spot_img
Home Blog Page 4744

ଧୋନୀଙ୍କ ରେକର୍ଡ ଭାଙ୍ଗିଲେ ପନ୍ତ, କମ୍ ଟେଷ୍ଟରେ ଶିକାର କଲେ ୧୦୦ ଓ୍ୱିକେଟ

ସେଞ୍ଚୁରିୟନ: ଡିସେମ୍ବର ୨୬ରୁ ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଛି ପ୍ରଥମ ଟେଷ୍ଟ । ଏହି ମ୍ୟାଚରେ ଭାରତ ଦକ୍ଷିଣ ଆଫ୍ରିକାକୁ ବ୍ୟାକଫୁଟରେ ପକାଇ ମ୍ୟାଚରେ ଆଗୁଆ ରହିଛି । ପ୍ରଥମ ମ୍ୟାଚରେ ଭାରତୀୟ ଦଳର ଓ୍ୱିକେଟ କିପର ବ୍ୟାଟ୍ସମ୍ୟାନ ଋଷଭ ପନ୍ତ ଏକ ନୂଆ ରେକର୍ଡ ସୃଷ୍ଟି କରିଛନ୍ତି । ଓ୍ୱିକେଟ କିପର ଭାବରେ ୧୦୦ ଓ୍ୱିକେଟ ନେବାରେ ଦ୍ରୁତତମ ଭାରତୀୟ ହୋଇଛନ୍ତି ଋଷଭ । ପନ୍ତଙ୍କ ପୂର୍ବରୁ ଏହି ରେକର୍ଡ ଭାରତୀୟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ନାମରେ ରହିଥିଲା ।

ଭାରତୀୟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ୩୬ଟି ଟେଷ୍ଟ ମ୍ୟାଚ ଖେଳି ଏହି ରେକର୍ଡ ହାସଲ କରିଥିବା ବେଳେ ଋଷଭ ପନ୍ତ ମାତ୍ର ୨୬ଟି ମ୍ୟାଚ ଖେଳି ଏହି ରେକର୍ଡ ନିଜ ନାମରେ କରିଛନ୍ତି । ଓ୍ୱିକେଟ ପଛରେ ପନ୍ତଙ୍କ ନାମରେ ମୋଟ ୯୩ଟି କ୍ୟାଚ ଓ ୮ଟି ଷ୍ଟମ୍ପିଂ ରହିଛି । ମହେନ୍ଦ୍ର ସିଂ ଧୋନୀ ୯୦ଟି ଟେଷ୍ଟ ମ୍ୟାଚ ଖେଳି ଓ୍ୱିକେଟ ପଛରେ ୨୯୪ ଶିକାର କରିଥିଲେ । ଧୋନୀଙ୍କ ନାମରେ ୨୫୬ କ୍ୟାଚ ଓ ୩୮ ଷ୍ଟମ୍ପିଂ ରହିଛି ।

ଏପର୍ଯ୍ୟନ୍ତ କେବଳ ଛଅ ଜଣ ଭାରତୀୟଙ୍କ ନାମରେ ଏହି ରେକର୍ଡ ରହିଛି । ସେମାନେ ହେଉଛନ୍ତି ମହେନ୍ଦ୍ର ସିଂ ଧୋନୀ (୨୯୨), ସୟଦ କିରମାନୀ (୧୯୮), କିରଣ ମୋରେ (୧୩୦), ନୟନ ମଙ୍ଗିଆ (୧୦୭), ଋଦ୍ଧିମାନ ଶାହା (୧୦୪) ଏବଂ ଋଷଭ ପନ୍ତ (୧୦୧) । ଯଦି ବିଶ୍ୱ କ୍ରିକେଟ କଥା କହିବା ତାହାଲେ ଓ୍ୱିକେଟ ପଛରେ ୧୦୦ ଓ୍ୱିକେଟ ଶିକାର କରିବାରେ ଦ୍ରୁତତମ ଓ୍ୱିକେଟ କିପର ହେଉଛନ୍ତି ଅଷ୍ଟ୍ରେଲିଆର ଆଡାମ ଗିଲକ୍ରୀଷ୍ଟ ଓ ଦକ୍ଷିଣ ଆଫ୍ରିକାର କ୍ୱିଣ୍ଟନ ଡି କକ୍ । ଉଭୟ ଖେଳାଳି ୨୨ଟି ମ୍ୟାଚ ଖେଳି ଏହି ରେକର୍ଡ ହାସଲ କରିଛନ୍ତି ।  

ଝିଅ ଜନ୍ମ ହେବାରୁ ଘରୁ ତଡ଼ିଦେଲେ ସ୍ୱାମୀ

ଭୁବନେଶ୍ୱର: ଦୁଇ ଝିଅ ଜନ୍ମ ହେବାରୁ ସ୍ତ୍ରୀ’କୁ ଘରୁ ତଡିଦେଲା ସ୍ୱାମୀ । ଖାଲି ଏତିକି ନୁହେଁ ବଡ଼ ଝିଅର ପାଠ ପଢା ବନ୍ଦ କରିଦେବାକୁ ଯାଇ ସ୍କୁଲରୁ ଝିଅର ଟିସି ନେଇଆସିଲା ବାପା । ଅଧାରୁ ପାଠ ପଢା ବନ୍ଦ ପରେ ବଡ଼ ଝିଅର ଭବିଷ୍ୟତକୁ ନେଇ ଚିନ୍ତାରେ ମାଆ । ଦେଢ଼ବର୍ଷ ହେଲା ସ୍ୱାମୀ ଓ ଶ୍ୱଶୁର ଘର ଲୋକଙ୍କ ଦ୍ୱାରା ନିର୍ଯ୍ୟାତନାର ଶିକାର ହେଉଛନ୍ତି ଉଭୟ ମାଆ ଓ ଝିଅ । ତେବେ ସବୁଠୁ ବଡ଼ କଥା ହେଉଛି ସ୍ୱାମୀ ଜଣଙ୍କ ହେଉଛନ୍ତି ଜଣେ ଶିକ୍ଷକ । ଏଭଳି ଏକ ସମ୍ବେଦନଶୀଳ ଅଭିଯୋଗ ଆସିଛି କେନ୍ଦ୍ରାପଡ଼ା ଜିଲ୍ଲା ଖୁରୁସିଆପାଟ ଗାଁରୁ । ସ୍ୱାମୀ କପିଳେଶ୍ୱର ହାଇସ୍କୁଲରେ ଶିକ୍ଷକ ଅଛନ୍ତି । ଏବେ ନ୍ୟାୟ ପାଇଁ ବିଭିନ୍ନ ଫୋରମରେ ନିବେଦନ କରି ବୁଲୁଛନ୍ତି ମାଆ ଓ ଝିଅ ।

ବିଜେପି ନେତାଙ୍କ ମଦ ପ୍ରଲୋଭନ: କହିଲେ, ଯଦି ମିଳିବ କୋଟିଏ ଭୋଟ ତେବେ କମିବ ମଦର ରେଟ୍

ହାଇଦ୍ରାବାଦ:  ଆନ୍ଧ୍ରପ୍ରଦେଶ ବିଜେପି ସଭାପତିଙ୍କ ବିଚିତ୍ର ଘୋଷଣା । ଭୁଲିଗଲେ ସବୁ ନୀତିନିୟମ । ଖୋଲାଖୋଲି ଭାବେ ମଦର ପ୍ରସାର ନିମନ୍ତେ ଜଣାଇଛନ୍ତି ଆହ୍ୱାନ । ରାଜ୍ୟ ସଭାପତି ସୋମୁ ବୀରାଜୁ କହିଛନ୍ତି- ଯଦି ତାଙ୍କ ଦଳ ଆସନ୍ତା ନିର୍ବାଚନରେ ୧ କୋଟି ଭୋଟ ପାଇବ ତେବେ ରାଜ୍ୟରେ ୭୦ଟଙ୍କାରେ ମଦ ଯୋଗାଇଦେବ । ଏହା ବି କହିଛନ୍ତି- ଯଦି ଅଧିକ ରାଜସ୍ୱ ସଂଗ୍ରହ ହୋଇପାରେ ତେବେ ଏହି ଦର ଆହୁରି କମା ଯାଇ ୫୦ ଟଙ୍କା କରିଦିଆଯିବ । ବିଜୟଓ୍ୱାଡ଼ାରେ ଆୟୋଜିତ ଏକ ସାଧାରଣ ସଭାରେ ବୀରାଜୁ ଏହି ଘୋଷଣା କରିଛନ୍ତି ।

ମଦ ଯୋଗୁ ଅନେକ ଧନଜୀବନ ଯାଉଥିବା ସହ ପାରିବାରିକ ଅଶାନ୍ତି ଲାଗି ରହୁଥିବାବେଳେ ଏକ ଜାତୀୟ ଦଳର ନେତାଙ୍କ ଏହି ବିବୃତି ପ୍ରଶ୍ନ ସୃଷ୍ଟି କରିଛି । ସେ ଅଭିଯୋଗ କରିଛନ୍ତି ରାଜ୍ୟ ସରକାର ଅଧିକ ମୂଲ୍ୟରେ ନିକୃଷ୍ଟ ମାନର ମଦ ଲୋକଙ୍କୁ ବିକ୍ରି କରୁଛନ୍ତି । ରାଜ୍ୟରେ ବର୍ତ୍ତମାନ ୧ କୋଟି ଲୋକ ଅଧିକ ମୂଲ୍ୟ ଦେଇ ମଦ କିଣି କ୍ଷତିରେ ପଡୁଛନ୍ତି । ଆସନ୍ତା ୨୦୨୪ ନିର୍ବାଚନରେ ତାଙ୍କ ଦଳ ଯଦି ୧ କୋଟି ଭୋଟ ପାଏ ତେବେ ରାଜ୍ୟରେ ଶସ୍ତାରେ ମଦ ଯୋଗାଇଦିଆଯିବ । ବୀରାଜୁ ବର୍ତ୍ତମାନ ବିଜେପି ରାଜ୍ୟ ସଭାପତି ରହିବା ସହ ଏମଏଲସିର ସଦସ୍ୟ ରହିଛନ୍ତି । ସାମ୍ବିଧାନିକ ପଦବିରେ ଥାଇ ବୀରାଜୁଙ୍କ ବୟାନ ବିବାଦ ସୃଷ୍ଟି କରିଛି ।

ଏଥିସହିତ ପଢ଼ନ୍ତୁ: ରାଜ୍ୟ ନିର୍ବାଚନ ଆୟୋଗଙ୍କ ଘୋଷଣା, ହେବନି ପଞ୍ଚାୟତ ନିର୍ବାଚନ

ରାଜ୍ୟରେ ଆଉ ଜଣେ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ: ୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର: ରାଜ୍ୟରେ ଆଉ ଜଣେ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତ ଜଣଙ୍କ କିଛି ଦିନ ପୂର୍ବରୁ ୟୁଏଇରୁ ଫେରିଥିଲେ । ସଂକ୍ରମିତଙ୍କ ଘର କେନ୍ଦୁଝର ଜିଲ୍ଲାରେ । ଜିନମ ସିକ୍ବେନ୍ସିଂରୁ ଓମିକ୍ରନ ଆକ୍ରାନ୍ତ ହୋଇଥିବା ସ୍ପଷ୍ଟ ହୋଇଛି । ଆକ୍ରାନ୍ତଙ୍କ କଣ୍ଟାକ୍ଟ ଟ୍ରେସିଂ ଚାଲିଛି । ଏନେଇ ଆଇଏଲଏସ ପକ୍ଷରୁ ସୂଚନା ଦିଆଯାଇଛି । ସଂକ୍ରମିତଙ୍କ ବୟସ ୩୧ ବର୍ଷ । ସେ ୧୬ ତାରିଖରେ ଦୁବାଇରୁ ଆସିଥିଲେ । ଆସିବା ସମୟରେ ରିପୋର୍ଟ ନେଗେଟିଭ ଆସିଥିଲା ।

ଏଠାକୁ ଆସିବା ପରେ ପଜିଟିଭ ଆସିଥିଲା । ବର୍ତ୍ତମାନ ରାମକି ହସ୍ପିଟାଲରେ ଚିକିତ୍ସା ଚାଲିଥିବା ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ସ୍ୱାସ୍ଥ୍ୟାବସ୍ଥା ଏବେ ଭଲ ରହିଛି । ସଂକ୍ରମିତଙ୍କ କଣ୍ଟାକ୍ଟରେ ଆସିଥିବା ତାଙ୍କ ବାପା ଓ ମାଙ୍କର ପ୍ରଥମ ଲେବେଲ ଟେଷ୍ଟ ସରିଛି, ରିପୋର୍ଟ ନେଗେଟିଭ ଆସିଛି । ଆଉ ଥରେ କରୋନା ଟେଷ୍ଟ କରାଯିବ । ରାଜ୍ୟରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ଏବେ ୯ରେ ପହଞ୍ଚିଛି । ଓମିକ୍ରିନ ଦ୍ୱାରା ଯେତିକି ସଂକ୍ରମିତ ହେଉଛନ୍ତି କମ ସଂଖ୍ୟାରେ ହସ୍ପିଟାଲରେ ଭର୍ତ୍ତି ହେଉଛନ୍ତି । ସିଭିୟରିଟି କମ ରହିଛି । ଅକ୍ସିଜେନର ଆବଶ୍ୟକତା ପଡୁନାହିଁ । ସାଉଥ ଆଫ୍ରିକାରେ ଏବେ ସଂକ୍ରମଣ କମିବାରେ ଲାଗିଛି । ତେବେ ଦେଶର ଅନ୍ୟ ରାଜ୍ୟରେ ସଂକ୍ରମଣ ବଢୁଛି, ଓଡ଼ିଶାରେ ବି ବଢିବ । ଏଥି ପାଇଁ ସରକାର ସଜାଗ ଥିବା କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ।

ଏଥିସହିତ ପଢ଼ନ୍ତୁ: ଆହୁରି ୨ଦିନ ପର୍ଯ୍ୟନ୍ତ ରାଜ୍ୟରେ ଜାରି ରହିବ ବର୍ଷା

ନୀଳଗିରି, କରଞ୍ଜିଆ ଓ ଟାଙ୍ଗୀ ଅଞ୍ଚଳରେ ହାତୀ ଉତ୍ପାତ: ବିଲରେ ନ ମିଳିଲେ ଘରେ ପଶି ଖାଉଛନ୍ତି ଧାନ

ନୀଳଗିରି/କରଞ୍ଜିଆ/ଟାଙ୍ଗୀ: ବାତ୍ୟା ‘ଜଓ୍ୱାଦ’ ଜନିତ କ୍ଷୟକ୍ଷତିରୁ ଚାଷୀ ଅଣ୍ଟା ସଳଖି ନଥିବା ବେଳେ ଏବେ ଝାଡ଼ଖଣ୍ଡି ହାତୀ ଚାଷୀଙ୍କ ଚିନ୍ତା ବଢ଼ାଇଛନ୍ତି ।  ମୟୂରଭଞ୍ଜ ଜିଲ୍ଲାର ଦେଉଳିରେଞ୍ଜ ନଡପୁର ଜଙ୍ଗଲରୁ ହାତୀ ପଲ ନୀଳଗିରି ଗୋପାଳପୁର ସଂରକ୍ଷିତ ବୁଦୁସାହି ଜଙ୍ଗଲରେ ପଶିଥିଲେ । ଝାଡଖଣ୍ଡି ହାତୀ ପଲକୁ ନେଇ ଭୟ ବଢିବାରେ ଲାଗିଛି । ଏହାକୁ ନେଇ ଅଞ୍ଚଳବାସୀ ଭୟରେ ରହିବା ସହ ଧାନ ଅମଳ କ୍ଷୟକ୍ଷତି ହେବାର ସମ୍ଭାବନା ଥିବାରୁ ହାତୀକୁ ଜଗି ରହିଛନ୍ତି । ହାତୀର ଗତିପଥ ଉପରେ ନଜର ରଖିଛି ବନ ବିଭାଗ ।

ଅନ୍ୟପକ୍ଷରେ ଟାଙ୍ଗୀ ରେଞ୍ଜ ଭଜାଗଡରେ ମଧ୍ୟ ହାତୀ ଉପଦ୍ରବ ଦେଖିବାକୁ ମିଳିଛି । ବଡ଼ ପୋଖରିଆ କାଶୀପୁର ରାଉଳହଜ ଗାଁ ନିକଟ ଜଙ୍ଗଲରେ ପଶିଛନ୍ତି ହାତୀ ପଲ । ଲୋକଙ୍କ ଜୀବନ ପ୍ରତି ବିପଦ ଥିବାରୁ ଜଙ୍ଗଲ ଭିତରକୁ ଲୋକଙ୍କୁ ନଯିବା ପାଇଁ ବାରଣ କରିଛି ବନବିଭାଗ । ବନ ବିଭାଗ ପକ୍ଷରୁ ମାଇକ୍ ଜରିଆରେ ପ୍ରଚାର କରି ଲୋକଙ୍କୁ ସଚେତନ କରାଯାଉଛି । ଜଙ୍ଗଲରେ ହାତୀ ଥିବା ଜାଣିବା ପରେ ଭୟଭୀତ ଅବସ୍ଥାରେ ଅଛନ୍ତି ସ୍ଥାନୀୟ ଲୋକ ।

କରଞ୍ଜିଆ ଉପଖଣ୍ଡରେ ମଧ୍ୟ ଥମୁନି ହାତୀ ଉପଦ୍ରବ । ୨୬ ଟିକିଆ ହାତୀ ପଲ ପୁଣି କିଛି ଦିନର ବ୍ୟବଧାନ ପରେ କରଞ୍ଜିଆ ବନଖଣ୍ଡକୁ ପଶି ଆସିଛନ୍ତି । ବିଲବାଡିରେ ଫସଲ ନଥିବାରୁ ଘର ଭାଙ୍ଗି ସାଇତା ଧାନ ଚାଉଳ ଖାଇବା ସହିତ ନଷ୍ଟ ମଧ୍ୟ କରୁଛନ୍ତି । ସୋମବାର ରାତିରେ ହାତୀ ପଲ ଚାରୋଟି ଘର ଭାଙ୍ଗିଥିବା ସୂଚନା ମିଳିଛି । ଗତ ରାତିରେ ଘାଗରବେଡା ସେକ୍ସନ ନଇଭଙ୍ଗା ଗାଁରେ ୩ଟି ଘର ଭାଙ୍ଗିଛନ୍ତି । ହାତୀ ପଲ ଘର ଭାଙ୍ଗିବା ଫଳରେ କାନ୍ଥ ପଡି ଗୋଟିଏ ଦାମୀ କାର ଭାଙ୍ଗି ଯାଇଛି ଏବଂ ଗୋଟିଏ ଛେଳି ମଧ୍ୟ ମରିଥିବା ଖବର ମିଳିଛି । ହାତୀ ପଲ ଏବେ ନୂଆଗାଁ ନିକଟରେ ଥିବାରୁ ସ୍ଥାନୀୟ ଅଞ୍ଚଳର ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି ।

ଏଥିସହିତ ପଢ଼ନ୍ତୁ: କରୋନା ଟିକା ନେଇ ଯାଇଥିବା ଆଶା ଓ ଅଙ୍ଗନବାଡି ଦିଦିଙ୍କୁ ଅଟକ ରଖିଲେ ଗ୍ରାମବାସୀ

କରୋନା ଟିକା ନେଇ ଯାଇଥିବା ଆଶା ଓ ଅଙ୍ଗନବାଡି ଦିଦିଙ୍କୁ ଅଟକ ରଖିଲେ ଗ୍ରାମବାସୀ

ଭୁବନେଶ୍ୱର: ମୟୂରଭଞ୍ଜ ଜିଲ୍ଲା ଉଦଳା ବ୍ଳକ୍ ବଡ଼ଖମଣା ପଞ୍ଚାୟତର ତାଳସେରୀ ଗାଁରେ ଅଭାବନୀୟ ଘଟଣା । କରୋନା ଟିକାକୁ ବାରଣ କରି ଆଶାକର୍ମୀ ଓ ଅଙ୍ଗନଓ୍ୱାଡି ଦିଦିଙ୍କୁ ଅଟକ ରଖିଲେ ଗ୍ରାମବାସୀ । ଗାଁର ୧୨ଜଣଙ୍କୁ ଦିନକ ପୂର୍ବରୁ କରୋନା ଟିକା ଦିଆଯାଇଥିଲା । ଗତକାଲି ଗ୍ରାମରେ ଅବଶିଷ୍ଟ ଲୋକଙ୍କୁ ଟିକା ଦେବା ପାଇଁ ଯାଇଥିବା ଆଶାକର୍ମୀ ଓ ଅଙ୍ଗନବାଡିକର୍ମୀଙ୍କୁ ଅଟକ ରଖିଥିଲେ ଗ୍ରାମବାସୀ ।

ଟିକା ନେଲେ ଅସୁସ୍ଥ ହେବା ଭୟରେ ଗ୍ରାମବାସୀ ଏଭଳି କରିଥିବା ଜଣାପଡ଼ିଛି । ଲୋକମାନେ ସୁସ୍ଥ ଥିବାବେଳେ କ’ଣ ପାଇଁ ଟିକା ନେବେ ନାହିଁ ବୋଲି ପ୍ରଶ୍ନ କରିଥିଲେ ଆଶା କର୍ମୀ । ବର୍ତ୍ତମାନ ଧାନ କଟା ଚାଲୁଥିବାରୁ ଟିକା ନେଲେ ଲୋକ ଅସୁସ୍ଥ ହୋଇ ପଡ଼ିବେ । ଏହା ଦ୍ୱାରା ଚାଷ କାମାରେ ବାଧା ଉପୁଜିବ । ଏଭଳି ଆଶଙ୍କାରେ ଟିକା ନେଉନଥିବା ଜଣାପଡ଼ିଛି । ପ୍ରାୟ ୬ ଘଣ୍ଟା ଅଟକ ରହିବା ପରେ ଉଦଳା ବିଡ଼ିଓ, ତହସିଲଦାର ଓ ପୋଲିସ ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚି ଗ୍ରାମବାସୀଙ୍କୁ ବୁଝାସୁଝା କରିବା ପରେ ଅଟକ ରହିଥିବା ଆଶା କର୍ମୀ ଓ ଅଙ୍ଗନବାଡି କର୍ମୀଙ୍କୁ ଉଦ୍ଧାର କରାଯାଇଥିଲା ।

ଏଥିସହିତ ପଢ଼ନ୍ତୁ: ଆହୁରି ୨ଦିନ ପର୍ଯ୍ୟନ୍ତ ରାଜ୍ୟରେ ଜାରି ରହିବ ବର୍ଷା

ଅଜଣା ଗାଡ଼ି ଧକ୍କାରେ ୨ ବାଇକ୍ ଆରୋହୀଙ୍କ ମୃତ୍ୟୁ

0

ବଣାଇ: ଅଜଣା ଗାଡି ଧକ୍କାରେ ଦୁଇ ବାଇକ୍ ଆରୋହୀଙ୍କ ମୃତ୍ୟୁ । ସୁନ୍ଦରଗଡ଼ ଜିଲ୍ଲା ବରଡାବାହାଲ ନିକଟରେ ଆଜି ସଂଧ୍ୟାରେ ଘଟିଛି ଏ ଦୁର୍ଘଟଣା । ମୃତକ ଦୁଇ ବାଇକ୍ ଆରୋହୀ ହେଲେ ବଣାଇଁ ଥାନା ଉପରପଡା ଗାଁର ଘନଶ୍ୟାମ ବ୍ରହ୍ମା ଓ ଶିବୁ ମହାନ୍ତି । ଦୁର୍ଘଟଣା ପରେ ଉଭୟଙ୍କୁ ଆମ୍ବୁଲାନ୍ସ ଯୋଗେ ବଣାଇଁ ଉପଖଣ୍ଡ ଚିକିତ୍ସାଳୟକୁ ନିଆଯାଇଥିଲା  । ହେଲେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ । ଉଭୟଙ୍କ ମୃତଦେହ ମର୍ଗ ହାଉସରେ ରଖାଯାଇଛି । ଘଟଣାସ୍ଥଳରେ ବଣାଇଁ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଏଥିସହିତ ପଢ଼ନ୍ତୁ: ତୃତୀୟ ଲହର ନେଇ ରାଜ୍ୟ ସରକାରଙ୍କ ଜୋରଦାର ପ୍ରସ୍ତୁତି: ୩ରୁ ରାଜଧାନୀରେ ଆରମ୍ଭ ହେବ ୧୫ ବର୍ଷରୁ ଊର୍ଦ୍ଧ୍ୱଙ୍କ ଟିକାକରଣ

ଆନ୍ଦୋଳନରତ ଡାକ୍ତରଙ୍କୁ ଆକ୍ରମଣ ଘଟଣା: ସମ୍ପୃକ୍ତ ପୋଲିସ କର୍ମଚାରୀଙ୍କ ନିଲମ୍ୱନ ଦାବି କଲା ସଂଗଠନ

ନୂଆଦିଲ୍ଲୀ: ନିଟ୍ ପିଜି କାଉନସେଲିଂରେ ବିଳମ୍ବକୁ ବିରୋଧ । ଦିଲ୍ଲୀରେ ଆନ୍ଦୋଳନରତ ଡାକ୍ତର ଓ ପୋଲିସ ମୁହାଁମୁହିଁ । ପୋଲିସ ଅମାନବୀୟ ଭାବେ ଆକ୍ରମଣ କରିଥିବା ଡାକ୍ତରମାନେ ଅଭିଯୋଗ କରିଛନ୍ତି । ତେଣୁ ଆନ୍ଦୋଳନ ଜାରି ରହିବ ବୋଲି ଡାକ୍ତର ମାନେ କହିଛନ୍ତି । ଯେ ପର୍ଯ୍ୟନ୍ତ ସରକାର ଏ ବିବାଦରେ ସମାଧାନ କରିନାହାନ୍ତି ସେ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ।

ଏହାସହ ଡାକ୍ତରଙ୍କୁ ଆକ୍ରମଣ କରିଥିବା ପୋଲିସ କର୍ମଚାରୀଙ୍କୁ ନିଲମ୍ବିତ କରିବାକୁ ସଂଗଠନ ଦାବି କରିଛି । ନିଟ୍ ପିଜି କାଉନସେଲିଂରେ ବିଳମ୍ବ ଯୋଗୁଁ ହଜାର ହଜାର ଡାକ୍ତର ରାଜରାସ୍ତାକୁ ଓହ୍ଲାଇଛନ୍ତି । ଡାକ୍ତର ସଂଗଠନ ଫେଡେରେସନ୍ ଅଫ୍ ଅଲ ଇଣ୍ଡିଆ ମେଡିକାଲ ଆସୋସିଏସନ୍ ଦେଶବ୍ୟାପୀ ହରତାଳ ଘୋଷଣା କରିଛି । ଡାକ୍ତରଙ୍କ ଆନ୍ଦୋଳନ ଯୋଗୁ ଦିଲ୍ଲୀ ସହ ଅନେକ ସହରର ହସ୍ପିଟାଲରେ ଚିକିତ୍ସା ସେବା ବାଧାପ୍ରାପ୍ତ ହୋଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସହ ଆଲୋଚନା ବିଫଳ ହୋଇଛି । ମାମଲା ସୁପ୍ରିମକୋର୍ଟରେ ଥିବାରୁ କାଉନସେଲିଂ ହୋଇପାରୁନଥିବା କହିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭ୍ୟ । ନଭେମ୍ବର ୨୭ ତାରିଖରୁ ଡାକ୍ତରମାନେ ଆନ୍ଦୋଳନରେ ବସିଥିବାବେଳେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଆଶ୍ୱାସନା ପରେ ଡିସେମ୍ବର ୯ ତାରିଖରେ ଆନ୍ଦୋଳନରୁ ହଟିଥିଲେ । ତେବେ ସପ୍ତାହେ ମଧ୍ୟରେ ଦାବି ପୂରଣ ନ ହେବାରୁ ପୁଣି ଆନ୍ଦୋଳନକୁ ଓହ୍ଲାଇଛନ୍ତି ଡାକ୍ତର ।

ସୂଚନା ଯୋଗ୍ୟ ଯେ, ନିଟ୍-ପିଜି କାଉନସେଲିଂରେ ବିଳମ୍ବକୁ ବିରୋଧ କରି ଡାକ୍ତର ଏବଂ ଦିଲ୍ଲୀ ପୋଲିସ ମୁହାଁମୁହିଁ ହୋଇଛନ୍ତି । ଡାକ୍ତରମାନେ ଦିଲ୍ଲୀର ସଫଦରଗଞ୍ଜ ହସ୍ପିଟାଲରୁ ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ପଦଯାତ୍ରା କରିବାକୁ ଚେଷ୍ଟା କରିଥିଲେ । କିନ୍ତୁ ଦିଲ୍ଲୀ ପୋଲିସ ସମସ୍ତ ଫାଟକ ବନ୍ଦ କରି ଦେଇଥିଲା । ଏହାପରେ ଦିଲ୍ଲୀରେ ଆନ୍ଦୋଳନରତ ଡାକ୍ତର ଓ ପୋଲିସ ମୁହାଁମୁହିଁ ହୋଇଥିଲେ । ପୋଲିସ ଅମାନବୀୟ ଭାବେ ଆକ୍ରମଣ କରିଛନ୍ତି ବୋଲି ଡାକ୍ତରମାନେ ଅଭିଯୋଗ କରିଛନ୍ତି । ସୋମବାର ହୋଇଥିବା ସଂଘର୍ଷରେ ଉଭୟ ଡାକ୍ତର ଓ ପୋଲିସ ପକ୍ଷରୁ ଦାବି କରାଯାଇଛି କି ସେମାନଙ୍କ ପକ୍ଷରୁ ବହୁ ଲୋକ ଆହତ ହୋଇଛନ୍ତି ।

ତୃତୀୟ ଲହର ନେଇ ରାଜ୍ୟ ସରକାରଙ୍କ ଜୋରଦାର ପ୍ରସ୍ତୁତି: ୩ରୁ ରାଜଧାନୀରେ ଆରମ୍ଭ ହେବ ୧୫ ବର୍ଷରୁ ଊର୍ଦ୍ଧ୍ୱଙ୍କ ଟିକାକରଣ

ଭୁବନେଶ୍ୱର: ତୃତୀୟ ଲହର ଓମିକ୍ରନ ପାଇଁ ସତର୍କ ଅଛନ୍ତି ରାଜ୍ୟ ସରକାର । ଫେବ୍ରୁଆରୀରେ ଏହା ପିକ୍‌କୁ ଯାଇପାରେ । ଓମିକ୍ରନ ମୁକାବିଲା କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟ ସରକାର ପ୍ରସ୍ତୁତ ଅଛନ୍ତି । ସର୍ଭେଲାନ୍ସ, ଟେଷ୍ଟିଂ, ଟ୍ରିଟମେଣ୍ଟ ଓ ଟିକାକରଣକୁ ଗୁରୁତ୍ୱ ଦିଆଯାଇଛି । ସ୍ୱାସ୍ଥ୍ୟ ଭିତ୍ତିଭୂମି ପ୍ରସ୍ତୁତ କରିବା ସହ ଶିଶୁବିଭାଗ, ଅକ୍ସିଜେନ୍‌ ଏବଂ ଔଷଧ ମହଜୁଦ ଥିବା ସ୍ୱାସ୍ଥ୍ୟ ବିଭାଗ କହିଛି । ଅନ୍ୟପଟେ କିଶୋରଙ୍କୁ ଟିକାକରଣ ପାଇଁ ପ୍ରସ୍ତୁତ ହୋଇଛି ଓଡ଼ିଶା ।

ଆସନ୍ତା ୩ତାରିଖରୁ ଟିକା ନେବେ କିଶୋର । ରାଜ୍ୟରେ ୨୫ ଲକ୍ଷ ୫୩ ହଜାର କିଶୋର ଭ୍ୟାକସିନ୍ ନେବେ । ଏଥିପାଇଁ ସ୍ୱତନ୍ତ୍ର ପ୍ରସ୍ତୁତି କରିଛି ସ୍ୱାସ୍ଥ୍ୟ ବିଭାଗ । ଭ୍ୟାକସିନ୍ ପାଇଁ ଅନଲାଇନ୍‌, ଅନ୍‌ସାଇଟରେ ହେବ ପଞ୍ଜିକରଣ । କେନ୍ଦ୍ରର ଗାଇଡଲାଇନ୍ ଅନୁସାରେ ୧୫ରୁ ୧୮ ବର୍ଷ କିଶୋରଙ୍କୁ କେବଳ କୋଭାକ୍ସିନ ଟିକା ଦିଆଯିବ । ଏଥିପାଇଁ ସ୍ୱତନ୍ତ୍ର ଟିକାକରଣ କେନ୍ଦ୍ର ସହିତ ୨ ପ୍ରକାରର ବ୍ୟବସ୍ଥା ହୋଇଛି । ପ୍ରଥମ ଡୋଜର ୨୮ଦିନ ବ୍ୟବଧାନରେ ଦ୍ୱିତୀୟ ଡ଼ୋଜ ଦିଆଯିବ । ତେବେ ସମୁଖ ଯୋଦ୍ଧା ଓ ସ୍ୱାସ୍ଥ୍ୟ କର୍ମୀମାନଙ୍କୁ ବୁଷ୍ଟର ଡୋଜ୍ ଓ ବରିଷ୍ଠ ନାଗରିକମାନଙ୍କୁ କେଉଁ ଟିକା ଦିଆଯିବ ତାହା ସ୍ପଷ୍ଟ ହୋଇନାହିଁ ।

ଅନ୍ୟପକ୍ଷରେ ଭୁବନେଶ୍ୱର ମହାନଗର ନିଗମରେ ଲୋକଙ୍କ ସହଯୋଗରେ ଇତି ମଧ୍ୟରେ ଦୁଇଟି ପର୍ଯ୍ୟାୟରେ ମୋଟ ୨୭ଲକ୍ଷ ୪୦ହଜାର ୫୦୩ ଡୋଜ ଟିକା ଦିଆଯାଇଛି । ଆସନ୍ତା ୩ତାରିଖ ଠାରୁ ଆରମ୍ଭ ହେବାକୁ ଥିବା ଟିକାକରଣ ପାଇଁ ବିଏମ୍‌ସି ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା କହିଛନ୍ତି ବିଏମ୍‌ସି କମିଶନର ସଂଜୟ ସିଂ । ଏହି ବର୍ଗରେ ଅଧିକ ସଂଖ୍ୟକ ବ୍ୟକ୍ତି ଥିବା କାରଣରୁ ଆବଶ୍ୟକ ସ୍ଥଳେ ଟିକା କେନ୍ଦ୍ର ଓ ଏଥିରେ ନିୟୋଜିତ ସ୍ୱାସ୍ଥ୍ୟକର୍ମୀଙ୍କ ସଂଖ୍ୟା ବୃଦ୍ଧି ପାଇପାରେ । ତେବେ ପ୍ରଥମ ଓ ଦ୍ୱିତୀୟ ପାର୍ଯ୍ୟାୟ ଭଳି ଲୋକଙ୍କ ସହଯୋଗ ରହିଲେ ଏଥିରେ ମଧ୍ୟ ସଫଳତା ହାସଲ କରିବା ବୋଲି କହିଛନ୍ତି ବିଏମ୍‌ସି କମିଶନର।

ଆହୁରି ୨ଦିନ ପର୍ଯ୍ୟନ୍ତ ରାଜ୍ୟରେ ଜାରି ରହିବ ବର୍ଷା

ଭୁବନେଶ୍ୱର: ଆହୁରି ୨ଦିନ ପର୍ଯ୍ୟନ୍ତ ରାଜ୍ୟରେ ଜାରି ରହିବ ବର୍ଷା । ବର୍ଷା ସହ ଘନ କୁହୁଡିରେ ଅସ୍ତବ୍ୟସ୍ତ ହେବ ଜନଜୀବନ । ଓଡ଼ିଶାକୁ ଆସୁଥିବା ଜଳୀୟବାଷ୍ପ ପୂର୍ଣ୍ଣ ଉଷ୍ଣ ବାୟୁ ପ୍ରବାହ ପାଇଁ ରାଜ୍ୟରେ ଏଭଳି ପାଗ ଜାରି ରହିବ । ଏହାସହ କେନ୍ଦ୍ରୀୟ ଉତ୍ତର ପ୍ରଦେଶ ଏବଂ ଏହାର ଆଖପାଖରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଆସନ୍ତା ୨ ଦିନ ବିଭିନ୍ନ ଜିଲ୍ଲାରେ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ବିଶେଷ କରି ଆଜି ସୁନ୍ଦରଗଡ, ଝାରସୁଗୁଡା, ସମ୍ବଲପୁର, ଦେବଗଡ, କେନ୍ଦୁଝର ଏବଂ ବରଗଡ ଜିଲ୍ଲାର କିଛି ସ୍ଥାନରେ ମଧ୍ୟମ ଧରଣର ବର୍ଷା ହେବ । ଆସନ୍ତାକାଲି ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ହେବ । ସେପଟେ ଘନ କୁହୁଡି ପାଇଁ ୬ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ମାଲକାନଗିରି, କୋରାପୁଟ, ରାୟଗଡା, ନବରଙ୍ଗପୁର, କଳାହାଣ୍ଡି ଏବଂ କନ୍ଧମାଳ ଜିଲ୍ଲାରେ ଘନ କୁହୁଡ଼ି ଦେଖାଦେବ । ବର୍ଷା ପାଇଁ ରାଜ୍ୟରେ ସ୍ୱାଭାବିକ ଠାରୁ ୪ ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇଛି । ତେବେ ନୂଆବର୍ଷରୁ ପୁଣି ରାଜ୍ୟରେ ତାପମାତ୍ରା କମିବ ସହିତ ଶୀତ ବଢ଼ିବ ।