spot_img
Home Blog Page 468

: ଆଫଗାନିସ୍ତାନର ହେରାତ- ଇସଲାମ କାଲା ରାଜପଥରେ ଅଘଟଣ: ୭୧ ଯାତ୍ରୀ ମୃତ

ନନ୍ଦିଘୋଷ ବ୍ୟୁରୋ : ଆଫଗାନିସ୍ତାନର ହେରାତ- ଇସଲାମ କାଲା ରାଜପଥରେ ଅଘଟଣ। ବସରେ ନିଆଁ ଲାଗି ୭୧ ଯାତ୍ରୀମୃତ। ମୃତକଙ୍କ ମଧ୍ଯରେ ୧୭ ଶିଶୁ ଥିବା ସୂଚନା ମିଳିଛି। ଇରାନରୁ ଡିପୋର୍ଟ ହୋଇଥିବା ଲୋକଙ୍କୁ ଏକ ବସରେ ଅଣାଯାଉଥିବାବେଳେ ଏକ ଟ୍ରକ ସହ ବସର ଧକ୍କା ହୋଇଥିଲା। ଫଳରେ ବସରେ ନିଆଁଲାଗିଯାଇଥିଲା। ଅଘଟଣ ସମ୍ପର୍କରେ ସୂଚନା ଦେଇଛନ୍ତି ସରକାରୀ ମୁଖପାତ୍ର ଅହମ୍ମଦୁଲ୍ଲା ମୁତ୍ତାକି। ଦ୍ରୁତଗତିରେ ବସଟି ଆସିବ ଯୋଗୁ ନିୟନ୍ତ୍ରଣ ହରାଇବା ସହ ଟ୍ରକରେ ପିଟି ହୋଇଥିଲା। ବସଟି କାବୁଲ ଅଭିମୁଖେ ଯିବାବେଳେ ଅଘଟଣ ଘଟିଥିଲା। ବିଭିନ୍ନ କାରଣରୁ ଇରାନରୁ ପ୍ରାୟ ୮ ଲକ୍ଷ ଲୋକଙ୍କୁ ଆଫଗାନିସ୍ତାନ ଡିପୋର୍ଟ କରାଯିବ।

ଏବେ ରାସନ କାର୍ଡର ପାଳି, ୧.୧୭ କୋଟି କାର୍ଡଧାରୀଙ୍କ ନାମ ବାଦ ଦିଆଯିବ

ନନ୍ଦିଘୋଷ ବ୍ୟୁରୋ : କେନ୍ଦ୍ର ସରକାର ରାସନ କାର୍ଡ ଧାରକଙ୍କ ତାଲିକାର ଏକ ବଡ ପରିବର୍ତ୍ତନ କରିବାକୁ ଯାଉଛନ୍ତି । ଖାଦ୍ୟ ଏବଂ ସାଧାରଣ ବଣ୍ଟନ ବିଭାଗ ପ୍ରଥମ ଥର ପାଇଁ ରାସନ କାର୍ଡ ଧାରକଙ୍କ ଏକ ତାଲିକା ପ୍ରସ୍ତୁତ କରିଛି ଯେଉଁମାନେ ମାଗଣା ଶସ୍ୟ ଭଳି ସୁବିଧା ପାଇଁ ଯୋଗ୍ୟ ହୋଇନଥାନ୍ତି। ଏହି ତାଲିକାରେ ପ୍ରାୟ ୧.୧୭ କୋଟି ଲୋକ ଅଛନ୍ତି। ଏମାନେ ଚାରି ଚକିଆ ଯାନ କିମ୍ବା ଆୟକର ଦାତା କିମ୍ବା କମ୍ପାନୀରେ ନିର୍ଦ୍ଦେଶକ। କେନ୍ଦ୍ର ରାଜ୍ୟଗୁଡ଼ିକୁ ସେପ୍ଟେମ୍ବର ୩୦ ସୁଦ୍ଧା ଏହି ଅଯୋଗ୍ୟ କାର୍ଡ ଧାରକଙ୍କୁ ହଟାଇବା ପାଇଁ ଆବଶ୍ୟକ ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଛି।

ଖାଦ୍ୟ ଏବଂ ସାଧାରଣ ବଣ୍ଟନ ବିଭାଗ ବିଭିନ୍ନ ସରକାରୀ ତଥ୍ୟ ଆଧାର ସହିତ ରାଶନ କାର୍ଡ ଧାରକଙ୍କ ବିବରଣୀ ମେଳ କରି ଏହି ତାଲିକା ପ୍ରସ୍ତୁତ କରିଛି। ଏଥିରେ ଆୟକର ବିଭାଗ, କର୍ପୋରେଟ ବ୍ୟାପାର ମନ୍ତ୍ରଣାଳୟ ଓ ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ଭଳି ବିଭାଗରୁ ତଥ୍ୟ ଅନ୍ତର୍ଭୁକ୍ତ। ଏହି ତଦନ୍ତରୁ ଜଣାପଡିଛି ଯେ ୯୪.୭୧ ଲକ୍ଷ ରାସନ କାର୍ଡ ଧାରକ ଆୟକର ଦାତା, ୧୭.୫୧ ଲକ୍ଷ ଚାରି ଚକିଆ ଯାନ ଏବଂ ୫.୩୧ ଲକ୍ଷ ଲୋକ କମ୍ପାନୀରେ ନିର୍ଦ୍ଦେଶକ।

ଏକ ରିପୋର୍ଟ ଅନୁଯାୟୀ, ବିଭାଗର ଜଣେ ଅଧିକାରୀ କହିଛନ୍ତି ଯେ ଏହି ତଥ୍ୟ ଆଧାରରେ, ରାଜ୍ୟଗୁଡ଼ିକ ଅଯୋଗ୍ୟ ହିତାଧିକାରୀଙ୍କୁ ହଟାଇପାରିବେ, ଯାହା ଦ୍ୱାରା ଅପେକ୍ଷା ତାଲିକାରେ ଥିବା ଅସହାୟ ଲୋକମାନେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ (NFSA) ଅନୁଯାୟୀ ଲାଭ ପାଇପାରିବେ। NFSA ଡ୍ୟାସବୋର୍ଡ ଅନୁଯାୟୀ, ଅଗଷ୍ଟ ୧୯ ସୁଦ୍ଧା ୧୯.୧୭ କୋଟି ରାସନ କାର୍ଡ ଜାରି କରାଯାଇଛି, ଯାହା ୩୬ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକରେ ମୋଟ ୭୬.୧୦ କୋଟି ହିତାଧିକାରୀଙ୍କୁ ଅନ୍ତର୍ଭୁକ୍ତ କରିଛି। ନିୟମ ଅନୁଯାୟୀ, ସରକାରୀ କର୍ମଚାରୀ, ୧ ଲକ୍ଷ ଟଙ୍କାରୁ ଅଧିକ ବାର୍ଷିକ ଆୟ ଥିବା ପରିବାର, ଚାରି ଚକିଆ ଯାନ ମାଲିକ ଏବଂ କରଦାତା ମାଗଣା ଖାଦ୍ୟ ଶସ୍ୟ ପାଇବାକୁ ଯୋଗ୍ୟ ନୁହଁନ୍ତି। ୮ ଜୁଲାଇରେ, କେନ୍ଦ୍ର ସମସ୍ତ ରାଜ୍ୟର ମୁଖ୍ୟ ସଚିବ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକର ପରାମର୍ଶଦାତାଙ୍କୁ ଏକ ଚିଠି ଲେଖି ଏହି ପ୍ରସଙ୍ଗ ଉପରେ ଗୁରୁତ୍ୱାରୋପ କରିଥିଲା।

ଖାଦ୍ୟ ସଚିବ ସଞ୍ଜୀବ ଚୋପ୍ରା ଚିଠିରେ କହିଛନ୍ତି ଯେ ରାସନ କାର୍ଡ ପରିଚାଳନା ପ୍ରଣାଳୀ (RCMS) ରେ ଡୁପ୍ଲିକେଟ, ମୃତ ଏବଂ ନିଷ୍କ୍ରିୟ ହିତାଧିକାରୀଙ୍କୁ ଚିହ୍ନଟ କରାଯାଇସାରିଛି। ବର୍ତ୍ତମାନ ଅନ୍ୟ ମନ୍ତ୍ରଣାଳୟର ତଥ୍ୟ ସହିତ ମେଳ କରି ଅଯୋଗ୍ୟ ହିତାଧିକାରୀଙ୍କ ତାଲିକା ପ୍ରସ୍ତୁତ କରାଯାଇଛି।

୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ପ୍ରବଳ ବର୍ଷାର ନେଇ ଚେତାବନୀ ଜାରି କରିଛି ପାଣିପାଗ ବିଭାଗ

ନନ୍ଦିଘୋଷ ବ୍ୟୁରୋ : ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ପ୍ରବଳ ବର୍ଷାର ଚେତାବନୀ। ରାଜ୍ୟରେ ପ୍ରବଳ ବର୍ଷା ନେଇ ଚେତାବନୀ ଜାରି କରିଛି ପାଣିପାଗ ବିଭାଗ। ଆସନ୍ତାକାଲିଠୁ କରିପାରେ ବର୍ଷା ବୋଲି ସୂଚନା ଦେଇଛି ବିଭାଗ। ସେପଟେ ଦକ୍ଷିଣ  ଓଡ଼ିଶାରେ ଲଗାଣ ବର୍ଷାରେ ସ୍ଥିତି ବେହାଲ ହୋଇଥିବା ବେଳେ ଆଜି ମଧ୍ୟ ଭିଜିବ ଦକ୍ଷିଣ ଓଡିଶା। ତେବେ ଅବପାତର ରୂପ ନେଇଥିବା ସୁଦୃଶ ଲଘୁଚାପ ଲଘୁଚାପରେ ପରିଣତ ହେବ। ପ୍ରଭାବରେ ଆଜିଠାରୁ ଠାରୁ କମିବ ବର୍ଷାର ପରିମାଣ। ଆସନ୍ତା ୨୪ ଘଂଟାରେ ସାରା ରାଜ୍ୟରେ ବର୍ଷା ହେବା ସହ କଳାହାଣ୍ଡି ଓ ନବରଙ୍ଗପୁରରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା ନେଇ ଅରେଞ୍ଜ ଆର୍ଲଟ ଜାରି କରିଛି ପାଣିପାଗ ବିଭାଗ। ସେହିପରି ପ୍ରବଳ ବର୍ଷା ପାଇଁ ନୂଆପଡା  ବଲାଙ୍ଗୀର କୋରାପୁଟ ବରଗଡ଼ କେନ୍ଦୁଝର ଅନୁଗୁଳ ଓ ଢେଙ୍କାନାଳକୁ ୟେଲୋ ଓ୍ୱାର୍ଣ୍ଣିଙ୍ଗ ଜାରି କରାଯାଇଛି। ଏହି ସବୁ ଜିଲ୍ଲାରେ ବିଜୁଳି ଘଡଘଡି ସହ ୩୦ରୁ ୪୦ କିମି ପବନ ବହିବ। ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା ସହ ଉତ୍ତର ଆଭ୍ୟନ୍ତରୀଣର ୧୧ ଜିଲ୍ଲା ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ମୟୁରଭଞ୍ଜ, କେନ୍ଦୁଝର, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ କୁ ୟେଲୋ ଓ୍ୱାର୍ଣ୍ଣିଙ୍ଗ ଜାରି କରିଛି ବିଭାଗ। ୨୩ ତାରିଖ ଯାଏ ରାଜ୍ୟରେ ବର୍ଷା ଲାଗିରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ସେପଟେ ସମୁଦ୍ର ଉପକୂଳ ଅଂଚଳରେ ୪୦ରୁ ୬୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି। ଏନେଇ ସମୁଦ୍ର ଅଶାନ୍ତ ରହିବ।  ତେଣୁ ମେଘୁଆ ପାଗ ଓ ପବନର ବେଗକୁ ନେଇ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ଭିତରକୁ ବାରଣ କରିଛି ପାଣିପାଗ ବିଭାଗ।

 

ସ୍କୁଲ ପିଲାଙ୍କୁ ମିଳିବ ଚାଉଳ, ବ୍ୟାଙ୍କ ଖାତାକୁ ଯିବ ଟଙ୍କା

ନନ୍ଦିଘୋଷ ବ୍ୟୁରୋ : ଚଳିତ ବର୍ଷ ହିଟୱେଭ ଯୋଗୁଁ ନିର୍ଦ୍ଧାରିତ ସମୟ ପୂର୍ବରୁ ବନ୍ଦ ହୋଇଥିଲା ସ୍କୁଲ। ଟାଣ ଖରା ଆସିଲା ଓ ସ୍କୁଲ ୫ ମେ ପରିବର୍ତ୍ତେ ୨୩ ଏପ୍ରିଲରୁ ବନ୍ଦ ରଖାଯାଇଥିଲା। ଏହି ସମୟ ମଧ୍ୟରେ ୧୧ ଦିନ ମଧ୍ୟାନ୍ନ ଭୋଜନ ଦିଆଯାଇ ନଥିଲା। ସେହି ୧୧ ଦିନର ଚାଉଳ ସହ ୧୧ ଦିନର ଅର୍ଥ ରାଶି ପିଲାମାନଙ୍କୁ ଦେବାକୁ PM ପୋଷଣ ନୋଡାଲ ଅଧିକାରୀ ଭବାନୀ ପ୍ରସାଦ ମିଶ୍ର ସମସ୍ତ ଜିଲ୍ଲାପାଳଙ୍କୁ ଚିଠି କରିଛନ୍ତି। ଶିଶୁ ବାଟିକାରୁ ପଞ୍ଚମ ଶ୍ରେଣୀ ଯାଏଁ ଦୈନିକ ୧୧ଟଙ୍କା ୧୫ ପଇସା ସହ ଶହେ ଗ୍ରାମ ଚାଉଳ ଓ ଷଷ୍ଠରୁ ଦଶମ ଯାଏଁ ପ୍ରତି ପିଲାଙ୍କୁ ମିଳିବ ଦୈନିକ ୧୪ ଟଙ୍କା ୭୪ ପଇସା ସହ ଏବଂ ଦେଢ଼ ଶହ ଗ୍ରାମ ଲେଖାଏଁ ଚାଉଳ ମଧ୍ୟ ମିଳିବ। ଅର୍ଥ ରାଶି ପିଲା କି ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପଠାଯିବ। ସମସ୍ତ ଅର୍ଥ ରାଶି ଓ ଚାଉଳ ଯେପରି ଦିଆଯିବ ଏହାକୁ ସୁନିଶ୍ଚିତ କରିବେ ପ୍ରଧାନ ଶିକ୍ଷକ ।

ଭାରତ ଗସ୍ତରେ ଥିବା ଚୀନ୍ ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିଛନ୍ତି

ନନ୍ଦିଘୋଷ ବ୍ୟୁରୋ : ଭାରତ ଗସ୍ତରେ ଥିବା ଚୀନ୍ ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିଛନ୍ତି। ଭାରତ-ଚୀନ୍ ସମ୍ପର୍କ ଉନ୍ନତ କରିବା ବିଷୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଆଲୋଚନା କରିଥିଲେ ୱାଙ୍ଗ। ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ନିମନ୍ତ୍ରଣରେ ୱାଙ୍ଗ ୟି ଚୀନ୍-ଭାରତ ସୀମାରେ ୨୪ତମ ସ୍ୱତନ୍ତ୍ର ପ୍ରତିନିଧି ସ୍ତରୀୟ ଆଲୋଚନା ପାଇଁ ଭାରତ ଆସିଛନ୍ତି। ସେ ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କରଙ୍କ ସହ ମଧ୍ୟ କଥା ହୋଇଛନ୍ତି। ସେପଟେ ଏସସିଓ ଶିଖର ସମ୍ମିଳନୀରେ ନିମନ୍ତ୍ରଣ ପାଇଁ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କୁ ଧନ୍ୟବାଦ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି।ଗତବର୍ଷ କାଜାନରେ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସହ ସାକ୍ଷାତ ପରେ ଭାରତ-ଚୀନ୍ ସମ୍ପର୍କରେ ଉନ୍ନତି ଘଟିଛି ବୋଲି କହିଛନ୍ତି ପିଏମ ମୋଦି। ସାଂଘାଇ ସହଯୋଗ ସଂଗଠନ SCO ଶିଖର ସମ୍ମିଳନୀ ସମୟରେ ଟିଆନଜିନ୍‌ରେ ପରବର୍ତ୍ତୀ ସାକ୍ଷାତ ପାଇଁ ଅପେକ୍ଷା କରିଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୩୧ ଅଗଷ୍ଟରୁ ୧  ସେପ୍ଟେମ୍ବର ପର୍ଯ୍ୟନ୍ତ ଚୀନ୍‌ର ତିଆନଜିନ୍‌ରେ ଅନୁଷ୍ଠିତ ହେବାକୁ ଥିବା ଏସସିଓ ସମ୍ମିଳନୀରେ ଯୋଗଦେବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଚୀନ୍‌ ଗସ୍ତ ବହୁତ ଗୁରୁତ୍ୱପୂର୍ଣ୍ଣ ହେବ ବୋଲି କହିଛନ୍ତି ଏନଏସଏ ଅଜିତ ଡୋଭାଲ। ..ସେପଟେ ରୁଷଗସ୍ତରେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର। ଭାରତ-ରୁଷ ସମ୍ପର୍କ ନେଇ ରାଷ୍ଟ୍ରପତି ବ୍ଲାଦିମିର ପୁଟିନଙ୍କୁ ସାକ୍ଷାତ କରିବେ ଜୟଶଙ୍କର। ଆମେରିକାର ଟାରିଫ ଆକ୍ସନ ପରେ ପୁଟିନ-ଜୟଶଙ୍କର ସାକ୍ଷାତକୁ ଅତି ଗୁରୁତ୍ଵ ଦିଆଯାଉଛି।

ବିସ୍ଫୋରଣ ଆଡ଼କୁ ଗତି କରୁଛି HIV, ସମଲିଙ୍ଗୀ ଅପ୍ରାକୃତିକ ଯୌନ ସମ୍ପର୍କରୁ ବଢୁଛି ସଂକ୍ରମଣ

ନନ୍ଦିଘୋଷ ବ୍ୟୁରୋ: ରାଜ୍ୟକୁ ଏଚଆଇଭି ବିପଦ । ଘାଣ୍ଟି ହେଉଛନ୍ତି ଯୁବ ଗୋଷ୍ଠୀ । ଓଡ଼ିଶା ରାଜ୍ୟ ଏଡସ୍ ନିୟନ୍ତ୍ରଣ ସୋସାଇଟିର ରିପୋର୍ଟ ଅନୁସାରେ ପୁରୁଷ ସହ ପୁରୁଷଙ୍କ ଅପ୍ରାକୃତିକ ଯୌନ ସମ୍ପର୍କ ଯୋଗୁଁ ଏଚଆଇଭି ପଜିଟିଭଙ୍କ ସଂଖ୍ୟା ବଢିବାରେ ଲାଗିଛି । ଯେଉଁଥିରୁ ପାଖାପାଖି ଅଧା ହେଉଛନ୍ତି ଯୁବ ଗୋଷ୍ଠୀ । ସେପଟେ ପଞ୍ଜିକୃତ ଏଡସ୍ ରୋଗୀଙ୍କ ଭିତରୁ ୩ ହଜାରରୁ ଅଧିକଙ୍କ ପତ୍ତା ନ ମିଳୁଥିବାରୁ ସଂକ୍ରମଣ ବୃଦ୍ଧିର ଭୟ ଦେଇ ଗତି କରୁଛି ଓଡ଼ିଶା ।

ସଂକ୍ରମଣରୁ ବିସ୍ଫୋରଣ ଆଡ଼କୁ ଗତି କରୁଛି ଏଚଆଇଭି । ତା’ କବଳରେ ପଡ଼ିଯାଇଛନ୍ତି ଯୁବ ଗୋଷ୍ଠୀ । କାରଣ ଯୁବ ଗୋଷ୍ଠୀ ଏବେ ସମଲିଙ୍ଗୀ ଅପ୍ରାକୃତିକ ଯୌନ ସମ୍ପର୍କରେ ବ୍ୟସ୍ତ । ୧୭ରୁ ୩୫ ବର୍ଷ ବୟସର ୪୧ ପ୍ରତିଶତ ଯୁବଗୋଷ୍ଠୀ ଏଚଆଇଭି ପଜିଟିଭ ଥିବା ଓଡ଼ିଶା ରାଜ୍ୟ ଏଡସ୍ ନିୟନ୍ତ୍ରଣ ସୋସାଇଟିର ରିପୋର୍ଟ କହୁଛି । ଶିକ୍ଷାନୁଷ୍ଠାନ ଗୁଡ଼ିକରେ ଏପରି ଅପ୍ରାକୃତିକ ଯୌନ ସମ୍ପର୍କ ମାମଲା ବଢୁଛି । ଗତ ଜୁଲାଇ ସୁଦ୍ଧା ୬୫ ହଜାର ୨୧୪ ଏଚଆଇଭି ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଥିରୁ ପାଖାପାଖି ୨୬ ହଜାର ୭୩୭ ସଂକ୍ରମିତଙ୍କ ବୟସ ୧୭ରୁ ୩୫ ଭିତରେ । ଶିକ୍ଷାନୁଷ୍ଠାନ ହଷ୍ଟେଲରେ ଏପରି ଅପ୍ରାକୃତିକ ଯୌନ ସମ୍ପର୍କ ରଖିବାର ସମ୍ଭାବନା କମ ରହୁଥିବାରୁ ଅଧିକାଂଶ ପିଲାମାନେ ଘରୋଇ ମେସ୍ ବା ରୁମ୍ ଭଡ଼ା ନେଇ ରହୁଛନ୍ତି । ଯୁବ ବର୍ଗଙ୍କ ମଧ୍ୟରେ ଅପ୍ରାକୃତିକ ଯୌନ ସମ୍ପର୍କ ଯାହା ଏଚଆଇଭିକୁ ଆମନ୍ତ୍ରଣ ଦେଉଛି । ଯେଉଁମାନଙ୍କ ଭିତରେ ପ୍ରତିଶେଧକ ଶକ୍ତି କମ୍ ରହିଥାଏ ସେମାନେ ଏଡସ୍ ଆଡ଼କୁ ଠେଲି ହୋଇ କଲବଲରେ ଜୀବନ ହାରନ୍ତି । ୧୩ ହଜାର ୧୭୭ ଏଚଆଇଭି ପଜିଟିଭଙ୍କ ମୃତ୍ୟୁ ହୋଇଥିବା ସରକାରୀ ସ୍ତରରେ ରିପୋର୍ଟ ହୋଇଛି ।

ବିପଦ ଏତିକିରେ ସରିନି। ପଞ୍ଜିକୃତ ୬୫ ହଜାର ୨୧୪ ଏଚଆଇଭି ପଜିଟିଭଙ୍କ ଭିତରୁ ୩୯୯୮ ସଂକ୍ରମିତଙ୍କ ପତ୍ତା ମିଳୁନି । ଏମାନଙ୍କ ଭିତରୁ ଅନେକ ରାଜ୍ୟ ବାହାରକୁ ଚାଲି ଯାଇଛନ୍ତି ବା କିଛି ଲୋକ ବାହାର ରାଜ୍ୟରୁ ଆସି ଓଡ଼ିଶାରେ ଟେଷ୍ଟିଂ କରିଛନ୍ତି । ଏପରିକି କିଛି ଲୋକ ସମାଜ ବାସନ୍ଦ ଭୟରେ ନିଜ ଭୁଲ ପରିଚୟ ଦେଇଥିବା କଥା ଯାଞ୍ଚ ପରେ ଜଣାପଡ଼ିଛି । ଏହି ନିଖୋଜ ଏଚଆଇଭି ପିଜିଟିଭ ସଂକ୍ରମିତଙ୍କ ସହ ଅଜାଣତରେ ଯଦି କେହି ଶାରୀରିକ ସଂପର୍କ ରଖନ୍ତି ପରିସ୍ଥିତି ସଙ୍ଗୀନ ହୋଇଯିବ ।

ଏଚଆଇଭ ପିଜିଟିଭରୁ ଏଡସ୍ । ଏହାର କୌଣସି ଚିକତ୍ସା ନାହିଁ। ହେଲେ ଏଚଆଇଭି ପିଜିଟିଭ ଜଣାପଡ଼ିବା ମାତ୍ରେ ସଂକ୍ରମିତଙ୍କୁ ଆଣ୍ଟି ରେଟ୍ରୋଭାଇରାଲ ଥେରାପି ଏଆରଟି ଦେବା କଥା । ତେବେ ୬୫ ହଜାର ୨୧୪ ସଂକ୍ରମିତଙ୍କ ମଧ୍ୟରୁ ୫୫ ହଜାର ୧୪୨ ଜଣ ଏଆରଟି ପଞ୍ଜିକରଣ କରିଛନ୍ତି । ବାକି ୧୦ ହଜାର ୧୨୯ ଏଆରଟି ପଞ୍ଜିକରଣ କରି ନଥିବାରୁ ଚିନ୍ତା ଆହୁରି ବଢିଛି ।

ଓଡ଼ିଶାରେ ଆରମ୍ଭ ହେବ SIR: କଂଗ୍ରେସର ବିରୋଧ, ବିଜେଡିର ସ୍ବାଗତ

ନନ୍ଦିଘୋଷ ବ୍ୟୁରୋ: ଓଡ଼ିଶାରେ ଲାଗୁ ହେବ SIR ବା ଭୋଟର ତାଲିକାରେ ସ୍ବତନ୍ତ୍ର ସଂଶୋଧନ ପ୍ରକ୍ରିୟା । ୭ ଜାନୁଆରୀ ୨୦୨୬ରେ ପ୍ରକାଶ ପାଇବ ଚୂଡ଼ାନ୍ତ ଭୋଟର ତାଲିକା । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଏଭଳି ସୂଚନା ପରେ ଆରମ୍ଭ ହୋଇଛି ରାଜନୈତିକ ବୟାନବାଜି । କଂଗ୍ରେସ ସ୍ବାଭାବିକ ଭାବେ ଏହାକୁ ବିରୋଧ କରିଥିବା ବେଳେ, ପଦକ୍ଷେପକୁ ସ୍ବାଗତ କରିଛି ବିଜେଡି । ସଂଶୋଧନ ଆଳରେ କୌଣସି ଭୋଟରଙ୍କୁ ମତଦାନରୁ ବଞ୍ଚିତ କରା ନଯାଉ ବୋଲି ବିଜେଡି କହିଥିବା ବେଳେ, ବିଜେପି ମଧ୍ୟ ସ୍ବତନ୍ତ୍ର ସଂଶୋଧନକୁ ସ୍ବାଗତ କରିଛି । ଅନ୍ୟପଟେ ଆଇନ ମନ୍ତ୍ରୀ କଂଗ୍ରେସର ଆଭିମୁଖ୍ୟକୁ କରିଛନ୍ତି କଡ଼ା ସମାଲୋଚନା ।

ଓଡ଼ିଶାରେ ଆରମ୍ଭ ହେବ ସ୍ବତନ୍ତ୍ର ଭୋଟର ସଂଶୋଧନ ପ୍ରକ୍ରିୟା । ବିହାରରେ ଏସଆଇଆରକୁ ନେଇ ଦେଶବ୍ୟାପୀ ଚର୍ଚ୍ଚା ହେଉଥିବା ବେଳେ ଓଡ଼ିଶାରେ ଏହି ପ୍ରକ୍ରିୟା ଆରମ୍ଭ ହେବ । ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସୂଚନା ପରେ ଏହା ଉପରେ ପ୍ରତିକ୍ରିୟା ରଖିଛନ୍ତି ବିଭିନ୍ନ ରାଜନୈତିକ ଦଳ । କଂଗ୍ରେସ ସ୍ବାଭାବିକ ଭାବେ ଏହାକୁ ବିରୋଧ କରିଥିବା ବେଳେ, ବିଜେପି ଓ ବିଜେଡି ଏହାକୁ ସ୍ବାଗତ କରିଛନ୍ତି । ୪୨ ଲକ୍ଷ ଭୋଟରଙ୍କୁ ନେଇ ଓଡ଼ିଶାରେ ସନ୍ଦେହ ଅଛି ବୋଲି କଂଗ୍ରେସ ଅଭିଯୋଗ କରିଛି । ଆଗକୁ ଦଳ ପକ୍ଷରୁ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ । ଏହି ପ୍ରସଙ୍ଗରେ କଂଗ୍ରେସର ଅଭିଯୋଗକୁ ଆଇନମନ୍ତ୍ରୀ କଡ଼ା ଭାଷାରେ ସମାଲୋଚନା କରିଛନ୍ତି । ଅନେକ ମୃତ ଓ ଗୋଟିଏ ଜାଗାରୁ ଅନ୍ୟ ଜାଗାକୁ ସ୍ଥାନାନ୍ତର ହୋଇଥିବା ଭୋଟରଙ୍କ ବାବଦରେ ସଠିକ ତଥ୍ୟ ପାଇଁ ଏସଆଇଆର ଲାଗୁ ହେବା ଗଣତନ୍ତ୍ର ପାଇଁ ଶୁଭଙ୍କର ବୋଲି କହିଛନ୍ତି ଆଇନମନ୍ତ୍ରୀ ।

ଗଣତନ୍ତ୍ରରେ ସବୁ କିଛି ଠିକ୍ ଚାଲିବାର ଅଛି । ସମସ୍ତଙ୍କ ଭୋଟ ଦେବାର ଅଧିକାର ଅଛି । ସ୍ବତନ୍ତ୍ର ଭୋଟର ସଂଶୋଧନ ପ୍ରକ୍ରିୟାକୁ ବିଜେଡି ସ୍ବାଗତ କରିଛି । ସେହିପରି କୌଣସି ଭୋଟର ଯେପରି ମତଦାନରୁ ବଞ୍ଚିତ ନ ହୁଅନ୍ତି, ସେଥିପ୍ରତି ନିର୍ବାଚନ କମିଶନ ଯତ୍ନବାନ ହେବା ଉଚିତ ବୋଲି କହିଛି ବିଜେଡି । ସେପଟେ ବିଜେପି କହିଛି, ଏସଆଇଆରକୁ ଆମେ ବିରୋଧ କରୁନାହୁଁ । ଭୋଟର ତାଲିକା ସଂଶୋଧନ ହେବା କଥା । ଅନେକ ଦିନ ଧରି ରାଜ୍ୟରେ ସ୍ବତନ୍ତ୍ର ସଂଶୋଧନ ହୋଇ ନଥିଲା । କଂଗ୍ରେସ କେବଳ ବିଭ୍ରାନ୍ତ କରୁଛି କହିଛି ବିଜେପି । ରାଜ୍ୟରେ ପ୍ରାୟ ୭ ହଜାର ୨ଟି ଜାଗାରେ ଥିବା ଭୋଟର ଓ ମୃତ ଭୋଟରଙ୍କ ନାମ ତାଲିକାରୁ ହଟାଯାଇଛି । ଜାନୁଆରୀ ମାସରେ ପ୍ରକାଶ ପାଇବ ଚୂଡ଼ାନ୍ତ ଭୋଟର ତାଲିକା ।

ଦେଶରେ ବଢିଲା ଉପରାଷ୍ଟ୍ରପତି ନିର୍ବାଚନ ପାରା, ଶାସକ ଓ ବିରୋଧୀ ଦଳର ପ୍ରାର୍ଥୀ ଚୂଡାନ୍ତ

ନନ୍ଦିଘୋଷ ବ୍ୟୁରୋ: ଉପରାଷ୍ଟ୍ରପତି ନିର୍ବାଚନ ଲାଗି ଏନଡିଏ ଓ ଇଣ୍ଡିମେଣ୍ଟ ପ୍ରାର୍ଥୀ ଘୋଷଣା ପରେ ସଂଖ୍ୟା ଗଣିତକୁ ନେଇ ଆରମ୍ଭ ହୋଇଛି ରାଜନୀତି । ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ୩୯୨ ସାଂସଦଙ୍କ ଭୋଟ ଆବଶ୍ୟକ । ନିର୍ବାଚନ ସମୀକରଣ ଓ ସଂଖ୍ୟା ଦୃଷ୍ଟିରୁ ଏନଡିଏ ପଲ୍ଲା ଭାରି ରହିଛି । ଉଭୟ ଏନଡିଏ ଓ ଇଣ୍ଡିମେଣ୍ଟ ପ୍ରାର୍ଥୀ ଘୋଷଣା ପରେ ନିଜ ପ୍ରାର୍ଥୀ ପାଇଁ ସମର୍ଥନ ଯୋଗାଡ କରିବାରେ ଲାଗିଛନ୍ତି । ବିଜେଡି କହିଛି ଦଳର ସଭାପତି ନବୀନ ପଟ୍ଟନାୟକ ଉପରାଷ୍ଟ୍ରପତି ନିର୍ବାଚନ ନେଇ ନିଷ୍ପତ୍ତି ନେବେ ।

ଏନଡିଏର ଉପରାଷ୍ଟ୍ରପତି ପ୍ରାର୍ଥୀ ସିପି ରାଧାକ୍ରିଷ୍ଣନ ଓ ବିରୋଧୀ ଇଣ୍ଡିମେଣ୍ଟର ଉପରାଷ୍ଟ୍ରପତି ପ୍ରାର୍ଥୀ ହୋଇଛନ୍ତି ଜଷ୍ଟିସ ସୁଦର୍ଶନ ରେଡ୍ଡୀ । ଅଗଷ୍ଟ ୨୧ରେ ପ୍ରାର୍ଥିପତ୍ର ଦାଖଲର ଶେଷ ତାରିଖ ଥିବା ବେଳେ ପ୍ରାର୍ଥୀ ଘୋଷଣା ପରେ ଆରମ୍ଭ ହୋଇଛି ସଂଖ୍ୟା ଗଣିତର ଅଙ୍କକଷା । ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ୩୯୨ ସାଂସଦଙ୍କ ଭୋଟ ଆବଶ୍ୟକ । ମୋଟ ୭୮୨ ଜଣ ସାଂସଦ ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ମତଦାନ କରିବେ । ଯେଉଁଥିରେ ଲୋକସଭାର ୫୪୨ ଓ ରାଜ୍ୟସଭାର ୨୪୦ ସାଂସଦ ଭୋଟ ଦେବେ । ସଂଖ୍ୟା ଗଣିତର ହିସାବ ଅନୁସାରେ ଲୋକସଭାରେ ୫୪୨ ଜଣ ସାଂସଦଙ୍କ ମଧ୍ୟରେ ଏନଡିଏ ପାଖରେ ୨୯୩ ଜଣ ଓ ଇଣ୍ଡିମେଣ୍ଟ ପାଖରେ ୨୪୯ ଜଣ ସାଂସଦ ରହିଛନ୍ତି । ସେହିପରି ରାଜ୍ୟସଭାରେ ୨୪୦ ଜଣ ସାଂସଦଙ୍କ ମଧ୍ୟରୁ ୧୩୪ ଜଣ ସରକାରଙ୍କ ସହ ଥିବା ବେଳେ ବିରୋଧୀଙ୍କ ସହ ୧୦୬ ଜଣ ଅଛନ୍ତି । ଏନଡିଏ ପାଖରେ ମୋଟ ୪୨୩ ଜଣ ସାଂସଦ ଥିବା ବେଳେ ଇଣ୍ଡିମେଣ୍ଟ ପାଖରେ ୩୧୩ ଜଣ ସାଂସଦ ଅଛନ୍ତି । ବିଜେଡି କିନ୍ତୁ ଏଯାଏଁ କାହାକୁ ସମର୍ଥନ କରିବ ସେନେଇ ସସପେନ୍ସ ଜାରି ରହିଛି । ବିଜେଡି ବିଧାୟକ ଧୃବ ସାହୁ କହିଛନ୍ତି ବିଜେଡି ସଂସଦୀୟ ଦଳ ଅଧ୍ୟକ୍ଷ ନବୀନ ପଟ୍ଟନାୟକ ଏ ସଂପର୍କରେ ଚୂଡାନ୍ତ ନିଷ୍ପତ୍ତି ନେବେ ।

ସଂଖ୍ୟା ଗଣିତରେ ଏନଡିଏ ଆଗରେ ରହିଛି । ସେପ୍ଟେମ୍ବର ୯ ତାରିଖରେ ଉପରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବ । ଯିଏ ବି ଉପରାଷ୍ଟ୍ରପତି ଭାବେ ନିର୍ବାଚିତ ହେବେ ୨୦୩୦ ଯାଏଁ କାର୍ଯ୍ୟକାଳ ରହିବ । ବିଜେପି କହିଛି ବିଜେଡି କ’ଣ ନିଷ୍ପତ୍ତି ନେବ ତାହା ତାଙ୍କ ଦଳର ନିଷ୍ପତ୍ତି । ବିଜେପି ପାଖରେ ଆବଶ୍ୟକ ସଂଖ୍ୟା ରହିଛି । ତେଣୁ ବିଜେଡି ନିଷ୍ପତ୍ତି ନେଇ କିଛି କହିବା ଠିକ ନୁହେଁ ବୋଲି ବରିଷ୍ଠ ବିଜେପି ବିଧାୟକ ଜୟ ନାରାୟଣ ମିଶ୍ର କହିଛନ୍ତି । କଂଗ୍ରେସ କହିଛି ସଂଖ୍ୟା ଯାହା ଥାଉ ଇଣ୍ଡିମେଣ୍ଟ କଡା ଟକ୍କର ଦେବ । ଅଣ ଏନଡିଏ ଦଳ ଗୁଡ଼ିକ ଉପରାଷ୍ଟ୍ରପତି ନିର୍ବାଚନ ନେଇ ଇଣ୍ଡିମେଣ୍ଟକୁ ସମର୍ଥନ କରିବେ ।

ଉପରାଷ୍ଟ୍ରପତି ନିର୍ବାଚନ ଯେତିକି ପାଖେଇ ଆସୁଛି ରାଜନୈତିକ ଉଷ୍ମତା ସେତିକି ବଢିବାରେ ଲାଗିଛି । ଉଭୟ ଏନଡିଏ ଓ ଇଣ୍ଡିମେଣ୍ଟ ନାମାଙ୍କନ ଦାଖଲ ପୂର୍ବରୁ ସମର୍ଥନ ଯୋଗାଡ କରିବାରେ ଲାଗିଛନ୍ତି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂହ ଏନଡିଏକୁ ସହଯୋଗର ପ୍ରସ୍ତାବ ଦେଇଥିବା ଚର୍ଚ୍ଚା ହେଉଛି ।

ପୋଲାଭରମ ପ୍ରକଳ୍ପ ଓଡ଼ିଶା ପାଇଁ ବଢାଇଲାଣି ବିପଦ, ବାରମ୍ବାର ତ୍ରୁଟିପୂର୍ଣ୍ଣ ନିର୍ମାଣ କରିବ ବ୍ୟାପକ କ୍ଷତି

ନନ୍ଦିଘୋଷ ବ୍ୟୁରୋ: ପୋଲଭରମ ପ୍ରକଳ୍ପକୁ ନେଇ ଓଡିଶା ପ୍ରତି ବିପଦ ବଢୁଥିବା ଅଭିଯୋଗ । ପ୍ରଥମେ ଡ୍ୟାମ ଉଚ୍ଚତା ବଢାଇ ଓଡିଶା ପ୍ରତି ବିପଦ ବଢ଼ାଇଥିବା ଆନ୍ଧ୍ର ସରକାର ପରେ ଡିୱାଲ ଓ ଏବେ ତ୍ରୁଟିପୂର୍ଣ୍ଣ କୋଫର ଡ୍ୟାମ ଭାଙ୍ଗିବା ପରେ ବଢିଛି ବିପଦ । ପୋଲଭରମ ପ୍ରକଳ୍ପ ନିର୍ମାଣକୁ ସମ୍ପୂର୍ଣ୍ଣ ତ୍ରୁଟିପୂର୍ଣ୍ଣ ବୋଲି କହିବା ସହ ଏହାକୁ ରାଜ୍ୟ ସରକାର ତୁରନ୍ତ ତଦାରଖ କରିବାକୁ ଦାବି ରଖିଛନ୍ତି ଜଳ ବିଶେଷଜ୍ଞ ଓ ଗଣ ସଂଗଠନ। ଆନ୍ଧ୍ର କ’ଣ କରୁଛି ତାକୁ ଅନୁସରଣ କରିବା ନିହାତି ଦରକାର । ନ ହେଲେ ଆନ୍ଧ୍ରର ମନଇଚ୍ଛା କାମ ଓଡିଶାକୁ ଆହୁରି ପ୍ରଭାବିତ କରିବ ବୋଲି ଆଶଙ୍କା ପ୍ରକାଶ କଲେ ଜଳ ବିଶେଷଜ୍ଞ ।

ପ୍ରକଳ୍ପର କୋଫର ଡ୍ୟାମ ଭାଙ୍ଗିବା ପରେ ବଜ୍ର ମାଡି ଆସୁଥିବା କହିଛନ୍ତି ବିଶେଷଜ୍ଞ । ଯୁଦ୍ଧକାଳୀନ ଭିତ୍ତିରେ ଆନ୍ଧ୍ର ସରକାର ପୋଲାଭରମ ପ୍ରକଳ୍ପ କାମ କରୁଛନ୍ତି । ଦିନକୁ ଦିନ ନୂଆ ନୂଆ ପଦକ୍ଷେପ ଓଡ଼ିଶା ପାଇଁ ଚିନ୍ତାର କାରଣ ପାଲଟିଛି । ପୋଲଭରମ ପ୍ରକଳ୍ପ ନିର୍ମାଣକୁ ସମ୍ପୂର୍ଣ୍ଣ ତ୍ରୁଟିପୂର୍ଣ୍ଣ ବୋଲି କହିବା ସହ ଏହାକୁ ରାଜ୍ୟ ସରକାର ତୁରନ୍ତ ତଦାରଖ କରିବାକୁ ଦାବି ରଖିଛନ୍ତି ଜଳ ବିଶେଷଜ୍ଞ । ମୁଖ୍ୟ ଡ୍ୟାମକୁ ସୁରକ୍ଷା ଦେବା ପାଇଁ କୋଫର ଡ୍ୟାମ କାମ କରେ । ପୋଲଭରମ ପ୍ରକଳ୍ପର ସମ୍ପୂର୍ଣ୍ଣ ଡିଜାଇନରେ ତ୍ରୁଟି ରହିଥିବା ଅଭିଯୋଗ ଆଣିଛନ୍ତି ଜଳ ବିଶେଷଜ୍ଞ । ପ୍ରକଳ୍ପର ଡିୱାଲ ମଧ୍ୟ ତ୍ରୁଟିପୂର୍ଣ୍ଣ ବୋଲି ଅଭିଯୋଗ ହୋଇଛି । ପ୍ରକଳ୍ପ କିଭଳି ନିର୍ମାଣ ହେଉଛି ? କ’ଣ ତ୍ରୁଟି ରହୁଛି ? ଆମ ସରକାର ଏସବୁ ଜାଣିବା ଆବଶ୍ୟକ ବୋଲି ଦାବି ହୋଇଛି । ପୋଲାଭରମ ଡ୍ୟାମ ୪୫ ମିଟର ଉଚ୍ଚତାରେ ନିର୍ମାଣ ହେଉଛି । ୫୦ ଲକ୍ଷ କ୍ୟୁସେକ ବନ୍ୟା ଜଳ ପ୍ରବାହିତ ହେବ । ପଛୁଆ ବନ୍ୟା ଜଳ ଆସିବା ଫଳରେ ୧୪୫ ମିଟର ପର୍ଯ୍ୟନ୍ତ ପର୍ଯ୍ୟନ୍ତ ସାବେରୀ ନଦୀରେ ଜଳ ଆସିବ । ତେଣୁ ଏସବୁକୁ ପୁଙ୍ଖାନୁପୁଙ୍ଖ ଦେଖିବା ଆବଶ୍ୟକ । ଆନ୍ଧ୍ରର ମନଇଚ୍ଛା କାମ ଓଡିଶାକୁ ଆହୁରି ପ୍ରଭାବିତ କରିବ ବୋଲି ଆଶଙ୍କା ବଢିଛି ।

ସେପଟେ ପୋଲାଭରମ ଓଡିଶା ପାଇଁ ଏକ ଅଭିଶାପ ବୋଲି ଅଭିଯୋଗ ହୋଇଛି । ରାଜ୍ୟର ୨୦ ସାଂସଦ ଶାସକ ଦଳର କିନ୍ତୁ ଓଡିଶା ଭାଗ୍ୟ କଳା ବାଦଲ ତଳେ ଚାପି ହୋଇଯାଇଛି ବୋଲି କହିଛି ଆମ ଜନତା ଅଧିକାର । ବର୍ତ୍ତମାନ ରାଜନୈତିକ ବାଧ୍ୟବାଧକତା ଓ ଚାପ ପକାଇ ତ୍ରୁଟିପୂର୍ଣ୍ଣ କାମ କରି ନେଉଛନ୍ତି ଆନ୍ଧ୍ର ସରକାର, କିନ୍ତୁ ଓଡିଶା ଚୁପ । ଏନେଇ ରାଜ୍ୟ ସରକାର ଶ୍ବେତପତ୍ର ପ୍ରକାଶ କରନ୍ତୁ ବୋଲି ଦାବି ହୋଇଛି । ପୋଲଭରମ ପ୍ରକଳ୍ପରେ କୋଫର ଡ୍ୟାମ ଭାଙ୍ଗିବା ପରେ ବି ସରକାର ନିରବ କାହିଁକି ବୋଲି ପ୍ରଶ୍ନ ଉଠାଇଛି ସିଟିଜେନସ ଫୋରମ ।

ପୋଲାଭରମ ପ୍ରକଳ୍ପକୁ ନେଇ ପୂର୍ବ ସରକାର ବହୁ ଆନ୍ଦୋଳନ କରିଥିବା ବେଳେ ରାଜ୍ୟର ସ୍ୱାର୍ଥ ରକ୍ଷା ପାଇଁ ଦାବି କରୁଥିଲେ । କିନ୍ତୁ ଏବେକା ସରକାର କାହିଁକି ଚୁପ ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବହୁ ସଂଗଠନ ଓ ବିଶେଷଜ୍ଞ ।

ମାଗଣାରେ କେହି କାହାକୁ କିଛି ଦିଏନି: ପାକିସ୍ତାନ ସମ୍ପତ୍ତି ଉପରେ କବଜା କଲା IMF

ନନ୍ଦିଘୋଷ ବ୍ୟୁରୋ: କାଳ କାଳରୁ କଥା ରହି ଆସିଛି । କେହି କେବେ କିଛି କାହାକୁ ଏମିତିରେ ମାଗଣାରେ ଦେଇ ନଥାଏ । ଯଦି ଏକଥା ବିଶ୍ବାସ ହେଉନି ତେବେ ପାକିସ୍ତାନ ଅବସ୍ଥାକୁ ଦେଖନ୍ତୁ । ଆଇଏମଏଫ ପାକିସ୍ତାନକୁ କୋଟି କୋଟି ଡଲାର ଦେବା ପରେ ଲାଗୁଥିଲା ପାକିସ୍ତାନର ୫ ଆଙ୍ଗୁଳି ଏବେ ଘିଅରେ ବୁଡ଼ିଛି । ହେଲେ ଏବେ ଜଣାପଡୁଛି, ଫଣ୍ଡ ଦେଇ ଆଇଏମଏଫ ପାକିସ୍ତାନର ଧନ, ସମ୍ପତ୍ତି ଉପରେ କବଜା କରି ନେଇଛି । ସ୍ଥିତି ଏବେ ଏମିତି ଆଇଏମଏଫ ତରଫରୁ ପ୍ରତିଦିନ ଗୋଟିଏ ପରେ ଗୋଟିଏ ଆଦେଶ ଦିଆଯାଉଛି ଓ ପାକିସ୍ତାନ ଆଣ୍ଡେଇ, ପେଟେଇ ତାହାକୁ ପୂରଣ କରୁଛି । ଆଇଏମଏଫ ଶହବାଜ ସରିଫ ସରକାରଙ୍କୁ ଆଦେଶ ଦେଇ କହିଛନ୍ତି, ପାକିସ୍ତାନ ସେଣ୍ଟ୍ରାଲ ବ୍ୟାଙ୍କ ବୋର୍ଡରୁ ଫାଇନାନ୍ସ ସେକ୍ରେଟାରୀଙ୍କୁ ତୁରନ୍ତ ହଟାଅ । ସେତିକି ନୁହେଁ, ଆଇନ ବଦଳାଇବାକୁ ବି ଆଇଏମଏଫ ଆଦେଶ ଦେଇଛି । ଯାହାଦ୍ବାରା କେନ୍ଦ୍ର ସରକାରଙ୍କ ଅଖିସର କମର୍ସିଆଲ ବ୍ୟାଙ୍କ ଯାଞ୍ଚ କରିପାରିବେନି ।

ଆଇଏମଏଫ ଶହବାଜ ସରକାରଙ୍କୁ ଷ୍ଟ୍ରଟ ବ୍ୟାଙ୍କ ଅଫ ପାକିସ୍ତାନରେ ଖାଲି ପଡିଥିବା ଦୁଇଟି ଡେପୁଟି ଗଭର୍ଣ୍ଣର ପଦବୀ ତୁରନ୍ତ ପୂରଣ କରିବାକୁ କହିଛି । ଏହାସହ ଷ୍ଟେଟ ବ୍ୟାଙ୍କ ଅଫ୍ ପାକିସ୍ତାନ ଆଇନରେ ପରିବର୍ତ୍ତନ କରିବାକୁ କହିଛନ୍ତି । ଗତ ତିନି ବର୍ଷ ମଧ୍ୟରେ ଦ୍ବିତୀୟ ଥର ଆଇଏମଏଫ ଫାଇନାନ୍ସ ସେକ୍ରେଟାରୀଙ୍କୁ ବାହାର କରିବାକୁ କହିଛି । ପାକିସ୍ତାନ ଷ୍ଟ୍ରେଟ ବ୍ୟାଙ୍କ ଉପରେ ସରକାରଙ୍କ ପୂର୍ଣ୍ଣ ନିୟନ୍ତ୍ରଣ ଥିବା ବେଳେ ଆଇଏମଏଫ ଏମିତି ଆଦେଶ ଦେଇଛି । ୨୦୨୨ରେ ଆଇଏମଏଫ ଚାପରେ ପାକିସ୍ତାନ ସରକାର SBPକୁ ପୂର୍ଣ୍ଣ ସ୍ବାୟତ୍ତତା ଦେବା ସହ ବୋର୍ଡର ଅର୍ଥ ସଚିବଙ୍କ ଭୋଟ ଦେବା ଅଧିକାର ହଟାଇଥିଲା ।

ଅର୍ଥ ସଚିବଙ୍କୁ ନେଇ କେଁ କାହିଁକି ?

ବର୍ତ୍ତମାନ ସ୍ଥିତିରେ ଅର୍ଥ ସଚିବ ବୋର୍ଡ ସଦସ୍ୟ ହୋଇଥିଲେ ବି ତାଙ୍କର ଭୋଟ ଦେବାର ଅଧିକାର ନାହିଁ । ଏକ୍ସଚେଞ୍ଜ ରେଟ ହେଉ କି ସୁଧ ସ୍ଥିର କରିବା ଭଳି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ପାକିସ୍ତାନ ଟେଷ୍ଟ ବ୍ୟାଙ୍କ ପାଖରେ ନଥାଇ ମୁଦ୍ରିତ ନୀତି ସମିତି ପାଖରେ ରହିଛି । ସୋମବାର ଅର୍ଥମନ୍ତ୍ରୀ କହିଥିଲେ, ସୁଧ ହାର ସ୍ଥିର କରିବାରେ ସରକାରଙ୍କ କୌଣସି ଭୂମିକା ନାହିଁ । ଏହା ପାକିସ୍ତାନ ଟେଷ୍ଟ ବ୍ୟାଙ୍କର ଅଧିକାରୀକ କ୍ଷେତ୍ର । ଏହାସହ ସେ କହିଥିଲେ ଏକ୍ସଚେଞ୍ଚ ରେଟ ବଜାର ସ୍ଥିର କରିଥାଏ । ହେଲେ ଆଇଏମଏଫକୁ ଲାଗୁଛି କି ଅର୍ଥ ସଚିବ ବ୍ୟାଙ୍କ କାମରେ ବାଧା ସୃଷ୍ଟି କରୁଛନ୍ତି ।