spot_img
Home Blog Page 4742

୧୪ ସାଇବର ଥାନାର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଜନତାଙ୍କୁ ସାଇବର ଅପରାଧରୁ ସୁରକ୍ଷା ଦେବେ ସରକାର । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟରେ ୧୪ଟି ସାଇବର ଥାନାର ଉଦଘାଟନ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ସରକାର ଲୋକଙ୍କ ଜୀବନ, ସ୍ୱାଧୀନତା ଓ ସମ୍ପତ୍ତିକୁ ସାଇବର ଅପରାଧରୁ ରକ୍ଷା କରିବା ଲାଗି ପ୍ରତିଶ୍ରୁତିବଦ୍ଧ ।

ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, ଦିନକୁ ଦିନ ସାଇବର ଅପରାଧ ବଢ଼ିବା ସହ ସମାଜରେ ପ୍ରମୁଖ ଅପରାଧ ପାଲଟିଛି । ଆଉ ଚିନ୍ତାଜନକ ବିଷୟ ହେଉଛି, ଏହା ଅଜ୍ଞାତ ବ୍ୟକ୍ତିଙ୍କ ଦ୍ୱାରା ହେଉଥିବା ବେଳେ କୌଣସି ନିର୍ଦ୍ଦିଷ୍ଟ ସୀମା ରେଖା ନାହିଁ । ସାଇବର ଅପରାଧୀ ବିଦେଶରେ ବସି ଲୁଟ୍ ବେଳେ ବାରମ୍ବାର ସର୍ଭରରେ ସ୍ଥାନ ବଦଳାଇ ଚ୍ୟାଲେଞ୍ଜ ଦେଉଛନ୍ତି । ଆର୍ଥିକ ଅପରାଧ ଏବେ ବ୍ଲୁ କଲାର କ୍ରାଇମ ପାଲଟିଛି । ଯାହାକି ଖାଲି ବ୍ୟକ୍ତିକୁ ଆଘାତ ଦିଏନି ବରଂ ଦେଶର ଆର୍ଥିକ ସ୍ୱାସ୍ଥ୍ୟକୁ ଖରାପ କରି ଦିଏ ।

CM Naveen Patnaik Inaugurates 14 Cybercrime Police Stations

ଉଦଘାଟିତ ହୋଇଥିବା ପୋଲିସ ଥାନାରେ ତାମିଲପ୍ରାପ୍ତ ପୋଲିସ କର୍ମଚାରୀଙ୍କ ସହ ଟେକ୍ନିକାଲ ଏକ୍ସପର୍ଟ  ରହିବେ । ଆର୍ଥିକ ଓ ସାଇବର ଅପରାଧର ତଦନ୍ତ ପାଇଁ ସେମାନଙ୍କୁ ଉନ୍ନତମାନର ହାର୍ଡୱେର ଏବଂ ସଫ୍ଟୱେର ଯୋଗାଇ ଦିଆଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ୩ଟି ଥାନାର ଉଦଘାଟନ କରିଛନ୍ତି । ଇନଫୋ ଭ୍ୟାଲି ସ୍ପେଶିଆଲ୍ ଇକୋନୋମିକ ଜୋନ୍, କଟକ ବୟାଳିଶି ମୌଜା, ଭୁବନେଶ୍ୱର ପାହାଳ ଫାଣ୍ଡିକୁ ଥାନାରେ ରୂପାନ୍ତିକରଣ କରାଯାଇଛି । ଏସବୁ ପୋଲିସ ଫାଣ୍ଡିକୁ ଥାନାରେ ପରିଣତ କରିବା ପାଇଁ ଦୀର୍ଘ ଦିନ ହେଲା ଲୋକେ ଦାବି କରି ଆସୁଥିଲେ । ୩ ଥାନା ରୂପାନ୍ତିକରଣ ଦ୍ୱାରା ଦୈତ୍ୟ ନଗରୀରେ ପୋଲିସର ଶକ୍ତି ବୃଦ୍ଧି ପାଇବ ।

ନୂଆ ପୋଲିସ ଥାନା ସାଇବର ଓ ଆର୍ଥିକ ଅପରାଧୀଙ୍କୁ ଧରିବାରେ ସକ୍ଷମ ହେବ ବୋଲି ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଦୃଢ଼ୋକ୍ତି ପ୍ରକାଶ କରିଥିଲେ । ପୋଲିସ ଡିଜି ଅଭୟ ସ୍ୱାଗତ ଭାଷଣ ଦେଇଥିବା ବେଳେ ଆଇଜି ଅପରେସନ୍ ଧନ୍ୟବାଦ ଅର୍ପଣ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ (5T) କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଭର୍ଚୁଆଲରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଓ ଅନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।

ଭାରତ-ଦକ୍ଷିଣ ଆଫ୍ରିକା ଟେଷ୍ଟ ସିରିଜ୍: ଦକ୍ଷିଣ ଆଫ୍ରିକା ଆଗରେ ୩୦୫ ରନର ବିଜୟ ଲକ୍ଷ୍ୟ

ସେଞ୍ଚୁରିୟନ: ଦକ୍ଷିଣ ଆଫ୍ରିକାର ସେଞ୍ଚୁରିୟନଠାରେ ଖେଳାଯାଉଛି ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟେଷ୍ଟ । ଏହି ମ୍ୟାଚରେ ଦକ୍ଷିଣ ଆଫ୍ରିକା ସାମ୍ନାରେ ଭାରତ ୩୦୫ ରନର ବିଜୟ ଲକ୍ଷ୍ୟ ରଖିଛି । ଦ୍ୱିତୀୟ ଇନିଂସରେ ଭାରତର ବ୍ୟାଟିଂ ବିପର୍ଯ୍ୟୟ ଘଟିଥିଲା । ଭାରତ ମାତ୍ର ୧୭୪ ରନ କରି ଅଲଆଉଟ ହୋଇଥିଲା । ଯାହା ଫଳରେ ଦକ୍ଷିଣ ଆଫ୍ରିକା ସାମ୍ନାରେ ଭାରତ ୩୦୫ ରନର ବିଜୟ ଲକ୍ଷ୍ୟ ରଖିଛି । ଭାରତ ପକ୍ଷରୁ ଦ୍ୱିତୀୟ ଇନିଂସରେ ସର୍ବାଧିକ ୩୪ ରନ ଋଷଭ ପନ୍ତ କରିଥିବାବେଳେ ଦକ୍ଷିଣ ଆଫ୍ରିକା ପକ୍ଷରୁ ମାର୍କୋ ଜନସନ୍ ଓ କଗିସୋ ରାବାଡା ୪ଟି ଲେଖାଏଁ ଓ୍ୱିକେଟ ନେଇଥିବାବେଳେ ଲୁଙ୍ଗି ଏଙ୍ଗିଡି ଦୁଇଟି ଓ୍ୱିକେଟ ଅକ୍ତିଆର କରିଥିଲେ ।

ଆଜି ଚତୁର୍ଥ ଦିନ ଖେଳ ଆରମ୍ଭରୁ ଭାରତ ଖରାପ ଆରମ୍ଭ କରିଥିଲା । ଚତୁର୍ଥ ଦିନରେ ଭାରତର ବ୍ୟାଟିଂ ବିପର୍ଯ୍ୟୟ ହୋଇଥିଲା । ଦକ୍ଷିଣ ଆଫ୍ରିକା ବୋଲର ଲଗାତର ଭାବରେ ଓ୍ୱିକେଟ ଅକ୍ତିଆର କରି ଭାରତକୁ ବ୍ୟାକଫୁଟକୁ ଠେଲି ଦେଇଥିଲା । ଭାରତ ପକ୍ଷରୁ କେଏଲ ରାହୁଲ ୨୩, ଚେତେଶ୍ୱର ପୂଜାରା ୧୬, ବିରାଟ କୋହଲି ୧୮, ଆଜିଙ୍କେ ରାହାଣେ ୨୦ ଓ ଅଶ୍ୱିନୀ ୧୪ ରନ କରିଥିଲେ । ଭାରତର ୪ ଜଣ ଖେଳାଳି ଦୁଇ ଅଙ୍କ ଛୁଇଁ ପାରିନଥିଲେ । ତେବେ ଏହି ମ୍ୟାଚକୁ ଜିତିବାକୁ ଭାରତକୁ ଦକ୍ଷିଣ ଆଫ୍ରିକାକୁ ୩୦୫ ରନ ପୂର୍ବରୁ ଅଲଆଉଟ କରିବାକୁ ପଡ଼ିବ ।

ନୂଆବର୍ଷ ପୂର୍ବରୁ ଘରକୁ ଆଣନ୍ତୁ ଏସବୁ ସାମଗ୍ରୀ, ମିଳିବ ମା’ ଲକ୍ଷ୍ମୀଙ୍କ କୃପା

ନୂଆଦିଲ୍ଲୀ: ନବବର୍ଷକୁ ଆଉ ଦିନ କେଇଟା ବାକି ରହିଛି । ନୂଆବର୍ଷକୁ ସ୍ୱାଗତ କରିବା ପାଇଁ ପ୍ରସ୍ତୁତିରେ ଲାଗିଛନ୍ତି ସମସ୍ତେ। ୨୦୨୨ର ଏହି ନୂତନ ବର୍ଷରେ ସମସ୍ତେ କିଛିନା କିଛି ନୂଆ ଜିନିଷ ଘରକୁ ଆଣିଥାନ୍ତି । ତେବେ ଆସନ୍ତୁ ଜାଣିବା ବାସ୍ତୁଶାସ୍ତ୍ର ଅନୁସାରେ କେଉଁସବୁ ଜିନିଷ ଘରକୁ ଆଣିଲେ ମା’ ଲକ୍ଷ୍ମୀଙ୍କ କୃପା ମିଳିଥାଏ…

ମୟୂର ପର-
ମୟୂର ପର ଭଗବାନ କୃଷ୍ଣଙ୍କ ସହ ଜଡିତ । କୁହାଯାଏ ଯେଉଁ ଘରେ ମୟୂରର ପଙ୍ଖ ରହିଥାଏ ସେଠାରେ ଧନୀର ଦେବୀ ଲକ୍ଷ୍ମୀ ସର୍ବଦା ବାସ କରନ୍ତି । ଯଦି ଆପଣ ମଧ୍ୟ ନୂଆ ବର୍ଷକୁ ଖୁସିରେ ଭରିବାକୁ ଚାହୁଁଛନ୍ତି ତେବେ ଘରକୁ ନିଶ୍ଚୟ ଆଣନ୍ତୁ ମୟୁର ପର ।

ଧାତୁର କଇଁଛ-
ଏକ ନିର୍ଦ୍ଦିଷ୍ଟ ଧାତୁରେ ନିର୍ମିତ କଇଁଛ ବାସ୍ତୁ ଦୃଷ୍ଟିକୋଣରୁ ଶୁଭ । ବାସ୍ତୁଶାସ୍ତ୍ର ଅନୁଯାୟୀ ରୂପା, ପିତ୍ତଳ କିମ୍ବା କାଂସ୍ୟ ଧାତୁରେ ନିର୍ମିତ କଇଁଛ ଖୁବ୍ ଶୁଭ । ଧାତୁ କଇଁଛକୁ ଉତ୍ତର ଦିଗରେ ରଖିବା ଦ୍ୱାରା ନକାରାତ୍ମକ ଶକ୍ତି ଦୂର ହୋଇଥାଏ । ଏହାସହିତ ପରିବାରରେ ସୁଖ ଏବଂ ସମୃଦ୍ଧି ବଢିଥାଏ ।

ଗୋମତି ଚକ୍ର-
ଜ୍ୟୋତିଷ ଶାସ୍ତ୍ରରେ ଗୋମତି ଚକ୍ରକୁ ଚମତ୍କାର ବୋଲି ବିବେଚନା କରାଯାଏ । ଏହାକୁ ଘରେ ରଖିଲେ ଶତ୍ରୁମାନେ ହଇରାଣ କରନ୍ତିନାହିଁ । ଗୋମତି ଚକ୍ରକୁ ଘର ଭିତରେ ଏକ ସିନ୍ଦୁର ଡବାରେ ରଖିବାକୁ ଶୁଭ ବୋଲି ବିବେଚିତ କରାଯାଏ । ଏହାବ୍ୟତୀତ ୧୧ ଗୋମତି ଚକ୍ରକୁ ହଳଦିଆ କପଡ଼ାରେ ଗୁଡ଼ାଇ ଟିଜୋରୀରେ ରଖିବା ଦ୍ୱାରା ଧନ ପ୍ରାପ୍ତି ହୋଇଥାଏ।

ତୁଳସୀ ଗଛ-
ତୁଳସୀର ସମ୍ପର୍କ ମା’ ଲକ୍ଷ୍ମୀ ଏବଂ ଭଗବାନ ବିଷ୍ଣୁଙ୍କ ସହ ରହିଛି । ଏହା ଅତ୍ୟନ୍ତ ପବିତ୍ର ବୋଲି ବିବେଚନା କରାଯାଏ । ବିଶ୍ୱାସ କରାଯାଏ ଯେ ଘରେ ତୁଳସୀ ଗଛ ରହିବା ଦ୍ୱାରା ଘରେ ଅସୁବିଧା ହେବାର ସମ୍ଭାବନା କମିଯାଏ | ଏହା ସହିତ ଘରର ଲୋକଙ୍କ ଆର୍ଥିକ ଅବସ୍ଥା ମଧ୍ୟ ଭଲ ଅଛି |

 

କୁଆପଥର ବର୍ଷା ପରେ ଘୋଡ଼ାଇବ ଘନ କୁହୁଡ଼ି, ପୁଣି ବଢ଼ିବ ଶୀତ

ଭୁବନେଶ୍ୱର: ରାଜ୍ୟରେ ଶୀତ ଲହରୀ ସାମାନ୍ୟ ହ୍ରାସ ପାଇଥିବା ବେଳେ ଲାଗି ରହୁଛି ଘନ କୁହୁଡ଼ି । ସେପଟେ ଦକ୍ଷିଣପଶ୍ଚିମ ମଧ୍ୟପ୍ରଦେଶରୁ ଦକ୍ଷିଣ ବିହାର ଉପରେ ଏକ ଘୂର୍ଣ୍ଣିବଳୟ ଗତି କରୁଛି । ଯାହାକି ବିହାରରୁ ତେଲଙ୍ଗାନା ଦେଇ ପୂର୍ବ ମଧ୍ୟ ପ୍ରଦେଶ ଓ ଭିଦ୍ରବ ଯାଏ ଲମ୍ବିଛି । ପାଣିପାଗ ବିଭାଗର ଆକଳନ ଅନୁଯାୟୀ ଆଗାମୀ ୨ ଦିନ ମଧ୍ୟରେ ରାତିର ସର୍ବନିମ୍ନ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ନାହିଁ । ପରବର୍ତ୍ତୀ ୩ ଦିନରେ ତାପମାତ୍ରା ଆସ୍ତେ ଆସ୍ତେ ୩ରୁ ୫ ଡିଗ୍ରୀ ସେଲସିୟସ୍ ଯାଏ ହ୍ରାସ ପାଇବ ।

ଆଗାମୀ ୨୪ ଘଣ୍ଟାରେ ପ୍ରବଳ ବର୍ଷା ଓ କୁଆପଥର ବୃଷ୍ଟି ନେଇ କିଛି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ବରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, ଦେବଗଡ଼, ଅନୁଗୁଳ, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାକୁ ସତର୍କ ସୂଚନା ରହିଛି । ବର୍ଷା ପରେ ଆଉ ୨ ଦିନ ଘନ କୁହୁ଼ଡ଼ି ଲାଗି ରହିବ ।

୩୧ ତାରିଖରେ ଘନ କୁହୁଡ଼ି ନେଇ ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଯାଜପୁର, ଭଦ୍ରକ ଓ କଟକ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି । ୧ ତାରିଖରେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ଖୋର୍ଦ୍ଧା, ପୁରୀ, ନୟାଗଡ଼, କନ୍ଧମାଳ, ବୌଦ୍ଧ, ଅନୁଗୁଳ, ଢେଙ୍କନାଳ, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାକୁ ଘନ କୁହୁଡ଼ି ପାଇଁ ୟେଲୋ ୱାର୍ଣ୍ଣିଂ ରହିଛି ।

ଏହି ରାଜ୍ୟରେ ୨୫ ଟଙ୍କା କମିଲା ପେଟ୍ରୋଲ-ଡିଜେଲ ଦର

ରାଞ୍ଚି: ନୂଆ ବର୍ଷରେ ଶସ୍ତା ହେବ ପେଟ୍ରୋଲ-ଡିଜେଲ ଦର । ନୂଆ ବର୍ଷରେ ଝାଡଖଣ୍ଡବାସୀଙ୍କୁ ବଡ଼ ଉପହାର ଦେଇଛି ଝାଡଖଣ୍ଡ ସରକାର । ନୂଆ ବର୍ଷରେ ଶସ୍ତା ହେବାକୁ ଯାଉଛି ପେଟ୍ରୋଲ । ଟଙ୍କାଏ କି ଦୁଇ ଟଙ୍କା ନୁହେଁ ୨୫ ଟଙ୍କା ଶସ୍ତା ହେବାକୁ ଯାଉଛି ପେଟ୍ରୋଲ-ଡିଜେଲ ଦର। ଏନେଇ ଘୋଷଣା କରିଛନ୍ତି ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ । କିନ୍ତୁ ଏହି ଶସ୍ତା ପେଟ୍ରୋଲ-ଡିଜେଲ କେବଳ ବିପିଏଲ କାର୍ଡ ଉପଭୋକ୍ତାଙ୍କୁ ହିଁ ମିଳିପାରିବ । ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ କହିଛନ୍ତି କି ଜାନୁଆରୀ ୨୬ରୁ ଝାଡଖଣ୍ଡରେ ବିପିଏଲ କାର୍ଡ ଉପଭୋକ୍ତାଙ୍କୁ ୨୫ ଟଙ୍କା ଶସ୍ତାରେ ପେଟ୍ରୋଲ-ଡିଜେଲ ମିଳିବ ।

ଝାଡଖଣ୍ଡ ପେଟ୍ରୋଲିୟମ ଡିଲର୍ସ ଆସୋସିଏସନ ଲଗାତର ଭାବରେ ପେଟ୍ରୋଲ-ଡିଜେଲ ଉପରୁ ଭାଟ୍ କମ୍ କରିବା ପାଇଁ ଦାବି କରୁଥିଲେ । ଆସୋସିଏସନ ସରକାରଙ୍କୁ ପେଟ୍ରୋଲରୁ ୫ ପ୍ରତିଶତ ଭାଟ୍ କମାଇବାକୁ ଦାବି କରିଥିଲେ । ସେମାନେ କହିଥିଲେ ଯଦି ସରକାର ଭାଟ୍ କମ୍ କରି ୨୨ ପ୍ରତିଶତରୁ କମାଇ ୧୭ ପ୍ରତିଶତକୁ କଲେ ସାଧାରଣ ଲୋକ ଏହା ଦ୍ୱାରା ବେଶ୍ ଉପକୃତ ହେବେ । ଆସୋସିଏସନ ଆହୁରି କହିଛି କି ଝାଡଖଣ୍ଡର ପଡୋଶୀ ରାଜ୍ୟ ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ, ବିହାର ଏବଂ ଓଡ଼ିଶାରେ ଡିଜେଲର ମୂଲ୍ୟ କମ୍ ରହିଛି । ଏଭଳି ପରିସ୍ଥିତିରେ ଝାଡଖଣ୍ଡରୁ ଚାଲୁଥିବା ଯାନଗୁଡିକ ପଡୋଶୀ ରାଜ୍ୟରେ ଡିଜେଲ ଭରୁଛନ୍ତି । ଯେଉଁଥିପାଇଁ ଝାଡଖଣ୍ଡ ସରକାରଙ୍କୁ ବହୁତ କ୍ଷତି ସହିବାକୁ ପଡୁଛି ।

ଚଳିତ ବର୍ଷ ଆରମ୍ଭରୁ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ କ୍ରମାଗତ ଭାବରେ ବୃଦ୍ଧି ହୋଇଥିଲେ । ପ୍ରତିଦିନ ପେଟ୍ରୋଲ-ଡିଜେଲ ଦର ବୃଦ୍ଧି ଘଟିଥିଲା । କ୍ରମାଗତ ଭାବର ଦର ବୃଦ୍ଧି ହେବା ପରେ ଦୀପାବଳି ଅବସରରେ କେନ୍ଦ୍ର ସରକାର ପେଟ୍ରୋଲ ଉପରୁ ଏକ୍ସାଇଜ୍ ଡ୍ୟୁଟି ପାଞ୍ଚ ଟଙ୍କା ଓ ଡିଜେଲ ଉପରୁ ଦଶ ଟଙ୍କା ହ୍ରାସ କରି ଲୋକଙ୍କୁ ଆଶ୍ୱସ୍ତି ଦେଇଥିଲେ । କେନ୍ଦ୍ର ପେଟ୍ରୋଲ-ଡିଜେଲ ଉପରୁ ଏକ୍ସସାଇଜ୍ ଡ୍ୟୁଟି ହ୍ରାସ କରିବା ପରେ ସାରା ଦେଶରେ ତୈଳ ମୂଲ୍ୟ ହ୍ରାସ ପାଇଥିଲା । କେନ୍ଦ୍ର ସରକାର ଭାଟ୍ ହ୍ରାସ କରିବା ପରେ ବିଭିନ୍ନ ରାଜ୍ୟ ମଧ୍ୟ ପେଟ୍ରୋଲ ଏବଂ ଡିଜେଲ ଉପରେ ଭାଟ୍ ହ୍ରାସ କରିଥିଲେ ।

ପ୍ରଧାନମନ୍ତ୍ରୀ ମୋଦିଙ୍କ କାରକେଡରେ କାହିଁକି ସାମିଲ ମାୟାବାକ୍…

0

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୁରକ୍ଷା ବଳୟରେ ସାମିଲ ହୋଇଛି ମର୍ସିଡିଜର ମାୟାବାକ୍ । ଏହି କାରର ମୂଲ୍ୟକୁ ନେଇ ଅନେକ କଳ୍ପନାଜଳ୍ପନା କରାଯାଉଥିଲା । ତେବେ ସରକାରୀ ସୁତ୍ରରୁ ପ୍ରକାଶ ଯେ ନୂଆ କାରଗୁଡ଼ିକର ଅ୍ରପଗ୍ରେଡ୍ କରାଯାଇ ନାହିଁ ବରଂ ବଦଳାଇ ଦିଆଯାଇଛି। କାରଣ ବିଏମଡବ୍ଲୁ ପ୍ରଧାନମନ୍ତ୍ରୀ ବ୍ୟବହାର କରୁଥିବା ମଡେଲର ନିର୍ମାଣ ବନ୍ଦ କରି ଦେଇଛି।

ଏପରିକି ନୂଆ କାରର ମୂଲ୍ୟ ଗଣମାଧ୍ୟମ ଅନୁମାନ କରିଥିବା ଦାମ୍ ତୁଳନାରେ ବହୁତ କମ୍ । ଅନେକ ଗଣମାଧ୍ୟମରେ ମାୟାବାକ୍ କାରର ମୂଲ୍ୟ ୧୨ କୋଟିରୁ ଅଧିକ ହେବ ପ୍ରକାଶିତ ହୋଇଥିଲା।

ଏସପିଜିର ସୁରକ୍ଷା ନିୟମ ଅନୁଯାୟୀ ସୁରକ୍ଷା ପାଇଁ ବ୍ୟବହୃତ ଯାନ ବଦଳାଇବା ପାଇଁ ଛଅ ବର୍ଷର ମାନଦଣ୍ଡ ରହିଛି। କିନ୍ତୁ ମୋଦୀଙ୍କ ପାଇଁ ବ୍ୟବହୃତ ହେଉଥିବା ପୂର୍ବ କାରଗୁଡିକ ଆଠ ବର୍ଷ ଯାଏଁ ବ୍ୟବହାର ହୋଇଛି। ଅଡିଟ୍ ବେଳେ ଏଭଳି ଘଟଣାକୁ ନେଇ ଅସନ୍ତୋଷ ପ୍ରକାଶ କରାଯାଇଥିଲା । ତେବେ ନୂଆ କାର ନେଇ ଅଧିକାରୀମାନେ କହିଥିଲେ ଯେ- ଏସମ୍ପର୍କରେ ମୋଦୀ କୗେଣସି ପସନ୍ଦ ଦର୍ଶାଇନଥିଲେ ।

ଇତିହାସ ରଚିଲେ ସାମି, ୫୫ ମ୍ୟାଚରେ ହାସଲ କଲେ ୨୦୦ ଓ୍ୱିକେଟ

ସେଞ୍ଚୁରିୟନ: ଡିସେମ୍ବର ୨୬ରୁ ଆରମ୍ଭ ହୋଇଛି ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟେଷ୍ଟ । ଏହି ମ୍ୟାଚରେ ଇତିହାସ ରଚିଛନ୍ତି ଭାରତୀୟ ଦ୍ରୁତ ବୋଲର ମହମ୍ମଦ ସାମି । ସେଞ୍ଚୁରିୟନ ଟେଷ୍ଟରେ ଭାରତୀୟ ମଧ୍ୟକ୍ରମ ବ୍ୟାଟ୍ସମ୍ୟାନଙ୍କ ବିଫଳତା ପରେ ଭାରତୀୟ ବୋଲର ଦମଦାର ବୋଲିଂ କରିଥିଲେ । ଯାହା ଫଳରେ ମାତ୍ର ୧୯୭ ରନରେ ଅଲଆଉଟ ହୋଇଥିଲା ଦକ୍ଷିଣ ଆଫ୍ରିକା । ବିଶେଷ କରି ସାମିଙ୍କ ବୋଲିଂର ସାମ୍ନା କରିପାରିନଥିଲେ ଦକ୍ଷିଣ ଆଫ୍ରିକା ବ୍ୟାଟ୍ସମ୍ୟାନ । ସାମି ପ୍ରଥମ ଇନିଂସରେ ୫ ଓ୍ୱିକେଟ ହାସଲ କରିଥିଲେ । ପ୍ରଥମ ଇନିଂସରେ ୫ ଓ୍ୱିକେଟ ହାସଲ ସହ ଟେଷ୍ଟରେ ୨୦୦ ଓ୍ୱିକେଟ ହାସଲ କରିଛନ୍ତି ସାମି ।

ଭାରତୀୟ ଟିମ୍ ପାଇଁ ୨୦୦ ଓ୍ୱିକେଟ ନେବାରେ ମହମ୍ମଦ ସାମି ୧୧ତମ ବୋଲର ହୋଇଛନ୍ତି । ୨୦୧୩ରେ ଓ୍ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଟେଷ୍ଟ ଡେବ୍ୟୁ କରିଥିଲେ ମହମ୍ମଦ ସାମି । ସାମି ୫୫ ଟେଷ୍ଟ ମ୍ୟାଚ ଖେଳି ଏହି ରେକର୍ଡ ସୃଷ୍ଟି କରିଛନ୍ତି । ସାମିଙ୍କ ପୂର୍ବରୁ କପିଲ ଦେବ ୫୦ ଟେଷ୍ଟରେ ଏହି ରେକର୍ଡ ନିଜ ନାମରେ କରିଛନ୍ତି ।

ଏହି ରେକର୍ଡ ବ୍ୟତୀତ ଆଉ ଏକ ବଡ଼ ରେକର୍ଡ କରିଛନ୍ତି ମହମ୍ମଦ ସାମି । ସାମି ସବୁଠାରୁ କମ୍ ବଲରେ ହାସଲ କରିଛନ୍ତି ୨୦୦ ଓ୍ୱିକେଟ । ସାମି ରବିଚନ୍ଦ୍ରନ ଅଶ୍ୱିନୀଙ୍କଠାରୁ କମ୍ ବଲରେ ୨୦୦ ଓ୍ୱିକେଟ ହାସଲ କରିଛନ୍ତି । ମାତ୍ର ୯ ହଜାର ୮୯୬ ବଲ ବୋଲିଂ ୨୦୦ ଓ୍ୱିକେଟ ଅକ୍ତିଆର କରିଛନ୍ତି ସାମି । ଯଦି ଅଶ୍ୱିନୀଙ୍କ କଥା କହିବା ତାହାଲ ଅଶ୍ୱିନୀ ୧୦ ହଜାର ୨୪୮ ବଲ ବୋଲିଂ କରି ୨୦୦ ଓ୍ୱିକେଟ ନିଜ ନାମରେ କରିଥିଲେ ।

୧୧ରେ କନ୍ଧ ଆଦିବାସୀଙ୍କ ପାରମ୍ପରିକ ଶୁଲିଆ ଯାତ୍ରା

ବଲାଙ୍ଗିର: ଚଳିତ ବର୍ଷ କରୋନା କଟକଣା ଭିତରେ ହେବ କନ୍ଧ ଆଦିବାସୀଙ୍କ ପାରମ୍ପରିକ ଶୁଲିଆ ଯାତ୍ରା । ପୁଣି ରକ୍ତରଞ୍ଜିତ ହେବ ଶୁଲିଆ ପୀଠ । ବଲାଙ୍ଗିର ଜିଲ୍ଲା କୁଳିତାପଡ଼ା ପଞ୍ଚାୟତର ଖଇରଗୁଡ଼ା ବଡ଼ଖଳା ଓ କୁମୁରିଆର ସାନଖଳା ଠାରେ ଯାତ୍ରା ଅନୁଷ୍ଠିତ ହେବ । ଆଜି ଶୁଲିଆ ପୀଠ ଠାରେ ଆଞ୍ଚଳିକ ଶୁଲିଆ ଯାତ୍ରା ପୂଜା କମିଟି ତରଫରୁ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଶୁଲିଆ ପୀଠରେ ପଶୁପକ୍ଷୀ ବଳି ପଡ଼ିବ ।

Tribal's Traditional Sulia Jatra In 11th January

ଆଦିବାସୀ ପରମ୍ପରା ଓ ରୀତିନୀତି ଅନୁସାରେ ବଳି ପଡ଼ିବ । ମାନସିକଧାରୀ ମାନେ ଶୁଲିଆ ପୀଠରେ ବଳି ଚଢ଼ାଇପାରିବେ । ପ୍ରତିବର୍ଷ ପୌଷ ମାସ ଶୁକ୍ଳ ପକ୍ଷ ପ୍ରଥମ ମଙ୍ଗଳବାର ଦିନ ଯାତ୍ରା ଅନୁଷ୍ଠିତ ହୁଏ । ସୁଲିଆ ଯାତ୍ରା ଦିନ ଭୋରରୁ ଆଦିବାସୀ ଦେହୁରୀ ମାନେ ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ପୀଠରେ ପହଞ୍ଚିଥାନ୍ତି । ନିଶିପୂଜା ଓ ପରେ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରାଯାଇଥାଏ । ତାପରେ ପ୍ରଥମେ କୁକୁଡ଼ା ବଳି ଦେଇ ଶୁଳିଆକୁ ଭୋଗ ଅର୍ପଣ କରିଥାନ୍ତି । ପରେ ମାନସିକଧାରୀ ମାନେ ମାନସିକ ଅନୁସାରେ ଆଣିଥିବା ପୋଢ଼, ବେତା, ମେଣ୍ଢା, କୁକୁଡ଼ା, ବତକ ସହ ଅନ୍ୟ ପକ୍ଷୀ ମାନଙ୍କୁ ବଳି ଦିଆଯାଇଥାଏ ।

ଶୁଲିଆ ଦିନ ଖଇରଗୁଡ଼ାର ବଡ଼ଖଳା ଓ କୁମୁରିଆର ସାନଖଳାରେ ହଜାର ହଜାର ସଂଖ୍ୟାରେ ବଳି ପଡ଼ିଥାଏ । ବଳିପ୍ରଥା ବନ୍ଦ କରିବା ପାଇଁ ପୂର୍ବରୁ କିଛି ସ୍ୱେଚ୍ଛାସେବୀ ସଂଗଠନ ଓ ଜିଲ୍ଲା ପ୍ରଶାସନ ତରଫରୁ ଲୋକଙ୍କୁ ସଚେତନ କରାଯାଇଥିଲା । କିଛି ବର୍ଷ ଧରି ଜିଲ୍ଲା ପ୍ରଶାସନ ତରଫରୁ ବଳିପ୍ରଥା ବନ୍ଦ କରିବା ପାଇଁ ୧୪୪ ଧାରା ଜାରି କରାଯାଇଥିଲା । ଆଦିବାସୀଙ୍କ ପରମ୍ପରାରେ କେହି ହସ୍ତକ୍ଷେପ ପରିପାରିବେ ନାହିଁ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ତା’ପରଠାରୁ ପ୍ରତିବର୍ଷ ଶୁଲିଆ ପୀଠରେ ହଜାର ହଜାର ସଂଖ୍ୟାରେ ପଶୁପକ୍ଷୀ ବଳି ପଡ଼ି ଆସୁଛି ।

କିଏ ହେବ ରିଲାଏନ୍ସର ଉତ୍ତରାଧିକାରୀ, ଜାଣନ୍ତୁ କ’ଣ କହିଲେ ମୁକେଶ ଆମ୍ବାନୀ

ନୂଆଦିଲ୍ଲୀ: ବଦଳିବେ ରିଲାଏନ୍ସ ଗ୍ରୁପ ମୁଖ୍ୟ ମୁକେଶ ଆମ୍ବାନୀ । ଭାରତର ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଆମ୍ବାନୀ ରିଲାଏନ୍ସର ପରବର୍ତ୍ତୀ ମୁଖ୍ୟ କିଏ ହେବ ତାହାକୁ ନେଇ ପ୍ରଥମ ଥର ପାଇଁ କହିଛନ୍ତି । ମୁକେଶ ଆମ୍ବାନୀଙ୍କ ଅବସର ପରେ ଯୁବପିଢ଼ିଙ୍କୁ ଗୁରୁତ୍ୱ ଦିଆଯିବ । ରିଲାଏନ୍ସର ନେତୃତ୍ୱ ନେବା ପାଇଁ ନୂତନ ପିଢ଼ି ପ୍ରସ୍ତୁତ ଅଛନ୍ତି ବୋଲି ସେ କହିଛନ୍ତି । ଆକାଶ, ଇଶା ଓ ଅନନ୍ତ ଆମ ଅପେକ୍ଷା ଭଲ କାମ କମ କରୁଛନ୍ତି ବୋଲି କହିଛନ୍ତି ରିଲାଏନ୍ସ ଗ୍ରୁପ ଚେୟାରମ୍ୟାନ ମୁକେଶ ଆମ୍ବାନୀ ।

ରିଲାଏନ୍ସ ଫ୍ୟାମିଲି ଡେ’ କାର୍ଯ୍ୟକ୍ରମକୁ ସମ୍ବୋଧନ କରିବା ବେଳେ ଅମ୍ବାନୀ ଏହି କଥା କହିଛନ୍ତି । ଉତ୍ତରାଧିକାରୀ ଯୋଜନା ଉପରେ ପ୍ରଥମ ଥର ପାଇଁ ରିଲାଏନ୍ସ ମୁଖ୍ୟ କହିଛନ୍ତି ଯେ ଯୁବପିଢ଼ି ବର୍ତ୍ତମାନ ନେତୃତ୍ୱ ଗ୍ରହଣ କରିବାକୁ ପ୍ରସ୍ତୁତ ଅଛନ୍ତି । ତାଙ୍କ ପିତା ଧୀରୁଭାଇ ଅମ୍ବାନୀଙ୍କ ଜନ୍ମଦିନରେ ଆୟୋଜିତ କାର୍ଯ୍ୟକ୍ରମରେ ଉତ୍ତରାଧିକାରୀ ହସ୍ତାନ୍ତର ପ୍ରକ୍ରିୟା ଆରମ୍ଭ କରିବା ବିଷୟରେ ଅମ୍ବାନୀ ସୂଚନା ଦେଇଥିଲେ। ଅମ୍ବାନୀ ଆହୁରି କହିଛନ୍ତି କି “ମୁଁ ପ୍ରତିଦିନ ରିଲାଏନ୍ସ ପାଇଁ ପିଲାମାନଙ୍କର ଉତ୍ସାହ, ପ୍ରତିବଦ୍ଧତା ଏବଂ ଉତ୍ସର୍ଗୀକୃତତାକୁ ଦେଖିପାରୁଛି ଏବଂ ଅନୁଭବ କରିପାରୁଛି ।

ମୁକେଶ ଆମ୍ବାନୀ ୨୦୦୨ରେ ପ୍ରଥମ ଥର ପାଇଁ ରିଲାଏନ୍ସ ଗ୍ରୁପର ଚେୟାରମ୍ୟାନ ଭାବରେ ନିଯୁକ୍ତି ହୋଇଥିଲେ । ତାଙ୍କ ପିତା ଧୀରୁଭାଇ ଆମ୍ବାନୀ ମୃତ୍ୟୁ ପରେ ସେ ରିଲାଏନ୍ସ ମୁଖ୍ୟ ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ । ମୁକେଶ ଆମ୍ବାନୀଙ୍କର ଦୁଇ ପୁଅ ଓ ଗୋଟିଏ ଝିଅ ଆକାଶ, ଅନନ୍ତ ଓ ଇଶା ରିଲାଏନ୍ସର ଟେଲିକମ୍, ରିଟେଲ ଓ ଏନର୍ଜି ବ୍ୟବସାୟରେ ଜଡିତ । ସେମାନଙ୍କ ମଧ୍ୟରୁ କେହି ବି ରିଲାଏନ୍ସ ବୋର୍ଡରେ ନାହାଁନ୍ତି, କିନ୍ତୁ ସେମାନେ କମ୍ପାନୀର ଭର୍ଟିକାଲ ନିର୍ଦ୍ଦେଶକ ଅଛନ୍ତି । ମୁକେଶ ଆମ୍ବାନୀ କହିଛନ୍ତି କି ମୋର କୌଣସି ସନ୍ଦେହ ନାହିଁ ଯେ ଆକାଶ, ଇଶା ଓ ଅନନ୍ତ ପରବର୍ତ୍ତୀ ପିଢ଼ିିର ନେତୃତ୍ୱ ନେଇ ରିଲାଏନ୍ସକୁ ଆହୁରି ଉଚ୍ଚକୁ ନେଇଯିବେ ।

 

ପୁଣି କମିଲା ସୁନା ଓ ରୁପା ଦର; ଜାଣନ୍ତୁ କେତେ ରହିଛି ଦାମ୍…

ନୂଆଦିଲ୍ଲୀ: ଭାରତୀୟ ସରଫା ବଜାରରେ ବୁଧବାର ଦିନ ସୁନା ଓ ରୁପା ଦର ହ୍ରାସ ପାଇଛି। ରିପୋର୍ଟ ମୁତାବକ ଗତକାଲି ଅପେକ୍ଷା ଆଜି ୯୯୯ ଶୁଦ୍ଧତା ବିଶିଷ୍ଟ ସୁନା ଦର ୨୫୦ ଟଙ୍କା ଶସ୍ତା।

୯୯୯ ଶୁଦ୍ଧତା ବିଶିଷ୍ଟ ସୁନା ଦର ୧୦ ଗ୍ରାମ ପିଛା ୪୮୦୬୮ ଟଙ୍କାରେ ବିକ୍ରି ହେଉଛି । ସେହିପରି ରୁପା ଦର ପ୍ରତି କିଲୋ ପିଛା ୬୨୧୫୪ ଟଙ୍କା ରହିଛି।

ଦିନକୁ ଦୁଇ ଥର ସୁନା ଓ ରୂପା ଦର ଜାରି କରାଯାଇଥାଏ। ଥରେ ସକାଳ ସମୟ ଓ ଆଉଥରେ ସନ୍ଧ୍ୟା ବେଳେ । ୯୯୫ ଶୁଦ୍ଧତା ବିଶିଷ୍ଟ ସୁନା ଦର ୧୦ ଗ୍ରାମ ପିଛା ୪୭୮୭୬ ଟଙ୍କାରେ ବିକ୍ରି ହେଉଛି। ଅପରପକ୍ଷେ ୯୧୬ ଶୁଦ୍ଧତା ବିଶିଷ୍ଟ ସୁନା ଦର ୧୦ ଗ୍ରାମ ପିଛା ୪୪୦୩୦ ଟଙ୍କା ରହିଛି। ୭୫୦ ଶୁଦ୍ଧତା ବିଶିଷ୍ଟ ସୁନା ଦର ୧୦ ଗ୍ରାମ ପିଛା ୩୬୦୫୧ ଟଙ୍କା ରହିଛି। ୫୮୫ ଶୁଦ୍ଧତା ବିଶିଷ୍ଟ ସୁନା ଦର ୨୮୧୨୦ ଟଙ୍କା ରହିଛି।  ସେହିପରି ୯୯୯ ଶୁଦ୍ଧତା ବିଶିଷ୍ଟ ରୁପା ଦର ପ୍ରତି କିଲୋ ପିଛା ୬୨୧୫୪ ଟଙ୍କା ରହିଛି।