spot_img
Home Blog Page 4374

ରୋଡ୍ ରେଜ୍ ମାମଲା କଣ ? ଏହି ମାମଲା ସହ ସିଦ୍ଧୁଙ୍କ ସମ୍ପୃକ୍ତି କେମିତି…

୧୯୯୮ ରୋଡ୍ ରେଜ ମାମଲାରେ ସୁପ୍ରିମକୋର୍ଟ ସିଦ୍ଧୁଙ୍କୁ ଏକ ବର୍ଷର ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି । ସୁପ୍ରିମକୋର୍ଟରେ ଏହି ମାମଲା ପଞ୍ଜାବ ବିଧାନସଭା ନିର୍ବାଚନ ପୂର୍ବରୁ ହିଁ ପୁନର୍ବିଚାର ପାଇଁ ଅପିଲ କରାଯାଇଥିଲା । ପୀଡ଼ିତ ବ୍ୟକ୍ତି ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ପୁନର୍ବିଚାର କରିବାକୁ ମେ ୨୦୧୮ରେ ଆବେଦନ କରିଥିଲେ, ଯାହାକୁ କୋର୍ଟ ଗ୍ରହଣ କରିଥିଲା । ପୂର୍ବରୁ ଏହି ମାମଲାରେ ସିଦ୍ଧୁଙ୍କୁ ୧୦୦୦ ଟଙ୍କା ଫାଇନ୍ କରି ଛାଡ଼ିଦିଆଯାଇଥିଲା। ଏବେ ଆଇପିସିର ଧାରା ୩୨୩ରେ ତାଙ୍କୁ ଦୋଷି ସାବ୍ୟସ୍ତ କରି ଦଣ୍ଡ ଦେଇଛି କୋର୍ଟ ।

ତେବେ ଆସନ୍ତୁ ଜାଣିବା ରୋଡ୍ ରେଜ କେସ କଣ ?

ଏହି ମାମଲା ସହ ସିଦ୍ଧୁଙ୍କ ସମ୍ପର୍କ କଣ ?

୧୯୯୮ ମସିହା ଡିସେମ୍ବର ୨୭ ସନ୍ଧ୍ୟାରେ ସିଦ୍ଧୁ ତାଙ୍କ ବନ୍ଧୁ ରୁପିନ୍ଦର ସିଂ ସାନ୍ଧୁଙ୍କ ସହ ପଟିଆଲାର ଶେରୱାଲ୍ ଗେଟ୍ ବଜାରରେ ପହଞ୍ଚିଥିଲେ । ଏବଂ ସେଠାରେ ଗେଟ୍‌ କ୍ରସିଂ ନିକଟ ମଝି ରାସ୍ତାରେ ତାଙ୍କ ଗାଡି ପାର୍କ କରିଥିଲେ। ଆଉ ଏହି ସମୟରେ ୬୫ ବର୍ଷୀୟ ଗୁରନାମ ସିଂହ ନାମକ ଜଣେ ବ୍ୟକ୍ତି କାର ଚଳାଇ ସେଠାକୁ ଆସିଥିଲେ। ମଝି ରାସ୍ତାରେ କାର୍ ପାର୍କ ହୋଇଥିବା ଦେଖି ସେ କାର୍‌କୁ ସାଇଟ୍ କରିବାକୁ ସିଦ୍ଧୁ ଓ ତାଙ୍କ ସାଙ୍ଗଙ୍କୁ କହିଥିଲେ। ଏତିକିରେ ସିଦ୍ଧୁଙ୍କ ସହ ଗୁରୁନାମଙ୍କ ବଚସା ହୋଇଥିଲା ଆଉ ସିଦ୍ଧୁ ରାଗିଯାଇ ତାଙ୍କ ସହ ମାରପିଟ କରିଥିଲେ । କେବଳ ସେତିକି ନୁହେଁ, ଆହତ ଗୁରନାମ ଯେମିତି ଡାକ୍ତରଖାନା ନଯାଇ ପାରିବେ ସେଥିପାଇଁ ସିଦ୍ଧୁ ତାଙ୍କ କାର୍ ଚାବି ନେଇ ସେଠାରୁ ଚାଲିଯାଇଥିଲେ। ପରେ ଖବର ପାଇ ବୃଦ୍ଧଙ୍କୁ ଡାକ୍ତରଖାନା ନିଆଯାଇଥିଲା। ହେଲେ ଡାକ୍ତରଖାନାରେ ତାଙ୍କର ମୃତ୍ୟୁ ହୋଇଥିଲା।

ଏହି ମାମଲାରେ ୧୯୯୯ରେ ସିଦ୍ଧୁଙ୍କୁ ଦୋଷମୁକ୍ତ କରାଯାଇଥିଲା। କାରଣ ଗୁରନାମଙ୍କ ମୃତ୍ୟୁ ମାରପିଟ୍ କାରଣରୁ ନୁହେଁ ବରଂ ହୃଦଘାତ କାରଣରୁ ହୋଇଥିବା ରିପୋର୍ଟରେ ଦର୍ଶାଯାଇଥିଲା। କିନ୍ତୁ ଡିସେମ୍ବର ୨୦୦୬ରେ ପଞ୍ଜାବ ଏବଂ ହରିଆଣା ହାଇକୋର୍ଟ ଉଭୟଙ୍କୁ ଅନିଚ୍ଛାକୃତ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ କରିଥିଲେ ହେଁ ଏହା ଜାଣିଶୁଣି ହତ୍ୟା ମାମଲା ନଥିଲା ବୋଲି କୋର୍ଟ କହିଥିଲେ। ଘଟଣାରେ ହାଇକୋର୍ଟ ସିଦ୍ଧୁ ଓ ସାନ୍ଧୁଙ୍କ ଉପରେ ଏକ ଲକ୍ଷ ଟଙ୍କାର ଜରିମାନା ଲଗାଇଥିଲେ। ଏହାପରେ ଉଭୟ ଅଭିଯୁକ୍ତ ହାଇକୋର୍ଟଙ୍କ ନିଷ୍ପତ୍ତିକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ଏହାପରେ ୨୦୦୭ରେ କୋର୍ଟ ଦଣ୍ଡାଦେଶ ଉପରେ ରୋକ ଲଗାଇଥିଲେ । ଏହି ସମୟରେ ସିଦ୍ଧୁଙ୍କ କେସ ବିଜେପିର ଦିବଙ୍ଗତ ନେତା ଅରୁଣ ଜେଟଲି ଳଢିଥିଲେ ।

ତେବେ ୧୦୧୮ ମେ ୧୫ରେ ସୁପ୍ରିମକୋର୍ଟ ଧାରା ୩୨୩ ଅନୁସାରରେ ଦୋଷୀ ସାବ୍ୟସ୍ତ କରିଥିଲେ ବି ଧାରା ୩୦୪ (II)  ମାମଲାରେ ସିଦ୍ଧୁଙ୍କୁ ଦୋଷମୁକ୍ତ କରିଥିଲେ। ଏହାପରେ ସେହିବର୍ଷ ସେପ୍ଟେମ୍ବର ୧୨ ତାରିଖରେ ସୁପ୍ରିମକୋର୍ଟ ମାମଲାର ପୁନଃ ଶୁଣାଣି ପାଇଁ ରାଜି ହୋଇଥିଲେ। ୨୦୨୨ ମାର୍ଚ୍ଚ ୨୫ ତାରିଖରେ ମାମଲାରେ କୋର୍ଟ ତାଙ୍କ ରାୟ ସଂରକ୍ଷିତ ରଖିଥିଲେ। ଏବଂ ଗତ ମେ ୧୯ରେ ସୁପ୍ରିମକୋର୍ଟ ସିଦ୍ଧୁଙ୍କୁ ଏକ ବର୍ଷ ଜେଲ୍‌ ଦଣ୍ଡ ଶୁଣାଣିଛନ୍ତି।

 

ରେକର୍ଡ ସ୍ତରରୁ ୫ହଜାର ୬ଶହ ଟଙ୍କା କମିଲା ସୁନା ଦର

ନୂଆଦିଲ୍ଲୀ: ଶସ୍ତା ହେଉଛି ସୁନା । ମୁଦ୍ରାସ୍ଫୀତି ବୃଦ୍ଧି, ବିଶ୍ବରେ ଯୁଦ୍ଧ ସଙ୍କଟ ଭିତରେ ଦେଶରେ ଲଗାତାର ସୁନା ଦର କମୁଛି । ଆଜି ଭାରତୀୟ ବଜାରରେ ସୁନା ଦାମ ରେକର୍ଡ ସ୍ତରରୁ ୫ହଜାର ୬ଶହ ଟଙ୍କା କମ୍ ହୋଇଛି । ଆଜି ସୁନା ଦାମ ୨୦୮ ଟଙ୍କା ଖସି ୫୦ ହଜାର ୫ଶହ ରହିଛି ।

ସୁନା ୧୦ ଗ୍ରାମ ପିଛା ୫ହଜାର ୬00 ଟଙ୍କା ଶସ୍ତା ହୋଇଛି । ଅନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟ ଆଜି ୦.୩ ପ୍ରତିଶତ ବୃଦ୍ଧି ପାଇଛି । ମଲ୍ଟି କମୋଡିଟି ଏକ୍ସଚେଞ୍ଜରେ ଆଜି ୨୪ କ୍ୟାରେଟ ସୁନା ପ୍ରତି ଦଶ ଗ୍ରାମରେ ୧୫୨ ଟଙ୍କା ବଢ଼ି ୫ହଜାର ୬୯୬ ହୋଇଛି । ସେପଟେ ଗତ ସପ୍ତାହ ତୁଳନାରେ ହ୍ରାସ ପାଇଛି ରୂପା ଦର । ରୂପା ୦.୦୮ପ୍ରତିଶତ ହ୍ରାସ ପାଇ ୬୧ ହଜାର ୫୧୫ ହୋଇଛି ।

ବିମାନବନ୍ଦରରେ ବୋମା ରଖାଯାଇଥିବା ନେଇ ଆସିଲା ଫୋନ କଲ୍

ବେଙ୍ଗାଲୁରୁ: ବେଙ୍ଗାଲୁରୁ ଏୟାରପୋର୍ଟରେ ବୋମା ଆତଙ୍କ । ବିମାନବନ୍ଦରରେ ବୋମା ରଖାଯାଇଥିବା ନେଇ କଣ୍ଟ୍ରେଲ ରୁମକୁ ଫୋନ କଲ୍ ଆସିବା ପରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ପୋଲିସ ଘଟଣାର ସତ୍ୟାସତ୍ୟ ଯାଞ୍ଚ କରୁଥିବା ବେଳେ ବିମାନବନ୍ଦରରେ CISF ଓ ଡଗ୍ ସ୍କ୍ବାଡ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଛି ।

ଆଜି ସକାଳୁ କେମ୍ପେଗୌଡ଼ା ଆନ୍ତର୍ଜାତିୟ ବିମାନ ବନ୍ଦରକୁ ଏକ ଧମକପୂର୍ଣ୍ଣ ଫୋନ୍ କଲ ଆସିଥିଲା । ବୋମାରେ ବିମାନବନ୍ଦର ଉଡ଼ାଇ ଦେବାକୁ ଭେର ୩ଟା ୩୦ରେ ଏକ ଫୋନ କଲରେ ଧମକ ଦିଆଯାଇଥିଲା । ଏହାପରେ ବିମାନ ବନ୍ଦର ଭିତର ଓ ବାହାରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି । ବୋମା ନିଷ୍କ୍ରିୟକାରୀ ଟିମ୍ ମଧ୍ୟ ସର୍ଚ୍ଚ ଅପରେସନରେ ସାମିଲ ରହିଛି ।

ପ୍ରେମରେ ହତାଶ ହୋଇ ଜୀବନ ହାରିଲେ ଆଉ ଜଣେ ପ୍ରେମିକ

ଖୋର୍ଦ୍ଧା: ପ୍ରେମ ନେଲା ଆଉ ଏକ ଜୀବନ । ପ୍ରେମରେ ହତାଶ ହୋଇ ଜୀବନ ହାରିଲେ ଆଉ ଜଣେ ପ୍ରେମିକ । ରାତିରେ ହାତ କାଟିଦେଲେ । ଭିଡ଼ିଓ କରି ବାବା ମମିଙ୍କୁ ଭଲ ପାଉଥିବା କହିବା ସହ ସାନ ଭାଇକୁ ସେମାନଙ୍କ କଥା ବୁଝିବାକୁ କାନ୍ଦି କାନ୍ଦି କଲେ ଅନୁରୋଧ । ସୋସିଆଲ ମିଡିଆରେ ଭାଇରାଲ ହୋଇଛି ଖୋର୍ଦ୍ଧା ସଦର ଥାନା ଧଉଳିମୁହଁର ସୌମ୍ୟରଞ୍ଜନ ପରିଡାଙ୍କ ମୃତ୍ୟୁ ପୂର୍ବର ଏ ଭିଡ଼ିଓ । ଆଜି ସକାଳୁ ରେଳ ଲାଇନ କଡ଼ରୁ ତାଙ୍କ ମୃତଦେହ ଉଦ୍ଧାର ହୋଇଛି ।

ମୃତକ ହେଉଛନ୍ତି ୨୮ ବର୍ଷୀୟ ସୌମ୍ୟ ରଞ୍ଜନ ପରିଡ଼ା । ସେ ବାହାରେ ରହି କାମ କରନ୍ତି । ହେଲେ କିଛିଦିନ ହେବ ଗାଁକୁ ଫେରିଥିଲେ । ପ୍ରେମିକାର ପ୍ରତାରଣା ସହିପରିଲେନି ସୌମ୍ୟ । ଶେଷରେ ହାତ କାଟି ରେଳ ଧାରଣାରେ ଶୋଇପଡ଼ିଲେ ସୌମ୍ୟ । ସାନ ଭାଇ ପାଇଁ କିଛି କରିନାହାନ୍ତି ବୋଲି ମୃତ୍ୟୁ ପୂର୍ବ ଭିଡ଼ିଓରେ ଥିଲା ଅବଶୋସ । ବାବା ମମିଙ୍କ କଥା ବୁଝିବାକୁ ଖୁସିରେ ରଖିବାକୁ ସାନ ଭାଇଙ୍କୁ ଲହୁଲୁହାଣ ହୋଇ କହିଛନ୍ତି ସୌମ୍ୟ । ଯାହାର ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।

ଭୁଶୁଡ଼ିଲା ନିର୍ମାଣାଧୀନ ଟନେଲ, ଫସିଛନ୍ତି ୭ ଶ୍ରମିକ

ଶ୍ରୀନଗର: ଭୁଶୁଡ଼ିଲା ନିର୍ମାଣାଧୀନ ଟନେଲ । ଜାମ୍ମୁ-ଶ୍ରୀନଗର ହାଇଓ୍ବେର ମାକରକୋଟଠାରେ ନିର୍ମାଣ ଚାଲିଥିବା ଏକ ଟନେଲ ଭୁଶୁଡ଼ି ପଡ଼ିଥିବା ସୂଚନା ମିଳିଛି । ଗତକାଲି ରାତିରେ ଟନେଲଟି ଭୁଶୁଡ଼ି ପଡ଼ିଥିବା ବେଳେ ଏବେ ବି ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଟି-୩ ସାଇଟରେ ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ସେଠାରେ ୧୦ଜଣରୁ ଅଧିକ ଶ୍ରମିକ କାର୍ଯ୍ୟ କରୁଥିଲେ ।

  ସୂଚନା ଅନୁସାରେ, ୪୪ ନମ୍ବର ଜାତୀୟ ରାଜପଥର ଲ୍ୟାଣ୍ଡସାଇଡ ପ୍ରବଳ ଅଞ୍ଚଳରେ ବାଇ-ପାସ ନିର୍ମାଣ କାର୍ଯ୍ୟ ଚାଲିଥିଲା । ନିର୍ମାଣ କାର୍ଯ୍ୟରେ ନିୟୋଜିତ ୩ଜଣ ଶ୍ରମିକଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟମାନଙ୍କୁ ଉଦ୍ଧାର ପାଇଁ ଚେଷ୍ଟା ଜାରି ରହିଛି ବୋଲି ରାମବନ ଡେପୁଟି କମିସନର ସୂଚନା ଦେଇଛନ୍ତି ।

ଅନ୍ୟପଟେ, ପାହାଡ଼ରୁ ଲଗାତାର ପଥର ଧସୁଥିବାରୁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି । ଟନେଲ ଭିତରେ ଫସି ରହିଥିବା ଶ୍ରମିକଙ୍କ ମଧ୍ୟରୁ ଦୁଇ ଜଣ ନେପାଳର ହୋଇଥିବା ବେଳେ ଜଣେ ଆସାମ ଓ ଅନ୍ୟ ଦୁଇଜଣ ସ୍ଥାନୀୟ ଲୋକ ହୋଇଥିବା ସୂଚନା ମିଳିଛି । ଉଦ୍ଧାର ଶ୍ରମିକଙ୍କୁ ଜିଏମସି ଜାମ୍ମୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

୩୧ରେ ବ୍ରଜରାଜନଗର ଭୋଟ; ୨.୧୪ ଲକ୍ଷ ଭୋଟର, ୨୭୯ ବୁଥ୍

ବ୍ରଜରାଜନଗର: ବ୍ରଜରାଜନଗର ପାଇଁ ନିର୍ବାଚନ ଅଧିକାରୀଙ୍କ ପ୍ରସ୍ତୁତି । ମୈଦାନରେ ୧୧ ଜଣ ପ୍ରାର୍ଥୀ ଥିବାବେଳେ ୨ ଲକ୍ଷ ୧୪ ହଜାର ୮୭୮ ଭୋଟର ମତଦାନ କରିବେ । ଭୋଟିଂ ପାଇଁ ଆବଶ୍ୟକ ଇଭିଏମ୍ ବ୍ୟବସ୍ଥା କରାଯାଇଛି ବୋଲି ପ୍ରେସମିଟ କରି କହିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ ଲୋହାନୀ । ମୋଟ୍ ୨୭୯ ବୁଥରେ ମତଦାନ ହେବ । ଏଥିରେ ୫ଟି ପିଙ୍କ୍ ବୁଥ ରହିଛି । ୫୨୫ ଜଣ ଭୋଟର ଘରୁ ଭୋଟ୍ ଦେବା ପାଇଁ ଆବେଦନ କରିଥିଲେ । ସେଥିରୁ ୩୨୫ ଜଣଙ୍କୁ ଅନୁମତି ମିଳିଥିବାବେଳେ ଆଜିଠାରୁ ମତଦାନ ସଂଗ୍ରହ କରାଯାଉଛି ।

ସେହିପରି ୫୦ ପ୍ରତିଶତ ବୁଥରେ ହେବ ଓ୍ବେବକାଷ୍ଟିଂ । ଆବଶ୍ୟକ ପଡ଼ିଲେ ଭିଡିଓଗ୍ରାଫି କରାଯିବ ବୋଲି କହିଛନ୍ତି ନିର୍ବାଚନ ଅଧିକାରୀ । ଦିବ୍ୟାଙ୍ଗ ଭୋଟରଙ୍କ ପାଇଁ ସବୁ ସୁବିଧା କରାଯାଇଛି । ବୁଥରେ ଡମି ଭୋଟର ରହି ଦିବ୍ୟାଙ୍ଗ ଭୋଟରଙ୍କୁ ସହାୟତା କରିବେ । ଭୋଟ ଦିନ ନିର୍ବାଚନମଣ୍ଡଳୀ ସମସ୍ତ ଘରୋଇ ଓ ସରକାରୀ କର୍ମଚାରୀଙ୍କ ପାଇଁ ସବୈତନିକ ଛୁଟି ଘୋଷଣା କରାଯାଇଛି । ସମ୍ବେଦନଶୀଳ ବୁଥ୍ ପାଇଁ ୬୧ ଜଣ ମାଇକ୍ରୋ ଅବଜର୍ଭର ରହିବେ ।

ମସ୍କ ବିରୋଧରେ ଯୌନ ନିର୍ଯାତନା ମାମଲା ! କେସ ଦଫାରଫା କରିବାକୁ ୨୫୦ ହଜାର ଡଲାର

ନୂଆଦିଲ୍ଲୀ: ନୂଆ ବିବାଦରେ ଛନ୍ଦି ହୋଇଛନ୍ତି ବିଶ୍ବର ସବୁଠୁ ଧନଶାଳୀ ବ୍ୟକ୍ତି ଏଲନ ମସ୍କ । ବ୍ୟବସାୟ ଜୀବନ ଅପେକ୍ଷା ବ୍ୟକ୍ତିଗତ ଜୀବନକୁ ନେଇ ମଧ୍ୟ ଅନେକ ସମୟରେ ଚର୍ଚ୍ଚାରେ ରହିଥାନ୍ତି ମସ୍କ । ଏବେ ଏଲନ ମସ୍କଙ୍କୁ ନେଇ ଆଉ ଏକ ବିବାଦ ସାମ୍ନାକୁ ଆସିଛି । ମସ୍କ ବିରୋଧରେ ଆସିଥିବା ଯୌନ ନିର୍ଯାତନା କେସର ଦଫାରଫା ପାଇଁ ୨୫୦ ହଜାର ଡଲାର ଦେଇଛି ସ୍ପେସ ଏକ୍ସ ।

ତେବେ ୨୦୧୬ରେ ମସ୍କଙ୍କ ବିରୋଧରେ ଏହି ଅଭିଯୋଗ ଆସିଥିଲା । ଏଥିପାଇଁ କମ୍ପାନୀକୁ ବହୁମୂଲ୍ୟ ଦେବାକୁ ପଡ଼ିଛି ବୋଲି କମ୍ପାନୀର ଜଣେ କର୍ମଚାରୀ କହିଛନ୍ତି । ଏହି ରକେଟ ଲଞ୍ଚର କମ୍ପାନୀର ପ୍ରତିଷ୍ଠାତା ଓ ସିଇଓ ଏଲନ ମସ୍କ ସ୍ପେସ କର୍ପୋରେଟିଭ ଜେଟରେ ଫ୍ଲାଇଟ୍ ଆଟେଣ୍ଡାଣ୍ଟ ଭାବେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କୁ ଅଶାଳୀନ ବ୍ୟବହାର କରିଥିଲେ । ଯେଉଁଥିପାଇଁ କମ୍ପାନୀ ସେହି ଆଟେଣ୍ଡାଣ୍ଟଙ୍କୁ ୨୦୧୮ରେ କମ୍ପାନୀ ୨୫୦ ହଜାର ଡଲାର ଦେଇଥିଲା । ଜଣେ ଟ୍ବିଟର ୟୁଜର ଏ ନେଇ ମସ୍କଙ୍କୁ ପଚାରିବାରେ ସେ ଏହାକୁ ଖଣ୍ଡନ କରିଛନ୍ତି ।

ଟ୍ରେନ୍ ଧକ୍କାରେ ଆହତ ଆଉ ୨ ହାତୀଙ୍କ ମୃତ୍ୟୁ, ୩ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା

କେନ୍ଦୁଝର: କେନ୍ଦୁଝରରେ ହାତୀ ମୃତ୍ୟୁ ନେଇ ଦାୟୀ କିଏ? ଟ୍ରେନ୍ ଧକ୍କାରେ ୩ ହାତୀଙ୍କ ଜୀବନ ଯାଇଛି । ମା’ ଓ ୨ ଛୁଆ ରେଳ ଲାଇନ ପାର ହେଉଥିବା ବେଳେ ଧକ୍କା ଦେଇଥିଲା ମାଲବାହୀ ଟ୍ରେନ୍ । ହେଲେ ଗତକାଲି ରାତିରେ ଛୁଆ ହାତୀର ମୃତ୍ୟୁ ହୋଇଥିବାବେଳେ, ଆଜି ମା’ ଓ ଅନ୍ୟ ଏକ ଛୁଆ ହାତୀର ଜୀବନ ଯାଇଥିବା ଡିଏଫଓ ସୂଚନା ଦେଇଛନ୍ତି । ଗତକାଲି ବିଳମ୍ବିତ ରାତିରେ କେନ୍ଦୁଝର ଚମ୍ପୁଆ ରେଞ୍ଜ ବାଂଶପାଣି ନିକଟ ରେଳ ଲାଇନକୁ ୨୨ ଟିକିଆ ହାତୀପଲ ପାର ହେଉଥିବା ବେଳେ, ୩ଟି ହାତୀଙ୍କୁ ମାଲବାହୀ ଟ୍ରେନ୍ ଧକ୍କା ଦେଇଥିଲା । ଟ୍ରେନ୍ ଧକ୍କାରେ ଗୋଟିଏ ଛୁଆ ହାତୀର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଏକ ଛୁଆ ହାତୀ ଓ ଗୋଟିଏ ମାଈ ହାତୀ ଆହତ ହୋଇଥିଲେ । ସେମାନଙ୍କୁ ଚିକିତ୍ସା କରାଯାଉଥିଲା । ହେଲେ ଆହତ ଥିବା ୨ଟି ହାତୀଙ୍କର ଆଜି ମୃତ୍ୟୁ ହୋଇଛି ।

 

ବିଶ୍ୱସ୍ତରୀୟ ହେବ କଳିଙ୍ଗ ଷ୍ଟୁଡିଓ, ୧୫ ମାସରେ ସରିବ କାମ

ଭୁବନେଶ୍ୱର: ଖୁବଶୀଘ୍ର ବିଶ୍ଵସ୍ତରୀୟ ହେବାକୁ ଯାଉଛି କଳିଙ୍ଗ ଷ୍ଟୁଡିଓ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ଏଥିପାଇଁ ପ୍ରଥମ ପର୍ଯ୍ୟାୟ କାର୍ଯ୍ୟର ଆଜି ଶୁଭାରମ୍ଭ ହୋଇଛି । ଆଜି ମଣ୍ଡପ ଓ ଟେକଜୋନ୍ କାର୍ଯ୍ୟର ପୂଜାର୍ଚ୍ଚନା ପରେ କଂକ୍ରିଟ କରଣ କାର୍ଯ୍ୟର ଶୁଭାରମ୍ଭ ହୋଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଚଳଚ୍ଚିତ୍ର ନିଗମ ଅଧ୍ୟକ୍ଷ କୁନା ତ୍ରିପାଠୀ ଯୋଗ ଦେଇ ଏହି କାର୍ଯ୍ୟର ଶୁଭାରମ୍ଭ କରିବା ସହ ତଦାରଖ କରିଛନ୍ତି । କଳିଙ୍ଗ ଷ୍ଟୁଡିଓର କାର୍ଯ୍ୟ ୧୩ରୁ ୧୫ ମାସ ମଧ୍ୟରେ ଶେଷ କରିବାକୁ ଲକ୍ଷ୍ୟ ରହିଛି । ଚଳଚ୍ଚିତ୍ର ଶିଳ୍ପ ସହ ଜଡ଼ିତ କଳିଙ୍ଗ ଷ୍ଟୁଡିଓ ଖୁବ୍ କମ୍ ଦିନ ମଧ୍ୟରେ ବିଶ୍ଵସ୍ତରୀୟ ହେବ ବୋଲି ଚଳଚ୍ଚିତ୍ର ନିଗମ ଅଧ୍ୟକ୍ଷ କୁନା ତ୍ରିପାଠୀ କହିଛନ୍ତି ।

ପୂର୍ବ ୟୁକ୍ରେନରେ ଋଷର ବଡ଼ ଧରଣର ଆକ୍ରମଣ, ୧୨ ମୃତ, ୪୦ରୁ ଅଧିକ ଆହତ

କିଭ୍: ୟୁକ୍ରେନ ବିରୋଧରେ ଋଷର ପୁଣି ବଡ଼ ଧରଣର ଆକ୍ରମଣ । ପୂର୍ବ ୟୁକ୍ରେନର ସେବେରୋ ଦୋନେସ୍କରେ ଗୋଳା ବର୍ଷଣ ଯୋଗୁ ୧୨ ଜଣ ପ୍ରାଣ ହରାଇଥିବା ବେଳେ ଆହତ ହୋଇଛନ୍ତି ୪୦ ଜଣ । ଏହାସହ ଦୋନବାସରେ ଋଷ ସୈନ୍ୟ ଅଗ୍ରସର ହେଉଥିବା ସୂଚନା ମିଳିଛି । ଅନେକ ଜନବସତି ଉପରେ ଏୟାର ଷ୍ଟ୍ରାଇକ ହେଉଥିବା ନେଇ ଅଭିଯୋଗ କରିଛି ୟୁକ୍ରେନ । ଶିଳ୍ପଭିତ୍ତିକ ସହର ଦୋନବାସକୁ ଋଷ ସମ୍ପୂର୍ଣ୍ଣ ଧ୍ବଂସ କରିଦେଲାଣି ବୋଲି ଦାବି କରିଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି ।

ସେପଟେ ୟୁକ୍ରେନକୁ ଆଉ ୪୦ ବିଲିୟନ ଡଲାରର ପ୍ୟାକେଜ ଘୋଷଣା କରିଛି ଆମେରିକା । ଏହି ପ୍ରସ୍ତାବକୁ ମଞ୍ଜୁରୀ ଦେଇଛି ଆମେରିକା କଂଗ୍ରେସ । ଋଷ-ୟୁକ୍ରେନ ମଧ୍ୟରେ ଦୀର୍ଘ ଯୁଦ୍ଧ ଚାଲିବ ବୋଲି କହିଛି ପେଣ୍ଟାଗନ । ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଖାରକିଭକୁ ୟୁକ୍ରେନ ସୈନ୍ୟ ନିଜ କବଜାକୁ ନେଇଛନ୍ତି । ଋଷକୁ ୟୁକ୍ରେନ ମାଟିରୁ ହଟାଇବା ଲାଗି ଆମେରିକା ସମସ୍ତ ପ୍ରକାର ସହଯୋଗ କରିବ । ସେ କହିଛନ୍ତି ଯୁଦ୍ଧରେ ଋଷ ପଛକୁ ହଟିବାରେ ଲାଗିଛି ଏବଂ ଅନେକ ସ୍ଥାନରେ ଆଗେଇବାକୁ ସକ୍ଷମ ହୋଇପାରୁନାହିଁ । ତଥାପି ଦୋନବାସ ଓ ମିକୋଲେଭରେ ଋଷ ସୈନ୍ୟ କଡା ଟକ୍କର ଦେଉଛନ୍ତି ବୋଲି ସେ କହିଛନ୍ତି ।

ଅନ୍ୟପକ୍ଷରେ ନାଟୋରେ ଫିନଲାଣ୍ଡ ଓ ସ୍ୱିଡେନର ମିଶ୍ରଣ ପ୍ରସ୍ତାବକୁ ସ୍ୱାଗତ କରିଛନ୍ତି ଜର୍ମାନୀ ଚାନସେଲର ଓଲାଫ ସ୍କଜ । ସେ କହିଛନ୍ତି ଏହା ଦ୍ୱାରା ନାଟୋର ଶକ୍ତି ବୃଦ୍ଧି ହେବ । ଏହି ଦୁଇ ରାଷ୍ଟ୍ରଙ୍କୁ ତୁରନ୍ତ ନାଟୋରେ ସାମିଲ କରିବାକୁ ସେ ଆହ୍ୱାନ ଦେଇଛନ୍ତି । ସେହିପରି ଯୁଦ୍ଧକୁ ନେଇ ପ୍ରସାରିତ କେତେକ ତ୍ରୁଟିଯୁକ୍ତ ସୂଚନାକୁ ନିୟନ୍ତ୍ରଣ କରିବାକୁ ନିଷ୍ପତ୍ତି ନେଇଛି ଟ୍ୱିଟର । ଏହି ଧରଣର କେତେକ ଖବର ଉପରେ ଓ୍ବାର୍ଣ୍ଣିଂ ନୋଟିସ ଉଲ୍ଲେଖ କରାଯିବ ବୋଲି ଟ୍ବିଟର କହିଛି ।