଷ କ୍ୟୁସେକ ପାଣି ନିଷ୍କାସିତ ହେବ । କଟକ, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡ଼ା ବନ୍ୟାରେ ପ୍ରଭାବିତ ହୋଇଛି । ଜଗତସିଂହପୁର ଓ ପୁରୀ ଜିଲ୍ଲା ସମ୍ପୂର୍ଣ୍ଣ ଭାବେ ପ୍ରଭାବିତ ହୋଇଛି ।

ଆଜି ଓଡ୍ରାଫ, NDRF, ଅଗ୍ନିଶମ ବିଭାଗର ଅତିରିକ୍ତ ଟିମ ପଠାଯାଇଛି । ବ୍ରାହ୍ମଣୀ ଓ ବୈତରଣୀ ବେଲ୍ଟରେ ବର୍ଷା ଆକଳନ କରାଯାଉଥିବାରୁ କେନ୍ଦୁଝର, ଭଦ୍ରକ ଓ ଯାଜପୁରକୁ ସତର୍କ ରହିବା ପାଇଁ କୁହାଯାଇଛି । ସ୍ୱାସ୍ଥ୍ୟ ବିଭାଗ ସହିତ ଲଗାତର ସମନ୍ବୟ ରଖାଯାଉଛି । ପର୍ଯ୍ୟାପ୍ତ କିଟ୍ ପାଇଁ କୁହାଯାଇଛି । ସବୁ ସିଏଚସିରେ ଆଣ୍ଟି ଭେନମ କିଟ୍ ଅଧିକ ମହଜୁଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ରେସକ୍ୟୁ ଅପରେସନ ଚାଲିଛି । ବନ୍ୟା ବିପନ୍ନଙ୍କୁ ରନ୍ଧା ଖାଦ୍ୟ ଦିଆଯାଉଛି । ରାଜ୍ୟରେ ମଧ୍ୟମ ଧରଣର ବନ୍ୟା ହୋଇଛି । ଘାଇ ଓ ଘଳିଆ ମରାମତି କରାଯାଉଥିବା ରାଜସ୍ବ ମନ୍ତ୍ରୀ କହିଛନ୍ତି।

୫ ଦିନ ପରେ ମହାନଦୀ ଟାପୁରୁ ଉଦ୍ଧାର ହେଲେ ବାପ-ପୁଅ

ଆଠଗଡ଼: ୫ ଦିନ ପରେ ମହାନଦୀ ଟାପୁରୁ ଉଦ୍ଧାର ହେଲେ ବାପା-ପୁଅ । ଉଭୟ ବାପ-ପୁଅଙ୍କୁ ଉଦ୍ଧାର କରିଛି ଓଡ୍ରାଫ୍ ଟିମ୍ । ଛେଳି ଚରାଇବାକୁ ଯାଇ ଉଭୟ ୫ ଦିନ ହେବ ମହାନଦୀର ଟାପୁରେ ଫସିଯାଇଥିଲେ ।

ସୂଚନା ଅନୁସାରେ ଆଠଗଡ଼ କନ୍ଦରପୁର ଅମଙ୍ଗେକୁଦରେ ବାପ-ପୁଅ ଫସି ରହିଥିଲେ । ୫ ଦିନ ତଳେ ଛେଳି ଚରାଇବାକୁ ଯାଇଥିଲେ । କିନ୍ତୁ ହଠାତ ବନ୍ୟା ପାଣି ମାଡ଼ି ଆସିବାରୁ ଉଭୟ ସେହି ଟାପୁରେ ଫସିଯାଇଥିଲେ । ସେମାନଙ୍କ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଯିବାରୁ ଚିନ୍ତାରେ ପଡ଼ିଯାଇଥିଲେ ପରିବାର ଲୋକ । ତେବେ ଖବର ପାଇ ଓଡ୍ରାଫ୍ ଟିମ୍ ଜରିଆରେ ଉଦ୍ଧାର ପାଇଁ ଉଦ୍ୟମ ଆରମ୍ଭ ହୋଇଥିଲା । ଶେଷରେ ଓଡ୍ରାଫ ଟିମ୍ ଟାପୁରେ ପହଞ୍ଚି ଉଭୟ ବାପ-ପୁଅଙ୍କୁ ଉଦ୍ଧାର କରିଥିଲେ ।

 

 

ଗୁରୁଦିବସରେ ‘ଗୁରୁବ୍ରହ୍ମା ସମ୍ମାନ-୨୦୨୨’

ଭୁବନେଶ୍ୱର: ସେପ୍ଟେମ୍ବର ୫ ତାରିଖ ଗୁରୁଦିବସ । ଗୁରୁଦିବସ ଉପଲକ୍ଷେ ନନ୍ଦିଘୋଷ ଟିଭି ଓ ଦୈନିକ ଖବର କାଗଜ ସକାଳ ପକ୍ଷରୁ ନିଆରା ପ୍ରୟାସ । ସିଭିରମଣ ଗ୍ଲୋବାଲ ବିଶ୍ୱବିଦ୍ୟାଳୟ ସହଯୋଗରେ ପ୍ରଦାନ କରାଯିବ ‘ଗୁରୁବ୍ରହ୍ମା ସମ୍ମାନ-୨୦୨୨’ । ପ୍ରାଥମିକ, ମାଧ୍ୟମିକ ଏବଂ ଉଚ୍ଚ ମାଧ୍ୟମିକ ବର୍ଗରେ ୩ ଜଣ ଲେଖାଏଁ ସମୁଦାୟ ୯ ଜଣ ଶିକ୍ଷକ ପାଇବେ ଆର୍ଥିକ ପୁରସ୍କାର ଏବଂ ସମ୍ମାନ । ଉଭୟ ସରକାରୀ ଏବଂ ଘରୋଇ ସ୍କୁଲର ଶିକ୍ଷକ ଏଥିପାଇଁ ଆବେଦନ କରିପାରିବେ । ଅଗଷ୍ଟ ୨୩ ତାରିଖ ହେଉଛି ଆବେଦନ କରିବାର ଶେଷ ତାରିଖ ।

ଆଗ୍ରହୀ ଶିକ୍ଷକମାନେ [email protected] ରେ ସିଧାସଳଖ ଆବେଦନ କରିପାରିବେ । ନିଜ ବାୟୋଡାଟା ସହ ସାଧା କାଗଜରେ ଆବେଦନ କରିପାରିବେ । ଏହି ଆବେଦନ ପତ୍ରରେ ନିଜେ ଶିକ୍ଷା ପ୍ରଦାନ କ୍ଷେତ୍ରରେ ଗ୍ରହଣ କରିଥିବା ନୂତନ ପଦ୍ଧତି ସମ୍ପର୍କରେ ସମ୍ୟକ ସୂଚନା ରହିବା ଆବଶ୍ୟକ । ଗତ ଦୁଇ ବର୍ଷ ମଧ୍ୟରେ ଆପଣଙ୍କ ଛାତ୍ରଛାତ୍ରୀ କିଭଳି ପରୀକ୍ଷାଫଳ କରିଛନ୍ତି ସେ ସମ୍ପର୍କିତ ବିବରଣୀ ସଂଲଗ୍ନ କରିବା ଜରୁରୀ । ଯଦି ଆପଣ ସରକାରୀ ସ୍କୁଲର ଶିକ୍ଷକ, ତାହେଲେ ଆପଣଙ୍କ ସଫଳତା ସମ୍ପର୍କରେ ବ୍ଲକ ଶିକ୍ଷା ଅଧିକାରୀଙ୍କଠାରୁ ଏକ ସୁପାରିସ ପତ୍ର ଆବେଦନ ସହ ସଂଯୁକ୍ତ କରିବେ । ଯଦି ଆପଣ ଘରୋଇ ସ୍କୁଲର ଶିକ୍ଷକ, ତାହେଲେ ନିଜ ସ୍କୁଲର ଅଧ୍ୟକ୍ଷଙ୍କଠାରୁ ଏକ ସୁପାରିସ ପତ୍ର ଆବେଦନ ସହ ସଂଯୁକ୍ତ କରିବେ । ଆପଣଙ୍କ ନାଁରେ କୌଣସି ଅପରାଧିକ ମାମଲା ନାହିଁ ବୋଲି ଏକ ସ୍ୱଘୋଷିତ ପତ୍ର ମଧ୍ୟ ଆବେଦନ ସହ ସଂଯୁକ୍ତ କରିବେ । ଏହି ଆବେଦନ ପାଇଁ ଶିକ୍ଷକଙ୍କୁ କୌଣସି ଦେୟ ଦେବାକୁ ପଡ଼ିବ ନାହିଁ ।

ରାଜଧାନୀରେ ପଶିଲା ବନ୍ୟାଜଳ

ଭୁବନେଶ୍ୱର: ରାଜ୍ୟରେ ଗମ୍ଭୀର ହେଉଛି ବନ୍ୟା ସ୍ଥିତି । ମହାନଦୀରେ ଆସିଥିବା ବଡ଼ ବନ୍ୟାରେ ପୂରା ଅଧା ଓଡ଼ିଶା ଏବେ ଜଳମଗ୍ନ । ତେବେ ରାଜଧାନୀ ଭୁବନେଶ୍ୱରରେ ପଶିଛି ବନ୍ୟାଜଳ । ଦୟାନଦୀର ଉଚ୍ଛୁଳା ବନ୍ୟାଜଳ ପଶିଛି । ସୁନ୍ଦରପଦା ହାଇଟେକ ପ୍ଲାଜା, ଦୟାଲ ଆଶ୍ରମ ଅଞ୍ଚଳ ହୋଇଛି ଜଳମଗ୍ନ । ପାଣି ଘେରରେ ଅଛନ୍ତି ଶହଶହ ଲୋକ । ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରୁଛି ଅଗ୍ନିଶମ ବାହିନୀ ।

ସେପଟେ ରାଜଧାନୀ ଉପକଣ୍ଠ ବାଲିପାଟଣା ମଧ୍ୟ ଜଳମଗ୍ନ ହୋଇ ରହିଛି । ବାଲପାଟଣାର ବିଭିନ୍ନ ପଞ୍ଚାୟତରେ ପଶିଛି ବନ୍ୟାଜଳ । ଦରଡ଼ା ଗାଁରେ ୧୦ରୁ ଅଧିକ ପରିବାର ଏବେ ପାଣି ଘରରେ ରହିଛନ୍ତି । ଯାହାଫଳରେ ଲୋକମାନେ ଘର ଛାଡ଼ି ସ୍କୁଲରେ ଆଶ୍ରୟ ନେଇଛନ୍ତି ।

ମୁଣ୍ଡଳୀରେ କମୁଛି ଜଳସ୍ତର, ମହାନଦୀରେ ୧୧ ଲକ୍ଷ ୭୭ ହଜାର କ୍ୟୁସେକ ଜଳ ପ୍ରବାହିତ

କଟକ: ମୁଣ୍ଡଳୀରେ କମୁଛି ଜଳସ୍ତର । ପୂର୍ବାପେକ୍ଷା କମିଛି ୧ ଲକ୍ଷ କ୍ୟୁସେକ ଜଳ କମିଛି । ଉଭୟ ଉପରମୁଣ୍ଡ ଓ ତଳମୁଣ୍ଡରେ ଜଳସ୍ତର ବିପଦ ସଂକେତ ଉପରେ ରହିଛି । ସେହିପରି ନରାଜ କାଠଯୋଡ଼ିରେ ୫ ଲକ୍ଷ ୯୫ ହଜାର ୭୭୩ କ୍ୟୁସେକ ଜଳ ପ୍ରବାହିତ ହେଉଛି । ଯୋବ୍ରାରେ ମଧ୍ୟ ବିପଦ ସଂକେତ ପାର କରିଛି ମହାନଦୀ । ଏଠାରେ ୫ ଲକ୍ଷ ୮୧ ହଜାର ୫୮୩ କ୍ୟୁସେକ ଜଳ ପ୍ରବାହିତ ହେଉଛି । ଯୋବ୍ରାରେ ମଧ୍ୟ ଜଳସ୍ତର ବିପଦ ସଂକେତ ଉପରେ ରହିଛି । ଆଗକୁ ରାତିରେ ପୁଣି ଥରେ ହୀରାକୁଦ ଜଳ ଆସି ମୁଣ୍ଡଳିରେ ପହଂଚିବା ପରେ ଜଳ ସ୍ତର ପୁଣି ବଢ଼ିବାର ଆଶଙ୍କା ରହିଛି ।

ନୟାଗଡ଼ରେ ବନ୍ୟା ସ୍ଥିତି ଗମ୍ଭୀର, ୧୨୦ ଗାଁ ସହ ଯୋଗାଯୋଗ ବିଚ୍ଛିନ୍ନ

ନୟାଗଡ଼: ନୟାଗଡ଼ରେ ବନ୍ୟା ସ୍ଥିତି ଗମ୍ଭୀର । ୧୨୦ଟି ଗାଁ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିବାବେଳେ ପ୍ରଭାବିତ ହୋଇଛନ୍ତି ୫୦ ହଜାର ଲୋକ । ଗଣିଆ, ଖଣ୍ଡପଡ଼ା ଏବଂ ଭାପୁର ବ୍ଲକରେ ବିପନ୍ନଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଗଣିଆରୁ ବଡ଼ମୂଳ ରାସ୍ତାର ବିଭିନ୍ନ ସ୍ଥାନରେ ୭ ଫୁଟ ବନ୍ୟା ଜଳ ପ୍ରବାହିତ ହେବାରୁ ଛାମୁଣିଆ ଏବଂ ବଡ଼ସିଲିଙ୍ଗା  ରାସଙ୍ଗ ପଞ୍ଚାୟତ ଜଳ ବନ୍ଦୀ ହୋଇଛି । ଭାପୁର ବ୍ଲକର ଫତେଗଡ଼ ପଞ୍ଚାୟତର ମଣିପୁର ଗାଁ ଜଳ ବନ୍ଦୀ ହୋଇଛି । କରବର ପଞ୍ଚାୟତର ଗୁଡୁପଡ଼ା ,ମାଣିତ୍ରୀ ଏବଂ କରବର ନୂଆ ସାହିରେ ୫ ଫୁଟ ବନ୍ୟା ପାଣି ପ୍ରବାହିତ ହେଉଛି । କାଳିଗିରି ବ୍ରିଜ ଉପରେ ୬ ଫୁଟର ବନ୍ୟାଜଳ ପ୍ରବାହିତ ହେଉଛି । ଭାପୁରରୁ କଳାପଥର ରାସ୍ତାରେ ଗାଡ଼ି ଚଳଚଳ ବନ୍ଦ ରହିଛି ।

ବନ୍ୟା ପ୍ରଭାବିତ ୧୨ ଶହ ଲୋକଙ୍କୁ ସୁରକ୍ଷିତ ସ୍ଥାନଙ୍କୁ ସ୍ଥାନାନ୍ତରିତ କରାଯାଇଛି । ଗଣିଆ ଏବଂ ଭାପୁର ବ୍ଲକ ପାଇଁ ୪ ବୋଟ୍ ଯୋଗାଇ ଦିଆଯାଇଛି । ଭାପୁର ବ୍ଲକର ଫତେଗଡ଼, ମଣିପୁର, କରବର, ନଣ୍ଡାବର, ଗୁଡ଼ୁପଡ଼ା, ହନୁମନ୍ତ ପ୍ରସାଦ ଏବଂ ଦଶମନ୍ତପୁର ଗାଁକୁ ଗସ୍ତ କରି ଭାପୁର ବିଡିଓ ଜନ୍ମେଜୟ ସାହୁ, ଚେୟାରମ୍ୟାନ ବେଣୁଧର ପ୍ରଧାନ ସ୍ଥିତି ସମୀକ୍ଷା କରିଛନ୍ତି । ଡାକ୍ତରୀ ଟିମ୍ ବି ହୋଇଛନ୍ତି ନିୟୋଜିତ ।

ଜାମ୍ମୁ ଓ କାଶ୍ମୀର କଂଗ୍ରେସକୁ ଧକ୍କା, ପ୍ରଚାର କମିଟି ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ଗୁଲାମ ନବୀ ଆଜାଦ

ଶ୍ରୀନଗର: ଜମ୍ମୁ ଓ କାଶ୍ମୀର କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ଅସନ୍ତୁଷ୍ଟ କଂଗ୍ରେସ ନେତା ଗୁଲାମ ନବୀ ଆଜାଦ । ଗତକାଲି ଏହି କମିଟି ଗଠିତ ହୋଇଥିଲା । ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ କମିଟିରୁ ଇସ୍ତଫା ଦେଇଛନ୍ତି ଗୁଲାମନବୀ । ସେ କହିଛନ୍ତି- ଏହି ନୂଆ ଦାୟିତ୍ୱ ନେଇପାରିବେ ନାହିଁ । ଜମ୍ମୁ ଓ କାଶ୍ମୀର ଲାଗି ଗଠିତ ପ୍ରଚାର କମିଟିରେ ପିସିସି ସଭାପତି ଓ କାର୍ଯ୍ୟକାରୀ ସଭାପତି ସମେତ ୧୧ ଜଣ ସଦସ୍ୟ ରହିଛନ୍ତି ।

ଏହି କମିଟିରେ ତାରିକ ହମିଦ କାରା ଉପାଧ୍ୟକ୍ଷ ହୋଇଥିବାବେଳେ ଜିଏମ ସୋରାରି ଆବାହକ ନିଯୁକ୍ତ ହୋଇଥିଲେ । ପ୍ରଚାର କମିଟି ଉପରେ ଗତକାଲି ମୋହର ମାରିଥିଲେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି । ଗୁଲାମନବୀଙ୍କ ସହ ଆଉ ଦୁଇ ସଦସ୍ୟ ମଧ୍ୟ ପ୍ରଚାର କମିଟିରୁ ଇସ୍ତଫା ଦେଇଛନ୍ତି । ଗ୍ରୁପ ୨୩ର ନେତା ଭାବେ ଗୁଲାମନବୀ ଦୀର୍ଘଦିନରୁ ଚର୍ଚ୍ଚାରେ ଅଛନ୍ତି । କଂଗ୍ରେସରେ ବ୍ୟାପକ ପରିବର୍ତ୍ତନ କରିବା ଦାବିରେ ଏହି ଗ୍ରୁପର ନେତାମାନେ ଅଟଳ ରହିଛନ୍ତି ।