spot_img
Home Blog Page 4207

ବିଧାନସଭାରେ ବିଭିନ୍ନ କମିଟିର ସମୀକ୍ଷା ବୈଠକ

 ଭୁବନେଶ୍ୱର: ବରିଷ୍ଠ ବିଧାୟକ ପ୍ରତାପ କେଶରୀ ଦେବଙ୍କ ଅଧ୍ୟକ୍ଷତାରେ ବିଧାନସଭା ଆକଳନ କମିଟିର ତୃତୀୟ ବୈଠକ ସୋମବାର ପୂର୍ବାହ୍ନରେ ବିଧାନସଭାର ୫୪ ନଂ ପ୍ରକୋଷ୍ଠରେ ଅନୁଷ୍ଠିତ ହୋଇଯାଇଛି । ବିଗତ ଦୁଇବର୍ଷ ମଧ୍ୟରେ ପୂର୍ତ୍ତ ଓ ଜଳସଂପଦ ବିଭାଗ ଦ୍ୱାରା ନିର୍ମିତ ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରିବା ସହିତ ଆଗାମୀ ଦିନରେ ନିର୍ମାଣ ହେବାକୁ ଥିବା ପ୍ରକଳ୍ପଗୁଡ଼ିକର ଅନୁଧ୍ୟାନ କରାଯାଇଛି ବୋଲି ଅଧ୍ୟକ୍ଷ ପ୍ରତାପ ଦେବ ପ୍ରକାଶ କରିଛନ୍ତି । ପର୍ଯ୍ୟାପ୍ତ ପରିମାଣରେ ଜଳସଂରକ୍ଷଣ କରାଯାଇପାରୁ ନଥିବାରୁ ଅନେକ ଜଳର ଉପଯୁକ୍ତ ବ୍ୟବହାର ହୋଇପାରୁନାହିଁ । ତେଣୁ ଆଧୁନିକ ବୈଷୟିକ ଜ୍ଞାନକୌଶଳ ବ୍ୟବହାର କରି ଜଳସଂରକ୍ଷଣ କରିବା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି ।

ଜଳସଂରକ୍ଷଣ ଓ ସେତୁ ନିର୍ମାଣ ସଂପର୍କିତ ବିଭିନ୍ନ ନିୟମରେ ସମୟାନୁଯାୟୀ ପରିବର୍ତ୍ତନ ଆସିବା ଦରକାର ବୋଲି ସେ କହିଛନ୍ତି । ପୂର୍ତ୍ତ ବିଭାଗ ଦ୍ୱାରା ନିର୍ମାଣାଧୀନ ବିଭିନ୍ନ ରାସ୍ତା, ସେତୁ, ବିଜୁ ଏକ୍ସପ୍ରେସ୍‌ ୱେ ଏବଂ ରାଜ୍ୟ ରାଜପଥ ସଂପ୍ରସାରଣ, ବିଭିନ୍ନ ବୃହତ୍‌ ଓ ମଧ୍ୟମ ଜଳସେଚନ ପ୍ରକଳ୍ପ, ମେଗା ଲିଫଫ ପଏଣ୍ଟ ଉପରେ ବିସ୍ତିର୍ଣ୍ଣ ଆଲୋଚନା ହୋଇଥିଲା । ଗ୍ରୀଷ୍ମ ଦିନରେ ଚାଷ କାର୍ଯ୍ୟ କରିବା ପାଇଁ ଜଳର ଆବଶ୍ୟକତାକୁ ଦୃଷ୍ଟିରେ ରଖି ୧୦୦ଟି ସେତୁ ସହ ବ୍ୟାରେଜ ନିର୍ମାଣର ପ୍ରସ୍ତାବ ଆଗତ ହୋଇଛି । ଏହାର କାର୍ଯ୍ୟ କେତେଦୂର ଅଗ୍ରସର ହେଲାଣି, ସେ ବିଷୟରେ ଅଧ୍ୟକ୍ଷ ଦେବ ତଥ୍ୟ ସଂଗ୍ରହ କରିଥିଲେ । ଅନେକ ସ୍ଥାନରେ ସୌରଜଳ ପ୍ରକଳ୍ପଗୁଡ଼ିକ ଏକ/ଦୁଇ ବର୍ଷ ମଧ୍ୟରେ ଅକାମୀ ହୋଇଯାଉଥିବାର ନଜିର ସାମ୍‌ନାକୁ ଆସୁଛି ।

ତେଣୁ ଏହି ପ୍ରକଳ୍ପଗୁଡ଼ିକୁ ଅଧିକ ପ୍ରୋତ୍ସାହିତ ନକରିବାକୁ ସଦସ୍ୟମାନେ ମତ ଦେଇଛନ୍ତି । ରାଜ୍ୟର ଆକାମୀ ମେଗା ଲିଫଫ ପଏଣ୍ଟଗୁଡ଼ିକୁ ତୁରନ୍ତ ମରାମତି କରିବା ପାଇଁ କମିଟି ନିର୍ଦ୍ଦେଶ ଦେଇଛି । ସେହିପରି ଅପରାହ୍ନରେ ବରିଷ୍ଠ ବିଧାୟକ ଭୂପିନ୍ଦର ସିଂହଙ୍କ ଅଧ୍ୟକ୍ଷତାରେ ବିଦ୍ୟାଳୟ ଓ ଗଣଶିକ୍ଷା, ଉଚ୍ଚଶିକ୍ଷା, କ୍ରୀଡ଼ା ଓ ଯୁବସେବା ବିଭାଗର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ଶିକ୍ଷାର ସାମଗ୍ରିକ ବିକାଶ ଉପରେ ରାଜ୍ୟ ସରକାର ସବୁବେଳେ ପ୍ରାଧାନ୍ୟ ଦେଇ ଆସିଛନ୍ତି । ଶିକ୍ଷା ବ୍ୟବସ୍ଥାକୁ ଅଧିକ କି୍ରୟାଶୀଳ କରିବା ପାଇଁ ୭୦୦୦ ଶିକ୍ଷକଙ୍କ ଆବଶ୍ୟକ ଥିଲା । ଆସନ୍ତା ଜୁନ ମାସ ମଧ୍ୟରେ ସେମାନଙ୍କୁ ନିଯୁକ୍ତି କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି ବୋଲି ଅଧ୍ୟକ୍ଷ ଶ୍ରୀ ସିଂହ ପ୍ରକାଶ କରିଛନ୍ତି । ଏହା ସହିତ ୨୪ଟି ମାଧ୍ୟମିକ ବିଦ୍ୟାଳୟକୁ ସ୍ୱୀକୃତି ପ୍ରଦାନ କରିଥିବାବେଳେ ୬୩୯ ଜଣ ବେସରକାରୀ ମହାବିଦ୍ୟାଳୟର ଅଧ୍ୟାପକଙ୍କୁ ସରକାର ନିଯୁକ୍ତି ଦେଇଛନ୍ତି । ଜୁନ ମାସରେ ୨୬୮ ଜଣ ରାଜନୀତି ବିଜ୍ଞାନ ଓ ଇଂରାଜୀ ଅଧ୍ୟାପକଙ୍କୁ ନିଯୁକ୍ତି ଦେବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଏଥିପାଇଁ କମିଟି ସଂପୃକ୍ତ ବିଭାଗ ଏବଂ ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକଙ୍କୁ ସାଧୁବାଦ ଜ୍ଞାପନ କରିଛନ୍ତି ।

 

ତାଇୱାନ ଉପରେ ଆକ୍ରମଣ ହେଲେ ମୁହଁତୋଡ଼ ଜବାବ : ବାଇଡେନ୍

ନୂଆଦିଲ୍ଲୀ: ତାଇଓ୍ୱାନ ପ୍ରସଙ୍ଗରେ ପୁଣି ଥରେ ମୁହାଁମୁହିଁ ହୋଇଛନ୍ତି ଆମେରିକା ଓ ଚୀନ । ତାଇଓ୍ୱାନକୁ ଅଧିକାର କରିବାକୁ ଚୀନ ଉଦ୍ୟମ କଲେ ଆମେରିକା ତାହାର ପ୍ରତିରୋଧ କରିବ ବୋଲି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଚେତାଇ ଦେଇଛନ୍ତି । ଯାହାର ତୀବ୍ର ବିରୋଧ କରିଛି ଚୀନ । ଚୀନକୁ ହେୟଜ୍ଞାନ କରିବାର ଭୁଲ  କରାଯିବା ଉଚିତ ନୁହେଁ ବୋଲି ଚୀନ କହିଛି ।

ବାଇଡେନର ବୟାନର ଜବାବ ଦେଇ ଚୀନ ବୈଦେଶିକ ବ୍ୟାପାର ମନ୍ତ୍ରୀ ୟାଙ୍ଗ ଇ କହିଛନ୍ତି ଯେ, ଚୀନ ନିଜର ସାର୍ବଭୌମତ୍ୱ ଓ ଅଖଣ୍ଡତାକୁ ନେଇ କୌଣସି ସାଲିସ କରିବ ନାହିଁ । ଚୀନ ଲୋକଙ୍କ ପ୍ରତିବଦ୍ଧତାକୁ ନେଇ କୌଣସି ଦେଶ ହେୟଜ୍ଞାନ କରିବା ଉଚିତ ନୁହେଁ ବୋଲି ସେ କହିଛନ୍ତି ।

ଏହା ପୂର୍ବରୁ ବାଇଡେନ କହିଥିଲେ ଯେ ଚୀନ ଯଦି ତାଇଓ୍ୱାନକୁ ଅଧିକାର କରିବାକୁ ଉଦ୍ୟମ କରେ ତେବେ ଆମେରିକାର ସେନା ତାଇଓ୍ୱାନ ସେନାକୁ ସହାୟତା କରିବ ।

ସୂଚନାଯୋଗ୍ୟ ଯେ, ଜଣେ ଚୀନ ମିଲିଟାରୀ ଅଫିସରଙ୍କ ଏକ ଲିକ୍ ଅଡିଓ ଲିକ୍‌ ହୋଇଛି । ଅଡିଓରେ ଚୀନର ଟପ୍ ମିଲିଟାରୀ ଅଫିସରଙ୍କୁ ତାଇବାନ ବିପକ୍ଷ ଯୁଦ୍ଧ ନେଇ ରଣନୀତି ସମ୍ପର୍କରେ କହୁଥିବା ଶୁଣିବାକୁ ମିଳିଛି ।

ରିପୋର୍ଟ ଅନୁଯାୟୀ ଅଡିଓ କ୍ଳିପଟି ୫୭ ମିନଟର  । ଏଥିରେ ଚୀନର ଟପ୍ ଓ୍ୱାର ଜେନେରାଲ ତାଇୱାନରେ କିଭଳି ଯୁଦ୍ଧ ଆରମ୍ଭ କରାଯିବ ଏବଂ ଆଗକୁ ବଢ଼ାଯିବ ସେ ନେଇ ଆଲୋଚନା ହୋଇଛି । ଅଡିଓରୁ ଜଣାପଡ଼ୁଛି ଯେ, ଚୀନର ପିପଲ୍ସ ଲିବରେସନ୍ ଆର୍ମି ସ୍ଥଳପଥର ଆକ୍ରମଣ ନେଇ ଯୋଜନା କରୁଛି । ସାଇବର ଆକ୍ରମଣ ଏବଂ ଅନ୍ତରୀକ୍ଷରେ ଥିବା ହତିଆରର ବ୍ୟବହାର ନେଇ ମଧ୍ୟ ରଣନୀତିର ଅନ୍ତର୍ଭୁକ୍ତ । ଏହା ବ୍ୟତୀତ ସାରା ବିଶ୍ୱର ବିଭିନ୍ନ ସଂସ୍ଥାରେ ଚୀନ ନିଜ ନାଗରିକଙ୍କୁ ଭର୍ତ୍ତି କରିଥିବା ବେଳେ ସେମାନଙ୍କୁ ସକ୍ରିୟ କରିବା ନେଇ ମଧ୍ୟ ଯୋଜନା ହେଉଛି ।

ସାମାଜିକ କର୍ମୀ ଜେନିଫର ଝୋଗଂ ଟ୍ୱିଟ୍‌ କରି ଦାବି କରିଛନ୍ତି ଯେ, ପ୍ରଥମଥର ପାଇଁ ଚୀନରେ ଜେନେରାଲସ୍ତରରେ ଟପ୍ ସିକ୍ରେଟ ମିଟିଂକୁ ରେକର୍ଡିଂ କରି ଲିକ୍ କରାଯାଇଛି । ଏଥିଲାଗି ଜଣେ ଲେଫ୍ଟନାଣ୍ଟ ଜେନେରାଲ ଏବଂ ତିନ ମେଜର ଜେନରାଲଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଛି । ବହୁ ଅନ୍ୟ ଅଧିକାରୀଙ୍କୁ ଜେଲ୍ ପଠାଇ ଦିଆଯାଇଛି । ତେବେ ଏଭଳି ଅଡିଓ ଲିକ୍‌ କରିବା, ଚୀନରେ କ୍ଷମତାସୀନ କମ୍ୟୁନିଷ୍ଟ ପାର୍ଟି ସିପିସିରେ ବିଦ୍ରୋହର ସବୁଠାରୁ ବଡ଼ ପ୍ରମାଣ ବୋଲି କୁହାଯାଉଛି ।

ଦାବି କରାଯାଉଛି ଯେ, ଏହି ବୈଠକ ୧୪ ମଇରେ ହୋଇଥିଲା । ଏହାର ଅଡିଓ ପ୍ରଥମ ଥର ପାଇଁ ଲ୍ୟୁଡ୍ ମିଡିଆ ଲିକ୍ କରିଥିଲା । ଲ୍ୟୁଡ୍ ମିଡିଆର କହିବା ହେଲା ଯେ,ଏହି ଅଡିଓ ସିପିସିର ଏକ ବଡ଼ ଅଧିକାରୀ ଲିକ୍ କରିଛନ୍ତି । ଯିଏ ତାଇୱାନକୁ ନେଇ ଜିନ୍ ପିଙ୍ଗ୍‌ଙ୍କ ଉଦ୍ଦେଶ୍ୟକୁ ଉଜାଗର କରିବାକୁ ଚାହୁଁଛନ୍ତି । ଅଡିଓରେ ହୋଇଥିବା କଥାବାର୍ତ୍ତାରୁ ଅନୁମାନ କରାଯାଉଛି ଯେ, ଏହି ବୈଠକରେ ରାଜନୈତିକ ନେତୃତ୍ୱ ବ୍ୟତୀତ, ପାର୍ଟି ସେକ୍ରେଟାରୀ, ଡେପୁଟୀ ସେକ୍ରେଟାରୀ, ଗଭର୍ଣ୍ଣର ଏବଂ ଭାଇସ୍ ଗଭର୍ଣ୍ଣର ମଧ୍ୟ ଉପସ୍ଥିତ ଥିଲେ ।

ଏହି ଅଡିଓ ଏଭଳି ସମୟରେ ଆସିଛି ଯେତେବେଳେ ତାଇୱାନରେ ଚୀନ ସେନାର ଅନୁପ୍ରବେଶକାରୀଙ୍କ ସଂଖ୍ୟା ଖୁବ ବଢ଼ିଯାଇଛି । ଏକ ରିପୋର୍ଟ ଅନୁସାରେ ମଇ ମାସରେ  ତାଇଓ୍ୱାନ ଏୟାରସ୍ପେଶରେ ଚୀନ ୬୮ ମିଲିଟାରୀ ଏୟାରକ୍ରାଫ୍ଟ ପଠାଇସାରିଛି । ଏମାନଙ୍କ ମଧ୍ୟରେ ୩୦ ଫାଇଟର ଜେଟ୍, ୧୯ ପ୍ଳେନ୍, ୯ହେଲିକପ୍ଟର ସାମିଲ ।  ଯାହା ତାଇୱାନ ବିପକ୍ଷରେ ଚୀନ ଯୁଦ୍ଧ ରଣନୀତି ପ୍ରସ୍ତୁତ କରୁଥିବା ସନ୍ଦେହକୁ ସୁଦୃଢ଼ କରୁଛି ।  ତାଇୱାନ ଚୀନର ଦକ୍ଷିଣ ପୂର୍ବ ତଟଠାରୁ ପାଖାପାଖି ୧୦୦ ମାଇଲ ଦୂରରେ ଅବସ୍ଥିତ । ସେ ନିଜକୁ ଏକ ସ୍ୱାଧୀନ ଦେଶ ଭାବେ ବିବେଚିତ କରେ । ଯେତେବେଳେ କି ଚୀନ ଏହାକୁ ନିଜ ପ୍ରଦେଶ ଭାବେ ବିବେଚିତ କରେ । ଏବଂ ଏହାକୁ ପୁଣି ଚୀନରେ ସାମିଲ କରିବାକୁ ଲକ୍ଷ୍ୟ ରଖିଛି ।

୨୦କୋଟି କୋଭିଡ ଟିକାର ଡୋଜ୍ ନଷ୍ଟ କରିବାକୁ ବିଚାର କରୁଛି ସେରମ୍ ଇନ୍‌ଷ୍ଟିଚ୍ୟୁଟ୍

ନୂଆଦିଲ୍ଲୀ: କୋଭିଡ ଟିକା ନଷ୍ଟ କରିପାରେ ସେରମ୍ ଇନ୍‌ଷ୍ଟିଚ୍ୟୁଟ୍ । ଦେଶର ଏହି ସବୁଠାରୁ ବଡ଼ ଟିକା ନିର୍ମାଣକାରୀ କମ୍ପାନୀ ଏବେ ପ୍ରାୟ ୨୦କୋଟି କୋଭିଡ ଡୋଜ୍ ନଷ୍ଟ କରିବା ନେଇ ବିଚାର କରୁଛି । କାରଣ ଦେଶରେ ଟିକାର ଚାହିଦା କମିଥିବା ବେଳେ ପ୍ରଚୁର ମାତ୍ରାରେ କରୋନା ଟିକା ମହଜୁଦ ରହିଛି  । ଅଗଷ୍ଟ-ସେପ୍ଟମ୍ୱର ମାସ ବେଳକୁ ଏହି ସବୁ ଟିକାର ଏକ୍ସପାଏରୀ ସରୁଥିବା ବେଳେ ଏହାକୁ ନଷ୍ଟ କରିବାକୁ ପଡ଼ିପାରେ ।

ମାତ୍ର ବର୍ଷକ ତଳେ ଭାରତରେ କୋଭିଡ୍ ଟିକାର ଗୁରୁତର ଅଭାବ ଦେଖାଦେଇଥିଲା । ଗୋଟିଏ ଡୋଜ୍ ଟିକା ନେବାକୁ ଲୋକମାନଙ୍କୁ ଅନେକ ଦିନ ଧରି ଅପେକ୍ଷା କରିବାକୁ ପଡ଼ୁଥିଲା । କିନ୍ତୁ ଏବେ ପରିସ୍ଥିତି ବଦଳି ଯାଇଛି । ଦେଶରେ ଏବେ ପ୍ରଚୁର ଟିକା ମହଜୁଦ ହୋଇ ରହିଛି, କିନ୍ତୁ ଚାହିଦା କମିଯାଇଛି ।

ଦେଶର ସବୁଠ ବଡ଼ ଟିକା କମ୍ପାନି ସେରମ ଇନଷ୍ଟିଚ୍ୟୁଟର ମୁଖ୍ୟ ଅଦର ପୁନାଓ୍ୱାଲା କହିଛନ୍ତି ଯେ, ତାଙ୍କ କମ୍ପାନୀ ପ୍ରାୟ ୨୦ କୋଟି ଡୋଜ୍ କୋଭିଡ୍ ଟିକା ନଷ୍ଟ କରିବାକୁ ବିଚାର କରୁଛି । କାରଣ ଦେଶରେ କୋଭିଡ ଟିକାର ଚାହିଦା କମିଥିବାବେଳେ ପ୍ରଚୁର ପରିମାଣରେ ଟିକା ମହଜୁଦ ରହିଛି । ଏସବୁ ଟିକାକୁ ନଷ୍ଟ କରାଯିବ କାରଣ ସେଗୁଡ଼ିକର ଏକ୍ସପାରି ତାରିଖ ଆସନ୍ତା ଅଗଷ୍ଟ-ସେପ୍ଟେମ୍ବର ମାସ ରେ ପଡ଼ିବ ।

ଡାଭୋସଠାରେ ଅନୁଷ୍ଠିତ ହେଉଥିବା ଓ୍ୱାର୍ଲ୍ଡ ଇକୋନୋମିକ ଫୋରମ ଅବସରରେ ସେ କହିଛନ୍ତି, ବିଶ୍ୱରେ ପରବର୍ତ୍ତୀ ମହାମାରୀର ମୁକାବିଲା ପାଇଁ ଏକ ଅନ୍ତର୍ଜାତୀୟ ମହାମାରୀ ରାଜିନାମାର ଆବଶ୍ୟକତା ରହିଛି । ଏପରି ହେଲେ ଆମେ ସହଜରେ ମହାମାରୀର ମୁକାବିଲା କରିପାରିବା ।

ଏଥିସହିତ ପଢ଼ନ୍ତୁ: ଜ୍ଞାନବାପି ମାମଲାରେ ରାୟ ସଂରକ୍ଷିତ ରଖିଲେ ବାରାଣସୀ କୋର୍ଟ

ଜମି ଦେଉନି ପ୍ରଶାସନ, ପ୍ରତିବାଦରେ ଚମ୍ପୁଆ ବନ୍ଦ

କେନ୍ଦୁଝର: ଆଜିଠୁ ୩ଦିନ ପାଇଁ ଚମ୍ପୁଆ ବନ୍ଦ । ଦୋକାନ ବଜାର ସହିତ ଯାନବାହନ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଛି । କେନ୍ଦ୍ରୀୟ ବିଦ୍ୟାଳୟ ପାଇଁ ପ୍ରଶାସନ ଜମି ଯୋଗାଇ ନଦେବା ପ୍ରତିବାଦରେ ବନ୍ଦ ଡାକରା ଦେଇଛି ଚମ୍ପୁଆ ବିକାଶ ପରିଷଦ । ଫଳରେ ଆଜି ସକାଳୁ ଚମ୍ପୁଆ ସମେତ ଝାଡ଼ଖଣ୍ଡ ଓ ଓଡ଼ିଶା ସୀମାରେ ମଧ୍ୟ ଗାଡ଼ି ଚଳାଚଳ ବନ୍ଦ ରହିଛି । ଏହା ସମସ୍ତ ଦୋକାନ ବଜାର ମଧ୍ୟ ବନ୍ଦ ରଖାଯାଇଛି ।

ଚମ୍ପୁଆରେ ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ, ଶିକ୍ଷାନୁଷ୍ଠାନ, କୋର୍ଟ ଆଦି ବନ୍ଦ ରହିଛି । ଏହି ବନ୍ଦ ଆଗାମୀ ୩ ଦିନ ଯାଏ ଆନ୍ଦୋଳନ ଜାରି ରହିବ ବୋଲି ସୂଚନା ଦେଇଛି ଚମ୍ପୁଆ ବିକାଶ ପରିଷଦ । କେବଳ ଡାକ୍ତରଖାନା ଓ ଅନ୍ୟାନ୍ୟ ଜରୁରୀକାଳିନ ଯାତାୟତ ଓ ଅନୁଷ୍ଠାନ ଖୋଲାରହିଛି । ସେପଟେ ଜମି ଯୋଗାଇନଦେବା ପ୍ରସଙ୍ଗରେ ପ୍ରଶାସନର ପ୍ରତିକ୍ରିୟା ମିଳିପାରିନାହିଁ  ।

ପିସିସି ସଭାପତି ହେବା ପରେ ଶରତଙ୍କ ପ୍ରତିକ୍ରିୟା, ସବୁଠି ସକ୍ରୀୟ ହେବେ କଂଗ୍ରେସ କର୍ମୀ

ଭୁବନେଶ୍ୱର: ନୂତନ ପିସିସି ସଭାପତି ଭାବେ ନାଁ ଘୋଷଣା ହେବା ପ୍ରତିକ୍ରିୟା ରଖିଛନ୍ତି ଶରତ ପଟ୍ଟନାୟକ  । କଂଗ୍ରେସର ନୂତନ ରୋଡ ମ୍ୟାପ ପ୍ରସ୍ତୁତ କରାଯିବ  ।  ସମସ୍ତଙ୍କୁ ସାଙ୍ଗରେ ନେଇ କାମ କରାଯିବ । ଗାଁରୁ ଭୁବନେଶ୍ୱର ସମସ୍ତ କର୍ମୀଙ୍କୁ ସାଥିରେ ନେଇ କାର୍ଯ୍ୟ କରାଯିବ । ୨୦୨୪ରେ କଂଗ୍ରେସ ସଂଗଠନକୁ ଚଳଚଞ୍ଚଳ କରିବା ସହ ହାଇକମାଣ୍ଡଙ୍କ ନିର୍ଦ୍ଦେଶ ଅନୁସାରେ ନିର୍ବାଚନ ରଣନୀତି ପ୍ରସ୍ତୁତ କରିଯିବ ବୋଲି କହିଛନ୍ତି ଶରତ ପଟ୍ଟନାୟକ ।

ସୋମବାର ଏଆଇସିସି ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି  ।  ନୂଚନ ଭାବେ ଓଡିଶା ପିସିସି ସଭାପତି ଭାବେ ଶରତ ପଟ୍ଟନାୟକଙ୍କୁ ଦାୟିତ୍ୱ ଦେଇଛି ଦଳ । ୧୮ ବର୍ଷ ପରେ ପୁଣି ହାଇକମାଣ୍ଡ ତାଙ୍କୁ ଓଡ଼ିଶା ପିସିସି ମଙ୍ଗୁଆଳ କରିଛନ୍ତି । ବିଧିବଦ୍ଧ ଭାବେ ଦ୍ୱିତୀୟ ଥର ପାଇଁ ଶରତ ପଟ୍ଟନାୟକଙ୍କୁ ପିସିସି ସଭାପତି ଭାବେ ନିଯୁକ୍ତି ଦେଇଛି ଏଆଇସିସି । ପୂର୍ବରୁ ୨୦୦୧ରୁ ୨୦୦୪ ପର୍ଯ୍ୟନ୍ତ ପିସିସି ସଭାପତି ଦାୟିତ୍ୱ  ତୁଲାଇ ସାରିଛନ୍ତି ଶରତ ପଟ୍ଟନାୟକ ।

ପୂର୍ବରୁ ଯୁବ କଂଗ୍ରେସର ସଭାପତି ହେବା ସହ ଜାତୀୟ ପ୍ରଚାର କମିଟିର ସଦସ୍ୟ ଭାବେ ଦାୟିତ୍ୱ ତୁଲାଇ ସାରିଛନ୍ତି ଶରତ । ଦୁଇଥର ସାଂସଦ ଭାବେ ନିର୍ବାଚିତ ମଧ୍ୟ ହୋଇଥିଲେ । 1991ରୁ 1996 ସେ ବଲାଙ୍ଗୀରରୁ ସାଂସଦ ଓ ୧୯୯୬ରୁ ୯୮ ପର୍ଯ୍ୟନ୍ତ ଦ୍ୱିତୀୟ ଥର ପାଇଁ ସାଂସଦ ନିର୍ବାଚିତ ହୋଇଥିଲେ । କଂଗ୍ରେସକୁ ସୁଦୃଢ କରିବା ସହ ଆଗାମୀ ଦିନରେ ରାଜ୍ୟରେ ଦଳ ବିଜେଡି ସହ ପ୍ରତିଦ୍ୱନ୍ଦିତା କରିବା ବୋଲି ନନ୍ଦିଘୋଷ ଟିଭିକୁ ପ୍ରତିକ୍ରିୟା ଦେଇଛନ୍ତି ଶରତ ପଟ୍ଟନାୟକ  ।

 

ଗୋବର୍ଦ୍ଧନ ପୀଠରେ ପରିଚାଳନା କମିଟି, ଶଙ୍କରାଚାର୍ଯ୍ୟଙ୍କୁ ଭେଟିଲେ ଗଜପତି

ପୁରୀ: ଶ୍ରୀମନ୍ଦିର ପରିଚାଳନା କମିଟି ଗୋବର୍ଦ୍ଧନ ପୀଠରେ ପହଁଚି ଜଗତଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀଙ୍କୁ ସାକ୍ଷାତ କରିଛନ୍ତି  । ପୁରୀ ଗୋବର୍ଦ୍ଧନ ପୀଠରେ ଶ୍ରୀମନ୍ଦିର ପରିଚାଳନା କମିଟି ପହଁଚି ଶଙ୍କରାଚାର୍ଯ୍ୟଙ୍କୁ ଭେଟିଛି । ଗଜପତିଙ୍କ ସମେତ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ପୁରୀ ଜିଲ୍ଲାପାଳ, ଏସପି ଓ କମିଟିର ସେବାୟତ ପ୍ରତିନିଧି ଉପସ୍ଥିତ ଅଛନ୍ତି । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସଂପର୍କରେ କମିଟି ପକ୍ଷରୁ ଶଙ୍କରାଚାର୍ଯ୍ୟଙ୍କୁ ଅବଗତ କରାଇବା ସହ ପରାମର୍ଶ ଗ୍ରହଣ କରାଯାଉଛି ।

ସେପଟେ ପରିକ୍ରମା ପ୍ରକଳ୍ପ  ଶୀଘ୍ର ଶେଷ କରିବାକୁ ଶ୍ରୀମନ୍ଦିର ସେବାୟତ ହାଇକୋର୍ଟ ଯାଇଛନ୍ତି । ଏନେଇ ରାଜ୍ୟ ସରକାର ଓ ଏଏସଆଇଙ୍କୁ ନିର୍ଦ୍ଦେଶ ଦେବା ପାଇଁ ହାଇକୋର୍ଟରେ ରିଟ୍ ପିଟିସନ୍ ଦାଏର କରିଛନ୍ତି ଶ୍ରୀମନ୍ଦିର ସେବାୟତ । ଯଥାଶୀଘ୍ର ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ସମସ୍ତ ସୁବିଧା ଓ ଉପଯୋଗୀ କାର୍ଯ୍ୟ ସାରିବାକୁ ସେବାୟତ ଆବେଦନ କରିଛନ୍ତି । ବିଶେଷ କରି ସେବାୟତ ଓ ଶ୍ରଦ୍ଧାଳୁଙ୍କ ପାଇଁ ଉଦ୍ଦିଷ୍ଟ ବିକାଶମୂଳକ କାମ ଶୀଘ୍ର ସାରିବାକୁ ଦାବି କରିଛନ୍ତି । କିଛି ମୁଷ୍ଟିମେୟ ବ୍ୟକ୍ତି ଓ ରାଜନୈତିକ ଦଳ ଏହି ବିକାଶମୂଳକ କାର୍ଯ୍ୟରେ ବାଧା ସୃଷ୍ଟି କରୁଥିବା ସେମାନେ କହିଛନ୍ତି ।  ତେଣୁ ହାଇକୋର୍ଟ ଏଥିରେ ହସ୍ତକ୍ଷେପ କରି ବିକାଶ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ସେବାୟତ ନିବେଦନ କରିଛନ୍ତି।

ଭାରତ ସମେତ ୧୫ ଦେଶର ବିମାନ ଯାତ୍ରୀଙ୍କ ପାଇଁ କଟକଣା ଜାରି କଲା ସାଉଦି ଆରବ

ନୂଆଦିଲ୍ଲୀ: ପୁଣି କଡ଼ ଲେଉଟାଇଛି କରୋନା । ଏହାକୁ ନଜରରେ ରଖି ବିମାନ ଯାତ୍ରୀଙ୍କ ନେଇ କଟକଣା ଜାରି କରିଛି ସାଉଦି ଆରବ । ଭାରତ ସମେତ ଅନ୍ୟ କିଛି ଦେଶରୁ ଫେରୁଥିବା ନାଗରିକଙ୍କ ଉପରେ କଟକଣା ଜାରି କରିଛି ସାଉଦି ଆରବ । କଟକଣା ଲାଗୁ ହୋଇଥିବା ଦେଶ ଗୁଡ଼ିକ ହେଲା  ଭାରତ, ଲେବାନନ୍, ସିରିୟା, ଇରାନ, ଆଫଗାନିସ୍ତାନ, ୟେମନ, ସୋମାଲିଆ, ଇଥୋପିଆ, ଡେମୋକ୍ରାଟିକ୍ ରିପବ୍ଳିକ୍‌ ଅଫ୍ କଙ୍ଗୋ, ଲିବିୟା, ଇଣ୍ଡୋନେସିଆ, ଭିଏତନାମ, ଆର୍ମେନିଆ, ବେଲାଋଷ ଏବଂ ଭେନଜୁଏଲା ।

ଏହା ସହିତ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ, ଗଲ୍ଫ ଦେଶଗୁଡ଼ିକରେ ମଙ୍କି ପକ୍ସର କୌଣସି ରୋଗୀ ଚିହ୍ନଟ ହୋଇନାହାନ୍ତି । ଯଦି ଏହି ଦେଶମାନଙ୍କରୁ କୌଣସି ରୋଗୀ ଚିହ୍ନଟ ହୋଇଥାଆନ୍ତି, ତାହାର ସଂଖ୍ୟା ବହୁତ କମ୍ ।  ୟୁରୋପରେ ୧୦୦ ମଙ୍କି ପକ୍ସ ମାମଲା ଚିହ୍ନଟ ହେବା ପରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏକ ଜରୁରୀକାଳୀନ ବୈଠକ ଡକାଇଛି । ଉଲ୍ଲେଖଯୋଗ୍ୟ, ୧୧ଟି ଦେଶରେ ସମୁଦାୟ ୮୦ଟି ‘ମଙ୍କିପକ୍ସ୍‌’ ସଂକ୍ରମଣ ଚିହ୍ନଟ ହୋଇଥିବା କଥା ‘ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ’ ସୁନିଶ୍ଚିତ କରି କହିଛି। ଏହି ସଂକ୍ରମଣର ବ୍ୟାପ୍ତି ଓ କାରଣ ସଂକ୍ରାନ୍ତରେ ଅଧିକ ବୁଝିବା ଲାଗି ଉଦ୍ୟମ ଚାଲିଛି ବୋଲି ସେମାନେ କହିଛନ୍ତି।

ଏଥିସହିତ ପଢ଼ନ୍ତୁ: ଜ୍ଞାନବାପି ମାମଲାରେ ରାୟ ସଂରକ୍ଷିତ ରଖିଲେ ବାରାଣସୀ କୋର୍ଟ

‘ପିସିସି ସଭାପତି ଭାବେ ଦାୟିତ୍ୱ ନିଭାଇବା ମୋ ପାଇଁ ଗର୍ବ’

ଭୁବନେଶ୍ୱର: ନୂତନ ସଭାପତି ଶରତ ପଟ୍ଟନାୟକଙ୍କୁ ଶୁଭେଛା ଜଣାଇଲେ ପୂର୍ବତନ ପିସିସ ସଭାପତି ନିରଞ୍ଜନ ପଟ୍ଟନାୟକ  । ପୂର୍ବରୁ ଓଡିଶା କଂଗ୍ରେସର ଦାୟିତ୍ୱ ଦେଇଥିବାରୁ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ନିରଞ୍ଜନ ପଟ୍ଟନାୟକ  । ଓଡ଼ିଶା କଂଗ୍ରେସର ଅଧ୍ୟକ୍ଷ ଭାବେ କଂଗ୍ରେସ ଦଳର ସେବା କରିବା ମୋ ପାଇଁ ଗର୍ବ ଓ ଗୌରବର ବିଷୟ ଅଟେ ।
ଶରତ ପଟ୍ଟନାୟକଙ୍କୁ ସଭାପତି ଦାୟିତ୍ୱ ମିଳିବା ପରେ ପୂର୍ବତନ ପିସିସି ସଭାପତି ନିରଂଜନ ପଟ୍ଟନାୟକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ଏହାସହ ଆଶାପ୍ରକାଶ କରିଛନ୍ତି ଶରତ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡ଼ିଶା କଂଗ୍ରେସ ନିଶ୍ଚିତ ଭଲ ପ୍ରଦର୍ଶନ କରିବ । ଶରତ ପଟ୍ଟନାୟକଙ୍କୁ ସେ ସବୁବେଳେ ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ପିସିସି ସଭାପତି ଦାୟିତ୍ବ ନେବା ତାଙ୍କ ପାଇଁ ଏକ ଗୌରବର କଥା ଥିଲା । ତାଙ୍କ ଉପରେ ବିଶ୍ୱାସ ରଖି ଦାୟିତ୍ୱ ଦେଇଥିବାରୁ ସେ ଏଆଇସିସି ସଭାନେତ୍ରୀ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଓ ସହଯୋଗ ହାତ ବଢାଇଥିବା ଓଡ଼ିଶା ପ୍ରଭାରୀ ଚେଲା କୁମାର ଓ କେସି ବେଣି ଗୋପାଲଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
ଏଥି ସହିତ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ କର୍ମୀଙ୍କୁ ଏକାଠି ହେବାକୁ ଅନୁରୋଧ କରିଛନ୍ତି ନିରଞ୍ଜନ ପଟ୍ଟନାୟକ  । କେନ୍ଦ୍ର ସରକାରଙ୍କ ଜନମାରଣା ନୀତି ବିରୋଧରେ ସ୍ୱର ଉଠାଇବା ଦରକାର  । କଂଗ୍ରେସର ବିଚାରଧାରାକୁ ମଧ୍ୟ ସାଧାରଣ ଲୋକଙ୍କ ପାଖରେ ପହଁଚାଇବାର ଆବଶ୍ୟତା ରହିଛି, ତେବେ ଯାଇଁ ଦଳ ଆଗକୁ ବଢିବ ବୋଲି କହିଛନ୍ତି ନିରଞ୍ଜନ  । ଏଥି ସହିତ ନିରଞ୍ଜନ ପ୍ରକାଶ କରିଛନ୍ତି ଯେ, ମୁଁ ଆଗରୁ ପିସିସ ସବାପତି ପଦରୁ ଅବ୍ୟାହତି ନେବାକୁ ଚାହୁଁଥିଲି  । ସାଦାରଣ ନିର୍ବାଚନ ପରେ ପରେ ପସିସି ପଦରୁ ଇସ୍ତଫା ପ୍ରଦାନ କରିଥିଲି  । କିନ୍ତୁ କେନ୍ଦ୍ରୀୟ ନେତୃତ୍ୱ ମୋହର ମାରିନଥିଲେ  । ମୋ ସ୍ୱାସ୍ଥ୍ୟ ଠିକ ନଥିବାରୁ ପୁନର୍ବାର ମୁଁ ସୋନିଆ ଗାନ୍ଧାଙ୍କୁ ଭେଟି ମୋତେ ଅବ୍ୟାହତି ଦେବାକୁ ଅନୁରୋଧ କରିଥିଲି  । ଦଳ ତାହାକୁ ବର୍ତ୍ତମାନ କାର୍ଯ୍ୟକ୍ଷମ କରିଥିବାରୁ ଆନନ୍ଦିତ ବୋଲି କହିଛନ୍ତି  ।
ପିସିସି ପଦବୀରୁ ଯାଇଛନ୍ତି କିନ୍ତୁ ଦଳ ପାଇଁ ଯେକୌଣସି ମୂହୂର୍ତ୍ତରେ ସେ ଠିଆ ହେବାକୁ କହିଛନ୍ତି   । ଶକ୍ତି ଥିବା ପର୍ଯ୍ୟନ୍ତ ଦଳ ପାଇଁ କାର୍ଯ୍ୟ କରିବି ବୋଲି କହିଛନ୍ତି ନିରଞ୍ଜନ  । ଏଥି ସହିତ ସେ କହିଛନ୍ତି ଶରତ ପଟ୍ଟନାୟକ ମୋ ଠାରୁ ବୟସରେ କମ୍  । ତାଙ୍କ ପାଖରେ ପୂର୍ବରୁ ମଧ୍ୟ ପିସିସ ସଭାପତିର ଅଭିଜ୍ଞତା ରହିଛି  । ଦଳକୁ ଆଗାମୀ ଦିନରେ ମଜଭୁତ କରିବାରେ ସେ ପ୍ରୟାସ କରିବେ ବୋଲି ମଧ୍ୟ ଆଶା ପ୍ରକଟ କରିଛନ୍ତି ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟାନାୟକ  ।

ଜ୍ଞାନବାପି ମାମଲାରେ ରାୟ ସଂରକ୍ଷିତ ରଖିଲେ ବାରାଣସୀ କୋର୍ଟ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଜ୍ଞାନବାପି ମାମଲାର ଆଜି ବାରାଣସୀ କୋର୍ଟର ବରିଷ୍ଠ ବିଚାରପତି ମାମଲାର ଶୁଣାଣି କରିଛନ୍ତି । ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ ମାମଲାର ରାୟ ସଂରକ୍ଷିତ ରଖିଛନ୍ତି ମାନ୍ୟବର କୋର୍ଟ । ଆସନ୍ତାକାଲି ମଇ ୨୪ ଅପରାହ୍ନ ୨ଟା ପର୍ଯ୍ୟନ୍ତ କୋର୍ଟ ତାଙ୍କ ରାୟ ସଂରକ୍ଷିତ ରଖିଛନ୍ତି । ଆସନ୍ତାକାଲି କେଉଁଠାରୁ ଶୁଣାଣି ଆରମ୍ଭ ହେବ ସେ ସଂକ୍ରାନ୍ତରେ ରାୟ ଦେବେ ।

ସୋମବାର ଏହି ମାମଲାରେ ୩ଟି ଆବେଦନର ଶୁଣାଣି ହୋଇଥିଲା। ସେଥିମଧ୍ୟରୁ ୨ଟି ଆବେଦନ ହିନ୍ଦୁ ପକ୍ଷର ହୋଇଥିବା ବେଳେ ଗୋଟିଏ ଆବେଦନ ମସ୍‌ଜିଦ କମିଟିର ଥିଲା। ଆଜି ପାଖାପାଖି ୪୫ ମିନିଟ୍ ପର୍ଯ୍ୟନ୍ତ ଶୁଣାଣି ହୋଇଥିବା ବେଳେ ମାମଲା ବିଷୟରେ ସମ୍ପୂର୍ଣ୍ଣ ତଥ୍ୟ ଓ ପ୍ରମାଣ ଶୁଣିଥିଲେ କୋର୍ଟ । ଏବେ କେଉଁ ମାମଲା ଉପରେ ପ୍ରଥମେ ଶୁଣାଣି ହେବ ଆସନ୍ତାକାଲି କୋର୍ଟ ତାହା ନିଷ୍ପତ୍ତି ନେବେ ବୋଲି କୋର୍ଟ କହିଛନ୍ତି ।

ତେବେ ମୁସଲମାନ ପକ୍ଷ କହିବା କଥା ହେଲା ସୁପ୍ରିମକୋର୍ଟଙ୍କ ଅନୁସାରେ, ଆଗ ଶୁଣାଣି କରିବା ସପକ୍ଷରେ ଯୁକ୍ତି ବାଢ଼ିଥିଲା । ହେଲେ ହିନ୍ଦୁ ପକ୍ଷର କହିବା କଥା ହେଲା ଆଗ ସର୍ଭେ ରିପୋର୍ଟ ଉପରେ ଶୁଣାଣି ହେଉ। ଏନେଇ ହିନ୍ଦୁ ପକ୍ଷର ବିଷ୍ଣୁ ଜୈନ୍ କହିଛନ୍ତି ଯେ କେଉଁ ପ୍ରୋସିଜର କ’ଣ ହେବ ତାହା କୋର୍ଟ ସ୍ଥିର କରିବେ। ହେଲେ ବିପକ୍ଷ କହୁଛି ଯେ ଅର୍ଡର ୭୧୧ର ପ୍ରଥମେ ଶୁଣାଣି କରାଯାଉ। ହେଲେ ଆମେ ଚାହୁଁଛି ଯେ ଆର୍ଡର ୨୬ ସହିତ ୭୧୧ର ଶୁଣାଣି ହେଉ। କିନ୍ତୁ ବିପକ୍ଷ ଚାହୁଁଛି ଦୁଇଟିଯାକ ଅଲଗା ଅଲଗା ଶୁଣାଣି ହେଉ।

ଏଥିସହିତ ପଢ଼ନ୍ତୁ: ଆଶା କର୍ମୀଙ୍କୁ ପ୍ରଶଂସା କଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ

ନୂଆ PCC ସଭାପତି ଶରତ ପଟ୍ଟନାୟକ, ମୋହର ମାରିଲା AICC

ଭୁବନେଶ୍ୱର: ରାଜ୍ୟ କଂଗ୍ରେସକୁ ମିଳିଲା ନୂଆ ମୁଖିଆ  । ନୂତନ ଭାବେ ପିସିସି ସଭାପତି ହୋଇଛନ୍ତି ବରିଷ୍ଠ କଂଗ୍ରେସ ନେତା ଶରତ ପଟ୍ଟନାୟକ  । AICC ନିରଞ୍ଜନ ପଟ୍ଟନାୟକଙ୍କ ଇସ୍ତଫାକୁ ଗ୍ରହଣ କରିଛି  । ଏଥିସହିତ ପୂର୍ବତନ ମନ୍ତ୍ରୀ ତଥା ଓଡିଶା କଂଗ୍ରେସର ବରିଷ୍ଠ ନେତା ଶରତ ପଟ୍ଟନାୟକଙ୍କୁ AICC ଦଳର ସଭାପତି ଭାବେ ଘୋଷମା କରିଛି  ।

ଶରତ ପଟ୍ଟନାୟକ ବଲାଙ୍ଗୀରରୁ ଦୁଇ ଦୁଇଥର ସାଂସଦ ଭାବେ ନିର୍ବାଚିତ ହୋଇ ପ୍ରତିନିଧିତ୍ୱ କରିଛନ୍ତି  । ଏଥି ସହତି ୨୦୦୦ରୁ ୨୦୦୪ ପର୍ଯ୍ୟନ୍ତ ପିସିସି ସଭାପତି ଭାବେ ଦାୟିତ୍ୱ ନିର୍ବାହ କରିଛନ୍ତି ଶରତ ପଟ୍ଟନାୟକ  ।

ପୁନର୍ବାର ତାଙ୍କୁ ଦଳ ପିସିସି କରିବା ପରେ ସେ ଦ୍ୱିତୀୟ ଥର ପାଇଁ  ସଭାପତି ଭାବେ ଦାୟିତ୍ୱ ନିର୍ବାହ କରିବାକୁ ଯାଉଛନ୍ତି  ।   1991 ଓ 1996ରେ ସେ ବଲାଙ୍ଗୀରରୁ ସାଂସଦ ହୋଇଥିଲେ । ଚିନ୍ତନ ବୈଠକ ପରେ ସଂଗଠନ ସଜାଡିବାକୁ ଆରମ୍ଭ ହୋଇଛି ପ୍ରକ୍ରିୟା । ନୂଆ ପିସିସି ସଭାପତିଙ୍କ ସହ ନୂଆ ନେତାଙ୍କୁ ମିଳିଛି ଦାୟିତ୍ୱ । ତୃଣମୂଳସ୍ତରରୁ ସଂଗଠନର କାୟାକଳ୍ପ ପରିବର୍ତ୍ତ କରିବାକୁ କଂଗ୍ରେସର ଚିନ୍ତନ ଶିବିରରେ ନିଷ୍ପତ୍ତି ହୋଇଥିବା ଜଣା ପଡିଛି ।

ଶରତ ପଟ୍ଟନାୟକ କଂଗ୍ରେସ ସଭାପତି ହେବା ପରେ କଂଗ୍ରେସ କର୍ମୀଙ୍କ ମହଲରେ ଉତ୍ସାହ ଦେଖିବାକୁ ମିଳିଛି  । ଆସନ୍ତା ଦିନରେ ଦଳ ରାଜ୍ୟରେ ସଂଗଠିତ ହେବ  । କର୍ମୀ ପୁନର୍ବାର ଉତ୍ସାହର ସହ ଦଳ ପାଇଁ କାର୍ଯ୍ୟ କରିବେ ବୋଲି ପ୍ରତିକ୍ରିୟା ପ୍ରକାଶ ପାଇଛି  । ଏଥିସହିତ କଂଗ୍ରେସର ଅନେକ ବରିଷ୍ଠ ନେତା ଶରତଙ୍କୁ ଅଭିନନ୍ଦନ ଜଣାଇଛନ୍ତି  । ଶରତଙ୍କ ନେତୃତ୍ୱରେ ଦଳ ଆଗାମୀ ଦିନରେ ଭଳ ପ୍ରଦର୍ଶନ କରିବ ବୋଲି ଆଶାବାଦୀ ଅଛନ୍ତି ନେତା  ।