spot_img
Home Blog Page 4707

ନିଟ୍‌ ପିଜି କାଉନସିଲିଂ ମାମଲାରେ ସୁପ୍ରିମକୋର୍ଟଙ୍କ ରାୟ, କାଏମ ରହିବ ଓବିସି ଓ EWS ସଂରକ୍ଷଣ

ନୂଆଦିଲ୍ଲୀ: ନିଟ୍ ପିଜି କାଉନସେଲିଂ ମାମଲାରେ ସୁପ୍ରିମ ରାୟ । ସୁପ୍ରିମକୋର୍ଟ କାଉନସିଲିଂ ଆରମ୍ଭ କରିବାକୁ କହିଛନ୍ତି । ପୂର୍ବ ଭଳି ଚଳିତବର୍ଷ ଓବିସି ଓ ଆର୍ଥିକ ଦୂର୍ବଳ ଶ୍ରେଣୀ ଛାତ୍ରଙ୍କ ସଂରକ୍ଷଣ ଲାଗୁ ରହିବ ବୋଲି ସର୍ବୋଚ୍ଚ କୋର୍ଟ ରାୟ ଶୁଣାଇଛନ୍ତି । ନିଟ୍ ପିଜି କାଉନସିଲିଂ ଆରମ୍ଭ କରିବାକୁ କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ଆବେଦନ କରିଥିଲେ । ତେବେ ସୁପ୍ରିମକୋର୍ଟ ଶୁକ୍ରବାର ଶୁଣାଣି କରି ନିଟ୍ ପିଜି କାଉନସିଲିଂ ଆରମ୍ଭ କରିବାକୁ କହିଛନ୍ତି ।

ସୁପ୍ରିମ କୋର୍ଟଙ୍କ ଏହି ରାୟ ପରେ ଏହା ସ୍ପଷ୍ଟ ହୋଇଛି କି ୨୦୨୧/୨୨ ଶିକ୍ଷାବର୍ଷ ପାଇଁ ଡାକ୍ତରୀ ଛାତ୍ରଙ୍କୁ ମିଳିବ ସଂରକ୍ଷଣ । ଓବିସି ଛାତ୍ରଙ୍କୁ ୨୭ ପ୍ରତିଶତ ଓ EWS ବା ଆର୍ଥିକ ଦୁର୍ବଳ ଶ୍ରେଣୀ ଛାତ୍ରଙ୍କୁ ୧୦ପ୍ରତିଶତ ସଂରକ୍ଷଣ ମିଳିବ ବୋଲି ରାୟ ଶୁଣାଇଛନ୍ତି ସର୍ବୋଚ୍ଚ କୋର୍ଟ । ସର୍ବ ଭାରତୀୟ କୋଟାରୁ ଓବିସି ଓ EWS ଛାତ୍ର ସଂରକ୍ଷଣ ପାଇବେ ବୋଲି ସର୍ବୋଚ୍ଚ ନ୍ୟାୟାଳୟ ରାୟ ଶୁଣାଇଛନ୍ତି । ପିଜି କାଉନସିଲିଂ ଶୀଘ୍ର ଆରମ୍ଭ କରିବାକୁ କୋର୍ଟ କହିଛି ।

ନିଟ୍ ପିଜି କାଉନସେଲିଂରେ ବିଳମ୍ବ ଯୋଗୁଁ ହଜାର ହଜାର ଡାକ୍ତର ଆନ୍ଦୋଳନ କରିଥିଲେ । ଫେଡେରେସନ୍ ଅଫ୍ ଅଲ ଇଣ୍ଡିଆ ମେଡିକାଲ ଆସୋସିଏସନ୍ ପକ୍ଷରୁ ଦେଶବ୍ୟାପୀ ହରତାଳ ଡାକରା ମଧ୍ୟ ଦିଆଯାଇଥିଲା । ମାତ୍ର ହସ୍ପିଟାଲରେ ରୋଗୀ ସେବା ବାଧାପ୍ରାପ୍ତ ହେବା ଯୋଗୁଁ ଆନ୍ଦୋଳନ ସ୍ଥଗିତ ରଖିଥିଲେ ଡାକ୍ତରୀ ଛାତ୍ର । ତେବେ ଆଜି ସୁପ୍ରିମକୋର୍ଟଙ୍କ ରାୟ ପରେ ଆନ୍ଦୋଳନକାରୀ ଡାକ୍ତରଙ୍କୁ ଆଶ୍ବସ୍ତି ମିଳିଛି ।

ବିଜେପି ଗୁଣ୍ଡାରାଜ ବିରୋଧରେ ପୋଲିସ ଆକ୍ସନ, ୮ ଗିରଫ

ଭଦ୍ରକ: ଭଦ୍ରକ ଜିଲ୍ଲାପାଳଙ୍କ ଅଫିସରେ ବିଜେପି କର୍ମୀଙ୍କ ଗୁଣ୍ଡାଗର୍ଦ୍ଦି ଘଟଣା ପଡ଼ିଲା ମହଙ୍ଗା । ୮ ଜଣଙ୍କୁ ଗିରଫ କଲା ପୋଲିସ ।

ଗତକାଲି ବିଜେପି କର୍ମୀମାନେ ଜିଲ୍ଲାପାଳଙ୍କ ଅଫିସକୁ ଧସେଇ ପଶିବା ସହ ଭଙ୍ଗା ରୁଜା କରିଥିଲେ । ଭିଡିଓ ଫୁଟେଜ ଆଧାରରେ ଘଟଣାର ତଦନ୍ତ କରାଯାଉଥିବା ବେଳେ ୮ ଜଣ ଗିରଫ ହୋଇଛନ୍ତି । ଘଟଣାରେ ସମ୍ପୃକ୍ତ ଅନ୍ୟମାନଙ୍କ ବିରୋଧରେ ଶୀଘ୍ର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ।

ପଞ୍ଚାୟତ ନିବାଚନରେ ଓବିସି ସ୍ଥାନ ସଂରକ୍ଷଣ ପ୍ରସଙ୍ଗରେ ବିଜେପି କର୍ମୀମାନେ ଏହି କାଣ୍ଡ ଭିଆଇଥିଲେ । ବରିଷ୍ଠ ନେତାଙ୍କ ଉପସ୍ଥିତିରେ କର୍ମୀମାନେ ଭଙ୍ଗାରୁଜା କରିଥିଲେ ବି କେହି ଅଟକାଇ ନଥିଲେ । ବିଜେପିର ଏମିତି ଗୁଣ୍ଡାରାଜକୁ ସବୁ ମହଲରୁ ନିନ୍ଦା କରାଯାଉଛି । କ୍ଷମତା ଲୋଭରେ ବିଜେପି ନେତାମାନେ ଯେକୌଣସି ସ୍ତରକୁ ଖସି ଯିବାକୁ ପଛାଉ ନାହାନ୍ତି । ସେମାନଙ୍କ ଉପସ୍ଥିତିରେ ଦଳୀୟ କର୍ମୀ ଆଇନକୁ ହାତକୁ ନେଇ ସରକାରୀ ସମ୍ପତ୍ତି ନଷ୍ଟ କରୁଥିଲେ ବି ଏମାନେ କେବଳ ନିରବଦର୍ଶା ସାଜୁଛନ୍ତି ।

ସାଉଥ ସୁପରଷ୍ଟାର ମହେଶ ବାବୁଙ୍କୁ କରୋନା, ଟ୍ୱିଟ କରି ଦେଲେ ଏହି ସୂଚନା

ହାଇଦ୍ରାବାଦ: ସାରା ଦେଶରେ କରୋନା ସଂକ୍ରମଣ ପୁଣି ଥରେ ବୃଦ୍ଧି ପାଇବାରେ ଲାଗିଛି । ନୂଆବର୍ଷପରଠାରୁ କରୋନା ସଂକ୍ରମଣ ବୃଦ୍ଧି ପାଇଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁସାରେ ଗତ ୨୪ ଘଣ୍ଟାରେ ଦେଶରେ ଏକ ଲକ୍ଷରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବିଗତ କିଛି ଦିନ ମଧ୍ୟରେ ଦେଶରେ ଅନେକ ସେଲିବ୍ରେଟି କରୋନରେ ଆକ୍ରାନ୍ତ ହୋଇଛନ୍ତି । ଏହି ଲିଷ୍ଟରେ ଏବେ ଯୋଡି ହୋଇଛନ୍ତି ସାଉଥ ସୁପରଷ୍ଟାର ମହେଶ ବାବୁ । ମହେଶ ବାବୁ କରୋନାରେ ସଂକ୍ରମଣ ହେବା ନେଇ ଟ୍ୱିଟ କରି ସୂଚନା ଦେଇଛନ୍ତି ।

ଗୁରୁବାର ମହେଶ ବାବୁ ଟ୍ୱିଟ କରି କହିଛନ୍ତି କି ’ମୁଁ ମୋର ସମସ୍ତ ଫ୍ୟାନ ଓ ଶୁଭଚିନ୍ତକଙ୍କୁ କହିବାକୁ ଚାହୁଁଛି କି ସମସ୍ତ ସତର୍କତା ଅବଲମ୍ବନ କରିବା ସତ୍ତ୍ୱେ ମୁଁ କରୋନା ସଂକ୍ରମିତ ହୋଇଛି । ମୋ ମଧ୍ୟରେ ସ୍ୱଳ୍ପ ଲକ୍ଷଣ ଦେଖା ଦେଇଛି । ମୁଁ ଏବେ ଘରେ ଆଇସୋଲେସନରେ ରହିଛି ଏବଂ ସମସ୍ତ ମେଡିକାଲ ଗାଇଡ ଲାଇନ୍ସ ପାଳନ କରୁଛି ବୋଲି କହିଛନ୍ତି ମହେଶ ବାବୁ । ଏହା ବ୍ୟତୀତ ମହେଶ ବାବୁ ତାଙ୍କ ସମସ୍ତ ଫ୍ୟାନଙ୍କୁ ସତର୍କ ରହିବାକୁ ନିବେଦନ କରିଛନ୍ତି । ସେ ଏହି ଟ୍ୱିଟରେ ଆହୁରି କହିଛନ୍ତି କି ମୋ ସମ୍ପର୍କରେ ଆସିଥିବା ସମସ୍ତ ଲୋକ ତୁରନ୍ତ କୋଭିଡ-୧୯ ଟେଷ୍ଟ କରିନିଅନ୍ତୁ ଏବଂ ଯେଉଁମାନେ କରୋନା ଭ୍ୟାକସିନ ନେଇ ନାହାନ୍ତି ସେମାନେ ତୁରନ୍ତ ଭ୍ୟାକସିନର ଉଭୟ ଡୋଜ ନିଅନ୍ତୁ ବୋଲି ମହେଶ ବାବୁ କହିଛନ୍ତି ।

 

 

ରାଜ୍ୟରେ ପୁଣି ଉପରମୁହାଁ କରୋନା ସଂକ୍ରମଣ, ୨୪ ଘଣ୍ଟାରେ ୨୭୦୩ ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ହୁ ହୁ ହୋଇ ବଢ଼ିଚାଲିଛି କରୋନା ସଂକ୍ରମଣ । ନୂଆବର୍ଷ ପରଠାରୁ ରାଜ୍ୟରେ ପୁଣି ଥରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ୨୭୦୩ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ କ୍ବାରେଣ୍ଟାଇନରୁ ୧୫୭୯ ଚିହ୍ନଟ ହୋଇଥିବାବେଳେ ଲୋକାଲରୁ ୧୧୨୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ଏମାନଙ୍କ ମଧ୍ୟରୁ ୦ ରୁ ୧୮ ବର୍ଷ ବୟସର ୪୦୯ ଜଣ ସଂକ୍ରମିତ ହୋଇଛନ୍ତି ।

ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ମୋଟ ସଂକ୍ରମିତଙ୍କ ମଧ୍ୟରୁ ୫ ଜିଲ୍ଲାରେ ଶହେ ଉପରେ ସଂକ୍ରମଣ ରହିଛି । ଖୋର୍ଦ୍ଧାରୁ ସର୍ବାଧିକ ୯୨୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡରେ ୪୫୪, କଟକରେ ୧୯୧, ସମ୍ବଲପୁରରେ ୧୭୯, ଝାରସୁଗୁଡାରେ ୧୦୬ ଓ ଷ୍ଟେଟପୁଲରୁ ୨୧୧ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ଯାଜପୁରରୁ ୭୮, ବରଗଡ଼ରୁ ୭୫, ବାଲେଶ୍ବରରୁ ୭୩, ବଲାଙ୍ଗୀର ଓ ପୁରୀରୁ ୫୪ଜଣ ଲେଖାଏଁ, ମୟୂରଭଞ୍ଜରୁ ୪୨, ଦେବଗଡ଼ରୁ ୩୭, କେନ୍ଦୁଝରରୁ ୩୩, ନବରଙ୍ଗପୁରରୁ ୨୯, ଗଞ୍ଜାମରୁ ୨୭, ରାୟଗଡ଼ାରୁ ୨୨, କୋରାପୁଟରୁ ୧୯, ଜଗତସିଂହପୁର ଓ କଳାହାଣ୍ଡିରୁ ୧୩ଜଣ ଲେଖାଏଁ, ନୂଆପଡା ଓ ସୋନପୁରରୁ ୧୦ଜଣ ଲେଖାଏଁ, ଗଜପତିରୁ ୯, ଅନୁଗୁଳ ଓ ବୌଦ୍ଧରୁ ୭ଜଣ ଲେଖାଏ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କେନ୍ଦ୍ରାପଡା ଓ ନୟାଗଡ଼ରୁ ୬ଜଣ ଲେଖାଏଁ, ଭଦ୍ରକରୁ ୫, ଢେଙ୍କାନାଳ ଓ କନ୍ଧମାଳରୁ ୩ଜଣ ଲେଖାଏଁ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ମାଲକାନଗିରିରୁ ଜଣେ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଅନ୍ୟପକ୍ଷରେ ରାଜ୍ୟରେ ଗତ ୨୪ଘଣ୍ଟାରେ ୨୦୪ ସଂକ୍ରମିତ ସୁସ୍ଥ ହୋଇଥିବା ବେଳେ ଆକ୍ଟିଭ କେସ୍ ୮୨୩୭ ରହିଛି ।

ସେହିପରି ଯଦି ଟିକାକରଣ କଥା କହିବା ତାହାଲେ ରାଜ୍ୟରେ ବର୍ତ୍ତମାନ ୨ ହଜାର ୩୨୦ କେନ୍ଦ୍ରରେ ଟିକାକରଣ ଚାଲିଛି । ଏଥିମଧ୍ୟରୁ ୧୧ ଶହ ୯୧ଟି କେନ୍ଦ୍ରରେ ୧୫ରୁ ୧୮ ବର୍ଷ ପିଲାଙ୍କୁ ଟିକା ଦିଆଯାଉଛି । ଏ ବର୍ଗର ୩ ଲକ୍ଷ ୪୨ ହଜାର ୨୩୨ ଜଣଙ୍କୁ ଟିକା ଦିଆସରିଲାଣି । ପ୍ରଥମ ଡୋଜ ଟିକା କଥା ଯଦି କହିବା ତାହାଲେ ବର୍ତ୍ତମାନ ସୁଦ୍ଧା ୯୧ ପ୍ରତିଶତ ଲୋକଙ୍କୁ ପ୍ରଥମ ଡୋଜ ଟିକା ଦିଆଯାଇଛି । ସେଥି ମଧ୍ୟରୁ ଦ୍ଵିତୀୟ ଡୋଜ ନେବା ପାଇଁ ସମୟ ହୋଇଥିବା ଲୋକଙ୍କ ମଧ୍ୟରୁ ୯୦ ପ୍ରତିଶତ ଲୋକ ନେଇ ସାରିଛନ୍ତି । ଅନ୍ୟପକ୍ଷରେ ଆସନ୍ତା ୧୦ ତାରିଖରେ ଆରମ୍ଭ ହେବ ବୁଷ୍ଟର ଡୋଜ । ସମ୍ମୁଖ ଯୋଦ୍ଧା, ବିଭିନ୍ନ ରୋଗରେ ଆକ୍ରାନ୍ତ ବ୍ୟକ୍ତିଙ୍କୁ ଦିଆଯିବ ପ୍ରିକସନ ଡୋଜ ।

ଆହୁରି ବଢ଼ିବ ସଂକ୍ରମଣ

ଅନ୍ୟ ରାଜ୍ୟ ଗୁଡିକର ସ୍ଥିତିକୁ ଦେଖିଲେ ସ୍ପଷ୍ଟ ଯେ ସଂକ୍ରମଣ ଦ୍ରୁତ ଗତିରେ ବଢୁଛି । ମାତ୍ର କହି ହେବନି ଯେ ଏହା କେବେ ପିକ ନେବ । ଯେବେ ଗୋଟିଏ ଲହର ଆସେ ବଢେ, କିଛିଦିନ ରହେ ଓ ତା ପରେ ତଳକୁ ଖସେ ବୋଲି କହିଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ।

ସେ ଆହୁରି କହିଛନ୍ତି, ‘କେନ୍ଦ୍ର ସରକାରଙ୍କ ଗାଇଡ଼ ଲାଇନ ଅନୁଯାୟୀ ସଂକ୍ରମଣ ବଢୁଥିବା ବା ସମ୍ବେଦନଶୀଳ ସ୍ଥାନ ଗୁଡିକ ଉପରେ ରାଜ୍ୟ ସର୍ଭିଲାନ୍ସ ଟିମ ନଜର ରଖିଛନ୍ତି । ଖୋର୍ଦ୍ଧା, ସୁନ୍ଦରଗଡ, ସମ୍ବଲପୁରରେ ସଂକ୍ରମଣ ବଢୁଛି । ମାତ୍ର ଆମେ ସବୁ ଜିଲ୍ଲାଗୁଡିକୁ ସମ୍ବେଦନଶୀଳ ଭାବେ ନେଇ କାମ କରୁଛୁ । ରାଜ୍ୟର ଟ୍ରାନ୍ସମିସନ ରେଟ ବହୁତ ହାଇ ରହିଛି । ଆଗକୁ ନିଶ୍ଚିତ ଆହୁରି ଅଧିକ କେସ ଆସିବ ଓ ସବୁ ବର୍ଗରେ ସଂକ୍ରମଣ ବଢ଼ିବ । ମେଡିକାଲରେ ବେଡ଼ ବହୁତ ଫାଙ୍କା ରହିଛି । ତଥାପି ଆମେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ କାର୍ଯ୍ୟ କରୁଛୁ । ରାଜ୍ୟର ପ୍ରତ୍ୟେକ ସ୍ଥାନରେ ବ୍ଲକରୁ ଜିଲ୍ଲା ସ୍ତର ପର୍ଯ୍ୟନ୍ତ କଣ୍ଟ୍ରୋଲ ରୁମ ଖୋଲା ରହିଛି ।’

ବାତିଲ ହେଲା ଭିସୁଟ୍ ଅଫଲାଇନ୍ ପରୀକ୍ଷା

ସମ୍ବଲପୁର: ବୁର୍ଲା ଭିସୁଟରେ ବାତିଲ ହେଲା ଅଫଲାଇନ ପରୀକ୍ଷା ଓ ପାଠପଢା | କ୍ୟାମ୍ପସ ଛାଡିଲେ ଛାତ୍ରଛାତ୍ରୀ । ଭିସୁଟରେ ଲଗାତାର ଛାତ୍ରଛାତ୍ରୀ କରୋନା ସଂକ୍ରମିତ ହେବା ପରେ ଏଭଳି ନିଷ୍ପତ୍ତି ନିଆଯାଇଛି । ଆସନ୍ତା ୧୦ ତାରିଖ ଯାଏଁ ସମସ୍ତ ଅଫଲାଇନ କ୍ଲାସ ବାତିଲ କରାଯାଇଛି ।

ରାଜ୍ୟରେ କରୋନା ସଂକ୍ରମଣ ବଢ଼ି ଚାଲିଥିବା ବେଳେ ଓମିକ୍ରନ ମୁଣ୍ଡବିନ୍ଧାର କାରଣ ପାଲଟିଛି । ଯଦିଓ ରାଜ୍ୟରେ ଓମିକ୍ରନ ସଂକ୍ରମଣ ସେମିତି ହୋଇନାହିଁ, ହେଲେ ଅନ୍ୟ ରାଜ୍ୟରେ ଏହାର ହାରକୁ ଦେଖି ରାଜ୍ୟ ସରକାର ମୁକାବିଲା ପାଇଁ ଜୋରଦାର ପ୍ରସ୍ତୁତି କରିଛନ୍ତି ।

ଓମିକ୍ରନ୍ ଆକ୍ରାନ୍ତ ହେଲେ ବଦଳି ଯିବ ଓଠର ରଙ୍ଗ

ନୂଆଦିଲ୍ଲୀ: ଦିନକୁ ଦିନ ଆହୁର ଭୟଙ୍କର ହେଉଛି କରୋନା । ବିଭିନ୍ନ ଭାରିଆଣ୍ଟର ରୂପ ନେଇ ଲୋକଙ୍କୁ କରୁଛି ସଂକ୍ରମଣ । ବର୍ତ୍ତମାନ ଭାରତରେ ଓମିକ୍ରନ ଭାରିଆଣ୍ଟକୁ ନେଇ କୋକୁଆ ଭୟ । ଓମିକ୍ରନର କିଛି ଲକ୍ଷଣ ସାମ୍ନାକୁ ଆସିଥିଲା । ଏବେ ଆସିଛି ଆଉ କିଛି ନୂଆ ଲକ୍ଷଣ । ଶରୀରର ରଙ୍ଗରୁ ଜାଣି ହେବ ଆପଣ ଓମିକ୍ରନ ଆକ୍ରାନ୍ତ କି ନୁହେଁ । ଓଠ, ଚର୍ମ ଓ ନଖରୁ ମିଳିବ କରୋନା ସଂକ୍ରମଣର ସୂଚନା ।

ଆମେରିକାରର ଡାକ୍ତରଙ୍କ କହିବା ଅନୁଯାୟୀ, ଯଦି ଓଠ, ଚର୍ମ ଓ ନଖର ରଙ୍ଗ ବଦଳି ଧୂସର ହୋଇଯାଉଛି ତେବେ ଏହା ଓମିକ୍ରନ୍ ସଂକ୍ରମଣର ସଙ୍କେତ ହୋଇପାରେ । ଡାକ୍ତରୀ ଟଇମ୍ ଏହାକୁ ଏମର୍ଜେନ୍ସି ୱାର୍ଣ୍ଣିଂ ସାଇନ ବୋଲି କହିଛନ୍ତି । ଆମେରିକା ସେଣ୍ଟର ଫର ଡିଜିଜ କଣ୍ଟ୍ରୋଲ ଆଣ୍ଡ ପ୍ରିଭେନସନ ରଙ୍ଗ ପରିବର୍ତ୍ତନକୁ ତତ୍କାଳ ମେଡିକାଲ ଆଟେନସନର ଆବଶ୍ୟକତା ବୋଲି କହିଛନ୍ତି ।

ମହାମାରୀ ଆରମ୍ଭ ହେବା ପରଠାରୁ ଆମେରିକାର ସ୍ବାସ୍ଥ୍ୟ ମୁଖ୍ୟ ମଧ୍ୟ ଏହି ଲକ୍ଷଣଗୁଡିକୁ ଏମେର୍ଜେନ୍ସି ମେଡିକାଲର ଆବଶ୍ୟକତା ବୋଲି କହିଥିଲେ । ତେବେ ଓମିକ୍ରନ ମାମଲାରେ ଏଭଳି ଲକ୍ଷଣ ଚିହ୍ନଟ କରାଯାଇଛି ।

ସିଡିଏସ କୋଭିଡ ପାଇଁ ୧୧ ଲକ୍ଷଣ ଚିହ୍ନଟ କରିଛନ୍ତି ଯେଉଁଥିରେ ମୁଣ୍ଡବିନ୍ଧା, ଗଳାରେ ଯନ୍ତ୍ରଣା, ଅସହଜ ଆଦି ସାମିଲ । ଅପରପକ୍ଷରେ ରାଷ୍ଟ୍ରୀୟ ସ୍ବାସ୍ଥ୍ୟ ସେବା (NHS) ମଧ୍ୟ ୩ଟି ଲକ୍ଷଣ ଚେତାବନୀର ଘଣ୍ଟି ବୋଲି କହିଛି। ଏହି ସଂକେତଗୁଡିକ ହେଲା ଜ୍ବର, ଲଗାତାର କାଶ, ସ୍ବାଦ ଓ ଗନ୍ଧ ବାରି ନ ପାରିବା। ଓଠ, ଚର୍ମ ଓ ନଖର ରଙ୍ଗ ପରିବର୍ତ୍ତନକୁ ଏନଏଚଏସ ୱାର୍ଣ୍ଣିଂ ସାଇନ ବୋଲି ମାନୁନାହିଁ । କିନ୍ତୁ ରିପୋର୍ଟରେ କୁହାଯାଇଛି ଯେ, ଯଦି ଶିଶୁଙ୍କ ଓଠ, ଚର୍ମ ଓ ନଖର ରଙ୍ଗ ଧୂସର, ନୀଳ ବା ଗ୍ରେ ହୋଇଯାଉଛି ତାହେଲେ ତୁରନ୍ତ ଡାକ୍ତରଙ୍କୁ ପରାମର୍ଶ କରିବା ଉଚିତ ।

ଲଣ୍ଡନ କିଙ୍ଗ୍ସ କଲେଜର ରିସର୍ଚ୍ଚର ନିଜ ବିଶ୍ଳେଷଣ ଆଧାରରେ ଜାଣିବାକୁ ପାଇଛନ୍ତି ଯେ ଭ୍ୟାକସିନ ନେଇଥିବା ଲୋକଙ୍କ ମଧ୍ୟରେ ସାଧାରଣତଃ ସାମାନ୍ୟ ଲକ୍ଷଣ ଦେଖାଦେଉଛି । ଏଗୁଡିକ ହେଲା ଛିଙ୍କ, ମୁଣ୍ଡବିନ୍ଧା, ଥଣ୍ଡା, ସ୍ବାଦ ବାରି ନ ପାରିବା, ଜ୍ବର ହେବା, ଗଳାରେ ଯନ୍ତ୍ରଣା ଇତ୍ୟାଦି। ଅପରପକ୍ଷରେ ନଖର ରଙ୍ଗ ବଦଳିବା ଆଇରନ ଅଭାବର ସଂକେତ ମଧ୍ୟ ହୋଇଥାଏ । ନଖର ରଙ୍ଗ ଗ୍ରେ ହେବା ଅର୍ଥ ଉକ୍ତ ବ୍ୟକ୍ତିଙ୍କ ଶରୀରର ପ୍ରମୁଖ ଅଙ୍ଗରେ ଅକ୍ସିଜେନ ଅଭାବ ରହିଛି । ଚର୍ମ ଓ ଓଠ ଗ୍ରେ ହେବାର ଅର୍ଥ ଶରୀରରେ ରକ୍ତ ସଂଚାଳନ ଠିକ ଭାବେ ହେଉନାହିଁ ଏବଂ ଅକ୍ସିଜେନ ସପ୍ଲାଏ ମଧ୍ୟ ଠିକ ଭାବେ ହେଉନାହିଁ । ଏହାଦ୍ବାରା ଶ୍ବାସ ରୋଗ, ନିମୋନିଆ ଓ ହୃଦରୋଗର ବିପଦ ରହିଛି ।

ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ କରୋନା

ଭୁବନେଶ୍ବର: ସ୍ବାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସଙ୍କୁ କରୋନା । ଟ୍ବିଟ୍ କରି ଆକ୍ରାନ୍ତ ହୋଇଥିବା ସୂଚନା ଦେଲେ ମନ୍ତ୍ରୀ । ଲକ୍ଷଣବିହୀନ କୋଭିଡ ଆକ୍ରାନ୍ତ ହୋଇଥିବା ସେ ଜଣାଇଛନ୍ତି । ଏବେ ସେ ହୋମ୍ ଆଇସୋଲେସନରେ ଅଛନ୍ତି । ଗତ ୩ଦିନ ମଧ୍ୟରେ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକ ନିଜକୁ ଆଇସୋଲେଟ୍ କରନ୍ତୁ ଏବଂ କୋଭିଡ ଟେଷ୍ଟ କରାଇନିଅନ୍ତୁ ବୋଲି ଟ୍ବିଟ୍ କରି ଜଣାଇଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ।

ଦେଶରେ ଲକ୍ଷେ ଟପିଲା ଦୈନିକ ସଂକ୍ରମଣ

ନୂଆଦିଲ୍ଲୀ: କଲବଲ କରୁଛି କରୋନା ଭୂତାଣୁ । ମାଡ଼ି ମାଡ଼ି ଚାଲିଛି । ଲୋକଙ୍କ ପାଖରୁ ଲୋକଙ୍କ ପାଖକୁ ଡେଉଁଛି । ଦେଶରେ ଲକ୍ଷେ ଟପିଛି ଦୈନିକ ସଂକ୍ରମଣ । ଦିନକରେ ଏକ ଲକ୍ଷ ୧୭ ହଜାର ଶହେ ପିଜିଟିଭ ଚିହ୍ନଟ ହୋଇଛନ୍ତି । ୩୦୨ ଆକ୍ରାନ୍ତଙ୍କ ଜୀବନ ନେଇଛି କିଲର କରୋନା । ୩୦ ହଜାର ୮୩୬ ସଂକ୍ରମିତ ସୁସ୍ଥ ହୋଇଥିବା ସୂଚନା ମିଳିଛି ।

ଦେଶର ଦୈନିକ ପିଜିଟିଭିଟି ୭.୭୪ ପ୍ରତିଶତ ରହିଛି । କରୋନା ଆକ୍ଟିଭ କେସ୍ ୩ ଲକ୍ଷ ୭୧ ହଜାର ୩୬୩ ଥିବା ବେଳେ ମୋଟ୍ ମୃତ୍ୟୁସଂଖ୍ୟା ୪ ଲକ୍ଷ ୮୩ ହଜାର ୧୭୮ । ଏପଟେ ଜୋରସୋରରେ ଚାଲିଛି ଟିକାକରଣ  । ୧୪୯.୬୬ କୋଟି ଟିକାକରଣ ହୋଇଥିବା କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ସେପଟେ ଦେଶରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୩ ହଜାର ୭କୁ ବୃଦ୍ଧି ପାଇଛି । ୧୧୯୯ ଜଣ ଓମିକ୍ରନରୁ ସୁସ୍ଥ ହୋଇଥିବା ସୂଚନା ମିଳିଛି । ମହାରାଷ୍ଟ୍ରରୁ ସର୍ବାଧିକ ୮୭୬ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ, ସୁସ୍ଥ ହେଲେଣି ୩୮୨ ଓମିକ୍ରନ ଆକ୍ରାନ୍ତ ।

ସରିଲା ଶିଶିର ସରସ ମେଳା

ଭୁବନେଶ୍ବର: ଓଡ଼ିଶା ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଅଧୀନରେ ଥିବା ଓରମାସ ତରଫରୁ ଆୟୋଜିତ ଜାତୀୟ ସ୍ତରୀୟ ପ୍ରଦର୍ଶନୀ ଶିଶିର ସରସ ଉଦଯାପିତ ହୋଇଯାଇଛି । ମେଳାରେ ମୋଟ ୮ କୋଟିରୁ ଅଧିକ ଟଙ୍କାର ବ୍ୟବସାୟ ହୋଇଛି । ୨୨ଟି ରାଜ୍ୟର ଗ୍ରାମୀଣ କାରିଗରଙ୍କ ସହ ଓଡ଼ିଶାର ସମସ୍ତ ଜିଲ୍ଲାର ସ୍ବୟଂ ସହାୟିକ ଗୋଷ୍ଠୀ ଓ ଉତ୍ପାଦକ ଗୋଷ୍ଠୀର ସଦସ୍ୟମାନେ ଅଂଶଗ୍ରହଣ କରି ହାତ ତିଆରି ଜିନିଷ ବିକ୍ରି କରିଥିଲେ । ଚଳିତବର୍ଷ ମେଳାରେ ମୋଟ ୩୦୦ଟି ଷ୍ଟଲ ଖୋଲିଥିଲା । ଶେଷ ଦିନରେ ମୋଟ ୯ଟି ବର୍ଗରେ ପୁରସ୍କାର ପ୍ରଦାନ କରାଯାଇଛି । ମେଳାରେ କୋଭିଡ ନିୟମାବଳୀ କଡ଼ାକଡ଼ି କରାଯିବା ସହ ଭିଡ଼ ନିୟନ୍ତ୍ରଣ ଓ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ବ୍ୟାପକ ସୁରକ୍ଷାକର୍ମୀ ଓ ପୋଲିସ ନିୟୋଜିତ ହୋଇଥିଲେ ।

ଘର ମରାମତି ପାଇଁ ୩ ହଜାର ଟଙ୍କା ଦେବେ ସରକାର

ଭୁବନେଶ୍ବର: ସରକାର ଦେବେ ଟଙ୍କା । ଲୋକେ କରିବେ ଘର ମରାମତି । ବିଜୁ ପକ୍କା ଘର ପାଇଥିବା ଓ ପାଇନଥିବା ଯୋଗ୍ୟ ପରିବାରଙ୍କ ପାଇଁ ରାଜ୍ୟ ସରକାର ନେଇଛନ୍ତି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି । ପକ୍କା ଘର ପାଇଥିବା ପ୍ରତ୍ୟେକ ପରିବାରଙ୍କୁ ୩ ହଜାର ଟଙ୍କାର ଘର ମରାମତି ସହାୟତା ଦେବେ ସରକାର । ଆଜି ଏହାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଏଥିପାଇଁ ସରକାର ୧ ହଜାର ୪୪୪ କୋଟି ଟଙ୍କା ଖର୍ଚ୍ଚ କରିବେ । ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ଯିବ ଏହି ସହାୟତା ଟଙ୍କା । ଏହାଦ୍ବାରା ଉପକୃତ ହେବେ ରାଜ୍ୟର ୩୦ ଲକ୍ଷ ପରିବାର । ଗତ ୨୧ ତାରିଖରେ ହୋଇଥିବା କ୍ୟାବିନେଟ୍ ବୈଠକରେ ଏନେଇ ନିଷ୍ପତ୍ତି ହୋଇଥିଲା । ବିଜୁ ପକ୍କା ଘର ପାଇଥିବା ହିତାଧିକାରୀଙ୍କୁ ଘର ମରାମତି ପାଇଁ ୩ ହଜାର ଟଙ୍କା ପ୍ରଦାନ କରିବାକୁ ଘୋଷଣା ପରେ ସବୁଠି ଖୁସିର ଲହରୀ ଖେଳିଯାଇଥିଲା । ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ ହିତାଧିକାରୀ ।