spot_img
Home Blog Page 4538

ସୋମବାର ଶ୍ରୀକ୍ଷେତ୍ର ଯାଉଛନ୍ତି ନବୀନ, ଶ୍ରୀଜଗନ୍ନାଥ ମେଡିକାଲ କଲେଜର କରିବେ ଉଦଘାଟନ

ଭୁବନେଶ୍ୱର: ଶ୍ରୀକ୍ଷେତ୍ରକୁ ସୋମବାର ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ।  ପୁରୀରେ ଶ୍ରୀଜଗନ୍ନାଥ ମେଡିକାଲ କଲେଜର ଶୁଭ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ । ଏହାପୂର୍ବରୁ ପୁରୀରେ ସ୍ଥିତି ସମୀକ୍ଷା କରିଛନ୍ତି ଜିଲ୍ଲାପାଳ ଓ ଏସପି । ପ୍ରଶାସନ ନେଇଥିବା ସମସ୍ତ ପଦକ୍ଷେପ ସମ୍ପର୍କରେ ଜିଲ୍ଲାପାଳ ଓ ଏସପି ଅବଗତ ହୋଇଛନ୍ତି । ଏହା ସହିତ ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର ଅବତରଣ କରିବା ସ୍ଥାନରେ ମଧ୍ୟ ଜିଲ୍ଲାପାଳ ଓ ଏସପି ଯାଞ୍ଚ କରିଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ପୁରୀ ଗସ୍ତକୁ ନେଇ ପୁରୀରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି  । ସାକାର ହେବାକୁ ଯାଉଛି ପୁରୀବାସୀଙ୍କ ବହୁପ୍ରତିକ୍ଷିତ ସ୍ୱପ୍ନ। ଆସନ୍ତାକାଲି ବହୁ ପ୍ରତୀକ୍ଷିତ ମେଡିକାଲ କଲେଜ ଲୋକାର୍ପଣ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଲୋକାର୍ପଣ କରିବେ । ବାଲିଗୁଆଳି ନିକଟରେ 5ଶହ କୋଟି ଟଙ୍କା ବିନିମୟରେ ନିର୍ମିତ ମେଡିକାଲ କଲେଜରେ ୪୫୦ ଛାତ୍ରଛାତ୍ରୀଙ୍କ ରହିବା ନିମିତ୍ତ ହଷ୍ଟେଲ ସହ ଲ୍ୟାବ, କ୍ଲାସରୁମ, ପ୍ରଶାସନିକ ଭବନ ପ୍ରସ୍ତୁତ ରହିଛି ।

ସୋମବାର ଠାରୁ ୧୦୦ ଛାତ୍ରଛାତ୍ରୀଙ୍କ ପାଠପଢା ଆରମ୍ଭ ହେବ । ଅପରାହ୍ନରେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ଥିବାବେଳେ ଛାତ୍ରଛାତ୍ରୀଙ୍କ ସହ ଭାବ ବିନିମୟ କରି କଲେଜର ବିଭିନ୍ନ ସେବା ଅନୁଧ୍ୟାନ କରିବେ ମୁଖ୍ୟମନ୍ତ୍ରୀ । ପାଞ୍ଚ ତାଲା ବିଶିଷ୍ଟ ହଷ୍ଟେଲ ନିର୍ମାଣ ହୋଇଥିବା ବେଳେ ବିଦ୍ୟାର୍ଥୀ ମାନଙ୍କ ସମସ୍ତଙ୍କ ଆବଶ୍ୟକତା ପୂରଣ ପାଇଁ ଭିତ୍ତିଭୂମି ପ୍ରସ୍ତୁତ ହୋଇଛି । ସେହିପରି ପ୍ରଶାସନିକ ଭବନ, କ୍ୟାଣ୍ଟିନ ସମେତ କ୍ଲାସରୁମ, ଲ୍ୟାବ ନିର୍ମାଣ ହୋଇଥିବା ବେଳେ 150 ଛାତ୍ରୀ ଓ 300 ଛାତ୍ରଙ୍କ ପାଇଁ ସୁବିଧା ରହିଛି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ମେଡିକାଲ କଲେଜ କର୍ତ୍ତୃପକ୍ଷ ବେଶ ଉତ୍ସାହିତ ଥିବା ବେଳେ ଗସ୍ତ କାର୍ଯ୍ୟକ୍ରମ ନେଇ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି ।

ପୁଣି ଆରମ୍ଭ ହେଲା ସ୍ୱାଧୀନତା ସଂଗ୍ରାମ: ଇମ୍ରାନ୍

ଇସ୍‌ଲାମାବାଦ: ଗାଦିଚ୍ୟୁତ ହେବା ପରେ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍  । ଟ୍ୱିଟ୍ କରି ସ୍ୱାଧୀନତା ସଂଗ୍ରାମ ପୁଣି ଥରେ ଆରମ୍ଭ ହୋଇଥିବା କହିଛନ୍ତି ଇମ୍ରାନ୍ । ଶନିବାର ବିଳମ୍ବିତ ରାତିରେ ପାକିସ୍ତାନରେ ଦୀର୍ଘ ଦିନର ରାଜନୈତିକ ଅସ୍ଥିରତା ପରେ ଇମ୍ରାନ ସରକାରର ପତନ ଘଟିଥିଲା। ଅନାସ୍ଥା ଭୋଟ୍‌ରେ ଇମ୍ରାନ୍‌ ଖାନ୍ ପରାଜୟ ବରଣ କରିବା ସହିତ ଦେଶର ପ୍ରଧାନମନ୍ତ୍ରୀ ପଦରୁ ତାଙ୍କୁ ବହିଷ୍କୃତ କରାଯାଇଥିଲା।

ଇମ୍ରାନ ଖାନ ଟ୍ୱିଟ କରି ଲେଖିଛନ୍ତି ଯେ, ୧୯୪୭ ମସିହାରେ ପାକିସ୍ତାନ ସ୍ୱାଧୀନ ହୋଇଥିଲା। କିନ୍ତୁ ଆଜି କ୍ଷମତା ବଦଳାଇବା ପାଇଁ କରାଯାଇଥିବା ବିଦେଶୀ ଷଡଯନ୍ତ୍ର ବିରୋଧରେ ପାକିସ୍ତାନରେ ପୁଣି ଥରେ ସ୍ୱାଧୀନତା ସଂଗ୍ରାମ ଆରମ୍ଭ ହୋଇଛି। ପାକିସ୍ତାନବାସୀ ସବୁବେଳେ ଦେଶର ସାର୍ବଭୌମତ୍ୱ ଏବଂ ଗଣତନ୍ତ୍ରର ସୁରକ୍ଷା କରିଆସିଛନ୍ତି, ଆଗକୁ ମଧ୍ୟ କରିବେ ।

ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହେବା ପୂର୍ବରୁ ସରିଫ୍ କହିଛନ୍ତି ଯେ ସେ ଭାରତ ସହ ଶାନ୍ତି ପ୍ରତିଷ୍ଠା କରିବାକୁ ଚାହୁଁଛନ୍ତି। ହେଲେ କଶ୍ମୀର ସମସ୍ୟାର ସମାଧାନ ବିନା ଏହା ସମ୍ଭବ ନୁହେଁ। ଇସଲାମାବାଦରେ ଜିଓ ନ୍ୟୁଜକୁ ସାକ୍ଷାତକାର ଦେଇ ଶହାବାଜ୍ ସରିଫ କହିଛନ୍ତି, କ୍ଷମତାକୁ ଆସିବା ପରେ ତାଙ୍କର ପ୍ରଥମ ପ୍ରାଥମିକତା ହେଉଛି ଜାତୀୟ ସୌହାର୍ଦ୍ଦ୍ୟ ଏବଂ ବିରୋଧୀଦଳର ନେତାଙ୍କ ପରାମର୍ଶ କ୍ରମେ ଏକ ନୂତନ କ୍ୟାବିନେଟ ଗଠନ କରିବା। ଏହା ପରେ ସେ ଦେଶର ଅର୍ଥନୀତିରେ ଉନ୍ନତି ଆଣି ଲୋକଙ୍କୁ ଚିନ୍ତାମୁକ୍ତ କରିବାକୁ ଚେଷ୍ଟା କରିବେ, ଯାହା ଦ୍ୱାରା ଦେଶରେ ଏକ ନୂତନ ଯୁଗ ଆରମ୍ଭ ହେବ ଏବଂ ପାରସ୍ପରିକ ସମ୍ମାନ ବୃଦ୍ଧି ପାଇବ ବୋଲି ସେ କହିଛନ୍ତି । ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ନଓ୍ୱାବ ସରିଫ୍‌ଙ୍କ ଭାଇ ହେଉଛନ୍ତି ଶାହବାଜ ସରିଫ ।

ଏଥିସହିତ ପଢ଼ନ୍ତୁ: ଇମ୍ରାନଙ୍କୁ ମାଡ ମାରିଲେ ଜେନେରାଲ ବାଜୱ।! ସୋସିଆଲ ମିଡିଆରେ ଜୋରଦାର ଚର୍ଚ୍ଚା

ଯୌତୁକ ପାଇଁ ବୋହୂକୁ କିରୋସିନି ଢାଳି ପୋଡିଦେଲେ ଶାଶୁଘର ଲୋକେ

ବାଲେଶ୍ୱର: ଯୌତୁକ ଦାବିରେ ବଧୁ ନିର୍ଯାତନା ଅଭିଯୋଗ । ମାଡ଼ ମାରିବା ସହିତ କିରାସିନି ଢାଳି ବୋହୂକୁ ପୋଡ଼ି ମାରିଦେବାକୁ ଉଦ୍ୟମ । ବାଲେଶ୍ୱର ଜିଲ୍ଲା ଶିଳ୍ପାଞ୍ଚଳ ଥାନା ଶ୍ରୀକୃଷ୍ଣପୁର ଗାଁରେ ଘଟିଛି ଘଟଣା । ବୋହୂକୁ ଶାଶୁଘର ଲୋକେ କିରୋସିନି ଢାଳି ଜାଳିଦେଇଥିବାବଳେ ଗୁରୁତର ଅବସ୍ଥାରେ ବୋହୂ ସୁମତି ବେହେରାଙ୍କୁ ଉଦ୍ଧାର କରିଛନ୍ତି ପଡ଼ୋଶୀ । ଅଭିଯୋଗ ଅନୁସାରେ ଦୁଇ ଲକ୍ଷ ଟଙ୍କା ଯୌତୁକ ଦାବି କରୁଥିଲେ ଶାଶୁଘର ଲୋକେ  ।

ଯୌତୁକ ପାଇଁ ସୁମତିଙ୍କୁ ବାରମ୍ବାର ନିର୍ଯାତନା ଦେଇଆସୁଥିଲେ ଶାଶୁଘର । ସ୍ୱାମୀ, ଶାଶୂ, ଦିଅର, ଯାଆଙ୍କ ସହିତ ନଣନ୍ଦ ଓ ନଣନ୍ଦେଇ ମିଶି ମାଡ଼ ମାରିଥିଲେ  । ପରେ କିରାସିନି ଢାଳି ଜୀବନରୁ ମାରି ଦେବାକୁ ଉଦ୍ୟମ କରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି ।  ସେପଟେ ପଡୋଶୀମାନେ ସୁମତିଙ୍କୁ ଉଦ୍ଧାର କରି ନୀଳଗିରି ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି । ଏନେଇ ଥାନାରେ ଅଭିଯୋଗ କରିଛନ୍ତି ସୁମତିଙ୍କ ପରିବାର  । ପୋଲିସ ମଧ୍ୟ ତଦନ୍ତ ଆରମ୍ଭ କରିଛି  ।

 

ଜାଲ ଏନଓସି କରି ଗ୍ୟାରେଜ ମାଲିକ ବିକୁଥିଲେ କାର୍

ଭୁବନେଶ୍ୱର: ରାଜଧାନୀରେ ଗ୍ୟାରେଜ ମାଲିକର ଗ୍ୟାଙ୍ଗଷ୍ଟାର ଦିମାଗ୍ । ଫାଇନାନ୍ସ କମ୍ପାନୀର ଏନଓସିକୁ ଜାଲ କରି ବିକୁଥିଲେ କାର। ମାଲିକାନା ପରିବର୍ତ୍ତନ ବେଳେ ଫାଇନାନ୍ସ କମ୍ପାନୀକୁ ଫୋନ ଧରାଉଥିଲେ  ଦଲାଲ । ଆରଟିଓ ଅଫିସ ନିକଟରେ ଦଲାଲି କରୁଥିବା ଦଲାଲ ସମେତ ୩ ଜଣଙ୍କୁ ଗିରଫ କରିଛି ସହିଦ ନଗର ଥାନା ପୋଲିସ । ଗୋଟିଏ ବୋଲେରୋ ଗାଡିକୁ ମଧ୍ୟ ଜବତ କରିଛି ପୋଲିସ । ଗିରଫ ଅଭିଯୁକ୍ତମାନେ ହେଲେ କାଳୁ ଚରଣ ପାତ୍ର ,ଗ୍ୟାରେଜ ମାଲିକ ଲିଆକତ ଅଲ୍ଲୀ ଓ ଜଣେ ସହଯୋଗୀ ଦିନେଶ ପ୍ରତିହାରି । ତିନିଜଣ ମିଶି ଏଭଳି ଏକ ଠକେଇ ରାକେଟ ଚଲାଉଥିଲେ ।

ବିଶେଷ କରି ଫାଇନାନ୍ସରେ କାର ନେଇଥିବା ଲୋକ ଦେବାଳିଆ ହୋଇଗଲେ ଗ୍ୟାରେଜ ମାଲିକ ଲିଆକତ ଅଲି ସେମାନଙ୍କୁ ଗାଡିକୁ ବିକ୍ରି କରାଇଦେବ କହି ଗ୍ରାହକ ଯୋଗାଡ କରୁଥିଲା । ଗାଡି କିଣିବା ଲୋକ ବକେୟ ଫାଇନାନ୍ସ ସୁଝିଦେବ କହି ତାଠୁ କମ ଦାମରେ ଗାଡି କିଣୁଥିଲେ । ପରେ ସେହି କାରକୁ କାଳୁ ପାତ୍ର ଜରିଆରେ ଫାଇନାନ୍ସର ଜାଲ ଏନଓସି କରି ଅନ୍ୟ ଜଣେ ଲୋକକୁ ଫାଇନାନ୍ସ କ୍ଲିୟର କହି ନୂଆଁ ଗାଡି ମୂଲ୍ୟରେ ବିକ୍ରି କରୁଥିଲେ ।

ସୂଚନା ମୁତାବକ ସୁଶାନ୍ତ ରଥ ନାମକ ଜଣେ ବ୍ୟକ୍ତି ୫ ଲକ୍ଷ ଦେଇ ଗାଡି କିଣିବା ପୂର୍ବରୁ ସଂପୃକ୍ତ ଫାଇନାନ୍ସ ସଂସ୍ଥାକୁ ଫୋନ କରି ଗାଡିର ଷ୍ଟାଟସ ବାବଦରେ ପଚାରିବା ପରେ ଏହି ଗ୍ୟାଙ୍ଗର କଥା ସାମ୍ନାକୁ ଆସିଥିଲା । ସହିଦନଗର ଥାନାରେ ଅଭିଯୋଗ ପରେ ୩ ଜଣ ଠକକୁ ଗିରଫ କରିଛି ପୋଲିସ । ବର୍ତ୍ତମାନ ଯାଏଁ ଦୁଇଟି ଠକେଇ ମାମଲା ସାମ୍ନାକୁ ଆସିଥିବା ବେଳେ ଦୁଇଟି ଗାଡି ଜବତ‌ ହୋଇଛି । ଠକେଇର ଶିକାର ହୋଇଥିଲେ ଥାନାରେ ଅଭିଯୋଗ କରିବାକୁ ଏସିପି ନିବେଦନ କରିଛନ୍ତି ।

ଇମ୍ରାନଙ୍କୁ ମାଡ ମାରିଲେ ଜେନେରାଲ ବାଜୱ।! ସୋସିଆଲ ମିଡିଆରେ ଜୋରଦାର ଚର୍ଚ୍ଚା

ଇସଲାମାବାଦ: ପାକିସ୍ତାନରେ କ୍ଷମତା ପରିବର୍ତ୍ତନ ନେଇ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍ ଓ ସେନା ମୁଖ୍ୟ ବାଜଓ୍ୱାଙ୍କ ମଧ୍ୟରେ ଜୋରଦାର ଝଗଡ଼ା ହୋଇଛି । ଶନିବାର ଅନାସ୍ଥା ଭୋଟରେ ପରାଜିତ ହେବା ପରେ ସେନାମୁଖ୍ୟଙ୍କ ସହ ଇମ୍ରାନ ଖାନ୍‌ଙ୍କ ବଡ଼ ଧରଣର ଝଗଡ଼ା ହୋଇଥିଲା । କ୍ଷମତା ପରିବର୍ତ୍ତନ ଷଡ଼ଯନ୍ତ୍ରରେ ବାଜଓ୍ୱା ସାମିଲ ଥିବା ନେଇ ଇମ୍ରାନ୍ ଅଭିଯୋଗ କରିଥିଲେ । ଉଭୟଙ୍କ ମଧ୍ୟରେ ତିକ୍ତତା ଏତେ ବଢ଼ିଯାଇଥିଲା ଯେ, ବାଜଓ୍ୱା ଇମ୍ରାନ୍‌ଙ୍କୁ ଚାପୁଡ଼ା ମାରିଥିଲେ । ଏଭଳି କିଛି ଚର୍ଚ୍ଚା ଏବେ ପାକିସ୍ତାନ ସୋସିଆଲ ମିଡିଆରେ ଜୋରସୋରେ ଚାଲିଛି ।

ଅଲ୍ଲୀ ନାମକ ଜଣେ ଟ୍ୱିଟର ୟୁଜର ଟ୍ୱିଟ୍ କରି ଲେଖିଛନ୍ତି ଯେ, ରାତି ୧୦ଟା ସମୟରେ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଏକ ହେଲିକପ୍ଟର ଓହ୍ଲାଇଥିଲା । ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ସୁରକ୍ଷା କର୍ମୀ ସାଥିରେ ଥିବା ସ୍ପିକରଙ୍କୁୁ ଅଟକାଇଥିଲେ । କିନ୍ତୁ ବାଜଓ୍ୱା ଭିତରକୁ ଯାଇଥିଲେ ଏବଂ ଉୟଙ୍କ ମଧ୍ୟରେ ଆଲୋଚନା ଆରମ୍ଭ ହୋଇଥିଲା । କିନ୍ତୁ ଏହାର ଅନ୍ତ ଅତି ଖରାପ ହୋଇଥିଲା ।

ସେହିଭଳି ଅନ୍ୟଜଣେ ଟ୍ୱିଟର ବ୍ୟବହାରକାରୀ ମାରିଅମ୍ ଲେଖିଛନ୍ତି ଯେ, ସେ ଖାନ୍‌ଙ୍କୁ ଚାପୁଡ଼ ମରାଯାଇଥିବା ଶୁଣିଛନ୍ତି । ଏହା କ’ଣ ସତ ବୋଲି ସେ ପ୍ରଶ୍ନ କରିଛନ୍ତି ।

.

ଅନ୍ୟ ଜଣେ ଟ୍ୱିଟର ବ୍ୟବହାରକାରୀ ଲେଖିଛନ୍ତି ସେ କ୍ଷମତା ଛାଡ଼ିନଥିଲେ , ତାଙ୍କୁ ଶାସନ ଗାଦି ଛାଡ଼ିବାକୁ ବାଧ୍ୟ କରାଯାଇଥିଲା । ବାଜଓ୍ୱା ଏବଂ ଡିଜିଆଏସଆଇ  ହେଲିକପ୍ଟରରେ ଆସି ପ୍ରଧାନମନ୍ତ୍ରୀଙ୍କ ବାସଭବନ ଭିତରକୁ ପ୍ରବେଶ କରିଥିଲେ । ଏବଂ ପ୍ରଧାନମନ୍ତ୍ରୀଙ୍କ ସହ ଦୁର୍ବ୍ୟବହାର କରିଥିଲେ ।

ସୂଚନା ଯୋଗ୍ୟ ଯେ, ବିରୋଧୀଙ୍କ ବାଉନସରରେ କ୍ଲିନ ବୋଲ୍ଡ ହୋଇଛନ୍ତି ଇମ୍ରାନ । ଶେଷ ହୋଇଛି ଇମ୍ରାନ ଖାନ୍ ସରକାରଙ୍କ ସାଢେ ତିନି ବର୍ଷର ଇନିଂସ । ହାଇଡ୍ରାମା ମଧ୍ୟରେ ମଧ୍ୟରାତିରେ ସଂସଦରେ ଇମ୍ରାନ ସରକାର ବିରୋଧରେ ଗୃହୀତ ହୋଇଥିଲା ଅନାସ୍ଥା ଭୋଟ୍ । ପ୍ରସ୍ତାବ ସପକ୍ଷରେ ୧୭୪ ଭୋଟ୍ ପଡିଥିବା ବେଳେ ଇମ୍ରାନଙ୍କ ଦଳର ସାଂସଦ ଅନୁପସ୍ଥିତ ରହିଥିଲେ । ଅନାସ୍ଥା ଭୋଟ୍ ପୂର୍ବରୁ ବାଚସ୍ପତି ଆସଦ କାଇଜର ଇସ୍ତଫା ଦେଇଥିଲେ । ଉପବାଚସ୍ପତି କାସିମ ସୁରି ବି ଦେଇଥିଲେ ଇସ୍ତଫା । ଅସ୍ଥାୟୀ ବାଚସ୍ପତିଙ୍କ ଜରିଆରେ ହୋଇଥିଲା ଭୋଟିଂ । ପାକିସ୍ତାନ ଇତିହାସରେ ପ୍ରଥମ ଥର ପାଇଁ କୌଣସି ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ସଫଳ ରହିଛି ।

ମୋବାଇଲ ହଜିବାକୁ ନେଇ ପ୍ରଥମେ ଗଣ୍ଡଗୋଳ ପରେ ହତ୍ୟା

ନବରଙ୍ଗପୁର: ମୋବାଇଲ ପାଇଁ ସାଙ୍ଗ ସାଜିଲା ସଇତାନ । ବନ୍ଧୁକୁ ପଥରରେ ଛେଚି ମାରିଦେଲା ସାଙ୍ଗ । ନବରଙ୍ଗପୁର ଜିଲ୍ଲା ରାଇଘର ଥାନା ଛତାବେଡା ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ମୋବାଇଲ ହଜିବାକୁ ନେଇ ଦୁଇ ସାଙ୍ଗଙ୍କ ମଧ୍ୟରେ ପ୍ରଥମେ ବଚସା ହୋଇଥିଲା  । ପରବର୍ତ୍ତୀ ଘଟିଛି ନିର୍ମମ ହତ୍ୟା । ଅଭିଯୋଗ ଅନୁସାରେ ଗତ ୭ ତାରିଖରେ ଘନଶ୍ୟାମ ମାଝୀ ଓ ସୁକଲାଲ ରାଉତ ନିଶାସକ୍ତ ଅବସ୍ଥାରେ ଏକ ମୋବାଇଲ ହଜିବାକୁ କେନ୍ଦ୍ର କରି ଗଣ୍ଡଗୋଳ କରିଥିଲେ ।

ପରେ ସୁକଲାଲଙ୍କୁ ପଥରରେ ଆକ୍ରମଣ କରିଥିଲେ ଘନଶ୍ୟାମ । ଗୁରୁତର ଅବସ୍ଥାରେ ସେଠାରୁ ଘରକୁ ଚାଲିଯାଇଥିଲେ ସୁକଲାଲ । ତେବେ ଗତକାଲି ସନ୍ଧ୍ୟାରେ ତାଙ୍କର ମୃତ୍ୟୁ ହୋଇଛି । ଏନେଇ ଅଭିଯୋଗ ପରେ ଘନଶ୍ୟାମ ମାଝୀଙ୍କୁ ଗିରଫ କରିଛି ପୋଲିସ । ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ସହିତ ତଦନ୍ତ ପୋଲିସ ତଦନ୍ତ କରିଛି । ହତ୍ୟା ପଛରେ ମୋବାଇଲ ହଜିବା ବିବାଦ ନାଁ ଆଉ କିଛି ରହିଛି ସେନେଇ ତଦନ୍ତ ଜାରି ରହିଛି ।

ଅମିତ ଶାହଙ୍କୁ ପ୍ରକାଶ ରାଜ୍‌ଙ୍କ ଜବାବ: କହିଲେ, ଆମେ ଆମ ମାତୃଭାଷାକୁ ଭଲ ପାଉ

ହାଇଦ୍ରାବାଦ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ବୟାନକୁ ନେଇ ତୀବ୍ର ପ୍ରତିକ୍ରିୟାଶୀଳ ହୋଇପଡ଼ିଛନ୍ତି ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଅଭିନେତା ପ୍ରକାଶ ରାଜ୍ । ହିନ୍ଦୀ ଭାଷାକୁ  ନେଇ ସେ ରଖିଥିବା ମତକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ।

ନିକଟରେ ଗୃହମନ୍ତ୍ରୀ ଅମିତ ଶାହ ହିନ୍ଦୀ ଭାଷାକୁ ନେଇ ଏକ ବୟାନ ରଖିଛନ୍ତି, ଯେଉଁଥିରେ ସେ  ‘ହିନ୍ଦୀକୁ ଇଂରାଜୀର ବିକଳ୍ପ ଭାବେ ବ୍ୟବହାର କରାଯିବା ଉଚିତ ଏବଂ ଅଣ-ହିନ୍ଦୀ ଭାଷାଭାଷୀ ଲୋକମାନେ ଇଂରାଜୀ ବଦଳରେ ହିନ୍ଦୀ କହିବା ଉଚିତ ବୋଲି ଗୃହମନ୍ତ୍ରୀ କହିଥିଲେ।’ ଅମିତ ଶାହଙ୍କ ଏହି ବୟାନକୁ ନେଇ ଏବେ ବିବାଦ ଉପୁଜିଛି। ଅନେକ ଲୋକେ ଏହାକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି । ସଙ୍ଗୀତ ନିର୍ଦ୍ଦେଶକ ଏଆର୍ ରେହମାନ୍ ପରେ ଏବେ ପ୍ରକାଶ ରାଜ ମଧ୍ୟ ଏହି ବୟାନକୁ ନେଇ ତୀବ୍ର ବିରୋଧ କରିଛନ୍ତି।

ଅମିତ ଶାହଙ୍କ ବୟାନର ଏକ କ୍ଲିପ୍ ସେୟାର କରି ପ୍ରକାଶ ରାଜ ଟ୍ୱିଟ୍‌ କରିଛନ୍ତି। ସେ ଏଥିରେ ଲେଖିଛନ୍ତି, ‘ଘର ଭାଙ୍ଗିବାକୁ ଚେଷ୍ଟା କରନ୍ତୁ ନାହିଁ ଗୃହମନ୍ତ୍ରୀ। ଆମେ ଆପଣଙ୍କୁ ଚେତାବନୀ ଦେଉଛୁ ଯେ ହିନ୍ଦୀକୁ ଆମ ଉପରେ ଲଦିବା ବନ୍ଦ କରନ୍ତୁ। ଆମେ ଆମର ବିବିଧତାକୁ ଭଲପାଏ। ଆମେ ଆମର ମାତୃଭାଷାକୁ ଭଲପାଉ। ଆମେ ଆମର ପରିଚୟକୁ ଭଲପାଉ।’
ଉଲ୍ଲେଖଥାଉ କି, ପ୍ରକାଶ ରାଜଙ୍କ ମାତୃଭାଷା କନ୍ନଡ ହୋଇଥିଲେ ମଧ୍ୟ ସେ ଦକ୍ଷିଣରେ ତେଲୁଗୁ ଫିଲ୍ମ ବ୍ୟତୀତ ହିନ୍ଦୀ, ତାମିଲ ଭାଷାରେ ମଧ୍ୟ କାମ କରିଛନ୍ତି। ପ୍ରକାଶ ରାଜ ଇଂରାଜୀ ସମେତ ଅନେକ ଭାରତୀୟ ଭାଷାକୁ ଭଲଭାବେ କହିପାରନ୍ତି। ପ୍ରକାଶ ରାଜଙ୍କ ବ୍ୟତୀତ ଅମିତ ଶାହଙ୍କ ବୟାନକୁ ନେଇ ଅଣ-ହିନ୍ଦୀ ଭାଷାଭାଷୀ ରାଜ୍ୟର ଅନେକ ଲୋକ ମଧ୍ୟ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ପ୍ରକାଶ ରାଜଙ୍କ ପୂର୍ବରୁ ସଙ୍ଗୀତ ନିର୍ଦ୍ଦେଶକ ଏଆର୍ ରହମାନ ମଧ୍ୟ ଅମିତ ଶାହଙ୍କ ବୟାନ ଉପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ। ସେ ନିଜ ଟ୍ୱିଟରେ ଲେଖିଥିଲେ, ‘ତାମିଲ ଭାଷା ହେଉଛି ଆମର ଅସ୍ତିତ୍ୱର ମୂଳ।’ ତାମିଲ ବ୍ୟତୀତ ଏଆର୍ ରହମାନ ଇଂରାଜୀ ଏବଂ ହିନ୍ଦୀରେ ମଧ୍ୟ କହିପାରନ୍ତି।

ଗାଧୋଇବା ବେଳେ ମହାନଦୀରେ ଭାସିଗଲେ ୩ ଯୁବକ

କଟକ:  ମହାନଦୀରେ ବୁଡ଼ିଗଲେ ୩ ଯୁବକ । ଗାଧୋଇବା ବେଳେ ତିନି ଯୁବକ ଭାସିଯାଇଥିବା ଜଣାପଡ଼ିଛି  । ଏମାନଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ଘଟିସାରିଥିବା ବେଳେ ୨ ଜଣ ବର୍ତ୍ତମାନ ନିଖୋଜ ରହିଛନ୍ତି । ମିଳିଥିବା ସୂଚନା ମୁତାବକ ଜୋବ୍ରା ବ୍ୟାରେଜକୁ ଗାଧୋଇବା ପାଇଁ ଯାଇଥିଲେ ତିନି ଯୁବକ  । ଏବଂ ଗୋଧୋଇବା ବେଳେ ଘଟିଥିଲା ଏହି ବଡ଼ ଅଘଟଣ  ।  ୩ଜଣ  ଯୁବକ ମହାନଦୀରେ ଭାସି ଯାଇଥିଲେ  ।

ଭାସିଯାଇଥିବା ତିନି ଯୁବକଙ୍କ ମଧ୍ୟରୁ  ଜଣଙ୍କ ମୃତଦେହ ଉଦ୍ଧାର କରିଥିଲେ ସ୍ଥାନୀୟ ଲୋକ । ଖବର ପାଇ ତୁରନ୍ତି ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଁଚିଥିଲା  । ଅଗ୍ନିଶମ ବାହିନୀର କର୍ମଚାରୀ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି  । ନିଖୋଜ ଥିବା ଅନ୍ୟ ୨ ଜଣଙ୍କୁ ଖୋଜା ଖୋଜି ଜାରି ରଖିଛନ୍ତି  ।  କିନ୍ତୁ ଭାସିଯାଇଥିବା ସମସ୍ତ ଯୁବକଙ୍କର କୌଣସି ମଧ୍ୟ ସୂଚନା କିମ୍ବା ପରିଚୟ ମିଳିପାରିନାହିଁ  ।

ଶିବସେନା ଭବନ ନିକଟରେ ହନୁମାାନ ଚାଳିଶା ବଜାଇଲେ ଏମ୍‌ଏନ୍ଏସ୍ କର୍ମୀ

ମୁମ୍ୱାଇ: ମହାରାଷ୍ଟ୍ର ନବନିର୍ମାଣ ସେନା ବା ଏମଏନଏସର ନୂଆ କାର୍ଡ । ମୁମ୍ବାଇସ୍ଥିତ ଶିବସେନା ଭବନ ନିକଟରେ ଲାଉଡସ୍ପିକର ଜରିଆରେ ଚାଲିଲା ହନୁମାନ ଚାଳିଶା । ରାଜ ଠାକରେଙ୍କ ଏମଏନଏସର କର୍ମୀମାନେ ବିଭିନ୍ନ ଗାଡ଼ିରେ ଲାଉଡସ୍ପିକର ଜରିଆରେ ହନୁମାନ ଚାଳିଶା ପ୍ରସାର କରିବା ପରେ ପଦକ୍ଷେପ ନେଇଛି ପୋଲିସ ।

ଏହି ଘଟଣାରେ ପୋଲିସ ହସ୍ତକ୍ଷେପ କରି ସେହି ଗାଡିଗୁଡ଼ିକୁ ଜବତ କରିବା ସହ ଏମଏନଏସ ନେତା ଯଶବନ୍ତ କିଲେକରଙ୍କୁ ଅଟକ ରଖିଛି । ତାଙ୍କୁ ଶିବାଜୀ ପାର୍କ ପୋଲିସ ଥାନାକୁ ନିଆଯାଇଛି । ଗତ ସପ୍ତାହକ ତଳେ ବିଭିନ୍ନ ମସଜିଦଗୁଡିକରେ ବାଜୁଥିବା ମାଇକଗୁଡ଼ିକୁ ହଟାଇବା ଲାଗି ଆହ୍ବାନ ଦେଇଥିଲେ ଏମଏନଏସ ନେତା ରାଜ ଠାକରେ ।

ଏପରିକି ଯଦି ମାଇକଗୁଡିକୁ ହଟା ନଯାଏ ତେବେ ମସଜିଦ ବାହାରେ ଅଧିକ ଶବ୍ଦରେ ହନୁମାନ ଚାଳିଶା ପାଠ କରାଯିବ ବୋଲି ସେ ଧମକ ଦେଇଥିଲେ । ରାଜ୍ କହିଥିଲେ- ସେ ପ୍ରାର୍ଥନା ବିରୋଧରେ କିମ୍ବା କୌଣସି ଧର୍ମ ବିରୋଧରେ ନାହାନ୍ତି, ବରଂ ନିଜ ଧର୍ମ ଲାଗି ସେ ଗର୍ବିତ । ପରୋକ୍ଷରେ ସେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ବି କରିଥିଲେ ଟାର୍ଗେଟ । କିଛି ଦିନ ତଳେ ଏମଏନଏସ କର୍ମୀମାନେ ମୁମ୍ବାଇର ଘାତକପୋରସ୍ଥିତ ଦଳୀୟ ମୁଖ୍ୟ କାର୍ଯ୍ୟାଳୟ ସମ୍ମୁଖରେ ହନୁମାନ ଚାଳିଶା ପାଠ କରିଥିଲେ । ଏନେଇ ପ୍ରତିକ୍ରିୟା ରଖିଛନ୍ତି- ଉଦ୍ଧବଙ୍କ ପୁଅ ଆଦିତ୍ୟ । ସେ କହିଛନ୍ତି- ଆମର ହିନ୍ଦୁତ୍ବ ଭାବନା ସମସ୍ତଙ୍କୁ ଜଣା ।

ଏଥିସହିତ ପଢ଼ନ୍ତୁ: ପାକିସ୍ତାନର ନୂଆ ପ୍ରଧାନମନ୍ତ୍ରୀ ହୋଇପାରନ୍ତି ଶାହାବାଜ ସରିଫ, ଆନୁଷ୍ଠାନିକ ଘୋଷଣା କଲେ ବିରୋଧୀ ମେଣ୍ଟ

 

ଗଞ୍ଜାମ ତାରାତାରିଣୀ ନିକଟରେ ଦୁର୍ଘଟଣା, ଭକ୍ତଙ୍କୁ ନେଇ ଫେରୁଥିବା ବେଳେ ବସ୍-ଟ୍ରକ୍ ମୁହାଁମୁହିଁ ଧକ୍କା

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ତାରାତାରିଣୀ ମନ୍ଦିରର ପାହାଡ଼ ରାସ୍ତାରେ ଦୁର୍ଘଟଣା । ଯାତ୍ରୀବାହୀ ବସ ସହ ଏକ ଟ୍ରକ ମୁହାଁ ମୁହିଁ ଧକ୍କା ହୋଇଛି । ଦୁର୍ଘଟଣାରେ ୭ ଜଣ ଯାତ୍ରୀ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨ ଜଣ ଗୁରୁତର ହୋଇଛନ୍ତି । ୨ ଗୁରୁତର ହେଲେ ଟ୍ରକ ଡ୍ରାଇଭର ଓ ଜଣେ ବସ୍ ଯାତ୍ରୀ । ସେମାନଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଆହତ ୫ ଜଣ ଯାତ୍ରୀଙ୍କୁ ପୁରୁଷୋତ୍ତମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ପୋଲସରାର କିଛି ବ୍ୟକ୍ତି ତାରାତାରିଣୀଙ୍କ ଦର୍ଶନ କରି ଫେରୁଥିବା ବେଳେ ରାସ୍ତାରେ ବିପରୀତ ପଟୁ ଆସୁଥିବା ଏକ ଟ୍ରକ ସହ ମୁହାଁ ମୁହିଁ ଧକ୍କା ହୋଇଥିଲା । ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ଓ ଅଗ୍ନିଶମ ବିଭାଗ କର୍ମଚାରୀମାନେ ପୁରୁଷୋତ୍ତମପୁର ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତର କରିଛନ୍ତି । ସେପଟେ ଘଟଣାସ୍ଥଳରେ ପୁରୁଷୋତ୍ତମପୁର ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।