spot_img
Home Blog Page 4217

ମା’ ତାରାତାରିଣୀଙ୍କ ନବନିର୍ମିତ ମନ୍ଦିରରେ ସମ୍ପନ୍ନ ହୋଇଛି ତ୍ରିଶୂଳ ଓ ଧ୍ୱଜା ସ୍ଥାପନ

ଗଞ୍ଜାମ:  ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ନବନିର୍ମିତ ମନ୍ଦିରରେ ସମ୍ପନ୍ନ ହୋଇଛି ତ୍ରିଶୂଳ ଓ ଧ୍ୱଜା ସ୍ଥାପନ । ଦୀର୍ଘ ୬ ଦିନ ଧରି ଚାଲିଥିଲା ମନ୍ଦିର ପ୍ରତିଷ୍ଠା ଉତ୍ସବ । ଚାଲିଥିଲା ହୋମଜଜ୍ଞ । ଆଜି ଏହି ପ୍ରତିଷ୍ଠା ଉତ୍ସବ ଶେଷ ହୋଇଛି । ନବନିର୍ମିତ ମନ୍ଦିରରେ ସ୍ଥାପନ କରାଯାଇଛି ତ୍ରିଶୂଳ ଓ ଧ୍ବଜା । ଏହି ଅବସରରେ ମା’ ତାରାତାରିଣୀଙ୍କ ଠାରୁ ରାଜ୍ୟବାସୀଙ୍କ ପାଇଁ ଆଶିଷ ଭିକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ । ବ୍ରହ୍ମପୁର ଠାରୁ ୩୦ କିଲୋମିଟର ଦୂରରେ ଋଷିକୂଲ୍ୟା ନଦୀ କୂଳରେ ମା ତାରାତାରିଣୀଙ୍କ ପୀଠ ଏକ ପ୍ରସିଦ୍ଧ ଶକ୍ତିସ୍ଥଳ ।

ପୂର୍ବରୁ ଭକ୍ତ ମାନେ ଅନେକ ପାହାଚ ଚଢି ମା ଙ୍କ ଦର୍ଶନ ପାଇଁ ଯାଉଥିଲେ । ହେଲେ ମା ତାରାତାରିଣୀଙ୍କ ପୀଠର ଆଜି ବଦଳିଛି କାୟାକଳ୍ପ । ଏବେ ରୋପ୍‌ ୱେ ସହ ପୀଠକୁ ରହିଛି ସୁନ୍ଦର ରାସ୍ତା । ପୀଠକୁ ଯିବା ପାଇଁ ୩ ପ୍ରକାରର ବ୍ୟବସ୍ଥା କରାଯାଇଛି । ଏହାସହିତ ନଦୀ କୂଳ ସଡକକୁ ମଧ୍ୟ ନୂତନ ଭାବେ ନିର୍ମାଣ କରାଯାଇଛି ଏବଂ ଏଠାରୁ ଋଷିକୂଲ୍ୟା ନଦୀର ସୌନ୍ଦର୍ଯ୍ୟକୁ ଅନୁଭବ କରିବାର ସୁଯୋଗ ପର୍ଯ୍ୟଟକଙ୍କ ପାଇଁ ଏକ ଅପୂର୍ବ ଆକର୍ଷଣ ସୃଷ୍ଟି କରିପାରିଛି । ଏ ସମସ୍ତ ବ୍ୟବସ୍ଥା ପାଇଁ ୧୧୫ କୋଟିରୁ ଅଧିକ ଟଙ୍କା ବିନିଯୋଗ କରାଯାଇଛି ।

ପରିବେଷଣ ହେବ ୨୦ଟି ଜନଜାତିର ସମୁଦାୟ ୩୧ଟି ନୃତ୍ୟ

ଭୁବନେଶ୍ୱର: ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଅନ୍ତର୍ଗତ ଏସ୍‌ସିଏସ୍‌ଟିଆର୍‌ଟିଆଇ ଆନୁକୂଲ୍ୟରେ ଆୟୋଜିତ ଜାତୀୟ ଆଦିବାସୀ ନୃତ୍ୟ ମହୋତ୍ସବ ଆଜି ଦ୍ୱିତୀୟ ଦିବସରେ ପହଞ୍ଚିଛି । ମଇ ୧୯ ତାରିଖଠାରୁ ରବିନ୍ଦ୍ର ମଣ୍ଡପଠାରେ ଆରମ୍ଭ ହୋଇଥିବା ଏହି ନୃତ୍ୟ ମହୋତ୍ସବରେ ଓଡ଼ିଶା ସମେତ ୧୫ଟି ରାଜ୍ୟ ଅଂଶଗ୍ରହଣ କରିଛନ୍ତି । ଏହି ଦ୍ୱିତୀୟ ଦିବସ ନୃତ୍ୟ ମହୋତ୍ସବରେ ୨୦ଟି ଜନଜାତି ସଂପ୍ରଦାୟର ସମୁଦାୟ ୩୧ଟି ନୃତ୍ୟ ପରିବେଷଣ କରାଯିବାର କାର୍ଯ୍ୟକ୍ରମ ରହିଛି । ଦ୍ୱିତୀୟ ଦିବସରେ ମହାରାଷ୍ଟ୍ରର ଗୋଣ୍ଡ ଜନଜାତିଙ୍କର ପାରମ୍ପାରିକ ଘୁସାଡ଼ି ନୃତ୍ୟ ପରିବେଷିତ ହୋଇଥିଲା ।

ନୃତ୍ୟ ସମୟରେ କଳାକାରମାନେ ଶରୀରକୁ ଚୂନରେ ପେଣ୍ଟ କରିଥିବାବେଳେ ବିଭିନ୍ନ ମଂଜିର ହାର ଓ ଛୋଟ ଛୋଟ ଘଣ୍ଟିରେ ସଜାଇ ହୋଇ ଆକର୍ଷଣୀୟ ନୃତ୍ୟ ପରିବେଷଣ କରିଥିଲେ । ସନ୍ଧ୍ୟାରେ ମିଜୋ ଜନଜାତିଙ୍କର ସରଲାମକାଇ ନୃତ୍ୟ, ଓଡ଼ିଶାର ସାନ୍ତାଳ ଜନଜାତିଙ୍କର କଳସି ନୃତ୍ୟ ପରିବେଷିତ ହୋଇଥିଲା । କଳସି ନୃତ୍ୟରେ କଳାକାରମାନେ ନିଜ ପାରମ୍ପରିକ ବେଶଭୂଷାରେ ଡ୍ରମ, ବଂଶୀ ଆଦି ବାଦ୍ୟ ବଜାଇ ନୃତ୍ୟ କରିଥିଲେ । ସେହିପରି ଝାଡ଼ଖଣ୍ଡ ଓରାଓଁ ଜନଜାତିଙ୍କର କରମଥାପଡ଼ି ନୃତ୍ୟ, ଓଡ଼ିଶାର ଗଦବା ଜନଜାତିଙ୍କର ଢେମ୍‌ସା ନୃତ୍ୟ, ଗୋଆର ଭେଲିପ୍‌ ଜନଜାତିଙ୍କ ଚୌରାଙ୍ଗ ନୃତ୍ୟ ପରିବେଷଣ କରାଯାଇଥିଲା  ।

ସେହିପରି ଛତିଶଗଡ଼ର ଗୌରମାର ମାଣ୍ଡରି ନୃତ୍ୟ, ଆନ୍ଧ୍ରପ୍ରଦେଶର କନ୍ଧ ଜନଜାତିଙ୍କ ମୟୂରାନୃତ୍ୟ, ରାଜସ୍ଥାନର ଭିଲ୍‌ମିନା ଜନଜାତିଙ୍କ କଚ୍ଚିଘୋଡ଼ି ନୃତ୍ୟ, ଉତ୍ତରାଖଣ୍ଡର ଜୌନସାରି ଜନଜାତିଙ୍କ ହାତୀ ନୃତ୍ୟ, ହିମାଚଳ ପ୍ରଦେଶର ତାଳ ଗାଡ଼ି ଜନଜାତିଙ୍କର ହରନତର ନୃତ୍ୟ ପରିବେଷିତ ହୋଇଥିଲା ।  ଜାତୀୟ ଆଦିବାସୀ ନୃତ୍ୟ ମହୋତ୍ସବର ଦ୍ୱିତୀୟ ଦିବସରେ ମୁଖ୍ୟ ଅତିଥି ଭାବେ ଏସ୍‌ସିଏସ୍‌ଟିଆର୍‌ଟିଆଇର ନିର୍ଦ୍ଦେଶକ ପ୍ରଫେସର (ଡ.) ଅଖିଳ ବିହାରୀ ଓତା କଳାକାରମାନଙ୍କୁ ମଞ୍ଚରେ ସମ୍ବର୍ଦ୍ଧିତ
କରିଥିଲେ । ରବିନ୍ଦ୍ର ମଣ୍ଡପଠାରେ ଅନୁଷ୍ଠିତ ଏହି ଆଦିବାସୀ ନୃତ୍ୟ ମହୋତ୍ସବ ମଇ ୨୧ ତାରିଖ ପର୍ଯ୍ୟନ୍ତ ସନ୍ଧ୍ୟା ୬.୩୦ ଠାରୁ ରାତି ୯ଟା ପର୍ଯ୍ୟନ୍ତ ଚାଲିବ ।

ବାରବାଟୀ ଟି-୨୦ ମ୍ୟାଚ୍: ଜୁନ୍ ପହିଲାରୁ ଟିକେଟ ବିକ୍ରି ଆରମ୍ଭ

କଟକ: ଖଚାଖଚ୍ ଭିଡ଼ରେ ଜମିବ ବାରବାଟି ଟି-୨୦ ମ୍ୟାଚ୍ । ଜୁନ୍ ପହିଲାରୁ ଟିକେଟ ବିକ୍ରି ହେବ । ଉଭୟ ଅଫଲାଇନ ଏବଂ ଅନଲାଇନ୍ରେ ଟିକେଟ୍ ବିକ୍ରି ହେବ । ଭୁବନେଶ୍ବର ଓ କଟକରେ ଖୋଲିବ ଦୁଇଟି ଲେଖାଏଁ କାଉଣ୍ଟର । ତେବେ ଏଥର ଟିକେଟ୍ ଦର ବଢିବ । ଜଣେ ଲୋକ ଦୁଇଟି ଟିକେଟ କିଣିପାରିବେ । ୪୪ ହଜାର ଲୋକ ଷ୍ଟାଡିୟମରେ ଖେଳ ଦେଖିପାରିବେ । ଜୁନ୍ ୧୨ରେ ବାରବାଟୀରେ ହେବାକୁ ଭାରତ ଓ ଦକ୍ଷିଣ ଆଫ୍ରିକା ମ୍ୟାଚ୍ ପାଇଁ ଓସିଏର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି ।

ଏଥିରେ ଖେଳାଳିଙ୍କ ସୁରକ୍ଷା, ଟ୍ରାଫିକ୍, ପାର୍କିଂ ଭଳି ବ୍ୟବସ୍ଥାକୁ ନେଇ ଆଲୋଚନା ହୋଇଛି । ଜୁନ୍ ୧୦ରେ ଭୁବନେଶ୍ବର ପହଞ୍ଚିବେ ଖେଳାଳି । ସେଠାରୁ କଡାସୁରକ୍ଷା ମଧ୍ୟରେ ଖେଳାଳିଙ୍କୁ ତାରକା ହୋଟେଲ ନିଆଯିବ । ଏଥିସହ ମ୍ୟାଚ୍ ପୂର୍ବରୁ ଅଭ୍ୟାସ ପାଇଁ ଖେଳାଳି ବାରବାଟି ଷ୍ଟାଡିୟମର ଯିବା ବେଳେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯିବ । ଓସିଏର ଏହି ଗୁରୁତ୍ବପୂର୍ଣ୍ଣ ବୈଠକରେ କ୍ରୀଡା ସଚିବ ଭିନିଲ କ୍ରିଷ୍ଣା ଏବଂ ପୋଲିସ କମିଶନ ସୋମେନ୍ଦ୍ର ପ୍ରିୟଦର୍ଶୀ ଉପସ୍ଥିତ ଥିଲେ ।

‘ଓମ୍ବାଡସି ପାଣ୍ଠି ବିନିଯୋଗରେ ମହିଳାମାନଙ୍କ ସଶକ୍ତିକରଣ ହୋଇପାରିଛି’

ରାଉରକେଲା: ତିନିଦିନିଆ ସୁନ୍ଦରଗଡ଼ ଜିଲ୍ଲା ଗସ୍ତରେ ଆସିଥିବା ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ତଥା ଓଡ଼ିଶା ଖଣିଜ ଧାରକ ଅଞ୍ଚଳ ଉନ୍ନୟନ ନିଗମର (ଓମ୍ବାଡ୍‌ସି) ଓଭରସାଇଟ୍ ଅଥରିଟି ଜଷ୍ଟିସ୍ ଅନଙ୍ଗ କୁମାର ପଟ୍ଟନାୟକ ଜିଲ୍ଲାରେ ଚାଲିଥିବା ବିଭିନ୍ନ ଜନକଲ୍ୟାଣ କାର୍ଯ୍ୟକ୍ରମକୁ ପ୍ରଶଂସା କରିଛନ୍ତି। ଲୋକମାନଙ୍କ ଜୀବିକା ବିକାଶ ସହିତ ମହିଳାମାନଙ୍କୁ ବିଭିନ୍ନ କ୍ଷେତ୍ରରେ ସଶକ୍ତ କରିବା ଲାଗି ଓମ୍ବାଡସି ପାଣ୍ଠିର ଆର୍ଥିକ ସହାୟତାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଉଥିବା ଜାଣି ସେ ସନ୍ତୋଷ ପ୍ରକାଶ କରିଥିଲେ।

ଜଷ୍ଟିସ୍ ପଟ୍ଟନାୟକ କହିଥିଲେ ଯେ, ‘‘ଓମ୍ବାଡସି ପାଣ୍ଠିର ଆର୍ଥିକ ସହାୟତାରେ ସୁନ୍ଦରଗଡ଼ ଜିଲ୍ଲାରେ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଗ୍ରାମାଞ୍ଚଳର ଲୋକଙ୍କ ସହିତ ଆଦିବାସୀ ଏବଂ ମହିଳାମାନେ ଏହି କାର୍ଯ୍ୟକ୍ରମରୁ ବିଶେଷ ଭାବେ ଉପକୃତ ହେଉଛନ୍ତି। ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟମାନେ ପାରମ୍ପରିକ କାମ ଛଡ଼ା ବିଭିନ୍ନ ବୈଷୟିକ କାମରେ ଯୋଡ଼ି ହୋଇ ଭଲ ରୋଜଗାର କରିପାରୁଛନ୍ତି। ମାଛ ଚାଷ ଏବଂ କଦଳୀ ଚାଷ କରି ମହିଳାମାନେ ଆଜି ସ୍ୱାବଲମ୍ବୀ ହୋଇପାରିଛନ୍ତି।’’

ସ୍ୱାସ୍ଥ୍ୟ, ଶିକ୍ଷା, ପୋଷଣ ସହିତ ସାଧାରଣ ଲୋକଙ୍କ ଜୀବନ ଧାରଣ ମାନରେ କିପରି ଉନ୍ନତି ଆସିପାରିବ ତା’ ଉପରେ ଓମ୍ବାଡସି ପକ୍ଷରୁ ବିଶେଷ ଧ୍ୟାନ ଦିଆଯାଉଛି। ଓମ୍ବାଡସି ପାଣ୍ଠିର ବିନିଯୋଗ କରାଯାଇ ସୁନ୍ଦରଗଡ଼ ଜିଲ୍ଲାରେ ଏହିସବୁ କାର୍ଯ୍ୟକ୍ରମ ସଠିକ୍ ଭାବେ କାର୍ଯ୍ୟକାରୀ କରାଯାଉଥିବା ଜଷ୍ଟିସ୍ ପଟ୍ଟନାୟକ କହିଛନ୍ତି। ଗତ ୧୮ ତାରିଖରେ ଜଷ୍ଟିସ୍ ପଟ୍ଟନାୟକ ସୁନ୍ଦରଗଡ଼ ଜିଲ୍ଲା ଗସ୍ତରେ ଆସିଥିଲେ। ପ୍ରଥମ ଦିନ ସେ ସୁନ୍ଦରଗଡ଼ ସଦର ସହିତ ଲେଫ୍ରିପଡ଼ା ଏବଂ ଟାଙ୍ଗରପାଲି ବ୍ଲକ ଯାଇ ବିଭିନ୍ନ ଜନକଲ୍ୟାଣ କାର୍ଯ୍ୟକ୍ରମର ଅଗ୍ରଗତି ଅନୁଧ୍ୟାନ କରି ସୁନ୍ଦରଗଡ଼ଠାରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ। ଦ୍ୱିତୀୟ ଦିନରେ ସେ ବଡ଼ଗାଁ, କୁତ୍ରା, ରାଜଗାଙ୍ଗପୁର ଏବଂ କୁଆରମୁଣ୍ଡା ବ୍ଲକରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ସମୀକ୍ଷା କରି ହିତାଧିକାରୀମାନଙ୍କ ସହ ଆଲୋଚନା କରିଥିଲେ।

ଆଜି ତୃତୀୟ ଦିନରେ ଜଷ୍ଟିସ୍ ପଟ୍ଟନାୟକ ଲହୁଣୀପଡ଼ା ବ୍ଲକ୍ ଗସ୍ତରେ ଆସିଥିଲେ। ଲଲେଇସ୍ଥିତ ୱାଟର ଟ୍ରିଟମେଣ୍ଟ ପ୍ଲାଣ୍ଟ ବୁଲି ଦେଖିବା ସହିତ ନିକଟସ୍ଥ ଅମାତପାଲ୍ଲି ଗ୍ରାମକୁ ଯାଇ ଲୋକମାନେ କିପରି ପାଇପ୍ ଯୋଗେ ବିଶୁଦ୍ଧ ପାନୀୟ ଜଳ ପାଉଛନ୍ତି ତାହା ଅନୁଧ୍ୟାନ କରିଥିଲେ। ଏହାପରେ ଜଷ୍ଟିସ୍ ପଟ୍ଟନାୟକ ଡଲେଇସରା ଗ୍ରାମର ଲୁଙ୍ଗା ସଂରକ୍ଷିତ ଜଙ୍ଗଲରେ ହୋଇଥିବା ଜଳ ସଂରକ୍ଷଣ ପ୍ରକଳ୍ପ ସ୍ଥଳ ବୁଲି ଦେଖିଥିଲେ। ବନ ସୁରକ୍ଷା ସମିତିର ସଦସ୍ୟମାନଙ୍କ ସହ ସେ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ।

ଓମ୍ବାଡସିର ଓଭରସାଇଟ୍ ଅଥରିଟି ଜଷ୍ଟିସ୍ ଅନଙ୍ଗ କୁମାର ପଟ୍ଟନାୟକଙ୍କ ସହିତ ଓମ୍ବାଡସି ସିଇଓ ଜି ରାଜେଶ, ସ୍ୱତନ୍ତ୍ର ଅଧିକାରୀ ଶେଖ୍ ନଇମୁଦ୍ଦିନ୍ ଏବଂ ଦ୍ୱୈପାୟନ ପଟ୍ଟନାୟକ, ଓମ୍ବାଡସିର ଜେନେରାଲ ମ୍ୟାନେଜର (ପ୍ରଶାସନ) ସୁଧାକର ବୁର୍ଗି, ଜେନେରାଲ ମ୍ୟାନେଜର (ଅପରେସନ) ଜୟନ୍ତ କୁମାର ଦାସ, କଲସଲଟାଣ୍ଟ ପାର୍ଥ ମହାନ୍ତି ଏବଂ ଟିମ୍ ଲିଡର ଅମ୍ବୁଜ ପ୍ରସାଦ ଯୋଗ ଦେଇଥିଲେ। ତୃତୀୟ ଦିନ ଗସ୍ତ ବେଳେ ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଭୈରବ ସିଂ ପଟେଲ, ବଣାଇ ଉପଜିଲ୍ଲାପାଳ ପ୍ରଦୀପ ଡାଙ୍ଗ, ଦେବଗଡ଼ ଡିଏଫଓ ମଗର ଧନାଜୀ ଆର, ଲହୁଣୀପଡ଼ା ବିଡିଓ ଧନାଇ ଚରଣ ଟୁଡୁଙ୍କ ସହିତ ପ୍ରଶାସନର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ଆକ୍ସନ ମୁଡରେ ମେୟର, ମୈତ୍ରୀ କେନ୍ଦ୍ରରେ ସୁଲୋଚନାଙ୍କ ଚଢ଼ାଉ

ଭୁବନେଶ୍ୱର: ସହିଦନଗର ମୈତ୍ରୀ କେନ୍ଦ୍ରରେ ମେୟର ସୁଲୋଚନା ଦାସଙ୍କ ଚଢ଼ାଉ । ହିତାଧିକାରୀଙ୍କୁ ସୁଲଭରେ ଓ ସୁବିଧାରେ ସରକାରଙ୍କ ବିଭିନ୍ନ ଯୋଜନାରେ ମାଗଣାରେ ଅତ୍ୟାବଶ୍ୟକୀୟ ସାମଗ୍ରୀ ଯୋଗାଇ ଦେବାକୁ ରହିଛି ବ୍ୟବସ୍ଥା । ହେଲେ ସହିଦନଗର ସ୍ଥିତ ଏହି ମୈତ୍ରୀ କେନ୍ଦ୍ରରେ ସାମଗ୍ରୀ ଯୋଗାଣରେ ଅନିୟମିତତା ଓ ହିତାଧିକାରୀଙ୍କୁ ଦୁର୍ବ୍ୟବହାର କରାଯାଉଥିବା ନେଇ ପୂର୍ବରୁ ଅଭିଯୋଗ ହୋଇ ଆସୁଥିଲା । ହିତାଧିକାରୀ ଚାଉଳ ନେବାକୁ ଆସି ଲମ୍ବା ଧାଡିରେ ଠିଆ ହୋଇଥିଲେ ମଧ୍ୟ ଦୋକାନ ଖୋଲା ଯାଇନଥିଲା ।

ପରେ ଲୋକଙ୍କ ସମସ୍ୟା ସମ୍ପର୍କରେ ସୂଚନା ପାଇ ମେୟର ସୁଲୋଚନା ଦାସ ଘଟଣାସ୍ଥଳରେ ପହଞ୍ଚିଥିଲେ । ଖବର ପାଇ ମୈତ୍ରୀ କେନ୍ଦ୍ର ତତ୍ୱାବଧାରକ ପହଞ୍ଚିଥିଲେ । ହେଲେ ଷ୍ଟକ ନଥିବା କହିଥିଲେ । ପରେ ମେୟର ପୋଲିସ ଉପସ୍ଥିତିରେ ମୈତ୍ରୀ କେନ୍ଦ୍ରକୁ ଖୋଲିବା ପରେ ଭିତରେ ପର୍ଯ୍ୟାପ୍ତ ପରିମାଣର ଷ୍ଟକ ମହଜୁଦ ଥିବା ଦେଖିବାକୁ ମିଳିଥିଲା । ଯୋଗାଣ ବିଭାଗ ଅଧିକାରୀ, ମେୟର ଏବଂ ସ୍ଥାନୀୟ କର୍ପୋରେଟରଙ୍କ ଉପସ୍ଥିତିରେ ଲୋକଙ୍କୁ ଚାଉଳ ବଣ୍ଟନ କରାଯାଇଥିଲା ।

ଉପନିର୍ବାଚନ ପାଇଁ ବଦଳିଲା +2 ପରୀକ୍ଷା ତାରିଖ

ଭୁବନେଶ୍ୱର: ବ୍ରଜରାଜନଗର ଉପନିର୍ବାଚନ ପାଇଁ ପରିବର୍ତ୍ତନ ହେଲା ଯୁକ୍ତ ଦୁଇ ପରୀକ୍ଷା ତାରିଖ  । ମେ ୩୧ ରେ ହେବାକୁ ଥିବା ପରୀକ୍ଷାକୁ ଜୁନ ୪ରେ କରିବା ନେଇ ନିଷ୍ପତ୍ତି ହୋଇଛି  । ସିଏଚଏସଇର ନେଇଛି ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି  ।  ମିଳିଥିବା ସୂଚନା ମୁତାବକ କଳା ବିଭାଗର ଗଣିତ ଓ ଗୃହ ବିଜ୍ଞାନ ସହ ବିଜ୍ଞାନର ଗଣିତ ପରୀକ୍ଷା ତାରିଖକୁ ପରିବର୍ତ୍ତନ କରାଯାଇଛି   । କିନ୍ତୁ ମେ ୨୧ ତାରିଖରୁ ୨୮ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ପରୂକ୍ଷା ସୂଚୀକୁ ପୂର୍ବବତ ରଖାଯାଇଛି  । ଯେହେତୁ ମେ ୩୧ ତାରିଖରେ ବ୍ରଜରାଜନଗର ବିଧାନସଭା ଉପନିର୍ବାଚନ ପାଇଁ ଭୋଟ ଗ୍ରହଣ ରହିଛି  । ତେଣୁ ସେହି ଦିନରେ ହେବାକୁ ଥିବା ପରୀକ୍ଷାକୁ ଘୁଞ୍ଚାଯାଇଛି  ।

ମେ ୩୧ରେ ଅନୁଷ୍ଠିତ ଗହେବ ବ୍ରଜରାଜନଗର ପାଇଁ ଭୋଟ ଗ୍ରହଣ  । କାରଣ  ଗତ ଡିସେମ୍ବର ୩୦ ତାରିଖରେ ଆଖି ବୁଜିଥିଲେ  ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତି  ।  କିଶୋରଙ୍କ ବିୟୋଗ ପରେ ଖାଲି ପଡିଥିଲା ଏହି  ଆସନ  । ସେପଟେ ୬ ମାସ ମଧ୍ୟରେ ଉପନିର୍ବାଚନ ହେବାର ନିୟମ ଥିବା ବେଳେ ଆସନ୍ତା ଜୁନ ମାସରେ ଏହାର ଅବଧି ପୂରଣ ହେଉଥିବାରୁ ମେ ୩୧ରେ ଉପନିର୍ବାଚନ ହେବ  । ବ୍ରଜରାଜନଗର ଉପନିର୍ବାଚନରେ ୩ ଜଣ ପ୍ରାର୍ଥୀ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବା ପରେ ଏବେ ୧୧ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ୧୩୩ ନୂଆ ଭୋଟରଙ୍କୁ ମିଶାଇ ଏଥର ମୋଟ ୨ ଲକ୍ଷ ୧୪ ହଜାର ୮୭୮ ଜଣ ଭୋଟ୍ ଦେବେ।

କମିବ ଦୁର୍ଘଟଣାଜନିତ ମୃତ୍ୟୁ, ପାନ ଦୋକାନୀ ସାଜିବେ ରକ୍ଷକ

ରାଉରକେଲା: କମିବ ଦୁର୍ଘଟଣାଜନିତ ମୃତ୍ୟୁ । ରାସ୍ତାରୁ ଆହତଙ୍କୁ ଉଦ୍ଧାର କରିବେ ସ୍ଥାନୀୟ ଲୋକ । ରାଜପଥରେ ନଜର ରଖିବେ ଢାବା ଓ ଚା ଦୋକାନୀ । ଦୁର୍ଘଟଣା ହେଲେ ତୁରନ୍ତ ଆହତଙ୍କ ନିକଟରେ ପହଞ୍ଚି ପ୍ରାଥମିକ ଚିକିତ୍ସା ସହିତ ସେମାନଙ୍କୁ ଡାକ୍ତରଖାନା ନେବାକୁ କରାଯିବ ବନ୍ଦୋବସ୍ତ । ଏଥିପାଇଁ ରାଉରକେଲାରେ ଆରମ୍ଭ ହୋଇଛି ରକ୍ଷକ କାର୍ଯ୍ୟକ୍ରମ । ସହରର ୧୪ଟି ସ୍ଥାନରେ ଆୟୋଜିତ ହୋଇଛି ତାଲିମ ଶିବିର । ଏଥିରେ ରାଜ୍ୟ ଓ ଜାତୀୟ ରାଜପଥକଡ଼ରେ ବାସ କରୁଥିବା ଲୋକଙ୍କ ସହିତ ଢାବା, ପାନ ଓ ଚା ଦୋକାନୀଙ୍କୁ ଦିଆଯାଉଛି ତାଲିମ୍ ।

ରାଉରକେଲାରେ ୧୪ଟି ସ୍ଥାନକୁ ଦୁର୍ଘଟଣା ବ୍ଲାକସ୍ପଟ ଭାବେ ଚିହ୍ନଟ କରାଯାଇଛି । ଏହି ସ୍ଥାନରେ ୩୦ ଜଣ ମାଷ୍ଟର ଟ୍ରେନରଙ୍କୁ ତାଲିମ ଦେବାକୁ ଦାୟିତ୍ୱ ଦିଆଯାଇଛି । ଯେଉଁ ସ୍ଥାନରେ ଅଧିକ ଦୁର୍ଘଟଣା ହେଉଛି ସେଠାରେ ସ୍ଥାନୀୟ ଲୋକଙ୍କୁ ଅଧିକ ସଚେତନ କରାଯାଉଛି । ଆହତ ବ୍ୟକ୍ତିଙ୍କୁ ଡାକ୍ତରଖାନା ଆଣୁଥିବା ବ୍ୟକ୍ତିଙ୍କୁ ପରିବହନ ବିଭାଗ ମାନପତ୍ର ସହିତ ୨ହଜାର ଟଙ୍କା ଦେଉଥିବା ବେଳେ କେନ୍ଦ୍ର ସରକାର ୫ ହଜାର ଟଙ୍କାର ପୁରସ୍କାର ରାଶି ପ୍ରଦାନ କରୁଛନ୍ତି । ଏଭଳି ଅଭିନବ କାର୍ଯ୍ୟକ୍ରମ ଦ୍ୱାରା ଆଗାମୀ ଦିନରେ ଦୁର୍ଘଟଣାଗ୍ରସ୍ତ ହେଉଥିବା ଲୋକଙ୍କ ପାଇଁ ରକ୍ଷକ ସାଜିବେ ଲୋକେ  ।

ଯେଉଁସ୍ଥାନରେ ବିଶେଷକରି ଦୁର୍ଘଟଣା ଘଟେ, ସେହି ସ୍ଥାନ ମାନଙ୍କରେ ନିୟୋଜିତ ରହିବେ ରକ୍ଷକ  । ରାଜ୍ୟ ଓ ଜାତୀୟ ରାଜପଥ କଡ଼ରେ ବାସ କରୁଥିବା ଲୋକଙ୍କୁ ତାଲିମ ଦିଆଯିବ  । ସେହିପରି ରାସ୍ତା କଡ଼ରେ ଥିବା ଢାବା, ପାନ ଦୋକାନୀ ଓ ଚା ଦୋକାନୀଙ୍କୁ ତାଲିମ ଦିଆଯାଉଛି  । ଏବଂ କେବଳ ତାଲିମ ପ୍ରାପ୍ତ ବ୍ୟକ୍ତି ନୁହଁନ୍ତି  ଯେଉଁ ସ୍ଥାନ ଗୁଡ଼ିକ ବ୍ଲାକସ୍ପଷ୍ଟ ଭାବେ ଚିହ୍ନଟ ହୋଇଛି, ସେହି ସ୍ଥାନ ଗୁଡ଼ିକରେ ୩୦ ଜଣ ମାଷ୍ଟର ଟ୍ରେନଙ୍କୁ ନିୟୋଜିତ ରହିଛନ୍ତି  । ଫଳରେ ଦୁର୍ଘଟଣା ଘଟିଲେ ତତକ୍ଷଣାତ ଆହତ ବ୍ୟକ୍ତିଙ୍କୁ ମେଡିକାଲରେ ପହଁଚା ଯାଇପାରିବ  ।

 

ଦିଶା ଗଣଦୁଷ୍କର୍ମ: ‘ଉଦ୍ଦେଶ୍ୟମୂଳକ ଭାବେ ୪ ଅଭିଯୁକ୍ତଙ୍କୁ ହୋଇଛି ଏନକାଉଣ୍ଟର’

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ହାଇଦ୍ରାବାଦ ଏନକାଉଣ୍ଟର ମାମଲା । ସୁପ୍ରିମକୋର୍ଟରେ ଦାଖଲ ହେଲା ସାରପୁକାର କମିଶନ ରିପୋର୍ଟ । ଭେଟେରିନାରି ଡାକ୍ତର ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ପୋଲିସ ଉଦ୍ଦେଶ୍ୟମୂଳକ ଭାବେ ୪ ଅଭିଯୁକ୍ତଙ୍କ ମୃତ୍ୟୁ ପାଇଁ ଜାଣିଶୁଣ ଏନକାଉଣ୍ଟର କରିଥିଲା ବୋଲି ରିପୋର୍ଟରେ କୁହାଯାଇଛି । ଏହି ସନ୍ଦିଗ୍ଧ ଏନକାଉଣ୍ଟରକୁ ନେଇ ବିତର୍କ ସୃଷ୍ଟି ହେବା ପରେ ସୁପ୍ରମିକୋର୍ଟ ଗଠନ କରିଥିଲେ କମିଟି । ପ୍ରାଣ ହରାଇଥିବା ୪ଜଣଙ୍କ ମଧ୍ୟରୁ ୩ ଜଣ ଥିଲେ ନାବାଳକ । ରିପୋର୍ଟରେ କୁହାଯାଇଛି- ଏହି ୪ ଅଭିଯୁକ୍ତଙ୍କୁ ମୃତ୍ୟୁ ଲାଗି ପୋଲିସ ଉଦ୍ଦେଶ୍ୟମୂଳକ ଭାବେ ଗୁଳିଚାଳନା କରିଥିଲା ।

ଏନକାଉଣ୍ଟରରେ ପ୍ରାଣ ହରାଇଥିଲେ ମହମ୍ମଦ ଆରିଫ, ଜୋଲୁ ଶିବା, ଜୋଲୁ ନବୀନ ଓ ସି. ଚେନକେସଭୁଲୁ । ସେମାନଙ୍କ ମଧ୍ୟରେ ଥିଲେ ୩ ଜଣ ନାବାଳକ । ଗତ ନଭେମ୍ବର ୨୦୧୯ରେ ଭେଟେରିନାରୀ ଡାକ୍ତରଙ୍କୁ ଗଣଦୁଷ୍କର୍ମ ଓ ହତ୍ୟା ଘଟଣାରେ ଏହି ଚାରିଜଣଙ୍କୁ ଗିରଫ କରାଯାଇଥିଲା । ପରେ ସେମାନଙ୍କୁ ଏନକାଉଣ୍ଟର କରାଯାଇଥିଲା । ବିତର୍କ ସୃଷ୍ଟି ହେବା ପରେ ଏହି ଘଟଣାର ତଦନ୍ତ ଲାଗି ତିନିଜଣିଆ ତଦନ୍ତ କମିଶନ ଗଠିତ ହୋଇଥିଲ । ଏନକାଉଣ୍ଟର ନେଇ ବରିଷ୍ଠ ଆଇନଜୀବୀ ଶ୍ୟାମ ଦିବାନଙ୍କ ଯୁକ୍ତିକୁ ପ୍ରଧାନବିଚାରପତି ଜଷ୍ଟିସ ଏନଭି ରମଣା. ଜଷ୍ଟିସ ସୂର୍ଯ୍ୟ କାନ୍ତ ଓ ଜଷ୍ଟିସ ହିମା କୋଲିଙ୍କୁ ନେଇ ଗଠିତ ଖଣ୍ଡପୀଠ ଅଗ୍ରାହ୍ୟ କରିଥିଲେ ।

ଗତ ବର୍ଷ ଅଗଷ୍ଟ ୩ ତାରିଖରେ ଅଧିକ ତଦନ୍ତ ଲାଗି କମିଶନକୁ ସୁପ୍ରମିକୋର୍ଟ ଅଧିକ ୬ ମାସ ପ୍ରଦାନ କରିଥିଲେ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଗତ ୨୦୧୯ ଡିସେମ୍ବର ୧୨ରେ ସାରପୁକାର କମିଶନ ଗଠିତ ହୋଇଥିଲା । ଏହି କମିଶନରେ ସଦସ୍ୟ ଥିଲେ ପୂର୍ବତନ ବମ୍ବେ ହାଇକୋର୍ଟ ଜଜ ରେଖା ସୋନ୍ଦର ହାଲଦାର ଓ ପୂର୍ବତନ ସିବିଆଇ ନିର୍ଦ୍ଦେଶକ ଡି.ଆର. କାର୍ତ୍ତିକେୟନ । ଏନକାଉଣ୍ଟର ଅଭିଯୁକ୍ତଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରିବା ଲାଗି ସର୍ବୋଚ୍ଚ ଅଦାଲତ ପରାମର୍ଶ ଦେଇଛନ୍ତି ।

ପଟିଆଲା କୋର୍ଟରେ ଆତ୍ମସମର୍ପଣ କଲେ ନବଜୋତ ସିଂ ସିଦ୍ଧୁ

ଅମୃତସର: କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁ କରିଛନ୍ତି ସରେଣ୍ଡର  । ପଟିଆଲା କୋର୍ଟରେ କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁ ଆତ୍ମସମର୍ପଣ କରିଛନ୍ତି । ରୋଡ୍ ରେଜ୍ କେସରେ ସିଦ୍ଧୁଙ୍କୁ ବର୍ଷେ ଜେଲ ଦଣ୍ଡା ଶୁଣାଇଥିଲେ ସୁପ୍ରିମକୋର୍ଟ । ୧୯୮୮ ମସିହା ରୋଡ ରେଜ୍ ମାମଲାର ବିଚାର କରି ଗତକାଲି ସିଦ୍ଧୁଙ୍କୁ ବର୍ଷରେ ଜେଲ ଦଣ୍ଡ ଶୁଣାଇଥିଲେ ସର୍ବୋଚ୍ଚ କୋର୍ଟ ।

ଏହାସହ ଆଜି ପୋଲିସ ନିକଟରେ ଆତ୍ମସମର୍ପଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ସିଦ୍ଧୁ ଅଧିକ ସମୟ ମାଗିଥିବା ବେଳେ ଆଜି କୋର୍ଟ ତାକୁ ଖାରଜ କରିଦେଇଥିଲେ । ୧୯୮୮ ମସିହାର ଏକ ମାମଲାରେ କୋର୍ଟ ଶୁଣାଇଥିଲେ ରାୟ  । ସିଦ୍ଧୁଙ୍କୁ ଏକ ବର୍ଷ ଜେଲଦଣ୍ଡାଦେଶ ଦେଇଥିଲେ କୋର୍ଟ  ।

ବିଜେଡିର ଲୋକପ୍ରିୟତାକୁ ସ୍ୱୀକାର କଲେ ବିଜେପି ନେତା ବିଷ୍ଣୁ ସେଠୀ

ଭୁବନେଶ୍ୱର: ଓଡିଶାରେ ବିଜେଡିର ଲୋକ ପ୍ରିୟତାକୁ ବିଜେପି ନେତାଙ୍କ ସ୍ୱୀକାର  । ଖୋଦ ବିଜେପି ବିଧାୟକ ତଥା ବିରୋଧି ଦଳ ଉପନେତା ବିଷ୍ଣୁ ସେଠୀ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି  ।  ବିଜେଡି ସଶକ୍ତ ହୋଇ ରହିଛି  । ଏହାକୁ ସ୍ୱୀକାର କରିବୁ ବୋଲି କହିଛନ୍ତି ବିରୋଧୀଦଳ ଉପନେତା  ।  ରାଜ୍ୟରେ ଆଞ୍ଚଳିକ ଦଳର ପ୍ରଭାବ ରହିଛି ।  ଆଜି ଯାଏଁ ସେହି ସ୍ଥାନକୁ କେହି ଛୁଇଁ ପାରି ନାହାଁନ୍ତି  ।

ବିଷ୍ଷୁ ସେଠୀ କହିଛନ୍ତି ସେହି ସ୍ଥାନରେ ବିଜେପି ମଧ୍ୟ ପହଁଚି ପାରିନାହିଁ  । ଅର୍ଥାତ ଗ୍ରାଉଣ୍ଡରେ ବିଜେପି ପହଞ୍ଚି ପାରିନଥିବା କହିଛନ୍ତି ବିଷ୍ଣୁ ସେଠୀ  ।  ବିଜେଡି ସହ ଗ୍ରାଉଣ୍ଡରେ ଲଢ଼ିବା କଷ୍ଟ ବୋଲି ମଧ୍ୟ ଖୋଦ ବିରୋଧି ଦଳ ଉପନେତା ମାନିଛନ୍ତିି । ବ୍ରଜରାଜ ନଗର ଉପନିର୍ବାଚନକୁ ନେଇ ଏଭଳି ବୟାନ ଦେଇଛନ୍ତି ବିଷ୍ଣୁ ସେଠୀ । ଏଥସହ ସ୍ବର୍ଗତ କିଶୋର ମହାନ୍ତିଙ୍କ ପତ୍ନୀଙ୍କ ପ୍ରତି ଅନୁକମ୍ପା ରହିବ ବୋଲି ବିଷ୍ଣୁ କହିଛନ୍ତି ।

ବିଜେଡି ପ୍ରତିଟି ନିର୍ବାଚନକୁ ଗୁରୁତ୍ୱ ଦେଉଥିବାବେଳେ, ପଞ୍ଚମ ପାଳିରେ ମଧ୍ୟ ସଫଳ ହୋଇ ରହିଛି ଦଳ  । ପଞ୍ଚାୟତ ନିର୍ବାଚନ ଠାରୁ ଆରମ୍ଭ କରି ପୌର ନିର୍ବାଚନ  । ଦଳକୁ ମିଳିଛି ଅହେତୁକ ଜନ ସମର୍ଥନ  । କାରଣ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ଏବଂ ନେତାଙ୍କ କାର୍ଯ୍ୟ ଦକ୍ଷତାର ପରିଣାମ ସ୍ୱରୂପ ବିଜେଡି ଏହି ସଫଳତା ହାସଲ କରିବାରେ ସକ୍ଷମ ହୋଇଛି  । ଯେଉଁଠି ଅନ୍ୟ କୌଣସି ଦଳ ସମାନ ଋଣନିତୀ କିମ୍ବା ଲୋକଙ୍କ ନିକଟତର ହେବାରେ ବିଫଳ ହୁଅନ୍ତି  ।