spot_img
Home Blog Page 4602

ଭାରତ- ଓ୍ୱେଷ୍ଟଇଣ୍ଡିଜ୍ ଦ୍ୱିତୀୟ ଦିନିକିଆ: ଟସ୍ ଜିତିଲା ଓ୍ୱେଷ୍ଟଇଣ୍ଡିଜ୍, ବ୍ୟାଟିଂ କରିବ ଭାରତ

ଅହମଦାବାଦ: ଆଜି ଭାରତ-ଓ୍ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଛି ଦ୍ୱିତୀୟ ଦିନିକିଆ । ଦ୍ୱିତୀୟ ମ୍ୟାଚରେ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଛି ଓ୍ୱେଷ୍ଟଇଣ୍ଡିଜ୍ । ଅହମଦାବାଦରେ ଖେଳାଯାଉଛି ଏହି ମ୍ୟାଚ । ଦ୍ୱିତୀୟ ମ୍ୟାଚରେ ଭାରତ ପକ୍ଷରୁ ଗୋଟିଏ ପରିବର୍ତ୍ତନ କରାଯାଇଛି । ପ୍ରଥମ ମ୍ୟାଚରେ ଦଳରୁ ବାହାର ଥିବା କେଏଲ ରାହୁଲ ଦ୍ୱିତୀୟ ମ୍ୟାଚରେ ପୁଣି ଥରେ ଦଳକୁ ଫେରିଛନ୍ତି । ଯାହା ଫଳରେ ପ୍ରଥମ ମ୍ୟାଚରେ ରୋହିତଙ୍କ ସହ ଓପନିଂ କରିଥିବା ଯୁବ ବ୍ୟାଟ୍ସମ୍ୟାନ ଇଶାନ କିଶାନ ଭାରତୀୟ ଦଳର ଚୁଡାନ୍ତ ଏକାଦଶରୁ ବାଦ୍ ପଡ଼ିଛନ୍ତି ।

ପ୍ରଥମ ମ୍ୟାଚରେ ଦମଦାର ବିଜୟ ପରେ ଦ୍ୱିତୀୟ ମ୍ୟାଚରେ ମଧ୍ୟ ସେହି ଫର୍ମ ବଜାୟ ରଖିବାକୁ ଚେଷ୍ଟା କରିବ ଟିମ୍ ଇଣ୍ଡିଆ । ସେହିପରି ତିନିଟିକିଆ ସିରିଜର ପ୍ରଥମ ମ୍ୟାଚରେ ବିଜୟ ପରେ ଆଜିର ମ୍ୟାଚରେ ବିଜୟ ଲାଭ କରି ସିରିଜକୁ ନିଜ ନାମରେ କରିବାକୁ ମଧ୍ୟ ଚେଷ୍ଟା କରିବ ଟିମ୍ ଇଣ୍ଡିଆ । ଅନ୍ୟପକ୍ଷରେ ପ୍ରଥମ ମ୍ୟାଚରେ ପରାଜୟ ପରେ ଦ୍ୱିତୀୟ ଦିନିକିଆରେ ଓ୍ୱେଷ୍ଟଇଣ୍ଡିଜକୁ ଲାଗିଛି ବଡ଼ ଝଟକା । ସମ୍ପୂର୍ଣ୍ଣ ଭାବରେ ଫିଟ୍ ନଥିବାରୁ ଦ୍ୱିତୀୟ ମ୍ୟାଚରେ ଖେଳୁନାହାନ୍ତି କିରଣ ପୋଲାର୍ଡ । ତେବେ ଏହି ମ୍ୟାଚକୁ ଓ୍ୱେଷ୍ଟ ଇଣ୍ଡିଜ୍  ବିଜୟ ଲାଭ କରି ସିରିଜକୁ ୧-୧ରେ ବରାବର କରିବାକୁ ଚେଷ୍ଟା କରିବ ଓ୍ୱେଷ୍ଟ ଇଣ୍ଡିଜ୍ ।

ଏମିତି ଠକୁଛନ୍ତି ଜମତାରା ଗ୍ୟାଙ୍ଗ, ଜାଣନ୍ତୁ ଅଜଣା ନମ୍ବରରୁ କଲ୍ ଆସିଲେ କ’ଣ କରିବେ…

ଭୁବନେଶ୍ୱର: କେମିତି ଠକୁଥିଲା ଜମତାରା ଗ୍ୟାଙ୍ଗ । ତା’ର ଏକ ଭିଡିଓ ଜାରି କରିଛି କ୍ରାଇମବ୍ରାଞ୍ଚ । ପ୍ରଥମେ ଗ୍ରାହକଙ୍କ ସହ କଥା ହୋଇ ବିଶ୍ୱାସଭାଜନ ହେବା ପରେ ଚତୁରତାର ସହ ଠକୁଛି ଜମତାରା ଗ୍ୟାଙ୍ଗ । ବିଭିନ୍ନ ପ୍ରକାର ଟେକନିକ୍ ବ୍ୟବହାର କରି ଲୋକଙ୍କଠାରୁ ଡାଟା ନେଇ ଠକୁଛି ଗ୍ୟାଙ୍ଗ । ଏନେଇ ଏକ ଭିଡିଓ ଜାରି କରିବା ସହ ଫୋନ୍ ଯୋଗେ କୌଣସି ବ୍ୟାଙ୍କ ଡିଟେଲ୍ସ ମାଗୁଥିବା ଲୋକଙ୍କୁ ଡାଟା ନଦେବାକୁ ପରାମର୍ଶ ଦେଲେ କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା ।

ଏହି ଜମତାରା ଗ୍ୟାଙ୍ଗ ପ୍ରଥମେ ଗ୍ରାହକଙ୍କୁ କଲ୍ କରି ବ୍ୟାଙ୍କର କର୍ମଚାରୀ ବୋଲି କହୁଛନ୍ତି । କଲ୍ କରି ଗ୍ରାହକଙ୍କ ବ୍ୟାଙ୍କ ଖାତା ବନ୍ଦ ହୋଇଯାଇଛି, ଖାତା ଚାଲୁ କରିବାର ଅଛି କି ବୋଲି କହୁଛନ୍ତି । ଏହାର କିଛି ସମୟ ପରେ ବ୍ୟାଙ୍କ ମ୍ୟାନେଜରଙ୍କୁ ଫୋନ ଦେଉଛି ବୋଲି ସାଇବର ଠକ କହୁଛି । ଏହା ପରେ ଅନ୍ୟ ଜଣେ ଠକ ନିଜକୁ ବ୍ୟାଙ୍କ ମ୍ୟାନେଜର କହି କଥା ହେଉଛି ଏବଂ KYC ଅପଡେଟ କରିବାକୁ ଗ୍ରାହକଙ୍କୁ କହୁଛି । KYC ଅପଡେଟ କରିବାକୁ ଗ୍ରାହକଙ୍କୁ ତାଙ୍କ ଏଟିଏମ୍ କାର୍ଡର ୧୬ ଟିକିଆ ନମ୍ବର ମାଗୁଛନ୍ତି । ଏହା ପରେ ଏହି ଏଟିଏମ କାର୍ଡର ଏକ୍ସପାରି ନମ୍ବର ଅଛି କି ନାହିଁ ତାହା ପଚାରୁଛନ୍ତି । ଏହା ପରେ ଗ୍ରାହକଙ୍କୁ ଏକ କୋର୍ଡ ମାଗୁଛନ୍ତି । ଗ୍ରାହକ ସାଇବର ଠକଙ୍କୁ କୋର୍ଡ ଦେବା ପରେ ଠକ ତାଙ୍କ ବ୍ୟାଙ୍କ ଆକାଉଣ୍ଟ କାଲି କରୁଛନ୍ତି ।

ତେବେ ଜମତାରା ଗ୍ୟାଙ୍ଗ ଗିରଫ ଘଟଣାରେ ମଧ୍ୟ ସୂଚନା ଦେଇଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା । ଏହି ସାଇବର ଠକଙ୍କ ବିରୋଧରେ ୭ଟି ରାଜ୍ୟରେ ୫୫ଟି ମାମଲା ରୁଜୁ ହୋଇଛି । ସେହିପରି ବ୍ୟାଙ୍କିଂ ଡାଟା ଦେଉଥିବା ବ୍ୟକ୍ତିଙ୍କ ସୁରାକ ପାଇଛି କ୍ରାଇମବ୍ରାଞ୍ଚ । ଏହି ବ୍ୟକ୍ତି ଜଣଙ୍କ ମୁମ୍ବାଇରର ବୋଲି ଜଣାପଡ଼ିଛି । ୨୦ ହଜାର ବ୍ୟାଙ୍କିଂ ଡାଟା ଦେବାକୁ ୫ ହଜାର ନେଉଥିଲା ସେହ ବ୍ୟକ୍ତି । ଏହି ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ ଝାଡଖଣ୍ଡର ବୋଲି ଜଣା ପଡ଼ିଛି । ତେବେ ଏହି ଗ୍ୟାଙ୍ଗ ଓଡ଼ିଶାରେ କାହାକୁ ଠକି ନଥିବା ଜଣାପଡ଼ିନି । କେବଳ ମୁମ୍ବାଇରେ ଥିବା ଜଣେ ଓଡ଼ିଆ ଲୋକଙ୍କୁ ଠକି ଥିବା ଜଣା ପଡ଼ିଛି ବୋଲି କହିଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା ।

ଗଜପତିରେ ବଢ଼ୁଛି ବିଜେଡି ବଳ, ବିଜେପି ଛାଡି ବିଜେଡିରେ ମିଶିଲେ ଜିଲ୍ଲା ପରିଷଦ ଅଧ୍ୟକ୍ଷା

ଗଜପତି: ଗଜପତିରେ ଭାଙ୍ଗୁଛି ବିଜେପିର ବଳ। ବଢୁଛି ବିଜେଡ଼ିର ବଳ। ତ୍ରିସ୍ତରୀୟ ନିର୍ବାଚନ ପୂର୍ବରୁ ଏଭଳି ଏକ ରାଜନୈତିକ ପରିବର୍ତ୍ତନର ଚିତ୍ର ଦେଖିବାକୁ ମିଳିଛି ଗଜପତି ଜିଲ୍ଲାରେ । ଆଜି ମୋହନାରେ ପୁଣି ବିଜୁ ଜନତା ଦଳର ଏକ ଗଣ ମିଶ୍ରଣପର୍ବ ଅନୁଷ୍ଠିତ ହୋଇଯାଇଛି।  ଜିଲ୍ଲା ପରିଷଦ ଅଧ୍ୟକ୍ଷା ତଥା ମୋହନା ଜିଲ୍ଲା ପରିଷଦ ସଦସ୍ୟା ଅନିତା ରାଣୀ ବେହେରା ବିଜେପି ଛାଡି ବିଜେଡି ସରକାରଙ୍କ ବିକାଶର ମୂଖ୍ୟ ସ୍ରୋତରେ ସାମିଲ ହୋଇଛନ୍ତି । ମୋହନା କଲେଜ ଛକଠାରେ ଆୟୋଜିତ ମିଶ୍ରଣ ପର୍ବରେ ବିଦ୍ଧିବଦ୍ଧ ଭାବେ ବିଜୁଜନତା ଦଳରେ ଯୋଗ ଦେଇଛନ୍ତି ଅନିତା । ତାଙ୍କ ସହ ବିଜେପିର ଶତାଧିକ ନେତୃବୃନ୍ଦ ଓ କର୍ମୀମାନେ ବିଜେଡିରେ ସାମିଲ ହୋଇଛନ୍ତି ।

ଓଡ଼ିଶାର ବିକାଶରେ ମୁଖ୍ୟମନ୍ତ୍ରୀଙ୍କ ଉଲ୍ଲେଖନୀୟ ପଦକ୍ଷେପ ତଥା ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ତାଙ୍କ ସହ ବିଭିନ୍ନ ସ୍ଥାନରୁ ଶତାଧିକ କର୍ମୀ ଓ ପୂର୍ବତନ ଲୋକ ପ୍ରତିନିଧି ଦଳରେ ସାମିଲ ହୋଇଛନ୍ତି । ମିଶ୍ରଣ ପର୍ବରେ ଦଳରେ ସାଧାରଣ ସମ୍ପାଦକ ମାନସ ମଙ୍ଗରାଜ, ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ, ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା, ଜିଲ୍ଲା ସଭାପତି ପ୍ରଦୀପ ନାୟକ ଓ ଜିଲ୍ଲାର ବହୁ ବରିଷ୍ଠ ବିଜେଡି ନେତା ନବାଗତଙ୍କୁ ସ୍ୱାଗତ କରିଛନ୍ତି ।

ସେନାକୁ ସଲାମ, ୪୮ ଘଣ୍ଟା ପରେ ପଥର ସନ୍ଧିରେ ଫସିଥିବା ଯୁବକଙ୍କୁ କଲେ ଉଦ୍ଧାର

ପଲକ୍କଡ: କେରଳର ପଲକ୍କଡ ଅନ୍ତର୍ଗତ ମାଲାମପୁଝାର ଏକ ପାହାଡରେ ଫସିଯାଇଥିବା ଜଣେ ଯୁବ ପର୍ବତାରୋହୀଙ୍କୁ ଉଦ୍ଧାର କରିଛନ୍ତି ରେସକ୍ୟୁ ଟିମ୍ । ଗତ ସୋମବାରଠାରୁ ଏକ ପଥର ସନ୍ଧିରେ ଫସିଯାଇଥିବା ଏହି ଯୁବକ ଦୁଇ ଦିନ ଧରି ବିନା ଖାଦ୍ୟ ଓ ପାଣିରେ ଅତି ବିପଦସଙ୍କୁଳ ଅବସ୍ଥାରେ ରହିଥିଲେ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏକ କ୍ଷୁଦ୍ର ପଥରକୁ ଆଶ୍ରା କରି ଯୁବକଜଣଙ୍କ ବିପଦଜନକ ଅବସ୍ଥାରେ ରହିଥିଲେ ।

ପଥର ସନ୍ଧିରେ ଫସି ରହିଥିବା ଯୁବକଙ୍କୁ ଉଦ୍ଧାର କରିବା ଲାଗି ସେନା ପକ୍ଷରୁ ମିଶନ ଆରମ୍ଭ କରିଥିଲେ । ସ୍ୱତନ୍ତ୍ର ତାଲିମପ୍ରାପ୍ତ ଯବାନ ଏହି ରେସକ୍ୟୁ ଅପରେସନରେ ନିୟୋଜିତ ହୋଇଥିଲେ । ସେନାଙ୍କ ସମେତ ବାୟୁସେନା ଯବାନ ମଧ୍ୟ ରେସକ୍ୟୁ ଅପରେସନରେ ସାମିଲ ହୋଇଥିଲେ । ମୁଖ୍ୟମନ୍ତ୍ରୀ ପିନାରାୟି ବିଜୟନଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଏହି ଅପରେସନ ଜାରି ରହିଥିଲା । ଆର.ବାବୁ ଓ ତାଙ୍କର ଅନ୍ୟ ଦୁଇ ସାଙ୍ଗ ଗତ ସୋମବାର ଚେରାଡ ପର୍ବତ ଚଢ଼ିବା ଲାଗି ଉଦ୍ୟମ କରିଥିଲେ । ମାତ୍ର ଦୁଇ ଜଣ ସାଙ୍ଗ ଏଥିରେ ବ୍ୟର୍ଥ ହୋଇଥିବା ବେଳେ ଆର. ବାବୁ ଶୀର୍ଷକୁ ଯାଇପାରିଥିଲେ । କିନ୍ତୁ ଶୀର୍ଷରେ ପହଞ୍ଚିବା ମାତ୍ରେ ସେ ଖସିପଡି ଏକ ପଥର ସନ୍ଧିରେ ଲାଖି ଯାଇଥିଲେ ।

ହାଇକୋର୍ଟରେ ବଢ଼ିବ ବିଚାରପତିଙ୍କ ସଂଖ୍ୟା

କଟକ: ଓଡ଼ିଶା ହାଇକୋର୍ଟରେ ୩୩କୁ ବୃଦ୍ଧି ପାଇଛି ବିଚାରପତିଙ୍କ ସଂଖ୍ୟା । ପୂର୍ବରୁ ହାଇକୋର୍ଟରେ ଅନୁମୋଦିତ ବିଚାରପତିଙ୍କ ସଂଖ୍ୟା ୨୭ ଥିଲା । ତେବେ ଆଉ ୬ ଜଣ ବିଚାରପତିଙ୍କ ସଂଖ୍ୟା ବୃଦ୍ଧି କରାଯିବା ନେଇ କେନ୍ଦ୍ର ଆଇନ ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟ ଆଇନ ବିଭାଗ ଓ ହାଇକୋର୍ଟକୁ ଚିଠି ଆସିଛି । ବିଚାରପତିଙ୍କ ସଂଖ୍ୟା ୨୫ ପ୍ରତିଶତ ବୃଦ୍ଧି କରିବାକୁ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଡକ୍ଟର ଏସ. ମୁରଲୀଧର ଜାନୁଆରୀ ପ୍ରଥମ ସପ୍ତାହରେ କେନ୍ଦ୍ର ସରକାର ଓ ସର୍ବୋଚ୍ଚ ନ୍ୟାୟାଳୟଙ୍କୁ ସୁପାରିସ କରିଥିଲେ । ଯାହା ଫଳରେ ଆଉ ୬ ଜଣ ବିଚାରପତିଙ୍କ ପଦ ଅନୁମୋଦିତ ହୋଇଛି ।

 

ମୁଖ୍ୟ ବିଚାରପତିଙ୍କୁ ମିଶାଇ ଓଡିଶା ହାଇକୋର୍ଟରେ ଏବେ ୧୮ ଜଣ ବିଚାରପତି କାର୍ଯ୍ୟରତ ଅଛନ୍ତି । ନିକଟରେ ସୁପ୍ରିମକୋର୍ଟଙ୍କ କଲେଜିୟମ ଆଉ ୪ ଜଣଙ୍କ ନାମ ବିଚାରପତି ପାଇଁ ସୁପାରିସ କରିଛନ୍ତି । ଓଡ଼ିଶା ହାଇକୋର୍ଟରେ ଏବେ ୧ ଲକ୍ଷ ୭୦ ହଜାରରୁ ଅଧିକ ମାମଲା ବିଚାର ପାଇଁ ପଡି ରହିଥିବା ଜଣାପଡିଛି ।

ଦେଶରେ ହ୍ରାସ ପାଉଛି କରୋନା ସଂକ୍ରମଣ, ୨୪ ଘଣ୍ଟାରେ ୭୧ ହଜାର ୩୬୫ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ହ୍ରାସ ପାଉଛି କରୋନା ସଂକ୍ରମଣ । ୧ ଲକ୍ଷ ତଳେ ରହିଛି ଦୈନିକ ସଂକ୍ରମଣ । ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଉଛି କିନ୍ତୁ ମୃତ୍ୟୁ ସଂଖ୍ୟାରେ ଲାଗୁନି ବ୍ରେକ୍ । ୨୪ ଘଣ୍ଟାରେ ଦେଶରେ ୭୧ ହଜାର ୩୬୫ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ୨୪ ଘଣ୍ଟାରେ ଦେଶରେ ୧ ହଜାର ୨୧୭ ଜଣଙ୍କ ଜୀବନ ନେଇଛି କିଲର ଭାଇରସ୍ । ଦେଶରେ ବର୍ତ୍ତମାନ ଦୈନିକ ପଜିଟିଭ ରେଟ୍ ୪.୫୪ ପ୍ରତିଶତ ରହିଛି । ସେହିପରି ଭାବରେ ୨୪ ଘଣ୍ଟାରେ ଦେଶରେ ୧ ଲକ୍ଷ ୭୨ ହଜାର ୨୧୧ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

ଦେଶରେ ମଙ୍ଗଳବାର ୬୭ ହଜାର ୫୯୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । କିନ୍ତୁ ଆଜି ଏହି ସଂଖ୍ୟା ସାମାନ୍ୟ ବୃଦ୍ଧି ପାଇଛି । ୨୪ ଘଣ୍ଟାରେ ଦେଶରେ ୭୧ ହଜାର ୩୬୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆକ୍ଟିଭ୍ କେସ୍ କଥା ଯଦି କହିବା ତାହାଲେ ବର୍ତ୍ତମାନ ଭାରତରେ ଆକ୍ଟିଭ୍ କେସ୍ ସଂଖ୍ୟା ୮ ଲକ୍ଷ ୯୨ ହଜାର ୮୨୮ ରହିଛି ।

ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହେଲେ ସହକାରୀ ଜିଲ୍ଲାପାଳ

ରାଉରକେଲା: ରାଉରକେଲା ଏଡିଏମ ଅଫିସରେ କାର୍ଯ୍ୟ କରୁଥିବା ଆସିଷ୍ଟାଣ୍ଟ କଲେକ୍ଟର ମନୋରଞ୍ଜନ ନାୟକ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହୋଇଛନ୍ତି । ଭିଜିଲାନ୍ସ ବିଭାଗ ପକ୍ଷରୁ ଯାଞ୍ଚ ସମୟରେ ଦୁଇ କୋଟିରୁ ଅଧିକ ମୂଲ୍ୟର ସମ୍ପତ୍ତି ଠାବ କରାଯିବା ପରେ ଗିରଫ କରାଯାଇଛି । ରାଉରକେଲା ସହରର ଛେଣ୍ଡ କଳିଙ୍ଗ ବିହାର ଅଞ୍ଚଳରେ ୭୫ ଲକ୍ଷ ଟଙ୍କା ମୁଲ୍ୟର ଗୋଟିଏ ତିନି ମହଲା କୋଠା ଘର ,  ଛେଣ୍ଡ କଳିଙ୍ଗ ବିହାର ଅଞ୍ଚଳରେ  ୩୫ ଲକ୍ଷ ଟଙ୍କା ମୂଲ୍ୟର ଗୋଟିଏ କୋଠାଘର ଓ ଭୁବନେଶ୍ୱରରେ ୫୦ ଲଷ ଟଙ୍କାର ଗୋଟିଏ ଫ୍ଲାଟ ଠାଵ କରାଯାଇଛି । ବ୍ୟାଙ୍କ ଜମା, ଇନସ୍ୟୁରାନ୍ସ, ସୁନା ଅଳଙ୍କାର ଓ ଆସବାବପତ୍ର ୪୦ ଲକ୍ଷ ଟଙ୍କା ଠାବ କରାଯାଇଛି ।

ଏହାସହ ନଗଦ ୨୭ ହଜାର ଟଙ୍କା, ଦୁଇଟି କାର ଓ ଗୋଟିଏ ଦୁଇ ଚକିଆ ଗାଡ଼ି ଠାବ କରାଯାଇଛି । ସମ୍ପର୍କୀୟଙ୍କ ନାମରେ ବେନାମୀ ସମ୍ପତ୍ତି ଠୁଳ କରିଥିବା ଭିଜିଲାନ୍ସର ପ୍ରାଥମିକ ତଦନ୍ତରୁ ଜଣାପଡିବା ପରେ ଅଧିକ ତଦନ୍ତ ଜାରି ରହିଛି । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗରେ ଗତକାଲି ଆସିଷ୍ଟାଣ୍ଟ କଲେକ୍ଟରଙ୍କ ଘର ସମେତ ୫ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଥିଲା । ଛେଣ୍ଡ କଳିଙ୍ଗ ବିହାର ଅଞ୍ଚଳରେ ଦୁଇଟି ସ୍ଥାନ ଭୁବନେଶ୍ୱର ଗୋଠପାଟଣା, ଯାଜପୁର କଳିଙ୍ଗ ନଗର ଓ ଏଡିଏମ ଅଫିସର ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢାଉ କରାଯାଇଥିଲା । ୫ଟି ସ୍ଥାନରେ ୫ଜଣ  ଡିଏସପି, ପାଞ୍ଚ ଜଣ ଇନ୍ସପେକ୍ଟର ଓ ଜଣେ ଅତିରିକ୍ତ ଏସପିଙ୍କ ସହ ଭିଜିଲାନ୍ସ ବିଭାଗର ୨୫ ଜଣିଆ ସଦସ୍ୟ ଚଢାଉ କରିଥିଲେ ।

ରାଜଧାନୀରେ ଚାଞ୍ଚଲ୍ୟ, ୭ ହଜାର ଟଙ୍କା ପାଇଁ ଛାତ୍ରଙ୍କୁ ଅପହରଣ

ଭୁବନେଶ୍ୱର: ରାଜଧାନୀରେ ଚାଞ୍ଚଲ୍ୟ । ୭ ହଜାର ଟଙ୍କା ପାଇଁ କଲେଜ ଛାତ୍ରଙ୍କୁ ଅପହରଣ ଅଭିଯୋଗ । ଛାତ୍ରଙ୍କୁ ଅପହରଣ କରିବା ସହ ଶରୀରର ବିଭିନ୍ନ ଜାଗାକୁ କାଚ ବୋତଲରେ ଆକ୍ରମଣ କରିଛନ୍ତି ଦୁବୃର୍ତ୍ତ । ଏପରିକି ଛାତ୍ରଙ୍କୁ ଅକଥନୀୟ ଅତ୍ୟାଚାର ଦେଇଥିବା ଅଭିଯୋଗ ହୋଇଛି । ଛାତ୍ର ଜଣଙ୍କ ଅପହରଣକାରୀଙ୍କ କବଳରୁ ଚତୁରତାର ସହ ଖସି ଆସି ପରିବାର ଲୋକଙ୍କ ସହ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।

ସୂଚନା ଅନୁସାରେ ଚନ୍ଦ୍ରଶେଖରପୁର ଥାନା ଚୁନୁକୋଳି ବସ୍ତିରେ ରହୁଥିବା ଶିବାଜୀ ସରକାର ନାମକ ଯୁକ୍ତ ୩ର ପ୍ରଥମ ବର୍ଷର ଛାତ୍ର ଅପହରଣର ଶିକାର ହୋଇଥିଲେ । ସେ ପଟିଆ ନିକଟରେ ଥିବା ଏକ ପେଟ୍ରୋଲ ପମ୍ପରେ ତେଲ ପକେଇବା ସମୟରେ ୪ଜଣ ଯୁବକ ତାଙ୍କୁ ଡାକିବା ପରେ ତାଙ୍କ ମୁହଁରେ କଳା କପଡା ପକାଇ ଏକ ଭଙ୍ଗା ଘରେ ରଖି ମାରପିଟ କରିବା ସହ ୭ ହଜାର ଟଙ୍କା ମାଗିଥିଲେ । ଶିବାଜୀ ଯେତେ ନେହୁରା ହୋଇଥିଲେ ମଧ୍ୟ ତାଙ୍କୁ ଛାଡି ନଥିଲେ । ପରେ କୌଶଳ କ୍ରମେ ଛାତ୍ର ଜଣଙ୍କ ଖସି ଆସି ଥାନାରେ ଅଭିଯୋଗ କରିଥିଲେ । ଶିବାଜୀ ଏବଂ ତାଙ୍କ ପରିବାରଙ୍କ ପକ୍ଷରୁ ଦିଆଯାଇଥିବା FIRରେ ଥିବା ୪ ଅଭିଯୁକ୍ତଙ୍କ ନାମରେ ଆଗରୁ ମଧ୍ୟ ସ୍ଥାନୀୟ ଥାନାରେ ଅନେକ ମାମଲା ଥିବା ଜଣାପଡ଼ିଛି । ଶିବାଜୀଙ୍କ ପରିବାର ତରଫରୁ ଅଭିଯୋଗ ହେବା ପରେ ପୋଲିସ ଅନେକ ସ୍ଥାନରେ ଚଢ଼ାଉ କରିଥିଲେ ମଧ୍ୟ ଅପହରଣକାରୀଙ୍କ ଟେର ପାଇନାହିଁ ।

ରାଜ୍ୟରେ ଖସୁଛି କରୋନା ସଂକ୍ରମଣ, ୨୪ ଘଣ୍ଟାରେ ୧ ହଜାର ୭୧୨ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ହ୍ରାସ ପାଉଛି କରୋନା ସଂକ୍ରମଣ । ୨୪ ଘଣ୍ଟାରେ ରାଜ୍ୟରେ ଆଉ ୧ ହଜାର ୭୧୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୯୯୭ ଜଣ ଚିହ୍ନଟ ହୋଇଥିବାବେଳେ ୭୧୫ ଲୋକାଲ କେସ୍ ଚିହ୍ନଟ ହୋଇଛନ୍ତି । ସେହିପରି ୦ରୁ ୧୮ ବର୍ଷ ମଧ୍ୟରେ ୩୨୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯଦି ସୁସ୍ଥ କଥା କହିବା ତାହାଲେ ରାଜ୍ୟରେ ୨୪ ଘଣ୍ଟାରେ ୩ ହଜାର ୪୨୯ ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି ।

୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ୨୫୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଅନୁଗୁଳରୁ ୭୯, ବାଲେଶ୍ୱରରୁ ୫୪, ବରଗଡ଼ରୁ ୧୭, ଭଦ୍ରକରୁ ୨୨, ବଲାଙ୍ଗୀରରୁ ୩୧, ବୌଦ୍ଧରୁ ୨୯, କଟକରୁ ୧୦୪, ଦେଓଗଡ଼ରୁ ୪୬, ଢେଙ୍କାନାଳରୁ ୪୯, ଗଜପତିରୁ ୪୩, ଗଞ୍ଜାମରୁ ୧୦, ଜଗତସିଂହପୁରରୁ ୪୮, ଯାଜପୁରରୁ ୫୩, ଝାରସୁଗୁଡ଼ାରୁ ୨୯, କଳାହାଣ୍ଡିରୁ ୪୯, କନ୍ଧମାଳରୁ ୩୧, କେନ୍ଦ୍ରାପଡ଼ାରୁ ୪୬, କେନ୍ଦୁଝରରୁ ୫୨, କୋରାପୁଟରୁ ୧୧୮, ମାଲକାନଗିରିରୁ ୦୩, ମୟୁରଭଞ୍ଜରୁ ୫୩, ନବରଙ୍ଗପୁରରୁ ୨୬, ନୟାଗଡ଼ରୁ ୪୫, ନୂଆପଡ଼ାରୁ ୩୯, ପୁରୀରୁ ୪୦, ରାୟଗଡ଼ାରୁ ୩୪, ସମ୍ବଲପୁରରୁ ୫୬, ସୋନପୁରରୁ ୫୪, ସୁନ୍ଦରଗଡ଼ରୁ ୧୪୭ ଓ ଷ୍ଟେଟ ପୁଲରୁ ୪୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଦେଶରେ ବଢ଼ୁଛି ଏନକାଉଣ୍ଟର, ୫ ବର୍ଷରେ ଏନକାଉଣ୍ଟରରେ ପ୍ରାଣ ହରାଇଛନ୍ତି ୬୫୫

ନୂଆଦିଲ୍ଲୀ: ଦେଶରେ ବଢୁଛି ପୋଲିସ ଏନକାଉଣ୍ଟର । ଗତ ୫ ବର୍ଷରେ ପୋଲିସ ଏନକାଉଣ୍ଟରରେ ପ୍ରାଣ ହରାଇଛନ୍ତି ୬୫୫ ଜଣ । ଛତିଶଗଡ଼ରେ ସର୍ବାଧିକ ୧୯୧ ଜଣ ପ୍ରାଣ ହରାଇଥିବାବେଳେ, ଦ୍ୱିତୀୟ ସ୍ଥାନରେ ଥିବା ଉତ୍ତର ପ୍ରଦେଶରେ ଘଟିଛି ୧୧୭ଟି ଏନକାଉଣ୍ଟର । ସେହିପରି ଆସାମରେ ୫୦ଟି, ଝାଡଖଣ୍ଡରେ ୪୯ଟି, ଜାମ୍ମୁ ଓ କାଶ୍ମୀରରେ ୩୫ଟି ଘଟଣା ଘଟିଛି । ଗତ ୫ ବର୍ଷରେ ଉତ୍ତରପ୍ରଦେଶରେ କେତୋଟି ଏନକାଉଣ୍ଟର ଘଟିଛି ବୋଲି ଲୋକସଭାରେ ଖୋଦ୍ ବିଜେପି ସାଂସଦ ବରୁଣ ଗାନ୍ଧିଙ୍କ ଏକ ପ୍ରଶ୍ନର ଉତ୍ତର ଦେଇ ଏହି ତଥ୍ୟ ରଖିଛନ୍ତି ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ।

ଗତ ୨୦୧୭ ଜାନୁଆରୀ ୧ରୁ ୨୦୨୨ ଜାନୁଆରୀ ୩୧ ତାରିଖ ମଧ୍ୟରେ ଘଟିଥିବା ଏନକାଉଣ୍ଟର ତଥ୍ୟକୁ ଆଧାର କରି ସଂସଦରେ ଲିଖିତ ଉତ୍ତର ରଖିଛନ୍ତି ମନ୍ତ୍ରୀ । ବିହାରରେ ୨୨ଟି, ହରିଆଣାରେ ୧୫ଟି, ତାମିଲନାଡୁରେ ୧୪ଟି, ତେଲଙ୍ଗାନା, ମଧ୍ୟପ୍ରଦେଶ ଓ ଅରୁଣାଚଳ ପ୍ରଦେଶରେ ୧୩ଟି ଲେଖାଏଁ ଏନକାଉଣ୍ଟର ଘଟିଛି । ରାଜସ୍ଥାନ ଓ ଦିଲ୍ଲୀରେ ୮ଟି ଲେଖାଏଁ ଏନକାଉଣ୍ଟର ଘଟିଛି । ତେବେ ଏହି ଏନକାଉଣ୍ଟରକୁ ନେଇ କେତୋଟି ଏଫଆଇଆର ଦାୟର ହୋଇଛି, କେତୋଟି ଘଟଣାରେ ସମ୍ପୃକ୍ତ ପୋଲିସ ବିରୋଧରେ ତଦନ୍ତ ଜାରି ରହିଛି, କେତେଜଣ ପୋଲିସ ଦୋଷୀ ସାବ୍ୟସ୍ତ ହୋଇଛନ୍ତି, ସେସବୁ ପ୍ରଶ୍ନର ଉତ୍ତର ଦେଇନାହାନ୍ତି ମନ୍ତ୍ରୀ ନିତ୍ୟାନନ୍ଦ । ଏନକାଉଣ୍ଟର ଜନିତ ମୃତ୍ୟୁ ଘଟଣାରେ ତଦନ୍ତ ଲାଗି ଗାଇଡଲାଇନ ଜାତୀୟ ମାନବାଧିକାର କମିଶନ ଜାରି କରିଛନ୍ତି ବୋଲି କହିଛନ୍ତି ମନ୍ତ୍ରୀ ।