spot_img
Home Blog Page 4159

ରାଜ୍ୟରେ ଦୁର୍ବଳ ହେଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ

ଭୁବନେଶ୍ୱର: ରାଜ୍ୟରେ ଦୁର୍ବଳ ହେଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। ଲଗାତାର ୩ ଦିନ ହେବ କମିଲା ବର୍ଷାର ପରିମାଣ । ମୌସୁମୀ ଜନିତ ନିମ୍ନ ଚାପ ରେଖା ସ୍ବାଭାବିକ ଅବସ୍ଥିତିଠାରୁ ଉତ୍ତରରେ ରହୁଛି। ଯାହାର ପ୍ରଭାବରେ ରାଜ୍ୟରେ ମୌସୁମୀ ଦୁର୍ବଳ ହୋଇଛି। ଏହାଦ୍ବାରା ଦୁଇ ଦିନ ହେବ ଦିନ ତାପମାତ୍ରାରେ ବୃଦ୍ଧି ହୋଇଛି ।

ତେବେ ଜଳୀୟବାଷ୍ପ ଉତ୍ତପ୍ତ ବାୟୁମଣ୍ଡଳ ସଂସ୍ପର୍ଶରେ ଆସିବାରୁ ବଜ୍ରପାତ ଆଶଙ୍କା ରହିଛି । କେତେକ ଅଞ୍ଚଳରେ ବିଜୁଳି ଘଡଘଡି ସହ ବର୍ଷା ନେଇ ସତର୍କତା ଜାରି କରିଛି ପାଣିପାଗ କେନ୍ଦ୍ର। ଏଥିପାଇଁ ଆଜି ୧୭ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି। ସେପଟେ ଜୁନ ୧ ତାରିଖରୁ ଆଜି ପର୍ଯ୍ୟନ୍ତ ସ୍ବାଭାବିକ ଠାରୁ ୩ ପ୍ରତିଶତ ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଛି ।

ସୂଚନା ଅନୁସାରେ ଗତ ୨୮ ତାରିଖରେ ୧ଦଶମିକ୧ ମିମି ବର୍ଷା ରେକର୍ଡ ହୋଇଛି । ଯାହାକି ସ୍ବାଭାବିକ ବର୍ଷା ତୁଳନାରେ 92% କମ । ୨୭ ଜୁଲାଇରେ ୩ଦଶମିକ ୧ ମିମି ବର୍ଷା ରେକର୍ଡ ହୋଇଛି ଯାହାକି ସ୍ବାଭାବିକଠାରୁ ୭୫ ପ୍ରତିଶତ କମ। ସେହିପରି ୨୬ ଜୁଲାଇରେ ୫ ଦଶମିକ ୫ ମିମି ବର୍ଷା ରେକର୍ଡ ହୋଇଛି ।

ରଙ୍ଗାରଙ୍ଗ ପରିବେଶରେ ବର୍ମିଂହାମରେ ଉଦଘାଟିତ ହୋଇଛି ରାଜ୍ୟଗୋଷ୍ଠୀ କ୍ରୀଡ଼ା

ଲଣ୍ଡନ: ରଙ୍ଗାରଙ୍ଗ ପରିବେଶରେ ଇଂଲଣ୍ଡର ବର୍ମିଂହାମରେ ଉଦଘାଟିତ ହୋଇଛି ରାଜ୍ୟଗୋଷ୍ଠୀ କ୍ରୀଡ଼ା। ଅଲିମ୍ପିକ ପରେ ବିଶ୍ବ କ୍ରୀଡ଼ାର ଅନ୍ୟତମ ପ୍ରମୁଖ ଇଭେଣ୍ଟ ହେଉଛି ରାଜ୍ୟଗୋଷ୍ଠୀ କ୍ରୀଡ଼ା। ଏଥିରେ ୭୨ଟି ଦେଶର କ୍ରୀଡ଼ାବିତ ଓ ଅଧିକାରୀମାନେ ଅଂଶଗ୍ରହଣ କରିଛନ୍ତି। ଏଥର ସ୍ବାସ୍ଥ୍ୟଗତ କାରଣ ପାଇଁ ଇଂଲଣ୍ଡ ରାଣୀ ଏଲିଜାବେଥ ଅଂଶଗ୍ରହଣ କରିନଥିଲେ।

ତେବେ ଯୁବରାଜ ଚାର୍ଲସ ଉପସ୍ଥିତ ରହି ଖେଳାଳିଙ୍କ ମନୋବଳ ବଢ଼ାଇଥିଲେ। ଉଦଘାଟନୀ ଉତ୍ସବରେ ଭାରତୀୟ ପୁରୁଷ ହକି ଦଳର ଅଧିନାୟକ ମନପ୍ରୀତ ସିଂହ ଓ ବ୍ୟାଡମିଣ୍ଟନ୍ ତାରକା ପିଭି ସିନ୍ଧୁ ତ୍ରିରଙ୍ଗା ଧରି ଭାରତୀୟ ଦଳର ନେତୃତ୍ବ ନେଇଥିଲେ। ୧୧ ଦିନିଆ ପ୍ରତିଯୋଗିତାରେ ୫୦୦୦ରୁ ଅଧିକ କ୍ରୀଡ଼ାବିତ ଅଂଶଗ୍ରହଣ କରିଛନ୍ତି  । ମେଗା ଇଭେଣ୍ଟରେ ଅଂଶଗ୍ରହଣ କରୁଛନ୍ତି ୨୧୫ଜଣିଆ ଭାରତୀୟ ଦଳ । ବିଭିନ୍ନ ଇଭେଣ୍ଟରେ ଆଜି ପଡ଼ିଆକୁ ଭାରତ।

ଲନ ବ୍ରାଉଲ୍ସ କ୍ରୀଡ଼ାରୁ ଭାରତୀୟ ଦଳ ଅଭିଯାନ ଆରମ୍ଭ କରିବ। ତେବେ ହକି ଓ କ୍ରିକେଟ ଉପରେ ରହିଛି ଭାରତୀୟଙ୍କ ନଜର। ଆଜି ସନ୍ଧ୍ୟା ୬ଟା ୩୦ରେ ଭାରତୀୟ ମହିଳା ହକି ଦଳ ପ୍ରଥମ ମ୍ୟାଚରେ ଘାନାକୁ ଭେଟିବ। ସେହିଭଳି ରାତି ୮ଟାରେ ମହିଳା କ୍ରିକେଟ ଦଳ ଅଷ୍ଟ୍ରେଲିଆ ବିପକ୍ଷରେ ଅଭିଯାନ ଆରମ୍ଭ କରିବ।  ଏହା ସହିତ ଆଜି ଭାରତ ଟେବୁଲ ଟେନିସ, ସୁଇମିଂ, ଟ୍ରାଇଥଲନ୍, ବକ୍ସିଂ, ସ୍କ୍ବାସ୍, ବ୍ୟାଡମିଟନ ଆଦି ଖେଳ ଖେଳିବ।

ଆଜିଠୁ ଭାରତ-ଓ୍ବେଷ୍ଟଇଣ୍ଡିଜ T-20, ସିରିଜ କବଜା କରିବା ଲକ୍ଷ୍ୟରେ ଟିମ୍ ଇଣ୍ଡିଆ

ନୂଆଦିଲ୍ଲୀ: ଆଜିଠୁ ଭାରତ-ଓ୍ବେଷ୍ଟଇଣ୍ଡିଜ T-20 ସିରିଜ। ଓ୍ବେଷ୍ଟଇଣ୍ଡିଜ ବିରୋଧରେ ୫ଟି T-20 ଖେଳିବ ମେନ ଇନ୍ ବ୍ଲୁ। ଭାରତୀୟ ସମୟ ରାତି ୮ଟାରୁ ଆରମ୍ଭ ହେବ ମ୍ୟାଚ୍। ଦିନିକିଆ ସିରିଜରୁ ବିଶ୍ରାମ ନେଇଥିବା ରୋହିତ ଶର୍ମା, ଋଷଭ  ପନ୍ତ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ରୋହିତ ଶର୍ମାଙ୍କ ଅଧିନାୟିକତ୍ବରେ ପଡ଼ିଆକୁ ଓହ୍ଲାଇବ ଟିମ୍ ଇଣ୍ଡିଆ।

ଦିନିକିଆ ସିରିଜରେ କ୍ଲିନ ସୁଇପ ପରେ ଭାରତୀୟ ଦଳର ମନୋବଳ ଦୃଢ ରହିଛି। ଆରମ୍ଭରୁ ଭଲ ପ୍ରଦର୍ଶନ ସହିତ ସିରିଜ କବଜା କରିବାକୁ ଉଦ୍ୟମ କରିବ ଭ୍ରମଣକାରୀ ଦଳ।  ସେପଟେ ଦିନିକିଆର ବଦଲା ନେବାକୁ ତୟାର ଘରୋଇ ଇଣ୍ଡିଜ। ତ୍ରୁଟିକୁ ସୁଧାରି ଭାରତକୁ ଟକ୍କର ଦେବାକୁ ଉଦ୍ୟମ କରିବ ଓ୍ବେଷ୍ଟଇଣ୍ଡିଜ୍।

‘ବିଶ୍ବ  ବ୍ୟାଘ୍ର ଦିବସ’ରେ ନନ୍ଦନକାନନରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ

ଭୁବନେଶ୍ୱର: ଆଜି ପାଳିତ ହେଉଛି ‘ବିଶ୍ବ  ବ୍ୟାଘ୍ର ଦିବସ’। ଜଙ୍ଗଲ ରାଜାର ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ରତିବର୍ଷ ଜୁଲାଇ ମାସ ୨୯ ତାରିଖକୁ ଏହି ଦିବସ ଭାବେ ପାଳନ କରାଯାଉଛି। ସାରା ବିଶ୍ବରେ ଦିନକୁ ଦିନ ବାଘଙ୍କ ସଂଖ୍ୟା ହ୍ରାସ ପାଉଛି। ବିଶ୍ବର ବାଘ ସଂଖ୍ୟାର ୭୦ ପ୍ରତିଶତ ଭାରତରେ ଅଛନ୍ତି।

ଶିକାରୀଙ୍କୁ ରୋକିବା ସହିତ ବାଘଙ୍କ ପାଇଁ ପ୍ରାକୃତିକ ଆବାସସ୍ଥଳୀକୁ ସୁରକ୍ଷିତ ରଖିବା ଏହି ଦିବସର ମୂଳ ଲକ୍ଷ୍ୟ। ଜୈବ ବିବିଧତାର ରକ୍ଷା ପାଇଁ ବାଘର ଉପସ୍ଥିତିର ଆବଶ୍ୟକତା ରହିଛି। ଏଣୁ ଜଙ୍ଗଲ କ୍ଷୟକୁ ରୋକାଯାଇ ବାଘଙ୍କ ବଂଶ କିଭଳି ବୃଦ୍ଧି କରାଯାଇପାରିବ ତାହା ଉପରେ ଆଲୋଚନା କରାଯାଉଛି।

Nandankanan Zoo Lion Shyama Dies

ତେବେ ବ୍ୟାଘ୍ର ଦିବସ ଅବସରରେ ନନ୍ଦନକାନନ ପ୍ରାଣୀଉଦ୍ୟାନରେ ଆୟୋଜିତ ହେଉଛି ସ୍ବତନ୍ତ୍ର କାର୍ଯ୍ୟକ୍ରମ। ନନ୍ଦନକାନନରେ ଏବେ ତିନି ପ୍ରଜାତିର ମୋଟ ୨୭ଟି ବାଘ ଅଛନ୍ତି ।

ଆଜିଠୁ ରାଜଧାନୀରେ ଗଡ଼ିବ ଇ-ବସ୍ 

ଭୁବନେଶ୍ୱର:  ମୋ ବସର ସଫଳତା ପରେ ଭୁବନେଶ୍ବରରେ ଆରମ୍ଭ ହେବ ଇ-ବସ୍ ସେବା । ପ୍ରାଥମିକ ପର୍ଯ୍ୟାୟରେ ସହରରେ ୧୦ଟି ଇ-ବସ୍ ଚଳାଚଳ କରିବ। ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସେବାର ଶୁଭାରମ୍ଭ କରିବେ। ଇ-ବସ ସହିତ ଇ-ରିକ୍ସା ମଧ୍ୟ ଚଳାଚଳ କରିବ ବୋଲି ସୂଚନା ଦେଇଛି ମୋ ବସ ପରିଚାଳନା ସଂସ୍ଥା (କ୍ରୁଟ୍)।

ଗତ ୨ମାସ ତଳୁ ଭୁବନେଶ୍ବରରେ ଇ-ବସ୍ ପହଞ୍ଚି ସାରିଛି। ବସ ଚଳାଚଳ ପାଇଁ ସ୍ବତନ୍ତ୍ର କ୍ୟାପଟେନଙ୍କୁ ଚୟନ କରାଯାଇ ତାଲିମ ଦେବା ସହିତ ଏହାର ଟ୍ରାଏଲ ରନ୍ କରାଯାଇଛି। ବସରେ ବାଲିବସ୍ତା ରଖାଯାଇ ଟ୍ରାଏଲ କରାଯାଇଛି। ବସରେ ଯାତ୍ରୀଙ୍କ ସଂଖ୍ୟା ୩୦ରେ ସୀମିତ ରହିବ। ସବୁ ବସ ଶୀତତାପ ନିୟନ୍ତ୍ରିତ ରହିଛି।

ପଟିଆ ଓ ଭଗବାନପୁରରେ ସ୍ଥାପିତ ଅତ୍ୟାଧୁନିକ ବସ ଡିପୋରେ ବସ ଗୁଡ଼ିକ ରହିବ। ଏଠାରେ ସେଗୁଡ଼ିକୁ ଚାର୍ଜିଂ ବ୍ୟବସ୍ଥା କରାଯାଇଛି। ପ୍ରାଥମିକ ପର୍ଯ୍ୟାୟରେ ୧୦ଟି ବସ ଚାଲିବାକୁ ଥିବାବେଳେ ଖୁବଶୀଘ୍ର ଏହା ୫୦କୁ ବୃଦ୍ଧି ପାଇବ। ଏହାଦ୍ବାରା ଉଭୟ ଶବ୍ଦ ଓ ବାୟୁ ପ୍ରଦୂଷଣ ରୋକାଯାଇପାରିବ।

ତେବେ ଇ-ବସ ସେବା ସହିତ ଇ-ରାଇଡ ସେବା ମଧ୍ୟ ଆରମ୍ଭ ହେବ। ଯେଉଁଥିପାଇଁ  ୪୫ଟି ଇ-ରିକ୍ସା ଲୋକାପ୍ରଣ ହେବ। ଇ-ରିକ୍ସା ଜରିଆରେ ମୋ ବସ ଷ୍ଟାଣ୍ଡ ପର୍ଯ୍ୟନ୍ତ ସୁବିଧାରେ ଯାତାୟତ କରିପାରିବେ ଜନସାଧାରଣ।

ମିଗ୍-୨୧ ଦୁର୍ଘଟଣାଗ୍ରସ୍ତ, ଦୁଇ ପାଇଲଟ ସହିଦ

ବାରମେରା: ରାଜସ୍ଥାନର ବାରମେରରେ ବାୟୁସେନାର ବିମାନ ଦୁର୍ଘଟଣା । ଧ୍ବଂସ ହୋଇଗଲା ମିଗ୍-୨୧ ବିମାନ । ଦୁର୍ଘଟଣାରେ ଦୁଇ ପାଇଲଟ ସହିଦ ହୋଇଛନ୍ତି । ଦୁର୍ଘଟଣା ପରେ ଫାଇଟର ଜେଟଟି ସମ୍ପୂର୍ଣ୍ଣ ଜଳି ଯାଇଛି ।

ଦୁର୍ଘଟଣାସ୍ଥଳରେ ବାୟୁସେନା ଅଧିକାରୀମାନେ ପହଞ୍ଚିଛନ୍ତି । ଏପଟେ ଘଟଣା ବିଷୟରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କୁ ସୂଚନା ଦେଲେ ବାୟୁସେନା ମୁଖ୍ୟ  । ଟ୍ରେନିଂ ବେଳେ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି । ବାରମେର ବାୟୁସେନାର ବେସ୍‌ କ୍ୟାମ୍ପକୁ ଫେରୁଥିବା ବେଳେ ଦୁର୍ଘଟଣା ଘଟିଛି । ଦୁର୍ଘଟଣାର କାରଣ ସ୍ପଷ୍ଟ ହୋଇନାହିଁ ।

ମୋ ପୁଅ ଶୀଘ୍ର ମୋ ପାଖକୁ ଫେରିବ: ବାବୁସାନ

ଭୁବନେଶ୍ବର: ସାରା ଦିନର ଅପେକ୍ଷା ପରେ ଘରୁ ବାହାରିଲେ ବାବୁସାନ । ଘର ଆଗରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଦେଖି କଥା ହେଲେ । ଘରକୁ ଯାଇ ଖିଆପିଆ କରିବାକୁ ଅନୁରୋଧ କଲେ । ଏହାସହ ପୋଲିସକୁ ବୟାନ ଦେବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେବେ ବୋଲି କହିଲେ । ଏହାସହ ପୋଲିସ ଡାକିବା ଅନୁସାରେ ହାଜର ହେବେ ବୋଲି କହିଲେ ।

ଏହି ସମୟରେ ବାବୁସାନ ଏକ ବଡ଼ ବୟାନ ଦେଇଛନ୍ତି । ମୋ ପୁଅ ମୋ କୋଳକୁ ଶୀଘ୍ର ଫେରିବ ବୋଲି ସେ କହିଛନ୍ତି । ସେ ସୁସ୍ଥ ଥିବା ଓ ବାପା ଉତ୍ତମ ମହାନ୍ତିଭ୍କ ଦେହ ଭଲ ଥିବା କହିଛନ୍ତି । ଏହାସହ ସେ ଚାପରେ ନଥିବା ଗଣମାଧ୍ୟମ ପ୍ରତିନିଧିଙ୍କୁ ଜଣାଇଛନ୍ତି ।

ଓଡ଼ିଶା ସରକାରଙ୍କୁ ନୀତି ଆୟୋଗର ପ୍ରଶଂସା

ଭୁବନେଶ୍ବର: ଦିନିକିଆ ଓଡ଼ିଶା ଗସ୍ତରେ ନୀତି ଆୟୋଗ ଉପାଧ୍ୟକ୍ଷ ସୁମନ ବେରୀ ଓ ସଦସ୍ୟ ଡ. ବିନୋଦ ପଲ । ଓଡ଼ିଶା ସରକାରଙ୍କ ବିଭିନ୍ନ ଉନ୍ନୟନ ମୂଳକ ଯୋଜନାର କାର୍ଯ୍ୟକାରିତା ପରଖିଛନ୍ତି ନୀତି ଆୟୋଗ ଟିମ୍ । ଏହାସହ ଓଡ଼ିଶା ସରକାରଙ୍କୁ କରିଛନ୍ତି ପ୍ରଶଂସା ।

ମଞ୍ଚେଶ୍ବରରେ ଥିବା ବିଶ୍ବ ଦକ୍ଷତା କେନ୍ଦ୍ର ବୁଲି ଦେଖିବା ସହ ପିପିଲିରେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଦ୍ବାରା ପରିଚାଳିତ ଉଦ୍ୟୋଗ, ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର, ଫାଇଭ-ଟିରେ ହେଉଥିବା ବିଦ୍ୟାଳୟର ରୂପାନ୍ତରଣ ସହ ଅଙ୍ଗନଓ୍ବାଡି କେନ୍ଦ୍ର ବୁଲି ଦେଖିଥିଲେ । ଏହାପରେ ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର ଏବଂ ବରିଷ୍ଠ ବିଭାଗୀୟ ସଚବିଙ୍କ ସହ ରାଜ୍ୟ ସରକାରଙ୍କ ପକ୍ଷରୁ ନିଆଯାଉଥିବା ବିଭିନ୍ନ ଉନ୍ନୟନ ମୂଳକ କାମ ବାବଦରେ ଆଲୋଚନା କରିଥିଲେ । ରାଜ୍ୟ ସରକାରଙ୍କ ବିଭିନ୍ନ ଇନିସିଏଟିଭକୁ ନୀତି ଆୟୋଗ ପ୍ରଶଂସା କରିବା ସହ ଆଗକୁ ବିଭିନ୍ନ ଉନ୍ନୟନ କାମରେ ଆୟୋଗର ସହଯୋଗ ଜାରି ରହିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଏହି ଅବସରରେ ଉପାଧ୍ୟକ୍ଷ ସୁମନ ବେରୀ ଏବଂ ସଦସ୍ୟ ଡ. ପଲ ମୁଖ୍ୟମନ୍ତ୍ରୀଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ । ଆସନ୍ତା ନୀତି ଆୟୋଗ ପରିଷଦ ବୈଠକରେ ଯୋଗ ଦେବାକୁ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କରିଛନ୍ତି । ଅଗଷ୍ଟ ୭ ତାରିଖରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ନୀତି ଆୟୋଗର ସପ୍ତମ ପରିଷଦ ବୈଠକ ଦିଲ୍ଲୀରେ ଅନୁଷ୍ଠିତ ହେବ ।

୧୭ ବର୍ଷରୁ ଭୋଟର କାର୍ଡରେ ହେବ ନାଁ ପଞ୍ଜିକରଣ

ନୂଆଦିଲ୍ଲୀ: ଏଣିକି ୧୭ ବର୍ଷରୁ ଭୋଟର କାର୍ଡରେ ନିଜର ନାମ ପଞ୍ଜିକରଣ କରିପାରିବେ ଯୁବକ ଓ ଯୁବତୀ । ହେଲେ ୧୮ ବର୍ଷରୁ ଭୋଟ୍‌ ଦେବେ  । ୧୭ରୁ ଅଧିକ ବର୍ଷର ବ୍ୟକ୍ତିଙ୍କ ପାଇଁ ଏଭଳି ଘୋଷଣା କରିଛନ୍ତି ନିର୍ବାଚନ କମିଶନ । ଏଥିସହ ଭୋଟର କାର୍ଡରେ ନାମ ପଞ୍ଜିକରଣ ପାଇଁ ଆବଶ୍ୟକୀୟ ମାନଦଣ୍ଡର ପୂରଣ ପାଇଁ ଆଉ ଅପେକ୍ଷା କରିବାକୁ ପଡିବ ନାହିଁ ।

ବର୍ଷକରେ ତିନିଥର ଭୋଟର କାର୍ଡ ପାଇଁ ଆବେଦନ କରିହେବ । ଏପ୍ରିଲ, ଜୁଲାଇ, ଅକ୍ଟୋବର ପହିଲାରେ ଆବେଦନ କରିପାରିବେ । ଏନେଇ ରାଜ୍ୟମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ନିର୍ବାଚନ କମିଶନ । ପୂର୍ବରୁ ୧୮ ବର୍ଷ ହେଲା ପରେ କେବଳ ଜାନୁଆରୀ ପହିଲାରେ ହିଁ ଆବେଦନ କରାଯାଉଥିଲା । ଏଥିସହ ଭୋଟର କାର୍ଡ ସହ ଆଧାର କାର୍ଡ ସଂଯୋଗ କରିବା ପାଇଁ ମଧ୍ୟ ପ୍ରସ୍ତୁତି ଆରମ୍ଭ ହୋଇଛି । ଅଗଷ୍ଟ ପହିଲାରୁ ଡିସେମ୍ବର ପର୍ଯ୍ୟନ୍ତ ଏକ ସ୍ବତନ୍ତ୍ର ଅଭିଯାନ ଜାରି ରହିବ ।

ଆରମ୍ଭ ହେଲା ଚେସ୍ ଅଲିମ୍ପିଆଡ

ଚେନ୍ନାଇ: ଆରମ୍ଭ ହେଲା ୪୪ତମ ଅନ୍ତର୍ଜାତୀୟ ଚେସ୍ ଅଲିମ୍ପିଆଡ୍‌ । ଚେନ୍ନାଇର ଜବାହରଲାଲ ନେହେରୁ ଷ୍ଟାଡିୟମରେ ଆୟୋଜିତ ଏହି ଇଭେଣ୍ଟକୁ ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଉଦଘାଟନୀ ସମାରୋହରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ କେ ଷ୍ଟାଲିନ ଉପସ୍ଥିତ ଥିଲେ । ସାଉଥ ସୁପରଷ୍ଟାର ରଜନୀକାନ୍ତ ମଧ୍ୟ ଉଦଘାଟନୀ ସମାରୋହରେ ସାମିଲ ହୋଇଥିଲେ ।

ଉଦଘାଟନୀ ଉତ୍ସବରେ ଓଡ଼ିଶା ସମେତ ବିଭିନ୍ନ ରାଜ୍ୟର ପ୍ରତିଯୋଗୀ ଭାଗ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ଟୁର୍ଣ୍ଣାମେଣ୍ଟରେ ୨ ଶହ ଦେଶର ପ୍ରାୟ ୨ ହଜାର ଖେଳାଳି ସାମିଲ ହେବେ । ଏହି ସ୍ପେଶାଲ ଇଭେଣ୍ଟ ପାଇଁ ଚେନ୍ନାଇରେ ବ୍ୟାପକ ପ୍ରସ୍ତୁତି କରାଯାଇଛି । ସହରର ଅନେକ ସ୍ଥାନକୁ ଚେସ୍‌ ଥିମରେ ସଜ୍ଜା ଯାଇଛି ।

ପ୍ରଧାନମନ୍ତ୍ରୀଙ୍କ ଗସ୍ତ ଯୋଗୁଁ ସୁରକ୍ଷା ଦୃଷ୍ଟିରୁ ଜୁଲାଇ ୨୮ ଓ ୨୯ ତାରିଖରେ ସହର ମଧ୍ୟରେ ଡ୍ରୋନ୍ ଉଡାଣ ଉପରେ ରୋକ ଲଗାଯାଇଛି । ଏହାସହ ବ୍ୟାପକ ପୋଲିସ ଫୋର୍ସ ମଧ୍ୟ ମୁତୟନ ହୋଇଛନ୍ତି । ଏହି ଅନ୍ତର୍ଜାତୀୟ ଚେସ୍ ଅଲିମ୍ପିଆଡ୍ ଅଗଷ୍ଟ ୧୦ ତାରିଖରେ ଉଦଯାପିତ ହେବ । ଚେସ୍ ଅଲିମ୍ପିଆଡ୍ ଋଷ୍‌ରେ ଅନୁଷ୍ଠିତ ହେବାର ଥିଲା । ମାତ୍ର ଋଷ-ୟୁକ୍ରେନ ଯୁଦ୍ଧ ଯୋଗୁଁ ଏହାକୁ ଭାରତ ସିଫ୍ଟ କରାଯାଇଛି ।