spot_img
Home Blog Page 4690

ଭିଜିଲାନ୍ସ ଜାଲରେ ପୂର୍ବତନ ଏଆରସିଏସ, ଏକକାଳୀନ ୬ଟି ସ୍ଥାନରେ ଚଢ଼ାଉ

ବ୍ରହ୍ମଗିରି: ଭିଜିଲାନ୍ସ ଜାଲରେ ପୁରୀର ପୂର୍ବତନ ଏଆରସିଏସ ରାଜକିଶୋର ପରିଡ଼ା । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗୋପିନାଥପୁରର ତାଙ୍କ ବାସଗୃହ ସମେତ ଏକକାଳୀନ ୬ଟି ସ୍ଥାନରେ ଚଢାଉ କରିଛି ଭିଜିଲାନ୍ସ । ବ୍ରହ୍ମଗିରି ଖଟଫିରିଙ୍ଗିରେ ଥିବା ସିମେଣ୍ଟ ଓ ଇଟା କାରଖାନା, ଅଲାରନାଥ କଲେଜ ନିକଟରେ ଥିବା ଦୁଇ ମହଲା କୋଠା ଘର, ଆଠଗଡ଼ରେ ଥିବା ତାଙ୍କ ପୁଅର ଶ୍ବଶୁର ଘର ଓ ବାରିପଦାରେ ତାଙ୍କ ପୁଅ ଘରେ ଚଢାଉ କରିଛି ଭିଜିଲାନ୍ସ ।

ରାଜକିଶୋରଙ୍କ ନାମରେ ଅନେକ ଅଭିଯୋଗ ରହିଛି । ପୁରୀର ସମବାୟ ସମିତିରେ ସମ୍ପାଦକ ନିଯୁକ୍ତିରେ ବ୍ୟାପକ ଦୁର୍ନୀତି କରିଥିବା ଅଭିଯୋଗ ରହିଛି । ଏହାସହ ପୁରୀରେ ଏକ ପଞ୍ଚତାରକା ହୋଟେଲରେ ସେୟାର ଥିବା ଅଭିଯୋଗ ହୋଇଛି ।

କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀଙ୍କୁ କରୋନା, ଟ୍ୱିଟ୍ କରି ଦେଲେ ସୂଚନା

ନୂଆଦିଲ୍ଲୀ: ଦେଶରେ ନୂଆବର୍ଷ ପରଠାରୁ କରୋନା ସଂକ୍ରମଣ ପୁଣି ଥରେ ଦ୍ରୁତ ଗତିରେ ବୃଦ୍ଧି ପାଉଛି । କରୋନାର ତୃତୀୟ ଲହରରେ ରାଜନେତାଙ୍କ ସହ ବହୁ ସେଲିବ୍ରେଟି କୋଭିଡ-୧୯ରେ ସଂକ୍ରମିତ ହୋଇଛନ୍ତି । ଏହି ଲିଷ୍ଟରେ ଏବେ ଯୋଗ ଦେଇଛନ୍ତି କେନ୍ଦ୍ର ସଡ଼କ, ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ । ସେ ଏବେ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଏନେଇ ସେ ମଙ୍ଗଳବାର ଟ୍ୱିଟ କରି ସୂଚନା ଦେଇଛନ୍ତି । ତାଙ୍କ ମଧ୍ୟରେ ସ୍ୱଳ୍ପ ଲକ୍ଷଣ ଥିବାରୁ ସେ ଘରେ ଆଇସୋଲେସନରେ ଅଛନ୍ତି ।

କରୋନାରେ ଆକ୍ରାନ୍ତ ହେବା ପରେ ନୀତିନ ଗଡକରୀ ଟ୍ୱିଟ କରି କହିଛନ୍ତି କି ’ମୁଁ କରୋନା ପଜିଟିଭ୍ ଚିହ୍ନଟ ହୋଇଛି । କରୋନାର ସ୍ୱଳ୍ପ ଲକ୍ଷଣ ଦେଖାଯିବାରୁ ମୁଁ ସମସ୍ତ ପ୍ରୋଟୋକଲ୍ ମାନିବା ସହ ଆଇସୋଲେସନରେ ରହିଛି । ସେ ଆହୁରି କହିଛନ୍ତି କି ଯେଉଁମାନେ ମୋ ସଂସ୍ପର୍ଶରେ ଆସିଛନ୍ତି ସେମାନେ କରୋନାର ପରୀକ୍ଷା କରିବା ସହ ନିଜକୁ ଆଇସୋଲେସନରେ ରଖିବାକୁ ଅନୁରୋଧ କରିଛନ୍ତି ନିତୀନ ଗଡ଼କରୀ ।

ନୀତିନ ଗଡ଼କରୀଙ୍କ ପୂର୍ବରୁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ମଧ୍ୟ କରୋନାରେ ସଂକ୍ରମିତ ହୋଇ ହୋମ ଆଇସୋଲେସନରେ ରହିଛନ୍ତି ।

୧୫ ପର୍ଯ୍ୟନ୍ତ ଲାଗି ରହିବ ବର୍ଷା

ଭୁବନେଶ୍ୱର: ପଶ୍ଚିମା ଝଡ ପ୍ରଭାବରେ ରାଜ୍ୟରେ ଜାରି ରହିଛି ବର୍ଷା  । ବିଭିନ୍ନ ଜିଲ୍ଲାରେ ମେଘୁଆ ପାଗ ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେଉଛି । କେତେକ ସ୍ଥାନରେ କୁଆ ପଥର ସହିତ ମଧ୍ୟ ବର୍ଷା ହେଉଛି  ।  ଆସନ୍ତା ୩ଦିନ ପର୍ଯ୍ୟନ୍ତ ବର୍ଷା ଲାଗି ରହିବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।  ବିଶେଷକରି ପଶ୍ଚିମ ଓଡ଼ିଶାର ଜିଲ୍ଲା ଗୁଡ଼ିକରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେଉଛି  । ବଲାଙ୍ଗୀର, ସୋନପୁର, ସମ୍ବଲପୁର, ସୁନ୍ଦରଗଡ, କଳାହାଣ୍ଡି, କନ୍ଧମାଳ ଏବଂ ବରଗଡରେ ହେଉଛି ବର୍ଷା  ।

ପଶ୍ଚିମା-ଝଡ ସହିତ ଦୁଇଟି ଟ୍ରଫ୍ ଲାଇନ ସକ୍ରିୟ ରହିଛି । ଏହାର ପ୍ରଭାବରେ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ଆଭ୍ୟନ୍ତରୀଣ ଏବଂ ଉପକୂଳ ଓଡିଶାର ବିଭିନ୍ନ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି  । ଏଥିପାଇଁ ଆସନ୍ତା ୧୫ ତାରିଖ ସକାଳ ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲାକୁ ୱାର୍ଣ୍ଣିଂ ଜାରି ହୋଇଛି । ଆଜି ଭୁବନେଶ୍ୱରରେ ପାଗ କୋହଲା ରହିବା ସହ ବର୍ଷା ହେବାର ସମ୍ଭାବନା ରହିଛି  । ଆସନ୍ତା ୩ ରୁ ୪ ଦିନ ପର୍ଯ୍ୟନ୍ତ ତାପମାତ୍ରା ଅପରିବର୍ତ୍ତିତ ରହିବ ।

’ଗାର୍ଡ ଅଫ ଅନର’ ସହ ପଞ୍ଚଭୂତରେ ଲୀନ ହେଲେ ମିହିର ଦାସ

କଟକ: ପଞ୍ଚଭୂତରେ ଲୀନ ହେଲେ ବରିଷ୍ଠ ଅଭିନେତା ମିହିର ଦାସ୍ । କଟକ ସ୍ଥିତି ସତୀଚଉରାରେ ଗାର୍ଡ ଅଫ ଅନର ସହ ଶେଷ ହେଲା ଶେଷକୃତ୍ୟ । ଆଜି ସକାଳ ୮.୩୦ରେ ମିହିର ଦାସଙ୍କ ପ୍ରାର୍ଥିବ ଶରୀର ତାଙ୍କ ବାସଭବନରୁ ସତୀଚଉରା ଅଭିମୁଖେ ବାହାରିଥିଲେ । ଏକ ଶେଭାଯାତ୍ରରେ ତାଙ୍କ ମରଶରୀର ସତୀଚଉରାରେ ପହଞ୍ଚିଥିଲା । ଓଡ଼ିଆ ସିନେ ଜଗତର ବେତାଜ୍ ବାଦଶାହା ମିହିର ଦାସଙ୍କୁ ଶେଷ ଦର୍ଶନ କରିବାକୁ ବହୁ ସଂଖ୍ୟାରେ ଲୋକ ଆସି ସତୀଚଉରାରେ ପହଞ୍ଚିଥିଲେ । ମିହିର ଦାସଙ୍କୁ ତାଙ୍କ ବଡ଼ ପୁଅ ଅମ୍ଳାନ ମୁଖାଗ୍ନ ଦେଇଥିଲେ । ପରିବାର, ପ୍ରଂଶସକ ଓ ଆତ୍ମୀୟ ଗହଣରେ ଶେଷ ବିଦାୟ ନେଇଛନ୍ତି ଭୋଳାଶଙ୍କର ।

ସୂଚନା ଅନୁସାରେ ଚିକିତ୍ସାଧୀନ ଅବସ୍ଥାରେ କଟକର ଏକ ଘରୋଇ ହସ୍ପିଟାଲରେ ଗତକାଲି ତାଙ୍କର ବିୟୋଗ ହୋଇଥିଲା । ୧୯୫୯ ମସିହାରେ ମୟୂରଭଞ୍ଜ ଜିଲ୍ଲାରେ ସେ ଜନ୍ମ ହୋଇଥିଲେ । ହିରୋ, ଭିଲେନ୍, କମେଡିଆନ ସବୁ ଅଭିନୟରେ ମାହିର୍ ଥିଲେ ମିହିର । ୧୨୦ରୁ ଅଧିକ ଫିଲ୍ମ ଓ ଅନେକ ଧାରାବାହିକରେ ଅଭିନୟ କରି ଦର୍ଶକଙ୍କ ମନ କିଣିଥିଲେ ମିହିର ଦାସ । ୧୯୭୯ ମସିହାରେ ସିନେମା ମଥୁରା ବିଜୟରୁ ଫିଲ୍ମ ଜଗତରେ ପାଦ ଥାପିଥିଲେ ଏହି ଅଭିନେତା । ଓଡ଼ିଆ ସିନେ ଜଗତର ବରିଷ୍ଠ ଅଭିନେତା ମିହିର ଦାସଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ, ରାଜ୍ୟପାଳ, ମୁଖ୍ୟମନ୍ତ୍ରୀଙ୍କ ସହ ବହୁ ବିଶିଷ୍ଟ ବ୍ୟକ୍ତି ଶୋକବ୍ୟକ୍ତ କରିଛନ୍ତି ।

 

ଦେଶରେ ବେକାବୁ କରୋନା ସଂକ୍ରମଣ, ୨୪ ଘଣ୍ଟାରେ ୧ ଲକ୍ଷ ୯୪ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ସାରା ଦେଶରେ ହୁ ହୁ ହୋଇ ବଢ଼ିଚାଲିଛି କରୋନା ସଂକ୍ରମଣ । ଦେଶରେ କରୋନା ସଂକ୍ରମଣରେ ଲାଗୁନି ବ୍ରେକ । ପ୍ରତିଦିନ ଦ୍ରୁତ ଗତିରେ ମାଡି ଚାଲିଛି କରୋନା ସଂକ୍ରମଣ । ଦେଶରେ ଦୁଇ ଲକ୍ଷ ମୁହାଁ ଦୈନିକ କରୋନା ସଂକ୍ରମଣ । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁସାରେ ଗତ ୨୪ ଘଣ୍ଟାରେ ଦେଶରେ ୧ ଲକ୍ଷ ୯୪ ହଜାର କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଗତ ୨୪ ଘଣ୍ଟାରେ କରୋନା ମହାମାରୀରେ ଦେଶରେ ୪୪୨ ଜଣ ପ୍ରାଣ ହରାଇଛନ୍ତି ।

ଯଦି ଓମିକ୍ରନ କଥା କହିବା ତାହାଲେ ଦେଶରେ ବର୍ତ୍ତମାନ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୪ ହଜାର ୮୬୮ରେ ପହଞ୍ଚିଛି । ଗତ ୨୪ ଘଣ୍ଟାରେ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଥିବା ୫ ରାଜ୍ୟ ମଧ୍ୟରୁ ସର୍ବାଧିକ କେସ୍ ମହାରାଷ୍ଟ୍ରରୁ ଚିହ୍ନଟ ହୋଇଛନ୍ତି । ମହାରାଷ୍ଟ୍ରରେ ୨୪ ଘଣ୍ଟାରେ ୩୪ ହଜାର ୪୨୪ ମାମଲା ଚିହ୍ନଟ ହୋଇଛି । ମହାରାଷ୍ଟ୍ର ପରେ ଦିଲ୍ଲୀରେ ୨୧ ହଜାର ୨୫୯ କେସ୍, ପଶ୍ଚିମବଙ୍ଗରେ ୨୧ ହଜାର ୯୮ କେସ୍, ତାମିଲନାଡୁରେ ୧୫ ହଜାର ୩୭୯ କେସ୍ ଓ କର୍ଣ୍ଣାଟକରେ ୧୪ ହଜାର ୪୭୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

୮ ହଜାର ପାର୍ କରୋନା ସଂକ୍ରମଣ, ୨୪ ଘଣ୍ଟାରେ ୮ ହଜାର ୭୭୮ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ହୁ ହୁ ହୋଇ ବଢ଼ିବାରେ ଲାଗିଛି କରୋନା ସଂକ୍ରମଣ । ଦିନକୁ ଦିନ ଦ୍ରୁତ ଗତିରେ ବୃଦ୍ଧି ପାଉଛି କରୋନା ଆକ୍ରାନ୍ତ ସଂଖ୍ୟା । ଗତ ୨୪ ଘଣ୍ଟାରେ ରାଜ୍ୟରେ ୮ ହଜାର ୭୭୮ ଆକ୍ରାନ୍ତ ଚିହ୍ନଟ ହୋଇଛି । ଏହି ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୫ ହଜାର ୯୬ କେସ୍ ଚିହ୍ନଟ ହୋଇଥିବା ବେଳେ ୩ ହଜାର ୬୮୨ଟି ଲୋକାଲ କେସ୍ ଚିହ୍ନଟ ହୋଇଛି ।

ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୨୬୧୫ ମାମଲା ଚିହ୍ନଟ ହୋଇଛି । ସେହିପରି ଅନୁଗୁଳରୁ ୧୦୭ ଜଣ, ବାଲେଶ୍ୱରରୁ ୨୩୧ ଜଣ, ବରଗଡ଼ରୁ ୧୩୬ ଜଣ, ଭଦ୍ରକରୁ ୧୦୩ ଜଣ, ବଲାଙ୍ଗୀରରୁ ୨୧୬ ଜଣ, ବୌଦ୍ଧରୁ ୧୨ ଜଣ, କଟକରୁ ୭୬୬ ଜଣ, ଦେଓଗଡ଼ରୁ ୨୫ଜଣ, ଢେଙ୍କାନାଳରୁ ୭୮ ଜଣ, ଗଜପତିରୁ ୭୨ ଜଣ, ଗଞ୍ଜାମରୁ ୧୦୬ ଜଣ, ଜଗତସିଂହପୁରରୁ ୧୧୪ ଜଣ, ଯାଜପୁରରୁ ୧୯୧ ଜଣ, ଝାରସୁଗୁଡ଼ାରୁ ୨୦୩ ଜଣ, କଳାହାଣ୍ଡିରୁ ୮୬ ଜଣ, କନ୍ଧମାଳରୁ ୨୦ ଜଣ, କେନ୍ଦ୍ରାପଡ଼ାରୁ ୪୬ ଜଣ, କୋରାପୁଟରୁ ୧୬୧ ଜଣ, ମାଲକାନଗିରିରୁ ୧୨ ଜଣ, ମୟୁରଭଞ୍ଜରୁ ୩୩୮ ଜଣ, ନବରଙ୍ଗପୁରରୁ ୧୧୨ ଜଣ, ନୟାଗଡ଼ରୁ ୭୫ ଜଣ, ନୂଆପଡ଼ାରୁ ୬୭ ଜଣ, ପୁରୀରୁ ୨୧୬ ଜଣ, ରାୟଗଡ଼ାରୁ ୬୫ ଜଣ, ସମ୍ବଲପୁରରୁ ୫୯୬ ଜଣ, ସୋନପୁରରୁ ୮୭ ଜଣ, ସୁନ୍ଦରଗଡ଼ରୁ ୧୨୫୨ ଜଣ ଓ ଷ୍ଟେଟ ପୁଲରୁ ୫୭୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

 

ମିହିର ଦାସଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ପରଲୋକରେ ବର୍ଷିଆନ ଓଡ଼ିଆ ଅଭିନେତା ମିହିର ଦାସ୍ । ସମସ୍ତଙ୍କୁ କନ୍ଦାଇ, ଚାଲିଗଲେ ମିହିର । ଚିକିତ୍ସାଧୀନ ଅବସ୍ଥାରେ କଟକର ଏକ ଘରୋଇ ହସ୍ପିଟାଲରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ମିହିର ଦାସ । ଏକାଧିକ ରୋଗରେ ପୀଡିତ ଥିଲେ ଓଡ଼ିଆ ସିନେମା ଜଗତର ଏହି ବେତାଜ୍ ବାଦଶାହା । ମୃତ୍ୟୁ ବେଳକୁ ତାଙ୍କୁ ୬୩ ବର୍ଷ ହୋଇଥିଲା । ଡାକ୍ତରଙ୍କ ଆପ୍ରାଣ ଉଦ୍ୟମ ସତ୍ତ୍ୱେ ତାଙ୍କୁ ବଞ୍ଚାଇବା ସମ୍ଭବପର ହୋଇପାରିନଥିଲା । ମିହିର ଦାସଙ୍କ ମୃତ୍ୟୁ ପରେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀଙ୍କ ସହ ବହୁ ବିଶିଷ୍ଟ ବ୍ୟକ୍ତି ଶୋକବ୍ୟକ୍ତ କରିଛନ୍ତି ।

ମିହିର ଦାସଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୋଦି ଟ୍ୱିଟ କରି ଦୁଃଖ ପ୍ରକାଶ କରିବା ସହ ଅମର ଆତ୍ମାର ସଦଗତି କାମନା କରିଛନ୍ତି । ମିହିର ଦାସ ତାଙ୍କ କ୍ୟାରିୟରରେ ଅଭିନୟରେ ଅନେକଙ୍କ ହୃଦୟ ଜିତିଛନ୍ତି । ତାଙ୍କ ବିୟୋଗରେ କଳା କ୍ଷେତ୍ରରେ ଏକ ଅପୂରଣୀୟ କ୍ଷତି ହୋଇଛି । ଏଥିସହ ତାଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ସୂଚନା ଅନୁସାରେ ଚିକିତ୍ସାଧୀନ ଅବସ୍ଥାରେ କଟକର ଏକ ଘରୋଇ ହସ୍ପିଟାଲରେ ଗତକାଲି ତାଙ୍କର ବିୟୋଗ ହୋଇଥିଲା । ୧୯୫୯ ମସିହାରେ ମୟୂରଭଞ୍ଜ ଜିଲ୍ଲାରେ ସେ ଜନ୍ମ ହୋଇଥିଲେ  । ହିରୋ, ଭିଲେନ୍, କମେଡିଆନ ସବୁ ଅଭିନୟରେ ମାହିର୍ ଥିଲେ ମିହିର । ୧୨୦ରୁ ଅଧିକ ଫିଲ୍ମ ଓ ଅନେକ ଧାରାବାହିକରେ ଅଭିନୟ କରି ଦର୍ଶକଙ୍କ ମନ କିଣିଥିଲେ ମିହିର ଦାସ । ୧୯୭୯ ମସିହାରେ ସିନେମା ମଥୁରା ବିଜୟରୁ ଫିଲ୍ମ ଜଗତରେ ପାଦ ଥାପିଥିଲେ ଏହି ଅଭିନେତା ।

 

୧୦ ଦିନ ପରେ ଖୋଲିଲା ଭିତରକନିକା ଜାତୀୟ ଉଦ୍ୟାନ

ପଟ୍ଟାମୁଣ୍ଡାଇ: ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଭିତରକନିକା ଜାତୀୟ ଉଦ୍ୟାନ । ଦୀର୍ଘ ୧୦ ଦିନ ଧରି କୁମ୍ଭୀର ଗଣନା ପାଇଁ ବନ୍ଦ ରହିଥିଲା ଜାତୀୟ ଉଦ୍ୟାନ । ଯାହା ଫଳରେ ଜାନୁଆରୀ ୨ରୁ ୧୧ ତାରିଖ ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିଥିଲା ଭିତରକନିକା । ବଉଳା କୁମ୍ଭୀର ଗଣନା ପାଇଁ ୧୦ ଦିନ ବନ୍ଦ ଥିଲା । ୨୨ ଟି ଟିମ୍ ୫୨ଟି ସେଗେମେଣ୍ଟରେ କୁମ୍ଭୀର ଗଣନା କରିଛନ୍ତି । ଚଳିତ ବର୍ଷ ପ୍ରଥମ ଥର ପାଇଁ ପଲିଗନ ସର୍ଚ୍ଚ ମୋବାଇଲ ଆପରେ କୁମ୍ଭୀର ଗଣନା କରାଯାଇଥିବା ସୂଚନା ଦେଇଛନ୍ତି ରାଜନଗର ବନଖଣ୍ଡ ଅଧିକାରୀ ।

ଆଜି ପବିତ୍ର ଶାମ୍ବ ଦଶମୀ, କୋଣାର୍କରେ ହେବ ସୂର୍ଯ୍ୟଦେବଙ୍କ ରଥ ଯାତ୍ରା

କୋଣାର୍କ: ଆଜି ପବିତ୍ର ଶାମ୍ବ ଦଶମୀ ଉପଲକ୍ଷେ ଅର୍କ କ୍ଷେତ୍ର କୋଣାର୍କରେ ସୂର୍ଯ୍ୟଦେବଙ୍କ ରଥ ଯାତ୍ରା ଅନୁଷ୍ଠିତ ହେବ । ପ୍ରତିବର୍ଷ ଶାମ୍ବ ଦଶମୀ ତିଥିରେ ଅନନ୍ତ ଅବଧୂତ ମଠରୁ ଚନ୍ଦ୍ରଭାଗା ପର୍ଯ୍ୟନ୍ତ ସୂର୍ଯ୍ୟଙ୍କ ରଥ ଯାତ୍ରା ଅନୁଷ୍ଠିତ ହୋଇଥାଏ । ସକାଳୁ ସ୍ଵତନ୍ତ୍ର ନୀତିକାନ୍ତି ପରେ ରଥରେ କଳସ ସ୍ଥାପନ କରାଯିବା ସହ ସୂର୍ଯ୍ୟଙ୍କ ବିଗ୍ରହ ସ୍ଥାପନ କରାଯାଇଥାଏ । ରଥ ଉପରେ କାକରା, ବରା ଓ ପୋଡ ପିଠା ଲାଗି ପରେ ମଠ ମହନ୍ତ ଛେରା ପହରା କରିଥାନ୍ତି । ଶତାଧିକ ଶ୍ରଦ୍ଧାଳୁ ଏକାଠି ହୋଇ ରଥ ଟାଣି ନେଇ ଚନ୍ଦ୍ରଭାଗା କୂଳରେ ପହଞ୍ଚାଇଥାନ୍ତି ।

୨୭ ଦିନ ଧରି ଏହି ରଥ ଚନ୍ଦ୍ରଭାଗାରେ ରହି ୨୭ ନକ୍ଷତ୍ରରେ ପୂଜାର୍ଚ୍ଚନା କରାଯାଇଥାଏ । ମାଘ ସପ୍ତମୀ ଦିନ ଅନୁଷ୍ଠିତ ହୁଏ ବାହୁଡ଼ା ଯାତ୍ରା । ଚଳିତ ବର୍ଷ କୋଭିଡ୍‌ କଟକଣାରେ ରଥଯାତ୍ରା ଅନୁଷ୍ଠିତ ହେବ । ଆଜିର ଦିନରେ ସୂର୍ଯ୍ୟ ମନ୍ଦିରରେ ପର୍ଯ୍ୟଟକଙ୍କ ପାଇଁ ପ୍ରବେଶ ଶୁଳ୍କ ଛାଡ଼ କରାଯାଇଥାଏ ।

ଆଜିଠୁ ନିଟ୍ ପିଜି କାଉନସେଲିଂ, ଜାନୁଆରୀ ୧୭ ପର୍ଯ୍ୟନ୍ତ ଚାଲିବ ପ୍ରଥମ ପର୍ଯ୍ୟାୟ କାଉନସେଲିଂ

ନୂଆଦିଲ୍ଲୀ: ଆଜିଠୁ ଆରମ୍ଭ ହେବ ମେଡିକାଲ ଆଡମିଶନ ପାଇଁ ନିଟ୍-ପିଜି କାଉନସେଲିଂ। ନିଟ୍‌ ପିଜି କାଉନସେଲିଂ ପାଇଁ ଆଶାୟୀ ଥିବା ଛାତ୍ରଛାତ୍ରୀମାନେ MCC.NIC.IN ଓ୍ବେବସାଇଟରେ କାଉନସେଲିଂ ପାଇଁ ସମସ୍ତ ତଥ୍ୟ ପାଇପାରିବେ । କାଉନସେଲିଂ ପାଇଁ ନିଟ୍ ୨୦୨୧ର ଆଡମିଟ୍ କାର୍ଡ, ଅନଲାଇନ ଆବେଦନ ପତ୍ରର କପି, ନିଟ୍ ମାର୍କସିଟ୍ ଓ ଆଧାରକାର୍ଡ ବାଧ୍ୟତାମୂଳକ ଅଟେ । ପ୍ରଥମ ପର୍ଯ୍ୟାୟ କାଉନସେଲିଂ ଜାନୁଆରୀ ୧୨ରୁ ଜାନୁଆରୀ ୧୭ ତାରିଖ ପର୍ଯ୍ୟନ୍ତ ଚାଲିବ ।

ନିଟ୍ ପିଜି କାଉନସେଲିଂ ମାମଲାରେ ଗତ ଶୁକ୍ରବାର ସୁପ୍ରିମକୋର୍ଟ କହିଥିଲା କି ଚଳିତ ବର୍ଷ ୨୭ ପ୍ରତିଶତ ଓବିସି ଓ ୧୦ ପ୍ରତିଶତ ଅର୍ଥନୈତିକ ପଛୁଆ ବର୍ଗ କୋଟା ଭିତ୍ତିରେ ଏହି କାଉନସେଲିଂ ପ୍ରକ୍ରିୟା ଚାଲିବ । ଏହି ମାମଲାର ଶୁଣାଣି କରି ଜଷ୍ଟିସ ଡ.ଓ୍ୱାଇ ଚନ୍ଦ୍ରଚୂଡ ଓ ଜଷ୍ଟିସ ଏ.ଏସ. ବୋପାନ୍ନା ଆଡମିଶନ ପ୍ରକ୍ରିୟା ଜରୁରୀ ବୋଲି ଦର୍ଶାଇଥିଲେ । ସୁପ୍ରିମକୋର୍ଟର ଏହି ନିଷ୍ପତ୍ତି ପରେ ଜାନୁଆରୀ ୯ରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଟ୍ୱିଟ କରି ସୂଚନା ଦେଇଥିଲେ କି ଜାନୁଆରୀ ୧୨ରୁ ନିଟ୍‌ ପିଜି ପାଇଁ କାଉନସେଲିଂ ଆରମ୍ଭ ହେବ ।