spot_img
Home Blog Page 4109

ଆଜିଠୁ ଗୋଟିଏ କ୍ଲିକରେ ମିଳିବ ଜଳସମ୍ପଦ ବିଭାଗର ସମସ୍ତ ତଥ୍ୟ

ଭୁବନେଶ୍ୱର: ଆଜିଠୁ ଗୋଟିଏ କ୍ଲିକରେ ମିଳିବ ଜଳ ସଂପଦ ବିଭାଗର ସମସ୍ତ ତଥ୍ୟ । ଓଡ଼ିଶା ଇରିଗେସନ ଇନଫର୍ମେସେନ ସିଷ୍ଟମରେ ଯୋଡ଼ିହେବ ନୂଆ ଫର୍ଦ୍ଦ । ଲୋକାର୍ପିତ ହେବ ଜଳ ସଂପଦ ବିଭାଗର ତଥ୍ୟ ସମ୍ବଳିତ ନୂଆ ପୋର୍ଟାଲ । ଏଥିରେ ମିଳିବ ବନ୍ୟା, ବନ୍ୟା ପରେ ଚାଷ ଓ ଶସ୍ୟ ଓ ଜଳକର ବାବଦରେ ସମସ୍ତ ସୂଚନା । ODISHA 4K GEO. IN ଲଗଇନ୍ କରି ସମସ୍ତ ସୂଚନା ପାଇପାରେବେ ଜନସାଧାରଣ । ଏହା ସହିତ ଓଡ଼ିଶା ଆଣ୍ଡ୍ରଏଡ ମୋବାଇଲରେ ଚେକ୍ ଡ୍ୟାମ ଆପ ସହାୟତାରେ ସମସ୍ତ ତଥ୍ୟ ମିଳିପାରିବ  ।

ରାଜ୍ୟର କେଉଁ ନଦୀ ଉପରେ କେଉଁଠି ବ୍ୟାରେଜ୍ ଅଛି? କାହାର ଜଳସେଚନ କ୍ଷମତା କେତେ? କେତୋଟି କାର୍ଯ୍ୟକ୍ଷମ ଅଛି? ବ୍ୟାରେଜରୁ କେନାଲ ଦେଇ ପାଣି ଯିବାରେ ସମସ୍ୟା ଅଛି କି? ବିଲରେ ପାଣି ପହଞ୍ଚିବାରେ ଅଛି କ’ଣ ସମସ୍ୟା ? ଡ୍ୟାମର ସ୍ଥିତି କିପରି ଅଛି? କେଉଁ ଜାଗାରେ ଦୁର୍ବଳ ଅଛି କି? ଏସବୁ ପ୍ରଶ୍ନର ଉତ୍ତର ସାଧାରଣ ଲୋକ ଗୋଟିଏ କ୍ଲିକରେ ଜାଣିପାରିବେ । ଜଳସମ୍ପଦ ବିଭାଗ ରାଜ୍ୟର ସମସ୍ତ ଡ୍ୟାମ୍, କେନାଲ ଓ ପୋଖରୀର ଜିଓ ଟ୍ୟାଗିଂ କରାଯାଇଛି  । ଜୁନ ପହିଲାରୁ ଏହି କାର୍ଯ୍ୟ ଜାରି ରହିଥିଲା  । ଏହାଦ୍ବାରା ସାଧାରଣ ଲୋକ ମଧ୍ୟ ଜଳସମ୍ପଦ କ୍ଷେତ୍ରର ସମସ୍ତ ଆସେଟ୍ ବାବଦରେ ସବୁ ତଥ୍ୟ ଜାଣିପାରିବେ ।

ଗୁହାରି ଶୁଣିଲେ ରାଜ୍ୟ ସରକାର, ବାରିପଦାରେ କାରିଗରଙ୍କୁ ମିଳିଲା ସହାୟତା

ବାରିପଦା: ବାରିପଦାରେ କାରିଗରଙ୍କୁ ମିଳିଲା ସହାୟତା । ଏକମାସର ରାସନ ସାମଗ୍ରୀ ସହିତ ୨ ହଜାର ଟଙ୍କା ସହାୟତା ମିଳିଛି । ବାରିପଦା ଷ୍ଟାଡିୟମ ସମ୍ମିଳନୀ କକ୍ଷରେ କାରିଗରଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ଓଡ଼ିଶା ଶିଳ୍ପୀ ମହାସଂଘ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ବିଜେଡିର ଜିଲ୍ଲା ସଭାପତି ସୁଦାମ ମାର୍ଣ୍ଡି ସଭାପତିତ୍ୱ କରିଥିଲେ । ମୁଖ୍ୟଅତିଥି ଭାବେ ପଦ୍ମବିଭୂଷଣ ଡ. ସୁଦର୍ଶନ ସାହୁ ଯୋଗ ଦେଇଥିଲେ । ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ବ୍ଲକରୁ ୬୫ ଜଣ କାରିଗରଙ୍କୁ ପ୍ରଥମ ପର୍ଯ୍ୟାୟରେ ୨ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିବା ସହିତ ଏକ ମାସର ରାସନ ସାମଗ୍ରୀ ଦିଆଯାଇଛି । ଓଡ଼ିଶା ଶିଳ୍ପୀ ମହାସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଆଗାମୀ ଦିନରେ ସମଗ୍ର ଜିଲ୍ଲାର ୨୫ ହଜାର ଶିଳ୍ପୀଙ୍କୁ ଚିହ୍ନଟ କରି ସହାୟତା ପ୍ରଦାନ କରିବାର ଲକ୍ଷ୍ୟ ରଖାଯାଇଛି ।

ଅଲାରନାଥ ମନ୍ଦିରର ହେବ ନବକଳେବର, ମୁଖ୍ୟମନ୍ତ୍ରୀ ଓ 5T ସଚିବଙ୍କୁ ଧନ୍ୟବାଦ ଜଣାଇଲେ ଅଞ୍ଚଳବାସୀ

ବ୍ରହ୍ମଗିରି: ଅଲାରନାଥ ମନ୍ଦିରର ହେବ ନବକଳେବର । ବର୍ଷକ ଭିତରେ ପାଇବ ନୂଆରୂପ । ପ୍ରଭୁ ଅଲାରନାଥଙ୍କ ଦର୍ଶନ କରି ଏପରି ପ୍ରତିଶ୍ରୁତି ଦେବା ପରେ ଫାଇଭ -ଟି ସଚିବଙ୍କୁ କୃତଜ୍ଞତା ଜଣାଇଛନ୍ତି ଅଞ୍ଚଳବାସୀ । ମୁଖ୍ୟମନ୍ତ୍ରୀ ଓ ଫାଇଭ୍‌- ଟି ସଚିବଙ୍କୁ ଧନ୍ୟବାଦ ଦେବା ସହିତ ଦୀପଦାନ କରିଛନ୍ତି । ଗତ ଗୁରବାର ଅଲାରନାଥଙ୍କ ପୀଠକୁ ଯାଇ ଦର୍ଶନ କରିବା ସହିତ ଏହାର ଉନ୍ନତି ପାଇଁ ପ୍ରତିଶ୍ରୁତି ଦେଇଥିଲେ ଫାଇଭ- ଟି ସଚିବ ଭି.କେ ପାଣ୍ଡିଆନ ।

୧୫ ଦିନ ଭିତରେ ମାଷ୍ଟର ପ୍ଲାନ୍ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପରେ ଆରମ୍ଭ ହେବ କାମ । ମନ୍ଦିରକୁ ଆସୁଥିବା ଶ୍ରଦ୍ଧାଳୁ ଓ ସେବାୟତଙ୍କ ପାଇଁ ବ୍ୟାପକ ସୁବିଧା କରାଯିବ । ଏଥିସହ ସୌନ୍ଦର୍ଯ୍ୟକରଣ, ପାରିପାର୍ଶ୍ୱିକ ଉନ୍ନତି ଓ ଜଳ ନିଷ୍କାସନ ସମ୍ପର୍କରେ ମନ୍ଦିର ପ୍ରଶାସନ ଏବଂ ସେବାୟତଙ୍କ ସହ 5T ସଚିବ ଆଲୋଚନା କରିଥିଲେ । ବର୍ଷେ ଭିତରେ ଅଲାରନାଥ ମନ୍ଦିରର ଉନ୍ନତି ପାଇଁ ସେ ପ୍ରତିଶ୍ରୁତି ଦେଇଛନ୍ତି ।

ଜାତି ଉଦ୍ଦେଶ୍ୟରେ ଅଭିଭାଷଣ ରଖିଲେ ରାଷ୍ଟ୍ରପତି, କହିଲେ ୨୦୪୭ ସୁଦ୍ଧା ସ୍ୱାଧୀନତା ସଂଗ୍ରାମୀଙ୍କ ସ୍ୱପ୍ନ ପୂରଣ କରିବୁ

ନୂଆଦିଲ୍ଲୀ: ୭୬ ତମ ସ୍ୱାଧୀନତା ଦିବସ ପୂର୍ବରୁ ଜାତି ଉଦ୍ଦେଶ୍ୟରେ ସମ୍ବୋଧନ କରିଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତି ହେବା ପରେ ପ୍ରଥମ ଥର ପାଇଁ ସ୍ୱାଧୀନତା ଦିବସରେ ସମ୍ବୋଧନ କରିଛନ୍ତି ଦ୍ରୌପଦୀ ମୁର୍ମୁ । ସେ ତାଙ୍କ ଅଭିଭାଷଣରେ କହିଛନ୍ତି ଯେ ଅଗଷ୍ଟ ୧୪କୁ ବିଭାଜନ-ବିଭୀଷିକାର ସ୍ମୃତି ଦିବସ ଭାବେ ପାଳନ କରାଯାଏ । ଏହି ସ୍ମୃତି ଦିବସ ପାଳନ କରିବାର ଉଦ୍ଦେଶ୍ୟ ହେଉଛି ସାମଜିକ ସଦଭାବ, ମାନବ ସଶକ୍ତିକରଣ ଏବଂ ଏକତାକୁ ଅଧିକ ପ୍ରଶୟ ଦେବା । ୧୯୪୭ ମସିହ ଅଗଷ୍ଟ ୧୫ରେ ଆମେ ଔପନିବେଶିକ ଶାସନର ବେଡିକୁ କାଟି ସ୍ୱାଧୀନ ହୋଇଥିଲୁ । ଏହି ଶୁଭ ଦିବସର ପାଳନ ଅବସରରେ ଆମେ ସମସ୍ତେ ସ୍ୱାଧୀନତା ସଂଗ୍ରାମୀଙ୍କୁ ସାଦର ପ୍ରଣାମ କରୁଛୁ । ସେମାନେ ତାଙ୍କର ସର୍ବସ୍ୱ ବଳିଦାନ ଦେଇଛନ୍ତି । ଯାହାଦ୍ୱାରା ଆମେ ସମସ୍ତେ ସ୍ୱାଧୀନ ଭାରତରେ ରହିପାରୁଛେ ବୋଲି ମହାମହିମ ଦ୍ରୌପଦୀ ମୁର୍ମୁ କହିଛନ୍ତି ।

ଦେଶ ସ୍ୱାଧୀନ ହେବାର ୭୫ ବର୍ଷ ପୂରଣ ହୋଇଛି । ୨୦୪୭ ସୁଦ୍ଧା ସ୍ୱାଧୀନତା ସଂଗ୍ରାମୀଙ୍କ ସ୍ୱପ୍ନ ପୂରଣ କରିବୁ । ଆମେ ଦାରିଦ୍ର୍ୟ ଓ ଅଶିକ୍ଷା ବିରୋଧରେ ଲଢ଼େଇ କରିଛୁ । ଆଜି ଆତ୍ମନିର୍ଭର ଭାରତ ଗଠନ ପାଇଁ ଉଦ୍ୟମ ଜାରି ରହିଛି । ଆମ ଦେଶର ଅର୍ଥବ୍ୟବସ୍ଥା ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇଛି ବୋଲି ସେ କହିଥିଲେ ।

ଲାଲଗଡ଼ରେ ଉଡ଼ିଲା ତ୍ରିରଙ୍ଗା, ସ୍ୱାଭିମାନ ଅଞ୍ଚଳରେ ତ୍ରିରଙ୍ଗା ଉଡ଼ାଇଲେ BSF ଯବାନ

ମାଲକାନଗିରି: ମାଲକାନଗିରି ଜିଲ୍ଲା ଲାଲଗଡ଼ରେ ଉଡ଼ିଲା ତ୍ରିରଙ୍ଗା । ସ୍ୱାଭିମାନ ଅଞ୍ଚଳରେ ତ୍ରିରଙ୍ଗା ଉଡ଼ାଇଲେ ବିଏସଏଫ ଯବାନ । ଲୋକଙ୍କ ଘରେ ଘରେ ଲାଗିଲା ଜାତୀୟ ପତାକା । ତ୍ରିରଙ୍ଗା ରାଲିରେ ସାମିଲ ହେଲେ ଶହ ଶହ ଲୋକ । ଯାହା ୩ ଦଶନ୍ଧି ଧରି ସମ୍ଭବ ହୋଇନଥିଲା, ତାହା ଏବେ ସମ୍ଭବ ହୋଇଛି । ଆନ୍ଧ୍ର ସୀମାନ୍ତ ଯନ୍ତ୍ରୀ, ରାଲେଗଡ଼, ସାରୁକାବନ୍ଧରେ ଘରେ ଘରେ ଉଡ଼ୁଛି ତ୍ରିରଙ୍ଗା । ସ୍ଥାନୀୟ ଲୋକ ସ୍ୱାଧୀନତାର ୭୫ତମ ପୂର୍ତ୍ତି ପାଳିଛନ୍ତି । ସେନାକ୍ୟାମ୍ପକୁ ଆସି ଯବାନଙ୍କୁ ଉତ୍ସାହିତ ମଧ୍ୟ କରିଥିଲେ । ସରକାରଙ୍କ ବିକାଶମୂଳକ ଯୋଜନାରେ ସ୍ଥାନୀୟ ଲୋକ ସାମିଲ ହୋଇଛନ୍ତି । ସ୍ୱାଭିମାନ ଅଞ୍ଚଳରେ ଦୂରଦୂରାନ୍ତରେ ସେନା କ୍ୟାମ୍ପ ସହ ପୋଲିସ ଥାନା ଏବଂ ଲଗାତର ମାଓ ଅପରସେନ ସ୍ଥାନୀୟ ଲୋକଙ୍କ ବିଶ୍ବାସ ଜନ୍ମାଇବାରେ ସକ୍ଷମ ହୋଇଛି ।

ଏବେ ରାଜ୍ୟ ସରକାରଙ୍କ ଅନେକ ବିକାଶମୂଳକ କାର୍ଯ୍ୟ ଯଥା ଗମନାଗମନ, ଟେଲିଫୋନ ଟାୱାର, ଆମ୍ବୁଲାନ୍ସ ସେବା ଯୋଗାଇ ଦିଆଯାଉଛି । ଏପରିକି ସ୍ୱାଭିମାନ ଅଞ୍ଚଳରେ ସରକାରଙ୍କ ପକ୍ଷରୁ ଅନେକ ଜନକଲ୍ୟାଣ କାର୍ଯ୍ୟକ୍ରମ କରାଯାଉଛି । ଓଡ଼ିଶା ପୋଲିସ ଓ ବିଏସଫର ଲଗାତର ଅପରସେନ ପରେ ଏବେ ସ୍ୱାଭିମାନ ଅଞ୍ଚଳରୁ ମାଓବାଦୀ ଛତ୍ରଭଙ୍ଗ ଦେଇଛନ୍ତି । ସ୍ଥାନୀୟ ଲୋକ ରାଜ୍ୟ ସରକାର ଓ ପୋଲିସ ଉପରେ ଭରସା କରିବା ସହ ଅନେକ ଯୋଜନାରୁ ଲାଭ ପାଉଛନ୍ତି । ମାଓବାଦୀଙ୍କ ଚିନ୍ତାଧାରାକୁ ବିରୋଧ କରି ଏବେ ମୁଖ୍ୟସ୍ରୋତରେ ସାମିଲ ହେଉଛନ୍ତି । ଏପରିକି ବିକାଶ ଦେଖି ଅନେକ ମାଓବାଦୀ ପୋଲିସ ନିକଟରେ ଆତ୍ମସମର୍ପଣ କରୁଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କୁ ହାତ ତିଆରି ଜାତୀୟ ପତାକା ପ୍ରଦାନ କଲେ ମିଶନ ଶକ୍ତିର ମା’ମାନେ

ଭୁବନେଶ୍ୱର: ସ୍ୱାଧୀନତାର ୭୫ ବର୍ଷ ପାଳନ ଅବ୍ୟବହିତ ପୂର୍ବରୁ ଆଜି ରାଜ୍ୟର ବିଭିନ୍ନ ଅଞ୍ଚଳର ମିଶନ ଶକ୍ତିର ମା’ମାନେ ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ସେମାନଙ୍କ ହାତ ତିଆରି ଜାତୀୟ ପତାକା ପ୍ରଦାନ କରିଥିଲେ । ମୁଖ୍ୟମନ୍ତ୍ରୀ ପତାକା ଗ୍ରହଣ କରି  ସେମାନଙ୍କୁ ଧନ୍ୟବାଦ ଜଣାଇଥିଲେ ।

ଜାତୀୟ ପତାକା ତିଆରି ପରି ଏକ ମହାନ ଦାୟିତ୍ୱ ମିଶନ ଶକ୍ତି ମା’ମାନଙ୍କୁ  ଦେଇଥିବାରୁ ଏହା ସେମାନଙ୍କ ପାଇଁ ଗର୍ବର କଥା ବୋଲି କହିବା  ସହ ଏହିପାଇଁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଥିଲେ । ସୂଚନା ଅନୁସାରେ ସ୍ୱାଧୀନତାର ୭୫ ବର୍ଷ  ଉପଲକ୍ଷେ ୩୦ ଲକ୍ଷ ତ୍ରିରଙ୍ଗା ପ୍ରସ୍ତୁତି ଓ ମାଗଣାରେ ବଣ୍ଟନ ଦାୟିତ୍ୱ ରାଜ୍ୟ ସରକାର ମିଶନ ଶକ୍ତି ଗୋଷ୍ଠୀକୁ ଅର୍ପଣ କରିଛନ୍ତି ।

ଶ୍ରୀମନ୍ଦିରରେ ଚଢ଼ିବାକୁ ଉଦ୍ୟମ ବେଳେ ଯୁବକକୁ କାବୁ କଲେ ଚୁନରା ସେବକ

ପୁରୀ: ଶ୍ରୀମନ୍ଦିର ଉପରକୁ ଚଢ଼ିବା ପାଇଁ ଉଦ୍ୟମ କରୁଥିବାବେଳେ ଜଣେ ଯୁବକ ଅଟକ । ବେହେରଣ ଦ୍ୱାର ନିକଟରୁ ଯୁବକ ଜଣକ ଶ୍ରୀମନ୍ଦିର ଉପରକୁ ଚଢ଼ିବା ପାଇଁ ଉଦ୍ୟମ କରିଥିଲେ । ଶ୍ରୀମନ୍ଦିର ପୋଲିସ ଚୁନାରା ସେବକଙ୍କ ସହାୟତାରେ ନାଟମଣ୍ଡପ ଉପରୁ ଉଦ୍ଧାର କରିଥିଲେ । ପରେ ସିଂହଦ୍ୱାର ଥାନାରେ ଯୁବକଙ୍କୁ ଅଟକ ରଖାଯାଇଛି । ଯୁବକ ଜଣକ ହେଉଛନ୍ତି ଗଞ୍ଜାମ ଜିଲ୍ଲା ଗେଲେରିର ଜିତୁ ଗୌଡ଼ । ତାଙ୍କ ମାନସିକ ଅବସ୍ଥା ଠିକ୍ ନଥିବା ଅନୁମାନ କରାଯାଉଛି । ତେବେ ଏହି ଘଟଣାର ତଦନ୍ତ କରାଯାଉଛି ଓ ତାଙ୍କ ପରିବାର ଲୋକଙ୍କୁ ଖବର ଦିଆଯିବ ବୋଲି ପୋଲିସ କହିଛି ।

ସେପଟେ ଆଜି ଶ୍ରୀମନ୍ଦିର ଆନନ୍ଦ ବଜାରରେ ଅଘଟଣ ଦେଖିବାକୁ ମିଳିଛି । ଜଣେ ଚାରିବର୍ଷର ଶିଶୁଠାରୁ ଚେନ୍ ଛଡ଼ାଇବା ସମୟରେ ପରିବାର ହାତରେ ଧରାପଡ଼ିଲା ଲୁଟେରା । ଲୁଟେରା ଜଣକ ହେଲେ ବାଲିସାହିର କିଷନ ବେଜ, ହାପି । ତାଙ୍କ ନିକଟରୁ ଉପସ୍ଥିତ ପୋଲିସ ଶିଶୁ ଭକ୍ତଙ୍କ ଲୁଟ୍ ହୋଇଥିବା ଚେନ୍ ଜବତ କରିବା ସହ ଲୁଟେରାକୁ ଅଟକ ରଖି ଛାନଭିନ୍ ଆରମ୍ଭ କରିଛି । ଲୁଟେରାଙ୍କୁ ଥାନାରେ ଅଟକ ରଖି ପଚରାଉଚରା ଚାଲିଛି ।

ଶାଶୁ, ବୋହୂଙ୍କ କଳି ଯୋଗୁ ଦୁର୍ଘଟଣାଗ୍ରସ୍ତ ହେଲା କାର

ଆନନ୍ଦପୁର: ଚଳନ୍ତା କାରରେ ଶାଶୁ ବୋହୂ କଳି ଯୋଗୁ ଦୁର୍ଘଟଣାଗ୍ରସ୍ତ ହେଲା କାର । ଦୁର୍ଘଟଣାଗ୍ରସ୍ତ ହୋଇ କାରଟି ୧୦ ଫୁଟ୍ ତଳକୁ ଖସି ପଡ଼ିଥିଲା । ମେଡିକାଲରୁ ନବଜାତ ଶିଶୁ କନ୍ୟାକୁ ନେଇ ଘରକୁ ଫେରୁଥିବା ସମୟରେ ଚଳନ୍ତା କାର ମଧ୍ୟରେ ଶାଶୁ ବୋହୂଙ୍କ କଳି ପାଇଁ କାରଟି ୧୦ ଫୁଟ୍ ଖାଲକୁ ଖସିଯାଇଥିଲା । କିନ୍ତୁ ସୌଭାଗ୍ୟବଶତଃ କାହାରି କୌଣସି କ୍ଷତି ହୋଇନାହିଁ । ଆଜି ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଆନନ୍ଦପୁର ଥାନା ଫକିରପୁର ବାଲୁଙ୍କେଶ୍ୱର ଛକ ନିକଟରେ ।

ସୂଚନା ଅନୁସାରେ ଦୁଡୁଗାଁର ଏକ ପରିବାର ଆନନ୍ଦପୁର ଡାକ୍ତରଖାନାରେ ଦୁଇ ଦିନ ତଳେ ଜନ୍ମିତ ଶିଶୁ କନ୍ୟାକୁ ନେଇ ଘରକୁ ଫେରୁଥିଲେ । କିନ୍ତୁ ହଠାତ୍ ବାଲୁଙ୍କେଶ୍ୱର ଛକ ନିକଟରେ ସାମ୍ନାରେ ଯାଉଥିବା ଏକ ଟାଟା ଏସିଇକୁ ପଛପଟୁ ଧକ୍କା ଦେବାରୁ କାରଟି ରାସ୍ତା ତଳେ ପାଣି ଭିତରେ ପଶିଯାଇଥିଲା । ତେବେ ସବୁଠାରୁ ଆଶ୍ଚର୍ଯ୍ୟକର କଥା  ହେଉଛି କାର୍ ଭିତରେ ଶାଶୁ ବୋହୂଙ୍କ କଳି ଯୋଗୁ ଗାଡ଼ି ଚଳାଉଥିବା ସ୍ୱାମୀ ମାନସିକ ଭାରସ୍ୟାମ ହରାଇ ଦୁର୍ଘଟଣା କରିଥିବା ଅନୁମାନ କରାଯାଉଛି । ତେବେ ଦୁର୍ଘଟଣା ପରେ ସ୍ଥାନୀୟ ଲୋକ କାରରୁ ସମସ୍ତଙ୍କୁ ଉଦ୍ଧାର କରିଛନ୍ତି । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଭଦ୍ରକରେ ବନ୍ୟାସ୍ଥିତି ପରଖିଲେ ବିଜେଡି ସାଂଗଠନିକ ସମ୍ପାଦକ

ଭଦ୍ରକ: ଭଦ୍ରକ ଧାମନଗର ଓ ଧୁଷୁରୀ ଅଞ୍ଚଳର ବନ୍ୟା ସ୍ଥିତି ପରଖିଲେ ବିଜେଡି ସାଂଗଠନିକ ସମ୍ପାଦକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ । ବୈତରଣୀ ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁ ଆଖୁଆପଦା ନିକଟରେ ବିପଦ ସଂକେତ ଟପି ପ୍ରବାହିତ ହେଉଥିବା ବନ୍ୟା ଜଳ ପ୍ରଥମେ ଭଣ୍ଡାରୀପୋଖରୀ, ଧାମନଗର ଓ ଧୁଷୁରୀର ତଳିଆ ଅଞ୍ଚଳରେ ପ୍ରବେଶ କରିଥାଏ । ଏପରିକି ଧାମନଗର ଓ ଧୁଷୁରୀରର ହସିନାବାଦ, ମଲ୍ଲିମାହାରା ରାମେଶ୍ୱରପୁର ନିକଟରେ ନଦୀବନ୍ଧ ଅତ୍ୟନ୍ତ ଦୁର୍ବଳ ରହିଥିବାରୁ ବନ୍ୟା ସ୍ଥିତି ଜଟିଳ ହେବାର ଆଶଙ୍କା ରହିଛି । ଏହାର ସ୍ଥିତି ପରଖିବା ପାଇଁ ପ୍ରଣବ ପ୍ରକାଶ ଦାସ ପହଞ୍ଚିଥିଲେ । ପ୍ରଣବଙ୍କ ସହ ଧାମନଗର ପୂର୍ବତନ ବ୍ଲକ ଅଧ୍ୟକ୍ଷ ଅଶୋକ ନାୟକ ରହିଥିଲେ ।

ଭାରତରେ ବ୍ୟାନ ହେଲା ଭିଏଲସି ମିଡିଆ ପ୍ଲେୟାର

ନୂଆଦିଲ୍ଲୀ: ଭାରତରେ ନିଷିଦ୍ଧ ହେଲା ଭିଏଲସି ମିଡିଆ ପ୍ଲେୟାର । ଏନେଇ ସୂଚନା ଦେଇଛନ୍ତି ଭିଡିଓଲାନ୍ ଅଧ୍ୟକ୍ଷ । କେତେକ ଆଇଏସପି ଜରିଆରେ ଏହା ଚାଲିଥିଲେ ମଧ୍ୟ ଦେଶରେ ନିଷିଦ୍ଧ ହୋଇଛି । ଗତ ଫେବ୍ରୁଆରୀ ମାସରୁ VLC ବ୍ୟାନ ହୋଇସାରିଥିବା ସୂଚନା ଦେଇଛି ଭିଡିଓଲାନ । ତେବେ ପ୍ରଶ୍ନ ଉଠୁଛି କାହିଁକି ଭିଏଲସି ମିଡିଆ ପ୍ଲେୟାର ଓ୍ବେବସାଇଟ ଓ ଡାଉନଲୋଡ ଲିଙ୍କ୍ ବ୍ଲକ କରାଗଲା । ଭିଏଲସି ମିଡିଆ ପ୍ଲେୟାର ନିଷିଦ୍ଧ ହେବା ମୂଳରେ ସରକାରୀ ଭାବେ କିଛି ଘୋଷଣା କରାଯାଇ ନଥିଲେ ମଧ୍ୟ ସାଇବାର ଆଟାକ ଲାଗି ଚୀନଭିତ୍ତିକ ହ୍ୟାକିଂ ଗ୍ରୁପ ସିକାଡା ଏହାକୁ ବ୍ୟବହାର କରୁଥିବାରୁ ଭିଏଲସି ମିଡିଆ ପ୍ଲେୟାରକୁ ନିଷିଦ୍ଧ କରାଯାଇଛି । ସିକାଡା ଦ୍ୱାରା ଭିଏଲସି ମିଡିଆ ପ୍ଲେୟାରକୁ ବ୍ୟବହାର କରାଯାଉଛି ଏବଂ ଏହା ଦ୍ୱାରା ଟାର୍ଗେଟ ମେସିନ ନିକଟକୁ ମାଲିସିଅସ ବା କ୍ଷତିଗ୍ରସ୍ତକାରୀ ମେସେଜ ଆସୁଥିବା ସୂଚନା ମିଳିଛି । ଭାରତ ବିରୋଧରେ ଚାଲିଥିବା ବହୁ ସାଇବର ଆଟାକ୍ ଘଟଣାରେ ସିକାଡା ନିୟୋଜିତ ରହିଛି ବୋଲି ସିକ୍ୟୁରିଟି ଏକ୍ସପର୍ଟମାନେ ସୂଚନା ପାଇଥିଲେ ।

ସେପଟେ ଭିଏଲସି ମିଡିଆ ପ୍ଲେୟାର ବ୍ୟାନ ହେବା ନେଇ ଭାରତ ସରକାରଙ୍କ ପକ୍ଷରୁ କିଛି ତଥ୍ୟ ଦିଆଯାଇନାହିଁ । IT ଆକ୍ଟ ୨୦୦୦ ଅନୁସାରେ ଭାରତ ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରାଳୟ ଦ୍ୱାରା ଭିଏଲସି ମିଡିଆ ପ୍ଲେୟାର ଓ୍ବେବସାଇଟକୁ ଗତ ଫେବ୍ରୁଆରୀରେ ବ୍ଲକ୍ କରିଥିବା ସୂଚନା ମିଳିଛି । ଭାରତର ସବୁଠାରୁ ଲୋକପ୍ରିୟ ମିଡିଆ ପ୍ଲେୟାର ଭାବେ ଭିଏଲସି ଖ୍ୟାତି ଲାଭ କରିଥିଲା । ତେବେ ବ୍ୟାନ ହେବା ପରେ ଭିଏଲସିକୁ ଏବେ ଡାଉନଲୋଡ କରାଯାଇପାରୁନାହିଁ । ତେବେ ବ୍ୟାନ ସତ୍ତ୍ୱେ ଭିଏଲସି ମିଡିଆ ପ୍ଲେୟାର ଗୁଗୁଲ ପ୍ଲେ ଷ୍ଟୋରରେ ଏବେ ବି ଉପଲବ୍ଧ ରହିଛି ।