spot_img
Home Blog Page 4204

ଆଜି ବସିବ ଛତିଶା ନିଯୋଗ ବୈଠକ, ଶ୍ରୀଗୁଣ୍ଡିଚା ଯାତ୍ରା ସହ ଶ୍ରୀଜିଉଙ୍କ ନୀତିକାନ୍ତିରେ ବାଜିବ ମୋହର

ପୁରୀ: ଆଜି ବସିବ ଛତିଶା ନିଯୋଗ ବୈଠକ । ନୀଳାଦ୍ରି ଭକ୍ତ ନିବାସରେ  ଦିନ ୧୨ଟାରେ ଏହି ବୈଠକ ବସିବ । ପ୍ରଥମେ ବିଶେଷକରି ରାଜେନ୍ଦ୍ରା ଭିଷେକ, ରୁକ୍ମିଣୀ ହରଣ ଏକାଦଶୀ, ଚମ୍ପକ ଦ୍ୱାଦଶୀ, ଦଇତାପତି ପ୍ରବେଶ, ସେନାପଟା ଲାଗି, ଦେବସ୍ନାନ ପୂର୍ଣ୍ଣିମା, ଚକାବିଜେ, ଖଳିଲାଗି ଏକାଦଶୀ, ରାଜପ୍ରସାଦ ବିଜେ, ଘଣାଲାଗି ଓ ବନକଲାଗି, ନବଯୌବନ ଦର୍ଶନ ସହ ଶ୍ରୀଗୁଣ୍ଡିଚା ଯାତ୍ରା, ସନ୍ଧ୍ୟା ଦର୍ଶନ, ବାହୁଡ଼ା ଯାତ୍ରା, ସୁନାବେଶ ଓ ନୀଳାଦ୍ରି ବିଜେ ନୀତିରେ ଛତିଶା ନିଯୋଗ ମାରିବ ମୋହର । ଯେହେତୁ ଦୁଇବର୍ଷ ପରେ ରଥଯାତ୍ରାରେ ଭକ୍ତ ସାମିଲ ହେବାକୁ ଯାଉଛନ୍ତି । ନୀତି ଶୃଙ୍ଖଳିତ ସାଙ୍ଗକୁ ଯାତ୍ରାକୁ ଶୃଙ୍ଖଳିତ କରିବା ପ୍ରସଙ୍ଗରେ ହେବ ଆଲୋଚନା । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିବାକୁ ଥିବା ବେଳେ ଜିଲ୍ଲାପାଳ, ଏସପି, ଶ୍ରୀମନ୍ଦିର ପ୍ରଶାସନିକ କର୍ମଚାରୀ ଓ ଛତିଶା ନିଯୋଗର ସମସ୍ତ ସଦସ୍ୟ ଉପସ୍ଥିତ ରହିବେ ।

ଅନ୍ୟପଟେ ଆଜି ଜ୍ୟେଷ୍ଠ କୃଷ୍ଣ ଦଶମୀ ତିଥିରେ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ବନକ ଲାଗି ନୀତି ଅନୁଷ୍ଠିତ ହେବ । ଦତ୍ତ ମହାପାତ୍ର ସେବକ ଏହି ନୀତି ସମ୍ପାଦନ କରିବେ । ପାରମ୍ପରିକ ରଙ୍ଗ ଯଥା ହରିତାଳ, ପ୍ରିୟଙ୍ଗୁ, ହିଙ୍ଗୁଳ, କଳା, ଧଳା, ନାଲି ଆଦି ରଙ୍ଗରେ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର କରାଯିବ । ଏହା ଏକ ଗୁପ୍ତ ନୀତି ହୋଇଥିବାରୁ ଦ୍ୱିତୀୟ ଭୋଗମଣ୍ଡପ ପରେ ଅପରାହ୍ନ ୪ଟାରୁ ରାତି ୮ଟା ପର୍ଯ୍ୟନ୍ତ ସାଧାରଣ ଦର୍ଶନ ବନ୍ଦ ରହିବ ।

 

ରାଜସ୍ଥାନ ରୟାଲ୍ସକୁ ହରାଇ ଫାଇନାଲରେ ଗୁଜରାଟ ଟାଇଟନ୍ସ

କୋଲକାତା: ଚଳିତ ଆଇପିଏଲରେ ପ୍ରଥମ ଦଳ ଭାବରେ ଗୁଜରାଟ ଟାଇଟନ୍ସ ଫାଇନାଲରେ ପ୍ରବେଶ କରିଛି । ମିଲରଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଗୁଜରାଟ ଏହି ମ୍ୟାଚକୁ ନିଜ ନାମରେ କରିଥିଲା । ପ୍ରଥମ କ୍ୱାଲିଫାୟର ମୁକାବିଲାରେ ରାଜସ୍ଥାନ ରୟାଲ୍ସକୁ ୭ ଓ୍ୱିକେଟରେ ପରାସ୍ତ କରିଛି ଗୁଜରାଟ ଟାଇଟନ୍ସ । ଏହି ବିଜୟ ସହ ପ୍ରଥମ ଦଳ ଭାବରେ ଫାଇନାଲରେ ପ୍ରବେଶ କରିଛି ଗୁଜରାଟ ।

ଗତକାଲି କୋଲକାତାର ଇଡେନ ଗାର୍ଡେନ୍ସରେ ଟସ୍ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା ଗୁଜରାଟ ଟାଇଟନ୍ସ । ଟସ୍ ହାରି ବ୍ୟାଟିଂ କରିଥିବା ରାଜସ୍ଥାନ ଆରମ୍ଭରୁ ବିସ୍ଫୋରକ ବ୍ୟାଟିଂ କରିଥିଲା । ଜୋଶ୍ ବଟଲର ଓ ଅଧିନାୟକ ସଞ୍ଜୁ ସାମସନଙ୍କ ଧୁଆଁଧାର ବ୍ୟାଟିଂ ଫଳରେ ରାଜସ୍ଥାନ ରୟାଲ୍ସ ନିର୍ଦ୍ଧାରିତ ୨୦ ଓଭରରେ ୬ ଓ୍ୱିକେଟରେ ୧୮୮ ରନ କରିଥିଲେ । ରାଜସ୍ଥାନ ପକ୍ଷରୁ ସଞ୍ଜୁ ସାମସନ ୪୭ ରନ କରିଥିବାବେଳେ ଜୋଶ୍ ବଟଲର ୮୯ ରନ କରିଥିଲେ ।

୧୮୯ ରନର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ଗୁଜରାଟ ପ୍ରଥମ ଓଭରରେ ଓ୍ୱିକେଟ ହରାଇ ବ୍ୟାକଫୁଟରେ ରହିଥିଲା । କିନ୍ତୁ ଏହା ପରେ ଓପନର ଶୁଭମନ ଗିଲ୍ ଓ ମାଥ୍ୟୁ ଓ୍ୱେଡ ଆକ୍ରମଣାତ୍ମକ ବ୍ୟାଟିଂ କରି ୭୨ ରନ୍ ସଂଗ୍ରହ କରିଥିଲେ । ଏହି ଦୁଇ ବ୍ୟାଟ୍ସମ୍ୟାନଙ୍କ ଆଉଟ ହେବା ପରେ ପାଳି ସମ୍ଭାଳିଥିଲେ ଅଧିନାୟକ ହାର୍ଦ୍ଦିକ ପଣ୍ଡ୍ୟା ଓ ଡେଭିଡ ମିଲର । ଉଭୟ ବ୍ୟାଟ୍ସମ୍ୟାନ ୧୦୬ ରନର ପାର୍ଟନରସିପ୍ କରି ଦଳକୁ ବିଜୟ ଭେଟି ଦେଇଥିଲେ । ଗୁଜରାଟ ପକ୍ଷରୁ ମିଲର ୩୮ ବଲରୁ ୩ ଚୌକା ଓ ୫ ଛକା ବଳରେ ୬୮ ରନ କରିଥିଲେ । ସେହିପରି ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଅପରାଜିତ ୪୦ ରନ କରିଥିଲେ ।

ଜିଲ୍ଲାର ନାଁ ପରିବର୍ତ୍ତନକୁ ବିରୋଧ, ପରିବହନ ମନ୍ତ୍ରୀଙ୍କ ଘରେ ନିଆଁ ଲଗାଇଲେ ଦୁର୍ବୃତ୍ତ

ହାଇଦ୍ରାବାଦ: ଆନ୍ଧ୍ର ପ୍ରଦେଶର ଅମଲାପୁରମରେ ଜୋରଦାର ହିଂସା । କୋନାସୀମା ଜିଲ୍ଲାର ନାଁ ପରିବର୍ତ୍ତନକୁ ବିରୋଧ କରି ପ୍ରଦର୍ଶନକାରୀ ହିଂସା କରିଛନ୍ତି । ନିକଟରେ ରାଜ୍ୟ ସରକାର କୋନାସୀମା ଜିଲ୍ଲାର ନାଁ ପରିବର୍ତ୍ତନ କରି ବିଆର ଆମ୍ବେଦକର କୋନାସୀମା କରିବାକୁ ଘୋଷଣା କରିଥିଲେ । ରାଜ୍ୟ ସରକାରଙ୍କ ଏହି ପ୍ରସ୍ତାବକୁ ବିରୋଧ କରି ରାସ୍ତାକୁ ଓହ୍ଲାଇଥିଲେ ପ୍ରଦର୍ଶନକାରୀ । ଜିଲ୍ଲା ମୁଖ୍ୟାଳୟରେ ପ୍ରଦର୍ଶନକାରୀଙ୍କ ଉପରେ ପୋଲିସ ଲାଠି ଚାର୍ଜ କରିବା ପରେ ସହରରେ ହିଂସା ସୃଷ୍ଟି ହୋଇଥିଲା ।

ପୋଲିସ କାର୍ଯ୍ୟାନୁଷ୍ଠାନରେ ଉତକ୍ଷିପ୍ତ ହୋଇ ପ୍ରଦର୍ଶନକାରୀ ଶାସକ ଦଳ ବିଧାୟକ ପି.ସତିସ୍ ଏବଂ ପରିବହନ ମନ୍ତ୍ରୀ ପି.ବିଶ୍ୱଋପୁଙ୍କ ଘରେ ନିଆଁ ଲଗାଇ ଦେଇଥିଲେ । ପୋଲିସ ସମସ୍ତଙ୍କୁ ସୁରକ୍ଷିତ ଉଦ୍ଧାର କରିଥିଲା । ଅନ୍ୟପଟେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବାକୁ ଯାଇ ପ୍ରଦର୍ଶନକାରୀ ଆକ୍ରୋଶର ଶିକାର ହୋଇଛନ୍ତି ପୋଲିସକର୍ମୀ । ଏହି ହିଂସାରେ ଅନେକ ପୋଲିସକର୍ମୀ ମଧ୍ୟ ଆହତ ହୋଇଛନ୍ତି । ଏହାସହ ପୋଲିସ ଗାଡିରେ ମଧ୍ୟ ପ୍ରଦର୍ଶନକାରୀ ନିଆଁ ଲଗାଇ ଦେଇଥିଲେ ।

ଟେକ୍ସାସର ଏକ ସ୍କୁଲରେ ଭୟାନକ ଗୁଳିକାଣ୍ଡ, ୧୮ ଛାତ୍ରଛାତ୍ରୀ ମୃତ

ଟେକ୍ସାସ: ଆମେରିକା ଟେକ୍ସାସରେ ପୁଣି ଭୟାନକ ଗୁଳିକାଣ୍ଡ । ଜଣେ ୧୮ ବର୍ଷ ବୟସ୍କଙ୍କ ଆଖିବୁଜା ଗୁଳିମାଡ଼ରେ ପ୍ରାଣ ହରାଇଛନ୍ତି ୧୮ ଛାତ୍ରଛାତ୍ରୀ ଓ ୩ ଜଣ ଶିକ୍ଷକ ଓ କର୍ମଚାରୀ । ଟେକ୍ସାସ ଉଭାଲଡେ ଅନ୍ତର୍ଗତ ରବ୍ ଏଲିମେଣ୍ଟାରୀ ସ୍କୁଲରେ ଘଟିଥିବା ଏହି ଲୋମହର୍ଷକ କାଣ୍ଡରେ ଆତତାୟୀ ସାଲଭାଡର ରାମୋସକୁ ଗୁଳି କରି ହତ୍ୟା କରାଯାଇଥିବାବେଳେ ତା ନିକଟରୁ ଏକ ହ୍ୟାଣ୍ଡଗନ ଓ ଏକ ରାଇଫଲ ଜବତ ହୋଇଛି । ଜଣେ ଆତତାୟୀ ଏହି ସ୍କୁଲ ଭିତରେ ପଶିଥିବା ନେଇ ରିପୋର୍ଟ ପ୍ରକାଶ ପାଇବା ପରେ ଉଭାଲଡେ ସ୍କୁଲ ଡିଷ୍ଟ୍ରିକ୍ଟର ସମସ୍ତ ସ୍କୁଲକୁ ବନ୍ଦ କରି ଦିଆଯାଇଥିଲା ।

ତେବେ ସୁଯୋଗ ଦେଖି ଆତତାୟୀ ଜଣକ ଏହି ସ୍କୁଲରେ ନାରକୀୟ କାଣ୍ଡ ଘଟାଇବାକୁ ସକ୍ଷମ ହୋଇଥିଲା । ଏହି ସ୍କୁଲରେ ୬୦୦ରୁ ଅଧିକ ଦୁର୍ବଳ ବର୍ଗର ଛାତ୍ରଛାତ୍ରୀ ଶିକ୍ଷାଲାଭ କରୁଥିଲେ । ଏହି ଘଟଣା ପରେ ରାଷ୍ଟ୍ରପତି ଜୋ ବାଇଡେନ ଘଟଣାର ସମୀକ୍ଷା କରିଥିବା ବେଳେ ପୋଲିସ ମାମଲା ରୁଜୁ କରି ତଦନ୍ତ ଚଳାଇଛି । ଗତ ୨୦୧୮ରେ ଫ୍ଲୋରିଡାର ପାର୍କଲାଣ୍ଡରେ ମଧ୍ୟ ସମଧରଣର ଗୁଳିକାଣ୍ଡ ଘଟିଥିଲା । ଏଥିରେ ୧୪ ଛାତ୍ରଛାତ୍ରୀ ଓ ୩ ଜଣ କର୍ମଚାରୀ ପ୍ରାଣ ହରାଇଥିଲେ । ସେହିପରି ୨୦୧୨ରେ କନେକ୍ଟିକଟର ସାଣ୍ଡି ହୁକରେ ଘଟିଥିବା ଗୁଳିକାଣ୍ଡରେ ୨୦ ଛାତ୍ରଛାତ୍ରୀ ଓ ୬ କର୍ମଚାରୀ ପ୍ରାଣ ହରାଇଥିଲେ । ଗତ ମେ ୧୪ରେ ନ୍ୟୁୟର୍କ ବଫାଲୋରେ ଜଣେ ଯୁବକଙ୍କ ଗୁଳିରେ ୧୦ ଜଣ ପ୍ରାଣ  ହରାଇଥିଲେ । ତେବେ  ବିଗତ କିଛି ବର୍ଷ ଧରି ଆମେରିକାରେ ବନ୍ଧୁକ ସଂସ୍କୃତି ବୃଦ୍ଧି ପାଇବାରେ ଲାଗିଛି ।

ବ୍ରଜରାଜନଗର ବ୍ୟାଟେଲରେ ଜମୁଛି ଲଢ଼େଇ, ବାଜି ମାରିବାକୁ ସବୁ ଦଳର ସ୍ୱତନ୍ତ୍ର ରଣନୀତି

ବ୍ରଜରାଜନଗର: ବ୍ରଜରାଜନଗର ବ୍ୟାଟେଲରେ ଜମୁଛି ଲଢ଼େଇ । ବାଜି ମାରିବାକୁ ସବୁ ଦଳର ସ୍ୱତନ୍ତ୍ର ରଣନୀତି । ନିର୍ବାଚନ ତାରିଖ ପାଖଉଥିବା ବେଳେ ଭୋଟରଙ୍କ ମନ ଜିତିବାକୁ ଚାଲିଛି କସରତ୍ । ବିକାଶ ଆଉ ପ୍ରତିଶ୍ରୁତିର ନିକିତିରେ ନେତାଙ୍କୁ ତଉଲୁଛନ୍ତି ଭୋଟର । ବ୍ରଜରାଜନଗର ଉପନିର୍ବାଚନର ପ୍ରଚାର ମଇଦାନରେ ବିଜେଡି ଆଗରେ ଥିବାବେଳେ ଘରକୁ ଘର ବୁଲି ଭୋଟ ମାଗୁଛନ୍ତି ହେଭିଓ୍ୱେଟ୍ ।

ରାଜ୍ୟ ସରକାରଙ୍କ ବିକାଶକୁ ଆଧାର କରି ନିର୍ବାଚନ ଲଢୁଛି ଶାସକ ଦଳ । ମୁଖ୍ୟମନ୍ତ୍ରୀଙ୍କ ସ୍ୱଚ୍ଛ ଶାସନ ଓ ସରକାରଙ୍କ ସଫଳତାକୁ ନେଇ ଲୋକଙ୍କ ପାଖକୁ ଯାଉଛନ୍ତି ନେତା । ପଞ୍ଚାୟତ ଓ ପୌର ନିର୍ବାଚନର ରେକର୍ଡକୁ କାଟି ନୂଆ ରେକର୍ଡରେ ବିଜୟ ପାଇଁ ଦଳ କରିଛି ବ୍ଲୁପ୍ରିଣ୍ଟ । ସେପଟେ ମଇଦାନରେ ଶାସକ ଦଳକୁ ଟକ୍କର ଦେବାକୁ ଲାଗି ପଡ଼ିଛନ୍ତି ବିରୋଧୀ । ପ୍ରତିଶ୍ରୁତି ଦେଇ ଲୋକଙ୍କ ମନ ଜିତିବାକୁ ଉଦ୍ୟମ କରୁଛନ୍ତି ଉଭୟ କଂଗ୍ରେସ ଓ ବିଜେପି । ଉଭୟ ଦଳ କେନ୍ଦ୍ରୀୟ ଓ ପଡ଼ୋଶୀ ନେତାଙ୍କ ଉପରେ ଭରସା କରିଛନ୍ତି । କିନ୍ତୁ ଏହା ତାଙ୍କ ପାଇଁ ବୁମେରାଂ ହେବ ବୋଲି କହିଛି ବିଜେଡି ।

କଳିଙ୍ଗାଘାଟିରେ ଓଲଟିଲା ଟୁରିଷ୍ଟ ବସ୍; ୬ ମୃତ, ୩୦ ଆହତ

ଭଞ୍ଜନଗର: ଭଞ୍ଜନଗର ଥାନା ଦୁର୍ଗାପ୍ରସାଦରେ ମର୍ମନ୍ତୁଦ ଦୁର୍ଘଟଣା । ଭାରସାମ୍ୟ ହରାଇ ଓଲଟିଲା ଟୁରିଷ୍ଟ ବସ୍‌  । ଏହି ବସରେ ମୋଟ ୭୦ ଜଣ ଯାତ୍ରୀ ଥିଲେ । ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୬ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୩୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ୪ ମହିଳା ଓ ୨ ପୁରୁଷ ଥିବା ଜଣାପଡ଼ିଛି । ତେବେ ଏହି ଦୁର୍ଘଟଣାରେ ଆହତ ହୋଇଥିବା ସମସ୍ତ ଯାତ୍ରୀଙ୍କୁ ଏମକେସିଜିକୁ ସ୍ଥାନାନ୍ତର କରାଯାଇଛି ।

ସୂଚନା ଅନୁସାରେ ଏହି ଟୁରିଷ୍ଟ ବସଟି ଦାରିଙ୍ଗବାଡିରୁ କଳିଙ୍ଗାଘାଟି ଦେଇ ଆସୁଥିବା ବେଳେ ଦୁର୍ଗାପ୍ରସାଦଠାରେ ବିଳମ୍ବିତ ରାତିରେ ଦୁର୍ଘଟଣାର ଶିକାର ହୋଇଛି । ବସର ବ୍ରେକ ପାଇପ ଫାଟିଯିବାରୁ ଭାରସାମ୍ୟ ହରାଇ ରାସ୍ତା କଡ଼ ବିଦ୍ୟୁତ ଖୁଣ୍ଟରେ ପିଟି ହୋଇ ଓଲଟି ପଡ଼ିଥିଲା ବସ୍‌ । ଖବର ପାଇ ଘଟଣାସ୍ଥଳରେ ଭଞ୍ଜନଗର ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ହାଇଡ୍ରା ମେସିନ ସହାୟତାରେ ସମସ୍ତଙ୍କୁ ଉଦ୍ଧାର କରାଯାଇଛି । ଏହି ବସରେ ଥିବା ସମସ୍ତ ଯାତ୍ରୀ ପଶ୍ଚିମବଙ୍ଗ ହାୱଡା ଜିଲ୍ଲା ଉଦନପୁର ଥାନା ଅଞ୍ଚଳର ହୋଇଥିବା ସୂଚନା ମିଳିଛି ।

ଆଉ ମାସେ ପାଇଁ ବାତିଲ୍ ହେଲା ଏହି ସବୁ ଟ୍ରେନ୍…

ଭୁବନେଶ୍ୱର: ଦକ୍ଷିଣ ପୂର୍ବ କେନ୍ଦ୍ରୀୟ ରେଳପଥ ପରିସୀମା ମଧ୍ୟରେ ସୁରକ୍ଷା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟକୁ ଦୃଷ୍ଟିରେ ରଖି, ପୂର୍ବ ତଟ ରେଳପଥରୁ ଛାଡୁଥିବା ଏବଂ ଯାତ୍ରା ସମାପ୍ତ କରୁଥିବା ତିନି ଯୋଡ଼ା ଦୂରଗାମୀ ଟ୍ରେନ ଆଉ ଏକ ମାସ ପାଇଁ ବାତିଲ କରାଯାଉଛି ।

ଭୁବନେଶ୍ୱର ଠାରୁ ପ୍ରତ୍ୟକ ସୋମବାର ଏବଂ ଗୁରୁବାର ଦିନ ମାନଙ୍କରେ ଛାଡୁଥିବା ୧୨୮୮୦ ଭୁବନେଶ୍ୱର-ମୁମ୍ବାଇ ଏଲଟିଟି ଏକ୍ସପ୍ରେସ ଜୁନ୍ ୨୩ ତାରିଖ ପର୍ଯ୍ୟନ୍ତ ବାତିଲ୍ ରହିବ । ମୁମ୍ବାଇ ଏଲଟିଟିରୁ ପ୍ରତ୍ୟେକ ବୁଧବାର ଏବଂ ଶନିବାର ଦିନ ଛାଡୁଥିବା ୧୨୮୭୯ ମୁମ୍ବାଇ ଏଲଟିଟି- ଭୁବନେଶ୍ୱର ଏକ୍ସପ୍ରେସ ଜୁନ୍ ୧୮ ତାରିଖ ପର୍ଯ୍ୟନ୍ତ ବାତିଲ୍ ରହିବ ।

ପୁରୀ ଠାରୁ ପ୍ରତ୍ୟକ ମଙ୍ଗଳବାର ଛାଡୁଥିବା ୨୨୮୬୬ ପୁରୀ-ମୁମ୍ବାଇ ଏଲଟିଟି ଏକ୍ସପ୍ରେସ ଜୁନ୍ ୨୧ ପର୍ଯ୍ୟନ୍ତ ଏବଂ ମୁମ୍ବାଇ ଏଲଟିଟିରୁ ପ୍ରତ୍ୟେକ ଗୁରୁବାର ଛାଡୁଥିବା ୨୨୮୬୫ ମୁମ୍ବାଇ ଏଲଟିଟି-ପୁରୀ ଏକ୍ସପ୍ରେସ ଜୁନ୍ ୨୩ ପର୍ଯ୍ୟନ୍ତ ବାତିଲ୍ ରହିବ ।

ବିଶାଖାପାଟନମରୁ ପ୍ରତ୍ୟେକ ରବିବାର ଦିନ ଛାଡୁଥିବା ୨୨୮୪୭ ବିଶାଖାପାଟନମ୍-ମୁମ୍ବାଇ ଏଲଟିଟି ଏକ୍ସପ୍ରେସ ଜୁନ୍ ୧୯ ପର୍ଯ୍ୟନ୍ତ ଏବଂ ମୁମ୍ବାଇ ଏଲଟିଟିରୁ ପ୍ରତ୍ୟେକ ମଙ୍ଗଳବାର ଦିନ ଛାଡୁଥିବା ୨୨୮୪୮ ମୁମ୍ବାଇ ଏଲଟିଟି-ବିଶାଖାପାଟନମ୍ ଏକ୍ସପ୍ରେସ ଜୁନ୍ ୨୧ ପର୍ଯ୍ୟନ୍ତ ବାତିଲ୍ ରହିବ ।

ପୂର୍ବତଟ ରେଳପଥ ୱାଲଟିୟର ଏବଂ ସମ୍ବଲପୁର ରେଳମଣ୍ଡଳ ମଧ୍ୟରେ ବିଭିନ୍ନ ସମ୍ବେଦନଶୀଳ ଅଞ୍ଚଳରେ ଟ୍ରାକ ରକ୍ଷଣାବେକ୍ଷଣ ସହିତ ସୁରକ୍ଷା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ପାଇଁ ଟ୍ରେନ୍ ବାତିଲ୍ କରାଯାଇଅଛି ।

ବାତିଲ୍ ଟ୍ରେନ୍

  • ୧୮୩୦୧/୧୮୩୦୨ ସମ୍ବଲପୁର-ରାୟଗଡ଼ା-ସମ୍ବଲପୁର ଇଣ୍ଟର ସିଟି ଏକ୍ସପ୍ରେସ୍
  • ୨୨୮୨୦/୨୨୮୧୯ ବିଶାଖାପାଟନମ୍-ଭୁବନେଶ୍ୱର-ବିଶାଖାପାଟନମ୍ ଇଣ୍ଟର ସିଟି ଏକ୍ସପ୍ରେସ୍
  • ୧୮୫୩୨/୧୮୫୩୧ ବିଶାଖାପାଟନମ୍-ପଲାସା-ବିଶାଖାପାଟନମ୍ ଏକ୍ସପ୍ରେସ୍
  • ୦୮୫୪୬/୦୮୫୪୫ ବିଶାଖାପାଟନମ୍-କୋରାପୁଟ-ବିଶାଖାପାଟନମ୍ ପାସେଞ୍ଜର ସ୍ପେଶାଲ୍
  • ୧୮୪୭୧/୧୮୪୧୮ ପୁରୀ-ଗୁଣୁପୁର-ପୁରୀ ଏକ୍ସପ୍ରେସ୍
  • ୦୮୪୨୮/୦୮୪୨୭ ପୁରୀ-ଅନୁଗୁଳ-ପୁରୀ ପାସେଞ୍ଜର ସ୍ପେଶାଲ୍

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ପୁରୀରେ ଗୁଳିମାଡ଼, ଜଣେ ମୃତ

ପୁରୀ: ପୁରୀ କାକୁଡ଼ିଖାଇ ଛକ ନିକଟରେ ଗୁଳିମାଡ଼ ହୋଇଛି । ଗୁଳିମାଡ଼ରେ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ମୃତକ ହେଲେ ତଳୁଚ୍ଛ ସାହିର ଶିବରାମ ପାତ୍ର । ପୂର୍ବ ଶତ୍ରୁତାରୁ ଗୁଳିମାଡ଼ ହୋଇଥିବା ସୂଚନା ମିଳିଛି । ବାଇକ୍ ଯୋଗେ ଯାଉଥିବା ବେଳେ ୨ ଜଣ ଦୁର୍ବୃତ୍ତ ଶିବରାମଙ୍କୁ ଗୁଳି କରିଥିଲେ ।

Firing In Puri One Dead

ଦୁର୍ବୃତ୍ତ ୨ ରାଉଣ୍ଡ ଗୁଳିମାଡ଼ କରିଥିବା ବେଳେ ଗୁଳି ଶିବରାମଙ୍କ ମୁଣ୍ଡରେ ବାଜିଥିଲା । ମାମଲାରେ ଜଣେ ଅଭିଯୁକ୍ତଙ୍କୁ ପୋଲିସ ଅଟକ ରଖିଥିବା ବେଳେ ତା ନିକଟରୁ ବନ୍ଧୁକ ଜବତ ହୋଇଛି । ଅଭିଯୁକ୍ତକୁ ଅଟକ ରଖି ତଦନ୍ତ ଜାରି ରଖିଛି ପୋଲିସ ।

ଗୋଟିଏ ଟିମ୍‌ ଭାବରେ କାମ କରିବାକୁ ସବୁ ବିଭାଗକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ରାଜ୍ୟ ସରକାରଙ୍କ ରୂପାନ୍ତର ଶୃଙ୍ଖଳାର ଦ୍ୱିତୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଆଜିର ବୈଠକରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ପ୍ରମୁଖ ସଚିବ ଜି. ମାଥିଭାତନନ୍ ବିଭାଗର ଟ୍ରାନ୍ସଫରମେସନାଲ ଇନିସିଏଟିଭ୍ ଇନିସିଏଟିଭ୍ ସମ୍ପର୍କରେ ଏକ ଉପସ୍ଥାପନା ରଖିଥିଲେ ।

ଏହିସବୁ କାର୍ଯ୍ୟକ୍ରମରେ ସ୍ଥାନୀୟ ଅଞ୍ଚଳରେ ଉପଲବ୍ଧ ସାଧାରଣ ବୈଷୟିକ ଜ୍ଞାନର ପ୍ରୟୋଗ କରାଯାଇଥିବା ବେଳେ, ଗୋଷ୍ଠୀ ସହଭାଗୀତା ଜରିଆରେ କାର୍ଯ୍ୟକାରୀ କରାଯାଇଛି । ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଓ ଗରିବ ଲୋକଙ୍କ ସହଭାଗିତା ଲୋକଙ୍କୁ ବିକାଶ ପ୍ରକ୍ରିୟା ସହିତ ଯୋଡ଼ିବା ସହିତ ସେମାନଙ୍କର ଜୀବନଜୀବିକାରେ ଉନ୍ନତି ଆଣିପାରିଛି । ସମାଜରେ ସମ୍ମାନର ସହ ବଞ୍ଚିବା ପାଇଁ ପ୍ରେରଣା ଦେଇପାରିଛି । ଏ ରୂପାନ୍ତର ସମାଜର ତଳସ୍ତରରେ ବ୍ୟାପକ ପରିବର୍ତ୍ତନର ଅୟମାରମ୍ଭ କରିଛି । ଏହି କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଶଂସା କରିବା ସହିତ ସବୁ କାର୍ଯ୍ୟକ୍ରମରେ ସବୁ ବିଭାଗ ଏକ ଟିମ୍‌ ଭାବରେ କାମ ସଫଳତା ଆଣିବାକୁ ପରାମର୍ଶ ଦେଇଥିଲେ ।

ଏହି ଉପସ୍ଥାପନା ଅନୁଯାୟୀ ରାଜ୍ୟର ୧୬ ପ୍ରତିଶତ ଜନସାଧାରଣ ସହରାଞ୍ଚଳରେ ବସବାସ କରନ୍ତି ଏବଂ ସେଥିମଧ୍ୟରୁ ୪୦ ପ୍ରତିଶତ ଅଞ୍ଚଳରେ ପିଇବା ପାଣିର ସୁବିଧା ନ ଥିଲା । ୪ ଲକ୍ଷ ଘରେ ଟଏଲେଟର ସୁବିଧା ମଧ୍ୟ ନଥିଲା ।

ରୂପାନ୍ତର ଉପକ୍ରମ ଆରମ୍ଭ ହେବା ପରେ ଆଜି ରାଜ୍ୟର ୮୪ ପ୍ରତିଶତ ଘରେ ଶତପ୍ରତିଶତ ପାଇପ ପାଣିର ବ୍ୟବସ୍ଥା ହୋଇପାରିଛି । ପୂର୍ବରୁ ୩ ଲକ୍ଷ ଘରକୁ ପାଇପ ପାଣିର ସୁବିଧା ଥିବାବେଳେ, ବର୍ତ୍ତମାନ ୧୦ ଲକ୍ଷ ଘରକୁ ପାଇପ ପାଣିର ସୁବିଧା ଦିଆଯାଇ ପାରିଛି । ପୁରୀରେ ଡ୍ରିଙ୍କ ଫ୍ରମ୍ ଟ୍ୟାପ୍ କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବା ପରେ, ଏହା ବର୍ତ୍ତମାନ ରାଜ୍ୟର ୨୪ଟି ସହରରେ  ଆରମ୍ଭ ହୋଇଛି । ଏଥିରେ ବସ୍ତି ଅଞ୍ଚଳକୁ ପ୍ରାଥମିକତା ଦିଆଯାଉଛି । ପାନୀୟ ଜଳ ଯୋଗାଣ ନୀତିରେ ଟ୍ୟାପ ୱାଟରକୁ ନାଗରିକମାନଙ୍କର ଏକ ଅଧିକାର ଭାବରେ ଗ୍ରହଣ କରାଯାଇଛି ।

ସେହିପରି ମଳମୁତ୍ର ଓ କଠିଜ ବର୍ଜ୍ୟବସ୍ତୁ ପରିଚାଳନା କ୍ଷେତ୍ରରେ ମଧ୍ୟ ଯଥେଷ୍ଟ ଉନ୍ନତି ଆସି ପାରିଛି । ବର୍ତ୍ତମାନ ରାଜ୍ୟର ୧୦୦ଟି ସହରରେ ୧୦୩ଟି ସିପେଜ୍ ଟ୍ରିଟମେଣ୍ଟ ପ୍ଲାଣ୍ଟ ଦିନକୁ ୧୮୦୦ କିଲୋ ଲିଟର Faecal Sludge ବିଶୋଧନ କରାଯାଉଛି । ଏଥିରେ କମ୍ ଖର୍ଚ୍ଚରେ ସାଧାରଣ ଟେକ୍ନୋଲୋଜିର ପ୍ରୟୋଗରେ ଗୋଷ୍ଠୀ ସହଭାଗିତାରେ ବ୍ୟାପକ ପରିବର୍ତ୍ତନ ଅଣାଯାଇ ପାରିଛି ।

ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟିଭଙ୍ଗୀ ଅନୁଯାୟୀ ଜାଗା ଠାରୁ ଲୋକ ଅଧିକ ମୂଲ୍ୟବାନ । ପୂର୍ବରୁ ସହରାଞ୍ଚଳର ୧୭ ଲକ୍ଷ ବସ୍ତିବାସିନ୍ଦା ଅନେକ ଅବ୍ୟବସ୍ଥା ମଧ୍ୟରେ ରହୁଥିଲେ । ଜାଗା ମିଶନରେ ୪ ବର୍ଷ ମଧ୍ୟରେ ଏବେ ୧ ଲକ୍ଷ ୭୫ ହଜାର ପରିବାରକୁ ଜମି ଅଧିକାର ଦିଆଯାଇଥିବା ବେଳେ, ୫୮୫ଟି ବସ୍ତିକୁ ଆଦର୍ଶ କଲୋନୀରେ ପରିଣତ କରାଯାଇଛି । ସେହିପରି ୧୫୪୦ ବସ୍ତିକୁ ଶତ ପ୍ରତିଶତ ପାନୀୟ ଜଳ ବ୍ୟବସ୍ଥା ଦିଆ ଯାଇଥିବାବେଳେ, ୧୦୭୫ଟି ବସ୍ତିକୁ ବିଜୁଳି ସୁବିଧା ଦିଆଯାଇଛି । ୫୮୯ଟି ବସ୍ତିରେ ଶତ ପ୍ରତିସତ ଟଏଲେଟ୍‌ ବ୍ୟବସ୍ଥା କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କର ଲୋକାଭିମୁଖୀ ଦୃଷ୍ଟିକୋଣରୁ ଏହି ବ୍ୟାପକ ପରିବର୍ତ୍ତନ ଆସିପାରିଛି । ଏହା ବସ୍ତି ଲୋକଙ୍କର ସମ୍ମାନ ଓ ନାଗରିକ ଅଧିକାରର ସୁରକ୍ଷା କରିପାରିଛି ।

ସେହିପରି ମୁଖ୍ୟମନ୍ତ୍ରୀ କର୍ମତତ୍ପର ଅଭିଯାନ ‘ମୁକ୍ତା’ ଯୋଜନାରେ ରାଜ୍ୟ ବାହାରେ କାମ କରୁଥିବା ୫ ଲକ୍ଷ ଶ୍ରମିକଙ୍କୁ ଜୀବିକା ଯୋଗାଇ ଦିଆଯାଇଛି । ଏଥିରେ  ଦୁଇ ହଜାର କୋଟି ଟଙ୍କା ବିନିଯୋଗରେ ୨୨,୫୦୦ଟି ପ୍ରକଳ୍ପ କରାଯାଇଛି । ୧୫ ହଜାର ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ କାମ ତଦାରଖ କରିବାକୁ ଦାୟିତ୍ୱ ଦିଆଯାଇଛି । ଗୋଷ୍ଠୀ ସହଭାଗୀତାର ଏହା ଏକ ଆଦର୍ଶ ଉଦାହରଣ ।

ଏହି କାର୍ଯ୍ୟକ୍ରମରେ ପ୍ରାରମ୍ଭିକ ସୂଚନା ରଖି ମୁଖ୍ୟମନ୍ତ୍ରୀଙ୍କ ସଚିବ 5T ଭି.କେ. ପାଣ୍ଡିଆନ୍ କହିଥିଲେ, ସହରାଞ୍ଚଳର ଏକ ନିର୍ଦ୍ଦିଷ୍ଟ ପ୍ରତିଶତ (କ୍ରିଟିକାଲ୍ ମାସ) ଜନସାଧାରଣ ସହରର ମୌଳିକ ସୁବିଧା ପାଇ ପାରିଲେ ହିଁ ରୂପାନ୍ତରର ପ୍ରକୃତ ଲକ୍ଷ୍ୟ ସାଧିତ ହୋଇପାରିବ । ସହରାଞ୍ଚଳର ବିକାଶ ବୈଜ୍ଞାନିକ ଆଧାରରେ ହେବା ସହିତ ଅନ୍ତର୍ଭୁକ୍ତୀକରଣ ଓ ସାମଗ୍ରୀକ ବିକାଶକୁ ଗୁରୁତ୍ୱ ଦେବାର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ । ଓଡ଼ିଶାରେ ବଡ଼ ବଡ଼ କମ୍ପାନୀକୁ ସହରାଞ୍ଚଳ ବିକାଶରେ ନିୟୋଜିତ କରା ନ ଯାଇ ଗୋଷ୍ଠୀ ସହଭାଗିତାରେ କରାଯାଇଛି । ଏହା ହିଁ ଓଡ଼ିଶାର ରୂପାନ୍ତରଣର ବୈଶିଷ୍ଟ୍ୟ ।

କାର୍ଯ୍ୟକ୍ରମରେ ମନ୍ତ୍ରୀ ପଦ୍ମନାଭ ବେହେରା, ସୁଦାମ ମାର୍ଣ୍ଡି, ଅଶୋକ ପଣ୍ଡା, ତୁଷାରକାନ୍ତି ବେହେରା, ମୁଖ୍ୟ ଶାସନ ସଚିବ ଏବଂ ବିଭିନ୍ନ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ, ପ୍ରମୁଖ ସଚିବ ଓ ସଚିବମାନେ ଯୋଗ ଦେଇଥିଲେ ।

ଜୁନ୍ ୩୦ ସୁଦ୍ଧା ସମ୍ପତ୍ତି ତାଲିକା ଦେବେ ସରକାରୀ କର୍ମଚାରୀ, ନହେଲେ ନିଆଯିବ ବିଭାଗୀୟ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: ସରକାରୀ କମର୍ଚାରୀଙ୍କ ସମ୍ପତ୍ତି ତାଲିକା ପାଇଁ ଶେଷ ଡେଡଲାଇନ ଦେଲା ସାଧାରଣ ପ୍ରଶାସନ ବିଭାଗ । ୨୦୨୧ ଜାନୁଆରୀରୁ ଡିସେମ୍ବର ମଧ୍ୟରେ ନିଜର ସମ୍ପତ୍ତି ବିବରଣୀ ଜୁନ୍ ୩୦ ସୁଦ୍ଧା ଦେବାକୁ ସବୁ ବିଭାଗକୁ ଚିଠି ଲେଖା ଯାଇଛି । ଏହି ଅବଧି ମଧ୍ୟରେ ସମ୍ପତ୍ତି ତାଲିକା ନଦେଲେ ଏହା ବିଶୃଙ୍ଖଳା ବୋଲି ପରିଗଣିତ ହେବା ସହ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ନିଆଯିବ । ସରକାରଙ୍କ ସ୍ୱଚ୍ଛ ବ୍ୟବସ୍ଥାକୁ ସଚିବାଳୟ ସେବା ସଂଘ ସ୍ୱାଗତ କରିଥିବା ବେଳେ ସମ୍ପତ୍ତି ତାଲିକା ସାର୍ବଜନୀନ କରିବାର ସୁବ୍ୟବସ୍ଥା ଦାବି କରିଛନ୍ତି ।

Odisha Sets Deadline For Submit Property Details Of All Government Employees

ସ୍ୱଚ୍ଛତାକୁ ରାଜ୍ୟ ସରକାରଙ୍କ ପ୍ରାଥମିକତା । ସମ୍ପତ୍ତି ତାଲିକା ଦାଖଲ କରିବେ ସରକାରୀ କର୍ମଚାରୀ । ପୁଣି ଥରେ ଡେଡଲାଇନ୍ ଦେଲା ସାଧାରଣ ପ୍ରଶାସନ ବିଭାଗ । ପୂର୍ବରୁ ୩୧ ଜାନୁଆରୀ ୨୦୨୨ ଥିଲା ଡ଼େଡ଼ଲାଇନ୍ । ହେଲେ ଏହି ସମୟ ମଧ୍ୟରେ ସମ୍ପତ୍ତି ତାଲିକା ଦାଖଲ ନ ହେବାରୁ ପୁଣି ଥରେ ଏପ୍ରିଲ ୩୦ ପର୍ଯ୍ୟନ୍ତ ସମୟ ଦିଆଗଲା । ତଥାପି ଆଖିଦୃଶିଆ ସଫଳତା ମିଳିଲା ନାହିଁ । ଏବେ ପୁଣି ଥରେ ଡେଡଲାଇନ୍ ଦେଇଛି ସାଧାରଣ ପ୍ରଶାସନ ବିଭାଗ । ଜୁନ୍ ୩୦ ସୁଦ୍ଧା ଗ୍ରୁପ-ଏରୁ ଗ୍ରୁପ-ଡି କର୍ମଚାରୀମାନେ ସମ୍ପତ୍ତି ତାଲିକା ଦାଖଲ କରିବେ ।

Odisha Sets Deadline For Submit Property Details Of All Government Employees

ସରକାରୀ କମର୍ଚାରୀଙ୍କ ସମ୍ପତ୍ତି ତାଲିକା ସାର୍ବଜନୀନ କରିବାକୁ ଫେବ୍ରୁଆରୀ ୨୦୨୧ରେ ଓଡ଼ିଶା ଗଭର୍ଣ୍ଣମେଣ୍ଟ ସର୍ଭେଣ୍ଟସ’କଣ୍ଡକ୍ଟ ରୁଲରେ ସଂଶୋଧନ ହୋଇଥିଲା । ନିୟମ ଅନୁସାରେ ୨୦୨୧ ଜାନୁଆରୀରୁ ଡିସେମ୍ବର ମଧ୍ୟରେ ପ୍ରତ୍ୟେକ ସରକାରୀ କମର୍ଚାରୀ ସମ୍ପତ୍ତି ତାଲିକା ଏଚଆରଏମଏସ୍ ପୋର୍ଟାଲରେ ଅପଲୋଡ଼ କରିବେ । ସ୍ୱଚ୍ଛତା ପାଇଁ ସରକାରଙ୍କ ଏପରି ପଦକ୍ଷେପକୁ ଏହାକୁ ସଚିବାଳୟ କର୍ମଚାରୀ ସଂଘ ସ୍ୱାଗତ କରିଛି ।

Odisha Sets Deadline For Submit Property Details Of All Government Employees

ସରକାରୀ ବ୍ୟବସ୍ଥାରେ ପ୍ରଯୁକ୍ତି ବିଦ୍ୟାର ସଠିକ୍ ଉପଯୋଗ ହେଉଥିବାରୁ ରାଜ୍ୟର ପ୍ରତ୍ୟେକ ସରକାରୀ କମର୍ଚାରୀ ଏଚଆରଏମଏସ୍(HRMS) ପୋର୍ଟାଲ ମାଧ୍ୟମରେ ସବୁ କିଛି ଜାଣି ପାରୁଛନ୍ତି । ହେଲେ ଅନେକ କମର୍ଚାରୀ ଏବେ ବି ଏହାର ବ୍ୟବହାର କରିପାରୁନାହାନ୍ତି । ଏଣୁ ସଚେତନତା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଉଛି । ଜୁନ୍ ୩୦ ଡେଡଲାଇନ୍ ବାବଦରେ ଅଧିକ ପ୍ରଚାର କରିବାକୁ ଚିଠିରେ ଉଲ୍ଲେଖ କରିଛି ସାଧାରଣ ପ୍ରଶାସନ ବିଭାଗ । ରାଜ୍ୟ ସରକାରଙ୍କ 5T ଚାର୍ଟର ମାଧ୍ୟମରେ ସ୍ୱଚ୍ଛତା ବଜାୟ ରଖିବାକୁ ଉଦ୍ୟମ ହେଉଛି । ନିର୍ଦ୍ଦିଷ୍ଟ ସମୟରେ କର୍ମଚାରୀ ନିଜର ସମ୍ପତ୍ତି ତାଲିକା ଦେଲେ ସରକାରଙ୍କ ଭାବମୂର୍ତ୍ତି ଆହୁରି ଉପରକୁ ଉଠିବ ବୋଲି ବିଶେଷଜ୍ଞ କହିଛନ୍ତି ।

Odisha Sets Deadline For Submit Property Details Of All Government Employees

ସରକାରଙ୍କ ସବୁ ବିଭାଗୀୟ ମୁଖ୍ୟଙ୍କ ସହ ସବୁ ଜିଲ୍ଲାର ଜିଲ୍ଲାପାଳଙ୍କୁ ମଧ୍ୟ ଚିଠି ଜରିଆରେ ସମସ୍ତ ସରକାରୀ କମର୍ଚାରୀଙ୍କ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ବିବରଣୀ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।