spot_img
Home Blog Page 4372

ଆଜିଠୁ ଆରମ୍ଭ ମାଟ୍ରିକ ଖାତା ଦେଖା, ୫୮ଟି କେନ୍ଦ୍ରରେ ମୂଲ୍ୟାୟନ

ଭୁବନେଶ୍ୱର: ଆଜିଠୁ ଆରମ୍ଭ ମାଟ୍ରିକ ପରୀକ୍ଷା ଖାତା ମୂଲ୍ୟାୟନ । ଏହି ପ୍ରକ୍ରିୟାରେ ଦଶମ ଶ୍ରେଣୀ ସହିତ SOS ଓ ମଧ୍ୟମା ପରୀକ୍ଷାର ଖାତା ମଧ୍ୟ ମୂଲ୍ୟାୟନ କରାଯିବ । ଏନେଇ ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ରାଜ୍ୟର ୫୮ଟି କେନ୍ଦ୍ରରେ ଖାତାଦେଖା ହେବ । ଚଳିତ ଥର ଖାତାଦେଖା ପାଇଁ 481 ଜଣ ମୁଖ୍ୟ ଏଗଜାମିନରଙ୍କ ସହ 900 ଜଣ ଡେପୁଟି ଏଗଜାମିନର, 8919 ଜଣ ସହକାରୀ ଏଗଜାମିନର, 930 ସ୍କ୍ରୁଟିନାଇଜରଙ୍କୁ ବୋର୍ଡ ପକ୍ଷରୁ ନିୟୋଜିତ କରାଯାଇଥିବା ସୂଚନା ମିଳିଛି ।

ସୂଚନା ମୁତାବକ  10ରୁ 12 ଦିନ ପର୍ଯ୍ୟନ୍ତ ଖାତା ଦେଖା କାର୍ଯ୍ୟ ଜାରି ରହିବ । ପରେ ଅନଲାଇନରେ ମାର୍କ ଅପଲୋଡ଼ କରାଯିବ ବୋଲି ବୋର୍ଡ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ସେପଟେ ପରୀକ୍ଷା ଭଲ ହୋଇଥିବାରୁ ଖାତା ଦେଖା ଭଲରେ ହେବ ଏବଂ ପରୀକ୍ଷା ଫଳ ମଧ୍ୟ ଆଶାନୁରୂପ ହେବ ବୋଲି ଆଶା ପ୍ରକାଶ କରିଛନ୍ତି ପରୀକ୍ଷାର୍ଥୀ।

ରାୟଗଡ଼ାରେ ୨ଶହ ଟଙ୍କିଆ ଜାଲ ନୋଟ..

ରାୟଗଡ଼ା: ସହରରେ ଘୁରି ବୁଲୁଛି ୨୦୦ ଟଙ୍କିଆ ଜାଲ ନୋଟ । ଏହି ଜାଲ ନୋଟର ଶିକାର ହୋଇଛନ୍ତି ୨ ଜଣ ଫୁଲ ବ୍ୟବସାୟୀ । ରାୟଗଡ଼ା ସହରର ମୁଖ୍ୟ ବଜାରରେ ଫୁଲ ବ୍ୟବସାୟୀ କରି ଗୁଜୁରାଣ ମେଣ୍ଟାଉଛନ୍ତି ଶେଖ ମୁନ୍ନା ଓ ଜଣେ ବୃଦ୍ଧା । ତେବେ ୨୦୦ ଟଙ୍କିଆ ଜାଲ୍ ନୋଟ ମିଳିବା ପରେ ରାୟଗଡ଼ାରେ ଲୋକେ ଆଶା ଆଶଙ୍କାରେ ଅଛନ୍ତି ।

ଏହି ଜାଲ ନୋଟ କାରବାରର ଚେର ବାହାର ରାଜ୍ୟରୁ ଲମ୍ବିଥିବା ଅନୁମାନ କରାଯାଉଛି । ଜାଲ ନୋଟ୍ କାରବାର କରୁଥିବା ଅଭିଯୁକ୍ତଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି । କେଉଁଠୁ ଓ କିଏ ଏହି କାରବାରରେ ସଂଶ୍ଲିଷ୍ଠ ତାାହାର ଛାନଭିନ ଆରମ୍ଭ କରିବାକୁ ଦାବି କରାଯାଇଛି  ।

ଡରାଉଛି ମଙ୍କିପକ୍ସ, ଜାଣନ୍ତୁ ଏହାର ପ୍ରାଥମିକ ଲକ୍ଷଣ ବିଷୟରେ

ନୂଆଦିଲ୍ଲୀ: କରୋନା ପରେ ଏବେ ନୂଆ ରୋଗ ଯୋଗୁ ଚିନ୍ତାରେ ପଡ଼ିଯାଇଛି ପୂରା ବିଶ୍ବ । ଏହି ନୂଆ ରୋଗର ନାଁ ହେଲା ମଙ୍କିପକ୍ସ । ମଙ୍କିପକ୍ସ ମଣିଷ ଶରୀରେ ବହୁ ସହଜରେ ବ୍ୟାପୁଥିବା ଦେଖାଯାଉଛି । ଏହି ରୋଗ କ’ଣ? ଏହା କିପରି ବ୍ୟାପୁଛି । ଏହାର ଲକ୍ଷଣ ସବୁ କ’ଣ ରହିଛି ଜାଣନ୍ତୁ ।

ମଙ୍କିପକ୍ସ ହେଉଛି ଜନ୍ତୁଙ୍କଠୁ ମନୁଷ୍ୟଙ୍କୁ ବ୍ୟାପୁଥିବା ରୋଗ । ଏହି ରୋଗ ହେଲେ ମନୁଷ୍ୟ ଶରୀରରେ ଭାତୁଡି ଭଳି ବଡ଼ ବଡ଼ ଗୋଲ୍ ହୋଇ ଫୁଲିଯାଏ । ଏହି ଭାଇରସ ହେଉଛି ଦ୍ବିଗୁଣିତ DNA ଜୀବାଣୁ । ଜାଣନ୍ତୁ ଏହି ଭାଇରସ୍ ବିଷୟରେ ଅଧିକ କିଛି ।

ମଙ୍କିପକ୍ସ ପ୍ରଥମେ କେଉଁଠାରେ ଦେଖାଯାଇଥିଲା?

ମଣିଷ ଶରୀରରେ ମଙ୍କିପକ୍ସ ପ୍ରଥମେ ୧୯୭୦ ମସିହାରେ ରିପବ୍ଲିକ ଅଫ କଙ୍ଗୋର ୯ ବର୍ଷର ବାଳକ ଦେହରେ ଚିହ୍ନଟ ହୋଇଥିଲା, ଏହା ପରଠୁ ଗ୍ରାମାଞ୍ଚଳ, ବର୍ଷା ହେଉଥିବା ଅଞ୍ଚଳରେ ଏହି ମାମଲା ରିପୋର୍ଟ କରାଯାଇଥିଲା। ଏହା ପରେ କଙ୍ଗୋ ଲୋକତାନ୍ତ୍ରୀକ ଗଣରାଜ୍ୟ ଏବଂ ମଧ୍ୟ ଏବଂ ପଶ୍ଚିମ ଆଫ୍ରିକାରେ ଏହା ବହୁ ମାତ୍ରାରେ ଦେଖାଯାଇଥିଲା ।

କେଉଁ ପ୍ରାଣୀ ମଙ୍କିପକ୍ସ ବିସ୍ତାର କରନ୍ତି?

ଅନେକ ପଶୁ ପ୍ରଜାତି ମଙ୍କିପକ୍ସ ଜୀବାଣୁ ପାଇଁ ଦାୟୀ ବୋଲି କୁହାଯାଇଛି । ମଙ୍କିପକ୍ସ ଭାଇରସକୁ ନେଇ ଇତିହାସରେ ଅନିଶ୍ଚିତତା ଜାରି ରହିଛି । ଏହା କାହିଁକି ପରିବେଶରେ ରହୁଛି ତାହାର କାରଣ ମଧ୍ୟ ଖୋଜିବାକୁ ଅଧ୍ୟୟନ ଜାରି ରହିଛି ।

ଏହାର ଲକ୍ଷଣଗୁଡ଼ିକ କଣ?

ମଙ୍କିପକ୍ସ ସଂକ୍ରମଣ ସାଧାରଣତଃ ଲକ୍ଷଣରୁ ଜଣାପଡ଼େ । ଏହା ୬ ରୁ ୧୩ ଦିନ ଯାଏ ଶରୀରରେ ରହେ । ଏହା ବେଳେବେଳେ ୫ ରୁ ୨୧ ଦିନ ଯାଏ ମଧ୍ୟ ହୋଇପାରେ । ମଙ୍କିପକ୍ସ ହେଲେ ଜ୍ୱର, ପ୍ରବଳ ମୁଣ୍ଡବିନ୍ଧା, ପିଠି ଯନ୍ତ୍ରଣା, ମାଂସପେଶୀ ଯନ୍ତ୍ରଣା ଏବଂ ଶକ୍ତି ଅଭାବ ଭଳି ଲକ୍ଷଣ ଦେଖାଯାଏ । ଏହା ସହ ଛୋଟ ଛୋଟ ପକ୍ସ ଶରୀରରେ ଦେଖାଯାଏ । ଗଳା ଅପେକ୍ଷା ମୁହଁ, ଚର୍ମ, ହାତ ପାପୁଲି ଏବଂ ପାଦରେ ଅଧିକମାତ୍ରାରେ ଦେଖାଯାଏ ।

ଏହାର ଚିକିତ୍ସା କ’ଣ ?

ଯଦି ମଙ୍କିପକ୍ସ ହୋଇଛି ବୋଲି ଯଦି ଆପଣଙ୍କର ସନ୍ଦେହ ହେଉଛି ତାହାଲେ ସ୍ବାସ୍ଥ୍ୟକେନ୍ଦ୍ରରେ ପରୀକ୍ଷା କରାଇ ଚିକିତ୍ସା କରାନ୍ତୁ । ଏହା ବିଷୟରେ ସଚେତନତା ସୃଷ୍ଟି କରିବା ଏବଂ ସଠିକ ସମୟରେ ସଠିକ୍ ପଦକ୍ଷେପ ନେଲେ ହିଁ ଏହି ରୋଗର ସଙ୍କ୍ରମଣରୁ ରକ୍ଷା ପାଇ ପାରିବା । ମଙ୍କିପକ୍ସ କବଳରୁ ରକ୍ଷା ପାଇବା ପାଇଁ ଟିକା ହିଁ ସଠିକ୍ ଚିକିତ୍ସା । ଏହାର ଟିକା ତିଆରି ପାଇଁ ଏବେ ଗବେଷଣା ଚାଲିଥିବା ଜଣାପଡ଼ିଛି ।

ଏଠାରେ ଆମେ କହି ରଖିବାକୁ ଚାହୁଁଛୁ ଯେ, ଏବେ ମଙ୍କିପକ୍ସ ସଂକ୍ରମଣକୁ ନେଇ ଚିନ୍ତାରେ ରହିଛି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ । ଏହାକୁ ନେଇ ଖୁବଶୀଘ୍ର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ହେବ । ବିଶ୍ବର ବିଭିନ୍ନ ସ୍ଥାନରେ ଏବେ ମଙ୍କିପକ୍ସ ସଂକ୍ରମଣ ବଢିବାରେ ଲାଗିଛି  । ଡବ୍ଲୁଏଚଓ ବୈଠକରେ ସଂକ୍ରମଣର କ୍ଷମତା ଏବଂ ଲୋକଙ୍କୁ କେତେ ମାତ୍ରାରେ ଏହା କ୍ଷତି କରିପାରେ ସେ ପ୍ରସଙ୍ଗରେ ଆଲୋଚନା ହେବ ।

ପୂର୍ବରୁ ଲଣ୍ଡନ, ସ୍ପେନ, ବେଲଜିୟମ, ଇଟାଲୀ, ଅଷ୍ଟ୍ରେଲିଆ ଏବଂ କାନାଡାରେ ମଙ୍କିପକ୍ସ ସଂକ୍ରମଣ ବଢି ଚାଲିଥିବା ବେଳେ ଏବେ ନାଇଜେରିଆରେ ମଧ୍ୟ ବ୍ୟାପିଥିବା ଆଶଙ୍କା କରାଯାଉଛି । କିଛି ଦିନ ତଳେ ନାଇଜେରିଆରୁ ଫେରିଥିବା ଲଣ୍ଡନର ଜଣେ ବ୍ୟକ୍ତି ମଙ୍କିପକ୍ସରେ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

ମଙ୍କିପକ୍ସରେ ସଂକ୍ରମଣ ବହୁତ କୋଚିତ୍ ଲୋକଙ୍କୁ ହେଉଥିବା ବେଳେ ଲୋକେ ଏଥିରେ ଗୁରୁତର ହୋଇପଡନ୍ତି  । ପ୍ରଥମରୁ ଏହା କେବଳ ସାମାନ୍ୟ ଜ୍ବରରୁ ଆରମ୍ଭ ହୋଇଥାଏ  । ୨ରୁ ୪ ସପ୍ତାହ ପର୍ଯ୍ୟନ୍ତ ଲୋକେ ଏଥିରେ ଗୁରୁତର ହୋଇଯାଆନ୍ତି । କୌଣସି ବନ୍ୟଜନ୍ତୁ କାମୁଡିଲେ କିମ୍ବା ଆମ୍ପୁଡିଲେ ଆଫ୍ରିକ୍ରୀୟ ଦେଶରେ ଏହି ରୋଗ ବ୍ୟାପୁଥିବା କୁହାଯାଇଛି ।

ଅନ୍ତର୍ଜାତୀୟ ଚା’ ଦିବସ, ଜାଣନ୍ତୁ କେଉଁ ଜିନିଷ ଖାଇବା ପରେ ଚା’ ପିଇବା ଉଚିତ ନୁହେଁ

ଭୁବନେଶ୍ବର: ସାରା ବିଶ୍ୱର ସବୁଠାରୁ ଲୋକପ୍ରିୟ ପାନୀୟ ହୋଉଛି ଚା’ । ଅଧିକାଂଶ ଲୋକଙ୍କର ସକାଳେ କପେ ଚା’ ହୋଇଗଲେ ମନ ଖୁସ୍ । ପ୍ରାୟ ସମସ୍ତଙ୍କର ଚା’ରୁ ହିଁ ଦିନ ଆରମ୍ଭ ହୁଏ । ଚା’ର ଲୋକପ୍ରିୟତା ଦିନକୁ ଦିନ ବଢ଼ିବାରେ ଲାଗିଛି । ଏହି ଲୋକପ୍ରିୟତାକୁ ଦେଖି ମିଳିତ ଜାତିସଂଘର ଖାଦ୍ୟ ଓ କୃଷି ସଙ୍ଗଠନ ହିଁ ପ୍ରଥମେ ‘ଅନ୍ତର୍ଜାତୀୟ ଚା’ ଦିବସ ପାଳନର ନିଷ୍ପତ୍ତି ନେଇଥିଲା । ଚଳିତ ବର୍ଷ ଅନ୍ତର୍ଜାତୀୟ ଚା’ ଦିବସର ଥିମ୍ ରହିଛି ‘ଟି ଆଣ୍ଡ ଫେୟାର ଟ୍ରେଡ୍’  । ୨୦୦୫ ଡିସେମ୍ବର ୧୫ ତାରିଖରେ ପ୍ରଥମ ଥର ପାଇଁ ଅନ୍ତର୍ଜାତୀୟ ଚା’ ଦିବସ ପାଳନ କରାଯାଇଥିଲା । କିନ୍ତୁ ମେ’ ୨୧କୁ ଅନ୍ତର୍ଜାତୀୟ ଚା’ ଦିବସ ଭାବେ ପାଳନ କରାଯାଉ ବୋଲି ଭାରତ ଜାତିସଂଘରେ ପ୍ରସ୍ତାବ ରଖିଥିଲା ।

୨୦୧୯ ମସିହାରୁ ଏହାକୁ ମେ’ ୨୧ ତାରିଖରେ ପାଳନ କରିବା ପାଇଁ ମିଳିତ ଜାତିସଂଘର ଖାଦ୍ୟ ଓ କୃଷି ସଙ୍ଗଠନର ସମ୍ମିଳନୀରେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । କାରଣ ମେ’ ମାସରେ ବିଶ୍ୱର ଅଧିକାଂଶ ଦେଶରେ ଚା’ ଅମଳ କରାଯାଏ । ଭାରତ ସମେତ ଶ୍ରୀଲଙ୍କା, ଚୀନ୍, ଜାପାନ୍, ଇଣ୍ଡୋନେସିଆ , ନେପାଳ ,ବାଂଲାଦେଶ ପ୍ରମୁଖ ଦେଶ କୋଟି କୋଟି ଟଙ୍କାର ଚା’ ବ୍ୟବସାୟ କରିଥାନ୍ତି ।

ଭାରତ ଏବେ ବିଶ୍ୱରେ ଦ୍ୱିତୀୟ ସର୍ବବୃହତ ଚା’ ଉତ୍ପାଦନକାରୀ ଦେଶ । ଚୀନ ସବୁଠାରୁ ଅଧିକ ଚା’ ଉତ୍ପାଦନ କରିଥାଏ । ଚା’ ଶ୍ରମିକଙ୍କ ଲାଗି ନିରାପଦ ପରିବେଶ ସୃଷ୍ଟି କରିବା ସହ ଚା’ ଉତ୍ପାଦନରେ ସୁଧାର ଆଣିବା ପାଇଁ ସଚେତନତା ସୃଷ୍ଟି କରିବା ହେଉଛି ଏହି ଦିବସର ମୂଳ ଲକ୍ଷ୍ୟ ।

ବର୍ତ୍ତମାନ ସମୟରେ ଲୋକମାନେ ସ୍ୱାସ୍ଥ୍ୟ ସଚେତନତା ଦୃଷ୍ଟିରୁ ବିଭିନ୍ନ ପ୍ରକାରର ଚା’ ପିଉଛନ୍ତି । ତେବେ ଏହା କିଛି ସମୟରେ ଶରୀର ପାଇଁ କ୍ଷତିକାରକ ମଧ୍ୟ ହୋଇଥାଏ । କେତେବେଳେ ଚା’ ପିଇଲେ ଏବଂ କେଉଁ ଜିନିଷ ଖାଇବା ପରେ ଚା’ ପିଇବା ଶରୀରପାଇଁ କ୍ଷତିକାରକ ହୋଇଥାଏ ଜାଣନ୍ତୁ ।

ଯେତେବେଳେ ଆପଣ ଥଣ୍ଡା ଜିନିଷ ଖାଉଛନ୍ତି ବି ପିଉଛନ୍ତି, ତତକ୍ଷଣାତ୍ ଚା’ ପିଇବା ଉଚିତ୍ ନୁହେଁ । ଏହା କରିବା ଦ୍ବାରା ଶରୀରର ହଜମ ପ୍ରକ୍ରିୟା ଉପରେ ନକାରାତ୍ମକ ପ୍ରଭାବ ପଡିପାରେ |

ଲେମ୍ବୁ ପାଣି ପିଇବା ପରେ ଚା’ ପିଇବା ଉଚିତ୍ ନୁହେଁ  । ଏହି କାରଣରୁ, ଅମ୍ଳ ସମସ୍ୟା ଦେଖାଦେଇପାରେ ।

ବେସନ ଏବଂ ମଇଦାରୁ ତିଆରି ଜିନିଷ ଖାଇବା ପରେ ମଧ୍ୟ ଚା’ ପିଇବା ଉଚିତ୍ ନୁହେଁ ।ଏହା ହଜମ ପ୍ରକ୍ରିୟା ସହିତ ଜଡିତ ସମସ୍ୟା ସୃଷ୍ଟି କରିପାରେ ।

ଖାଇବା ପରେ ତୁରନ୍ତ ଚା’ ଠାରୁ ଦୂରେଇ ରହିବା ଉଚିତ୍ । ଏହା ରକ୍ତଚାପ ସହ ଜଡିତ ସମସ୍ୟା ସୃଷ୍ଟି କରିପାରେ, ଯାହା ହୃଦୟ ପାଇଁ ବିପଜ୍ଜନକ ।

ସକ୍ରିୟ କାଳବୈଶାଖୀ, ୬ ଜିଲ୍ଲାକୁ ୟେଲୋ ଆଲର୍ଟ

ଭୁବନେଶ୍ୱର: ରାଜ୍ୟରେ ସକ୍ରିୟ ରହିଛି କାଳବୈଶାଖୀ । ଘଡ଼ଘଡ଼ି ବିଜୁଳି ସହିତ ବର୍ଷା ପାଇଁ ୬ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, ଢେଙ୍କାନାଳକୁ ଜାରି ହୋଇଛି ସତର୍କ ସୂଚନା । ସେହିପରି ଆସନ୍ତା ୨୪ ଓ ୨୫ ତାରିଖରେ ଉପକୂଳ ଓ ଉତ୍ତର ଓଡ଼ିଶାର ବିଭିନ୍ନ ଜିଲ୍ଲାରେ କାଳବୈଶାଖୀ ପ୍ରଭାବ ପଡ଼ିବାର ସମ୍ଭାବନା ରହିଛି । ଦୁଇଦିନ ପର୍ଯ୍ୟନ୍ତ ଆଭ୍ୟନ୍ତରୀଣ ଓଡ଼ିଶାକୁ ଫେରିବ ତାତି । ସ୍ୱାଭାବିକଠାରୁ ୩ରୁ ୪ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବଢିବାର ସମ୍ଭାବନା ରହିଛି ।

ବଲାଙ୍ଗୀର, ବୌଦ୍ଧ, ସୋନପୁର, ଝାରସୁଗୁଡ଼ା, ବରଗଡ଼, କେନ୍ଦୁଝର ଓ ମୟୁରଭଞ୍ଜରେ ଗ୍ରୀଷ୍ଣ ପ୍ରବାହ ପାଇଁ ସତର୍କତା ଜାରି ହୋଇଛି । ସେପଟେ ମିଆଁମାର ଉପକୂଳରେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତର ରୂପ ନେଇଛି । ଏହାର ପ୍ରଭାବ ଓଡ଼ିଶା ଉପରେ ପଡ଼ିବ ନାହିଁ । ସେପଟେ ଅଧିକ ସକ୍ରିୟ ହେଉଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ଦକ୍ଷିଣ ଆରବ ସାଗର, ଦକ୍ଷିଣ ମାଳଦୀପ ଓ ଦକ୍ଷିଣ ପୁର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏହା ସମ୍ପୂର୍ଣ୍ଣ ସକ୍ରିୟ ହୋଇଛି । ଆସନ୍ତା ୨୭ତାରିଖରେ ମୌସୁମୀ କେରଳ ଛୁଇଁବ ବୋଲି ଆକଳନ କରିଛି ପାଣିପାଗ କେନ୍ଦ୍ର ।

ଶ୍ରୀଜିଉଙ୍କୁ ଦର୍ଶନ କଲେ ପାଣ୍ଡିଆନ ଦମ୍ପତି

ପୁରୀ: ଶ୍ରୀକ୍ଷେତ୍ରରେ 5ଟି ସଚିବ ଭି.କେ ପାଣ୍ଡିଆନ । ଆଜି ସେ ସପତ୍ନୀକ ପୁରୀ ଆସି ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି । ସକାଳୁ ପୁରୀରେ ପହଞ୍ଚିବା ପରେ ଶ୍ରୀମନ୍ଦିରକୁ ଯାଇଥିଲେ । ଶ୍ରୀମନ୍ଦିର ଭିତରେ ବେଢ଼ା ପରିକ୍ରମା କରିବା ସହ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ ।

ପରେ ଦର୍ଶନ ସାରି ସେ ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରିଛନ୍ତି । ସାଙ୍ଗରେ ତାଙ୍କ ପତ୍ନୀ ତଥା ମିଶନ ଶକ୍ତିର ନିର୍ଦ୍ଦେଶିକ ସୁଜାତା କାର୍ତିକେୟନ ପାଣ୍ଡିଆନ ଆସିଥିଲେ । ପୂର୍ବରୁ ଅନେକ ଥର ପୁରୀ ଗସ୍ତରେ ଆସିଛନ୍ତି ଭିକେ ପାଣ୍ଡିଆନ  । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଅନୁଧ୍ୟାନ ନିମନ୍ତେ ପୁରୀ ଗସ୍ତ କରୁଥିବାବେଳେ ଆଜି ଶ୍ରୀଜୀଉଙ୍କୁ ଦର୍ଶନ କରି ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରିଥିଲେ  ।

ମା’ ତାରାତାରିଣୀଙ୍କ ନବନିର୍ମିତ ମନ୍ଦିରରେ ସମ୍ପନ୍ନ ହୋଇଛି ତ୍ରିଶୂଳ ଓ ଧ୍ୱଜା ସ୍ଥାପନ

ଗଞ୍ଜାମ:  ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ନବନିର୍ମିତ ମନ୍ଦିରରେ ସମ୍ପନ୍ନ ହୋଇଛି ତ୍ରିଶୂଳ ଓ ଧ୍ୱଜା ସ୍ଥାପନ । ଦୀର୍ଘ ୬ ଦିନ ଧରି ଚାଲିଥିଲା ମନ୍ଦିର ପ୍ରତିଷ୍ଠା ଉତ୍ସବ । ଚାଲିଥିଲା ହୋମଜଜ୍ଞ । ଆଜି ଏହି ପ୍ରତିଷ୍ଠା ଉତ୍ସବ ଶେଷ ହୋଇଛି । ନବନିର୍ମିତ ମନ୍ଦିରରେ ସ୍ଥାପନ କରାଯାଇଛି ତ୍ରିଶୂଳ ଓ ଧ୍ବଜା । ଏହି ଅବସରରେ ମା’ ତାରାତାରିଣୀଙ୍କ ଠାରୁ ରାଜ୍ୟବାସୀଙ୍କ ପାଇଁ ଆଶିଷ ଭିକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ । ବ୍ରହ୍ମପୁର ଠାରୁ ୩୦ କିଲୋମିଟର ଦୂରରେ ଋଷିକୂଲ୍ୟା ନଦୀ କୂଳରେ ମା ତାରାତାରିଣୀଙ୍କ ପୀଠ ଏକ ପ୍ରସିଦ୍ଧ ଶକ୍ତିସ୍ଥଳ ।

ପୂର୍ବରୁ ଭକ୍ତ ମାନେ ଅନେକ ପାହାଚ ଚଢି ମା ଙ୍କ ଦର୍ଶନ ପାଇଁ ଯାଉଥିଲେ । ହେଲେ ମା ତାରାତାରିଣୀଙ୍କ ପୀଠର ଆଜି ବଦଳିଛି କାୟାକଳ୍ପ । ଏବେ ରୋପ୍‌ ୱେ ସହ ପୀଠକୁ ରହିଛି ସୁନ୍ଦର ରାସ୍ତା । ପୀଠକୁ ଯିବା ପାଇଁ ୩ ପ୍ରକାରର ବ୍ୟବସ୍ଥା କରାଯାଇଛି । ଏହାସହିତ ନଦୀ କୂଳ ସଡକକୁ ମଧ୍ୟ ନୂତନ ଭାବେ ନିର୍ମାଣ କରାଯାଇଛି ଏବଂ ଏଠାରୁ ଋଷିକୂଲ୍ୟା ନଦୀର ସୌନ୍ଦର୍ଯ୍ୟକୁ ଅନୁଭବ କରିବାର ସୁଯୋଗ ପର୍ଯ୍ୟଟକଙ୍କ ପାଇଁ ଏକ ଅପୂର୍ବ ଆକର୍ଷଣ ସୃଷ୍ଟି କରିପାରିଛି । ଏ ସମସ୍ତ ବ୍ୟବସ୍ଥା ପାଇଁ ୧୧୫ କୋଟିରୁ ଅଧିକ ଟଙ୍କା ବିନିଯୋଗ କରାଯାଇଛି ।

ପରିବେଷଣ ହେବ ୨୦ଟି ଜନଜାତିର ସମୁଦାୟ ୩୧ଟି ନୃତ୍ୟ

ଭୁବନେଶ୍ୱର: ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଅନ୍ତର୍ଗତ ଏସ୍‌ସିଏସ୍‌ଟିଆର୍‌ଟିଆଇ ଆନୁକୂଲ୍ୟରେ ଆୟୋଜିତ ଜାତୀୟ ଆଦିବାସୀ ନୃତ୍ୟ ମହୋତ୍ସବ ଆଜି ଦ୍ୱିତୀୟ ଦିବସରେ ପହଞ୍ଚିଛି । ମଇ ୧୯ ତାରିଖଠାରୁ ରବିନ୍ଦ୍ର ମଣ୍ଡପଠାରେ ଆରମ୍ଭ ହୋଇଥିବା ଏହି ନୃତ୍ୟ ମହୋତ୍ସବରେ ଓଡ଼ିଶା ସମେତ ୧୫ଟି ରାଜ୍ୟ ଅଂଶଗ୍ରହଣ କରିଛନ୍ତି । ଏହି ଦ୍ୱିତୀୟ ଦିବସ ନୃତ୍ୟ ମହୋତ୍ସବରେ ୨୦ଟି ଜନଜାତି ସଂପ୍ରଦାୟର ସମୁଦାୟ ୩୧ଟି ନୃତ୍ୟ ପରିବେଷଣ କରାଯିବାର କାର୍ଯ୍ୟକ୍ରମ ରହିଛି । ଦ୍ୱିତୀୟ ଦିବସରେ ମହାରାଷ୍ଟ୍ରର ଗୋଣ୍ଡ ଜନଜାତିଙ୍କର ପାରମ୍ପାରିକ ଘୁସାଡ଼ି ନୃତ୍ୟ ପରିବେଷିତ ହୋଇଥିଲା ।

ନୃତ୍ୟ ସମୟରେ କଳାକାରମାନେ ଶରୀରକୁ ଚୂନରେ ପେଣ୍ଟ କରିଥିବାବେଳେ ବିଭିନ୍ନ ମଂଜିର ହାର ଓ ଛୋଟ ଛୋଟ ଘଣ୍ଟିରେ ସଜାଇ ହୋଇ ଆକର୍ଷଣୀୟ ନୃତ୍ୟ ପରିବେଷଣ କରିଥିଲେ । ସନ୍ଧ୍ୟାରେ ମିଜୋ ଜନଜାତିଙ୍କର ସରଲାମକାଇ ନୃତ୍ୟ, ଓଡ଼ିଶାର ସାନ୍ତାଳ ଜନଜାତିଙ୍କର କଳସି ନୃତ୍ୟ ପରିବେଷିତ ହୋଇଥିଲା । କଳସି ନୃତ୍ୟରେ କଳାକାରମାନେ ନିଜ ପାରମ୍ପରିକ ବେଶଭୂଷାରେ ଡ୍ରମ, ବଂଶୀ ଆଦି ବାଦ୍ୟ ବଜାଇ ନୃତ୍ୟ କରିଥିଲେ । ସେହିପରି ଝାଡ଼ଖଣ୍ଡ ଓରାଓଁ ଜନଜାତିଙ୍କର କରମଥାପଡ଼ି ନୃତ୍ୟ, ଓଡ଼ିଶାର ଗଦବା ଜନଜାତିଙ୍କର ଢେମ୍‌ସା ନୃତ୍ୟ, ଗୋଆର ଭେଲିପ୍‌ ଜନଜାତିଙ୍କ ଚୌରାଙ୍ଗ ନୃତ୍ୟ ପରିବେଷଣ କରାଯାଇଥିଲା  ।

ସେହିପରି ଛତିଶଗଡ଼ର ଗୌରମାର ମାଣ୍ଡରି ନୃତ୍ୟ, ଆନ୍ଧ୍ରପ୍ରଦେଶର କନ୍ଧ ଜନଜାତିଙ୍କ ମୟୂରାନୃତ୍ୟ, ରାଜସ୍ଥାନର ଭିଲ୍‌ମିନା ଜନଜାତିଙ୍କ କଚ୍ଚିଘୋଡ଼ି ନୃତ୍ୟ, ଉତ୍ତରାଖଣ୍ଡର ଜୌନସାରି ଜନଜାତିଙ୍କ ହାତୀ ନୃତ୍ୟ, ହିମାଚଳ ପ୍ରଦେଶର ତାଳ ଗାଡ଼ି ଜନଜାତିଙ୍କର ହରନତର ନୃତ୍ୟ ପରିବେଷିତ ହୋଇଥିଲା ।  ଜାତୀୟ ଆଦିବାସୀ ନୃତ୍ୟ ମହୋତ୍ସବର ଦ୍ୱିତୀୟ ଦିବସରେ ମୁଖ୍ୟ ଅତିଥି ଭାବେ ଏସ୍‌ସିଏସ୍‌ଟିଆର୍‌ଟିଆଇର ନିର୍ଦ୍ଦେଶକ ପ୍ରଫେସର (ଡ.) ଅଖିଳ ବିହାରୀ ଓତା କଳାକାରମାନଙ୍କୁ ମଞ୍ଚରେ ସମ୍ବର୍ଦ୍ଧିତ
କରିଥିଲେ । ରବିନ୍ଦ୍ର ମଣ୍ଡପଠାରେ ଅନୁଷ୍ଠିତ ଏହି ଆଦିବାସୀ ନୃତ୍ୟ ମହୋତ୍ସବ ମଇ ୨୧ ତାରିଖ ପର୍ଯ୍ୟନ୍ତ ସନ୍ଧ୍ୟା ୬.୩୦ ଠାରୁ ରାତି ୯ଟା ପର୍ଯ୍ୟନ୍ତ ଚାଲିବ ।

ବାରବାଟୀ ଟି-୨୦ ମ୍ୟାଚ୍: ଜୁନ୍ ପହିଲାରୁ ଟିକେଟ ବିକ୍ରି ଆରମ୍ଭ

କଟକ: ଖଚାଖଚ୍ ଭିଡ଼ରେ ଜମିବ ବାରବାଟି ଟି-୨୦ ମ୍ୟାଚ୍ । ଜୁନ୍ ପହିଲାରୁ ଟିକେଟ ବିକ୍ରି ହେବ । ଉଭୟ ଅଫଲାଇନ ଏବଂ ଅନଲାଇନ୍ରେ ଟିକେଟ୍ ବିକ୍ରି ହେବ । ଭୁବନେଶ୍ବର ଓ କଟକରେ ଖୋଲିବ ଦୁଇଟି ଲେଖାଏଁ କାଉଣ୍ଟର । ତେବେ ଏଥର ଟିକେଟ୍ ଦର ବଢିବ । ଜଣେ ଲୋକ ଦୁଇଟି ଟିକେଟ କିଣିପାରିବେ । ୪୪ ହଜାର ଲୋକ ଷ୍ଟାଡିୟମରେ ଖେଳ ଦେଖିପାରିବେ । ଜୁନ୍ ୧୨ରେ ବାରବାଟୀରେ ହେବାକୁ ଭାରତ ଓ ଦକ୍ଷିଣ ଆଫ୍ରିକା ମ୍ୟାଚ୍ ପାଇଁ ଓସିଏର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି ।

ଏଥିରେ ଖେଳାଳିଙ୍କ ସୁରକ୍ଷା, ଟ୍ରାଫିକ୍, ପାର୍କିଂ ଭଳି ବ୍ୟବସ୍ଥାକୁ ନେଇ ଆଲୋଚନା ହୋଇଛି । ଜୁନ୍ ୧୦ରେ ଭୁବନେଶ୍ବର ପହଞ୍ଚିବେ ଖେଳାଳି । ସେଠାରୁ କଡାସୁରକ୍ଷା ମଧ୍ୟରେ ଖେଳାଳିଙ୍କୁ ତାରକା ହୋଟେଲ ନିଆଯିବ । ଏଥିସହ ମ୍ୟାଚ୍ ପୂର୍ବରୁ ଅଭ୍ୟାସ ପାଇଁ ଖେଳାଳି ବାରବାଟି ଷ୍ଟାଡିୟମର ଯିବା ବେଳେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯିବ । ଓସିଏର ଏହି ଗୁରୁତ୍ବପୂର୍ଣ୍ଣ ବୈଠକରେ କ୍ରୀଡା ସଚିବ ଭିନିଲ କ୍ରିଷ୍ଣା ଏବଂ ପୋଲିସ କମିଶନ ସୋମେନ୍ଦ୍ର ପ୍ରିୟଦର୍ଶୀ ଉପସ୍ଥିତ ଥିଲେ ।

‘ଓମ୍ବାଡସି ପାଣ୍ଠି ବିନିଯୋଗରେ ମହିଳାମାନଙ୍କ ସଶକ୍ତିକରଣ ହୋଇପାରିଛି’

ରାଉରକେଲା: ତିନିଦିନିଆ ସୁନ୍ଦରଗଡ଼ ଜିଲ୍ଲା ଗସ୍ତରେ ଆସିଥିବା ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ତଥା ଓଡ଼ିଶା ଖଣିଜ ଧାରକ ଅଞ୍ଚଳ ଉନ୍ନୟନ ନିଗମର (ଓମ୍ବାଡ୍‌ସି) ଓଭରସାଇଟ୍ ଅଥରିଟି ଜଷ୍ଟିସ୍ ଅନଙ୍ଗ କୁମାର ପଟ୍ଟନାୟକ ଜିଲ୍ଲାରେ ଚାଲିଥିବା ବିଭିନ୍ନ ଜନକଲ୍ୟାଣ କାର୍ଯ୍ୟକ୍ରମକୁ ପ୍ରଶଂସା କରିଛନ୍ତି। ଲୋକମାନଙ୍କ ଜୀବିକା ବିକାଶ ସହିତ ମହିଳାମାନଙ୍କୁ ବିଭିନ୍ନ କ୍ଷେତ୍ରରେ ସଶକ୍ତ କରିବା ଲାଗି ଓମ୍ବାଡସି ପାଣ୍ଠିର ଆର୍ଥିକ ସହାୟତାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଉଥିବା ଜାଣି ସେ ସନ୍ତୋଷ ପ୍ରକାଶ କରିଥିଲେ।

ଜଷ୍ଟିସ୍ ପଟ୍ଟନାୟକ କହିଥିଲେ ଯେ, ‘‘ଓମ୍ବାଡସି ପାଣ୍ଠିର ଆର୍ଥିକ ସହାୟତାରେ ସୁନ୍ଦରଗଡ଼ ଜିଲ୍ଲାରେ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଗ୍ରାମାଞ୍ଚଳର ଲୋକଙ୍କ ସହିତ ଆଦିବାସୀ ଏବଂ ମହିଳାମାନେ ଏହି କାର୍ଯ୍ୟକ୍ରମରୁ ବିଶେଷ ଭାବେ ଉପକୃତ ହେଉଛନ୍ତି। ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟମାନେ ପାରମ୍ପରିକ କାମ ଛଡ଼ା ବିଭିନ୍ନ ବୈଷୟିକ କାମରେ ଯୋଡ଼ି ହୋଇ ଭଲ ରୋଜଗାର କରିପାରୁଛନ୍ତି। ମାଛ ଚାଷ ଏବଂ କଦଳୀ ଚାଷ କରି ମହିଳାମାନେ ଆଜି ସ୍ୱାବଲମ୍ବୀ ହୋଇପାରିଛନ୍ତି।’’

ସ୍ୱାସ୍ଥ୍ୟ, ଶିକ୍ଷା, ପୋଷଣ ସହିତ ସାଧାରଣ ଲୋକଙ୍କ ଜୀବନ ଧାରଣ ମାନରେ କିପରି ଉନ୍ନତି ଆସିପାରିବ ତା’ ଉପରେ ଓମ୍ବାଡସି ପକ୍ଷରୁ ବିଶେଷ ଧ୍ୟାନ ଦିଆଯାଉଛି। ଓମ୍ବାଡସି ପାଣ୍ଠିର ବିନିଯୋଗ କରାଯାଇ ସୁନ୍ଦରଗଡ଼ ଜିଲ୍ଲାରେ ଏହିସବୁ କାର୍ଯ୍ୟକ୍ରମ ସଠିକ୍ ଭାବେ କାର୍ଯ୍ୟକାରୀ କରାଯାଉଥିବା ଜଷ୍ଟିସ୍ ପଟ୍ଟନାୟକ କହିଛନ୍ତି। ଗତ ୧୮ ତାରିଖରେ ଜଷ୍ଟିସ୍ ପଟ୍ଟନାୟକ ସୁନ୍ଦରଗଡ଼ ଜିଲ୍ଲା ଗସ୍ତରେ ଆସିଥିଲେ। ପ୍ରଥମ ଦିନ ସେ ସୁନ୍ଦରଗଡ଼ ସଦର ସହିତ ଲେଫ୍ରିପଡ଼ା ଏବଂ ଟାଙ୍ଗରପାଲି ବ୍ଲକ ଯାଇ ବିଭିନ୍ନ ଜନକଲ୍ୟାଣ କାର୍ଯ୍ୟକ୍ରମର ଅଗ୍ରଗତି ଅନୁଧ୍ୟାନ କରି ସୁନ୍ଦରଗଡ଼ଠାରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ। ଦ୍ୱିତୀୟ ଦିନରେ ସେ ବଡ଼ଗାଁ, କୁତ୍ରା, ରାଜଗାଙ୍ଗପୁର ଏବଂ କୁଆରମୁଣ୍ଡା ବ୍ଲକରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ସମୀକ୍ଷା କରି ହିତାଧିକାରୀମାନଙ୍କ ସହ ଆଲୋଚନା କରିଥିଲେ।

ଆଜି ତୃତୀୟ ଦିନରେ ଜଷ୍ଟିସ୍ ପଟ୍ଟନାୟକ ଲହୁଣୀପଡ଼ା ବ୍ଲକ୍ ଗସ୍ତରେ ଆସିଥିଲେ। ଲଲେଇସ୍ଥିତ ୱାଟର ଟ୍ରିଟମେଣ୍ଟ ପ୍ଲାଣ୍ଟ ବୁଲି ଦେଖିବା ସହିତ ନିକଟସ୍ଥ ଅମାତପାଲ୍ଲି ଗ୍ରାମକୁ ଯାଇ ଲୋକମାନେ କିପରି ପାଇପ୍ ଯୋଗେ ବିଶୁଦ୍ଧ ପାନୀୟ ଜଳ ପାଉଛନ୍ତି ତାହା ଅନୁଧ୍ୟାନ କରିଥିଲେ। ଏହାପରେ ଜଷ୍ଟିସ୍ ପଟ୍ଟନାୟକ ଡଲେଇସରା ଗ୍ରାମର ଲୁଙ୍ଗା ସଂରକ୍ଷିତ ଜଙ୍ଗଲରେ ହୋଇଥିବା ଜଳ ସଂରକ୍ଷଣ ପ୍ରକଳ୍ପ ସ୍ଥଳ ବୁଲି ଦେଖିଥିଲେ। ବନ ସୁରକ୍ଷା ସମିତିର ସଦସ୍ୟମାନଙ୍କ ସହ ସେ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ।

ଓମ୍ବାଡସିର ଓଭରସାଇଟ୍ ଅଥରିଟି ଜଷ୍ଟିସ୍ ଅନଙ୍ଗ କୁମାର ପଟ୍ଟନାୟକଙ୍କ ସହିତ ଓମ୍ବାଡସି ସିଇଓ ଜି ରାଜେଶ, ସ୍ୱତନ୍ତ୍ର ଅଧିକାରୀ ଶେଖ୍ ନଇମୁଦ୍ଦିନ୍ ଏବଂ ଦ୍ୱୈପାୟନ ପଟ୍ଟନାୟକ, ଓମ୍ବାଡସିର ଜେନେରାଲ ମ୍ୟାନେଜର (ପ୍ରଶାସନ) ସୁଧାକର ବୁର୍ଗି, ଜେନେରାଲ ମ୍ୟାନେଜର (ଅପରେସନ) ଜୟନ୍ତ କୁମାର ଦାସ, କଲସଲଟାଣ୍ଟ ପାର୍ଥ ମହାନ୍ତି ଏବଂ ଟିମ୍ ଲିଡର ଅମ୍ବୁଜ ପ୍ରସାଦ ଯୋଗ ଦେଇଥିଲେ। ତୃତୀୟ ଦିନ ଗସ୍ତ ବେଳେ ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଭୈରବ ସିଂ ପଟେଲ, ବଣାଇ ଉପଜିଲ୍ଲାପାଳ ପ୍ରଦୀପ ଡାଙ୍ଗ, ଦେବଗଡ଼ ଡିଏଫଓ ମଗର ଧନାଜୀ ଆର, ଲହୁଣୀପଡ଼ା ବିଡିଓ ଧନାଇ ଚରଣ ଟୁଡୁଙ୍କ ସହିତ ପ୍ରଶାସନର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।