spot_img
Home Blog Page 4240

ମିଶନ ଶକ୍ତିରେ ମହିଳା ସ୍ବାବଲମ୍ବୀ, ମାଛଚାଷ କରି ଆତ୍ମନିର୍ଭର ସୁବର୍ଣ୍ଣପୁରର ସର୍ଗୁଣାମୁଣ୍ଡାର ମହିଳା

ସୁବର୍ଣ୍ଣପୁର: ବଦଳୁଛି ସମୟ, ପରିବର୍ତ୍ତନ ଦିଗରେ ମହିଳା । ସରକାରଙ୍କ ପ୍ରୋତ୍ସାହନରେ ସ୍ବାବଲମ୍ବୀ ମହିଳା । ନିଜେ ରୋଜଗାରକ୍ଷମ ହେବା ସହିତ ପରିବାର ଆର୍ଥିକ ଅବସ୍ଥା ମଧ୍ୟ ଦୂର କରୁଛନ୍ତି ମହିଳାମାନେ । ସୁବର୍ଣ୍ଣପୁର ଜିଲ୍ଲା ସହର ବ୍ଲକ ସର୍ଗୁଣାମୁଣ୍ଡା ଗାଁରେ ୩ଟି ପୋଖରୀ ଲିଜ୍ ନେଇ ମାଛ ଚାଷ କରୁଛନ୍ତି । ସକାଳୁ ସଂଜ ଯାଏ ପୋଖରୀ ରକ୍ଷଣାବେକ୍ଷଣରେ ଲାଗିଛନ୍ତି ମାହିଳାମାନେ । ଦଳ ସଫା କରିବା ସହିତ ମାଛଙ୍କୁ ଦାନା ଦେବା ପର୍ଯ୍ୟନ୍ତ ମହିଳାମାନେ ସବୁ କାମ କରିଥାନ୍ତି । ଆଉ ପ୍ରତି ୪ ମାସରେ ଥରେ ମାଛ ଧରି ଲାଭବନ କରୁଛନ୍ତି ।

ସର୍ଗୁଣାମୁଣ୍ଡା ଗାଁର ୨୦ରୁ ଅଧିକ ମହିଳା ମା’ ଶାରଳା ଓ ମା’ ସୁରେଶ୍ବରୀ ନାଁରେ ଦୁଇଟି ଏସଏଚଜି କରି ମାଛ ଚାଷୀ କରୁଛନ୍ତି । ଏଥିପାଇଁ ମହିଳାମାନଙ୍କୁ ସହଯୋଗ କରୁଛି ମିଶନ ଶକ୍ତି । ଜାଆଁଳ ଯୋଗାଇ ଦେବା ସହିତ ମାଛଙ୍କ ପାଇଁ ଖାଦ୍ୟ ସବସିଡିରେ ଯୋଗାଇ ଦେଉଛନ୍ତି । ୪ ବର୍ଷ ହେଲା ମାହିଳାମାନେ ମାଛ ଚାଷ କରୁଥିବା ବେଳେ ବର୍ଷକୁ ୫୦ରୁ ୬୦ ହଜାର ଟଙ୍କା ଲାଭ ହେଉଛି । ଆଗକୁ ଆହୁରି ଅଧିକ ଲାଭ ହେବ ବୋଲି ଆଶା ରଖିଛନ୍ତି ମହିଳାମାନେ । ରାଜ୍ୟ ସରକାରଙ୍କ ପ୍ରୋତ୍ସାହନରେ ମାହିଳାମାନେ ରୋଜଗାରକ୍ଷମ ହେବା ସହିତ ପରିବାରର ଆର୍ଥିକ ବୋଝକୁ ମଧ୍ୟ ଦୂର କରୁଛନ୍ତି ।

ରାଜଧାନୀରେ ଭୟଙ୍କର ଅଗ୍ନିକାଣ୍ଡ, ୨୬ ମୃତ

ନୂଆଦିଲ୍ଲୀ: ଶୁକ୍ରବାର ସନ୍ଧ୍ୟାରେ ଦିଲ୍ଲୀରେ ଭୟାବହ ଅଗ୍ନକାଣ୍ଡ ଘଟିଛି । ଦିଲ୍ଲୀ ମୁଣ୍ଡକା ଅଞ୍ଚଳରେ ତିନି ମହଲା ବିଶିଷ୍ଟ ଏକ କମର୍ସିଆଲ ବିଲଡିଂରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏହି ଅଗ୍ନିକାଣ୍ଡରେ ୨୦ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ତେବେ ଏହି ବିଲଡିଂରୁ ୫୦ ଜଣଙ୍କୁ ଉଦ୍ଧାର କରାଯାଇଛି ବୋଲି କହିଛନ୍ତି ଡିସିପି ସମୀର ଶର୍ମା । ଏବେ ବି ନିଆଁ ଲିଭା କାର୍ଯ୍ୟରେ ୧୭ଟି ଦମକଳ ଗାଡ଼ି ନିୟୋଜିତ ହୋଇଛି । ଏବେ ବି ଅନେକ ଲୋକ ସେହି ବିଲଡିଂରେ ଫସି ରହିଛନ୍ତି । ତେଣୁ ଆଗାମୀ ସମୟରେ ମୃତାହତ ସଂଖ୍ୟା ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି ।

ସୂଚନା ଅନୁସାରେ ଆଜି ସନ୍ଧ୍ୟା ୪ଟା୪୫ରେ ଦିଲ୍ଲୀର ମୁଣ୍ଡକା ଅଞ୍ଚଳରେ ଏକ ଅଫିସରେ ନିଆଁ ଲାଗିଥିବା ଖବର ମୁଣ୍ଡକା ପୋଲିସ ଷ୍ଟେସନକୁ ମିଳିଥିଲା । ଏହି ଖବର ମିଳିବା ପରେ ଅଗ୍ନିଶମ ବିଭାଗ ଓ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ତେବେ ଏହି କୋଠାରେ ବିଭିନ୍ନ କମ୍ପାନିଙ୍କ କାର୍ଯ୍ୟାଳୟ ଥିଲା ବୋଲି କହିଛନ୍ତି ଡିସିପି ସମୀର ଶର୍ମା । ଏହି ଘଟଣାରେ ଶୋକ ପ୍ରକାଶ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ ।

ପୁଣି ଚର୍ଚ୍ଚାରେ ଏଲନ ମସ୍କ, ୪୪ ବିଲିୟନ ଡଲାରର ଟ୍ବିଟର ଚୁକ୍ତି ସାମୟିକ ସ୍ଥଗିତ

ଓ୍ୱାଶିଂଟନ: ପୁଣି ଚର୍ଚ୍ଚାରେ ଏଲନ ମସ୍କ । ୪୪ ବିଲିୟନ ଡଲାରର ଟ୍ୱିଟର ଚୁକ୍ତି ସାମୟିକ ସ୍ଥଗିତ । ସ୍ପାମ ଓ ଫେକ୍ ଆକାଉଣ୍ଟ ପ୍ରସଙ୍ଗରେ ସବିଶେଷ ବିବରଣୀକୁ କେନ୍ଦ୍ର କରି ଏହି ଚୁକ୍ତି ସାମୟିକ ସ୍ଥଗିତ ରହିଛି ବୋଲି କହିଛନ୍ତି ମାଲିକ ଏଲନ ମସ୍କ । ଗତ ଏପ୍ରିଲ ୨୫ରେ ଏଲନ ମସ୍କଙ୍କ ୪୪ ବିଲିୟନ ଡଲାର ଚୁକ୍ତିକୁ ଟ୍ବିଟର ଗ୍ରହଣ କରିବା ପରେ ବିଶ୍ବବ୍ୟାପୀ ଚର୍ଚ୍ଚା ହୋଇଥିଲା । ବର୍ତ୍ତମାନ ମସ୍କ ଟ୍ବିଟରର ୯ ଦଶମିକ ୧ ପ୍ରତିଶତ ଅଂଶୀଦାର ରହିଛନ୍ତି । ସେ ହେଉଛନ୍ତି ଟ୍ବିଟରର ଦ୍ୱିତୀୟ ବୃହତ୍ତମ ସେୟାର ହୋଲଡର । ଟ୍ବିଟରକୁ କିଣିବା ଲାଗି ମସ୍କ ୧୨ରୁ ଅଧିକ ବ୍ୟାଙ୍କରୁ ୨୫.୫ ବିଲିୟନ ଡଲାର ଉଠାଇବା ଲାଗି ଯୋଜନା ଚଳାଇଥିବାବେଳେ ଏହି ସାମୟିକ ସ୍ଥଗିତ ଘଟଣାକୁ ନେଇ ବଜାର ହଲଚଲ ହୋଇଛି । ଟ୍ବିଟର ପକ୍ଷରୁ କୁହାଯାଇଛି ମସ୍କଙ୍କ ସହ ଚୁକ୍ତି ହେବା ପରଠାରୁ ବିଭିନ୍ନ ରିସ୍କ ଫାକ୍ଟର ଆସିଛି । ତନ୍ମଧ୍ୟରେ ରହିଛି ବିଜ୍ଞାପନଦାତାଙ୍କ ପ୍ରସଙ୍ଗ । ମସ୍କଙ୍କ ଏହି ନିଷ୍ପତ୍ତି ପରେ ସେୟାର ବଜାରରେ ଟ୍ୱିଟରର ସେୟାର ୩୭.୧୦ ଡଲାରକୁ ଖସିଛି ।

ୟୁକ୍ରେନ ରାଜଧାନୀ କିଭରେ ଖୁବଶୀଘ୍ର ଖୋଲିବ ଭାରତୀୟ ଦୂତାବାସ, ଋଷର ଆକ୍ରମଣ ପରେ ବନ୍ଦ ଥିଲା ଦୂତବାସ

ନୂଆଦିଲ୍ଲୀ: ୟୁକ୍ରେନ ରାଜଧାନୀ କିଭରେ ଖୁବଶୀଘ୍ର ଖୋଲିବ ଭାରତୀୟ ଦୂତାବାସ । ଆସନ୍ତା ୧୭ ତାରିଖରୁ ଭାରତୀୟ ଦୂତାବାସ ପୁଣି ଥରେ କିଭରେ କାର୍ଯ୍ୟକ୍ଷମ ହୋଇପାରେ ବୋଲି ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ସୂଚନା ଦେଇଛି । ସୂଚନା ଅନୁସାରେ ୟୁକ୍ରେନ ଉପରେ ଋଷର ଜୋରଦାର ଆକ୍ରମଣ ପରେ କିଭ୍ ସ୍ଥିତ ଭାରତୀୟ ଦୂତାବାସ ବନ୍ଦ କରିଦିଆଯାଇଥିଲା । ମାର୍ଚ୍ଚ ୧୩ ତାରିଖରୁ ଭାରତୀୟ ଦୂତାବାସକୁ ପୋଲାଣ୍ଡ ରାଜଧାନୀ ଓ୍ୱାର୍ସାକୁ ଅସ୍ଥାୟୀ ଭାବରେ ସ୍ଥାନାନ୍ତର କରାଯାଇଥିଲା । ତେବେ ବର୍ତ୍ତମାନ ଯୁଦ୍ଧ ବିଭୀଷୀକା ଟିକେ କମିବା ପରେ ପୁଣି ଥରେ କିଭରୁ ଦୂତାବାସ କାର୍ଯ୍ୟ ଆରମ୍ଭ ହେବ ବୋଲି କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।

ସୁନ୍ଦରଗଡରେ ମୁଖ୍ୟ ଶାସନ ସଚିବ, ଉନ୍ନତିମୂଳକ କାର୍ଯ୍ୟର ସମୀକ୍ଷା କଲେ

ରାଉରକେଲା: ପ୍ରଗତି ପଥରେ ଆଗଉଛି ସୁନ୍ଦରଗଡ। ଜାରି ରହିଛି ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ । ଇଵ ନଦୀରେ ଦୁଇଟି ଵ୍ୟାରେଜ ନିର୍ମାଣ ପାଇଁ ଟେଣ୍ଡର ସରିଥିବା ବେଳେ ଖୁବଶୀଘ୍ର ଵ୍ୟାରେଜ ନିର୍ମାଣ କାର୍ଯ୍ୟ ଆରମ୍ଭ ହେଵ। ଏନେଇ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ।

ସୂଚନା ଅନୁଯାୟୀ, ଦୁଇ ଦିନିଆ ସୁନ୍ଦରଗଡ ଜିଲ୍ଲା ଗସ୍ତରେ ଯାଇ ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ସହ କାର୍ଯ୍ୟର ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର। ପ୍ରଥମେ ସେ ସୁନ୍ଦରଗଡ଼ ସଦର ବ୍ଲକ୍ ଅନ୍ତର୍ଗତ କୋପସିଙ୍ଗାଠାରେ ନିର୍ମାଣାଧୀନ ବ୍ୟାରେଜ ପରିଦର୍ଶନ କରିବା ସହ ସୁନ୍ଦରଗଡ଼ ମେଡିକାଲ କଲେଜ ଓ ହସ୍ପିଟାଲ ଏବଂ ଟ୍ରାଫିକ ପରିଚାଳନା ପାଇଁ ଅତ୍ୟାଧୁନିକ କମାଣ୍ଡ ସେଣ୍ଟର ଓ କଣ୍ଟ୍ରୋଲ ରୁମ୍ ବୁଲି ଦେଖିଥିଲେ।

ଏହି ଅବସରରେ ସେ କହିଛନ୍ତି ଯେ ଏବର୍ଷ ସୁନ୍ଦରଗଡ଼ ମେଡ଼ିକାଲ କଲେଜ କାର୍ଯ୍ୟକ୍ଷମ ହେବ । ରୋଗୀ ଚିକିତ୍ସା ବି ଆରମ୍ଭ ହେଵ । ପ୍ରିନସିପାଲ, ସୁପରିଣ୍ଟେଣ୍ଡେଣ୍ଟ, ପ୍ରଫେସର, ଆସିଷ୍ଟାଣ୍ଟ ପ୍ରଫେସର ନିଯୁକ୍ତି ସରିଥିବା ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି ।

ଏହାସହ ମୁଖ୍ୟ ଶାସନ ସଚିବ ସୁନ୍ଦରଗଡରେ ଟ୍ରାଫିକ କଣ୍ଟ୍ରୋଲ ବ୍ୟବସ୍ଥାର ମଧ୍ୟ ଅନୁଧ୍ୟାନ କରିଛନ୍ତି। ଅପରପକ୍ଷେ ଆସନ୍ତାକାଲି ସକାଳ ୬ଟାରେ ବିପିୟୁଟି ପରିସରରେ ନିର୍ମାଣାଧୀନ ହକି ଷ୍ଟାଡିୟମ୍ ନିର୍ମାଣ କାର୍ଯ୍ୟ ଅନୁଧ୍ୟାନ କରିବେ । ରାଉରକେଲା ସ୍ମାର୍ଟ ସିଟି ପଷରୁ ହେଉଥିବା ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟର ତଦାରଖ କରିବେ । ପରେ ସକାଳ ୧୧ ଟା ସମୟରେ ଟେନସା ଇକୋ ଟୁରିଜିମ ସାଇଟ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି।

କେନ୍ଦୁଝରରେ ସୁନାଖଣି ମିଳିବା ଆଶା ଦୃଢ଼ୀଭୂତ, ବାଂଶପାଳ ଅଞ୍ଚଳରେ ଜାରି ରହିଛି ଅନୁସନ୍ଧାନ

କେନ୍ଦୁଝରର: କେନ୍ଦୁଝରରେ ସୁନାଖଣି ! ଚାଲିଛି ନମୁନା ସଂଗ୍ରହ । କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ତରମାକାନ୍ତ ପଞ୍ଚାୟତର ଜଳଡ଼ିହା ଗାଁ ପାଖରେ ସୁନାଖଣି ନେଇ ନମୁନା ସଂଗ୍ରହ ଚାଲିଛି । ଜଙ୍ଗଲରେ ସୁନାଖଣି ନେଇ ଦେଢ଼ କିଲୋମିଟର ପରିଧିରେ ମାଟି ଭିତରେ ଗାତ ଖୋଳି କରାଯାଉଛି ନମୁନା ସଂଗ୍ରହ । ୬ ମାସ ଧରି ଭାରତ ସରକାରଙ୍କ ପକ୍ଷରୁ ଚାଲିଥିବା ନମୁନା ସଂଗ୍ରହ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ।

ଏକଦା କେନ୍ଦୁଝର ବାଂଶପାଳ ବ୍ଲକ ତରମାକାନ୍ତ ଅଞ୍ଚଳରେ ଚା’ ଚାଷ ହେଉଥିଲା । ଏବେ କିନ୍ତୁ ଚା’ ଚାଷ ବନ୍ଦ ହୋଇଯାଇଛି । ଏହି ଅଞ୍ଚଳର ଲୋକ ଜୀବିକା ପାଇଁ ମୁଖ୍ୟତଃ ଜଙ୍ଗଲ ଉପରେ ନିର୍ଭର କରନ୍ତି । ୮୦ ଦଶକରେ ଏହି ଅଞ୍ଚଳରେ ସୁନାଖଣି ପାଇଁ ନମୁନା ସଂଗ୍ରହ ଆରମ୍ଭ ହୋଇଥିଲା । କିଛି ବର୍ଷ ବନ୍ଦ ରହିବା ପରେ ୬ ମାସ ହେଲା ପୁଣି ନମୁନା ସଂଗ୍ରହ ଚାଲିଛି । ତେବେ ଯଦି ଏହି ଅଞ୍ଚଳରେ ସୁନାଖଣି ହେଲେ ଏହି ଅଞ୍ଚଳର ଆର୍ଥିକ ଅଭ୍ୟୁଦୟ ଘଟିବ।

୭୩ ବର୍ଷ ବୟସରେ ୟୁଏଇ ରାଷ୍ଟ୍ରପତିଙ୍କ ପରଲୋକ, ୪୦ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା

ଦୁବାଇ: ୟୁଏଇ ରାଷ୍ଟ୍ରପତି ଶେଖ ଖଲିଫା ବିନ୍ ଜାୟେଦ ଅଲ ନାହ୍ୟାନଙ୍କ ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୩ ବର୍ଷ ହୋଇଥିଲା ବେଳେ ସେ ଦୀର୍ଘ ବର୍ଷ ଧରି ଅସୁସ୍ଥ ରହିଥିଲେ । ରାଷ୍ଟ୍ରପତିଙ୍କ ମୃତ୍ୟୁରେ ଦେଶରେ ୪୦ ଦିନିଆ ରାଷ୍ଟ୍ର ଶୋକ ଘୋଷଣା କରାଯାଇଛି । ସେହିପରି ଆଜିଠାରୁ ଦେଶର ପତାକା ଅର୍ଦ୍ଧନମିତ କରାଯାଇଛି ।

ସୂଚନା ଅନୁଯାୟୀ, ସବୁ ସରକାରୀ ଓ ଘରୋଇ ଅଫିସକୁ ୩ ଦିନ ପାଇଁ ଛୁଟି ଘୋଷଣା କରାଯାଇଛି। ୨୦୦୪ ମସିହା ନଭେମ୍ବର ମାସରୁ ଖଲିଫା ୟୁଏଇର ରାଷ୍ଟ୍ରପତି ଭାବେ କାର୍ଯ୍ୟ କରି ଆସୁଥିଲେ । ତାଙ୍କ ପୂର୍ବରୁ ତାଙ୍କ ବାପା ଏହି ପଦରେ ରହିଥିଲେ । ୧୯୪୮ ମସିହାରେ ଜନ୍ମଗ୍ରହଣ କରିଥିଲେ ଶେଖ ଖଲିଫା

ତେବେ ରାଷ୍ଟ୍ରପତିଙ୍କ ବିୟୋଗ ପରେ ଦୁବାଇ ସମ୍ବିଧାନ ଅନୁସାରେ, ଉପରାଷ୍ଟ୍ରପତି ତଥା ଦୁବାଇ ଶାସକ ଶେଖ୍ ମହମ୍ମଦ ବିନ ରଶିଦ ଅଲ୍ ମଖତୁମ କାମଚଳା ରାଷ୍ଟ୍ରପତି ହେବେ। ସେହିପରି ନିୟମ ଅନୁସାରେ ୩୦ ଦିନ ଭିତରେ ନୂଆ ରାଷ୍ଟ୍ରପତି ନିର୍ବାଚନ କରାଯିବ।

ବିଶ୍ଵପ୍ରସିଦ୍ଧ ଘୋଷଯାତ୍ରା ପାଇଁ ଜୋରଦାର ପ୍ରସ୍ତୁତି, ଆସନ୍ତା ୨୦ରେ RDCଙ୍କ ଅଧ୍ୟକ୍ଷତାରେ ବସିବ ସମନ୍ୱୟ ବୈଠକ

ପୁରୀ: ବିଶ୍ୱପ୍ରସିଦ୍ଧ ରଥଯାତ୍ରାକୁ ନେଇ ଜୋରସୋରରେ ପ୍ରସ୍ତୁତି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଏନେଇ ଏକ ପ୍ରସ୍ତୁତି ବୈଠକ । ଏଥିରେ ଜିଲ୍ଲାପାଳ, ଶ୍ରୀମନ୍ଦିର ନୀତି ଓ ଉନ୍ନୟନ ପ୍ରଶାସକ ପ୍ରମୁଖ ଉପସ୍ଥିତ ଥିଲେ । କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତଙ୍କ ଅଧ୍ୟକ୍ଷତାରେ ରଥଯାତ୍ରା ସମନ୍ୱୟ କମିଟି ବୈଠକ ବସିବା ନେଇ ଜିଲ୍ଲାପାଳ ସୂଚନା ଦେଇଛନ୍ତି । ୨୦ ତାରିଖରେ ଏହି ବୈଠକ ବସିବାକୁ ଥିବାବେଳେ ରଥଯାତ୍ରା ପାଇଁ ସବୁ ବିଭାଗ କିଭଳି ପ୍ରସ୍ତୁତି କରିଛନ୍ତି ତାହାର ସମୀକ୍ଷା କରାଯିବ । ସେହିପରି ରଥଯାତ୍ରା ପୂର୍ବରୁ ଶ୍ରୀମନ୍ଦିର ଓ ଗୁଣ୍ଡିଚା ମନ୍ଦିରରେ ୨୩୬ଟି ସିସିଟିଭି କ୍ୟାମେରା ଲଗାଯିବା ନେଇ ଟେଣ୍ଡର ପ୍ରକ୍ରିୟା ଶେଷ ହୋଇଥିବା ବେଳେ ଏହାକୁ ସେବାୟତ ମାନେ ସ୍ୱାଗତ କରିଛନ୍ତି ।

ସେପଟେ ରଥଯାତ୍ରା ଯେତିକି ପାଖେଇ ଆସୁଛି ରଥଖଳା ଚଳଚଞ୍ଚଳ ହେବାରେ ହେବାରେ ଲାଗିଛି । ରଥ ଖଳାରେ ତିନି ରଥର ନିର୍ମାଣ କାର୍ଯ୍ୟ ଜୋରସୋରରେ ଜାରି ରହିଛି । ରଥ ନିର୍ମାଣରେ ନିୟୋଜିତ ହୋଇଛନ୍ତି ୧୩୨ ଜଣ କାରିଗର । ଆସନ୍ତାକାଲି ନୃସିଂହ ଚତୃଦଶୀ ଅବସରରେ ରୂପକାର ସେବକ ମାନଙ୍କ ଦ୍ୱାରା ଗୁଜ ଅନୁକୂଳ ନୀତି ଅନୁଷ୍ଠିତ ହେବ ସହ ଭୋଇ ସେବକ ମାନେ ଯନ୍ତାଗାଡ଼ ନିର୍ମାଣ ଆରମ୍ଭ କରିବେ ।

୨୪ ଘଣ୍ଟା ମଧ୍ୟରେ ମୁହଁତୋଡ ଜବାବ ଦେଲା ସେନା

ନୂଆଦିଲ୍ଲୀ: କାଶ୍ମୀରୀ ପଣ୍ଡିତଙ୍କ ହତ୍ୟାର ଜବାବ ଏନକାଉଣ୍ଟରରେ । ପୋଲିସ ଗୁଳିରେ ୩ ଆତଙ୍କବାଦୀ ନିହତ ହୋଇଛନ୍ତି। ଏହି ୩ ଜଣଙ୍କ ମଧ୍ୟରୁ ୨ ଜଣ ଥିଲେ କାଶ୍ମୀର ପଣ୍ଡିତ ରାହୁଲ ଭଟ୍ଟଙ୍କ ହତ୍ୟା ଘଟଣାରେ ସମ୍ପୃକ୍ତ । ଆଜି ବାନ୍ଦିପୋରାର ବ୍ରାର ଆରାଗମ ଅଞ୍ଚଳରେ ନିରାପତ୍ତା ଯବାନ ଓ ଆତଙ୍କବାଦୀଙ୍କ ମଧ୍ୟରେ ହୋଇଥିଲା ଗୁଳି ବିନିମୟ ।

ସୂଚନା ଅନୁଯାୟୀ, ଗତ ଗୁରୁବାର ଆତଙ୍କବାଦୀ ମାନେ ରାହୁଲଙ୍କୁ ହତ୍ୟା କରିବା ପରେ ନିରାପତ୍ତା ଯବାନ କରିଥିଲେ ସର୍ଚ୍ଚ ଅପରେସନ । ଗତ ବୁଧବାର ଏନକାଉଣ୍ଟର ବେଳେ ଏହି ୨ ଆତଙ୍କବାଦୀ ଖସିଯାଇଥିଲେ । ବୁଦଗାଓଁର ରାଜସ୍ବ ବିଭାଗ କାର୍ଯ୍ୟାଳୟରେ ପଶି ଆତଙ୍କବାଦୀମାନେ ଗୁରୁବାର ଦିନ ଏହି ବିଭାଗରେ କାର୍ଯ୍ୟରତ ରାହୁଲଙ୍କୁ ହତ୍ୟା କରିଥିଲେ । ପରେ ଏହି ହତ୍ୟା ଲାଗି ନିଜକୁ ଦାୟୀ କରିଥିଲା କାଶ୍ମୀର ଟାଇଗର୍ସ ।

ଏହି ହତ୍ୟାକାଣ୍ଡକୁ ନେଇ କାଶ୍ମୀରରେ ଜୋରଦାର ବିକ୍ଷୋଭ ପ୍ରଦର୍ଶନ ସହ ଆନ୍ଦୋଳନ ହୋଇଛି। ବିଭିନ୍ନ ସ୍ଥାନରେ ପୋଲିସ ଲାଠିଚାର୍ଜ କରିବା ସହ ଲୁହବୁହା ବାଷ୍ପ ପ୍ରୟୋଗ କରିଛି । ତେଣେ ପୁଲଓ୍ବାମାରେ ଆଜି ଆତଙ୍କବାଦୀଙ୍କ ଗୁଳିର ଶିକାର ହୋଇଛନ୍ତି ସ୍ପେସାଲ ପୋଲିସ ଅଫିସର ତିଆଜ ଅହମ୍ମଦ ଥୋକର। ଗଦୋରାସ୍ଥିତ ବାସଭବନ ନିକଟରେ ତାଙ୍କୁ ଗୁଳି କରାଯାଇଥିଲା। ଗାର୍ଡ ଅଫ ଅନର ପ୍ରଦାନ ପରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଥିବା ଜଣାପଡିଛି।

ସହର ଭିତରେ ବୁଲିଲା ହାତୀ, ଆତଙ୍କିତ ଜନସାଧାରଣ

ସିଲିଗୁଡ଼ି: ପଶ୍ଚିମବଙ୍ଗ ସିଲିଗୁଡ଼ି ସହରରେ ବୁଲିଲା ହାତୀ । ଆଜି ସକାଳେ ମହାନନ୍ଦ ବନ୍ୟଜନ୍ତୁ ଅଭୟାରଣ୍ୟରୁ ଏକ ବୟସ୍କ ହାତୀ ଅକସ୍ମାତ ଜନବସତିକୁ ଚାଲିଆସିଥିଲା । ଆଉ ହାତୀଟି ସହର ଭିତରୁ ଫେରିବାର ବାଟ ପାଇନପାରି ଗଳିକନ୍ଦି ବୁଲିବାରେ ଲାଗିଥିଲା।

ସିଲିଗୁଡ଼ିର ସାଲବାରି ରେସିଡେନସିଆଲ ଇଲାକାରେ ହାତୀଟି ମନଇଚ୍ଛା ବୁଲିବା ସହ ଏଣେତେଣେ ଯିବାରେ ଲାଗିଥିଲା । ଏହାକୁ ନେଇ ସେଠାରେ ଆତଙ୍କ ପ୍ରକାଶ ପାଇଥିଲା । ତେବେ ବନବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ହାତୀଟିକୁ ଘଉଡ଼ାଇବାରେ ସକ୍ଷମ ହୋଇଥିଲେ ।