spot_img
Home Blog Page 4215

ଜୁଲାଇ ୧୧ରେ ପଳାତକ ବିଜୟ ମାଲ୍ୟାଙ୍କ ବିରୋଧରେ ଶୁଣାଣି

ନୂଆଦିଲ୍ଲୀ: ପଳାତକ ବିଜୟ ମାଲ୍ୟା ଓ ଅବୁ ସଲେମଙ୍କ ବିରୋଧରେ ସୋମବାର ଦିନ ସୁପ୍ରିମକୋର୍ଟ ଶୁଣାଣି କରିବେ । କୋର୍ଟର ଅବମାନନା କରିବା ସମ୍ପର୍କିତ ମାମଲା ଶୁଣାଣି କରିବେ କୋର୍ଟ । ରବିନ୍ଦ୍ର ଏସ ଭଟ ଓ ପିଏସ ନରସିମ୍ହାଙ୍କୁ ନେଇ ଜଷ୍ଟିସ ୟୁୟୁ ଲଲିତଙ୍କ ନେତୃତ୍ୱରେ ଏକ ତିନିଜଣିଆ ଖଣ୍ଡପୀଠ ସୋମବାର ଦିନ ଶୁଣାଣି କରିବେ ।

ଉଲ୍ଲେଖଯୋଗ୍ୟ, କିଙ୍ଗଫିସର ଏୟାରଲାଇନ୍ସ ମାଲିକ ବିଜୟ ମାଲ୍ୟା ମନି ଲଣ୍ଡରିଂ ମାମଲାରେ ଦେଶ ଛାଡି ପଳାୟନ କରିଥିଲେ  । ପରେ କୋର୍ଟଙ୍କ ଆଦେଶକୁ ଅବମାନନା ପାଇଁ ମାଲ୍ୟା ୨୦୧୭ ରେ ଦୋଷୀ ସାବ୍ୟସ୍ତ ହୋଇଥିଲେ । ସେହିପରି କୋର୍ଟଙ୍କ ନିର୍ଦ୍ଦେଶକୁ ଅବମାନନା କରି ତାଙ୍କ ପିଲାଙ୍କ ଆକାଉଣ୍ଟକୁ ୪୦  ମିଲିୟନ ଡଲାର ସ୍ଥାନାନ୍ତର କରିବା ସମ୍ପର୍କିତ ତଥ୍ୟ ଲୁଚାଇଥିଲେ ।

ଗତବର୍ଷ  କିଙ୍ଗଫିସର ଏୟାରଲାଇନ୍ସ ମାଲିକ ବିଜୟ ମାଲ୍ୟାଙ୍କୁ ଦେବାଳିଆ ଘୋଷଣା କରିଥିଲେ ବ୍ରିଟେନର ଏକ କୋର୍ଟ। ବ୍ରିଟେନର ଚିଫ ଇନସଲଭେନ୍ସି ଆଣ୍ଡ କମ୍ପାନୀଜ କୋର୍ଟ ବା ଆଇସିସିର ବିଚାରପତି ମାଇକେଲ ବ୍ରିଗସ ଏହି ଘୋଷଣା କରିଥିଲେ। ଭାରତୀୟ ବ୍ୟାଙ୍କଗୁଡିକ ସପକ୍ଷରେ ଏହି ରାୟ ପ୍ରଦାନ କରିବା ଲାଗି କୋର୍ଟ ନିକଟରେ ଆବେଦନ କରିଥିଲା ଟିଏଲଟି ଏଲଏଲପି ଫାର୍ମ ଓ ବାରିଷ୍ଟର ମାର୍ସିଆ ସେକର୍ଡେମିଆନ ।

 

ଇଂଲଣ୍ଡ-ଭାରତ ଦ୍ୱିତୀୟ ଟି-୨୦: ୪୯ ରନରେ ଜିତିଲା ଭାରତ

ବର୍ମିଂହାମ: ଏଜବାଷ୍ଟନରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଚାଲିଥିବା ୨ୟ ଟି-୨୦ ମ୍ୟାଚକୁ ଭାରତ ଜିତିନେଇଛି  । ୪୯ ରନରେ ଘରୋଇ ଇଂଲଣ୍ଡଠାରୁ ବିଜୟୀ ହୋଇଛି  । ଏହି ବିଜୟ ସହ ଭାରତ ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜରେ ୨-୦ରେ ବିଜୟୀ ହୋଇଛି । ଆଜି ଇଂଲଣ୍ଡ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା  । ଭାରତ ପକ୍ଷରୁ ରୋହିତ ଶର୍ମା ଓ ଋଷଭ ପନ୍ତ ଓପନିଂ କରିଥିଲେ । ୩୧ ରନ୍ କରି ରୋହିତ କ୍ୟାଚ ଆଉଟ ହୋଇଯାଇଥିଲା । ତାଙ୍କ ସ୍ଥାନ ପୂରଣ କରିବା ପାଇଁ ବିରାଟ କୋହଲି ଆସିଥିଲେ ହେଲେ ପୂର୍ବ ଭଳି ଆଜି ମଧ୍ୟ ଖରାପ ପ୍ରଦର୍ଶନ କରିଥିଲେ। ତିନୋଟି ବଲ୍ ଖେଳି ମାତ୍ର ୧ ରନ୍ କରି ଆଉଟ୍ ହୋଇଯାଇଥିଲେ । ଏହାପରେ ଗୋଟିଏ ପରେ ଗୋଟିଏ ୱିକେଟ୍ ଗଳିବାରେ ଲାଗିଥିଲା ।

ହେଲେ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଶେଷ ପର୍ଯନ୍ତ ରହି ଦଳକୁ ୧୭୦ ରନ୍ ପର୍ଯ୍ୟନ୍ତ ପହଞ୍ଚାଇବାରେ ସହାୟତା ହୋଇଥିଲେ । ୨୯ଟି ବଲ୍ ଖେଳି ସେ ୪୬ ରନ୍ କରି ଅପରାଜିତ ରହିଥିଲେ । ଇଂଲଣ୍ଡ ପକ୍ଷରୁ କ୍ରୀଷ ଜୋର୍ଡାନ ୩ଟି ୱିକେଟ୍ ଅକ୍ତିଆର କରିଥିଲେ । ୧୭୧ ରନର ବିଜୟ ଲକ୍ଷ୍ୟ ନେଇ ଇଂଲଣ୍ଡ ପକ୍ଷରୁ ଜେସନ ରୟ ଏବଂ ଜୋସ ବଟଲର କ୍ରୀଜକୁ ଓହ୍ଲାଇଥିଲେ । ହେଲେ ଭାରତୀୟ ଦଳର ଘାତକ ବୋଲର ଭୁବନେଶ୍ୱର କୁମାର ଦୁଇ ଜଣଙ୍କୁ ନିଜର ପ୍ରଥମ ଏବଂ ଦ୍ୱିତୀୟ ଓଭରରେ ଆଉଟ୍ କରି ଦେଇଥିଲେ । ଏହାପରେ ଇଂଲଣ୍ଡ ଦଳ ବିପର୍ଯ୍ୟୟର ସାମ୍ନା କରିଥିଲା ।

ଗୋଟିଏ ପରେ ଗୋଟିଏ ୱିକେଟ ଗଳିଥିଲା । ଅଲରାଉଣ୍ଡର ମୋଇନ ଅଲି କିଛି ସମୟ କ୍ରୀଜରେ ରହି ଦଳୀୟ ସ୍କୋରକୁ ଆଗକୁ ବଢାଇଥିଲେ । ହେଲେ ହାର୍ଦ୍ଦିକ ପାଣ୍ଡ୍ୟା ତାଙ୍କୁ ଆଉଟ୍ କରି ପାଭେଲଅନ ପଠାଇ ଦେଇଥିଲେ । ଡେଭିଡ ୱିଲି ମଧ୍ୟ ଦଳ ସ୍ଥିତିକୁ ମଜବୁତ କରିବା ପାଇଁ ଚେଷ୍ଟା କରିଥିଲେ । ତାଙ୍କୁ ସାଥ୍ ଦେବାକୁ କୌଣସି ଇଂଲଣ୍ଡ ବ୍ଯାଟ୍ସମ୍ୟାନ ସମର୍ଥନ ହୋଇନଥିଲେ । ଭାରତୀୟ ବୋଲରଙ୍କ ଘାତକ ବୋଲିଂରେ ସମସ୍ତେ ଧରାଶାୟୀ ହୋଇଯାଇଥିଲେ । ୧୭ ଓଭର ବେଳକୁ ଇଂଲଣ୍ଡ ନିଜର ସମସ୍ତ ୱିକେଟ ହରାଇ ୧୨୧ ରନ୍ କରିବାକୁ ସକ୍ଷମ ହୋଇଥିଲା । ବିଜୟ ଠାରୁ ୫୦ ରନ୍ ଦୂରରେ ରହି ମ୍ୟାଚ ହାତଛଡା କରିଥିଲା ।

ଭାରତ ପକ୍ଷରୁ ଭୁବନେଶ୍ୱର କୁମାର ସର୍ବାଧିକ ୩ଟି ୱିକେଟ ନେଇଥିଲେ ସେହିପରି ଜଶପ୍ରୀତ ବୁମରାହ ଓ ଯୁଜବେନ୍ଦ୍ର ଚହଲ ୨ଟି ଲେଖାଏଁ ୱିକେଟ ଅକ୍ତିଆର କରିଛନ୍ତି । ହାର୍ଦ୍ଦିକ ପାଣ୍ଡ୍ୟା ଓ ହର୍ଷଲ ପଟେଲ ମଧ୍ୟ ଗୋଟେ ଲେଖାଇଁ ୱିକେଟ ନେଇଛନ୍ତି  । ଭଲ ପ୍ରଦର୍ଶନ ପାଇଁ ଭୁବନେଶ୍ୱର କୁମାରଙ୍କୁ ପ୍ଲେୟାର ଅଫ୍ ଦ ମ୍ୟାଚ ବିବେଚନା କରାଯାଇଛି । ଫୁଲ୍ ଟାଇମ କ୍ୟାପ୍ଟେନ ଭାବରେ ରୋହିତ ଶର୍ମାଙ୍କୁ ଏହି ବିଜୟ ସହ ସଫଳତା ମିଳିଛି । ଲଗାତାର ୧୪ ଟି-୨୦ ମ୍ୟାଚ ଜିତିବାରେ ସେ ସଫଳତା ଅର୍ଜନ କରିଛନ୍ତି । ଚଳିତ ଟି-୨୦ର ଶେଷ ମ୍ୟାଚ ୧୦ ତାରିଖରେ ହେବ । ଇଂଲଣ୍ଡ ସମ୍ମାନ ପାଇଁ ଏହି ମ୍ୟାଚ ଖେଳିବ  ।

କାର୍ତ୍ତି ଚିଦାମ୍ବରମଙ୍କ ବାସଭବନରେ ସିବିଆଇ ରେଡ୍

ଚେନ୍ନାଇ: ରାଜ୍ୟସଭା ସାଂସଦ ପି. ଚିଦାମ୍ବରମଙ୍କ ପୁଅ କାର୍ତ୍ତି ଚିଦାମ୍ବରମଙ୍କ ବାସଭବନରେ ସିବିଆଇର ଖାନତଲାସ । ତେବେ ଖାନତଲାସିବେଳେ କାର୍ତ୍ତିଙ୍କ ପତ୍ନୀଙ୍କ ଏକ କପ୍ ବୋର୍ଡକୁ ସିଲ୍ କରିଛି ସିବିଆଇ । ତେବେ ଖାନତଲାସୀବେଳେ କାର୍ତ୍ତିଙ୍କ ପତ୍ନୀ ଘରେ ନଥିବା ସୂଚନା ମିଳିଛି । ପଞ୍ଜାବରେ ଏକ ପାଓ୍ବାର ପ୍ଲାଣ୍ଟ ପ୍ରତିଷ୍ଠା ଲାଗି ବେଦାନ୍ତ ଗ୍ରୁପ କମ୍ପାନୀ ତାଲଓ୍ବାଣ୍ଡି ସାବୋ ପାଓ୍ବାର ଲିମିଟେଜ ବା ଟିଏସପିଏଲର ଜଣେ ପ୍ରମୁଖ ପଦାଧିକାରୀଙ୍କ ଦ୍ବାରା କାର୍ତ୍ତି ଓ ତାଙ୍କର ଜଣେ ଘନିଷ୍ଠ ସହଯୋଗୀ ଏସ. ଭାସ୍କର ରମଣଙ୍କୁ ୫୦ ଲକ୍ଷ ଟଙ୍କା ଲାଞ୍ଚ ଦେବା ନେଇ ଅଭିଯୋଗ ହୋଇଥିଲା ।

ନିଜର ଏଫଆଇଆରରେ ସିବିଆଇ ଦର୍ଶାଇଥିଲା ପଞ୍ଜାବରେ ଚୀନର ଏକ କମ୍ପାନି ଜରିଆରେ ପାଓ୍ବାର ପ୍ଲାଣ୍ଟ ପ୍ରତିଷ୍ଠା ଲାଗି ଯୋଜନା କରାଯାଇଥିଲା ଯେଉଁଥିରେ ଦୁର୍ନୀତିର ବାସ୍ନା ଆସିଥିଲା । ୨୬୩ଜଣ ଚୀନ ଶ୍ରମିକଙ୍କ ଲାଗି ପ୍ରୋଜେକ୍ଟ ଭିସା ପୁନଃ ପ୍ରଦାନ କରିବା ଲାଗି ଟିଏସପିଏଲର କର୍ତ୍ତୃପକ୍ଷ ୫୦ ଲକ୍ଷ ଟଙ୍କା ଲାଞ୍ଚ ଦେବା ଏଫଆଇଆରରେ ଦର୍ଶାଯାଇଥିଲା ।

 

ଶ୍ରୀଲଙ୍କା ସଂକଟ: ପ୍ରଧାନମନ୍ତ୍ରୀ ବିକ୍ରମସିଂଘେଙ୍କ ଘରେ ନିଆଁ ଲଗାଇଦେଲେ ଆନ୍ଦୋଳନକାରୀ

କୋଲମ୍ବୋ: ଶ୍ରୀଲଙ୍କାରେ ଅର୍ଥନୈତିକ ସଙ୍କଟକୁ ନେଇ ଉପୁଜିଥିବା ସ୍ଥିତି ଧୀରେ ଧୀରେ ନିୟନ୍ତ୍ରଣ ବାହାରକୁ ଯାଉଥିବାର ଦୃଶ୍ୟମାନ ହେଉଛି । ଆନ୍ଦୋଳନକାରୀ ମାନେ ସମସ୍ତ ସୀମା ଟପିଯାଇଛନ୍ତି । ମଧ୍ୟାହ୍ନରେ ରାଷ୍ଟ୍ରପତି ଭବନ ଉପରେ କବଜା କରିବା ସହ ଭଙ୍ଗାରୁଜା କରିଥିଲେ ।  ଆଉ ଏବେ ପ୍ରଧାନମନ୍ତ୍ରୀ ବିକ୍ରମସିଂଘେଙ୍କ ଘରେ ନିଆଁ ଲଗାଇ ଦେଇଛନ୍ତି । ପ୍ରଧାନମନ୍ତ୍ରୀଙ୍କ ନିଜ ବାସଭବନ ଏବେ ହୁତୁହୁତୁ ହୋଇ ଜଳୁଛି। ପୋଲିସ ମଧ୍ୟ ଆନ୍ଦୋଳନକାରୀଙ୍କ ଉପରେ ପାଲଟା ଆକ୍ରମଣ କରିଛି  । ଏଥିରେ କିଛି ଲୋକ ଆହତ ହୋଇଥିବା ସୂଚନା  ।

ଏହା ପୂର୍ବରୁ ଆନ୍ଦୋଳନକାରୀଙ୍କୁ ଅଟକାଇବା ପାଇଁ ପୋଲିସ ବଳ ପ୍ରୟୋଗ କରିଥିଲା  । ସେମାନଙ୍କ ଉପରକୁ ଲୁହ ବୁହା ଗ୍ୟାସ ମାଡ କରିଥିଲା ଏବଂ ଉଚ୍ଚ ଚାପ ପାଣି ମଧ୍ୟ ମାଡ଼ କରିଥିଲା । ହେଲେ ସବୁକୁ ପାର କରି ଆନ୍ଦୋଳନକାରୀ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ନିଆଁ ଲଗାଇ ଦେଇଛନ୍ତି । ସୂଚନାଥାଉକି, ଶ୍ରୀଲଙ୍କା ସଙ୍କଟ ମଧ୍ୟରେ ସାଂସଦମାନଙ୍କ ଦାବି କ୍ରମେ ପ୍ରଧାନମନ୍ତ୍ରୀ ରାନିଲ ବିକ୍ରମସିଂଘେ ପଦ ଛାଡିବା ପାଇଁ ରାଜି ହୋଇଥିଲେ । ଅନ୍ୟପକ୍ଷରେ ଶ୍ରୀଲଙ୍କା ସଙ୍କଟର ମୂଳ କାରଣ ରାଷ୍ଟ୍ରପତି ଗୋଟାବାୟା ଦେଶ ଛାଡି ପଳାୟନ କରିଛନ୍ତି  । ଏପରି ସ୍ଥିତିରେ ସର୍ବଦଳୀୟ ସରକାର ଗଠନ ନେଇ ଆଶଙ୍କା କରାଯାଉଛି  ।

ସିଏସକେ ସହ ସମ୍ପର୍କ ତୁଟାଇଲେ କି ଜାଡେଜା ?

ନୂଆଦିଲ୍ଲୀ: ଏବେ ଆଇପିଏଲ ଚାଲୁନି ହେଲେ ସିଏସକେ ଖବରରେ ରହୁଛି । କାରଣ ଚେନ୍ନାଇ ସୁପର କିଙ୍ଗସ୍ ଓ ରବୀନ୍ଦ୍ର ଜାଡେଜାଙ୍କ ମଧ୍ୟରେ କିଛି ଠିକ୍ ଚାଲୁନି । ଏମିତି ସ୍ଥିତିରେ ଚେନ୍ନାଇଠାରୁ ଜାଡେଜା ସମ୍ପର୍କ କାଟି ଦେଲେ କି ପ୍ରଶ୍ନ ଉଠିବାରେ ଲାଗିଛି । ଏମିତି କିଛି ପ୍ରଶ୍ନ ଜାଡେଜାଙ୍କ ପାଇଁ ଉଠିବାରେ ଲାଗିଛି । ନିକଟରେ ଜାଡେଜା ତାଙ୍କ ଇଷ୍ଟାଗ୍ରାମ ଆକାଉଣ୍ଟରୁ କିଛି ଫଟୋ ଡିଲିଟ୍ କରିଛନ୍ତି । ଆଉ ଏସବୁ ଫଟୋ ସିଏସକେର ବୋଲି ଜଣାପଡିଛି । ଯାହାକୁ ନେଇ ଜାଡେଜା ଓ ସିଏସକେ ମଧ୍ୟରେ କିଛି ଠିକ୍ ଚାଲୁ ନଥିବା ଚର୍ଚ୍ଚା ହେଉଛି ।

ଅନ୍ୟପକ୍ଷରେ ଏମିତି ଚର୍ଚ୍ଚା ଉପରେ ସିଏସକେ ପକ୍ଷରୁ ବିବୃତ୍ତି ଦିଆଯାଇଛି । ସିଏସକେର ଜଣେ ଅଧିକାରୀ କହିଛନ୍ତି ସୋସିଆଲ ମିଡ଼ିଆରେ କୌଣସି ପୋଷ୍ଟ ଡିଲିଟ କରିବା ତାଙ୍କ (ଜାଡେଜା) ବ୍ୟକ୍ତିଗତ ନିଷ୍ପତ୍ତି । ଆମ ତରଫରୁ ସବୁ ଠିକଠାକ ଅଛି, କିଛି ସମସ୍ୟା ନାହିଁ ।

ସୂଚନାଯୋଗ୍ୟ, ଗତ ଆଇପିଏ ପରଠାରୁ ଜାଡେଜା ଓ ସିଲସକେ ମଧ୍ୟରେ ବିବାଦ ଥିବା ଖବର ଆସୁଛି । ଚଳିତ ଆଇପିଏଲରେ ଜାଡେଜାଙ୍କୁ ସିଏସକେ ଅଧିନାୟକ କରିଥିଲା । ହେଲେ ଦଳର ପ୍ରଦର୍ଶନ ଖରାପ ହେବାରୁ ତାଙ୍କ ହଟାଇ ଦିଆଯାଇଥିଲା । ଏହାପରେ ଆହତ କାରଣରୁ ଜାଡେଜା ଆଇପିଏଲରୁ ଓହରି ଯାଇଥିଲେ ।

ଚଳିତବର୍ଷ ଜୁଲାଇ ୭ରେ ଧୋନୀଙ୍କ ଜନ୍ମଦିନରେ ମଧ୍ୟ ସୋସିଆଲ ମିଡିଆରେ ଜାଡେଜା କୌଣସି ପୋଷ୍ଟ କରିନଥିଲେ । ଏମିତି ସ୍ଥିତିରେ ସବୁ ଖିଅକୁ ଯୋଡ଼ି ଧୋନୀ, ଜାଡେଜା ଏବଂ ସିଏସକେ ମଧ୍ୟରେ ସବୁ କିଛି ଠିକ ନାହିଁ ବୋଲି ଚର୍ଚ୍ଚା ଜୋର ଧରିବାରେ ଲାଗିଥିଲା ।

ୱିମ୍ବଲଡନ ୨୦୨୨ ମହିଳା ଏକକ: ଜାବୁରଙ୍କୁ ହରାଇ ଏଲେନା ରାଇବାକିନା ଚମ୍ପିଆନ

ନନ୍ଦିଘୋଷ ବ୍ୟୁରୋ: କାଜାକିସ୍ତାନର ଏଲେନା ରାଇବାକିନା ପ୍ରଥମଥର ପାଇଁ ଗ୍ରାଣ୍ଡ ସ୍ଲାମ ଟାଇଟଲ୍ ଜିତିଛନ୍ତି। ୨୩ ବର୍ଷୀୟ ଏଲେନା ଫାଇନାଲରେ ଓନ୍ସ ଜାବୁରଙ୍କୁ ପରାଜିତ କରି ୱିମ୍ବଲଡନ ୨୦୨୨ ଚମ୍ପିଆନ ଘୋଷିତ ହୋଇଛନ୍ତି । ତିନୋଟି ସେଟରେ ବିପକ୍ଷ ଜାବୁରଙ୍କୁ ୩-୬, ୬-୨, ୬-୨ ବ୍ୟବଧାନରେ ହରାଇଛନ୍ତି । ପ୍ରଥମ ସେଟରେ ଜାବୁର ଭଲ ପ୍ରଦର୍ଶନ ଦେଖାଇଥିଲେ । ୬-୩ରେ ଆଗରେ ରହିଥିଲେ । ହେଲେ ଅନ୍ୟ ଦୁଇଟି ସେଟରେ ସେ ଏଲେନାଙ୍କୁ ମାତ୍ ଦେବାରେ ସକ୍ଷମ ହୋଇନଥିଲେ ।

ପ୍ରଥମ ଆରବ ମହିଳା ଭାବେ ଜାବୁର ଗ୍ରାଣ୍ଡ ସ୍ଲାମ ଫାଇନାଲ ଖେଳୁଥିଲେ । ତାଙ୍କର ପୂର୍ବ ଫର୍ମ ଜବରଦସ୍ତ ଥିଲା । ସମସ୍ତେ ଭାବୁଥିଲେ ଜିବୁର ଜିତିବେ ବୋଲି, ହେଲେ ପରାଜିତ ହୋଇଛନ୍ତି । ଅନ୍ୟପକ୍ଷରେ ନୂଆ ଚମ୍ପିଆନ ଏଲେନା ଗ୍ରାଣ୍ଡ ସ୍ଲାମ ଜିତିବା ପରେ ଭାବବିହ୍ୱଳ ହୋଇଛନ୍ତି । ସେ କହିଛନ୍ତି ଏ ବିଜୟ ଶ୍ରେୟ ମୋ ବାପା ମା’ଙ୍କୁ ଦେଉଛି । ତାଙ୍କ ବିନା ମୁଁ କିଛି ବି ନୁହେଁ । ଫାଇନାଲ ମ୍ୟାଚରେ କୋର୍ଟକୁ ଓହ୍ଲାଇବା ସମୟରେ ଟିକେ ନର୍ଭସ ଲାଗିଥିଲା । ଯାହା ହେଉ ମ୍ୟାଚ ସରିଯାଇଛି ଆଉ ମୁଁ ବିଜୟୀ ହୋଇଛି  । ବହୁତ ଖୁସି ଅଛି  ।

ନଦୀରେ ବୁଡ଼ି ୩ନାବାଳକ ମୃତ, ଜଣେ ନିଖୋଜ

ରାଉରକେଲା: ରାଉରକେଲା ଝିରପାଣି ପମ୍ପ ହାଉସ ନିକଟରେ ଅଘଟଣ । ନଦୀରେ ଗାଧୋଇବା ହେଲା କାଳ । କୋଏଲ ନଦୀରେ ବୁଡ଼ିଗଲେ ୪ ସମ୍ପର୍କୀୟ ଭାଇ । ୩ ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳଏ ଅନ୍ୟ ଜଣଙ୍କ ମିଳୁନି ପତ୍ତା । ପୋଲିସ ଓ ଅଗ୍ନିଶମ ବାହିନୀଙ୍କ ଦ୍ବାରା ଉଦ୍ଧାର କାର୍ଯ୍ୟ ଜାରି ରହିଛି । ମୋଟର ଚାଳିତ ଡଙ୍ଗା ଏବଂ ବୁଡାଳିଙ୍କ ସହାୟତାରେ ନିଖୋଜ ନାବାଳକଙ୍କୁ ଖୋଜା ଚାଲିଛି ।

୪ ଜଣ ନାବାଳକ ଦୁଇଟି ପରିବାରର ସଦସ୍ୟ । ସୂଚନାନୁଯାୟୀ ଘରେ ଆଳୁ ଚୋପା ଛଡାଇଵା ପାଇଁ କହିବାରୁ ୪ ଜଣ କାହାକୁ ନଜଣାଇ ନଦୀ କୂଳକୁ ପଳାଇ ଆସିଥିଲେ । ନଦୀରେ ଗାଧୋଇବା ସମୟରେ ବୁଡି ଯାଇଥିଲେ । ମୃତକ ନାବାଳକ ହେଲେ ୧୧ ବର୍ଷୀୟ ରିଶିରାଜ ସାହୁ, ୧୩ ବର୍ଷୀୟ କୁନାଲ ସାହୁ ଓ କୌଶଳ ସାହୁ । ରୋନକ ସାହୁ ଏବେବି ନିଖୋଜ ଅଛନ୍ତି । ଝାଡଖଣ୍ଡ ରାଞ୍ଚି ଅଞ୍ଚଳରେ ମୃତକମାନଙ୍କ ଘର । ଏକ ଶୁଦ୍ଧିକ୍ରିୟାରେ ଯୋଗ ଦେବା ପାଇଁ ରାଉରକେଲା ସମ୍ପର୍କୀୟଙ୍କ ଘରକୁ ଆସିଥିଲେ । ଅଞ୍ଚଳରେ ଶୋକର ଛାୟା  ।

ଖୁସି ଖବର, କମିବ ଦରଦାମ

ନୂଆଦିଲ୍ଲୀ: ଦରଦାମ ବୃଦ୍ଧିକୁ ନେଇ ପୂରା ଦେଶରେ ଚିନ୍ତା । ବଢ଼ି ଚାଲିଥିବା ଦର ବୃଦ୍ଧି ଖାଉଟିଙ୍କ ସାଧାରଣ ଜୀବନକୁ ଅସ୍ତବ୍ୟସ୍ତ କରି ପକାଉଛି । ଶାଗଠାରୁ ମୁଗ, ଯାନବାହାନଠାରୁ ବୈଦ୍ୟୁତିକ ଦ୍ରବ୍ୟ ହେଉ କି ନିତିଦିନିଆ ଜିନିଷ ସବୁର ଦର ଆକାଶ ଛୁଆଁ । ପକେଟ ଖାଲି ହୋଇ ଯାଉଛି ହେଲେ ଜଣାପଡୁନାହିଁ । ଦରଦାମ ବୃଦ୍ଧିକୁ ନେଇ ଦେଶରେ ହାହାକାର ଲାଗି ରହିଥିବା ବେଳେ ଆରବିଆଇ ଗଭର୍ଣ୍ଣର ଦେଇଛନ୍ତି ଖୁସି ଖବର । ୨୦୨୨-୨୩ର ଦ୍ବିତୀୟ ୬ ମାସ (ଅକ୍ଟୋବରରୁ ମାର୍ଚ୍ଚ) ମଧ୍ୟରେ ଦର ବୃଦ୍ଧି କମିବା ନେଇ ସଙ୍କେତ ଦେଇଛନ୍ତି ଗଭର୍ଣ୍ଣର ସୀତାକାନ୍ତ ଦାସ । ସେ କହିଛନ୍ତି, ‘କେନ୍ଦ୍ରୀୟ ବ୍ୟାଙ୍କ ଦରଦାମ ବୃଦ୍ଧି ନିୟନ୍ତ୍ରଣ କରିବାକୁ ସବୁ ପ୍ରକାର ଚେଷ୍ଟା କରୁଛନ୍ତି । ବର୍ତ୍ତମାନ ଭଲ ସଙ୍କେତ ଆସିବା ଆରମ୍ଭ ହୋଇଛି ।’

ଧିରେ ଧିରେ କମିବ ଦରଦାମ

କୌଟିଲ୍ୟ ଆର୍ଥିକ ସମ୍ମିଳନୀରେ ଦାସ କହିଛନ୍ତି, ‘ବର୍ତ୍ତମାନ ସମୟରେ ସପ୍ଲାଇ ଆଉଟ୍ ପୁଟ୍ ଭଲ ସ୍ଥିତିରେ ରହିଛି । ଏହା ୨୦୨୨-୨୩ ଆର୍ଥିକ ବର୍ଷର ଦ୍ବିତୀୟ ୬ ମାସରେ ଦରଦାମ ହ୍ରାସ ପାଇବାର ସଙ୍କେତ ଦେଉଛି । ଆମ ମୁଦ୍ରାସ୍ପିତି ଧିରେ ଧିରେ କମ ହେଉଛି । ଏହା ଭାରତୀୟ ଅର୍ଥବ୍ୟବସ୍ଥାକୁ ପ୍ରଭାବିତ କରିବ ନାହିଁ ।’

ସାରା ଦୁନିଆରେ ବଢ଼ିଛି ଦରଦାମ

କେବଳ ଭାରତ କି ଆମ ରାଜ୍ୟ ଓଡ଼ିଶା ନୁହେଁ, ସାରା ବିଶ୍ବ ଏବେ ଦରଦାମ ବୃଦ୍ଧି ଜାଲରେ ପଡ଼ିଛି । ପିଟିଆଇ ଖବରକୁ କୋଟ୍ କରି ଦାସ କହିଛନ୍ତି, ‘ସାରା ବିଶ୍ବ ଏବେ ଦର ବୃଦ୍ଧିକୁ ନେଇ ଚିନ୍ତିତ । ଗ୍ଲୋବାଲ ଟ୍ରେଡ କମିଛି । କିଛି ସମୟ ପାଇଁ ଦର ବୃଦ୍ଧିର ପ୍ରଭାବ ପଡ଼ିବ, ଯାହାକୁ ନିୟନ୍ତ୍ରଣ କରିବା ସମ୍ଭବ ନୁହେଁ । ଦେଶର ଅର୍ଥବ୍ୟବସ୍ଥାକୁ ସ୍ଥିର ରଖିବାକୁ ଆରବିଆଇ ନିଜ ପଲିସିରେ ପରିବର୍ତ୍ତନ ଜାରି ରଖିବ ।’

ରେପୋ ରେଟରେ ବୃଦ୍ଧି

କରୋନା ମହାମାରୀ କାରଣରୁ ଭାରତୀୟ ଅର୍ଥବ୍ୟବସ୍ଥା ଟଳମଳ ସ୍ଥିତିରେ ରହିଛି । କିନ୍ତୁ, ଏଥିରେ ଧିରେ ଧିରେ ସୁଧାର ଆସିବାରେ ଲାଗିଛି । ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ ଦରଦାମ ଆରବିଆଇର ଧାର୍ଯ୍ୟ ଲକ୍ଷ୍ୟଠାରୁ ଅଧିକ ରହିଛି । କେନ୍ଦ୍ର ସରକାର ଦର ବୃଦ୍ଧିକୁ ନିୟନ୍ତ୍ରଣ କରିବାକୁ ରେପୋ ରେଟରେ ବୃଦ୍ଧି କରିଛନ୍ତି । ଏହାପରେ ଦେଶର ପ୍ରାୟ ସବୁ ବ୍ୟାଙ୍କ ଋଣ ଉପରେ ସୁଧହାର ବଢାଇ ଦେଇଛନ୍ତି । ଜୁନରେ ୦.୫୦ ବଢିଥିବା ରେବୋ ରେଟ୍ ପରେ ୪.୯୦ ପ୍ରତିଶତ ହୋଇଯାଇଛି ।

ଇସ୍ତଫା ଦେଲେ ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ରାନିଲ୍ ବିକ୍ରମସିଂଘେ

ନୂଆଦିଲ୍ଲୀ: ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେଙ୍କ ବାସଭବନ ଉପରେ କବଜା କରିଛନ୍ତି ଉତ୍ୟକ୍ତ ଜନସାଧାରଣ । ଏଭଳି ସମୟରେ ଇସ୍ତଫା ଦେଇଛନ୍ତି ପ୍ରଧାନମନ୍ତ୍ରୀ ରାନିଲ୍। ଏପରିକି ସେ ସବୁ ଦଳଙ୍କ ସହ ମିଶି ସରକାର ଗଢିବାକୁ ପ୍ରସ୍ତୁତ ଥିବା ସୂଚନା ମିଳିବା ପରେ  ।

ବିରୋଧୀ ଦଳ ନେତା ସଜିଥ୍ ପ୍ରେମଦାସ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଇସ୍ତଫା ଦାବି କରିବା ପରେ ଏଭଳି ଖବର ସାମ୍ନାକୁ ଆସିଛି । ଖାଲି ଏତିକି ନୁହେଁ ଇସ୍ତଫା ଚାପ ବଢିବାରୁ ପ୍ରଧାନମନ୍ତ୍ରୀ ଗୋଟୋବାୟା ଶନିବାର ଦିନ ଜରୁରୀ ବୈଠକ ଡାକିଥିଲେ । ଏପରିକି ସଂସଦ ଅଧିବେଶନ ଡକାଇବା ଲାଗି ବାଚସ୍ପତିଙ୍କୁ ଅପିଲ୍ କରିଛନ୍ତି ପ୍ରଧାନମନ୍ତ୍ରୀ।

ନିଜ ପଦରୁ ଇସ୍ତଫା ଦେବା ସହ ଟ୍ୱିଟ୍ କରି ପ୍ରଧାନମନ୍ତ୍ରୀ ରାନିଲ୍ କହିଛନ୍ତି ଯେ, ଆଜି ଦଳୀୟ ନେତାଙ୍କ ବୈଠକରେ ଜନତାଙ୍କ ସୁରକ୍ଷା ସହ ସରକାରଙ୍କ ନୀରନ୍ତରତାକୁ ସୁନିଶ୍ଚିତ କରିବା ପାଇଁ ସର୍ବଦଳୀୟ ସରକାର ଗଠନ ଲାଗି ନିଷ୍ପତ୍ତି ହୋଇଛି । ଏହି ନିଷ୍ପତ୍ତିକୁ କାର୍ଯ୍ୟକାରୀ ପାଇଁ ମୁଁ ଇସ୍ତଫା ଦେଉଛି ।

ଉଲ୍ଲେଖଯୋଗ୍ୟ, ଶ୍ରୀଲଙ୍କା ଏବେବି ଜାରି ରହିଛି ବିକ୍ଷୋଭ ପ୍ରଦର୍ଶନ। ଦେଶରେ ଏଭଳି ସଙ୍କଟ ଭିତରେ ପଳାୟନ କରିଛନ୍ତି ରାଷ୍ଟ୍ରପତି ଗୋଟାବାୟା । ସ୍ଥିତି ଏଭଳି ଯେ କଲୋମ୍ବୋରେ ରାଷ୍ଟ୍ରପତିଙ୍କ ବାସଭବନରେ ଧସେଇ ପଶିଥିଲେ ବିକ୍ଷୋଭକାରୀ । ଦେଖୁ ଦେଖୁ ପୂରା ବାସଭବନକୁ କବଜା କରିନେଇଥିଲେ ବିକ୍ଷୋଭକାରୀ । ଯାହାର ଭିଡ଼ିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ଯେଉଁଥିରେ ସୁଇମିଂ ପୁଲରେ ଲୋକମାନେ ଗାଧୋଉଥିବାର ନଜର ଆସିଛି । କେହି କେହି ରୋଷେଇ ଘରେ ପଶି ଖାଉଥିବା ବେଳେ ଆଉ କେହି ବେଡରୁମରେ ପଶି ନାଚୁଛନ୍ତି ।

ଭାରତ-ଇଂଲଣ୍ଡ ଦ୍ୱିତୀୟ ଟି-୨୦: ଟସ୍ ଜିତି ଇଂଲଣ୍ଡର ବୋଲିଂ ନିଷ୍ପତ୍ତି

ବର୍ମିଂଘମ: ଭାରତ ଓ ଇଂଲଣ୍ଡ ମଧ୍ୟରେ ଆଜି ଦ୍ୱିତୀୟ ଟି-୨୦ ମ୍ୟାଚ ଖେଳାଯାଉଛି । ଏଜବାଷ୍ଟନ ଷ୍ଟାଡିୟମଠାରେ ଏହି ମ୍ୟାଚ ଆଉ କିଛି ସମୟ ମଧ୍ୟରେ ଆରମ୍ଭ ହେବ । ଇଂଲଣ୍ଡ ଟସ୍ ଜିତି ବୋଲି ନିଷ୍ପତ୍ତି ନେଇଛି । ସେହିପରି ଭାରତ ପ୍ରଥମେ ବ୍ୟାଟିଂ କରିବ । ତିନି ମ୍ୟାଚ ବିଶିଷ୍ଟ ଏହି ଟି-୨୦ ସିରିଜର ପ୍ରଥମ ମ୍ୟାଚରେ ଭାରତ ବିଜୟୀ ହୋଇଥିଲା । ଯଦି ଆଜି ମ୍ୟାଚରେ ବିଜୟୀ ହୁଏ ତେବେ ସିରିଜ ଜିତିବ ଭାରତ । ଆଜିର ମ୍ୟାଚ ଜିତିବା ପାଇଁ ସମ୍ପୂର୍ଣ୍ଣ ପ୍ରୟାସ କରିବେ ଭାରତୀୟ ଖେଳାଳି  । ତେବେ ଆଜି ମ୍ୟାଚରେ ଅଧିନାୟକ ରୋହିତ ଶର୍ମା ସ୍କ୍ୱାଡରେ ପରିବର୍ତ୍ତନ କରିଛନ୍ତି । ଇଶନ କିଷନ, ଦୀପକ ହୁଡା, ଅର୍ଶଦୀପ ସିଂହ ଏବଂ ଅକ୍ସର ପଟେଲଙ୍କୁ ବିଶ୍ରାମ ଦିଆଯାଇଛି । ସେମାନଙ୍କ ସ୍ଥାନରେ କୋହିଲି, ଜାଡେଜା, ପନ୍ତ ଓ ବୁମରାହଙ୍କୁ ରିପ୍ଲେସ କରାଯାଇଛି । ପ୍ରଥମ ମ୍ୟାଚରେ ଏମାନେ ଖେଳୁନଥିଲେ । ରୋହିତ ଶର୍ମା କହିଛନ୍ତି ପ୍ରଥମେ ବ୍ୟାଟିଂ କରିବା ଦଳ ପାଇଁ ଫଳପ୍ରଦ ହେଉଛି  । ଯଦି ଆମେ ଟସ୍ ଜିତିଥାନ୍ତୁ ତେବେ ବ୍ୟାଟିଂ ଆଣିଥାନ୍ତୁ  । ବୁମରାହ, ଭୁବନେଶ୍ୱର କୁମାରଙ୍କ ଉପରେ ବୋଲିଂ ଭାର ରହିବ ।

ଭାରତୀୟ ଦଳ: ରୋହିତ ଶର୍ମା (ଅଧିନାୟକ), ବିରାଟ କୋହଲି, ସୂର୍ଯ୍ୟୁକୁମାର ଯାଦବ, ଋଷଭ ପନ୍ତ (ୱିକେଟ କିପର), ହାର୍ଦିକ ପାଣ୍ଡ୍ୟା, ଦିନେଶ କାର୍ତ୍ତିକ, ରବୀନ୍ଦ୍ର ଜାଡେଜା, ହର୍ଶଲ ପଟେଲ, ଭୁବନେଶ୍ୱର କୁମାର, ଜଶପ୍ରୀତ ବୁମରାହ, ଯୁଜବେନ୍ଦ୍ର ଚହଲ  ।

ଇଂଲଣ୍ଡ ଦଳ: ଜେସନ ରୟ, ଜୋସ ବଟଲର (ଅଧିନାୟକ/ୱିକେଟକିପର), ଡେୱିଡ ମଲନ, ଲିଆମ ଲିଭିଙ୍ଗଷ୍ଟୋନ, ହାରି ବ୍ରୁକ, ମୋଇନ ଅଲି, ସାମ କୁରାନ, ଡେଭିଡ ୱିଲୀ, କ୍ରୀସ ଜୋର୍ଡାନ, ରିଚାର୍ଡ ଗ୍ଲୀସନ, ମାଥିୟୁ ପାର୍କିନସନ  ।