spot_img
Home Blog Page 4161

ହିମାଳୟ ଅଞ୍ଚଳରେ ଚୀନର ବେଆଇନ କାର୍ଯ୍ୟକଳାପ, ସତର୍କ କରାଇଲେ ଆମେରିକା କମାଣ୍ଡିଂ ଜେନେରାଲ

ଲଦାଖ: ଲଦାଖରେ ଡ୍ରାଗନର ଖେଳ । ଚାଲିଛି ବେଆଇନ କାର୍ଯ୍ୟକଳାପ । ଏନେଇ ସତର୍କ କରାଇଛନ୍ତି ଆମେରିକା ଆର୍ମି ପାସିଫିକର କମାଣ୍ଡିଂ ଜେନେରାଲ ଚାର୍ଲସ ଏ. ଫ୍ଲିନ । ସେ କହିଛନ୍ତି ଚୀନର ଏହି କାର୍ଯ୍ୟକଳାପ ଓ ଭିତ୍ତିଭୂମି ନିର୍ମାଣ ଅସ୍ଥିରତା ସୃଷ୍ଟି ଉଦ୍ଦେଶ୍ୟରେ କରାଯାଉଛି । ଏହା ସହ ଏହା ଦ୍ବିପାକ୍ଷିକ ସମ୍ପର୍କ ବି କ୍ଷୁଣ୍ଣ କରିପାରେ । ସେ କହିଛନ୍ତି ଚୀନ ପକ୍ଷରୁ ଓ୍ବେଷ୍ଟେର୍ଣ୍ଣ ଥିଏଟର କମାଣ୍ଡରେ କରାଯାଉଥିବା ଏହି ନିର୍ମାଣ କାର୍ଯ୍ୟ ପ୍ରତି ସତର୍କ ହେବାର ଆବଶ୍ୟକତା ରହିଛି । ଚୀନର ଏହି ପ୍ରକଳ୍ପ ଉଦ୍ଦେଶ୍ୟମୂଳକ ଓ ଗୋପନୀୟ ଭାବେ ଜାରି ରହିଛି । ଏହି ଅଞ୍ଚଳରେ ଅସ୍ଥିରତା ସୃଷ୍ଟି ଲାଗି ଚୀନର ଏହି ପଦକ୍ଷେପ ବୋଲି କହିଛନ୍ତି ଫ୍ଲିନ । ଚୀନର ଏହି ଛଳନା ବିରୋଧରେ ମିଳିତ ଭାବେ କାର୍ଯ୍ୟ କରିବାକୁ ଆହ୍ବାନ ଦେଇଛନ୍ତି ଜେନେରାଲ ଫ୍ଲିନ ।

ଆସନ୍ତା ଅକ୍ଟୋବରରେ ଭାରତ ଓ ଆମେରିକା ପକ୍ଷରୁ ମିଳିତ ଭାବେ ହିମାଳୟ ଅଞ୍ଚଳରେ ସମରାଭ୍ୟାସ କରାଯିବ । ପ୍ରାୟ ୧୦ ହଜାର ଫୁଟ ଉଚ୍ଚରେ ଏହି ସମରାଭ୍ୟାସ ଚାଲିବ । ଅତ୍ୟଧିକ ଉଚ୍ଚତାରେ ଯୁଦ୍ଧ କୌଶଳ ଲାଗି ପ୍ରସ୍ତୁତି ଏହି ସମରାଭ୍ୟାସର ଉଦ୍ଦେଶ୍ୟ । ଏହି ସମରାଭ୍ୟାସରେ ନୂଆ ପ୍ରଯୁକ୍ତି, ବାୟୁସେନାକୁ ସଶକ୍ତ କରିବା, ଆକାଶମାର୍ଗରେ ଯୁଦ୍ଧ କୌଶଳ, ଲଜିଷ୍ଟିକ୍ସ ଓ ସୂଚନା ଆଦାନପ୍ରଦାନ ଲାଗି କ୍ଷେତ୍ର ପ୍ରସ୍ତୁତ କରାଯିବ । ଗତ ଜାନୁଆରୀରେ ଲଦାଖ ଅନ୍ତର୍ଗତ ପଙ୍ଗୋଙ୍ଗ ହ୍ରଦ ନିକଟରେ ଚୀନ ଏକ ପୋଲ ନିର୍ମାଣ କରୁଥିବା ସୂଚନା ମିଳିଥିଲା । ଏହା ସହ ହିମାଳୟ ଅଞ୍ଚଳରେ ଚୀନ କେତେକ ଏୟାରଫିଲ୍ଡ ଓ ଭିତ୍ତିଭୂମି ନିର୍ମାଣ କରୁଥିବା ବି ସୂଚନା ମିଳିଛି ।

ଜୁନ୍ ଶେଷ ସପ୍ତାହରେ ବିଦେଶ ଗସ୍ତରେ ଯିବେ ନବୀନ, ରୋମରେ ଓ୍ବାର୍ଲଡ ଫୁଡ କାର୍ଯ୍ୟକ୍ରମରେ କରିବେ ସମ୍ବୋଧନ

ଭୁବନେଶ୍ୱର: ଜୁନ୍ ଶେଷ ସପ୍ତାହରେ ବିଦେଶ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରଥମେ ରୋମରେ ଅନୁଷ୍ଠିତ ହେବାକୁ ଥିବା ଓ୍ବାର୍ଲଡ ଫୁଡ୍ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ କାର୍ଯ୍ୟକ୍ରମ ରହିଛି । ପରେ ଭାଟିକାନ୍ ସିଟିରେ ପୋପଙ୍କୁ ସାକ୍ଷାତ କରିବାର ସମ୍ଭାବନା ରହିଛି । ଶେଷରେ ଦୁବାଇ ନିବେଶକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀଙ୍କ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଓ୍ବାର୍ଲଡ ଫୁଡ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ରାଜ୍ୟରେ କୃଷି, ଖାଦ୍ୟ ନିରାପତ୍ତା ଏବଂ ବିପର୍ଯ୍ୟୟ ପ୍ରଶମନର ରୂପାନ୍ତରଣ କ୍ଷେତ୍ରରେ ଓଡ଼ିଶାର ଉଦ୍ୟମ, ସାମର୍ଥ୍ୟ ଓ ସଫଳତା ଅନ୍ୟମାନଙ୍କ ପାଇଁ କିଭଳି ଅନୁକରଣୀୟ ହୋଇପାରିଛି, ସେନେଇ ନିଜ ଅନୁଭୂତି ଓ ଉପଲବ୍ଧି କହିବେ ।

ରୋମଠାରେ ଥିବା ପ୍ରବାସୀ ଓଡ଼ିଆ ସଂଘ ସହିତ ମୁଖ୍ୟମନ୍ତ୍ରୀ ଭାବବିନିମୟ କରିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି । ଏହା ସହ ମୁଖ୍ୟମନ୍ତ୍ରୀ ଭାଟିକାନ୍ ସିଟି ଯାଇ ପୋପଙ୍କୁ ସାକ୍ଷାତ କରିବାର ମଧ୍ୟ ସମ୍ଭାବନା ରହିଛି । ବିଦେଶ ଗସ୍ତର ଶେଷ ପର୍ଯ୍ୟାୟରେ ମୁଖ୍ୟମନ୍ତ୍ରୀ ଦୁବାଇରେ ପହଞ୍ଚିବେ । ସେଠାରେ ଅନୁଷ୍ଠିତ ହେବାକୁ ଥିବା ଏକ ନିବେଶକ ସମ୍ମିଳନୀକୁ ସମ୍ବୋଧିତ କରିବା ସହ ଦୁବାଇରେ ଅବସ୍ଥାନ କରୁଥିବା ଓଡ଼ିଆ ସଂଗଠନର ସଦସ୍ୟଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଥିବା ସୂଚନା ମିଳିଛି । ଦୀର୍ଘ ଏକ ଦଶନ୍ଧି ପରେ ମୁଖ୍ୟମନ୍ତ୍ରୀ ବିଦେଶ ଗସ୍ତରେ ଯିବେ । ଶେଷଥର ପାଇଁ ସେ ୨୦୧୨ରେ ବ୍ରିଟେନ ଗସ୍ତ କରିଥିଲେ ।

ଖରିଫ ଫସଲ ପାଇଁ ବଢ଼ିଲା ସର୍ବନିମ୍ନ ସହାୟକ ମୂଲ୍ୟ

ନୂଆଦିଲ୍ଲୀ: ଖରିଫ ଫସଲ ଲାଗି ବଢ଼ିଲା ସର୍ବନିମ୍ନ ସହାୟକ ମୂଲ୍ୟ ବା ଏସଏସପି । ଆଜି କେନ୍ଦ୍ର କ୍ୟାବିନେଟ ବୈଠକରେ ୧୭ଟି ଫସଲ ଲାଗି ଏମଏସପି ନେଇ ନୀତି ନିର୍ଦ୍ଧାରଣ କରିଛନ୍ତି କେନ୍ଦ୍ର ସରକାର । ୨୦୨୨-୨୩ ଲାଗି ଖରିଫ ଫସଲ ଲାଗି ବୃଦ୍ଧି ଲାଗୁ ହୋଇଛି । ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୦୪୦ ଟଙ୍କାକୁ ବୃଦ୍ଧି କରାଯାଇଛି । ପୂର୍ବରୁ ୧୯୪୦ଟଙ୍କା ଥିବାବେଳେ ଏବେ କ୍ୱିଣ୍ଟାଲ ପିଛା ୧୦୦ ଟଙ୍କା ବଢ଼ିଛି । ପୂର୍ବରୁ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୯୩୦ ଟଙ୍କା କରିବାକୁ ଓଡ଼ିଶା ବିଧାନସଭାରେ ସର୍ବସମ୍ମତ ପ୍ରସ୍ତାବ ପାରିତ ହୋଇଥିଲା । ଧାନ ସହ ମୁଗ, ହରଡ଼, ସୂର୍ଯ୍ୟମୁଖୀ ଆଦି ତୈଳବୀଜ ଲାଗି ମଧ୍ୟ ଏମଏସପି ବୃଦ୍ଧି ହୋଇଛି । ଧାନ ପରି ମୁଗ ଲାଗି ମଧ୍ୟ କୁଇଣ୍ଟାଲ ପିଛା ୪୮୦ ଟଙ୍କା ବୃଦ୍ଧି ହୋଇଥିବାବେଳେ ସୂର୍ଯ୍ୟମୁଖୀ ଲାଗି କୁଇଣ୍ଟାଲ ପିଛା ୩୮୫ ଟଙ୍କା ବଢ଼ାଯାଇଛି ।

ହାଇଟେକ୍ ହେଉଛି ହାଇସ୍କୁଲ, ରାଜ୍ୟର ୫ ଜିଲ୍ଲାର ୪୪୫ଟି ରୂପାନ୍ତରିତ ସ୍କୁଲର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ବଦଳୁଛି ସ୍କୁଲ, ହାଇଟେକ୍ ହେଉଛି ହାଇସ୍କୁଲ । ସ୍କୁଲ ରୂପାନ୍ତରଣର ଦ୍ୱିତୀୟ ପର୍ଯ୍ୟାୟର ପଞ୍ଚମ ଦିନରେ ୫ଟି ଜିଲ୍ଲାର ୪୪୫ଟି ରୂପାନ୍ତରିତ ସ୍କୁଲ ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପାଠ ହେଉ କି ଖେଳ ନିଜ କ୍ଷେତ୍ରରେ ଉତ୍କର୍ଷତା ହାସଲ ପାଇଁ ଚେଷ୍ଟା କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ସ୍କୁଲର ଆଧୁନିକ ସୁବିଧା ଯୋଗୁଁ ପାଠ ପଢ଼ିବା ସହଜ ହୋଇଛି । ଇଣ୍ଟରନେଟ ଜରିଆରେ ସବୁ ବିଷୟରେ ଜାଣିପାରୁଛନ୍ତି ଛାତ୍ରଛାତ୍ରୀ । ପଢ଼ିବାରେ ଆଗ୍ରହ ବଢ଼ିବା ସହ ଆତ୍ମବିଶ୍ବାସ ବୃଦ୍ଧି ପାଉଛି । ଆଧୁନିକ ସୁବିଧା ସହିତ ସ୍କୁଲକୁ ରାସ୍ତା, ମାଗଣା ବିଜୁଳି ଓ ଇଣ୍ଟରନେଟ୍ ସୁବିଧା ମିଳୁଛି ।

ମୁଖ୍ୟମନ୍ତ୍ରୀ ରୂପାନ୍ତରିତ ସ୍କୁଲକୁ ଲୋକାର୍ପିତ କରିବା ସହ ପିଲାଙ୍କ ସହ କଥା ହୋଇଛନ୍ତି । ମୁଖ୍ୟମନ୍ତ୍ରୀ ୫ଟି ଜିଲ୍ଲାର ମୋଟ୍ ୪୪୫ଟି ସ୍କୁଲକୁ ଲୋକାର୍ପିତ କରିଛନ୍ତି । ବାଲେଶ୍ୱରର ୧୩୫ଟି ସ୍କୁଲ, ପୁରୀର ୯୫ଟି, ନୟାଗଡ଼ର ୬୦ଟି, ଜଗତସିଂହପୁରର ୭୫ଟି ଓ ଭଦ୍ରକର ୮୦ଟି ହାଇସ୍କୁଲ ଲୋକାର୍ପିତ ହୋଇଛି । ଦ୍ୱିତୀୟ ପର୍ଯ୍ୟାୟରେ ମୋଟ୍ ୨୯୦୮ଟି ହାଇସ୍କୁଲର ରୂପାନ୍ତର ହୋଇଛି ।

ରୂପାନ୍ତରିତ ସ୍କୁଲକୁ ଲୋକାର୍ପିତ କରିବା ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ସ୍କୁଲ ଯେଉଁ ନୂଆ ରୂପ ନେଇଛି, ତାହା ପିଲାଙ୍କ ଭିତରେ ଆନନ୍ଦ ଓ ଉତ୍ସାହ ଭରିଦେଇଛି । ରୂପାନ୍ତର ସେମାନଙ୍କ ମାନସିକସ୍ତରରେ ପରିବର୍ତ୍ତନ ଆଣିଛି । ଆଗ ଅପେକ୍ଷା ଅଧିକ ଆତ୍ମବିଶ୍ବାସର ସହ ନୂଆ ଆଶା ଓ ସଂକଳ୍ପ ନେଇ ଆଗକୁ ବଢ଼ୁଛନ୍ତି ଛାତ୍ରଛାତ୍ରୀ । ରାଜ୍ୟର ଭବିଷ୍ୟତ ପାଇଁ ଏହା ଶୁଭ ସଂକେତ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ସ୍କୁଲ ସମୟ ଜୀବନର ଶ୍ରେଷ୍ଠ ସମୟ । ଏ ରୂପାନ୍ତର ପିଲାଙ୍କୁ ଶ୍ରେଷ୍ଠ କରି ଗଢ଼ି ତୋଳିବା ପାଇଁ ସୁଯୋଗ ସୃଷ୍ଟି କରିଛି । ପ୍ରତ୍ୟେକ ପିଲା ସ୍ୱତନ୍ତ୍ର, ତାଙ୍କ ଭିତରେ ଭରି ରହିଛି ବିପୁଳ ସମ୍ଭାବନା । ପିଲାଙ୍କ ଆଖିରେ ଥାଏ ସୁନ୍ଦର ଭବିଷ୍ୟତର ସ୍ୱପ୍ନ । ସ୍କୁଲ ରୂପାନ୍ତର ପିଲାଙ୍କ ଏ ସ୍ୱପ୍ନରେ ଡେଣା ଯୋଡ଼ିପାରିଛି । ତେଣୁ ଆତ୍ମବିଶ୍ୱାସର ସହ ଆଗକୁ ବଢ଼ିବାକୁ  ମୁଖ୍ୟମନ୍ତ୍ରୀ ପିଲାଙ୍କୁ ପରାମର୍ଶ ଦେଇଛନ୍ତି । ପିଲାମାନଙ୍କ ସ୍ୱପ୍ନ ସାକାର ହେଲେ, ନୂଆ ଓଡ଼ିଶାର ଲକ୍ଷ୍ୟ ପୂରଣ ହେବ ଓ ନୂଆ ଓଡ଼ିଶା ଗଠନର ଭିତ୍ତି ସ୍ଥାପିତ ହେବ । ଶିକ୍ଷା ହିଁ ଜୀବନରେ ସବୁଠାରୁ ବଡ଼ ରୂପାନ୍ତର ଆଣିଥାଏ । ଜୀବନର ଏ ଗୁରୁତ୍ୱପୂର୍ଣ୍ଣ ସମୟକୁ ଠିକ୍ ଭାବେ ଉପଯୋଗ କରି ନିଜ ପରିବାର ଓ ଓଡ଼ିଶା ପାଇଁ ନୂଆ ପରିଚୟ ସୃଷ୍ଟି କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଥିଲେ ।

 

 

ଦକ୍ଷିଣ ଆଫ୍ରିକା ସିରିଜରୁ ବାଦ୍ ପଡ଼ିଲେ ରାହୁଲ, ପନ୍ତ ଅଧିନାୟକ

ମୁମ୍ବାଇ: ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜ ପୂର୍ବରୁ ଭାରତୀୟ ଦଳକୁ ଲାଗିଛି ଏକ ବଡ଼ ଝଟକା । ଆହତ କାରଣରୁ ସଂପୂର୍ଣ୍ଣ ସିରିଜରୁ ବାଦ ପଡ଼ିଛନ୍ତି ଅଧିନାୟକ କେ.ଏଲ ରାହୁଲ ଓ ସ୍ପିନର କୁଲଦୀପ ଯାଦବ । ବିସିସିଆଇ ପକ୍ଷରୁ ଏହି ସୂଚନା ଦିଆଯାଇଛି । ତେଣୁ ଆଗାମୀ ୧୨ ତାରିଖରେ କଟକ ବାରବାଟୀ ଷ୍ଟାଡିୟମରେ ଖେଳାଯିବାକୁ ଥିବା ଭାରତ- ଦକ୍ଷିଣ ଆଫ୍ରିକା ମ୍ୟାଚରେ ରାହୁଲ ନଜର ଆସିବେ ନାହିଁ । ଆହତ କାରଣରୁ ରାହୁଲ ଓହରିବା ପରେ ରିଷଭ ପନ୍ତ ଟିମ୍ ଇଣ୍ଡିଆର ଅଧିନାୟକ ଦାୟିତ୍ୱ ତୁଲାଇବେ । ହାର୍ଦ୍ଦିକ ପାଣ୍ଡ୍ୟା ଉପଅଧିନାୟକ ରହିବେ । ତେବେ କେଏଲ ରାହୁଲ ଓ କୁଲଦୀପ ଯାଦବଙ୍କ ସ୍ଥାନରେ ଆଉ କୌଣସି ଖେଳାଳିଙ୍କୁ ନିଆଯାଇନାହିଁ ।

ଏହାପୂର୍ବରୁ ବିରାଟ କୋହଲି, ରୋହିତ ଶର୍ମାଙ୍କୁ ଏହି ସିରିଜରୁ ବିଶ୍ରାମ ଦିଆଯାଇଥିଲା । ଆଉ ଏବେ ରାହୁଲ ସିରିଜରୁ ବାଦ୍ ପଡିବା ପରେ ଦଳର ଟପ୍-୩ ବ୍ୟାଟ୍ସମ୍ୟାନ୍ ଏହି ସିରିଜରେ ଦେଖିବାକୁ ମିଳିବେନି । ସେହିପରି ଷ୍ଟାର ପ୍ଲେୟାର ଶ୍ରେୟାସ ଆୟର, ସୂର୍ଯ୍ୟକୁମାର ଯାଦବ ମଧ୍ୟ ଏହି ସିରିଜରେ ସ୍ଥାନ ପାଇନାହାଁନ୍ତି । ତେଣୁ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟିମ୍ ଇଣ୍ଡିଆକୁ ମ୍ୟାଚ୍ ଜିତିବାକୁ ଅଧିକ କସରତ କରିବାକୁ ପଡିପାରେ ।

ମାସ୍କ ନପିନ୍ଧିଲେ ବିମାନ ଯାତ୍ରା ମନା

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ପୁଣି ବଢ଼ିଥିବା ପରିପ୍ରେକ୍ଷୀରେ ମାସ୍କ ପିନ୍ଧିବା ନେଇ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ ବା ଡିଜିସିଏର କଡ଼ା ଆଭିମୁଖ୍ୟ । ବିମାନଯାତ୍ରୀମାନେ ମାସ୍କ ନ ପିନ୍ଧିଲେ ସେମାନଙ୍କୁ ବିମାନରୁ ଓହ୍ଲାଇ ଦିଆଯିବ । ଏଥିସହିତ ସେମାନଙ୍କୁ ବିଶୃଙ୍ଖଳିତ ଯାତ୍ରୀ ଭାବେ ବିବେଚନା କରାଯିବ ବୋଲି ଡିଜିସିଏ କହିଛି । ଯାତ୍ରୀମାନେ ମାସ୍କ ପିନ୍ଧିବା ନିୟମର ପାଳନ କରୁଛନ୍ତି ନା ନାହିଁ, ତାହାର ତଦାରଖ ସିଆଇଏସଏଫ କରିବ । ବାରମ୍ବାର ଚେତାବନୀ ପରେ ମଧ୍ୟ ଯଦି ବିମାନଯାତ୍ରୀମାନେ କୋଭିଡ ନିୟମ ପାଳନ ନ କରନ୍ତି, ତାହା ହେଲେ ସେମାନଙ୍କୁ ବିମାନରୁ ଓହ୍ଲାଇ ଦିଆଯିବ ।

ବିମାନଯାତ୍ରୀମାନେ କୋଭିଡ ନିୟମ ପାଳନ କରୁନଥିବାରୁ କିଛି ଦିନ ତଳେ ଦିଲ୍ଲୀ ହାଇକୋର୍ଟ ଉଦବେଗ ପ୍ରକାଶ କରିଥିଲେ । ଏଥି ସହିତ ଏହି ଯାତ୍ରୀମାନଙ୍କ ବିରୋଧରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ କୋର୍ଟ । ଦେଶରେ ଗତ କିଛି ଦିନ ଧରି ଦୈନିକ କରୋନା ସଂକ୍ରମଣ ବୃଦ୍ଧି ପାଇବାଲେ ଲାଗିଛି । ମହାରାଷ୍ଟ୍ର ଓ ଅନ୍ୟ କିଛି ରାଜ୍ୟରେ ସଂକ୍ରମଣ ବୃଦ୍ଧି ପାଉଛି । ତିନି ମାସରେ ପ୍ରଥମ ଥର ପାଇଁ ଦେଶରେ ଦୈନିକ କରୋନା ସଂକ୍ରମଣ ୫ ହଜାର ଟପିଛି ।

ଥୋମାସ କପ୍ ବିଜେତା ଦଳ ଓ ଗୋପୀଚାନ୍ଦଙ୍କୁ ସମ୍ବର୍ଦ୍ଧିତ କଲେ ନବୀନ

ଭୁବନେଶ୍ୱର: ଥୋମାସ କପ୍ ବିଜେତା ଭାରତୀୟ ପୁରୁଷ ବ୍ୟାଡମିଣ୍ଟନ ଟିମର ପ୍ରତି ଖେଳାଳିଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ସହ ଥୋମାସ୍ କପ୍ ଜିତିଥିବା ଭାରତୀୟ ଦଳର ସମସ୍ତ ଖେଳାଳୀଙ୍କୁ ୧୦ ଲକ୍ଷ ଲେଖାଏଁ ପୁରସ୍କୃତ କରାଯାଇଥିଲା । ଥୋମାସ କପ୍ ବିଜେତା ଦଳର ଖେଳାଳିଙ୍କୁ ସମ୍ବର୍ଦ୍ଧିତ କରିବା ପାଇଁ ଲୋକସେବା ଭବନ କନଭେନସନ ସେଣ୍ଟରରେ ଏକ ଭବ୍ୟ ସମ୍ବର୍ଦ୍ଧନା ଉତ୍ସବ ଆୟୋଜିତ ହୋଇଥିଲା । ଏହି ଉତ୍ସବରେ ପୂର୍ବତନ ବ୍ୟାଡମିଣ୍ଟନ ଖେଳାଳି ପୁଲେଲା ଗୋପିଚାନ୍ଦଙ୍କ ସମେତ ଭାରତୀୟ ବ୍ୟାଡମିଣ୍ଟନ ଦଳକୁ ସମ୍ବର୍ଦ୍ଧିତ  କରାଯାଇଥିଲା । ୧୪ ଥର ଥୋମାସ କପ୍ ବିଜେତା ଇଣ୍ଡୋନେସିଆକୁ ପରାସ୍ତ କରି ଟାଇଟଲ ହାସଲ କରିଥିଲା ଭାରତୀୟ ପୁରୁଷ ବ୍ୟାଡମିଣ୍ଟନ ଟିମ୍ ।

ଏହି ସମ୍ବର୍ଦ୍ଧନା ଉତ୍ସବରେ ବିଶ୍ୱ ଚାମ୍ପିଅନଙ୍କୁ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ । ଦେଶ ପାଇଁ ଥୋମାସ କପ୍ ବିଜୟ ଏକ ଐତିହାସକ ମୁହୂର୍ତ୍ତ । ବ୍ୟାଡମିଣ୍ଟନ ଭଳି ଖେଳରେ ଭାରତ ଉତ୍କର୍ଷତା ହାସଲ କରିଛି । ବ୍ୟାଡମିଣ୍ଟନରେ ଦେଶରେ ଏକ ନୂଆ ଯୁଗର ଆରମ୍ଭ ହୋଇଛି । ୧୦ ବର୍ଷ ହେଲା ଭାରତ ଅନ୍ତର୍ଜାତୀୟ ସ୍ତରରେ ବଢ଼ିଆ ଖେଳିଆସୁଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ ।

ରଥଯାତ୍ରା ପାଇଁ ବଡ଼ଦାଣ୍ଡରେ ରାପିଡ ଆକ୍ସନ ଫୋର୍ସର ମକଡ୍ରିଲ୍

ପୁରୀ: ପାଖେଇ ଆସିଲାଣି ବିଶ୍ବ ପ୍ରସିଦ୍ଧ ରଥଯାତ୍ରା । ରଥରେ ଚଢ଼ି ପତିତ ଉଦ୍ଧାର ପାଇଁ ଯାତ୍ରା କରିବେ ପତିତପାବନ । ପୁରୀ ରଥଖଳାରେ ଜୋରସୋରରେ ଆଗେଇ ଚାଲିଛି ୩ ରଥର କାମ । ୧୪ରେ ଭକ୍ତଙ୍କ ଗହଣରେ ହେବ ସ୍ନାନ ପୂର୍ଣ୍ଣିମା । ଦୁଇ ବର୍ଷ ପରେ ମହାପ୍ରଭୁଙ୍କ ଯାତ୍ରାରେ ସାମିଲ ହେବେ ଶ୍ରଦ୍ଧାଳୁ । ଏଥିପାଇଁ ପୁରୀରେ ଅଧିକ ଭିଡ଼ ଜମିବା ଆଶଙ୍କା କରାଯାଉଛି । ଏହାକୁ ଦୃଷ୍ଟିରେ ରଖି ଆଜି ଶ୍ରୀମନ୍ଦିର ସମ୍ମୁଖ ଓ ଚତୁଃପାର୍ଶ୍ୱରେ ରାପିଡ ଆକ୍ସନ ଫୋର୍ସ ମକଡ୍ରିଲ କରିଛି । ରଥଯାତ୍ରାରେ ଦୁଇ କମ୍ପାନୀ, ୨୪୦ ଯବାନ RAF ନିୟୋଜିତ ହେବେ । ଭିଡ଼ ନିୟନ୍ତ୍ରଣ ଓ ସୁରକ୍ଷା ସମ୍ପର୍କରେ ପୁରୀ ପୋଲିସ ମିଳିତ ଭାବରେ ଏହି ମକଡ୍ରିଲରେ ସାମିଲ ହୋଇଥିଲେ ।

ତେବେ ରଥଯାତ୍ରା ପାଇଁ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ସମ୍ମୁଖ ରଥ ଖଳାରେ ବିଶ୍ବକର୍ମା, ଭୋଇ, ରୂପକାରଙ୍କ ସହ ଦୋଳବେଦୀ, ଅସ୍ଥାୟୀ କମାର ଶାଳରେ ନିର୍ମାଣ କାର୍ଯ୍ୟକୁ ଜୋରଦାର କରିଛନ୍ତି । ରଥର ମୂଳଦୁଆ ଅର୍ଥାତ୍ ଦଣ୍ଡା ସ୍ଥାପନ ହୋଇ ତିନି ରଥର ଚକ ଓ ଅଖ ଉପରେ ଦଣ୍ଡାକୁ ସମତୁଲ କରାଯିବା ପରେ ଅଖର ଗୋଲେଇ ଅନୁସାରେ ଦଣ୍ଡାକୁ କାଟି ଖାପ ଦିଆଯାଇଛି । ସ୍ନାନଯାତ୍ରା ପୂର୍ବରୁ ୪ ନାହାକା ଉଠାଇବାକୁ ପ୍ରସ୍ତୁତି ଚାଲିଛି । ସେପଟେ ସ୍ନାନନୀତିଠାରୁ ଆରମ୍ଭକରି ପ୍ରଶାସନିକ ବ୍ୟବସ୍ଥା ଶୃଙ୍ଖଳିତ କରାଯାଇଥିବା ସୂଚନା ଦେଇଛନ୍ତି ଜିଲ୍ଲାପାଳ ।

ସାଂସଦ ମାନସ ମଙ୍ଗରାଜଙ୍କୁ ସମ୍ବର୍ଦ୍ଧିତ କଲେ ଟାଙ୍ଗୀ ବ୍ଲକ ସାମ୍ବାଦିକ ସଂଘ ଓ ହକର ସଂଘ

ଟାଙ୍ଗୀ: ନବ ନିର୍ବାଚିତ ରାଜ୍ୟସଭା ସାଂସଦ ମାନସ ରଂଜନ ମଙ୍ଗରାଜଙ୍କୁ ଭବ୍ୟ ସ୍ବାଗତ । ଟାଙ୍ଗୀ ବ୍ଲକ ସାମ୍ବାଦିକ ସଂଘ ଓ ହକର ସଂଘ ପକ୍ଷରୁ ସ୍ବାଗତ କରାଯାଇଥିଲା । ସାମ୍ବାଦିକମାନେ ପୁଷ୍ପଗୁଚ୍ଛ ଦେଇ ସାଂସଦଙ୍କୁ ପାଛୋଟି ନେଇଥିଲେ । ଟାଙ୍ଗୀ ବନ ବିଭାଗ ଡାକ ବଙ୍ଗଳା ପରିସରରେ ସାମ୍ବାଦିକ ସଂଘ ପକ୍ଷରୁ ଉତ୍ତରୀୟ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ଏହା ସହ ଟାଙ୍ଗୀ ସରପଞ୍ଚ କିଶୋର କୁମାର ବେହେରା ପୁଷ୍ପଗୁଚ୍ଛ ଦେଇ ସାଂସଦଙ୍କୁ ସମ୍ବର୍ଦ୍ଧିତ କରିଥିଲ । ଏହି କାର୍ଯ୍ୟକ୍ରମରେ  ସାମ୍ଵାଦିକ ସଂଘର ସଭାପତି ପଦ୍ମନାଭ ବିଶ୍ୱାଳ, ଉପ ସଭାପତି ମନୋଜ କୁମାର ନାଇଡୁ, ସଂପାଦକ ମନୋଜ କୁମାର ପଟ୍ଟନାୟକ, ଉପଦେଷ୍ଟା ପ୍ରଦୋଷ କୁମାର ଦାସ, ପ୍ରବକ୍ତା ସରୋଜ କୁମାର ପାଇକରାୟ, ପ୍ରମୁଖ ସାମିଲ ହୋଇଥିଲେ  ।

 

ଆଉ ୩ ଦିନ ପରେ ବାରବାଟୀ ବ୍ୟାଟେଲ, ଆସନ୍ତାକାଲିଠୁ ଦର୍ଶକଙ୍କ ପାଇଁ କାଉଣ୍ଟରରେ ମିଳିବ ଟିକେଟ

କଟକ: କଟକରେ ହେବ ଚୌକା ଛକାର ବର୍ଷା । ବାରବାଟୀ ଷ୍ଟାଡିୟମରେ ଭାରତ-ଦକ୍ଷିଣ ଆଫ୍ରିକା ଟି -୨୦ ମ୍ୟାଚ ପାଇଁ ଆଉ ମଝିରେ ରହିଲା ତିନି ଦିନ । ପିଚ୍, ଗ୍ରାଉଣ୍ଡ ଓ ଷ୍ଟାଡିୟମ ପ୍ରସ୍ତୁତି ପ୍ରାୟତଃ ଚୁଡ଼ାନ୍ତ ହୋଇ ସାରିଲାଣି । ଆଜି ଦ୍ବିତୀୟ ଦିନ ପାଇଁ ଓସିଏ ଅନୁବନ୍ଧିତ ସଂଗଠନ ଗୁଡିକ ପାଇଁ ଟିକେଟ ବିକ୍ରି ଜାରି ରହିବ। ସେପଟେ ଆସନ୍ତାକାଲି ସାଧାରଣ ଦର୍ଶକଙ୍କ ପାଇଁ କାଉଣ୍ଟରରେ ଆରମ୍ଭ ହେବ ଟିକେଟ ବିକ୍ରି । ଏହା ପୂର୍ବରୁ ଆଜି ଟିକେଟ୍ କାଉଣ୍ଟର ବୁଲି ଦେଖିଛନ୍ତି  କଟକ ଡିସିପି ପିନାକ୍ ମିଶ୍ର । ମୋଟ ୯ଟି କାଉଣ୍ଟରରେ ଟିକେଟ ବିକ୍ରି ହେବାକୁ ଥିବା ବେଳେ ୧୦ ପ୍ଲାଟୁନ ଫୋର୍ସ ମୁତୟନ ହେବେ । କଳାବଜାରି ଓ ବିଶୃଙ୍ଖଳାକୁ ରୋକିବା ପାଇଁ ପୋଲିସ କଡ଼ା ପଦକ୍ଷେପ ନେବ ।

ସେପଟେ ବାରବାଟୀ ମ୍ୟାଚ ପାଇଁ କମିସନରେଟ ପୋଲିସର ଆଉ ଏକ ସୁରକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । OCA, ବିଭିନ୍ନ ହୋଟେଲ କର୍ତ୍ତୃପକ୍ଷ, ବିମାନବନ୍ଦର କର୍ତ୍ତୃପକ୍ଷ, ସିଆଇଏସଏଫ, ଅଗ୍ନିଶମ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ଭୁବନେଶ୍ୱର ଡିସିପି ପ୍ରତୀକ ସିଂହ । ଖେଳାଳିଙ୍କ ଆସିବା, ରହିବା ପ୍ରସଙ୍ଗରେ ଆଲୋଚନା କରାଯାଇଛି । ୧୦ ତାରିଖରେ ଉଭୟ ଟିମ୍ ଭୁବନେଶ୍ୱରରେ ପହଞ୍ଚିବେ । ଖେଳାଳି ବାରବାଟୀ ଷ୍ଟାଡିୟମ ଯିବା ସମୟରେ କିପରି ଟ୍ରାଫିକ ସମସ୍ୟା ନ ଉପୁଜିବ ସେ ନେଇ ବିସ୍ତୃତ ଆଲୋଚନା କରିଛନ୍ତି ଡିସିପି ପ୍ରତୀକ ସିଂହ ।