spot_img
Home Blog Page 4750

ଘୁଞ୍ଚିବ ୫ ରାଜ୍ୟର ବିଧାନସଭା ନିର୍ବାଚନ !

ନୂଆ ଦିଲ୍ଲୀ : ଦେଶରେ ଓମିକ୍ରନ ସଂକ୍ରମଣ ବଢୁଥିବାରୁ ନିର୍ବାଚନ ପ୍ରକ୍ରିୟାକୁ କିଛିଦିନ ଘୁଞ୍ଚାଇବାକୁ ନେଇ ନିଷ୍ପତ୍ତି ନେଇପାରନ୍ତି ଇଲେକ୍ସନ କମିଶନ । ଆସନ୍ତା ବର୍ଷ ୫ଟି ରାଜ୍ୟରେ ହେବାକୁ ଥିବା ନିର୍ବାଚନକୁ ନେଇ ଆଜି କୌଣସି ନିଷ୍ପତ୍ତି ଧାର୍ଯ୍ୟ ହୋଇନଥିବା ବେଳେ ଆଜି ଦିଲ୍ଲୀରେ ସ୍ୱାସ୍ଥ୍ୟ ସଚିବଙ୍କ ସହ ନିର୍ବାଚନ ଆୟୋଗଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଛି । ଦେଶରେ କରୋନା ସ୍ଥିତି ନେଇ ଏବଂ ନିର୍ବାଚନ ସ୍ଥଗିତ ରଖିବା ନେଇ ବୈଠକରେ ଆଲୋଚନା ହୋଇପାରେ । ବୈଠକରେ ନିର୍ବାଚନ ଆୟୋଗ କେନ୍ଦ୍ର ସରକାରଙ୍କୁ ଓମିକ୍ରନ ସ୍ଥିତିକୁ ନେଇ ରିପୋର୍ଟ ମାଗିଥିବା ସୂଚନା ମିଳିଛି । ଏହି ବୈଠକ ଏକ ଘଣ୍ଟା ଧରି ଚାଲିବା ସହ ବୈଠକରେ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ରାଜେଶ ଭୂଷଣ ଉପସ୍ଥିତ ଥିଲେ । ରାଜେଶ ଭୂଷଣଙ୍କୁ ଭୋଟ ପ୍ରଚାର ପ୍ରସାର, ମତଦାନ ଏବଂ ଭୋଟଗଣତି ସମୟରେ କୋଭିଡ ନିୟମ ପାଳନ କରିବାକୁ ପରାମର୍ଶ ଦେଇଛି ନିର୍ବାଚନ ଆୟୋଗ । ଜାନୁଆରୀ ପ୍ରଥମ ସପ୍ତାହରେ ପୁନର୍ବାର ନିର୍ବାଚନ ଆୟୋଗ ଏବଂ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ମଧ୍ୟରେ ବୈଠକ ଆୟୋଜିତ ହେବାର ଯୋଜନା ରହିଛି ।

ପୂର୍ବରୁ ନିର୍ବାଚନ ସ୍ଥଗିତ ରଖିବାକୁ ପରାମର୍ଶ ଦେଇଥିଲେ ଆହ୍ଲାବାଦ ହାଇକୋର୍ଟ । ୨୦୨୨ରେ ଉତ୍ତରପ୍ରଦେଶ, ମଣିପୁର, ଉତ୍ତରାଖଣ୍ଡ, ଗୋଆ ଓ ପଞ୍ଜାବରେ ବିଧାନସଭା ନିର୍ବାଚନ ହେବାର ଅଛି । ମାର୍ଚ୍ଚରେ ଏହି ୫ଟି ରାଜ୍ୟର ବିଧାନସଭା କାର୍ଯ୍ୟକାଳ ପୁରା ହେଉଥିବାରୁ ଏହା ପୂର୍ବରୁ ନିର୍ବାଚନ ଶେଷ କରିବା ଆବଶ୍ୟକ । ଏବେଠାରୁ ନୂଆ ଭାରିଆଣ୍ଟକୁ ନେଇ ସ୍ଥିତି ଚିନ୍ତାଜନକ ହୋଇଥିବା ବେଳେ ରାଜନୖତିକ ରାଲି, ସଭାସମିତି ଯୋଗୁ ଭୟାନକ ପରିସ୍ଥିତି ଉପୁଜିପାରେ ବୋଲି ଆଶଙ୍କା କରାଯାଉଛି । ଏଥିସହ ଦେଶରେ ଏଯାବତ୍ ୫ ଶହ ୭୮ ଜଣ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇସାରିଲେଣି ଏବଂ କେତେକ ରାଜ୍ୟରେ ସଂକ୍ରମଣ ବଢ଼ୁଥିବା ମଧ୍ୟ ପରିଲକ୍ଷିତ ହେଉଛି । ଫଳରେ ନିର୍ବାଚନକୁ କିଛି ମାସ ଘୁଞ୍ଚାଇବା ନେଇ ବୈଠକରେ ବିଚାର ବିମର୍ଶ ଚାଲିଛି । ଆଜି ନିର୍ବାଚନ ଆୟୋଗଙ୍କ ବୈଠକ ପରେ ରାଜ୍ୟରେ ହେବାକୁ ଥିବା ପଞ୍ଚାୟତ ନିର୍ବାଚନ ଉପରେ ମଧ୍ୟ ଏହାର ପ୍ରଭାବ ପଡ଼ିପାରେ ।

ଦେଶରେ ଓମିକ୍ରନ ମାମଲା ୫ ଶହ ୫୭୮ରେ ପହଞ୍ଚିଥିବା ବେଳେ ଏମାନଙ୍କୁ ମଧ୍ୟରୁ ୧୫୧ ଜଣ ସୁସ୍ଥ ହେବାର ସୂଚନା ମିଳିଛି । ନିର୍ବାଚନ ରାଜ୍ୟ ମଧ୍ୟରୁ ଉତ୍ତରପ୍ରଦେଶରେ ଏଯାବତ୍ ୨ଟି ମାମଲା ଦେଖାଯାଇଥିବା ବେଳେ ଦୁଇ ଜଣ ସୁସ୍ଥ ହୋଇଯାଇଥିବାର ରିପୋର୍ଟରୁ ପ୍ରକାଶ । ଏପଟେ ଉତ୍ତରାଖଣ୍ଡରେ ଗୋଟିଏ ମାମଲା ଥିବାବେଳେ ପଞ୍ଜାବ, ଗୋଆ ଏବଂ ମଣିପୁରରୁ ଏଯାଏ କୌଣସି ମାମଲା ଆସିନାହିଁ ।

ରାଜ୍ୟରେ ୨୫ ଲକ୍ଷରୁ ଅଧିକ ପିଲା ନେବେ ଟିକା

ଭୁବନେଶ୍ବର: ୧୫ରୁ ୧୮ ବର୍ଷର ପିଲାଙ୍କୁ ଜାନୁଆରୀ ୩ ତାରିଖରୁ ଦେଶରେ ଆରମ୍ଭ ହେବ ଟିକାକରଣ । ଓଡ଼ିଶାରେ ଏହି ବର୍ଗରେ ୨୫ ଲକ୍ଷ ୫୩ ହଜାର ପିଲାଙ୍କୁ ଦିଆଯିବ ଟିକା। ଟିକା ପାଇଁ ସେମାନଙ୍କୁ ପଞ୍ଜୀକରଣ କରିବାକୁ ହେବ ବୋଲି ସୂଚନା ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ।

ସେହିପରି ୬୦ ବର୍ଷରୁ ଉର୍ଦ୍ଧ୍ବ ୫୨ ଲକ୍ଷ ୩୭ ହଜାର ଲୋକଙ୍କୁ ଦିଆଯିବ ପ୍ରିକସନ ଡୋଜ । ସେମାନଙ୍କ ମଧ୍ୟରୁ ଯେଉଁମାନେ ବିଭିନ୍ନ ରୋଗରେ ଆକ୍ରାନ୍ତ ଅଛନ୍ତି ସେମାନଙ୍କୁ ପ୍ରିକେସନ ଡୋଜ ଦିଆଯିବ । ରାଜ୍ୟରେ ଥିବା ୭ ଲକ୍ଷ ୫ ହଜାର ସ୍ୱାସ୍ଥ୍ୟ କର୍ମୀ ଓ ସମ୍ମୁଖ ଯୋଦ୍ଧାଙ୍କୁ ଦିଆଯିବ ବୁଷ୍ଟର ଡୋଜ୍ । ଆବଶ୍ୟକ ପଡ଼ିଲେ ସ୍କୁଲ ଓ କଲେଜରେ ଟିକା ଦେବାକୁ ବ୍ୟବସ୍ଥା କରାଯିବ । ଯେହେତୁ ସ୍କୁଲ କଲେଜରେ ଶିକ୍ଷକ ଉପସ୍ଥିତ ରହିବେ ତେଣୁ ଆବଶ୍ୟକ ପଡ଼ିଲେ ଅଭିଭାବକମାନଙ୍କୁ ପିଲାଙ୍କ ସହିତ ଆସିବାକୁ ପଡିବ । ଅନୁମତି ପାଇଥିବା ଦୁଇଟି ଟିକା ମଧ୍ୟରୁ ପିଲାମାନଙ୍କୁ କେଉଁ ଟିକା ଦିଆଯିବ ତାହା ସ୍ପଷ୍ଟ ହୋଇନି । ମାର୍ଗଦର୍ଶୀକା ଆସିବା ପରେ ସ୍ପଷ୍ଟ ହେବ ବୋଲି କହିଛନ୍ତି ବିଜୟ ପାଣିଗ୍ରାହୀ ।

ନିୟମ ଅନୁସାରେ ଯିଏ ଯେଉଁ ଟିକା ନେଇଛନ୍ତି ବୁଷ୍ଟର ଡୋଜ୍ ମଧ୍ୟ ସେହି ଟିକାର ନେବେ । ବର୍ତ୍ତମାନ ୨୬୦୦ ସେସନ ସାଇଟରେ ଟିକାକରଣ ଚାଲିଛି । ପ୍ରତି ବ୍ଲକରେ ୮ଟି ମୋବାଇଲ ଭ୍ୟାନ ବୁଲି ଟିକାକରଣ କରୁଛନ୍ତି । ପ୍ରଥମ ଡୋଜ ନେବାକୁ ୨୯ ଲକ୍ଷ ଲୋକ ବାକି ଅଛନ୍ତି ଓ ଦ୍ୱିତୀୟ ଡୋଜ ନେବାକୁ ୩୦ ଲକ୍ଷ ଲୋକ ବାକି ଅଛନ୍ତି ।

କାହାଣୀ ୨୧: ପଶ୍ଚିମବଙ୍ଗରେ ଆରମ୍ଭ କଲେ ମୋଦି , ଖେଲା କଲେ ଦିଦି

ନନ୍ଦିଘୋଷ ବ୍ୟୁରୋ:  ବର୍ଷ ଆରମ୍ଭ ହୋଇଥିଲା  । ଆରମ୍ଭ ହୋଇଥିଲା ପଲିଟିକାଲ ୱାର  । ଦିଦିଙ୍କ ପରେ ବାମପନ୍ଥୀ ଦୁର୍ଗରେ ଏଣ୍ଟ୍ରି କରିବାକୁ ମନ ବଳାଇଥିଲେ ମୋଦି  । ଟିଏମସି ଗଡ଼ ଭୁଷାଡାଇବା ପାଇଁ ଭାଜପା ପ୍ରସ୍ତୁତ କରିଥିଲା ବ୍ଲୁ ପ୍ରିଣ୍ଟ ।  ମୁଖ୍ୟମନ୍ତ୍ରୀ ମମତାଙ୍କ ହାତ ଛାଡ଼ି ବିଜେପି ଶିବିରରେ ପ୍ରବେଶ କରିଥିଲେ ଅନେକ ତୁଙ୍ଗ TMC ନେତା  ।  ୨୦୦ ପାରର ନାରା ନେଇ ରାଜ୍ୟବ୍ୟାପୀ ବୁଲିଥିଲା ବିଜେପି  । ନିର୍ବାଚନ ପୂର୍ବରୁ ପ୍ରାୟ ୫୦ ପାଖାପାଖି ତୃଣମୂଳ ନେତା ଓ ନେତ୍ରୀ ପଦ୍ମ ଧରିଥିଲେ ।  ବିଜେପିର ହାଇଡେସିମିଲ ପ୍ରଚାରରେ ଏମାନେ ମଧ୍ୟ ଧରି ନେଇଥିଲେ ଯେ, ମମତା ଯୁଗ ସରିବାକୁ ଯାଉଛି । ଆଉ ଆରମ୍ଭ ହେବ ଗେରୁଆ ଯୁଗ । ପାୱାର କରିଡରରେ ଯେକୌଣସି ପ୍ରକାର ମଧ୍ୟ ନିଜ ଦବଦବା ବନାଇ ରଖିବାକୁ ଚାହୁଁଥିବା ଏହି ନେତା ମାନେ ଚାନ୍ସ ମିସ୍ କରିବାକୁ ଚାହୁଁ ନଥିଲେ । କିନ୍ତୁ କଳ ଓ କୌଶଳ ଲଗାଇ ଦେଇଥିଲେ ଦିଦି  ।  ନିର୍ବାଚନ ପୂର୍ବରୁ ରାଜନୀତିକୁ ସରଗରମ କରିଥିଲା ସିବିଆଇ ଓ ପଶ୍ଚିମବଙ୍ଗ ପୋଲିସର ଡ୍ରାମା । ସେପଟେ ଭାଜପା ବିରୋଧରେ ଖୋଲାଖୋଲି ଦିଦି କହିଥିଲେ ଖେଲା ହବେ..

୨୦୨୧ ମାର୍ଚ୍ଚ ୨୭ରୁ ୨୯ ଏପ୍ରିଲ  ।  ୨୯୨ ବିଧାନସଭା ଆସନରେ ନିର୍ବାଚନ ହେବା ଲାଗି ଘୋଷଣା କରନ୍ତି ନିର୍ବାଚନ କମିଶନ । ୮ଟି  ପର୍ଯ୍ୟାୟରେ ଅନୁଷ୍ଠିତ ହୋଇଥିଲା ଇଲେକ୍ସନ । ମୋଦି-ଶାହା- ନଡ୍ଡାଙ୍କ ଗର୍ଜନ ସାଙ୍ଗକୁ ହ୍ୱିଲ ଚେୟାରରେ ବୁଲି ବୁଲି ପ୍ରଚାର କରନ୍ତି ଦିଦି  । ଟିଏମସିର ବରିଷ୍ଠ ନେତା ଶୁଭେନ୍ଦୁ ଅଧିକାରୀ ବିଜେପିରେ ମିଶନ୍ତି  ।  ସେପଟେ ଦିଦି ମଧ୍ୟ ଶୁଭେନ୍ଦୁଙ୍କୁ ଏକଦମ ଟାର୍ଗେଟ କରନ୍ତି  । ନିଜ ନିର୍ବାଚନ କ୍ଷେତ୍ର ଛାଡ଼ି ନନ୍ଦିଗ୍ରାମରେ ଶୁଭେନ୍ଦୁଙ୍କ ବିରୋଧରେ ମୁଣ୍ଡ ପକାନ୍ତି ଦିଦି । ସେପଟେ ମେ ୨ରେ ଗଣତି ହୁଏ ନିର୍ବାଚନ ଫଳାପଳ  । ସରକାର ଗଢିବା ନେଇ ଆଶା ବଳାଇ ସାରିଥାଏ ବିଜେପି  । କିନ୍ତୁ ରେଜଲ୍ଟରେ ବିଜେପିର ଆଶା କେବଳ ଆଶାରେ ହିଁ   ରହିଗଲା  । ପୁଣି ଥରେ ସଂଖ୍ୟା ଗରିଷ୍ଠତା ହାସଲ କରେ ଦିଦିଙ୍କ ବାହିନୀ  । ଆଶା ଠାରୁ ଅଧିକ ଆଶନରେ ବିଜୟୀ ହୁଅନ୍ତି ଟିଏସି ପ୍ରାର୍ଥୀ  । ୨୦୦ ପ୍ଲସ ନାରା ଦେଉଥିବା ବିଜେପି ମାତ୍ର ୭୭ରେ ସୀମିତ ରହିଯାଇଥିବାବେଳେ ୨୧୪ ଆସନ ହାସଲ କରେ ତୃଣ ମୂଳ କଂଗ୍ରେସ  ।

ନିର୍ବାଚନରେ ପରାଜୟ ସ୍ୱତେ ଲଗାତର ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ହୁଅନ୍ତି ମମତା ବାନାର୍ଜୀ  ।  ହେଲେ ୬ ମାସ ପରେ ଖେଳ ବଦଳିଯାଏ  । ଯେଉଁ ଚୁଙ୍ଗ ନେତା ସବୁ ବିଜେପି ଶିବିରକୁ ସ୍ନାନ ପାଇଁ ଯାଇଥିଲେ ସେମାନେ ପୁଣି ଥରେ ଦିଦିଙ୍କ ଶରଣଙ୍କୁ ଆସିବାକୁ ବ୍ୟାକୁଳ ହେଲେ  । କାରଣ ଆଗକୁ ଥାଏ ଉପନିର୍ବାଚନ  । ସେପ୍ଟେମ୍ବର ୩୦ରେ ନିର୍ବାଚନ ହେବା ନେଇ ଘଷଣା କରନ୍ତି ନିର୍ବାଚନ କମିଶନ  ।  ନନ୍ଦିଗ୍ରାମରୁ ପରାଜିତ ହୋଇଥିବା ଦିଦି ଏଥର ନିଜ କ୍ଷେତ୍ର ଭବାନୀପୁରରୁ ପ୍ରାର୍ଥୀ ହୁଅନ୍ତି ଏବଂ ବିଜୟୀ ମଧ୍ୟ ହୁଅନ୍ତି ।  ପଶ୍ଚିମବଙ୍ଗରେ ୭୭ଟି ଆସନରେ ବିଜୟୀ ହୋଇଥିବା ବିଜେପିରୁ ଦିନକୁ ଦିନ ଖସିବାରେ ଲାଗିଲେ  ବିଧାୟକ ସଂଖ୍ୟା  । ବିଜେପିରେ ବଡ ଚେହେରାଥିବା ମୁକୁଲ ରାୟ ନିକଟରେ ପୁଣି ଥରେ ଟିଏମସିରେ ସାମିଲ ହୋଇଛନ୍ତି  । ଏହାପରେ ୩ରୁ ୪ ଜଣ ବିଧାୟକ ଗେରୁଆ ଶିବିରରୁ ଇସ୍ତଫା ଦେଇ ଟିଏମସିରେ ସାମିଲ ହୋଇଛନ୍ତି ।  ଫଳରେ ବିଜେପିର ଆସନ ସଂଖ୍ୟା ଇତି ମଧ୍ୟରେ ୭୧କୁ ଖସି ଆସିଲା । ଶେଷରେ ଦିଦି ଯାହା କହିଥିଲେ , ସେଇଆ ହିଁ ହେଲା  । ପଶ୍ଚିମବଙ୍ଗରେ ଖେଲା ହେଲା…

‘ସତସଙ୍ଗ’ର ପରବର୍ତ୍ତୀ ଆଚାର୍ଯ୍ୟଦେବ ଭାବେ ସ୍ଥଳାଭିଷିକ୍ତ ହେଲେ ଶ୍ରୀଶ୍ରୀବାବାଇଦା

ଦେଓଘର: ପ୍ରଧାନ ଆଚାର୍ଯ୍ୟଦେବ ପରମପୂଜ୍ୟପାଦ ଶ୍ରୀଶ୍ରୀଦାଦାଙ୍କ ମହାପ୍ରୟାଣ ପରେ ‘ସତସଙ୍ଗ’ର ନୂତନ ଆଚାର୍ଯ୍ୟଦେବ ଭାବେ ସ୍ଥଳାଭିଷିକ୍ତ ହୋଇଛନ୍ତି ଶ୍ରୀଶ୍ରୀବାବାଇଦା (ଶ୍ରୀ ଅର୍କଦ୍ୟୁତି ଚକ୍ରବର୍ତ୍ତୀ) । ଗତକାଲି ଶ୍ରୀଶ୍ରୀଦାଦାଙ୍କ ପାରଲୌକିକ କ୍ରିୟାର ଏକାଦଶ ଦିବସରେ ‘ସତସଙ୍ଗ’ର ସଭାପତି ଡ. ଅଲୋକ ଚକ୍ରବର୍ତ୍ତୀ (ପୂଜ୍ୟପାଦ ମେଜଦା)ଙ୍କ ଆହ୍ବାନ କ୍ରମେ ସମସ୍ତ ଭକ୍ତ ଓ ଅନୁଗାମୀ ଶ୍ରୀଶ୍ରୀବାବାଇଦାଙ୍କୁ ପୁରୋଭାଗରେ ରଖି ଶ୍ରୀଶ୍ରୀଠାକୁରଙ୍କ ପ୍ରଦର୍ଶିତ ମାର୍ଗରେ ଅଗ୍ରସର ହେବାକୁ ସଂକଳ୍ପ ଗ୍ରହଣ କରିଥିଲେ । ପରେ ‘ସତସଙ୍ଗ’ ପକ୍ଷରୁ ଆଧିକାରିକ ଭାବେ ଏ ସଂକ୍ରାନ୍ତରେ ବାର୍ତ୍ତା ଜାରି କରାଯାଇଥିଲା । ଶ୍ରୀଶ୍ରୀଠାକୁର ଅନୁକୂଳଚନ୍ଦ୍ରଙ୍କ ପ୍ରପୌତ୍ର ତଥା ବାକସିଦ୍ଧ ସାଧକ ଶ୍ରୀଶ୍ରୀବାବାଇଦା ୧୯୬୮ ମସିହା ଜୁନ୍ ୭ ତାରିଖରେ ଜନ୍ମଗ୍ରହଣ କରିଥିଲେ । ଶୈଶବ ଅବସ୍ଥାରୁ ହିଁ ସେ ଠାକୁରଙ୍କ ଆଦର୍ଶର ପ୍ରଚାର-ପ୍ରସାରରେ ନିଜକୁ ସକ୍ରିୟ ଭାବେ ବ୍ରତୀ କରିଥିଲେ । ପରବର୍ତ୍ତୀ ସମୟରେ ସେ ‘ସତସଙ୍ଗ’ର ପ୍ରଶାସକ ଦାୟିତ୍ବ ବହନ କରି ‘ସତସଙ୍ଗ’ ଆନ୍ଦୋଳନକୁ ଦେଶର ବିଭିନ୍ନ ପ୍ରାନ୍ତରେ ବ୍ୟାପକ କରିବାରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଥିଲେ।

୨୦୧୬ ମସିହାରେ ସେ ଦେଶର ଅଧିକାଂଶ ଅଞ୍ଚଳ ଗସ୍ତକରି କ୍ରମାଗତ ଭାବେ ୧୦୦ ଦିନ ମଧ୍ୟରେ ପ୍ରାୟ ୪.୭୨ ଲକ୍ଷ ଲୋକଙ୍କୁ ସତମନ୍ତ୍ରରେ ଦୀକ୍ଷିତ କରିଥିଲେ । ପ୍ରାୟ ଏକ ଦଶନ୍ଧିରୁ ଊର୍ଦ୍ଧ୍ବ କାଳ ଧରି ସେ ଆଚାର୍ଯ୍ୟଦେବ ଶ୍ରୀଶ୍ରୀଦାଦାଙ୍କ ଆଦେଶକ୍ରମେ ‘ସତସଙ୍ଗ’ ଅନୁଷ୍ଠାନର ସୁପରିଚାଳନା କରିବା ସହ ପ୍ରତ୍ୟହ ଦେଶ-ବିଦେଶର କୋଣ-ଅନୁକୋଣରୁ ବିଭିନ୍ନ ସମସ୍ୟା ଧରି ଆସୁଥିବା ଭକ୍ତ-ଅନୁରାଗୀଙ୍କୁ ସମାଧାନର ସୂତ୍ର ପ୍ରଦାନ କରିଆସୁଥିଲେ ।

ଶ୍ରୀଶ୍ରୀବାବାଇଦାଙ୍କ ପ୍ରତ୍ୟକ୍ଷ ପରିଚାଳନାରେ ଦେଓଘରସ୍ଥିତ ସତସଙ୍ଗ ଆଶ୍ରମରେ କରାଯାଇଥିବା ଜଳ ସଂରକ୍ଷଣ ଓ ଜଳ-ଅମଳ ପ୍ରକଳ୍ପକୁ କେନ୍ଦ୍ର ଜଳଶକ୍ତି ମନ୍ତ୍ରାଳୟ ପକ୍ଷରୁ ଦେଶର ଶ୍ରେଷ୍ଠ ପ୍ରକଳ୍ପ ଭାବେ ୨ ବର୍ଷ ପୂର୍ବେ ପୁରସ୍କୃତ କରାଯାଇଥିଲା । କରୋନା ମହାମାରୀ ସମୟରେ ତାଙ୍କ ନିର୍ଦ୍ଦେଶରେ ସତସଙ୍ଗ ପକ୍ଷରୁ ବହୁ ସରକାରୀ-ବେସରକାରୀ ଡାକ୍ତରଖାନାକୁ ବିଭିନ୍ନ ପ୍ରକାରର ସହାୟତା ଦିଆଯିବା ସହ ଜୀବନ-ଜୀବିକା ବିପନ୍ନ ହୋଇଥିବା ଅଂଚଳବାସୀଙ୍କୁ ସହାୟତା ପ୍ରଦାନ କରାଯାଇଥିଲା।

କଟକରେ ପରେ ପୁରୀରେ ମାଞ୍ଜା ଟ୍ରାଜେଡି, କଟିଲା ଜଣଙ୍କ ବେକ

ପୁରୀ: କଟକ ପରେ ପୁରୀରେ ମାଞ୍ଜା ସୂତା ଲାଗି ବ୍ୟକ୍ତି ଗୁରୁତର । ହତ ବ୍ୟକ୍ତି ହେଲେ କୁଣ୍ଢାଇବେଣ୍ଟ ସାହିର ଭଞ୍ଜବିହାରୀ ପାତ୍ର । ଅସୁସ୍ଥ ପୁଅ ପାଇଁ ବଡ଼ଦାଣ୍ଡକୁ ଔଷଧ କିଣିବା ପାଇଁ ଆସିଥିବା ବେଳେ ବେକରେ ଗୁଡି ସୂତା ଲାଗି କଟି ଯାଇଥିଲା । ସଙ୍କଟାପନ୍ନ ଅବସ୍ଥାରେ ତାଙ୍କୁ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟ ଶଲ୍ୟ ବିଭାଗରେ ଭର୍ତ୍ତି କରାଯାଇଛି।

ଗତକାଲି ସନ୍ଧ୍ୟାରେ ଜଗତପୁର ପୀରବଜାରରେ ଗୁଡି ସୂତା ଲାଗି ଭୟରପୁରର ଜୟନ୍ତଙ୍କ ବେକ କଟି ଯାଇଥିଲା । ତାଙ୍କୁ ମେଡିକାଲ ନିଆଯାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ହାଇକୋର୍ଟ ପୂର୍ବରୁ ମାଞ୍ଜା ସୂତାକୁ ବ୍ୟାନ କରିଥିବା ବେଳେ ପ୍ରଶାସନ ଏହାକୁ କଡାକଡି ଭାବେ ଲାଗୁ କରିବା ନେଇ ଦାବି ଉଠିବାରେ ଲାଗିଛି । ଏହାସହ ମାଞ୍ଜା ସୂତା ବ୍ୟବହାର ନକରିବାକୁ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯିବାର ଆବଶ୍ୟକତା ରହିଛି ।

ମାଞ୍ଜା ସୂତାରେ କଟି ଯୁବକଙ୍କ ମୃତ୍ୟୁ ଘଟଣାରେ ୩ ଦୋକାନୀ ଅଟକ

କଟକ: କଟକ ଜିଲ୍ଲା ଜଗତପୁରରେ ଗତକାଲି ଗୁଡ଼ିର ମାଞ୍ଜା ସୂତାରେ ଗଳା କଟି ନବ ବିବାହିତ ଯୁବକଙ୍କ ମୃତ୍ୟୁ ଦୋକାନରେ ୩ ଅଟକ । ଅଟକ ବ୍ୟକ୍ତିମାନେ ଗୁଡ଼ି ସୂତା ବିକ୍ରି କରୁଥିବା ଦୋକାନୀ ।

ସୂଚନାଯୋଗ୍ୟ ଗତକାଲି ସନ୍ଧ୍ୟାରେ ଜଗତପୁର ପୀରବଜାରରେ ଗୁଡି ସୂତା ଲାଗି ଭୟରପୁରର ଜୟନ୍ତଙ୍କ ବେକ କଟି ଯାଇଥିଲା । ତାଙ୍କୁ ମେଡିକାଲ ନିଆଯାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଜୟନ୍ତ ନବ ବିବାହିତା ପତ୍ନୀଙ୍କୁ ଧରି ବାଇକରେ ଶ୍ବଶୁର ଘରକୁ ଯାଉଥିବା ବେଳେ ଏହି ଅଘଟଣ ଘଟିଥିଲା । ପତ୍ନୀଙ୍କ ଆଗରେ ତାଙ୍କ ଜୀବନ ଚାଲି ଯାଇଥିଲା ।

ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖିବାକୁ ମିଳିଛି । ହାଇକୋର୍ଟ ପୂର୍ବରୁ ମାଞ୍ଜା ସୂତାକୁ ବ୍ୟାନ କରିଥିବା ବେଳେ ପ୍ରଶାସନ ଏହାକୁ କଡାକଡି ଭାବେ ଲାଗୁ କରିବା ନେଇ ଦାବି ଉଠିବାରେ ଲାଗିଛି । ଏହାସହ ମାଞ୍ଜା ସୂତା ବ୍ୟବହାର ନକରିବାକୁ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯିବାର ଆବଶ୍ୟକତା ରହିଛି ।

ପୋଲିସ ୩ ଜଣଙ୍କୁ ଦୋକାନୀଙ୍କୁ ଅଟକ ରଖିଥିବା ବେଳେ ଚାଇନାରୁ ଆସୁଥିବା ପ୍ଲାଷ୍ଟିକ ସୂତା କି ସୂତାରେ କାଚ ମାଞ୍ଜା ଲଗାଯାଇଥିଲା ତା’ର ତଦନ୍ତ ହେବାର ଆବଶ୍ୟକତା ରହିଛି ।

ମାଞ୍ଜା ସୂତା ମୃତ୍ୟୁ ପରେ ଚେତିଛି ସିଏମସି । କଟକ ମହାନଗର ନିଗମ ପକ୍ଷରୁ ୪ଟି ଟିମ୍ ଗଠନ ହୋଇଛି । ପୋଲିସ ସହାୟତାରେ ବିଭିନ୍ନ ଦୋକାନ ଉପରେ ରଖାଯାଉଛି ନଜର । ସହରର ପିଠାପୁର, ଚୌଧୁରୀ ବଜାର ଅଞ୍ଚଳରେ ଯାଞ୍ଚ କରାଯିବ । ଯଦି କେହି ମାଞ୍ଜା ସୂତା ବିକୁଥିବା ନଜର ଆସନ୍ତି, ତେବେ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୂଚନା ଦେଇଛନ୍ତି କଟକ ଡେପୁଟି କମିଶନର ଅବିନାଶ ରାଉତ ।

ସୂଚନାଯୋଗ୍ୟ, କଟକରେ ଏହା ପ୍ରଥମ ଘଟଣା ନୁହେଁ । ପୂର୍ବରୁ ଏଭଳି ୩ରୁ ୪ଟି ଘଟଣା ଘଟିଛି । ପ୍ରତିବର୍ଷ ମାଞ୍ଜା ସୂତା ଲାଗି କିଛି ଲୋକ ଆହତ ହେଉଛନ୍ତି ।

ରାସ୍ତାରେ ପଡ଼ିଛି ମୃତଦେହ, ହତ୍ୟା ଅଭିଯୋଗ

ବାଲେଶ୍ବର: ରାସ୍ତା କଡ଼ରେ ପଡିଛି ମୃତଦେହ । ଗତକାଲି ସନ୍ଧ୍ୟାରୁ ଥିଲେ ନିଖୋଜ । ଆଜି ସକାଳୁ ରାସ୍ତା କଡ଼ରୁ ମିଳିଲା ଶବ । ଘଟଣା ବାଲେଶ୍ବର ଜିଲ୍ଲା କମର୍ଦ୍ଦା ଥାନା ଗୁଣୁସାର୍ଥା ଗାଁର । ପରିବାର ଲୋକେ ଆଣିଲେ ହତ୍ୟା ଅଭିଯୋଗ । ମୃତକ ଜଣଙ୍କ ହେଲେ ଗୋପାଳ ଜେନା ।

ଗତକାଲି ସନ୍ଧ୍ୟାରୁ ଗୋପାଳ ଘରୁ ଯାଇ ଆଉ ଫେରି ନଥିଲେ । ପରିବାର ଲୋକେ ଓ ପଡୋଶୀ ତାଙ୍କ ଖୋଜାଖୋଜି କରିଥିଲେ ବି କୌଣସି ସନ୍ଧାନ ମିଳି ନଥିଲା । ଆଜି ସକାଳୁ ହଳଦିପାଳ ରାସ୍ତାକଡ଼ରେ ତାଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଥିଲା ।

ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଗୋପାଳଙ୍କ ମୃତ୍ୟୁକୁ ନେଇ ସ୍ପଷ୍ଟ ସୂଚନା ମିଳି ନଥିଲେ ବି ତାଙ୍କୁ ହତ୍ୟା କରାଯିବା ପରେ ରାସ୍ତାକଡ଼ରେ ଫିଙ୍ଗା ଯାଇଥିବା ପରିବାର ଲୋକେ ଓ ଗ୍ରାମବାସୀ ଅଭିଯୋଗ କରିଛନ୍ତି ।

୩ ଦିନ ହେଲା ମାଆ ମୃତଦେହ ପାଖରେ ବସିଛି ଶିଶୁକନ୍ୟା

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲାରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ୩ ଦିନ ହେଲା ମାଆର ମୃତଦେହ ସହ ରହୁଛି ଏକ ଶିଶୁକନ୍ୟା । ଯିଏ ଏ ହୃଦୟ ବିଦାରକ ଦୃଶ୍ୟ ଦେଖୁଛି ଆଖି ଛଳଛଳ ହୋଇଯାଉଛି ।

ଘଟଣା ବଲାଙ୍ଗୀର ସାଗରପଡ଼ାର ଶିବ ମନ୍ଦିର ନିକଟର । ଏଠାରେ ରହୁଥିବା ଜଣେ ମହିଳାଙ୍କୁ ସାହି ପଡିଶା ୩ ଦିନ ହେଲା ଦେଖିବାକୁ ପାଇ ନଥିଲେ । ଆଜି ମହିଳାଙ୍କ ଶୁଶୁକନ୍ୟା ଆସି ପାଖ ପଡୋଶୀଙ୍କୁ ଡାକି ଥିଲେ । ପଡୋଶୀ ଯାଇ ଦେଖିବା ପରେ ମହିଳା ଜଣଙ୍କ ମୃତ୍ୟୁ ଘଟିଥିବା ଜଣାପଡିଥିଲା ।

ଗୁରୁତ୍ବପୂର୍ଣ୍ଣ କଥା ହେଲା ୩ ଦିନ ହେଲା ମହିଳାଙ୍କ ମୃତ୍ୟୁ ଘଟି ସାରିଥିଲେ ବି ପାଖ ପଡୋଶୀ ଏ ସମ୍ପର୍କରେ ଜାଣି ପାରି ନଥିଲେ । ପିଲାଟି ମଧ୍ୟ ମାଆର ମୃତଦେହ ସହ ୩ ଦିନ ହେଲା ଘରେ ରହୁଥିଲେ ।

ଘଟଣା ଜଣାପଡ଼ିବା ପରେ ପଡୋଶୀ ପୋଲିସକୁ ଖବର ଦେଇଥିଲେ ।ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି । ମହିଳାଙ୍କ ମୃତ୍ୟୁର କାରଣ ସ୍ପଷ୍ଟ ହୋଇନାହିଁ ।

ମୃତ ମହିଳା ହେଲେ କୁନି ନାଏକ । ଇନ୍ଦିରାନଗର ପଡ଼ାର କୁନି ସ୍ବାମୀଙ୍କ ମୃତ୍ୟୁ ପରେ ପ୍ରାୟ ୫ବର୍ଷର ଝିଅ ଆର୍ଯ୍ୟା ସହ ସାଗରପଡ଼ାର ଶୁଭେନ୍ଦୁ ହୋତାଙ୍କ ଗ୍ୟାରେଜ୍ ଘରେ ରହୁଥିଲେ । ଆଖପାଖ ଅଞ୍ଚଳରେ କାମଧନ୍ଦା କରି ଗୁଜୁରାଣ ମେଣ୍ଟାଉଥିଲେ । ଆଜି ସକାଳେ ଝିଅ ପଡ଼ୋଶୀଙ୍କ ପାଖକୁ ଯାଇ ମାଆ ବିଷୟରେ ଜଣାଇଥିଲା । ସ୍ଥାନୀୟ ଲୋକ ଘର ଭିତରକୁ ଯାଇ କୁନିଙ୍କ ଗଳିତ ମୃତଦେହ ପଡିଥିବା ଦେଖିବାକୁ ପାଇଥିଲେ ।

ମୃତ କୁନି ବିଭିନ୍ନ ସମୟରେ ଅସୁସ୍ଥ ହେଉଥିବା ନେଇ ଘର ମାଲିକ ଶୁଭେନ୍ଦୁ ହୋତା ସୂଚନା ଦେଇଛନ୍ତି । ଚାଇଲ୍ଡ ଲାଇନ୍ ସଦସ୍ୟ ପହଞ୍ଚି ଶିଶୁକୁ ଉଦ୍ଧାର କରିଛନ୍ତି ।

ପାଇକ ବିଦ୍ରୋହକୁ ମାନ୍ୟତା ଦାବିରେ ପୁଣି ଗର୍ଜିଲେ ପାଇକ

ଖୋର୍ଦ୍ଧା: ପାଇକ ବିଦ୍ରୋହକୁ ଦେଶର ପ୍ରଥମ ସ୍ବାଧୀନତା ସଂଗ୍ରାମ ଦେବା ଦାବିରେ ପୁଣି ଗର୍ଜିଲେ ପାଇକ । ବରୁଣେଇ ପୀଠରୁ କେନ୍ଦ୍ର ବିରୋଧରେ ରଣହୁଙ୍କାର । ଓଡିଶା ବୀର ମହାସଂଘ ପକ୍ଷରୁ ପାଇକଙ୍କ ସମାବେଶ । ବରୁଣେଇ ପୀଠରୁ ଭୁବନେଶ୍ବର ଅଭିମୁଖେ ଶୋଭାଯାତ୍ରା । ମାଷ୍ଟର କ୍ୟାଣ୍ଟିନରୁ ଏକାମ୍ର ହାଟ ଯାଏଁ କରିବେ ଶକ୍ତି ପ୍ରଦର୍ଶନ । ଦାବି ପୂରଣ ନହେଲେ ସଂସଦ ଘେରାଉ ଚେତାବନୀ ଦେଇଛି ।

କେନ୍ଦ୍ର ସରକାର ପାଇକ ବିଦ୍ରୋହକୁ ଦେଶର ପ୍ରଥମ ସ୍ବାଧୀନତା ସଂଗ୍ରାମ ମାନ୍ୟତା ଦେବାକୁ ମନା କରିବା ପରେ ରାଜ୍ୟରେ ଦେଖିବାକୁ ମିଳିଛି ଅସନ୍ତୋଷ । ଦେଶ ପାଇଁ ପ୍ରଥମ ଥର ବିଦ୍ରୋହର ସ୍ବର ଉଠାଇ ମାଆ ମାଟି ପାଇଁ ଜୀବନ ଦେଇଥିବା ଓଡ଼ିଶାର ପାଇକ ବୀରଙ୍କୁ କେନ୍ଦ୍ରର ଅବହେଳାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ରାଜ୍ୟବାସୀ । କେନ୍ଦ୍ର ନିଷ୍ପତ୍ତିକୁ ବିରୋଧ କରି ଗତ ୧୭ ତାରିଖରେ ଖୋର୍ଦ୍ଧା ବରୁଣେଇ ପୀଠରେ ହୋଇଥିଲା ବିରାଟ ପାଇକ ସମାବେଶ । ଗଂଜାମ, ଖୋର୍ଦ୍ଧା, ପୁରୀ, ଢେଙ୍କାନାଳ, ଅନୁଗୁଳ ଓ ତାଳଚେର ସମେତ ବିଭିନ୍ନ ପ୍ରାନ୍ତରୁ ଆସି ମେଳିରେ ସାମିଲ ହୋଇଥିଲେ ହଜାର ହଜାର ପାଇକ ପୁଅ । ପାରମ୍ପରିକ ଅସ୍ତଶସ୍ତ୍ର ସହ ନାଚଗୀତରେ ବରୁଣେଇଠାରୁ ଭୁବନେଶ୍ବର ପର୍ଯ୍ୟନ୍ତ ହୋଇଥିଲା ଶୋଭାଯାତ୍ରା ।

ଯବାନଙ୍କ ଟାର୍ଗେଟରେ ମାଓବାଦୀ, ୬ ସଫା

ମାଲକାନଗିରି: ତେଲେଙ୍ଗାନା ଓ ଛତିଶଗଡ଼ ସୀମାରେ ପୋଲିସ ମାଓବାଦୀ ମୁହାଁମୁହିଁ । ତେଲେଙ୍ଗାନା ଗ୍ରେହାଉଣ୍ଡ ଯବାନଙ୍କ ସହ ଗୁଳି ବିନିମୟ । ଘଟଣାସ୍ଥଳରୁ ୬ ମାଓବାଦୀଙ୍କ ମୃତଦେହ ଉଦ୍ଧାର ।

ଏହାସହ ବିପୁଳ ପରିମାଣର ବନ୍ଧୁକ ଓ ଗୁଳି ଜବତ କରାଯାଇଛି । ତେଲେଙ୍ଗାନା କୋତ୍ତାଗୁଡମ ଅଞ୍ଚଳରେ ମାଓବାଦୀ ଲୁଚିଥିବା ନେଇ ମିଳିଥିଲା ଗୁଇନ୍ଦା ସୂଚନା । ସୂଚନାକୁ ଆଧାର କରି ଅପରେସନ କରିଥିଲେ ଯବାନ । ଅପରେସନରେ କୋତ୍ତାଗୁଡମ ଏସପି ସୁନିଲ ଦତ୍ତ ମଧ୍ୟ ସାମିଲ ହୋଇଛନ୍ତି । ଘଟଣାସ୍ଥଳରେ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି ।