spot_img
Home Blog Page 4402

ନକଲି ଡାକ୍ତର ରମେଶ ସ୍ୱାଇଁ ଗିରଫ ମାମଲା, ରିମାଣ୍ଡରେ ଆସିବେ ଅସଲି ଓ ନକଲି ଡାକ୍ତର ଦମ୍ପତି

ଭୁବନେଶ୍ୱର: ନକଲି ଡ଼ାକ୍ତର ରମେଶ ସ୍ୱାଇଁ ଗିରଫ ମାମଲା । ରିମାଣ୍ଡରେ ଆସିବେ ଅସଲି ଓ ନକଲି ଡାକ୍ତର ଦମ୍ପତି । ରମେଶଙ୍କ ଦ୍ୱିତୀୟ ପତ୍ନୀ କମଳା ତିର୍କୀଙ୍କୁ ୫ ଦିନ ରିମାଣ୍ଡ ପାଇଁ ଆବେଦନ ହୋଇଥିବା ବେଳେ ରମେଶଙ୍କୁ ୩ ଦିନ ପାଇଁ ରିମାଣ୍ଡ ଆବେଦନ ହୋଇଛି । ଭୁବନେଶ୍ୱର ଏସଡିଜେଏମ୍ କୋର୍ଟରେ ଆବେଦନ କଲା ମହିଳା ଥାନା ପୋଲିସ । ଉଭୟ ରିମାଣ୍ଡରେ ଆସିଲେ ରମେଶର ଠକେଇ ସିଣ୍ଡିକେଟର ଗୁମର ଖୋଲିବ । ପୂର୍ବରୁ ରମେଶକୁ ୫ଟି ପଯ୍ୟାୟରେ ରିମାଣ୍ଡରେ ଆଣି ଠକେଇ ଲିଙ୍କରେ ଜେରା କରିଛି ପୋଲିସ ।

ସୂଚନା ଅନୁସାରେ ଗତ ସୋମବାର ନକଲି ଡାକ୍ତର ରମେଶ ସ୍ୱାଇଁଙ୍କ ଦ୍ୱିତୀୟ ପତ୍ନୀ କମଳା ସ୍ୱାଇଁଙ୍କୁ ଝାଡ଼ଖଣ୍ଡରୁ ଗିରଫ କରିଥିଲା ପୋଲିସ । ରମେଶଙ୍କ ଠକେଇ ମାମଲା ସାମ୍ନାକୁ ଆସିବା ପରଠାରୁ ଜାମନଗରରେ କାର୍ଯ୍ୟରତ ଥିବା କମଳା ଫେରାର ଥିଲେ । ୨୦୦୨ ମସିହାରେ କମଳା ସ୍ୱାଇଁଙ୍କୁ ଦ୍ୱିତୀୟ ବିବାହ କରିଥିଲେ ରମେଶ ସ୍ୱାଇଁ । କମଳାଙ୍କ ପରେ ଆଉ ୧୭ ମହିଳାଙ୍କୁ ବିବାହ କରିଥିଲେ ରମେଶ । ଏଥିରେ ରମେଶଙ୍କୁ ଭରପୁର ସାହାଯ୍ୟ, ସହଯୋଗ ଯୋଗାଇ ଆସୁଥିଲେ କମଳା ।

କଟକ ମେୟର ଭାବେ ଶପଥ ନେଲେ ସୁବାସ ସିଂ

କଟକ: କଟକ ନବନିର୍ବାଚିତ ମେୟର ନେଲେ ଶପଥ । କଟକ ମେୟର ଭାବେ ଦାୟିତ୍ୱ ଗ୍ରହଣ କଲେ ସୁବାସ ସିଂହ । ତାଙ୍କ ସହ ୫୯ ୱାର୍ଡର କର୍ପୋରେଟର ପଦ ଓ ଗୋପନୀୟତାର ଶପଥ ନେଇଛନ୍ତି । ସ୍ଥାନୀୟ ସହିଦ ଭବନ ପରିସରରେ ଆୟୋଜିତ ଶପଥଗ୍ରହଣ କାର୍ଯ୍ୟକ୍ରମରେ ମ୍ୟୁନିସିପାଲ କର୍ପୋରେସନର ନିର୍ଦ୍ଦେଶକ ସଂଗ୍ରାମଜିତ ନାୟକ ସମସ୍ତଙ୍କୁ ଶପଥପାଠ କରାଇଛନ୍ତି । ଚଳିତ ପୌର ନିର୍ବାଚନରେ କଟକବାସୀ ସୁବାସ ସିଂଙ୍କୁ ମେୟର ଭାବରେ ଜୟଯୁକ୍ତ କରାଇଥିଲେ । ସୁବାସ ସିଂ ଚଳିତ ନିର୍ବାଚନରେ ୪୫ ହଜାରରୁ ଅଧିକ ଭୋଟ ବ୍ୟବଧାନରେ କଂଗ୍ରେସ ପ୍ରାର୍ଥୀ ଗିରିବାଳା ବେହେରାଙ୍କୁ ପରାସ୍ତ କରି ମେୟର ସିଟ୍ ହାତେଇଥିଲେ । ସୁବାସ ସିଂଙ୍କୁ ମୋଟ୍ ୧ ଲକ୍ଷ ୦୮ ହଜାର ୩୨୧ ଭୋଟ୍ ମିଳିଥିଲା । ଚଳିତ ପୌର ନିର୍ବାଚନରେ କଟକ ମ୍ୟୁନିସିପାଲିଟି କର୍ପୋରେସନର ମେୟର ପଦ ବିଜୁ ଜନତା ଦଳ ହାତେଇଥିବାବେଳେ ୩୮ଟି କର୍ପୋରେଟର ପଦ ମଧ୍ୟ ହାତେଇଛି ବିଜେଡି ।

ସର୍ତକ କରାଇଲେ ଶ୍ରୀଲଙ୍କା ବାଚସ୍ପତି, ଆଗକୁ ସ୍ଥିତି ହେବ ଖରାପ

କଲମ୍ବୋ: ଘନ ସଙ୍କଟ ବଳୟରେ ଶ୍ରୀଲଙ୍କା । ଦିନକୁ ଦିନ ବିଗିଡ଼ୁଛି ଶ୍ରୀଲଙ୍କା ସ୍ଥିତି । ସବୁଠି ହାହାକାର ଓ ବିକ୍ଷୋଭ । ଆଗକୁ ସ୍ଥିତି ଖରାପ ହେବ ବୋଲି ସତର୍କ କରାଇଛନ୍ତି ଶ୍ରୀଲଙ୍କା ସଂସଦର ବାଚସ୍ପତି ମହିନ୍ଦା ୟାପା ଆବେଓ୍ୱାଦାନା । ଦେଶରେ ମୁଦ୍ରାସ୍ଫୀତି ଭୟଙ୍କର ଭାବେ ବଢିଥିବାବେଳେ ଦରଦାମ ଆକାଶଛୁଆଁ ହୋଇଛି । ଭୋକରେ ଲୋକେ ଅଧିକ ଛଟପଟ ହେବେ ବୋଲି ସେ କହିଛନ୍ତି । ସେହିପରି ସ୍ଥିତି ଗଭୀର ଜଟିଳମୁହାଁ ହେଉଛି ଏବଂ ଏଥିଲାଗି ସତର୍କ ହେବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷ । ବର୍ତ୍ତମାନ ସୁଦ୍ଧା ବିଭିନ୍ନ ଘଟଣାରେ ୬୦ରୁ ଅଧିକ ଲୋକଙ୍କୁ ଗିରଫ କରାଯାଇଛି ।

ସେପଟେ ଶ୍ରୀଲଙ୍କାରୁ ଜରୁରୀକାଳୀନ ପରିସ୍ଥିତି ହଟାଇଛନ୍ତି ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷ । ଦେଶରେ ଘନ ଆର୍ଥିକ ସଙ୍କଟଜନିତ ବିକ୍ଷୋଭ ପରେ ସ୍ଥିତି ସମ୍ଭାଳିବା ଲାଗି ଗତ ଏପ୍ରିଲ ୧ରୁ ଲାଗୁ ହୋଇଥିଲା ଜରୁରୀ ପରିସ୍ଥିତି । ସ୍ଥିତିରେ କୌଣସି ସୁଧାର ଆସି ନଥିବା ସତ୍ତ୍ୱେ ରାଷ୍ଟ୍ରପତି ଏପ୍ରିଲ ୫ ମଧ୍ୟରାତ୍ରୀରୁ ଏହି ଅଧ୍ୟାଦେଶ ହଟାଇଛନ୍ତି । ଗତ ସୋମବାର ରାଷ୍ଟ୍ରପତି କ୍ୟାବିନେଟ ଭାଙ୍ଗିଦେଇଥିବାବେଳେ ଏକ ସର୍ବଦଳୀୟ ସରକାର ଗଠନ ଲାଗି ଆହ୍ୱାନ ଜଣାଇଥିଲେ । ମାତ୍ର ରାଷ୍ଟ୍ରପତିଙ୍କ ଏହି ପ୍ରସ୍ତାବକୁ ବିରୋଧୀ ଦଳ ଅଗ୍ରାହ୍ୟ କରିଥିଲେ ।

ବୁର୍ଲାରେ ଅଭାବନୀୟ ଘଟଣା, ଭିମସାରକୁ ଚିକିତ୍ସା ପାଇଁ ଆସିଥିବା ରୋଗୀଙ୍କ ସମ୍ପର୍କୀୟଙ୍କୁ ହତ୍ୟା

ବୁର୍ଲା: ବୁର୍ଲାରେ ରୋଗୀଙ୍କ ସମ୍ପର୍କୀୟଙ୍କୁ ହତ୍ୟା । ବୁର୍ଲା ଭୀମସାରକୁ ଚିକିତ୍ସା ପାଇଁ ଆସିଥିବା ରୋଗୀଙ୍କ ସମ୍ପର୍କୀୟଙ୍କୁ ହତ୍ୟା ଅଭିଯୋଗ । ମହୁଲପାଲି ଅଞ୍ଚଳର କପିଳ ନାୟକ ବୁର୍ଲା ଭୀମସାରର ଇଏନଟି ବିଭାଗରେ ଚିକିତ୍ସା ପାଇଁ ଆସିଥିଲେ । ଆଜି ସକାଳେ କପିଳଙ୍କ ପୁଅ ଲମ୍ବୋଦର ଓ ତାଙ୍କ ଭିଣୋଇ ଅଭିନ ସୁନ୍ଦର ଶୌଚ ପାଇଁ ଭୀମସାର ନିକଟ କେନାଲକୁ ଯାଇଥିଲେ । ଏହି ସମୟରେ ଅଭିନ କେନାଲ ନିକଟରେ ଶୌଚ ହେଉଥିବା ବେଳେ ଲମ୍ବୋଦର ରାସ୍ତା ଉପରେ ଛିଡା ହୋଇଥିଲେ । ଏହି ସମୟରେ କିଛି ଦୁର୍ବୃତ୍ତ ଲମ୍ବୋଦରଙ୍କ ପେଟକୁ ଭୁସି ହତ୍ୟା କରିଥିଲେ । ଖବର ପାଇ ବୁର୍ଲା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବୁର୍ଲା ମେଡିକାଲକୁ ପଠାଇବା ସହ ଏହି ମାମଲାରେ ଅଧିକ ତଦନ୍ତ ଜାରି ରଖିଛି । ଘଟଣା ସ୍ଥଳରେ ଅନୁସନ୍ଧାନୀ କୁକୁର ସହିତ ସାଇଣ୍ଟିଫିକ ଟିମର ତଦନ୍ତ ଆରମ୍ଭ। ଦୁଇଜଣ ଦୁର୍ବୁତ୍ତ ସ୍କୁଟିରେ ଆସି ହତ୍ୟା କରିଥିବା କହିଛନ୍ତି ପ୍ରତ୍ୟକ୍ଷଦର୍ଶୀ । ତେବେ ଏହି ହତ୍ୟା ମାମଲାରେ ବର୍ତ୍ତମାନ ସୁଦ୍ଧା ହତ୍ୟାକାରୀଙ୍କ କୌଣସି ସୁରାକ୍ ମିଳିପାରିନାହିଁ ।

ଅସହ୍ୟ ଗରମରେ କଲବଲ ହେବ ଆଭ୍ୟନ୍ତରୀଣ ଓଡ଼ିଶା, ୩ ରୁ ୪ ଡିଗ୍ରୀ ବଢ଼ିପାରେ ପାରଦ

ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଲଘୁଚାପର ରୂପ ନେବ ଘୂର୍ଣ୍ଣିବଳୟ । ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ । ତେବେ ଏହା ଅଧିକ ଘନୀଭୂତ ହେବ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ । ଲଘୁଚାପକୁ ନେଇ ଭିନ୍ନ ଭିନ୍ନ ମଡେଲ ଭିନ୍ନ ଆକଳନ କରିଛନ୍ତି । ଏନେଇ ଦୁଇ ଦିନ ମଧ୍ୟରେ ଆସିପାରେ ସ୍ପଷ୍ଟ ସୂଚନା । ତେବେ ଲଘୁଚାପ ହେଲେ ବି ତାତିରୁ ମିଳିବନି ତ୍ରାହି । ଅସହ୍ୟ ଗରମରେ କଲବଲ ହେବ ଆଭ୍ୟନ୍ତରୀଣ ଓଡ଼ିଶା । ସ୍ୱାଭାବିକଠାରୁ ୩ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ପାରଦ ବଢ଼ିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ତେବେ ଉପକୂଳ ଓଡ଼ିଶାରେ ପାଗ ମେଘୁଆ ରହିବ । ବିଶେଷକରି ଦକ୍ଷିଣ ଓଡ଼ିଶାରେ ଘଡଘଡି ବିଜୁଳି ସହ ବର୍ଷା ହେବ । ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, କନ୍ଧମାଳ, କଳାହାଣ୍ଡି ଏବଂ ନୟାଗଡ଼ ସହ ବାଲେଶ୍ୱର ଏବଂ ମୟୁରଭଞ୍ଜ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି । ଅନ୍ୟପଟେ ସକ୍ରିୟ ହୋଇଛି ଏବର୍ଷର ପ୍ରଥମ କାଳବୈଶାଖୀ । ଗତକାଲି ବିଭିନ୍ନ ଜିଲ୍ଲାରେ କାଳବୈଶାଖୀ ଜନିତ ବର୍ଷା ପବନ ହୋଇଛି । ଏହି ସମୟରେ ସତର୍କ ରହି ଘରୁ ନବାହାରିବାକୁ ପରାମର୍ଶ ଦେଇଛି ପାଣିପାଗ କେନ୍ଦ୍ର ।

 

ୟୁକ୍ରେନରେ ସରୁନି ଋଷବାହିନୀର ଆକ୍ରମଣ ଅଭିଯାନ, ଟାର୍ଗେଟରେ ପୂର୍ବ ଓ ଦକ୍ଷିଣ ୟୁକ୍ରେନ

କିଭ୍: ୪୩ ଦିନର ଯୁଦ୍ଧରେ ଧ୍ୱସ୍ତ ହୋଇଛି ୟୁକ୍ରେନ । ସବୁ ସହରରୁ ଆସୁଛି ବିଧ୍ୱଂସର ବିନାଶକାରୀ ଚିତ୍ର । ଏବେ ଋଷ ଟାର୍ଗେଟରେ ପୂର୍ବ ଓ ଦକ୍ଷିଣ ୟୁକ୍ରେନ । ସବୁ ସହରରେ ମିସାଇଲ, ଫସଫରସ ବୋମା, ବାଲିଷ୍ଟିକ ମିସାଇଲ ଘନ ଘନ ମାଡ଼ । ଖାରକିଭ୍ ସହରରେ ୨୭ଟି ମିସାଇଲ ମାଡ଼ କରିଛି ଋଷ । ଡୋନବାସକୁ ଘେରି ରହିଛନ୍ତି ୬୦ ହଜାର ଋଷ ସୈନ୍ୟ । ଜୀବନ ବିକଳରେ ସହର ଛାଡୁଛନ୍ତି ସାଧାରଣ ଲୋକ । ଡୋନେସ୍କରେ ମାନବୀୟ ସହାୟତା ବଣ୍ଟନ କେନ୍ଦ୍ରରେ ଏୟାର ଷ୍ଟ୍ରାଇକ କରିଛି ଋଷ । ଲୋହାନସ୍କରେ ମଧ୍ୟ ଜୋରଦାର ଆକ୍ରମଣ କରୁଛି ଋଷ । ରୁବିଝନେ ଟାଉନର ପ୍ରାୟ ୬୦ ପ୍ରତିଶତ ଅଂଶ ଅକ୍ତିଆର କରିଛି ଋଷ ସେନା । ନିରୀହ ନାଗରିକ ଓ ତୈଳ ଡିପୋକୁ ଋଷ ସେନା ଟାର୍ଗେଟ କରୁଥିବା ଅଭିଯୋଗ କରିଛନ୍ତି ୟୁକ୍ରେନ ରାଷ୍ଟ୍ରପତି ।

ସେପଟେ ଋଷଠାରୁ କୋଇଲା ଆମଦାନୀ ଉପରେ ରୋକ ଲଗାଇଛି ୟୁରୋପିଆନ ୟୁନିଅନ । ଅନ୍ୟପକ୍ଷରେ ବୁଚାରେ ହୋଇଥିବା ନରସଂହାରର ରିପୋର୍ଟ ପାଇଁ ବୁଚା ସହରରେ ପହଞ୍ଚିଛି ଅର୍ନ୍ତରାଷ୍ଟ୍ରୀୟ ଟିମ୍ । ଋଷ ସେନା ଅପସାରଣ ପରେ ପ୍ରାୟ ୪ ଶହ ଶବ ମିଳିଥିଲା । ସେସବୁର ଫରେନସିକ ଯାଞ୍ଚ ପାଇଁ ବୁଚା ସହରରେ ପହଞ୍ଚିଛି ଟିମ୍ । ସେପଟେ ଜାତିସଂଘ ସୁରକ୍ଷା ପରିଷଦ ବୈଠକରେ ବୁଚା ନରସଂହାରକୁ ନିନ୍ଦା କରିଛି ଭାରତ ।

ଅନାସ୍ଥା ପ୍ରସ୍ତାବ ରଦ୍ଦ ପ୍ରସଙ୍ଗରେ ତଥ୍ୟ ପ୍ରମାଣ ନଥାଇ ରୁଲିଂ ଦିଆଯାଇଛି: ପ୍ରଧାନ ବିଚାରପତି

ଇସଲାମାବାଦ: ସରୁନି ପାକିସ୍ତାନ ରାଜନୀତି ନାଟକ । ଇମ୍ରାନ ଖାଁ ସରକାରଙ୍କ ବିପକ୍ଷରେ ଆଗତ ଅନାସ୍ଥା ପ୍ରସ୍ତାବ ରଦ୍ଦ ଓ ନ୍ୟାସନାଲ ଆସେମ୍ବଲି ଭଙ୍ଗ ବିରୋଧକୁ ନେଇ ଜାରି ରହିଛି ପିଟିସନ ଶୁଣାଣି । ନ୍ୟାସନାଲ ଆସେମ୍ବଲିରେ ଇମ୍ରାନ ଖାଁ ସରକାରଙ୍କ ବିରୋଧରେ ଆଗତ ଅନାସ୍ଥା ପ୍ରସ୍ତାବକୁ ଉପବାଚସ୍ପତି କାସିମ ଶାହ ସୁରି କେଉଁ ଭିତ୍ତିରେ ଖାରଜ କରିଥିଲେ ବୋଲି ପ୍ରଶ୍ନ କରିଛନ୍ତି ପ୍ରଧାନ ବିଚାରପତି ଜଷ୍ଟିସ ଉମର ଆତା ବନ୍ଦିୟାଲ । ଉପବାଚସ୍ପତି କୌଣସି ତଥ୍ୟ ପ୍ରମାଣ ଥାଇ ରୁଲିଂ ଦେଇଥିବା ଭଳି ମନେ ହେଉନାହିଁ ବୋଲି ପ୍ରଧାନ ବିଚାରପତି ଶୁଣାଣି ବେଳେ କହିଛନ୍ତି । ସୁପ୍ରିମକୋର୍ଟ ବିଦେଶୀ ଶକ୍ତି ଷଡଯନ୍ତ୍ର ପ୍ରସଙ୍ଗ ମଧ୍ୟ ଉଠାଇଛନ୍ତି । ବିଦେଶୀ ଶକ୍ତି ଷଡଯନ୍ତ୍ର କରି ତାଙ୍କ ସରକାରଙ୍କୁ ହଟାଇବାକୁ ଚାହୁଁଛି ବୋଲି ଇମ୍ରାନ ଖାନ ବାରମ୍ବାର ଅଭିଯୋଗ କରିଥିଲେ । ସେହି ଆଲୋଚନାର ବିସ୍ତୃତ ବିବରଣୀ କାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି ।

ସୂଚନା ଅନୁସାରେ ଏପ୍ରିଲ ୩ରେ ଇମ୍ରାନ ଖାନଙ୍କ ସରକାରଙ୍କ ବିରୋଧରେ ନ୍ୟାସନାଲ ଆସେମ୍ବଲିରେ ଅନାସ୍ଥା ପ୍ରସ୍ତାବ ରଦ୍ଦ କରିଥିଲେ ଉପବାଚସ୍ପତି । ବିଦେଶୀ ରାଷ୍ଟ୍ରର ଷଡଯନ୍ତ୍ର ଦର୍ଶାଇ ଅନାସ୍ଥା ପ୍ରସ୍ତାବ ରଦ୍ଦ କରିଥିଲେ ଉପବାଚସ୍ପତି । ସଂସଦରେ ଅନାସ୍ଥା ପ୍ରସ୍ତାବ ରଦ୍ଦ ନିଷ୍ପତ୍ତି ବିରୋଧରେ ସୁପ୍ରିମକୋର୍ଟ ଯାଇଥିଲେ ବିରୋଧୀ । ଅନ୍ୟପକ୍ଷରେ ଅନାସ୍ଥା ପ୍ରସ୍ତାବ ରଦ୍ଦ ପରେ ଦେଶବାସୀଙ୍କୁ ସମ୍ବୋଧନ କରିଥିଲେ ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ । ଇମ୍ରାନ କହିଥିଲେ କି ଏକ ବିଦେଶୀ ଚକ୍ରାନ୍ତ ପଣ୍ଡ ହୋଇଛି । ଏହା ସହ ସଂସଦ ଭଙ୍ଗ କରିବାକୁ ରାଷ୍ଟ୍ରପତିଙ୍କୁ ସୁପାରିସ କରିଥିଲେ ଇମ୍ରାନ । ସଂସଦ ଭଙ୍ଗ ପରେ ମଧ୍ୟବର୍ତ୍ତୀ ନିର୍ବାଚନ କରିବାକୁ ମଧ୍ୟ ରାଷ୍ଟ୍ରପତିଙ୍କୁ ସୁପାରିସ କରିଥିଲେ ଇମ୍ରାନ ।

ସରିଲା ଦ୍ୱିତୀୟ ପର୍ଯ୍ୟାୟ ରିମାଣ୍ଡ, ଆଜି ଶର୍ମିଷ୍ଠା, ଝୁନାକୁ କୋର୍ଟରେ ହାଜର କରିବ କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର: କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲା । ସରିଲା ଦ୍ୱିତୀୟ ପର୍ଯ୍ୟାୟ ରିମାଣ୍ଡ । ଆଜି ଶର୍ମିଷ୍ଠା, ଝୁନାଙ୍କୁ ଚାନ୍ଦବାଲି କୋର୍ଟରେ ହାଜର କରିବ କ୍ରାଇମବ୍ରାଞ୍ଚ । ଦ୍ୱିତୀୟ ପର୍ଯ୍ୟାୟର ୩ ଦିନିଆ ରିମାଣ୍ଡରେ ଅଭିଯୁକ୍ତଙ୍କଠାରୁ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଆଦାୟ କରିଛି କ୍ରାଇମବ୍ରାଞ୍ଚ । ମାନସ ସ୍ୱାଇଁ ହତ୍ୟାର କାରଣ ଖୋଜିଛି ତଦନ୍ତକାରୀ ଟିମ୍ । ମେମାରୀ ଚିପକୁ ନେଇ ଅଧିକ ଖୋଳତାଡ଼ କରିଛି କ୍ରାଇମବ୍ରାଞ୍ଚ ।

ଶର୍ମିଷ୍ଠାର ସହଯୋଗୀ ଝୁନାର ଭୂମିକା ନେଇ ମଧ୍ୟ ତଦନ୍ତ କରିଛି ଟିମ୍ । ଚିପ୍ ଫେରାଇବା ପାଇଁ ମାନସ ୧୦ ହଜାର ଦାବି କରିଥିଲେ ବୋଲି ରିମାଣ୍ଡ ବେଳେ କ୍ରାଇମବ୍ରାଞ୍ଚକୁ ତଥ୍ୟ ମିଳିଛି । ଜାନୁଆରୀ ୧୦ରୁ ଦୟାଲ ଆଶ୍ରମରେ ରହୁଥିଲେ ମାନସ । ଜାନୁଆରୀ ୩୦ ତାରିଖରେ ମାନସଙ୍କୁ ସମ୍ପୂର୍ଣ୍ଣ ଅଫିସକୁ ଡାକି ଚିପ୍ ମାଗିଥିଲେ ଶର୍ମିଷ୍ଠା ଓ ନିରଞ୍ଜନ ସେଠୀ । ସେଠାରେ ତାଙ୍କୁ ନିର୍ଯାତନା ଦେଇଥିଲେ । ସେଠାରୁ ତାଙ୍କୁ ଦୟାଲ ଆଶ୍ରମ ନେବା ପରେ ମାନସଙ୍କଠାରୁ କ୍ୟାମେରା ଛଡ଼ାଇ ନେଇଥିଲେ । ସେବେଠାରୁ ଦୟାଲ ଆଶ୍ରମ ଛାଡ଼ି ବାହାରେ ରହୁଥିଲେ ମାନସ । ଶର୍ମିଷ୍ଠାଙ୍କୁ ଚିପ୍ ଫେରାଇବା ପାଇଁ ମାନସ ୧୦ ହଜାର ଟଙ୍କା ଓ ତାଙ୍କ କ୍ୟାମେରା ଡିମାଣ୍ଡ କରିଥିଲେ ।

ଏହାପରେ ଫେବୃୟାରୀ ୫ ତାରିଖରେ ସହଯୋଗୀ ଦୀପକ ସହ ଏକ ବାହାଘର ସୁଟିଂ ପାଇଁ ଚାନ୍ଦବାଲି ଯାଇଥିଲେ ମାନସ । ସେଠାରୁ ମାନସଙ୍କୁ କିଡନାପ୍ କରିବା ସହ ହତ୍ୟାକାଣ୍ଡ ଭିଆଇଥିଲେ ଅଭିଯୁକ୍ତ । ତେବେ ଯେଉଁ ଚିପ୍ ପାଇଁ ହତ୍ୟାକାଣ୍ଡ ହୋଇଥିଲା ସେହି ଚିପ୍ ଏବେବି କ୍ରାଇମବ୍ରାଞ୍ଚ ହାତକୁ ଆସିନାହିଁ । ଅଧିକ ଖୋଳତାଡ଼ ପାଇଁ ଆଉ ଥରେ କ୍ରାଇମବ୍ରାଞ୍ଚ ରିମାଣ୍ଡ ଆବେଦନ କରିବ କି ନାହିଁ ତାହା କୋର୍ଟରେ ହାଜର ପରେ ଜଣାପଡ଼ିବ ।

୧୦୫ଟି ପୌରାଞ୍ଚଳ ପାଇଁ ଆଜି ଉପାଧ୍ୟକ୍ଷ ନିର୍ବାଚନ, ପୂର୍ବାହ୍ନ ୧୦ରୁ ନାମାଙ୍କନ

ଭୁବନେଶ୍ୱର: ଆଜି ପୌର ଉପାଧ୍ୟକ୍ଷ ନିର୍ବାଚନ । ୫୮ଟି ଏନଏସି, ୪୭ଟି ମ୍ୟୁନିସିପାଲିଟିରେ ଉପାଧ୍ୟକ୍ଷ ନିର୍ବାଚନ ହେବ । ପୂର୍ବାହ୍ନ ୧୦ରୁ ୧୧ଟା ମଧ୍ୟରେ ନାମାଙ୍କନ ଦାଖଲ କରିବେ ପ୍ରାର୍ଥୀ । ୧୧ଟାରୁ ୧୨ଟା ମଧ୍ୟରେ ନାମାଙ୍କନ ପତ୍ର ଯାଞ୍ଚ ଓ ଅପରାହ୍ନ ଗୋଟାଏ ପର୍ଯ୍ୟନ୍ତ ପ୍ରାର୍ଥୀପତ୍ର ପ୍ରତ୍ୟାହାର ପ୍ରକ୍ରିୟା ଚାଲିବ । ଅପରାହ୍ନ ସାଢ଼େ ଗୋଟାଏରୁ ସାଢ଼େ ୩ଟା ପର୍ଯ୍ୟନ୍ତ ଆବଶ୍ୟକ ହେଲେ ଭୋଟିଂ ହେବ । ଉପାଧ୍ୟକ୍ଷ ପଦ ପାଇଁ ୨ରୁ ଅଧିକ ପ୍ରାର୍ଥୀ ରହିଲେ, ରାଉଣ୍ଡ ୱାରି ଭୋଟିଂ ହେବ । ପ୍ରତି ରାଉଣ୍ଡରେ କମ୍ ଭୋଟ ପାଉଥିବା ଜଣେ ଲେଖାଏଁ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତାରୁ ଓହରିବେ । ଶେଷ ଦୁଇ ଜଣଙ୍କ ମଧ୍ୟରେ ଚୂଡ଼ାନ୍ତ ଲଢ଼େଇ ହେବ ।

ଚଳିତ ଥର ଦଳ ବଦଳ ନିରୋଧ ଆଇନ ଲାଗୁ ହୋଇଥିବାରୁ ରାଜନୈତିକ ଦଳ, ଭୋଟିଂ ବେଳେ ସେମାନଙ୍କ ପ୍ରତିନିଧିଙ୍କୁ ଦେଖାଇ ଭୋଟ୍ ଦେବେ । ଏଥିପାଇଁ ବ୍ୟାପକ ପ୍ରସ୍ତୁତି କରିଛି ପ୍ରଶାସନ । ନିର୍ବାଚନରେ ୧୦୫ଟି ସହରାଞ୍ଚଳରୁ ୭୩ଟି ଅଧ୍ୟକ୍ଷ ପଦ ବିଜେଡି ଖାତାକୁ ଯାଇଥିବା ବେଳେ ୧୬ଟି ବିଜେପି, ୭ଟି କଂଗ୍ରେସ ଓ ୯ଟି ସ୍ୱାଧୀନ ପ୍ରାର୍ଥୀ ହାତେଇଥିଲେ । କାଉନସିଲର ସଂଖ୍ୟା ଦେଖିଲେ ବିଜେପିକୁ ୪ଟି ଓ କଂଗ୍ରେସକୁ ୪ଟି ଉପାଧ୍ୟକ୍ଷ ପଦ ଯିବା ସମ୍ଭାବନା ଥିବା ବେଳେ ବିଜେଡି ୯୭ଟିରେ ଜିତିପାରେ । ସେହିପରି ୩ଟି ମହାନଗର ନିଗମରେ ଡେପୁଟି ମେୟର ପଦବୀ ବିଜେଡି ଖାତାକୁ ଯିବା ନିଶ୍ଚିତ ।

ଏହି ରାଶିର ବ୍ୟକ୍ତିମାନଙ୍କ ଧନ ଲାଭ ଓ ଚାକିରି ଯୋଗ

ମେଷ : ଗୁରୁବାର ଏହି ରାଶିର ବ୍ୟକ୍ତିଙ୍କର ଆର୍ଥିକ ସ୍ଥିତି ମଧ୍ୟମ ଧରଣ ରହିବ । କୌଣସି କାରଣରୁ ଆପଣ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି । ଏଥିପାଇଁ ପୂର୍ବରୁ ପ୍ରସ୍ତୁତ ରୁହନ୍ତୁ । ବିପଦରେ ପଡ଼ିଲେ ନିଜ ବିରୁଦ୍ଧରେ ଥିବା ବ୍ୟକ୍ତିଙ୍କ ସାହାଯ୍ୟ ଲୋଡ଼ିବେ ।

ବୃଷ : ବୃଷ ରାଶିର ବ୍ୟକ୍ତି ନିଜ କର୍ମକ୍ଷେତ୍ରରେ କିଛି ଅସୁବିଧାର ସମ୍ମୁଖୀନ କରିପାରନ୍ତି । ଏକାଧିକ କାମରେ ବ୍ୟସ୍ତ ରହିପାରନ୍ତି । ଏନେଇ ଚିନ୍ତା ବଢ଼ିପାରେ । ଯୋଜନାର ସହ କାର୍ଯ୍ୟ କରନ୍ତୁ ନିଶ୍ଚିତ ସଫଳତା ହାସଲ ହେବ ।

ମିଥୁନ : ଏହି ରାଶିର ବ୍ୟକ୍ତି ଅନେକ ଦିନ ପରେ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଚିନ୍ତା କରିବେ । ଆଗାମୀ ଦିନରେ ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଇପାରେ । ନିଜ ଶରୀରର ଯତ୍ନ ନେବା ସହ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।

କର୍କଟ : ଆଜିର ଦିନରେ ଏହି ରାଶିର ବ୍ୟକ୍ତି ଏକାଧିକ କାର୍ଯ୍ୟରେ ଲିପ୍ତ ରହିପାରନ୍ତି । କର୍ମକ୍ଷେତ୍ର କିମ୍ୱା ବ୍ୟବସାୟରେ ଉନ୍ନତି ନିମନ୍ତେ ସମ୍ପର୍କୀୟ ଲୋକଙ୍କୁ ସାଲିସ କରିବାକୁ ପଡ଼ିପାରେ । ଆଗକୁ କୌଣସି ସ୍ଥାନକୁ ଯାତ୍ରା କରିବାର ସମ୍ଭାବନା ରହିଛି ।

ସିଂହ : ନିଜ ଦୈନିକ କାର୍ଯ୍ୟରୁ ନିବୃତ୍ତ ହୋଇ ଜୀବନସାଥୀଙ୍କ ସହ ସମୟ ଅତିବାହିତ କରନ୍ତୁ । ନିଜ ଇଚ୍ଛା ଉପରେ ମଧ୍ୟ ଧ୍ୟାନ ଦିଅନ୍ତୁ । କାର୍ଯ୍ୟ ବହୁଳତା ହେତୁ ପରିଶ୍ରମ ଅଧିକ କରିବାକୁ ପଡ଼ିପାରେ । ଥକ୍କାପଣରୁ ବିଶ୍ରାମ ପାଇବା ପାଇଁ ମନୋରଞ୍ଜନ କାର୍ଯ୍ୟକ୍ରମରେ ନିଜକୁ ନିୟୋଜିତ କରନ୍ତୁ ।

କନ୍ୟା : କନ୍ୟା ରାଶିର ବ୍ୟକ୍ତିଙ୍କର ଆଜିର ଦିନଟି ମଧ୍ୟମ ଧରଣର ରହିବ । ଆଜି ଆପଣଙ୍କ ଆର୍ଥିକ ସ୍ଥିତି ମଧ୍ୟ ସାମାନ୍ୟ ରହିବ । ଆପଣଙ୍କ ଜୀବନରେ ପ୍ରେମ ଏବଂ ଭାଗ୍ୟକୁ ଅଧିକ ଗୁରୁତ୍ୱ ଦେଇଆସିଛନ୍ତି । ଆଗକୁ ପରିସ୍ଥିତି ବିଗିଡ଼ିପାରେ । ଏପରିକି ଆପଣଙ୍କ ପ୍ରିୟଜନ ଆପଣଙ୍କ ବିରୁଦ୍ଧରେ ହୋଇପାରନ୍ତି ।

ତୁଳା : ଏହି ରାଶିର ବ୍ୟକ୍ତି ନିଜ ସ୍ୱାସ୍ଥ୍ୟକୁ ନେଇ କୌଣସି ଜରୁରୀ ନିଷ୍ପତ୍ତି ନେଇପାରନ୍ତି । ଏଥିସହ ଆପଣଙ୍କ ଘରେ କାର୍ଯ୍ୟ କରୁଥିବା ଲୋକଙ୍କର ସୁବିଧା ଅସୁବିଧା ମଧ୍ୟ ବୁଝିବାକୁ ପଡ଼ିବ । ଏଭଳି କରିବା ଦ୍ୱାରା ଆପଣଙ୍କ ଉପରେ ଆସୁଥିବା ବିପଦ ଟଳିଯିବ ନଚେତ୍ ଆପଣ କୌଣସି ସମସ୍ୟାରେ ପଡ଼ିପାରନ୍ତି ।

ବିଛା : ବିଛା ରାଶିର ବ୍ୟକ୍ତି ଜୀବନରେ ଅନେକ ସମସ୍ୟା ଦେଇ ଗତି କରୁଛନ୍ତି । ନିଜର ବ୍ୟବହାର ପାଇଁ ଅନ୍ୟ ବ୍ୟକ୍ତିଙ୍କ ଘୃଣାଭାବର ସମ୍ମୁଖୀନ କରୁଛନ୍ତି । ଏହି ସ୍ୱଭାବ କାରଣରୁ ଘରୁ ପଳାୟନ କରିବାକୁ ମଧ୍ୟ ଆପଣ ବାଧ୍ୟ ହୋଇପାରନ୍ତି ।

ଧନୁ : ଧନୁ ରାଶିର ବ୍ୟକ୍ତିଙ୍କ ଜୀବନରେ ପ୍ରେମ ଏବଂ ଘୃଣାର ଭାବ ସମାନ ରହିଛି । ଏହି ରାଶିର କିଛି ବ୍ୟକ୍ତି ନିଜ ଗୃହସ୍ଥ ଜୀବନରେ ସୁଧାର ଆଣିବାକୁ ପ୍ରୟାସ କରୁଛନ୍ତି । ଏମାନଙ୍କ ମଧ୍ୟରୁ କିଛି ବ୍ୟକ୍ତି ନିଜ ପ୍ରେମ ବିବାହକୁ ନେଇ ଯୋଜନା କରିପାରନ୍ତି ।

ମକର : ମକର ରାଶିର ବ୍ୟକ୍ତିଙ୍କୁ ନିଜ କର୍ମକ୍ଷେତ୍ରରେ ଭଲ ପ୍ରଦର୍ଶନ ପାଇଁ ପୁରସ୍କାର ମିଳିପାରେ । ପରିବାରରେ ଶାନ୍ତିର ବାତାବରଣ ବଜାୟ ରହିବ । ଆଜିର ଦିନରେ ଆପଣ ଆପଣଙ୍କ ବୃତ୍ତି, ଦାମ୍ପତ୍ୟ ଜୀବନ, ପିତା ମାତା ଏବଂ ପରିବାର ସଦସ୍ୟଙ୍କ ଉପରେ ଅଧିକ ଧ୍ୟାନ ଦେବେ ।

କୁମ୍ଭ : ଗୁରୁବାର ଆପଣଙ୍କ ଆର୍ଥିକ ସ୍ଥିତି ଭଲ ରହିବ । ମାତ୍ର ନିଜ ଉପରେ ସମ୍ପୂର୍ଣ୍ଣ ନିୟନ୍ତ୍ରଣ ରଖିବାକୁ ଚେଷ୍ଟା କରନ୍ତୁ । କୌଣସି ବନ୍ଧୁ କିମ୍ୱା ପଡ଼ୋଶୀଙ୍କୁ ନେଇ ବିରକ୍ତ ହୋଇପାରନ୍ତି । ମାତ୍ର, ବିବାଦକୁ ଆଗକୁ ନେବା ଅପେକ୍ଷା ସମାଧାନର ବାଟ କାଢ଼ନ୍ତୁ ।

ମୀନ : ମୀନ ରାଶିର ବ୍ୟକ୍ତିଙ୍କ ଭାଗ୍ୟରେ ବୃହସ୍ପତ୍ତିଙ୍କ ଚାଳନା ହେତୁ ନିଜ କର୍ମକ୍ଷେତ୍ରରେ ଖ୍ୟାତି ଅର୍ଜନ କରିପାରନ୍ତି । ମନଧ୍ୟାନର ସହ କାମ କଲେ ଉନ୍ନତି ମିଳିପାରେ । ସମୟର ସହଯୋଗ ଏବଂ ଆପଣଙ୍କ ଇଚ୍ଛାଶକ୍ତି ବଳରେ ଜୀବନରେ ଉନ୍ନତି କରିବେ ।