spot_img
Home Blog Page 4501

ଆଜି ଆସିବ ଚୂଡାନ୍ତ ପୌର ପ୍ରାର୍ଥୀ ତାଲିକା

ଭୁବନେଶ୍ବର: ପୌର ନିର୍ବାଚନ ପ୍ରାର୍ଥିପତ୍ର ପ୍ରତ୍ୟାହାରର ଆଜି ଶେଷ ଦିନ । ଆଜି ସନ୍ଧ୍ୟାକୁ ଆସିବ ଚୂଡାନ୍ତ ତାଲିକା । ଆଜି ଦିନ ୩ଟା ଯାଏଁ ପ୍ରାର୍ଥୀମାନେ ନାମାଙ୍କନ ପ୍ରତ୍ୟାହାର କରିପାରିବେ ।

ଶେଷ ମୁହୁର୍ତ୍ତରେ ଟିକେଟ୍ କଟିଥିବା ଅନେକ ଆଶାୟୀ ଏଥର ସ୍ବାଧୀନ ଭାବରେ ନାମାଙ୍କନ ଦାଖଲ କରିଥିଲେ । ଏହା ଭିତରେ ବିଜେଡି ଆଶାୟୀଙ୍କୁ ମନାଇବାରେ ସଫଳ ହୋଇଛି । ଟିକେଟ୍ କଟିଥିବା ପ୍ରାର୍ଥୀମାନଙ୍କୁ ଦଳ ବୁଝାଇଛି । ଆଶାୟୀମାନେ ମଧ୍ୟ ଦଳର ଶୃଙ୍ଖଳା ମାନି ରହିଛନ୍ତି । ପୂର୍ବରୁ ପଞ୍ଚାୟତ ନିର୍ବାଚନରେ ମଧ୍ୟ ବିଜେଡି ଅସନ୍ତୁଷ୍ଟଙ୍କୁ ବୁଝାଇବାରେ ସଫଳ ହୋଇଥିଲା । ଯାହାର ଫଳାଫଳ ନିର୍ବାଚନରେ ଦେଖିବାକୁ ମିଳିଥିଲା ।

ସେପଟେ ବିରୋଧୀ ଦଳମାନଙ୍କରେ କିନ୍ତୁ ବିବାଦ ତୀବ୍ର ହୋଇଥିବା ଦେଖିବାକୁ ମିଳିଛି । କିଛିଦିନ ତଳେ ଭବାନୀପାଟଣା ପୌର ପରିଷଦ ଟିକେଟ୍ ନେଇ ବିଜେପି ନେତାଙ୍କ ଭିତରେ ବିବାଦ ଦେଖାଦେଇଥିଲା । କଂଗ୍ରେସରେ ପୌର ବିବାଦ କୋରାପୁଟରୁ ଭୁବନେଶ୍ବର ଯାଏଁ ବ୍ୟାପିଛି । ଆଜି ଚୂଡ଼ାନ୍ତ ତାଲିକା ଆସିବା ପରେ ଆହୁରି ଜୋରଦାର ହେବ ପୌର ପ୍ରଚାର ।

ସୋନିଆ ହିଁ ରହିବେ କଂଗ୍ରେସ ଅଧ୍ୟକ୍ଷା

ନୂଆଦିଲ୍ଲୀ: ହଟିବେ ନାହିଁ ସୋନିଆ ଗାନ୍ଧି । ପୂର୍ବ ପରି ରହିବେ ଅଧ୍ୟକ୍ଷା ପଦରେ । ୫ ରାଜ୍ୟରେ ଶୋଚନୀୟ ପରାଜୟ ପରେ ଆଜି ବସିଥିଲା କଂଗ୍ରେସର ଜାତୀୟ କାର୍ଯ୍ୟକାରିଣୀ କମିଟି ବୈଠକ । ଦୀର୍ଘ ୪ ଘଣ୍ଟାର ମାନସ ମନ୍ଥନ ପରେ ସୋନିଆ ଗାନ୍ଧି ପୂର୍ବ ଭଳି ଅଧ୍ୟକ୍ଷା ରହିବାକୁ ନିଷ୍ପତ୍ତି ନିଆାଯାଇଛି ।

ତେବେ କଂଗ୍ରେସଠୁ ଲୋକେ କାହିଁକି ମୋଡୁଛନ୍ତି ମୁହଁ ? ଦଳ ପ୍ରତି କାହିଁକି ବଢୁଛି ଅସନ୍ତୋଷ ? କ’ଣ ରହିବ ଭବିଷ୍ୟତ ଏଜେଣ୍ଡା ଆଲୋଚନା ପାଇଁ ଆଜି ବସିଥିଲା କଂଗ୍ରେସର ଗୁରୁତ୍ବପୂର୍ଣ୍ଣ ବୈଠକ । ଏଥିରେ ଜି-୨୩ର ନେତାମାନେ ଉପସ୍ଥିତ ଥିଲେ । ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଉପସ୍ଥିତ ଥିଲେ । ଏହି ଅବସରରେ ଅସନ୍ତୁଷ୍ଟ କଂଗ୍ରେସ ନେତାଙ୍କ ଅଭିଯୋଗ ମଧ୍ୟ ଶୁଣିଥିଲେ ସୋନିଆ ।

ଦଳକୁ ଏକଜୁଟ୍‌ କରି ଦେଶ ପାଇଁ ଲଢିବାକୁ ସୋନିଆ ଆହ୍ବାନ ଦେଇଥିଲେ । ବୈଠକରେ କଂଗ୍ରେସର ଆଗାମୀ ଅଧ୍ୟକ୍ଷ ପଦ ନେଇ ମଧ୍ୟ ଆଲୋଚନା ହୋଇଥିଲା । ତେବେ ଆଗାମୀ ଦିନରେ ମଧ୍ୟ ସୋନିଆ ଦଳର ଅଧ୍ୟକ୍ଷା ରହିବେ ବୋଲି ମତ ଦେଇଥିଲେ ସମସ୍ତ ନେତା । ବୈଠକରେ ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଦଳର ବରିଷ୍ଠ ନେତା ମନମୋହନ ସିଂହ ଅନୁପସ୍ଥିତ ଥିଲେ ।

ମୁଖ୍ୟ ଚିକିତ୍ସାଧିକାରୀଙ୍କ ନିର୍ଯାତନା ସହି ନପାରି ଷ୍ଟାଫ୍ ନର୍ସ ହାରିଲେ ଜୀବନ !

ପାରାଦୀପ: ପାରାଦ୍ବୀପ ବନ୍ଦର ଚିକିତ୍ସାଳୟର ମୁଖ୍ୟ ଚିକିତ୍ସାଧିକାରୀଙ୍କ ଦ୍ବାରା ମାନସିକ ଓ ଶାରିରୀକ ନିର୍ଯାତନା ଯୋଗୁଁ ଜଣେ ଷ୍ଟାଫ୍ ନର୍ସଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି । ଏନେଇ  ବନ୍ଦର ଚିକିତ୍ସାଳୟ ସମ୍ମୁଖରେ ମୃତକ ଷ୍ଟାଫ୍ ନର୍ସ ନିବେଦିତା ଜେନାଙ୍କ ଶବ ରଖି ଧାରଣା ଦେଇଥିଲେ ପରିବାର ଓ ସ୍ଥାନୀୟ ଲୋକ ।

ଅଭିଯୋଗ ଅନୁସାରେ ଗତ ୨୦୨୧ ମସିହା ଅଗଷ୍ଟ ୧୯ ତାରିଖରେ ଜଣେ ନର୍ସଙ୍କୁ ଡାକ୍ତରଖାନାର ଜଣେ ଡାକ୍ତର ଅସଦାଚରଣ କରୁଥିବାର ଦେଖିଥିଲେ ନିବେଦିତା । ଘଟଣାକୁ ନେଇ ସମ୍ପୃକ୍ତ ନର୍ସ ଥାନାର ଦ୍ବାରସ୍ଥ ହୋଇଥିଲେ, କିଛି ନର୍ସ ମଧ୍ୟ ଡାକ୍ତରଙ୍କ ବିରୋଧରେ ସାକ୍ଷୀ ଦେଇଥିଲେ । ସେହିଦିନଠାରୁ ସାକ୍ଷୀ ଦେଇଥିବା ନର୍ସମାନଙ୍କୁ ମୁଖ୍ୟ ଚିକିତ୍ସାଧିକାରୀ ପ୍ରହ୍ଲାଦ ପଣ୍ଡା ମାନସିକ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଛି । ଏପରିକି ଏ ସମ୍ପର୍କରେ ନିବେଦିତା ରାଜ୍ୟ ମହିଳା କମିଶନ ଏବଂ ଜଗତସିଂହପୁର ଏସପିଙ୍କୁ ଲିଖିତ ଜଣାଇ ନିଜର ଓ ଚାକିରିର ସୁରକ୍ଷା ପାଇଁ ପଦକ୍ଷେପ ନେବାକୁ ନିବେଦନ କରିଥିଲେ । ଏହାର ପ୍ରତିଶୋଧ ନେବା ପାଇଁ ସୁଯୋଗ ଖୋଜୁଥିଲେ ମୁଖ୍ୟ ଚିକିତ୍ସାଧିକାରୀ ।

ଗୁରୁବାର ରାତି ଡ୍ୟୁଟିରେ ଥିବା ନିବେଦିତା ୧୦ ମିନିଟ୍ ପାଇଁ ବାଥରୁମକୁ ଯାଇଥିଲେ ମଧ୍ୟ ମୁଖ୍ୟ ଚିକିତ୍ସାଧିକାରୀ କାରଣ ଦର୍ଶାଅ ନୋଟିସ ମାଗିଥିଲେ । ଶନିବାର ଦିନ କାରଣ ଦର୍ଶାଅ ନୋଟିସର ଉତ୍ତର ନେଇ ନିବେଦିତା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଦେବାକୁ ଯାଇଥିଲେ। ମାତ୍ର ମୁଖ୍ୟ ଚିକିତ୍ସାଧିକାରୀ ନିବେଦିତାଙ୍କ ଲିଖିତ ଉତ୍ତରକୁ ଗ୍ରହଣ ନକରି ତାଙ୍କୁ ଚାପୁଡ଼ା ମାରିଥିଲେ । ଫଳରେ ନିବେଦିତା ଚେତା ହରାଇଥିଲେ।  ତାଙ୍କୁ ସଙ୍ଗେ ସଙ୍ଗେ କଟକ ସ୍ଥାନାନ୍ତର କରାଯାଇଥିଲେ ମଧ୍ୟ ତାଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି ତାଙ୍କ ବାପା । ଯାହାକୁ ନେଇ ନିବେଦିତାଙ୍କ ପରିବାର ଓ କଲୋନୀର ବହୁ ମହିଳା ପୁରୁଷ ବନ୍ଦର ଚିକିତ୍ସାଳୟ ସମ୍ମୁଖରେ ଶବ ରଖି ଧାରଣା ଦେଇଥିଲେ ।

ଘଟଣାସ୍ଥଳରେ ଶ୍ରମିକ ନେତା ବାପି ସର୍ଖେଲ ପହଞ୍ଚି ବନ୍ଦର ଅଧ୍ୟକ୍ଷଙ୍କ ସହିତ ଆଲୋଚନା କରିଥିଲେ । ନିବେଦିତାଙ୍କ ପରିବାରରୁ ଜଣଙ୍କୁ ନିଯୁକ୍ତି, ଅଭିଯୁକ୍ତ ମୁଖ୍ୟ ଚିକିତ୍ସାଧିକାରୀ ପ୍ରହ୍ଲାଦ ପଣ୍ଡା ଓ ଡାକ୍ତର ବାଦଲ ସିଂକୁ କାର୍ଯ୍ୟରୁ ନିଲମ୍ବନ, ନିବେଦିତାଙ୍କ ଝିଅର ପାଠପଢା ଖର୍ଚ୍ଚ ବହନ କରିବାକୁ ବନ୍ଦର କର୍ତ୍ତୃପକ୍ଷ ପ୍ରତିଶ୍ରୁତି ଦେଇଛନ୍ତି । ପରେ ପାରାଦ୍ଵୀପ ଏଏସପି ପହଞ୍ଚି ଲୋକଙ୍କୁ ବୁଝାସାଝା କରିବା ପରେ ଧାରଣା ହଟିଛି ।

ଚାନ୍ଦବାଲିରୁ ଅପହରଣ, ରାଜଧାନୀରେ ହତ୍ୟା: ନୟାଗଡରେ ପୋତିଲେ

ଭଦ୍ରକ: ଚାନ୍ଦବାଲିରୁ ଅପହରଣ ପରେ ହତ୍ୟା ଘଟଣାର ପର୍ଦ୍ଦାଫାସ । ଘଟଣାରେ ୩ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ । ଗିରଫ ଅଭିଯୁକ୍ତମାନେ ପେଶାରେ ସାମ୍ବାଦିକ ବୋଲି ଜଣାପଡିଛି । ତେବେ ଏହି ଅପହରଣ-ହତ୍ୟା ମିଷ୍ଟ୍ରୀ କୌଣସି ଫିଲ୍ମ କାହାଣୀଠାରୁ କମ୍ ନୁହେଁ । ଯାହା ଜାଣିଲେ ଆପଣ ବି ତାଜୁବ ହୋଇଯିବେ ।

ଅଜୟ ଦେବଗନ ଷ୍ଟାରର ବଲିଉଡ ଫିଲ୍ମ ‘ଦ୍ରିଶ୍ୟମ୍’ ତ ଦେଖିଥିବେ । କେମିତି ଅଜୟ ଦେବଗନ ମୃତ ଯୁବକର ମୃତ ଦେହକୁ ଠିକଣା ଲଗାଇ ପୋଲିସକୁ ନାକେଦମ କରିଥିଲେ । ଫିଲ୍ମରେ ପୋଲିସ ଅଜୟ ଦେବଗନଙ୍କୁ ଧରି ପାରି ନଥିଲା । ହେଲେ ଚାନ୍ଦବାଲି ଅପହରଣ ଓ ହତ୍ୟା ଘଟଣାରେ ପୋଲିସ ୩ ଅଭିଯୁକ୍ତଙ୍କୁ କାବୁ କରିନେଇଛି ।

ମଜାଦାର କଥା ହେଲା ଏହି ହତ୍ୟା ଘଟଣା ଭଦ୍ରକ ଜିଲ୍ଲାରୁ ଆରମ୍ଭ ହୋଇ ରାଜଧାନୀ ଭୁବନେଶ୍ବର ଦେଇ ନୟାଗଡରେ ଶେଷ ହୋଇଛି । ଅର୍ଥାତ ମୃତ ମାନସ ସ୍ବାଇଁଙ୍କୁ ଚାନ୍ଦବାଲିରୁ ଅପହରଣ କରାଯାଇଥିଲା । ରାଜଧାନୀକୁ ଆଣିବା ପରେ ଏଠାରେ ହତ୍ୟା କରିଥିଲେ । ଏହାପରେ ମୃତଦେହକୁ ଠିକଣା ଲଗାଇବାକୁ ନୟାଗଡ଼ ନେଇ ପୋତିଥିଲେ । ପୂରା ଫୁଲ୍ ପ୍ରୁଫ୍ ପ୍ଲାନରେ କରାଯାଇଥିଲା ହତ୍ୟା । ହେଲେ କଥାରେ ଅଛି ଆଇନର ହାତ ଲମ୍ବା । ଏତେ ପ୍ଲାନ ପରେ ବି ପୋଲିସ ଅଭିଯୁକ୍ତଙ୍କ ପାଖରେ ପହଞ୍ଚିବାକୁ ସକ୍ଷମ ହୋଇଛି ଓ କାବୁ କରିବା ସହ ଏହି ଅପହରଣ-ହତ୍ୟା ଘଟଣା ଉପରୁ ପରଦା ଉଠାଇଛି ।

ସୂଚନା ଅନୁସାରେ ଗତ ଫେବୃଆରୀ ୭ ତାରିଖରେ ନୟାଗଡ଼ ରଣପୁର ଅଞ୍ଚଳର ମାନସ ସ୍ଵାଇଁ ଚାନ୍ଦବାଲିକୁ ଏକ ବାହାଘରରେ ଫଟୋ ଉଠାଇବାକୁ ଆସିଥିଲେ । ଏହି ସମୟରେ ଭୁବନେଶ୍ବରରୁ ୫ ଜଣ ଆସି ମାନସକୁ ଅପହରଣ କରି ନେଇଥିଲେ । ଏନେଇ ମାନସଙ୍କ ପରିବାର ପକ୍ଷରୁ ଚାନ୍ଦବାଲି ଥାନାରେ ୧୪ ତାରିଖରେ ଅଭିଯୋଗ କରାଯାଇଥିଲା । ଚାନ୍ଦବାଲି ଥାନା ଅଧିକାରୀ ଘଟଣାକୁ ଗରୁତ୍ବର ସହ ନେଇ ୩ ଜଣ ଅଭିଯୁକ୍ତଙ୍କୁ ଠାବ କରିଥିଲେ ।

ପରେ ପୋଲିସ ନୟାଗଡ଼ ଜିଲ୍ଲା ରଣପୁର ଥାନା ବଧୂପାଟଣା ପାହାଡ଼ ନିକଟରୁ ଶବକୁ ମାଟିତଳୁ ଉଦ୍ଧାର କରିଥିଲା । ୩ ଜଣ ଅଭିଯୁକ୍ତଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି । ହତ୍ୟାକାଣ୍ଡରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତମାନେ ଖୁବ ଶୀଘ୍ର ଗିରଫ ହେବେ ବୋଲି ପୋଲିସ କହିଛି ।

ମଦ ଦୋକାନରେ ପଶି ପଥର ଫିଙ୍ଗିଲେ ଉମା ଭାରତୀ

ଭୋପାଲ: ବିଜେପି ନେତ୍ରୀ ଉମା ଭାରତୀ ରବିବାର ଏକ ମଦ ଦୋକାନରେ ପଶି ପଥର ଫିଙ୍ଗି ଭାଲିଲେ ମଦ ବୋତଲ । ଏହାର ଭିଡିଓ ନିଜେ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି । ଏହାସହ ଟ୍ବିଟ୍ କରି ଲେଖିଛନ୍ତି, ‘qରଖେଡା ପଠାନୀ ଆଜାଦ ନଗର ବିଏଚଇଏଲରେ ଶ୍ରମିକଙ୍କ କଲୋନୀ ରହିଛି । ଏଠାରେ ମଦ ଦୋକାନର ଲମ୍ବା ଲାଇନ ରହିଛି । ବସ୍ତି ପାଖରେ ମନ୍ଦିର ଓ ସ୍କୁଲ ମଧ୍ୟ ରହିଛି । ମହିଳା କି ଝିଅମାନେ ଛାତ ଉପରକୁ ଆସିଲେ ମଦୁଆମାନେ ଅଶ୍ଳୀଳ ଇଙ୍ଗିତ କରୁଛନ୍ତି ।’

ସେ ଆଗକୁ ଲେଖିଛନ୍ତି, ‘ଶ୍ରମିକଙ୍କ ପୂରା ରୋଜଗାର ଏହି ମଦ ଦୋକାନକୁ ଚାଲି ଯାଉଛି । ସ୍ଥାନୀ ବାସିନ୍ଦାଙ୍କ ସହ ମହିଳାମାନେ ମଦ ଦୋକାନ ଉଚ୍ଛେଦ ପାଇଁ ବାରମ୍ବାର ଅଭିଯୋଗ କରିଛନ୍ତି । ଏମିତି କି ଧାରଣାରେ ମଧ୍ୟ ବସିଛନ୍ତି । କାରଣ ସରକାରୀ ନିୟମ ଉଲ୍ଲଂଘନ କରାଯାଇ ଏଠାରେ ମଦ ଦୋକାନ ଖୋଲା ଯାଇଛି । ଯେବେ ସ୍ଥାନୀୟ ଲୋକେ ବିରୋଧ କରନ୍ତି, ପ୍ରଶାସନ ତରଫରୁ ମଦ ଦୋକାନ ବନ୍ଦ କରିବାକୁ ପ୍ରତିଶ୍ରୁତି ଦିଆଯାଇଥାଏ । ହେଲେ ବର୍ଷ ପରେ ବର୍ଷ ବିତି ଯାଇଥିଲେ ବି ମଦ ଦୋକାନ ଉଚ୍ଛେଦ ପାଇଁ କୌଣସି ପଦକ୍ଷେପ ନିଆଯାଉନାହିଁ ।’

ଏହାସହ ସେ କହିଛନ୍ତି, ସପ୍ତାହକ ମଧ୍ୟରେ ମଦ ଦୋକାନ ବନ୍ଦ କରିବାକୁ ପ୍ରଶାସନକୁ ଚେତାବନୀ ଦେଇଛି ।

ସୂଚନାଯୋଗ୍ୟ, ମଧ୍ୟ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଉମା ଭାରତୀ ଦୀର୍ଘଦିନରୁ ମଦ ବିରୋଧୀ ଆନ୍ଦୋଳନ ଚଲାଇ ଆସିଛନ୍ତି । ରାଜ୍ୟରେ ମଦ ବନ୍ଦ ପାଇଁ ଦାବି କରି ଆସୁଛନ୍ତି । ଏହା ପୂର୍ବରୁ ମଦ ବନ୍ଦ ପାଇଁ ଏକାଧିକ ଥର ଚେଷ୍ଟା କରି ଆସିଛନ୍ତି ।

ଅନ୍ୟପକ୍ଷରେ ମଦ ଦୋକାନକୁ ଏମିତି ପଥର ଫିଙ୍ଗିବାକୁ ମଧ୍ୟ ପ୍ରଦେଶର କଂଗ୍ରେସ ମିଡିଆ ସମନ୍ବୟ ସଦସ୍ୟ ନରେନ୍ଦ୍ର ସଲୁଜା ମଦ ବନ୍ଦ ପାଇଁ ଏମିତି ପଥର ମାରିବାକୁ ଅନୁମତି ଦେବାକୁ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ରାଙ୍କୁ ଅନୁମତି ମାଗିଛନ୍ତି । ସେ ଉଲ୍ଲେଖ କରିଛନ୍ତି, ‘ମୁଁ ମଧ୍ୟ ମଦକୁ ବିରୋଧ କରେ । ମୁଁ ଏମିତି ବିରୋଧ ପ୍ରଦର୍ଶନ କରିବାକୁ ଚାହୁଁଛି ।’

ସାବଧାନ ! ଆସୁଛି ହିଟ୍‌ଓ୍ବେଭ୍, ବଢିବ ତାପମାତ୍ରା

ଭୁବନେଶ୍ବର: ଦୁଇ ଦିନ ପରେ ବଢିବ ତାତି । ଗରମରେ ଆଉଟୁ ପାଉଟୁ ହେବ ଓଡ଼ିଶା । ଉପାନ୍ତରୁ ଉପକୂଳ ସବୁଠି ପାରା ଡେଇଁବ ୪୦ ଉପରକୁ । ସ୍ବାଭାବିକଠାରୁ ୩ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ବଢିବ ତାପମାତ୍ରା । ଓଡ଼ିଶା ମଧ୍ୟକୁ ପଶ୍ଚିମ-ଉତ୍ତର ଦିଗରୁ ଶୁଷ୍କ ଏବଂ ଉତପ୍ତ ବାୟୁ ପ୍ରବାହ ଯୋଗୁଁ ତାତି ବଢିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ଗ୍ରୀଷ୍ମ ପ୍ରବାହ ପାଇଁ ୧୬ ତାରିଖରେ ବଲାଙ୍ଗିର, ସୁବର୍ଣ୍ଣପୁର ଏବଂ ବୌଦ୍ଧ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ସେହିଭଳି ୧୭ ତାରିଖ ପାଇଁ ୬ଟି ଜିଲ୍ଲା ବଲାଙ୍ଗିର, ସୁବର୍ଣ୍ଣପୁର, ବୌଦ୍ଧ, ଅନୁଗୁଳ, ନୟାଗଡ ଏବଂ ଖୋର୍ଦ୍ଧା ଜିଲ୍ଲାରେ ଗ୍ରୀଷ୍ମ ଲହରୀ ପାଇଁ ସତର୍କତା ଜାରି କରାଯାଇଛି ।

ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବ । ବିଶେଷ କରି ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ତାତି ଅନୁଭୁତ ହେବ । ପଶ୍ଚିମ ଓଡ଼ିଶାରେ ସ୍ବାଭାବିକ ଠାରୁ ୩ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇବ ।

ଖୋର୍ଦ୍ଧା ଜିଲ୍ଲାରେ ହିଟଓ୍ବେଭ୍ କଣ୍ଡିସନ୍ ସୃଷ୍ଟି ହେବାକୁ ଥିବାରୁ ଭୁବନେଶ୍ବରର ତାପମାତ୍ରା ୪୦ ଡିଗ୍ରୀ ଅତିକ୍ରମ କରିବାର ସମ୍ଭାବନା ଅଧିକ ରହିଛି । ୨୧ ଓ ୨୨ ତାରିଖ ବେଳକୁ ତାତି ୪୪ ଅତିକ୍ରମ କରିବ ବୋଲି ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ ଆକଳନ କରିଛନ୍ତି । ଗତବର୍ଷ ମାର୍ଚ୍ଚ ମାସ ଆରମ୍ଭରୁ ତାପମାତ୍ରା ୪୦ ଡିଗ୍ରୀ ଅତିକ୍ରମ କରିଥିବା ବେଳେ ଚଳିତବର୍ଷ ପଶ୍ଚିମା ଝଡ ପାଇଁ ସ୍ଥିତି ବଦଳିଛି ।

ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସ୍କୁଲ ଓ ଗଣଶିକ୍ଷା ବିଭାଗ ଛାତ୍ରଛାତ୍ରୀଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରିବା ପାଇଁ ସବୁ ସ୍କୁଲକୁ ଚିଠି ଲେଖିଛନ୍ତି ।

ଇତିହାସ ରଚିଲା ବିଜେଡି: ୩୦ରୁ ୩୦ ଜିଲ୍ଲା ପରିଷଦ ଦଖଲ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ବଚ୍ଛ ଓ ନିର୍ମଳ ନେତୃତ୍ବକୁ ପଞ୍ଚାୟତ ନିର୍ବାଚନରେ ରାଜ୍ୟବାସୀ ମାରିଲେ ମୋହର । ଗାଁରେ ବିଜେଡିକୁ ମିଳିଲା ଐତିହାସିକ ବିଜୟ । ସ୍ବଚ୍ଛ ଓ ନିର୍ମଳ ଭାବମୂର୍ତ୍ତି ଥିବା ଉଚ୍ଚ ଶିକ୍ଷତ ଯୁବବର୍ଗଙ୍କ ଉପରେ ମୁଖ୍ୟମନ୍ତ୍ରୀ ଦେଖାଇ ଥିଲେ ଭରସା । ମୁଖ୍ୟମନ୍ତ୍ରୀଙ୍କ ଏହି ନିଷ୍ପତ୍ତି ଠିକ ବୋଲି ପ୍ରମାଣିତ କଲେ ଗାଁ ଭୋଟର । ଓଡିଶା ଇତିହାସରେ ପ୍ରଥମ ଥର ପାଇଁ ଏବଂ ବୋଧହୁଏ ସମଗ୍ର ଦେଶରେ କୌଣସି ଏକ ଆଞ୍ଚଳିକ ଦଳ ଭାବେ ରାଜ୍ୟର ସମସ୍ତ ଜିଲ୍ଲାରେ ଜିଲ୍ଲା ପରିଷଦ ଗଠନ କରିବାରେ ସଫଳ ହେଲା ବିଜେଡି ।

ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି କ୍ରମେ ମୁଖ୍ୟମନ୍ତ୍ରୀ ଯୁବ, ଶିକ୍ଷିତ ତଥା ଦଳର ଦକ୍ଷ କର୍ମୀଙ୍କୁ ଜିଲ୍ଲା ପରିଷଦର ସଭାପତି ଭାବେ ମନୋନୀତ କରିଛନ୍ତି ଏବଂ ସେମାନଙ୍କୁ ନେତୃତ୍ବ ପ୍ରଦାନ ପାଇଁ ଦୀର୍ଘ ଦିନର ରଣନୀତିକ ଦୃଷ୍ଟିକୋଣରୁ ମନୋନୀତ କରିଛନ୍ତି । ସବୁଠାରୁ କନିଷ୍ଠ ଜିଲ୍ଲା ପରିଷଦ ସଭାପତି ଭାବରେ ମାତ୍ର ୨୩ ବର୍ଷ ବୟସ୍କା ସରସ୍ବତୀ ମାଝି ମନୋନୀତ ହୋଇଛନ୍ତି । ବିଏସସିରେ ସ୍ନାତକ ହାସଲ କରିଥିବା ଏହି ଯୁବତୀ ରାୟଗଡା ଜିଲ୍ଲାର ବିକାଶ କାର୍ଯ୍ୟର ନେତୃତ୍ବ ନେବେ ।

ଦୁର୍ଗମ ଅଞ୍ଚଳ ଉପରେ ଗୁରୁତ୍ବ ଦେଇ ମୁଖ୍ୟମନ୍ତ୍ରୀ ମାଲକାନଗିରିରେ ଜିଲ୍ଲା ପରିଷଦର ସଭାପତି ଭାବେ ସ୍ବାଭିମାନ ଅଞ୍ଚଳର ସମାରୀ ଟାଙ୍ଗୁଲଙ୍କୁ ଚୟନ କରିଛନ୍ତି । ୨୬ ବର୍ଷ ବୟସର ସମାରୀ +୨ କଳା ପର୍ଯ୍ୟନ୍ତ ପାଠ ପଢିଛନ୍ତି । ଅନୁରୂପ ଭାବେ ସରସ୍ବତୀ ମାଝି ମଧ୍ୟ ଉପାନ୍ତ କାଶୀପୁର ବ୍ଲକରୁ ଆସିଛନ୍ତି । ସମ୍ବଲପୁର ଜିଲ୍ଲାର ଉପାନ୍ତ ଅଞ୍ଚଳ ବାମରା ବ୍ଲକରୁ ଆସିଥିବା କୁମୁଦିନି ନାୟକ ଜିଲ୍ଲା ପରିଷଦ ସଭାପତି ହୋଇଛନ୍ତି । ସ୍ଥାନୀୟ ଜିଲ୍ଲା ପରିଷଦ ସଭାପତିମାନଙ୍କ ନେତୃତ୍ବରେ ଏହି ଅଞ୍ଚଳଗୁଡିକ ଆଗାମୀ ବର୍ଷରେ ଅଧିକ ବିକାଶମୂଳକ କାର୍ଯ୍ୟକଳାପ ଦେଖିବେ ବୋଲି ଆଶା କରାଯାଉଛି ।

୩୦ଟି ଜିଲ୍ଲା ମଧ୍ୟରୁ ୧୫ଟି (୫୦ ପ୍ରତିଶତ)ରେ ୪୦ ବର୍ଷରୁ କମ୍ ବୟସର ଜିଲ୍ଲା ପରିଷଦ ସଭାପତି ହୋଇଛନ୍ତି । ୩୦ଟି ଜିଲ୍ଲା ମଧ୍ୟରୁ ୨୩ଟିରେ (୭୬ ପ୍ରତିଶତ) ୫୦ ବର୍ଷରୁ କମ୍ ବୟସର ଜିଲ୍ଲା ପରିଷଦ ସଭାପତି । ସମସ୍ତ ଜିଲ୍ଲା ପରିଷଦ ସଭାପତିଙ୍କର ହାରାହାରି ବୟସ ମାତ୍ର ୪୧ ବର୍ଷ ରହିଛି । ଆଉ ଏକ ଗୁରୁତ୍ବପୂର୍ଣ୍ଣ କଥା ହେଲା ମନୋନୀତ ପ୍ରାର୍ଥୀଙ୍କ ଶିକ୍ଷାଗତ ଯୋଗ୍ୟତା । ୧୮ ଜିଲ୍ଲା ପରିଷଦ ସଭାପତି ସ୍ନାତକ ଶିକ୍ଷା ସମାପ୍ତ କରିଛନ୍ତି । ୩୦ରୁ ୨୬ଜଣ ଅତି କମରେ +୨ ସ୍ତରୀୟ ଶିକ୍ଷା ସମାପ୍ତ କରିଛନ୍ତି । ଜିଲ୍ଲାଗୁଡିକରେ ଉତ୍ତମ ଲୋକ ସମ୍ପର୍କ ଥିବା ଓ କୌଣସି ଅପରାଧିକ ମାମଲା ନଥିବା ଶିକ୍ଷିତ ପ୍ରାର୍ଥୀଙ୍କୁ ମନୋନୀତ କରି ସେମାନଙ୍କ ହାତରେ ନେତୃତ୍ବ ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ମହିଳାଙ୍କ ପାଇଁ ୫୦ ପ୍ରତିଶତ ଆସନ ସଂରକ୍ଷଣ ରହିଥିଲେ ବି ସେମାନଙ୍କ ନେତୃତ୍ବ ଉପରେ ବିଶ୍ବାସ କରିବା ସହ ମହିଳା ସଶକ୍ତିକରଣର ପାଇଁ ମୁଖ୍ୟମନ୍ତ୍ରୀ ୨୧ଜଣ ଜିଲ୍ଲା ପରିଷଦ ସଭାପତି ଭାବେ ବାଛିଛନ୍ତି । ଯାହାକି ମୋଟ ସଂରକ୍ଷଣର ୭୦ ପ୍ରତିଶତ । ପ୍ରଥମ ଥର ପାଇଁ ଏତେ ସଂଖ୍ୟକ ମହିଳା ଓଡ଼ିଶାର ଜିଲ୍ଲାଗୁଡିକରେ ଶୀର୍ଷ ସ୍ଥାନକୁ ଯାଇଛନ୍ତି, ଯାହା ବୋଧହୁଏ ଦେଶର ଅନ୍ୟ କୌଣସି ସ୍ଥାନରେ ହୋଇନାହିଁ ।

ରାଜ୍ୟର ବଡ ଜିଲ୍ଲା ମୟୂରଭଞ୍ଜ, ଗଞ୍ଜାମ, କେନ୍ଦୁଝର, ସୁନ୍ଦରଗଡ, ବଲାଙ୍ଗୀର, ସମ୍ବଲପୁର ଏବଂ ଅବିଭକ୍ତ କୋରାପୁଟ ଜିଲ୍ଲା (ନବରଙ୍ଗପୁର ବ୍ୟତୀତ)ରେ ମହିଳାମାନେ ଜିଲ୍ଲା ପରିଷଦ ସଭାପତି ହୋଇଛନ୍ତି । ୧୮ ଟି ଅଣସଂରକ୍ଷିତ ଆସନ ମଧ୍ୟରୁ (ମହିଳାଙ୍କ ସମେତ) ୧୨ଟି ଓବିସି ପ୍ରାର୍ଥୀ (୬୭ ପ୍ରତିଶତ) ଜିଲ୍ଲା ପରିଷଦ ସଭାପତି ହୋଇଛନ୍ତି । ଓବିସି ପ୍ରାର୍ଥୀଙ୍କୁ ଅଗ୍ରାଧିକାର ଦେବାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତିବଦ୍ଧତା ଅନୁଯାୟୀ ଏହା ହୋଇଛି । ନିଜ ଜିଲ୍ଲା ଗଞ୍ଜାମରେ ନବୀନ ଜିଲ୍ଲା ପରିଷଦ ସଭାପତି ଭାବେ ଜଣେ ଓବିସି ମହିଳା ପ୍ରାର୍ଥୀଙ୍କୁ ବାଛିଛନ୍ତି ।

ହୁସିଆର ରୋଡ ରୋମିଓ ! ବିକଟାଳ ଶବ୍ଦ କରି ଗାଡି ଚଲାଇଲେ ସାବାଡ଼ ହେବ

ଭୁବନେଶ୍ବର: ବିକଟାଳ ଶବ୍ଦ କରି ଗାଡ଼ି ଚଳାଉଥିବା ରୋଡ ରୋମିଓ ସାବଧାନ । ରଜଧାନୀରେ ବାଇକ ଚାଳକଙ୍କୁ ସାବାଡ୍ କଲା ଟ୍ରାଫିକ୍ ଥାନା ପୋଲିସ । ବିକଟାଳ ଶଦ୍ଦ କରିଯାଉଥିବା ୧୧ ବାଇକ ଜବତ କଲା ଟ୍ରାଫିକ୍ ଟିମ୍ । ଜବତ ଗାଡ଼ିକୁ କୋର୍ଟ ଚାଲାଣ କରିବ କମିଶନରେଟ୍ ପୋଲିସ । ଏପରି ବିକଟାଳ ଶବ୍ଦ କରି ଗାଡ଼ି ଚଳାଉଥିଲେ, କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୂଚନା ଦେଇଛନ୍ତି ଭୁବନେଶ୍ବର ଡିସିପି । ମୋଡିଫାଏଡ୍ ସାଇଲେନ୍ସର ଗାଡ଼ି କାହା ନଜରରେ ପଡ଼ିଲେ ପୋଲିସକୁ ଖବର ଦେଇପାରିବେ । ଏଥିପାଇଁ ହ୍ବାଟ୍ସଆପ୍ ନମ୍ବର ଜାରି କରିଛି କମିଶନରେଟ୍ ପୋଲିସ ।

ବିକଟାଳ ଶଦ୍ଧ ଓ ସ୍ପିଡ ବାଇକ ଚଲାଉଥିଲେ ହୁସିଆର । ଆକ୍ସନ ମୋଡରେ ଟ୍ରାଫିକ୍ ପୋଲିସ । ଛକ ଛକରେ ଜଗଛି ପୋଲିସ୍ । ରାଜନୀତି ପ୍ରଚାର କିମ୍ବା ରାଲିରେ ପୋଲିସର ନଜର । କେଉଁ ସମୟରେ ବି ଝାମ୍ପି ନେବ ପୋଲିସ । ରାସ୍ତାରେ ବିକଟାଳ ଶଦ୍ଦ କରି ଗାଡି ଚଲାଉଥିଲେ, ଆପଣଙ୍କର ବି ପାଳି ପଡିପାରେ ।

ଭୁବନେଶ୍ବର ୧ ଟ୍ରାଫିକ ନମ୍ବର ଥାନା ପରିସରରେ ଥୁଆ ହୋଇଛି ବୁଲେଟ ସମେତ ୧୧ଟି ବାଇକ । ଏହା କୌଣସି ଅପରାଧୀଠାରୁ ଜବତ ହୋଇଥିବା ଚୋରା ବାଇକ ନୁହେଁ । ଏ ସବୁ ବାଇକ ହେଉଛି ଭୁବନେଶ୍ବରରେ ବିଭିନ୍ନ ଟ୍ରାଫିକ ପୋଷ୍ଟରେ ଯାଞ୍ଚ ବେଳେ ପୋଲିସ ହାତରେ ଧରା ପଡିଥିବା ଉଚ୍ଚ ଶବ୍ଦ ସୃଷ୍ଟି କରୁଥିବା ଗାଡି । ଧରାପଡିଥିବା ଅମାନିଆ ବାଇକ ଆରୋହୀମାନେ ଖଟି, ଭିଡ, ଯୁବତୀ ଓ ରାଲିରେ ଦବଦବା ଜାହିର କରିବା ପାଇଁ ଲଗାଇଥିଲେ ମୋଡି ଫାଏଡ ସାଇଲେନ୍ସର । ୧୧ଟି ଗାଡିକୁ ଜବତ କରିବା ସହ ଫାଇନ କାଟିଛି ପୋଲିସ ।

ପରିବେଶ ପ୍ରଦୂଷଣ ଆକ୍ଟ ଅନୁସାରେ ୮୦ ଡେସିବେଲରେ ବାଇକ ଆରୋହୀମାନେ ବାଇକ ଚଲାଇବାର ନିୟମ ରହିଛି । କିନ୍ତୁ ଏ ଯୁବକମାନେ ୮୦ ଡେସିବେଲରୁ ଅଧିକ ଶଦ୍ଦ ପ୍ରଦୂଷଣ କରି ରାଜରାସ୍ତାରେ ଗାଡି ଚଲାଉଥିଲେ । ସେପେଟେ ବିଶୃଙ୍ଖଳା କରି ଗାଡ଼ି ଚାଳନା କରୁଥିଲେ ଅମିନିଆଙ୍କ ବିରୋଧରେ ଦୃଢ କାର୍ଯ୍ୟନୁଷ୍ଠାନ ନେବାକୁ ସମସ୍ତ ଥାନା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଡିସିପି । କୌଣସି ଛକର ଏଭଳି ବାଇକ ଚଲାଉଥିବା ଦେଖିଲ ହେଲ୍ପ ଲାଇନ ନମ୍ବର ୮୦୯୩୦୨୮୧୦୭ରେ ସଂପୃକ୍ତ ବାଇକ ଚାଳକଙ୍କ ଫୋଟ ଉଠାଇ ପଠାଇବାକୁ ସାଧରଣ ଲୋକଙ୍କୁ ଅପିଲ କରିଛନ୍ତି ଡିସିପି ଉମାଶଙ୍କର ଦାଶ ।

ଦୋଷ କରୁଛି ସିବିଏସ୍‌ଇ, ଦଣ୍ଡ ପାଉଛନ୍ତି ଛାତ୍ରଛାତ୍ରୀ

ଭୁବନେଶ୍ବର: ସିବିଏସଇର ଭୁଲ, ହେଲେ ଦଣ୍ଡ ପାଉଛନ୍ତି ଛାତ୍ରଛାତ୍ରୀ । ସଠିକ୍ ଉତ୍ତର ଲେଖିଲେ ବି ମିଳୁଛି ଶୂନ ମାର୍କ । ସିବିଏସ୍‌ଇ ୧୦ମ ଶ୍ରେଣୀ ଟର୍ମ-1 ଓଡ଼ିଆ ପରୀକ୍ଷାରେ ଦେଖିବାକୁ ମିଳିଛି ଏମିତି ଗୁରୁତର ତ୍ରୁଟି । ୪ ନମ୍ବର ପ୍ରଶ୍ନ ରହିଛି ଗାନ୍ଧିଜୀ ଏବଂ ନେତାଜୀ ସୁବାଷଚନ୍ଦ୍ରଙ୍କ ସ୍ବାଧୀନତା ସଂଗ୍ରାମ ଭିତରେ କି ପାର୍ଥକ୍ୟ ଥିଲା ? ଏହାର ଉତ୍ତର ହେଉଛି ବି, ଅର୍ଥାତ୍ ନିରସ୍ତ୍ର ସତ୍ୟାଗ୍ରହ ସଂଗ୍ରାମ ଏବଂ ସଶସ୍ତ୍ର ସଂଗ୍ରାମ । କିନ୍ତୁ ସିବିଏସ୍‌ଇ ଦେଇଥିବା ଉତ୍ତର ପତ୍ରରେ ରହିଛି ଡି, ଅର୍ଥାତ୍ ପାରମ୍ପରିକ ସଂଗ୍ରାମ ଓ ଅତ୍ୟାଧୁନିକ ସଂଗ୍ରାମ । ଯାହା ସଂପୂର୍ଣ୍ଣ ଭୁଲ୍‌ । କେବଳ ୪ ନମ୍ବର ନୁହେଁ ୨୮, ୨୯, ୩୦, ୩୧ ଭଳି ମୋଟ ୧୭ଟି ପ୍ରଶ୍ନର ଉତ୍ତର ପତ୍ର ଭୁଲ୍‌ ଦେଇଛି ସିବିଏସ୍‌ଇ । ଫଳରେ ସଠିକ୍ ଉତ୍ତର ଲେଖି ମଧ୍ୟ ନମ୍ବର ପାଇନାହାଁନ୍ତି ଛାତ୍ରଛାତ୍ରୀ । ଉତ୍ତର ପତ୍ର ଭୁଲ ପାଇଁ ଛାତ୍ରଛାତ୍ରୀମାନେ ଏବେ ମାନସିକ ଭାବରେ ଘୋର ଆଘାତ ପାଇଛନ୍ତି ।

ସିବିଏସ୍‌ଇ କର୍ତ୍ତୃପକ୍ଷଙ୍କ ଏଭଳି ମନମାନି ପାଇଁ ଏବେ ଚିନ୍ତାରେ ଅଭିଭାବକ । ଘଟଣା ସମ୍ପର୍କରେ ପ୍ରଥମେ ସ୍କୁଲ ଏବଂ ପରେ ସିବିଏସ୍‌ଇ ଆଞ୍ଚଳିକ ମୁଖ୍ୟଙ୍କୁ ଜଣାଇଥିଲେ ବି ଏବେ ଯାଏଁ କୌଣସି ପଦକ୍ଷେପ ନିଆାଯାଇନାହିଁ । ମୂଲ୍ୟାଙ୍କନରେ ହୋଇଥିବା ତ୍ରୁଟିକୁ ତୁରନ୍ତ ସଂଶୋଧନ କରି ସିବିଏସି ପୁଣି ପରୀକ୍ଷା ଫଳ ପ୍ରକାଶ କରୁ ନଚେତ୍ ଗ୍ରେସ୍ ମାର୍କ ଦେଇ ସବୁ ପିଲାଙ୍କର ପରୀକ୍ଷା ଫଳ ଆଉ ଥରେ ପ୍ରକାଶ କରିବା ପାଇଁ ଅଭିଭାବକମାନେ ଦାବି କରିଛନ୍ତି ।

କେବଳ ଟର୍ମ-1 ପରୀକ୍ଷା ନୁହେଁ, ଏମିତି ଅନେକ ଥର CBSE ମନମାନିର ଶିକାର ହୋଇଛନ୍ତି ଛାତ୍ରଛାତ୍ରୀ । ପୂର୍ବରୁ ଇଂରାଜୀ ପ୍ରଶ୍ନପତ୍ରରେ ମଧ୍ୟ ତ୍ରୁଟି ଦେଖିବାକୁ ମିଳିଥିଲା । ଏନେଇ ଅଭିଭାବକମାନେ ତୀବ୍ର ବିରୋଧ କରିବାକୁ ଛାତ୍ରଛାତ୍ରୀମାନଙ୍କୁ ଗ୍ରେସମାର୍କ ମିଳିଥିଲା । ତ୍ରୁଟି ସମ୍ପର୍କରେ ସବିଏସ୍‌ଇ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।

କୁଚକ୍ରୀଙ୍କ ବିରୋଧରେ ଏକାଠି ହେଲେ ପୁରୀ ସେବାୟତ

ପୁରୀ: ପୁରୀ ଉନ୍ନତିକରଣରେ କିଏ ସାଜିଛି କଳାପାହାଡ଼ ? ୭୫ ମିଟର ସୁରକ୍ଷା କରିଡର ନିର୍ମାଣକୁ ନେଇ ଏକଜୁଟ ହେଲେ ସେବାୟତ । ସମର୍ପଣ ଭାବନା ନେଇ ରାଜ୍ୟ ସରକାର ପ୍ରକଳ୍ପ ନିର୍ମାଣ କରୁଥିବାବେଳେ କିଛି କୁଚକ୍ରୀ ଗୋଷ୍ଠୀ ଧର୍ମ ନାଁରେ ରାଜନୀତି କରୁଛନ୍ତି । ବିଭ୍ରାନ୍ତିକର ତଥ୍ୟ ଦେଇ ଶ୍ରୀମନ୍ଦିର ବିକାଶରେ ବାଧା ସୃଷ୍ଟି କରୁଛନ୍ତି । ଏହାକୁ ଗୁଜବ ବୋଲି କହିବା ସହ ପ୍ରକଳ୍ପ ନିର୍ମାଣରେ କୌଣସି ଅସୁବିଧା ନଥିବା କହିଛନ୍ତି ସେବାୟତ ।

ପୂରା ପ୍ଲାନରେ ଚାଲିଛି ୭୫ ମିଟର ସୁରକ୍ଷା କରିଡର ନିର୍ମାଣ କାମ । ଉତ୍କଳର ଗର୍ବ ବହନ କରୁଥିବା ମହାପ୍ରଭୁଙ୍କର ଶ୍ରୀମନ୍ଦିରକୁ ବିଶ୍ବ ଦରବାରରେ ସ୍ବତନ୍ତ୍ର ପରିଚୟ ଦେବାକୁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର । ହେଲେ ଏହାକୁ ଭଣ୍ଡୁର କରିବାକୁ କିଛି କୁଚକ୍ରୀ ଗୋଷ୍ଠୀ ଚେଷ୍ଟା କରୁଛନ୍ତି । ଧର୍ମ ନାମରେ କରାଯାଉଥିବା ଏହି ଚକ୍ରାନ୍ତକୁ ସେବାୟତଙ୍କ ସମେତ ସବୁ ମହଲରେ ନିନ୍ଦା କରାଯାଉଛି ।  ଏହାକୁ ଗୁଜବ ବୋଲି କହିବା ସହ ଉନ୍ନତିକରଣରେ କଳାପାହାଡ ନ ସାଜିବାରୁ ମତ ଦେଇଛନ୍ତି ।

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣ ନେଇ ଏନଏମଏ ଅନୁମତି ପ୍ରଦାନ କରିସାରିଥିବା ବେଳେ ବହୁ ପୂର୍ବରୁ ପ୍ରକଳ୍ପର କାର୍ଯ୍ୟ ନିର୍ମାଣ ନେଇ ସ୍ବତନ୍ତ୍ର କମିଟି ଅନୁମୋଦନ ଦେଇସାରିଛି । ବରିଷ୍ଠ ବିଶେଷଜ୍ଞ, ସ୍ଥପତି, ଇଞ୍ଜିନିୟରମାନଙ୍କ ଦ୍ବାରା ପ୍ରସ୍ତୁତ ପ୍ଲାନ୍ ଅନୁଯାୟୀ ନିର୍ମାଣ ଜାରି ରହିଛି । ନିର୍ମାଣକୁ ନେଇ ଶ୍ରୀମନ୍ଦିର ପ୍ରତି କୌଣସି ବିପଦ ନଥିବା ବେଳେ ଏହାକୁ ନେଇ ବିଭ୍ରାନ୍ତିକର ମତ ଦେଉଥିବା ଲୋକଙ୍କ ଅସଲ ମୁଖା ଏବେ ପଦାରେ ପଡ଼ିଛି ବୋଲି କହିଛନ୍ତି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଏବଂ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ଦୁର୍ଗାଦାସ ମହାପାତ୍ର ।

ନିର୍ମାଣକୁ ନେଇ ସୃଷ୍ଟି ହୋଇଥିବା ଗୁଜବ ବିରୋଧରେ ଏକାଠି ହୋଇଛନ୍ତି ସେବାୟତ । ଛତିଶା ନିଯୋଗ ବୈଠକରେ ଏହାର ସପକ୍ଷରେ ମତ ଦେବା ସହ ପ୍ରକଳ୍ପ ନିର୍ମାଣରେ କୌଣସି ଅସୁବିଧା ନଥିବା ସେମାନେ ମତ ଦେଇଛନ୍ତି ।