spot_img
Home Blog Page 4731

ଇସ୍ରାଏଲରେ ଚିହ୍ନଟ ହେଲା ପ୍ରଥମ ‘ଫ୍ଲୋରୋନା’ ମାମଲା, କୋଭିଡ୍ ଓ ଇନଫ୍ଲୁଏଞ୍ଜାର ମିଶ୍ରିତ ସଂକ୍ରମଣ

ଜେରୁସଲେମ: ବିଶ୍ୱର ବିଭିନ୍ନ ଦେଶରେ ଓମିକ୍ରନ୍ ଆତଙ୍କ ରଚୁଛି । ଓମିକ୍ରନର ବଢ଼ୁଥିବା ମାମଲାକୁ ଦେଖି ବିଭିନ୍ନ ରାଷ୍ଟ୍ର କଟକଣାକୁ କଡ଼ାକଡ଼ି କରୁଛନ୍ତି । ଅନ୍ୟପଟେ କୋଭିଡର ଭିନ୍ନ ଭିନ୍ନ ଭାରିଆଣ୍ଟରୁ ରକ୍ଷା ପାଇବା ଲାଗି ଟିକାକରଣକୁ ଗୁରୁତ୍ୱ ଦିଆଯାଉଛି । ଏହାରି ଭିତରେ ଇସ୍ରାଏଲରେ ଚିହ୍ନଟ ହୋଇଛି ନୂଆ ରୋଗ ‘ଫ୍ଲୋରୋନା’ । କରୋନା ଓ ଇନଫ୍ଲୁଏଞ୍ଜାର ମିଶ୍ରିତ ସଂକ୍ରମଣ ହେଉଛି ‘ଫ୍ଲୋରୋନା’ ।

ଇସ୍ରାଏଲ୍ କୋଭିଡ୍ ଟିକାର ଚତୁର୍ଥ ଡୋଜ୍ ଦେବା ଆରମ୍ଭ କରିଥିବା ବେଳେ ପୁଣି ନୂଆ ରୋଗ ଚିହ୍ନଟ ସମସ୍ତଙ୍କୁ ଚିନ୍ତିତ କରିଛି । ବିଶ୍ୱର ପ୍ରଥମ ଦେଶ ଭାବେ ଇସ୍ରାଏଲ୍ କୋଭିଡ୍ ସଂକ୍ରମଣ ଆଶଙ୍କା ଥିବା ଲୋକଙ୍କୁ କୋଭିଡ୍ ଟିକାର ଚତୁର୍ଥ ଡୋଜ୍ ଦେଉଛି । ଅଗଷ୍ଟରେ ଇସ୍ରାଏଲ୍ ୧୫୦ ଜଣ ସ୍ୱାସ୍ଥ୍ୟକର୍ମୀଙ୍କୁ କୋଭିଡ୍ ଟିକାର ବୁଷ୍ଟର ଡୋଜ୍ ଦେଇଥିଲା । ଏବେ ସେହି ମାନଙ୍କୁ ଚତୁର୍ଥ ଡୋଜ୍ ଦେବା ଆରମ୍ଭ ହୋଇଛି ।

ଏବେ ଇସ୍ରାଏଲରେ କରୋନାର ୨୨ ହଜାର ସକ୍ରିୟ ମାମଲା ରହିଛି । କୋଭିଡ୍ ସଂକ୍ରମଣ ଆରମ୍ଭରୁ ଏବେ ଯାଏ ଇସ୍ରାଏଲରେ କରୋନାରେ ୮ ହଜାର ୨୪୩ ଜଣଙ୍କ ମୃତ୍ୟୁ ହୋଇଛି । ଗୁରୁବାର ଗୋଟିଏ ଦିନରେ ଇସ୍ରାଏଲରେ କୋଭିଡର ୫ ହଜାରରୁ ଅଧିକ ମାମଲା ଆସିଛି ।

ନିୟମିତ ହେଲେ ୮ ହଜାର ୧୦୨ କନିଷ୍ଠ ଶିକ୍ଷକ

ଭୁବନେଶ୍ବର: ୨୦୧୫ ଜାନୁଆରୀ ରେ ନିଯୁକ୍ତି ପାଇଥିବା ୮ ହଜାର ୧୦୨ କନିଷ୍ଠ ଶିକ୍ଷକଙ୍କୁ ରାଜ୍ୟ ସରକାର ଆଜି ନିୟମିତ କରିଛନ୍ତି । ୬ ବର୍ଷ ୧୧ ମାସ ପରେ ଏମାନଙ୍କୁ ନିୟମିତ କରାଯାଇଥିବା କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ । ଏହା ଭିତରେ ୪୦ ହଜାର ୫୨ ଜଣ ଶିକ୍ଷକଙ୍କୁ ପଦୋନ୍ନତି ଦିଆଯାଇଥିବା କହିଛନ୍ତି ମନ୍ତ୍ରୀ ।

୨୦୨୨ର ଯୋଜନାକୁ ନେଇ ମନ୍ତ୍ରୀ କହିଛନ୍ତି, ‘୨୫୦ ବ୍ଲକରେ ଆଦର୍ଶ ବିଦ୍ୟାଳୟ ଖୋଲାଯାଇଛି । ବାକି ବ୍ଲକରେ ଆଦର୍ଶ ବିଦ୍ୟାଳୟ ଖୋଲାଯିବ ଓ ଚଳିତବର୍ଷ ଷଷ୍ଠ ଶ୍ରେଣୀରୁ ପାଠପଢ଼ା ଆରମ୍ଭ କରାଯିବ | ରାଜ୍ୟର ସମସ୍ତ ସ୍କୁଲକୁ ରୂପାନ୍ତରୀକରଣ କରାଯାଇ ଫାଇଭ ଟି ଅଧୀନକୁ ଅଣାଯିବ | ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ଜାରି ରହିଛି | ୧୧ ହଜାର ଶିକ୍ଷକ ନିଯୁକ୍ତି ପାଇଁ ବିଜ୍ଞପତି ବାହାରି ସାରିଛି | ଆଦର୍ଶ ବିଦ୍ୟାଳୟରେ ୧୭୦୦ ଶିକ୍ଷକ ଶିକ୍ଷୟତ୍ରୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି | ପ୍ରାଥମିକ ଶିକ୍ଷାରୁ ଉଚ୍ଚ ଶିକ୍ଷା ପର୍ଯ୍ୟନ୍ତ ଗୁରୁତ୍ବ ଦିଆଯାଉଛି | ଦଶମ ଓ ଦ୍ବାଦଶ ବାର୍ଷିକ ପରୀକ୍ଷା ସଠିକ ସମୟରେ କରି ଫଳ ବାହାର କରିବା ପାଇଁ ଆଶା ରଖିଛୁ । କିଛି ସମସ୍ୟା ଉପୁଜିଲେ ଏହାର ମୁକାବିଲା ପାଇଁ ବିଭାଗ ସଜାଗ ଅଛି ।’

ନବୀନଙ୍କ ନବବର୍ଷ ବାର୍ତ୍ତା ନେଇ ମୟୂରଭଞ୍ଜରେ ପ୍ରଣବ

ବାରିପଦା: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୂତନ ବର୍ଷର ବାର୍ତ୍ତା ନେଇ ମୟୂରଭଞ୍ଜ ଜିଲ୍ଲାରେ ପହଞ୍ଚିଲେ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । ସାଧାରଣ ଲୋକଙ୍କ ନିକଟରେ ପହଞ୍ଚି ସେବା ଯୋଗାଇବା ପାଇଁ ଦଳୀୟ କର୍ମୀଙ୍କୁ ଦେଲେ ପରାମର୍ଶ । ମାଆ କୀଚକେଶ୍ବରୀଙ୍କ ମାଟିରେ କର୍ମୀଙ୍କୁ ନୂଆ ଚିନ୍ତାଧାରାରେ ଲୋକଙ୍କ ନିକଟତର ହୋଇ ସେବା କରି ହୃଦୟ ଜିତିବାକୁ ଗୁରୁମନ୍ତ୍ର ଦେଇଛନ୍ତି ପ୍ରଣବ ।

ରାଜ୍ୟବାସୀଙ୍କ ସହ ମୟୂରଭଞ୍ଜ ଜିଲ୍ଲାର ଜନ ସାଧାରଣ, ବିଜେଡି ନେତୃବୃନ୍ଦ, ବରିଷ୍ଠ ନାଗରିକ, ଶିକ୍ଷକ ସମାଜ, ମହିଳା, ଯୁବ ଓ ଛାତ୍ର ନେତୃବୃନ୍ଦଙ୍କୁ ସେ ନୂତନ ବର୍ଷର ଶୁଭେଚ୍ଛା ଜଣାଇଛନ୍ତି । ପ୍ରଣବ ପ୍ରକାଶ ଦାସଙ୍କ ଗସ୍ତ ସମୟରେ ପୂର୍ବତନ ଉପବାଚସ୍ପତି ସାନନ୍ଦ ମାଣ୍ଡ୍ରି, ମୋରଡ଼ା ବିଧାୟକ ରାଜକିଶୋର ଦାଶ ପ୍ରମୁଖ ଉପସ୍ଥିତ ଥିଲେ ।

ଦେଶରେ ବ୍ୟାପୁଛି ଓମିକ୍ରନ୍, ମହାରାଷ୍ଟ୍ରରେ ୧୦ ମନ୍ତ୍ରୀ କୋଭିଡ୍ ସଂକ୍ରମିତ

ନୂଆଦିଲ୍ଲୀ: ଦେଶରେ ବଢ଼ୁଛି ଓମିକ୍ରନ୍ ସଂକ୍ରମିତଙ୍କ ସଂଖ୍ୟା । ଦେଶରେ ଏଯାବତ୍ ୧ ହଜାର ୪୩୧ ଜଣ ଓମିକ୍ରନରେ ଆକ୍ରାନ୍ତ ହୋଇଛନ୍ତି । ୨୩ଟି ରାଜ୍ୟ ଓ କେନ୍ଦ୍ରଶା ସିତ ଅଞ୍ଚଳରେ କାୟା ମେଲାଇଲାଣି ଓମିକ୍ରନ୍ । ଗତ ୨୭୫ ଦିନ ମଧ୍ୟରେ ସର୍ବାଧିକ କୋଭିଡ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଗତ ୨୪ ଘଣ୍ଟାରେ ଦେଶରେ ୨୨ ହଜାର ୭୭୫ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଯାହାକି ଶୁକ୍ରବାର ଅପେକ୍ଷା ୩୫.୯ ପ୍ରତିଶତ ଅଧିକ । ଏଥିସହ ଗତ ୨୪ ଘଣ୍ଟାରେ ପ୍ରାଣ ହରାଇଛନ୍ତି ୪୦୬ ଜଣ ।

ସେପଟେ ମହାରାଷ୍ଟ୍ରରେ ବଢିଛି କରୋନା ସଂକ୍ରମଣ । ରାଜ୍ୟର ୧୦ ମନ୍ତ୍ରୀ ଓ ୨୦ରୁ ଅଧିକ ବିଧାୟକ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ଅଜିତ୍ ପାୱାର । ଗତ କିଛିଦିନ ଧରି ରାଜ୍ୟରେ କୋଭିଡ୍ ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ମନ୍ତ୍ରୀ ଓ ବିଧାୟକ ସଂକ୍ରମିତ ହେବା ରାଜ୍ୟ ସରକାରଙ୍କ ଲାଗି ଚିନ୍ତାର କାରଣ ହୋଇଛି ।

ମହାରାଷ୍ଟ୍ରରେ ସର୍ବାଧିକ ୮ ହଜାର ୬୭ ଜଣ ଲୋକ କରୋନା ସଂକ୍ରମିତ ହୋଇଛନ୍ତି । ଦ୍ୱିତୀୟ ସ୍ଥାନରେ ରହିଛି ପଶ୍ଚିମବଙ୍ଗ । ପଶ୍ଚିମବଙ୍ଗରେ ୩ ହଜାର ୪୫୧ ଲୋକ ସଂକ୍ରମିତ ହୋଇଥିବା ବେଳେ କେରଳରେ ୨ ହଜାର ୬୭୬ ଲୋକ ସଂକ୍ରମିତ ହୋଇଛନ୍ତି । ଦିଲ୍ଲୀରେ ୧ ହଜାର ୭୯୬ ଓ ତାମିଲନାଡୁରେ ୧ ହଜାର ୧୫୫ ଜଣ ସଂକ୍ରମିତ ହୋଇଛନ୍ତି ।

ନେତା, ମନ୍ତ୍ରୀଙ୍କୁ ନବୀନଙ୍କ ଗୁରୁମନ୍ତ୍ର

ଭୁବନେଶ୍ବର: ନବବର୍ଷର ଅଭିନନ୍ଦନ ଜଣାଇବା ସହ ମନ୍ତ୍ରୀ, ବିଧାୟକ ଓ ସାଂସଦଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣ ଯୋଜନାରୁ ଯେମିତି କୌଣସି ଲୋକ ବଞ୍ଚିତ ନହେବେ, ସେ ଦିଗରେ ଜନପ୍ରତିନିଧି ଅଧିକ ଗୁରୁତ୍ବ ଦେବାକୁ ନବୀନ ନିର୍ଦ୍ଦେଶ ଦେଇଛନ୍ତି । ବିଶେଷକରି ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା, ବିଜୁ ପକ୍କାଘର ଯୋଜନା, ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ମିଳୁଥିବା ସହାୟତା ଓ ରାଜ୍ୟ ସରକାରଙ୍କ ଅନ୍ୟାନ୍ୟ ଯୋଜନାର ଲାଭ ଯେପରି ସାଧାରଣ ଲୋକ ପାଇବେ, ତା’ ଉପରେ ବର୍ଷର ପ୍ରଥମ ଦିନରୁ ଗୁରୁତ୍ବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ଜନପ୍ରତିନିଧି ଲୋକଙ୍କ ସହ ରହି ଲୋକଙ୍କ ସୁଖଦୁଃଖରେ ସାଥୀ ହେବାକୁ ସେ ପରାମର୍ଶ ଦେଇଛନ୍ତି । ମନ୍ତ୍ରୀ, ବିଧାୟକ ଓ ସାଂସଦମାନେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ନବବର୍ଷର ଶୁଭେଚ୍ଛା ଜଣାଇଛନ୍ତି । ଏହାସହ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ନବବର୍ଷର ଅଭିନନ୍ଦନ ଜଣାଇଛନ୍ତି । ୨୦୨୨ ଓଡ଼ିଶା ପାଇଁ ସମୃଦ୍ଧିର ବର୍ଷ ହେଉ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଭିଡିଓ ବାର୍ତ୍ତା ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବବର୍ଷର ଶୁଭେଚ୍ଛା ଜଣାଇବା ସହ ଓମିକ୍ରନ ମୁକାବିଲା ପାଇଁ ରାଜ୍ୟବାସୀ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି । ଏହାସହ କୋଭିଡ ନିୟମ ପାଳନ କରିବାକୁ ଅନୁରୋଧ କରିଛନ୍ତି ।

୧୪ ବର୍ଷରେ କମିଶନରେଟ ପୋଲିସ

ଭୁବନେଶ୍ବର: ଆଜି ହେଉଛି କମିସନରେଟ୍‌ ପୋଲିସର ପ୍ରତିଷ୍ଠା ଦିବସ । ୧୩ ପୂରି ୧୪ ବର୍ଷରେ ପାଦ ଥାପିଛି କମିଶନରେଟ ପୋଲିସ । ୨୦୦୮ ଜାନୁଆରୀ ୧ରେ ଦ୍ବୈତନଗରୀ ଭୁବନଶ୍ବର-କଟକକୁ ନେଇ ଗଠିତ ହୋଇଥିଲା । ଏହାରି ଭିତରେ ଅନେକ ସଫଳତା ଓ ବିଫଳତା ଦେଖିଛି ।

୨୦୨୨ ପୋଲିସ ପାଇଁ ବଡ଼ ଚାଲେଞ୍ଜ ହେବ । କମିସନରେଟ୍ ପୋଲିସକୁ ଚଳିତବର୍ଷ ୩ଟି ନୂଆ ଥାନା ମିଳିଥିବା ବେଳେ, ଉଭୟ କଟକ ଓ ଭୁବନେଶ୍ବର ପାଇଁ ସ୍ବତନ୍ତ୍ର ଅପରାଧ ଶାଖା ଖୋଲା ଯାଇଛି । ଏହି ଅପରାଧ ଶାଖାରେ ସାଇବର ଠକେଇ ମାମଲାର ତଦନ୍ତ ହେବ । ସାଇବର ଅପରାଧ ନିୟନ୍ତ୍ରଣ କମିସନରେଟ୍ ପୋଲିସ ପାଇଁ ବଡ଼ ଆହ୍ବାନ ହେବ ବୋଲି ଜଣାପଡ଼ିଛି । ଅପରାଧ ନିୟନ୍ତ୍ରଣ ପାଇଁ ପିଓପିଡି, ଟିମ୍-୬୦ କାମ କରୁଛି । ଲୋକଙ୍କ ନିକଟତର ହେବା ପାଇଁ ପୋଲିସ ବସ୍ତିକୁ ଚାଲ ଅଭିଯାନ ଚଳାଇଛି । ୨୦୨୧ରେ ଅପରାଧ ବଢ଼ିଥିବା ବେଳେ ଚଳିତବର୍ଷ ଅପରାଧ ନିୟନ୍ତ୍ରଣ ପାଇଁ ରଣନୀତି ପ୍ରସ୍ତୁତ ହୋଇଛି ।

ସବୁଠି ଇପ୍ସିତାଙ୍କ ପ୍ରଶଂସା

ଭୁବନେଶ୍ବର: ଆର୍କିଟେକଚର ଇଂଜିନିୟରରୁ ଇଙ୍ଗଲିସ୍ ଲିଟେରେଚର । ବିପର୍ଯ୍ୟୟ ଓ ପରିବର୍ତ୍ତିତ ପରିବେଶ ଅନୁସାରେ ଘର ଡିଜାଇନରେ ଲଣ୍ଡନରୁ ସ୍ନାତକ । ଏବେ ୟୁଏନ୍ଡ଼ିପିରେ ସମୁଦ୍ର କୂଳିଆ ଲୋକଙ୍କୁ ବିପର୍ଯ୍ୟୟ ସାମ୍ନା କରିବାର କଳାକୌଶଳ ଶିଖାଇବାର ଦାୟିତ୍ବ ତୁଲାଉଥିବା ଯୁବ ପ୍ରତିଭା ଇପ୍ସିତା ଦାଶଙ୍କ ପ୍ରଥମ ଇଂରାଜୀ ନୋଭେଲ ‘ପ୍ଲାଉଇଙ୍ଗ ଦି ମିରେଜ’କୁ ମିଳୁଛି ସବୁଆଡୁ ପ୍ରଶଂସା । ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଲୋକାର୍ପିତ ଏହି ଉପନ୍ୟାସରେ ଲେଖିକା ଇପ୍ସିତା ଦାଶ ତାଙ୍କ ଲଣ୍ଡନରେ ପାଠପଢା ସମୟର ଅନୁଭୂତିକୁ ଏଥିରେ ନିଖୁଣ ଭାବେ ବର୍ଣ୍ଣନା କରିଛନ୍ତି। ଇପସିତାଙ୍କ ଶବ୍ଦ ସଂଯୋଜନା, ଲେଖାଶୈଳୀକୁ ଅନ୍ତର୍ଜାତୀୟ ସ୍ତରରେ ମିଳିଛି ଖୁବ୍ ସୁନାମ ।

କ୍ଲାସରୁମକୁ ମୋବାଇଲ ନେଇ ପାରିବେନି ଶିକ୍ଷକ !

ଭୁବନେଶ୍ବର: କ୍ଲାସରୁମକୁ ଯିବା ବେଳେ ଶିକ୍ଷକ ନେଇ ପାରିବେନି ମୋବାଇଲ । ଯଦି ନେବେ ତେବେ ଫୋନ୍ ସୁଇଚ୍ ଅଫ୍ କରିବେ । ପିଲାଙ୍କ ପାଠବଢ଼ା ବେଳେ ବନ୍ଦ ରହିବ ଶିକ୍ଷକଙ୍କ ମୋବାଇଲ ଫୋନ । ପିଲାଙ୍କ ପାଠପଢ଼ାକୁ ନେଇ ଏମିତି କିଛି ନିୟମ ଆଣିବାକୁ ବିଚାର କରୁଛନ୍ତି ରାଜ୍ୟ ସରକାର । ସୂଚନା ଦେଲେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ।

ନୂଆବର୍ଷ ଅଭିନନ୍ଦନ ଜଣାଇବା ସହ ମନ୍ତ୍ରୀ ଶିକ୍ଷକଙ୍କୁ ତାଗିଦ କରି କ୍ଲାସରୁମକୁ ଫୋନ ନେବା ଅନୁଚିତ ବୋଲି କହିଛନ୍ତି । କ୍ଲାସରୁମକୁ ଶିକ୍ଷକ ମୋବାଇଲ ନେଇ ଯାଇପାରିବେନି ବୋଲି ସମ୍ବଲପୁର ଡିଇଓ ନିର୍ଦ୍ଦେଶ ଦେଇଛନ୍ତି । ଏହାକୁ ନେଇ ମନ୍ତ୍ରୀ କହିଛନ୍ତି, ‘ସମ୍ବଲପୁର ଡିଇଓ ଯେଉଁ ନିଷ୍ପତ୍ତି ନେଇଛନ୍ତି, ତାହା ଭଲ। ଆଗମୀ ଦିନରେ ଏହା ସାରା ରାଜ୍ୟରେ ଲାଗୁ କରିବାକୁ ଵିଚାରବିମର୍ଶ ଚାଲିଛି। ବିଦ୍ୟାଳୟକୁ ଫୋନ ନେବାକୁ ମନା ନାହିଁ, ହେଲେ କ୍ଲାସରୁମକୁ ନୁହେଁ। କ୍ଲାସରୁମକୁ ଫୋନ ନେବାର କିଛି ଆବଶ୍ୟକତା ନାହିଁ। ପାଠପଢ଼ା ସମୟରେ ଫୋନ ଆସିବା ଦ୍ବାରା ଶିକ୍ଷାଦାନ ବ୍ୟାଘାତ ହେଉଛି ।’

ନୂଆବର୍ଷରେ ପାଣିପାଗର ନୂଆ ମିଜାଜ

ଭୁବନେଶ୍ବର: ନୂଆବର୍ଷ ଆସିବା ସହ ବଦଳିଚି ପାଣିପାଗ । ବର୍ଷା ଛାଡ଼ିବା ପରେ ଏବେ ଥରାଇବା ଆରମ୍ଭ କରିଛି ଶୀତ । ଆଜିଠୁ ପୁଣି ରାଜ୍ୟକୁ ଲେଉଟିଛି ଶୀତ । ଓଡ଼ିଶାକୁ ଆସୁଥିବା ଜଳୀୟବାଷ୍ପ ପୂର୍ଣ୍ଣ ଉଷ୍ଣ ବାୟୁ ପ୍ରବାହରେ ରାଜ୍ୟରେ ଏଭଳି ପାଗ ଜାରି ରହିବ । ଫଳରେ ଉପାନ୍ତରୁ ଉପକୂଳ ସବୁଠି ପାରା କମିବ। ଏନେଇ ୧୭ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ଆସନ୍ତା ୪ ଦିନ ପର୍ଯ୍ୟନ୍ତ ପାଗ ମୁଖ୍ୟତଃ ଶୁଖିଲା ରହିବା ସହ ତାପମାତ୍ରା କମିବ । ସ୍ବାଭାବିକ ଠାରୁ ୩ ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ପାରା କମିବା ସହ ଶୀତ ବଢିବ ବୋଲି ସୂଚନା ଦେଇଛି ପାଣିପାଗ କେନ୍ଦ୍ର ।

ନବବର୍ଷର ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ନୂଆବର୍ଷରେ ଶୁଭେଚ୍ଛା ଓ ଶୁଭକାମନା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୨୦୨୨ ଓଡ଼ିଶା ପାଇଁ ସମୃଦ୍ଧିର ବର୍ଷ ହେଉ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ଭିଡିଓ ବାର୍ତ୍ତା ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବବର୍ଷର ଶୁଭେଚ୍ଛା ଜଣାଇବା ସହ ଓମିକ୍ରନ ମୁକାବିଲା ପାଇଁ ରାଜ୍ୟବାସୀ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି । ଏହାସହ କୋଭିଡ ନିୟମ ପାଳନ କରିବାକୁ ଅନୁରୋଧ କରିଛନ୍ତି ।