spot_img
Home Blog Page 4382

ପିଏମ୍‌ଜି ଅଫିସ୍ ସମ୍ମୁଖରେ ବୀଭତ୍ସ ହତ୍ୟା: ଶୋଇଥିବା ବେଳେ ପୂରା ପରିବାରକୁ ମରଣାନ୍ତକ ଆକ୍ରମଣ

ଭୁବନେଶ୍ୱର: ରାଜଧାନୀରେ ପିଏମଜି ଅଫିସ ସମ୍ମୁଖରେ ବୀଭତ୍ସ ହତ୍ୟା । ସ୍ୱାମୀ-ସ୍ତ୍ରୀ ଓ ପିଲା ଶୋଇଥିବା ବେଳେ କରାଯାଇଛି ମରଣାନ୍ତକ ଆକ୍ରମଣ । ଘଟଣାସ୍ଥଳରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ିଛି ଯୁବକଙ୍କ ମୃତଦେହ । ଗୁରୁତର ଅବସ୍ଥାରେ ସ୍ତ୍ରୀ ଓ ଛୋଟ ପିଲାକୁ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ଘଟଣାସ୍ଥଳରେ ଖାରବେଳ ନଗର ଥାନା ପୋଲିସ ପହଞ୍ଚି ତଦନ୍ତ କରୁଛି । ଗତକାଲି ବିଳମ୍ବିତ ରାତିରେ କେହି ହତ୍ୟା କରିଥିବା ସନ୍ଦେହ କରୁଛି ପୋଲିସ । ତେବେ ହତ୍ୟାକାଣ୍ଡର କାରଣ ଜଣାପଡିନାହିଁ ।

ଘଟଣା ସ୍ଥଳରେ ପୋଲିସର ତନାଘନା ଜାରି । ଗୁରୁତର ମାଆଙ୍କୁ କଟକ ଏସସିବି ସ୍ଥାନାନ୍ତର କରାଯାଇଥିବା ବେଳେ ଶିଶୁ ଜଣକ ପୂରା ସୁସ୍ଥ ଅଛି । ଏବଂ ତାଙ୍କୁ ଚାଇଲ୍ଡ ହେଲ୍ପ ଲାଇନ୍‌କୁ ହସ୍ତାନ୍ତର କରାଯାଇଛି ।

ଏଥିସହିତ ପଢ଼ନ୍ତୁ: ଆଭ୍ୟନ୍ତରୀଣ ଓଡ଼ିଶାରେ ସ୍ୱାଭାବିକ ଠାରୁ ୨ରୁ୩ ଡିଗ୍ରୀ ବଢ଼ିବ ତାପମାତ୍ରା

ଆଭ୍ୟନ୍ତରୀଣ ଓଡ଼ିଶାରେ ସ୍ୱାଭାବିକ ଠାରୁ ୨ରୁ୩ ଡିଗ୍ରୀ ବଢ଼ିବ ତାପମାତ୍ରା

ଭୁବନେଶ୍ୱର: ରାଜ୍ୟରେ ଜାରି ରହିବ ଖରା ବର୍ଷାର ଲୁଚକାଳି ଖେଳ । ଉତ୍ତର ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାରେ କାଳବୈଶାଖୀ ବର୍ଷା ସମ୍ଭାବନା ଥିବାବେଳେ ଆଭ୍ୟନ୍ତରୀଣ ଓଡ଼ିଶାରେ ତାତି ବଢିଚାଲିବ । ବିଶେଷ କରି ଆସନ୍ତା ୪ ଦିନ ପର୍ଯ୍ୟନ୍ତ ଆଭ୍ୟନ୍ତରୀଣ ଓଡ଼ିଶାରେ ସ୍ୱାଭାବିକଠାରୁ ୨ ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ହେବ ।

ସେପଟେ ରାଜ୍ୟରେ ଏବେ କାଳବୈଶାଖୀ ସକ୍ରିୟ ରହିଛି । ବିଭିନ୍ନ ଜିଲ୍ଲାରେ ଘଡଘଡି ବିଜୁଳି ସହ ବର୍ଷା ପାଇଁ ସତର୍କତା ଜାରି କରାଯାଇଛି । ୧୪ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲାରେ କାଳ ବୈଶାଖୀ ବର୍ଷା ସମ୍ଭାବନା ରହିଛି । ତେବେ ବର୍ତ୍ତମାନ ଓଡ଼ିଶା ଉପରେ ପାଣିପାଗର କୌଣସି ନିୟାମକ ନ ଥିବାରୁ ପାଗ ସମ୍ପୂର୍ଣ୍ଣ ଶୁଖିଲା ରହିବା ସହ ଆଭ୍ୟନ୍ତରୀଣ ଓଡ଼ିଶାରେ ପାରା ବଢିବ । ତେବେ ଉପକୂଳ ଓଡ଼ିଶାରେ ଜଳୀୟ ବାଷ୍ପ ପୂର୍ଣ୍ଣ ବାୟୁ ପ୍ରବାହ ହେଉଥିବାରୁ ତାପମାତ୍ରା ସାମାନ୍ୟ କମ୍ ରହିବ । ରାଜଧାନୀ ଭୁବନେଶ୍ୱରର ତାପମାତ୍ରା ସର୍ବାଧିକ ୩୮ ଡିଗ୍ରୀ ପର୍ଯ୍ୟନ୍ତ ଯାଇପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।

ଏଥିସହିତ ପଢ଼ନ୍ତୁ: ଗଞ୍ଜାମ ତାରାତାରିଣୀ ନିକଟରେ ଦୁର୍ଘଟଣା, ଭକ୍ତଙ୍କୁ ନେଇ ଫେରୁଥିବା ବେଳେ ବସ୍-ଟ୍ରକ୍ ମୁହାଁମୁହିଁ ଧକ୍କା

ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଆଜି ଦ୍ୱିପାକ୍ଷିକ ଆଲୋଚନା କରିବେ ଜୋ ବାଇଡେନ୍

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଜୋ-ବାଇଡେନଙ୍କ ସହ ଆଜି ଦ୍ୱିପାକ୍ଷିକ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭର୍ଚୁଆଲ ମୋଡରେ ହେବ ଆଲୋଚନା । ବିଶ୍ୱ ଅର୍ଥନୀତି ଓ ଇଣ୍ଡୋ-ପେସିଫିକ୍ ଅଞ୍ଚଳର ସୁରକ୍ଷା ପ୍ରସଂଗରେ ଆଲୋଚନା ହେବ । ଏଥିରେ ଦୁଇ ଦେଶର ବିଦେଶ ମନ୍ତ୍ରାଳୟ ଓ ପ୍ରତିରକ୍ଷା ମନ୍ତ୍ରାଳୟର ଉଚ୍ଚ ଅଧିକାରୀ ମଧ୍ୟ ସାମିଲ ହେବେ ବୋଲି ହ୍ୱାଇଟ୍ ହାଉସ ପକ୍ଷରୁ ସୂଚନା ଦିଆଯାଇଛି ।

ୟୁକ୍ରେନ ଉପରେ ରୁଷର ଆକ୍ରମଣ ପ୍ରସଙ୍ଗ ମଧ୍ୟ ଦୁଇ ରାଷ୍ଟ୍ର ମୁଖ୍ୟଙ୍କ ଆଲୋଚନାରେ ସ୍ଥାନ ପାଇବ । ରୁଷ ଆକ୍ରମଣ ପରେ ବିଶ୍ବ ଖାଦ୍ୟ ଯୋଗାଣ ଗମ୍ଭୀର ପ୍ରଭାବିତ ହୋଇଛି । ଅନ୍ତର୍ଜାତୀୟ ବଜାର ଉପରେ ଏହାର ପ୍ରଭାବ ପଡିଛି । ସେହିପରି ରୁଷଠୁ ଅଶୌଧିତ ତୈଳ ଭାରତ କିଣୁଥିବାରୁ ଏହି ପ୍ରସଙ୍ଗ ଉପରେ ଚର୍ଚ୍ଚା ହୋଇପାରେ । ପୂର୍ବରୁ ଜାତିସଂଘ ମହାସଭାରେ ରୁଷ ବିରୋଧରେ ବିଭିନ୍ନ ପ୍ରସ୍ତାବରେ ଭୋଟ ବେଳେ ସାମିଲ ହୋଇ ନାହିଁ ଭାରତ । ତେଣୁ ରୁଷ ବିରୋଧରେ ମତ ଦେବାକୁ ଭାରତ ଉପରେ ଚାପ ପକାଇ ପାରନ୍ତି ଜୋ ବାଇଡେନ୍ ।

ଶ୍ରୀଜଗନ୍ନାଥ ମେଡିକାଲ କଲେଜର ଆଜି ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ

ପୁରୀ: ଆଜିଠୁ ଆରମ୍ଭ ହେବ ଶ୍ରୀଜଗନ୍ନାଥ ମେଡିକାଲ କଲେଜ । ପୁରୀ ଜିଲ୍ଲାବାସୀ ପାଇବେ ଅତ୍ୟାଧୁନିକ ଚିକିତ୍ସା ସେବା । ମେଡିକାଲ କଲେଜକୁ ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭର୍ଚୁଆଲରେ ରହିବେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ୍ ମାଣ୍ଡଭ୍ୟ । ବିଦ୍ୟାର୍ଥୀଙ୍କ ସହ ଭାବ ବିନିମୟ ମଧ୍ୟ କରିବେ ନବୀନ । ପୁରୀ ବଳିଗୁଆଳି ନିକଟରେ ୫୦୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି କଲେଜର ବିଭିନ୍ନ ସେବା ଅନୁଧ୍ୟାନ କରିବେ ମୁଖ୍ୟମନ୍ତ୍ରୀ ।

ପାଞ୍ଚ ମହଲା ବିଶିଷ୍ଟ ହଷ୍ଟେଲ ନିର୍ମାଣ ହୋଇଥିବା ବେଳେ ବିଦ୍ୟାର୍ଥୀମାନଙ୍କ ସମସ୍ତଙ୍କ ଆବଶ୍ୟକତା ପୂରଣ ପାଇଁ ଭିତ୍ତିଭୂମି ପ୍ରସ୍ତୁତ ହୋଇଛି । ସେହିପରି ପ୍ରଶାସନିକ ଭବନ, କ୍ୟାଣ୍ଟିନ ସମେତ କ୍ଲାସରୁମ, ଲ୍ୟାବ ନିର୍ମାଣ ହୋଇଥିବା ବେଳେ 150 ଛାତ୍ରୀ ଓ 300 ଛାତ୍ରଙ୍କ ପାଇଁ ସୁବିଧା ରହିଛି । ମେଡିକାଲର ସମସ୍ତ ପାଠ୍ୟକ୍ରମ ତଥା ବିଭାଗରେ ପାଠ ପଢ଼ାଇବାକୁ 150 ଜଣ ପ୍ରଫେସର, ବିଶେଷଜ୍ଞ, ସହକାରୀ ପ୍ରଫେସର ଯୋଗ ଦେଇସାରିଲେଣି । ବର୍ତମାନ ପରିପ୍ରେକ୍ଷୀରେ କଲେଜ ସାମୟିକ ଭାବେ ପୁରୀ ଡାକ୍ତରଖାନାରେ ଚାଲୁଥିବା ବେଳେ ଆଗକୁ 650 ବେଡ଼ ବିଶିଷ୍ଟ ନିଜସ୍ବ ଡାକ୍ତରଖାନାରେ ଚାଲିବା ନେଇ ନିର୍ମାଣ ଆରମ୍ଭ ହୋଇଛି । ଲୋକାର୍ପଣ ଉତ୍ସବ ପାଇଁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । କଲେଜ ପ୍ରତିଷ୍ଠା ପୁରୀବାସୀଙ୍କ ଦୀର୍ଘବର୍ଷର ସ୍ୱପ୍ନ ପୂରଣ କରୁଥିବାରୁ ବିଭିନ୍ନ ମହଲରୁ ସ୍ୱାଗତ କରାଯାଇଛି ।

ରାମ ନବମୀରେ ଆରମ୍ଭ ହେଲା କାଠ ଚିରଟ ଅନକୂଳ

ପୁରୀ: ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରା ପାଇଁ ପବିତ୍ର ରାମ ନବମୀ ଅବସରରେ କାଠ ଚିରଟ କାମ ଅନକୂଳ ହୋଇଛି । ପୁରୀରୁ ଆଜ୍ଞାମାଳ ଆସି କଟକରେ ପହଞ୍ଚିବା ପରେ ଖପୁରିଆ ସ୍ଥିତ ସରକାରୀ ସ ମିଲ୍ ରେ କାଠ ଚିରଟ ଆରମ୍ଭ ହୋଇଥିଲା । ଆଜି 26 ଘନଫୁଟ ଆକାରର ତିନୋଟି ଧଉରା କାଠ ଚିରା ହୋଇଥିବା ବେଳେ ଆଗକୁ ଅନ୍ୟ କାଠ ଚିରା ହୋଇ ପୁରୀ ଯିବ ।

ପୁରୀରୁ ଆଜ୍ଞାମାଳ ଧରି ଶ୍ରୀମନ୍ଦିର ପ୍ରଶାସନର ଅଧିକାରୀ, ଅମିନ ଓ ଅନ୍ୟ ସେବକ ମାନେ କଟକ ଖପୁରିଆ ସରକାରୀ କାଠ ଚିରା ସମିଲ୍ ରେ ପହଂଚି ଥିଲେ । ସେଠାରେ ସେମାନେ ପୂଜାର୍ଚ୍ଚନା କରିବା ପରେ ଆରମ୍ଭ ହୋଇଥିଲା କାଠ ଚିରା କାମ । ଚିରଟ ଅନୁକୁଳ କାର୍ଯ୍ୟକ୍ରମରେ ଜଙ୍ଗଲ ବିଭାଗ, ମନ୍ଦିର ପ୍ରଶାସନର ଅଧିକାରୀ ଉପସ୍ଥିତ ରହି ପୁରା ପ୍ରକ୍ରିୟାକୁ ଶୃଙ୍ଖଳାର ସହ ପରିଚାଳନା କରିଥିଲେ। ଅକ୍ଷୟ ତୃତୀୟାରୁ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ।

ଭୁବନେଶ୍ୱରରେ ‘ନ୍ୟାସନାଲ ଫିଜିକ କମିଟି ଓଡିଶା’ ବଡି ବିଲ୍ଡିଂ ଚାମ୍ପିଅନସିପ୍‌

ଭୁବନେଶ୍ୱର: ଉଦଘାଟିତ ହୋଇଯାଇଛି ‘ନ୍ୟାସନାଲ ଫିଜିକ କମିଟି ଓଡିଶା’ ବଡି ବିଲ୍ଡିଂ ଚାମ୍ପିଅନସିପ୍‌ । ଭୁବନେଶ୍ୱର ରେଲୱେ ଇଣ୍ଡୋର ଷ୍ଟାଡିୟମରେ ପ୍ରତିଯୋଗିତା ଆୟୋଜିତ ହୋଇଛି । ସାରା ଦେଶରୁ 55 ଜଣ ପୁରୁଷ ଓ 5 ଜଣ ମହିଳା ବଡି ବିଲଡର ଏଥିରେ ଭାଗ ନେଇଛନ୍ତି । ଓଡ଼ିଶାରେ ପ୍ରଥମ ଥର ପାଇଁ NPC ଓଡିଶା ବଡି ବିଲ୍ଡିଂ ଚାମ୍ପିଅନସିପ ଖେଳାଯାଉଛି । NPC ଓଡିଶା ବଡି ବିଲ୍ଡିଂ ଫେଡେରେସନ ଓ RR-27 ଦ୍ବାରା ଏହି ପ୍ରତିଯୋଗିତା ଖେଳାଯାଉଛି ।

ଏନପିସି ଓପନ ବଡି ବିଲଡିଂରେ ମିଷ୍ଟର ଓଡିଶା ଟାଇଟଲ ହାତେଇଛନ୍ତି ଓଡ଼ିଆ ପୁଅ ଜଗନ୍ନାଥ ଖୁଣ୍ଟିଆ । ସେ ଓଭରାଲ କ୍ୟାଟେଗୋରୀରେ ଚମ୍ପିୟନ୍ସ ହୋଇଛନ୍ତି ।ପ୍ରତିଯୋଗିତାରେ ଉଭୟ ମହିଳା ଓ ପୁରୁଷ ବର୍ଗର 7ଟି କ୍ୟାଟେଗୋରୀରେ ପ୍ରତିଯୋଗିତା ଖେଳାଯାଉଛି । ଏଥିରେ ଓମେନ୍ସ ବିକିନି ବଡି ବିଲଡିଂ, ମେନ୍ସ ବଡି ବିଲଡିଂ, ମେନ୍ସ କ୍ଲାସିକ ବଡି ବିଲଡିଂ, ମେନ୍ସ ଫିଜିକ ଓ ଷ୍ଟାର ବଡି ବିଲଡିଂ କ୍ୟାଟେଗୋରୀରେ ଏହି ପ୍ରତିଯୋଗିତାର ଖେଳାଯାଉଛି । ପ୍ରତିଯୋଗିତାରେ 6 ଲକ୍ଷ 50 ହଜାର ଟଙ୍କା ପୁରସ୍କାର ରାଶି ରହିଛି ।

ଏହି ପ୍ରତିଯୋଗିତାରେ ସଫଳ ପ୍ରତିଯୋଗୀ ଜାତୀୟସ୍ତରୀୟ ପ୍ରତିଯୋଗିତା ପାଇଁ ଯୋଗ୍ୟତା ଅର୍ଜନ କରିବେ । ଆସନ୍ତା ମେ ମାସରେ ଦିଲ୍ଲୀରେ ଆୟୋଜିତ ହେବ ଜାତୀୟସ୍ତରୀୟ ପ୍ରତିଯୋଗିତା । NPC ବଡି ବିଲ୍ଡିଂ ଫେଡେରେସନ ବିଶ୍ୱର ଏକମାତ୍ର ଆମେଚର ପ୍ରୋ ଲିଗ ଅର୍ଗାନାଇଜେସନ, ଯାହାକି ଇଣ୍ଟନ୍ୟାସନାଲ ଫେଡେରେସନ ଅଫ ବଡି ବିଲ୍ଡିଂ ଏଣ୍ଡ ଫିଟନେସ IFBB ଦ୍ବାରା ସ୍ବୀକୃତିପ୍ରାପ୍ତ ।

ବିମାନରେ ସ୍ମୃତି ଇରାନୀଙ୍କୁ ଘେରିଲେ କଂଗ୍ରେସ ନେତ୍ରୀ: ଦରଦାମ୍ ବୃଦ୍ଧି ନେଇ କଲେ ଏଭଳି ପ୍ରଶ୍ନ

ଗୌହାଟୀ: ବିମାନ ଯାତ୍ରା ବେଳେ ହଟହଟା ହେଲେ କେନ୍ଦ୍ରମନ୍ତ୍ରୀ । କଂଗ୍ରେସ ନେତ୍ରୀଙ୍କ ପ୍ରଶ୍ନବାଣରେ କେନ୍ଦ୍ରମନ୍ତ୍ରୀ ଘାଇଲା । LPG, ପେଟ୍ରୋଲ, ଡିଜେଲ ଦାମ ବୃଦ୍ଧିକୁ ନେଇ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କୁ ଗୌହାଟି ବିମାନବନ୍ଦରରେ ଘେରିଲେ ମହିଳା କଂଗ୍ରେସ ଅଧ୍ୟକ୍ଷା ନିତା ଡି’ସୁଜା । ଗୌହାଟୀ ଏୟାରପୋର୍ଟରେ ବିମାନରୁ ଓହ୍ଲାଇବା ବେଳେ କଂଗ୍ରେସ ନେତ୍ରୀ କେନ୍ଦ୍ରମନ୍ତ୍ରୀଙ୍କୁ ଘେରିଥିଲେ ।

ଦରଦାମ ବୃଦ୍ଧିକୁ ନେଇ କେନ୍ଦ୍ରମନ୍ତ୍ରୀଙ୍କୁ ପ୍ରଶ୍ନ କରିବାକୁ ପ୍ରଥମେ ସେ ଏହାକୁ ଏଡ଼ାଇ ଦେଇଥିଲେ । ପରେ ମାଗଣା କରୋନା ଟିକା ଓ ରାଶନ ଯୋଗାଣ ଯୋଗୁଁ ଦରଦାମ ବଢୁଥିବା କହିଥିଲେ । କଂଗ୍ରେସ ନେତ୍ରୀ ଏହି ୧ ମିନିଟ ୧୧ ସେକେଣ୍ଡର ଏକ ଭିଡିଓ ନିଜ ଟ୍ୱିଟର ହ୍ୟାଣ୍ଡେଲରେ ପୋଷ୍ଟ କରିଛନ୍ତି । ନିତାଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ବେଳେ ତାଙ୍କ ପୋଷ୍ଟରେ ଅନେକ ୟୁଜର୍ସ ଦରବୃଦ୍ଧିକୁ ନେଇ କେନ୍ଦ୍ରକୁ ସମାଲୋଚନା କରିଛନ୍ତି । ସେହିପରି ଅନେକ ୟୁଜର୍ସ ନିତା ଡିସୁଜାଙ୍କୁ ପ୍ରଶଂସା ମଧ୍ୟ କରିଛନ୍ତି ।

ଅପରପକ୍ଷରେ ଗ୍ୟାସ୍ ଦର ଏତେ ଉଚ୍ଚରେ ପହଞ୍ଚିଲାଣି ଯେ, ଏବେ ଦେଶର ଏଲ୍‌ପିଜି ଦର ବିଶ୍ୱରେ ମହଙ୍ଗା । ଦେଶ ବାହାରେ ଗ୍ୟାସ୍ ସିଲିଣ୍ଡର ପିଛା ୭ରୁ ୮ ଟଙ୍କା ଟିକସ ନିଆଯାଉଛି । ଅଥଚ ଭାରତରେ ଉତ୍ପାଦ ଶୁଳ୍କ ଓ ସେସ୍‌ ବାବଦରେ ସିଲିଣ୍ଡର ପିଛା ଆଦାୟ ହେଉଛି ୨୫୦ରୁ ୩୦୦ ଟଙ୍କା । ଏମିତି ଟ୍ୟାକ୍ସ ଲଦି ୭ ବର୍ଷ ଭିତରେ ପେଟ୍ରୋଲ୍, ଡିଜେଲ୍ ଓ ଗ୍ୟାସ୍ ଉପରୁ କେନ୍ଦ୍ର ସରକାର ଆଦାୟ କଲେଣି ୨୬ ଲକ୍ଷ କୋଟି ଟଙ୍କା । ତୈଳ ଓ ଗ୍ୟାସ ଦର ନିୟନ୍ତ୍ରଣ ନ କରି ବିପଣନକାରୀ କମ୍ପାନୀଙ୍କୁ ଖୁଲମଖୋଲା ଛାଡ଼ି ଦେଇଛନ୍ତି କେନ୍ଦ୍ର ସରକାର । ରାଜସ୍ୱ ସଂଗ୍ରହ ପାଇଁ ବିକଳ୍ପ ବାଟ ବାହାର ନ କରି ଖାଉଟିଙ୍କୁ ହନ୍ତସନ୍ତ କରୁଛି କେନ୍ଦ୍ର ।

ଏଥିସହିତ ପଢ଼ନ୍ତୁ: କେନ୍ଦ୍ରର ରାଜସ୍ୱ ପାଇଁ ହନ୍ତସନ୍ତ ଖାଉଟି, ବିଶ୍ୱରେ ଭାରତରେ ଗ୍ୟାସ୍ ଦାମ ସର୍ବାଧିକ

ରିଲିଜ୍ ପୂର୍ବରୁ କେଜିଏଫ୍-୨ର କ୍ରେଜ୍: ଏଯାବତ୍ ୧୭କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ଟିକେଟ୍ ବିକ୍ରି

ମୁମ୍ୱାଇ: ରିଲିଜ୍ ପୂର୍ବରୁ ଧୁମ୍ ମଚାଇଛି କେଜିଏଫ୍-୨ । ପ୍ରତିଦିନ ଖବରର ଶୀର୍ଷକ ପାଲଟିଛି ଏହି ଚଳଚ୍ଚିତ୍ର । ଅନୁମାନ କରାଯାଇଛି ଯେ, କୋଭିଡ ପରବର୍ତ୍ତୀ ସମୟରେ ରିଲିଜ୍ ହୋଇଥିବା ସବୁ ଚଳଚ୍ଚିତ୍ରର ରେକର୍ଡ ଭାଙ୍ଗିବ ଏହି ଚଳଚ୍ଚିତ୍ର । ଏପ୍ରିଲ ୧୪ରେ ଏହି ଚଳଚ୍ଚିତ୍ର ରିଲିଜ୍ ହେବାକୁ ଥିବା ବେଳେ କନ୍ନଡ, ତେଲୁଗୁ, ହିନ୍ଦୀ, ତାମିଲ ଓ ମାଲାୟଲମ୍ ଭାଷାରେ ରିଲିଜ୍ ହେବ । ତେବେ କର୍ଣ୍ଣାଟକରେ କେଜିଏଫ୍-୨ ଚଳଚ୍ଚିତ୍ରର ଆଡଭନ୍ସ ବୁକିଂ ସରିଯାଇଛି ।

KGF Chapter 2: Trailer Date Is Out Now! Yash Fans, Mark Your Calendars

ସାଧାରଣତଃ ଫାଷ୍ଟ ଡେ,ଫାଷ୍ଟ ଶୋ’ କଥା କହିଲେ, ଆପଣଙ୍କ ମନକୁ ଆସିବ ସକାଳ ୯ଟାରେ ଆରମ୍ଭ ହେଉଥିବା ଶୋ’ । କିନ୍ତୁ ଏହି ଚଳଚ୍ଚିତ୍ର ପାହାନ୍ତିଆରେ ରିଲିଜ୍ ହେବ । ଅର୍ଥାତ ସକାଳ ୩ଟାରୁ ଆରମ୍ଭ ହେବ ଏହାର ଫାଷ୍ଟ ଡେ, ଫାଷ୍ଟ ଶୋ’ । ତେବେ କର୍ଣ୍ଣାଟକରେ ଏହି ଶୋ’ର ବୁକିଂ ସରିଯାଇଛି ।

Sanjay Dutt's 'Adheera' look from 'KGF 2' revealed | The News Minute

ହିନ୍ଦୀ ଭାଷାରେ ରିଲିଜ୍ ହେବାକୁ ଥିବା କେଜିଏଫ୍-୨ର ବୁକିଂ  ୧୨ ଘଣ୍ଟା ମଧ୍ୟରେ ୧.୭ଲକ୍ଷ ଟିକେଟ୍ ବୁକିଂ ହୋଇସାରିଛି । ଅର୍ଥାତା କନ୍ନଡ ଭାଷାରେ ରିଲିଜ୍ ହେବାକୁ ଥିବା ଫିଲ୍ମ ବାବଦକୁ ୩.୩୫କୋଟି ଟଙ୍କା ଓ ହିନ୍ଦୀ ଭାଷାରେ ରିଲିଜ୍ ହେବାକୁ ଥିବା ଫିଲ୍ମ ପାଇଁ ସାଢ଼େ ୧୦ କୋଟି ଟଙ୍କା, ମାଲାୟାଲମରେ ୧.୮୦କୋଟି, ତେଲୁଗୁରେ ୪ଲକ୍ଷ, ତାମିଲରେ ୧.୯୦କୋଟି ଟଙ୍କା ଆୟ ହୋଇଛି । ମୋଟ ୧୭.୨୪ କୋଟି ଟଙ୍କା ରିଲିଜ୍ ପୂର୍ବରୁ ଆୟ କରିସାରିଛି କେ.ଜି.ଏଫ୍ -୨ ଚଳଚ୍ଚିତ୍ର ।

Yash's KGF Chapter 2 teaser hits 200 million views on YouTube, actor is  elated - Movies News

ୟସ୍ ରାଜ୍ ଫିଲ୍ମ ବ୍ୟାନ୍‌ରେ ନିର୍ମିତ ସିନେମା ଓ୍ୱାର ନାମରେ ସର୍ବାଧିକ ପ୍ରି ବୁକିଂର ରେକର୍ଡ ରହିଥିବା ବେଳେ ଏହା ପଛକୁ ବାହୁବଳୀ ରହିଛି । ମୋଟ ୩୨.୫କୋଟି ଟଙ୍କା ଓ୍ୱାର ସିନେମା ଆୟ କରିଥିବା ବେଳେ ବହୁବଳୀ-୨ ଏବଂ ଟାଇଗର ଜିନ୍ଦା ହେ ଚଳଚ୍ଚିତ୍ର ରହିଛି । ତେବେ କେଜିଏଫ୍ ପାର୍ଟ ୧ ନାମରେ ମଧ୍ୟ ବହୁ ରେକର୍ଡ ରହିଛି । ଯେମିତିକି ଥରକେ ୫ଟି ଭାଷାରେ ରିଲିଜ୍ ହୋଇଥିଲା ଏହି ଚଳଚ୍ଚିତ୍ର ।

 

ସୋମବାର ଶ୍ରୀକ୍ଷେତ୍ର ଯାଉଛନ୍ତି ନବୀନ, ଶ୍ରୀଜଗନ୍ନାଥ ମେଡିକାଲ କଲେଜର କରିବେ ଉଦଘାଟନ

ଭୁବନେଶ୍ୱର: ଶ୍ରୀକ୍ଷେତ୍ରକୁ ସୋମବାର ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ।  ପୁରୀରେ ଶ୍ରୀଜଗନ୍ନାଥ ମେଡିକାଲ କଲେଜର ଶୁଭ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ । ଏହାପୂର୍ବରୁ ପୁରୀରେ ସ୍ଥିତି ସମୀକ୍ଷା କରିଛନ୍ତି ଜିଲ୍ଲାପାଳ ଓ ଏସପି । ପ୍ରଶାସନ ନେଇଥିବା ସମସ୍ତ ପଦକ୍ଷେପ ସମ୍ପର୍କରେ ଜିଲ୍ଲାପାଳ ଓ ଏସପି ଅବଗତ ହୋଇଛନ୍ତି । ଏହା ସହିତ ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର ଅବତରଣ କରିବା ସ୍ଥାନରେ ମଧ୍ୟ ଜିଲ୍ଲାପାଳ ଓ ଏସପି ଯାଞ୍ଚ କରିଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ପୁରୀ ଗସ୍ତକୁ ନେଇ ପୁରୀରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି  । ସାକାର ହେବାକୁ ଯାଉଛି ପୁରୀବାସୀଙ୍କ ବହୁପ୍ରତିକ୍ଷିତ ସ୍ୱପ୍ନ। ଆସନ୍ତାକାଲି ବହୁ ପ୍ରତୀକ୍ଷିତ ମେଡିକାଲ କଲେଜ ଲୋକାର୍ପଣ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଲୋକାର୍ପଣ କରିବେ । ବାଲିଗୁଆଳି ନିକଟରେ 5ଶହ କୋଟି ଟଙ୍କା ବିନିମୟରେ ନିର୍ମିତ ମେଡିକାଲ କଲେଜରେ ୪୫୦ ଛାତ୍ରଛାତ୍ରୀଙ୍କ ରହିବା ନିମିତ୍ତ ହଷ୍ଟେଲ ସହ ଲ୍ୟାବ, କ୍ଲାସରୁମ, ପ୍ରଶାସନିକ ଭବନ ପ୍ରସ୍ତୁତ ରହିଛି ।

ସୋମବାର ଠାରୁ ୧୦୦ ଛାତ୍ରଛାତ୍ରୀଙ୍କ ପାଠପଢା ଆରମ୍ଭ ହେବ । ଅପରାହ୍ନରେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ଥିବାବେଳେ ଛାତ୍ରଛାତ୍ରୀଙ୍କ ସହ ଭାବ ବିନିମୟ କରି କଲେଜର ବିଭିନ୍ନ ସେବା ଅନୁଧ୍ୟାନ କରିବେ ମୁଖ୍ୟମନ୍ତ୍ରୀ । ପାଞ୍ଚ ତାଲା ବିଶିଷ୍ଟ ହଷ୍ଟେଲ ନିର୍ମାଣ ହୋଇଥିବା ବେଳେ ବିଦ୍ୟାର୍ଥୀ ମାନଙ୍କ ସମସ୍ତଙ୍କ ଆବଶ୍ୟକତା ପୂରଣ ପାଇଁ ଭିତ୍ତିଭୂମି ପ୍ରସ୍ତୁତ ହୋଇଛି । ସେହିପରି ପ୍ରଶାସନିକ ଭବନ, କ୍ୟାଣ୍ଟିନ ସମେତ କ୍ଲାସରୁମ, ଲ୍ୟାବ ନିର୍ମାଣ ହୋଇଥିବା ବେଳେ 150 ଛାତ୍ରୀ ଓ 300 ଛାତ୍ରଙ୍କ ପାଇଁ ସୁବିଧା ରହିଛି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ମେଡିକାଲ କଲେଜ କର୍ତ୍ତୃପକ୍ଷ ବେଶ ଉତ୍ସାହିତ ଥିବା ବେଳେ ଗସ୍ତ କାର୍ଯ୍ୟକ୍ରମ ନେଇ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି ।

ପୁଣି ଆରମ୍ଭ ହେଲା ସ୍ୱାଧୀନତା ସଂଗ୍ରାମ: ଇମ୍ରାନ୍

ଇସ୍‌ଲାମାବାଦ: ଗାଦିଚ୍ୟୁତ ହେବା ପରେ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍  । ଟ୍ୱିଟ୍ କରି ସ୍ୱାଧୀନତା ସଂଗ୍ରାମ ପୁଣି ଥରେ ଆରମ୍ଭ ହୋଇଥିବା କହିଛନ୍ତି ଇମ୍ରାନ୍ । ଶନିବାର ବିଳମ୍ବିତ ରାତିରେ ପାକିସ୍ତାନରେ ଦୀର୍ଘ ଦିନର ରାଜନୈତିକ ଅସ୍ଥିରତା ପରେ ଇମ୍ରାନ ସରକାରର ପତନ ଘଟିଥିଲା। ଅନାସ୍ଥା ଭୋଟ୍‌ରେ ଇମ୍ରାନ୍‌ ଖାନ୍ ପରାଜୟ ବରଣ କରିବା ସହିତ ଦେଶର ପ୍ରଧାନମନ୍ତ୍ରୀ ପଦରୁ ତାଙ୍କୁ ବହିଷ୍କୃତ କରାଯାଇଥିଲା।

ଇମ୍ରାନ ଖାନ ଟ୍ୱିଟ କରି ଲେଖିଛନ୍ତି ଯେ, ୧୯୪୭ ମସିହାରେ ପାକିସ୍ତାନ ସ୍ୱାଧୀନ ହୋଇଥିଲା। କିନ୍ତୁ ଆଜି କ୍ଷମତା ବଦଳାଇବା ପାଇଁ କରାଯାଇଥିବା ବିଦେଶୀ ଷଡଯନ୍ତ୍ର ବିରୋଧରେ ପାକିସ୍ତାନରେ ପୁଣି ଥରେ ସ୍ୱାଧୀନତା ସଂଗ୍ରାମ ଆରମ୍ଭ ହୋଇଛି। ପାକିସ୍ତାନବାସୀ ସବୁବେଳେ ଦେଶର ସାର୍ବଭୌମତ୍ୱ ଏବଂ ଗଣତନ୍ତ୍ରର ସୁରକ୍ଷା କରିଆସିଛନ୍ତି, ଆଗକୁ ମଧ୍ୟ କରିବେ ।

ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହେବା ପୂର୍ବରୁ ସରିଫ୍ କହିଛନ୍ତି ଯେ ସେ ଭାରତ ସହ ଶାନ୍ତି ପ୍ରତିଷ୍ଠା କରିବାକୁ ଚାହୁଁଛନ୍ତି। ହେଲେ କଶ୍ମୀର ସମସ୍ୟାର ସମାଧାନ ବିନା ଏହା ସମ୍ଭବ ନୁହେଁ। ଇସଲାମାବାଦରେ ଜିଓ ନ୍ୟୁଜକୁ ସାକ୍ଷାତକାର ଦେଇ ଶହାବାଜ୍ ସରିଫ କହିଛନ୍ତି, କ୍ଷମତାକୁ ଆସିବା ପରେ ତାଙ୍କର ପ୍ରଥମ ପ୍ରାଥମିକତା ହେଉଛି ଜାତୀୟ ସୌହାର୍ଦ୍ଦ୍ୟ ଏବଂ ବିରୋଧୀଦଳର ନେତାଙ୍କ ପରାମର୍ଶ କ୍ରମେ ଏକ ନୂତନ କ୍ୟାବିନେଟ ଗଠନ କରିବା। ଏହା ପରେ ସେ ଦେଶର ଅର୍ଥନୀତିରେ ଉନ୍ନତି ଆଣି ଲୋକଙ୍କୁ ଚିନ୍ତାମୁକ୍ତ କରିବାକୁ ଚେଷ୍ଟା କରିବେ, ଯାହା ଦ୍ୱାରା ଦେଶରେ ଏକ ନୂତନ ଯୁଗ ଆରମ୍ଭ ହେବ ଏବଂ ପାରସ୍ପରିକ ସମ୍ମାନ ବୃଦ୍ଧି ପାଇବ ବୋଲି ସେ କହିଛନ୍ତି । ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ନଓ୍ୱାବ ସରିଫ୍‌ଙ୍କ ଭାଇ ହେଉଛନ୍ତି ଶାହବାଜ ସରିଫ ।

ଏଥିସହିତ ପଢ଼ନ୍ତୁ: ଇମ୍ରାନଙ୍କୁ ମାଡ ମାରିଲେ ଜେନେରାଲ ବାଜୱ।! ସୋସିଆଲ ମିଡିଆରେ ଜୋରଦାର ଚର୍ଚ୍ଚା