spot_img
Home Blog Page 4606

ପୁଣି ବଦଳିବ ପାଗ, ୧୦ରୁ ଭିଜିବ ଓଡ଼ିଶା

ଭୁବନେଶ୍ୱର: ପୁଣି ଆରମ୍ଭ ହେଲା ପାଣିପାଗର ଲୁଚକାଳି ଖେଳ । ଏଥର କମିବ ଶୀତ ପୁଣି ଫେରିବ ବର୍ଷା । କାଲିଠୁ ସ୍ୱାଭାବିକଠାରୁ ୩ ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା କମିବା ସହିତ ୧୦ରୁ ଭିଜିବ ଓଡ଼ିଶା । ପଶ୍ଚିମା ଝଡ ପ୍ରଭାବରେ ବିଭିନ୍ନ ଜିଲ୍ଲାରେ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ବିଶେଷ କରି ଝାରସୁଗୁଡା, ସୁନ୍ଦରଗଡ, ସମ୍ବଲପୁର ଏବଂ ଦେବଗଡ ଜିଲ୍ଲା ସମେତ ଉତ୍ତର ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଘଡଘଡି ବିଜୁଳି ସହ ବର୍ଷା ହେବ ।

ଆଜି ପାଗ ମୁଖ୍ୟତଃ ଶୁଖିଲା ରହିବା ସହ କିଛି ଜିଲ୍ଲାରେ ଘନ କୁହୁଡି ଅନୁଭୁତ ହେବ । ଘନ କୁହୁଡି ପାଇଁ ୧୦ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ଆସନ୍ତାକାଲି ୧୧ଟି ଜିଲ୍ଲାକୁ ଘନ କୁହୁଡି ପାଇଁ ସତର୍କତା ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ୧୦ତାରିଖ ବେଳକୁ ପାଗରେ ପରିବର୍ତ୍ତନ ହେବା ସହ ବର୍ଷା ହେବ । ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବା ସହ ଲୋକଙ୍କୁ ସଚେତନ କରିବାକୁ କହିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ଉଜ୍ଜୀବିତ ହେବ ଓଡିଶାର ଇତିହାସ: ଜାତି ନନ୍ଦିଘୋଷ କୁଇଜରେ ଦିଅନ୍ତୁ ସଠିକ ଉତ୍ତର..

ନନ୍ଦିଘୋଷ ବ୍ୟୁରୋ: କେଡେ ସୁନ୍ଦର ରାଇଜ ମୋର, କେଡେ ମିଠା ମୋ ଭାଷା  । ମୋ ଓଡିଶା…  । ପଟାନ୍ତର ନଥିବା ରାଜ୍ୟ । କଳନା କରି ହେଉନଥିବା କଳାର ମାଟି  । ବୀର ପୁତ୍ରଙ୍କ ବରଦାନର ମାଟି ଆମ ଓଡିଶା  । ରାଜ୍ୟର କଳା-ସାହିତ୍ୟ-ଇତିହାସର ସୁରକ୍ଷା  ଆମ୍ଭ ସମସ୍ତଙ୍କର ଦାୟିତ୍ୱ, ସମାଜରେ ସାମଗ୍ରିକ ଚେତନା ସୃଷ୍ଟି କରିବା ଆମର ପ୍ରଧାନ କର୍ତ୍ତବ୍ୟ । ତେଣୁ ସଂସ୍କୃତି-ଇତିହାସର ଉଜ୍ଜିବୀତ ଅଧ୍ୟାୟକୁ ଉତଥାପନା କରିବାର ପ୍ରୟାସ ଆରମ୍ଭ କରିଛୁ ଆମେ  । ବୈଭବୀ ଓଡିଶାର ଏମିତି ବୀରତ୍ୱ କାହାଣୀକୁ ଜାଗ୍ରତ କରିବାର ନୂଆ ପ୍ରୟାସ ଆରମ୍ଭ କରିଛୁ ଆମେ  ।

ରାଜ୍ୟବାସୀଙ୍କ ମଧ୍ୟରେ ଉତ୍କଳର ଇତିହାସକୁ ପୁନର୍ବାର ମନେ ପକାଇବା ନିମନ୍ତେ ପ୍ରତିଦିନ ଆମେ ପ୍ରଶ୍ନ ପଚାରିବୁ  । ସାମାଜିକ ଗଣମାଧ୍ୟମ ଜରିଆରେ ଆମେ ଉତ୍ତର ଚାହିଁବୁ  । ଯେଉଁ ବ୍ୟକ୍ତି ସଠିକ ଉତ୍ତର ପ୍ରଦାନ କରିବେ  । ତାହାଙ୍କୁ ନନ୍ଦିଘୋଷ ଟିଭି ପକ୍ଷରୁ ପୁରସ୍କାର ପ୍ରଦାନ କରାଯିବ  । ସେଥିପାଇଁ କାର୍ଯ୍ୟକ୍ରମର ନାଁ ରଖିଛୁ ‘ଜାତି ନନ୍ଦିଘୋଷ କୁଇଜ୍’ ପ୍ରଥମ ଦିନରେ ଆମେ ପଚାରିଛି ତିନୋଟି ପ୍ରଶ୍ନ  ।

୧. କେଉଁ ମସିହାରେ ଓଡିଶା ସ୍ୱତନ୍ତ୍ର ପ୍ରଦେଶ ଭାବେ ଗଠନ ହୋଇଥିଲା ?

୨. ସ୍ୱାଧିନତା ପରେ ଓଡିଶାର ପ୍ରଥମ ମୁଖ୍ୟମନ୍ତ୍ରୀ କିଏ ?

୩. ଉତ୍କଳ ସମ୍ମିଳନୀର ପ୍ରତିଷ୍ଠାତା କିଏ ?

ଆପଣ ଓଡ଼ିଶା, ନିଜ ରାଜ୍ୟ ବାବଦରେ କେତେ ଜାଣିଛନ୍ତି ? କେତେ ଚିହ୍ନିଛନ୍ତି ନିଜକୁ, ନିଜ ଜାତିକୁ ? ନିଜ ରାଜ୍ୟର କଳା,ସଂସ୍କୃତି ଓ ଇତିହାସ ବାବଦରେ ଆପଣଙ୍କ ଜ୍ଞାନ କେତେ ? ଏହା ଜାଣିବାକୁ ଭାଗ ନିଅନ୍ତୁ ଜାତି ନନ୍ଦିଘୋଷ କୁଇଜ ପ୍ରତିଯୋଗିତାରେ ଭାଗ ନେଇ ଉତ୍ତର ଦେଇପାରିବେ ।  ଦିଅନ୍ତୁ ପ୍ରଶ୍ନର ସଠିକ ଉତ୍ତର ଓ ଜିତନ୍ତୁ ଆକର୍ଷଣୀୟ ପୁରସ୍କାର  ।  ଦିଆଯାଇଥିବା ହ୍ୱାଟସଅପ୍ ନମ୍ବରରେ ନିଜ ଉତ୍ତର ପଠାଇବେ  । ପରେ ଆପଣଙ୍କ ନାମ ଘୋଷଣା କରାଯିବ  । ଭାଗ୍ୟଶାଳୀ ବିଜେତାଙ୍କୁ  ପୁରସ୍କାର ପ୍ରଦାନ କରାଯିବ  ।  ସଠିକ୍ ଉତ୍ତର ଲେଖି ଆମ WhatsApp ନଂ 9348555715 ରେ ପଠାନ୍ତୁ ।

କୋଭିଡ ଟିକା ଲାଗି ଏଣିକି ଆବଶ୍ୟକ ନାହିଁ ଆଧାର କାର୍ଡ

ନୂଆଦିଲ୍ଲୀ: କୋଭିଡ ଟିକା ଲାଗି ଏଣିକି ଆବଶ୍ୟକ ନାହିଁ ଆଧାର କାର୍ଡ । କୋଓ୍ବିନ ପୋର୍ଟାଲରେ ନାମ ପଞ୍ଜିକରଣ ବେଳେ ଆଧାର କାର୍ଡ ଜରୁରୀ ନୁହେଁ ବୋଲି ସୁପ୍ରିମକୋର୍ଟ ନିକଟରେ ଦର୍ଶାଇଛନ୍ତି କେନ୍ଦ୍ର ସରକାର । ଜଷ୍ଟିସ ଡି. ଓ୍ବାଇ ଚନ୍ଦ୍ରଚୂଡ଼ ଓ ଜଷ୍ଟିସ ସୂର୍ଯ୍ୟକାନ୍ତଙ୍କୁ ନେଇ ଗଠିତ ଖଣ୍ଡପୀଠ ନିକଟରେ ଏହି ଉତ୍ତର ରଖିଛନ୍ତି ସରକାର । କୋର୍ଟରେ ମାମଲାର ଶୁଣାଣି ବେଳେ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ପକ୍ଷରୁ ଦର୍ଶାଯାଇଥିଲା ଯେ, ପାସପୋର୍ଟ, ଡ୍ରାଇଭିଂ ଲାଇସେନ୍ସ, ପାନକାର୍ଡ, ଭୋଟର କାର୍ଡ, ରେସନ କାର୍ଡ ଆଦି ୯ଟି ଡକ୍ୟୁମେଣ୍ଟରୁ କୌଣସି ଗୋଟିଏ ଡକ୍ୟୁମେଣ୍ଟ ଦାଖଲ କରାଯାଇପାରିବ ।

କୋଓ୍ବିନ ପୋର୍ଟାଲରେ ନାମ ପଞ୍ଜିକରଣ ବେଳେ ଆଧାର କାର୍ଡ ବାଧ୍ୟତାମୂଳକ ହୋଇଥିବା ନୀତି ବିରୋଧରେ ଆଗତ ଏକ ଜନସ୍ବାର୍ଥ ମାମଲାର ଶୁଣାଣି ବେଳେ ସରକାର ଏହା କହିଛନ୍ତି । କୋଓ୍ବିନ ପୋର୍ଟାଲ ସମେତ ବିଭିନ୍ନ ଟିକାକରଣ କେନ୍ଦ୍ରରେ ବି ଟିକାଦେବାବେଳେ ଆଧାର କାର୍ଡ ବାଧ୍ୟତାମୂଳକ ଥିବାରୁ ଲୋକେ ଅସୁବିଧାରେ ପଡୁଥିଲେ । ଜନସ୍ବାର୍ଥ ମାମଲା ପରିପ୍ରେକ୍ଷୀରେ କେନ୍ଦ୍ର ସରକାରଙ୍କୁ ଗତବର୍ଷ ଅକ୍ଟୋବର ୧ ତାରିଖରେ ନୋଟିସ ଜାରି କରିଥିଲେ ସୁପ୍ରିମକୋର୍ଟ ।

ପିଲାଙ୍କ ବିନା ସ୍କୁଲ ପ୍ରାଣହୀନ, ସ୍କୁଲ ଖୋଲିବା ଖୁସିରେ ମୁଁ ବି ଖୁସି..

ଭୁବନେଶ୍ୱର:  ପ୍ରାୟ ଦୁଇ ବର୍ଷ ପରେ ଆଜି ରାଜ୍ୟରେ ସ୍କୁଲ ଖୋଲିଛି। ଅଷ୍ଟମ ଠାରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଖୋଲିଥିବା ବେଳେ ପ୍ରଥମରୁ ସପ୍ତମ ପର୍ଯ୍ୟନ୍ତ ୧୪ ତାରିଖରେ ଖୋଲିବ। ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ଛାତ୍ରଛାତ୍ରୀ ଏବଂ ଶିକ୍ଷକଙ୍କୁ ବାର୍ତ୍ତା ଦେଇଛନ୍ତି  । ସ୍କୁଲ ଖୋଲିବା ଖୁସିରେ ପିଲାମାନେ ଖୁସି, ପିଲାମାନଙ୍କ ଖୁସିରେ ସେ ନିଜେ ବି ବହୁତ ଖୁସି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ।  ଆଜି ଆମ ସମସ୍ତଙ୍କ ପାଇଁ ଏକ ଐତିହାସିକ ଦିନ। ପ୍ରାୟ ଦୁଇ ବର୍ଷ ପରେ ଆଜି ସ୍କୁଲ ଘଣ୍ଟା ବାଜିଲା । ପିଲାମାନେ ଆଜି ସ୍କୁଲ ଗଲେ । ମହାପ୍ରଭୁଙ୍କ ଆଶୀର୍ବାଦ, ଆପଣମାନଙ୍କ ସହଯୋଗ ଓ କୋଭିଡ ଯୋଦ୍ଧାଙ୍କ ତ୍ୟାଗ ଯୋଗୁ ଏହା ସମ୍ଭବ ହୋଇପାରିଛି । ଗତ ଦୁଇ ବର୍ଷ ହେଲା କରୋନା ଯୋଗୁ ଜୀବନ ଯାତ୍ରା ପ୍ରଭାବିତ ହୋଇଥିଲା । ସ୍କୁଲ ଖୋଲିବା ହେଉଛି, ସ୍ୱଭାବିକ ଅବସ୍ଥା ଫେରିବାର ଶୁଭ ସୂଚନା ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ।

ପିଲାମାନେ, ଦୁଇ ବର୍ଷ ହେଲା ତୁମେମାନେ ଘର ଭିତରେ ରହିଥିଲ। ସାଙ୍ଗସାଥି ଖେଳକୁଦ ସବୁ ବନ୍ଦ ଥିଲା । ମୁଁ ଜାଣେ ଆଜି ସ୍କୁଲ ଖୋଲିବା ନିଷ୍ପତ୍ତି ତୁମ ମାନଙ୍କୁ ବହୁତ ଖୁସି ଦେଇଛି । ତୁମ ମାନଙ୍କ ଖୁସିରେ ମୁଁ ବି ବହୁତ ଖୁସି । ପାଠପଢା ସହିତ ସାଙ୍ଗସାଥି, ନାଚଗୀତ, ଖେଳକୁଦ, ଖୁସି ମଜା ସବୁ କିଛି ଆଗଭଳି ଚାଲିବ । ଆମେ ପୁଣି ଆଗକୁ ବଢିବା ବୋଲି ସେ ପିଲାମାନଙ୍କୁ ଭରସା ଦେଇଛନ୍ତି । ସମସ୍ତଙ୍କ ସହଯୋଗରେ ଆମେ କରୋନାର ମୁକାବିଲା କରିପାରିଛୁ ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ପ୍ରତି ଶହେ ବର୍ଷରେ ଥରେ ଏହିଭଳି ମହାମାରୀ ଆସେ । ଏଥିରେ ଆମର ଯୁବପୀଢି ସବୁଠାରୁ ଅଧିକ ପ୍ରଭାବିତ ହୋଇଥାନ୍ତି ।

ପିଲାମାନଙ୍କୁ ଭୟ ନ କରିବାକୁ ପରାମର୍ଶ ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ ଆମେ ସମସ୍ତେ ତୁମ ସାଥିରେ ଅଛୁ । କିନ୍ତୁ ତୁମକୁ ସତର୍କ ରହିବାକୁ ହେବ । ତୁମ ମାନଙ୍କୁ ମୋର ଅନୁରୋଧ, ତୁମେମାନେ କୋଭିଡ ଗାଇଡଲାଇନ ଠିକ୍‌ ଭାବରେ ପାଳନ କରିବ । ସ୍କୁଲ ସମୟରେ ଓ ବାହାରେ ମାସ୍କ ଠିକ୍‌ ଭାବରେ ପିନ୍ଧିବ । ବାରମ୍ବାର ସାବୁନରେ ହାତ ଧୋଇବ। କୋଭିଡ ନିୟମ ପାଳନରେ କେବେ ବି ହେଳା କରିବ ନାହିଁ। ପାଠପଢାରେ ଯାହା କିଛି କ୍ଷତି ହୋଇଛି, ତାକୁ ପୂରଣ କରିବା ପାଇଁ ଆମେ ଦିନରାତି ପରିଶ୍ରମ କରିବା । ପିଲାମାନଙ୍କର କିଛି ଅସୁବିଧା ହେବ ନାହିଁ ବୋଲି ସେ କହିଛନ୍ତି ।

ଏହି ଅବସରରେ ଶିକ୍ଷକ ମାନଙ୍କ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ‘ଆମ ସଂସ୍କୃତିରେ ଗୁରୁଙ୍କୁ ଆମେ ଭଗବାନ ଭାବରେ ସମ୍ମାନ କରୁ। ଗୁରୁଙ୍କ ଆଶୀର୍ବାଦ, ମାର୍ଗଦର୍ଶନ ହିଁ ଜୀବନରେ ସଫଳତା ଆଣିଥାଏ। ଆପଣମାନେ ଜାଣନ୍ତି, କୋଭିଡ ଯୋଗୁ ସବୁଠାରୁ ଅଧିକ କ୍ଷତି ହୋଇଛି ପିଲାମାନଙ୍କର ଓ ସେମାନଙ୍କ ପାଠପଢାର। ତେଣୁ ଆମେ ସମସ୍ତେ ମିଶି ସେ କ୍ଷତି ଭରଣା କରିବା । ମୋର ପୁରା ଭରସା, ଆପଣମାନଙ୍କ ଉପରେ ରହିଛି । କୋଭିଡ ଯୋଗୁ ପାଠପଢାରେ ଯେଉଁ କ୍ଷତି ହୋଇଛି, ତାକୁ ଆପଣମାନେ ହିଁ ପୂରଣ କରିପାରିବେ । ଆପଣମାନେ ସବୁବେଳେ କୋଭିଡ ନିୟମ ପାଳନ ପାଇଁ ମଧ୍ୟ ବିଶେଷ ଦୃଷ୍ଟି ଦିଅନ୍ତୁ ।’ ଶିକ୍ଷକ ମାନଙ୍କ ଦାୟିତ୍ୱରେ ଏବେ ପିଲାମାନେ ରହିଲେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ପିଲାଙ୍କ ବିନା ସ୍କୁଲ ପ୍ରାଣହୀନ । ପିଲାଙ୍କ ବିନା ସ୍କୁଲର ଅର୍ଥ କିଛି ନାହିଁ ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ବହୁ ଦିନ ପରେ ସ୍କୁଲ ଆଜି ପୁଣି ଚଳଚଞ୍ଚଳ ହୋଇଛି । ପିଲାଙ୍କ କୋଳାହଳରେ ସ୍କୁଲ ଆଜି ନୂଆ ଜୀବନ ପାଇଛି । ସ୍କୁଲ ପରିଚାଳନା ବୋର୍ଡକୁ ପିଲାଙ୍କ ସୁରକ୍ଷା ପାଇଁ ସ୍ବତନ୍ତ୍ର ଧ୍ୟାନ ଦେବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି । ପିତାମାତା ଓ ଅଭିଭାବକ ମାନେ ପିଲାଙ୍କୁ ସ୍କୁଲ ଛାଡନ୍ତୁ ଏବଂ ଭଲ ଭାବରେ ମାସ୍କ ପିନ୍ଧାଇ ଛାଡନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି। କୋଭିଡ ଗାଇଡଲାଇନ ଠିକ୍‌ ଭାବରେ ପାଳନ କରିବା ପାଇଁ ପିଲାମାନଙ୍କୁ ଉତ୍ସାହିତ କରିବାକୁ ମୁଖ୍ୟମନ୍ତ୍ରୀ ଅଭିଭାବକ ମାନଙ୍କୁ ଅନୁରୋଧ କରିଛନ୍ତି । ପିଲାଙ୍କ ଖୁସିରେ ପରିବାରର ଖୁସି ବୋଲି ସେ କହିଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ମାନବ ଜାତି ଅନେକ ଆହ୍ବାନର ସମ୍ମୁଖୀନ ହୋଇଛି। କିନ୍ତୁ ସବୁବେଳେ ସଫଳତାର ସହିତ ମୁକାବିଲା କରି ଆଗକୁ ବଢିଛି ବୋଲି ପ୍ରକାଶ କରି ସେ ପିଲାମାନଙ୍କର ମନୋବଳ ବୃଦ୍ଧି କରିଛନ୍ତି । ତୁମମାନଙ୍କ ପୀଢି ମାନବ ଇତିହାସର ସବୁଠାରୁ କଠିନ ପରିସ୍ଥିତିକୁ ସାମ୍‌ନା କରିଛି ଏବଂ ଭବିଷ୍ୟତ ଆହ୍ବାନର ମୁକାବିଲା ପାଇଁ ଏ ଅଭିଜ୍ଞତା ତୁମକୁ ସାହସ ଓ ଶକ୍ତି ଦେବ ବୋଲି ମୁଖ୍ୟମନ୍ତ୍ରୀ କହିବା ସହିତ ସେ ପିଲାମାନଙ୍କ ଉପରେ ଦୃଢ ଆସ୍ଥା ପ୍ରକାଶ କରି କହିଛନ୍ତି ଯେ ‘ମୋର ପୁରା ବିଶ୍ବାସ, ତୁମେମାନେ, ତୁମମାନଙ୍କ ସଫଳତା ଦ୍ବାରା, ମାନବ ସମାଜକୁ ଆହୁରି ଉଜ୍ଜଳ ଭବିଷ୍ୟତ ଆଡକୁ ଆଗେଇ ନେବ।’

ପୌର ପରିଷଦ ଓ ମହାନଗର ନିଗମ ନିର୍ବାଚନ ପାଇଁ ୧୦ରେ ବସିବ ସର୍ବଦଳୀୟ ବୈଠକ

ଭୁବନେଶ୍ୱର: ପୌର ପରିଷଦ ଓ ମହାନଗର ନିଗମ ନିର୍ବାଚନ ପାଇଁ ଆସନ୍ତା ୧୦ ତାରିଖରେ ବସିବ ସର୍ବଦଳୀୟ ବୈଠକ । ପୌର ନିର୍ବାଚନ ପାଇଁ ତ୍ରୁଟିଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତି ସାଙ୍ଗକୁ ଅବାଧ ଓ ନିରପେକ୍ଷ ନିର୍ବାଚନ ପାଇଁ ରାଜନୈତିକ ଦଳ ସହ ବିଚାର ବିମର୍ଶ କରିବେ ରାଜ୍ୟ ନିର୍ବାଚନ କମିଶନର । ଏହା ପୂର୍ବରୁ ଆୟୋଗ ପୌର ନିର୍ବାଚନ ପାଇଁ ଭୋଟର ତାଲିକା ପ୍ରସ୍ତୁତିର ଖସଡ଼ା ଘୋଷଣା କରିଥିଲେ । ଆସନ୍ତା ୧୦ତାରିଖରେ ରାଜ୍ୟର ୫୯ଟି ବିଜ୍ଞାପିତ ଅଞ୍ଚଳ ପରିଷଦ, ୪୮ଟି ପୌର ପରିଷଦ ଏବଂ ୩ଟି ମହାନଗର ନିଗମରେ ୱାର୍ଡୱାରୀ ଚିଠା ଭୋଟର ତାଲିକା ପ୍ରକାଶ ପାଇବ।

ଏଥର ପ୍ରଥମ ଥର ପାଇଁ ଚିଠା ଭୋଟର ତାଲିକା ରାଜେନୖତିକ ଦଳଗୁଡ଼ିକୁ ଆୟୋଗ ପକ୍ଷରୁ ଦିଆଯିବ । ପଞ୍ଚାୟତ ନିର୍ବାଚନ ବାବଦରେ ଜିଲ୍ଲାପାଳଙ୍କ ସହ ଆଲୋଚନା ବେଳେ ରାଜ୍ୟ ନିର୍ବାଚନ କମିଶନର ପୌର ନିର୍ବାଚନ ବାବଦରେ ବି ଆଲୋଚନା କରିଛନ୍ତି । ଆସନ୍ତା ୧୦ ତାରିଖରେ ଭୁବନେଶ୍ବର ଗୀତଗୋବିନ୍ଦ ସଦନରେ ଦିନ ସାଢେ ୧୧ଟାରେ ସର୍ବଦଳୀୟ ବୈଠକ ବସିବ । କୋଭିଡ୍‌ କଟକଣା ଯୋଗୁଁ ସବୁ ଦଳର ଜଣେ ଲେଖାଏଁ ପ୍ରତିନିଧି ଯୋଗ ଦେବାକୁ ଆୟୋଗ ନିର୍ଦ୍ଦେଶ ଦେଇଛନ୍ତି ।

ଭୋଟ ଓ ଗଣତି ଦିନ ବନ୍ଦ ରହିବ ମଦ ବିକ୍ରି

ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ବେଳେ ନିଶା ରୋକିବାକୁ ଅବକାରୀ ବିଭାଗର ଗୁରୁତ୍ୱ । ନିର୍ବାଚନ ତାରିଖ ଦିନ ହେବ ଡ୍ରାଇ-ଡେ । ଗଣତି ଦିନକୁ ବି ଡ୍ରାଇ ଡେ ଘୋଷଣା କରାଯାଇଛି । ମତଦାନର ୪୮ ଘଣ୍ଟା ଆଗରୁ ବନ୍ଦ ହେବ ମଦ ଦୋକାନ । ଏନେଇ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଅବକାରୀ କମିଶନର । ରାଜ୍ୟରେ ୫ଟି ପର୍ଯ୍ୟାୟରେ ନିର୍ବାଚନ ହେଉଛି । ୧୬, ୧୮, ୨୦, ୨୨ ଓ ୨୪ ତାରିଖରେ ଡ୍ରାଇ ଡେ ଘୋଷିତ ।

ଏହି ଦିନ ଗୁଡ଼ିକରେ ମଦ ବିକ୍ରି ସମ୍ପୂର୍ଣ୍ଣ ନିଷେଧ କରାଯାଇଛି । ସେହିପରି ୨୬ରୁ ୨୮ ତାରିଖ ଯାଏ ମଧ୍ୟ ମଦବିକ୍ରି ବନ୍ଦ କରିବାକୁ ନିର୍ଦ୍ଦେଶନାମାରେ କୁହାଯାଇଛି । ଓଡ଼ିଶା ଅବକାରୀ ଆଇନ ଅନୁସାରେ ଦେଶୀ ଓ ବିଦେଶୀ ମଦ, IMFL ନିଷିଦ୍ଧ ହୋଇଛି । ନିର୍ବାଚନ ଦିନ ଦୋକାନ, ହୋଟେଲ, ରେଷ୍ଟୁରାଣ୍ଟରେ ମଦ ବିକ୍ରି ମନା ହୋଇଛି । ତାରକା ହୋଟେଲରେ ମଧ୍ୟ ବିକ୍ରି ହୋଇପାରିବ ନାହିଁ ମଦ ।

ମୃତ ସାମ୍ବାଦିକ ରୋହିତଙ୍କ ପରିବାରକୁ ମିଳିଲା ସହାୟତା ରାଶି

କଳାହାଣ୍ଡି: ମୃତ ସାମ୍ବାଦିକଙ୍କ ପରିବାରକୁ ମିଳିଲା ସହାୟତା  । ରାଜ୍ୟ ସାମ୍ବାଦିକ କଲ୍ୟାଣ ପାଣ୍ଠିରୁ ଘୋଷଣା ହୋଇଥିବୀ ୪ଲକ୍ଷ ସହାୟତା ଅର୍ଥ ରାଶିକୁ ଆଜି ପ୍ରଦାନ କରାଯାଇଛି  । ମାଏବାଦୀଙ୍କ ଦ୍ୱାରା ହୋଇଥିବା ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ମୃତ୍ୟୁ ଘଟିଥିହା ସାମ୍ବାଦିକ ରୋହିତ ବିଶ୍ୱାଳଙ୍କ ପତ୍ନୀ ମାଧବୀ ବିଶ୍ୱାଳଙ୍କୁ ମିଳିଛି ଏହି ଆର୍ଥିକ ସହାୟତା ରାଶି  ।

ଲ୍ୟାଣ୍ଡମାଇନ ବିସ୍ଫୋରଣରେ କଳାହାଣ୍ଡି ଏମ୍‌. ରାମପୁରର ଯୁବ ସାମ୍ବାଦିକ ରୋହିତ ବିଶ୍ୱାଳଙ୍କ ଫେବୃଆରୀ ୫ ତାରିଖରେ ମୃତ୍ୟୁ ଘଟିଥିଲା । ଖବର ସଂଗ୍ରହ ପାଇଁ ଯାଇଥିବା ବେଳେ ଲାଲବାହିନୀ ମାଟିତଳେ ଖଞ୍ଜିଥିବା ଲ୍ୟାଣ୍ଡମାଇନ ଉପରେ ତାଙ୍କ ବାଇକ୍ ଚଢି ଯାଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ତାଙ୍କ ମୃତ୍ୟୁ ହୋଇଥିବା ବେଳେ, ବାଇକ ଭାଙ୍ଗି ଚୁରମାର ହୋଇଯାଇଥିଲା ।

ସେପଟେ ମାଓବାଦୀଙ୍କ ବିସ୍ପୋରଣରେ  ପ୍ରାଣ ହରାଇଥିବା ସାମ୍ବାଦିକଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀଙ୍କ ସହାୟତା ରାଶି ଘୋଷଣା କରିଥିଲେ । ଯୁବ ସାମ୍ବାଦିକ ରୋହିତ ବିଶ୍ୱାଳଙ୍କ ପରିବାରକୁ ୧୩ ଲକ୍ଷ ଟଙ୍କା ଦେବା ନେଇ ନିର୍ଦ୍ଦେଶ ଦେଇଛନ୍ତି  ।  ରାଜ୍ୟ ପୋଲିସ ପକ୍ଷରୁ ୯ ଲକ୍ଷ ଓ ସାମ୍ବାଦିକ କଲ୍ୟାଣ ପାଣ୍ଠିରୁ ୪ ଲକ୍ଷ ଟଙ୍କା ସହାୟତା ମିଳିବ । ତୁରନ୍ତ ମୃତ ସାମ୍ବାଦିକଙ୍କ ପରିବାରକୁ କ୍ଷତିପୂରଣ ରାଶି ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଥିଲେ  । ଆଜି ମୃତ ରୋହିତଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରିଛନ୍ତି  ।

ମୃତ୍ୟୁ ପୂର୍ବରୁ ସୋନାଲିଙ୍କ ପାଖେ କାନ୍ଦୁଥିଲେ ସୌମ୍ୟ, ଶେଷ କଲରେ ଅଛି ସାଙ୍ଘାତିକ କଥା..

ଭୁବନେଶ୍ୱର: ଯୁବ ବ୍ୟବସାୟୀ ତଥା ଯୁବ ମଡେଲ ସୌମ୍ୟ ରଞ୍ଜନ ପାଣିଗ୍ରାହୀ ମୃତ୍ୟୁ ମାମଲା । ସାମ୍ନାକୁ ଆସିଲା ସୌମ୍ୟ-ଯୁବତୀଙ୍କ ମୃତ୍ୟୁ ପୂର୍ବରୁ ଶେଷ ଅଡିଓ କଲ । ୯ ମିନିଟ ୧୨ ସେକେଣ୍ଡର ଅଡିଓ କଲ ଭାଇରଲ ହେବାର ଲାଗିଛି । ସୌମ୍ୟ କାନ୍ଦି କାନ୍ଦି ନିଜ ପ୍ରେମ ସମ୍ପର୍କକୁ ନେଇ ଯୁବତୀଙ୍କ ସହ କଥା ହେଉଛନ୍ତି । ସାରସ୍ୱତ ନାମକ ଏକ ଯୁବକଙ୍କ ସହ କାହିଁକି ପ୍ରେମିକା ଜଣଙ୍କ କଥା ହେଉଛନ୍ତି, ସେନେଇ ପ୍ରତିବାଦ କରୁଛନ୍ତି । ସେପଟେ ଯୁବତୀ ଜଣଙ୍କ ପୁରୁଷ ବନ୍ଧୁ ସୌମ୍ୟଙ୍କ କଥାକୁ ପ୍ରାଧାନ୍ୟ ପନଦେଇ ସାରସ୍ୱତଙ୍କ କଥା ହେବେ ବୋଲି କହୁଛନ୍ତି   ।

ଏମିତିକି ଯୁବତୀ ଜଣଙ୍କ କହୁଛନ୍ତି ବହୁତ ହୋଇଗଲା, ତମ ପ୍ରତି ମୋ ମନରେ ଭଲ ପାଇବା ନାହିଁ । ତମେ ଆଜିଠୁ ମତେ ଫୋନ କରିବନି ବୋଲି କହୁଥିବା କଲ ରେକର୍ଡିଂରେ ଶୁଣିବାକୁ ମିଳୁଛି  । ସେପଟେ ଯୁବକ ଜଣଙ୍କ କାନ୍ଦି କାନ୍ଦି କହୁଛନ୍ତି ଭଲରେ କଥା ହେବା ପାଇଁ  । କିନ୍ତୁ ସାରସ୍ୱତ ନାମକ ଯୁବକଙ୍କ ସହ ପ୍ରେମିକା କଥା ହୋଇଥିବାରୁ ସୌମ୍ୟଙ୍କ ମନରେ ଆଘାତ ଲାଗିଥିବା ସେ କହୁଛନ୍ତି  । ସେପଟେ ମହିଳା ବନ୍ଧୁ ଫୋନଟି କାଟି ଦେଇଥିବା ସ୍ପଷ୍ଟ ହୋଇଛି  । ତେବେ ଘଟଣାର ପରବର୍ତ୍ତୀ ସମୟରେ ପୁରୁଷବନ୍ଧୁ ସୌମ୍ୟ ଆତ୍ମହତ୍ୟା କରିଥିଲେ ।  ସଂପୃକ୍ତ ଯୁବତୀ ଧୋକା ଦେବା ପରେ ଏଭଳି ପଦକ୍ଷେପ ନେଇଥିବା ସୁଇସାଇଡ ନୋଟରେ ଉଲ୍ଲେଖ କରିଛନ୍ତି ଯୁବକ  ।

ଅନୁଭବ କରିଥିଲେ ଅଭିଯୋଗ, ବର୍ଷା ଫେରାଇବେ ନାହିଁ ପାର୍ଲାମେଣ୍ଟ କାର୍ଡ

କଟକ: ପାର୍ଲାମେଣ୍ଟ ସ୍ପାଉସ କାର୍ଡ ସରେଣ୍ଡର କରିବେ ନାହିଁ ସାଂସଦ ଅନୁଭବ ମହାନ୍ତିଙ୍କ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ । କାର୍ଡ ସରେଣ୍ଡର କରିବାକୁ ପାର୍ଲାମେଣ୍ଟ ସଚିବଙ୍କ ନିର୍ଦ୍ଦେଶ ଉପରେ ରୋକ୍ ଲଗାଇଛନ୍ତି ହାଇକୋର୍ଟ । ବର୍ଷାଙ୍କ ପକ୍ଷରୁ ଦାୟର ମାମଲାର ବିଚାର କରି ନିର୍ଦ୍ଦେଶ ଉପରେ ସ୍ଥଗିତାଦେଶ ଜାରି କରିଛନ୍ତି କୋର୍ଟ । ପୂର୍ବରୁ ସ୍ପାଉସ କାର୍ଡକୁ ଫେରାଇବା ପାଇଁ ଅନୁଭବ ପାର୍ଲାମେଣ୍ଟ ସଚିବଙ୍କୁ ଲିଖିତ ଭାବେ ଜଣାଇଥିଲେ ।

ଅନୁଭବଙ୍କ ଅଭିଯୋଗ ପରେ କାର୍ଡ ଫେରାଇବାକୁ ନିର୍ଦ୍ଦେଶ ଦେଇଥିଲେ ପାର୍ଲାମେଣ୍ଟ ସଚିବ । ଏନେଇ ହାଇକୋର୍ଟରେ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରିଥିଲେ ବର୍ଷା । ମାମଲାକୁ ଗ୍ରହଣ କରି କୋର୍ଟ ଆଜି ଏହି ନିର୍ଦ୍ଦେଶ ଦେଇଛନ୍ତି । ଏଥିସହିତ ବୈବାହିକ ବିବାଦକୁ ନେଇ ଅନୁଭବ ବାରମ୍ବାର ଗଣମାଧ୍ୟମକୁ ଦେଉଥିବା ପ୍ରତିକ୍ରିୟା ଉପରେ ମଧ୍ୟ ଲଗାମ ପାଇଁ କୋର୍ଟଙ୍କୁ ପ୍ରାର୍ଥନା କରିଛନ୍ତି ବର୍ଷା ପ୍ରିୟଦର୍ଶିନୀ । ଆସନ୍ତା ମାର୍ଚ୍ଚ ୧୫ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ।

ଚାଷୀଙ୍କ ସହ ଖେଳୁଛନ୍ତି କେନ୍ଦ୍ର ସରକାର, କାଲିଠୁ ହେବ ଗଣ ଧାରଣା

ଭୁୂବନେଶ୍ୱର:  ବଳକା ଉଷୁନା ଚାଉଳ ନେଇ ପୁଣି ବିଜେପି ବିରୋଧରେ ବର୍ଷିଛି ବିଜେଡି  । ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ର, ସୁଲତା ଦେଓ ବିଜେପିକୁ ଟାର୍ଗେଟ କରିଛନ୍ତି  ।  ନିର୍ବାଚନ ଆସିଲେ ବିଜେପିର ଚାଷୀଙ୍କ କଥା ମନେ ପଡେ  । ମିଥ୍ୟା ପ୍ରତିଶ୍ରୁତି ଦେଇଥାନ୍ତି ବିଜେପି ନେତା  । ଧାନ ଚାଉଳ ଉତ୍ପାଦନରେ ବଳକା ରାଜ୍ୟ ଭାବେ ଓଡିଶାକୁ ବିବେଚନା କରାଯାଏ  । ଓଡିଶାରେ ପ୍ରଚୁର ପରିମାଣରେ ଉଷୁନା ଚାଉଳ ଉତ୍ପାଦନ କରାଯାଇଥାଏ  । କେନ୍ଦ୍ର ସରକାର ବଳକା ଚାଉଳ ସଂଘୀୟ ବ୍ୟବସ୍ଥା ଅନୁସାରେ ଉଠାଣ କରିଥାନ୍ତି  । FCI ଜରିଆରେ ଏହି ବଳକା ଉଷୁନା ଚାଉଳ କେନ୍ଦ୍ର ସରକାର ଉଠାଇ ଥାଆନ୍ତି   । ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଅନ୍ୟ ରାଜ୍ୟରେ ମଧ୍ୟ ଏହି ବଳକା ଚାଉଳକୁ ପ୍ରଦାନ କତରାଯାଇଥାଏ   । କିନ୍ତୁ କେନ୍ଦ୍ର ସରକାର ଓଡିଶା ସହ ଖେଳୁଛନ୍ତି  । ଓଡିଶାର ଚାଷୀଙ୍କ ସହ ଅନ୍ୟାୟ କରୁଛନ୍ତି  ବୋଲି କହିଛି ବିଜେଡି ।

ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ର କହିଛନ୍ତି, ୨୦୨୦ ମସିହାରେ ଖରିଫ ଋତୁରେ ଓଡିଶାରେ ୫୨ ଲକ୍ଷ ମେଟ୍ରିକ ଟନ ଚାଉଳ ଉତ୍ପାଦନ କରାଯାଇଛି  । ରାଜ୍ୟ ସରକାର ୩୦ ଲକ୍ଷ ମେଟ୍ରିକ ଟନ ନିଜର ବ୍ୟବହାର ନିମନ୍ତେ ରଖିଛନ୍ତି  । ମୋଟାମୋଟି ୨୨ ଲକ୍ଷ ମେଟ୍ରିକ ଟନ ଚାଉଳ ଉଠାଇବା କଥା  । ଏବି ବ୍ୟବସ୍ଥା ଅନୁଯାୟୀ କେନ୍ଦ୍ର ସରକାର ୨ ଲକ୍ଷ ମେଟ୍ରିକ ଟନ ଅରୁଆ ଚାଉଳ, ୫ ଲକ୍ଷ ମେଟ୍ରିକ ଟନ ଭିଟାମିନ ଯୁକ୍ତ ଉଷୁନା ଚାଉଳ ଉଠାଇବା ନେଇ ପ୍ରତିଶ୍ରୁତି ଦେଇଥିଲେ  । ଏବଂ ବାକି ୧୫ ଲକ୍ଷ ମେଟ୍ରିକ ଟନ ଚାଉଳ ପରବର୍ତ୍ତୀ ସମୟରେ ଉଠାଇବେ ବୋଲି କହିଥିଲେ  । କିନ୍ତୁ ସେଥିରେ ଗୋଚଟିଏ ମଧ୍ୟ କେନ୍ଦ୍ର ସରକାର ପୂରଣ କରି ନାହାଁନ୍ତି  । ଫଳରେ ଏହି ବଳକା ଚାଉଳ ଏବେ କଣ ହେବ ? ଗଛିତ ଥିବା ଚାଉଳର  ଭାଗ୍ୟ ଓ ଭବିଷ୍ୟତ କଣ ତାହାକୁ ନେଇ ପ୍ରଶ୍ନ ଉଠାଇଛି ବିଜେଡ଼ି  ।

ସେପଟେ ଏହି ଅଭିଯୋଗ ନେଇ ଆସନ୍ତା କାଲି ଅର୍ଥାତ ମଙ୍ଗଳବାର ଠାରୁ ବିଜେଡି ଭୁବନେଶ୍ୱର FCI ଆଗରେ ଦଳ ତରଫରୁ ଗଣ ଧାରଣା ଦିଆଯିବ  । ବିଜେପି ନେତା ମାନେ କେବଳ ନିର୍ବାଚନ ସମୟରେ କୁମ୍ଭୀର କାନ୍ଦଣା କାନ୍ଦିଥାନ୍ତି  । ଚାଷୀଙ୍କ ସହ ଖେଳିଥାନ୍ତି  । ଏନେଇ ବିଜେପିର କୌଣସି ସାଂସଦ ମଧ୍ୟ କେନ୍ଦ୍ର ନିକଟରେ ଫେରାଦ ହୋଇନଥିବା ଅଭିଯୋଗ କରିଛି ବିଜେଡି  ।