spot_img
Home Blog Page 4385

ଏସସିବିରେ ବିରଳ ଅସ୍ତ୍ରୋପଚାର

କଟକ: ଏସସିବି ମେଡିକାଲର କିଡନୀ ବିଭାଗରେ ଚାଲିଛି ବିରଳ ଅସ୍ତ୍ରୋପଚାର । ଆଜି ଜଣେ ରୋଗୀଙ୍କ କାଡାଭେରିକ ସର୍ଜରୀ କରାଯାଉଛି । ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରୁ ଜଣେ ବ୍ୟକ୍ତିଙ୍କ ଶରୀରରୁ କିଡନୀ କଢ଼ାଯାଇ ଏସସିବିରେ ଏହି ସର୍ଜରୀ କରାଯାଉଛି ।

ଏସସିବି ଇରୋଲୋଜି ବିଭାଗର ବିଭାଗୀୟ ମୁଖ୍ୟ ଡାକ୍ତର ସମୀର ରଞ୍ଜନ ସ୍ବାଇଁ ଓ ଡାକ୍ତର ସଞ୍ଜୟ ଚୌଧୁରୀ ଏହି କିଡନୀକୁ ଅତି ଯତ୍ନର ସହିତ ଏସସିବିକୁ ଆଣିଥିଲେ । ବର୍ତ୍ତମାନ ଏହି ଅପରେସନ ଜାରି ରହିଛି । ଦୀର୍ଘ ଦିନର ବ୍ୟବଧାନ ପରେ ଏସସିବିରେ ଏହି ଅପରେସନ କରାଯାଉଛି । ଅପରେସନ ସଫଳ ହେଲେ ଏସସିବି ଚିକିତ୍ସା ବିଜ୍ଞାନରେ ଏକ ସଫଳ ଅଧ୍ୟାୟ ଯୋଡି ହେବ ।

ବ୍ରଜରାଜନଗର: ଆଜିଠୁ ଜମିବ ପ୍ରଚାର

ବ୍ରଜରାଜନଗର: ବ୍ରଜରାଜନଗର ଉପନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତି ସରିଛି । ଆଜି ପ୍ରାର୍ଥିପତ୍ର ପ୍ରତ୍ୟାହାର ଶେଷ ଦିନ । ଆଜିଠୁ ଆରମ୍ଭ ହେବ ପ୍ରଚାର । ମଇଦାନକୁ ଓହ୍ଲାଇବେ ଷ୍ଟାର ପ୍ରଚାରକ । ଡୋର ଟୁ ଡୋର କ୍ୟାମ୍ପେନିଂ କରି ଭୋଟ ହାତେଇବାକୁ ଚେଷ୍ଟା କରିବେ ସବୁ ଦଳ । ପ୍ରତି ଘରକୁ ଯାଇ ଲୋକଙ୍କୁ ବୁଝାଇବେ ନେତା ଓ ମନ୍ତ୍ରୀ ।

ବ୍ରଜରାଜନଗର ବିଜୟ ପାଇଁ ବିଜେଡି ପ୍ଲାନ୍ ପ୍ରସ୍ତୁତ କରିସାରିଛି । ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କୁ ଗୁରୁଦାୟିତ୍ବ ମିଳିଥିବା ବେଳେ ଅନ୍ୟ ମନ୍ତ୍ରୀ, ବିଧାୟକ, ସାଂସଦଙ୍କୁ ଦାୟିତ୍ବ ଦେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ପଞ୍ଚାୟତ ଓ ପୌର ନିର୍ବାଚନରେ ଲୋକଙ୍କ ଦ୍ବାରା ପ୍ରତ୍ୟାଖ୍ୟାତ ହେବା ପରେ ବ୍ରଜରାଜନଗର ଉପନିର୍ବାଚନକୁ ନେଇ ଆଶା ବାନ୍ଧିଛନ୍ତି ବିରୋଧୀ । ଦଳୀୟ ନେତାଙ୍କୁ ଉତ୍ସାହିତ କରିବାକୁ ପ୍ରଚାରକୁ ଆସିବାକୁ ଅଣ୍ଟା ଭିଡ଼ିଛନ୍ତି କେନ୍ଦ୍ରୀୟ ନେତା । ୨୩ ତାରିଖରୁ କଂଗ୍ରେସ ଜୋରଦାର ପ୍ରଚାର କରିବାକୁ ଥିବା ବେଳେ, ବିଜେପି ବି ନିର୍ବାଚନ ପ୍ରଚାର ଜୋରଦାର କରିବାକୁ ପ୍ଲାନ୍ କରିଛି ।

କୋର୍ଟରେ ହାଜର ହେଲେ ଡି ବ୍ରଦର୍ସ

କଟକ: ବହୁ ଚର୍ଚ୍ଚିତ ଦିପୁ ଏବଂ ଓମ ହତ୍ୟା ମାମଲାରେ କୋର୍ଟରେ ହାଜର ହେଲେ ଡି ବ୍ରଦର୍ସ ସୁଶୀଲ ଓ ସୁଶାନ୍ତ ଧଳସାମନ୍ତ । କଡା ସୁରକ୍ଷା ବଳୟରେ ଉଭୟଙ୍କୁ କଟକ ଜିଲ୍ଲା ଓ ଦୌରାଜଜ୍ କୋର୍ଟରେ ହାଜର କରାଯାଇଛି ।

ଗତକାଲି ମାମଲା କୋର୍ଟରେ ଶୁଣାଣି ହେବାର ଥିଲା । ମାତ୍ର କୋର୍ଟ ରେଫରାନ୍ସ ଯୋଗୁଁ ଆଜି ମାମଲାର ଶୁଣାଣି ହେବ । ଆଜି ତତ୍କାଳୀନ ଥାନାଧିକାରୀ ତଥା ତଦନ୍ତକାରୀ ଅଧିକାରୀ ଅଜୟ ଦାସଙ୍କ ସାକ୍ଷ୍ୟଗ୍ରହଣ କରାଯିବ ।

ଖୁଣ୍ଟକଟା ଫାର୍ମ ହାଉସରେ ଦିପୁ ଏବଂ ଓମଙ୍କୁ ପିଟିପିଟି ହତ୍ୟା କରାଯିବା ପରେ ସେମାନଙ୍କ ମୃତଦେହ ଝାଡ଼ଖଣ୍ଡରେ ପୋଡି ଦେଇଥିବା ଅଭିଯୋଗ ହୋଇଥିଲା । ଘଟଣାରେ ତତ୍କାଳୀନ ଚାଉଳିଆଗଞ୍ଜ ଥାନା ଅଧିକାରୀ ଘଟଣାର ତଦନ୍ତ କରୁଥିଲେ । ଦିପୁ, ଓମ ହତ୍ୟା ଘଟଣାରେ ଏହା ଶେଷ ସାକ୍ଷ୍ୟଗ୍ରହଣ ବୋଲି ଜଣାପଡିଛି ।

ବାହାଘର ଭୋଜି ପାଲଟିଲା ରଣକ୍ଷେତ୍ର: ଲାତ, ମୁଥାରେ କମ୍ପିଲା ଗଗନପବନ

ମୁରାଦବାଦ: ଖାଇବା ପରସିବା ଡେରି ହେବାରୁ ବିବାହ ଭୋଜି ପାଲଟିଲା ରଣକ୍ଷେତ୍ର । ଲାତ, ମୁଥା ମାଡକୁ ଉଡିଲା ଜୋତା । ସେତିକି ନୁହେଁ, ଯିଏ କିଛି ନପାଇଲେ ଅଣ୍ଟାରୁ ବେଲ୍ଟ କାଡି ପିଟି ଚାଲିଲେ । ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ଉତ୍ତରପ୍ରଦେଶ ମୁରାଦବାଦରେ । ଯେତେବେଳେ ବର ଓ କନ୍ୟା ପକ୍ଷ ମଧ୍ୟରେ ଖାଇବାକୁ ନେଇ ଯୁଦ୍ଧ ଚାଲିଥିଲା କେହି ଜଣେ ଏହାକୁ ଭିଡିଓ ରେକର୍ଡିଂ କରି ସୋସିଆଲ ମିଡିଆରେ ଛାଡି ଦେଇଥିଲେ । ଯାହା ସଙ୍ଗେ ସଙ୍ଗେ ଭାଇରାଲ ହୋଇଯାଇଥିଲା । ପୋଲିସ ଭିଡିଓଟିକୁ ଦେଖି ଘଟଣା ସ୍ଥଳରେ ପହଞ୍ଚି ଯାଇଥିଲା ଓ ଭିଡିଓ ଆଧାରରେ କିଛି ଲୋକଙ୍କ ନାଁରେ ମାମଲା ରୁଜୁ କରିଛି ।

ମୁରାଦାଦା ଜିଲ୍ଲାର କରୁଲାର ଏକ ନମ୍ବର ଗଳିରେ ଥିବା ଅୟୁବି ମ୍ୟାରେଜ ହଲରେ ଓ୍ବାଲିମା ଭୋଜି ଚାଲିଥିଲା । ଏହି ସମୟରେ ଖାଇବା ପରିସିବା ଡେରି ହେବାରୁ ବିବାଦ ଆରମ୍ଭ ହୋଇଥିଲା । ଯାହା ପରେ ମାଡପିଟର ରୂପ ନେଇଥିଲା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଝଗଡ଼ା କରୁଥିବା ଲୋକଙ୍କୁ ଶାନ୍ତ କରିଥିଲା । ଏହାପରେ ଧାରା ୩୨୩ ଓ ୩୨୪ରେ ୪ ଜଣଙ୍କ ନାଁରେ ମାମଲା ରୁଜୁ କରିଛି ।

ଘଟଣାରେ କିଛି ଲୋକ ଆହତ ହୋଇଛନ୍ତି । ସେମାନଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି । ପୋଲିସ ଘଟଣାର ତଦନ୍ତ ଚଲାଇଛି ।

ମାତିଛି ହେଟାବାଘ, ୩ ଜଣଙ୍କୁ କଲାଣି ଆକ୍ରମଣ

ମାହାଙ୍ଗା: ମାହାଙ୍ଗା ଶିପୁରା ଅଞ୍ଚଳରେ ହେଟାବାଘ ଆତଙ୍କ । ଜମିରେ କାମ କରୁଥିବାବେଳେ ୩ ଜଣଙ୍କୁ କରିଛି ଲହୁଲୁହାଣ । ଗୁରୁତର ଅବସ୍ଥାରେ ସମସ୍ତଙ୍କୁ ମାହାଙ୍ଗା ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ସେମାନଙ୍କ ମଧ୍ୟରୁ ଜଣଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ଏସସିବି ସ୍ଥାନାନ୍ତର କରାଯାଇଛି ।

ବାଘଟି ପ୍ରଥବେ ଜମିରେ କାମ କରୁଥିବା ପଶ୍ଚିମବଙ୍ଗର ଅଚିନ୍ତ ନାୟକ ଓ ବାଲେଶ୍ବର ଅଞ୍ଚଳର ବାପୁନ ପାଲିଙ୍କୁ ଆକ୍ରମଣ କରିଥିଲା । ପରେ ଶିପୁରା ନିକଟର ଠିଆ ହୋଇଥିବା ବଡ଼ଚଣାର ଅଶୋକ ସେନାପତିଙ୍କୁ ଆକ୍ରମଣ କରିଥିଲା । ଅଶୋକଙ୍କୁ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି । ଖବର ପ୍ରସାରିତ ହେବା ପରେ ହେଟାବାଘକୁ ନେଇ ଅଞ୍ଚଳରେ ଆତଙ୍କ ଖେଳିଯାଇଛି ।

ଏଲଆଇସିର ସେୟାର ବଜାରରେ ଗ୍ରାଣ୍ଡ ଏଣ୍ଟ୍ରି ଆଜି

ମୁମ୍ବାଇ: ଆଜି ସେୟାର ମାର୍କେଟରେ ପ୍ରବେଶ କରିବ ଦେଶବାସୀଙ୍କ ଭରସାର ପ୍ରତୀକ ଭାରତୀୟ ଜୀବନବୀମା ନିଗମ LIC । ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ BSE ଓ ନ୍ୟାସନାଲ୍ ଷ୍ଟକ୍ ଏକ୍ସଚେଞ୍ଜ NSEରେ ଆଜି LICର ଲିଷ୍ଟିଂ ହେବ । ସକାଳ ୯ଟା ୧୫କୁ ସ୍ପଷ୍ଟ ହେବ କେତେ ଟଙ୍କାରେ LICର ଲିଷ୍ଟିଂ, ସେୟାର ମାର୍କେଟରେ ହୋଇଛି ।

IPO ଇସ୍ୟୁ ବେଳେ କମ୍ପାନୀ ପକ୍ଷରୁ ଦାମ୍ ୯୦୨ରୁ ୯୪୯ ଟଙ୍କା ମଧ୍ୟରେ ରଖାଯାଇଥିଲା । ଯଦି ଏହି ପ୍ରାଇସରେ ଲିଷ୍ଟିଂ ହୁଏ ତେବେ ନିବେଶକଙ୍କୁ ପ୍ରଫିଟ ବୁକ୍ କରିବାକୁ ଅପେକ୍ଷା କରିବାକୁ ପଡ଼ିବ । ଆଉ ଯଦି ତାଠାରୁ କମ୍ ପ୍ରାଇସରେ ଲିଷ୍ଟିଂ ହେଉଛି ତେବେ ଘାଟାରେ ପଡ଼ିପାରନ୍ତି ନିବେଶକ । ମେ’ ୪ରୁ ୯ ତାରିଖ ପର୍ଯ୍ୟନ୍ତ ୬ ଦିନ ଧରି LICର ମାରାଥନ୍ IPO ଇସ୍ୟୁ ସମୟରେ ଘରୋଇ ନିବେଶକଙ୍କ ଉତ୍ସାହ ଦେଖିବାକୁ ମିଳିଥିଲା । କେନ୍ଦ୍ର ସରକାର LICର ୩.୫ ପ୍ରତିଶତ ଅଂଶଧନ ବିକ୍ରି କରି ୨୧ ହଜାର କୋଟି ଟଙ୍କା ଉଠାଇବାକୁ ଯୋଜନା କରିଛନ୍ତି । ଏଥିରେ ୨୨ କୋଟି ସେୟାର ଇସ୍ୟୁ କରାଯାଇଛି । ଇନିସିଆଲ୍ ପବ୍ଲିକ୍ ଅଫରିଙ୍ଗସକୁ ୨.୯୫ ଥର ଆବେଦନ କରିଛନ୍ତି ନିବେଶକ । ସରଳ ଭାଷାରେ କହିଲେ ଗୋଟିଏ ସେୟାର ପାଇବାକୁ ୩ଟି ଆବେଦନ ପତ୍ର ରହିଛି । LIC ସେୟାର ଆଲର୍ଟ କରିସାରିଥିବା ବେଳେ ଏହାର ଦର କେତେ ରହିବ ତାହା ଆଜି ଜଣାପଡ଼ିବ ।

ଚାକିରିରେ ହୋଇପାରେ ପଦୋନ୍ନତି

ମେଷ : ପାରିବାରିକ ମାମଲା ବହୁତ ଆନନ୍ଦ ଦାୟକ ରହିବ ।ଗୁରୁଜନଙ୍କ ସେବା ଓ ସହମତିରେ ଆଗକୁ ବଢିପାରିବେ। ସମସ୍ତ ଫଇସଲା ଓ ନିର୍ଣ୍ଣୟ ବୁଦ୍ଧିମତାରେ ପରିପୂର୍ଣ୍ଣ ହେବ। ନୂତନ ଦ୍ରବ୍ୟ କ୍ରୟ କରିବେ।

ବୃଷ : ଛାତ୍ରଛାତ୍ରୀମାନେ ପରୀକ୍ଷା ପ୍ରତିଯୋଗିତାରେ ସଫଳ ହେବେ ଓ ନିଜର ଇଛା ପୂରଣ ପାଇଁ କୌଣସି କର୍ମକରି ପ୍ରଶଂସା ପାଇବେ। ସନ୍ତାନ ଯୋଗେ ଚିନ୍ତିତ ରହିବେ। କୌଣସି କାରଣ ବଶତଃ ଦୂର ବା ନିକଟ ଯାତ୍ରାକୁ ନଯିବା ଉଚିତ୍।

ମିଥୁନ : ଦାମ୍ପତ୍ୟ ସୁଖରେ ଆଶାଜନକ ଫଳପ୍ରାପ୍ତି ହେବ। କୌଣସି ନୂତନ ପ୍ରଭାବଶାଳି ବ୍ୟକ୍ତିଙ୍କ ସହିତ ଭେଟ ହେବ। ରାଜକାର୍ଯ୍ୟରେ ସଫଳତା ମିଳିବ। ପ୍ରେମ ପ୍ରସଙ୍ଗରେ ସଫଳତା ମିଳିବ। ବିଦ୍ୟାର୍ଥୀମାନେ ପରିଶ୍ରମ ନ ବଢାଇଲେ ଉତ୍ତମ ରୂପେ ଲକ୍ଷ୍ୟ ସିଦ୍ଧି ସମ୍ଭବ ହେବ ନାହିଁ।

କର୍କଟ : ବ୍ୟବସାୟ କ୍ଷେତ୍ରରେ କାରବାରରେ ସୁଧାର ଆସିବା ଫଳରେ ମାନସିକ ଶାନ୍ତି ମିଳିବ। ଜାଗା, ଜମି, ବାସଗୃହ ଓ ଯାନବାହାନ କ୍ରୟ କରିବାର ସୁବିଧା ପାଇବେ। ନୂତନ କର୍ମପ୍ରାପ୍ତି ପାଇଁ ଚେଷ୍ଟା କରିବେ। ଆର୍ଥିକ କ୍ଷେତ୍ରରେ ଉନ୍ନତି ହେବା ସହ ସୁଖ ସମୃଦ୍ଧି ବୃଦ୍ଧି ହେବ। ଚାକିରିରେ ପଦୋନ୍ନତି ମିଳିପାରେ ।

ସିଂହ : ଦାମ୍ପତ୍ୟ ସୁଖରେ ମଧୁରତା ଆସିବ ଓ ଅଧିକ ଘନିଷ୍ଠତା ହେବ। ଭଲଭାବରେ ଚିନ୍ତାକରି କାମକଲେ କୌଣସି ଅସୁବିଧାର ସମ୍ମୁଖୀନ ହେବେ ନାହିଁ। ରାଜନୀତିରେ ମିତ୍ରଙ୍କ ଦ୍ଵାରା ସହାୟତା ମିଳିବା ସହ ଉନ୍ନତି ହେବ।

କନ୍ୟା : ବ୍ୟବସାୟର ବୃଦ୍ଧି ଯୋଗେ ଆୟର ବୃଦ୍ଧିଘଟିବ ଓ ଲାଭବାନ ହେବେ। କିଏ ଚାହିଁଲେ ମଧ୍ୟ କୌଣସି କ୍ଷତି କରିପାରିବେ ନାହିଁ। ପାରିବାରିକ କ୍ଷେତ୍ରରେ ବନ୍ଧୁ ମିତ୍ରଙ୍କର ସହଯୋଗ, ପ୍ରେରଣା ଓ ଆର୍ଥିକ ସହାୟତା ପାଇ ମାନସିକ ଶାନ୍ତି ମିଳିବ।

ତୁଳା : ରାଜନୀତି କ୍ଷେତ୍ରରେ ବରିଷ୍ଠ ବ୍ୟକ୍ତି ଓ ସହଯୋଗୀ ମାନଙ୍କର ସାହାଯ୍ୟ ସହଯୋଗ ମିଳିବ। ଦୂର ସମ୍ପର୍କୀୟ ବ୍ୟକ୍ତିଙ୍କୁ ବିଶ୍ୱାସ କଲେ ଠକାମୀ ଭଣ୍ଡାମୀର ଶୀକାର ହେବେ। ଅନାବଶ୍ୟକ ଖର୍ଚ୍ଚ ଓ ଭ୍ରମଣ ଯୋଗେ ବ୍ୟଥିତ ହେବେ।

ବିଛା : ଆର୍ଥିକସ୍ଥିତି ସୁଧୁରି ଯାଇ ଯଶ ପ୍ରତିଷ୍ଠା ମିଳିବ। ସଂମ୍ପତ୍ତି ସମ୍ବନ୍ଧିୟ ମାମଲା କାହାର ମଧ୍ୟସ୍ଥତା ଦ୍ଵାରା ଦୂର ହେବ। ଛାତ୍ରଛାତ୍ରୀମାନଙ୍କର ପରିଶ୍ରମ ଓ ମେହନତର ପରିଣାମ ସ୍ୱରୂପ ନୂଆ ଜ୍ଞାନର ବୃଦ୍ଧି ହେବ। ପ୍ରିୟଜନମାନେ ଆଗକୁ ବଢିବାରେ ସାହାଯ୍ୟ କରିବେ ।

ଧନୁ : ନୂତନ କର୍ମ ଆଶାୟୀ ଯୁବକ ଯୁବତୀମାନଙ୍କର ଆଶା ପୂରଣ ହେବ। ନୂଆଲକ୍ଷ ପୂରଣ କରିବା ପାଇଁ ସମୟ ନିର୍ଦ୍ଧାରିତ କରିବେ। ପାରିବାରିକ ଜୀବନରେ ଶାନ୍ତି ଆସିବା ସହ କୌଣସି ଶୁଭକାର୍ଯ୍ୟ କରିବାକୁ ଆୟୋଜନ କରିବେ।

ମକର : ମିତ୍ରଙ୍କ ଠାରୁ ବହୁତ ସାହାଯ୍ୟ ସହଯୋଗ ମିଳିବା ଫଳରେ ମାନସିକ ଶାନ୍ତି ଅନୁଭବ କରିବେ। ସମସ୍ତ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଲେ ବ୍ୟବସାୟରେ ଅଚାନକ ଧନପ୍ରାପ୍ତି ହେବ। ଗୁରୁଜନ ଓ ବୃଦ୍ଧଜନଙ୍କ ସେବା କଲେ ଅନେକ ଆଶୀର୍ବାଦ ପାଇବେ।

କୁମ୍ଭ : ସନ୍ତାନ ସମ୍ବନ୍ଧିୟ କୌଣସି ମହତ୍ଵପୂର୍ଣ୍ଣ କାମ ଆପଣଙ୍କ ଦ୍ଵାରା ହୋଇପାରେ। ଶତୃ ମାନେ ସତଚେଷ୍ଟା କଲେ ମଧ୍ୟ କୌଣସି କ୍ଷତି କରିପାରିବେ ନାହିଁ। ଦାମ୍ପତ୍ୟ ସୁଖରେ ଆଶାଜନକ ଫଳପ୍ରାପ୍ତି ହେବ। ରାଜନୀତି ମାମଲାରେ ସଫଳତା ମିଳିବ। ପରିବାର ଓ ମିତ୍ରଙ୍କ ସହିତ ସମୟ ବିତେଇବେ ।

ମୀନ : ବ୍ୟବସାୟ କ୍ଷେତ୍ରରେ ବକେୟା ଅର୍ଥ ପ୍ରାପ୍ତି ହେବା ଫଳରେ ଆର୍ଥିକ ସ୍ଥିତି ସୁଧୁରି ଯାଇ ଉନ୍ନତି ହେବ। ନୂତନ କାର୍ଯ୍ୟ କରିବାର ସୁଯୋଗ ପାଇବେ। କାମକାର୍ଯ୍ୟରେ ନୂଆ ଉପଲବ୍ଧି ଆପଣଙ୍କ ପ୍ରତୀକ୍ଷାରେ ରହିବ। ସାମୁହିକ ପ୍ରୟାସ ଓ ସହଯୋଗ ଦ୍ଵାରା ଆଗକୁ ବଢିବା ସମ୍ଭବ ହେବ।

ଡାକ୍ତର କହିଲେ ହାତୀ ‘ନନ୍ଦ’ ମୃତ୍ୟୁର କାରଣ

ଭୁବନେଶ୍ୱର: ସେପ୍ଟିସେମିଆରୁ ହାତୀ ନନ୍ଦର ମୃତ୍ୟୁ ହୋଇଛି । ଏହାସହ ଶରୀରରେ ବ୍ୟାକ୍ଟେରିଆଲ୍ ଇନଫେକସନ୍ ଦେଖାଦେଇଛି । ଅଧିକ ପରୀକ୍ଷା ପାଇଁ ଲାବୋରେଟୋରୀକୁ ପଠାଯାଇଛି । ଆସନ୍ତା ଦୁଇଦିନ ମଧ୍ୟରେ ରିପୋର୍ଟ ଆସିବ ବୋଲି ସୂଚନା ଦେଇଛନ୍ତି OUAT ଭେଟେନାରୀ କଲେଜ ଡିନ୍ ତଥା ସର୍ଜରୀ ବିଭାଗ ମୁଖ୍ୟ ସୁସେନ ପଣ୍ଡା ।

କୁମାରଖୁଣ୍ଟି ଏଲିଫ୍ୟାଣ୍ଟ ରେସକ୍ୟୁ ସଣ୍ଟରକୁ ନନ୍ଦକୁ ନେବାପାଇଁ ଗତ ୬ ମାସ ହେଲା ଚେଷ୍ଟା କରୁଥିଲା ବନବିଭାଗ । ଏଥିପାଇଁ ତାକୁ ମାସେ ତଳେ ଟ୍ରାଙ୍କୁଲାଇଜ କରାଯାଇଥିଲା । ସେବେଠାରୁ ସେ ଅସୁସ୍ଥ ଥିଲା । ୩ ଜଣିଆ ଚିକିତ୍ସକ ତାକୁ ଚନ୍ଦକା ଡମପଡା ଅଭୟାରଣ୍ୟରେ ଚିକତ୍ସା କରୁଥିଲେ । ହେଲେ ଚିକିତ୍ସାଧିନ ଅବସ୍ଥାରେ ତାର ମୃତ୍ୟୁ ହୋଇଥିଲା ।

ଦିଲ୍ଲୀରେ ଯୋତା ଫ୍ୟାକଟ୍ରିରେ ନିଆଁ, ୧୦ଟି ଅଗ୍ନିଶମ ଗାଡି ନିୟୋଜିତ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର ପୁଣି ଭୟଙ୍କର ନିଆଁ  ।  ନରେଲାରେ ଭୟାବହ ଅଗ୍ନିକାଣ୍ଡ । ଏକ ଯୋତା ଫ୍ୟାକଟ୍ରିରେ ଲାଗିଛି ନିଆଁ । ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ହୋଇଛି ୧୦ଟି ଅଗ୍ନିଶମ ଗାଡି । ରାତି ୮ଟା ୩୦ରେ ଏହି ଫ୍ୟାକଟ୍ରିରେ ନିଆଁ ଲାଗିଥିବା ସୂଚନା ରହିଛି । ତେବେ ସୂଚନା ପାଇବା କ୍ଷଣି ହିଁ ଅଗ୍ନିଶମ ବିଭାଗ ପକ୍ଷରୁ ନିଆଁ ଲିଭାଇବାକୁ ଉଦ୍ୟମ ଆରମ୍ଭ ହୋଇଛି । ଏବେ ବି ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

ଘଟଣାରେ କୌଣସି ମୃତାହତ କିମ୍ବା କ୍ଷତକ୍ଷତିର ସୂଚନା ମିଳିନାହିଁ । କାରଖାନାର ମାଲିକ ମୁକେଶ ଗୁପ୍ତା ବୋଲି ସୂଚନା ମିଳିଛି । ଗତ ଶନିବାର ମଧ୍ୟ ନରେଲା ଅଞ୍ଚଳରେ ଏକ ପ୍ଲାଷ୍ଟିକ ଗୋଦାମରେ ଅଗ୍ନିକାଣ୍ଡ ଘଟିଥିଲା । ଏହି ଅଗ୍ନିକାଣ୍ଡରେ କେହି ମୃତାହତ ହୋଇନଥିବା ବେଳେ ବିପୁଳ ସମ୍ପତ୍ତି କିନ୍ତୁ ନଷ୍ଟ ହୋଇଥିଲା । ନିଆଁଲିଭା କାର୍ଯ୍ୟରେ ନିୟୋଜିତ ହୋଇଥିଲା ୨୭ଟି ଅଗ୍ନିଶମ ଗାଡ଼ି । ଭିତରେ ରହିଥିବା ଲୋକଙ୍କୁ ନିରାପଦରେ ଉଦ୍ଧାର କରାଯାଇ ପାରିଥିଲା ।

OMCର ୬୭ତମ ପ୍ରତିଷ୍ଠା ଦିବସ, ଏକାଧିକ ପ୍ରକଳ୍ପର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶା ମାଇନିଂ କର୍ପୋରେସନ-ଓଏମସିର ୬୭ତମ ପ୍ରତିଷ୍ଠା ଦିବସରେ ବିଭିନ୍ନ ନୁଆ ପ୍ରକଳ୍ପର ଶୁଭାରମ୍ଭ ହୋଇଛି । ରାଜ୍ୟରେ ଶିକ୍ଷାର ବିକାଶ ପାଇଁ ଏକାଧିକ ପ୍ରକଳ୍ପର ଶୁଭାରମ୍ଭ କରାଯାଇଛି । ଲୋକସେବା ଭବନରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ପ୍ରକଳ୍ପ ଶୁଭାରମ୍ଭ କରାଯାଇଛି। ୫ଟି ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଚୁକ୍ତି ସ୍ବାକ୍ଷରିତ ହୋଇଛି । ଏହାସହ କୋଇଡା ITIରେ ଦକ୍ଷତା ବିକାଶ ଏକାଡେମୀ ପ୍ରତିଷ୍ଠା ପାଇଁ ବୈଷୟିକ ଶିକ୍ଷା ଓ ତାଲିମ ବିଭାଗ ସହ ଏକ MOU ସ୍ବାକ୍ଷର ହୋଇଥିଲା ।

ଖଣି ଅଞ୍ଚଳରେ ୫ଟି ଆଦର୍ଶ ବିଦ୍ୟାଳୟ ପାଇଁ ଓଏମସି ୨୦୮ କୋଟି ଟଙ୍କା ଖର୍ଚ୍ଚ କରିବ । ଏହିସବୁ ବିଦ୍ୟାଳୟର ପରିଚାଳନା ପାଇଁ ବାର୍ଷିକ ୩୦ ଲକ୍ଷ ଟଙ୍କା ଖର୍ଚ୍ଚ ହେବ । OMCର ଏହି ଉଦ୍ୟମ ଶିକ୍ଷାର ବିକାଶରେ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହାସହ ସାମାଜିକ ବିକାଶରେ OMCର ଭୂମିକାକୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା କରିଥିଲେ । କୋଭିଡ ପରିଚାଳନାରେ OMCର କାର୍ଯ୍ୟ ପ୍ରଶଂସନୀୟ ବୋଲି ମୁଖ୍ୟମନ୍ତ୍ରୀ ମହିଥିଲେ ।

ପ୍ରତିଷ୍ଠା ଦିବସ ଅବସରରେ ତିନିଟି ଖଣି ବାଂଶପାଣୀ, ଉନଛବାଲି ଓ କାଣ୍ଡବନ୍ଧ ଖଣି କାର୍ଯ୍ୟକ୍ଷମ ହୋଇଥିବା ବେଳେ ପରିଚାଳନା ବ୍ୟବସ୍ଥା ଓ ବିବାଦ ସମାଧାନ ପାଇଁ ଅନଲାଇନ ବ୍ୟବସ୍ଥା ଆରମ୍ଭ କରାଯାଇଛି। ୩୦ ନିୟୁତ ଟନ ଉତ୍ପାଦନ ସହ OMC ଦେଶର ଅନ୍ୟତମ ବୃହତ ଖଣି କମ୍ପାନୀ ଭାବେ ଉଭା ହୋଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଓଏମସି ଆନ୍ଥେମ ଉନ୍ମୋଚନ କରିଥିଲେ ।