spot_img
Home Blog Page 4218

ଅମରନାଥ ଗୁମ୍ଫା ନିକଟରେ ବାଦଲ ଫଟା ବର୍ଷା; ୧୫ ଜଣଙ୍କ ମୃତ୍ୟୁ, ୪୦ ନିଖୋଜ

ଶ୍ରୀନଗର: ଅମରନାଥ ଗୁମ୍ଫା ନିକଟରେ ଅଘଟଣ ।  ବାଦଲ ଫଟା ବର୍ଷା ଯୋଗୁଁ ପ୍ରାୟ ୧୫ ଜଣଙ୍କ ମୃତ୍ୟୁ ଘଟିଛି । ସେହିପରି ପ୍ରାୟ ୪୦ ଜଣ ନିଖୋଜ ରହିଥିବା ସୂଚନା । ଏନଡିଆରଏଫ, ଏସଡିଆରଏଫ ଏବଂ ଆଇଟିବିପି ଟିମ୍ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି  । ଜମ୍ମୁ-କାଶ୍ମୀରର ପବିତ୍ର ଅମରନାଥ ଗୁମ୍ଫା ପାଖରେ ବାଦଲ ଫାଟିଯିବା କାରଣରୁ ମୂଶଳ ଧାରରେ ବର୍ଷା ହୋଇଥିଲା । ଯାତ୍ରୀ ରହୁଥିବା ଟେଣ୍ଟ ଭାସିଯାଇଥିଲା । ଅନେକ ଲୋକ ମଧ୍ୟ ଏଥିରେ ଭାସିଯାଇଥିବା ସନ୍ଦେହ କରାଯାଉଛି । ଆଜି ଅପରାହ୍ନ ୫ ଟା ୩୦ ସମୟରେ ଏହି ଅଘଟଣ ଘଟିଥିଲା  ।

ହେଲିକପ୍ଟର ଜରିଆରେ ଫସିରହିଥିବା ଯାତ୍ରୀଙ୍କୁ ଉଦ୍ଧାର କରାଯାଉଛି । ପ୍ରାୟ ୮ ରୁ ୧୦ ହଜାର ଶ୍ରଦ୍ଧାଳୁ ଏହି ଯାତ୍ରାରେ ସାମିଲ ହୋଇଥିଲେ । ଗତ ୩୦ ତାରିଖରେ ଅମରନାଥ ଯାତ୍ରା ଆରମ୍ଭ ହୋଇଥିଲା । ପୂର୍ବରୁ ଅନେକ ଶ୍ରଦ୍ଧାଳୁ ବାବା ଅମରନାଥଙ୍କ ଦର୍ଶନ କରିସାରିଛନ୍ତି । ଗତ ମଙ୍ଗଳବାର ପାଗ ଖରାପ କାରଣରୁ ଦର୍ଶନ ବନ୍ଦ ରହିଥିଲା  । ଶ୍ରଦ୍ଧାଳୁମାନେ ଅମରନାଥ ଗୁମ୍ଫା ପାଖରେ ଟେଣ୍ଟ ଲଗାଇ ରହୁଥିଲେ  ।

ଆଗାମୀ ୫ ବର୍ଷରେ ପେଟ୍ରୋଲର ବ୍ୟବହାର ଶେଷ ହୋଇଯିବ: ନୀତିନ ଗଡ଼କରୀ

ମୁମ୍ବାଇ: ଦେଶରେ ଗୋଟିଏ ପଟେ ପେଟ୍ରୋଲ ଡିଜେଲ ମୂଲ୍ୟରେ ବୃଦ୍ଧି ମଧ୍ୟରେ କେନ୍ଦ୍ର ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀଙ୍କ ଏକ ବଡ଼ ବୟାନ ସାମ୍ନାକୁ ଆସିଛି  । ସେ କହିଛନ୍ତି, ଆଗାମୀ ୫ ବର୍ଷରେ ଦେଶରୁ ପେଟ୍ରୋଲ ଯୁଗ ଶେଷ ହୋଇଯିବ । ଏହି କାରଣରୁ ଜୀବାଶ୍ମ ଇନ୍ଧନ ଉପରେ ପ୍ରତିବନ୍ଧକ ଲଗାଇ ଦିଆଯିବ । ନୀତିନ ଗଡ଼କରୀ ଗୁରୁବାର ମହାରାଷ୍ଟ୍ରର ଅକୋଲାରେ ଡା. ପଞ୍ଜାବରାଓ ଦେଶମୁଖ କୃଷି ବିଶ୍ୱବିଦ୍ୟାଳୟର ୩୬ତମ ଦୀକ୍ଷାନ୍ତ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ  । ତାଙ୍କୁ ବିଶ୍ୱବିଦ୍ୟାଳୟ ପକ୍ଷରୁ ଡକ୍ଟର ଅଫ୍ ସାଇନ୍ସ ଉପାଧିରେ ସମ୍ନାନିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମହାରାଷ୍ଟ୍ର ରାଜ୍ୟପାଳ ତଥା ବିଶ୍ୱବିଦ୍ୟାଳୟର କୂଳାଧିପତି ଭଗତ ସିଂହ କୋଶ୍ୟାରୀ ମଧ୍ୟ ସାମିଲ ଥିଲେ ।

ଏହି ଅବସରରେ ନୀତିନ କହିଥିଲେ, ବିଧର୍ଭରେ ପ୍ରସ୍ତୁତ ବାୟୋ-ଇଥାନଲର ବ୍ୟବହାର ଗାଡିରେ କରାଯାଉଛି । ଗ୍ରୀନ ହାଇଡ୍ରୋଜେନକୁ କୂଅ ପାଣିରୁ ପ୍ରସ୍ତୁତ କରାଯାଇପାରିବ । ଏହାକୁ ୭୦ ଟଙ୍କା ପ୍ରତି ଲିଟରରେ ବିକ୍ରୀ କରାଯାଇପାରିବ । ପେଟ୍ରୋଲର ବିକଳ୍ପ ଭାବେ ଏହାର ବହୁଳମାତ୍ରାରେ ବ୍ୟବହାର କରାଯିବ  । ଆଗାମୀ ୫ ବର୍ଷରେ ଦେଶରୁ ପେଟ୍ରୋଲ ଶେଷ ହୋଇଯିବ । ସେ କହିଛନ୍ତି, ଗହମ, ଚାଉଳ, ମକ୍କା ଚାଷ କରି କୌଣସି କୃଷକ ଭବିଷ୍ୟତ ବଦଳାଇ ପାରିବନାହିଁ  । କୃଷକ କେବଳ ଅନ୍ନଦାତା ନହୋଇ ଶକ୍ତିଦାତା ମଧ୍ୟ ହେବା ଆବଶ୍ୟକ । ଗଡକରୀ ଆଗକୁ କହିଥିଲେ, ଇଥାନଲକୁ ନେଇ ଏକ ନିଷ୍ପତ୍ତି ଦ୍ୱାରା ଦେଶକୁ ୨୦ ହଜାର କୋଟି ଟଙ୍କାର ସେଭିଙ୍ଗ ହୋଇଛି । ନିକଟ ଭବିଷ୍ୟତରେ ଦୁଇଚକିଆ ଏବଂ ଚାରି ଚକିଆ ଗାଡି ଗ୍ରୀନ ହାଇଡ୍ରୋଜେନ, ଇଥାନଲ ଏବଂ ସିଏନଜି ଦ୍ୱାରା ଚାଲିବ  । ଧୀରେ ଧୀରେ ପେଟ୍ରୋଲର ବ୍ୟବହାର କମ୍ କରାଯିବ  । ଇଥାନଲ, ଗ୍ରୀନ ହାଇଡ୍ରୋଜେନ ଏବଂ ସିଏନଜି ବ୍ୟବହାର ପେଟ୍ରୋଲ ଅପେକ୍ଷା ଅଧିକ ଲାଭଦାୟକ ସାବ୍ୟସ୍ଥ ହେବ  । ପ୍ରଦୂଷଣର ମାତ୍ରା କମିବା ସହ ଏହା ଶସ୍ତା ରହିବ ବୋଲି ସେ କହିଛନ୍ତି  ।

ବରିଷ୍ଠ ଆଇଏଏସ୍ ଅଧିକାରୀଙ୍କ ନାଁରେ ଟଙ୍କା ମାଗୁଛନ୍ତି ସାଇବର ଠକ

ଭୁବନେଶ୍ୱର: ସାଇବର ଠକଙ୍କ ଟାର୍ଗେଟରେ ବରିଷ୍ଠ ଆଇଏଏସ ଅଫିସର । ଏସଆରସି ପ୍ରଦୀପ ଜେନାଙ୍କ ଫେସବୁକ ଆକାଉଣ୍ଟ ହ୍ୟାକ୍ କରି ଟଙ୍କା ମାଗିଲେ ସାଇବର ଠକ । ଏନେଇ ସାଇବର ଥାନାରେ ଅଭିଯୋଗ କରିଛନ୍ତି ଏସଆରସି ପ୍ରଦୀପ ଜେନା । ତାଙ୍କ ଫଟୋକୁ ବ୍ୟବହାର କରି ଅନ୍ୟ ଏକ ଆକାଉଣ୍ଟ ଖୋଲିଛନ୍ତି ଦଲାଲ୍ । ଆକାଉଣ୍ଟ ଜରିଆରେ ବିଭିନ୍ନ ଲୋକଙ୍କୁ ଟଙ୍କା ମାଗୁଛନ୍ତି ଦଲାଲ୍ । ସେହିପରି ପୁର୍ବତନ ସୂଚନା ଓ ଲୋକସଂପର୍କ ସଚିବ ଦିଗାମ୍ବର ମହାନ୍ତିଙ୍କ ଫେସବୁକ୍ ଆକାଉଣ୍ଟ ମଧ୍ୟ ହ୍ୟାକ୍ କରି ହ୍ୟାକର ଟଙ୍କା ମାଗୁଥିବା ଅଭିଯୋଗ ହୋଇଛି । ଅନ୍ୟପଟେ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡାଙ୍କ ହ୍ବାଟସଆପ ଆକାଉଣ୍ଟ ମଧ୍ୟ ହ୍ୟାକ ହୋଇଥିବା ଅଭିଯୋଗ ହୋଇଛି ।

ଆକାଉଣ୍ଟ ହ୍ୟାକ କରି ହସପିଟାଲ୍ ଖର୍ଚ୍ଚ ପାଇଁ ଲୁଟେରା ଟଙ୍କା ମାଗୁଥିବା ଅଭିଯୋଗ ହୋଇଛି । କାହା ନିକଟକୁ ଏପରି ମେସେଜ ଗଲେ ଟଙ୍କା ନପଠାଇ ପୋଲିସ ନିକଟରେ ଅଭିଯୋଗ କରିବାକୁ ପରାମର୍ଶ ଦିଆଯାଇଛି । ଏସଆରସି ପ୍ରଦୀପ ଜେନା ଟ୍ୱିଟ କରି ଲୋକମାନଙ୍କୁ ଏପରି ମେସେଜର ଉତ୍ତର ନଦେବାକୁ କହିଛନ୍ତି  । ସେହିପରି ଏକ ହ୍ୱାଟ୍ସଆପ ଆକାଉଣ୍ଟ ଡିପିରେ ତାଙ୍କ ଫଟୋ ଦିଆଯାଇ ଅର୍ଥ ମଗାଯାଉଛି  । ଏପଟେ ସାଇବର ପୋଲିସ ମମଲା ରୁଜୁ ଠକଙ୍କୁ ଟ୍ରେସ କରିବା ପାଇଁ ଉଦ୍ୟମ କରୁଛି  ।

ଚ୍ୟାଲେଞ୍ଜ କରିଥିଲେ, ଏବେ ଗିରଫ କଲା ନବରଙ୍ଗପୁର ପୋଲିସ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ପୋଲିସକୁ ବଡ଼ ସଫଳତା ମିଳିଛି । ଧରା ପଡ଼ିଲା ବହୁ ଚର୍ଚ୍ଚିତ ନବରଙ୍ଗପୁର ଜିଲ୍ଲା ଖାତୀଗୁଡ଼ା ହାଇସ୍କୁଲର କମ୍ପ୍ୟୁଟର ଚୋରି କରି ପୋଲିସକୁ ଚ୍ୟାଲେଞ୍ଜ ଦେଇଥିବା ଚୋର । ଖାତିଗୁଡ଼ା ସହରର ଦୁଇ ଭାଈ ଏହି ଘଟଣାରେ ଜଡ଼ିତ ଥିବା ନେଇ ନବରଙ୍ଗପୂର ଏଏସପି ସୂଚନା ଦେଇଛନ୍ତି । ରଥଯାତ୍ରା ଦିନ ଇନ୍ଦ୍ରାବତୀ ସହର ଅନ୍ତର୍ଗତ ଖାତିଗୁଡା ହାଇସ୍କୁଲରେ କମ୍ପ୍ୟୁଟର୍ , ପ୍ରିଣ୍ଟର ତଥା ଅନ୍ୟ କିଛି ଜିନିଷ ଚୋରୀ ହୋଇଥିଲା । ସମସ୍ତ ଜିନିଷ ସେମାନଙ୍କ ପାଖରୁ ଜବତ କରାଯାଇଛି ।

ଗତ ତିନି ତାରିଖରେ ଦୁର୍ବୁର୍ତ୍ତ ସ୍କୁଲରୁ ଚୋରି କରିବା ସହ ଲେଖିଥିଲେ  IT’S ME । ଧୁମ-4, କମିଙ୍ଗ୍ ଶୁନ୍  । “ସ୍କୁଲ ପିଲା, ଧରିପାରିଲେ ଧର ” । ଫିଲ୍ମ ଷ୍ଟାଇଲରେ ଚୋରି କରି ସ୍କୁଲ ବ୍ଲାକ ବୋର୍ଡରେ ଲେଖିଥିଲେ  ।  ବିଦ୍ୟାଳୟର ମୁଖ୍ୟ ଫାଟକର ଚାବି ଭାଙ୍ଗିବା ସହ ପ୍ରଧାନଶିକ୍ଷକଙ୍କ କକ୍ଷରେ ଥିବା ୨ଟି ତାଲା ଭାଙ୍ଗି କମ୍ପ୍ୟୁଟର, ପ୍ରିଣ୍ଟର୍, ଜେରକ୍ସ ମେସିନ୍, ଏବଂ ସାଉଣ୍ଡ ବକ୍ସ ଆଦି ଚୋରି ହୋଇଥିବା ଅଭିଯୋଗ ହୋଇଥିଲା  । ଏପରିକି ଦୁର୍ବୃତ୍ତମାନେ କମିଙ୍ଗ୍‌ ଶୁନ୍‌, ସ୍କୁଲ ପିଲା ଧରିପାରିଲେ ଧର ଏବଂ ଆମେ ପୁଣି ଆସିବୁ ବୋଲି ଲେଖି ଚାଲି ଯାଇଥ‌ିଲେ  । ଏଥିସହ ବ୍ଲାକ ବୋର୍ଡ ରେ କିଛି ମୋବାଇଲ ନମ୍ୱର୍ ଲେଖିଥିଲେ । ଯେଉଁଥିରେ ସ୍କୁଲ ଶିକ୍ଷକ ଙ୍କ ନମ୍ୱର୍ ମଧ୍ୟ ରହିଥିଲା । ରଥଯାତ୍ରା ପାଇଁ ସ୍କୁଲ ଛୁଟି ଥିବାରୁ ଶନିବାର ସକାଳେ ବିଦ୍ୟାଳୟ କର୍ତ୍ତୃପକ୍ଷ ବିଦ୍ୟାଳୟରେ ପହଞ୍ଚିବା ପରେ ବିଭିନ୍ନ ସାମଗ୍ରୀ ଚୋରି ହୋଇଥିବା ଜାଣିବାକୁ ପାଇବା ସହ ଚୋରମାନେ ବ୍ଲାକ୍‌ ବୋର୍ଡରେ ଲେଖିଥିବା ଲେଖାକୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏନେଇ ବିଦ୍ୟାଳୟ କର୍ତ୍ତୃପକ୍ଷ ଖାତିଗୁଡ଼ା ଥାନାରେ ଅଭିଯୋଗ କରିଥିଲେ  । ଅଭିଯୋଗ ପରେ ଖାତିଗୁଡା ପୋଲିସ ଅନୁସନ୍ଧାନ ଆରମ୍ଭ କରିଥିଲା । ସାଇଣ୍ଟିଫିକ ଟିମ ଓ ସନ୍ଧାନି କୁକୁର ସହାୟତାରେ ପୋଲିସ୍ ତଦନ୍ତ ଆରମ୍ଭ କରିଥିଲା । ଘଟଣାରେ ଇନ୍ଦ୍ରାବତୀ ସହରର ଦୁଇ ଭାଇ ଆଦିତ୍ୟ କୁମାର ଦାସ ଓ ଆନନ୍ଦ କୁମାର ଦାସଙ୍କୁ ଗିରଫ କରିଛି ପୋଲିସ ।

ଚୋରି କଲା ବୋଲି ପିଟିପିଟି ମାରିଦେଲେ !

ବାଲେଶ୍ୱର: ଚୋରି କଲା ବୋଲି ଯୁବକଙ୍କୁ ପିଟିପିଟି ହତ୍ୟା । ବାଲେଶ୍ବର ଇଞ୍ଚୁଡ଼ିରେ ଅଭାବନୀୟ ଘଟଣା । ଚୋରି କରିଥିବା ଅଭିଯୋଗରେ ଯୁବକଙ୍କୁ ପିଟିପିଟି ହତ୍ୟା ଅଭିଯୋଗ । ମୃତକ ହେଲେ ଇଞ୍ଚୁଡ଼ି ଗାଁର ସନ୍ଦୀପ ଦଳାଇ । ଅଭିଯୋଗ ଅନୁସାରେ ସନ୍ଦୀପ ଏକ ଚିଙ୍ଗୁଡ଼ି ଘେରିରୁ ଲୁହା ଚୋରି କରିଥିଲେ । ଏହା ଜଣାପଡ଼ିବାରୁ ସେ ଚୋରି କରିଥିବା ଲୁହାକୁ ଫେରାଇ ବି ଦେଇଥିଲେ । ହେଲେ ଗତକାଲି ସ୍ଥାନୀୟ ସରପଞ୍ଚ ସହଯୋଗୀଙ୍କ ସହିତ ସନ୍ଦୀପକୁ ଘରୁ ଡ଼ାକିନେଇ ନିସ୍ତୁକ ମାଡ଼ ମାରିଥିଲେ ।

ଗୁରୁତର ଅବସ୍ଥାରେ ତାଙ୍କୁ ବାଲେଶ୍ବର ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ଅଭିଯୋଗ ପରେ ମାମଲା ରୁଜୁ କରି ତଦନ୍ତ କରୁଛି ପୋଲିସ । ଗାଁରେ ଉତ୍ତେଜନା ଲାଗିରହିଥିବାରୁ ମୁତୟନ ହୋଇଛି ପୋଲିସ । ତେବେ ଏହା ପ୍ରଥମ ଘଟଣା ନୁହେଁ ଯେବେ କୌଣସି ଚୋରକୁ ପିଟି ପିଟି ହତ୍ୟା କରାଯାଇଛି  । ପୂର୍ବରୁ ମଧ୍ୟ ଦେଶର ବିଭିନ୍ନ ସ୍ଥାନରୁ ଏପରି ଘଟଣା ସାମ୍ନାକୁ ଆସିଛି  । ତେବେ ଏଠି ପ୍ରଶ୍ନ ଦଣ୍ଡ ଦେବା ପାଇଁ ପୋଲିସ ଓ ନ୍ୟାୟ ବ୍ୟବସ୍ଥା ଥିବା ବେଳେ ଲୋକମାନେ କାହିଁକି ଆଇନକୁ ହାତକୁ ନେଇ ଏପରି ଅମାନବୀୟ କାଣ୍ଡ ଘଟାଉଛନ୍ତି  ।

ଭାରତ-ଜାପାନ ସମ୍ପର୍କ ସୁଦୃଢ କରିବାରେ ଶିଞ୍ଜୋଙ୍କର ଥିଲା ମୁଖ୍ୟ ଭୂମିକା

ଭୁବନେଶ୍ୱର: ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ଶିଞ୍ଜୋ ଆବେଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଟ୍ୱିଟ କରି ଶୋକପ୍ରକାଶ କରିଛନ୍ତି । ନବୀନ କହିଛନ୍ତି, ଜାପାନ ପୂର୍ବତନ ପ୍ରଧାନମନ୍ତ୍ରୀ ଶିଞ୍ଜୋ ଆବେଙ୍କ ହତ୍ୟା ଖବର ଶୁଣି ମୁଁ ଗଭୀର ମର୍ମାହତ ।  ସେ ଭାରତର ଜଣେ ଭଲ ବନ୍ଧୁ ଥିଲେ  । ଭାରତ-ଜାପାନ ସମ୍ପର୍କକୁ ସୁଦୃଢ କରିବା ଦିଗରେ ତାଙ୍କର କାର୍ଯ୍ୟ ଉଲ୍ଲେଖନୀୟ । ଶୋକସନ୍ତପ ପରିବାର ଏବଂ ଜାପାନର ଜନସାଧାରଣଙ୍କୁ ଏହି ଦୁଃଖଦ ସମୟରେ ଭଗବାନ ସହାସ ଓ ଧର୍ଯ୍ୟ ପ୍ରଦାନ କରନ୍ତୁ  ।

ସୂଚନାଥାଉକି, ଆଜି ସକାଳେ ୱେଷ୍ଟର୍ଣ୍ଣ ଜାପାନର ନାରା ସହରରେ ପୂର୍ବତନ ପ୍ରଧାନମନ୍ତ୍ରୀ ପ୍ରଚାର କରୁଥିବା ସମୟରେ ଜଣେ ଦୁର୍ବୁର୍ତ୍ତ ପଛପଟୁ ତାଙ୍କ ଉପରକୁ ଗୁଳିମାଡ଼ କରିଥିଲା  । ତାଙ୍କ ଶରୀରରେ ଦୁଇଟି ଗୁଳି ବାଜିଥିଲା । ଗୁରୁତର ଅବସ୍ଥାରେ ହସ୍ପିଟାଲ ନିଆଯାଇଥିଲା । ହେଲେ ଡାକ୍ତରମାନେ ତାଙ୍କୁ ବଞ୍ଚାଇବାରେ ସଫଳ ହୋଇନଥିଲେ  । ତାଙ୍କର ମୃତ୍ୟୁ ପରେ ସାରା ବିଶ୍ୱରେ ଶୋକ ଦେଖା ଦେଇଛି  ।

ଶିଞ୍ଜୋ ଆବେଙ୍କ ସମ୍ମାନରେ ଆସନ୍ତାକାଲି ଦିନିକିଆ ରାଷ୍ଟ୍ରୀୟ ଶୋକ

ନୂଆଦିଲ୍ଲୀ: ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ଶିଞ୍ଜୋ ଆବେଙ୍କ ଅକାଳ ବିୟୋଗ ପରେ ତାଙ୍କୁ ସମ୍ମାନ ଦେବା ପାଇଁ ଭାରତ ସରକାର ରାଷ୍ଟ୍ରୀୟ ଶୋକପ୍ରକାଶ ପାଇଁ ଘୋଷଣା କରିଛନ୍ତି । ଆସନ୍ତାକାଲି ଅର୍ଥାତ ଶନିବାର ଆବେଙ୍କ ସମ୍ମାନରେ ସାରାଦେଶରେ ଶୋକ ପାଳନ କରାଯିବ । ସମସ୍ତ ସରକାରୀ କାର୍ଯ୍ୟାଳୟରେ ଜାତୀୟ ପାତାକା ଉଡିବନି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଅପରାହ୍ନରେ ଏକ ଟ୍ୱିଟ କରି ଶୋକ ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇଛନ୍ତି । ସେ ଟ୍ୱିଟ କରି ଲେଖିଛନ୍ତି, ପୂର୍ବତନ ପ୍ରଧାନମନ୍ତ୍ରୀ ଶିଞ୍ଜୋ ଆବେଙ୍କ ସମ୍ମାନରେ ଆସନ୍ତାକାଲି ରାଷ୍ଟ୍ରୀୟ ଶୋକ ପାଳନ କରାଯିବ । ପ୍ରକାଶଯୋଗ୍ୟ, ଭାରତ ସହ ଶିଞ୍ଜୋ ଆବେଙ୍କ ସମ୍ପର୍କ ବହୁତ ଘନିଷ୍ଠ ଥିଲା  । ଶିଞ୍ଜୋ ପ୍ରଧାନମନ୍ତ୍ରୀ ଥିବା ସମୟରେ ଭାରତ ସହ ଅନେକ ଚୁକ୍ତିନାମା କରିଥିଲେ  । ତାଙ୍କର ମୃତ୍ୟୁ ପରେ ଭାରତ ଜଣେ ସଚ୍ଚା ବନ୍ଧୁ ହରାଇଛି  ।

 

ଅନ୍ୟ ଏକ ଟ୍ୱିଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମୃତ୍ୟୁରେ ଗଭୀର ଶୋକ ପ୍ରକାଶ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟ୍ୱିଟ କରି କହିଛନ୍ତି, ମୁଁ ନିଜର ସବୁଠୁ ପ୍ରିୟ ବନ୍ଧୁ ଶିଞ୍ଜୋ ଆବେଙ୍କ ଅକାଳ ବିୟୋଗରେ ସ୍ତବ୍ଧ ଏବଂ ଦୁଃଖିତ  । ସେ ଏକ ବିଶ୍ୱ ରାଜନେତା ଏବଂ ଉଲ୍ଲେଖନୀୟ ପ୍ରଶାସକ ଥିଲେ  । ସେ ଜାପାନ ଏବଂ ବିଶ୍ୱକୁ ଏକ ଉତ୍ତମ ସ୍ଥାନ ବନାଇବା ପାଇଁ ନିଜର ଜୀବନ ସମର୍ପିତ କରିଥିଲେ  । ସୂଚନାଥାଉକି, ଆଜି ସକାଳେ ୱେଷ୍ଟର୍ଣ୍ଣ ଜାପାନର ନାରା ସହରରେ ଲିବେରାଲ ଡେମୋକ୍ରାଟିକ ଦଳ ପାଇଁ ପ୍ରଚାର କରିବା ସମୟରେ ଜଣେ ଦୁର୍ବୁର୍ତ୍ତ ତାଙ୍କ ଉପରକୁ ଗୁଳି ମାରି ଥିଲା  ।

ସିଞ୍ଜୋଙ୍କୁ ପଛପଟୁ ଦୁଇଟି ଗୁଳି ବାଜିଥିଲା  । ତେବେ ସେଠାରେ ଉପସ୍ଥିତ ଥିବା ସୁରକ୍ଷାକର୍ମୀ ମେଡିକାଲ ନେଇଯାଇଥିଲେ  । ଦୀର୍ଘ ଘଣ୍ଟାର ସଂଘର୍ଷ ପରେ ପ୍ରାଣ ତ୍ୟାଗ କରିଥିଲେ ଶିଞ୍ଜୋ ଆବେ  । ତାଙ୍କୁ ଗୁଳି କରିଥିବା ୪୧ ବର୍ଷୀୟ ୟାମାଗାମୀ ତେସ୍ତୁୟାଙ୍କୁ ସୁରକ୍ଷାକର୍ମୀ ଗିରଫ କରିଛନ୍ତି  । କୁହାଯାଉଛି ସିଞ୍ଜୋଙ୍କ ଚିନ୍ତାଧାରା ସହ ସେ ସହମତ ନଥିଲେ ସେଥିପାଇଁ ଗୁଳି କରି ହତ୍ୟା କରିଛି  । ୬୭ ବର୍ଷୀୟ ଶିଞ୍ଜୋ ଜାପାନର ପ୍ରଧାନମନ୍ତ୍ରୀ ଭାବେ ସବୁଠୁ ଅଧିକ ସମୟ ୯ ବର୍ଷ ଦାୟିତ୍ୱ ତୁଲାଇଥିଲେ । ସ୍ୱାସ୍ଥ୍ୟଗତ ସମସ୍ୟା ପାଇଁ ଅଗଷ୍ଟ ୨୮ ତାରିଖ ୨୦୨୦ରେ ପ୍ରଧାନମନ୍ତ୍ରୀ ପଦରୁ ସେ ଇସ୍ତଫା ଦେଇଥିଲେ । ସେ ପ୍ରଧାନମନ୍ତ୍ରୀ ଥିବା ସମୟରେ ଅନେକ ଯୁଗାନ୍ତକାରୀ ପଦକ୍ଷେପ ଗ୍ରହଣ କରିଥିଲେ  ।

କଲେଜରେ ସୀମା ଟପୁଛନ୍ତି ସିନିୟର, ରାଗିଂ ଯୋଗୁଁ ଆତ୍ମହତ୍ୟା କଲେ ଘରୋଇ ନର୍ସିଂ ହୋମର ଛାତ୍ରୀ

ବାଲେଶ୍ୱର: ଥମୁନି ରାଗିଂ । କଲେଜରେ ସୀମା ଟପୁଛନ୍ତି ସିନିୟର । ବିଜେବି କଲେଜ ଛାତ୍ରୀଙ୍କ ଆତ୍ମହତ୍ୟା ପରେ ଆଖି ବୁଜିଛନ୍ତି ବାଲେଶ୍ୱରର ଆଉ ଜଣେ ଛାତ୍ରୀ । କଲେଜରେ ରାଗିଂ ଯୋଗୁ ବାଲେଶ୍ୱର ସୋର ଥାନା ଅଞ୍ଚଳର ଗଙ୍ଗାଧର ବେହେରାଙ୍କ ଝିଅ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ଏକ ଘରୋଇ ନର୍ସିଂ ହୋମରେ ଦ୍ୱିତୀୟ ବର୍ଷ ଛାତ୍ରୀ ଥିଲେ ଲିପ୍ସା । ଗତ ତିନି ତାରିଖରେ ହଷ୍ଟେଲ ରୁମରେ ଫ୍ୟାନରେ ଆଫ୍ରନ ଲଗାଇ ଆତ୍ମହତ୍ୟା କରିଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ୫ ତାରିଖରେ ପରିବାର ଲୋକେ ଏ ନେଇ ଥାନାରେ ଅଭିଯୋଗ କରିଥିଲେ ।

କଲେଜରେ ରାଗିଂ ଯୋଗୁ ଲିପ୍ସା ଆତ୍ମହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଥିବା ବେଳେ ତଦନ୍ତ କରି ନ୍ୟାୟ ପ୍ରଦାନ କରିବାକୁ ନିବେଦନ କରିଛନ୍ତି ପରିବାର ଲୋକେ । ଘଟଣା ଦିନ ସନ୍ଧ୍ୟା ୭ରେ ଲିପ୍ସା ପରିବାର ଲୋକଙ୍କ ସହ କଥା ହୋଇଥିଲେ । ହେଲେ ରାତି ୯ଟାରେ ସେ ଗୁରୁତର ଥିବା ପରିବାର ଲୋକଙ୍କୁ ଫୋନ ଯୋଗେ ସୂଚନା ଦିଆଯାଇଥିଲା । ସବୁ କିଛି ଠିକ୍ ଥିବା ସତ୍ତ୍ୱେ ଝିଅ କ’ଣ ପାଇଁ ଏଭଳି ନିଷ୍ପତ୍ତି ନେଲା ବୋଲି ପରିବାର ଲୋକେ ପ୍ରଶ୍ନ କରିଛନ୍ତି ।

ଭିଜିଲାନ୍ସ ଜାଲରେ ତହସିଲଦାର, ୧୫ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରିଲା ଭିଜିଲାନ୍ସ

କରଞ୍ଜିଆ: ଭିଜିଲାନ୍ସ ଜାଲରେ ତହସିଲଦାର। କରଞ୍ଜିଆ ରରୁଆଁ ତହସିଲଦାର ସତ୍ୟସୁନ୍ଦର ରାଉତ ଜମି ପଟ୍ଟା କରିବା ପାଇଁ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି । ଜମି ପଟ୍ଟା ପାଇଁ ୪୦ ହଜାର ଟଙ୍କା ଲାଞ୍ଚ ନେବାକୁ ଚୁକ୍ତି କରିଥିଲେ । ଆଗରୁ ୨୫ ହଜାର ଟଙ୍କା ନେଇଥିବା ବେଳେ ଆଜି ୧୫ ହଜାର ଟଙ୍କା ଲାଞ୍ଚ ନେଉଥିଲେ । ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ତାଙ୍କୁ ରେଡ୍‌ ହ୍ୟାଣ୍ଡେଡ୍ ଧରିଛି । ଲାଞ୍ଚ କାରବାର ପାଇଁ ମଧ୍ୟସ୍ଥି ସାଜିଥିଲେ ଅମିନ କମଳ ପାତ୍ର । ଚକ୍ରଧର ମହାନ୍ତଙ୍କଠାରୁ ଜମି ପଟ୍ଟା କରିବା ପାଇଁ ଟଙ୍କା ନେଉଥିବାବେଳେ ଧରାପଡ଼ିଛନ୍ତି ତହସିଲଦାର ସତ୍ୟସୁନ୍ଦର ରାଉତ । ଏହାପରେ ଏକକାଳୀନ କେନ୍ଦୁଝର, ବାଲେଶ୍ୱର, ମୟୂରଭଞ୍ଜରେ ଭିଜିଲାନ୍ସ ଟିମ୍ ଚଢ଼ାଉ କରିଛି ।

ଗୁଳିମାଡ଼ରେ ସିଞ୍ଜୋ ଆବେଙ୍କ ମୃତ୍ୟୁ

ଟୋକିଓ: ଆରପାରିରେ ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ । ଗୁଳିମାଡ଼ରେ ମୃତ୍ୟୁବରଣ କରିଛନ୍ତି ସିଞ୍ଜୋ ଆବେ । ଓ୍ୱେଷ୍ଟର୍ଣ୍ଣ ଜାପାନର ନାରା ସହରରେ ଏକ କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ବେଳେ ଆବେଙ୍କ ଉପରେ ଆକ୍ରମଣ ହୋଇଥିଲା । ଷ୍ଟେଜ ଉପରେ ଭାଷଣ ଦେଉଥିବାବେଳେ ପଛପଟୁ ଗୁଳିମାଡ଼ ହୋଇଥିଲା । ଛାତିରେ ଗୁଳି ବାଜିଥିବା ବେଳେ ଜଣେ ସନ୍ଦିଗ୍ଧ ଯୁବକଙ୍କୁ ପୋଲିସ ଗିରଫ କରିଛି । ଏହି ଆକ୍ରମଣରେ ଆବେଙ୍କ ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ ଥିଲା ।

ସୂଚନା ଅନୁସାରେ ଜାପାନର ନାରା ସହରର ଏକ କାର୍ଯ୍ୟକ୍ରମରେ ସିଞ୍ଜୋ ଆବେ ଭାଷଣ ଦେଉଥିଲେ । ଏହି ସମୟରେ ହଠାତ୍ ତାଙ୍କ ଉପରକୁ ଗୁଳିମାଡ଼ କରାଯାଇଥିଲା । ଜାପାନରେ ସର୍ବାଧିକ ସମୟ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଛନ୍ତି ଆବେ । ସେ ୨୦୦୬ରୁ ୨୦୦୭ ଓ ୨୦୧୨ରୁ ୨୦୨୦ ଯାଏ ପ୍ରଧାନମନ୍ତ୍ରୀ ଥିଲେ । ତେବେ କେଉଁ କାରଣରୁ ତାଙ୍କ ଉପରକୁ ଗୁଳିମାଡ଼ ହୋଇଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନାହିଁ ।