spot_img
Home Blog Page 4222

ଖରାଦିନେ ପିଉଛନ୍ତି କି କୋଲ୍ଡ ଡ୍ରିଙ୍କସ୍, ହୁଅନ୍ତୁ ସାବଧାନ!

ଭୁବନେଶ୍ବର: ଯଦି ଆପଣ ଅନେକ ଘରର ଫ୍ରିଜରେ ଦେଖନ୍ତି, ତେବେ କୋଲ୍ଡ ଡ୍ରିଙ୍କସ ନିଶ୍ଚିତ ଭାବେ ଥିବାର ଦେଖିବେ । ଲୋକମାନେ ଘର, ଅଫିସ୍ ଠାରୁ ପାର୍ଟି ପର୍ଯ୍ୟନ୍ତ ସବୁଠି ଥଣ୍ଡା ପାନୀୟ ପିଇବାକୁ ପସନ୍ଦ କରନ୍ତି  । ଏବେ ଖରାଦିନ ତ ଏହା ବହୁତ ମାତ୍ରାରେ ବିକ୍ରି ହେବା ସହ ସବୁବେଳେ ଲୋକେ ପିଇବାକୁ ପସନ୍ଦ କରିଥାନ୍ତି ।

ଯଦିଓ ଏହି ଥଣ୍ଡା ପାନୀୟ ଶରୀର ଉପରେ ବହୁତ ଖରାପ ପ୍ରଭାବ ପକାଇଥାଏ କିନ୍ତୁ ଲୋକେ ଏହାକୁ ଅଣଦେଖା କରିଥାନ୍ତି । ଏହା ଆପଣଙ୍କ ମେଟାବୋଲିଜିମ୍ କୁ ବିଚଳିତ କରେ ଏବଂ ଇନସୁଲିନ୍ ସମସ୍ୟାକୁ ମଧ୍ୟ ବଢ଼ାଇଥାଏ । ଏହା ବ୍ୟତୀତ ଏହା ମଧୁମେହର କାରଣ ମଧ୍ୟ ସାଜିପାରେ ।

କୋଲ୍ଡ ଡ୍ରିଙ୍କସରେ ସୁକ୍ରୋଜ୍ ନାମକ ଉପାଦାନ ଥାଏ, ଯେଉଁଥିରୁ ଫ୍ରୁଟକୋଜ୍ ସୃଷ୍ଟି ହୁଏ | ଫ୍ରୁକଟୋଜରୁ ଆମେ କ୍ୟାଲୋରୀ ପାଇଥାଉ କିନ୍ତୁ ଥଣ୍ଡା ପାନୀୟରେ ବହୁତ ଚିନି ରହିଥାଏ, ଯାହା ଓଜନ ବଢ଼ାଇଥାଏ । ଏକ ଅଧ୍ୟୟନରୁ ଜଣାପଡିଛି ଯେ ଶର୍କରା ପାନୀୟର ସବୁଦିନ ବ୍ୟବହାର ଫଳରେ ମେଦବହୁଳତାର ଆଶଙ୍କା ୬୦ ପ୍ରତିଶତ ବୃଦ୍ଧି ପାଇଥାଏ।

କୋଲ୍ଡ ଡ୍ରିଙ୍କସରେ ଗ୍ଲୁକୋଜ ଏବଂ ଫ୍ରୁକଟୋଜ ବହୁତ ମାତ୍ରାରେ ଥାଏ  । ଏହି ପାନୀୟରେ ଚିନି ଅଧିକ ଥିବାରୁ ଏହାକୁ ହଜମ କରିବା ପାଇଁ ଯକୃତକୁ ବହୁତ ସଂଘର୍ଷ କରିବାକୁ ପଡ଼େ ।

ଜାଣନ୍ତୁ କ’ଣ କ୍ଷତି କରେ କୋଲ୍ଡ ଡ୍ରିଙ୍କସ…

ପେଟର ଚର୍ବି ବୃଦ୍ଧି କରେ

ଥଣ୍ଡା ପାନୀୟର ବହୁଳ ବ୍ୟବହାର ହେତୁ ପେଟରେ ଚର୍ବି ଜମା ହୋଇଯାଏ ଏବଂ ପେଟର ଚର୍ବି ବଢ଼ିବାକୁ ଲାଗେ । ଯାହା ମଧୁମେହ ଏବଂ ହୃଦରୋଗର କାରଣ ହୋଇପାରେ ।

ଇନସୁଲିନର ଅସନ୍ତୁଳନ

ଶରୀରରେ ଚିନିର ପରିମାଣର ଦ୍ରୁତ ଗତିରେ ବୃଦ୍ଧି ହେତୁ ଇନସୁଲିନର ସନ୍ତୁଳନ ବିଗିଡିବାକୁ ଲାଗେ, ପରବର୍ତ୍ତି ସମୟରେ ଏହା ଶରୀରପାଇଁ ସାଂଘାତିକ ମଧ୍ୟ ହୋଇପାରେ ।

ମଧୁମେହ ହେବାର ଆଶଙ୍କା

କୋଲ୍ଡ ଡ୍ରିଙ୍କସ ଏବଂ ମୃଦୁ ପାନୀୟରେ ପ୍ରଚୁର ପରିମାଣରେ ଚିନି ଥାଏ, ଯାହା ଟାଇପ୍ -୨ ଡାଇବେଟିସ୍ ହେବାର ଆଶଙ୍କାକୁ ବଢ଼ାଇ ଦେଇଥାଏ ।

କେଉଁମାନେ ଏହାକୁ ପିଇବା ଉଚିତ୍ ନୁହେଁ…

ଉଚ୍ଚ ରକ୍ତଚାପ ରୋଗୀ

ଯେଉଁମାନଙ୍କର ଉଚ୍ଚ ରକ୍ତଚାପ ରହିଛି, ସେମାନେ ଥଣ୍ଡା ପାନୀୟରୁ ଦୂରେଇ ରହିବା ଉଚିତ୍ | ଏହାର କାରଣ ହେଉଛି ଅଙ୍ଗାରକାମ୍ଳଯୁକ୍ତ ପାନୀୟ । ଏଥିରେ ଅଧିକ ମାତ୍ରାରେ ସୋଡିୟମ୍ ଥାଏ ଯାହା ରକ୍ତଚାପ ବୃଦ୍ଧି ପାଇଁ ସାହାଯ୍ୟ କରିଥାଏ । ତେଣୁ ଉଚ୍ଚ ରକ୍ତଚାପ ରୋଗୀମାନେ ଥଣ୍ଡା ପାନୀୟର ବ୍ୟବହାରରୁ ଦୂରେଇ ରହିବା ଉଚିତ୍ |

ହୃଦୟ ରୋଗୀ

ଯଦି ଆପଣ ହୃଦଘାତରେ ଆକ୍ରାନ୍ତ ହୋଇଥିବେ କିମ୍ବା ହାର୍ଟ ଜନିତ କୌଣସି ସମସ୍ୟା ପାଇଁ ଔଷଧ ଖାଉଛନ୍ତି, ତେବେ ଆପଣ ଥଣ୍ଡା ପାନୀୟରୁ ଦୂରେଇ ରହିବା ଉଚିତ୍ । ଏହା କୋଲେଷ୍ଟ୍ରଲ ଏବଂ ରକ୍ତ ସଞ୍ଚାଳନକୁ ପ୍ରଭାବିତ କରିବା ପାଇଁ ସାହାଯ୍ୟ କରିଥାଏ । ଏହା ସହିତ, ଏହା ରକ୍ତଚାପ ବୃଦ୍ଧି ପାଇଁ ମଧ୍ୟ କାମ କରେ, ତେଣୁ ହୃଦୟ ରୋଗୀମାନେ ଏହାର ବ୍ୟବହାରରୁ ଦୂରେଇ ରହିବା ଉଚିତ ।

ଶିଶୁ

ଆଜିକାଲି ପିଲାମାନଙ୍କଠାରେ ମେଦବହୁଳତା ଏବଂ ମଧୁମେହ ଅତି ସାଧାରଣ ସମସ୍ୟାଭାବେ ଉଭା ହୋଇଛି । ଏହା ପଛରେ ଏକ ବଡ଼ କାରଣ ହେଉଛି ମୃଦୁ ପାନୀୟ ଏବଂ ତେଲିଆ ଖାଦ୍ୟ । ଥଣ୍ଡା ପାନୀୟ ପିଇବା ଦ୍ବାରା ଶିଶୁମାନେ ସହଜରେ ମୋଟାପଣର ଶିକାର ହୋଇଥାନ୍ତି ।

ରାଜ୍ୟରେ ଟମାଟୋ ଫ୍ଲୁ ଆତଙ୍କ ପରେ ଆଲର୍ଟରେ ସ୍ୱାସ୍ଥ୍ୟ ବିଭାଗ

ଭୁବନେଶ୍ୱର: ରାଜ୍ୟରେ ଟମାଟୋ ଫ୍ଲୁ ସୂଚନା ମିଳିବା ପରେ ଆଲର୍ଟରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ । ଟମାଟୋ ଫ୍ଲୁକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଜନ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର । ଏହା ଏକ ଭାଇରାଲ ରୋଗ । ଏହି ରୋଗ ହେଲେ ପିଲାଙ୍କ ଦେହ ସାରା ଫଳିଯିବା ସହ ଜ୍ୱର ହେବ । ପିଲାମାନେ ଖାଇବେନି ଓ ବାନ୍ତି ହେବ । ରାଜ୍ୟରେ କେତେ କେସ୍ ରହିଛି ତାହା ଜାଣିବା ପାଇଁ ସବୁ ମେଡିକାଲ କଲେଜକୁ ରିପୋର୍ଟ ମଗାଯାଇଛି ବୋଲି କହିଛନ୍ତି ଜନ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର । ତେବେ RMRC ଏହି ଭାଇରାଲ ଭାଇରସର ଡିଟେକସନ କରିବ । ଆକ୍ରାନ୍ତଙ୍କନମୁନା ସଂଗ୍ରହ କରି RMRCକୁ ପଠାଯିବ ।

ଜିଲ୍ଲା ଓ ଶିଶୁ ରୋଗ ବିଶେଷଜ୍ଞମାନଙ୍କ ସହ ଏ ନେଇ ସ୍ୱାସ୍ଥ୍ୟ ବିଭାଗ ଆଲୋଚନା କରିଛି । ଜିଲ୍ଲା ଚିକିତ୍ସାଲୟଗୁଡିକୁ ଆକ୍ରାନ୍ତ ଶିଶୁଙ୍କ ନମୁନା ସଂଗ୍ରହ କରି ପଠେଇବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ।

ଟ୍ରୋଲ୍ ହେଲେ ଐଶ୍ୱର୍ଯ୍ୟା, ଫ୍ୟାନ୍ସ କହିଲେ ଏମିତି….

କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଜଲୱା ଦେଖାଉଛନ୍ତି କଳାକାର। ଚଳିତ ବର୍ଷ ଆୟୋଜିତ ଏହି ମହୋତ୍ସବରେ ଭାରତରୁ ବହୁ କଳାକାର ସାମିଲ ହୋଇଛନ୍ତି। ଏହି ସେଲିବ୍ରିଟିଙ୍କ ମଧ୍ୟରେ ଦିପିକା ପାଦୁକୋଣ, ଐଶ୍ୱର୍ଯ୍ୟା ରାୟ ବଚ୍ଚନ, ତମନ୍ନା ଭାଟ୍ଟିଆ, ଉର୍ବଶୀ ରୌତାଲା, ହୀନା ଖାନ୍, ଏ ଆର୍ ରେହମାନ୍ ସାମିଲ ରହିଛନ୍ତି ।

ରେଡ୍ କାର୍ପେଟରେ ସେଲିବ୍ରିଟିଙ୍କ ନିଆରା ଅନ୍ଦାଜକୁ ଖୁବ୍ ପସନ୍ଦ କରିଛନ୍ତି ଫ୍ୟାନ୍ସ । ଏପରିକି ସେଲିବ୍ରିଟିଙ୍କ ଲୁକ୍ ମଧ୍ୟ ଭାଇରାଲ୍ ହେବାରେ ଲାଗିଛି । ଏହା ମଧ୍ୟରେ ଟ୍ରୋଲ୍ ହେଉଛନ୍ତି ବଲିଉଡ୍ ଲୋକପ୍ରିୟ କଳାକାର ଐଶ୍ୱର୍ଯ୍ୟା ରାୟ ବଚ୍ଚନ ।

କାନ୍ସ ଫିଲ୍ମ ଫେଷ୍ଟିଭାଲ ୨୦୨୨ରେ ସାମିଲ ହେବାକୁ ଯାଇଛନ୍ତି ବହୁ ବଲିଉଡ୍ ସେଲିବ୍ରିଟି । କାନ୍ସର ଦ୍ୱିତୀୟ ଦିନରେ ରେଡ୍ କାର୍ପେଟରେ ଧମାକାଦାର୍ ଏଣ୍ଟି୍ର କରିଥିଲେ ଐଶ୍ୱର୍ଯ୍ୟା ରାୟ ବଚ୍ଚନ।  କିନ୍ତୁ ହିରୋଇନଙ୍କ ଗେଟଅପ୍ ଓ ଲୁକ୍ ଫ୍ୟାନ୍ସଙ୍କୁ ଏତେଟା ପସନ୍ଦ ଆସିନାହିଁ । ଫଳରେ ସୋସିଆଲ୍ ମିଡିଆରେ ଖୁବ୍ ଟ୍ରୋଲ୍ ହେଉଛନ୍ତି ନୀଳ ନୟନା ।

ଗୋଲାପି ଓ କଳା ରଙ୍ଗର ଆଉଟ୍ ଫଇଟ୍ ସହ ଐଶ୍ୱର୍ଯ୍ୟାଙ୍କ ଦୁଇଟି ଫଟୋ ଭାଇରାଲ୍ ହେବାରେ ଲାଗିଛି । ଏପରିକି ପିଙ୍କ ଡ୍ରେସ୍ ପିନ୍ଧା ଲୁକକୁ ନେଇ ୟୁଜର୍ସ ଭିନ୍ନ ଭିନ୍ନ କମେଣ୍ଟ କରିବାରେ ଲାଗିଛନ୍ତି। କେହିକେହି ତାଙ୍କୁ ମେକଅପ୍ ସୁଟ୍ କରୁନଥିବା ମଧ୍ୟ କହିଛନ୍ତି । ଆଉ କେହି କେହି ଅଭିନେତ୍ରୀଙ୍କ ଜଣଙ୍କ ବୋଟୋକ୍ସ କରାଇଥିବା ମଧ୍ୟ କହିଛନ୍ତି ।

ସିଦ୍ଧୁଙ୍କୁ ଝଟକା, ରୋଡରେଜ ମାମଲାରେ ବର୍ଷେ ଜେଲ୍ ଦଣ୍ଡ

ନୂଆଦିଲ୍ଲୀ: ରୋଡରେଜ ମାମଲାରେ କଂଗ୍ରେସ ନେତା ତଥା ପୂର୍ବତନ ଭାରତୀୟ କ୍ରିକେଟର ନବଜୋତ ସିଂ ସିଦ୍ଧୁଙ୍କୁ ୧ ବର୍ଷ ଜେଲ ଦଣ୍ଡାଦେଶ। ୩୪ ବର୍ଷର ପୁରୁଣା ରୋଡ୍ ରେଜ୍ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ଏହି ରାୟ ଶୁଣାଇଛନ୍ତି। ବିନା ଉଦ୍ଦେଶ୍ୟରେ ହତ୍ୟା ମାମଲାରେ ପଞ୍ଜାବ-ହରିୟାଣା ହାଇକୋର୍ଟ ସିଦ୍ଧୁଙ୍କୁ ତିନି ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଥିବାବେଳେ ସୁପ୍ରିମକୋର୍ଟ ତାଙ୍କୁ ଏହି ମାମଲାରେ ନିର୍ଦ୍ଦୋଷରେ ଖଲାସ କରିଥିଲେ । କିନ୍ତୁ ତାଙ୍କୁ ୧୦୦୦ ଟଙ୍କା ଜରିମାନା କରିଥିଲେ ସର୍ବୋଚ୍ଚ ନ୍ୟାୟାଳୟ । କିନ୍ତୁ ପରେ ଏହି ମାମଲାରେ ପୀଡିତଙ୍କ ପରିବାର ପକ୍ଷରୁ ସୁପ୍ରିମକୋର୍ଟରେ ଏକ ରିଭ୍ୟୁ ପିଟିସନ ଦାୟର ହୋଇଥିଲା ।

ସୂଚନା ଅନୁଯାୟୀ, ୨୭ ଡିସେମ୍ବର ୧୯୮୮ ରେ ଏହି ବିବାଦ ପଟିଆଲାରେ ଘଟିଥିଲା, ଯେତେବେଳେ ସିଦ୍ଧୁ ରାସ୍ତା ମଝିରେ ତାଙ୍କ ଜିପ୍ସୀ ଗାଡ଼ିକୁ ପାର୍କ କରିଥିଲେ | ଯେତେବେଳେ ପୀଡିତ ଏବଂ ଅନ୍ୟ ଦୁଇଜଣ ବ୍ୟାଙ୍କରୁ ଟଙ୍କା ଉଠାଇବାକୁ ଯାଉଥିଲେ, ସେମାନେ ରାସ୍ତାରେ ଥିବା ଜିପ୍ସୀକୁ ଦେଖି ସିଦ୍ଧୁଙ୍କୁ ହଟାଇବାକୁ କହିଥିଲେ। ଏହି କାରଣରୁ ସେମାନଙ୍କ ମଧ୍ୟରେ ପାଟିତୁଣ୍ଡ ଆରମ୍ଭ ହୋଇଥିଲା | ପୋଲିସ ଅଭିଯୋଗ କରିଥିଲା ଯେ ଏହି ସମୟ ମଧ୍ୟରେ ସିଦ୍ଧୁ ରାଗିଯାଇ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଆକ୍ରମଣ କରି ଘଟଣାସ୍ଥଳରୁ ପଳାଇ ଯାଇଥିଲେ। ପରେ ଡାକ୍ତରଖାନାରେ ସମ୍ପୃକ୍ତ ବ୍ୟକ୍ତି ଜଣଙ୍କୁ ମୃତ ଘୋଷଣା କରାଯାଇଥିଲା।

ଏହି ମାମଲାରେ ୧୯୯୯ ମସିହା ସେପ୍ଟେମ୍ବରରେ ନବଜୋତ ସିଂ ସିଦ୍ଧୁଙ୍କୁ ଟ୍ରାଏଲ କୋର୍ଟ ନିର୍ଦ୍ଦୋଷରେ ଖଲାସ କରିଥିଲେ, କିନ୍ତୁ ଡିସେମ୍ବର ୨୦୦୬ରେ ହାଇକୋର୍ଟ ସିଦ୍ଧୁ ଏବଂ ଅନ୍ୟ ଜଣଙ୍କୁ ଏହି ମାମଲାରେ ଦୋଷୀ ସାବ୍ୟସ୍ତ କରାଇବା ସହ ଉଭୟଙ୍କୁ ତିନି ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଥିଲେ। ଯାହାକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା । ଏହା ପରେ ସର୍ବୋଚ୍ଚ ନ୍ୟାୟାଳୟ ସିଦ୍ଧୁଙ୍କୁ ଏହି ମାମଲାରେ ଦୋଷୀ ସାବ୍ୟସ୍ତ କରିଥିଲେ ଏବଂ ହଜାରେ ଟଙ୍କା ଜୋରିମାନା ଲଗାଇଥିଲେ। ଏହି ମାମଲାରେ ପୀଡିତଙ୍କ ପରିବାର ପକ୍ଷରୁ ସୁପ୍ରିମକୋର୍ଟରେ ଏକ ରିଭ୍ୟୁ ପିଟିସନ ଦାୟର ହୋଇଥିଲା । ଏପରିକି ମୃତ ଗୁରୁନାମ ସିଂଙ୍କ ସମ୍ପର୍କୀୟ ୨୦୧୦ ମସିହାରେ ସୁପ୍ରିମକୋର୍ଟରେ ଏକ ସିଡି ଦାଖଲ କରିଥିଲେ ଯେଉଁଥିରେ ସିଦ୍ଧୁ ଏକ ଚ୍ୟାନେଲ ସୋ’ରେ ଗୁରୁନାମଙ୍କୁ ହତ୍ୟା କରିଥିବା ସ୍ବୀକାର କରିଥିଲେ ।

ଅପରପକ୍ଷେ ରୋଡରେଜ୍ ମାମଲା ଯୋଗୁଁ ସିଦ୍ଧୁଙ୍କ ନିର୍ବାଚନ ଲଢ଼ିବା ଉପରେ ମଧ୍ୟ କଟକଣା ଲଗାଇବାକୁ ଆବେଦନ ହୋଇଥିଲା। କିନ୍ତୁ ତାଙ୍କୁ ସୁପ୍ରିମକୋର୍ଟ ନିର୍ବାଚନ ଲଢ଼ିବାକୁ ଅନୁମତି ଦେଇଥିଲେ।

GSTକୁ ନେଇ ସୁପ୍ରିମକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ, ଉଭୟ କେନ୍ଦ୍ର ଓ ରାଜ୍ୟ ନେଇପାରିବେ ମିଳିତ ନିଷ୍ପତ୍ତି

ନୂଆଦିଲ୍ଲୀ: ରାଜ୍ୟ ଉପରେ ଲଦି ହେବନି GST ବୋଝ । GSTକୁ ନେଇ ସୁପ୍ରିମକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ । ଜିଏସଟି ଲାଗୁ କରିବା ନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ନିଷ୍ପତ୍ତି ନେଇପାରିବେ ବୋଲି ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି । GST କାଉନସିଲ ନିଷ୍ପତ୍ତିକୁ ରାଜ୍ୟ ଉପରେ ନ ଲଦିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜଷ୍ଟିସ ଡି ଓ୍ୱାଇ ଚନ୍ଦ୍ରଚୂଡ଼ଙ୍କ ବେଞ୍ଚ ।

ଜଷ୍ଟିସ ଚନ୍ଦ୍ରଚୂଡ଼ଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି ଜିଏସଟି ଆଇନକୁ ଉଭୟ କେନ୍ଦ୍ର ଓ ରାଜ୍ୟ ମିଳିତ ଭାବେ କରିପାରିବେ । କୋର୍ଟ କହିଛନ୍ତି ଏକ କାର୍ଯ୍ୟଦକ୍ଷତା ସମ୍ପନ୍ନ ପରିବେଶ ଲାଗି ଜିଏସଟି ପରିଷଦ ଉଦ୍ୟମ କରିବା ଆବଶ୍ୟକ । ଗୁଜରାଟ ହାଇକୋର୍ଟଙ୍କ ନିର୍ଦ୍ଦେଶ ବିରୋଧରେ ଆଗତ ଏକ ଆବେଦନର ଶୁଣାଣି କ୍ରମେ ସୁପ୍ରିମକୋର୍ଟ ଏହା କହିଛନ୍ତି । କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ସୁସମ୍ପର୍କ ଭାରତୀୟ ସଂଘୀୟ ବ୍ୟବସ୍ଥାର ଏକ ପ୍ରତିଫଳନ ବୋଲି କହିଛନ୍ତି କୋର୍ଟ ।

ଦିଲ୍ଲୀର ଥୀନର ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ, କାରଣ ଅସ୍ପଷ୍ଟ

ନୂଆଦିଲ୍ଲୀ:  ପୁଣି ଜଳିଲା ରାଜଧାନୀ ଦିଲ୍ଲୀ । ମୁଣ୍ଡକା, ନରେଲା ପରେ ଗୁରୁବାର ଦିନ ବବନା ଅଞ୍ଚଳରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏହି ଅଗ୍ନିକାଣ୍ଡ ଥୀନର ଫ୍ୟାକ୍ଟ୍ରିରେ ଘଟିଥିବା ଜଣାପଡିଛି।

ରିପୋର୍ଟ ଅନୁଯାୟୀ, ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଛି  ୧୭ଟି ଦମକଳ ବାହିନୀ । ଫ୍ୟାକ୍ଟ୍ରି ଭିତରୁ ଜୋରଦାର୍ ନିଆଁ ବାହାରୁଥିବା ବେଳେ ନିଆଁକୁ ଆୟତ୍ତ ପାଇଁ ଚେଷ୍ଟା ଚଳାଇଛି ଅଗ୍ନିଶମ ବାହିନୀ । ଏପଟେ ଅଗ୍ନିକାଣ୍ଡର କାରଣ ଏଯାବତ୍ ଜଣାପଡିନାହିଁ।

ତେବେ ନିକଟ ଅତୀତରେ ଦିଲ୍ଲୀର ମୁଣ୍ଡକାରେ ଏକ ୪ ମହଲା କୋଠାରେ ଭୟାନକ ଅଗ୍ନିକାଣ୍ଡ ଘଟିଥିଲା । ଯେଉଁ ଘଟଣାରେ ୨୭ ଜଣ ପ୍ରାଣ ହରାଇଥିଲେ । ଖାଲି ଏତିକି ନୁହେଁ ବିଳମ୍ବିତ ରାତି ଯାଏଁ ଏନଡିଆରଏଫ୍ ଓ ଦିଲ୍ଲୀ ଫାୟାର ସର୍ଭିସର ଟିମ୍ ନିଆଁ ଲିଭାଇବା କାର୍ଯ୍ୟରେ ଲାଗିଥିଲେ ।

ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ମାମଲା, କାଶ୍ମୀର ବିଚ୍ଛିନ୍ନତାବାଦୀ ନେତା ୟାସିନ ମଲିକ ଦୋଷୀ ସାବ୍ୟସ୍ତ

ନୂଆଦିଲ୍ଲୀ: ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ବିଚ୍ଛିନ୍ନତାବାଦୀ ନେତା ୟାସିନ ମଲିକ । ଜାତୀୟ ତଦନ୍ତକାରୀ ସଂସ୍ଥା ବା ଏନଆଇଏର ଏକ କୋର୍ଟ ୟାସିନଙ୍କୁ କରିଛନ୍ତି ଦୋଷୀ ସାବ୍ୟସ୍ତ । ଆସନ୍ତା ମେ ୨୫ରେ ୟାସିନଙ୍କ ବିରୋଧରେ କୋର୍ଟ ଦଣ୍ଡ ଘୋଷଣା କରିବେ । କାଶ୍ମୀର ଉପତ୍ୟକାରେ ଆତଙ୍କବାଦର ପ୍ରସାର ଓ ବିଚ୍ଛିନ୍ନତାବାଦୀ କାର୍ଯ୍ୟକଳାପରେ ସାମିଲ ହେବା ନେଇ ତାଙ୍କ ବିରୋଧରେ ଆସିଥିଲା ଅଭିଯୋଗ । ୟାସିନଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ଆର୍ଥିକ ଆକଳନ ସଂକ୍ରାନ୍ତ ରିପୋର୍ଟ ଦାଖଲ କରିବା ଲାଗି ମଧ୍ୟ ତାଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ୟାସିନଙ୍କ ଆର୍ଥିକ ଆକଳନ ସଂକ୍ରାନ୍ତରେ ରିପୋର୍ଟ ଦେବା ଲାଗି ମଧ୍ୟ ଏନଆଇଏକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।

ସୂଚନାନୁସାରେ, ଟେରର ଫଣ୍ଡିଂ ମାମଲାରେ ୟାସିନକୁ ଏନଆଇଏ ଗିରଫ କରିଥିଲା । ସେ ନିଜେ ମଧ୍ୟ ଜମ୍ମୁ କାଶ୍ମୀରରେ ବିଭିନ୍ନ ଆତଙ୍କବାଦୀ କାର୍ଯ୍ୟକଳାପରେ ସାମିଲ ଥିବା ସ୍ୱୀକାର କରିଥିଲା । ତେବେ ୟାସିନ ମଲିକଙ୍କ ବିରୋଧରେ ଯେଉଁ ସବୁ ଧାରା ଲାଗିଛି, ଏଥିରେ ତାକୁ ଆଜୀବନ କାରାଦଣ୍ଡାଦେଶ ମିଳିପାରେ । ସେ ଅନେକ ଦିନ ଧରି କାଶ୍ମୀରର ରାଜନୀତିରେ ସକ୍ରିୟ ମଧ୍ୟ ଥିଲା । ଯୁବକଙ୍କୁ ପଥଭ୍ରଷ୍ଟ କରିବାରେ ତାର ମୁଖ୍ୟ ଭୂମିକା ମଧ୍ୟ ରହିଥିଲା ।

 

ଜ୍ଞାନବାପି ମସଜିଦ ମାମଲା: ଶୁଣାଣିକୁ ସ୍ଥଗିତ ରଖିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଜ୍ଞାନବାପି ମସଜିଦ ମାମଲା । ଶୁଣାଣିକୁ ସ୍ଥଗିତ ରଖିଲେ ସୁପ୍ରିମକୋର୍ଟ । ଏହି ବିବାଦୀୟ ମାମଲାର ଶୁଣାଣି ଆସନ୍ତାକାଲି ହେବ । ଏହା ସହ ବାରାଣସୀ କୋର୍ଟର ଶୁଣାଣି ଉପରେ ସ୍ଥଗିତାଦେଶ ଦେଇଛନ୍ତି ସର୍ବୋଚ୍ଚ ଅଦାଲତ । ସର୍ଭେବେଳେ ମସଜିଦ ଭିତରେ ଥିବା ଏକ କୂଅରୁ ଏକ ଶିବଲିଙ୍ଗର ସନ୍ଧାନ କରାଯାଇଛି ବୋଲି ଜଣେ ଓକିଲ ଦାବି କରିବା ପରେ ଏହାକୁ ନେଇ ବିବାଦ ବଢ଼ିଥିଲା ।

ସେପଟେ ଭିଡିଓ ସର୍ଭେର ରିପୋର୍ଟ ବାରାଣସୀ କୋର୍ଟରେ ଦାଖଲ ହୋଇଛି । ରିପୋର୍ଟ ଦାଖଲ ବେଳେ କୋର୍ଟ ଦ୍ୱାରା ନିଯୁକ୍ତ ସ୍ୱତନ୍ତ୍ର ସହକାରୀ କମିଶନର ବିଶାଳ ସିଂ ଓ ଦୁଇ ପକ୍ଷର ପ୍ରତିନିଧି ଉପସ୍ଥିତ ଥିଲେ । ବିଶାଳ କହିଛନ୍ତି- ସର୍ଭେର ଭିଡିଓ କ୍ଲିପକୁ ସିଲଯୁକ୍ତ କଭରରେ ଦାଖଲ କରାଯାଇଛି । ଏହି ରିପୋର୍ଟକୁ ବାରାଣସୀ ସିଭିଲ ଜଜ୍ ସିନିୟର ଡିଭିଜନ ରବି କୁମାର ଦିବାକରଙ୍କ ନିକଟରେ ଦାଖଲ କରାଯାଇଛି । ଏହି ରିପୋର୍ଟ ୧୦ରୁ ୧୫ ପୃଷ୍ଠା ସମ୍ବଳିତ ହୋଇଥିବା ସୂଚନା ମିଳିଛି ।

ଅନ୍ୟପକ୍ଷରେ ଏହି ମାମଲାର ଶୁଣାଣି ସ୍ଥଗିତ କରିବା ଲାଗି ଦାବି କରିଛନ୍ତି ହିନ୍ଦୁ ପିଟିସନକାରୀଙ୍କ ପ୍ରତିନିଧି ଆଡଭୋକେଟ ବିଷ୍ଣୁ ଶଙ୍କର ଜୈନ । ଗତ ମଙ୍ଗଳବାର ତଥାକଥିତ ଶିବଲିଙ୍ଗ ଠାବ ହୋଇଥିବା ଅଞ୍ଚଳକୁ ସୁରକ୍ଷା ବଳୟରେ ରଖିବା ଲାଗି ବାରାଣସୀର ଜିଲ୍ଲା ମାଜିଷ୍ଟ୍ରେଟଙ୍କୁ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ ।

ଏଥର ଭକ୍ତଙ୍କ ଗହଣରେ ହେବ ସ୍ନାନଯାତ୍ରା, ମଣ୍ଡପ ଉପରେ ଶ୍ରୀଜିଉଙ୍କୁ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ

ପୁରୀ: ଏଥର ଭକ୍ତଙ୍କ ଗହଣରେ ହେବ ମହାପ୍ରଭୁଙ୍କ ସ୍ନାନଯାତ୍ରା । ଦୀର୍ଘ ଦୁଇ ବର୍ଷ ପରେ ସ୍ନାନ ଯାତ୍ରାରେ ସାମିଲ ହେବେ ଭକ୍ତ । ଶ୍ରୀଜିଉଙ୍କ ହାତୀ ବେଶ ପୂର୍ବରୁ ସ୍ନାନ ମଣ୍ଡପ ତଳେ ଓ ବେଶ ପରେ ଦୁଇ ଘଣ୍ଟା ମଣ୍ଡପ ଉପରକୁ ଯାଇ ମହାପ୍ରଭୁଙ୍କ ଦର୍ଶନ କରିପାରିବେ ଭକ୍ତ । ଦଇତାପତି ନିଯୋଗ ସହ ଆଲୋଚନା ପରେ ଏନେଇ ସୂଚନା ଦେଇଛନ୍ତି ସମ୍ପାଦକ ରାମକୃଷ୍ଣ ଦାସ ମହାପାତ୍ର ।

ସେହିପରି ଶ୍ରୀକ୍ଷେତ୍ର ଭଉଁରୀ ଓ ରଥଯାତ୍ରା ପାଇଁ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ବୈଠକ ହୋଇଛି । ବିଭିନ୍ନ ନିଯୋଗ ସହ ପୃଥକ ପୃଥକ ଭାବେ ଆଲୋଚନା କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବ ଓ ଜିଲ୍ଲାପାଳ ସମର୍ଥ ବର୍ମା । ମହାପ୍ରଭୁଙ୍କ ନୀତିକାନ୍ତିକୁ କିଭଳି ଶୃଙ୍ଖଳିତ ଭାବେ ସମ୍ପାଦନ କରାଯିବ ସେନେଇ ଏହି ବୈଠକରେ ଆଲୋଚନା ହୋଇଛି ।

ବ୍ୟାପିବାରେ ଲାଗିଛି ମଙ୍କିପକ୍ସ, ଆମେରିକାରେ ପ୍ରଥମ ଆକ୍ରାନ୍ତ ଚିହ୍ନଟ

ଓ୍ୱାଶିଂଟନ: ମାଡ଼ୁଛି ମଙ୍କି ପକ୍ସ । କାନାଡ଼ା ପରେ ଆମେରିକାରେ ମଙ୍କି ପକ୍ସ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତ ବ୍ୟକ୍ତି ନିକଟରେ କାନାଡ଼ାରୁ ଫେରିଥିବା ଜଣାପଡ଼ିଛି । ଆମେରିକାର ସେଣ୍ଟର ଫର ଡିଜିଜ୍ କଣ୍ଟ୍ରୋଲ ଆଣ୍ଡ ପ୍ରିଭେନସନ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । ଆକ୍ରାନ୍ତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବା ଲୋକମାନଙ୍କୁ ନୀରିକ୍ଷଣରେ ରଖାଯିବା ସହ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଛି । ତେବେ ମଙ୍କି ପକ୍ସରେ ଆକ୍ରାନ୍ତ ବ୍ୟକ୍ତି ହସ୍ପିଟାଲରେ ଥିବାବେଳେ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ସୂଚନା ରହିଛି । ଏହା ଏକ ବିରଳ ଭୂତାଣୁ ହୋଇଥିବା ବେଳେ ଆକ୍ରାନ୍ତ ଗୁରୁତର ହେବା ଆଶଙ୍କା ରହିଛି ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞ କହିଛନ୍ତି । କାନାଡ଼ା ଓ ବ୍ରିଟେନରେ ଏହି ରୋଗୀଙ୍କ ସଂଖ୍ୟା ବଢ଼ୁଛି ।