spot_img
Home Blog Page 4692

କର୍ଣ୍ଣାଟକର ଇଟାଭାଟିରେ ଫସିଛନ୍ତି ପାଇକମାଲର ୯ ଶ୍ରମିକ, ଉଦ୍ଧାର ପାଇଁ ନିବେଦନ

ଭୁବନେଶ୍ୱର: ପେଟ ପାଇଁ କାଖରେ କଅଁଳ ଛୁଆକୁ ଧରି ସୁଦୂର କର୍ଣ୍ଣାଟକ ଯାଇଥିଲେ । ଭଲ ଟଙ୍କା ମିଳିବାର ପ୍ରତିଶ୍ରୁତି ବି ମିଳିଥିଲା । ଏମିତି କିଛି ଆଶା ଓ ଆଖିରେ ଆଖିଏ ସ୍ୱପ୍ନ ନେଇ ବରଗଡ଼ ଜିଲ୍ଲା ପାଇକମାଲର ୯ ଶ୍ରମିକ ଦାଦନ ଖଟିବାକୁ ଯାଇଥିଲେ କର୍ଣ୍ଣାଟକ । ପ୍ରଥମେ କିଛିଦିନ ଭଲରେ ଗଲା ପରେ ଇଟାଭାଟି ମାଲିକ ଦେଉଛନ୍ତି ନିର୍ଯାତନା ।

ଇଟାଭାଟି ମାଲିକଙ୍କ ଦ୍ୱାରା ନିର୍ଯାତିତ ହେବା ପରେ ୯ ଶ୍ରମିକ ସେମାନଙ୍କୁ ଉଦ୍ଧାର ପାଇଁ ନିବେଦନ କରିଛନ୍ତି । କାଖରେ କୁନି ଝିଅକୁ ଧରି ବାପା ମାଗୁଛି ଉଦ୍ଧାର ପାଇଁ ସାହାଯ୍ୟ । ମିଳିଥିବା ସୂଚନା ଅନୁସାରେ, ଶ୍ରମିକ ମାନେ କର୍ଣ୍ଣାଟକର ମଣ୍ଡ୍ୟା ଜିଲ୍ଲା କ୍ରିଷ୍ଣାରାଜପେଟ ତହସିଲ୍ ଅନ୍ତର୍ଗତ କୁରୁବାହାଲି ଗାଁ ଇଟାଭାଟିରେ ବନ୍ଧକ ଅଛନ୍ତି ।

କାମ ବଦଳରେ ଇଟାଭାଟି ମାଲିକ ଶ୍ରମିକଙ୍କୁ ଟଙ୍କା ଦେଇନାହିଁ । ବରଂ ଟଙ୍କା ମାଗିଲେ ମାଡ଼ ମାରୁଥିବା ଅଭିଯୋଗ ହୋଇଛି । ଏପରିକି ଏକ ମିଥ୍ୟା ମାମଲାରେ ଶ୍ରମିକମାନଙ୍କୁ ଫସାଇ ଦେଇଥିବା ଅଭିଯୋଗ ହୋଇଛି । ତୁରନ୍ତ କର୍ଣ୍ଣାଟକରୁ ସେମାନଙ୍କୁ ଉଦ୍ଧାର ପାଇଁ ଭିଡିଓ ମାଧ୍ୟମରେ ନିବେଦନ କରିଛନ୍ତି ନିର୍ଯାତିତ ଶ୍ରମିକ ।

IPLରେ ନୂଆ ଟାଇଟଲ ସ୍ପନସର, ହଟିଲା ’VIVO’ ଆସିଲା ’TATA’

ନୂଆଦିଲ୍ଲୀ: ଆଇପିଏଲ ସିଜିନ୍-୧୫କୁ ନେଇ ପ୍ରସ୍ତୁତି ଆରମ୍ଭ କରିସାରିଛି ବିସିସିଆଇ । ବିଶ୍ୱର ସବୁଠାରୁ ଦାମୀ କ୍ରିକେଟ ଲିଗ୍ ଇଣ୍ଡିଆନ ପ୍ରିମିୟର ଲିଗକୁ ନୂଆ ସ୍ପନସର ମିଳିଛି । ୨୦୨୨ରେ ହେବାକୁ ଥିବା ଆଇପିଏଲରେ TATA ଗ୍ରୁପକୁ ନୂଆ ସ୍ପନସରର ଦାୟିତ୍ୱ ମିଳିଛି । ଅର୍ଥାତ ଏହି ଟୁର୍ଣ୍ଣାମେଣ୍ଟକୁ ଏବେ ’TATA IPL’ ଭାବରେ କୁହାଯିବ । ଏହା ପୂର୍ବରୁ ଆଇପିଏଲର ଟାଇଟଲ ସ୍ପନସର ଚାଇନା କମ୍ପାନୀ ଭିଭୋ ପାଖରେ ରହିଥିଲା ।

ଆଇପିଏଲ ଚେୟାରମ୍ୟାନ ବ୍ରିଜେଶ ପଟେଲ ନ୍ୟୁଜ ଏଜେନ୍ସି ପିଟିଆଇକୁ ସୂଚନା ଦେଇଛନ୍ତି କି ୨୦୨୨ ମସିହାରୁ ’TATA’ ଆଇପିଏଲର ସ୍ପନସର ହେବ । ସୂଚନା ଅନୁସାରେ ମଙ୍ଗଳବାର ଆଇପିଏଲ ଗଭର୍ଣ୍ଣିଂ କାଉନସିଲିଂର ମିଟିଂ ହୋଇଥିଲା । ଯେଉଁ ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଥିଲା । ସେଗୁଡିକ ହେଉଛି ଆଇପିଏଲର ଟାଇଟଲ ସ୍ପନସର ଟାଟାକୁ ଦିଆଯାଇଛି । ଏହା ବ୍ୟତୀତ ଅହମଦାବାଦ ଟିମ୍ ମାଲିକ ସିବିସି ଗ୍ରୁପକୁ ଲେଟର ଅଫ ଇଣ୍ଟେଣ୍ଟ ଦିଆଯାଇଛି ।

VIVO ୨୦୧୮ ମସିହାରେ ଆଇପିଏଲର ସ୍ପନସର ରାଇଟ୍ସ କିଣିଥିଲା । ଏହି ସ୍ପନସରସିପ୍ ପାଇଁ VIVO ପ୍ରତି ବର୍ଷ ବିସିସିଆଇକୁ ୪୪୦ କୋଟି ଦେବାକୁ ପଡ଼ିଥାଏ । VIVOର ଏହି କଣ୍ଟ୍ରାକ୍ଟ ୨୦୨୨ ପର୍ଯ୍ୟନ୍ତ ଥିଲା । ଗତ ବର୍ଷ ଯେତେବେଳେ ଭାରତ-ଚୀନ ମଧ୍ୟରେ ବିବାଦ କାରଣରୁ VIVOକୁ ଗୋଟିଏ ବର୍ଷ ପାଇଁ ବ୍ୟାନ କରାଯାଇଥିଲା ।

 

 

ଅଫେରା ରାଇଜରେ ଭୋଳାଶଙ୍କର, ଓଲିଉଡରେ ଶୋକର ଛାୟା

କଟକ: ଆରପାରିରେ ବରିଷ୍ଠ ଅଭିନେତା ମିହିର ଦାସ । ୬୩ ବର୍ଷରେ ବୟସରେ ମିହିର ଦାସଙ୍କ ପରଲୋକ ହୋଇଛି । ପ୍ରାୟ ମାସେରୁ ଅଧିକ ସମୟ ହେବ ସେ କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ବିଗତ କିଛି ଦିନ ହେବ ସେ କିଡନୀ ରୋଗରେ ଆକ୍ରାନ୍ତ ଥିଲେ । କିଡନୀ ରୋଗରେ ଆକ୍ରାନ୍ତ ହେବା ପରେ ତାଙ୍କୁ ଆଇସିୟୁରେ ରଖି ଚିକିତ୍ସା କରାଯାଉଥିଲା । ମିହିର ଦାସଙ୍କ ଦୁଇଟି ଯାକ କିଡନୀ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା । ଯାହା ଫଳରେ ସପ୍ତାହରେ ତାଙ୍କର ତିନି ଥର ଡାଏଲିସସ ହେଉଥିଲା ।

ମିହିର ଦାସ ୧୯୭୯ ମସିହାରେ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ପାଦ ଥାପିଥିଲେ । ମୟୂରଭଞ୍ଜ ଜିଲ୍ଲାରେ ଜନ୍ମ ହୋଇଥିଲେ ମିହିର ଦାସ । ପିଲାଟି ଦିନରୁ ଅଭିନୟ ଥିଲା ତାଙ୍କ ନିଶା ଓ ପେଶା । ସେ ପ୍ରାୟ ୧୦୦ଟି ଚଳଚ୍ଚିତ୍ରରେ ମୁଖ୍ୟ ଓ ସହ କଳାକାର ଭୂମିକାରେ ଅଭିନୟ କରିଛନ୍ତି ।

Veteran Ollywood Actor Mihir Das Passes Away

ତାଙ୍କ ଅଭିନୀତ ଲୋକପ୍ରିୟ ଚଳଚ୍ଚିତ୍ର ମଧ୍ୟରେ ଲକ୍ଷ୍ମୀ ପ୍ରତିମା, ଟାର୍ଗେଟ୍, ଗୁଣ୍ଡା, ମାଇଁ ଲଭ ଷ୍ଟୋରୀ, ପହିଲି ରାଜା, ଚୋରି ଚୋରି ମନ ଚୋରି, ବାଜି, ଧଉଳି ଏକ୍ସପ୍ରେସ୍ ଅନ୍ୟତମ । ଚଳଚ୍ଚିତ ବ୍ୟତୀତ୍ ମିହିର ଦାସ ଅନେକ ଟିଭି କାର୍ଯ୍ୟକ୍ରମରେ ନଜର ଆସିଛନ୍ତି ।

ଅଭିନୟ ପାଇଁ ଏକାଧିକ ପୁରସ୍କାର ପାଇଛନ୍ତି ସେ । ୧୯୯୯ରେ ବିଧାତା ଓ ୨୦୦୫ରେ ଫେରିଆ ମୋ ସୁନା ଭଉଣୀ ଚଳଚ୍ଚିତ୍ର ପାଇଁ ତାଙ୍କୁ ଶ୍ରେଷ୍ଠ କଳାକାର ସମ୍ମାନ ମିଳିଥିଲା । କଣ୍ଠଶିଳ୍ପୀ ସଙ୍ଗୀତା ଦାସଙ୍କୁ ବିବାହ କରିଥିଲେ ମିହିର ଦାସ । ୨୦୧୦ ମସିହାରେ ସଙ୍ଗୀତାଙ୍କ ମୃତ୍ୟୁ ହୋଇଥିଲା ।

ୟୁପିରେ ବିଜେପିକୁ ଝଟକା, କ୍ୟାବିନେଟ ମନ୍ତ୍ରୀରୁ ଇସ୍ତଫା ଦେଲେ ସ୍ୱାମୀ ପ୍ରସାଦ ମୌର୍ଯ୍ୟ

ଲକ୍ଷ୍ନୌ: ଦେଶରେ ୫ ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇସାରିଛି । ତାରିଖ ଘୋଷଣା ହେବା ପରେ ଏହି ୫ ରାଜ୍ୟର ରାଜନୀତି ସରଗରମ ହୋଇଛି । ଏପରିସ୍ଥିତିରେ ଉତ୍ତରପ୍ରଦେଶ ରାଜନୀତିରେ ମଙ୍ଗଳବାର ଏକ ବଡ଼ ହଲଚଲ ଦେଖିବାକୁ ମିଳିଛି । ୟୁପି ନିର୍ବାଚନ ପୂର୍ବରୁ ବିଜେପିକୁ ଲାଗିଛି ବଡ଼ ଝଟକା । ଉତ୍ତରପ୍ରଦେଶ କ୍ୟାବିନେଟ ମନ୍ତ୍ରୀ ସ୍ୱାମୀ ପ୍ରସାଦ ମୌର୍ଯ୍ୟ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ସ୍ୱାମୀ ପ୍ରସାଦ ମୌର୍ଯ୍ୟ ତାଙ୍କ ଇସ୍ତଫା ପତ୍ର ରାଜ୍ୟପାଳ ଆନନ୍ଦବିନ୍ ପଟେଲଙ୍କୁ ପଠାଇଛନ୍ତି । ସୂଚନା ଅନୁସାରେ ସ୍ୱାମୀ ପ୍ରସାଦ ବିଜେପିରୁ ଇସ୍ତପା ପରେ ଖୁବ ଶୀଘ୍ର ସମାଜବାଦୀ ପାର୍ଟିରେ ଯୋଗ ଦେବେ ।

ରାଜ୍ୟପାଳ ଆନନ୍ଦବିନ୍ ପଟେଲଙ୍କୁ ପଠାଇଥିବା ଇସ୍ତଫା ପତ୍ରରେ ସ୍ୱାମୀ ପ୍ରସାଦ ମୌର୍ଯ୍ୟ ଲେଖିଛନ୍ତି କି ’ଶ୍ରମ, ନିଯୁକ୍ତ ମନ୍ତ୍ରୀ ଏବଂ ସମନ୍ୱୟ ମନ୍ତ୍ରୀ ଭାବରେ ସମସ୍ତ ବିପରୀତ ପରିସ୍ଥିତିରେ ମୁଁ ଆଦର୍ଶ ବିଚାରଧାରାରେ ରହିବା ସତ୍ତ୍ୱେ ମୁଁ ଅତ୍ୟଧିକ ଉତ୍ସର୍ଗୀକୃତ ଭାବରେ ଦାୟିତ୍ୱ ତୁଲାଇଥିଲି । କିନ୍ତୁ ଦଳିତ, ପଛୁଆ, କୃଷକ, ବେକାର ସମସ୍ୟା ଏବଂ କ୍ଷୁଦ୍ର-ମଧ୍ୟମ ବର୍ଗଙ୍କୁ ଅବହେଳା ହେତୁ ମୁଁ ଉତ୍ତରପ୍ରଦେଶ କ୍ୟାବିନେଟରୁ ଇସ୍ତଫା ଦେଇଛି ।

ବିଗତ କିଛି ଦିନ ହେବ ଚର୍ଚ୍ଚା ଜାରି ରହିଥିଲା କି ସ୍ୱାମୀ ପ୍ରସାଦ ମୌର୍ଯ୍ୟ ବିଜେପି ଛାଡି ଅଖିଳେଶ ଯାଦବଙ୍କ ସମାଜବାଦୀ ପାର୍ଟିରେ ଯୋଗ ଦେଇପାରନ୍ତି । ସୂଚନା ଅନୁସାରେ ସ୍ୱାମୀ ପ୍ରସାଦ ମୌର୍ଯ୍ୟ ସପାରେ ଯୋଗ ଦେବା ମାମଲା ସିଧାସଳଖ ଭାବରେ ଅଖିଳେଶ ଯାଦବ ବୁଝୁଛନ୍ତି । ତେବେ ସ୍ୱାମୀ ପ୍ରସାଦ ମୌର୍ଯ୍ୟ ବିଜେପିରୁ ଇସ୍ତଫା ଦେବା ପରେ ଏହା ବିଜେପିକୁ ବଡ଼ ଝଟକା ଲାଗିଛି । ଗତ ନିର୍ବାଚନରେ ବିଜେପି ସରକାରକୁ ଆସିବାର ମୁଖ୍ୟ କାରଣ ପଛୁଆ ବର୍ଗ । ସେଥିପାଇଁ ଚଳିତ ନିର୍ବାଚନରେ ଅଖିଳେଶ ଯାଦବ ପଛୁଆ ବର୍ଗଙ୍କୁ ତାଙ୍କ ସପକ୍ଷରେ ନେବା ପାଇଁ ଚେଷ୍ଟା କରୁଛନ୍ତି ।

ଗୁଡି ସୁତା ଲାଗି କଟିଲା ୩ ଯୁବକଙ୍କ ବେକ

ଭୁବନେଶ୍ୱର: ଗୁଡି ସୁତା ଲାଗି ୩ ଯୁବକଙ୍କ କଟିଲା ବେକ । ଖଣ୍ଡଗିରି ଥାନା ଡୁମୁଡୁମା ଅଞ୍ଚଳରେ ଘଟିଛି ଅଘଟଣ । ଡୁମୁଡୁମା ପାଲା ମଣ୍ଡପ ନିକଟରେ ଯୁବକଙ୍କ ବେକରେ ଲାଗିଲା ମାଞ୍ଜା ସୁତା । ସ୍କୁଟିରେ ଯାଉଥିବା ବେଳେ ଯୁବକଙ୍କ ବେକରେ ଗୁଡେଇ ହୋଇଥିଲା ସୁତା। ସ୍ଥାନୀୟ କିଛି ଲୋକଙ୍କ ସହାୟତାରେ ମେଡିସିନ ଷ୍ଟୋରକୁ ନେଇ ଚିକିତ୍ସା କରିଥିଲେ ।

ସୂଚନା ମୁତାବକ ମାଞ୍ଜା ସୂତାରେ ଆହତ ହୋଇଥିବା ବ୍ୟକ୍ତି ସ୍ବୟମ ରାୟ ଚୋଧୁରି  । ସେ ଜଣେ ଲ ଷ୍ଟୁଡେଣ୍ଟ ବୋଲି ଜଣାପଡିଛି । ତେବେ କିଏ ଏହି ସ୍ଥାନରେ ସୂତା ଲଗାଇଛନ୍ତି  । ଅର୍ଥାତ ଗୁଡ଼ି ଛାଡିବା ବେଳେ ଏହି ସୂତା ଲାଗିଥିବା ହିଁ ଅନୁମାନ କରାଯାଉଛି  ।

ଡିମ୍ପଲ-ସୁମିତ ମାମଲା: ହାଇକୋର୍ଟରେ ରିଭ୍ୟୁ ପିଟିସନ ଦାଖଲ କଲେ ସୁମିତ

କଟକ: ଡିମ୍ପଲ-ସୁମିତ ପାରିବାରିକ ବିବାଦ ମାମଲାରେ ନୂଆ ମୋଡ । ଏହି ବିବାଦ ମାମଲାରେ ହାଇକୋର୍ଟରେ ରିଭ୍ୟୁ ପିଟିସନ ଦାଖଲ କରିଛନ୍ତି ଡାକ୍ତର ସୁମିତ । ଗତ ୪ ତାରିଖରେ ହୋଇଥିବା ନିର୍ଦ୍ଦେଶନାମା ଉପରେ ହାଇକୋର୍ଟରେ ରିଭ୍ୟୁ ପିଟିସନ ଦାଖଲ କରିଛନ୍ତି ସୁମିତ । ଡିମ୍ପଲ, ସୁମିତଙ୍କ ଘରେ ରହିବା ଏବଂ ମାସିକ ୧୭ ହଜାର ଟଙ୍କା ଦେବା ନିର୍ଦ୍ଦେଶକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି ସୁମିତ ।

ଏହି ମାମଲାରେ ନନ୍ଦିଘୋଷ ଟିଭିକୁ ସୁମିତ କହିଛନ୍ତି ଯେ, କୋର୍ଟରେ ମାମଲା ବିଚାରାଧୀନ ରହିଛି । ଘର କଥା ଘରେ ରହିଲେ ଭଲ । ଘର କଥା ବାହାରକୁ ଆସିବାର ନଥିଲା । ଏବେ ଏହି ବିବାଦର ସମାଧାନ ନ୍ୟାୟାଳୟ କରିବେ ବୋଲି କହିଛନ୍ତି ଡାକ୍ତର ସୁମିତ । ସେହିପରି ଏକାଠି ହେବା ନହେବା ସମୟ ହିଁ କହିପାରିବ ବୋଲି ସେ କହିଛନ୍ତି । ଏହାସହ ନିଖୋଜ ନେଇ ଯେଉଁ ପ୍ରତିକ୍ରିୟା ପ୍ରକାଶ ପାଉଥିଲା, ସେନେଇ ଉତ୍ତର ରଖିଛନ୍ତି ସୁମିତ । ମାନସିକ ସ୍ଥିତି ଭଲ ନଥିବାରୁ ଛୁଟିରେ ରହିଛି ବୋଲି ସୁମିତ କହିଛନ୍ତି ।

ଭାରତ-ଦକ୍ଷିଣ ଆଫ୍ରିକା ଟେଷ୍ଟ: ଟସ୍ ଜିତି ବ୍ୟାଟିଂ କରିବ ଭାରତ, ଦଳରେ ଦୁଇଟି ପରିବର୍ତ୍ତନ

କେପ୍ ଟାଉନ୍: ଭାରତ- ଦକ୍ଷିଣ ଆଫ୍ରିକା ମଧ୍ୟରେ କେପ୍ ଟାଉନରେ ଆଜି ଖେଳାଯାଉଛି ତୃତୀୟ ତଥା ଅନ୍ତିମ ଟେଷ୍ଟ । ଏହି ମ୍ୟାଚରେ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଛି ଟିମ୍ ଇଣ୍ଡିଆ । ପିଠିରେ ଆଘାତ କାରଣରୁ ଦ୍ୱିତୀୟ ମ୍ୟାଚ ଖେଳି ପାରିନଥିଲେ ବିରାଟ କୋହଲି । କିନ୍ତୁ ତୃତୀୟ ମ୍ୟାଚରେ ଫିଟ୍ ହୋଇ ପୁଣି ଥରେ ଟିମକୁ ଫେରିଛନ୍ତି ବିରାଟ । ବିରାଟ ଟିମକୁ ଫେରିବା ପରେ ହନୁମା ବିହାରୀଙ୍କୁ ଚୁଡାନ୍ତ ଏକାଦଶରୁ ବାହାରକୁ ଯିବାକୁ ପଡ଼ିଛି । ସେହିପରି ମହମ୍ମଦ ସିରାଜ ଆଘାତ କାରଣରୁ ତୃତୀୟ ଟେଷ୍ଟରେ ବାଦ୍ ପଡ଼ିଛନ୍ତି । ସିରାଜଙ୍କ ସ୍ଥାନରେ ଉମେଶ ଯାଦବଙ୍କୁ ତୃତୀୟ ଟେଷ୍ଟରେ ସୁଯୋଗ ମିଳିଛି । ସେହିପରି ଯଦି ଦକ୍ଷିଣ ଆଫ୍ରିକା କଥା କହିବା ତାହାଲେ ଦକ୍ଷିଣ ଆଫ୍ରିକା ଦଳରେ କୌଣସି ପରିବର୍ତ୍ତନ କରିନାହାନ୍ତି ଅଧିନାୟକ ଡିନ୍ ଏଲଗାର ।

ଯଦି କେପଟାଉନରେ ଭାରତୀୟ ଦଳର ରେକର୍ଡ କଥା କହିବା ତାହାଲେ ଏପର୍ଯ୍ୟନ୍ତ ଭାରତ କକେପଟାଉନରେ ଗୋଟିଏ ବି ଟେଷ୍ଟରେ ବିଜୟ ଲାଭ କରିପାରିନାହିଁ । କେପ୍‌ ଟାଉନ୍‌ରେ ଭାରତ ୫ଟି ଟେଷ୍ଟ ଖେଳିଥିଲେ ବି ଗୋଟିଏ ବିଜୟ ସ୍ୱାଦ ଚାଖିପାରି ନାହିଁ । ୩ଟି ଟେଷ୍ଟରେ ଭାରତକୁ ପରାଜୟର ସାମ୍ନା କରିବାକୁ ପଡ଼ିଛି । ତେଣୁ ଏହି ମ୍ୟାଚକୁ ଜିତି କେପଟାଉନନରେ ପରାଜୟର ଧାରା ଭାଙ୍ଗିବାକୁ ଚେଷ୍ଟା କରିବ ଟିମ୍ ଇଣ୍ଡିଆ ।

ଭାରତର ଚୁଡାନ୍ତ ଏକାଦଶ: କେଏଲ ରାହୁଲ, ମୟଙ୍କ ଅଗ୍ରଓ୍ୱାଲ, ଚେତେଶ୍ୱର ପୂଜାରା, ବିରାଟ କୋହଲି (ଅଧିନାୟକ), ଆଜିଙ୍କେ ରାହାଣେ, ଋଷଭ ପନ୍ତ, ରବିଚନ୍ଦ୍ରନ ଅଶ୍ୱିନୀ, ଶାର୍ଦ୍ଦୁଳ ଠାକୁର, ମହମ୍ମଦ ସିରାଜ, ଜଶପ୍ରୀତ ବୁମ୍ରା ଓ ଉମେଶ ଯାଦବ ।

ଲୋନ ଦେବାକୁ ମନା କଲା ବ୍ୟାଙ୍କ, ଉତ୍ତ୍ୟକ୍ତ ହୋଇ ବ୍ୟାଙ୍କରେ ନିଆଁ ଲଗାଇଲେ ଯୁବକ

ବେଙ୍ଗାଲୁରୁ: ଲୋନ ପାଇଁ କର୍ଣ୍ଣାଟକର ଜଣେ ବ୍ୟକ୍ତି ବ୍ୟାଙ୍କକୁ ଯାଇଥିଲେ । କିନ୍ତୁ ବ୍ୟାଙ୍କ ଉକ୍ତ ବ୍ୟକ୍ତିଙ୍କୁ ଲୋନ ଦେବାକୁ ମନା କରିଦେଇଥିଲେ । ଯାହା ଫଳରେ ଉକ୍ତ ବ୍ୟକ୍ତି ରାଗିଯାଇ ବ୍ୟାଙ୍କରେ ନିଆଁ ଲଗାଇ ଦେଇଥିଲେ । ଏମିତି ଏକ ଘଟଣା ଦେଖିବାକୁ ମିଳିଛି କର୍ଣ୍ଣାଟକର ହାଭେରୀ ଜିଲ୍ଲାରେ । ପୋଲିସ ସୂଚନା ଅନୁସାରେ ଅଭିଯୁକ୍ତ ଜଣଙ୍କ ଲୋନ ନେବା ପାଇଁ ବ୍ୟାଙ୍କରେ ଆବେଦନ କରିଥିଲେ । କିନ୍ତୁ ସେହି ବ୍ୟକ୍ତିଙ୍କ ଡକ୍ୟୁମେଣ୍ଟ ଭେରିଫିକେସନ ପରେ ବ୍ୟାଙ୍କ ତାଙ୍କୁ ଲୋନ ଦେବାକୁ ମନା କରିଦେଇଥିଲା । ଯାହା ଫଳରେ ଅଭିଯୁକ୍ତ ଉତ୍ତ୍ୟକ୍ତ ହୋଇ ବ୍ୟାଙ୍କରେ ନିଆଁ ଲଗାଇ ଦେଇଥିଲେ ।

ବ୍ୟାଙ୍କରେ ନିଆଁ ଲଗାଇବା ପରେ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ଗିରଫ କରି ଅଭିଯୁକ୍ତଙ୍କ ବିରୋଧରେ ଆଇପିସି ଧାରା ୪୩୬, ୪୭୭ ଓ ୪୩୫ରେ ମାମଲା ରୁଜୁ କରାଯାଇଥିବା ସୂଚନା ମିଳିଛି ।

କରୋନାରେ ଆକ୍ରାନ୍ତ ହେଲେ ଲତା ମଙ୍ଗେସକର

ମୁମ୍ବାଇ: ଭାରତରେ ପୁଣି ଥରେ କରୋନା ସଂକ୍ରମଣ ହୁ ହୁ ହୋଇ ବଢ଼ିବାରେ ଲାଗିଛି । ଗତ ୨୪ ଘଣ୍ଟାରେ ଦେଶରେ ୧ ଲକ୍ଷ ୬୮ ହଜାର କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଭାରତରେ ସଂକ୍ରମଣ ବୃଦ୍ଧି ପାଉଥିବାବେଳେ ଏଥିରେ ଅନେକ ବଲିଉଡ ତାରକା କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଏହି ବଲିଉଡ ତାରକାଙ୍କ ଲିଷ୍ଟରେ ଏବେ ଯୋଡି ହୋଇଛନ୍ତି ପ୍ରସିଦ୍ଧ କଣ୍ଠଶିଳ୍ପୀ ଲତା ମଙ୍ଗେସକର । ସେ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । କରୋନାରେ ଆକ୍ରାନ୍ତ ହେବା ପରେ ସେ ଏବେ ICUରେ ଭର୍ତ୍ତି ହୋଇଛନ୍ତି ।

କରୋନାରେ ଆକ୍ରାନ୍ତ ହେବା ପରେ ସେ ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଏନେଇ ସୂଚନା ଦେଇଛନ୍ତି ଲତା ମଙ୍ଗେସକରଙ୍କ ଭାଣିଜୀ ରଚନା । ସେ କହିଛନ୍ତି କି ତାଙ୍କଠାରେ କୋଭିଡର ସାମାନ୍ୟ ଲକ୍ଷଣ ଦେଖା ଯାଇଛି । ଯେହେତୁ ତାଙ୍କର ବୟସ ଅଧିକ ଥିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେ ନିମୋନିଆରେ ବି ସଂକ୍ରମିତ ଅଛନ୍ତି ବୋଲି କହିଛନ୍ତି ଲତା ମଙ୍ଗେସକରଙ୍କ ଭାଣିଜୀ ରଚନା ।

ଭାରତ-ଦକ୍ଷିଣ ଆଫ୍ରିକା ଟେଷ୍ଟ: ସିରିଜ୍ ଜିିତିବା ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବ ଟିମ୍ ଇଣ୍ଡିଆ

କେପ ଟାଉନ୍: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ତୃତୀୟ ତଥା ଅନ୍ତିମ ଟେଷ୍ଟ ମ୍ୟାଚ ମଙ୍ଗଳବାରଠାରୁ ଆରମ୍ଭ ହେବାକୁ ଯାଉଛି । ଏହି ମ୍ୟାଚ ସହ ସିରିଜ୍ ଜିତିବାକୁ ପଡ଼ିଆକୁ ଓହ୍ଲାଇବ ବିରାଟ ବ୍ରିଗେଡ । ଏହି ବିଜୟ ସହ ଭାରତ ପ୍ରଥମ ଥର ପାଇଁ ଦକ୍ଷିଣ ଆଫ୍ରିକାରେ ପ୍ରଥମ ସିରିଜ ଜିତି ଇତିହାସ ରଚିବାକୁ ଚେଷ୍ଟା କରିବ ଟିମ୍ ଇଣ୍ଡିଆ । ଏହି ସିରିଜକୁ ବିଜୟ ଲାଭ କରି ନିଜ କ୍ୟାରିୟରରେ ଆଉ ସଫଳତାର ଫର୍ଦ୍ଦ ଯୋଡିବାକୁ ଚେଷ୍ଟା କରିବେ ଅଧିନାୟକ ବିରାଟ କୋହଲି । ତେଣୁ ଦ୍ୱିତୀୟ ମ୍ୟାଚର ପରାଜୟର ତ୍ରୁଟିକୁ ଭୁଲି ତୃତୀୟ ମ୍ୟାଚରେ ବିଜୟ ହାସଲ କରି ଦକ୍ଷିଣ ଆଫ୍ରିକା ଗଡ଼ ଦଖଲ କରିବାକୁ ପଡ଼ିଆକୁ ଓହ୍ଲାଇବ ବିରାଟ ବାହିନୀ । ଯଦି ଦକ୍ଷିଣ ଆଫ୍ରିକା କଥା କହିବା ତାହାଲେ ଘରୋଇ ମାଟିରେ ଭାରତକୁ ପରାସ୍ତ କରି ସିରିଜକୁ ୨-୧ରେ ଜିତିବାକୁ ପ୍ରାଣପ୍ରଣେ ଚେଷ୍ଟା କରିବ ଦକ୍ଷିଣ ଆଫ୍ରିକା ।

କେପ ଟାଉନରେ ଖେଳା ଯାଉଥିବା ତୃତୀୟ ଟେଷ୍ଟରେ ଅଧିନାୟକ ବିରାଟ କୋହଲି ପୁଣି ଥରେ ଟିମକୁ ଫେରିଛନ୍ତି । ଯାହା ଫଳରେ ଭାରତୀୟ ଦଳର ମନୋବଳ ବଢ଼ିଛି । ଏହି ଟେଷ୍ଟ ସିରିଜର ପ୍ରଥମ ମ୍ୟାଚରେ ଭାରତ ୧୧୩ ରନରେ ବିଜୟ ଲାଭ କରିଥିଲା । କିନ୍ତୁ ଜୋହାନ୍ସବର୍ଗରେ ଖେଳାଯାଇଥିବା ତୃତୀୟ ମ୍ୟାଚରେ ଦକ୍ଷିଣ ଆଫ୍ରିକା ମ୍ୟାଚରେ ବିଜୟ ଲାଭ କରି ସିରିଜକୁ ୧-୧ରେ ବରାବର କରିଥିଲା । ତେଣୁ କେପ ଟାଉନରେ ଖେଳାଯାଉଥିବା ମ୍ୟାଚରେ ବିଜୟ ଲାଭ କରି ସିରିଜ ହାତେଇବାକୁ ଉଭୟ ଦଳ ଚେଷ୍ଟା କରିବେ ।

ଅନ୍ତିମ ମ୍ୟାଚରେ ଭାରତର ଚୁଡାନ୍ତ ଏକାଦଶ କଥା ଯଦି କହିବା ତାହାଲେ ଶେଷ ମ୍ୟାଚରେ ଭାରତ ଦୁଇଟି ପରିବର୍ତ୍ତନ କରିବ । ତୃତୀୟ ମ୍ୟାଚରେ ହନୁମା ବିହାରୀଙ୍କ ସ୍ଥାନରେ ଅଧିନାୟକ ବିରାଟ କୋହଲି ଦଳକୁ ଫେରିଥିବା ବେଳେ ଆଘାତ କାରଣରୁ ଦ୍ରୁତ ବୋଲର ମହମ୍ମଦ ସିରାଜଙ୍କ ସ୍ଥାନରେ ଦଳକୁ ଫେରି ପାରନ୍ତି ଅନୁଭବୀ ଇଶାନ୍ତ ଶର୍ମା ।

ଯଦି କେପ ଟାଉନରେ ଭାରତୀୟ ଦଳର ରେକର୍ଡ କଥା କହିବା ତାହାଲେ ଏପର୍ଯ୍ୟନ୍ତ ଭାରତ କେପ ଟାଉନରେ ଗୋଟିଏ ବି ଟେଷ୍ଟରେ ବିଜୟ ଲାଭ କରିପାରିନାହିଁ । କେପ୍‌ ଟାଉନ୍‌ରେ ଭାରତ ୫ଟି ଟେଷ୍ଟ ଖେଳିଥିଲେ ହିଁ ଗୋଟିଏ ବି ମ୍ୟାଚରେ ବିଜୟର ସ୍ୱାଦ ଚାଖିପାରି ନାହିଁ । ୩ଟି ଟେଷ୍ଟରେ ଭାରତକୁ ପରାଜୟର ସାମ୍ନା କରିବାକୁ ପଡ଼ିଛି । ତେଣୁ ଏହି ମ୍ୟାଚକୁ ଜିତି କେପ ଟାଉନରେ ପରାଜୟର ଧାରା ଭାଙ୍ଗି ଇତିହାସ ରଚିବାକୁ ଚେଷ୍ଟା କରିବ ଟିମ୍ ଇଣ୍ଡିଆ ।