spot_img
Home Blog Page 4701

ଦିଲ୍ଲୀରେ ବେକାବୁ କରୋନା, ୨୪ ଘଣ୍ଟାରେ ୨୦ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ସାରା ଦେଶରେ ପୁଣି ଥରେ କରୋନା ସଂକ୍ରମଣ ବଢ଼ି ବଢ଼ି ଚାଲିଛି । ଗତ ୨୪ ଘଣ୍ଟାରେ ଭାରତରେ ୧ ଲକ୍ଷ ୪୦ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ଯଦି ଦିଲ୍ଲୀ କଥା କହିବା ତାହାଲେ ୨୪ ଘଣ୍ଟାରେ ୨୦ ହଜାର ୧୮୧ ନୂଆ ମାମଲା ଚିହ୍ନଟ ହୋଇଛି । ସେହିପରି ଭାବରେ ୨୪ ଘଣ୍ଟାରେ ୭ ଜଣ ମୃତ୍ୟୁବରଣ କରିଛନ୍ତି । ତେବେ ଏସବୁ ମଧ୍ୟରେ ଆଶ୍ୱସ୍ତିକର ଖବର ଯେ ଗତ ୨୪ ଘଣ୍ଟାରେ ୧୧ ହଜାର ୮୬୯ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ବର୍ତ୍ତମାନ ଦିଲ୍ଲୀରେ ସକ୍ରିୟ କରୋନା ଆକ୍ରାନ୍ତ ସଂଖ୍ୟା ୪୮ ହଜାରରେ ପହଞ୍ଚିଛି ।

ସୂଚନା ଅନୁସାରେ ଦିଲ୍ଲୀରେ ଏବେ ୨୫ ହଜାର ୯୦୯ ଆକ୍ରାନ୍ତ ହୋମ ଆଇସୋଲେସନରେ ରହିଛନ୍ତି । ସେହିପରି ଭାବରେ ହସ୍ପିଟାଲରେ ୧୫୮୬ ଜଣ ଆଡମିଟ୍‌ ହୋଇଛନ୍ତି । କରୋନା ଆକ୍ରାନ୍ତ ବଢ଼ୁଥିବାବେଳେ ଟେଷ୍ଟ ବି ବହୁ ସଂଖ୍ୟାରେ ହେଉଛି । ଗତ ୨୪ ଘଣ୍ଟାରେ ଦିଲ୍ଲୀରେ ୧ ଲକ୍ଷରୁ ଅଧିକ ଟେଷ୍ଟ ହୋଇଛି । ଶନିବାର ଦିଲ୍ଲୀ ସ୍ୱାସ୍ଥ୍ୟ ମନ୍ତ୍ରୀ ସତେନ୍ଦ୍ର ଜୈନ କହିଥିଲେ କି ଆଜି ଦିଲ୍ଲୀରେ ୨୦ ହଜାରରୁ ଅଧିକ ମାମଲା ଚିହ୍ନଟ ହେବେ । ସେ ଆହୁରି କହିଥିଲେ କି ଦିଲ୍ଲୀରେ ଏବେ ପଜିଟିଭିଟି ରେଟ୍ ୧-୨ ପ୍ରତିଶତ ବୃଦ୍ଧି ପାଇବ । ରାଜଧାନୀରେ ଓମିକ୍ରନ ମାମଲା ବି ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଆଜି ଦିଲ୍ଲୀରେ ୪୮ ନୂଆ ଓମିକ୍ରନ କେସ୍ ଚିହ୍ନଟ ହୋଇଛି ।

 

 

ଇନଷ୍ଟାଗ୍ରାମରେ ଗୋଟିଏ ପୋଷ୍ଟକୁ କେତେ ଟଙ୍କା ନିଅନ୍ତି ବିରାଟ କୋହଲି ଜାଣନ୍ତୁ?

ନୂଆଦିଲ୍ଲୀ: ବିଶ୍ୱ ହେଉ କିମ୍ବା ଦେଶ, ସବୁସ୍ଥାନରେ ସେଲିବ୍ରେଟି ସୋସିଆଲ ମିଡିଆ ପୋଷ୍ଟରୁ କୋଟି କୋଟି ଟଙ୍କା ରୋଜଗାର କରିଥାନ୍ତି । ଯଦି ଭାରତ କଥା କହିବା ତାହାଲେ ଇନଷ୍ଟାଗ୍ରାମରେ ପ୍ରତି ପୋଷ୍ଟରେ ଅଧିକ ଟଙ୍କା ଚାର୍ଜ କରୁଥିବା ସେଲିବ୍ରେଟିଙ୍କ ମଧ୍ୟରେ ବିରାଟ କୋହଲି ପ୍ରଥମ ସ୍ଥାନରେ ରହିଛନ୍ତି । ୨୦୨୧ହୋପର ଇନଷ୍ଟାଗ୍ରାମ ରିଚ୍ ଲିଷ୍ଟ ଅନୁସାରେ ଇନଷ୍ଟାଗ୍ରାମରେ ସବୁଠାରୁ ଅଧିକ ଟଙ୍କା ଚାର୍ଜ କରିବାରେ ବିରାଟ କୋହଲି ୧୯ତମ ସ୍ଥାନରେ ରହିଛନ୍ତି ।

ବିରାଟ କୋହଲି ପ୍ରତି ଇନଷ୍ଟାଗ୍ରାମ ପୋଷ୍ଟ ପାଇଁ ୬ ଲକ୍ଷ ୮୦ ହଜାର ଡଲାର ଅର୍ଥାତ ପ୍ରାୟ ୫ କୋଟି ଟଙ୍କା ଚାର୍ଜ କରିଥାନ୍ତି । ଯଦି ଫଲୋଅର୍ସଙ୍କ କଥା କହିବା ତାହାଲେ ଏହି ମାମଲାରେ ଭାରତରେ ପ୍ରଥମ ସ୍ଥାନରେ ରହିଛନ୍ତି ବିରାଟ କୋହଲି । ବିରାଟଙ୍କର ଇନଷ୍ଟାଗ୍ରାମରେ ୧୭୭ ମିଲିୟନ ଫଲୋଅର୍ସ ରହିଛି । କୋହଲିଙ୍କ ପରେ ଏହି ଲିଷ୍ଟର ଦ୍ୱିତୀୟ ସ୍ଥାନରେ ଅଛନ୍ତି ବଲିଉଡ୍ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା । ବିଶ୍ୱର ଟପ୍-୫୦ ଲିଷ୍ଟରେ ଏହି ଦୁଇ ଭାରତୀୟ ରହିଛନ୍ତି । ତେବେ ପ୍ରିୟଙ୍କ ଚୋପ୍ରା ଗୋଟିଏ ପୋଷ୍ଟ ପାଇଁ ୪୦୩, ୦୦୦ ଡଲାର ଅର୍ଥାତ ପ୍ରାୟ ୩ କୋଟି ଟଙ୍କା ଚାର୍ଜ କରିଥାନ୍ତି ।

ତେବେ ଏହି ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ପର୍ତ୍ତୁଗାଲ ଫୁଟବଲର କ୍ରିଷ୍ଟିଆନ ରୋନାଲ୍ଡୋ । ସେ ଇନଷ୍ଟାଗ୍ରାମରେ ପ୍ରତି ପୋଷ୍ଟ ପାଇଁ ୧,୬୦୪,୦୦୦ ଡଲାର ଅର୍ଥାତ ପ୍ରାୟ ୧୨ କୋଟି ଟଙ୍କା ଚାର୍ଜ କରିଥାନ୍ତି । ଇନଷ୍ଟାଗ୍ରାମରେ ଗୋଟିଏ ପୋଷ୍ଟରେ ସବୁଠାରୁ ଅଧିକ ଟଙ୍କା ଚାର୍ଜ କରିବା ଖେଳାଳିଙ୍କ ମଧ୍ୟରେ କ୍ରିଷ୍ଟିଆନ ରୋନାଲ୍ଡଙ୍କ ପରେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି ଷ୍ଟାର ଫୁଟବଲର ଲିଓନାଲ ମେସୀ । ଆର୍ଜେଣ୍ଟିନାର ଷ୍ଟାର ଫୁଟବଲର ମେସୀ ଇନଷ୍ଟାଗ୍ରାମରେ ପ୍ରତି ପୋଷ୍ଟରେ  ପ୍ରାୟ ୮.୬୮ କୋଟି ଟଙ୍କା ନେଇଥାନ୍ତି । ସେହିପରି ତୃତୀୟ ସ୍ଥାନରେ ଅଛନ୍ତି ବ୍ରାଜିଲ ଫୁଟବଲର ନେମାର ଜୁନିଅର । ସେ ଇନଷ୍ଟାଗ୍ରାମରେ ପ୍ରତି ପୋଷ୍ଟ ପାଇଁ ପ୍ରାୟ ୬.୧୨ କୋଟି ଟଙ୍କା ଚାର୍ଜ କରିଥାନ୍ତି । ଏହା ପରେ ଚତୁର୍ଥ ସ୍ଥାନରେ ଭାରତୀୟ ଟେଷ୍ଟ ଦଳର ଅଧିନାୟକ ବିରାଟ କୋହଲି ଅଛନ୍ତି ।

ଆସନ୍ତା ୧୦ରୁ ରାଜ୍ୟରେ ବର୍ଷା ! ଅମଳ ସୁରକ୍ଷିତ ରଖିବା ପାଇଁ ପରାମର୍ଶ

ଭୁବନେଶ୍ୱର: ବଙ୍ଗୋପସାଗରରେ ପଶ୍ଚିମା ଝଡ଼ ସକ୍ରିୟ ହେବାରୁ ଦକ୍ଷିଣ ପଶ୍ଚିମ ରାଜସ୍ଥାନ ସହ ଆଖପାଖ ଅଞ୍ଚଳରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଯାହାର ପ୍ରଭାବରେ ଆସନ୍ତାକାଲିଠୁ ପାଗ ବଦଳିବା ସହ ୧୦ରୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷାର ସମ୍ଭାବନା ରହିଛି । ପଶ୍ଚିମ ଓଡ଼ିଶାରୁ ବର୍ଷା ଆରମ୍ଭ ହୋଇ ୧୨ ତାରିଖ ସୁଦ୍ଧା ସାରା ରାଜ୍ୟରେ ବର୍ଷିବ । ସେପଟେ ଅଦିନିଆ ବର୍ଷା ସମୟରେ ଫସଲ ପରିଚାଳନା ନେଇ ମାର୍ଗଦର୍ଶିକା ଜାରି କରିଛି ଓୟୁଏଟି ।

ଜାନୁଆରୀ ୧୧ରୁ ୧୪ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା । ଆସନ୍ତାକାଲିଠୁ ପାଗ ବଦଳିବାକୁ ଆରମ୍ଭ ହେବ । ଏହି ସମୟରେ ନୂଆପଡ଼ା, ବରଗଡ଼, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ରେ ହାଲୁକା ବର୍ଷା ହେବ । ୧୦ରୁ ନୂଆପଡ଼ା, ବଲାଙ୍ଗୀର, ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼, ଦେବଗଡ଼ ଓ ସୁବର୍ଣ୍ଣପୁରରେ ବର୍ଷାର ମାତ୍ରା ବଢିବା ସମ୍ଭାବନା ରହିଛି । ୧୧ ଓ ୧୨ରେ ଆଭ୍ୟନ୍ତରିଣ ଓ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ହେବ । ଏହି ଦୁଇ ଦିନରେ ଝଡ଼ତୋଫୋନ ସହ କୁଆପଥର ବୃଷ୍ଟି ହେବାର ସମ୍ଭାବନା ରହିଛି । ଶୀତ ଦିନିଆ ବର୍ଷା ଯୋଗୁ ଚାଷ ସର୍ବାଧିକ ପ୍ରଭାବିତ ହେବା ନେଇ ଆଶଙ୍କା ପ୍ରକାଶ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।

ବର୍ଷା ଅଣଜଳସେଚିତ ଜମି ପାଇଁ ଲାଭଦାୟକ ହେବ । ହେଲେ ପନିପରିବାକୁ ରୋଗପୋକ ଲାଗି ନଷ୍ଟ କରିପାରନ୍ତି । ଆଦ୍ରତା ଅଧିକ ଥିବାରୁ ଆଳୁ ଓ ଟମାଟୋ ଚାଷ ଅଧିକ ପ୍ରଭାବିତ ହୋଇପାରେ । ଅମଳ ହୋଇଥିବା ଖରିଫ ଧାନ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବାକୁ ଚାଷୀଙ୍କୁ ପରାମର୍ଶ ଦେଇଛି ଓୟୁଏଟି । କୀଟନାଶକ ଔଷଧ ସିଞ୍ଚନ ଓ ଜଳସେଚନ ସାମୟିକ ବନ୍ଦ ରଖିଲେ ଭଲ ।

ଆସନ୍ତା ୨୪ ଘଣ୍ଟା ଯାଏଁ ଭୁବନେଶ୍ୱରରେ ପାଗ ଶୁଖିଲା ରହିବ । ତାପମାତ୍ରା ୧୫ ଡିଗ୍ରୀ ଭିତରେ ରହିବ । ହେଲେ ୧୧ ଓ ୧୨ ତାରିଖରେ ଭୁବନେଶ୍ୱରରେ ବି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

ଯବାନଙ୍କୁ ଥରାଇ ପାରୁନି ହାଡ଼ଭଙ୍ଗା ଶୀତ

0

ଜମ୍ମୁ କାଶ୍ମୀର : ଦେଶରେ କରୋନା ସଙ୍ଗେ ସଙ୍ଗେ ଶୀତର ପ୍ରକୋପ ବଢ଼ିବାର ଜୋର ଧରିଲାଣି । ବିନା ଶୀତବସ୍ତ୍ରରେ ବାହାରକୁ ବାହାରିବା ଏକପ୍ରକାର ଅସମ୍ଭବ କହିଲେ ଚଳେ । ଏପଟେ ସନ୍ଧ୍ୟା ହେବା ମାତ୍ରେ ଲୋକେ ନିଆଁ ପୁଇଁବା ସହ ଅନେକ ଘରୁ ବାହାରୁ ନାହାନ୍ତି ସେପଟେ ଭାରତୀୟ ଯବାନ ସୀମାରେ ଥାଇ ନିଜ କର୍ତ୍ତବ୍ୟରେ ଅବହେଳା କରିନାହାନ୍ତି । ଯବାନଙ୍କ ଏଭଳି ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଘୂରିବୁଲୁଛି । ଏହି ଭିଡିଓଟି ଦେଖିବା ପରେ ଦେଶ ପ୍ରତି ଯବାନଙ୍କ ତ୍ୟାଗ,ନିଷ୍ଠା ଓ ଭଲପାଇବା ଦେଖିବାକୁ ମିଳୁଛି । ଯାହାର ଦେଶବାସୀ ସୋସିଆଲ ମିଡିଆରେ ଭୂରି ଭୂରି ପ୍ରଶଂସା କରୁଛନ୍ତି ।

କୋଭିଡ ପାଇଁ ସାପ୍ତାହିକ କର୍ଫ୍ୟୁ ଲଗାଯାଇଥିବାରୁ ଅଧିକାଂଶ ଲୋକ ଘରେ ରହୁଛନ୍ତି ଏଣୁ ରାସ୍ତାଘାଟ ଶୂନଶାନ ଦେଖାଯାଉଛି । ଦିଲ୍ଲୀ ଏବଂ ଏହାର ଆଖପାଖ ଅଞ୍ଚଳରେ ବର୍ଷା ହେଉଥିବାରୁ ଶୀତର ପ୍ରକୋପ ମଧ୍ୟ ଅଧିକ ରହୁଛି । ମାତ୍ର ବରଫ ବର୍ଷା ହେଉଥିବା ସ୍ଥାନରେ ଜଣେ ଯବାନ ନିର୍ଭୟ ସହ ଛିଡ଼ା ହୋଇ ଦେଶର ସୁରକ୍ଷା କାର୍ଯ୍ୟରେ ଲାଗିପଡ଼ିଛନ୍ତି । ଭିଡିଓଟି ପିଆରଓ ଉମଦପୁର, ମିନିଷ୍ଟ୍ରି ଅଫ୍ ଡିଫେନ୍ସ ପେଜରେ ସେୟାର କରିଯାଇଛି । ଭିଡିଓରେ ଯବାନ ଜଣକ ଏତେ ଭୟଙ୍କର ବରଫ ବର୍ଷାରେ ନିର୍ଭୟରେ ଛିଡ଼ାହୋଇଥିବା ବେଳେ ତାଙ୍କ ଆଣ୍ଠୁ ଯାଏ ବରଫ ଜମିଥିବାର ଦେଖାଯାଉଛି । ଭିଡିଓଟି କାଶ୍ମୀର ବର୍ଡରର ବୋଲି ସୂଚନା ମିଳିଛି । ଖବର ପ୍ରସାରଣ ହେବାର ମାତ୍ର କିଛି ସମୟ ବ୍ୟବଧାନରେ ଭିଡିଓଟିକୁ ୨ ଲକ୍ଷ ଉପରେ ଭିୟୁଜ୍ ମିଳିସାରିଥିଲା । ଭିଡିଓଟିକୁ ଦେଖି ଦେଶବାସୀ ଯବାନଙ୍କୁ ପ୍ରଶଂସା କରିବା ସହ ଯବାନଙ୍କ ଏଭଳି ସାହସିକତା ଏବଂ ତ୍ୟାଗ ପାଇଁ ଦେଶବାସୀ ଧନ୍ୟବାଦ ଜଣାଇଛନ୍ତି ।

 

 

 

ନିର୍ବାଚନୀ ପୋଷ୍ଟମର୍ଟମ:  ୫ ରାଜ୍ୟରେ କେଉଁ ଦଳ ଆଗରେ କିଏ କଣ୍ଟା ?

ଭୁବନେଶ୍ବର: ୫ ରାଜ୍ୟ ପାଇଁ ବାଜିଲା ବିଧାନସଭା ନିର୍ବାଚନ ବିଗୁଲ । ମୁଖ୍ୟ ନିର୍ବାଚନ କମିଶନ ଘୋଷଣା କଲେ ତାରିଖ । ୭ଟି ପର୍ଯ୍ୟାୟରେ ହେବ ନିର୍ବାଚନ । ଉତ୍ତରପ୍ରଦେଶ, ପଞ୍ଜାବ, ଗୋଆା, ଉତ୍ତରାଖଣ୍ଡ ଓ ମଣିପୁରରେ ଭୋଟର କରିବେ ନେତାଙ୍କ ଭାଗ୍ୟ ନିର୍ଦ୍ଧାରଣ । ଉତ୍ତରପ୍ରଦେଶରେ ୭ଟି ପର୍ଯ୍ୟାୟରେ ନିର୍ବାଚନ ହେବାକୁ ଥିବା ବେଳେ ମଣିପୁରରେ ୨ଟି ପର୍ଯ୍ୟାୟରେ ହେବ ମତଦାନ । ଗୋଆ, ପଞ୍ଜାବ ଓ ଉତ୍ତରାଖଣ୍ଡରେ ଗୋଟିଏ ପର୍ଯ୍ୟାୟରେ ହେବ ଭୋଟ୍ । ମାର୍ଚ୍ଚ ୧୦ ତାରିଖରେ ଭୋଟ ଗଣତି ପରେ ଏହି ୫ଟି ରାଜ୍ୟବାସୀ ପାଇବେ ନୂଆ ସରକାର ।

ତେବେ ଏହି ୫ ରାଜ୍ୟରେ କେମିତି ରହିଛି ରାଜେନୖତିକ ପାଣିପାଗ ? କାହା ପାଇଁ କିଏ ହୋଇ ପାରନ୍ତି କଣ୍ଟା ? ଶାସକ ଦଳ କ୍ଷମତା ବଞ୍ଚାଇବାକୁ ସକ୍ଷମ ହେବେ ନା ବିରୋଧୀ ମାରିବେ ବାଜି ? ତାକୁ ନେଇ ଆମ ବିଶେଷ ରିପୋର୍ଟ ‘କିଏ ଉଗାରିବ କାହା ବାଟ ?’

ୟୁପି ରାଜନୀତି

କୁହାଯାଏ ୟୁପି ରାଜନୀତି ଦେଶର ରାଜେନୖତିକ ଭାଗ୍ୟ ନିର୍ଦ୍ଧାରଣ କରିଥାଏ । ବିଧାନସଭା ନିର୍ବାଚନ ହେଉଥିଲେ ବି ଏଠିକାର ଜନତାଙ୍କ ମୁଡ଼ କହିଥାଏ ଦିଲ୍ଲୀ ସିଂହାସନ ଶାସକ ଦଳ ପାଇଁ କେତେ ସୁରକ୍ଷିତ । ୪୦୩ ଆସନ ବିଶିଷ୍ଟ ଉତ୍ତର ପ୍ରଦେଶରେ ୨୦୧୭ରେ ବିଜେପି ମେଣ୍ଟ ଏନଡିଏ ୩୨୫ ଆସନରେ ଜିତି କ୍ଷମତାକୁ ଫେରିଥିଲା । ଯୋଗୀ ଆଦିତ୍ୟନାଥ ହୋଇଥିଲେ ମୁଖ୍ୟମନ୍ତ୍ରୀ । ଚଳିତ ନିର୍ବାଚନରେ ନିଷାଦ ପାର୍ଟି ସହ ବିଜେପି ୨୦୨୨ ନିର୍ବାଚନରେ ମୈଦାନକୁ ଓହ୍ଲାଇଛି । ୟୁପିରେ ଚୌକି ବଞ୍ଚାଇବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ, ଅମିତ ଶାହ, ଜେପି ନଡ୍ଡା ଓ ଅନ୍ୟ ବରିଷ୍ଠ ନେତା ପୂରା ଦମ୍ ଲଗାଇ ଦେଇଛନ୍ତି । ସେପଟେ ଜାତିକୁ ନେଇ ଗଠନ ହୋଇଥିବା ଛୋଟ ଦଳଙ୍କୁ ସାଙ୍ଗରେ ନେଇ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦକ ବିଜେପିକୁ ଟକ୍କର ଦେବାକୁ ଅଣ୍ଟା ଭିଡିଛନ୍ତି । ଯୋଗୀଙ୍କୁ ହଟାଇବାକୁ ପ୍ରାୟ ୧୨ଟି ଦଳ ସହ ଅଖିଳେଶ ମେଣ୍ଟ କରିଛନ୍ତି ।

ଏପଟେ ଦେଶର ସବୁଠାରୁ ପୁରୁଣା ଦଳ କଂଗ୍ରେସ ପ୍ରିୟଙ୍କା ଗାନ୍ଧିଙ୍କ ନେତୃତ୍ବରେ ୟୁପି ନିର୍ବାଚନକୁ ଡେଇଁଛି । ପ୍ରିୟଙ୍କ ମହିଳା କାର୍ଡ ଖେଳି ଗୃହଣୀଙ୍କୁ ନିଜ ଆଡ଼କୁ ନେବାକୁ ଚେଷ୍ଟା କରୁଛନ୍ତି । ମହିଳାଙ୍କୁ ୪୦ ପ୍ରତିଶତ ଟିକେଟ ଦେବା ସହ ସେମାନଙ୍କ ପାଇଁ ଏକାଧିକ ଘୋଷଣା କରିସାରିଛନ୍ତି ।

୨୦୨୨ ନିର୍ବାଚନ ବହୁଜନ ସମାଜ ପାର୍ଟି ମୁଖ୍ୟ ମାୟାବତୀଙ୍କ ସହ ଦଳିତ ରାଜନୀତି ପାଇଁ ବହୁତ ଗୁରୁତ୍ବପୂର୍ଣ୍ଣ କୁହାଯାଉଛି । ଏଥର କାହା ସହ ହାତ ନମିଶାଇ ଏକାକୀ ମୈଦାନକୁ ଓହ୍ଲାଇଛନ୍ତି ମାୟାବତୀ ଓ ୨୦୦୭ ନିର୍ବାଚନ ପରି ଚଳିତଥର ବି ବ୍ରାହ୍ମଣ-ଦଳିତ ସମୀକରଣରେ କ୍ଷମତା ଦଖଲ ଲକ୍ଷ୍ୟରେ ରହିଛନ୍ତି । ଏଆଇଏମଆଇଏମ ନେତା ଅସଦୁଦ୍ଦିନ ଓଓ୍ବେସୀ ମୁସଲିମ ଭୋଟ ନିଜ ପକେଟକୁ ନେଇ ଅନ୍ୟ ଦଳଙ୍କ ପାଇଁ ମୁଣ୍ଡବିନ୍ଧା ସୃଷ୍ଟି କରିବାକୁ ଫୁଲ୍ ପ୍ଲାନ୍ କରି ମୈଦାନରେ ହୁଙ୍କାର ଭରିବା ଆରମ୍ଭ କରିଦେଇଛନ୍ତି ।

ଉତ୍ତରାଖଣ୍ଡରେ କିଏ ପିନ୍ଧବ ମୁକୁଟ ?

୭୦ ଆସନ ବିଶିଷ୍ଟ ଉତ୍ତରାଖଣ୍ଡ ବିଧାନସଭାରେ ଏବେ ବିଜେପି ସତ୍ତାରେ ବସିଛି । ଗତ ନିର୍ବାଚନରେ ୫୭ ସିଟ୍ ଜିତି ବହୁମତ ସହ ସରକାର ଗଠନ କରିଥିଲା । ହେଲେ ଚଳିତ ନିର୍ବାଚନ ବିଜେପି ପାଇଁ ଏତେ ସହଜ ହେବନି । ଏଥର କଂଗ୍ରେସ, ଆମ୍ ଆଦମୀ ପାର୍ଟି, ବହୁଜନ ସମାଜ ପାର୍ଟି ଓ ଅନ୍ୟ କିଛି ଛୋଟ ଦଳ ବିଜେପି ଓ ଚୌକି ରାସ୍ତାରେ କଣ୍ଟା ହୋଇ ଛିଡ଼ା ହୋଇଛନ୍ତି । କାରଣ ଦୁଇ ଦଶନ୍ଧିରୁ ଏଠାରେ ପ୍ରତି ନିର୍ବାଚନରେ ସରକାର ବଦଳିବାର ପରମ୍ପରା ଚାଲି ଆସିଛି । ଅର୍ଥାତ ୨୦ ବର୍ଷ ହେଲା କ୍ଷମତାରେ ଥିବା ଦଳ ପରାଜୟର ସମ୍ମୁଖୀନ ହେଉଛି । ଏମିତି ସ୍ଥିତିରେ ଚଳିତ ନିର୍ବାଚନରେ ଉତ୍ତରାଖଣ୍ଡ ଜନତା ସେମାନଙ୍କ ମତଦାନ ପରମ୍ପାରାକୁ ଆଗକୁ ବଢ଼ାଇବେ ନା ବିଜେପି ଉପରେ ପୁଣି ଅସ୍ଥା ପ୍ରକଟ କରିବେ ଦେଖିବାକୁ ବାକି ରହିଲା ।

ଉତ୍ତରାଖଣ୍ଡରେ ଏହି ୫ ବର୍ଷ ବିଜେପି ପାଇଁ ଯେମିତି କଣ୍ଟା ହୋଇଛି । କ୍ଷମତାକୁ ଆସିବା ପରେ ମୁଖ୍ୟମନ୍ତ୍ରୀ ବଦଳାଇ ବଦଳାଇ ବିଜେପିର ଦିନ ଯାଇଛି । ତ୍ରିବେନ୍ଦ୍ର ସିଂ ରାଓ୍ବତଙ୍କ ନେତୃତ୍ବରେ ବିଜେପି ୪ ବର୍ଷ ଶାସନ କରିବା ପରେ ତାଙ୍କୁ ହଟାଇ ତିରଥ ସିଂ ରାଓ୍ବତଙ୍କୁ ମୁଖ୍ୟମନ୍ତ୍ରୀ କରିଥିଲା ଦଳ । ଏହାର କିଛି ଦିନ ଯାଇଛି କି ନାହିଁ ପୁଣି ଥରେ ବିଜେପିକୁ ମୁଖ୍ୟମନ୍ତ୍ରୀ ବଦଳାଇବାକୁ ପଡିଥିଲା । ତିରଥଙ୍କ ସ୍ଥାନରେ ପୁଷ୍କର ସିଂ ଧାମୀଙ୍କୁ ମୁଖ୍ୟମନ୍ତ୍ରୀ ମୁକୁଟ ପିନ୍ଧାଇଥିଲା ବିଜେପି । ଯାହା ଉପରେ ଉତ୍ତରଖାଣ୍ଡର ଶିକ୍ଷିତ ଭୋଟର୍ ତୀକ୍ଷ୍ନ ନଜର ରଖିଛନ୍ତି । ଏମିତି ସ୍ଥିତିରେ ୫ ବର୍ଷରେ ଥରେ ସରକାର ବଦଳୁଥିବା ଉତ୍ତରାଖଣ୍ଡରେ ୫ ବର୍ଷରେ ୩ଟି ମୁଖ୍ୟମନ୍ତ୍ରୀ ବଦଳାଇ ଥିବା ବିଜେପିକୁ ଭୋଟର କେତେ ଭରଷା କରିବେ ଦେଖିବାକୁ ବାକି ରହିଲା ।

କଂଗ୍ରେସ ହାତ ମୁଠାରୁ ଖସି ଯିବ କି ପଞ୍ଜାବ ?

ହାଇ ଭୋଲଟେଜ ପଲିଟିକାଲ ଡ୍ରାମା ପାଇଁ ପଞ୍ଜାବ ବେଶ ପରିଚିତ । ଏ ହେଉଛି ଦେଶର ଏକମାତ୍ର ରାଜ୍ୟ ଯେଉଁଠି କଂଗ୍ରେସ କ୍ଷମତା ଭୋଗ କରୁଛି । ଏମିତି ସ୍ଥିତିରେ ସାତ ତାଳ ପଙ୍କରେ ଫସିଥିବା କଂଗ୍ରେସ ଏଠି କ୍ଷମତା ହରାଇବାକୁ କେବେ ଚାହିଁବ ନାହିଁ । ଏଥିପାଇଁ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚେତ୍ରୀ ଏବଂ ପ୍ରଦେଶ ଅଧ୍ୟକ୍ଷ ନବଜ୍ୟୋତି ସିଂ ସିଦ୍ଧୁଙ୍କ ନେତୃତ୍ବରେ କ୍ଷମତା ବଞ୍ଚାଇବାକୁ ଲାଗି ପଡ଼ିଛନ୍ତି ହାତ ଦଳିଆ ।

୧୧୭ ଆସନ ବିଶିଷ୍ଟ ପଞ୍ଜାବ ବିଧାନସଭା ହାତେଇବାକୁ ହେଲେ କଂଗ୍ରେସକୁ ଅତି କମରେ ୫୯ ସିଟରେ ଜିତିବାକୁ ପଡିବ । ତେବେ ୧୦ ବର୍ଷ ପରେ ପଞ୍ଜାବରେ କ୍ଷମତା ଦଖଲ କରିଥିବା କଂଗ୍ରେସ ପାଇଁ ବଡ ପ୍ରତିବନ୍ଧକଙ୍କ ହେବାକୁ ଯାଉଛନ୍ତି କ୍ୟାପଟେନ ଅମରେନ୍ଦ୍ର ସିଂ । ୪ ବର୍ଷ ମୁଖ୍ୟମନ୍ତ୍ରୀ ରହିବା ପରେ ପଦରୁ ହଟିବା ଓ ଦଳ ଛାଡ଼ି ନୂଆ ଦଳ ଗଠନ କରି କଂଗ୍ରେସ ବିରୋଧରେ କ୍ୟାପଟେନଙ୍କ ରଣହୁଙ୍କାର କେତେ ପ୍ରଭାବ ପକାଇବ ତାହା ତ ଭୋଟ ଗଣତି ପରେ ଜଣାପଡିବ ।

ଏପଟେ ନମ୍ବର ଦୁଇରେ ଥିବା ଆମ ଆଦମୀ ପାର୍ଟି ଏକ ନମ୍ବର ସ୍ଥାନକୁ ଆସି ପଞ୍ଜାବ ଦଖଲ ପାଇଁ ପୂରା ବଳ ଖଟାଇ ଦେଇଛି । ସେପଟେ ଅକାଳୀ ଦଳଠୁ ସମ୍ପର୍କ କାଟିବା ପରେ ବିଜେପି କ୍ୟାପଟେନ ଅମରେନ୍ଦ୍ର ସିଂ ଏବଂ ସୁଖଦେବ ଢିଢସାଙ୍କ ଦଳ ସହ ହାତ ମେଳାଇ ନିଜ ଉଜ୍ଜତ ବଞ୍ଚାଇବାକୁ ଉଦ୍ୟମ କରୁଛି ।

ମଣିପୁରରେ ପୂର୍ଣ୍ଣ ବହୁମତ ଲକ୍ଷ୍ୟରେ ବିଜେପି

୬୦ ଆସନ ବିଶିଷ୍ଟ ମଣିପୁରରେ ୨୦୧୭ରେ କୌଣସି ଦଳକୁ ମିଳି ନଥିଲା ପୂର୍ଣ୍ଣ ବହୁମତ । ବଡ଼ ଦଳ ଭାବେ ୨୪ ଆସନରେ ବିଜେପି ଜିତିଥିଲେ ବି ମୁଖ୍ୟମନ୍ତ୍ରୀ ଚୌକିଠାରୁ ୬ ପାଦ ପଛରେ ରହି ଯାଇଥିଲା । ୧୭ ଆସନରେ ଜିତି କଂଗ୍ରେସ ଦ୍ବିତୀୟ ବଡ଼ ଦଳ ଭାବେ ଉଭା ହୋଇଥିଲା । ତେବେ ଏନପିପି, ଏଲଜେପି ଓ ସ୍ବାଧୀନ ବିଧାୟକଙ୍କୁ ନେଇ ବିଜେପି ସରକାର ଗଠନ କରିଥିଲା ଓ ଏନ୍ ବିରେନ୍ଦ୍ର ସିଂ ମୁଖ୍ୟମନ୍ତ୍ରୀ ହୋଇଥିଲେ । ତେବେ ଚଳିତବର୍ଷ ପୂର୍ଣ୍ଣ ବହୁମତ ସହ କ୍ଷମତାକୁ ଫେରିବା ଲକ୍ଷ୍ୟରେ ରହିଛି ବିଜେପି । ଦୟନୀୟ ସ୍ଥିତିରେ ଥିବା କଂଗ୍ରେସ ଏଠାରେ ବିଜେପିକୁ କେତେ ଚେକ୍ ଦେଇ ପାରୁଛି ତାହା ଜନତାଙ୍କ ଭୋଟ୍ କହିବ ।

ଗୋଆରେ ପୁଣି ଦେଖିବାକୁ ମିଳିବ କି ପଲିଟିକ୍ସ ?

୨୦୧୭ ବିଧାନସଭା ନିର୍ଚାଚନ । ୪୦ ଆସନ ବିଶିଷ୍ଟ ଗୋଆ ବିଧାନସଭାରେ କୌଣସି ଦଳକୁ ମିଳି ନଥିଲା ସଂଖ୍ୟାଗରିଷ୍ଠତା । ୧୫ ଆସନ ସହ କଂଗ୍ରେସ ଆଗରେ ଥିବା ବେଳେ ୧୩ ଆସନରେ ଜିତି ବିଜେପି ରହିଥିଲା ଦ୍ବିତୀୟ ସ୍ଥାନରେ । ଛକାପଞ୍ଝା, ରାତି ଅଧିଆ ମୁଲଚାଲ, କ୍ଷମତା ପ୍ରଦାନର ଲୋଭ ଏମିତି ବହୁତ ନାଟକ ଭିତରେ ବାଜି ମାରିଥିଲା ବିଜେପି । ଏମପିଜି, ଜିଏଫପି ଓ ଦୁଇ ସ୍ବାଧୀନ ବିଧାୟକଙ୍କ ସମର୍ଥନରେ ମୁଖ୍ୟମନ୍ତ୍ରୀ ଚୌକି ପାଖରେ ପହଞ୍ଚି ଯାଇଥିଲା । ବଡ ଦଳ ହୋଇ ବିଧାନସଭାକୁ ଆସିଥିଲେ ବି କଂଗ୍ରେସକୁ ବିରୋଧୀ ଦଳ ଆସନରେ ବସିବାକୁ ପଡିଥିଲା । ମନୋହର ପାରିକରଙ୍କ ନେତୃତ୍ବରେ ବିଜେପି ଗଠନ କରିଥିଲା ସରକାର । ୨୦୧୯ ମାର୍ଚ୍ଚ ୧୭ରେ ପାରିକରଙ୍କ ପରଲୋକ ପରେ ଡ. ପ୍ରମୋଦ ସାଓ୍ବନ୍ତ ପରବର୍ତ୍ତି ମୁଖ୍ୟମନ୍ତ୍ରୀ ହୋଇଥିଲେ ।

ତେବେ ଗୋଆ ପଲିଟିକ୍ସରେ ଦିଦି ମମତା ବାନାର୍ଜୀଙ୍କ ଏଣ୍ଟି ଅଧିକ ଚର୍ଚ୍ଚାରେ ରହିଛି । ୨୦୧୭ରେ ଆମ ଆଦମୀ ପାର୍ଟି ଖାତା ଖୋଲି ପାରି ନଥିଲେ ବି ଏଥର ନିଜର ଉପସ୍ଥିତି ଜାହିର କରିବାକୁ ବ୍ୟଗ୍ର ରହିଛି । ୧୦ ବର୍ଷ ହେଲା ଗୋଆରେ କ୍ଷମତା ଭୋଗ କରୁଥିବା ବିଜେପିକୁ ସରକାର ବିରୋଧ ସ୍ଥିତିର ସମ୍ମୁଖୀନ ହେବାକୁ ପଡୁଥିବା ବେଳେ ଦିଦି ଓ କେଜ୍ରିଓ୍ବାଲ ମୁଣ୍ଡ ବିନ୍ଧା ବଢ଼ାଇ ଦେଇଛନ୍ତି । ସେପଟେ କଂଗ୍ରେସ କ୍ଷମତାକୁ ଫେରିବାକୁ ବିକଳ ହେଉଥିବା ବେଳେ ମମତା ଦିଦି ବଡ଼ ପ୍ରତିବନ୍ଧକ ହୋଇ ଛିଡ଼ା ହୋଇଛି । କାରଣ ରାଜ୍ୟର ବହୁ ତୁଙ୍ଗ ନେତା ଦଳ ଛାଡ଼ି ଟିଏମସିରେ ମିଶି ସାରିଛନ୍ତି ଓ ଏହି ମିଶ୍ରଣ ପର୍ବ ଜାରି ରହିଛି ।

ମିଶନ ଶକ୍ତି ଗୋଷ୍ଠୀ ସହାୟକ କର୍ମଚାରୀମାନଙ୍କ ପାଇଁ ଆର୍ଥିକ ପ୍ୟାକେଜ୍ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମିଶନ ଶକ୍ତି ଆନ୍ଦୋଳନ ଆଜି ଓଡିଶାର ୭୦ ଲକ୍ଷ ମାଆମାନଙ୍କ ଜୀବନରେ ଏକ ବଡ଼ ଧରଣର ପରିବର୍ତ୍ତନ ଆଣିଛି । ଚଳିତ ବର୍ଷ ମିଶନ ଶକ୍ତି ମାଆ ମାନଙ୍କୁ ରେକର୍ଡ ୬୦୦୦ କୋଟି ଟଙ୍କାର ବ୍ୟାଙ୍କ ଋଣ ପ୍ରଦାନ କରାଯାଇଛି। ତା’ ସହିତ ସୁଧ ରିହାତି ବାବଦରେ ମଧ୍ୟ ୨୦୦ କୋଟି ଟଙ୍କା ମାଆମାନଙ୍କ ବ୍ୟାଙ୍କ ଖାତାରେ ଜମା କରାଯାଇଛି ।

ରାଜ୍ୟ କ୍ୟାବିନେଟର ନିଷ୍ପତ୍ତି କ୍ରମେ ଧାନ ସଂଗ୍ରହ ଠାରୁ ଆରମ୍ଭ କରି ଡାକ୍ତରଖାନାରେ ରୋଗୀଙ୍କୁ ଖାଦ୍ୟ ଯୋଗାଣ, ଆହର କେନ୍ଦ୍ର ପରିଚାଳନା, ମାଛ ଚାଷ ଆଦି ବିଭିନ୍ନ ସରକାରୀ କାମ ମଧ୍ୟ ମିଶନ ଶକ୍ତି ମାଆ ମାନଙ୍କୁ ଯୋଗାଇ ଦିଆଯାଇଛି ।

ମିଶନ ଶକ୍ତି କାର୍ଯ୍ୟକ୍ରମକୁ ଅଧିକ ଶକ୍ତି ତଥା ଗତି ଯୋଗାଇ ଦେବା ସହିତ ସୁସମନ୍ୱୟ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ମିଶନ ଶକ୍ତି ନାମରେ ଏକ ସ୍ୱତନ୍ତ୍ର ବିଭାଗ ସୃଷ୍ଟି କରିଛନ୍ତି । ବର୍ତ୍ତମାନ ସମସ୍ତ ସ୍ୱୟଂ ସହାୟକ ଗୋଷ୍ଠୀ ମହାସଂଘ ମାନେ ଗୋଟିଏ ପ୍ଲାଟଫର୍ମରେ କାମ କରୁଛନ୍ତି । ଗ୍ରାମପଞ୍ଚାୟତ ସ୍ତରୀୟ ମହାସଂଘ ଗୁଡିକ ହେଉଛି – ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କର ତୃଣମୂଳ ଅନୁଷ୍ଠାନ । ଏହି ମହାସଂଘ ମାନେ ସ୍ୱୟଂ ସହାୟକ ଗୋଷ୍ଠୀ ଗୁଡିକୁ ସେମାନଙ୍କ ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟା ସହିତ ଆର୍ଥିକ ଅନ୍ତର୍ଭୁକ୍ତିକରଣ, ଜୀବିକା ଓ ଦକ୍ଷତାର ବିକାଶ ତଥା ସେମାନଙ୍କର ଆନୁଷ୍ଠାନିକ ଦକ୍ଷତା ବିକାଶ ଦିଗରେ ସହାୟକ ଭୂମିକା ଗ୍ରହଣ କରିଆସୁଛି ।

ଏହି ଗ୍ରାମପଞ୍ଚାୟତସ୍ତରୀୟ ମହାସଂଘ ଗୁଡିକୁ ମାଷ୍ଟର ବୁକ୍‌ କିପର, ବ୍ୟାଙ୍କ ମିତ୍ର, କୃଷି ମିତ୍ର, ପ୍ରାଣୀ ମିତ୍ର, Community Resource Person – Community Mobiliser (CRP-CM) ଆଦି ଗୋଷ୍ଠୀ ସହାୟକ କର୍ମଚାରୀମାନେ ସହାୟତା ଯୋଗାଇ ଦେଉଛନ୍ତି । ରାଜ୍ୟରେ ମିଶନ ଶକ୍ତି ଆନ୍ଦୋଳନକୁ ସୁଦୃଢ କରିବାରେ ଏହି ସହାୟକ କର୍ମଚାରୀ ମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ।

ମିଶନ ଶକ୍ତି ଆନ୍ଦୋଳନର ଗୁରୁତ୍ୱ ତଥା ଗୋଷ୍ଠୀ ସହାୟକ କର୍ମଚାରୀମାନଙ୍କ ଅନୁରୋଧ କ୍ରମେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟରେ ବିଭିନ୍ନ ପଞ୍ଚାୟତରେ ସେବା ଯୋଗାଉଥିବା ୫୦ ହଜାର ଗୋଷ୍ଠୀ ସହାୟକ କର୍ମଚାରୀ ମାନଙ୍କ ପାଇଁ ଏକ ଆର୍ଥିକ ପ୍ୟାକେଜ ଘୋଷଣା କରିଛନ୍ତି । ଘୋଷଣା ମୁତାବକ ସମସ୍ତ ଗୋଷ୍ଠୀ ସହାୟକ କର୍ମଚାରୀ ମାନଙ୍କୁ ବାର୍ଷିକ ପୋଷାକ ଭତ୍ତା ଭାବରେ ୧୦୦୦ ଟଙ୍କା ମିଳିବ । ସମସ୍ତଙ୍କୁ ପରିଚୟ ପତ୍ର ଯୋଗାଇ ଦିଆଯିବ। ସେମାନଙ୍କ ପସନ୍ଦର ସ୍ମାର୍ଟ ଫୋନ କିଣିବା ପାଇଁ ଗୋଷ୍ଠୀ ସହାୟକ କର୍ମାଚାରୀମାନଙ୍କୁ ଏକକାଳୀନ ୫୦୦୦ ଟଙ୍କା ସହାୟତା ଯୋଗାଇ ଦିଆଯିବ। । ସବୁ CRP- CM ମାନଙ୍କୁ ପାରିଶ୍ରମିକ ଭାବରେ ମାସିକ ୩୦୦୦ ଟଙ୍କା ପ୍ରଦାନ କରାଯିବ । ସବୁ CRP- CM ମାନଙ୍କୁ ଗସ୍ତ ଖର୍ଚ୍ଚ ବାବଦ ମାସିକ ୩୫୦ ଟଙ୍କା ପ୍ରଦାନ କରାଯିବ । ଟେଲିଫୋନ ଭତ୍ତା ବାବଦରେ CRP- CM ମାନଙ୍କୁ ମାସିକ ୧୫୦ ଟଙ୍କା ପ୍ରଦାନ କରାଯିବ । ଯାହାଫଳରେ ଏହା ବୃଦ୍ଧି ପାଇ ୨୫୦ ଟଙ୍କାରେ ପହଞ୍ଚିବ ।

ଏହି ପ୍ୟାକେଜକୁ ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ ରାଜ୍ୟ ସରକାର ଆବଶ୍ୟକ ଆର୍ଥିକ ବ୍ୟବସ୍ଥା କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ମିଶନ ଶକ୍ତି ଆନ୍ଦୋଳନକୁ ଆହୁରି ଆଗକୁ ନେବାରେ ପଞ୍ଚାୟତ ସ୍ତରରେ କାମ କରୁଥିବା ଏହି ଗୋଷ୍ଠୀ ସହାୟକ କର୍ମଚାରୀ ମାନଙ୍କର ମହତ୍ୱପୂର୍ଣ୍ଣ ଭୂମିକା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି । ରୂପାନ୍ତରିତ ଓଡ଼ିଶା ଗଠନ ଦିଗରେ ଅଧିକ ପରିଶ୍ରମ କରିବାକୁ ଏହି ଆର୍ଥିକ ପ୍ୟାକେଜ ସେମାନଙ୍କୁ ଉତ୍ସାହିତ କରିବ ବୋଲି ମୁଖ୍ୟମନ୍ତ୍ରୀ ଆଶାପୋଷଣ କରିଛନ୍ତି ।

୧୫ ଜାନୁଆରୀ ପର୍ଯ୍ୟନ୍ତ ରାଲି, ରୋଡ ଶୋ’ ଉପରେ ଲାଗିଲା ରୋକ

ନୂଆଦିଲ୍ଲୀ: ଦେଶର ପାଞ୍ଚ ରାଜ୍ୟ ଉତ୍ତରପ୍ରଦେଶ, ପଞ୍ଜାବ, ଉତ୍ତରାଖଣ୍ଡ, ମଣିପୁର ଓ ଗୋଆରେ ବିଧାନସଭା ନିର୍ବାଚନ ପାଇଁ ଆଜି ତାରିଖ ଘୋଷଣା ହୋଇଛି । ଏହି ପାଞ୍ଚ ରାଜ୍ୟରେ ୭ଟି ପର୍ଯ୍ୟାୟରେ ବିଧାନସଭା ନିର୍ବାଚନ ହେବ ବୋଲି ମୁଖ୍ୟ ନିର୍ବାଚନ କମିଶନ ସୁଶୀଲ ଚନ୍ଦ୍ରା କହିଛନ୍ତି । ତେବେ ଦେଶରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଆସନ୍ତା ଜାନୁଆରୀ ୧୫ ପର୍ଯ୍ୟନ୍ତ ସମସ୍ତ ଜନ ସମାବେଶ, ରୋଡ ଶୋ’, ସାଇକେଲ ରାଲି, ବାଇକ ରାଲି ଓ ପଦଯାତ୍ରା ଉପରେ ରୋକ ଲଗାଇଛନ୍ତି ନିର୍ବାଚନ କମିଶନ । ମୁଖ୍ୟ ନିର୍ବାଚନ କମିଶନର ସୁଶୀଲ ଚନ୍ଦ୍ର ଶନିବାର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ଜାନୁଆରୀ ୧୫ ପରେ ପରିସ୍ଥିତିକୁ ଅନୁଧ୍ୟାନ ପରେ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ ।

ଶନିବାର ମୁଖ୍ୟ ନିର୍ବାଚନ ଆୟୋଗ କରିଥିବା ସାମ୍ବାଦିକ ସମ୍ମିଳନୀରେ କହିଥିଲେ କି କୌଣସି ବି ରାଜନୈତିକ ଦଳ କିମ୍ବା ପ୍ରାର୍ଥୀଙ୍କୁ ରାଲି, ରୋଡ ଶୋ’, ପଦଯାତ୍ରା କରିବାକୁ ଅନୁମତି ପ୍ରଦାନ କରାଯିବ ନାହିଁ । ସେହିପରି ରାତି ୮ରୁ ସକାଳ ୮ ପର୍ଯ୍ୟନ୍ତ କୌଣସି ରାଜନୈତିକ ସଭା ହୋଇପାରିବ ନାହିଁ । କେବଳ ଡୋର ଟୁ ଡୋର କ୍ୟାମ୍ପେନିଂ କରିବା ପାଇଁ ୫ ଜଣ ଲୋକଙ୍କୁ ଅନୁମତି ମିଳିବ । ସେ ଆହୁରି କହିଛନ୍ତି କି ଆମେ ସମସ୍ତ ରାଜନୈତିକ ପାର୍ଟିକୁ ଅନୁରୋଧ କରୁଛୁ କି ସେମାନେ ଡିଜିଟାଲ ମାଧ୍ୟମରେ ନିର୍ବାଚନୀ ପ୍ରଚାର କରନ୍ତୁ । ଏହାସହ ନିର୍ବାଚନରେ ବିଜୟୀ ପ୍ରାର୍ଥୀ କୌଣସି ପ୍ରକାର ରାଲିର ମଧ୍ୟ ଆୟୋଜନ କରିପାରିବେ ନାହିଁ । ଅନ୍ୟପକ୍ଷରେ କରୋନାକୁ ଦୃଷ୍ଟିରେ ରଖି ମତଦାନ କେନ୍ଦ୍ରରେ ସାନିଟାଇଜର ଏବଂ ମାସ୍କର ବ୍ୟବସ୍ଥା ହେବ ଏବଂ କରୋନା କାରଣରୁ ଅଧିକ ମତଦାନ କେନ୍ଦ୍ର କରାଯିବ ବୋଲି କହିଛନ୍ତି ମୁଖ୍ୟ ନିର୍ବାଚନ କମିଶନର ସୁଶୀଲ ଚନ୍ଦ୍ରା ।

 

ପାନାରାଗୁଡ଼ା ଓ ଏମଭି-୨ ଗାଁରେ ବଢ଼ୁଛି କିଡନୀ ରୋଗୀଙ୍କ ସଂଖ୍ୟା: ବର୍ଷକରେ ଗଲାଣି ୬ ଜୀବନ

ମାଲକାନଗିରି: ଗୋରାକୁଣ୍ଟା ପଞ୍ଚାୟତରେ କିଡନୀ ରୋଗ ଆତଙ୍କ । ପାନାରାଗୁଡା ଓ ଏମଭି-୨ ଗାଁରେ ଡରାଇଲାଣି କିଡନୀ ରୋଗ । ମାରାତ୍ମକ ରୋଗରେ ବର୍ଷକରେ ମଲେଣି ୬ଜଣ ରୋଗୀ । ଦୁଇଟି ଗାଁରେ ୧୮ ଜଣରୁ ଅଧିକ କିଡନୀ ରୋଗରେ ଆକ୍ରାନ୍ତ ହୋଇ ଜୀବନ ସହ ସଂଘର୍ଷ କରୁଛନ୍ତି । ଖବର ପାଇବା ପରେ ସ୍ୱାସ୍ଥ୍ୟ ବିଭାଗ ଗାଁରେ ପହଞ୍ଚି ଚିକିତ୍ସା ଆରମ୍ଭ କରିଛି ।

ମାଲକାନଗିରିରେ ମାତିଲାଣି କିଡନୀ ରୋଗ । ମାରାତ୍ମକ ରୋଗ ନେଉଛି ଜୀବନ । ଅଭିଯୋଗ ପରେ ସ୍ୱାସ୍ଥ୍ୟ ବିଭାଗ ଚିକିତ୍ସା ଆରମ୍ଭ । ମାଲକାନଗିରି ଜିଲ୍ଲା ଗୋରାକୁଣ୍ଟା ପଞ୍ଚାୟତରେ ପାନାରାଗୁଡା ଓ ଏମଭି-୨ ଗାଁରେ କୋକୁଆ ଭୟ ସୃଷ୍ଟି କରିଛି କିଡନୀ ରୋଗ । ମାରାତ୍ମକ ରୋଗ ଜଣକ ପରେ ଜଣଙ୍କୁ ନିଜ କବଳକୁ ନେଉଛି । ଗୋଟିଏ ବର୍ଷ ଭିତରେ ୬ ମୂଲ୍ୟବାନ ଜୀବନ ଯାଇଥିବା ବେଳେ ୧୮ ଏହି ରୋଗରେ ଆକ୍ରାନ୍ତ ହୋଇ ଜୀବନ ସହ ସଂଘର୍ଷ କରୁଛନ୍ତି ।

ଗାଁ ନଳକୂପରୁ ଫ୍ଲୋପାଇଡ୍ ମିଶା ପାଣି ବାହାରୁଥିବାରୁ ରୋଗ ବ୍ୟାପୁଥିବା ଅଭିଯୋଗ ହୋଇଛି । ଏ ନେଇ ଖବର ପାଇବା ପରେ ସ୍ୱାସ୍ଥ୍ୟ ବିଭାଗର ଏକ ଡାକ୍ତରୀ ଟିମ୍ ଗାଁରେ ପହଞ୍ଚି ଅନୁଧ୍ୟାନ କରିଛନ୍ତି । ସଂକଟାପର୍ଣ୍ଣ ରୋଗୀଙ୍କୁ ହସ୍ପିଟାଲରେ ଭର୍ତ୍ତି ପାଇଁ ବ୍ୟବସ୍ଥା କରାଯାଉଛି । ଏଥିସହ ନଳକୂପ ପାଣି ପରୀକ୍ଷା ପାଇଁ ନମୂନା ସଂଗ୍ରହ କରାଯାଇଥିବା ଏପିଡେମିଓଲୋଜିଷ୍ଟ ଡାକ୍ତର ଦୁର୍ଗାପ୍ରସାଦ ରାଜ୍ କହିଛନ୍ତି । ମାଲକାନଗିରିରେ କୀଡନି ରୋଗ ଆତଙ୍କ ସୃଷ୍ଟି କରିଛି । ସ୍ୱାସ୍ଥ୍ୟ ବିଭାଗ ଲୋକଙ୍କୁ ସଚେତନ କରିବା ସହ ଗୁଣିଗାରେଡିକୁ ବିଶ୍ୱାସ ନକରି ହସ୍ପିଟାଲରେ ଚିକିତ୍ସା ପାଇଁ ପରାମର୍ଶ ଦେଇଛନ୍ତି ।

ଅଙ୍ଗନବାଡି କର୍ମୀଙ୍କ ପ୍ରୋତ୍ସାହନ ରାଶିକୁ ବୃଦ୍ଧି କଲେ ମୁଖ୍ୟମନ୍ତ୍ରୀ: ସେବା ନିବୃତ ସମୟରେ ପାଇବେ ୪୦ ହଜାର ଟଙ୍କା

ଭୁବନେଶ୍ୱର: ଗ୍ରାମାଞ୍ଚଳରେ ପିଲାମାନଙ୍କ ସ୍ୱାସ୍ଥ୍ୟ, ପୁଷ୍ଟିସାଧନ ଓ ଶିକ୍ଷା ତଥା ମହିଳାମାନଙ୍କ ସଚେତନତା କ୍ଷେତ୍ରରେ ଅଙ୍ଗନବାଡ଼ି କର୍ମୀମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଅଙ୍ଗନବାଡି ସେବା ଯୋଜନାରେ ରାଜ୍ୟରେ ନିଯୁକ୍ତ ଅଙ୍ଗନବାଡି କର୍ମୀ, ମିନି ଅଙ୍ଗନବାଡି କର୍ମୀ ଓ ଅଙ୍ଗନବାଡି ସହାୟିକା ମାନେ ୬୨ ବର୍ଷ ବୟସରେ ସେବାରୁ ନିବୃତ ହେବା ସମୟରେ ସେମାନଙ୍କୁ ପ୍ରୋତ୍ସାହନ ରାଶି ଦିଆଯାଉଛି । ସେମାନଙ୍କ କାର୍ଯ୍ୟର ଗୁରୁତ୍ୱ ତଥା ସେମାନଙ୍କ ନିଷ୍ଠାପର କାର୍ଯ୍ୟ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେବା ନିବୃତ ଅଙ୍ଗନବାଡି କର୍ମୀ ମାନଙ୍କ ପ୍ରୋତ୍ସାହନ ରାଶିର ପରିମାଣ ବୃଦ୍ଧି କରିଛନ୍ତି ।

୧. ଅଙ୍ଗନବାଡି କର୍ମୀମାନେ ସେବା ନିବୃତ ହେବା ସମୟରେ ୨୦ ହଜାର ଟଙ୍କା ବଦଳରେ ଏକକାଳୀନ ୪୦ ହଜାର ଟଙ୍କା ପ୍ରୋତ୍ସାହନ ରାଶି ପାଇବେ।

୨. ମିନି ଅଙ୍ଗନବାଡି କର୍ମୀମାନଙ୍କର ପ୍ରୋତ୍ସାହନ ରାଶି ୧୫ ହଜାର ଟଙ୍କାରୁ ୩୦ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି।

୩. ଅଙ୍ଗନବାଡୀ ସହାୟିକା ମାନଙ୍କର ପ୍ରୋତ୍ସାହନ ରାଶି ୧୦ ହଜାର ଟଙ୍କାରୁ ୨୦ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି ।

ଏହି ନୂତନ ପ୍ରୋତ୍ସାହନ ରାଶି ପିଛଲା ଭାବେ ୨୦୧୯ ଜାନୁଆରୀ ପହିଲା ଠାରୁ ଲାଗୁ କରାଯାଇଛି । ଏହାଦ୍ୱାରା ବର୍ତ୍ତମାନ ସୁଦ୍ଧା ସେବା ନିବୃତ ହୋଇଥିବା ୧୯୯୧ ଜଣ ଅଙ୍ଗନବାଡୀ କର୍ମୀ, ମିନି ଅଙ୍ଗନବାଡୀ କର୍ମୀ ଓ ଅଙ୍ଗନବାଡୀ ସହାୟିକା ଉପକୃତ ହେବେ । ଏହି ଘୋଷଣା ଦ୍ୱାରା ରାଜ୍ୟର ୧ ଲକ୍ଷ ୩୦ ହଜାର ଅଙ୍ଗନବାଡି କର୍ମୀ ଉପକୃତ ହେବେ ।

ଅଙ୍ଗନବାଡି କର୍ମୀ, ମିନି ଅଙ୍ଗନବାଡୀ କର୍ମୀ ଓ ଅଙ୍ଗନବାଡି ସହାୟିକାମାନେ କାର୍ଯ୍ୟରତ ଥିବା ସମୟରେ ଅସୁସ୍ଥତା ଯୋଗୁ କୌଣସି ସରକାରୀ କିମ୍ବା ସରକାରଙ୍କ ଦ୍ୱାରା  ତାଲିକାଭୁକ୍ତ ଚିକିତ୍ସାଳୟରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଥିଲେ, ସେମାନଙ୍କୁ ସେହି ସମୟ ପାଇଁ ପ୍ରତିବର୍ଷ ସବୈତନିକ ଚିକିତ୍ସା ଛୁଟି (Paid Medical Leave) ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।

ହକି ଓଡ଼ିଶାକୁ ଦେଇଛି ଅନ୍ତର୍ଜାତୀୟ ଖ୍ୟାତି

ବିମଳ କୁମାର ରାଉଳ

କ୍ରୀଡ଼ା ସୁସ୍ଥ ସମାଜ ଗଠନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ। ଯେଉଁ ଜାତି ଯେତିକି ସୁସ୍ଥ, ସେ ଜାତି ସେତିକି ଆଗୁଆ। କ୍ରୀଡ଼ା ଯେ କେବଳ ପ୍ରତିଦ୍ୱନ୍ଦ୍ୱିତା ଭାବନା ବୃଦ୍ଧିକରେ ତାହା ନୁହଁ, ଜୀବନକୁ ଶୃଙ୍ଖଳିତ କରେ। ଶୃଙ୍ଖଳିତ ମଣିଷ ହିଁ ସଫଳତାର ଅଧିକାରୀ ହୁଏ। ଯୁବ ପିଢ଼ିଙ୍କୁ କ୍ରୀଡ଼ା ପ୍ରତି ଆକୃଷ୍ଟ କରିବା ପାଇଁ ରାଜ୍ୟ ସରକାର ବିଭିନ୍ନ ପ୍ରୋତ୍ସାହନ ଯୋଗାଇ ଦେଉଛନ୍ତି। ଜାତୀୟ ଓ ଅନ୍ତର୍ଜାତୀୟ କ୍ରୀଡ଼ାରେ ପଦକ ଜିତିଲେ କ୍ରୀଡ଼ାବିତଙ୍କୁ ଆକର୍ଷଣୀୟ ଆର୍ଥିକ ପୁରସ୍କାର ସହ ସରକାରୀ ଚାକିରୀ ପ୍ରଦାନ କରାଯାଉଛି।

ପ୍ରାୟ ଏକ ଦଶନ୍ଧି ହେବ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ୍ରୀଡ଼ାକୁ ଅଧିକ ଗୁରୁତ୍ୱ ଦେଇ ଆସୁଛନ୍ତି । ‘ସ୍ପୋର୍ଟ୍ସ ଫର ୟୁଥ୍‌’,’ୟୁଥ୍ ଫର ଫ୍ୟୁଚର’ ଲକ୍ଷ୍ୟ ନେଇ ରାଜ୍ୟରେ ନୂଆ କ୍ରୀଡ଼ା ଭିତ୍ତିଭୂମିର ନିର୍ମାଣ, ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟର ଆୟୋଜନ ଏବଂ ବିଭିନ୍ନ କ୍ରୀଡ଼ାକୁ ପ୍ରୋତ୍ସାହନ ଯୋଗାଇ ଦେଇ ରାଜ୍ୟ ତଥା ଦେଶରେ କ୍ରୀଡ଼ାର ବିକାଶରେ ଅଗ୍ରଣୀ ଭୂମିକା ନେଇଛନ୍ତି।

ଜାତୀୟ ମହିଳା ଓ ପୁରୁଷ ହକି ଦଳର ଜର୍ସି ଉନ୍ମୋଚନ କରୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପାଖେର ଦୁଇ ଦଳର କ୍ୟାପଟେନ୍ ।

୨୦୧୭ ମସିହାରୁ ଜାତୀୟ ହକି ଦଳର ମୁଖ୍ୟ ପ୍ରାୟୋଜକ ରହି ଆସିଛି ଓଡ଼ିଶା। ଦଳକୁ ଏହାର ସୁଫଳ ମିଳିଲା ଗତ ଟୋକିଓ ଅଲିମ୍ପିକ୍ସରେ। ଦୀର୍ଘ ୪୧ ବର୍ଷ ପରେ ଭାରତ ହକିରେ ଅଲିମ୍ପିକ୍ସ ପଦକ ଜିତିବାର ସୌଭାଗ୍ୟ ଲାଭ କଲା, ଆଉ ଏହାର ସବୁ ଶ୍ରେୟ ଓଡ଼ିଶାକୁ ମିଳିଲା। ବିଗତ ସାତରୁ ଆଠ ବର୍ଷ ହେବ ଓଡ଼ିଶାର ଗୌରବମୟ ପରିଚୟରେ ହକି ଏକ ନୂଆ ଫର୍ଦ୍ଦ ଭାବେ ଯୋଡ଼ି ହୋଇଛି।

୧୯୮୦ ପରବର୍ତ୍ତୀ ସମୟରେ ପ୍ରଚାର ପ୍ରସାର ଅଭାବରୁ ଭାରତୀୟ ହକି ତାର ଅସ୍ଥିତ୍ୱ ହରାଇ ବସିଥିଲା। ଏକଦା ଅଲିମ୍ପିକ୍ସରେ ଯେଉଁ ଦଳ କ୍ରମାନ୍ୱୟରେ ସ୍ୱର୍ଣ୍ଣ ପଦକ ଜିତି ଆସୁଥିଲା, ୨୦୦୮ରେ ସେହି ଦଳ ଯୋଗ୍ୟତା ହାସଲରୁ ବଞ୍ଚିତ ହେଲା। ‘ହକି ଇଣ୍ଡିଆ’ ଦେଶରେ ହକିର  ପ୍ରସାର ପାଇଁ ପୃଷ୍ଠପୋଷକ ଓ ପ୍ରୋତ୍ସାହନ ଯୋଗାଡ଼ରେ ଲାଗି ରହିଥିଲା। ଏତିକି ବେଳେ ହକି ଇଣ୍ଡିଆ ଓ ଓଡ଼ିଶା ସରକାରଙ୍କ ମଧ୍ୟରେ ସମନ୍ୱୟ ଗଢ଼ି ଉଠିଥିଲା।

 

ଇଂରେଜ ମାନେ ଓଡ଼ିଶା ଆଗମନ ପରେ ଓଡ଼ିଶାରେ ହକିର ଉନ୍ମେଷ ଘଟିଥିଲା। ବିଶେଷ କରି ମିଶନାରୀ ମାନଙ୍କ ଦ୍ୱାରା ସୁନ୍ଦରଗଡ଼ରେ ଏହାର ଲୋକପ୍ରିୟତା ବଢ଼ିବାରେ ଲାଗିଲା। ସମୟ କ୍ରମେ ହକି ଆଦିବାସୀ ମାନଙ୍କର ମୁଖ୍ୟ କ୍ରୀଡ଼ାର ମାନ୍ୟତା ପାଇଲା। ଧୀରେ ଧୀରେ ଏହାକୁ ନେଇ ପ୍ରତିଯୋଗିତା ଆୟୋଜିତ ହେଲା। ଏହି ପ୍ରତିଯୋଗିତାକୁ ଅଧିକ ଲୋକପ୍ରିୟ କରାଇଲା ସ୍ୱତନ୍ତ୍ର ଖାସି କପ୍‌ ଟୁର୍ଣ୍ଣାମେଣ୍ଟ। ପ୍ରତିବର୍ଷ ସୁନ୍ଦରଗଡ଼ରେ ପ୍ରାୟ ଦୁଇ ହଜାରରୁ ଊର୍ଦ୍ଧ୍ୱ ଖାସି କପ୍‌ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହୋଇଥାଏ।

ଓଡ଼ିଶାର ହକି କହିଲେ ସୁନ୍ଦରଗଡ଼କୁ ହିଁ ବୁଝାଏ। ଆଦିବାସୀଙ୍କର ଏହି ହକି ନୈପୁଣ୍ୟତାକୁ ବିଶ୍ୱମୁଖୀ କରାଇବା ପାଇଁ ଓଡ଼ିଶା ସରକାର ପ୍ରଥମେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଏକ ଅନ୍ତର୍ଜାତୀୟମାନର ହକି ଷ୍ଟାଡିୟମ ନିର୍ମାଣ କଲେ ।  ୨୦୧୩ ମଧ୍ୟଭାଗ ବେଳକୁ ଦୁଇ ଗ୍ୟାଲେରୀ ବିଶିଷ୍ଟ ଷ୍ଟାଡିୟମର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେଲା। ହକି ଇଣ୍ଡିଆର ପ୍ରସ୍ତାବ କ୍ରମେ ରାଜ୍ୟ ସରକାର ହକି ଇଣ୍ଡିଆ ଲିଗ୍ (ଏଚ୍‌ଆଇଏଲ୍‌)ରେ ଏକ ଦଳ କ୍ରୟ କଲେ। ତାହାର ନାମ ଥିଲା ‘କଳିଙ୍ଗ ଲାନସର୍ସ’। ୨୦୧୩ରେ ଏହି ଦଳ ଗଠନ ହୋଇ ୨୦୧୪ ସଂସ୍କରଣରେ ପଦାର୍ପଣ କରିଥିଲା ।କଳିଙ୍ଗ ଷ୍ଟାଡିୟମରେ ‘କଳିଙ୍ଗ ଲାନସର୍ସ’ ପାଞ୍ଚଟି ଘରୋଇ ମ୍ୟାଚ୍‌ ଖେଳିଲା । ହକି ମ୍ୟାଚ୍ ଦେଖିବା ନେଇ ଦର୍ଶକଙ୍କ ମଧ୍ୟରେ ପ୍ରବଳ ଆଗ୍ରହ ବୃଦ୍ଧି ହୋଇଥିଲା । ଏଚ୍‌ଆଇଏଲରେ କେବଳ ଭୁବନେଶ୍ୱର ଭେନ୍ୟୁରେ ପ୍ରତ୍ୟେକ ମ୍ୟାଚ୍‌ରେ ଷ୍ଟାଡିୟମ ଭର୍ତ୍ତି ଦର୍ଶକ ବସି ମ୍ୟାଚ୍ ଦେଖିଲେ।

Tight Security In Bhubaneswar For Hockey Men's Junior World Cup
Tight Security In Bhubaneswar For Hockey Men’s Junior World Cup

ଓଡ଼ିଶାବାସୀଙ୍କ ହକି ପ୍ରତି ଏତେ ଭଲ ପାଇବା ଦେଖି ହକି ଇଣ୍ଡିଆ ରାଜ୍ୟ ସରକାରଙ୍କୁ ‘ହକି ଚାମ୍ପିଅନ୍ସ ଟ୍ରଫି’ ଆୟୋଜନ ନେଇ ପ୍ରସ୍ତାବ ଦେଇଥିଲେ। ଯେଉଁ ପ୍ରସ୍ତାବକୁ ଗ୍ରହଣ କରିଥିଲେ ରାଜ୍ୟସରକାର । ୨୦୧୪ ଡିସେମ୍ବର ମାସରେ ଚାମ୍ପିଅନ୍ସ ଟ୍ରଫି ଆୟୋଜିତ ହେଲା। ପାକିସ୍ତାନ ସମେତ ବିଶ୍ୱର ୮ଟି ଶକ୍ତିଶାଳୀ ଦଳ ଟୁର୍ଣ୍ଣାମେଣ୍ଟରେ ଭାଗ ନେଲେ । ପ୍ରତି ଶୀତୁଆ ସନ୍ଧ୍ୟାରେ ଦର୍ଶକଙ୍କ କୋଳାହଳରେ କଳିଙ୍ଗ ଷ୍ଟାଡିୟମର ଆକାଶ ଫାଟି ପଡ଼ିଲା। ଚାମ୍ପିଅନ୍ସ  ଟ୍ରଫି ଆୟୋଜନ ଅଦ୍ଭୁତପୂର୍ବ ସଫଳତା ହାସଲ କଲା। ଏହା ପୂର୍ବରୁ ବିଶ୍ୱର କୌଣସି ହକି ଷ୍ଟାଡିୟମରେଏତେ ଦର୍ଶକ ଦେଖିବାକୁ ମିଳିନଥିଲେ। ସାରା ବିଶ୍ୱରେ କଳିଙ୍ଗ ଷ୍ଟାଡିୟମରେ ଦର୍ଶକଙ୍କୁ ନେଇ ଚର୍ଚ୍ଚା ଆରମ୍ଭ ହେଲା। ଏହି କ୍ରମରେ ହକି ଇଣ୍ଡିଆ ଭୁବନେଶ୍ୱରରେ ୨୦୧୮ ବିଶ୍ୱକପ୍ ଆୟୋଜନ ନେଇ ପ୍ରସ୍ତାବ ରଖିଲା। ଏଭଳି ସୁଯୋଗକୁ ରାଜ୍ୟ ସରକାର ହାତଛଡ଼ା କଲେ ନାହିଁ। ଭୁବନେଶ୍ୱର ବିଶ୍ୱକପ୍‌ ଭେନ୍ୟୁ ଘୋଷଣା ହେବା ପରଠୁ ଷ୍ଟାଡିୟମର କଳେବର ବୃଦ୍ଧି ହେଲା। ଆଉ ଦୁଇଟି ନୂଆ ଗ୍ୟାଲେରୀ ସହ ଷ୍ଟାଡିୟମର ଦର୍ଶକ ଧାରଣ କ୍ଷମତା ୧୬ ହଜାରକୁ ବୃଦ୍ଧି କରାଗଲା। ୨୦୧୭ ସୁଦ୍ଧା ଷ୍ଟାଡିୟମର କାର୍ଯ୍ୟ ସଂପୂର୍ଣ୍ଣ ହେଲା। ସେହି ବର୍ଷ ଡିସେମ୍ବର ମାସରେ ‘ହକି ବିଶ୍ୱଲିଗ୍‌’ ସଫଳତାର ସହ ଆୟୋଜିତ ହେଲା। ଏହା ପୂର୍ବରୁ ନୂଆଦିଲ୍ଲୀରେ ରାଜ୍ୟ ସରକାର ଓ ହକି ଇଣ୍ଡିଆ ମଧ୍ୟରେ ଏକ ଚୁକ୍ତି ସ୍ୱାକ୍ଷରିତ ହେଲା। ଚୁକ୍ତି ଅନୁସାରେ, ଓଡ଼ିଶା ଭାରତୀୟ ହକି ଦଳର ପାଞ୍ଚ ବର୍ଷ ପାଇଁ ପ୍ରାୟୋଜକ ରହିବ। ରାଜ୍ୟ ତଥା ଦେଶର ହକିର ବିକାଶ ପାଇଁ ଏହା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଏକ ଯୁଗାନ୍ତକାରୀ ପଦକ୍ଷେପ ଥିଲା।

ହକି ବିଶ୍ୱକପ୍‌-୨୦୧୮ ଆୟୋଜନ ବିଶ୍ୱକପ୍ ଆୟୋଜନ ଇତିହାସରେ ଏକ ନୂଆ ଅଧ୍ୟାୟ ଯୋଡ଼ିଲା। ହକି ଇତିହାସରେ ପୂର୍ବରୁ କେବେ ଏମିତି ଆୟୋଜନ ବିଶ୍ୱବାସୀ ଦେଖି ନଥିଲେ। ଯାହା ସମସ୍ତଙ୍କୁ ଚକିତ କଲା। ସାରା ବିଶ୍ୱରେ ଓଡ଼ିଶାର ପ୍ରଶଂସା ହେଲା । ପରବର୍ତ୍ତୀ ସମୟରେ ୨୦୧୯ରେ ହକି ସିରିଜ ଫାଇନାଲ୍ସ, ପୁରୁଷ ଓ ମହିଳା ଅଲିମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟ, ୨୦୨୦ରେ ହକି ପ୍ରୋଲିଗ୍‌ ଏବଂ ୨୦୨୧ରେ ଜୁନିୟର ପୁରୁଷ ହକି ବିଶ୍ୱକପ୍‌ ଭୁବନେଶ୍ୱରରେ ଖେଳାଗଲା। ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟିତା ଏବଂ ଓଡ଼ିଆ ଜାତିକୁ ବିଶ୍ୱ ଦରବାରରେ ପରିଚିତି କରାଇବାର ଦୃଢ଼ ଇଚ୍ଛାଶକ୍ତି ଓଡ଼ିଶାକୁ ନୂଆ ପରିଚୟ ଦେଲା ।

ଓଡ଼ିଶା ଏବେ ଭାରତୀୟ ହକିର ନୂଆ ଠିକଣା ଭାବେ ଉଭା ହୋଇଛି। ସୁନ୍ଦରଗଡ଼ ହକିର ଐତିହ୍ୟ ଓ ସଂସ୍କୃତି ସାରା ବିଶ୍ୱରେ ପହଞ୍ଚି ପାରିଛି। କଳିଙ୍ଗ ଷ୍ଟାଡିୟମ ବିଶ୍ୱକ୍ରୀଡ଼ା ମାନଚିତ୍ରରେ ସ୍ୱତନ୍ତ୍ର ସ୍ଥାନ ହାସଲ କରିଛି। ଏହା ହକି ଖେଳୁଥିବା ପ୍ରତ୍ୟେକ ଦେଶର ଖେଳାଳିଙ୍କ ସ୍ୱପ୍ନର ଷ୍ଟାଡିୟମ ଭାବେ ଖ୍ୟାତି ଲାଭ କରିଛି। ହକି ପ୍ରତିଟି ଓଡ଼ିଆର ସ୍ପନ୍ଦନ ହୋଇ ସାରା ବିଶ୍ୱରେ ଗୁଞ୍ଜରିତ ହେଉଛି।

୨୦୧୭ ଠାରୁ ଭାରତୀୟ ହକି ଦଳ (ପୁରୁଷ, ମହିଳା) ଓଡ଼ିଶା ନାମଲେଖା ଜର୍ସି ପରିଧାନ କରି ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟ ଖେଳୁଛି। ଜାତୀୟ ହକିକୁ ଓଡ଼ିଶା ପ୍ରୋତ୍ସାହନ ଯୋଗାଇ ଦେବାର ଫଳ ଟୋକିଓ ଅଲିମ୍ପିକ୍ସରେ ଦେଶକୁ ମିଳିଥିଲା । ଦୀର୍ଘ ଚାରି ଦଶନ୍ଧି ପରେ ଭାରତୀୟ ପୁରୁଷ ଦଳ ଅଲିମ୍ପିକ୍ସରେ ପଦକ ଜିତିବାର ସୌଭାଗ୍ୟ ଲାଭ କରିପାରିଥିଲା। ସେମିତି ମହିଳା ଦଳ ଶ୍ରେଷ୍ଠ ପ୍ରଦର୍ଶନ କରି (ଚତୁର୍ଥ) ଅଳ୍ପକେ ପଦକରୁ ବଞ୍ଚିତ ହୋଇଥିଲେ।

ଭାରତୀୟ ହକି ଦଳ ବ୍ରୋଞ୍ଜ ପଦକ ଜିତିବାର ଶ୍ରେୟ ଓଡ଼ିଶାବାସୀକୁ ମିଳିଥିଲା । ସାରା ଦେଶ ଆମ ମୁଖ୍ୟମନ୍ତ୍ରୀଙ୍କୁ ଅଜସ୍ର ପ୍ରଶଂସା କରିଥିଲା । ସମୟ ଆସିଲା, ଜାତୀୟସ୍ତରରେ ଓଡ଼ିଶା ଚର୍ଚ୍ଚାର ଶିରୋନାମା ପାଲଟିଲା; ତାହା ପୂର୍ବର ସେହି କାଳିମାମୟ ଘଟଣାବଳୀ ପାଇଁ ନୁହଁ ବରଂ ହକିର ବିଜୟ ଯାତ୍ରା ପାଇଁ। ହକି ଦଳର ସଫଳତାରେ ଖୁସି ହୋଇ ମୁଖ୍ୟମନ୍ତ୍ରୀ ଆଉ ଦଶ ବର୍ଷ ଭାରତୀୟ ଦଳକୁ ପ୍ରୋତ୍ସାହନ ଯୋଗାଇ ଦେବେ ବୋଲି ଘୋଷଣା କରିଥିଲେ।

ବିଶ୍ୱରେ ହକି ଖେଳୁଥିବା ପ୍ରତିଟି ଦେଶ ଓଡ଼ିଶାକୁ ଜାଣିଛି ଏବଂ ଓଡ଼ିଶାର ଆତିଥ୍ୟରେ ପ୍ରୀତ ହୋଇଛି। ବିଗତ ଏକ ଦଶନ୍ଧି ମଧ୍ୟରେ ରାଜ୍ୟରେ କ୍ରୀଡ଼ା ଭିତ୍ତିଭୂମିର ଅଦ୍ଭୁତ ପୂର୍ବ ବିକାଶ ଘଟିଛି। ଭୁବନେଶ୍ୱର, କଟକ, ରାଉରକେଲା ଓ ବ୍ରହ୍ମପୁର ଭଳି ସହରରେ ଅନ୍ତର୍ଜାତୀୟମାନର କ୍ରୀଡ଼ା ଭିତ୍ତିଭୂମି ଗଢ଼ି ଉଠିଛି। କଳିଙ୍ଗ ହକି ଷ୍ଟାଡିୟମ ପରେ ରାଉରକେଲାରେ ଏକ ନୂଆ ଅନ୍ତର୍ଜାତୀୟ ହକି ଷ୍ଟାଡିୟମ  ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି। ସୁନ୍ଦରଗଡ଼ରେ ତୃଣମୂଳସ୍ତରରୁ ହକିର ଆଧୁନିକୀକରଣ ପାଇଁ ୧୭ଟି ବ୍ଲକରେ ଆଷ୍ଟ୍ରୋଟର୍ଫ ବିଛାଯିବା ନେଇ ଯୋଜନା କରାଯାଇଛି।

ହକିର ପ୍ରଚାର ପ୍ରସାର କରି ଓଡ଼ିଶା ସାରା ଦେଶରେ ଖ୍ୟାତି ଅର୍ଜନ କରିବା ସହ ଭାରତୀୟ ହକିର ପୁନଃରୁଦ୍ଧାରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଛି । ବଡ଼ବଡ଼ ଅନ୍ତର୍ଜାତୀୟ ଇଭେଣ୍ଟରେ ଦେଶର ବିଭିନ୍ନ ରାଜ୍ୟରୁ ଭୁବନେଶ୍ୱର ଆସୁଥିବା ସାମ୍ବାଦିକମାନେ ଓଡ଼ିଶାର ଭିତ୍ତିଭୂମି ଓ ଆୟୋଜନକୁ ଭୂୟସୀ ପ୍ରଶଂସା କରନ୍ତି । କେବଳ ହକି ନୁହଁ, ଦେଶର ଅନ୍ୟ କ୍ରୀଡ଼ାର ବିକାଶ ନେଇ ମଧ୍ୟ ଆମ ରାଜ୍ୟ ସହଯୋଗ ଜାରି ରଖିଛି। ଦେଶର କ୍ରୀଡ଼ା କ୍ଷେତ୍ରରେ ଓଡ଼ିଶା ଏକ ବଡ଼ ‘ବ୍ରାଣ୍ଡ୍‌’ ଭାବେ ଉଭା ହୋଇଛି ।

ନିକଟରେ ଜୁନିୟର ପୁରୁଷ ହକି ବିଶ୍ୱକପ୍‌ ବେଶ୍‌ ସଫଳତାର ସହ ଆୟୋଜିତ ହୋଇଥିଲା। ପୁଣି ୨୦୨୩ରେ ପୁରୁଷ ହକି ବିଶ୍ୱକପ୍‌ ଉଭୟ ଭୁବନେଶ୍ୱର ଓ ରାଉରକେଲାରେ ଖେଳାଯିବ। ଓଡ଼ିଶା ହକିର ଏନ୍ତୁଡ଼ିଶାଳ ସୁନ୍ଦରଗଡ଼ରେ ଖେଳାଯିବ ହକି ବିଶ୍ୱକପ୍। ଦିନେ ଏହା ଅବାସ୍ତବ ମନେ ହେଉଥିଲେବି ତାହାକୁ ବାସ୍ତବ କରି ଦେଖାଇଛନ୍ତି ଆମ ମୁଖ୍ୟମନ୍ତ୍ରୀ । ରାଜ୍ୟରେ ଚାଲିଥିବା ହକିର ବିକାଶ ପର୍ବ ଓଡ଼ିଶାକୁ ଆଣି ଦେଇଛି ଅନ୍ତର୍ଜାତୀୟ ଖ୍ୟାତି।