spot_img
Home Blog Page 4375

ବହୁଚର୍ଚ୍ଚିତ ପେଗାସସ୍ ମାମଲା: ଆଜି ସୁପ୍ରିମକୋର୍ଟରେ ପ୍ରଧାନ ବିଚାରପତି କରିବେ ଶୁଣାଣି

ନୂଆଦିଲ୍ଲୀ: ଆଜି ସୁପ୍ରିମକୋର୍ଟରେ ବହୁଚର୍ଚ୍ଚିତ ପେଗାସସ୍ ମାମଲାର ଶୁଣାଣି । ଜାସୁସୀ ମାମଲାରେ ଗଠିତ ତିନି ଜଣିଆ କମିଟିର ଅନ୍ତରୀଣ ତଦନ୍ତ ରିପୋର୍ଟ ସମ୍ପର୍କରେ ବିଚାର କରିପାରନ୍ତି କୋର୍ଟ । ସାରା ଦେଶରେ ଝଡ଼ ସୃଷ୍ଟି କରିଥିବା ପେଗାସସ୍ ମାମଲାରେ ବହୁ ରାଜନେତା, ବିରୋଧୀଦଳ ନେତା, ସଂଖ୍ୟାଲଘୁ ନେତା, ମନ୍ତ୍ରୀ, ସିବିଆଇର କିଛି ବରିଷ୍ଠ ଅଧିକାରୀ, ବିଚାରପତି, ସାମ୍ବାଦିକ, ସାମାଜିକ କର୍ମୀଙ୍କ ଫୋନ ହ୍ୟାକ ନେଇ ଗୁରୁତର ଅଭିଯୋଗ ଆସିବା ପରେ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ଆର.ଭି.ରବୀନ୍ଦ୍ରନଙ୍କୁ ନେଇ ଏକ ୩ ଜଣିଆ କମିଟି ଗଠିତ ହୋଇଥିଲା ।

୪୦୦ରୁ ଅଧିକ ବ୍ୟକ୍ତିଙ୍କ ଫୋନ ହ୍ୟାକ୍ ଅଭିଯୋଗ ପରେ ପ୍ରଧାନ ବିଚାରପତି ଜଷ୍ଟିସ ଏନ.ଭି.ରମଣାଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିବେ । ଏହା ଏକ ଜଟିଳ ବିଷୟ ହୋଇଥିବାରୁ ଚୂଡ଼ାନ୍ତ ରିପୋର୍ଟ ଦାଖଲ ଲାଗି କମିଟି ଅଧିକ ସମୟ ବି ଚାହିଁପାରେ । ଇସ୍ରାଏଲ ନିର୍ମିତ ଏହି ସ୍ପାଏଓ୍ୱେର ହାସଲ କରାଯାଇଛି କି ନାହିଁ ସେ ସମ୍ପର୍କରେ ଦର୍ଶାଇବା ଲାଗି ଏହି କମିଟି ଗତ ଏପ୍ରିଲ ୧୮ରେ ସମସ୍ତ ରାଜ୍ୟର ପୋଲିସ ମୁଖ୍ୟଙ୍କୁ ଚିଠି ଲେଖିଥିଲେ ।

ପେଗାସସ୍ ମାମଲାରେ କୌଣସି ବେଆଇନ କାର୍ଯ୍ୟ କରାଯାଇନାହିଁ ବୋଲି କେନ୍ଦ୍ର ସରକାର ସ୍ପଷ୍ଟୀକରଣ ଦେଇଥିଲେ ମଧ୍ୟ ଏହି ପ୍ରସଙ୍ଗକୁ ନେଇ ସଂସଦରେ ବାରମ୍ବାର ଝଡ଼ ସୃଷ୍ଟି ହୋଇଥିଲା । ଶେଷରେ ଏହି ମାମଲା ସୁପ୍ରିମକୋର୍ଟକୁ ଯାଇଥିଲା । ଏନଏଓ ଗ୍ରୁପର ସ୍ପାଏଓ୍ୱେର ପେଗାସସ୍ ଜରିଆରେ ବେଆଇନ କାର୍ଯ୍ୟ କରାଯାଇଛି ବୋଲି ୧୨ଟି ପିଟିସନ ଦାୟର ହେବା ପରେ ଏହା ବ୍ୟକ୍ତିଗତ ଗୋପନୀୟତା ଅଧିକାରର ଉଲ୍ଲଂଘନ ଦର୍ଶାଇ ଘଟଣାର ସବିଶେଷ ତଦନ୍ତ କରିବା ଲାଗି ସୁପ୍ରିମକୋର୍ଟ ଗଠନ କରିଥିଲେ କମିଟି । ତେବେ ଏହି ଅଭିଯୋଗ ଭିତ୍ତିହୀନ ବୋଲି ନିଜ ସତ୍ୟପାଠରେ ଦର୍ଶାଇଥିଲେ କେନ୍ଦ୍ର ସରକାର ।

ଲାଲୁ ଯାଦବଙ୍କ ପାଇଁ ପୁଣି ବଢ଼ିଲା ଅଡୁଆ, ନିଯୁକ୍ତିରେ ଅନିୟମିତତା ମାମଲାରେ ସିବିଆଇ ରେଡ୍

ପାଟନା: ବୁଲୁଛି ସିବିଆଇ ଖଣ୍ଡା । ଚିଦାମ୍ବରମ୍‌ ବାପା-ପୁଅଙ୍କ ଘରେ ସିବିଆଇ ରେଡ୍ ପରେ ଏବେ ଲାଲୁଙ୍କ ପାଳି । ପୁଣି ଅଡୁଆରେ ପୂର୍ବତନ ବିହାର ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ । ନିଯୁକ୍ତିରେ ଅନିୟମିତତା ମାମଲାରେ ଲାଲୁ ଯାଦବଙ୍କ ଘରେ ରେଡ୍ କରୁଛି ସିବିଆଇ । ପାଟନାସ୍ଥିତ ବାସଭବନରେ ପତ୍ନୀ ରାବଡି ଦେବୀଙ୍କୁ ପଚରାଉଚରା କରୁଛି ସିବିଆଇ । ମୋଟ୍ ୧୫ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରୁଛି ସିବିଆଇ ।

ଲାଲୁ ପ୍ରସାଦ ଯାଦବ ଓ ତାଙ୍କ ଝିଅଙ୍କ ନାଁରେ ରହିଛି ଏହି ଦୁର୍ନୀତି ମାମଲା । ବିହାରର ମୁଖ୍ୟମନ୍ତ୍ରୀ ଥିବା ସମୟରେ ନିଯୁକ୍ତି ଦେବା ନାଁରେ ଜମିବାଡ଼ି ଓ ଫ୍ଲାଟ୍‌ ଠକି ନେଇଥିବା ଅଭିଯୋଗ ରହିଛି । ବିହାର ଓ ଦିଲ୍ଲୀ ସ୍ଥିତ ୧୫ଟି ସ୍ଥାନରେ ଚାଲିଛି ଖୋଳତାଡ଼ । ୭୩ ବର୍ଷୀୟ ଭେଟେରାନ ରାଜନେତା ଲାଲୁ ପ୍ରସାଦ ଯାଦବଙ୍କୁ କିଛି ଦିନ ତଳେ ଚାରା ଦୁର୍ନୀତି ମାମଲାରେ ଜାମିନ୍ ମିଳିଥିଲା । କେବଳ ସେତିକି ନୁହେଁ ମାସେ ପୂର୍ବରୁ ଦୋରନ୍ଦା ଟ୍ରେଜେରୀ ଦୁର୍ନୀତି ମାମଲାରେ ଝାଡଖଣ୍ଡ ହାଇକୋର୍ଟରୁ ବେଲ୍ ପରେ ଜେଲରୁ ମୁକୁଳିଥିଲେ ଲାଲୁ ଯାଦବ ।

 

ରାଜଧାନୀରେ ପୁଣି ଫୁଟିଲା ବୋମା, ସହିଦନଗର ଥାନା ଜଗନ୍ନାଥ ନଗରରେ ୨ଟି ବୋମାମାଡ଼

ଭୁବନେଶ୍ୱର: ରାଜଧାନୀରେ ପୁଣି ଫୁଟିଲା ବୋମା । ଭୁବନେଶ୍ୱର ସହିଦନଗର ଥାନା ଜଗନ୍ନାଥ ନଗରରେ ବୋମାମାଡ଼ । ଗତକାଲି ବିଳମ୍ବିତ ରାତିରେ ୨ଟି ବୋମାମାଡ଼ ହୋଇଥିବା ଜଣାପଡ଼ିଛି । ବୋମାମାଡ଼ର କାରଣ ଅସ୍ପଷ୍ଟ ରହିଛି । ତେବେ ଏହି ବୋମାମାଡ଼ରେ କୌଣସି କ୍ଷୟକ୍ଷତି ହୋଇନଥିବା ସୂଚନା ମିଳିଥିବାବେଳେ ସ୍ଥାନୀୟ ଲୋକ କିନ୍ତୁ ଏହି ବୋମାମାଡ଼ ପରେ ଭୟଭୀତ ଅବସ୍ଥାରେ ରହିଛନ୍ତି । ଅନ୍ୟପଟେ ବୋମାମାଡ଼ ଖବର ପାଇ ସହିଦନଗର ଥାନା ପୋଲିସ ଓ ଜୋନ-୫ ଏସିପି ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି । କିଏ ଓ କାହିଁକି ଏହି ବୋମାମାଡ଼ କରିଛି । ଏହା ପଛରେ କାରଣ କ’ଣ ତାହା ପୋଲିସ ତଦନ୍ତ ପରେ ହିଁ ସ୍ପଷ୍ଟ ହେବ ।

ଆଜିଠୁ କଟକରେ ଝଲସିବ ଆଦିବାସୀ ସଂସ୍କୃତି, କିଲ୍ଲା ପଡ଼ିଆରେ ୧୧ ଦିନ ଧରି ଚାଲିବ ମେଳା

କଟକ: କଟକରେ ଦେଖିବାକୁ ମିଳିବ ଆଦିବାସୀ ସଂସ୍କୃତିର ଝଲକ । ଆଜିଠୁ କିଲ୍ଲା ପଡ଼ିଆରେ ଆରମ୍ଭ ହେବ ଆଦିବାସୀ ମେଳା । ୧୧ ଦିନ ବ୍ୟାପି ଏହି ମେଳା ଅନୁଷ୍ଠିତ ହେବ । ପରିଚୟ ଫାଉଣ୍ଡେସନ ପକ୍ଷରୁ ଜିଲ୍ଲା ପ୍ରଶାସନ ସହଯୋଗରେ କଟକରେ ପ୍ରଥମଥର ପାଇଁ ଏହି ମେଳା ଆୟୋଜନ କରାଯାଉଛି । ମେଳାରେ ୧୨୦ଟି ଷ୍ଟଲ ପଡ଼ୁଥିବାବେଳେ ଓଡ଼ିଶା ରାଜ୍ୟ ସମେତ ୨୭ଟି ରାଜ୍ୟର ଆଦିବାସୀ ପ୍ରତିଷ୍ଠାନ ଯୋଗ ଦେଇଛନ୍ତି । ଆଦିବାସୀମାନଙ୍କ ହାତ ତିଆରି ଅନେକ ଘରକରଣା ସାଜସଜ୍ଜା ଓ ଖାଦ୍ୟ ସାମଗ୍ରୀ ମିଳିବ । ଏଥି ସହିତ ସ୍ୱତନ୍ତ୍ର ଖାଦ୍ୟ ଷ୍ଟଲ ଖୋଲାଯିବ । ଯେଉଁଥିରେ ବାହାର ରାଜ୍ୟର ପ୍ରସିଦ୍ଧ ଆଦିବାସୀ ଖାଦ୍ୟ ଉପଲବ୍ଧ ହେବ ।

ଆଜି ପ୍ରତିଷ୍ଠା ଉତ୍ସବର ଶେଷ ଦିନ, ଅଖଣ୍ଡ ନାମଯଜ୍ଞ ସହ ପଡ଼ିବ ଘୃତଯଜ୍ଞର ପୂର୍ଣ୍ଣାହୂତି

ବ୍ରହ୍ମପୁର: ମାଆ ତାରାତାରିଣୀ ମନ୍ଦିରରେ ଚାଲିଛି ନବକଳେବର ଉତ୍ସବ । ମନ୍ତ୍ର ଧ୍ୱନିରେ କମ୍ପୁଛି ରତ୍ନଗିରି ପର୍ବତ । ଆଜି ପ୍ରତିଷ୍ଠା ଉତ୍ସବର ଶେଷ ଦିନ । ମନ୍ଦିରରେ ପୂଜା ସରିବା ସହ ଯଜ୍ଞର ପୂର୍ଣ୍ଣାହୂତି ହେବ । ବ୍ରାହ୍ମଣମାନଙ୍କର ଯଜ୍ଞବେଦୀ ପ୍ରବେଶ ସହ ସୂର୍ଯ୍ୟ ପୂଜାଠାରୁ ଆରମ୍ଭ କରି ଗୋ ପୂଜା, ମଣ୍ଡଳ ଦେବତା ପୂଜା ଓ ତ୍ରିଶୂଳ ଧ୍ୱଜ କରାଯିବ । ପାର୍ଶ୍ୱଦେବଦେବୀଙ୍କ ସ୍ଥାପନ ସହ ରତ୍ନ ସିଂହାସନ ବିଜେ, ମହାଧିଜଙ୍କ ଭ୍ରମଣ, ଅଖଣ୍ଡ ନାମଯଜ୍ଞ ଓ ଘୃତଯଜ୍ଞର ପୂର୍ଣ୍ଣାହୂତି କାର୍ଯ୍ୟକ୍ରମ ରହିଛି । ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି । ଶହ ଶହ ଭକ୍ତ ମାଆ ତାରାତାରିଣୀଙ୍କୁ ଦର୍ଶନ କରି ଆଶିଷ ନେଉଛନ୍ତି ।

୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ ବିଭିନ୍ନ ଜିଲ୍ଲାରେ କାଳବୈଶାଖୀ ବର୍ଷା ସମ୍ଭାବନା, ୧୫ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ

ଭୁବନେଶ୍ୱର: ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ କାଳବୈଶାଖୀ ବର୍ଷା ସମ୍ଭାବନା । ଏନେଇ ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ପ୍ରଚଣ୍ଡ ଘଡଘଡି ବିଜୁଳି ସହ ବର୍ଷା ପାଇଁ ୧୫ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ବିଶେଷ କରି କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଢେଙ୍କାନାଳ, ମାଲକାନଗିରି, କୋରାପୁଟ, ରାୟଗଡା, ନବରଙ୍ଗପୁର, କନ୍ଧମାଳ, ଗଞ୍ଜାମ, କଟକ ଏବଂ ଜଗତସିଂହପୁରରେ କାଳବୈଶାଖୀ ବର୍ଷା ପାଇଁ ସତର୍କତା ଜାରି କରାଯାଇଛି ।

ଏହି କାଳବୈଶାଖୀ ବର୍ଷା ୨୨ ତାରିଖ ପର୍ଯ୍ୟନ୍ତ ଜାରି ରହିବ । କାଳବୈଶାଖୀ ପାଇଁ ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ଏସଆରସି । ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ସହ ଲୋକଙ୍କୁ ସଚେତନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ୨୧, ୨୨ ଏବଂ ୨୩ ତାରିଖରେ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ଫେରିବ । ବିଶେଷ କରି ବଲାଙ୍ଗୀର, ଝାରସୁଗୁଡା, ବୌଦ୍ଧ, ସୋନପୁର, ବରଗଡ଼, ସୁନ୍ଦରଗଡ଼, କେନ୍ଦୁଝର ଏବଂ ମୟୁରଭଞ୍ଜରେ ସ୍ୱାଭାବିକଠାରୁ ୩ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ହେବ ।

ଆଜି ଆତ୍ମସମର୍ପଣ କରିପାରନ୍ତି ନବଜୋତ ସିଂ ସିଦ୍ଧୁ, ବର୍ଷେ ଜେଲ ଆଦେଶ ଶୁଣାଇଛନ୍ତି ସୁପ୍ରିମକୋର୍ଟ

ଚଣ୍ଡିଗଡ଼: ଆଜି ଆତ୍ମସମର୍ପଣ କରିପାରନ୍ତି କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁ । ୩୪ ବର୍ଷ ତଳର ରୋଡରେଜ ମାମଲାରେ ବର୍ଷେ ପାଇଁ ଜେଲ ଦଣ୍ଡାଦେଶ ପରେ ଆଜି ଆତ୍ମସମର୍ପଣ କରିବା ନେଇ ଚର୍ଚ୍ଚା ଜୋର ଧରିଛି । ରାୟକୁ ସମ୍ମାନ ଜଣାଇବେ ବୋଲି ସେ ଗତକାଲି କହିଥିଲେ । ସେପଟେ ରିଭ୍ୟୁ ପିଟିସନ ଦାଖଲ ଲାଗି ସୁପ୍ରିମକୋର୍ଟ ବିକଳ୍ପ ରଖିଛନ୍ତି । ବିନା ଉଦ୍ଦେଶ୍ୟରେ ହତ୍ୟା ମାମଲାରେ ପଞ୍ଜାବ-ହରିୟାଣା ହାଇକୋର୍ଟ ସିଦ୍ଧୁଙ୍କୁ ତିନି ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଥିବାବେଳେ ସୁପ୍ରିମକୋର୍ଟ ତାଙ୍କୁ ଏହି ମାମଲାରେ ନିର୍ଦ୍ଦୋଷରେ ଖଲାସ କରିଥିଲେ । କିନ୍ତୁ ତାଙ୍କୁ ୧୦୦୦ ଟଙ୍କା ଜରିମାନା କରିଥିଲେ ସର୍ବୋଚ୍ଚ ନ୍ୟାୟାଳୟ ।

୨୭ ଡିସେମ୍ବର ୧୯୮୮ରେ ଏହି ବିବାଦ ପଟିଆଲାରେ ଘଟିଥିଲା, ଯେତେବେଳେ ସିଦ୍ଧୁ ରାସ୍ତା ମଝିରେ ତାଙ୍କ ଜିପ୍ସୀ ଗାଡ଼ିକୁ ପାର୍କ କରିଥିଲେ । ଯେତେବେଳେ ପୀଡିତ ଏବଂ ଅନ୍ୟ ଦୁଇଜଣ ବ୍ୟାଙ୍କରୁ ଟଙ୍କା ଉଠାଇବାକୁ ଯାଉଥିଲେ, ସେମାନେ ରାସ୍ତାରେ ଥିବା ଜିପ୍ସୀକୁ ଦେଖି ସିଦ୍ଧୁଙ୍କୁ ହଟାଇବାକୁ କହିଥିଲେ। ଏହି କାରଣରୁ ସେମାନଙ୍କ ମଧ୍ୟରେ ପାଟିତୁଣ୍ଡ ଆରମ୍ଭ ହୋଇଥିଲା । ପୋଲିସ ଅଭିଯୋଗ କରିଥିଲା ଯେ ଏହି ସମୟ ମଧ୍ୟରେ ସିଦ୍ଧୁ ରାଗିଯାଇ ପୀଡିତଙ୍କୁ ଆକ୍ରମଣ କରି ଘଟଣାସ୍ଥଳରୁ ପଳାଇ ଯାଇଥିଲେ । ଏହା ପରେ ପୀଡିତଙ୍କୁ ଡାକ୍ତରଖାନା ନିଆଯାଇଥିଲା । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲା ।

ବ୍ରଜରାଜନଗର ମଇଦାନରେ ୩ ଦଳର ହେଭିଓ୍ବେଟ ପ୍ରଚାର, ଘର ଘର ବୁଲି ଭୋଟ ମାଗୁଛନ୍ତି ପ୍ରାର୍ଥୀ

ବ୍ରଜରାଜନଗର: ପାଖଉଛି ତାରିଖ, ବଢ଼ୁଛି ତାତି । ବ୍ରଜରାଜନଗର ଉପନିର୍ବାଚନ ପାଇଁ ସରଗରମ ରାଜନୀତି । ବିଜୟ କସରତ କରୁଛନ୍ତି ସବୁ ଦଳ । ଦଳୀୟ ପ୍ରାର୍ଥୀଙ୍କ ପାଇଁ ମଇଦାନକୁ ଓହ୍ଲାଇଛନ୍ତି ହେଭିଓ୍ବେଟ୍ । ଡୋର ଟୁ ଡୋର କ୍ୟାମ୍ପେନିଂରେ ଭୋଟର ପାଖରେ ପହଞ୍ଚିଛନ୍ତି ପ୍ରାର୍ଥୀ । ପ୍ରଚାର ମଇଦାନରେ ଆଗରେ ରହିଛି ବିଜେଡି । ଦଳୀୟ ପ୍ରାର୍ଥୀ ଅଳକା ମହାନ୍ତିଙ୍କ ପାଇଁ ମଇଦାନରେ ପ୍ରଚାର କରୁଛନ୍ତି ବରିଷ୍ଠ ବିଜେଡି ନେତା । ମନ୍ତ୍ରୀ ଓ ବିଧାୟକ ମାନେ ଘରକୁ ଘର ବୁଲି ବିଜେଡି ପାଇଁ ମାଗୁଛନ୍ତି ଭୋଟ୍ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନକଲ୍ୟାଣକାରୀ ଯୋଜନା ଓ ବିକାଶକୁ ଆଧାରରେ ଭୋଟ ମାଗୁଛି ଦଳ ।

ତେବେ ଆଗକୁ ଅଳକାଙ୍କ ପାଇଁ ପ୍ରଚାରକୁ ଓହ୍ଲାଇବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୫୦ ହଜାରରୁ ଅଧିକ ଭୋଟରେ ଜିତିବାକୁ ଦୃଢୋକ୍ତି ପ୍ରକାଶ କରିଛି ଶାସକ ଦଳ । ବ୍ରଜରାଜନଗରବାସୀ ବିଜେଡି ସହ ଅଛନ୍ତି ଓ ରହିବେ ବୋଲି ଦଳ କହିଛି । ସେପଟେ ଫୁଲ ଦମରେ ଲାଗି ପଡ଼ିଛନ୍ତି ବିରୋଧୀ । ଖୁବଶୀଘ୍ର ବିଜେପି ଓ କଂଗ୍ରେସ କେନ୍ଦ୍ରୀୟ ନେତା ପ୍ରଚାର ମଇଦାନକୁ ଓହ୍ଲାଇବେ ବୋଲି ସୂଚନା ମିଳିଛି । ଅନ୍ୟପକ୍ଷରେ ବ୍ରଜରାଜନଗର ଉପନିର୍ବାଚନରେ ପିସିସି ସଭାପତି ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ ।

ମା’ ଓ ଛୁଆ ହାତୀକୁ ଧକ୍କା ଦେଲା ଟ୍ରେନ୍

କେନ୍ଦୁଝର: ମାଲବାହୀ ଟ୍ରେନ୍ ଧକ୍କାରେ ମା’ ଓ ଛୁଆ ହାତୀ ଗୁରୁତର । କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଞ୍ଜ ଯୋଡ଼ା ସେକ୍ସନ୍ ବାଂଶପାଣି ବେହେରା ହାଟିଂ ନିକଟରେ ୨୨ ଟିକିଆ ହାତୀପଲ ଟ୍ରେନ୍ ଲାଇନ୍ ପାର୍ ହେଉଥିବା ସମୟରେ ଧକ୍କା ଦେଲା ଟ୍ରେନ୍ । ମାଲବାହୀ ଟ୍ରେନ୍ ବାଂଶପାଣିରୁ ଜୁରୁଡ଼ି ଯାଉଥିବା ବେଳେ ହାତୀପଲଙ୍କୁ ଧକ୍କା ଦେଇଥିଲା ।

ହାତୀପଲଙ୍କୁ ଦେଖି ଟ୍ରେନ ବେଗ କମ କରିବାରୁ ଯଦିଓ ଅଳ୍ପକେ କିଛି ହାତୀ ରକ୍ଷା ପାଇଛନ୍ତି, ତଥାପି ଦୁଇଟି ହାତୀ ଆହତ ହୋଇଛନ୍ତି । ଧକ୍କା ଦେବାପରେ ଟ୍ରେନ୍ ଟି କିଛି ଦୂରରେ ଅଟକି ରହିଛି । ଦୁର୍ଘଟଣା ପରେ ବେହେରା ହାଟିଂ ସମେତ କେତେକ ଅଞ୍ଚଳରେ ବିଦ୍ୟୁତ୍ ସରବରାହ ବନ୍ଦ ରହିଛି । ଦୁର୍ଘଟଣା ଘଟିଥିବା ହାତୀକୁ ଅନ୍ୟ ହାତୀମାନେ ଜଗି ରହିଥିବା ଦେଖିବାକୁ ମିଳିଛି ।

ମହିଳା ବିଶ୍ୱ ବକ୍ସିଂ ଚାମ୍ପିୟନସିପରେ ନିଖହତ ଆଣିଲେ ସ୍ୱର୍ଣ୍ଣ

ନୂଆଦିଲ୍ଲୀ: ମହିଳା ବିଶ୍ୱ ବକ୍ସିଂ ଚାମ୍ପିୟନସିପରେ ଭାରତ ପାଇଁ ରେକର୍ଡ କରିଛନ୍ତି ଯୁବ ବକ୍ସର ନିଖହତ ଜରୀନ । ୫୨ କେଜି ବର୍ଗରେ ସେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ଫ୍ଲାଏ ୱେଟ କ୍ୟାଟାଗୋରୀର ଫାଇନାଲ ମୁକାବିଲାରେ ସେ ଥାଇଲ୍ୟାଣ୍ଡର ଜିଟପଙ୍ଗ ଜୁଟାମସଙ୍କୁ ୫-୦ରେ ପରାସ୍ତ କରି ଚାମ୍ପିୟନ ହୋଇଛନ୍ତି । ବିଶ୍ୱ ବକ୍ସିଂ ଚାମ୍ପିୟନଶିପ୍ରେ ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଜିତିବାରେ ଜରୀନ ପଞ୍ଚମ ମହିଳା ବକ୍ସର ।

ତାଙ୍କ ପୂର୍ବରୁ ମ୍ୟାରି କମ, ସରିତା ଦେବୀ, ଜେନ୍ନୀ ଆରଏଲ ଓ ଲେଖା କେସି ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଜିତିଥିଲେ। ୨୫ ବର୍ଷୀୟ ଜରୀନ ପୂର୍ବତନ ଜୁନିୟର ୟୁଥ ୱାର୍ଲ୍ଡ ଚାମ୍ପିୟନ। ସେ ୨୦୨୧ ଜାତୀୟ ବକ୍ସିଂ ପ୍ରତିଯୋଗିତାରେ ମଧ୍ୟ ସ୍ୱର୍ଣ୍ଣ ଜିତିଥିଲେ । ଫାଇନାଲ ମ୍ୟାଚ୍ରେ ତେଲେଙ୍ଗାନା ବକ୍ସର ଜରୀନ ଥାଇଲ୍ୟାଣ୍ଡ ପ୍ରତିପକ୍ଷଙ୍କ ବିରୋଧରେ ଦମଦାର ପ୍ରଦର୍ଶନ କରିଥିଲେ । ଜରୀନଙ୍କ ବ୍ୟତୀତ ମହିଳା ବିଶ୍ୱ ବକ୍ସିଂ ଚାମ୍ପିୟନଶିପର ୫୭ କେଜି ବର୍ଗରେ ମନୀଷା ମୋନୁ ଓ ଡେବ୍ୟୁଟାଣ୍ଟ ପରଭୀନ ହୁଡା ୬୩ ବର୍ଗରେ ଭାରତ ପାଇଁ ବ୍ରୋଞ୍ଜ ପଦକ ଜିତିଛନ୍ତି ।