spot_img
Home Blog Page 4743

ଅଭିନେତା ଅର୍ଜୁନ କପୁର କରୋନା ପଜିଟିଭ

ମୁମ୍ବାଇ: ବଲିଉଡରେ ପଶିଛି କରୋନା। ଅଭିନେତା ଅର୍ଜୁନ କପୁର ଓ ତାଙ୍କ ଭଉଣୀ ଅଂଶୁଲ କରୋନା ପଜିଟିଭ ହୋଇଛନ୍ତି । ରିପୋର୍ଟ ଅନୁସାରେ ସଂକ୍ରମିତ ଚିହ୍ନଟ ହେବା ପରେ ଦୁହେଁ କ୍ୱାରେଣ୍ଟାଇନରେ ରହିଛନ୍ତି। ଏଥିସହିତ ସେମାନଙ୍କ ସମ୍ପର୍କରେ ଆସିଥିବା ବ୍ୟକ୍ତି ମାନେ ନିଜ ନିଜର ଟେଷ୍ଟ କରାଇବାକୁ ନିବେଦନ କରିଛନ୍ତି ଅର୍ଜୁନ।

କ୍ରିସମସ୍ ପାର୍ଟିରେ ଅମୃତା-ମଲାଇକାଙ୍କ ସହ ସାମିଲ

ନିକଟରେ ଅର୍ଜୁନ ଗର୍ଲଫ୍ରେଣ୍ଡ ମଲାଇକା ଅରୋରାଙ୍କ ଘରେ ଆୟୋଜିତ ହୋଇଥିବା କ୍ରିସମସ୍ ପାର୍ଟିରେ ସାମିଲ ହୋଇଥିଲେ । ଏହି ପାର୍ଟିରେ ମଲାଇକାଙ୍କ ଭଉଣୀ ଅମୃତା ମଧ୍ୟ ସାମିଲ ହୋଇଥିଲେ । ଏହାବ୍ୟତୀତ କରିସ୍ମା କପୁରଙ୍କ ଘରେ ଆୟୋଜିତ କ୍ରିସମସ୍ ପାର୍ଟିରେ ଅର୍ଜୁନ ଓ ମଲାଇକା ଏକାଠି ନଜର ଆସିଥିଲେ । ପାର୍ଟିରେ କରିସ୍ମାଙ୍କ ଫ୍ୟାମିଲି ମେମ୍ବରଙ୍କ ସହ କରିନା କପୁର ମଧ୍ୟ ଥିଲେ।

 

ଦିଲ୍ଲୀରେ ଓମିକ୍ରନ୍ ଆତଙ୍କ: ମେଟ୍ରୋରେ ଲାଗିଲା ଲମ୍ବା ଧାଡ଼ି, ଚିନ୍ତାରେ ଯାତ୍ରୀ

ନୂଆଦିଲ୍ଲୀ: ଓମିକ୍ରନ ଓ କୋଭିଡ ବିପଦ ବଢିବା ପରେ ଦିଲ୍ଲୀରେ ବଢିଛି କଟକଣା । ୫୦ ପ୍ରତିଶତ ତଥା ଅଧା ଯାତ୍ରୀରେ ମେଟ୍ରୋ ଟ୍ରେନ ଚାଲିବାକୁ ଥିବା ବେଳେ ଛିଡା ହୋଇ ଯାତ୍ରାକୁ ନିଷିଦ୍ଧ କରାଯାଇଛି। ଦିଲ୍ଲୀ ବିପର୍ଯ୍ୟୟ ପ୍ରଶାସନ କର୍ତ୍ତୃପକ୍ଷ ବା ଡିଡିଏମଏର ନିର୍ଦ୍ଦେଶ କ୍ରମେ ଏହି ନିଷ୍ପତ୍ତି କାର୍ଯ୍ୟକାରୀ କରାଯାଇଛି।

ମେଟ୍ରୋ ସେବାରେ ଏଭଳି କଟକଣା ଲାଗୁ ଯୋଗୁଁ ସମସ୍ୟାରେ ପଡିଛନ୍ତି ଯାତ୍ରୀ। ବୁଧବାର ସକାଳେ ଲୋକମାନେ ଅଫିସ ଯିବା ଲାଗି ମେଟ୍ରୋରେ ପହଞ୍ଚିଥିଲେ। କିନ୍ତୁ କଟକଣା ପାଇଁ ସେମାନଙ୍କୁ ଲମ୍ବା ଲମ୍ବା ଲାଇନରେ ଛିଡା ହେବାକୁ ପଡିଥିଲା । ଦୀର୍ଘ ସମୟ ଧାଡିରେ ଛିଡା ହୋଇ ଅତିଷ୍ଠ ହୋଇଉଠିଥିଲେ ଯାତ୍ରୀ । ଏହି ଅବସରରେ କିଛି ଯାତ୍ରୀ କଟକଣା ବଦଳରେ ସରକାର ମେଟ୍ରୋ ସେବା ପୂରା ବନ୍ଦ କରିଦେବା ଉଚିତ୍ ବୋଲି କହିଥିଲେ ।

ସେହିପରି ଡିଟିସିର ବସ୍ ମଧ୍ୟ ୫୦ ପ୍ରତିଶତ ତଥା ଅଧା ଯାତ୍ରୀରେ ଚାଲିବ । ଯାତ୍ରୀମାନେ ଠିଆ ହୋଇ ବସରେ ଯାତ୍ରା କରିପାରିବେ ନାହିଁ । ସଂକ୍ରମଣକୁ ଦୃଷ୍ଟିରେ ରଖି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ସହରରେ ୟେଲୋ ଆଲର୍ଟ ଜାରି କରିଛନ୍ତି। ଏହି ଆଲର୍ଟ ଅନୁସାରେ ସହରରେ ସ୍କୁଲ, କଲେଜ, ସିନେମା ଓ ଜିମ୍ ଆଦି ବନ୍ଦ ରହିବ। ଦିଲ୍ଲୀ ମେଟ୍ରୋ ରେଲ କର୍ପୋରେସନ ବା ଡିଏମଆରସି ନେଟଓ୍ବର୍କର ବର୍ତ୍ତମାନ ସୀମା ରହିଛି ୩୯୨ କିଲୋମିଟର ଏବଂ ୨୮୬ଟି ମେଟ୍ରୋ ଷ୍ଟେସନ ରହିଛି ।

ସେପଟେ ମୁମ୍ବାଇରେ ବାୟୁର ଗୁଣବତ୍ତା ଖରାପ ହୋଇଥିବା ବେଳେ କୋଭିଡ ଓ ଓମିକ୍ରନ ସଂକ୍ରମଣ ବୃଦ୍ଧି ପାଇଛି। ମାସ୍କ ପିନ୍ଧିବା ଲାଗି ବିଶେଷଜ୍ଞମାନେ ଲୋକଙ୍କୁ ପରାମର୍ଶ ଦେଇଛନ୍ତି । ମୁମ୍ବାଇରେ ୧୬୭ରୁ ଅଧିକ ଓମିକ୍ରନ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ବାୟୁ ପ୍ରଦୂଷଣ ଅଧିକ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି ।

ଓସିଏସ୍‌ଙ୍କ ଓରିଏଣ୍ଟେସନ୍‌ରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ: ସାଧାରଣ ଜନତାଙ୍କୁ କେବେ ଅଣଦେଖା ନକରିବାକୁ ପରାମର୍ଶ

ଭୁବନେଶ୍ୱର: ଓଡ଼ିଶା ପ୍ରଶାସନିକ ସେବାରେ ନିଯୁକ୍ତି ପାଇଲେ ୧୫୩ ଅଫିସର । ଲୋକସେବା ଭବନରେ ଆୟୋଜିତ ଓରିଏଣ୍ଟେସନ କାର୍ଯ୍ୟକ୍ରମରେ ଯୋଗ ଦେଇ ସେମାନଙ୍କୁ ନିଯୁକ୍ତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରଶାସନିକ ସେବା ହେଉଛି ଏକକ ସେବା । ଏହା କେବଳ ଏକ ବୃତ୍ତି ନୁହେଁ । ମାଆ, ମାଟି ଓ ସାଧାରଣ ଜନତାର ସେବା କରିବା ହେଉଛି ଏହାର ଲକ୍ଷ୍ୟ । ସାଧାରଣ ଜନତାର ବିଶ୍ୱାସକୁ କୌଣସି ପରିସ୍ଥିତିରେ ଏଡ଼ାଇ ଦେବା ଅନୁଚିତ ।

ନୂଆ ଅଫିସରଙ୍କୁ ଉଦବୋଧନ ଦେଇ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ । ଅଫିସରମାନଙ୍କ ଦ୍ୱାରା ନିଆଯାଉଥିବା ପ୍ରତ୍ୟେକ ନିଷ୍ପତ୍ତି ଜନତାଙ୍କ ଆଶା ଓ ବିଶ୍ୱାସକୁ ଶକ୍ତିଶାଳୀ କରିବା ଦିଗରେ ଉଦ୍ଦିଷ୍ଟ ହେବା ଆବଶ୍ୟକ । ଏହି ଦିବସ ପ୍ରତି ଅଫିସରଙ୍କ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅୟମାରମ୍ଭ । ଜଣେ ପ୍ରଶାସନିକ ସେବକ ଭାବେ ପ୍ରତି ଅଫିସର ଦାୟିତ୍ୱ ନିର୍ବାହ କରିବା ଆବଶ୍ୟକ । ନିଜର ଭୂମିକା ଓ ଦାୟିତ୍ୱବୋଧକୁ ସେମାନେ ସୂଚାରୁରୂପେ ପାଳନ କରିବା ଉଚିତ ।

ରାଜ୍ୟର ବିକାଶ ଓ ଗରିବଙ୍କ କଲ୍ୟାଣ ଉପରେ ପ୍ରାଥମିକତା ଦେବା ଉପରେ ଗୁରୁତ୍ୱ ଦେଇ ସେ କହିଛନ୍ତି- କଠିନ ପରିଶ୍ରମ ଓ ତ୍ୟାଗ ବଳରେ ହିଁ ଏହି ଆଶା ସାକାର ହୋଇପାରିବ । ଏହା ଜରିଆରେ ଓଡିଶା ୧ ନମ୍ବର ହୋଇପାରିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଫାଇଭ-ଟି ଓ ମୋ ସରକାର ଜରିଆରେ ପ୍ରଶାସନିକ ବ୍ୟବସ୍ଥାରେ ବୈପ୍ଲବିକ ପରିବର୍ତ୍ତନ ଘଟିଛି । ଲୋକଙ୍କ ନିକଟରେ ସେବା ଯୋଗାଇ ଦେବା ଲାଗି ସରକାର ଉତ୍ସର୍ଗୀକୃତ ଭାବେ କାର୍ଯ୍ୟ କରୁଛନ୍ତି ବୋଲି ସେ କହିଛନ୍ତି । ଏହାସହ ଆଜି ଲୋକସେବା ଭବନରେ ପେନସନଧାରୀଙ୍କ ପାଇଁ ଦେଶରେ ପ୍ରଥମ ଥର ପାଇଁ ଡିଜିଟାଲ ଲାଇଫ ସାର୍ଟିଫିକେଟ ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ଇ-ଗଭର୍ଣ୍ଣମେଣ୍ଟ ଡାଏରୀରକୁ ମଧ୍ୟ ମୁଖ୍ୟମନ୍ତ୍ରୀ ଲୋକାର୍ପିତ କରିଛନ୍ତି ।

ଅନ୍ୟପକ୍ଷରେ ନବ ନିଯୁକ୍ତ ଅଧିକାରୀଙ୍କୁ 5-ଟି ସଚିବ ମଧ୍ୟ କିଛି ପରାମର୍ଶ ଦେଇଛନ୍ତି । ନୂଆ ଅଫିସରମାନେ ସଂପୂର୍ଣ୍ଣ ସ୍ୱଚ୍ଛତାର ସହ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଛନ୍ତି । ସାଧାରଣ ଲୋକଙ୍କୁ ବୃତ୍ତିଗତ ଓ ସହାନୁଭୂତିର ସହ ବ୍ୟବହାର କରିବାକୁ ପରାମର୍ଶ ଦେଇଛନ୍ତି । ଏଥିସହିତ ପେନସନଭୋଗୀଙ୍କ ପାଇଁ ଅନଲାଇନ ଜୀବନ ପ୍ରମାଣପତ୍ର ବ୍ୟବସ୍ଥା ଆରମ୍ଭ । ରାଜ୍ୟରେ ପ୍ରଥମ କରି ଆରମ୍ଭ ହେଲା AIBV ବ୍ୟବସ୍ଥା । ଏହି AIBV ବ୍ୟବସ୍ଥା ଦେଶରେ ପ୍ରଥମ  । AIBV-ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବେସଡ ଭିଡିଓ ଭେରିଫିକେସନ ।

WHO ଦେଲା ଚେତାବନୀ, ବିଶ୍ୱରେ ଭୟଙ୍କର ହେଉଛି ଓମିକ୍ରନ୍

ନୂଆଦିଲ୍ଲୀ: ସାରା ବିଶ୍ୱରେ ଚିନ୍ତା ବଢ଼ାଉଛି କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ । କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ଫଳରେ ଦିନକୁ ଦିନ ଦ୍ରୁତ ଗତିରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି । ଭାରତରେ ମଧ୍ୟ ଦିନକୁ ଦିନ ହୁ ହୁ ହୋଇ ବଢ଼ିବାରେ ଲାଗିଛି ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା । ବର୍ତ୍ତମାନ ସୁଦ୍ଧା ଭାରତରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୭୮୨ରେ ପହଞ୍ଚିଛି । ତେବେ ଓମିକ୍ରନ ସଂକ୍ରମଣ ବଢ଼ୁଥିବାର ଦେଖି ବୁଧବାର ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବିଶ୍ୱକୁ ଚେତାବନୀ ଦେଇଛି ।

କୋଭିଡ-୧୯ର ସାପ୍ତାହିକ ଏପିଡେମୋଲୋଜିକଲ ଅପଡେଟରେ WHO କହିଛି କି ଅନେକ ଦେଶରେ ଓମିକ୍ରନ ପାଇଁ ଦ୍ରୁତ ଗତିରେ ସଂକ୍ରମଣ ବୃଦ୍ଧି ପାଉଛି । ଓମିକ୍ରନ ଆକ୍ରାନ୍ତ ସଂଖ୍ୟା ସେହି ଦେଶଗୁଡିକୁ ମଧ୍ୟ ଅତିକ୍ରମ କରିସାରିଛି ଯେଉଁଠାରେ ପୂର୍ବରୁ ଡେଲଟା ଭାରିଆଣ୍ଟ ଅଧିକ ପ୍ରଭାବ ଥିଲା ।

ମିଳିତ ଜାତିସଂଘର ହେଲଥ ଏଜେନ୍ସି କହିଛି କି, ନୂଆ ‘ଭାରିଏଣ୍ଟ ଅଫ୍ କନସର୍ଣ୍ଣ’ ଓମିକ୍ରନର ବିପଦ ବହୁତ ଅଧିକ ଅଟେ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି କି କରୋନାର ଡେଲଟା ଭାରିଆଣ୍ଟଠାରୁ ଓମିକ୍ରନ ଅଧିକ ସଂକ୍ରାମକ । ବ୍ରିଟେନ୍ ଏବଂ ଆମେରିକା ଭଳି ଦେଶରେ ଏହି ଭୂତାଣୁ ଅତି ଶୀଘ୍ର ବ୍ୟାପିବାରେ ଲାଗିଛି । ଏହି ସବୁ ଦେଶରେ ବର୍ତ୍ତମାନ ଓମିକ୍ରନ୍ ଅଧିକ ପ୍ରଭାବଶାଳୀ ଭାରିଆଣ୍ଟ ପାଲଟିଛି । ପ୍ରତିରକ୍ଷା ପ୍ରତିରୋଧ କ୍ଷମତା ଏବଂ ଅଧିକ ସଂକ୍ରାମକର ମିଶ୍ରଣ ଓମିକ୍ରନ ଦ୍ରୁତ ଗତିରେ ବ୍ୟାପିବାର କାରଣ ହୋଇପାରେ ବୋଲି WHO ଚେତାବନୀ ଦେଇଛି ।

WHO ଆହୁରି କହିଛି କି ଦକ୍ଷିଣ ଆଫ୍ରିକାରେ କରୋନାର ଆକ୍ରାନ୍ତଙ୍କ ସଂଖ୍ୟା ୨୯ ପ୍ରତିଶତ କମ୍ ହୋଇଛି । ନଭେମ୍ବର ୨୪ରେ ପ୍ରଥମ ଥର ପାଇଁ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ମାମଲା ସାମ୍ନାକୁ ଆସିଥିଲା । ବ୍ରିଟେନ, ଦକ୍ଷିଣ ଆଫ୍ରିକା ଓ ଡେନମାର୍କରୁ ମିଳିଥିବା ପ୍ରାଥମିକ ସୂଚନା ଅନୁସାରେ ଓମିକ୍ରନ ଆକ୍ରାନ୍ତ ଡେଲଟା ଭାରିଆଣ୍ଟ ତୁଳନାରେ କମ୍ ସଂଖ୍ୟାରେ ହସ୍ପିଟାଲରେ ଭର୍ତ୍ତି ହେଉଛନ୍ତି ।

ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଶିଶୁ ଅଦଳ ବଦଳ ଅଭିଯୋଗ

ସୋନପୁର: ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସ୍ତ୍ରୀ ଓ ପ୍ରସୂତି ବିଭାଗରେ ଶିଶୁ ଅଦଳ ବଦଳ ଅଭିଯୋଗ । ସୋମବାର ଗଣ୍ଡପାଲି ଗାଁର ବିଶିକେଶନ ଝାଙ୍କର ପତ୍ନୀ ବିନିତାଙ୍କୁ ଡେଲିଭରୀ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ତେବେ ବିନିତାଙ୍କ ଏକ ଶିଶୁ ପୁତ୍ର ଜନ୍ମ ହୋଇଛି ବୋଲି ସ୍ତ୍ରୀ ଓ ପ୍ରସୂତି ବିଭାଗର କର୍ମଚାରୀମାନେ ବିଶିକେଶନଙ୍କୁ ଜଣାଇଥିଲେ ।
କିଛି ସମୟ ପରେ ପୁଣି ତାଙ୍କର ପୁଅ ନୁହେଁ ବରଂ ଏକ କନ୍ୟା ସନ୍ତାନ ଜନ୍ମ ହୋଇଛି ବୋଲି କହିଥିଲେ । ସେହି ସମୟରେ ଅନ୍ୟ ପ୍ରସୂତି ମହିଳାଙ୍କର ବି କନ୍ୟା ସନ୍ତାନ ହୋଇଥିବା ପ୍ରସୂତି ବିଭାଗରୁ ଖବର ଆସିଥିଲା । ଫଳରେ ମେଡିକାଲ କର୍ତ୍ତୃପକ୍ଷଙ୍କ ଉପରେ ସନ୍ଦେହ ଉପୁଜିଥିଲା । ବିଶିକେଶନ ସହଜରେ ଗ୍ରହଣ କରି ପାରିନଥିଲେ । ମେଡିକାଲରେ ଉତ୍ତେଜନା ପ୍ରକାଶ ପାଇଇଥିଲା । ଏନେଇ ସେ ସୋନପୁର ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ଆଧାରରେ ପୋଲିସ ପହଞ୍ଚି ତଦନ୍ତ ଚଳାଇଛି ।

ପୂର୍ବରୁ ମଧ୍ୟ ସମାନ ପ୍ରକାର ଘଟଣାକୁ ନେଇ ଚର୍ଚ୍ଚାରେ ରହିଥିଲା ସୁବର୍ଣ୍ଣପୁର ହସ୍ପିଟାଲ । ଶିଶୁକନ୍ୟା ଚୋରି ମାମଲାରେ ବାପା ଓ ଆଈ ଗିରଫ ହୋଇଥିଲେ । ଶିଶୁ ବିକ୍ରି ଓ ଅପହରଣ ମାମଲାରେ ବାପା ଗଜେନ୍ଦ୍ର ତାଣ୍ଡିଆ ଓ ଆଈ ପାନ୍ତା ଜାଲକୁ ଗିରଫ କଲା ସୋନପୁର ପୋଲିସ । ବୀରମହାରାଜପୁର ବ୍ଲକ୍ ଷଣ୍ଢା ଗ୍ରାମର ଗଜେନ୍ଦ୍ର ତାଣ୍ଡିଆଙ୍କ ପତ୍ନୀ ସନ୍ତୋଷିନୀ ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଶୁକ୍ରବାର ଶିଶୁକନ୍ୟାକୁ ଜନ୍ମ ଦେଇଥିଲେ । ପ୍ରସୂତି ଓ ସ୍ତ୍ରୀ ରୋଗ ବିଭାଗରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଥିଲେ । ସିସିଟିଭି ଫୁଟେଜ ଅନୁସାରେ ଗଜେନ୍ଦ୍ରଙ୍କ ଶାଶୂ ପାନ୍ତିଙ୍କ ସହ ଶିଶୁକନ୍ୟା ଧରି ଫେରାର ଥିବା ମହିଳା ଟିକା କେନ୍ଦ୍ର ସମ୍ମୁଖରେ ବେଶ୍ କିଛି ସମୟ କଥାବାର୍ତ୍ତା ହୋଇଥିଲେ । ପ୍ରାୟ ୧୨ଟାରେ ସହର ଠାରୁ ପ୍ରାୟ ୧୨ କିମି ଦୂର ଅର୍ଜୁନପୁର ଶରଧାପାଲି ରାସ୍ତା ପ୍ରତାପପୁର ନିକଟସ୍ଥ ପଡ଼ିଆରୁ ଶିଶୁକନ୍ୟା ଉଦ୍ଧାର ହୋଇଥିଲା । ସିସିଟିଭିରେ ଦେଖା ଦେଇଥିବା ମହିଳାକୁ ଗିରଫ କରାଯାଇଛି ନାହିଁ । ଅଭିଯୁକ୍ତ ବାପ ଓ ଆଈଙ୍କୁ ପୋଲିସ ରିମାଣ୍ଡରେ ଅଣାଯିବ ବୋଲି ସୂଚନା ଦେଇଛି ।

ବିବାଦରେ ୨୦୨୧: ଭାରତର S-୪୦୦ ଆଗରେ ନାଚାର ଆମେରିକା

ନୂଆଦିଲ୍ଲୀ: ସାରା ବିଶ୍ୱ ଜାଣିଛି, ନିଜର ସାର୍ବଭୌମତ୍ୱ ରକ୍ଷା ପାଇଁ ଯାହା ଠିକ ଭାରତ ତାହା କରିବ । ଆଗରେ ଆମେରିକା ହେଉ କି ଚୀନ ଅଥବା ଅନ୍ୟ କେହି ବିଶ୍ୱଶକ୍ତି, ନିଜ ଦେଶବାସୀଙ୍କ ସୁରକ୍ଷା ପାଇଁ ସବୁକିଛି କରି ପାରିବ ଭାରତ । ଏପରିକି ଆମେରିକା ଭଳି ନମ୍ବର ଓ୍ୱାନ୍ ବିଶ୍ୱଶକ୍ତିକୁ ବି ନାଲି ଆଖି ଦେଖାଇବାକୁ ପଛାଇବ ନାହିଁ । ଯାହା ଋଷଠାର S-400 ଡିଫେନ୍ସ ମିଜାଇଲ ସିଷ୍ଟମ କିଣିବା ସହ ଆମେରିକା ସହିତ ବିବାଦରୁ ଭାରତ ସାରା ଦୁନିଆକୁ ଦେଖାଇ ଦେଇଛି ।

୨୦୧୮ରେ ଭାରତ ଏହି ଡିଫେନ୍ସ ସିଷ୍ଟମ କିଣିବାକୁ ଚୁକ୍ତି କରିବା ପରଠାରୁ ଆମେରିକା ସହ ଲାଗି ରହିଛି ବିବାଦୀୟ ସ୍ଥିତି । ଯାହା ୨୦୨୧ରେ ଉଗ୍ର ରୂପ ନେଇଛି । S-400 ଡିଫେନ୍ସ ସିଷ୍ଟମ ଡେଲିଭରି ଘୋଷଣାଠାରୁ ଆରମ୍ଭ କରି ମିଳିବା ଓ ବର୍ତ୍ତମାନ ପର୍ଯ୍ୟନ୍ତ ଏହାକୁ ନେଇ ଦୁଇ ବନ୍ଧୁ ଭାରତ ଓ ଆମେରିକା ମଧ୍ୟରେ ବିବାଦ ଲାଗି ରହିଛି । ବିଶ୍ୱ ମଞ୍ଚରେ ଏକାଠି ଛିଡ଼ା ହେଉଥିବା ଦୁଇ ରାଷ୍ଟ୍ର ଗୋଟିଏ ମିଜାଇଲ ସିଷ୍ଟମକୁ ନେଇ ମୁହାଁମୁହିଁ ଅବସ୍ଥାରେ ଥିବା ବେଳେ ଏହା ଆଗକୁ କେଉଁ ଆଡ଼କୁ ଯାଉଛି ତାହା ଉପରେ ରହିଛି ସାରା ଦୁନିଆର ନଜର ।


ଆମେରିକାର କାଟସା ପ୍ରତିବନ୍ଧକ ଚେତାବନୀ
ଭାରତ ଋଷଠାରୁ S-400 ଡିଫେନ୍ସ ସିଷ୍ଟମ କିଣି ସାରିଛି ଓ ଏହା ଭାରତକୁ ମିଳିବା ମଧ୍ୟ ଆରମ୍ଭ ହୋଇ ସାରିଛି । ଏହି ମିଜାଇଲ ମିଳିବା ପରେ ଭାରତର ଆକାଶ ମାର୍ଗ ସୁରକ୍ଷା କବଜରେ ପରିଣତ ହୋଇଛି । ଯାହା ଆମେରିକାର ବଡ଼ଭାଇ ପଣିଆ ଉପରେ ହାତୁଡି ମାରିଛି । ସମ୍ପର୍କ ବଢ଼ିବା ପରେ ବି ଭାରତ ଋଷକୁ ନଛାଡିବା ଆମେରିକା ଆଖିରେ ଷଣ୍ଢୁଆସି ମାରିଲା ଭଳି ଖେଞ୍ଚି ହେଉଛି । ବିଶେଷ କରି S-400 ଡିଫେନ୍ସ ସିଷ୍ଟମକୁ ନେଇ ଆମେରିକା କରିଥିବା କାଟସା ପ୍ରତିବନ୍ଧକ ଭାରତ ଉପରେ ଲଗାଇବାକୁ ଧମକାଉଛି । ଯାହାକୁ ନେଇ ଦୁଇ ଦେଶରେ ବିବାଦୀୟ ସ୍ଥିତି ଲାଗି ରହିଛି ଓ ୨୦୨୧ ବର୍ଷରେ ଏହା ଅଧିକ ଉଗ୍ର ହୋଇଛି ।


ଆମେରିକାର ଚେତାବନୀ ସତ୍ତ୍ୱେ ଭାରତ ନଡ଼ରି ପୁରୁଣା ବନ୍ଧୁ ଋଷ ଉପରେ ଭରସା ଦେଖାଇଛି । ଏବେ କାଟସା ପ୍ରତିବନ୍ଧକ ଖଣ୍ଡା ଭାରତ ମୁଣ୍ଡରେ ଲଟକିଛି । ଅନ୍ୟପକ୍ଷରେ ଭାରତ ମଧ୍ୟ ପ୍ରତିବନ୍ଧକ ଧମକ ଆଗରେ ମୁଣ୍ଡ ନ ନୁଆଁଇ ଋଷଠାରୁ କିଣିଛି S-400 ଡିଫେନ୍ସ ମିଜାଇଲ ସିଷ୍ଟମ ।


ସହଜ ହେବନି ପ୍ରତିବନ୍ଧକ ଲଗାଇବା
ଭାରତ ବିରୋଧରେ କାଟସା ପ୍ରତିବନ୍ଧକ ଲଗାଇବା ଆମେରିକା ପାଇଁ ଏତେ ସହଜ ହେବନାହିଁ । ଉଭୟ ମଧ୍ୟ ଏ କଥା ଭଲ ଭାବେ ଜାଣନ୍ତି । ଚୀନର ଚ୍ୟାଲେଞ୍ଜକୁ ପ୍ରତିହତ କରିବା ଓ ନିଜର ଏକ ନମ୍ବର ଆସନ ବଞ୍ଚାଇ ରଖିବାକୁ ହେଲେ ଭାରତର ସମର୍ଥନ ଆମେରିକାକୁ ନିହାତି ଆବଶ୍ୟକ । ଏମିତି ସ୍ଥିତିରେ ବିବାଦୀୟ ସ୍ଥିତି ସୃଷ୍ଟି କରି ଓ ଡରାଇ ଭାରତକୁ ଋଷଠାରୁ ଦୂରେଇବାକୁ ଆମେରିକା କେବଳ ଚେଷ୍ଟା କରୁଛି । କାରଣ ବିଶ୍ୱ ମଞ୍ଚର ଏକାଧିକ ସଂଗଠନରେ ଭାରତ ଓ ଆମେରିକା ଏକାଠି କାମ କରୁଛନ୍ତି । ଯାହା କାଟସା ପ୍ରତିବନ୍ଧକ ଦ୍ବାରା ପ୍ରଭାବିତ ହେବ ଓ ଦୁଇ ଦେଶର ସମ୍ପର୍କ ଉପରେ ପ୍ରଭାବ ପକାଇବ । ଏହା ଆମେରିକା ପାଇଁ ବୁମେରାଂ ସାବ୍ୟସ୍ତ ହୋଇପାରେ ।


ଅନ୍ୟ ଏକ କାରଣ ହେଉଛି ଆମେରିକା ଭାରତ ଉପରେ ଏହି ପ୍ରତିବନ୍ଧକ ନ ଲଗାଇବା ପାଇଁ ଚିନ୍ତା କରିବା ପଛରେ ରହିଛି ଭାରତ ପ୍ରତି ଆମେରିକୀୟଙ୍କ ସମର୍ଥନ । ଭାରତ ଉପରେ ପ୍ରତିବନ୍ଧକ ନ ଲଗାଇବା ପାଇଁ ବାଇଡେନ ସରକାରଙ୍କ ଉପରେ ପଡୁଛି ଆମେରିକାବାସୀଙ୍କ ଚାପ । ଏହାସହ ଆମେରିକୀୟ ରିପୋର୍ଟରେ କୁହାଯାଇଛି, ଋଷ ଅସ୍ତ୍ରଶସ୍ତ୍ର ଓ ଉପକରଣ ଉପରେ ଭାରତର ନିର୍ଭରତା ଆଗ ଅପେକ୍ଷା କମିଛି । ହେଲେ ଭାରତୀୟ ସେନା ଋଷଠାରୁ ମିଳୁଥିବା ଉପକରଣ ବିନା ପ୍ରଭାବୀ ଢଙ୍ଗରେ କାମ କରିପାରିବନି । ଆଗକୁ ମଧ୍ୟ ଭାରତକୁ ଋଷ ସେନା ଉପରେ ନିର୍ଭର କରିବାକୁ ପଡ଼ିବ ଓ ଏହା ଜାରି ରହିବ । ଦୁଇ ପଟେ ଦୁଇଟି ଶତ୍ରୁ (ପାକିସ୍ତାନ ଓ ଚୀନ)ଙ୍କ ମୁକାବିଲା କରୁଥିବା ଭାରତ ନିଜ ସେନାକୁ ସକ୍ଷମ କରିବାକୁ ଋଷକୁ କେବେ ଛାଡ଼ିବ ନାହିଁ । ଏଥିପାଇଁ ଆମେରିକା ସହ ସମ୍ପର୍କ ଯେତେ ଖରାପ କରିବାକୁ ପଡୁ ପଛେ । ଏମିତି ଭୟ ବି ଆମେରିକାକୁ ପ୍ରତିବନ୍ଧକ ନ ଲଗାଇବା ଚାପ ପକାଉଛି ।


କ’ଣ ଏହି କାଟସା ପ୍ରତିବନ୍ଧକ ?
ନିଜ ପ୍ରତିଦ୍ବନ୍ଦ୍ବିଙ୍କ ଚେକ ଦେବାକୁ ଆମେରିକା ତିଆରି କରିଛି Countering America’s Adversaries Through Sanctions Act ବା CAATSA । ୨୦୧୮ରେ ଆମେରିକା ଆଣିଥିବା ଏହି ପ୍ରତିବନ୍ଧକର ଉଦ୍ଦେଶ୍ୟ ହେଉଛି ଏହା ମାଧ୍ୟମରେ ଇରାନ, ଋଷ ଓ ଉତ୍ତର କୋରିଆର ଆକ୍ରମଣାତ୍ମକ ସ୍ଥିତିର ସାମ୍ନା କରିବା । ବିଶେଷ କରି ଋଷ ହିତରେ ଆସୁଥିବା ତେଲ, ଗ୍ୟାସ, ପ୍ରତିରକ୍ଷା ଓ ଆର୍ଥିକ ପ୍ରତିଷ୍ଠାନ ଉପରେ ଲଗାମ ଲଗାଇବା ।


କେବେ ଓ କାହା ଉପରେ ଲାଗିଛି ଏହି ପ୍ରତିବନ୍ଧକ ?
ଦୁଇ ଥର ଆମେରିକା ରାଷ୍ଟ୍ରପତି ଏହି ପ୍ରତିବନ୍ଧକ ଲଗାଇ ସାରିଛନ୍ତି । ସଂଯୋଗକୁ ଦୁଇ ଥର ଯାକ ଆମେରିକା ସହ ପ୍ରତିରକ୍ଷା ଚୁକ୍ତି କରିଥିବା ଦେଶ ଉପରେ ହିଁ ଲାଗିଛି ଏହି ପ୍ରତିବନ୍ଧକ । ୨୦୧୮ରେ S-400 ଓ ସୁଖୋଇ S-35 ରକ୍ଷା ଉପକରଣ କିଣିବାକୁ ଋଷ ସହ ଚୁକ୍ତି କରିବା ପରେ ଚୀନର Equipment Development Department ଉପରେ ଏହା ଲାଗୁ ହୋଇଥିଲା । ଚୀନକୁ ଏହାର ଡେଲିଭରୀ ମିଳିବା ପରେ ପ୍ରତିବନ୍ଧକକୁ ଆହୁରି ଶକ୍ତ କରିଦିଆଯାଇଥିଲା ।
ସେହିପରି S-400 କିଣିବା କାରଣରୁ ୨୦୧୯ରେ ତୁର୍କୀ ଉପରେ ଲାଗିଥିଲା ଏହି ପ୍ରତିବନ୍ଧକ । ଏହାସହ ତୁର୍କୀକୁ F-35 ଫାଇଟର ଜେଟ ପ୍ରୋଗ୍ରାମରୁ ବାହାର କରି ଦେଇଥିଲା ଆମେରିକା । ଋଷ ସହ ସମସ୍ତ ଚୁକ୍ତି ବାତିଲ ନକରିବା ପର୍ଯ୍ୟନ୍ତ ଏହା ଜାରି ରହିବ ବୋଲି ମଧ୍ୟ ଆମେରିକା ଚେତାବନୀ ଦେଇଥିଲା ।


ଭାରତ ଉପରେ ଏହାର ପ୍ରଭାବ
ଆମେରିକା ଏହି ପ୍ରତିବନ୍ଧକ ଆଣିବା ଦିନରୁ ଋଷ ଓ ଭାରତ ସମ୍ପର୍କକୁ ନେଇ ନେଇ ଚର୍ଚ୍ଚା ଲାଗି ରହିଛି । ଏହାସହ ଭାରତ-ଆମେରିକା ବିବାଦ ମଧ୍ୟ ଚର୍ଚ୍ଚାରେ ରହିଛି । ବିଶେଷ କରି s-400 କିଣାକୁ ନେଇ ଭାରତ ଓ ଆମେରିକା ମଧ୍ୟରେ ବିବାଦ ଲାଗି ରହିଛି । ବିଶେଷଜ୍ଞଙ୍କ ମତରେ ଏଥିରେ ଥିବା ୧୨ଟି ପଏଣ୍ଟରୁ ୧୦ଟି ଋଷ କିମ୍ବା ଆମେରିକା ସହ ଭଲ ସମ୍ପର୍କରେ କୌଣସି ପ୍ରଭାବ ପକାଇବ ନାହିଁ । କେବଳ ୨ଟି ପ୍ରତିବନ୍ଧକ ଏମିତି ରହିଛି ଯାହା ଦୁଇ ଦେଶ ସହ ଭାରତର ସମ୍ପର୍କକୁ ଖରାପ କରିପାରେ । ଏଥିରୁ ପ୍ରଥମ ପ୍ରତିବନ୍ଧକ ବ୍ୟାଙ୍କ ସେବା ଉପରେ ପ୍ରଭାବ ପକାଇବ ।

ଯଦି ଆମେରିକା ଭାରତ ଉପରେ ଏହାକୁ ଲୁଗୁ କରୁଛି ତେବେ ଆମ ଦେଶକୁ ଆମେରିକା ଡଲାରରେ ନେଣଦେଣ କରିବାରେ ସମସ୍ୟା ଦେଖାଦେବ । ଦ୍ୱିତୀୟଟିରେ ରପ୍ତାନୀ ଉପରେ ମଧ୍ୟ ଏହାର ପ୍ରଭାବ ପଡ଼ିବ । ନିଜ ଦ୍ବାରା ନିୟନ୍ତ୍ରିତ କୌଣସି ବସ୍ତୁ ପାଇଁ ଲାଇସେନ୍ସ ପ୍ରଦାନ କରିବାକୁ କିମ୍ବା ଏହାକୁ ଭାରତକୁ ରପ୍ତାନୀ କରିବାକୁ ଆମେରିକା ମନା କରିଦେଇପାରେ । ସେ ଯାହା ବି ହେଉ ୨୦୧୮ରୁ ୨୦୨୧ ପର୍ଯ୍ୟନ୍ତ ଭାରତ ଓ ଆମେରିକା ମଧ୍ୟରେ ଲମ୍ବି ଥିବା ଏହି କାଟାସ ବିବାଦ ଆଗକୁ ମଧ୍ୟ ଲାଗି ରହିବା ପରି ମନେ ହେଉଛି । କଟକଣା ଲଗିବ କି ନାହିଁ ସେ ନେଇ ଆମେରିକା ତରଫରୁ ସ୍ପଷ୍ଟ ଚିତ୍ର ନ ଆସିବା ପର୍ଯ୍ୟନ୍ତ ବିବାଦ ଚାଲିବ ଓ ଭାରତ-ଋଷ ସମ୍ପର୍କ ସେମିତି ଆଗକୁ ବଢୁଥିବ ।

୬ବାଘ ଛୁଆର କରାଗଲା ନାମକରଣ: ଟ୍ରାକରେ ଦୌଡ଼ିବ ଟଏ ଟ୍ରେନ୍

ଭୁବନେଶ୍ୱର: ବୁଧବାର ନନ୍ଦନକାନନର ୬୨ତମ ପ୍ରତିଷ୍ଠା ଦିବସ । ପ୍ରତିଷ୍ଠା ଦିବସ ଅବସରରେ ଅନେକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ମୁଖ୍ୟ ଅତିଥି ଭାବେ ଶିଶିର କୁମାର ରଥ, ପିସିସିଫ ଶଶୀ ପଲ, ନିର୍ଦ୍ଦେଶକ ମନୋଜ ଭି ନୟାର ଯୋଗଦେଇଛନ୍ତି । ପ୍ରତିଷ୍ଠା ଦିବସ ଅବସରରେ ୬ ବାଘଛୁଆର ନାମକରଣ କରାଯାଇଛି । ସୋହିନୀ, ଆଭ୍ୟା, ବିବେକ, ରକି, ବଂଶୀ ଓ ରାକେଶ ନାଁ ଦିଆଯାଇଛି । ମହାବଳ ବାଘୁଣୀ ମେଘାର ଔରସରୁ ୩ଟି ଛୁଆ ଜନ୍ମ ନେଇଥିବା ବେଳେ ଧଳା ମହାବଳ ବାଘୁଣୀ ବିଜୟା ଔରସରୁ ଗତ ମାର୍ଚ୍ଚ ମାସରେ ତିନୋଟି ଛୁଆ ଜନ୍ମ ହୋଇଥିଲେ ।

ଏମାନଙ୍କର ଆଜି ନାମକରଣ କରାଯାଇଛି । ଅନ୍ୟପଟେ ଆଜିଠୁ ଟ୍ରାକରେ ଦୌଡ଼ିବ ଟଏ ଟ୍ରେନ୍‌ । ଟ୍ରେନରେ ନୂଆ ମୋଟର ଲଗାଇବା ସହ ଡ୍ରାଏରନ୍ କରାଯିବ । ସେପଟେ ନନ୍ଦନକାନନକୁ ବିଶ୍ୱସ୍ତରୀୟ କରିବାକୁ ଆସନ୍ତା ବର୍ଷ ଆରମ୍ଭ ହେବ ଭିତ୍ତିଭୂମି କାର୍ଯ୍ୟ । ଅତ୍ୟାଧୁନିକ ବିଲ୍ଡିଂ ସହ ଚିଡ଼ିଆଖାନାରେ ରହିବ ହାଇଟେକ୍ ବ୍ୟବସ୍ଥା । ବିଦେଶୀ ସମେତ ରାଜ୍ୟ ବାହାରର ପର୍ଯ୍ୟଟକଙ୍କୁ ଆକୃଷ୍ଠ କରିବା ପାଇଁ ନୂଆ ନୂଆ ବ୍ୟବସ୍ଥା ଗ୍ରହଣ କରାଯିବ । ଏହାସହ ନନ୍ଦନକାନନରେ ଥିବା ପଶୁପକ୍ଷୀଙ୍କ ସଂଖ୍ୟା ବୃଦ୍ଧି ଏବଂ ବଂଶବିସ୍ତାର କରିବା ପାଇଁ ଖୁଆଡ ଗୁଡିକରେ ସ୍ବତନ୍ତ୍ର ବ୍ୟବସ୍ଥା କରାଯିବ । ୬୧ ବର୍ଷ ମଧ୍ୟରେ ନନ୍ଦନକାନନକୁ ଅନେକ ପଶୁପକ୍ଷୀ ଆସିଛନ୍ତି । ଏଠାରୁ ଅନେକ ପଶୁପକ୍ଷୀ ଅନ୍ୟ ଚିଡିଆଖାନାକୁ ମଧ୍ୟ ଯାଇଛନ୍ତି । ପର୍ଯ୍ୟଟକଙ୍କ ମଧ୍ୟରେ ଏକ ସ୍ୱତନ୍ତ୍ର ସ୍ଥାନ ନେଇଛି ନନ୍ଦନକାନନ । ସମସ୍ତଙ୍କର ପ୍ରଥମ ପସନ୍ଦ ପାଲଟିଛି ନନ୍ଦନକାନନ ।

ଏଥିସହିତ ପଢ଼ନ୍ତୁ: କରୋନା ଟିକା ନେଇ ଯାଇଥିବା ଆଶା ଓ ଅଙ୍ଗନବାଡି ଦିଦିଙ୍କୁ ଅଟକ ରଖିଲେ ଗ୍ରାମବାସୀ

ଓମିକ୍ରନ ଆକ୍ରାନ୍ତ ବଢ଼ୁଥିବାବେଳେ ଆଜି ବସିବ ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରୀ ପରିଷଦ ବୈଠକ

ନୂଆଦିଲ୍ଲୀ: ସାରା ଦେଶରେ ଦ୍ରୁତ ଗତିରେ ବୃଦ୍ଧି ପାଉଛି କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ । ବର୍ତ୍ତମାନ ସୁଦ୍ଧା ଭାରତରେ ୭୮୨ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇ ସାରିଲେଣି । ଦେଶରେ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ସଂକ୍ରମଣକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ମନ୍ତ୍ରୀ ପରିଷଦ ବୈଠକ କରିବେ । ଆଜି ସନ୍ଧ୍ୟା ୪ରେ ଅନୁଷ୍ଠିତ ହେବ ଏହି ବୈଠକ । ଏହି ମନ୍ତ୍ରୀ ପରିଷଦ ବୈଠକରେ ସମସ୍ତ କେନ୍ଦ୍ର ମନ୍ତ୍ରୀ ଯୋଗଦେବେ ।

ଆସନ୍ତା ବର୍ଷ ଉତ୍ତରପ୍ରଦେଶ ଏବଂ ପଞ୍ଜାବରେ ହେବାକୁ ଥିବା ବିଧାନସଭା ନିର୍ବାଚନ ମଧ୍ୟରେ ଆଲୋଚନା ହେବ ବୋଲି ଆଶା କରାଯାଉଛି । ଏଥିସହ ଭାରତରେ ଦ୍ରୁତ ଗତିରେ ବଢ଼ୁଥିବା ଓମିକ୍ରନ ମାମଲା ବିଷୟରେ ଆଲୋଚନା କରିଯାଇପାରେ । ଏହା ପୂର୍ବରୁ ଗତ ଗୁରୁବାର ଏକ ଉଚ୍ଚସ୍ତରୀୟ ବୈଠକରେ ପ୍ରଧାନମନ୍ତ୍ରୀ ମୋଦି ମହାମାରୀର ପରିସ୍ଥିତିକୁ ଅନୁଧ୍ୟାନ କରିଥିଲେ । ଯେଉଁଠାରେ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି ସେଠାରେ ଉଚ୍ଚସ୍ତରୀୟ ସଜାଗତା ଏବଂ ସତର୍କତା ଅବଲମ୍ବନ କରିବାକୁ ଅଧିକାରୀମାନଙ୍କୁ କହିଥିଲେ।

ପୂର୍ବରୁ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳକୁ କେନ୍ଦ୍ର ସରକାର କହିଛି ଯେ ଓମିକ୍ରନ୍ ଭାରିଆଣ୍ଟ ଡେଲଟା ଭାରିଆଣ୍ଟ ଅପେକ୍ଷା ଅଧିକ ସଂକ୍ରାମକ । ତେଣୁ ଓମିକ୍ରନକୁ ମୁକାବିଲା କରିବା ପାଇଁ ଜିଲ୍ଲା ଓ ତହସିଲସ୍ତରରେ ସମସ୍ତେ ସଜାଗ ରହିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ଓମିକ୍ରନ ଓ SARS-CoV-2 ଭାରିଆଣ୍ଟ ବିରୋଧରେ ପ୍ରଭାବୀ ଆଣ୍ଟିବଡି ଚିହ୍ନଟ କଲେ ବୈଜ୍ଞାନିକ

ନୂଆଦିଲ୍ଲୀ: କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ଓ ଏସ୍‌ଏଆରଏସ୍‌-୨ ଭୂତାଣୁର ସମସ୍ତ ଭାରିଆଣ୍ଟକୁ ନିଷ୍କ୍ରିୟ କରିବ ଆଣ୍ଟବଡି । ଅନ୍ତର୍ଜାତୀୟ ବୈଜ୍ଞାନିକ କମିଟର ଅଧ୍ୟୟନ ବେଳେ ଏହା ଜଣାପଡ଼ିଛି । ଏହି ଆଣ୍ଟିବଡ଼ି ଭୂତାଣୁ ବଢ଼ୁଥିବା ଅଞ୍ଚଳକୁ ଟାର୍ଗେଟ କରିଥାଏ । ଏ ନେଇ ଏକ ପତ୍ରିକାରେ ପ୍ରକାଶିତ ।

ଏହି ଆଣ୍ଟିବଡ଼ି ଆଧାରରେ ଭ୍ୟାକ୍ସିନ୍ ଏବଂ କରୋନା ଔଷଧ ପ୍ରସ୍ତୁତ କରାଯାଇପାରିବ ବୋଲି ଯାହା ଓମିକ୍ରନ ଭାରିଆଣ୍ଟ ବିରୋଧରେ ବେଶ୍ ପ୍ରଭାବଶାଳୀ ହେବ ବୋଲି କହିଛନ୍ତି ଗବେଷକ ଡେଭିଡ୍ ଭେସଲର୍ । ତେବେ ଏହା ଦ୍ୱାରା ଅନ୍ୟ ଭାରିଆଣ୍ଟର ଉତ୍ପତିକୁ ଏଡ଼ାଇ ଦିଆଯାଇପାରିବ ନାହିଁ । ଡେଭିଡ୍ ହାବାର୍ଡ ହୁଜେସ୍ ମେଡିକାଲ ଇନ୍‌ଷ୍ଟିଚ୍ୟୁଟ୍ ଆସୋସିଏଟ୍ ପ୍ରଫେସର । ଗବେଷଣରୁ ପ୍ରାପ୍ତ ତଥ୍ୟ ଅନୁଯାୟୀ ଆଣ୍ଟିବଡି ଦ୍ୱାରା ବାରମ୍ୱାର ବଦଳୁଥିବା ଭାଇରସ୍ ପ୍ରଭାବରୁ ବର୍ତ୍ତିପାରିବା ।

ଅନ୍ୟପକ୍ଷରେ ସାରା ଦେଶରେ ହୁ ହୁ ହୋଇ ବଢ଼ିବାରେ ଲାଗିଛି କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ । ଭାରତର ୨୧ ରାଜ୍ୟରେ ନିଜର କାୟା ବିସ୍ତାର କରିସାରିଛି ଓମିକ୍ରନ । ସାରା ଦେଶରେ ବର୍ତ୍ତମାନ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୭୮୨ରେ ପହଞ୍ଚିଛି ।  ଯାହା ଫଳରେ କେନ୍ଦ୍ର ସରକାରଙ୍କ ଚିନ୍ତା ବଢ଼ିଛି । ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାର ଦେଖି ଅନେକ ରାଜ୍ୟ ନାଇଟ କର୍ଫ୍ୟୁ ଘୋଷଣା କରିସାରିଛନ୍ତି । ଏମିତି କି ଦିଲ୍ଲୀରେ ଅରବିନ୍ଦ କେଜ୍ରିଓ୍ୱାଲ ୟେଲୋ ଆଲର୍ଟ ମଧ୍ୟ ଜାରି କରିସାରିଛନ୍ତି ।

ସେହିଭଳି ଓଡ଼ିଶାରେ ମଧ୍ୟରେ ଧୀରେ ଧୀରେ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହେବାରେ ଲାଗିଛନ୍ତି । ବୁଧବାର ରାଜ୍ୟରେ  ଆଉ ଜଣେ ଓମିକ୍ରନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।  ଆକ୍ରାନ୍ତ ଜଣଙ୍କ କିଛି ଦିନ ପୂର୍ବରୁ ୟୁଏଇରୁ ଫେରିଥିଲେ । ସଂକ୍ରମିତଙ୍କ ଘର କେନ୍ଦୁଝର ଜିଲ୍ଲାରେ । ଜିନମ ସିକ୍ବେନ୍ସିଂରୁ ଓମିକ୍ରନ ଆକ୍ରାନ୍ତ ହୋଇଥିବା ସ୍ପଷ୍ଟ ହୋଇଛି । ଆକ୍ରାନ୍ତଙ୍କ କଣ୍ଟାକ୍ଟ ଟ୍ରେସିଂ ଚାଲିଛି । ଏନେଇ ଆଇଏଲଏସ ପକ୍ଷରୁ ସୂଚନା ଦିଆଯାଇଛି । ସଂକ୍ରମିତଙ୍କ ବୟସ ୩୧ ବର୍ଷ । ସେ ୧୬ ତାରିଖରେ ଦୁବାଇରୁ ଆସିଥିଲେ । ଆସିବା ସମୟରେ ରିପୋର୍ଟ ନେଗେଟିଭ ଆସିଥିଲା ।

ଦେଶରେ ୭ ଶହ ପାର କଲା ଓମିକ୍ରନ ଆକ୍ରାନ୍ତ, ଦିଲ୍ଲୀରେ ସର୍ବାଧିକ ୨୩୮

ନୂଆଦିଲ୍ଲୀ: ସାରା ଦେଶରେ ହୁ ହୁ ହୋଇ ବଢ଼ିବାରେ ଲାଗିଛି କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ । ଭାରତର ୨୧ ରାଜ୍ୟରେ ନିଜର କାୟା ବିସ୍ତାର କରିସାରିଛି ଓମିକ୍ରନ । ସାରା ଦେଶରେ ବର୍ତ୍ତମାନ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୭୮୨ରେ ପହଞ୍ଚିଛି ।  ଯାହା ଫଳରେ କେନ୍ଦ୍ର ସରକାରଙ୍କ ଚିନ୍ତା ବଢ଼ିଛି । ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାର ଦେଖି ଅନେକ ରାଜ୍ୟ ନାଇଟ କର୍ଫ୍ୟୁ ଘୋଷଣା କରିସାରିଛନ୍ତି । ଏମିତି କି ଦିଲ୍ଲୀରେ ଅରବିନ୍ଦ କେଜ୍ରିଓ୍ୱାଲ ୟେଲୋ ଆଲର୍ଟ ମଧ୍ୟ ଜାରି କରିସାରିଛନ୍ତି ।

ଭାରତରେ ଚିହ୍ନଟ ହୋଇଥିବା ଓମିକ୍ରନ ଆକ୍ରାନ୍ତଙ୍କ ମଧ୍ୟରୁ ସର୍ବାଧିକ ଦିଲ୍ଲୀରେ ୨୩୮ ଜଣ ଚିହ୍ନଟ ହୋଇଛନ୍ତି । ସେହିପରି ମହାରାଷ୍ଟ୍ରରେ ୧୬୭, ଗୁଜୁରାଟରେ ୭୩, କେରଳରେ ୬୫, ତେଲେଙ୍ଗାନାରେ ୬୨, ରାଜସ୍ଥାନରେ ୪୬, କର୍ଣ୍ଣାଟକରେ ୩୪, ତାମିଲନାଡୁରେ ୩୪, ହରିଆଣାରେ ୧୨, ପଶ୍ବିମବଙ୍ଗରେ ୧୧, ମଧ୍ୟ ପ୍ରଦେଶରେ ୯, ଓଡ଼ିଶାରେ ୯, ଆନ୍ଧ୍ରପ୍ରଦେଶରେ ୬, ଉତ୍ତରାଖଣ୍ଡରେ ୪, ଚଣ୍ଡିଗଡ ଓ ଜାମ୍ମୁ କାଶ୍ମୀରରେ ୩, ଉତ୍ତର ପ୍ରଦେଶରେ ୨, ଗୋଆ, ହିମାଚଳ ପ୍ରଦେଶ, ଲଦାଖ ଓ ମଣିପୁରରେ ଜଣେ ଲେଖାଏଁ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।