ଗଜପତି: ଗଜପତି ଜିଲ୍ଲାରେ ଭାଙ୍ଗିଲା ବିଜେପିର ଦୁର୍ଗ । ଦୃଢ଼ ହେଉଛି ବିଜେଡି ଗଡ଼ । ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପୂର୍ବରୁ ଏଭଳି ରାଜନୈତିକ ସମୀକରଣ ଦେଖିବାକୁ ମିଳିଛି । ଜିଲ୍ଲାରେ ଆଜି ପୁଣି ବିଜୁ ଜନତା ଦଳର ଏକ ଗଣ ମିଶ୍ରଣପର୍ବ ଅନୁଷ୍ଠିତ ହେଉଛି । ବିଜେପି ଛାଡି ବିଜେଡି ସରକାରଙ୍କ ବିକାଶର ମୁଖ୍ୟ ସ୍ରୋତରେ ସାମିଲ ହେଉଛନ୍ତି । ବିଜେପିର ପୂର୍ବତନ ଜିଲ୍ଲା ସଭାପତି ଭି. ରାବଣା ଓ ବହୁ ମଣ୍ଡଳ ସଭାପତି ବିଜେଡିରେ ସାମିଲ ହେଉଛନ୍ତି । ଓଡ଼ିଶାର ବିକାଶରେ ମୁଖ୍ୟମନ୍ତ୍ରୀଙ୍କ ପଦକ୍ଷେପ ତଥା ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ବିଭିନ୍ନ ସ୍ଥାନରୁ ଶତାଧିକ କର୍ମୀ ଓ ପୂର୍ବତନ ଲୋକ ପ୍ରତିନିଧି ଦଳରେ ସାମିଲ ହେଉଛନ୍ତି । ବିଜେଡି ସାଧାରଣ ସମ୍ପାଦକ ମାନସ ମଙ୍ଗରାଜ, ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ, ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା, ଗଜପତି ଜିଲ୍ଲା ବିଜେଡି ସଭାପତି ପ୍ରଦୀପ ନାୟକ ଓ ଜିଲ୍ଲା ନିର୍ବାଚନ ଦାୟିତ୍ୱରେ ଥିବା ତିରୁପତି ପାଣିଗ୍ରାହୀ ଓ ବହୁ ବରିଷ୍ଠ ବିଜେଡି ନେତାଙ୍କ ଉପସ୍ଥିତିରେ ଏହି ମିଶ୍ରଣ ପର୍ବ ହୋଇଛି ।
ଦୁର୍ନୀତି ବିରୋଧରେ ମୁଖ୍ୟମନ୍ତ୍ରୀଙ୍କ କଠୋର ଆଭିମୁଖ୍ୟ: ୫ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଲେ ରାଜ୍ୟ ସରକାର
ଭୁବନେଶ୍ୱର: ଦୁର୍ନୀତିଗ୍ରସ୍ତ ଓ ଅପାରଗଙ୍କ ବିରୋଧରେ ମୁଖ୍ୟମନ୍ତ୍ରୀଙ୍କ କଠୋର ଆଭିମୁଖ୍ୟ । ୫ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି । ଅପାରଗ ତଥା ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୋଧରେ ଜିରୋ ଟଲେରାନ୍ସ ଉପରେ ଜୋର ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ସ୍ୱଚ୍ଛ, ଦକ୍ଷ ଏବଂ ଉତ୍ତରଦାୟୀ ପ୍ରଶାସନ ମାଧ୍ୟମରେ ଉତ୍ତମ ସେବା ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନିରନ୍ତର ପ୍ରଚେଷ୍ଟା ଜାରି ରଖିଛନ୍ତି । ରାଜ୍ୟ ସରକାରଙ୍କ ଏହି ଆଭିମୁଖ୍ୟ ଅନୁଯାୟୀ ଏବେ ଆଉ ୫ ଜଣ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି । ଏଥିରେ ଇଞ୍ଜିନିୟର, ସିଡିପିଓ, ଅଙ୍ଗନବାଡି ସୁପରଭାଇଜର, ପୋଲିସ ଇନ୍ସପେକ୍ଟର, ରେଭିନ୍ୟୁ ସୁପରଭାଇଜର ଅନ୍ତର୍ଭୁକ୍ତ ଅଛନ୍ତି ।
ଯେଉଁ ୫ ଜଣଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି ସେମାନଙ୍କ ମଧ୍ୟରୁ ବାରିପଦା ଆଇଟିଡିଏର ଆସିଷ୍ଟାଣ୍ଟ ଇଂଜିନିୟର ସନ୍ତୋଷ କୁମାର ଦାସଙ୍କର ୨.୮୦ କୋଟି ଟଙ୍କାର ଆୟ ବହିର୍ଭୁତ ସମ୍ପତ୍ତି ରହିଛି । ସେଥିପାଇଁ ତାଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିଲା । ତାଙ୍କ ଘରୁ ୪୧.୭୭ ଲକ୍ଷ ଟଙ୍କା ନଗଦ ଜବତ କରାଯାଇଥିଲା । ଭୁବନେଶ୍ବର ବଡ଼ଗଡରେ ଏକ ଦୁଇତାଲା ବିଶିଷ୍ଟ ଘର, ଶୈଳଶ୍ରୀ ବିହାରରେ ଏକ ଫ୍ଲାଟ୍, କଳିଙ୍ଗ ବିହାରରେ ଏକ ଅର୍ଦ୍ଧନିର୍ମିତ ବିଲ୍ଡିଂ ମଧ୍ୟ ରହିଛି । ଏହା ସହିତ ବାଲେଶ୍ୱରରେ ୩ଟି ପ୍ଲଟ୍ ମଧ୍ୟ ଅଛି । ଅପାରଗତା, ଅସାଧୁତା ଓ ଆର୍ଥିକ ଅନିୟମିତତା ଯୋଗୁ ତାଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି ।
ସେହିପରି ଜଗତସିଂହପୁର ବାଲିକୁଦାର ଗୋଷ୍ଠୀ ଉନ୍ନୟନ ପ୍ରକଳ୍ପ ଅଧିକାରୀ ବା ସିଡିପିଓ ସରଳା ଦେଇ ୨୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ସେ ଭିଜିଲାନ୍ସ ହାତରେ ଧରା ପଡିଥିଲେ । ତାଙ୍କର ଭୁବନେଶ୍ବରରେ ୫ଟି ପ୍ଲଟ, ପିପିଲିରେ ଗୋଟିଏ ଓ ଜଗତସିଂହପୁରରେ ଦୁଇଟି ପ୍ଲଟ ରହିଛି । ଏହାସହ ଜଗତସିଂପୁରରେ ଗୋଟିଏ ଦୁଇତାଲା ବିଲ୍ଡିଂ ଅଛି। ଏହା ସହିତ ଟଙ୍କା ଓ ସୁନାଗହଣା ମଧ୍ୟ ଜବତ କରାଯାଇଛି । ଜଗତସିଂହପୁର ବାଲିକୁଦାର ଅଙ୍ଗନବାଡି ସୁପରଭାଇଜର ପ୍ରତିମା ସାହୁଙ୍କ ନାଁରେ ଗୋଟିଏ ଦୁର୍ନୀତି ଅଭିଯୋଗ ରହିଛି । ଲାଞ୍ଚ ନେବା ବେଳେ ସେ ଭିଜିଲାନ୍ସ ହାତରେ ଧରା ପଡିଥିଲେ । ତାଙ୍କୁ ଗିରଫ କରି ବିଚାର ବିଭାଗୀୟ ହାଜତକୁ ପଠାଯାଇଥିଲା ।
ସେହିପରି ଅନୁଗୁଳ ପୋଲିସ ଟ୍ରେନିଂ କଲେଜର ପୋଲିସ ଇନ୍ସପେକ୍ଟର ରାମଚନ୍ଦ୍ର ବେହେରାଙ୍କୁ ଅପାରଗତା ଓ ବିଶୃଙ୍ଖଳିତ ଆଚରଣ ଯୋଗୁ ବାଧ୍ୟତାମୂଳକ ଅବସର ଦିଆଯାଇଛି । କେନ୍ଦୁଝର ଜିଲ୍ଲା ସଦର ତହସିଲଦାରଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ରେଭିନ୍ୟୁ ସୁପରଭାଇଜର ହୃଦାନନ୍ଦ ସାହୁ ଜମିଜମା ମାପ ସମୟରେ ୨୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରାପଡିଥିଲେ । ମୋ ସରକାର ତଥା ଅନ୍ୟ ସୂତ୍ରରୁ ମିଳିଥିବା ଫିଡବ୍ୟାକକୁ ବିଚାରକୁ ନେଇ କାର୍ଯାନୁଷ୍ଠାନ ଗ୍ରହଣ କରାଯାଇଛି । ରାଜ୍ୟ ସରକାର ନିକଟରେ ଜଣେ ବରିଷ୍ଠ ଭାରତୀୟ ବନସେବା ଅଧିକାରୀ ଓ ଜଣେ ବରିଷ୍ଠ ଭାରତୀୟ ପ୍ରଶାସନିକ ଅଧିକାରୀଙ୍କୁ ଚାକିରୀରୁ ବହିଷ୍କାର କରିଛନ୍ତି । ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ୧୪୬ ଜଣ ଅଧିକାରୀଙ୍କୁ ଚାକିରୀରୁ ବହିଷ୍କାର ବା ବାଧ୍ୟତାମୂଳକ ଅବସର ଦିଆଯାଇଛି ।
ପୌର ନିର୍ବାଚନରେ କେତେ ଟଙ୍କା ଖର୍ଚ୍ଚ କରିପାରିବେ ପ୍ରାର୍ଥୀ? ଜାଣନ୍ତୁ କେତେ ରହିଛି ସର୍ବାଧିକ ଖର୍ଚ୍ଚ ସୀମା
ଭୁବନେଶ୍ୱର: ପୌର ନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ସର୍ବାଧିକ ଖର୍ଚ୍ଚ ସୀମା ଘୋଷଣା କଲେ ରାଜ୍ୟ ନିର୍ବାଚନ କମିଶନ । ଏନଏସି, ମୁନିସିପାଲିଟି ଓ ମହାନଗର ନିଗମ ପ୍ରାର୍ଥୀଙ୍କ ସର୍ବୋଚ୍ଚ ଖର୍ଚ୍ଚସୀମା ଧାର୍ଯ୍ୟ କରାଯାଇଛି । ୫୦ ହଜାର ଜନସଂଖ୍ୟା ବିଶିଷ୍ଟ ଏନଏସିର ବା ମୁନିସିପାଲିଟି କାଉନସିଲର ପ୍ରାର୍ଥୀ ସର୍ବାଧିକ ୫୦ ହଜାର ଟଙ୍କା ଖର୍ଚ୍ଚ କରିପାରିବେ । ସେହିପରି ଏନଏସି ଓ ପୌରାଧ୍ୟକ୍ଷ ପ୍ରାର୍ଥୀ ୨ଲକ୍ଷ ଟଙ୍କା ଖର୍ଚ୍ଚ କରିପାରିବେ । ୫୦ ହଜାରରୁ ୧ ଲକ୍ଷ ପର୍ଯ୍ୟନ୍ତ ଜନସଂଖ୍ୟା ଥିବା ମୁନିସିପାଲିଟି କାଉନସିଲର ପ୍ରାର୍ଥୀ ୭୫ ହଜାର ଓ ଅଧ୍ୟକ୍ଷ ପ୍ରାର୍ଥୀ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରିପାରିବେ ।
ସେହିପରି ଏକ ଲକ୍ଷ ଉପରେ ଜନସଂଖ୍ୟା ଥିବା ମୁନିସିପାଲିଟିର କାଉନସିଲର ପ୍ରାର୍ଥୀ ଏକ ଲକ୍ଷ ଟଙ୍କା ଓ ଅଧ୍ୟକ୍ଷ ପ୍ରାର୍ଥୀ ୫ ଲକ୍ଷ ଟଙ୍କା ଖର୍ଚ୍ଚ କରିପାରିବା ନେଇ ସର୍ବୋଚ୍ଚ ସୀମା ଧାର୍ଯ୍ୟ କରାଯାଇଛି । ସେହିପରି ମହାନଗର ନିଗମର କର୍ପୋରେଟର ପ୍ରାର୍ଥୀ ୨ଲକ୍ଷ ଟଙ୍କା ଓ ମେୟର ପ୍ରାର୍ଥୀ ୧୨ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରିପାରିବେ । ଏନେଇ ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।
ଉଷୁନା ଚାଉଳ ନ ଉଠିବା ପ୍ରତିବାଦରେ FCI କାର୍ଯ୍ୟାଳୟ ଆଗରେ ଧାରଣା ଦେଲା ବିଜେଡି
ଭୁବନେଶ୍ୱର: ଜୋରଦାର ହେଲା ଉଷୁନା ଚାଉଳ ନ ଉଠିବା ପ୍ରତିବାଦ । ଏଫସିଆଇ କାର୍ଯ୍ୟାଳୟ ଆଗରେ ଗଣଧାରଣା ଦେଇଛି ବିଜେଡି । ଦଳ ଅଭିଯୋଗ କରିଛି ଯେ, ଏଫସିଆଇର ଟାଳଟୁଳ ନୀତି ଯୋଗୁ ପ୍ରାୟ ୨୨ଲକ୍ଷ ମେଟ୍ରିକ ଟନ୍ ଚାଉଳ ଉଠୁନି । କେବଳ ନିର୍ବାଚନ ସମୟରେ ଚାଷୀଙ୍କ କଥା କହୁଥିବା ବିଜେପି, ପ୍ରତିଶ୍ରୁତି ଓ ପ୍ରତାରଣାର ଦଳ ପାଲଟିଛି । ଉଷୁନା ଚାଉଳ ଉଠାଇବାକୁ ବାରମ୍ବାର ଦାବି ସହିତ ଚିଠି ଲେଖିଲା ପରେ ମଧ୍ୟ କେନ୍ଦ୍ର କର୍ଣ୍ଣପାତ କରୁନାହିଁ ।
ଦେଶର ଖାଦ୍ୟ ଯୋଗାଣ ବ୍ୟବସ୍ଥାରେ ଓଡିଶା ପ୍ରମୁଖ ରାଜ୍ୟ । ରାଜ୍ୟରେ ଉତ୍ପାଦିତ ଚାଉଳରୁ ନିଜସ୍ୱ ବ୍ୟବହାର ପରେ ପ୍ରାୟ ୨୨ଲକ୍ଷ ମେଟ୍ରିକ ଟନ୍ ଚାଉଳ ବଳକା ରହିଛି, ଯାହାକୁ କେନ୍ଦ୍ର ଉଠାଉନାହିଁ । ଏଥିରେ ୨ଲକ୍ଷ ମେଟ୍ରିକ ଟନ୍ ଅରୁଆ, ୫ଲକ୍ଷ ମେଟ୍ରିକ ଟନ୍ ଭିଟାମିନ ଯୁକ୍ତ ଉଷୁନା ଓ ୧୫ଲକ୍ଷ ମେଟ୍ରିକ ଟନ୍ ଉଷୁନା ଚାଉଳ ରହିଛି । ଆଗକୁ ରାଜ୍ୟରେ ଗୋଟିଏ ବି ଚାଉଳ ବଳକା ରହିଲେ ପଲ୍ଲୀରୁ ଦିଲ୍ଲୀ ଯାଏଁ ଆନ୍ଦୋଳନ କରାଯିବ ବୋଲି ବିଜେଡି ଚେତାବନୀ ଦେଇଛି ।
ପରଲୋକରେ ’ମହାଭାରତ’ର ଭୀମ, ୭୪ ବର୍ଷରେ ଜୀବନ ଯୁଦ୍ଧରେ ହାରିଗଲେ ପ୍ରବୀଣ କୁମାର
ନୂଆଦିଲ୍ଲୀ: ସ୍ୱର ସାମ୍ରାଜ୍ଞୀ ଲତା ମଙ୍ଗେସକରଙ୍କ ପରଲୋକରେ ସ୍ତବ୍ଧ ହୋଇଯାଇଛି ପୂରା ଦେଶ । ଏପର୍ଯ୍ୟନ୍ତ ଦେଶବାସୀ ସ୍ୱର କୋକିଳା ଲତା ମଙ୍ଗେସକରଙ୍କ ମୃତ୍ୟୁ ଦୁଃଖରୁ ବାହାରି ପାରି ନାହାନ୍ତି । ଲତାଙ୍କ ନିଧନ ଦୁଃଖରୁ ଦେଶବାସୀ ବାହାରି ନଥିବାବେଳେ ଏବେ ମନୋରଞ୍ଜନ ଜଗତରୁ ଆସିଛି ଆଉ ଏକ ଦୁଃଖଦ ଖବର । ଆଉ ନାହାନ୍ତି ମହାଭାରତର ଭୀମ । ପରଲୋକରେ ବି.ଆର ଚୋପ୍ରାଙ୍କ ମହାଭାରତରେ ଭୀମ ଭୂମିକାରେ ଅଭିନୟ କରୁଥିବା ଅଭିନେତା ପ୍ରବୀଣ କୁମାର ସୋବତି । ୭୪ ବର୍ଷ ବୟସରେ ଦୁନିଆରୁ ବିଦାୟ ନେଇଛନ୍ତି ପ୍ରବୀଣ କୁମାର । ସେ ଦୀର୍ଘଦିନ ଧରି ଅସୁସ୍ଥତା ଏବଂ ଆର୍ଥିକ ସଙ୍କଟ ସହ ଲଢ଼ୁଥିଲେ । ଶେଷରେ ଆଜି ଜୀବନ ଯୁଦ୍ଧରେ ହାରି ଯାଇଛନ୍ତି ମହାଭାରତର ଭୀମ ।
Praveen Kumar Sobti, popular for playing the role of Bheem in BR Chopra’s Mahabharat, passed away today in Delhi. He will be cremated at the crematorium ground in Punjabi Bagh today. pic.twitter.com/0yzp4AMmzx
— ANI (@ANI) February 8, 2022
ମହାଭାରତରେ ଭୀମ ଭୂମିକାରେ ଅଭିନୟ କରିଥିବା ପ୍ରବୀଣ କୁମାର ନିଜର ଶକ୍ତିଶାଳୀ ଶରୀର ଆଧାରରେ କ୍ରୀଡାବିତ୍ ଭାବରେ ନିଜର କ୍ୟାରିୟର ଆରମ୍ଭ କରିଥିଲେ । ଖେଳାଳି ଭାବରେ କ୍ୟାରିୟର ଆରମ୍ଭ କରିବା ପରେ ପ୍ରବୀଣ କୁମାର ବଲିଉଡକୁ ମୁହାଁଇଥିଲେ । ସେ ବଲିଉଡରେ ଅନେକ ଚଳଚ୍ଚିତ୍ରରେ ଖଳନାୟକ ଭାବରେ ଅଭିନୟ କରିଥିଲେ । କିନ୍ତୁ ବି. ଆର ଚୋପ୍ରାଙ୍କ ମହାଭାରତ ତାଙ୍କୁ ସର୍ବାଧିକ ମାନ୍ୟତା ଦେଇଥିଲା । ଯେଉଁଥିରେ ସେ ଭୀମ ଭୂମିକାରେ ଅଭିନୟ କରିଥିଲେ। ଏହି ଚରିତ୍ର ତାଙ୍କୁ ପୂରା ଭାରତରେ ପ୍ରସିଦ୍ଧ କରିଥିଲା । ଶକ୍ତିଶାଳୀ ଶରୀର ହେତୁ ପ୍ରବୀଣ କୁମାରଙ୍କୁ ଭୀମ ଭୂମିକାରେ ଖୁବ୍ ପସନ୍ଦ କରିଥିଲେ ଦର୍ଶକ ।
ପ୍ରବୀଣ କୁମାର ସୋବତୀ ତାଙ୍କ ଅଭିନୟ ଜୀବନରେ ଅମିତାଭ ବଚ୍ଚନ, ଜିତେନ୍ଦ୍ରଙ୍କ ଭଳି ସୁପରଷ୍ଟାରଙ୍କ ସହ କାମ କରିଛନ୍ତି । ପ୍ରବୀଣ କୁମାର ୧୯୮୧ ମସିହାରେ ରାଧା ଚଳଚ୍ଚିତ୍ରରୁ ସେ ଫିଲ୍ମ କ୍ୟାରିୟର ଆରମ୍ଭ କରିଥିଲେ । ସେହି ବର୍ଷ ଆସିଥିବା ’ମେରୀ ଆଓ୍ୱାଜ୍ ସୁନୋ’ରେ ପ୍ରବୀଣ କୁମାର ସୋବତି ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ରରେ ସେ ଜିତେନ୍ଦ୍ରଙ୍କ ସହ କାମ କରିଥିଲେ । ଅମିତାଭ ବଚ୍ଚନଙ୍କ ସୁପରହିଟ୍ ଫିଲ୍ମ ’ଶେହେନ୍ସା’ରେ ମଧ୍ୟ ଅଭିନୟ କରିଥିଲେ ପ୍ରବୀଣ କୁମାର ।
ପ୍ରବୀଣ କୁମାର ସୋବତୀ ଜଣେ ଭଲ ଅଭିନେତା ସହ ଜଣେ ଭଲ ଡିସ୍କସ୍ ଥ୍ରୋ ଆଥଲେଟ ମଧ୍ୟ ଥିଲେ । ସେ କ୍ରୀଡାକ୍ଷେତ୍ରରେ ମଧ୍ୟ ଭାରତ ପାଇଁ ଅନେକ ଗର୍ବ ଆଣିଛନ୍ତି । ସେ ଏସିଆନ ଗେମ୍ସରେ ଚାରି ଥର ପଦକ ବିଜେତା ରହିଛନ୍ତି । ୧୯୬୬ରେ ହୋଇଥିବା ଏସିଆନ ଗେମ୍ସରେ ଡିସ୍କସ୍ ଥ୍ରୋ’ରେ ଗୋଲ୍ଡ ମେଡାଲ ଓ ହାମର ଥ୍ରୋ’ରେ ବ୍ରୋଞ୍ଜ ମେଡାଲ ହାସଲ କରିଛନ୍ତି । ସେହିପରି ୧୯୭୦ ଏସିଆନ ଗେମ୍ସରେ ଡିସ୍କସ୍ ଥ୍ରୋ’ରେ ଗୋଲ୍ଡ ମେଡାଲ ଓ ୧୯୭୪ ଏସିଆନ ଗେମ୍ସରେ ସିଲିଭର ମେଡାଲ ହାସଲ କରିଛନ୍ତି । ସେହିପରି ୧୯୬୬ରେ କିଙ୍ଗଷ୍ଟୋନରେ ହୋଇଥିବା କମନଓ୍ୱେଲ୍ଥ ଗେମ୍ସରେ ସିଲିଭର ମେଡାଲ ହାସଲ କରିଥିଲେ ପ୍ରବୀଣ କୁମାର । ଏହା ବ୍ୟତୀତ ସେ ଅଲିମ୍ପିକ ଗେମ୍ସରେ ମଧ୍ୟ ଭାରତର ପ୍ରତିନିଧିତ୍ୱ କରିଥିଲେ । ସେ ୧୯୬୮ ମେକ୍ସିକୋ ଓ ୧୯୭୨ ମ୍ୟୁନିଚ୍ ଅଲମ୍ପିକ୍ସରେ ଭାରତର ପ୍ରତିନିଧିତ୍ୱ କରିଥିଲେ । କ୍ରୀଡା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ତାଙ୍କୁ ଅର୍ଜୁନ ପୁରସ୍କାରରେ ସମ୍ମାନିତ କରାଯାଇଥିଲା । କ୍ରୀଡ଼ାରେ ସଫଳ କ୍ୟାରିୟର ପରେ ପ୍ରବୀଣ କୁମାର ବଲିଉଡରେ ପାଦ ଥାପିଥିଲେ ।
ଦେଶରେ ତଳମୁହାଁ କରୋନା ସଂକ୍ରମଣ, ୨୪ ଘଣ୍ଟାରେ ୬୭ ହଜାର ୫୯୭ ଆକ୍ରାନ୍ତ ଚିହ୍ନଟ
ନୂଆଦିଲ୍ଲୀ: ଦେଶରେ ହ୍ରାସ ପାଉଛି କରୋନା ସଂକ୍ରମଣ । ୧ ଲକ୍ଷ ତଳେ ରହିଛି ଦୈନିକ ସଂକ୍ରମଣ । ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଉଛି କିନ୍ତୁ ମୃତ୍ୟୁ ସଂଖ୍ୟାରେ ଲାଗୁନି ବ୍ରେକ୍ । ୨୪ ଘଣ୍ଟାରେ ଦେଶରେ ୬୭ ହଜାର ୫୯୭ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ୨୪ ଘଣ୍ଟାରେ ୧ ହଜାର ୧୮୮ ଜଣଙ୍କ ଜୀବନ ନେଇଛି କିଲର ଭାଇରସ୍ । ଦେଶରେ ବର୍ତ୍ତମାନ ଦୈନିକ ପଜିଟିଭ ରେଟ୍ ୫.୦୨ ପ୍ରତିଶତ ରହିଛି । ସେହିପରି ଭାବରେ ୨୪ ଘଣ୍ଟାରେ ଦେଶରେ ୧ ଲକ୍ଷ ୮୦ ହଜାର ୪୫୬ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।
India reports 67,597 fresh #COVID19 cases, 1,80,456 recoveries and 1,188 deaths in the last 24 hours.
Active cases: 9,94,891 (2.35%)
Death toll: 5,02,874
Daily positivity rate: 5.02%Total vaccination: 1,70,21,72,615 pic.twitter.com/kpXM5sCMMF
— ANI (@ANI) February 8, 2022
ଦେଶରେ ସୋମବାର ୮୩ ହଜାର ୮୭୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । କିନ୍ତୁ ଆଜି ଏହି ସଂଖ୍ୟାରେ ହ୍ରାସ ପାଇଛି । ୨୪ ଘଣ୍ଟାରେ ଦେଶରେ ୬୭ ହଜାର ୫୯୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆକ୍ଟିଭ୍ କେସ୍ କଥା ଯଦି କହିବା ତାହାଲେ ବର୍ତ୍ତମାନ ଭାରତରେ ଆକ୍ଟିଭ୍ କେସ୍ ସଂଖ୍ୟା ୯ ଲକ୍ଷ ୯୪ ହଜାର ୮୯୧ ରହିଛି ।
ରାଜ୍ୟରେ ଖସୁଛି କରୋନା, ୨୪ ଘଣ୍ଟାରେ ୧ ହଜାର ୫୦୩ ଆକ୍ରାନ୍ତ ଚିହ୍ନଟ
ଭୁବନେଶ୍ୱର: ରାଜ୍ୟରେ ହ୍ରାସ ପାଉଛି କରୋନା ସଂକ୍ରମଣ । ୨୪ ଘଣ୍ଟାରେ ରାଜ୍ୟରେ ଆଉ ୧ ହଜାର ୫୦୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୮୭୩ ଜଣ ଚିହ୍ନଟ ହୋଇଥିବାବେଳେ ୬୩୦ ଲୋକାଲ କେସ୍ ଚିହ୍ନଟ ହୋଇଛନ୍ତି । ସେହିପରି ୦ରୁ ୧୮ ବର୍ଷ ମଧ୍ୟରେ ୩୨୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯଦି ସୁସ୍ଥ କଥା କହିବା ତାହାଲେ ରାଜ୍ୟରେ ୨୪ ଘଣ୍ଟାରେ ୩ ହଜାର ୬୨୧ ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି ।
7. Cuttack: 83
8. Deogarh: 25
9. Dhenkanal: 42
10. Gajapati: 37
11. Ganjam: 26
12. Jagatsinghpur: 42
13. Jajpur: 55
14. Jharsuguda: 17
15. Kalahandi: 40
16. Kandhamal: 17
17. Kendrapada: 19
18. Keonjhar: 36
19. Khurda: 333
20. Koraput: 2
21. Malkangiri: 8
22. Mayurbhanj: 108— I & PR Department, Odisha (@IPR_Odisha) February 8, 2022
୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ୩୩୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଅନୁଗୁଳରୁ ୫୧, ବାଲେଶ୍ୱରରୁ ୩୦, ବରଗଡ଼ରୁ ୨୧, ଭଦ୍ରକରୁ ୨୦, ବଲାଙ୍ଗୀରରୁ ୩୩, ବୌଦ୍ଧରୁ ୧୦, କଟକରୁ ୮୩, ଦେଓଗଡ଼ରୁ ୨୫, ଢେଙ୍କାନାଳରୁ ୪୨, ଗଜପତିରୁ ୩୭, ଗଞ୍ଜାମରୁ ୨୬, ଜଗତସିଂହପୁରରୁ ୪୨, ଯାଜପୁରରୁ ୫୫, ଝାରସୁଗୁଡ଼ାରୁ ୧୭, କଳାହାଣ୍ଡିରୁ ୪୦, କନ୍ଧମାଳରୁ ୧୭, କେନ୍ଦ୍ରାପଡ଼ାରୁ ୧୯, କେନ୍ଦୁଝରରୁ ୩୬, କୋରାପୁଟରୁ ୦୨, ମାଲକାନଗିରିରୁ ୦୮, ମୟୁରଭଞ୍ଜରୁ ୧୦୮, ନବରଙ୍ଗପୁରରୁ ୧୯, ନୟାଗଡ଼ରୁ ୫୩, ନୂଆପଡ଼ାରୁ ୨୫, ପୁରୀରୁ ୫୪, ରାୟଗଡ଼ାରୁ ୩୧, ସମ୍ବଲପୁରରୁ ୨୬, ସୋନପୁରରୁ ୨୨, ସୁନ୍ଦରଗଡ଼ରୁ ୧୫୭ ଓ ଷ୍ଟେଟ ପୁଲରୁ ୬୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ଭିଜିଲାନ୍ସ ଜାଲରେ ସହକାରୀ ଜିଲ୍ଲାପାଳ, ଏକାସାଙ୍ଗରେ ୫ଟି ସ୍ଥାନରେ ରେଡ୍
ରାଉରକେଲା: ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢ଼ାଉ । ରାଉରକେଲା ଏଡିଏମ ଅଫିସର ଆସିଷ୍ଟାଣ୍ଟ କଲେକ୍ଟର ମନୋରଞ୍ଜନ ନାୟକଙ୍କ ଘରେ ରେଡ୍ । ଭିଜିଲାନ୍ସ ବିଭାଗର ୫ଟି ଟିମ୍ ଏକ ସମୟରେ ୫ଟି ସ୍ଥାନରେ ଚଢାଉ ଜାରି ରଖିଛନ୍ତି । ଏକା ସାଙ୍ଗରେ ଛେଣ୍ଡ କଳିଙ୍ଗ ବିହାର ଅଞ୍ଚଳରେ ଦୁଇଟି ଘରେ ଚଢାଉ ଜାରି ରହିଥିବାବେଳେ ଭୁବନେଶ୍ୱର ଗୋଠପାଟଣା ଓ ଯାଜପୁର କଳିଙ୍ଗ ନଗର ଘରେ ଚଢାଉ ଜାରି ରହିଛି । ଏହାସହ ରାଉରକେଲା ଏଡିଏମ ଅଫିସରେ ମଧ୍ୟ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢାଉ ଜାରି ରହିଛି । ଭିଜିଲାନ୍ସ ବିଭାଗର ଏହି ଚଢାଉରେ ପାଞ୍ଚ ଜଣ ଡିଏମପି, ପାଞ୍ଚ ଜଣ ଇନ୍ସପେକ୍ଟର ଜଣେ ଅତିରିକ୍ତ ଏସପିଙ୍କ ସହ ଭିଜିଲାନ୍ସ ବିଭାଗର ୨୫ ଜଣିଆ ଟିମ୍ ଚଢାଉ ଜାରି ରଖିଛନ୍ତି ।
ଚାଲିଛି ପ୍ରସିଦ୍ଧ ଖଣ୍ଡଗିରି ମେଳା, କରୋନା କଟକଣା ପାଇଁ ଶ୍ରଦ୍ଧାଳୁଙ୍କ ଉପରେ ଲାଗିଛି ରୋକ୍
ଭୁବନେଶ୍ୱର: ଚାଲିଛି ପ୍ରସିଦ୍ଧ ଖଣ୍ଡଗିରି ମେଳା । ୧୦ଦିନ ଧରି ମେଳା ଚାଲିବାକୁ ଥିବାବେଳେ କଟକଣା ଯୋଗୁ ଏଥର ସାଧୁଙ୍କ ସଂଖ୍ୟା ହ୍ରାସ ପାଇଛି । ମେଳାରେ ଶ୍ରଦ୍ଧାଳୁଙ୍କ ଉପରେ ଲାଗିଛି ରୋକ୍ । ପ୍ରତିବର୍ଷ ସପ୍ତମୀଠାରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ ମେଳା ଆୟୋଜିତ ହେଉଥିବାବେଳେ, ଚଳିତବର୍ଷ ୧୦ଦିନ ଧରି ଅର୍ଥାତ୍ ୧୬ତାରିଖ ପର୍ଯ୍ୟନ୍ତ ଚାଲିବ । ଖଣ୍ଡଗିରି ପାହାଡ ପାଦଦେଶରେ ହୋମ, ଯଜ୍ଞ, ଧ୍ୟାନ ଓ ଭାଗବତ ଚର୍ଚ୍ଚାର ଆୟୋଜନ ଫଳରେ ଏଠାରେ ସୃଷ୍ଟି ହୋଇଛି ଆଧ୍ୟାତ୍ମିକ ପରିବେଶ । ଡାକ୍ତର ବାବା, ପାଇଲଟ ବାବା, ଷ୍ଟାଣ୍ଡିଂ ବାବାଙ୍କ ସମେତ ରାଜ୍ୟ ଭିତରୁ ମଧ୍ୟ ବିଭିନ୍ନ ଆଖାଡାରୁ ସାଧୁସନ୍ଥଙ୍କ ସମାଗମ ହେଉଛି । ବାବାମାନେ ନିଜ ତପସ୍ୟା ବଳରେ ତଥା ବିଭୁତି ଓ ଭଷ୍ମ ଜରିଆରେ ବିଭିନ୍ନ ରୋଗ ଭଲ କରୁଥିବା ଦାବି କରୁଥିବାରୁ ଶ୍ରଦ୍ଧାଳୁଙ୍କ ଭିଡ ପରିଲକ୍ଷିତ ହେଉଛି ।
ଉଷୁନା ଚାଉଳ ନ ଉଠିବା ପ୍ରତିବାଦରେ ଆଜି ଏଫସିଆଇ କାର୍ଯ୍ୟାଳୟ ଘେରିବ ବିଜେଡି
ଭୁବନେଶ୍ୱର: ଜୋରଦାର ହେଲା ଉଷୁନା ଚାଉଳ ନ ଉଠିବା ପ୍ରତିବାଦ । ଆଜି ଏଫସିଆଇ କାର୍ଯ୍ୟାଳୟ ଆଗରେ ଗଣଧାରଣା ଦେବ ବିଜେଡି। ଏଫସିଆଇର ଟାଳଟୁଳ ନୀତି ଯୋଗୁ ରାଜ୍ୟରେ ପ୍ରାୟ ୨୨ଲକ୍ଷ ମେଟ୍ରିକ ଟନ୍ ଚାଉଳ ଉଠୁନି । କେବଳ ନିର୍ବାଚନ ସମୟରେ ଚାଷୀଙ୍କ କଥା କହୁଥିବା ବିଜେପି, ପ୍ରତିଶ୍ରୁତି ଓ ପ୍ରତାରଣାର ଦଳ ପାଲଟିଛି । ଏଭଳି ଅଭିଯୋଗ ଆଣିଛି ବିଜେଡି । ଉଷୁନା ଚାଉଳ ଉଠାଇବାକୁ ବାରମ୍ବାର ଦାବି ସହିତ ଚିଠି ଲେଖିଲା ପରେ ମଧ୍ୟ କେନ୍ଦ୍ର କର୍ଣ୍ଣପାତ କରୁନାହିଁ । ଦେଶର ଖାଦ୍ୟ ଯୋଗାଣ ବ୍ୟବସ୍ଥାରେ ଓଡିଶା ପ୍ରମୁଖ ରାଜ୍ୟ । ରାଜ୍ୟରେ ଉତ୍ପାଦିତ ଚାଉଳରୁ ନିଜସ୍ୱ ବ୍ୟବହାର ପରେ ପ୍ରାୟ ୨୨ଲକ୍ଷ ମେଟ୍ରିକ ଟନ୍ ଚାଉଳ ବଳକା ରହିଛି, ଯାହାକୁ କେନ୍ଦ୍ର ଉଠାଉନାହିଁ । ଏଥିରେ ୨ଲକ୍ଷ ମେଟ୍ରିକ ଟନ ଅରୁଆ, ୫ଲକ୍ଷ ମେଟ୍ରିକ ଟନ୍ ଭିଟାମିନ ଯୁକ୍ତ ଉଷୁନା ଓ ୧୫ଲକ୍ଷ ମେଟ୍ରିକ ଟନ୍ ଉଷୁନା ଚାଉଳ ରହିଛି । ଆଗକୁ ରାଜ୍ୟରେ ଗୋଟିଏ ବି ଚାଉଳ ବଳକା ରହିଲେ ପଲ୍ଲୀରୁ ଦିଲ୍ଲୀ ଯାଏଁ ଆନ୍ଦୋଳନ କରାଯିବ ବୋଲି ବିଜେଡି ଚେତାବନୀ ଦେଇଛି।

