spot_img
Home Blog Page 412

ଆମେରିକାକୁ ନେପାଳର ଝଟକା । ଏହି କାରଣ ପାଇଁ ୨୬ଟି ଆପକୁ ବ୍ୟାନ କରିଛି ନେପାଳ…

ନନ୍ଦିଘୋଷ ବ୍ୟୁରୋ:  ଆମେରିକାକୁ ଝଟକା ଦେଇଛି ନେପାଳ। ଆଦେଶ ଅନୁପାଳନ କରିବାରେ ଖିଲାପ କରିବାରୁ ଫେସବୁକ, ଇନଷ୍ଟାଗ୍ରାମ, ୟୁଟ୍ୟୁବ, ଏକ୍ସ’, ହ୍ବାଟ୍ସଆପ ସମେତ ୨୬ଟି ସୋସିଆଲ ମିଡିଆ ପ୍ଲାଟଫର୍ମକୁ ନେପାଳ ସରକାର ନିଷିଦ୍ଧ ଘୋଷଣା କରିଛନ୍ତି। ଏସବୁ କମ୍ପାନୀ ମଧ୍ୟରୁ ଅଧିକାଂଶ ଆମେରିକୀୟ କମ୍ପାନୀ।

ସରକାରଙ୍କ ନିକଟରେ ପଞ୍ଜୀକରଣ କରିବା ଲାଗି ୭ ଦିନ ସମୟସୀମା ଦିଆଯାଇଥିବାବେଳେ ଏହି କମ୍ପାନୀଗୁଡ଼ିକ ତାହାକୁ ଅଣଦେଖା କରିଥିଲେ। ଯାହାଫଳରେ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି। ଘରୋଇ ଏବଂ ବିଦେଶୀ ଅନଲାଇନ ପ୍ଲାଟଫର୍ମଗୁଡ଼ିକ ଦେଶରେ ସେବା ପ୍ରଦାନ କରିବା ପୂର୍ବରୁ ସରକାରଙ୍କ ନିକଟରେ  ପଞ୍ଜୀକରଣ କରିବେ ଏବଂ ସରକାର ସେମାନଙ୍କ ବିଷୟବସ୍ତୁଗୁଡ଼ିକ ଉପରେ ନଜର ରଖିବେ ବୋଲି ନେପାଳ ସୁପ୍ରିମକୋର୍ଟ ସରକାରଙ୍କୁ ନିର୍ଦେଶ ଦେଇଥିଲେ। ଏହାକୁ ଆଧାର କରି ନେପାଳ ସରକାର ସମ୍ପୃକ୍ତ କମ୍ପାନୀଗୁଡ଼ିକୁ ନୋଟିସ ଜାରି କରିଥିଲେ। କିନ୍ତୁ ଉକ୍ତ ସୋସିଆଲ ମିଡିଆ କମ୍ପାନୀଗୁଡ଼ିକ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ପଞ୍ଜୀକରଣ କରାଇ ନ ଥିଲେ। ଯାହା ଫଳରେ ଏହି ଆପ ଗୁଡ଼ିକୁ ବ୍ୟାନ କରାଯାଇଛି ।

ତ୍ରିଶୁଳିଆ ବ୍ରିଜ୍ ନିକଟ କାଜିପାଟଣା କାଠଯୋଡ଼ି ପଠାରେ ଫସି ରହିଛନ୍ତି ଗୋରୁ ପଲ

କଟକ ତ୍ରିଶୁଳିଆ ବ୍ରିଜ୍ ନିକଟ କାଜିପାଟଣା କାଠଯୋଡ଼ି ପଠାରେ ଫସି ରହିଛନ୍ତି ଗୋରୁ ପଲ। ପାଖାପାଖି ୨୦ରୁ ଉର୍ଦ୍ଧ ଗୋରୁ ଫସିରହିଥିବା ଅନୁମାନ କରାଯାଉଛି। ଗତକାଲି ପଠାକୁ ଗୋରୁ ଚରିବା ପାଇଁ ଯାଇଥିବା ବେଳେ ହଠାତ୍ ନଦୀ ଜଳସ୍ତର ବଢ଼ିଯାଇଥିଲା। ଚାରିପଟେ ପାଣି ହୋଇଯାଇଥିବାରୁ ଗୋରୁ ଫସି ରହିଛନ୍ତି। ତେବେ ହୀରାକୁଦ ଗେଟ୍ ଖୋଲା ରହିଥିବା ଯୋଗୁଁ ଜଳସ୍ତର ଆହୁରି ବଢିବା ଆଶଙ୍କା ରହିଛି। ଗୋରୁ ମାନଙ୍କ ତୁରନ୍ତ ଉଦ୍ଧାର କରାଯିବାର ଆବଶ୍ୟକତା ରହିଛି।.

ସାର ପାଇଁ ଚାଷୀଙ୍କ ଲମ୍ବା ଲାଇନ: କଳାହାଣ୍ଡି ଜିଲ୍ଲାରେ ସାର ସଙ୍କଟ

ସାର ପାଇଁ ଚାଷୀଙ୍କ ଲମ୍ବା ଲାଇନ। କଳାହାଣ୍ଡି ଜିଲ୍ଲାରେ ସାର ସଙ୍କଟ। ସକାଳୁ ସକାଳୁ କେସିଙ୍ଗା ବ୍ଳକ ପଷ୍ଟିଗୁଡ଼ି ସମବାୟ ସମିତି ସମ୍ମୁଖରେ ସାର ପାଇଁ ଚାଷୀଙ୍କ ଲମ୍ବା ଲାଇନ। ଆବଶ୍ୟକତା ଠାରୁ କମ ପରିମାଣର ସାର୍ ଆସିଥିବା ବେଳେ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳୁଛି।

ପୁରୀ ବେଳାଭୂମିରେ ପର୍ଯ୍ୟଟକଙ୍କୁ ଲୁଟ୍

ପୁରୀ ବେଳାଭୂମିରେ ପର୍ଯ୍ୟଟକଙ୍କୁ ଲୁଟ୍। 100 କି 200 ଟଙ୍କା ନୁହେଁ ହଜାରହଜାର ଟଙ୍କା ଲୁଟ୍ କରି ଧରାପଡିଛନ୍ତି ଭିକ୍ଷାବୃତ୍ତି କରୁଥିବା ଜଣେ ମହିଳା ଓ ଜଣେ ପୁରୁଷ। ଦୁଇରୁ ତିନି ଜଣ ପର୍ଯ୍ୟଟକ ପୁରୀ ବେଳାଭୂମିକୁ ବୁଲିବାକୁ ଆସିଥିଲେ। ସେମାନେ ଜଣେ ମହିଳାଙ୍କୁ ମଦ ଆଣିବାକୁ ଟଙ୍କା ଦେଇଥିଲେ। ସମ୍ପୃକ୍ତ ମହିଳା ସେମାନଙ୍କ ପାଇଁ ମଦ ଆଣି ଦେଇଥିଲେ।ପର୍ଯ୍ୟଟକମାନେ ମଦ ପିଇ ସାରି ବେଳାଭୂମିରେ ଶୋଇପଡିଥିଲେ।ଏହାର ସୁଯୋଗ ନେଇ ସମ୍ପୃକ୍ତ ମହିଳା ଓ ଜଣେ ପୁରୁଷ ପର୍ଯ୍ୟଟକମାନଙ୍କ ଠାରୁ ହଜାର ହଜାର ଟଙ୍କା ଲୁଟ୍ କରିଥିଲେ। କିନ୍ତୁ ବେଳାଭୂମିରେ ଥିବା କିଛି ଲାଇଫଗାର୍ଡ ଏ ସମ୍ପର୍କରେ ଜାଣି ସମ୍ପୃକ୍ତ ଲୁଟେରା ମହିଳା ଓ ପୁରୁଷଙ୍କୁ ଧରିଥିଲେ। ତାଙ୍କଠାରୁ ଲୁଟ୍ ଟଙ୍କା ଜବତ କରି ପର୍ଯ୍ୟଟକ ମାନଙ୍କୁ ଫେରାଇଥିଲେ। ସବୁବେଳେ ପର୍ଯ୍ୟଟକଙ୍କ ପାଇଁ ବେଳାଭୂମିରେ ମୁତୟନ ହୋଇଥିବା ଲାଇଫଗାର୍ଡ କେବଳ ଯେ ଗଭୀର ସମୁଦ୍ରରୁ ସେମାନଙ୍କୁ ବଞ୍ଚାଇଥାନ୍ତି ତା ନୁହେଁ ବରଂ ପର୍ଯ୍ୟଟକଙ୍କ ଠାରୁ ଟଙ୍କା ଲୁଟ୍ ହୋଇଥିବା ଟଙ୍କା ଲୁଟେରାଙ୍କଠାରୁ ଜବତ କରି ଫେରାଇଥିବାରୁ ସାଧାରଣରେ ଲାଇଫଗାର୍ଡଙ୍କୁ ବେଶ୍ ପ୍ରଶଂସା କରାଯାଇଛି।

ଲଘୁଚାପଜନିତ ବର୍ଷାରେ ଫୁଲିବାରେ ଲାଗିଛି ୪ ନଦୀ

ଲଘୁଚାପଜନିତ ବର୍ଷାରେ ଫୁଲିବାରେ ଲାଗିଛି ବୈତରଣୀ, ସାଳନ୍ଦୀ, ରେଵ ଓ କପାଳୀ ନଦୀ। ଭଦ୍ରକ ଜିଲ୍ଲା ଚାନ୍ଦବାଲିର ୪ପଞ୍ଚାୟତ, ଧାମନଗରର ୮ ପଞ୍ଚାୟତ ଓ ତିହିଡିର ୫ ପଞ୍ଚାୟତରେ ବନ୍ୟା ସ୍ଥିତି ଲାଗି ରହିଛି। ହଜାର ହଜାର ହେକ୍ଟର ଚାଷଜମିରେ ମାଡି ଚାଲିଛି ବନ୍ୟାପାଣି। ଗତ ବନ୍ୟାରେ ଯାହା କିଛି ଧାନତଳି ରହିଥିଲା ଚଳିତ ବନ୍ୟାରେ ପଚିସଢି ଯିବା ଆଶଙ୍କା ସୃଷ୍ଟି ହୋଇଛି। ଆଖଣ୍ଡଳମଣି -କୁଆଖିଆ ୨୦ନମ୍ଵର ଜାତୀୟ ରାଜପଥର ବୋଡକ ଠାରେ ରାସ୍ତା ଉପରେ ୨ ଫୁଟ ଉଚ୍ଚରେ ବନ୍ୟାପାଣି ପ୍ରବାହିତ ହେଉଛି। ଫଳରେ ଯାତାୟାତ ବାଧାପ୍ରାପ୍ତ ହୋଇଛି।ବନ୍ୟା ପାଣି ରାସ୍ତା ପାର ହୋଇ ଚାଷ ଜମିକୁ ବୁଡାଇବା ସହ ତଳିଆ ଅଞ୍ଚଳକୁ ପ୍ରବେଶ କରିବାରେ ଲାଗିଛି। ଯାହାଫଳରେ ତଳିଆ ଅଞ୍ଚଳ ଲୋକମାନେ ଭୟଭିତ ହୋଇପଡିଛନ୍ତି। ବୈତରଣୀ ନଦୀରେ ଏହା ତୃତୀୟ ବନ୍ୟା ହୋଇଥିବାରୁ ଚାନ୍ଦବାଲି, ଧାମନଗର, ତିହିଡି ପଞ୍ଚାୟତର ଚାଷ ସମ୍ପୁର୍ଣ୍ଣ ଉଜୁଡିଯିଵାର ଆଶଙ୍କା ଦେଖାଦେଇଛି।

’ମୋଦୀ ଓ ମୁଁ ସର୍ବଦା ବନ୍ଧୁ ହୋଇ ରହିବୁ…..’: ଭାରତ-ଚୀନ ହାତ ମିଳାଇବା ପରେ ବଦଳିଲା ଟ୍ରମ୍ପଙ୍କ ସ୍ବର

ଭାରତ ଓ ଆମେରିକା ମଧ୍ୟରେ ବର୍ତ୍ତମାନ ସମୟରେ ବିବାଦ ଦେଖିବାକୁ ମିଳିଛି । ଋଷରୁ ତେଲ କରିବାକୁ ନେଇ ଆମେରିକା ଭାରତ ଉପରେ ଅତିରକ୍ତ ୨୫ ପ୍ରତିଶତ ଟାରିଫ ଲଗାଇଛି । ଏପରି ଭାବେ ଆମେରିକା ଭାରତ ଉପରେ ମୋଟ ୫୦ ପ୍ରତିଶତ ଟାରିଫ ଲଗାଇଛି । ଏପରି ସ୍ଥିତିରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମ୍ପର୍କରେ ଏକ ବଡ଼ ବୟାନ ଦେଇଛନ୍ତି ।

ଟ୍ରମ୍ପ କହିଛନ୍ତି, ଭାରତ ଓ ଆମେରିକା ସମ୍ବନ୍ଧରେ କିଛିଟା ତିକ୍ତତା ଆସିଥିଲେ ବି ମୁଁ ଓ ମୋଦୀ ବନ୍ଧୁ ହୋଇ ରହିବୁ । ମୋଦୀ ଜଣେ ଉଚ୍ଚକୋଟୀର ପ୍ରଧାନମନ୍ତ୍ରୀ । ସେ ମହାନ ଅଟନ୍ତି । ମାତ୍ର ବର୍ତ୍ତମାନ ସମୟରେ ମୋଦୀ ଯାହା କରୁଛନ୍ତି, ତାହା ମୋତେ ପସନ୍ଦ ନୁହେଁ । ମାତ୍ର ଭାରତ-ଆମେରିକା ସମ୍ପକର୍ ବହୁତ ସ୍ବତନ୍ତ୍ର । ଏହାକୁ ନେଇ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ । ଦୁଇ ଦେଶ ମଧ୍ୟରେ କେବେ କେବେ ଏପରି ପରିସ୍ଥିତି ଦେଖିବାକୁ ମିଳିଥାଏ ।

ଧୀରେ ଧୀରେ ଖସୁଛି ଜଳକା ନଦୀର ଜଳସ୍ତର

ଧୀରେ ଧୀରେ ଖସୁଛି ଜଳକା ନଦୀର ଜଳସ୍ତର। ଜଳକା ନଦୀର ଉପର ମୁଣ୍ଡରେ ଲଗାଣ ବର୍ଷା କାରଣରୁ ବିପଦ ସଙ୍କେତ ଅତିକ୍ରମ କରିଥିଲା। କିନ୍ତୁ ଗତକାଲିଠୁୁ ଏହି ନଦୀ ଧୀରେ ଧୀରେ କମୁଛି। ଉପରେ ମୁଣ୍ଡାରେ ବର୍ଷା ନ ଥିବାରୁ ଗାଁ ରୁ ପାଣି ଖସୁଛି। ବନ୍ୟା ସ୍ଥିତି ସୁଧାର ଆସିଛି। କିନ୍ତୁ ଜମି ରହିଛି ଚାଷ ଜମିରେ ପାଣି। ଯାହାକୁ ନେଇ ଚିନ୍ତା ରେ ଚାଷୀ। ଲଗାଣ ବର୍ଷା ଯୋଗୁଁ ବାଲେଶ୍ଵରର ବସ୍ତା ବ୍ଲକ ଓ ସଦର ବ୍ଲକର ଅନେକ ପଞ୍ଚାୟତରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଅନେକ ଗାଁ ଜଳବନ୍ଦୀ ହୋଇଥିଲେ। ସେହିପରି ଭଦ୍ରକ ଜିଲ୍ଲାର ଚାନ୍ଦବାଲି ଓ ଧାମନଗର ବ୍ଲକରେ ମଧ୍ୟ ସ୍ଥିତିରେ ସୁଧାର ଆସିଛି। ବୈତରଣୀ ନଦୀର ପାଣି କମିଥିବାରୁ ଏହି ଗାଁରୁ ପାଣି ଛାଡ଼ିବାରେ ଲାଗିଛି। କିନ୍ତୁ ଲୋକଙ୍କ ଦୁର୍ଦ୍ଦଶା କମି ନାହିଁ। କାରଣ ବହୁ ଅଞ୍ଚଳ ଏବେ ବି ପାଣି ଘେରରେ ରହିଛି।

ହୀରାକୁଦର ୨୪ଟି ଗେଟ୍ ଖୋଲିବା ପରେ ବ୍ରିଜ ଉପରେ ତିନି ଫୁଟ୍ ର ପାଣି

ହୀରାକୁଦର ୨୪ଟି ଗେଟ୍ ଖୋଲିବା ପରେ ସମ୍ବଲପୁର ନିକଟ ଗୁଣ୍ଡେରପୁର ବ୍ରିଜ ଉପରେ ତିନି ଫୁଟ୍ ର ପାଣି ଚାଲୁଛି। ସମ୍ବଲପୁର-ସୋନପୁର ମୁଖ୍ୟ ରାସ୍ତାରେ ମହାନଦୀ ପାଣି ଚାଲୁଛି। ଏହା ଦ୍ଵାରା ଯାତାୟତ ବାଧାପ୍ରାପ୍ତ ହୋଇଛି।ସେପଟେ ସମ୍ବଲପୁର ସହର ପାଣି ମଧ୍ୟ ନଦୀକୁ ନିଷ୍କାସିତ ହୋଇପାରୁନି। ଏହି କାରଣରୁ କେତେକ ସ୍ଥାନରେ ପାଣି ଜମିଛି। ଯଦି ଆହୁରି ବର୍ଷା ହେଉ ଓ ହୀରାକୁଦର ଅଧିକ ଗେଟ୍ ଖୋଲାଯାଏ, ତେବେ ସମ୍ବୂଲପୁର ସହରର ତଳିଆ ଅଞ୍ଚଳରେ ରହୁଥିବା ଲୋକଙ୍କ ଘରେ ପାଣି ପଶିବାର ଆଶଙ୍କା ଅଛି।

ଗୁରୁ ଦିବସରେ ଜାତୀୟ ଶିକ୍ଷା ନୀତି ବିରୋଧରେ ଲଢେଇ ପାଇଁ ରଣନୀତି ପ୍ରସ୍ତୁତ

ନନ୍ଦିଘୋଷ ବ୍ୟୁରୋ: ଗୁରୁ ଦିବସରେ ଜାତୀୟ ଶିକ୍ଷା ନୀତି ବିରୋଧରେ ଲଢେଇ ପାଇଁ ରଣନୀତି ପ୍ରସ୍ତୁତ । ମନଇଚ୍ଛା ଜାତୀୟ ଶିକ୍ଷା ନୀତି ଲାଗୁ ଯୋଗୁଁ ପ୍ରାଥମିକ ଶିକ୍ଷାରୁ ଆରମ୍ଭ କରି ବିଶ୍ୱବିଦ୍ୟାଳୟ ଶିକ୍ଷା ବିପର୍ଯ୍ୟସ୍ତ ହୋଇଥିବା ଅଭିଯୋଗ ହୋଇଛି । ପ୍ରତିବାଦ କରି ନିଖିଳ ଉତ୍କଳ ଶିକ୍ଷକ ମହାସଂଘ ବ୍ୟାନରରେ ଏକାଠି ହୋଇଛନ୍ତି ଶିକ୍ଷକ ସଂଗଠନ, ଶିକ୍ଷାବିତ, ଛାତ୍ର ସଂଗଠନ ତଥା ବିଭିନ୍ନ ବର୍ଗର ଲୋକେ । ଜାତୀୟ ସ୍ତରରେ ରାଜ୍ୟ ବିଶ୍ୱବିଦ୍ୟାଳୟର ମାନ ଖସୁଥିବା ବେଳେ ପ୍ରାକ ପ୍ରାଥମିକ ଶିକ୍ଷାରେ ଶିଶୁ ବାଟିକା ବି ଫେଲ ମାରିଛି । ଜାତୀୟ ଶିକ୍ଷା ନୀତି ସମ୍ପର୍କରେ ସରକାର ତୁରନ୍ତ ଅଂଶୀଦାରଙ୍କ ସହ ଆଲୋଚନା କରିବାକୁ ଦାବି ସହ ଆଗାମୀ ଦିନରେ ଆନ୍ଦୋଳନାତ୍ମକ କାର୍ଯ୍ୟକ୍ରମ ସମ୍ପର୍କରେ ଯୋଜନା ପ୍ରସ୍ତୁତ ହୋଇଛି ।

ଜାତୀୟ ଶିକ୍ଷା ନୀତି ଲାଗୁ ପରେ ରାଜ୍ୟର ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଥିବା ଅଭିଯୋଗ ହୋଇଛି । ପ୍ରାକ ପ୍ରାଥମିକ ଶିକ୍ଷାରେ ଶିଶୁ ବାଟୀକାଠାରୁ ଆରମ୍ଭ କରି ବିଶ୍ୱବିଦ୍ୟାଳୟ ଶିକ୍ଷା ମଧ୍ୟ ନଷ୍ଟ ହୋଇଛି । ରାଜ୍ୟର ଶିକ୍ଷା ଭିତ୍ତିଭୂମି ଓ ସ୍ଥିତିକୁ ନଦେଖି ମନଇଚ୍ଛା କେନ୍ଦ୍ରର ଜାତୀୟ ଶିକ୍ଷା ନୀତି ଲାଗୁ କରାଗଲା । ଜୋର ଜବରଦସ୍ତ ଲାଗୁ କରିବାରୁ ଏଭଳି ସ୍ଥିତି ସୃଷ୍ଟି ହୋଇଥିଵା ଅଭିଯୋଗ କରିଛନ୍ତି ଶିକ୍ଷାବିତ ଓ ଶିକ୍ଷକ ସଂଗଠନ । ବିଭିନ୍ନ ବର୍ଗର ବିଶେଷଜ୍ଞ ଏକାଠି ହୋଇ କିଭଳି ରାଜ୍ୟର ଶିକ୍ଷା ବ୍ୟବସ୍ଥାକୁ ରକ୍ଷା କରିହେବ ସେ ନେଇ ରଣନୀତି ପ୍ରସ୍ତୁତ କରିଛନ୍ତି ।

ଜାତୀୟ ଶିକ୍ଷା ନୀତି ଆଧାରରେ ସରକାର ତରବରିଆ ଭାବେ ପ୍ରାଥମିକ ବିଦ୍ୟାଳୟରେ ଶିଶୁ ବାଟୀକା ଖୋଲିଥିବାବେଳେ ସେଠାରେ ସ୍ୱତନ୍ତ୍ର ପ୍ରଶିକ୍ଷିତ ଶିକ୍ଷକ ମଧ୍ୟ ନିଯୁକ୍ତି ଦେଇନାହାନ୍ତି । ହେଲେ ଆଗୁଆ ଶିଶୁ ସେବିକା ନିଯୁକ୍ତି ଦେବାକୁ ନିଷ୍ପତ୍ତି ନେଇଛନ୍ତି । ଯାହାକୁ ନେଇ ଶିକ୍ଷକମାନେ ରାସ୍ତାକୁ ଓଲ୍ହାଇଛନ୍ତି । ବିଶ୍ୱବିଦ୍ୟାଳୟଗୁଡିକର ମନମୁତାବକ କାର୍ଯ୍ୟ ଯୋଗୁଁ ଜାତୀୟ ସ୍ତରରେ ବିଶ୍ୱବିଦ୍ୟାଳୟ ମାନ କମୁଛି । ଶିକ୍ଷାର ବ୍ୟବସାୟୀକରଣ କରିବାକୁ ଏଭଳି ଚକ୍ରାନ୍ତ ବୋଲି ଅଭିଯୋଗ ହୋଇଛି । ଏହାକୁ ନେଇ ସମାଜର ସମସ୍ତ ବର୍ଗଙ୍କୁ ନେଇ ଆଗକୁ ଆନ୍ଦୋଳନ ବ୍ୟାପକ କରାଯିବ ବୋଲି ଚେତାବନୀ ଦେଇଛନ୍ତି । ଛାତ୍ର ସଂଗଠନଗୁଡ଼ିକ ରାଜ୍ୟଵ୍ୟାପୀ ବିଶାଳ ଆନ୍ଦୋଳନ ପାଇଁ ଘୋଷଣା କରିଛନ୍ତି । ଜାତୀୟ ଶିକ୍ଷା ନୀତି ବିରୋଧରେ ଆସନ୍ତା ୧୩ରେ ବାରାଣସୀରେ ବିଶାଳ ଧାରଣା ସହ ୭ ତାରିଖରେ ଓଡ଼ିଶାରେ ବିଶାଳ ସଭା କରାଯିବାକୁ ନିଷ୍ପତ୍ତି ହୋଇଛି ।

ଗୁରୁ ଦିବସରେ ରାଜରାସ୍ତାରେ ଗୁରୁ: ୫ ଦଫା ଦାବି ନେଇ ଭୁବନେଶ୍ବର ଗାନ୍ଧୀ ମାର୍ଗରେ ଚାଲିଛି ଆନ୍ଦୋଳନ

ନନ୍ଦିଘୋଷ ବ୍ୟୁରୋ: ଓଡ଼ିଶା ସ୍କୁଲ୍ କଲେଜ୍ ଶିକ୍ଷକ ଓ କର୍ମଚାରୀ ସମନ୍ଵୟ ସମିତି ପକ୍ଷରୁ ଭୁବନେଶ୍ବର ଗାନ୍ଧୀ ମାର୍ଗରେ ଆନ୍ଦୋଳନ । ଏକାଠି ହେଲେ ହଜାର ହଜାର ଶିକ୍ଷକ । ୫ ଦଫା ଦାବି ନେଇ ରାଜରାସ୍ତା ହକ୍ ମାଗିଲେ ଗୁରୁ । ସମସ୍ତ ଯୋଗ୍ୟ ଅନୁଦାନ ପ୍ରାପ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟକୁ ତୁରନ୍ତ ଅନୁଦାନ ପ୍ରଦାନ କରିବା, ଅବସର ପରେ ଶିକ୍ଷକଙ୍କୁ ପେନସନ୍, ଚାକିରି ସର୍ତ୍ତାବଳୀ ସହ ବୟସ ସୀମା ୬୦ ରୁ ୬୨କୁ ବୃଦ୍ଧି ନେଇ ସରକାରଙ୍କୁ ଘେରିଛନ୍ତି ଶିକ୍ଷକ ।

ମହାତ୍ମାଗାନ୍ଧୀ ମାର୍ଗରେ ହକ ପାଇଁ ଆନ୍ଦୋଳନ । ମହା ସମାବେଶ ଓ ଅହରାତ୍ର ଧାରଣା । ଗୁରୁ ଦିବସରେ ସ୍କୁଲରେ ପୂଜା ପାଇବା ବଦଳରେ ରାଜରାସ୍ତାରେ ନିଜର ହକ୍ ପାଇଁ ଗର୍ଜୁଛନ୍ତି ଶିକ୍ଷକ ଶିକ୍ଷୟିତ୍ରୀ । ଅନୁଦାନ ଯୋଗ୍ୟ ବିଦ୍ୟାଳୟ ଓ ମହାବିଦ୍ୟାଳୟକୁ ଅନୁଦାନ ପ୍ରଦାନ, ଅବସର ପରେ ଶିକ୍ଷକଙ୍କୁ ପେନସନ୍, ଗ୍ରେଡ ପେ’ରେ ଥିବା ଅସଙ୍ଗିତ ଦୂରୀକରଣ, ଅବସର ବୟସ ସୀମା ୬୦ରୁ ୬୨କୁ ବୃଦ୍ଧି, ନୂତନ ପେନସନକୁ ବାତିଲ କରି ପୂର୍ବ ପ୍ରଚଳିତ ପୁରୁଣା ପେନସନ ଲାଗୁ କରିବା, ଉଚ୍ଚନ୍ୟାୟଳୟଙ୍କ ନିର୍ଦ୍ଦେଶକୁ ପାଳନ କରି ଶିକ୍ଷକ ଓ କର୍ମଚାରୀଙ୍କୁ ନ୍ୟାୟ ପ୍ରଦାନ, ୨୦୦୪ରୁ ୧୩ ମଧ୍ୟରେ ନିଯୁକ୍ତି ପାଇଥିବା ଚୁକ୍ତିଭିତ୍ତିକ ଶିକ୍ଷକଙ୍କୁ ୬ଟି ନ୍ୟାସନାଲ ଇନକ୍ରିମେଣ୍ଟ ସହିତ ବରିଷ୍ଠତା ପ୍ରଦାନ ଭଳି ୫ ଦଫା ଦାବି ନେଇ ରାଜରାସ୍ତାକୁ ଓହ୍ଲାଇଛନ୍ତି ଶିକ୍ଷକ ।

ଓଡ଼ିଶା ସ୍କୁଲ୍ କଲେଜ୍ ଶିକ୍ଷକ ଓ କର୍ମଚାରୀ ସମନ୍ଵୟ ସମିତି ପକ୍ଷରୁ ଭୁବନେଶ୍ବର ଗାନ୍ଧୀ ମାର୍ଗରେ ଚାଲିଥିବା ଏହି ଆନ୍ଦୋଳନରେ ଓଷ୍ଟା, ନିଖିଳ ନିମ୍ନ ମାଧ୍ୟମିକ ଶିକ୍ଷକ ସଂଘ, ନିଖିଳ ଉତ୍କଳ ସଂସ୍କୃତ ମହାସଂଘ, ନିଖିଳ ଉତ୍କଳ ମାଦ୍ରାସା ଶିକ୍ଷକ ସଂଘ, ଅବସରପ୍ରାପ୍ତ ଶିକ୍ଷକ କର୍ମଚାରୀ ସଂଘ, ୬୬୨ ଓ ୪୮୮ ବର୍ଗ କେଲଜ କର୍ମଚାରୀ ସଂଘ, ଅଣଅନୁଦାନ ପ୍ରାପ୍ତ ଶିକ୍ଷକ ସଂଘ, ନୂତନ ଅନୁଦାନ ପ୍ରାପ୍ତ ଶିକ୍ଷକ ସଂଘ ଓ ଅବସର ପ୍ରାପ୍ତ ସଂଘ ସାମିଲ ହୋଇଛନ୍ତି । ସେପଟେ ଆଗାମୀ ଦିନରେ ରାଜ୍ୟ ସରକାର ୪୪ ହଜାର ୪୩୩ ଶିକ୍ଷକ ନିଯୁକ୍ତି ଦେବାକୁ ଯାଉଛନ୍ତି । ସେହିପରି ପ୍ରତିବର୍ଷ ୧୫ ହଜାର ଶିକ୍ଷକ ନିଯୁକ୍ତି କରିବା ପାଇଁ ବି ନିଷ୍ପତ୍ତି ନେଇଛନ୍ତି । ଏହାଦ୍ବାର ଶିକ୍ଷକ ଅଭାବର ସମାଧାନ ହେବ ବୋଲି କହିଛନ୍ତି ମନ୍ତ୍ରୀ ।

ଗତ ମାସ ଅଗଷ୍ଟ ୧୬ ତାରିଖରେ ହଜାର ହଜାର ଶିକ୍ଷକ ଓ ଶିକ୍ଷୟତ୍ରୀ ଗାନ୍ଧୀମାର୍ଗରେ ମହାସାମବେଶରେ ଏକାଠି ହୋଇଥିଲେ । ସରାକରୀ ଦଳର ଦୁଇ ବିଧାୟକ ୫ ଦଫା ଦାବି ପତ୍ରକୁ ଗ୍ରହଣ କରି ବିଚାର କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ହେଲେ ଏବେ ପୁଣି ଥରେ ଗାନ୍ଧୀମାର୍ଗରେ ଗୁର ।