spot_img
Home Blog Page 4617

ନିର୍ବାଚନ ପୂର୍ବରୁ ଚନ୍ନିଙ୍କୁ ଝଟକା, ମନି ଲଣ୍ଡରିଂ ମାମଲାରେ ଚନ୍ନିଙ୍କ ପୁତୁରାଙ୍କୁ ଗିରଫ କଲା ED

ଚଣ୍ଡିଗଡ଼: ନିର୍ବାଚନ ପୂର୍ବରୁ ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ଅଡୁଆ ବଢ଼ିଲା । ବେଆଇନ ଲଘୁ ଖଣିଜ ଚାଲାଣ ଓ ଟଙ୍କା ହେରଫେର ମାମଲାରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ୍ ସିଂ ଚନ୍ନିଙ୍କ ପୁତୁରାଙ୍କୁ ଗିରଫ କରିଛି ED । ଗତକାଲି ଚନ୍ନିଙ୍କ ପୁତୁରା ଭୁପିନ୍ଦର ସିଂ ହନିଙ୍କୁ ୮ ଘଣ୍ଟା ଧରି ପଚରା ଉଚରା କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଏହାପରେ ତାଙ୍କୁ ଗିରଫ କରାଯାଇଛି । ବେଆଇନ ବାଲି ଚାଲାଣ ଓ ମନି ଲଣ୍ଡରିଂ କେସରେ ଭୁପିନ୍ଦରଙ୍କ ବାସଭବନ ସମେତ ଅନ୍ୟ କେତେକ ସ୍ଥାନରେ ଚଢ଼ାଉ ହୋଇଥିଲା । ଚଢ଼ାଉ ବେଳେ ଅନେକ ବେଆଇନ କାଗଜପତ୍ର ଜବତ କରିବା ସହ ପ୍ରାୟ ୮ କୋଟି ଟଙ୍କା ଜବତ କରିଯାଇଥିଲା ।

ଅନ୍ୟପକ୍ଷରେ ଚନ୍ନିଙ୍କ ପୁତୁରାଙ୍କ ଗିରଫଦାରୀକୁ ନେଇ କେନ୍ଦ୍ରକୁ ଟାର୍ଗେଟ କରିଛନ୍ତି ଶିବସେନା ସାଂସଦ ପ୍ରିୟଙ୍କା ଚତୁର୍ବେଦୀ । କେନ୍ଦ୍ର ଉପରେ ଆଞ୍ଚ ଆସିଲେ ଇଡିର ଯାଞ୍ଚ ହୁଏ । କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାକୁ କେନ୍ଦ୍ର ସରକାର ବିରୋଧୀଙ୍କ ମୁହଁ ବନ୍ଦ କରିବାକୁ ବ୍ୟବହାର କରିଥାନ୍ତି ବୋଲି କହିଛନ୍ତି ପ୍ରିୟଙ୍କା ଚର୍ତ୍ତୁର୍ବେଦୀ ।

ଆମେରିକାକୁ ଟକ୍କର ଦେବାକୁ ପ୍ରସ୍ତୁତ ହେବ ବ୍ଳୁ-ପ୍ରିଣ୍ଟ: ବିଧିବଦ୍ଧ ଭାବେ ହାତ ମିଳାଇବେ ୨ସୁପରପାଓ୍ୱର

ନୂଆଦିଲ୍ଲୀ: ୟୁକ୍ରେନ ପ୍ରସଂଗରେ ଆଜି ବିଧିବଦ୍ଧ ହାତ ମିଳାଇବେ ଦୁଇ ସୁପରପାଓ୍ୱାର ଋଷ ଓ ଚୀନ । ଆମେରିକାକୁ ଟକ୍କର ଦେବାକୁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିବେ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ଓ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ । ୟୁକ୍ରେନ ସଂକଟ ପରଠାରୁ ପ୍ରଥମ ଥର ଲାଗି ବେଜିଂରେ ଖୋଲାଖୋଲି ହାତ ମିଳାଇବେ ଦୁଇ ଟପ୍ ଲିଡର । ନିରାପତ୍ତା ଓ ଅନ୍ୟାନ୍ୟ ପ୍ରସଙ୍ଗରେ ଜିନପିଙ୍ଗ ଓ ପୁଟିନ ଜାରି କରିବେ ନୂଆ ଘୋଷଣାନାମା ।

ଏହି ଘୋଷଣାନାମା ପରେ ଉଭୟେ ଅଲିମ୍ପିକ ଉଦଘାଟନୀ ଉତ୍ସବରେ ସାମିଲ ହେବେ । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଅଲିମ୍ପିକ ଉତ୍ସବରେ ଯୋଗଦେବା କ୍ଷେତ୍ରରେ ପ୍ରଥମ ବୈଦେଶିକ ନେତା ହେଉଛନ୍ତି ପୁଟିନ୍ । ନିଜର ନିକଟତମ ବନ୍ଧୁ ବୋଲି ଜିନପଙ୍ଗଙ୍କୁ ସମ୍ବୋଧନ କରି ପୁଟିନ କହିଛନ୍ତି ଦୁଇ ରାଷ୍ଟ୍ର ମଧ୍ୟରେ ଏହି ସମ୍ପର୍କ ଏକ ଆଦର୍ଶଗତ ପ୍ରତିଫଳନ । ସେପଟେ ଋଷ ବିରୋଧରେ ଲଢିବା ଲାଗି କ୍ରୋଏସିଆକୁ ଆମେରିକା ଯୋଗାଇଛି ଦୁଇ ଶକ୍ତିଶାଳୀ UH-60M ବ୍ଲାକ ହକ୍ ମିଲିଟାରୀ ହେଲିକପ୍ଟର । ଫଳରେ ୟୁରୋପରେ ଖୋଲାଖୋଲି ଆରମ୍ଭ ହୋଇଛି ଆର୍ମସ ରେସ୍ । ଏହି ହେଲିକପ୍ଟରର ସୈନ୍ୟ ଓ ବିପୁଳ ଅସ୍ତ୍ରଶସ୍ତ୍ର ପରିବହନ କରିବାର କ୍ଷମତା ରହିଛି । ଏହା ସହ କ୍ରୋଏସିଆକୁ ଆମେରିକା 89ଟି ବ୍ରାଡଲି ଫାଇଟିଂ ଭେଇକଲ ବିକିବ ବୋଲି ଘୋଷଣା କରାଯାଇଛି । ସେପଟେ କ୍ରୋଏସିଆକୁ ବିରୋଧ କରି ଋଷଠାରୁ ବହୁ ଯୁଦ୍ଧାସ୍ତ୍ର, ଡ୍ରୋନ, ବିମାନ ବିଧ୍ୱଂସୀ ସିଷ୍ଟମ ହାସଲ କରିଛି ସର୍ବିଆ । ସହଯୋଗୀ ରାଷ୍ଟ୍ର ବେଲାଋଷକୁ ଋଷ ପଠାଇଛି 30,000 ସୈନ୍ୟ ।

ଗିରଫ ଭୟରେ ଆଗୁଆ ଜାମିନ ଆବେଦନ କଲେ ବିଶ୍ୱେଶ୍ୱର ଟୁଡୁ ଓ ଜୁଏଲ ଓରାମ

କଟକ: ଜାମିନ ପାଇଁ ହାଇକୋର୍ଟରେ ମନ୍ତ୍ରୀ ଓ ସାଂସଦ । ଗିରଫଦାରୀ ଭୟରେ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କଲେ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ । ଅନ୍ୟପକ୍ଷରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଓ ସାଂସଦ ଜୁଏଲ ଓରାମଙ୍କୁ ସର୍ତ୍ତମୂଳକ ଜାମିନ ମିଳିଛି । ମୟୂରଭଞ୍ଜ ଜିଲ୍ଲାର ଦୁଇ ସରକାରୀ କର୍ମଚାରୀଙ୍କୁ ଦଳୀୟ କାର୍ଯ୍ୟାଳୟରେ ଗାଳିଗୁଲଜ ଓ ମାଡ଼ ମାରିଥିବା ଅଭିଯୋଗରେ ବିଶ୍ୱେଶ୍ୱର ଟୁଡୁଙ୍କ ନାଁରେ ବାରିପଦା ଟାଉନ ଥାନାରେ ଜାନୁଆରୀରେ ଏତଲା ହୋଇଥିଲା । ଜିଲ୍ଲା କାର୍ଯ୍ୟାଳୟରେ ଜିଲ୍ଲା ଯୋଜନା ଓ ପର୍ଯ୍ୟବେକ୍ଷଣ ବିଭାଗର ଉପ ନିର୍ଦ୍ଦେଶକ ଅସ୍ୱିନୀ କୁମାର ମଲ୍ଲିକ ଓ ସହକାରୀ ନିର୍ଦ୍ଦେଶକଙ୍କୁ କେନ୍ଦ୍ରମନ୍ତ୍ରୀ ଅସଭ୍ୟ ଭାଷାରେ ଗାଳି ସହ ପ୍ଲାଷ୍ଟିକ ଚେୟାରରେ ପିଟିଥିବା ଅଭିଯୋଗ ହୋଇଥିଲା । ପୋଲିସ ତଦନ୍ତ ଜାରି ରିହଥିବା ବେଳେ ଗିରଫ ହେବା ଭୟ ବିଶ୍ବେଶ୍ବର ତେଣୁ ଆଗୁଆ ଜାମିନ ଆବେଦନ କରିଛନ୍ତି ।

ଅନ୍ୟପକ୍ଷରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମଙ୍କୁ ମିଳିଛି ଆଗୁଆ ସର୍ତ୍ତମୂଳକ ଜାମିନ୍ । ଦଳର ମହିଳା କର୍ମୀ ଗୌରୀ ମୁଣ୍ଡାରୀଙ୍କୁ ଅଶାଳୀନ ଭାଷାରେ ଦୁର୍ବ୍ୟବହାର ଅଭିଯୋଗରେ ଝିରପାଣି ଥାନାରେ ଏତଲା ପରେ ପୋଲିସ ତଦନ୍ତ ଜାରି ରହିଛି । ତେଣୁ ଗିରଫ ହେବା ଭୟରେ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିଲେ ଜୁଏଲ ଓରାମ । ତାଙ୍କୁ ସର୍ତ୍ତମୂଳକ ଜାମିନ ମିଳିଛି । ମାମଲା ରୁଜୁ ହେବା ଦିନଠାରୁ ଜୁଏଲଙ୍କ ପ୍ରତିକ୍ରିୟା ମିଲିପାରିନି ।

କାମାକ୍ଷାନଗରରେ ହାତୀ ଆତଙ୍କ, ନାବାଳକ ଶିଶୁ ପୁତ୍ରଙ୍କୁ ଦଳିଦେଲା ଦନ୍ତା

ଢେଙ୍କାନାଳ: ରାତି ଅଧରେ ତାଣ୍ଡବ ରଚିଲା ହାତୀ । ଘର ବାରଣ୍ଡାରେ ଶୋଇଥିବାବେଳେ ଦଳିଦେଲା ହାତୀ । ଦନ୍ତା ଆକ୍ରମଣରେ ନାବାଳକଙ୍କ ମୃତ୍ୟୁ ହୋଇଥିବାବେଳେ ତାଙ୍କ ବାପା ଗୁରୁତର ଭାବରେ ମେଡିକାଲରେ ଚିକିତ୍ସା ହେଉଛନ୍ତି । ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ବନଖଣ୍ଡ କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜ ଅଁଳାବେରେଣି ଫରେଷ୍ଟ ସେକ୍ସନ ଅନ୍ତର୍ଗତ ମହୁଲଡଗର ଗାଁରେ । ମୃତ ନାବାଳକ ହେଲେ ରସାନନ୍ଦ ଜେରେଇଙ୍କ ପୁଅ ହେଲେ ରିଶି ଜେରେଇ ।

ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ ଗୋଠଛଡା ଦନ୍ତା ଘର ଭାଙ୍ଗି ଆକ୍ରମଣ କରିଥିଲା । ପ୍ରଥମେ ରସାନନ୍ଦଙ୍କୁ ଶୁଣ୍ଢରେ ଧରି କଚାଡି ଦେଇଥିଲା ଏବଂ ପରେ ନାବାଳକଙ୍କ ମୁଣ୍ଡକୁ ଦଳି ଦେଇଥିଲା । ଚିତ୍କାର ଶୁଣି ଗାଁ ଲୋକ ବାପପୁଅଙ୍କୁ ଉଦ୍ଧାର କରି କାମାକ୍ଷାନଗର ମେଡ଼ିକାଲରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ୫ ବର୍ଷର ଶିଶୁପୁତ୍ରକୁ ମୃତ ଘୋଷଣା କରିଥିଲେ । ବାପା ରସାନନ୍ଦଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି । ହାତୀ ଉପଦ୍ରବ ଲାଗି ରହିଥିବାରୁ ଆତଙ୍କିତ ଅବସ୍ଥାରେ ଅଛନ୍ତି ସ୍ଥାନୀୟ ଲୋକ ।

 

ବୟକଟ୍ ନିଷ୍ପତ୍ତିକୁ ଆମେରିକାର ସମର୍ଥନ: ନିନ୍ଦା କଲେ ସିନେଟ୍ ସଦସ୍ୟ

ନୂଆଦିଲ୍ଲୀ: ଭାରତର ନିଷ୍ପତ୍ତିକୁ ଆମେରିକାର ସମର୍ଥନ । ଚୀନରେ ଆୟୋଜିତ ହେଉଥିବା ଶୀତକାଳୀନ ଅଲିମ୍ପିକ୍ସର ଉଦ୍‌ଘାଟନୀ ସମାରୋହକୁ ଭାରତ ଦ୍ୱାରା ବୟକଟ୍ କରାଯିବା ନିଷ୍ପତ୍ତିକୁ ସମର୍ଥନ ଜଣାଇଛି ଆମେରିକା । ୟୁଏସ୍ ସିନେଟ୍‌ର ୨ଜଣ ବରିଷ୍ଠ ସଦସ୍ୟ ଗଲଓ୍ୱାନ ସଂଘର୍ଷରେ ଜଡ଼ିତ ଚୀନ ସୈନିକଙ୍କ ଦ୍ୱାରା ମଶାଲ ଧରାଇବା ନିଷ୍ପତ୍ତିକୁ ନିନ୍ଦା କରିଛନ୍ତି । ଅନ୍ୟ ପକ୍ଷରେ ଆମେରିକୀୟ ଗୃହ ବିଭାଗ ମୁଖପାତ୍ର ପ୍ରତିକ୍ରିୟା ରଖି କହିଛନ୍ତି ଯେ, ଭାରତ-ଚୀନ ସୀମା ବିବାଦ ସମସ୍ୟାର ସମାଧାନ ନେଇ ଆମେ ଆପୋଷ ଆଲୋଚନାକୁ ସମର୍ଥନ କରୁଛୁ । ବେଜିଂ ଦ୍ୱାରା ପଡ଼ୋଶୀ ରାଷ୍ଟ୍ରଙ୍କୁ ଭୟଭୀତ କରାଯିବାକୁ ବିରୋଧ କରିଥିଲୁ । ଇଣ୍ଡୋ-ପାସିଫିକରେ ଶାନ୍ତି ବଜାୟ ରଖିବାକୁ ଆମେ ଆମ ବନ୍ଧୁ ରାଷ୍ଟ୍ରଙ୍କୁ ସହଯୋଗ କରିବୁ ବୋଲି କୁହାଯାଇଛି ।

ସୂଚନା ଯୋଗ୍ୟ ଯେ, ଗଲଓ୍ୱାନ ସଂଘର୍ଷରେ ଜଡ଼ିତ ସୈନ୍ୟ ଅଲମ୍ପିକ୍ସର ମଶାଲ ଧରିବା ନିଷ୍ପତ୍ତିକୁ ନେଇ ପ୍ରତିବାଦ ଜଣାଇଛି ଭାରତ । ୨୦୨୦ ଜୁନରେ ଗଲଓ୍ୱାନରେ  ଭାରତୀୟ ଯବାନଙ୍କୁ ଆକ୍ରମଣ କରିଥିବା କ୍ୟୁଇ ଫାବାଓ ମଶାଲ ଧରିବେ ବୋଲି ଚୀନ ଘୋଷଣା କରିଥିଲା । ଫାବାଓଙ୍କୁ ଭାରତୀୟ ସୈନ୍ୟ ଧରିବା ପରେ ଛାଡ଼ିଦିଆଯାଇଥିଲା । ଉତ୍ସବ ବର୍ଜନ ନେଇ ସୂଚନା ଦେଇଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ମୁଖପାତ୍ର ଅରିନ୍ଦମ ବାଗଚୀ । ୨୦୨୦ ଜୁନ ସଂଘର୍ଷରେ ଚୀନ ସୈନ୍ୟଙ୍କ ନେତୃତ୍ୱ ନେଇଥିଲେ ଫାବାଓ ଓ ଭାରତୀୟ ସୈନ୍ୟଙ୍କ ଉପରେ ଆକ୍ରମଣ ଲାଗି ଉଦ୍ୟମ କରିଥିଲେ । ଏହି ଘଟଣାରେ ଅପରେସନ ସ୍ନୋ ଲିଓପାର୍ଡରେ ଭାରତର ନେତୃତ୍ୱ ନେଉଥିବା କର୍ଣ୍ଣେଲ ବିକ୍କୁମାଲ୍ଲା ସନ୍ତୋଷ ବାବୁଙ୍କ ମୃତ୍ୟୁ ଘଟିଥିଲା ।

ଏଥିସହିତ ପଢ଼ନ୍ତୁ: ୟୁପି ନିର୍ବାଚନ: ସମାଜବାଦୀ ପାର୍ଟି ପ୍ରାର୍ଥୀଙ୍କ ସମ୍ପତ୍ତିର ହାରାହାରି ମୂଲ୍ୟ ୧୩.୨୩ କୋଟି

ଦେଶରେ ଖସୁଛି କରୋନା ସଂକ୍ରମଣ, ୨୪ ଘଣ୍ଟାରେ ୧ ଲକ୍ଷ ୪୯ ହଜାର ୩୯୪ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ହ୍ରାସ ପାଉଛି କରୋନା ସଂକ୍ରମଣ । ଦୁଇ ଲକ୍ଷ ତଳେ ରହିଛି ଦୈନିକ ସଂକ୍ରମଣ । ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଉଛି କିନ୍ତୁ ମୃତ୍ୟୁ ସଂଖ୍ୟାରେ ଲାଗୁନି ବ୍ରେକ୍ । ୨୪ ଘଣ୍ଟାରେ ଦେଶରେ ୧ ଲକ୍ଷ ୪୯ ହଜାର ୩୯୪ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ୨୪ ଘଣ୍ଟାରେ ୧ହଜାର ୦୭୨ ଜଣଙ୍କ ଜୀବନ ନେଇଛି କିଲର ଭାଇରସ୍ । ଦେଶରେ ବର୍ତ୍ତମାନ ଦୈନିକ ପଜିଟିଭ ରେଟ୍ ୯.୨୭ ପ୍ରତିଶତ ରହିଛି । ସେହିପରି ଭାବରେ ୨୪ ଘଣ୍ଟାରେ ଦେଶରେ ୨ଲକ୍ଷ ୪୬ହଜାର ୬୭୪ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

ଦେଶରେ ଗୁରୁବାର ୧ ଲକ୍ଷ ୭୨ ହଜାର ୪୩୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । କିନ୍ତୁ ଆଜି ଏହି ସଂଖ୍ୟାରେ ହ୍ରାସ ପାଇଛି । ୨୪ ଘଣ୍ଟାରେ ରାଜ୍ୟରେ ୧ ଲକ୍ଷ ୪୯ ହଜାର ୩୯୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆକ୍ଟିଭ୍ କେସ୍ କଥା ଯଦି କହିବା ତାହାଲେ ବର୍ତ୍ତମାନ ଭାରତରେ ଆକ୍ଟିଭ୍ କେସ୍ ସଂଖ୍ୟା ୧୪ ଲକ୍ଷ ୩୫ ହଜାର ୫୬୯ ରହିଛି ।

 

ରାଜ୍ୟରେ କମୁଛି କରୋନା ସଂକ୍ରମଣ, ୨୪ ଘଣ୍ଟାରେ ୨ ହଜାର ୬୯୭ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ହ୍ରାସ ପାଉଛି କରୋନା ସଂକ୍ରମଣ । ୨୪ ଘଣ୍ଟାରେ ରାଜ୍ୟରେ ୨ ହଜାର ୬୯୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ଆକ୍ରାନ୍ତ ମଧ୍ୟରୁ କ୍ୱାରେଣ୍ଟାଇନରୁ ୧ ହଜାର ୫୬୮ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୧ ହଜାର ୧୨୯ ଲୋକାଲ କେସ୍ ଚିହ୍ନଟ ହୋଇଛନ୍ତି । ସେହିପରି ୦ ରୁ ୧୮ ବର୍ଷ ମଧ୍ୟରେ ରାଜ୍ୟରେ ୪୩୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯଦି ସୁସ୍ଥ କଥା କହିବା ତାହାଲେ ରାଜ୍ୟରେ ୨୪ ଘଣ୍ଟାରେ ୭ ହଜାର ୪୮୭ ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି ।

୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ୫୧୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଅନୁଗୁଳରୁ ୫୫, ବାଲେଶ୍ୱରରୁ ୭୩, ବରଗଡ଼ରୁ ୫୩, ଭଦ୍ରକରୁ ୪୮, ବଲାଙ୍ଗୀରରୁ ୯୮, ବୌଦ୍ଧରୁ ୪୮, କଟକରୁ ୧୩୮, ଦେଓଗଡ଼ରୁ ୩୯, ଢେଙ୍କାନାଳରୁ ୪୦, ଗଜପତିରୁ ୫୯, ଗଞ୍ଜାମରୁ ୧୬, ଜଗତସିଂହପୁରରୁ ୬୭, ଯାଜପୁରରୁ ୧୨୭, ଝାରସୁଗୁଡ଼ାରୁ ୩୬, କଳାହାଣ୍ଡିରୁ ୯୫, କନ୍ଧମାଳରୁ ୩୪, କେନ୍ଦ୍ରାପଡ଼ାରୁ ୪୦, କେନ୍ଦୁଝରରୁ ୪୪, କୋରାପୁଟରୁ ୪୧, ମାଲକାନଗିରିରୁ ୧୮, ମୟୁରଭଞ୍ଜରୁ ୧୨୮, ନବରଙ୍ଗପୁରରୁ ୭୫, ନୟାଗଡ଼ରୁ ୯୬, ନୂଆପଡ଼ାରୁ ୫୫, ପୁରୀରୁ ୬୩, ରାୟଗଡ଼ାରୁ ୮୫, ସମ୍ବଲପୁରରୁ ୮୫, ସୋନପୁରରୁ ୨୯, ସୁନ୍ଦରଗଡ଼ରୁ ୨୯୧ ଓ ଷ୍ଟେଟ ପୁଲରୁ ୧୦୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଅଦିନିଆ ବର୍ଷା ପାଇଁ ବନ୍ଦ ରହିଲା ଶିମିଳିପାଳ

କରଞ୍ଜିଆ: ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ରାଜ୍ୟରେ ଜାରି ରହିବ ବର୍ଷା । ଉଷ୍ଣ ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ପ୍ରଭାବରେ ବିଜୁଳି ଘଡଘଡି ସହିତ ବର୍ଷା ହେବାର ସମ୍ଭାବନା ରହିଛି । ଅଦିନିଆ ବର୍ଷାକୁ ଦୃଷ୍ଟିରେ ରଖି ଦିନକ ପାଇଁ ବନ୍ଦ ହେଲା ଶିମିଳିପାଳ । ଶିମିଳିପାଳରେ ଅଦିନିଆ ବର୍ଷା ପାଇଁ ଆଜି ପାଇଁ ପର୍ଯ୍ୟଟକଙ୍କୁ ପ୍ରବେଶ ପାଇଁ ମନା କରାଯାଇଛି । ପାହାଡିଆ ରାସ୍ତା ଅସରାଏ ବର୍ଷାରେ ବି ପର୍ଯ୍ୟଟନ ସ୍ଥଳୀକୁ ଯିବା ସମ୍ଭବପର ନୁହେଁ ଏବଂ ବିପଦପୂର୍ଣ୍ଣ ମଧ୍ୟ ହୋଇଥାଏ । ସେଥିପାଇଁ ବର୍ଷା ହେଲେ ପର୍ଯ୍ୟଟକଙ୍କ ସୁରକ୍ଷା ଦୃଷ୍ଟିରୁ ଅନୁମତି ମିଳି ନଥାଏ । ଆଜି ମଧ୍ୟ ଶିମିଳିପାଳରେ ଅଦିନିଆ ବର୍ଷା ହୋଇଛି ସେଥିପାଇଁ ପର୍ଯ୍ୟଟକଙ୍କ ପାଇଁ ଆଜି ଶିମିଳିପାଳ ବନ୍ଦ ରହିଛି ବୋଲି କହିଛନ୍ତି ଶିମିଳିପାଳ କତ୍ତୃପକ୍ଷ ।

ସୂଚନା ଅନୁସାରେ ରାଜ୍ୟରେ ଆହୁରି ୨୪ ଘଣ୍ଟା ପର୍ଯ୍ୟନ୍ତ ଜାରି ରହିବ ଅଦିନିଆ ବର୍ଷା । ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ନେଇ ୮ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ବିଶେଷକରି ଝାରସୁଗୁଡା, ବରଗଡ, ସୁନ୍ଦରଗଡ, ସମ୍ବଲପୁର, ଦେବଗଡ, ଅନୁଗୁଳ, କେନ୍ଦୁଝର ଏବଂ ମୟୁରଭଞ୍ଜ ଜିଲ୍ଲାରେ ବର୍ଷା ହେବ ବୋଲି ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଭାଗ ।

ୟୁପି ନିର୍ବାଚନ: ସମାଜବାଦୀ ପାର୍ଟି ପ୍ରାର୍ଥୀଙ୍କ ସମ୍ପତ୍ତିର ହାରାହାରି ମୂଲ୍ୟ ୧୩.୨୩ କୋଟି

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ନିର୍ବାଚନରେ ଭାଗ ନେଉଥିବା ପ୍ରାର୍ଥୀଙ୍କ ସମ୍ପର୍କରେ ଏଡିଆର ରିପୋର୍ଟ ପ୍ରକାଶ ପାଇଛି । ଆସୋସିଏସନ୍ ଫର୍‌ ଡେମୋକ୍ରେଟିକ୍ ରିଫର୍ମସ୍ (ଏଡିଆର) ପକ୍ଷରୁ ଜାରି ରିପୋର୍ଟ ଅନୁଯାୟୀ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀଙ୍କ ମଧ୍ୟରୁ ୪୭ ପ୍ରତିଶତ କୋଟିପତି । ଯାହାଙ୍କ ସମ୍ପତ୍ତିର ହାରାହାରି ମୂଲ୍ୟ ୩.୭୨କୋଟି । ଅନ୍ୟପକ୍ଷେ ୬୧୫ ପ୍ରାର୍ଥୀଙ୍କ ମଧ୍ୟରୁ ୧୫୬ ତଥା ୨୫ ପ୍ରତିଶତ ପ୍ରାର୍ଥୀଙ୍କ ବିରୋଧରେ ଅପରାଧିକ ମାମଲା ରହିଛି। ୧୨୧ ଜଣଙ୍କ ବିରୋଧରେ ହତ୍ୟା ଏବଂ ଦୁଷ୍କର୍ମ ଭଳି ଅତ୍ୟନ୍ତ ଗୁରୁତର ଅପରାଧିକ ମାମଲା ରହିଛି। ପଶ୍ଚିମ ଉତ୍ତରପ୍ରଦେଶର ୫୮ ନିର୍ବାଚନ ମଣ୍ଡଳୀରେ ନିର୍ବାଚନ ଦୌଡ଼ରେ ଥିବା ୬୧୫ ପ୍ରାର୍ଥୀ ସେମାନଙ୍କ ନିର୍ବାଚନ ସତ୍ୟପାଠ ଦାଖଲ କରିଛନ୍ତି।

ଏମାନଙ୍କ ମଧ୍ୟରୁ ୨୮୦ ଜଣ ନିଜକୁ କୋଟିପତି ଘୋଷଣା କରିଛନ୍ତି। ଆରଏଲ୍‌ଡିର ୨୮ ଜଣ ପ୍ରାର୍ଥୀଙ୍କର ୧ କୋଟିରୁ ଅଧିକ ସମ୍ପତ୍ତି ଅଛି। ବିଜେପିର ୫୭ ପ୍ରାର୍ଥୀଙ୍କ ମଧ୍ୟରୁ ୫୫ ଜଣ କୋଟିପତି। ୫୬ ବିଏସ୍‌ପି ପ୍ରାର୍ଥୀଙ୍କ ମଧ୍ୟରୁ ୫୦ ଜଣ କୋଟିପତି। ସମାଜବାଦୀ ପାର୍ଟିର ୨୮ ପ୍ରାର୍ଥୀଙ୍କ ମଧ୍ୟରୁ ୨୩ ଜଣ କୋଟିପତି, କଂଗ୍ରେସର ୫୮ ପ୍ରାର୍ଥୀଙ୍କ ମଧ୍ୟରୁ ୩୨ ଜଣ କୋଟିପତି ଏବଂ ଆପ୍‌ର ୫୨ ପ୍ରାର୍ଥୀଙ୍କ ମଧ୍ୟରୁ ୨୨ ଜଣ କୋଟିପତି। ଆକଳନରୁ ଏହା ଜଣାପଡ଼ିଛି ଯେ, ପ୍ରତି ସପା ପ୍ରାର୍ଥୀଙ୍କ ହାରାହାରି ସମ୍ପତ୍ତିର ମୂଲ୍ୟ ୧୩.୨୩ କୋଟି। ବିଜେପି ପାଇଁ ଏହା ୧୨.୦୧ କୋଟି , ଆରଏଲ୍‌ଡି ପାଇଁ ୮.୩୨ କୋଟି, ବିଏସ୍‌ପି ପାଇଁ ୭.୭୧ କୋଟି, କଂଗ୍ରେସ ପାଇଁ ୩.୦୮ କୋଟି ଏବଂ ଆପ୍‌ ପାଇଁ ୧.୨୩ କୋଟି ରହିଛି।

ଏଥିସହିତ ପଢ଼ନ୍ତୁ: ଆମେରିକାର ଆକ୍ରମଣରେ ଆଇଏସ୍ଆଇଏସ୍ କମାଣ୍ଡର ଅବୁ ଇବ୍ରାହିମ୍ ନିହତ

ଆମେରିକାର ଆକ୍ରମଣରେ ଆଇଏସ୍ଆଇଏସ୍ କମାଣ୍ଡର ଅବୁ ଇବ୍ରାହିମ୍ ନିହତ

ନ୍ୟୁୟର୍କ: ଆତଙ୍କବାଦ ବିରୋଧରେ ସିରିଆରେ ଆମେରିକାର ବଡ଼ଧରଣର ଆକ୍ରମଣ । ସ୍ପେଶାଲ୍ ଫୋର୍ସ ଆକ୍ରମଣରେ ନୂଆ ISIS କମାଣ୍ଡର ଅବୁ ଇବ୍ରାହିମ୍ ଅଲ ହାସିମ୍ କ୍ୟୁରାୟସୀ ମୃତ୍ୟୁ । ଆକ୍ରମଣରେ ମୋଟ ୧୩ ଜଣଙ୍କର ମୃତ୍ୟୁ ହୋଇଥିବା ହ୍ୱାଇଟହାଉସ ପକ୍ଷରୁ ସୂଚନା ଦିଆଯାଇଛି । ମୃତକଙ୍କ ମଧ୍ୟରେ କେତେଜଣ ସାଧାରଣ ଲୋକ ଓ ଛୋଟ ପିଲା ଥିବା ସୂଚନା ମିଳିଛି ।

ବଡ଼କଥା ହେଲା ୨୦୧୯ ମସିହାରେ ଯେଉଁ ଅଞ୍ଚଳରେ ଆମେରିକା ଅପରେସନ କରି ବାଗଦାଦୀକୁ ମାରିଥିଲା ସେହି ଅଞ୍ଚଳରେ ପୁଣି ଥରେ ଅପରେସନ୍ କରିଛି ଆମେରିକାର ସ୍ପେଶାଲ୍ ଫୋର୍ସ । ୨ଘଣ୍ଟା ଧରି ଅପରେସନ୍ ଚାଲିଥିବାବେଳେ ହାସିମ୍ କ୍ୟୁରାୟସୀ ନିଜ ଘରେ ବୋମା ବିସ୍ଫୋରଣ କରିଥିଲା । ଫଳରେ ତା ସହିତ ପୁରା ପରିବାରର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ବାଗଦାଦିର ମୃତ୍ୟୁ ପରେ କ୍ୟୁରେସି ତାହାର ସ୍ଥାନ ନେଇଥିଲା । ତାହାର ସୂଚନା ପାଇଁ ୧୦ମିଲିୟନ ଡଲାରର ପୁରସ୍କାର ରାଶି ଘୋଷଣା କରିଥିଲା ଆମେରିକା । ଓସାମା ବିନ ଲାଡେନ ଓ ବାଗଦାଦିର ହତ୍ୟା ପରେ ଆତଙ୍କବାଦ ବିରୋଧରେ ଏହା ହେଉଛି ଆମେରିକାର ବଡ଼ ସଫଳତା ।