spot_img
Home Blog Page 4578

ପକେଟକୁ ବାଧିଲାଣି ଲେମ୍ବୁ ଦର, କିଲୋ ପିଛା ୨୦୦ ଟଙ୍କା

ରାଜକୋଟ: ଖରାଦିନ ଆସିବା ମାତ୍ରେ ଖଟାଫଳର ଚାହିଦା ଯଥେଷ୍ଟ ବଢ଼ିଯାଏ । ଏଇ ଯେମିତି ଲେମ୍ବୁ । ଗରମ ଭାତ ହେଉ କିମ୍ବା ପଖାଳ କଂସା  । ସାଥୀରେ ଲେମ୍ବୁ ନଥିଲେ ଖାଇବା ଯେମିତି ଫିକା ଫିକା ଲାଗେ । ଏହାକୁ ବାଦ୍‌ ଦେଲେ ଖରାଦିନ ଆସିବା ମାତ୍ରେ ଲୋକ ଘୋଳ ଦହି ଠାରୁ ଆରମ୍ଭ କରି ଆଖୁ ରସ, ଲେମ୍ବୁ ରସ ଭଳି ପାନୀୟ ପିଇବାକୁ ବେଶ୍‌ ପସନ୍ଦ କରନ୍ତି । ଏ ସବୁ ମଧ୍ୟରେ ସବୁଠାରୁ ଶସ୍ତା ହେଉଛି ଲେମ୍ବୁ ଯାହା ପ୍ରତ୍ୟକଟି ସ୍ଥାନରେ ଅତି ସହଜରେ ଉପଲବ୍ଧ ହୁଏ । କିନ୍ତୁ ଚଳିତ ବର୍ଷ ଲେମ୍ବୁ ଦର ଆକାଶ ଛୁଆଁ । ପରିବା ଦୋକାନକୁ ଗଲେ ଇଛା ଥିଲେ ମଧ୍ୟ ଗ୍ରାହକ ଲେମ୍ବୁ କିଣିବାକୁ ମନ ବଳାଉ ନାହାଁନ୍ତି । କାରଣ ଲେମ୍ବୁ କିଲୋପିଛା ଦର ୨୦୦ ଟଙ୍କାରେ ପହଞ୍ଚିଛି । ଗୁଜୁରାଟର ରାଜକୋଟରେ ଲେମ୍ବୁ କିଲୋ ପିଛା ୨୦୦ରେ ବିକ୍ରି ହେଉଛି ।   ଏଭଳି ସ୍ଥିତିରେ ଗରୀବଟିଏ ଠାରୁ ଆରମ୍ଭ କରି ଧନୀ ପର୍ଯ୍ୟନ୍ତ ସମସ୍ତେ ମୁଣ୍ଡରେ ହାତ ଦେଲେଣି ।

ସୂଚନାଯୋଗ୍ୟ ପୂର୍ବରୁ ଲେମ୍ବୁ କିଲୋପିଛା ମୂଲ୍ୟ ୫୦ରୁ ୬୦ ଟଙ୍କା ବିକ୍ରି ହେଉଥିଲା । ଯାହା ବର୍ତ୍ତମାନ ବଢ଼ି ୨୦୦ ଟଙ୍କାରେ ପହଞ୍ଚିଛି । ଏହି ଦର ଲୋକଙ୍କ ପକେଟକୁ ଭାରି ପଡ଼ୁଛି । ଖାଉଟି ହନ୍ତସନ୍ତ ।

ଗତ ବର୍ଷ ମାର୍ଚ୍ଚ ତୁଳନାରେ ଚଳିତ ବର୍ଷ ଲେମ୍ବୁର ବଜାର ମୂଲ୍ୟ ଦୁଇଗୁଣାରୁ ମଧ୍ୟ ଅଧିକ । କେବଳ ଖାଉଟି ନୁହଁନ୍ତି ବରଂ ବେପାରୀଙ୍କ ଉପରେ ମଧ୍ୟ ଏହା ପ୍ରଭାବ ପକାଇଛି । କାରଣ ଲୋକ ଯେତିକି ଲେମ୍ବୁ କିଣିବା କଥା ସେତିକି ପରିମାଣର କିଣୁ ନାହାଁନ୍ତି । ଯଥେଷ୍ଟ କମ୍‌ ପରିମାଣର କିଣୁଥିବାରୁ ବେପାରୀଙ୍କ ବେପାର ମାନ୍ଦା ।

ତେବେ କେବଳ ଲେମ୍ବୁ କାହିଁକି ଚଳିତବ ବର୍ଷ ଖାଇବା ତେଲ ଠାରୁ ଆରମ୍ଭ କରି ରନ୍ଧନ ଗ୍ୟାସ୍‌, ପନିପରିବା ଏବଂ ତା ସାଙ୍ଗକୁ ଏବେ ଦୈନିକ ପେଟ୍ରୋଲ ଦର ବୃଦ୍ଧି ଖାଉଟିଙ୍କୁ ଚିନ୍ତାରେ ପକାଇଛି । ବଜାର ଦର ହୁ ହୁ ହୋଇ ବଢ଼ୁଥିବାବେଳେ ଗରୀବ ଏବଂ ମଧ୍ୟବିତ୍ତ ଶ୍ରେଣୀର ଲୋକ ଅଧିକ ପ୍ରଭାବିତ ହେଉଛନ୍ତି ।

FIH ପ୍ରୋ ଲିଗ୍ ହକି: ଇଂଲଣ୍ଡକୁ ହରାଇ ଶୀର୍ଷକୁ ଉଠିବା ଲକ୍ଷ୍ୟରେ ଟିମ୍ ଇଣ୍ଡିଆ

ଭୁବନେଶ୍ୱର: ଆସନ୍ତାକାଲି କଳିଙ୍ଗ ଷ୍ଟାଡିୟମରେ ସରିବ ଏଫଆଇଏଚ୍ ପ୍ରୋ ଲିଗର ଚଳିତ ସିଜିନ । ଆଜି ଓ କାଲି କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ ଏଫଆଇଏଚ୍ ପ୍ରୋ ଲିଗର ଶେଷ ଦୁଇଟି ମ୍ୟାଚ୍ । ଆଜି କଳିଙ୍ଗର ବ୍ଲୁ ଟର୍ଫରେ ମୁହାଁମୁହିଁ ହେବେ ଇଣ୍ଡିଆ- ଇଂଲଣ୍ଡ । ଏଫଆଇଏଚ୍ ପ୍ରୋ ଲିଗରେ ୮ଟି ମ୍ୟାଚ୍ ଖେଳି ୧୬ ପଏଣ୍ଟ୍ ସହ ଟେବୁଲର ଦ୍ୱିତୀୟ ସ୍ଥାନରେ ରହିଛି ଭାରତୀୟ ପୁରୁଷ ହକି ଦଳ । ଏଫଆଇଏଚ୍ ପ୍ରୋ ଲିଗର ପଏଣ୍ଟ ଟେବୁଲରେ ୧୭ ପଏଣ୍ଟ ସହ ତାଲିକାର ଶୀର୍ଷ ସ୍ଥାନରେ ରହିଛି ଜର୍ମାନୀ । ତେବେ ଆଜି ଓ ଆସନ୍ତାକାଲି ହେବାକୁ ଥିବା ମ୍ୟାଚରେ ବିଜୟ ଲାଭ କରି ପଏଣ୍ଟ ଟେବୁଲର ଶୀର୍ଷକୁ ଉଠିବାକୁ ଲକ୍ଷ୍ୟ ରଖିଛି ଟିମ୍ ଇଣ୍ଡିଆ  । ଓଡ଼ିଆ ପୁଅ ଅମିତ ରୋହିଦାସଙ୍କ ନେତୃତ୍ୱରେ ଆଜି ସଂନ୍ଧ୍ୟା ୭ଟା ୩୦ରେ ଟର୍ଫକୁ ଓହ୍ଲାଇବ ଟିମ୍ ଇଣ୍ଡିଆ । ପୂର୍ବ ଦୋଷ ଦୂର୍ବଳତାକୁ ସୁଧାରି ଇଂଲଣ୍ଡ ଦଳକୁ ଟକ୍କର ଦେବ ବୋଲି କହିଛନ୍ତି ଅଧିନାୟକ ଅମିତ ରୋହିଦାସ ।

ଭାରତ ଶେଷ ଥର ପାଇଁ ଇଂଲଣ୍ଡକୁ ଗତବର୍ଷ ଟୋକିଓ ଅଲମ୍ପିକ୍ସ କ୍ୱାଟର ଫାଇନାଲରେ ଭେଟିଥିଲେ । ଏହି ମ୍ୟାଚରେ ଭାରତ ଇଂଲଣ୍ଡକୁ ୩-୧ରେ ପରାସ୍ତ କରି ସେମିଫାଇନାଲରେ ପ୍ରବେଶ କରିଥିଲା । ବିଶ୍ୱ ମାନ୍ୟତାରେ ଇଂଲଣ୍ଡ ସପ୍ତମ ସ୍ଥାନରେ ରହିଥିବାବେଳେ ଭାରତ ଚତୁର୍ଥ ସ୍ଥାନରେ ରହିଛି ।

କୋଭିଡର ନୂଆ ଭାରିଆଣ୍ଟ XEକୁ ନେଇ ସତର୍କ କରାଇଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ

ନୂଆଦିଲ୍ଲୀ: କୋଭିଡର ନୂଆ ଭାରିଆଣ୍ଟ XEକୁ ନେଇ ସତର୍କ ସୂଚନା ଜାରି କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । BA.୨ ଭାରିଆଣ୍ଟ ଅପେକ୍ଷା XE ଭାରିଆଣ୍ଟ ୧୦ ପ୍ରତିଶତ ଅଧିକ ସଂକ୍ରାମକ ବୋଲି କହିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । କୋଭିଡର ଦ୍ୱିତୀୟ ମ୍ୟୁଟାଣ୍ଟ ଷ୍ଟ୍ରେନ ଭାବେ ପରିଚିତ XE । ବିଶ୍ୱର ବିଭିନ୍ନ ଦେଶରେ ଏବେ BA.୨ର ଉତ୍ପାତ ଜାରି ରହିଥିବାବେଳେ XE ଭାରିଆଣ୍ଟ BA.୧ ଓ BA.୨ର ଏକ ମ୍ୟୁଟାଣ୍ଟ ହାଇବ୍ରିଡ ବୋଲି ଚିହ୍ନଟ କରାଯାଇଛି ।

ବର୍ତ୍ତମାନ ପର୍ଯ୍ୟନ୍ତ ଓମିକ୍ରନର ସବଭାରିଆଣ୍ଟ ବିଏ-୨ ସବୁଠାରୁ ଅଧିକ ସଂକ୍ରାମକ ବୋଲି ବିବେଚିତ ହୋଇଆସୁଛି । ବ୍ରିଟେନ ସ୍ୱାସ୍ଥ୍ୟ ନିରାପତ୍ତା ସଂସ୍ଥା ବା UKHSA ଅନୁସାରେ ବର୍ତ୍ତମାନ XE, XD ଓ XF ଭାରିଆଣ୍ଟ ବ୍ୟାପୁଛି । XD ଓ XFକୁ ଡେଲଟା ଓ ବିଏ-୧ର ହାଇବ୍ରିଡ ବୋଲି କୁହାଯାଉଛି । ଏହା ବିଶେଷ କରି ଫ୍ରାନସ୍, ଡେନମାର୍କ ଓ ବେଲଜିୟମରେ ବ୍ୟାପୁଛି ବୋଲି କହିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ।

ନିୟନ୍ତ୍ରଣ ବାହାରେ ଶ୍ରୀଲଙ୍କା ସ୍ଥିତି, ଜରୁରୀ ପରିସ୍ଥିତି ଘୋଷଣା କଲେ ରାଷ୍ଟ୍ରପତି

କଲମ୍ବୋ: ଶ୍ରୀଲଙ୍କାରେ ଜାରି ହେଲା ଜରୁରୀ ପରିସ୍ଥିତି । ଦେଶର ଦୟନୀୟ ସ୍ଥିତି ସମେତ ବିଭିନ୍ନ ସ୍ଥାନରେ ତୀବ୍ର ଅଶାନ୍ତି ସୃଷ୍ଟି ହୋଇଥିବା ବେଳେ ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେ ଜରୁରୀ ପରିସ୍ଥିତି ଘୋଷଣା କରିଛନ୍ତି । ସମ୍ବିଧାନର ଧାରା ୧୫୫ ଅନୁସାରେ ରାଷ୍ଟ୍ରପତି ଏହି ପଦକ୍ଷେପ ନେଇଛନ୍ତି । ଏହି ଆଦେଶ ଏକ ମାସ ପର୍ଯ୍ୟନ୍ତ ବଳବତ୍ତର ରହିବ । ୧୪ ଦିନ ଭିତରେ ଏହି ନିର୍ଦ୍ଦେଶନାମାକୁ ସଂସଦ ମଞ୍ଜୁରୀ ଦେବାର ଆବଶ୍ୟକତା ରହିଛି । ଯଦି ସଂସଦୀୟ ମଞ୍ଜୁରୀ ନ ମିଳିବ ତେବେ ଏହି ନିର୍ଦ୍ଦେଶନାମା ଆପେ ରଦ୍ଦ ହୋଇଯିବ ।

ଗତକାଲି ରାଷ୍ଟ୍ରପତି ଭବନ ନିକଟରେ ହଜାର ହଜାର ଜନତା ନାରାବାଜି କରିବା ପରେ ରାଷ୍ଟ୍ରପତି ଏହି ପଦକ୍ଷେପ ନେବା ସହ ସ୍ଥିତି ନିୟନ୍ତ୍ରଣ ଲାଗି ନିରାପତ୍ତା ବାହିନୀକୁ ନିର୍ଦ୍ଦେଶ ଦେଇଛନ୍ତି । ଦେଶର ନିରାପତ୍ତା ଆଇନ ଅନୁସାରେ ରାଷ୍ଟ୍ରପତି ସର୍ବୋଚ୍ଚ କ୍ଷମତା ପ୍ରୟୋଗ କରିଛନ୍ତି । ଏହି ନିର୍ଦ୍ଦେଶ ବଳରେ ସାମରିକ ବାହିନୀ ଯେକୌଣସି ବ୍ୟକ୍ତିଙ୍କୁ ଗିରଫ କରିପାରିବ ଏବଂ ଦୀର୍ଘଦିନ ଧରି ବିନା ବିଚାରରେ ଅଟକ ରଖିପାରିବ । ଅସ୍ଥିର ଜର୍ଜରିତ ରାଷ୍ଟ୍ରରେ ରାଷ୍ଟ୍ରପତି ଇସ୍ତଫା ଦେବା ଲାଗି ଦାବି ଜୋର ଧରିବା ପରେ ରାଜପକ୍ଷେ ଏହି ଚରମ ନିଷ୍ପତ୍ତି ନେଇଛନ୍ତି । ତେବେ ଜରୁରୀ ସାମଗ୍ରୀର ଯୋଗାଣକୁ ନିର୍ଦ୍ଦେଶନାମାରେ ଗୁରୁତ୍ୱ ଦିଆଯାଇଛି । ଇନ୍ଧନ, ଖାଦ୍ୟ ପଦାର୍ଥ, ବିଦ୍ୟୁତ ଅଭାବ ଯୋଗୁ ଦେଶ ଅଭୁତପୂର୍ବ ସଙ୍କଟ ବଳୟକୁ ଠେଲି ହୋଇଯାଇଛି । ପ୍ରାୟ ୨ କୋଟି ୨୦ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ଶ୍ରୀଲଙ୍କାର ବିଭିନ୍ନ ସ୍ଥାନରେ ରାତ୍ରୀକାଳୀନ କର୍ଫ୍ୟୁ ଜାରି କରାଯାଇଛି । ରାଜଧାନୀ କଲମ୍ବୋରେ ମଧ୍ୟ କଡା କଟକଣା ଲାଗିଛି ।

ସେପଟେ ରାଷ୍ଟ୍ରପତିଙ୍କ ଇସ୍ତଫା ଦାବି ଜୋର ଧରିଛି ଏବଂ ଲୋକେ ଦୁର୍ନୀତିଗ୍ରସ୍ତ ସରକାରକୁ ହଟାଇବା ଲାଗି ଆନ୍ଦୋଳନ ଜାରି ରଖିଛନ୍ତି । ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷେଙ୍କ ପତ୍ନୀ ଶିରାନ୍ଥୀଙ୍କ ଦ୍ୱାରା ଉଦଘାଟିତ ହେବାକୁ ଥିବା ଏକ କାର୍ଯ୍ୟକ୍ରମକୁ ଆନ୍ଦୋଳନକାରୀ ଭଣ୍ଡୁର କରି ଦେଇଛନ୍ତି । ଗାଲ୍ଲେ, ମତାରା, ମୋରାତୁଓ୍ୱା ଆଦି ସହରରେ ଲୋକମାନେ ସରକାରଙ୍କ ବିରୋଧରେ ପ୍ରତିବାଦ କରିଛନ୍ତି । ପୋଲିସ ୫୩ ଜଣ ଆନ୍ଦୋଳନକାରୀଙ୍କୁ ଗିରଫ କରିଥିବା ବେଳେ ୫ ଜଣ ଫଟୋ ସାମ୍ବାଦିକଙ୍କୁ ଅଟକ ରଖାଯାଇଛି । ସେପଟେ ପରିବହନ ମନ୍ତ୍ରୀ ଦିଲୁନ ଅମୁନୁଗାମା କହିଛନ୍ତି, ଏହି ଅସ୍ଥିରତା ପଛରେ ଆତଙ୍କବାଦୀଙ୍କ ହାତ ରହିଛି । କୋଭିଡ ପରଠାରୁ ଦେଶରେ ଆର୍ଥିକ ସଙ୍କଟ ଆରମ୍ଭ ହୋଇଥିବାବେଳେ ଚଳିତ ବର୍ଷ ଦେଶରେ ଆର୍ଥିକ ସଂକଟ ଅଧିକ ଘନୀଭୂତ ହୋଇଛି । ଖାଦ୍ୟ ପଦାର୍ଥର ଦର ୩୦ ପ୍ରତିଶତ ବଢ଼ିଥିବା ବେଳେ ମୁଦ୍ରାସ୍ଫୀତି ୧୮.୭ ପ୍ରତିଶତ ହୋଇଛି ।

ରାୟଗଡ଼ାରେ ବଡ଼ ଧରଣର ଡକାୟତି, ଘର ମାଲିକଙ୍କ ହାତ ଗୋଡ଼ ବାନ୍ଧି ଲୁଟ୍

ରାୟଗଡ଼ା: ରାୟଗଡ଼ାରେ ବଡ଼ ଧରଣର ଲୁଟ୍ । ଘର ମାଲିକଙ୍କ ହାତ ଗୋଡ଼ ବାନ୍ଧି ଲୁଟ୍‌ । ସାଇପ୍ରିୟା ନଗରର ଏମ.ଭେଙ୍କେଟ ରାବନାଙ୍କ ଘରୁ ବିଳମ୍ବିତ ରାତିରେ ଏକ ବଡ଼ ଧରଣର ଲୁଟ ହୋଇଛି । ପ୍ରାୟ ୧୦ରୁ ଅଧିକ ଡ଼କାୟତ ଘରର ଝରକା ଭାଙ୍ଗି ୨୫ ଭରି ସୁନା ଅଳଙ୍କାର, ୨ କେଜି ରୂପା, ୩୦ ହଜାର ଟଙ୍କା ଓ ୪ଟି ମୋବାଇଲ ଲୁଟି ନେଇଛନ୍ତି । ୮ ଜଣ ଡକାୟତ ଘରେ ପଶି ଥିବାବେଳେ ୨ ଜଣ ଘର ବାହାରେ ଜଗିଥିଲେ । ଡକାୟତମାନେ ଘରର ଝରକା ଭାଙ୍ଗି ଘରେ ପଶି ପରିବାର ସଦସ୍ୟଙ୍କ ଗୋଡ଼ ଓ ହାତ ବାନ୍ଧି ଲୁଟ୍ କରିଥିଲେ । ପାଟି କରିଲେ ଜୀବନରୁ ମାରି ଦେବାକୁ ଧମକ ଦେବା ସହ ଘରେ ଥିବା ସମସ୍ତ ଅଳଙ୍କାର ଓ ଟଙ୍କା ଲୁଟ୍ କରିଥିଲେ ଡକାୟତ । ଏହି ଘଟଣା ପରେ ରାୟଗଡ଼ା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ବାଲେଶ୍ୱର ଜିଲ୍ଲା ସୋରରେ ଚାଞ୍ଚଲ୍ୟ, ବିଲ ମଝିରୁ ମିଳିଲା ଅବସରପ୍ରାପ୍ତ ଶିକ୍ଷକଙ୍କ କ୍ଷତାକ୍ତ ମୃତଦେହ

ବାଲେଶ୍ୱର: ଲୁଟ୍ ଉଦ୍ଦେଶ୍ୟରେ ମର୍ଡର । ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ବାଲିଖଣ୍ଡ ଗାଁରେ ନିର୍ମମ ହତ୍ୟାକାଣ୍ଡ । ବିଲ ମଝିରୁ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କ ରକ୍ତାକ୍ତ ମୃତଦେହ ଠାବ ହୋଇଛି । ବାଲିଖଣ୍ଡ ଗାଁର ଆନନ୍ଦ ଚନ୍ଦ୍ର ପତ୍ରି ପ୍ରାଣକୃଷ୍ଣ ସଂସ୍କୃତ ବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଥିଲେ । ଗତକାଲି ବିଳମ୍ବିତ ରାତିରେ ଲୁଟ୍ ଉଦ୍ଦେଶ୍ୟରେ କେହି ଦୁର୍ବୃତ୍ତ ଘରେ ପଶି ଆନନ୍ଦ ପତ୍ରି ଏବଂ ତାଙ୍କ ସ୍ତ୍ରୀଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ । ଘରର ମୂଲ୍ୟବାନ ଜିନିଷ ନେଇଯାଉଥିବା ବେଳେ ଆନନ୍ଦ ପ୍ରତିବାଦ କରିଥିବାରୁ ତାଙ୍କ ସହ ହାତାହାତି ପରିସ୍ଥିତି ସୃଷ୍ଟି ହୋଇଥିଲା । ଯାହାଫଳରେ ଘରଠାରୁ ୫ ଶହ ମିଟର ଏକ ବିଲରୁ କ୍ଷତାକ୍ତ ଅବସ୍ଥାରେ ଆନନ୍ଦଙ୍କ ମୃତଦେହ ଉଦ୍ଧାର ହୋଇଛି । ସ୍ତ୍ରୀଙ୍କୁ ଗୁରୁତର ଅବସ୍ଥାରେ ଭଦ୍ରକ ମେଡ଼ିକାଲରେ ଭର୍ତ୍ତି କରାଯାଇଛି ।

ଅନ୍ୟପଟେ ଆନନ୍ଦଙ୍କର ଘରର ସମସ୍ତ କାଗଜ ପତ୍ର, ମୋବାଇଲ, ପ୍ୟାଣ୍ଟ ସାର୍ଟ ବିଭିନ୍ନ ସ୍ଥାନରେ ପଡ଼ିଥିବା ଦେଖିବାକୁ ମିଳିଛି । ଉଭୟଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି । ଦୁର୍ବୃତ୍ତ ଅତି ନୃଶଂସ ଭାବେ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଘଟଣାସ୍ଥଳରେ ସିମୁଳିଆ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ପୁରୀରେ ୫-ଟି ସଚିବ, ପରିବାର ସହ ଆସି ଶ୍ରୀଜିଉଙ୍କୁ କଲେ ଦର୍ଶନ

ପୁରୀ: ପୁରୀରେ ୫-ଟି ସଚିବ ଭି.କେ ପାଣ୍ଡିଆନ । ପରିବାର ସହିତ ଆସି ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି ୫-ଟି ସଚିବ । ଶ୍ରୀମନ୍ଦିର ଭିତରେ ବେଢ଼େ ପରିକ୍ରମା କରି ମହାପ୍ରଭୁଙ୍କ ଆଶୀର୍ବାଦ ନେଇଛନ୍ତି ୫-ଟି ସଚିବ । ଭି.କେ ପାଣ୍ଡିଆନଙ୍କ ସହିତ ତାଙ୍କ ପତ୍ନୀ ତଥା ମିଶନ ଶକ୍ତିର ସଚିବ ସୁଜାତା କାର୍ତ୍ତିକେୟନ ମଧ୍ୟ ଶ୍ରୀଜିଉଙ୍କ ଦର୍ଶନ କରିଛନ୍ତି ।

ଭିଜିଲାନ୍ସ ଜାଲରେ ଆଉ ଜଣେ ଅଧିକାରୀ, ଏକକାଳୀନ ୫ଟି ସ୍ଥାନରେ ରେଡ୍

ସୁନ୍ଦରଗଡ଼: ଭିଜିଲାନ୍ସ ଜାଲରେ ଆରଏମସି ଇନସ୍ପେକ୍ଟର । ସୁନ୍ଦରଗଡ଼ ସର୍ଗିପାଲି ରେଗୁଲେଟେଡ ମାର୍କେଟ କମିଟି ବା ଆରଏମସି ଇନସ୍ପେକ୍ଟରଙ୍କ ଘରେ ଭିଜିଲାନ୍ସ ରେଡ୍ । ଏକକାଳୀନ ୫ଟି ସ୍ଥାନରେ ଚଢ଼ାଉ କରୁଛି ଭିଜିଲାନ୍ସ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବନମାଳି ନାୟକଙ୍କ ଘରେ ରେଡ୍ କରିଛି ଭିଜିଲାନ୍ସ । ସୁନ୍ଦରଗଡ଼ ଟାଉନ କେନ୍ଦୁଆପଡ଼ା ତଳଶଙ୍କରା ମୌଜାରେ ଥିବା ୨ଟି ୩ ମହଲା କୋଠାରେ ରେଡ୍ ହୋଇଛି । ଡେଙ୍ଗିଭାଡ଼ିରେ ଥିବା ୨ ମହଲା କୋଠା, କିଞ୍ଜିରିକେଲା ଥାନା କୁକୁଡ଼ିଡ଼ିହିରେ ଥିବା ପୈତୃକ ଘରେ ମଧ୍ୟ ଚଢ଼ାଉ ଚାଲିଛି । ସରେଇକେଲାରେ ଥିବା ସମ୍ପର୍କୀୟଙ୍କ ଘର ଓ ଅଫିସ ଚାମ୍ବରରେ ମଧ୍ୟ ଯାଞ୍ଚ ଚଳାଇଛି ଭିଜିଲାନ୍ସ । ସୁନ୍ଦରଗଡ ଭିଜିଲାନ୍ସ ସ୍ପେଶାଲ କୋର୍ଟଙ୍କ ନିର୍ଦ୍ଦେଶରେ ଏହି ଚଢ଼ାଉ ଜାରି ରହିଛି । ଭିଜିଲାନ୍ସର ଏହି ଚଢ଼ାଉରେ ୫ ଜଣ ଡିଏସପି, ୭ ଜଣ ଇନସ୍ପେକ୍ଟର, ୪ ଜଣ ଏଏସଆଇ ଏବଂ ଅନ୍ୟ କର୍ମଚାରୀ ସାମିଲ ଅଛନ୍ତି ।

 

ଆଜି ବି ପୁଣି ବଢ଼ିଲା ତୈଳ ଦର, ୧୨ ଦିନରେ ବଢ଼ିଲାଣି ୭ ଟଙ୍କାରୁ ଅଧିକ

ନୂଆଦିଲ୍ଲୀ: ତେଲ ଦରରେ ଲାଗୁନି ଲଗାମ । ୧୦ ଦିନ ହେଲାଣି ବଢ଼ି ଚାଲିଛି ଉଭୟ ପେଟ୍ରୋଲ ଓ ଡିଜେଲ ଦର । ଆଜି ପୁଣି ବୃଦ୍ଧି ପାଇଛି ତେଲ ଦର । ରାଜଧାନୀ ଦିଲ୍ଲୀରେ ୮୦ ପଇସା ଲେଖାଏଁ ବଢ଼ିଛି ତେଲ ଦର । ନୂଆ ଦର ଲାଗୁ ପରେ ଦିଲ୍ଲୀରେ ପେଟ୍ରୋଲ ୧୦୨ ଟଙ୍କା ୬୧ ପଇସାରେ ହୋଇଥିବା ବେଳେ, ଡିଜେଲ ଦର ୯୩ ଟଙ୍କା ୮୭ ପଇସାରେ ପହଞ୍ଚିଛି । ସେହିପରି ମୁମ୍ବାଇରେ ପେଟ୍ରୋଲ ଲିଟର ୧୧୭ ଟଙ୍କା ୫୭ ପଇସାରେ ପହଞ୍ଚିଥିବାବେଳେ, ଡିଜେଲ ଦର ୧୦୧ ଟଙ୍କା ୭୯ ପଇସା ଛୁଇଁଛି । ଅନ୍ୟପଟେ ଚେନ୍ନାଇରେ ପେଟ୍ରୋଲ ଓ ଡିଜେଲ ଦର ୧୦୮ ଟଙ୍କା ୨୧ ପଇସାରେ ପହଞ୍ଚିଛି । କୋଲକାତାରେ ପେଟ୍ରୋଲ ଲିଟର ୮୪ ପଇସା ବୃଦ୍ଧି ପାଇ ୧୧୨ ଟଙ୍କା ୧୯ ପଇସାରେ ପହଞ୍ଚିଥିବା ବେଳେ, ଡିଜେଲ ୮୦ ପଇସା ବୃଦ୍ଧି ପାଇ ଲିଟର ପିଛା ଦର ୯୭ ଟଙ୍କା ୦୨ ପଇସା ଛୁଇଁଛି ।

ଯଦି ଭୁବନେଶ୍ୱର କଥା କହିବା ତାହାଲେ ଆଜି ଭୁବନେଶ୍ୱରରେ ପେଟ୍ରୋଲ ଓ ଡିଜେଲ ଦର ୮୫ ପଇସା ଲେଖାଏଁ ବୃଦ୍ଧି ପାଇଛି । ନୂଆ ଦର ପରେ ରାଜଧାନୀରେ ପେଟ୍ରୋଲ ଦର ୧୦୯ ଟଙ୍କା ୬୮ ପଇସା ହୋଇଥିବାବେଳେ, ଡିଜେଲ ୯୯ ଟଙ୍କା ୩୮ ପଇସାରେ ପହଞ୍ଚିଛି ।

ରାଜ୍ୟରେ ଲଗାତାର ବଢ଼ିଚାଲିଛି ତାପମାତ୍ରା, ଲଗାତାର ୪୦ ଡିଗ୍ରୀ ଉପରେ ୮ସହର

ଭୁବନେଶ୍ୱର: ଖସିବାର ନାଁ ଧରୁନି ପାରଦ । ଲଗାତାର ବଢ଼ି ଚାଲିଛି ତାପମାତ୍ରା । ରାଜ୍ୟର ୮ ସହରରେ ୪୦ ଡିଗ୍ରୀ ଉପରେ ରହୁଛି ପାରଦ । ଏହା ସହିତ ଅନେକ ସହରର ତାପମାତ୍ରୀ ୪୦ ଡିଗ୍ରୀ ପାଖାପାଖି ରହୁଛି । ଅସହ୍ୟ ତାତିରେ ଆଉଟୁ ପାଉଟୁ ହେଉଛି ପଶ୍ଚିମ ଓଡ଼ିଶା । କ୍ରମାଗତ ଭାବେ ଟିଟିଲାଗଡ଼ରେ ପାଲଟିଛି ରାଜ୍ୟର ସବୁଠୁ ଉତ୍ତପ୍ତ ସହର । ଏଭଳି ଆସନ୍ତା ୨ ଦିନ ପର୍ଯ୍ୟନ୍ତ ଲାଗି ରହିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ରାଜ୍ୟରେ ତାପମାତ୍ରାରେ ଆଗକୁ ୨ରୁ ୩ ଡିଗ୍ରୀ ବୃଦ୍ଧି ପାଇବ । ଆଜି ଗ୍ରୀଷ୍ମ ପ୍ରବାହ ପାଇଁ ୫ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ବରଗଡ଼, ସୋନପୁର, ବୌଦ୍ଧ, ବଲାଙ୍ଗୀର ଓ କଳାହାଣ୍ଡିରେ ଅଧିକ ଖରା ହେବ । ତେବେ ୨ ଦିନ ପରେ ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ହ୍ରାସ ପାଇବ ବୋଲି ଆକଳନ କରିଛି ପାଣିପାଗ କେନ୍ଦ୍ର ।