spot_img
Home Blog Page 4258

ଏସସିବିରେ ଅନଲାଇନ୍ ପଞ୍ଜିକରଣ

କଟକ: ଏସସିବିରେ ଓପିଡି ରୋଗୀ ସେବା ଟିକେଟ ପାଇଁ ଆରମ୍ଭ ହେଲା ଅନଲାଇନ ପଞ୍ଜିକରଣ ବ୍ୟବସ୍ଥା । ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ବିଭାଗର ନିଷ୍ପତ୍ତି ଅନୁଯାୟୀ, WWW.ESWASTHYA.ODISHA.GOV.IN ରେ ଲଗ୍ ଇନ୍ କରି ପଞ୍ଜୀକରଣ କରିପାରିବେ ରୋଗୀ ବା ତାଙ୍କ ସଂପର୍କୀୟ । 7 ଦିନ ପାଇଁ ଆବଶ୍ୟକ ଅନୁଯାୟୀ ଟିକେଟ ବୁକିଂ କରି ହେବ । ରାତି 12ଟାରୁ ବୁକିଂ ସହ ଲୋକଙ୍କ ପାଇଁ ଅଫଲାଇନ ଟିକେଟ ବୁକିଂ ଜାରି ରହିବ ।

ପ୍ରତିଦିନ ରାଜ୍ୟ ତଥା ରାଜ୍ୟ ବାହାରୁ ଚିକିତ୍ସା ପାଇଁ 7 ହଜାରରୁ ଅଧିକ ରୋଗୀ ଆସୁଛନ୍ତି । ସେମାନଙ୍କ ପାଇଁ  20ଟି କାଉଣ୍ଟର ରହିଛି । ତଥାପି ଖରାରେ ଘଣ୍ଟା ଘଣ୍ଟା ଧରି ଲୋକମାନେ ଓପିଡି ଟିକେଟ ପାଇଁ ଲାଇନ ଲଗାଇ ଅପେକ୍ଷା କରୁଥିଲେ । ଏବେ ଲୋକମାନେ ଅନଲାଇନ ପଞ୍ଜିକରଣ କଲେ ଭିଡ଼ କମିବା ସହିତ ସହଜରେ ରୋଗୀ ଦେଖାଇ ହେବ ।

ସ୍ବର୍ଗଦ୍ବାରରେ ପଦ୍ମଶ୍ରୀ ରଜତ କରଙ୍କ ଶେଷକୃତ୍ୟ

ଭୁବନେଶ୍ବର: ଆଜି ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ସ୍ବର୍ଗଦ୍ବାରରେ ହେବ ପଦ୍ମଶ୍ରୀ ରଜତ କରଙ୍କ ଶେଷକୃତ୍ୟ ସମ୍ପନ୍ନ । ଏହା ପୂର୍ବରୁ ଭୁବନେଶ୍ବର ବାସଭବନରେ ବହୁ ବିଶିଷ୍ଟ ବ୍ୟକ୍ତି ରଜତ କରଙ୍କ ଶେଷ ଦର୍ଶନ କରିବା ସହିତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ରଜତ କରଙ୍କୁ ଶ୍ରଦ୍ଧାଞ୍ଚଳି ଜଣାଇଛନ୍ତି । ମନ୍ତ୍ରୀ ପ୍ରତାପ ଜେନା, ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ପୋଲିସ କମିଶନର ସୌମେନ୍ଦ୍ର ପ୍ରୀୟଦର୍ଶୀ ପ୍ରମୁଖ ତାଙ୍କର ଶେଷ ଦର୍ଶନ କରିଛନ୍ତି ।

ଗତକାଲି ୮୮ ବର୍ଷ ବୟସରେ ଆଖି ବୁଜିଥିଲେ ଜଗନ୍ନାଥ ସଂସ୍କୃତିର ପ୍ରବକ୍ତା ବାଗ୍ମୀ ରଜତ କର । ୧୯୩୪ ମସିହା ଅକ୍ଟୋବର ୨ରେ କଟକ ଜିଲ୍ଲାରେ ଜନ୍ମଲାଭ କରିଥିବା ରଜତଙ୍କୁ ୨୦୨୧ରେ ସମ୍ମାନଜନକ ପଦ୍ମଶ୍ରୀ ଉପାଧି ମିଳିଥିଲା । ଜଗନ୍ନାଥ ସଂସ୍କୃତି ଓ ରୀତିନୀତିକୁ ନେଇ ସେ ଅନେକ ସାହିତ୍ୟ ରଚନା କରିଥିଲେ । ରଜତ କର ଓଡ଼ିଶା ସରକାରଙ୍କ ଶିକ୍ଷା ବିଭାଗରେ ଦୀର୍ଘଦିନ ଧରି କାମ କରିଥିଲେ ଏବଂ SCERTର ନିର୍ଦ୍ଦେଶକ ଭାବେ ଚାକିରିରୁ ଅବସର ଗ୍ରହଣ କରିଥିଲେ । ସେ ଆକାଶବାଣୀର ବିଭିନ୍ନ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ  କରିବା ସହିତ ଅନେକ ନାଟକ ରଚନା କରିଛନ୍ତି ।

ସେ ପଦ୍ମଶ୍ରୀ ସମ୍ମାନ, ରାମଚନ୍ଦ୍ର ମିଶ୍ର ନାଟକ ସମ୍ମାନ, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର, ଓଡ଼ିଶା ସାହିତ୍ୟ ଏକାଡେମୀ ସମ୍ବର୍ଦ୍ଧନା, ଗୋଦାବରୀଶ ମିଶ୍ର ସମ୍ମାନ ଇତ୍ୟାଦି ସମ୍ମାନ ଲାଭ କରିଥିଲେ । ସ୍ବର୍ଗତ ବିଛନ୍ଦ ଚରଣ ପଟ୍ଟନାୟକ ଥିଲେ ରଜତଙ୍କ ସାହିତ୍ୟ ଜୀବନର ଗୁରୁ । ଭଞ୍ଜ ସାହିତ୍ୟ ଓ ଜଗନ୍ନାଥ ଚେତନାର ସେ ଥିଲେ ଦକ୍ଷ ବିଶ୍ଲେଷକ । ଦେଶ ବିଦେଶରେ ଜଗନ୍ନାଥ ସଂସ୍କୃତିର ପ୍ରଚାର କରି ଖ୍ୟାତି ଅର୍ଜନ କରିଥିଲେ । ଉଭୟ ଓଡ଼ିଆ ଓ ଇଂରାଜୀ ଭାଷାରେ ଜଣେ ସୁବକ୍ତା ଭାବେ ତାଙ୍କର ସୁଖ୍ୟାତି ଥିଲା । ୧୯୫୭ରୁ ସେ ରଥଯାତ୍ରାର ଧାରା ବିବରଣୀ ଦେଇ ଜନମାନସରେ ଆଦୃତ ହୋଇଥିଲେ ।

ପୂର୍ବତନ ବାଚସ୍ପତି ଶରତ କରଙ୍କ ଭାଇ ହେଉଛନ୍ତି ରଜତ । ତାଙ୍କ ବିୟୋଗରେ ସବୁ ମହଲରୁ ଶୋକ ପ୍ରକାଶ ପାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରି ତାଙ୍କର ଅମର ଆତ୍ମାର ସଦଗତି କାମନା କରିଛନ୍ତି ।

ଉତ୍ତରାଖଣ୍ଡର ୬ରେଳ ଷ୍ଟେସନ ଉଡ଼ାଇ ଦେବା ନେଇ ଧମକପୂର୍ଣ୍ଣ ଚିଠି

ଉତ୍ତରାଖଣ୍ଡ: ଋରକି ରେଳଓ୍ୱେ ଷ୍ଟେସନ ସୁପରିଣ୍ଟେଣ୍ଡେଣ୍ଟଙ୍କୁ ମିଳିଛି ଧମକପୂର୍ଣ୍ଣ ଚିଠି । ଉତ୍ତରାଖଣ୍ଡରେ ଥିବା ୬ଟି ରେଳ ଷ୍ଟେସନକୁ ବୋମା ବିସ୍ଫୋରଣ କରି ଉଡ଼ାଇଦେବା ନେଇ ଚିଠିରେ ଉଲ୍ଲେଖ ରହିଛି । ଇ-ମେଲ୍ ଜରିଆରେ ଏହି ଧମକ ପୂର୍ଣ୍ଣ ଚିଠି ଆସିଛି ।

Letter threatens to blow up 6 railway stations, religious sites in  Uttarakhand, police on alert | Uttarakhand News | Zee News

ପଠାଇଥିବା ବ୍ୟକ୍ତି ଜଣଙ୍କୁ ନିଜ ଜୈସ ଏ ମହମ୍ମଦର ଏରିଆ କମାଣ୍ଡର ବୋଲି କହିଥିବା ବେଳେ  ତାଙ୍କର ନାମ ସଲିମ୍‌ ଅନ୍‌ସାରି ବୋଲି ଉତ୍ତରାଖଣ୍ଡ ପୋଲିସ ମହାନିର୍ଦେଶକ ଅଶୋକ କୁମାର କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ବିଗତ ୨୦ ବର୍ଷ ହେବ ମାନସିକ ବିକାରଗସ୍ତ ଜଣେ ବ୍ୟକ୍ତି ଏଭଳି ଧମକ-ଚିଠି ପଠାଉଛନ୍ତି। ତଥାପି, ସତର୍କତା ଅବଲମ୍ବନ କରାଯାଉଛି।

Letter threatens to blow up 6 railway stations in Uttarakhand

ମେ ୨୧ ତାରିଖ ଦିନ ଲକ୍ସର୍‌, ନାଜିବାବାଦ, ଡେହରାଡୁନ୍, ଋର୍‌କି, ଋଷିକେଶ, ହରିଦ୍ୱାର ଆଦି ୬ଟି ରେଳବାଇ ଷ୍ଟେସନ୍‌ ଏବଂ ଅନ୍ୟାନ୍ୟ ଧର୍ମପୀଠରେ ବୋମା ବିସ୍ଫୋରଣ କରାଯିବ ବୋଲି ମେ’ ୭ ତାରିଖ ସନ୍ଧ୍ୟାରେ ସୁପରିଣ୍ଟେଣ୍ଡେଣ୍ଟ୍‌ ପାଇଥିବା ଉକ୍ତ ପତ୍ରରେ ଉଲ୍ଲେଖ ଅଛି।

Letter Of Threat Of Bomb Blast In 6 Railway Stations Of Uttarakhand.  उत्तराखंड के 6 रेलवे स्टेशनों में बम ब्लास्ट की धमकी, जैश-ए-मोहम्मद के नाम  से आया लेटर. Uttarakhand Blast Threat ...

ଏଥିସହିତ ପଢ଼ନ୍ତୁ: ମସ୍କଙ୍କୁ ପୁନାୱାଲାଙ୍କ ପରାମର୍ଶ, ଟ୍ୱିଟର ଡିଲ୍ ପୂରା ନହେଲେ ଏମିତି କର…

ବ୍ରଜରାଜନଗର ଉପନିର୍ବାଚନ: ଆଜି ବିଜେଡି ପ୍ରାର୍ଥୀଙ୍କ ନାମ ଘୋଷଣା

ଭୁବନେଶ୍ବର: ବ୍ରଜରାଜନଗର ବିଧାନସଭା ଉପନିର୍ବାଚନ ପାଇଁ ରାଜନୀତି ସରଗରମ ହେବାରେ ଲାଗିଛି । ଆଜି ବିଜେଡି କରିବ ତା’ର ପ୍ରାର୍ଥୀ ନାଁ ଘୋଷଣା । ଆଉ କିଛି ସମୟ ମଧ୍ୟରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପ୍ରାର୍ଥୀଙ୍କ ନା ଘୋଷଣା କରିବେ । ଏଥିପାଇଁ ନବୀନ ନିବାସରେ ବ୍ରଜରାଜନଗର ବିଜେଡି ପର୍ଯ୍ୟବେକ୍ଷକ ସୁବାସ ସିଂଙ୍କ ସମେତ ଅନ୍ୟ ବରିଷ୍ଠ ନେତାମାନେ ପହଞ୍ଚିଛନ୍ତି ।

ପଞ୍ଚାୟତ ଓ ପୌର ନିର୍ବାଚନରେ ଦଳ ଭଲ କରିଛି । ତେଣୁ ଉପ ନିର୍ବାଚନରେ ବ୍ରଜରାଜନଗରବାସୀଙ୍କ ଆଶୀର୍ବାଦରେ ବିଜେଡି ପୁଣି ଜିତିବ ବୋଲି କହିଛନ୍ତି ସୁବାସ ସିଂହ । ଅନ୍ୟପଟେ ବିଜେପିରୁ ପ୍ରାର୍ଥୀ ହୋଇଛନ୍ତି ରାଧାରାଣୀ ପଣ୍ଡା । ସେହିପରି କଂଗ୍ରେସ ପ୍ରାର୍ଥୀ ଘୋଷଣା ଚୂଡାନ୍ତ କରି ନଥିଲେ ବି ରେସରେ ଆଗରେ ରହିଛି କିଶୋର ପଟେଲଙ୍କ ନାଁ ।

ତଡ଼ିଦେଲେ ଶ୍ବଶୁର ଘର ଲୋକେ, ଧାରଣାରେ ବସିଲେ ଦୁଇ ବୋହୂ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ପୁଣି ଡିମ୍ପଲ ଷ୍ଟୋରୀ ରିପିଟ୍ । ଏଥର ଜଣେ ନୁହେଁ ଦୁଇ ଜଣ ବୋହୂ ଶ୍ବଶୁର ଘର ଆଗରେ ଦେଇଛନ୍ତି ଧାରଣା । କୋଳରେ ଧରିଛନ୍ତି ଦୁଇଟି ଛୁଆ । ଗୋଟିଏ ଜିଦ୍ ଆମେ ଶ୍ବଶୁର ଘରେ ରହିବୁ ।

ସୂଚନାଯୋଗ୍ୟ, ଦୁଇ ଭଉଣୀ ଗୋଟିଏ ଘରକୁ ବାହା ହୋଇ ଆସିଥିଲେ । ଭଉଣୀରୁ ଜାଆ ହୋଇଥିଲେ । ହେଲେ ଶ୍ବଶୁର ଘରେ ପାରିବାରିକ ବିବାଦ ଲାଗି ରହିଥିଲା । ଯାହା ଏସପିଙ୍କ ପାଖକୁ ଯାଇଥିଲା । ଏସପି ଆପୋଷ ବୁଝାମଣା କରିଥିଲେ । ହେଲେ ସମସ୍ୟାର ସମାଧାନ ନହୋଇ ପୂର୍ବ ଭଳି ଅଭସ୍ଥା ସୃଷ୍ଟି ହୋଇଥିଲା । ଏବେ ଉଭୟଙ୍କୁ ମାଡ ମାରି ଶ୍ବଶୁର ଘର ଲୋକେ ଘରୁ ତଡି ଦେଇଥିବା ସେମାନେ ଅଭିଯୋଗ କରିବା ସହ ଦୁଇ ପିଲାଙ୍କୁ ଧରି ଘର ଦୂଆରେ ଧାରଣାରେ ବସିଛନ୍ତି ।

ଅଭିଯୋଗ ଅନୁସାରେ, ବିବାଦ ପରେ ଉଭୟ ଦୀର୍ଘଦିନ ହେବ ବାପଘରେ ରହୁଥିଲେ । ୧୦ ଦିନ ହେବ ଶ୍ବଶୁର ଘରକୁ ଆସିଥିଲେ । ଗତକାଲି ଘରକୁ ଝିଅଜ୍ବାଇଁ ଆସିଥିଲେ । ରାତିରେ ମାଛ ତରକାରୀ ହୋଇଥିଲା । ଛୋଟ ପୁଅଟି ମାଛ ଖାଇବାକୁ ମାଗିଥିଲା । ଏତିକିରେ ପିଲାଟିକୁ ମାଡ ମରାଯାଇଥିଲା । ତା’ ମାଆ ଆସି କାହିଁକି ମାରୁଛ ପଚାରିବାରୁ ତାକୁ ମଧ୍ୟ ମାଡ ମରାଯାଇଥିଲା । ଏହାପରେ ଆମେ ତୁମକୁ ପୋଷି ପାରୁନୁ ତୁମେ ତୁମ ମାଆ ଘରକୁ ଯାଆ କହି ଦୁଇ ଭଉଣୀଙ୍କୁ ପିଲାଙ୍କ ସହ ଘରୁ ବାହାର କରିଦେଇଥିଲେ ।

ସେମାନେ ଅଭିଯୋଗ କରିଛନ୍ତି, ଜଣେ ୫ ବର୍ଷ ଓ ଜଣେ ୪ ବର୍ଷ ହେଲା ବାହାଘର ହୋଇଥିଲା । ଆମକୁ ନରଖି ଝିଅଜ୍ବେଇଁଙ୍କୁ ଆଣି ରଖିବାକୁ ଚାହୁଁଛନ୍ତି । ସବୁ ସୁନାଗହଣା ବନ୍ଧା ପକାଇ ଦେଇଛନ୍ତି । ଦେଢ ବର୍ଷ ହେଲା ବାପଘରେ ରହୁଥିଲୁ । ବାପଘରେ କେତେ ଦିନ ରହିବୁ ? ଆମକୁ ନ୍ୟାୟ ମିଳୁ ଓ ଆମକୁ ଏଠାରେ ରହିବାକୁ ଦିଆଯାଉ ବୋଲି ସେମାନେ ଦାବି କରିଛନ୍ତି ।

ତେବେ ଅଭିଯୋଗକୁ ନେଇ ଦୁଇ ମହିଳାଙ୍କ ଶ୍ବଶୁର ଘର ଲୋକଙ୍କ ପ୍ରତିକ୍ରିୟା ମିଳିପାରିନି ।

ଖେଳନା ଭାବି ଘରକୁ ବୋମା ନେଇ ଆସିଲା ୧୨ ବର୍ଷ ୟୁକ୍ରେନୀ ବାଳକ, ତା’ପରେ…

କିଭ୍: ରାସ୍ତାରେ ପଡିଥିବା ଋଷର ଏକ କ୍ଲଷ୍ଟ ବୋମାକୁ ଘରକୁ ନେଇ ଆସିଲା ୧୨ ବର୍ଷର ୟୁକ୍ରେନୀ ବାଳକ । ହେଲେ ସେ ଜାଣି ନଥିଲା ଖେଳନା ଭାବି ଘରକୁ ନେଇ ଆସିଥିବା ଏହି ଜିନିଷଟି ତା’ ପାଇଁ ସାଙ୍ଗରେ ଆଣିଥିଲା ମୃତ୍ୟୁ । ଘରେ ବୋମାଟି ଫାଟି ପିଲାଟିର ମୃତ୍ୟୁ ଘଟିଛି ।

ଅଭିଯୋଗ ଅନୁସାରେ ଋଷ-ୟୁକ୍ରେନ ଯୁଦ୍ଧରେ ପ୍ରତିବନ୍ଧକ ଅସ୍ତ୍ର କ୍ଲଷ୍ଟର ବୋମା ବ୍ୟବହାର କରାଯାଉଛି । ଋଷ ଏହି ବୋମା ବହୁଳ ମାତ୍ରାରେ ବ୍ୟବହାର କରୁଥିବା ୟୁକ୍ରେନ ଅଭିଯୋଗ କରିଆସୁଛି । ଏହି କ୍ଲଷ୍ଟର ବୋମା ପିଲାଟିର ଜୀବନ ନେଇ ଯାଇଛି । ଘଟଣାଟି ଦକ୍ଷିଣ ୟୁକ୍ରେନ ନିପ୍ରୋପେଟ୍ରଭସ୍ ଓବ୍ଲାଷ୍ଟରେ ଘଟିଛି ।

ନିପ୍ରୋପେଟ୍ରଭସ୍ ଓବ୍ଲାଷ୍ଟ ଗଭର୍ଣ୍ଣର ଭାଲେଣ୍ଟିନ୍ ରେଜନିଚେଙ୍କୋଙ୍କ ଅନୁସାରେ ଋଷ ସେନା ସିନେଲନିକୋଭ ଜିଲ୍ଲାରେ କ୍ଲଷ୍ଟର ବୋମାରେ ଆକ୍ରମଣ କରିଥିଲା । ଏଥିରୁ କିଛି ବିସ୍ଫୋରଣ ହୋଇଥିବା ବେଳେ ଆଉ କିଛି ନଫୁଟି ବିଭିନ୍ନ ସ୍ଥାନରେ ପଡି ରହିଛି । ଯେଉଁଥିରୁ ଗୋଟିଏ ବୋମାକୁ ପିଲାଟି ଘରକୁ ନେଇ ଆସିଥିଲା । ଯାହା ପରେ ବିସ୍ଫୋରିତ ହୋଇ ପିଲାଟିର ମୃତ୍ୟୁ ଘଟିଛି ।

ଏହାକୁ ନେଇ ରେଜନିଚେଙ୍କୋ ସୋସିଆଲ ମିଡିଆରେ ଏକ ପୋଷ୍ଟ କରିଛନ୍ତି । ଏଥିରେ ସେ ଲେଖିଛନ୍ତି, ‘ଏମିତି ବୋମା ବ୍ୟବହାର କରି ଋଷ ବିଶ୍ବାସଘାତକତା କରିଛି ।’

ସୂଚନାଯୋଗ୍ୟ ଆନ୍ତର୍ଜାତୀୟ ବୁଝାମଣା ଅନୁସାରେ ଯୁଦ୍ଧରେ କେହି କ୍ଲଷ୍ଟର ବୋମା ବ୍ୟବହାର କରିପାରିବେ ନାହିଁ । ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ବୁଝାମଣାରେ ଉଭୟ ଋଷ ଏବଂ ୟୁକ୍ରେନ ସ୍ବାକ୍ଷର କରିନାହାନ୍ତି ।

କ୍ଲଷ୍ଟର ବୋମା କ’ଣ ?

କ୍ଲଷ୍ଟର ବୋମା ଅତ୍ୟନ୍ତ ଘାତକ । କାରଣ ମୁଖ୍ୟ ବୋମାଟି ଫାଟିବା ପରେ ଏଥିରୁ ଏକାଧିକ ଛୋଟ ଛୋଟ ବୋମା ବାହାରିଥାଏ । ଯାହା ଲକ୍ଷ୍ୟର ଆଖପାଖରେ ବ୍ୟାପକ କ୍ଷତି କରିଥାଏ । ଏହି ବୋମା ବ୍ୟବହାରରେ ସାଧାରଣ ଲୋକଙ୍କ ପ୍ରତି ବିପଦ ସୃଷ୍ଟି ହେବାର ସମ୍ଭାବନା ରହିଥାଏ । ମୁଖ୍ୟ ବୋମା ଫାଟିବା ପରେ ଏଥିରୁ ବାହାରୁଥିବା ଛୋଟ ଛୋଟ ବୋମା ଏଣେତେଣେ ପଡିଯାଇଥାଏ । ଯେଉଁଥିରେ ସାଙ୍ଗେ ସାଙ୍ଗେ ବିସ୍ଫୋରଣ ହୋଇନଥାଏ । ଦୀର୍ଘ ଦିନ ଏପରିକି ବର୍ଷ ବର୍ଷ ଧରି ମଧ୍ୟ ଏଗୁଡିକ ସେମିତି ପଡି ରହିଥାଏ । କେହି ଏହାର ସଂସ୍ପର୍ଷରେ ଆସିବା ପରେ ଏଥିରେ ବିସ୍ଫୋରଣ ଘଟିଥାଏ । ଏହି କାରଣରୁ କୌଣସି ସ୍ଥାନରେ ଏମିତି ବୋମା ବ୍ୟବହାର ହୋଇଥିଲେ ଓ ଯୁଦ୍ଧ ସରିବାର ଦୀର୍ଘ ଦିନ ପରେ ବି ଏହା ବିସ୍ଫୋରଣ ଘଟି ଲୋକଙ୍କ ଧନଜୀବନରେ କ୍ଷତି ପହଞ୍ଚାଇଥାଏ ।

ଦୁଇ ଦୁର୍ଘଟଣା, ୮ ଆହତ

ବାଲେଶ୍ବର/ଟାଙ୍ଗୀ: ବାଲେଶ୍ବର ଓ ଟାଙ୍ଗୀରେ ପୃଥକ ଦୁର୍ଘଟଣାରେ ୮ ଜଣ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।

ବାଲେଶ୍ବର ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥ ବେଗୁନିଆ ନିକଟରେ ଟ୍ରକକୁ ପଛରୁ ଧକ୍କା ଦେଇଛି ଏକ ଆମ୍ବୁଲାନ୍ସ । ଏଥିରେ ରୋଗୀ ସମେତ ୫ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ଖନ୍ତାପଡ଼ା ମେଡିକାଲ ପରେ ବାଲେଶ୍ବର ସ୍ଥାନାନ୍ତର କରାଯାଇଛି । ଦୁର୍ଘଟଣା ପରେ ଟ୍ରକ ଚାଳକ ଟ୍ରକ ନେଇ ଫେରାର ହୋଇଯାଇଥିବା ବେଳେ ଘଟଣାସ୍ଥଳରେ ଖନ୍ତାପଡ଼ା ପୋଲିସ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି । କୋଲକତା ମେଦିନୀପୁରରୁ ରୋଗୀ ନେଇ ଭୁବନେଶ୍ବର ଯାଇଥିବା ବେଳେ ଟ୍ରକ ପଛକୁ ଆମ୍ବୁଲାନ୍ସ ଧକ୍କା ଦେଇଥିଲା ।

ସେହିପରି ଖୋର୍ଦ୍ଧା ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥ କୋଚିଲା ଛକ ନିକଟରେ ଏକ ବାଇକକୁ କାର ଧକ୍କା ଦେଇଛି । ରାସ୍ତା ତଳକୁ ପଡ଼ିଯାଇ ୩ ଗୁରୁତର ହୋଇଛନ୍ତି । ଘଟଣାସ୍ଥଳରେ ଟାଙ୍ଗୀ ପୋଲିସ ପହଞ୍ଚି ଗୁରୁତରଙ୍କୁ ଟାଙ୍ଗୀ ମେଡିକାଲରେ ଭର୍ତ୍ତି କରିଛି । ପରେ ଅବସ୍ଥା ସଂକଟାପନ୍ନ ହେବାରୁ ଭୁବନେଶ୍ବର ସ୍ଥାନାନ୍ତର କରାଯାଇଛି । ଗୁରୁତରମାନେ ହେଲେ ଟାଙ୍ଗୀ ଥାନା କୟଥପଲା ଗାଁର ଚନ୍ଦନ ସ୍ବାଇଁ, କାଳୁ ସ୍ବାଇଁ ଏବଂ ତ୍ରୀଲୋଚନ ଚମ୍ପତିରାୟ ।

ଚିଲିକା… ଧୀବର ପୁଅର ଲକ୍ଷ୍ମୀ ମାଆ

ଟାଙ୍ଗୀ: ଉତ୍କଳ କମଳା, ବିଳାସ ଦୀର୍ଘିକା… ମରାଳ ମାଳିନୀ, ନୀଳାମ୍ବୁ ଚିଲିକା… । ଅପରୂପ ସୌନ୍ଦର୍ଯ୍ୟର ଦର୍ଶନ ପାଇଁ ନିଇତି ଚିଲିକା କୂଳରେ ଜମେ ପର୍ଯ୍ୟଟକଙ୍କ ଭିଡ଼ । ଚିଲିକା କାହା ପାଇଁ ପର୍ଯ୍ୟଟନ ତ ଆଉ କାହା ପାଇଁ ମାଆ ଲକ୍ଷ୍ମୀ । ଅଥଳ ଜଳ ରାଶିରେ ଦାନା ମୁଠାଏ ପାଇଁ ସଂଘର୍ଷ କରନ୍ତି ଧୀବର । ରାତିରାତି ଧରି ଚିଲିକାର ବକ୍ଷରେ ବିତେ ଏମାନଙ୍କ ଜୀବନ । ଚିଲିକାର ଅକାତକାତ ପାଣି ଭିତରେ କେମିତି କଟେ ମତ୍ସ୍ୟଜୀବୀଙ୍କ ଜୀବନ । ତାକୁ ନେଇ ବିଶେଷ ଉପସ୍ଥାପନା ‘ଡଙ୍ଗାରେ ଜୀବନ’ ।

ଚିଲିକା । ଗୋଟେ ଆତ୍ମୀୟତାର ନାଁ। ଗୋଟେ ସ୍ବର୍ଗୀୟ ସୁଖର ଭୟ ମିଶା ଅନୁଭୂତି । ଏ ହ୍ରଦ ଯେତେ କି ସୁନ୍ଦର ସେତିକି ଭୟଙ୍କର । ଯେତେ କି ରୋମାଞ୍ଚ ସେତିକି ଆଶ୍ଚର୍ଯ୍ୟ। କାହା ପାଇଁ ଭେକେସନ୍ ସ୍ପଟ୍ ହୋଇପାରେ, ଆଉ କାହା ପାଇଁ ଭାବନା ବର୍ଣ୍ଣନାର ଧାରା ବି ହୋଇପାରେ । ହେଲେ ଧୀବରଙ୍କ ପାଇଁ ଜୀବନ ଜୀବିକାର ଏକମାତ୍ର ଭରଷା । ଚିଲିକାର ବକ୍ଷରେ ଅମାନିଆ ଜଳ ସହିତ ବନ୍ଧୁ ବାନ୍ଧି ଦାନା ମୁଠାଏ ପାଇଁ ଲଢୁଥିବା ସଂଘର୍ଷର ନାଁ ଧୀବର ।

ନା ଦିନ ନା ରାତି। ମୁଣ୍ଡରେ ଠେକା ହାତରେ କାତ । ଚିଲିକାର ଛାତି ଉପରେ ଏମିତି ଅହରହ ଚାଲିଥାଏ ଜୀବନ ଜୀବିକାର ନୌକା । ଗୋଟିଏ କି ଦୁଇଟି ନୁହେଁ । ଆଗପଛ ହୋଇ ନୀଳ ଜଳରାଶିର ଦେହସାରା ଡଙ୍ଗାର ପସରା ମେଲାଇ ଖେଦି ଯାଆନ୍ତି ଧୀବର । ଲୁଣି ପାଣିର ରାଇଜ ଭିତରେ ଏମାନେ ଦେଖନ୍ତି ମିଠା ଜୀବନର ସ୍ବପ୍ନ । ଆଞ୍ଜୁଳାଏ ସୁଖ ଆଶାରେ ନାଆକୁ ଆହୁଲା ଦେଇ ଖୋଲା ଆକାଶ ତଳେ ଗଢନ୍ତି ସମ୍ଭାବନାର ସହର । ଫେରିବାର ପ୍ରତିଶ୍ରୁତି ବାଟରେ ଝଡ଼କୁ ଭେଟନ୍ତି, ତୋଫାନକୁ ବି ସାମ୍ନା କରନ୍ତି । ଆଉ ତା ଭିତରେ ନୌକା ରୂପକ ନିଡ଼ରେ ଦିନ ବିତେ, ରାତି ବି ପାହେ । ସତେ ଯେମିତି ଏହି ନୌକାଟି ତାଙ୍କ ପାଇଁ ମିନି ହାଉସ୍ ।

ତେଲ ଲୁଣର ସଂସାର ପାଇଁ ଭୋରୁ ଆରମ୍ଭ ହୁଏ କସରତ୍ । ଚିଲିକା ଭିତରେ ଏ ଦିଗରୁ ସେ ଦିଗକୁ ଯାଇ ମାଛ ଧରନ୍ତି ଧୀବର । ଦିନକୁ ୫୦ରୁ ୬୦ କୁଇଣ୍ଟାଲ ମାଛ ମାରିଲେ ଜଣ ପିଛା ରୋଜଗାର ହୁଏ ପାଖାପାଖି ୩୦୦ ଟଙ୍କା । ଅର୍ଥାତ ମାସକୁ ହାରାହାରି ମାତ୍ର ୯ ହଜାର । ପରିବାରଠୁ ଦୂରରେ ନୀଳ ଜଳରାଶିର ଗଭୀର ଗର୍ଭରେ ବିତେ ଏମାନଙ୍କର ଜୀବନ । ଡଙ୍ଗା ଭିତରେ ହାଣ୍ଡି ବସେ, ପଖାଳ କଂସା ପଡ଼େ । ମାଛ ଧରି ସେଇଠି ରୋଷେଇ କରି ଡଙ୍ଗାରେ ବିତେ ଧୀବରଙ୍କ ଦିନ ।

ଅଥଳଥଳ ପାଣି ଭିତରେ ବି ଥାଏ ଲ୍ୟାଣ୍ଡ ମାର୍କ । ଚିଲିକା ଭିତରେ ପରସ୍ପର ସହିତ ଯୋଗାଯୋଗ କରିବାକୁ ଏହା ସହାୟ ହୋଇଥାଏ । ଏହା ବ୍ୟତୀତ ସବୁ ବେଳେ ଖବର ସହିତ ଅପଡେଟ୍ ରହିଥାନ୍ତି ଧୀବର । ଯାହାଦ୍ବାରା ଝଡ଼ ବାତ୍ୟା ଆଗରୁ ସେମାନେ ହୋଇଥାନ୍ତି ସତର୍କ । ଜୀବନ ସଂଘର୍ଷମୟ, ଅନେକ ବେଉସାର ସୌଦାଗର । ତା’ ଭିତରେ ଧୀବରଙ୍କର ଏ ଜଳ ଜୀବନ ବେଶ୍ କଷ୍ଟ ଦାୟକ ।

ଆଜି ରାଜ୍ୟ କଂଗ୍ରେସକୁ ମିଳିପାରେ ନୂଆ ମଙ୍ଗୁଆଳ

ଭୁବନେଶ୍ବର: ରାଜ୍ୟ କଂଗ୍ରେସରେ ହୋଇପାରେ ବଡ଼ ପରିବର୍ତ୍ତନ । ଏନେଇ ଆଜି ନିଆଯାଇପାରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି । ଘର ସଜାଡ଼ିବାକୁ ରାଜ୍ୟ କଂଗ୍ରେସ ନେତାଙ୍କ ସହିତ ଆଜି ଓ୍ବାନ ଟୁ ଓ୍ବାନ ଆଲୋଚନା କରିବେ ରାହୁଲ ଗାନ୍ଧି । ଏଥିପାଇଁ ଦଳର ସମସ୍ତ ବିଧାୟକ, ବରିଷ୍ଠ ନେତା, ପୂର୍ବତନ ପିସିସି ସଭାପତି ଗତକାଲିଠାରୁ ଦିଲ୍ଲୀ ଗସ୍ତରେ ଅଛନ୍ତି ।

୨୦୨୪ ନିର୍ବାଚନ ପୂର୍ବରୁ ସଂଗଠନକୁ କିପରି ସୁଦୃଢ଼ କରାଯିବ ସେନେଇ ବିସ୍ତୃତ ଆଲୋଚନା ହେବ । ଆଲୋଚନାରେ ପିସିସି ସଭାପତି, ବିଧାୟକ ଦଳ ନେତା ଏବଂ ଅନ୍ୟ ଛାମୁଆ ସଂଗଠନର ମଙ୍ଗୁଆଳ ବଦଳାଇବା ନେଇ ନିଆଯାଇପାରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି । ପୂର୍ବରୁ ପିସିସି ପ୍ରଭାରୀ ଚେଲ୍ଲା କୁମାର ବିଭିନ୍ନ ନେତାଙ୍କ ମତାମତ ନେଇ ରିପୋର୍ଟ ଦେଇଛନ୍ତି । ରିପୋର୍ଟ ଆଧାରରେ ସବୁ ନେତାଙ୍କ ସହ ଆଲୋଚନା କରିବେ ରାହୁଲ । ଆଲୋଚନା ପରେ ବଡ଼ ନିଷ୍ପତ୍ତି ନିଆଯିବାର ସମ୍ଭାବନା ରହିଛି ।

ଦୀର୍ଘଦିନରୁ ରାଜ୍ୟ କଂଗ୍ରେସରେ ନେତୃତ୍ବ ପରିବର୍ତ୍ତନ ନେଇ ଛକାପଞ୍ଝା ଓ ବୟାନବାଜି ଲାଗି ରହିଛି । ରାହୁଲ ଗାନ୍ଧି ଏସବୁର କିପରି ସମାଧାନ କରୁଛନ୍ତି ଓ ସଂଗଠନକୁ ମଜବୁତ କରିବା ପାଇଁ କି ଗୁରୁମନ୍ତ୍ର ଦେଉଛନ୍ତି, ତା’ ଉପରେ ସମସ୍ତଙ୍କ ରହିଛି ।

ଗତକାଲି କଂଗ୍ରେସ ନେତା ଦିଲ୍ଲୀରେ ପହଞ୍ଚିବା ପରେ ଏକ ଉଚ୍ଚ ସ୍ତରୀୟ ବୈଠକ ହୋଇଥିଲା । ଏଥିରେ ରାଜ୍ୟରେ ଦଳର ସ୍ଥିତି ଓ ଏହାକୁ କେମିତି ଦୃଢ କରାଯିବ ସେ ନେଇ ହାଇକମାଣ୍ଡ ରାଜ୍ୟ ନେତାଙ୍କ ସହ ଆଲୋଚନା କରିଥିଲେ ।

ଏଣିକି ଶୋଇବାକୁ ଅଫିସରେ ମିଳିବ ଅଧଘଣ୍ଟା ସମୟ

ନୂଆଦିଲ୍ଲୀ: ଚାକିରି କରୁଥିବା ବ୍ୟକ୍ତିଙ୍କୁ ଆଜି କାଲି ବିଶ୍ରାମ ପାଇଁ ଟିକେ ସମୟ ମିଳିବା କଷ୍ଟକର ହୋଇପଡିଛି । ଘରୁ ଅଫିସ୍, ଅଫିସରୁ ଘର ଜାବତୀୟ କାମ ଟେନସନରେ ଚାକିରିଆ ବ୍ୟକ୍ତି ଠିକରେ ବିଶ୍ରାମ ନେବାକୁ ବି ସମୟ ପାଉନାହାନ୍ତି । ଦୁନିଆରେ ଏମିତି କେହି ଚାକିରି କରିଥିବା ବ୍ୟକ୍ତି ନଥିବେ ଯାହାଙ୍କୁ ଅଫିସ ଟାଇମରେ ଥରୁଟିଏ ନିଦ ଆସି ନଥିବ । ନିଦ ଆସିଲେ ବି କାମ ଛାଡି ଶୋଇବାକୁ ବି ଅନୁମତି ନଥାଏ । ଫଳରେ ବାଧ୍ୟ ହୋଇ ଅନିଚ୍ଛା ସତ୍ତ୍ବେ କାମ କରିବାକୁ ପଡିଥାଏ । ହେଲେ ଏବେ ଆଉ ଏହି ସମସ୍ୟା ରହିବ ନାହିଁ । ଏଣିକି ଅଫିସ୍ କାମ କରିବା ବେଳେ ଶୋଇ ହେବ । ଆଶ୍ଚର୍ଯ୍ୟ ଲାଗୁଥିଲେ ବି କଥାଟା ସତ । ଅଫିସ ସମୟରେ ଏବେ ଶୋଇ ହେବ । ଏମିତି ଏକ ପ୍ରୟାସ ଆରମ୍ଭ କରିଛି ଭାରତର ଏକ ଷ୍ଟାଟଅପ୍ କମ୍ପାନୀ ।

ଓ୍ବେକ ଫିଟ୍ ସଲ୍ୟୁସନ ନାମକ ଭାରତୀୟ ଷ୍ଟାଟଅପ୍ କମ୍ପାନୀ ନିଜ କର୍ମଚାରୀଙ୍କୁ ଏମିତି ସୁବିଧା ଦେବା ଆରମ୍ଭ କରିଛି । ଅଫିସ ସମୟରେ କର୍ମଚାରୀଙ୍କୁ ଶୋଇବା ପାଇଁ କମ୍ପାନୀ ଅଧ ଘଣ୍ଟାଏ ସମୟ ଦେଇଛି । ମଧ୍ୟାହ୍ନ ଭୋଜନ ପରେ ଅପରାହ୍ଣ ୨ଟାରୁ ୨ଟା ୩୦ ପର୍ଯ୍ୟନ୍ତ କର୍ମଚାରୀ ବିଶ୍ରାମ ନେଇପାରିବେ । ଅଫିସ ସମୟରେ ଶୋଇବାକୁ କର୍ମଚାରୀଙ୍କୁ ସମୟ ଦେବା ଭାରତୀୟ ଷ୍ଟାଟଅପ୍ ଜଗତରେ ହୁଏତ ପ୍ରଥମ ଘଟଣା । କର୍ମଚାରୀଙ୍କ ହିତକୁ ଦୃଷ୍ଟିରେ ରଖି କମ୍ପାନୀ ଏହି ବ୍ୟବସ୍ଥା କରିଛି ।

ନିକଟରେ କମ୍ପାନୀର କର୍ମଚାରୀଙ୍କ ପାଖକୁ ଓ୍ବେକଫିଟର ସହ ସଂସ୍ଥାପକ ଚୈତନ୍ୟ ରାମଲିଙ୍ଗଗୌଡାଙ୍କ ଏକ ମେଲ୍ ଆସିଥିଲା । ଅପରାହ୍ଣ ୨ଟାରୁ ୨ଟା ୩୦ ପର୍ଯ୍ୟନ୍ତ କର୍ମଚାରୀମାନେ ଶୋଇବାକୁ ସମୟ ପାଇବେ ବୋଲି ଏଥିରେ ଘୋଷଣା କରାଯାଇଥିଲା । ମେଲରେ ସେ ଉଲ୍ଲେଖ କରିଥିଲେ, ‘ଆମେ ୬ ବର୍ଷ ହେଲା ଶୋଇବାକୁ ନେଇ ବ୍ୟବସାୟ କରୁଛନ୍ତି । ହେଲେ ଅପରାହ୍ଣରେ ନିହାତି ଆବଶ୍ୟକ ହେଉଥିବା ବିଶ୍ରାମ ନେବାରେ ବିଫଳ ହୋଇଛନ୍ତି । ଆମେ ଶୋଇବାକୁ ଗମ୍ଭିରତାର ସହ ନେଇଛନ୍ତି, ଆଜିଠାରୁ ଆମେ ଏହାକୁ ଏକ ନୂଆ ଦିଗ ଦେବା ।’

ସେ ଆଗକୁ ଲେଖିଛନ୍ତି, ‘ବିଭିନ୍ନ ସର୍ଭେରୁ ଜଣାପଡିଛି ଅପରାହ୍ଣରେ ସାମାନ୍ୟ ବିଶ୍ରାମ କର୍ମଚାରୀଙ୍କ ଦକ୍ଷତା ବୃଦ୍ଧି କରିବା ସହ କାମ କରିବାକୁ ଆଗ୍ରହ ବଢିଥାଏ । ନାଶାର ଏକ ସର୍ଭେରୁ ଜଣାପଡିଛି ଅପରାହ୍ଣରେ ୨୬ ମିନିଟର ବିଶ୍ରାମ କାମ କରିବାର ଆଗ୍ରହକୁ ୩୩ ପ୍ରତିଶତ ବଢାଇ ଦେଇଥାଏ । ସେହିପରି ହାଓ୍ବାର୍ଡର ସର୍ଭେରୁ ଜଣାପଡିଛି, ଅପରାହ୍ଣରେ ଅଳ୍ପ ସମୟ ଶୋଇବାକୁ ମିଳିଲେ କର୍ମଚାରୀଙ୍କ ମନରୁ ବିରକ୍ତି ଭାବ ଦୂର ହୋଇଥାଏ ଓ ଏହାର ଭଲ ପ୍ରଭାବ କାମ ଉପରେ ପଡିଥାଏ ।’

ଏହାସହ କମ୍ପାନୀ ତରଫରୁ ଟ୍ବିଟର ପେଜରେ ଏକ ପୋଷ୍ଟର ସେୟାର କରାଯାଇଛି । ଏଥିରେ କୁହାଯାଇଛି ବିନା କୌଣସି ବାଧାରେ କର୍ମଚାରୀମାନେ ଆରାମ କରିବା ପାଇଁ ରୁମର ବ୍ୟବସ୍ଥା କରାଯାଉଛି । ଓ୍ବାକଫିଟ କମ୍ପାନୀର ଏହି ଘୋଷଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଅନ୍ୟ କିଛି କମର୍ଚାରୀ ନିଜ କମ୍ପାନୀରେ ଏମିତି ବ୍ୟବସ୍ଥା କରାଯିବାକୁ ମତ ଦେଇଛନ୍ତି । ଅନ୍ୟପକ୍ଷରେ ସବୁ କମ୍ପାନୀରେ ଏମିତି ବ୍ୟବସ୍ଥା କରାଯାଇ ପାରିବ ନାହିଁ ବୋଲି ମଧ୍ୟ କିଛି ଲୋକ ମତ ଦେଇଛନ୍ତି ।

ସୂଚନାଯୋଗ୍ୟ, କର୍ମଚାରୀଙ୍କ ଘର ଓ ଅଫିସ କାମରେ ସନ୍ତୁଳିତ କରିବାରେ ଭାରତୀୟ ଷ୍ଟାଟଅପ୍ କମ୍ପାନୀ କେନ୍ଦ୍ର ପାଲଟିଛନ୍ତି । ପୂର୍ବରୁ ଜିରୋଧା ନାମକ କମ୍ପାନୀର ସିଇଓ ସନ୍ଧ୍ୟା ୬ଟା ପରେ ଅଫିସ କାମକୁ ନେଇ କୌଣସି ଆଲୋଚନା ନକରିବାକୁ ନିୟମ କରିଥିଲେ । ଯାହା ବହୁତ ଭାଇରାଲ ହେବା ସହ ଲୋକଙ୍କ ହୃଦୟ ଜିତିଥିଲା ।