spot_img
Home Blog Page 4241

ଅଲଗା ହେବେ ସୋହେଲ୍ ଖାନ୍ ଓ ପତ୍ନୀ ସୀମା

ନୂଆଦିଲ୍ଲୀ: ବଲିଉଡ୍ ଅଭିନେତା ସୋହେଲ୍ ଖାନ୍ ଓ ପତ୍ନୀ ସୀମା ଖାନ୍ ଅଲଗା ହେବାକୁ ଯାଉଛନ୍ତି। ଦୁହେଁ ଶୁକ୍ରବାର ଦିନ ମୁମ୍ବାଇର ଫ୍ୟାମିଲି କୋର୍ଟରେ ଏନେଇ ଆବେଦନ କରିଛନ୍ତି । ଯେଉଁ ଖବର ଫ୍ୟାନ୍ସଙ୍କୁ ଝଟକା ଦେଇଛି । ୨୦୨୦ରେ ନେଟଫ୍ଲିକ୍ସରେ ଏକ ଶୋ ରିଲିଜ ହୋଇଥିଲା । ଯେଉଁଥିରେ ଏହି ଦୁଇ ଦମ୍ପତ୍ତି ଆସିଥିଲେ ।

ଫେବୁଲସ୍ ଲାଇଭ୍ସ ଅଫ୍ ବଲିଉଡ୍ ୱାଇଫ୍ସ ନାମକ ଏହି ଶୋ’ରୁ ଜଣାପଡିଥିଲା, ଏହି ଯୋଡିଙ୍କ ମଧ୍ୟରେ ସବୁ କିଛି ଠିକ୍ ନାହିଁ । ଆଉ ସୋହେଲ୍ ଏବଂ ସୀମା ଅଲଗା ଅଲଗା ରହୁଛନ୍ତି । ସେହି ଶୋ’ରେ ପୁଅ ନିର୍ବାଣ କହିଥିଲେ ଯେ, ମାଆ ବାପା ଅଲଗା ରହୁଛନ୍ତି । ମୁଁ ବିଦେଶରୁ ଫେରିବା ପରେ ମାଆ ମୋତେ ତାଙ୍କ ଘରେ ରହିବାକୁ କହିଥିଲେ । କିନ୍ତୁ ମୁଁ ମନା କରିବା ସହ ବାପାଙ୍କ ପାଖରେ ରହିବି ବୋଲି କହିଥିଲି । ଯାହାକୁ ନେଇ ପରେ ମା’ ସୀମା ରାଗି ଯାଇଥିଲେ।

ଏନେଇ ସୀମା କହିଥିଲେ, ମୋତେ ପୁଅ ନିର୍ବାଣ ସହ ସମୟ ବିତାଇବା ପାଇଁ ଖାସ୍ ସୁଯୋଗ ମିଳେନାହିଁ। ସେ ନିଜ ବାପାଙ୍କ ସହ ରହେ । ଆଉ ଘରକୁ ଆସିଲେ ସାଙ୍ଗେସାଙ୍ଗେ ଶୋଇପଡେ । ଏହା ନିର୍ବାଣର ସବୁଠୁ ଖରାପ ଅଭ୍ୟାସ ।

ସୋହେଲ୍ ଓ ସୀମାଙ୍କର ବିବାହ ୧୯୯୮ରେ ହୋଇଥିଲା । ଏହି ଦମ୍ପତ୍ତିଙ୍କର ୟୋହାନ୍ ଓ ନିର୍ବାଣ ନାମରେ ଦୁଇ ସନ୍ତାନ ରହିଛନ୍ତି । ବିବାହର ୨୪ ବର୍ଷ ପରେ ଦୁହେଁ ଅଲଗା ହେବାକୁ ଯାଉଛନ୍ତି । ୨୦୧୭ରେ ସୋହେଲ୍ ଓ ସୀମାଙ୍କ ବିବାହ ବିଚ୍ଛେଦ ନେଇ ଚର୍ଚ୍ଚା ହୋଇଥିଲା । ସେସମୟରେ ଦୁହେଁ ଏସମ୍ପର୍କରେ ଚୁପ୍ ରହିଥିଲେ ।

ହାଣ୍ଡିଭଙ୍ଗା ପର୍ବ ପାଇଁ ଉତ୍ସବମୁଖର ରାମଚଣ୍ଡୀ ପୀଠ

କୋଣାର୍କ: ଉତ୍ସବମୁଖର କୋଣାର୍କର ରାମଚଣ୍ଡୀ ପୀଠ । ଧର୍ମ ମାସର ଶେଷ ଗୁରୁବାରରେ ଭକ୍ତିମୟ ପରିବେଶ । ମାଆ ରାମଚଣ୍ଡୀଙ୍କ ନିକଟରେ ହାଣ୍ଡିଭଙ୍ଗା ଉତ୍ସବ । ଦେବୀ ରାମଚଣ୍ଡୀଙ୍କ ପୀଠରେ ହାଣ୍ଡିଭଙ୍ଗା ପର୍ବ ପାଳନ ହୋଇଛି । ମାନସିକଧାରୀ ମହିଳାମାନେ ବ୍ରତ ରଖି ଭକ୍ତି ସହକାରେ ଓଷା ପାଳନ କରିଛନ୍ତି । ଗୁରୁବାର ଭୋରୁ ମାଆଙ୍କ ମଙ୍ଗଳ ଆଳିତ ପରେ ସ୍ବତନ୍ତ୍ର ପୂଜାର୍ଚ୍ଚନା ହୋଇଥିଲା । ପରେ ପରମ୍ପରା ଅନୁଯାୟୀ, ମାଆଙ୍କ ରୋଷ ଘରୁ ନିଆଁ ଆଣି ମାଟି ହାଣ୍ଡିରେ ଖେଚୁଡ଼ି ଭୋଗ ପ୍ରସ୍ତୁତ କରିଥିଲେ ମାନସିକଧାରୀ । ଗୋଟିଏ ଭାଗ ଖାଇବା ପରେ ବାଡିଆ ବନ୍ତରେ ପ୍ରସାଦ ହାଣ୍ଡିକୁ ଭାଙ୍ଗି ବ୍ରତ ଭାଙ୍ଗିଛନ୍ତି ମାନସିକଧାରୀ ।

ପରମ୍ପରା ଅନୁଯାୟୀ ଏହି ଓଷା ପାଳନ ହେଉଛି । ପିତୃ ପୁରଷ ଓ ପରିବାରର ମଙ୍ଗଳକାମନା ଉଦ୍ଦେଶ୍ୟରେ ମହିଳାମାନେ ବ୍ରତପାଳନ କରିଥାନ୍ତି । ହାଣ୍ଡିଭଙ୍ଗା ଯାତ୍ରାରେ ଦେବୀ ରାମଚଣ୍ଡୀ ସ୍ବତନ୍ତ୍ର ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥିଲେ । ଶ୍ରଦ୍ଧାଳୁମାନେ ମାଆଙ୍କ ଦର୍ଶନ କରି ଆଶିଷ ଲାଭ କରିଛନ୍ତି । ମହାମାରୀ କରୋନା ପାଇଁ ୨ ବର୍ଷ ହେଲା ବନ୍ଦ ଥିଲା ଏହି ପର୍ବ । କଟକଣା କୋହଳ ହେବା ପରେ ଓଷା ପାଳନ ହୋଇଛି ।

IPL 2022: ଆଜି ବାଙ୍ଗାଲୋରକୁ ଭେଟିବ ପଞ୍ଜାବ

ମୁମ୍ବାଇ: ଆଜି ଇଣ୍ଡିଆନ ପ୍ରିମିୟର ଲିଗର ୬୦ ତମ ମ୍ୟାଚରେ ମୁହାଁମୁହିଁ ହେବେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ପଞ୍ଜାବ କିଙ୍ଗ୍ସ । ଏହି ମ୍ୟାଚ ପୂର୍ବରୁ ଉଭୟ ଦଳ ଜୋରଦାର ଅଭ୍ୟାସ କରିଛନ୍ତି । ଉଭୟ ଦଳ ପାଇଁ ଏହି ମ୍ୟାଚରେ ବିଜୟ ଲାଭ କରିବା ଅତ୍ୟନ୍ତ ଜରୁରୀ । ପ୍ଲେ ଅଫ ରେସରେ ରହିବା ପାଇଁ ଆଜିର ମ୍ୟାଚକୁ ଜିତିବାକୁ ଉଭୟ ଦଳ ଚେଷ୍ଟା କରିବେ । ତେଣୁ ଆଜିର ମ୍ୟାଚରେ ସଂଘର୍ଷପୂର୍ଣ୍ଣ ମୁକାବିଲା ଦେଖିବାକୁ ମିଳିବ ।

https://twitter.com/RCBTweets/status/1525068340204515328?s=20&t=E2dK3zYOF5GIuM5naqpHvw

ଚଳିତ ଆଇପିଏଲରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏପର୍ଯ୍ୟନ୍ତ ୧୨ଟି ମ୍ୟାଚ ଖେଳିଥିବାବେଳେ ୭ଟି ମ୍ୟାଚରେ ବିଜୟ ଲାଭ କରିଛି ।  ଯଦି ପଏଣ୍ଟ ଟେବୁଲ କଥା କହିବା ତାହାଲେ ବାଙ୍ଗାଲୋର ୧୪ ପଏଣ୍ଟ ସହ ଚତୁର୍ଥ ସ୍ଥାନରେ ରହିଛି । ଅନ୍ୟପକ୍ଷରେ ଆରସିବି ପ୍ଲେ ଅଫକୁ ଯିବାକୁ ହେଲେ ଆଜିର ମ୍ୟାଚରେ ପଞ୍ଜାବକୁ ପରାସ୍ତ କରି ପଏଣ୍ଟ ଟେବୁଲରେ ନିଜ ସ୍ଥାନ ଦୃଢ଼ କରିବାକୁ ପଡ଼ିବ । ତେବେ ଚଳିତ ଆଇପିଏଲରେ ଆରସିବି ତା’ର ପ୍ରଥମ ମ୍ୟାଚରେ ପଞ୍ଜାବକୁ ଭେଟିଥିଲା । ଏହି ମ୍ୟାଚରେ ପଞ୍ଜାବ କିଙ୍ଗ୍ସଠାରୁ ୫ ଓ୍ୱିକେଟରେ ପରାସ୍ତ ହୋଇଥିଲା । ତେଣୁ ଆଜିର ମ୍ୟାଚରେ ବିଜୟ ଲାଭ କରି ପରାଜୟର ବଦଲା ନେବାକୁ ଚେଷ୍ଟା କରିବ ବାଙ୍ଗାଲୋର ।

ଅନ୍ୟପକ୍ଷରେ ଯଦି ପଞ୍ଜାବ କିଙ୍ଗ୍ସ କଥା କହିବା ତାହାଲେ ଚଳିତ ଆଇପିଏଲରେ ପଞ୍ଜାବ ଏପର୍ଯ୍ୟନ୍ତ ୧୧ଟି ମ୍ୟାଚ ଖେଳି ୫ଟି ମ୍ୟାଚରେ ବିଜୟ ଲାଭ କରିଛି । ୫ଟି ମ୍ୟାଚରେ ବିଜୟ ଲାଭ ସହ ପଏଣ୍ଟ ଟେବୁଲର ଅଷ୍ଟମ ସ୍ଥାନରେ ରହିଛି ପଞ୍ଜାବ । ତେଣୁ ଯଦି ପ୍ଲେ ଅଫ ରେସରେ ରହିବାକୁ ହୁଏ ତେବେ ଆଜିର ମ୍ୟାଚରେ ପଞ୍ଜାବ ପାଇଁ ବିଜୟ ହିଁ ଏକ ମାତ୍ର ବିକଳ୍ପ ଅଟେ ।

ଚାଷୀଙ୍କ ପାଇଁ ଖୁସି ଖବର, ଚଳିତବର୍ଷ ନିର୍ଦ୍ଧାରିତ ସମୟ ପୂର୍ବରୁ ଆସିବ ମୌସୁମୀ

ନୂଆଦିଲ୍ଲୀ: ଚାଷୀଙ୍କ ପାଇଁ ଖୁସି ଖବର । ପୂର୍ବବର୍ଷ ଗୁଡ଼ିକ ତୁଳନାରେ ଚଳିତ ବର୍ଷ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଶୀଘ୍ର କେରଳ ଛୁଇଁବ । ପ୍ରଚଣ୍ଡ ରୌଦ୍ରତାପରୁ ମିଳିବ ଆଶ୍ବସ୍ତି । ଚଳିତବର୍ଷ ମେ’ ୨୭ରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁବା ନେଇ ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ । ବର୍ତ୍ତମାନର ସ୍ଥିତିକୁ ଦେଖି ପାଣିପାଗ ବିଭାଗ ଏହି ଆକଳନ କରିଛି । ଯାହାକି ପୁର୍ବରୁ କରାଯାଇଥିବା ଆକଳନର ୪ ଦିନ ଆଗରୁ ମୌସୁମୀ କେରଳ ଛୁଇଁବ ବୋଲି କୁହାଯାଇଛି । ୨୦୧୭ରେ ମେ’ ୩୦ରେ କେରଳ ଛୁଇଁଥିଲା ମୌସୁମୀ , ଯାହାକି ପାଣିପାଗ ବିଭାଗର ଆକଳନ ଥିଲା ।

ସେହିପରି ୨୦୨୧ରେ ମେ’ ୩୧ରେ ମୌସୁମୀ ବାୟୁ କେରଳ ଛୁଇଁବ ବୋଲି ଆକଳନ କରାଯାଇଥିବା ବେଳେ ତାହା ଜୁନ ୩ରେ କେରଳ ଛୁଇଁଥିଲା । ସାଧାରଣତଃ ମୌସୁମୀ ବାୟୁ କେରଳ ଛୁଇଁବା ପରେ ପରେ ଧିରେ ଧିରେ ଅନ୍ୟ ଅଞ୍ଚଳକୁ ସଂପ୍ରସାରିତ ହୋଇଥାଏ । ଯଦି IMD ଆକଳନ ସଠିକ ହୁଏ ତେବେ ଓଡିଶାରେ ମୌସୁମୀ ବାୟୁ ଜୁନ ୪ରୁ ୧୦ ମଧ୍ୟରେ ଅନୁଭୂତ ହେବା ଆଶା କରାଯାଉଛି ।

ଭିଜିଲାନ୍ସ ଜାଲରେ ଭିଜିଲାନ୍ସ, ୧୦ ଲକ୍ଷ ଟଙ୍କା ଲାଞ୍ଚ ନେବା ପଡିଲା ମହଙ୍ଗା

ସମ୍ବଲପୁର: ଭିଜିଲାନ୍ସ ଜାଲରେ ଭିଜିଲାନ୍ସ ଅଧିକାରୀ । ଲାଞ୍ଚ ନେବା ବେଳେ ଧରାପଡ଼ିଲେ ସମ୍ବଲପୁର ଭିଜିଲାନ୍ସ ଡିଭିଜନ ୟୁନିଟର ଇନ୍ସପେକ୍ଟର ମାନସୀ ଜେନା । ୧୦ ଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ ମାଡ଼ି ବସିଲା ଇଣ୍ଟରନାଲ ଭିଜିଲାନ୍ସ ୟୁନିଟ୍ । ସରକାରୀ ଅଧିକାରୀଙ୍କ ବିରୋଧରେ ଥିବା ମାମଲା ବନ୍ଦ ପାଇଁ ଲାଞ୍ଚ ନେଉଥିଲେ । ଏହି ଲାଞ୍ଚ କାରବାରରେ ମଧ୍ୟସ୍ଥି ସାଜିଥିଲେ ବରଗଡ଼ର ମୁକେଶ ସାହୁ ।

ସୂଚନା ଅନୁସାରେ ଜଣେ ସରକାରୀ କର୍ମଚାରୀଙ୍କ ବିରୋଧରେ ଚାଲିଥିବା ଭିଜିଲାନ୍ସ ମାମଲକୁ ବନ୍ଦ କରିଦେବା ପାଇଁ ମାନସୀ ୧୦ ଲକ୍ଷ ଟଙ୍କା ଲାଞ୍ଚ ମାଗିଥିଲେ । ବରଗଡ଼ର ମୁକେଶ ସାହୁ ନାମକ ଜଣେ ଯୁବକଙ୍କ ମାଧ୍ୟମରେ ସେ ଲାଞ୍ଚ ଅର୍ଥ ଗ୍ରହଣ କରୁଥିବା ବେଳେ ଓଡ଼ିଶା ଭିଜିଲାନ୍ସର ଇଣ୍ଟରନାଲ ଭିଜିଲାନ୍ସ ୟୁନିଟ୍ ହାତରେ ସେ ଧରାପଡ଼ିଥିଲେ। ଇନ୍ସପେକ୍ଟର ମାନସୀ ଜେନାଙ୍କ ଠାରୁ ଲାଞ୍ଚ ଅର୍ଥ ଜବତ କରିବା ପରେ ଇଣ୍ଟରନାଲ ଭିଜିଲାନ୍ସ ୟୁନିଟ୍ ତାଙ୍କର ଅଫିସ୍ ଓ ବାସଭବନ ଆଦି ସ୍ଥାନରେ ଚଢ଼ାଉ କରିଥିବା ଜଣାପଡ଼ିଛି। ସେହିପରି ମୁକେଶ ସାହୁଙ୍କ ଘର ସମେତ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଛି ।

ଫାଇନାନ୍ସ କମ୍ପାନୀର ଜୁଲମ ସହି ନପାରି ଆତ୍ମହତ୍ୟା କଲେ ଅଙ୍ଗନବାଡ଼ି କର୍ମୀ

ଗଞ୍ଜାମ: ସୀମା ଟପିଲା ଫାଇନାନ୍ସ କମ୍ପାନୀର ଜୁଲମ । ଜୁଲମ ସହି ନ ପାରି ଆତ୍ମହତ୍ୟା କଲେ ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ ଅନ୍ତର୍ଗତ ପୋଡ଼ାପଦର ଗ୍ରାମର ଅଙ୍ଗନବାଡ଼ି କର୍ମୀ ସୁଭାସିନୀ ପଣ୍ଡା । ୫ ଦିନ ହେବ ନିଖୋଜ ଥିଲେ  ସୁଭାସିନୀ । ତେବେ ଆଜି ପୋଡାପଦର ଗ୍ରାମ ନିକଟରେ ଥିବା ଏକ କାଜୁ ଜଙ୍ଗଲରୁ ଝୁଲନ୍ତା ଅବସ୍ଥାରେ ସୁଭାସିନୀଙ୍କ ମୃତ ଦେହ ଉଦ୍ଧାର କରିଛି ପୋଲିସ । ଘଟଣାର ସ୍ଥଳରେ ଛତ୍ରପୁର ଥାନା ଅଧିକାରୀ ସତ୍ୟରଞ୍ଜନ ପ୍ରଧାନଙ୍କ ସହ ଅନ୍ୟ ପୋଲିସ କର୍ମଚାରୀ ମାନେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି ।

ଅନ୍ୟପଟେ ଗତ ୧୧ ତାରିଖ ଦିନ ଏକ ଫାଇନାନ୍ସ କମ୍ପାନୀ ନାଁରେ ଥାନାରେ ଏତଲା ଦେଇଥିଲେ ପରିବାର ଏବଂ ଗ୍ରାମବାସୀ । ଫାଇନାନ୍ସ କମ୍ପାନୀ ଋଣ ଦେବା ପରେ ଋଣ ଶୁଝିବା ପାଇଁ ବାଧ୍ୟ କରୁଥିଲେ । ତେଣୁ ସୁଭାସିନୀ ଫାଇନାନ୍ସ କମ୍ପାନୀ କର୍ମଚାରୀଙ୍କ ଜୁଲମ ସହି ନପାରି ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି ।

ଟଙ୍କା ଜମା ଓ ଉଠାଣ ନେଇ ସିବିଡିଟିର ନୂଆ ନିୟମ, ବର୍ଷକୁ ୨୦ ଲକ୍ଷ ରଖିଲେ ପ୍ୟାନ୍ କାର୍ଡ ବାଧ୍ୟ

ନୂଆଦିଲ୍ଲୀ: ଆପଣ ବ୍ୟାଙ୍କରେ ବର୍ଷକୁ ୨୦ ଲକ୍ଷରୁ ଅଧିକ ଟଙ୍କା ରଖୁଛନ୍ତି କି ? ତେବେ ସ୍କାନରରେ ରହିବେ ଆପଣ । ୨୦ ଲକ୍ଷରୁ ଅଧିକ ଟଙ୍କା ଜମା କରୁଥିବା କିମ୍ବା ଉଠାଣ କରୁଥିବା ବ୍ୟକ୍ତିଙ୍କ ପାଇଁ କଡ଼ାକଡ଼ି ହୋଇଛି ନିୟମ । ବ୍ୟାଙ୍କ ଓ ପୋଷ୍ଟ ଅଫିସର ନିୟମ ବଦଳାଇଲେ ସରକାର । ବ୍ୟାଙ୍କ, ଡାକଘର ଓ ସମବାୟ ସଂସ୍ଥାରେ ୨୦ ଲକ୍ଷରୁ ଅଧିକ ପରିମାଣର  ଟଙ୍କା ଜମା କରୁଥିବା କିମ୍ବା ଉଠାଣ କରୁଥିବା ଲୋକମାନଙ୍କ ପାଇଁ ନିୟମ କଡ଼ାକଡ଼ି କରିଛି କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡ ବା ସିବିଡିଟି । ଏହି ନୂଆ ନିୟମ ଅନୁସାରେ ଯେଉଁବ୍ୟକ୍ତି ବର୍ଷକୁ ୨୦ ଲକ୍ଷ କିମ୍ବା ତାଠାରୁ ଅଧିକ ଟଙ୍କା ରଖିଲେ ଏବଂ ଉଠାଇଲେ ପ୍ୟାନ୍ କାର୍ଡ ବାଧ୍ୟତାମୂଳକ କରିଛନ୍ତି ।

ସିବିଡିଟି ପକ୍ଷରୁ ଜାରି ବିଜ୍ଞପ୍ତିରେ ସ୍ପଷ୍ଟ ହୋଇଛି କି ଯେଉଁ ବ୍ୟକ୍ତି ଟଙ୍କା ଜମା ଓ ଉଠାଇବା ସମୟରେ ଆଧାର କିମ୍ବା ପ୍ୟାନ୍ ନମ୍ବର ଦେବେ । ସେହିପରି ଆହୁରି ମଧ୍ୟ କୁହାଯାଇଛି କି ଯିଏ ଉକ୍ତ କାଗଜ ଗ୍ରହଣ କରୁଛନ୍ତି ସିଏ ମଧ୍ୟ ଦେଖିବେ ଯେ ସଂପୃକ୍ତ ଗ୍ରାହକଙ୍କ ଆଧାର ନମ୍ବର କିମ୍ବା ପ୍ୟାନ ନମ୍ବର ଠିକ୍ ଭାବେ ଉଲ୍ଲେଖ କରାଯାଇଛି  । ଏଥିସହ ସଂପୃକ୍ତ ବ୍ୟକ୍ତିଙ୍କ ଆଧାର ନମ୍ବର ବା ପ୍ୟାନ ନମ୍ବର ସହିତ ଅନ୍ୟାନ ସୂଚନା ଆୟକର ବିଭାଗର ପ୍ରଧାନ ମହାନିର୍ଦ୍ଦେଶକ କିମ୍ବା ଆୟକର ବିଭାଗର ମହାନିର୍ଦ୍ଦେଶକ କିମ୍ବା ଏମାନଙ୍କ ଦ୍ୱାରା ସ୍ୱୀକୃତିପ୍ରାପ୍ତ ବ୍ୟକ୍ତିଙ୍କ ନିକଟରେ ଜମା କରାଯିବ ।

ଏହି ନିୟମ ବ୍ୟାଙ୍କ ସହିତ ଡାକଘର ଓ ସମବାୟ ସମିତି ପାଇଁ ମଧ୍ୟ  ପାଇଁ ମଧ୍ୟ ପ୍ରଯୁଜ୍ୟ ହେବ। ଗୋଟିଏ କିମ୍ବା ଏକାଧିକ ଆକାଉଣ୍ଟରେ ଟଙ୍କା ଜମା କିମ୍ବା ଉଠାଣ ରାଶି ୨୦ ଲକ୍ଷ ଟଙ୍କାରୁ ଅଧିକ ହେଲେ ପ୍ୟାନ ଓ ଆଧାର ନମ୍ବର ଉଲ୍ଲେଖ କରିବାକୁ ହେବ।

ଏହି ନିୟମ ପୂର୍ବରୁ ଦିନକୁ ଯଦି ୫୦ ହଜାର ଟଙ୍କାରୁ ଅଧିକ ଜମା କରୁଥିଲେ ସେଥିପାଇଁ ପ୍ୟାନ୍ ନମ୍ବର ଉଲ୍ଲେଖ କରିବା ବାଧ୍ୟତାମୂଳକ ଥିଲା । କିନ୍ତୁ ବାର୍ଷିକ ସୀମା କିଛି ନଥିଲା । ସେହିପରି ଟଙ୍କା ଉଠାଣ ପାଇଁ ବର୍ତ୍ତମାନ ଯେଉଁ ନିୟମ କରାଯାଇଛି ପୂର୍ବରୁ ତାହା ନଥିଲା । ନୂଆ ନିୟମ ଚଳିତ ମାସ ୨୬ ତାରିଖରୁ କାର୍ଯ୍ୟକାରୀ ହେବ । ତେଣୁ ଯେଉଁମାନଙ୍କର ଏଭଳି କାରବାର କରିବେ ସେମାନେ ପ୍ୟାନ୍ ନମ୍ବର ସଂଗ୍ରହ କରିନେବା ଆବଶ୍ୟକ । ନଚେତ ଏଭଳି କାରବାର ସେମାନେ କରିପାରିବେ ନାହିଁ ।

 

ମହଙ୍ଗା ମାଡ଼ରେ ଲାଲ ହେଲା ଟମାଟୋ, ୧୦୦ ଟଙ୍କା ପାର୍ ହେଲା ଦର

ଭୁବନେଶ୍ୱର: ପରିବା ବଜାରରେ ଟମାଟୋ ଭାଉ । ମହଙ୍ଗା ହେଲା ଟମାଟୋ । ରାଜ୍ୟରେ ଆକାଶ ଛୁଆଁ ଟମାଟୋ ଦର ।  ଟମାଟୋ କିଲୋ ଶହେ ଟଙ୍କା ଟପିଲାଣି । ଯାହାକୁ ନେଇ ଏବେ ଚିନ୍ତାରେ ଖାଉଟି । କଟକରେ ଟମାଟୋ ରେଟ୍ ୧୨୦ ଥିବା ବେଳେ ଭୁବନେଶ୍ବରରେ ସେଞ୍ଚୁରୀ ମାରିଛି ଟମାଟୋ ଦର । ସେହିପରି ବାଲେଶ୍ବରରେ ଟମାଟୋ କିଲୋ ପିଛା ୧୦ ଟଙ୍କା ବଢି ୬୦, ସମ୍ବଲପୁରରେ ଟମାଟୋ କିଲୋ ପିଛା ରେଟ୍‌୨୦ ଟଙ୍କା ବଢି ୬୦ ଟଙ୍କାରେ ପହଞ୍ଚିଛି । ଓଡ଼ିଶାରେ ଏବେ ଟମାଟୋ ଉତ୍ପାଦନ କମ୍‌ ରହିଛି   । ଟମାଟୋ ସାଧାରଣତଃ ନାସିକ୍ ଓ ରାୟପୁରରୁ ଆସିଥାଏ । ତେବେ ବାତ୍ୟା ଭୟରେ ଭୁବନେଶ୍ୱରକୁ ଯୋଗାଣ ବନ୍ଦ ହୋଇଥିବାରୁ ଟମାଟୋ ଦର ଆକାଶ ଛୁଆଁ ହୋଇଥିବା କୁହାଯାଇଛି । ଆମଦାନୀ ବି କମ୍‌ ରହିଥିବାରୁ ଚଢା ଦରରେ ପରିବା ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି ବ୍ୟବସାୟୀ ।

ଉତ୍ତର କୋରିଆରେ ପ୍ରଥମ କରୋନା ମୃତ୍ୟୁ

ପୋଙ୍ଗୟାଙ୍ଗ: ଉତ୍ତର କୋରିଆରେ ପ୍ରଥମ କରୋନା ମୃତ୍ୟୁ। ରହସ୍ୟମୟୀ ଜ୍ୱରରେ ୫ଜଣଙ୍କ ଜୀବନ ଯାଇଥିବା ବେଳେ ପ୍ରଥମ କରୋନା ରୋଗୀଙ୍କ ମୃତ୍ୟୁ ହୋଇଛି। ଅଜଣା ଜ୍ୱରରେ ପ୍ରାଣ ହରାଇଥିବା ୫ ଜଣ କରୋନାରେ ଆକ୍ରାନ୍ତ ଥିଲେ କି ନାହିଁ, ତାହା ସ୍ପଷ୍ଟ ହୋଇନି। ତେବେ ସେମାନଙ୍କଠାରେ ମଧ୍ୟ କରୋନା ଲକ୍ଷଣ ଦେଖାଯାଉଥିବା ସୂଚନା ମିଳିଛି ।

ଗତକାଲି ଦେଶରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳ ସରାଦେଶରେ ଲକ୍‌ଡାଉନ ଓ ଜରୁରିକାଳୀନ ସ୍ଥିତି ଲାଗୁ କରାଯାଇଛି। ଉତ୍ତର କୋରିଆରର ଏକଛତ୍ରବାଦୀ ଶାସକ କିମ ଜଙ୍ଗ ଉନ୍ ଉଚ୍ଚସ୍ତରାୟ ବୈଠକରେ କରୋନା ସ୍ଥିତି ନିୟନ୍ତ୍ରଣ ପାଇଁ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ଗତକାଲି କରୋନା ଆକ୍ରାନ୍ତ ବ୍ୟକ୍ତି କରୋନାର ଓମିକ୍ରନ ଭାରିଏଣ୍ଟ ଦ୍ୱାରା ସଂକ୍ରମିତ ହୋଇଥିବା ସ୍ଥାନୀୟ ଗଣମାଧ୍ୟମ ଖବର ପ୍ରକାଶ କରିଥିଲା ।

ତେବେ ପ୍ରଥମ ଆକ୍ରାନ୍ତ ଚିହ୍ନଟ ହେବା ପରେ ପ୍ରାୟ ୨ଲକ୍ଷ ଲୋକଙ୍କୁ ଆଇସୋଲେସନରେ ରଖାଯାଇଛି। ଅପରପକ୍ଷରେ ଦେଶରେ ପ୍ରଥମକରି କରୋନା ସଙ୍କଟ ଦେଖାଦେଇଥିବାରୁ ଉତ୍ତର କୋରିଆର ସୁପ୍ରିମ ଲଡର ମାସ୍କ ପିନ୍ଧିଥିବା ଦେଖାଯାଇଛି।

ନାଟୋରେ ସାମିଲ ହେଲେ ମହଙ୍ଗା ପଡିବ, ଫିନଲାଣ୍ଡକୁ ଋଷର ଚେତାବନୀ

ମସ୍କୋ: ୟୁକ୍ରେନ ପରେ ଋଷ ଟାର୍ଗେଟରେ ଉତ୍ତର ୟୁରୋପ । ନାଟୋ ମେମ୍ବରସିପକୁ ନେଇ ଫିନଲାଣ୍ଡକୁ ଚେତାବନୀ ଦେଇଛି ଋଷ। ଫିନଲାଣ୍ଡ ନାଟୋରେ ସାମିଲ ହେଲେ ଏହା ଋଷ-ଫିନଲାଣ୍ଡ ସମ୍ପର୍କକୁ ପ୍ରଭାବିତ କରିବ ଓ ଏହାଦ୍ୱାରା ଉତ୍ତର ୟୁରୋପରେ ସ୍ଥିରତା ଓ ସୁରକ୍ଷାକୁ ଅତ୍ୟଧିକ ପ୍ରଭାବିତ କରିବ ବୋଲି ଋଷ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

ଋଷ-ଫିନଲାଣ୍ଡ ମଧ୍ୟରେ ୧୩ଶହ କିମି. ଲମ୍ବର ସୀମା ରହିଛି। ଏହି ଦୃଷ୍ଟିରୁ ଫିନଲାଣ୍ଡ ସବୁବେଳେ ନିରପେକ୍ଷ ରହିଥାଏ। କିନ୍ତୁ ୟୁକ୍ରେନ ଉପରେ ଋଷ ଆକ୍ରମଣ କରିବା ପରେ ନାଟୋରେ ସାମିଲ ହେବାକୁ ନିଷ୍ପତ୍ତି ନେଇଛି ଫିନଲାଣ୍ଡ। ଫିନଲାଣ୍ଡର ଏହି ନିଷ୍ପତ୍ତିକୁ ନେଇ ପୂର୍ବରୁ ଚେତାବନୀ ଦେଇଥିଲେ ଋଷ ରାଷ୍ଟ୍ରପତି ଭବନ କ୍ରେମଲିନର ପ୍ରବକ୍ତା ।

An instructor trains members of Ukraine’s Territorial Defense Forces, volunteer military units of the Armed Forces, in a city park in Kyiv, Ukraine, Saturday, Jan. 22, 2022. Dozens of civilians have been joining Ukraine’s army reserves in recent weeks amid fears about Russian invasion. (AP Photo/Efrem Lukatsky)

ଖୁବଶୀଘ୍ର ନାଟୋରେ ସାମିଲ ହେବାକୁ ଆବେଦନ କରାଯିବ ବୋଲି ଫିନଲାଣ୍ଡ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତି ଘୋଷଣା କରିଥିଲେ। ନାଟୋରେ ସାମିଲ ହେବା ଦ୍ୱାରା ଫିନଲାଣ୍ଡର ସୁରକ୍ଷା ମଜଭୁତ ହେବ ବୋଲି ରାଷ୍ଟ୍ରପତି କହିଛନ୍ତି। ସେପଟେ ସ୍ୱିଡେନ ବି ନାଟୋ ସଦସ୍ୟତା ପାଇଁ ଆବେଦନ କରିବ ବୋଲି ନିକଟରେ ଘୋଷଣା କରିଛି । ଅନ୍ୟପଟେ ଋଷ ବିରୋଧରେ ପୁରା ବିଶ୍ୱକୁ ଏକଜୁଟ୍ କରିବା ପାଇଁ ଆମେରିକା ଲଗାତାର ଭାରତ ସହ ସମ୍ପର୍କରେ ରହିଛି ବୋଲି ହ୍ୱାଇଟ୍ ହାଉସ ପକ୍ଷରୁ କୁହାଯାଇଛି।