spot_img
Home Blog Page 4134

କଂଗ୍ରେସ ନେତାଙ୍କ ସାର୍ଟ୍ ଚିରିଲେ ରାହୁଲ, କ’ଣ ପାଇଁ ବିଜେପି ଏମିତି ଅଭିଯୋଗ କରୁଛି ?

ନୂଆଦିଲ୍ଲୀ: ଦରଦାମ ବୃଦ୍ଧିକୁ ନେଇ କେନ୍ଦ୍ର ସରକାରଙ୍କ ବିରୋଧରେ ଶୁକ୍ରବାର କଂଗ୍ରେସ ପକ୍ଷରୁ ସାରା ଦେଶରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । କଂଗ୍ରେସ ନେତା ଓ କର୍ମୀମାନେ କଳା ଡ୍ରେସ୍ ପିନ୍ଧି ରାଜରାସ୍ତାରେ ବିକ୍ଷୋଭ କରିଥିଲେ ।  ଦିଲ୍ଲୀରେ ଜୋରଦାର ବିରୋଧ ପ୍ରଦର୍ଶନ କରାଯାଇଥିଲା । ଦିଲ୍ଲୀ କଂଗ୍ରେସ ମୁଖ୍ୟାଳୟରୁ ରାହୁଲ ଗାନ୍ଧିଙ୍କ ନେତୃତ୍ୱରେ ପ୍ରଦର୍ଶନ ଆରମ୍ଭ ହୋଇଥିଲା । ପ୍ରିୟଙ୍କା ଗାନ୍ଧି ମଧ୍ୟ ବିକ୍ଷୋଭର ନେତୃତ୍ୱ ନେଇଥିଲେ । ଦିଲ୍ଲୀ ରାଜ ରାସ୍ତାରେ ପୋଲିସ ଓ କଂଗ୍ରେସ ମଧ୍ୟରେ ମୁହାଁମୁହିଁ ସ୍ଥିତି ଦେଖିବାକୁ ମିଳିଥିଲା ।

ଏହାପରେ ପୋଲିସ ରାହୁଲ ଓ ପ୍ରିୟଙ୍କାଙ୍କ ସମେତ ଅନେକ କଂଗ୍ରେସ ନେତାଙ୍କୁ ଉଠାଇ ନେଇଯାଇଥିଲା । ରାହୁଲ ମଧ୍ୟ କହିଥିଲେ ଯେ, ଦଳର କିଛି ସାଂସଦଙ୍କୁ ପୋଲିସ ମାରପିଟ କରିଛି । ଅନ୍ୟପକ୍ଷରେ ବିଜେପି ମଧ୍ୟ କଂଗ୍ରେସ ଉପରେ ପାଲଟା ଆକ୍ରମଣ କରିଛି । ରାହୁଲ ଓ ପ୍ରିୟଙ୍କାଙ୍କ ଉପରେ ତମାସା ରାଜନୀତି କରୁଥିବାର ଅଭିଯୋଗ କରିଛି ବିଜେପି । ବିଜେପି ଆଇଟି ସେଲର ପ୍ରଭାରୀ ଅମିତ ମାଲଭିୟ ଏକ ଫଟୋ ଟ୍ୱିଟ କରିଛନ୍ତି, ଯେଉଁଥିରେ କଂଗ୍ରେସ ନେତା ଦୀପେନ୍ଦ୍ର ହୁଡ୍ଡା ଏବଂ ରାହୁଲ ଗାନ୍ଧି ପୋଲିସକର୍ମୀଙ୍କ ସହ ସଂଘର୍ଷ କରୁଥିବାର ନଜର ଆସୁଛନ୍ତି ।

 ଅମିତ ମାଲଭିୟ ଫଟୋ ପୋଷ୍ଟ କରି ଲେଖିଛନ୍ତି, ରାହୁଲ ଗାନ୍ଧି ନିଜ ସହଯୋଗୀ ଦୀପେନ୍ଦ୍ର ହୁଡ୍ଡାଙ୍କ ସାର୍ଟ ଫାଡି ଦେଇଛନ୍ତି, ଯାହାଦ୍ୱାରା ବିକ୍ଷୋଭର ଭଲ ଫଟୋ ଆସିପାରିବ ଏବଂ ଦିଲ୍ଲୀ ପୋଲିସକୁ ଏଥିପାଇଁ ଦାୟୀ କରାଯିବ । ଏହା ପୂର୍ବରୁ ମାଲଭିୟ ଏକ ପ୍ରିୟଙ୍କା ଗାନ୍ଧିଙ୍କ ଏକ ଫଟୋ ଟ୍ୱିଟ କରି ତାଙ୍କୁ ଟାର୍ଗେଟ କରିଥିଲେ । କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ବିକ୍ଷୋଭ ସମୟରେ ପୋଲିସକର୍ମଚାରୀଙ୍କ ହାତ ମୋଡି ଦେଇଥିଲେ ଏବଂ ସେମାନଙ୍କୁ ଗୋଇଠା ମଧ୍ୟ ମାରିଥିବା କଥା ଟ୍ୱିଟ କରି କହିଥିଲେ ମାଲଭିୟ ।

ସରିଲା ଉପରାଷ୍ଟ୍ରପତି ନିର୍ବାଚନ: ବିଜୟ ଦ୍ୱାରରେ ଏନଡିଏ ପ୍ରାର୍ଥୀ ଜଗଦୀପ

ନୂଆଦିଲ୍ଲୀ: ସରିଲା ଉପରାଷ୍ଟ୍ରପତି ନିର୍ବାଚନ । ଦୁଇ ପ୍ରାର୍ଥୀଙ୍କ ଭାଗ୍ୟ ହୋଇଛି ସିଲ୍ । ଆଉ କିଛି ସମୟ ପରେ ଭୋଟ ଗଣତି ହେବ । ଉପରାଷ୍ଟ୍ରପତି ପଦ ପାଇଁ ଏନଡିଏରୁ ଜଗଦୀପ ଧନଖଡ଼ ପ୍ରାର୍ଥୀ ହୋଇଥିବା ବେଳେ ମାର୍ଗାରେଟ୍ ଆଲଭା ବିରୋଧୀ ଦଳ ପକ୍ଷରୁ ପ୍ରାର୍ଥୀ ହୋଇଛନ୍ତି । ତେବେ ଏନଡିଏ ପ୍ରାର୍ଥୀ ଜଗଦୀପ ଧନଖଡ଼ ଏକ ପ୍ରକାର ନିର୍ବାଚନ ଜିତିବା ନେଇ ସ୍ପଷ୍ଟ ହୋଇ ସାରିଛି । କାରଣ ଏକାକି ବିଜେପି ପାଖରେ ବହୁମତ ଠୁ ଅଧିକ ଭୋଟ ରହିଛି । ଆଜି ହିଁ ଭୋଟ ଗଣତି ହେବା ସହ ବିଜୟୀ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯିବ । ଆସନ୍ତା ୧୦ ତାରିଖରେ ବର୍ତ୍ତମାନ ଉପରାଷ୍ଟ୍ରପତି ଥିବା ଭେଙ୍କୟା ନାଇଡୁଙ୍କ କାର୍ଯ୍ୟାକାଳ ଶେଷ ହେବାକୁ ଯାଉଛି । ୧୦ ତାରିଖରେ ହିଁ ନବ ନିର୍ବାଚିତ ଉପରାଷ୍ଟ୍ରପତିଙ୍କୁ ଦାୟିତ୍ୱ ହସ୍ତାନ୍ତର କରିବେ ଶ୍ରୀ ନାଇଡୁ ।

ସୂଚନା ଥାଉଖି ଉପରାଷ୍ଟ୍ରପତି ନିର୍ବାଚନରେ ରାଜ୍ୟସଭା ସାଂସଦ ଓ ଲୋକସଭା ସାଂସଦମାନେ ଭୋଟ୍ ଦେଇଥାନ୍ତି । ୫୪୩ ଆସନ ବିଶିଷ୍ଟ ଲୋକସଭାରେ ଏନଡିଏ ସଦସ୍ୟ ସଂଖ୍ୟା ୩୪୯ ହୋଇଥିବାବେଳେ ଲୋକସଭାରେ ୟୁପିଏ ସଦସ୍ୟ ସଂଖ୍ୟା ମାତ୍ର ୯୧ ରହିଛି । ୨୩୭ ଆସନ ବିଶିଷ୍ଟ ରାଜ୍ୟସଭାରେ ଏନଡିଏ ସଦସ୍ୟ ସଂଖ୍ୟା ୧୧୩ ହୋଇଥିବାବେଳେ ୟୁପିଏ ସଦସ୍ୟ ସଂଖ୍ୟା ରହିଛି ୫୦ । ୨୦୧୯ରୁ ୨୦୨୨ ପଶ୍ଚିମବଙ୍ଗର ରାଜ୍ୟପାଳ ଥିବା ଧନଖଡ଼ ଅତୀତରେ ସାଂସଦ ଓ ବିଧାୟକ ଥିଲେ ।

ସେପଟେ ବିରୋଧୀ ଦଳ ପ୍ରାର୍ଥୀ ଅତୀତରେ କର୍ଣ୍ଣାଟକରୁ ରାଜ୍ୟସଭା ସାଂସଦ ଥିବାବେଳେ କେନ୍ଦ୍ରମନ୍ତ୍ରୀ ଥିଲେ । ସେ ମଧ୍ୟ ରାଜସ୍ଥାନ, ଉତ୍ତରାଖଣ୍ଡ, ଗୁଜରାଟ ଓ ଗୋଆର ରାଜ୍ୟପାଳ ଥିଲେ । ଗଣିତ କହୁଛି ଏନଡିଏ ପ୍ରାର୍ଥୀ ଧନଖଡ଼ ବହୁ ଭୋଟରେ ବିଜୟ ଲାଭ କରିବେ । ଜିତିବା ଲାଗି ୩୭୨ ଭୋଟ ଆବଶ୍ୟକ ଥିବାବେଳେ ସେ ୫୨୭ ଭୋଟ ପାଇବା ନେଇ ଆଶାର ରଖାଯାଇଛି ।

ଯଦି ସେ ଏହି ସଂଖ୍ୟକ ଭୋଟ ପାଆନ୍ତି ତେବେ ବର୍ତ୍ତମାନର ଉପରାଷ୍ଟ୍ରପତି ଭେଙ୍କୟାନାଇଡୁଙ୍କୁ ଠାରୁ ୨ ପ୍ରତିଶତ ଅଧିକ ଭୋଟ ପାଇବେ । ବର୍ତ୍ତମାନର ଆକଳନ ଅନୁସାରେ ଇଲେକ୍ଟ୍ରୋରାଲ କଲେଜର ସଦସ୍ୟ ସଂଖ୍ୟା ରହିଛି ୭୮୦ । ରାଜ୍ୟସଭାରେ ଖାଲି ପଡିଛି ୮ ଆସନ । ତୃଣମୂଳ କଂଗ୍ରେସର ୩୬ ଜଣ ସାଂସଦ ଭୋଟଦାନରୁ ବିରତ ରହିଛନ୍ତି ।

ଏନଡିଏରେ ନଥାଇ ସୁଦ୍ଧା ଧନଖଡଙ୍କୁ ସମର୍ଥନ କରୁଛନ୍ତି ବିଜେଡି, ଓ୍ବାଇଏସଆର କଂଗ୍ରେସ, ବହୁଜନ ସମାଜ ପାର୍ଟି, ତେଲଗୁ ଦେଶମ ପାର୍ଟି, ଅକାଳି ଦଳ ଓ ଏକନାଥ ସିନ୍ଦେ ନେତୃତ୍ବାଧୀନ ଶିବସେନାର ବିଭାଜିତ ଗୋଷ୍ଠୀ । ଏସମସ୍ତ ଦଳର ସାଂସଦଙ୍କ ସଂଖ୍ୟା ରହିଛି ୮୧ । ବିରୋଧୀ ଦଳ ପ୍ରାର୍ଥୀ ଆଲଭା ପ୍ରାୟ ୨୦୦ ଭୋଟ ପାଇବା ଆକଳନ କରାଯାଉଛି । ତାଙ୍କୁ ସମର୍ଥନ କରୁଛନ୍ତି କଂଗ୍ରେସ, ଡିଏମକେ, ଆରଜେଡି, ଏନସିପି, ସମାଜବାଦୀ ପାର୍ଟି ଓ ବାମପନ୍ଥୀ ଦଳ । ଏହା ସହ ଟିଆରଏସ, ଜେଏମଏମ, ଆପ୍, ଶିବସେନା ମଧ୍ୟ ଆଲଭାଙ୍କୁ ସମର୍ଥନ କରୁଛନ୍ତି ।

ରାଜ୍ୟଗୋଷ୍ଠୀ କ୍ରୀଡା: ୪X୧୦୦ ରିଲେ ଫାଇନାଲକୁ ଉଠିଲା ଭାରତୀୟ ମହିଳା ଦଳ

ବର୍ମିଂହାମ: ଭାରତୀୟ ମହିଳା ରିଲେ ଦଳର ଫାଇନାଲ ଯୋଗ୍ୟତା ଅର୍ଜନ । ଦୁଇ ଓଡିଆ ଧାବିକା ଶ୍ରାବଣୀ ନନ୍ଦ ଓ ଦୂତୀ ଚାନ୍ଦ ଦୌଡ଼ୁଥିଲେ । ୪୪.୪୫ସେକେଣ୍ଡରେ ଦୂରତା ଅତିକ୍ରମ କରିଛି ଭାରତୀୟ ମହିଳା ଦଳ । ଭାରତୀୟ ମହିଳା ରିଲେ ଦଳର ଫାଇନାଲ ଯୋଗ୍ୟତା ଅର୍ଜନ କରିଛି । ଦୁଇ ଓଡ଼ିଆ ଧାବିକାଙ୍କ ବ୍ୟତୀତ ହିମା ଦାସ ଓ ଜ୍ୟୋତି ୟାରଜି ରିଲେ ଦଳରେ ସାମିଲ ଥିଲେ ।

ଜାମାଇକା ରିଲେ ଦଳ ୪୩.୬୬ ସେକେଣ୍ଡରେ ଦୂରତା ଅତିକ୍ରମ କରି ପ୍ରଥମରେ ରହିଥିଲା ଏବଂ ଭାରତ ଦ୍ୱିତୀୟ ସ୍ଥାନରେ ରହିଥିଲା । ଫାଇନାଲରେ ଭାରତ ପଦକ ଜିତିବା ନେଇ ଆଶା କରାଯାଉଛି । ପୂର୍ବରୁ ଓଡିଆ ଧାବିକା ଦୂତି ଚାନ୍ଦ ୧୦୦ ଦୌଡ଼ରେ ଚତୁର୍ଥରେ ରହି ପ୍ରଥମ ରାଉଣ୍ଡରୁ ବିଦା ହୋଇଥିଲେ । ହେଲେ ଏବେ ମହିଳା ଦଳରେ ସାମିଲ ଦୂତି ଫାଇନାଲକୁ ଉତ୍ତୀର୍ଣ୍ଣ ହେବା ସହ ପଦକ ଆଶା ଉଜ୍ଜୀବିତ କରିଛନ୍ତି ।

ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ: ସ୍ୱାଧୀନତାର ଅମୃତ ମହୋତ୍ସବ ବୈଠକରେ ଯୋଗଦେବେ

ନୂଆଦିଲ୍ଲୀ: ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଷ୍ଟ୍ରପତି ଭବନରେ ଅନୁଷ୍ଠିତ ହେଉଥିବା ସ୍ୱାଧୀନତାର ଅମୃତ ମହୋତ୍ସବ ଜାତୀୟ କମିଟି ବୈଠକରେ ମୁଖ୍ୟମନ୍ତ୍ରୀ ଯୋଗ ଦେବେ । ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‍ ଶାହାଙ୍କ ସମେତ ବିଭିନ୍ନ ରାଜ୍ୟର ରାଜ୍ୟପାଳ, ମୁଖ୍ୟମନ୍ତ୍ରୀମାନେ ସାମିଲ ହେବେ । ସେହିପରି ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ନୀତି ଆୟୋଗ ବୈଠକ ବସିବାକୁ ଯାଉଛି ।

ମୁଖ୍ୟମନ୍ତ୍ରୀ ଏହି ବୈଠକରେ ଯୋଗ ଦେବା ସହ ରାଜ୍ୟ ସ୍ବାର୍ଥ ସମ୍ବଳିତ ଏକାଧିକ ପ୍ରସଙ୍ଗ ଉପସ୍ଥାପନା କରିବେ । ବୈଠକରେ ଫୋକସ୍ ଷ୍ଟେଟ୍ ମାନ୍ୟତା ଉଠାଇବେ ମୁଖ୍ୟମନ୍ତ୍ରୀ । ସେହିପରି କୋଇଲା ରୟାଲଟି, ଦୁର୍ଗମ ଅଞ୍ଚଳରେ ମୋବାଇଲ ଟାଓ୍ୱାର ସ୍ଥାପନ ଓ ଗ୍ରାମାଞ୍ଚଳରେ ବ୍ୟାଙ୍କ ଶାଖା ଖୋଲିବା ଦାବି କରିବେ ମୁଖ୍ୟମନ୍ତ୍ରୀ । ଆସନ୍ତା ୮ ତାରିଖରେ ଓଡ଼ିଶା ଫେରିବେ ମୁଖ୍ୟମନ୍ତ୍ରୀ ।

ଦିଲ୍ଲୀ ଉପରାଜ୍ୟପାଳଙ୍କ କାର୍ଯ୍ୟାନୁଷ୍ଠାନ, ଅବକାରୀ କମିଶନରଙ୍କ ସମେତ ୧୧ ଅଧିକାରୀ ନିଲମ୍ବିତ

ନୂଆଦିଲ୍ଲୀ: ଦିଲ୍ଲୀରେ ଅବକାରୀ ନୀତିକୁ ନେଇ କେଜରିୱାଲ ସରକାର ଏବଂ ଉପରାଜ୍ୟପାଳ ବିକେ ସକ୍ସେନାଙ୍କ ମଧ୍ୟରେ ବାଦ ବିବାଦ ଜାରି ରହିଛି । ଏହାରି ମଧ୍ୟରେ ଦିଲ୍ଲୀ ଉପରାଜ୍ୟପାଳ ବିକେ ସକ୍ସେନା ନୂଆ ଅବକାରୀ ନୀତିକୁ ନେଇ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଭିଜିଲାନ୍ସ ରିପୋର୍ଟ ଆସିବା ପରେ ସେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଭିଜିଲାନ୍ସ ରିପୋର୍ଟରେ ଅବକାରୀ ନୀତିରେ ଦୁର୍ନୀତି ହୋଇଥିବା କଥା ସାମ୍ନାକୁ ଆସିଥିଲା । ଦୁର୍ନୀତି ଅଭିଯୋଗରେ ଅବକାରୀ କମିଶନର ଆରବ ଗୋପି କୃଷ୍ଣା, ତତ୍କାଳୀନ ଅବକାରୀ କମିଶନର ଦାନିକ୍ସ ଆନନ୍ଦ କୁମାର ତିୱାରୀଙ୍କ ସମେତ ୧୧ ଅଧିକାରୀଙ୍କୁ ନିଲମ୍ବିତ କରାଯାଇଛି ।

ଅବକାରୀ ନୀତି ବନାଇବାରେ ଭୁଲ ଓ ଅବହେଳା ପାଇଁ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି  । ଉପରାଜ୍ୟପାଳ ଅଧିକାରୀଙ୍କ ବିରୋଧରେ ନିଲମ୍ବନ ଏବଂ ଅନୁଶାସନମୂଳକ କାର୍ଯ୍ୟାନୁଷ୍ଠାନ କରିବା ପାଇଁ ଭିଜିଲାନ୍ସକୁ ମଞ୍ଜୁରି ଦେଇଛନ୍ତି । ଏହା ପୂର୍ବରୁ ଉପମୁଖ୍ୟମନ୍ତ୍ରୀ ତଥା ଅବକାରୀ ମନ୍ତ୍ରୀ ମନିଷ ସିସୋଦିଆ ପ୍ରଥମ ଥର ସ୍ୱୀକାର କରିଥିଲେ ଯେ ଦିଲ୍ଲୀ ସରକାରଙ୍କୁ ନୂଆ ଅବକାରୀ ନୀତି ୨୦୨୧-୨୨ ଅନୁସାରେ ହଜାର ହଜାର କୋଟି ଟଙ୍କାର କ୍ଷତି ସହିବାକୁ ପଡ଼ିଛି ।

ଏଥିପାଇଁ ସେ ପୂର୍ବତନ ଉପରାଜ୍ୟପାଳଙ୍କ ଉପରେ ଆରୋପ ଲଗାଇଥିଲେ । ସିସୋଦିଆ କହିଥିଲେ, ଅନାଧିକୃତ ଅଞ୍ଚଳରେ ମଦ ଦୋକାନ ଖୋଲିବା ଉପରେ ନିଜ ଆଭିମୁଖ୍ୟ ଶେଷ ମୂହୁର୍ତ୍ତରେ ସେ ବଦଳାଇଥିଲେ । ଏତିସହିତ କହିଥିଲେ ଦିଲ୍ଲୀରେ ନୂଆ ଅବକାରୀ ପଲିସିକୁ ଅଟକାଇ ସରକାରଙ୍କୁ କ୍ଷତି ପହଞ୍ଚାଯାଇଛି । ମନିଷ ସିସୋଦିଆ ପ୍ରଶ୍ନ କରି କହିଛନ୍ତି, ଏଲଜି ଏହି ନିଷ୍ପତ୍ତି କାହା ଇସାରାରେ ନେଇଛନ୍ତି । ଏହି ମାମଲାର ବିବରଣ କେନ୍ଦ୍ରୀୟ ଯାଞ୍ଚ ବ୍ୟୁରୋ (ସିବିଆଇ)କୁ ପଠାଇ ଦିଆଯାଇଥିବା ସେ ସୂଚନା ଦେଇଛନ୍ତି ।

ଡଙ୍ଗାରେ ଫାଟିଲା ସିଲିଣ୍ଡର, ୪ ଜଣ ମୃତ, ଅନେକ ଆହତ

ପାଟନା: ଗଙ୍ଗା ନଦୀ ମଝିରେ ଡଙ୍ଗାରେ ବିସ୍ଫୋରଣ ଘଟି ୪ ଜଣଙ୍କ ମୃତ୍ୟୁ । ବିହାର ରାଜଧାନୀ ପାଟନାର ଗଙ୍ଗା ନଦୀରେ ଏହି ଅଘଟଣ ଶନିବାର ଘଟିଛି । ୪ ଜଣ ଏହି ବିସ୍ଫୋରଣରେ ମୃତ୍ୟୁବରଣ କରିଥିବା ବେଳେ ଅନ୍ୟମାନେ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ସୂଚନା ଅନୁଯାୟୀ ଡଙ୍ଗାରେ ପ୍ରାୟ ୨୦ ଜଣ ଯାତ୍ରା କରୁଥିଲେ । ଘଟଣାର ସୂଚନା ମିଳିବାପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଲୋକମାନଙ୍କୁ ଉଦ୍ଧାର କରିଛି ।

କୁହାଯାଉଛି, ଡଙ୍ଗାରେ ବେଆଇନ ଭାବେ ବାଲିକୁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ନିଆଯାଉଥିଲା । ତେବେ ବାଲି ପରିବହନ କାର୍ଯ୍ୟରେ ଲାଗିଥିବା ଲୋକଙ୍କ ପାଇଁ ଡଙ୍ଗାରେ ହିଁ ଖାଦ୍ୟ ପ୍ରସ୍ତୁତ କରାଯାଉଥିଲା । ଏହି ସମୟରେ ଗ୍ୟାସ୍ ଲିକ୍ କରି ସିଲିଣ୍ଡର ବ୍ଲାଷ୍ଟ ହୋଇଯାଇଥିଲା । ନଦୀ ମଝିରେ ନିଆଁ ସଂସ୍ପର୍ଶରେ ଆସି ୪ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଯାଇଛି । ଅନ୍ୟମାନଙ୍କୁ ପୋଲିସ ଉଦ୍ଧାର କରି ମେଡିକାଲ ପଠାଇଛି ।

ଶତ୍ରୁ ଘେରିଥିବାବେଳେ ତାଇୱାନ ସେନାକୁ ଶକ୍ତ ଧକ୍କା

ତାଇପେଇ: ତାଇୱାନ ସେନାକୁ ଶକ୍ତ ଧକ୍କା  । ଦେଶର ସୀମାକୁ ଶତ୍ରୁ ଘେରି ରହିଥିବାବେଳେ ଆସିଛି ଏକ ଦୁଃଖଦ ଖବର  । ତାଇୱାନ ପ୍ରତିରକ୍ଷା ଓ ରିସର୍ଚ୍ଚ ୱିଙ୍ଗର ଉପ-ପ୍ରମୁଖଙ୍କ ସନ୍ଦେହଜନକ ଅବସ୍ଥାରେ ମୃତଦେହ ମିଳିଛି  । ସେନା ଇନଷ୍ଟିଚ୍ୟୁଟର ଉପ-ପ୍ରମୁଖ ଓ ୟାଙ୍ଗ ଲି ହିଙ୍ଗଙ୍କ ମୃତଦେହ ଏକ ହୋଟେଲରୁ ମିଳିଛି  ।  ଲି ହିଙ୍ଗ ଦକ୍ଷିଣ କାଉଣ୍ଟିରେ ଏକ ବ୍ୟବସାୟିକ ଯାତ୍ରାରେ  ଥିଲେ  ।

ତାଇୱାନର ବିଭିନ୍ନ ମିସାଇଲ ଉତ୍ପାଦନ ପରିଯୋଜନାର ରକ୍ଷଣାବେକ୍ଷଣ ପାଇଁ ନ୍ୟାଶନାଲ ଚୁଙ୍ଗ ଶାନ ଇନଷ୍ଟିଚ୍ୟୁଟ ଅଫ ସାଇନ୍ସ ଆଣ୍ଡ ଟେକ୍ନୋଲୋଜିରେ ଲି ହିଙ୍ଗଙ୍କୁ ଦାୟିତ୍ବ ମିଳିଥିଲା  ।

ଚଳିତ ବର୍ଷ ତାଇୱାନ ସେନା ବାର୍ଷିକ ମିସାଇଲ କ୍ଷମତାକୁ ଦୁଇ ଗୁଣ ବୃଦ୍ଧି କରିବା କରିବା ପାଇଁ ପ୍ରୟାସ ଜାରି ରଖିଛି  । ଏହି ଦ୍ବୀପ ଦେଶ ଚୀନ ସେନାକୁ ଟକ୍କର ଦେବା ପାଇଁ ନିଜ ପ୍ରତିରକ୍ଷା କ୍ଷମତା ବଢାଇବା ପାଇଁ ଅଗ୍ରସର ହେଉଛି  । ଠିକ ଏହି ସମୟରେ ଲି ହିଙ୍ଗଙ୍କ ମୃତ୍ୟୁ ତାଇୱାନର ମନୋବଳ ଉପରେ ଶକ୍ତ ଧକ୍କା ଦେଇଛି  ।

ନିକଟରେ ବେଜିଂ ଚୀନର ତଥାକଥିତ ନୀତି ଆପଣାଇ ତାଇୱାନ ପ୍ରତି କଡା ଆଭିମୁଖ୍ୟ ପ୍ରଦର୍ଶନ କରୁଛି  । ଆମେରିକା ସଂସଦ ଅଧ୍ୟକ୍ଷ ନାନ୍ସୀ ପେଲୋସୀଙ୍କ ଗସ୍ତ ପରେ ତାଇୱାନକୁ ଚାରିପଟୁ ଘେରି ସମରାଭ୍ୟାସ ଜାରି ରଖିଛି  । ୨୫ ବର୍ଷ ମଧ୍ୟରେ ପ୍ରଥମ ଥର ଆମେରିକାର ସଂସଦ ଅଧ୍ୟକ୍ଷ ତାଇୱାନ ଗସ୍ତ କରିଛନ୍ତି  ।

ସେପଟେ ତାଇପେ ସେନା କହିଛି ଯେ ଚୀନ ପିଏଲଏର ପ୍ରାୟ ୬୮ ଲଢୁଆ ବିମାନ ଏବଂ ୧୩ଟି ଯୁଦ୍ଧ ଜାହାଜ ମଧ୍ୟ ରେଖାକୁ ଅତିକ୍ରମ କରିଛି ।

ପ୍ରବଳ ବର୍ଷାରେ ବୁଡିଲା ମୋ ବସ୍‌, ପହଁରିଲେ ଯାତ୍ରୀ

ଜଟଣୀ: ପ୍ରବଳ ବର୍ଷାରେ ବେହାଲ ରାଜ୍ୟ । ବର୍ଷା ଯୋଗୁଁ ରାଜଧାନୀ ସମେତ ବିଭିନ୍ନ ସ୍ଥାନରେ ଜଳବନ୍ଦୀ ସ୍ଥିତି । ଖୋର୍ଦ୍ଧା ଜଟଣୀ ଅଣ୍ଡରପାସରେ 5 ଫୁଟ ଉପରେ ପାଣି ପ୍ରବାହିତ ହେଉଛି । ଯାହା ଫଳରେ ପାଣିରେ ବୁଡ଼ିଯାଇଛି ମୋ ବସ୍ । ବସ୍‌ଟି ଜଟଣୀରୁ ଭୁବନେଶ୍ବର ଆସୁଥିଲା ।

ବସ୍ କର୍ମଚାରୀ ଓ ଅଳ୍ପ କିଛି ଯାତ୍ରୀ ପାଣିରେ ପହଁରି ପହଁରି ଯାଉଥିବାର ଦୃଶ୍ୟ ସୋସିଆଡ ମିଡିଆରେ ଏବେ ଭାଇରାଲ ହେଉଛି । ସାମାନ୍ୟ ବର୍ଷାରେ ଏହି ଅଣ୍ଡରପାସରେ ପାଣି ଭର୍ତ୍ତି ହୋଇଯାଏ । ଏବେ ପ୍ରବଳ ବର୍ଷା ଯୋଗୁଁ ଅଣ୍ଡରପାସରେ 5 ଫୁଟ ଉପରେ ପାଣି ପ୍ରବାହିତ ହେଉଛି ।

ଆଜିଠୁ ୧୦ ତାରିଖ ଯାଏଁ ରାଜ୍ୟରେ କିଛି ଜିଲ୍ଲାରେ ହୋଇପାରେ ପ୍ରବଳରୁ ଅତି ପ୍ରବଳ ବର୍ଷା । ୮ ଓ ୯ ତାରିଖ ମଧ୍ୟରେ କିଛି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ୟୁନିଟ୍ -୮ ଡିଏଭି ସ୍କୁଲ ସାମ୍ନା ରାସ୍ତାରେ କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ହଠାତ୍ ବର୍ଷା ଯୋଗୁ ପାଣି ଜମି ରହି ଯାତାୟତରେ ସମସ୍ୟା ଉପୁଜିଛି ।

ଏଲଏସିରେ ଏକାଠି ହେବେ ଭାରତ-ଆମେରିକା, ଚୀନକୁ ଚଖାଇବେ ପାନେ

ଡେରାଡୁନ: ଏଲଏସି (ବାସ୍ତବିକ ନିୟନ୍ତ୍ରଣ ରେଖା)ରେ ଚୀନର ଆକ୍ରମଣାତ୍ମକ ଗତିବିଧିକୁ ଅଟକାଇବ ଭାରତ  । ଆମେରିକା ସହ ହାତ ମିଶାଇ ଚୀନକୁ ଦେବ ପାନେ  । ଚୀନର ବିବାଦିତ ସୀମା ଠୁ ୧୦୦ କିଲୋମିଟରରୁ କମ ଦୂରତାରେ ଆମେରିକା ସହ ସମରାଭ୍ୟାସ କରିବ ଭାରତ  । ଅକ୍ଟୋବର ମଧ୍ୟଭାଗରୁ ଉତ୍ତରାଖଣ୍ଡର ଓଲିରେ ୧୦ ହଜାର ଫୁଟ ଉଚ୍ଚତାରେ ଆରମ୍ଭ ହେବ ସମରାଭ୍ୟାସ  । ଓଲି ଏଲଏସି ଠାରୁ ପ୍ରାୟ ୯୫ କିଲୋମିଟର ଦୂରତାରେ ରହିଛି  । ଯାହା ଏକ ଦୁର୍ଗମ ଅଞ୍ଚଳ ଭାବେ ଜଣାଶୁଣା  ।

ଚଳିତ ବର୍ଷ ଭାରତ ଗସ୍ତରେ ଆସିଥିବା ଆମେରିକା ସେନାର ପେସିଫିକ କମାଣ୍ଡିଂ ଜେନେରାଲ ବିବାଦିତ ସୀମା ନିକଟରେ ଚୀନ ସେନା ଏକତ୍ର ହେବା ଘଟଣାକୁ ବିପଦଜ୍ଜନକ କହିଥିଲା  । ଭାରତ ସହ ସମର ଅଭ୍ୟାସ ଏକ ସ୍ବତନ୍ତ୍ର ଓ ହିନ୍ଦ-ପ୍ରଶାନ୍ତ ମହାସାଗର ଦୃଷ୍ଟିକୋଣକୁ ମଜବୁତ କରିବା ପାଇଁ ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ତତ୍ତ୍ବ ବୋଲି କହିଥିଲା ଆମେରିକା  । ଦ୍ବିପାକ୍ଷିକ ସମ୍ପର୍କକୁ ଆହୁରି ମଜବୁତ କରିବା ଲକ୍ଷ୍ୟ ନେଇ ଚୀନ ସୀମାରେ  ଏହି ସୈନ୍ୟ ଅଭ୍ୟାସ ଆରମ୍ଭ କରିବେ ଭାରତ ଆମେରିକା  ।

ଏହି ସମରାଭ୍ୟାସ ଦୁଇ ଦେଶର ୧୮ତମ ସଂସ୍କରଣର ଏକ ଭାଗ ହେବ । ଗତ ଜୁନ ୨୦୨୦ ରେ ଗଲୱାନ ଘାଟିରେ ଭାରତ ଓ ଚୀନ ସେନାର ରକ୍ତାକ୍ତ ସଂଘର୍ଷ ପରେ ଦୁଇ ଦେଶ ମଧ୍ୟରେ ସ୍ଥିତି ଚିନ୍ତାଜନକ ରହିଛି  । ଏହି ସଂଘର୍ଷରେ ପ୍ରାୟ ୨୦ ଭାରତୀୟ ଯବାନ ଶହୀଦ ହୋଇଥିଲେ  । ସୀମାରେ ପେଙ୍ଗୋଙ୍ଗ ହ୍ରଦ ନିକଟରେ ଚୀନ ପୋଲ ନିର୍ମାଣ କରିବା ପରେ ପରିସ୍ଥିତି ଆହୁରି ଅଶାନ୍ତ ହୋଇ ପଡିଛି  ।

 

ମୃତ୍ୟୁ ତାଣ୍ଡବର ଦିନକୁ ମନେ ପକାଇଲେ ମୁଖ୍ୟମନ୍ତ୍ରୀ, ଶାନ୍ତି ପାଇଁ ପ୍ରାର୍ଥନା

ଭୁବନେଶ୍ବର: ଆଜି ହିରୋସିମା ଦିବସ । ଅଗଷ୍ଟ ୬, ୧୯୪୫ରେ ସାରା ବିଶ୍ବକୁ ଚମକାଇ ଦେଇଥିଲା ହିରୋସିମା ଆଟାକ୍ । ରକ୍ତପିପାସୁ ଆମେରିକାର ଆଣବିକ ବୋମାରେ ତରଳି ଗଲା ଜାପାନର ମେଗା ସିଟି । ଆଖି ପିଛୁଳାକେ ପାଉଁଶ ହୋଇଗଲେ ପ୍ରାୟ ଦେଢ଼ ଲକ୍ଷ ଲୋକ । ଆର୍ତ୍ତଚିତ୍କାର ଭିତରେ ଥରି ଉଠିଥିଲା ଜାପାନ ।

ଲିଟିଲ ବଏ ନାମକ ବୋମା ସମଗ୍ର ଜାପାନକୁ ଥରାଇ ଦେଇଥିଲା  । ଓଜନ ଥିଲା ୪ ହଜାର ୪୦୦ କେଜି । ଲମ୍ବା ଥିଲା ୧୦ ଫୁଟ । ଏତିକିରେ ଶାନ୍ତ ହୋଇ ନଥିଲା ଆମେରିକା । ଏହାର ୩ ଦିନ ପରେ ଜାପାନର ଅନ୍ୟତମ ସହର ନାଗାସାକିରେ ପକାଇଥିଲା ଆଉ ଏକ ବୋମା- ଫ୍ୟାଟ ମ୍ୟାନ । ଭୟଙ୍କର ଆକ୍ରମଣରେ ପୁଣି ଚାଲିଥିଲା ମୃତ୍ୟୁର ତାଣ୍ଡବ । ଆଖିପିଛୁଳାକେ ପାଉଁଶ ହୋଇଯାଇଥିଲେ ପ୍ରାୟ ୮୦ ହଜାର ଲୋକ । ସାରା ବିଶ୍ବବାସୀ ଏବେ ବି ଭୁଲିପାରୁନାହାନ୍ତି ସେହି ରକ୍ତକ୍ଷୟୀ ଦୁଇ ଦିବସର ଭୟଙ୍କର କାହାଣୀ ।

ଏହି ପରମାଣୁ ବିସ୍ଫୋରଣରେ ଧ୍ବସ୍ତବିଧ୍ବସ୍ତ ହୋଇଥିଲା ୨ ସହର । ପରମାଣୁ ବିସ୍ଫୋରଣରେ ପ୍ରାଣ ହରାଇଥିଲେ ଲକ୍ଷ ଲକ୍ଷ ଲୋକ । ସେ ଦୁଃଖଦ ସମୟକୁ ମନେ ପକାଇବା ସହ ମୃତକଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇବା ଏହି ଦିନର ଉଦ୍ଦେଶ୍ୟ । ଏହାପର ଠୁ ବିଶ୍ବରେ ପରମାଣୁ ବୋମା ବ୍ୟବହାର କରାଯାଇନି । ଆଜିର ଦିନକୁ ମନେ ପକାଇ ଟ୍ବିଟ୍ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।