spot_img
Home Blog Page 4273

ସୁରଙ୍କ ବିରୋଧରେ ଶୀତଳ ଷଡଯନ୍ତ୍ର

ଭୁବନେଶ୍ୱର: ବଦଳିବ ଚିତ୍ର, ବଦଳିବେ ନେତା । ରାଜ୍ୟ ପିସିସି ଦେଖିବେ ନୂଆ ସଭାପତି । ବଦଳିବେ କଂଗ୍ରେସ ବିଧାୟକ ଦଳ ନେତା । ରାଜ୍ୟ କଂଗ୍ରେସର ହେବ ନବକଳେବର । କିଛିଦିନ ପୂର୍ବରୁ ବିଧାୟକ ଦଳ ନେତା ନରସିଂହ ମିଶ୍ର ଏବଂ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି ଇସ୍ତଫା ଦେଇଥିବା କୁହାଯାଉଛି । ତାରା ଇସ୍ତଫା ଦେଇଥିବା ନେଇ ହଁ ମାରିଥିବାବେଳେ ନରସିଂହ ଧରିଛନ୍ତ ମୌନବ୍ରତ । ତେବେ କଂଗ୍ରେସ ରାଜନୀତିରେ ଆଉ ଏକ ଗୋଟି ଚାଳନା ଦଳରେ ଏବେ ପାଲଟିଛି ବଡ଼ ଖବର ।

କଂଗ୍ରେସର ଭିତର ମହଲ କହୁଛି, ବିଧାୟକ ଦଳ ନେତା ପଦରୁ ନରସିଂହ ମିଶ୍ର ଇସ୍ତଫା ଦେବା ପରେ ବରିଷ୍ଠତା ଦୃଷ୍ଟିରୁ ସୁରେଶ କୁମାର ରାଉତରାୟଙ୍କୁ କାଳେ ହାଇକମାଣ୍ଡ ବିଧାୟକ ଦଳ ନେତା ଘୋଷଣା କରିଦେବେ । ଏହାକୁ ଦୃଷ୍ଟିରେ ରଖି ଉଦ୍ଦେଶ୍ୟ ପ୍ରଣୋଦିତ ଭାବେ ତାଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି । ଏହି ଅସ୍ତ୍ର ମାଧ୍ୟମରେ ସୁରଙ୍କୁ କଂଗ୍ରେସ ବିଧାୟକ ଦଳ ନେତା ପଦରୁ ଦୂରେଇ ରଖିବାକୁ ହୋଇଛି ବିଧିବଦ୍ଧ ଷଡ଼ଯନ୍ତ୍ର ବୋଲି ଜନୈକ କଂଗ୍ରେସ ନେତା ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି । କୌଣସି ବିଶୃଙ୍ଖଳା ହେଲେ ଶୃଙ୍ଖଳା କମିଟି ବୈଠକ ଡକାଇ କାରଣ ଦର୍ଶାଅ ନୋଟିସ୍ ଜାରି କରିବା କଥା । ମାତ୍ର ସିଧାସଳଖ ପିସିସି ସଭାପତିଙ୍କ ଦ୍ବାରା ନୋଟିସ୍ କରାଯିବା ପରମ୍ପରା ନୁହେଁ ।

ସୁର ରାଉତରାୟଙ୍କୁ କାରଣ ଦର୍ଶାଅ ନୋଟିସ୍ ପଠାଇବାର ପରଦିନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏକ ମନ୍ତବ୍ୟରେ କହିଥିଲେ, ସୁର ବାବୁ ଜଣେ ବରିଷ୍ଠ ନେତା ଓ ବିଧାୟକ । ସେ ଜଣେ ଏଆଇସିସି ମେମ୍ବର ମଧ୍ୟ । ତେଣୁ ଏପରି ମନ୍ତବ୍ୟ ଦେବା ଠିକ୍ ନାହିଁ । ସେ କାରଣ ଦର୍ଶାଅ ନୋଟିସର ଉତ୍ତର ରଖନ୍ତୁ, ତାଙ୍କର ବିଚାର ଏଆଇସିସି କରିବ । ରାତିଅଧିଆ ନୋଟିସ୍ ସହ ନିରଞ୍ଜନଙ୍କ ଏହି ମନ୍ତବ୍ୟ କ’ଣ ସୁରଙ୍କ ବିରୋଧରେ ଏକ ଶୀତଳ ଷଡ଼ଯନ୍ତ୍ର । ଏଆଇସିସି ଯଦି ସୁର ରାଉତରାୟଙ୍କ ନାଁ ବିଚାର କରିବ, ତେବେ ଏହି କାରଣ ଦର୍ଶାଅ ନୋଟିସର ଦ୍ୱାହି ଦେଇ ତାଙ୍କ ନିଯୁକ୍ତି ଉପରେ ରୋକ୍ ଲଗାଯାଇ ପାରିବ ବୋଲି ସେ କହିଛନ୍ତି ।

ମହଙ୍ଗା ପଡ଼ିଲା ଗୋରୁ ଗାଡ଼ିରୁ ଚାନ୍ଦା ଆଦାୟ, ଚାକିରିରୁ ନିଲମ୍ବିତ ହେଲେ ୩ ପୋଲିସ କର୍ମଚାରୀ

ମୟୂରଭଞ୍ଜ: ମହଙ୍ଗା ପଡ଼ିଲା ଗୋରୁ ଗାଡ଼ିରୁ ଚାନ୍ଦା ଆଦାୟ । ଗୋରୁ ଗାଡ଼ିରୁ ଚାନ୍ଦା ଆଦାୟ ଘଟଣାରେ ଦୁଇ ଜଣ ଏଏସଆଇ ଓ ଜଣେ କନେଷ୍ଟବଳ ଚାକିରିରୁ ନିଲମ୍ବିତ ହୋଇଛନ୍ତି । ଏହି ତିନି ଜଣ ପୋଲିସ କର୍ମଚାରୀ ଝାରପୋଖରିଆ ଥାନାରେ କାର୍ଯ୍ୟରତ ଥିଲେ । ମୟୂରଭଞ୍ଜ ଏସପି ସେମାନଙ୍କୁ ନିଲମ୍ବିତ କରିଛନ୍ତି । ଗୋରୁ ଗାଡିରୁ ଚାନ୍ଦା ଆଦାୟ ସମ୍ପର୍କିତ ଏକ ଅଡିଓ ଭାଇରାଲ ସମ୍ପର୍କରେ ସୂଚନା ପାଇ ଏସପି ଋଷିକେଶ ଡି ଖିଲାଡ଼ି ନିଲମ୍ବନ ଆଦେଶ ଦେଇଥିଲେ । ନିଲମ୍ବିତ କର୍ମଚାରୀ ମାନେ ହେଲେ ଏଏସଆଇ ସ୍ମୃତି ରଞ୍ଜନ ସ୍ୱାଇଁ, ଚନ୍ଦନ କୁମାର ସିଂ ଏବଂ କନଷ୍ଟେବଳ ଦୀପକ କୁମାର ପାଲ ।

ଭାରତ ପ୍ରଧାନମନ୍ତ୍ରୀ ଓ ଫ୍ରାନ୍ସ ରାଷ୍ଟ୍ରପତି ମାକ୍ରନଙ୍କ ମିଳିତ ବିବୃତି, କହିଲେ ଋଷ-ୟୁକ୍ରେନ ସଂଘର୍ଷର ତୁରନ୍ତ ଘଟୁ ଅନ୍ତ

ପ୍ୟାରିସ: ଋଷ-ୟୁକ୍ରେନ ସଂଘର୍ଷର ତୁରନ୍ତ ଅବସାନ ହେଉ ଏବଂ ମାନବିକ ଦୁର୍ଦ୍ଦଶାର ଅନ୍ତ ଘଟୁ ବୋଲି ଆହ୍ବାନ ଦେଇଛନ୍ତି ଭାରତ ଓ ଫ୍ରାନ୍ସ । ଏନେଇ ପ୍ୟାରିସରେ ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଫ୍ରାନ୍ସ ରାଷ୍ଟ୍ରପତି ଏମାନୁଏଲ ମାକ୍ରନଙ୍କ ମଧ୍ୟରେ ଏକ ମିଳିତ ବିବୃତି ଜାରି ହୋଇଛି । ଯୁଦ୍ଧ ଯୋଗୁ ଦୁର୍ଦ୍ଦଶା ଚରମ ସୀମାରେ ପହଞ୍ଚିଛି ଏବଂ ବିଶ୍ବରେ ଖାଦ୍ୟାଭାବ ଚରମ ରୂପ ନେଲାଣି ବୋଲି ବିବ଼ୃତିରେ ପ୍ରକାଶିତ ହୋଇଛି ।

ସେପଟେ ୟୁକ୍ରେନରେ ଋଷ ସୈନ୍ୟ ଥିବା ପର୍ଯ୍ୟନ୍ତ ମସ୍କୋ ସହ କୌଣସି ପ୍ରକାର ଚୁକ୍ତି ହେବ ନାହିଁ । ୟୁକ୍ରେନ ମାଟିରୁ ଋଷ ସୈନ୍ୟଙ୍କୁ ହଟାଇବା ଲାଗି ୟୁକ୍ରେନ ସୈନ୍ୟ ସଂଘର୍ଷ କରିବେ ଏବଂ ଦେଶର ସୀମାଗତ ସାର୍ବଭୌମତ୍ୱ ରକ୍ଷା ଲାଗି ୟୁକ୍ରେନ ଉଦ୍ୟମ କରିବ ବୋଲି କହିଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି । ୟୁକ୍ରେନରେ ଋଷ ସୈନ୍ୟ ଥିବା ଯାଏ ସେ ଅସ୍ତ୍ରବିରତି ପ୍ରସ୍ତାବକୁ ଗ୍ରହଣ କରିବେ ନାହିଁ ବୋଲି କହିଛନ୍ତି । ସେପଟେ ଋଷ-ୟୁକ୍ରେନ ଯୁଦ୍ଧ ପ୍ରସଙ୍ଗକୁ ନେଇ ନାଟୋ ଉପରେ ଦୋଷ ଢ଼ାଳିଛନ୍ତି ପୋପ୍ ଫ୍ରାନସିସ । ଋଷ ପ୍ରତି ନାଟୋର ବୈମାତୃକ ମନୋଭାବ ହିଁ ଯୁଦ୍ଧର କାରଣ ସାଜିଲା ବୋଲି ସେ କହିଛନ୍ତି ।

ଅନ୍ୟପଟେ ଯୁଦ୍ଧର ଅବସ୍ଥା ଦିନକୁ ଦିନ ଘନୀଭୂତ ହେଉଥିବା ବେଳେ, ପୁଣି ମାରିୟୁପୋଲ ଆଜଭୋସ୍ତଲ ଷ୍ଟିଲ ପ୍ଲାଣ୍ଟରେ ଆରମ୍ଭ ହୋଇଛି ସଂଘର୍ଷ । ୧୦୦ ବିପନ୍ନଙ୍କୁ ଉଦ୍ଧାର ପରେ ପୁଣି ଦୁଇ ପକ୍ଷ ସୈନ୍ୟଙ୍କ ମଧ୍ୟରେ ସଂଘର୍ଷ ଯୋଗୁ ଉଦ୍ଧାର ପ୍ରକ୍ରିୟା ଠପ୍ ହୋଇଛି । ତୁରନ୍ତ ଉଦ୍ଧାର ପ୍ରକ୍ରିୟାରେ ହସ୍ତକ୍ଷେପ କରିବା ଲାଗି ଜାତିସଂଘକୁ ଅନୁରୋଧ କରିଛନ୍ତି ଜେଲେନସ୍କି । ମହାସଚିବ ଆଣ୍ଟୋନିଓ ଗୁଟେରସଙ୍କୁ ସେ ମାନବିକ ସଂକଟ ସମ୍ପର୍କରେ ଅବଗତ କରାଇବା ସହ ଫସିଥିବା ଲୋକଙ୍କୁ ଉଦ୍ଧାର ପାଇଁ ଆହ୍ବାନ ଜଣାଇଛନ୍ତି । ସେହିପରି ୟୁକ୍ରେନର ଅଣସାମରିକ କ୍ଷେତ୍ର ଉପରେ ଋଷ ଆକ୍ରମଣ କରୁଥିବା ନେଇ ଅଭିଯୋଗ କରିଛି ବ୍ରିଟେନ । ବିଭିନ୍ନ ଜନବସତି ଉପରେ ଋଷ କ୍ଷେପଣାସ୍ତ୍ର ମାଡ଼ କରୁଥିବାରୁ ମୃତାହତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି ବୋଲି କହିଛି ବ୍ରିଟେନ ପ୍ରତିରକ୍ଷା ମନ୍ତ୍ରାଳୟ ।

ସରିଲା ରମଜାନ୍, ଲିକ୍ ହେବାକୁ ଯାଉଛି ଇମ୍ରାନଙ୍କ ଆପତ୍ତିଜନକ ଭିଡିଓ

ଲାହୋର୍: ଲିକ୍ ହେବାକୁ ଯାଉଛି ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଭିଡିଓ । ଗୋଟିଏ କି ଦୁଇଟି ନୁହେଁ ଏକାଥର ଲିକ୍ ହେବ ୭ଟି ଭିଡିଓ । ସେଥିମଧରୁ ୩ଟି ଭିଡିଓ ଆପତ୍ତିଜନକ ଥିବା ମଧ୍ୟ ସୂଚନା ମିଳିଛି । ଇମ୍ରାନଙ୍କ ପାର୍ଟି ପାକିସ୍ତାନ ତେହେରିକ-ଇ-ଇନସାଫ (ପିଟିଆଇ) ର ସୋସିଆଲ ମିଡିଆ ୱିଙ୍ଗ ଭିଡିଓ ଆସିବା ପୂର୍ବରୁ କ୍ଷତି ନିୟନ୍ତ୍ରଣରେ ନିୟୋଜିତ ହୋଇସାରିଛନ୍ତି।

ଗତ ସପ୍ତାହରେ ଇମ୍ରାନ ନିଜେ କହିଥିଲେ ଯେ, ଇଦ୍ ପରେ ତାଙ୍କ ଚରିତ୍ରକୁ ସଂହାର କରିବା ପାଇଁ ଚେଷ୍ଟା କରାଯାଇପାରେ।

ଅନେକ ପାକିସ୍ତାନୀ ସାମ୍ବାଦିକ ସ୍ପଷ୍ଟ କରିଛନ୍ତି ଯେ, ଇମ୍ରାନଙ୍କ କିଛି ଆପତ୍ତିଜନକ ଭିଡିଓ ଯେ କୌଣସି ସମୟରେ ଲିକ୍ ହୋଇପାରେ। ବରିଷ୍ଠ ସାମ୍ବାଦିକ ଜାଫର ଅବ୍ବାସ ନକଭି କହିଛନ୍ତି ଯେ, ଭିଡିଓ ଗୁଡିକ ରିଲିଜ୍ ହେବାକୁ ପ୍ରସ୍ତୁତ ହୋଇସାରିଛି ଏବଂ ଇମ୍ରାନ ଖାନ ନିଜେ ଏହା ଜାଣିଛନ୍ତି। ତାଙ୍କର ସୋସିଆଲ ମିଡିଆ ଟିମ୍ ‘ପ୍ରି ଡ୍ୟାମେଜ କଣ୍ଟ୍ରୋଲ’ କରିବା ପାଇଁ ସଜାଗ ଅଛନ୍ତି ।

ସୂଚନା ଅନୁସାରେ, ମୋଟ ୭ ରୁ ୮ ଟି ଭିଡିଓ ରହିଛି । ସେ୍ଥିରେ ଦୁଇଟି ଅଡିଓ ଟେପ୍ ମଧ୍ୟ ଅଛି | ଇମ୍ରାନ ସରକାରଙ୍କ ପତନ ପରେ ତୁରନ୍ତ ଏଗୁଡିକ ଜାରି କରାଯାଇଥାନ୍ତା, କିନ୍ତୁ ସେତେବେଳେ ରମଜାନ ମାସ ଚାଲିଥିଲା। ଏବେ ରମଜାନ ମାସ ସରିବାରୁ ଯେ, କୌଣସି ସମୟରେ ଏହା ଲିକ୍ ହୋଇପାରେ ।

କିଛି ଭିଡିଓ ଇମ୍ରାନଙ୍କ ବିଳାସପୂର୍ଣ୍ଣ ବାସଭବନରେ ସୁଟ୍ କରାଯାଇଛି। ଏହି ଭିଡିଓର ସମୟ ସୀମା ହେଉଛି ୨ ମିନିଟ୍ ୧୮ ସେକେଣ୍ଡ ଏଠାରେ ଏକ ବିଶେଷ କଥା ହେଉଛି ଇମ୍ରାନ ଏବଂ ତାଙ୍କ ପାର୍ଟି PTI ଭିଡିଓଗୁଡ଼ିକୁ ନକଲି ବୋଲି କହିପାରିବେ ନାହିଁ, ତେଣୁ ଏହାକୁ ରିଲିଜ କରିବା ପୂର୍ବରୁ ଫୋରେନସିକ୍ ଅଡିଟ୍ କରାଯାଇଛି ।

ଏହି ଭିଡିଓ ଗୁଡିକ ପାକିସ୍ତାନରେ ଆଲୋଡ଼ନ ସୃଷ୍ଟି କରିବାକୁ ଯାଉଛି। ଭିଡିଓରେ ଆପତ୍ତିଜନକ ବିଷୟ ଥିବାରୁ ଏହାକୁ ସର୍ବସାଧାରଣରେ ପ୍ରକାଶ କରିବା ସମ୍ଭବ କି ନୁହେଁ ତାହା ପରେ ଜଣାପଡ଼ିବ ।

ଇମ୍ରାନ ଖାନ ଇସଲାମାବାଦଠାରୁ ପ୍ରାୟ ୧୫ କିଲୋମିଟର ଦୂରରେ ଥିବା ବାନିଗାଲାରେ ରୁହନ୍ତି। ପାକିସ୍ତାନର ସମସ୍ତେ ଜାଣନ୍ତି ଯେ, ଇମ୍ରାନ ପ୍ରତ୍ୟେକ ଦିନ ହେଲିକପ୍ଟର ଯୋଗେ ତାଙ୍କ ଘର ବାନିଗାଲା ଠାରୁ ଅଫିସକୁ ଯାଉଥିଲେ। ବାନିଗାଲାରେ ଇମ୍ରାନଙ୍କର ଏକ ବିଳାସପୂର୍ଣ୍ଣ ବାସଭବନ ଅଛି ଏବଂ ଏହା ପାହାଡ଼ିଆ ଅଞ୍ଚଳରେ । ଏହା ଏକର ଏକର ଜମିରେ ଥିବା କୁହାଯାଉଛି । ସେଠାରେ  ଗଲ୍ଫ  ଠାରୁ ଆରମ୍ଭ କରି ସୁଇମିଂ ପୁଲ ଏବଂ ସମସ୍ତ ପ୍ରକାରର ସୁବିଧା ମଧ୍ୟ ରହିଛି  ।

ଏକ ମିଡିଆ ରିପୋର୍ଟ ଅନୁସାରେ, ଇମ୍ରାନଙ୍କ ଦ୍ୱାରା ପ୍ରସ୍ତୁତ ଭିଡିଓ ମଧ୍ୟରୁ ୩ ଟି ତାଙ୍କ ବାନିଗାଲା ଘରେ ତିଆରି ହୋଇଛି ।

ସମ୍ଭାବ୍ୟ ବାତ୍ୟାକୁ ନେଇ ଆଜି ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳଙ୍କ ସହ ସମୀକ୍ଷା କରିବେ ଏସଆରସି

ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟାକୁ ନେଇ ରାଜ୍ୟ ସରକାରଙ୍କ ପ୍ରସ୍ତୁତି ବୈଠକ । ଦିନ ୧୨ଟାରେ ଏସଆରସିଙ୍କ ପକ୍ଷରୁ ବସିବ ବୈଠକ । ପ୍ରଭାବିତ ହେବାକୁ ଥିବା ଜିଲ୍ଲାପାଳଙ୍କ ସହ କଥା ହେବେ ସ୍ୱତନ୍ତ୍ର ରିଲିଫ କମିଶନର । ୧୮ ଜିଲ୍ଲାକୁ ସତର୍କ ରହିବାକୁ କୁହାଯାଇଛି । ଗଞ୍ଜାମ, ଗଜପତି, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁର, ଭଦ୍ରକ, ବାଲେଶ୍ବର, ନୟାଗଡ଼, କଟକ, ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, ମାଲକାନଗିରି, କୋରାପୁଟ , ରାୟଗଡ଼ା ଓ କନ୍ଧମାଳ ଜିଲ୍ଲାପାଳଙ୍କୁ ସମ୍ଭାବ୍ୟ ବାତ୍ୟାକୁ ନେଇ ସତର୍କ କରାଯାଇଛି । ଜିଲ୍ଲା ଜରୁରିକାଳୀନ ଅପରେସନ ସେଣ୍ଟର ଓ କଣ୍ଟ୍ରୋଲ ରୁମ୍ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ସେହିପରି ତଳିଆ ଅଞ୍ଚଳ ଲୋକଙ୍କୁ ସ୍ଥାନାନ୍ତର ସହ ସୁରକ୍ଷିତ ଆଶ୍ରୟସ୍ଥଳୀରେ ରଖିବାକୁ ପ୍ରାଧାନ୍ୟ ଦିଆଯିବ । ସବୁ ସ୍ଥାୟୀ ଓ ଅସ୍ଥାୟୀ ଆଶ୍ରୟସ୍ଥଳୀ ଚିହ୍ନଟ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ପ୍ରତ୍ୟେକ ଆଶ୍ରୟସ୍ଥଳୀରେ ୨ ଜଣ ପୁରୁଷ ଓ ଜଣେ ମହିଳା ଦାୟିତ୍ୱରେ ରହିବେ । ସେମାନେ ଆଶାକର୍ମୀ ବା ଶିକ୍ଷୟିତ୍ରୀ, କନଷ୍ଟେବଳ ବା ହୋମଗାର୍ଡ ହୋଇଥିବେ । ଆସନ୍ତାକାଲି ସୁଦ୍ଧା ଏହାକୁ ପ୍ରସ୍ତୁତ ହେବା ଦରକାର ବୋଲି ଗାଇଡଲାଇନ ଜାରି ହୋଇଛି । ପକ୍କା ସ୍କୁଲ ଘର ମଧ୍ୟ ବାତ୍ୟା ଆଶ୍ରୟସ୍ଥଳୀ ଭାବେ ବ୍ୟବହାର ହୋଇପାରିବ । ସବୁ ବାତ୍ୟା ଆଶ୍ରୟସ୍ଥଳୀ ସ୍ଥାନୀୟ ବିଡିଓ କିମ୍ବା ତହସିଲଦାରଙ୍କ ଦ୍ବାରା ଯାଞ୍ଚ ହେବ । ପାଣି, ଶୌଚାଳୟ, ଜେନେରେଟର, ଲାଇଟ୍ ମହଜୁଦ ଅଛି କି ନାହିଁ ତା’ର ତଦାରଖ କରିବେ ।

ବଲାଙ୍ଗୀର ଲଡକିପାଲରେ ଅଭାବନୀୟ ଘଟଣା, ଚାଷ ଜମିରୁ ମିଳିଲା ମହିଳାଙ୍କ କ୍ଷତାକ୍ତ ମୃତଦେହ

ବଲାଙ୍ଗୀର: ମହିଳାଙ୍କୁ ବୀଭତ୍ସ ହତ୍ୟା । ବଲାଙ୍ଗୀର ସହରର ୧ ନମ୍ବର ଓ୍ୱାର୍ଡ ଲଡ଼କିପାଲିଠାରେ ମହିଳାଙ୍କୁ ହତ୍ୟା କରାଯାଇଛି । ଘରଠାରୁ କିଛି ଦୂରରେ ଥିବା ଚାଷ ଜମିରୁ ମହିଳାଙ୍କ କ୍ଷତାକ୍ତ ମୃତଦେହ ମିଳିଛି । ମୃତ ମହିଳା ଜଣଙ୍କ ହେଲେ ଅଞ୍ଜନା ପଟେଲ । ଗତକାଲି ସନ୍ଧ୍ୟାରେ ଶୌଚ ପାଇଁ ଯାଇ ଆଉ ଘରକୁ ଫେରିନଥିଲେ ଅଞ୍ଜନା । ଏନେଇ ପରିବାର ଲୋକେ ଖୋଜାଖୋଜି କରିବା ପରେ ଚାଷ ଜମିରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ମୃତ ଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ । ମୃତଦେହ ନିକଟରେ ମଦ ବୋତଲ ମଧ୍ୟ ପଡ଼ିଥିବା ଦେଖିବାକୁ ମିଳିଛି । ମଦ ପିଇ ଦୃବର୍ତ୍ତମାନେ ମହିଳାକୁ ଦୁଷ୍କର୍ମ ସହ ହତ୍ୟା କରିଥିବା ପୋଲିସ ଅନୁମାନ କରୁଛି । ତେବେ ଘଟଣାସ୍ଥଳରେ ଟାଉନ୍ ଥାନା ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ କରୁଛି ।

ଭିଜିଲାନ୍ସ ଜାଲରେ ଭୁବନେଶ୍ବର କଳାରାହାଙ୍ଗର ପ୍ରାଣୀଧନ ନିରୀକ୍ଷକ, ଏକକାଳୀନ ୯ଟି ସ୍ଥାନରେ ଚଢ଼ାଉ

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ଭୁବନେଶ୍ବର ରଘୁନାଥପୁର କଳାରାହାଙ୍ଗର ପ୍ରାଣୀଧନ ନିରୀକ୍ଷକ । ପ୍ରାଣୀଧନ ନୀରିକ୍ଷକ ଜଗନ୍ନାଥ ରାଉତଙ୍କ ବାସଭବନରେ ରେଡ୍ କରିଛି ଭିଜିଲାନ୍ସ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଖୋର୍ଦ୍ଧା ଓ କଟକ ଜିଲ୍ଲାର ୯ଟି ସ୍ଥାନରେ ଏକକାଳୀନ ରେଡ୍ କରୁଛି ଭିଜିଲାନ୍ସ । ଭୁବନେଶ୍ୱର ରଘୁନାଥପୁର ରୟାଲ ଲାଗୁନ ଆପାର୍ଟମେଣ୍ଟରେ ଥିବା ଘର, ରଘୁନାଥପୁରରେ ଥିବା ଗୋବିନ୍ଦ ଭବନ ନାମକ ୩ ମହଲା କୋଠା, ରଘୁନାଥପୁରରେ ଥିବା ୨ ମହଲା କୋଠା, ଗାଁ ପୋଖରୀ ପାଖରେ ଥିବା ଘର, ଗ୍ରୀନ ଗାର୍ଡେନ ଆପାର୍ଟମେଣ୍ଟରେ ଥିବା ଫ୍ଲାଟରେ ଚଢ଼ାଉ ଚାଲିଛି । ସେହିପରି କଳାରାହାଙ୍ଗରେ ଥିବା ଭେଟେନାରୀ କାର୍ଯ୍ୟାଳୟ ଓ ରୟାଲ ଆରକେଡରେ ଥିବା ଫ୍ଲାଟରେ ଚଢ଼ାଉ ଚାଲିଛି । ବାଙ୍କୀ ଚାରିଘରିଆରେ ଥିବା ଆଉଟହାଉସରେ ମଧ୍ୟ ଚଢ଼ାଉ ହୋଇଛି । ଏହି ଭିଜିଲାନ୍ସ ରେଡରେ ୫ ଡିଏସପି, ୧୦ ଇନସ୍ପେକ୍ଟର ସାମିଲ ହୋଇଛନ୍ତି ।

ରଥଯାତ୍ରା ପାଇଁ ତତ୍ପର ପ୍ରଶାସନ, ଆଜି ପୁରୀ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ

ପୁରୀ: ଆସନ୍ତା ଜୁଲାଇ ୧ରେ ମହାପ୍ରଭୁ ଜଗନ୍ନାଥଙ୍କ ଘୋଷଯାତ୍ରା । ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ଆରମ୍ଭ ହୋଇସାରିଛି ପ୍ରସ୍ତୁତି । ରଥଯାତ୍ରା ପାଇଁ ତତ୍ପର ପ୍ରଶାସନ । ଆଜି ପୁରୀ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ । ଗୁରୁତ୍ବପୂର୍ଣ୍ଣ ବୈଠକରେ ବିଭିନ୍ନ ବିଭାଗର ଅଧିକାରୀ ଯୋଗଦେବା ସହ ରଥଯାତ୍ରା ସମୟରେ ଅନୁସଙ୍ଗିକ ସୁବିଧା ସୁଯୋଗ କିଭଳି ଭକ୍ତ ପାଇବେ ସେନେଇ ବିଶେଷ ଭାବେ ଆଲୋଚନା କରାଯିବ । ମୁଖ୍ୟତଃ ପୁରୀର ସୁରକ୍ଷା ବ୍ୟବସ୍ଥା ସହ ଶୃଙ୍ଖଳିତ ନୀତିକାନ୍ତି, ରାସ୍ତାଘାଟ ମରାମତି, ସ୍ୱାସ୍ଥ୍ୟ, ବିଦ୍ୟୁତ୍ ଓ ଅନ୍ୟାନ୍ୟ ବିଭାଗ ଆଲୋଚନା କରାଯିବ । ରଥ ସମନ୍ୱୟ କମିଟି ବୈଠକ ପୂର୍ବରୁ ଆଜି ବସିବ ଏହି ବୈଠକ ।

ସେପଟେ ଚାଲିଛି ରଥ ନିର୍ମାଣ କାର୍ଯ୍ୟ । କରତୀ ସେବାୟତଙ୍କ ଦ୍ୱାରା ଆରମ୍ଭ ହୋଇଛି ତୁମ୍ଭ କଟା କାର୍ଯ୍ୟ । ତିନି ରଥର ତୁମ୍ଭ କଟାଯାଉଥିବା ବେଳେ ତୁମ୍ଭକୁ ପରବର୍ତ୍ତି ସମୟରେ ସାଲ କରାଯିବ । ପ୍ରଥମ ଦିନରେ ୩ ରଥ ପାଇଁ ତୁମ୍ବ ନିର୍ମାଣ କରାଯାଇଛି । ପ୍ରାଥମିକ ଭାବରେ ୩ରଥ ପାଇଁ ୪୨ଟି ଚକର ଆବଶ୍ୟକତା ଥିବାବେଳେ ୪୨ଟି ତୁମ୍ବ ନିର୍ମାଣ କାର୍ଯ୍ୟ କରୁଛନ୍ତି ବିଶ୍ବକର୍ମା ମହାରଣା ଓ କରତି ସେବାୟତ ।

ଖୋଲିବ ୪୨୦ ପ୍ରେମୀ ଯୁଗଳଙ୍କ ମୁଖା, ଆଜିଠୁ ୩ ଦିନିଆ ରିମାଣ୍ଡରେ ଯିବେ ବଣ୍ଟି ବବଲି

ଭୁବନେଶ୍ୱର: ଖୋଲିବ ୪୨୦ ପ୍ରେମୀ ଯୁଗଳଙ୍କ ମୁଖା । ଭୁବନେଶ୍ୱର ଘରୋଇ ଇଞ୍ଜିନିୟରିଂ କଲେଜରୁ ୯୭ ଲକ୍ଷ ଟଙ୍କା ହଡପ ମାମଲା । ଆଜିଠୁ ୩ ଦିନିଆ ରିମାଣ୍ଡରେ ଯିବେ ପ୍ରେମୀଯୁଗଳ । ପୁରୁଷ ବନ୍ଧୁ ବିକାଶ କୁମାର ଓ ପ୍ରେମିକାକୁ ମୁହାଁ ମୁହିଁ ଜେରା କରିବ ତମାଣ୍ଡୋ ଥାନା ପୋଲିସ । ୪୨୦ ପ୍ରେମୀ ଯୁଗଳଙ୍କ ମୁଖା ଖୋଲିବାକୁ ଗୁଡ଼ାଇ ତୁଡ଼ାଇ ପ୍ରଶ୍ନ କରିବ ପୋଲିସ । ଲୁଟ୍ ଟଙ୍କାରେ ରାଜ୍ୟ ବାହାରେ କରୁଥୁଲେ ଅଏସୀ । ସିମଲା, ଜାମ୍ମୁ କଶ୍ମୀର, ଦିଲ୍ଲୀ ଭଳି ଟୁରିଷ୍ଟ ଲୋକେସନରେ ବୁଲୁଥିବା ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏପରିକି ପ୍ରେମିକା ଦେଇଥିବା ୯୭ ଲକ୍ଷ ଟଙ୍କାରୁ ୬୫ ଲକ୍ଷ ଟଙ୍କାର ଅନଲାଇନରେ ଜୁଆ ଖେଳିଥିବା ପୋଲିସ ଆଗରେ ମାନିଛି ବିକାଶ । ବିକାଶ ମୋବାଇଲକୁ ନେଇ ଖୋଳତାଡ଼ କରୁଛି ପୋଲିସ । ମୋବାଇଲରୁ ଟଙ୍କା ସମ୍ବନ୍ଧୀୟ ତଥ୍ୟ ଓ ଏକାଧିକ ଅନଲାଇନ ଗେମ୍ ଆପ ଥିବା ପୋଲିସ ହାତରେ ପ୍ରମାଣ ଲାଗିଛି ।

ଡ୍ରିଙ୍କ୍ ଫ୍ରମ୍ ଟ୍ୟାପକୁ ଅନୁସରଣ ଲାଗି ଅନ୍ୟ ରାଜ୍ୟକୁ କେନ୍ଦ୍ରର ପରାମର୍ଶ, ଓଡ଼ିଶା ଆସି ସମୀକ୍ଷା କଲେ କର୍ଣ୍ଣାଟକ ଅଧିକାରୀ

ଭୁବନେଶ୍ୱର: ଦେଶର ମଡେଲ ଓଡ଼ିଶାର ‘ଡ୍ରିଙ୍କ ଫ୍ରମ ଟ୍ୟାପ୍’ । ଓଡ଼ିଶାକୁ ଅନୁସରଣ ଲାଗି ଅନ୍ୟ ରାଜ୍ୟକୁ କେନ୍ଦ୍ରର ପରାମର୍ଶ । ଓଡ଼ିଶା ଆସି ଟ୍ୟାପରୁ ପାଣି ପିଇଲେ କର୍ଣ୍ଣାଟକ ଅଧିକାରୀ । ରାଜ୍ୟ ସରକାର ଆରମ୍ଭ କରିଥିବା ୨୪ ଘଣ୍ଟିଆ ‘ଡ୍ରିଙ୍କ ଫ୍ରମ ଟ୍ୟାପ୍’ ପାନୀୟ ଜଳ ଯୋଜନା ଏବେ ଦେଶ ପାଇଁ ମଡେଲ୍ ସାଜିଛି । ଓଡ଼ିଶାର ବିଭିନ୍ନ ପୌରାଞ୍ଚଳରେ ଅତ୍ୟାଧୁନିକ ଜ୍ଞାନକୌଶଳ ଦ୍ୱାରା ଜଳକୁ ବିଶୁଦ୍ଧ କରାଯାଇ ଯୋଗାଇ ଦିଆଯାଉଛି । ଲୋକମାନେ ଏହାକୁ ସିଧାସଳଖ ଟ୍ୟାପରୁ ପାଣି ନେଇ ପିଇ ପାରୁଛନ୍ତି ।

ରାଜ୍ୟରେ ଚାଲୁ ରହିଥିବା ଏହି ଯୋଜନାକୁ ଅନ୍ୟ ରାଜ୍ୟଗୁଡ଼ିକ କେମିତି ଲାଗୁ କରିପାରିବେ ତାହା ଉପରେ କେନ୍ଦ୍ର ସରକାର ଗୁରୁତ୍ୱ ଦେଇଛନ୍ତି । ଏଥିପାଇଁ ଏହି ମଡେଲକୁ ଗ୍ରହଣ କରି ନିଜ ନିଜ ରାଜ୍ୟବାସୀଙ୍କୁ ଜଳ ଯୋଗାଇ ଦେବାକୁ କେନ୍ଦ୍ର ସରକାର ଏକ ବିଜ୍ଞପ୍ତି ଜାରି କରିଛନ୍ତି । କମ୍ ଦିନ ମଧ୍ୟରେ ରାଜ୍ୟରେ ବହୁ ସଫଳତା ହାସଲ କରିଥିବା ଏହି ଯୋଜନା ଓଡ଼ିଶା ଜଳ ଆୟୋଗ ‘ୱାଟକୋ’ ଦ୍ୱାରା ପରିଚାଳିତ ହେଉଛି । ତେଣୁ ୱାଟକୋର ମୁଖ୍ୟ କାର୍ଯ୍ୟନିର୍ବାହୀ ପ୍ରଦୀପ୍ତ ସ୍ୱାଇଁଙ୍କୁ କେନ୍ଦ୍ର ସରକାର ଗଠନ କରିଥିବା ଜାତୀୟ ଟାସ୍କ ଫୋର୍ସର ସଦସ୍ୟ ଭାବରେ ନିଯୁକ୍ତି ଦେଇଛନ୍ତି । ଓଡ଼ିଶାରେ କିପରି ଏହି ଯୋଜନା କାର୍ଯ୍ୟକାରୀ ହେଉଛି ସେ ସମ୍ପର୍କରେ ରାଜ୍ୟର ଅଭିଜ୍ଞତା ବୁଝିବା ପାଇଁ ବିଭିନ୍ନ ରାଜ୍ୟ ଆଗ୍ରହ ପ୍ରକାଶ କରିଛନ୍ତି ।

ନିକଟରେ କର୍ଣ୍ଣାଟକର ଏକ ୨୦ ଜଣିଆ ଉଚ୍ଚସ୍ତରୀୟ ପ୍ରଶାସନିକ ଦଳ ଓଡ଼ିଶା ଆସି ରାଜ୍ୟର ବିଭିନ୍ନ ସ୍ଥାନରେ ବୁଲି ଏହି ଯୋଜନାର ରୂପରେଖ ଦେଖିଛନ୍ତି । ୨୦ ସଦସ୍ୟ ବିଶିଷ୍ଟ ଦଳରେ କର୍ଣ୍ଣାଟକ ନଗର ଉନ୍ନୟନ ବିଭାଗର ସଚିବ, ଜଳ ଯୋଗାଣ ଓ ଡ୍ରେନେଜ୍ ବୋର୍ଡର ପରିଚାଳନା ନିର୍ଦ୍ଦେଶକ ଏହି ଗସ୍ତରେ ଆସିଥିଲେ । ସେମାନେ ରାଜ୍ୟ ନଗର ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ଜି.ମାଥିଭାଥନନଙ୍କ ସହିତ ଆଲୋଚନା କରିଛନ୍ତି । ଏହା ସହିତ ବୈଷୟିକ, କାର୍ଯ୍ୟନିର୍ବାହୀ, କାର୍ଯ୍ୟକ୍ଷମ, ରକ୍ଷଣାବେକ୍ଷଣ ଆଦି କାର୍ଯ୍ୟ ଦେଖିବା ସହ ଓଡ଼ିଶା ବରିଷ୍ଠ ଅଧିକାରୀଙ୍କଠାରୁ ଅଭିଜ୍ଞତା ଗ୍ରହଣ କରିଛନ୍ତି । ଏହି ଟିମ୍ ପୁରୀ ଏବଂ ଭୁବନେଶ୍ୱରର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରି କ୍ଷେତ୍ରସ୍ତରରେ ସ୍ଥିତି ଦେଖିଛନ୍ତି ।