spot_img
Home Blog Page 4623

ପୌର ନିର୍ବାଚନ ପାଇଁ ଆରମ୍ଭ ହେଲା ପ୍ରକ୍ରିୟା, ଫେବ୍ରୁଆରୀ ୧୦ରେ ଆସିବ ପ୍ରାଥମିକ ଭୋଟର ତାଲିକା

ଭୁବନେଶ୍ୱର: ୧୧୦ ପୌର ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ । ୪୮ ମ୍ୟୁନିସିପାଲିଟି ଓ ୫୯ ଏନଏସି ସୀମା ନିର୍ଦ୍ଧାରଣ ଓ ଆସନ ଆରକ୍ଷଣର ଚୂଡାନ୍ତ ତାଲିକା ଜିଲ୍ଲା ମାଜିଷ୍ଟ୍ରେଟ ରାଜ୍ୟ ନିର୍ବାଚନ ଆୟୋଗଙ୍କୁ ପ୍ରଦାନ କରିଛନ୍ତି । ସେହିପରି ରାଜ୍ୟର ୩ଟି ମ୍ୟୁନିସିପାଲିଟି କର୍ପୋରେସନର ସୀମା ନିର୍ଦ୍ଧାରଣ ଓ ଆସନ ଆରକ୍ଷଣ ଚୂଡାନ୍ତ ତାଲିକା ମଧ୍ୟ ନିର୍ବାଚନ ଆୟୋଗକୁ ପ୍ରଦାନ କରିଛନ୍ତି ସରକାର । ଖୁବଶୀଘ୍ର ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଆରମ୍ଭ ହେବ ବୋଲି କହିଛନ୍ତି ରାଜ୍ୟ ନିର୍ବାଚନ ଆୟୋଗ ।

ସେହିପରି ନୂଆ ଭୋଟରଙ୍କ ନାମ ଯୋଡ଼ା ଯାଇପାରିବ ନାହିଁ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ ଆୟୋଗ । ଫେବ୍ରୁଆରୀ ୧୦ରେ ପ୍ରାଥମିକ ଭୋଟର ତାଲିକା ପ୍ରକାଶ ପାଇବ । ଦାବି ଓ ଆପତ୍ତି ପାଇଁ ୬ଦିନ ସମୟ ମିଳିବ । ଅର୍ଥାତ୍ ୧୧ରୁ ୧୬ ତାରିଖ ଭିତରେ ଦାବି ଓ ଆପତ୍ତି ଜଣାଇ ପାରିବ । ୧୮ ତାରିଖରେ ନିର୍ବାଚନ ଅଧିକାରୀଙ୍କ ଦ୍ୱାରା ଦାବି ଓ ଆପତ୍ତିର ତଦନ୍ତ ଓ ଫଇସଲା ହେବ । ୨୪ ତାରିଖରେ ଚୂଡାନ୍ତ ତାଲିକା ପ୍ରକାଶ ପାଇବ । ୨୮ତାରିଖ ସୁଦ୍ଧା ଭୋଟର ତାଲିକା ରାଜ୍ୟ ନିର୍ବାଚନ କମିଶନଙ୍କୁ ପ୍ରଦାନ କରାଯିବ ।

ଦୁର୍ନୀତି ବିରୋଧରେ ନବୀନ ସରକାରଙ୍କ ଶୂନ୍ୟ ସହନଶୀଳତା ନୀତି, ବରିଷ୍ଠ IAS ବିନୋଦ କୁମାର ଚାକିରିରୁ ବରଖାସ୍ତ

ଭୁବନେଶ୍ୱର: ଦୁର୍ନୀତି ଅଭିଯୋଗ ପ୍ରମାଣିତ ହେବା ପରେ ରାଜ୍ୟ ସରକାର ବରିଷ୍ଠ ଆଇ.ଏ.ଏସ୍ ଅଫିସର ତଥା ଓଡିଶା ଗ୍ରାମ୍ୟ ଗୃହ ନିର୍ମାଣ ନିଗମର ପୂର୍ବତନ ପରିଚାଳନା ନିର୍ଦ୍ଦେଶକ ବିନୋଦ କୁମାରଙ୍କୁ ଚାକିରୀରୁ ବରଖାସ୍ତ କରିଛନ୍ତି। ବିନୋଦ କୁମାରଙ୍କୁ ଚାକିରୀରୁ ବରଖାସ୍ତ କରିବା ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତାବରେ କେନ୍ଦ୍ର ସରକାର ମଧ୍ୟ ସମ୍ମତି ପ୍ରଦାନ କରିଛନ୍ତି ।

ସୂଚନା ଅନୁସାରେ ବିନୋଦ କୁମାର ଓଡିଶା ଗ୍ରାମ୍ୟ ଗୃହ ନିର୍ମାଣ ନିଗମର ପରିଚାଳନା ନିର୍ଦ୍ଦେଶକ ଥିବା ସମୟରେ ମହାବାତ୍ୟା ପରେ ବିଭିନ୍ନ ନକଲି ଫାର୍ମ ତଥା ବ୍ୟକ୍ତିଙ୍କ ପ୍ରତି ଅନୁଚିତ ଅନୁଗ୍ରହ ପ୍ରଦାନ କରି ୩୩ କୋଟି ୩୪ ଲକ୍ଷ ଟଙ୍କା ବେଆଇନ ଭାବେ ମଂଜୁର କରିଥିଲେ । ଯାହାଦ୍ୱାରା ରାଜ୍ୟ ସରକାରଙ୍କର ବହୁ ପରିମାଣରେ ଆର୍ଥିକ କ୍ଷତି ହୋଇଥିଲା । ସେଥିପାଇଁ ବିନୋଦ କୁମାରଙ୍କ ବିରୋଧରେ ଓଡିଶା ସରକାର ୨୭ଟି ଭିଜିଲାନସ କେସ୍‌ ଦାୟର କରିଥିଲେ । ସେଥିମଧ୍ୟରୁ ଦୁଇଟି କେସରେ ବିନୋଦ କୁମାରଙ୍କୁ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ।

ରାଜ୍ୟ ସରକାର ସବୁବେଳେ ଦୁର୍ନୀତି ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନେଇ ଆସିଛନ୍ତି । ଦୁର୍ନୀତି କରିଥିବା ବ୍ୟକ୍ତିମାନେ ଯେତେ ଉଚ୍ଚ ପଦ ପଦବୀରେ ଥାନ୍ତୁ ନା କାହିଁକି, ସେମାନଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ପାଇଁ ରାଜ୍ୟ ସରକାର ବଦ୍ଧପରିକର । କିଛି ଦିନ ତଳେ ଦୁର୍ନୀତି ଅଭିଯୋଗରେ ସର୍ବ ଭାରତୀୟ ସେବାର ଜଣେ ବରିଷ୍ଠ ଜଙ୍ଗଲ ସେବା ଅଧିକାରୀଙ୍କୁ ମଧ୍ୟ ଚାକିରୀରୁ ବରଖାସ୍ତ କରାଯାଇଥିଲା ।

୬ ମାସରୁ ୫ ବର୍ଷ ପିଲାଙ୍କୁ ମିଳିବ ଟିକା! FDAକୁ ଅନୁମତି ମାଗିଲେ ଫାଇଜର ଓ ବାୟୋଏନଟେକ

ନୂଆଦିଲ୍ଲୀ: ଖୁବଶୀଘ୍ର ୬ ମାସରୁ ପାଞ୍ଚ ବର୍ଷ ବୟସର ପିଲାଙ୍କୁ ଦିଆଯାଇପାରେ ଟିକା । ଏନେଇ ଆମେରିକାର ଫୁଡ ଆଣ୍ଡ ଡ୍ରଗ୍ସ ଆଡମିନିଷ୍ଟ୍ରେସନ ବା ଏଫଡିଏକୁ ଅନୁମତି ମାଗିଛନ୍ତି ଦୁଇ ଟିକା ନିର୍ମାଣକାରୀ କମ୍ପାନୀ ଫାଇଜର ଓ ବାୟୋଏନଟେକ । ପିଲାଙ୍କ କ୍ଷେତ୍ରରେ ଜରୁରୀକାଳୀନ ଟିକା ବ୍ୟବହାର ପାଇଁ ଏଫଡିଏକୁ ଅନୁମତି ମାଗିଛନ୍ତି ଦୁଇ କମ୍ପାନୀ । ଯଦି ଏଫଡିଏ ପକ୍ଷରୁ ଅନୁମତି ମିଳେ, ତେବେ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ପିଲାଙ୍କୁ ଭ୍ୟାକ୍ସିନ ଦେବା କ୍ଷେତ୍ରରେ ଏହା ସାଜିବ ପ୍ରଥମ ସଞ୍ଜୀବନୀ ।

ତେବେ ଫାଇଜର ଓ ବାୟୋଏନଟେକ ପକ୍ଷରୁ କୁହାଯାଇଛି ଯେ, ଖୁବଶୀଘ୍ର ଏହାର ସମସ୍ତ ପ୍ରକ୍ରିୟା ଶେଷ କରାଯିବାର ଲକ୍ଷ୍ୟ ରଖାଯାଇଛି । କରୋନା ଆକ୍ରାନ୍ତ ପରେ ଛୋଟ ପିଲାମାନେ ହସ୍ପିଟାଲରେ ଭର୍ତ୍ତି ହେଉଛନ୍ତି । ଖୁବଶୀଘ୍ର ଟିକା ଆସିଲେ ତାହା ପିଲାଙ୍କ ପାଇଁ ବହୁ ଉପକାର ହେବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି ।

ଭିଜିଲାନ୍ସ ଜାଲରେ ନୂଆପଡ଼ା ଏସିଏସଓ ରତ୍ନାକର ସେଠୀ, ଏକକାଳୀନ ୬ଟି ସ୍ଥାନରେ ରେଡ୍

କଟକ: ଭିଜିଲାନ୍ସ ଜାଲରେ ନୂଆପଡ଼ାର ଅତିରିକ୍ତ ଯୋଗାଣ ଅଧିକାରୀ ରତ୍ନାକର ସେଠୀ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ୍ କରୁଛି ଭିଜିଲାନ୍ସ । କଟକ, ଚୌଦ୍ୱାର, ନୂଆପଡ଼ାର ୬ଟି ସ୍ଥାନରେ ଏକକାଳୀନ ଚଢ଼ାଉ ଚାଲିଛି । କଟକରେ ୩, ଚୌଦ୍ୱାରରେ ଗୋଟିଏ ଓ ନୂଆପଡ଼ାର ଦୁଇଟି ସ୍ଥାନରେ ରେଡ୍ ହୋଇଛି । ଚଢ଼ାଉରେ ୬ ଜଣ ଡିଏସପି, ୧୨ ଜଣ ଇନ୍ସପେକ୍ଟର ଓ ଅନ୍ୟ ଅଧିକାରୀ ସାମିଲ ହୋଇଛନ୍ତି । ଏ ପର୍ଯ୍ୟନ୍ତ ୧ କୋଟି ୧୩ ଲକ୍ଷ ଟଙ୍କାର ବୀମା ପ୍ରିମିୟମ ଠାବ ହେଲାଣି । କଟକ ଚାଉଳିଆଗଞ୍ଜରେ ଏକ ତିନି ମହଲା କୋଠା ଠାବ ହୋଇଛି । ସେହିପରି କଟକ ବାଲିସାହିରେ ଗୋଟିଏ ଦୁଇ ମହଲା କୋଠା ଠାବ ହୋଇଥିବାବେଳେ, ବାଲିସାହିରେ ନଟରାଜ ପ୍ୟାଲେସ ନାଁରେ ରହିଛି କଲ୍ୟାଣ ମଣ୍ଡପ । ଚୌଦ୍ୱାର ଓରନ୍ଦାରେ ୩ ଏକର ଜମି ସହ ଗେଷ୍ଟ ହାଉସ୍ ଠାବ ହୋଇଛି । ୪୯୮ ଗ୍ରାମର ସୁନା ଓ ଅଢ଼େଇ କେଜିର ରୁପା ଗହଣା ଜବତ କରିଛି ଭିଜିଲାନ୍ସ । ୬ଟି ସ୍ଥାନରେ ୬ଟି ଟିମ୍ ଏକକାଳୀନ ରେଡ୍ କରୁଛନ୍ତି । କଟକ ସ୍ପେଶାଲ ଜଜଙ୍କ ସର୍ଚ୍ଚ ଓ୍ୱାରେଣ୍ଟ ବଳରେ ଚାଲିଛି ରେଡ୍ ।

ପରଲୋକରେ ‘ଦେବୀପାଦ’ ଓ ‘ଅସରନ୍ତି ଅଣସର’ର କବି ପ୍ରମୋଦ

ଭୁବନେଶ୍ୱର: ପରଲୋକରେ କବି ପ୍ରମୋଦ କୁମାର ମହାନ୍ତି । ଆଜି ପାହାନ୍ତି ପହରରେ ଏ ସଂସାରର ଅଣସର ସାରି ନୂଆ ଦୁନିଆର ନବଯୌବନକୁ ଚାଲିଗଲେ କବି ପ୍ରମୋଦ କୁମାର ମହାନ୍ତି । ୧୯୬୭ଠାରୁ ଆରମ୍ଭ କରିଥିଲେ ତାଙ୍କର କାବ୍ୟଯାତ୍ରା । କିନ୍ତୁ ୧୯୮୨ରେ ‘ଦେବୀପାଦ’ ହିଁ ତାଙ୍କୁ କବି ଭାବରେ ପ୍ରତିଷ୍ଠା ଦେଇଥିଲା । ସେ ଦୃଷ୍ଟିରୁ ସେ ଥିଲେ ଦୀର୍ଘ ଚିରି ଦଶନ୍ଧିର ଜଣେ ପ୍ରତିଷ୍ଠିତ କବି ।

ସେଦିନର କଟକ ଓ ଆଜିର ଜଗତସିଂହପୁର ଜିଲ୍ଲାର ବିରିଡ଼ିରେ ୧୯୪୨ରେ ତାଙ୍କର ଜନ୍ମ । ପ୍ରଥମେ ଗାଁ ସ୍କୁଲ ଓ ରେଭେନ୍ସା କଲେଜରେ ପଢ଼ିବା ପରେ ସେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ମନୋବିଜ୍ଞାନରେ ସ୍ନାତକୋତ୍ତର ଉପାଧି ହାସଲ କରିଥିଲେ । ପ୍ରଥମେ କିଶୋରନଗରର ଚିନ୍ତାମଣି ବିଦ୍ୟାପୀଠରୁ ସହକାରୀ ଶିକ୍ଷକ ରୂପେ ବୃତ୍ତିଗତ ଜୀବନ ଆରମ୍ଭ କରିଥିଲେ । ୧୯୭୦ରେ ବାଙ୍କି କଲେଜରେ ଅଧ୍ୟାପକ ହୋଇଥିଲେ ଏବଂ ଶେଷରେ ୨୦୦୦ରେ କଟକ ଜାତୀୟ କବି ବୀରକିଶୋର କଲେଜରୁ ଅବସର ଗ୍ରହଣ କରିଥିଲେ ପ୍ରମୋଦ କୁମାର ମହାନ୍ତି ।

‘କ୍ରମଶଃ’ ଓ ‘ଦେବୀପାଦ’ ବ୍ୟତୀତ ‘ଅଧାଅଧା ଆଲିମ୍ପନ’ (୨୦୧୭), ‘ଅକାତକାତ’ (୧୯୯୫), ‘ଅସରନ୍ତି ଅଣସର’ (୨୦୦୬), ‘ଅଲଗାକୁହା’ (୨୦୦୭), ‘ଚିତ୍ର ଚିତ୍ରକ ଚିତ୍ରପେଡ଼ି’ (୨୦୦୯), ‘ଅକ୍ଷରସେବା’ (୨୦୧୪) ଓ ‘ବାଙ୍ମୟ ବର୍ଣ୍ଣମାଳା’ (୨୦୧୬) ‘ଓଁକାର ଝଙ୍କାର’ (୨୦୧୮) ଆଦି ତାଙ୍କର କବିତା ପୁସ୍ତକ ମଧ୍ୟରେ ପ୍ରମୁଖ। ଏଥି ମଧ୍ୟରୁ ‘ଅସରନ୍ତି ଅଣସର’ ପାଇଁ ସେ ୨୦୦୮ ମସିହାର ସାହିତ୍ୟ ଏକାଡେମି ପୁରସ୍କାର ପାଇଥିଲେ।

କିନ୍ତୁ ପ୍ରମୋଦ କୁମାର ମହାନ୍ତି ମଧ୍ୟ ଜଣେ ଖୁବ୍ ଉଚ୍ଚକୋଟୀର ଗଦ୍ୟ ଶିଳ୍ପୀ । ଦୀର୍ଘ ଦଶନ୍ଧି ପୂର୍ବେ ‘ଝଙ୍କାର’ରେ ‘ଅନାସକ୍ତ କୋଣାର୍କ ଓ ତା’ର ଆସକ୍ତ କବି କେତେଜଣ’ ଶୀର୍ଷକରେ ସେ ତିନିଟି ଆଲୋଚନା ଲେଖିଥିଲେ ଏବଂ ତାହା ଥିଲା ଗଦ୍ୟରେ ମଧ୍ୟ ତାଙ୍କ ନିପୁଣତାର ପ୍ରମାଣ । ଲିଓନାର୍ଡୋ ଦା ଭିଞ୍ଚିଙ୍କ ସୁପ୍ରସିଦ୍ଧ ‘ମୋନାଲିସା’ କୁ ନେଇ ମଧ୍ୟ ସେ ଲେଖିଛନ୍ତି ଏକ ଦୀର୍ଘ ଆଲୋଚନା । ତାହାର ଶୀର୍ଷକ ‘ଜଣେ ରୂପସୀ ଓ ତାର ସ୍ରଷ୍ଟା ସଂପର୍କରେ’ । ତାଙ୍କର ପ୍ରବନ୍ଧ ଓ ଆଲୋଚନା ଗୁଡ଼ିକ ମଧ୍ୟ ‘ସ୍ୟାହିଛିଟା’ ନାମରେ ଏକ ପୁସ୍ତକ ଆକାରରେ ୨୦୦୫ରେ ସଂକଳିତ ହୋଇଛି।

୧୯୮୦ରେ ପ୍ରମୋଦ କୁମାର ମହାନ୍ତି ଲେଖିଥିଲେ ‘ପିଲାଙ୍କୁ କିପରି ମଣିଷ କରିବା’ ଶୀର୍ଷକରେ ଗୋଟିଏ ଅତି ମୂଲ୍ୟବାନ ଗ୍ରନ୍ଥ । ତାହାର ଅନେକ ଗୁଡ଼ିଏ ସଂସ୍କରଣ ଏ ଭିତରେ ହୋଇସାରିଛି । ‘ରାଜ୍ୟ ପାଠ୍ୟପୁସ୍ତକ ପ୍ରଣୟନ ଓ ପ୍ରକାଶନ ସଂସ୍ଥା’ ମଧ୍ୟ ମନୋବିଜ୍ଞାନ ବିଷୟକ ତାଙ୍କର ବେଶ୍ କେତୋଟି ପୁସ୍ତକ ପ୍ରକାଶ କରିଛନ୍ତି । ଓଡ଼ିଶା ସାହିତ୍ୟ ଏକାଡେମୀ ପାଇଁ କବିବନ୍ଧୁ କମଳାକାନ୍ତ ପଣ୍ଡା (କଳ୍ପାନ୍ତ)ଙ୍କ ସହିତ ମିଶି ସେ “କବିତା କୋଣାର୍କ’ ଶୀର୍ଷକରେ ଓଡ଼ିଆ କୋଣାର୍କ କବିତା ଗୁଡ଼ିକର ଏକ ସୁଦୃଶ୍ୟ ସଂକଳନ ମଧ୍ୟ କରିଛନ୍ତି ।

ପ୍ରମୋଦ କୁମାର ମହାନ୍ତି ପାଇଥିବା ପ୍ରମୁଖ ପୁରସ୍କାର ଗୁଡ଼ିକ ହେଉଛି- ପ୍ରଜାତନ୍ତ୍ର ପ୍ରଚାର ସମିତିର ‘ବିଷୁବ ମିଳନ କବିତା ପୁରସ୍କାର’ (୧୯୬୫), ଉତ୍କଳ ବିଶ୍ୱବିଦ୍ୟାଳୟର ‘ପଦ୍ମଚରଣ ପଟ୍ଟନାୟକ କବିତା ପୁରସ୍କାର’ (୧୯୬୮), ‘ଧରିତ୍ରୀ ସମ୍ମାନ’ (୧୯୮୩), ‘ଝଙ୍କାର ପୁରସ୍କାର’ (୧୯୯୫), ଗଙ୍ଗାଧର ରଥ ଫାଉଣ୍ଡେସନର ‘ଭାନୁଜୀ ରାଓ କବିତା ସମ୍ମାନ’ (୨୦୦୫), ‘ଜଗତସିଂହପୁର ପୁସ୍ତକ ମେଳା ପୁରସ୍କାର’ (୨୦୦୬) ଓ ‘ବ୍ରହ୍ମୋତ୍ରୀ ମହାନ୍ତି ସ୍ମୃତି ସମ୍ମାନ’ (୨୦୧୫) ।

ପ୍ରମୋଦ କୁମାର ମହାନ୍ତି ଥିଲେ ଜଣେ ଦରଦୀ, ସ୍ନେହୀ ଓ କୃତଜ୍ଞ ମଣିଷ । ଜୀବନର ଆଦ୍ୟ ସଂଘର୍ଷ ସଂକୁଳ ସମୟରେ ମହାପାତ୍ର ନୀଳମଣି ସାହୁଙ୍କ ସାହାଯ୍ୟ ସେ ସବୁବେଳେ ସ୍ୱୀକାର କରିଆସିଥିଲେ । ତାଙ୍କୁ ନେଇ ଗୋଟିଏ ମନୋଗ୍ରାଫ୍ ମଧ୍ୟ ସେ ଓଡ଼ିଶା ସାହିତ୍ୟ ଏକାଡେମୀ ପାଇଁ ଲେଖିଥିଲେ । ତାହାର ସମୀକ୍ଷା ଦାୟିତ୍ଵ ମୋତେ ଦିଆଯାଇଥିଲା । ତାହାର ପ୍ରକାଶନ ପାଇଁ ସେ ବ୍ୟାକୁଳ ଥିଲେ । ମାତ୍ର ସମୀକ୍ଷା ଓ ସଂପାଦନା ଅନେକ ମାସ ତଳୁ ଶେଷ ହୋଇଥିଲେ ମଧ୍ୟ ତାହା ଶେଷ ସୁଦ୍ଧା, ତାଙ୍କ ଜୀବଦ୍ଦଶାରେ ପ୍ରକାଶ ପାଇ ପାରିଲା ନାହିଁ । ସେ ସେଇ ଆଶା ଓ ଅବସୋସ ନେଇ ଚାଲିଗଲେ।

ପ୍ରମୋଦ କୁମାର ମହାନ୍ତିଙ୍କୁ ଓଡ଼ିଶା ସାହିତ୍ୟ ଏକାଡେମୀ କବିତା ପାଇଁ ପୁରସ୍କାରଟିଏ ବି ଦେଇନଥିଲା। ଆଶା, ଏକାଡେମୀ ଏବେ ଅନ୍ତତଃ ତାଙ୍କ ଏକାଦଶାହରେ ପୁସ୍ତକଟି ପ୍ରକାଶ କରି ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବେ ।

ଦେଶରେ କମୁଛି କରୋନା ସଂକ୍ରମଣ, ୨୪ ଘଣ୍ଟାରେ ୧ ଲକ୍ଷ ୬୧ ହଜାର ୩୮୬ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ଧିରେ ଧିରେ ଖସୁଛି କରୋନା ଗ୍ରାଫ୍ ଦୁଇ ଲକ୍ଷ ତଳେ ରହିଛି କରୋନା ସଂକ୍ରମଣ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଉଛି କିନ୍ତୁ ମୃତ୍ୟୁ ସଂଖ୍ୟାରେ ଲାଗୁନି ବ୍ରେକ । ୨୪ ଘଣ୍ଟାରେ ଦେଶରେ ଲକ୍ଷ ୬୧ ହଜାର ୩୮୬ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ସେହିପରି ୨୪ ଘଣ୍ଟାରେ ଦେଶରେ ୧୭୩୩ ଜଣଙ୍କ ଜୀବନ ନେଇଛି କିଲର ଭାଇରସ୍ ଦେଶରେ ବର୍ତ୍ତମାନ ଦୈନିକ ପଜିଟିଭ ହାର .୨୬ ପ୍ରତିଶତ ରହିଛି ସେହିପରି ଭାବରେ ୨୪ ଘଣ୍ଟାରେ ଦେଶରେ ଲକ୍ଷ ୮୧ ହଜାର ୧୦୯ ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି

ଦେଶରେ ମଙ୍ଗଳବାର ଲକ୍ଷ ୬୭ ହଜାର ୦୫୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ କିନ୍ତୁ ଆଜି ଏହି ସଂଖ୍ୟାରେ ହ୍ରାସ ପାଇଛି କିଛି ଦିନ ଦେଶରେ କରୋନା ସଂକ୍ରମଣ ଦୁଇ ଲକ୍ଷ ଉପରେ ରହିଥିବାବେଳେ କରୋନା ଆକ୍ରାନ୍ତଙ୍କ ହ୍ରାସ ପାଇଛି ଆଜି ଦେଶରେ ଲକ୍ଷ ୬୧ ହଜାର ୩୮୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଆକ୍ଟିଭ୍ କେସ୍ କଥା ଯଦି କହିବା ତାହାଲେ ବର୍ତ୍ତମାନ ଭାରତରେ ଆକ୍ଟିଭ୍ କେସ୍ ସଂଖ୍ୟା ୧୬ ଲକ୍ଷ ୨୧ ହଜାର ୬୦୩ ରହିଛି

ରାଜ୍ୟରେ ସାମାନ୍ୟ ବଢ଼ିଲା ସଂକ୍ରମଣ, ୨୪ ଘଣ୍ଟାରେ ୩ ହଜାର ୪୫୦ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ସାମାନ୍ୟ ବଢ଼ିଛି କରୋନା ସଂକ୍ରମଣ । ୨୪ ଘଣ୍ଟାରେ ରାଜ୍ୟରେ ୩ ହଜାର ୪୫୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ଆକ୍ରାନ୍ତ ମଧ୍ୟରୁ କ୍ୱାରେଣ୍ଟାଇନରୁ ୨ ହଜାର ୦୧୨ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୧ ହଜାର ୪୩୮ ଲୋକାଲ କେସ୍ ଚିହ୍ନଟ ହୋଇଛନ୍ତି । ସେହିପରି ୦ ରୁ ୧୮ ବର୍ଷ ମଧ୍ୟରେ ରାଜ୍ୟରେ ୪୩୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯଦି ସୁସ୍ଥ କଥା କହିବା ତାହାଲେ ରାଜ୍ୟରେ ୨୪ ଘଣ୍ଟାରେ ୭ ହଜାର ୭୬୭ ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି ।

୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ୭୧୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଅନୁଗୁଳରୁ ୧୫୨, ବାଲେଶ୍ୱରରୁ ୧୦୫, ବରଗଡ଼ରୁ ୮୨, ଭଦ୍ରକରୁ ୫୨, ବଲାଙ୍ଗୀରରୁ ୧୦୩, ବୌଦ୍ଧରୁ ୫୩, କଟକରୁ ୨୦୨, ଦେଓଗଡ଼ରୁ ୭୧, ଢେଙ୍କାନାଳରୁ ୩୫, ଗଜପତିରୁ ୭୩, ଗଞ୍ଜାମରୁ ୬୪, ଜଗତସିଂହପୁରରୁ ୬୪, ଯାଜପୁରରୁ ୭୩, ଝାରସୁଗୁଡ଼ାରୁ ୫୫, କଳାହାଣ୍ଡିରୁ ୬୩, କନ୍ଧମାଳରୁ ୪୪, କେନ୍ଦ୍ରାପଡ଼ାରୁ ୬୦, କେନ୍ଦୁଝରରୁ ୩୯, କୋରାପୁଟରୁ ୫୩, ମାଲକାନଗିରିରୁ ୧୬, ମୟୁରଭଞ୍ଜରୁ ୧୮୦, ନବରଙ୍ଗପୁରରୁ ୯୯, ନୟାଗଡ଼ରୁ ୧୨୫, ନୂଆପଡ଼ାରୁ ୧୮୧, ପୁରୀରୁ ୭୨, ରାୟଗଡ଼ାରୁ ୩୬, ସମ୍ବଲପୁରରୁ ୧୩୧, ସୋନପୁରରୁ ୨୧, ସୁନ୍ଦରଗଡ଼ରୁ ୨୮୭ ଓ ଷ୍ଟେଟ ପୁଲରୁ ୧୪୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ବନ୍ଧୁକ ମୁନରେ ବ୍ୟବସାୟୀଙ୍କ ପୁଅଙ୍କୁ ଅପହରଣ, ଉଦ୍ଧାର କଲା ସ୍ପେଶାଲ ସ୍କାଡ ଓ ଲକ୍ଷ୍ମୀସାଗର ପୋଲିସ

ଭୁବନେଶ୍ୱର: ରାଜଧାନୀରେ ବ୍ୟବସାୟୀ ରାମରୂପ ଅଗ୍ରଓ୍ୱାଲଙ୍କ ପୁଅ ଇଶାନ ଅଗ୍ରଓ୍ୱାଲଙ୍କୁ ଅପହରଣ ଅଭିଯୋଗ । ୪ ଜଣ କିଡନାପରଙ୍କୁ ଗିରଫ କଲା ସ୍ପେଶାଲ ସ୍କ୍ୱାଡ ଓ ଲକ୍ଷ୍ମୀସାଗର ଥାନା ପୋଲିସ । ଗତକାଲି ଲକ୍ଷ୍ମୀସାଗର ଅଞ୍ଚଳରେ ଚା’ ଦୋକାନରେ ଠିଆ ହୋଇଥିବା ବେଳେ ୪ ଜଣ ଦୁର୍ବୃତ୍ତ ବନ୍ଧୁକ ଦେଖାଇ ବିବିଏ ଛାତ୍ରଙ୍କୁ ଅପହରଣ କରିନେଇଥିଲେ । ପରିବାର ପକ୍ଷରୁ ଏନେଇ ଥାନାରେ ଏତଲା ପରେ ସଙ୍ଗେ ସଙ୍ଗେ ସକ୍ରିୟ ହୋଇଥିଲା ସ୍ପେଶାଲ ସ୍କ୍ୱାଡ ଓ ପୋଲିସ ।

୩୦ଲକ୍ଷ ଟଙ୍କା ଦେଲ ପୁଅକୁ ନେବ ବୋଲି ଦୁର୍ବୃତ୍ତ ସର୍ତ୍ତ ରଖିଥିଲା । ସ୍ପେଶାଲ ସ୍କ୍ୱାର୍ଡ ଓ ଲଷ୍ମୀସାଗର ଥାନା ପୋଲିସର ଉଦ୍ୟମରେ ୨୪ ଘଣ୍ଟାରେ ଛାତ୍ରଙ୍କୁ ଉଦ୍ଧାର କରାଯାଇଛି । ଛାତ୍ରଙ୍କୁ ଉଦ୍ଧାର କରିବା ସହ ୪ ଜଣଙ୍କୁ ଅଟକ ରଖିଛି ପୋଲିସ । ଏଥିସହ ସେମାନଙ୍କ ନିକଟରୁ କାର ଓ ମାରଣାସ୍ତ୍ର ଜବତ ହୋଇଛି । ଛାତ୍ର ଜଣଙ୍କ ବେଙ୍ଗାଲୁରୁରେ ବିବିଏରେ ପଢୁଥିଲେ । କରୋନା ପାଇଁ ଘରକୁ ଆସିଥିଲେ । ତେବେ ଏହି ଅପହରଣକୁ ନେଇ ସାମ୍ବାଦିକ ସମ୍ମିଳନୀରେ ସବିଶେଷ ସୂଚନା ଦେବେ ଭୁବନେଶ୍ୱର ଡିସିପି ।

ବିଜେଡିରେ ମିଶିଲେ ଶତାଧିକ ବିଜେପି ଓ କଂଗ୍ରେସ କର୍ମୀ

ଦେବଗଡ଼: ଦେବଗଡ଼ରେ ଦୁର୍ବଳ ହେଉଛି ବିରୋଧୀଙ୍କ ଶିବିର । ରିଆମାଳ ବ୍ଲକରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ଆଜି ବିଜେଡିରେ ସାମିଲ ହୋଇଛନ୍ତି ଶତାଧିକ ବିଜେପି ଓ କଂଗ୍ରେସ କର୍ମୀ । ସ୍ଥାନୀୟ ଅଞ୍ଚଳର କିଛି ବ୍ୟବସାୟୀ ମଧ୍ୟ ଆଜି ଦଳରେ ସାମିଲ ହୋଇଛନ୍ତି । ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ଉପସ୍ଥିତିରେ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲାବେଳେ, ସମସ୍ତଙ୍କୁ ଦଳକୁ ସ୍ୱାଗତ କରିଥିଲେ ନିରଞ୍ଜନ । ନବୀନଙ୍କ ଆଦର୍ଶ ଓ ରାଜ୍ୟ ସରକାରଙ୍କ ଲୋକାଭିମୁଖୀ ଯୋଜନା ପାଇଁ ବିଜେଡିକୁ ବାଛିଥିବା କହିଛନ୍ତି ସାମିଲ ହୋଇଥିବା କର୍ମୀ ଓ ନେତା । ମିଶ୍ରଣ ପର୍ବରେ ଜିଲ୍ଲା ବିଜେଡି ସଭାପତି ରୋମାଞ୍ଚ ରଞ୍ଜନ ବିଶ୍ୱାଳ, ବିଜେଡି ରାଜ୍ୟ ମୁଖପାତ୍ର ସଞ୍ଜୟ ବାବୁଙ୍କ ସମେତ ବିଜେଡି ନେତା ଅମରେନ୍ଦ୍ର ଗଙ୍ଗଦେବ ଓ ଜିଲ୍ଲା ବିଜୁ କୃଷକ ମୋର୍ଚ୍ଚା ସଭାପତି ଚିତ୍ତ ରଞ୍ଜନ ପ୍ରଧାନ ଉପସ୍ଥିତ ଥିଲେ ।

ଆଜି ପଦ୍ମ ବେଶରେ ସଜେଇ ହେବେ ଶ୍ରୀଜିଉ

ପୁରୀ: ଆଜି ଶ୍ରୀଜିଉଙ୍କ ଅନନ୍ୟ ପଦ୍ମବେଶ । ପ୍ରତିବର୍ଷ ତ୍ରିବେଣୀ ଅମାବାସ୍ୟା ପରେ ଓ ବସନ୍ତ ପଞ୍ଚମୀ ପୂର୍ବରୁ ଏହି ବେଶ ଅନୁଷ୍ଠିତ ହୋଇଥାଏ । ଆଜି ରାତିରେ ପଦ୍ମବେଶରେ ସଜେଇ ହେବେ ଶ୍ରୀଜିଉ । ଆସନ୍ତାକାଲି ଗୁରୁବାରରେ ଏହି ବେଶରେ ତିନି ଠାକୁରଙ୍କୁ ଦର୍ଶନ କରିବାର ସୌଭାଗ୍ୟ ପାଇବେ ଶ୍ରଦ୍ଧାଳୁ । ଭକ୍ତ ମନୋହର ଦାଶଙ୍କ ଭକ୍ତିଭାବକୁ ସମ୍ମାନ ଜଣାଇ ଏହି ବେଶ ଅନୁଷ୍ଠିତ ହେଉଛି । ପଦ୍ମବେଶରେ ଶ୍ରୀଜିଉଙ୍କ ନିକଟରେ ଖିରି ଅମ୍ବାଲୁ ଭୋଗ ଲଗାଯାଇଥାଏ । ବଡଛତା ମଠ ପକ୍ଷରୁ ପ୍ରଦାନ କରାଯାଇଥିବା ବେଶକୁ ରାତିରେ ବଡ଼ସିଂହାର ବେଶରେ ଭୂଷିତ କରାଯାଏ । କୋଭିଡ କଟକଣା ହେତୁ ଗତବର୍ଷ ଏହି ଅନନ୍ୟ ବେଶ ଦର୍ଶନ କରିବାରୁ ବଞ୍ଚିତ ଥିଲେ ଭକ୍ତ । ତେବେ ଚଳିତବର୍ଷ କଟକଣାରେ ମହାବାହୁଙ୍କ ଏହି ଅନନ୍ୟ ବେଶକୁ ଦର୍ଶନ କରିବାର ସୁଯୋଗ ପାଇବେ ଭକ୍ତ ।