spot_img
Home Blog Page 4751

ସୁନୀଲଙ୍କ ଓଡ଼ିଶା ଫେରିବା ବାଟ ପରିଷ୍କାର

ଭୁବନେଶ୍ବର: ଡିଜିପି ସୁନୀଲ ବଂଶଲଙ୍କ ପାଇଁ ପରିଷ୍କାର ହେଲା ପଥ । ଓଡ଼ିଶା ଫେରିବାକୁ ସୁନୀଲ ବଂଶଲଙ୍କୁ କେନ୍ଦ୍ର ଦେଲେ ଅନୁମତି । ନବ ନିଯୁକ୍ତ ସୁନୀଲ ବଂଶଲଙ୍କୁ ଓଡ଼ିଶା ଫେରିବାକୁ ଅନୁମତି ଦେଇଛି କେନ୍ଦ୍ର କ୍ୟାବିନେଟ୍ ନିଯୁକ୍ତି କମିଟି । ଡିସେମ୍ବର ୩୧ରେ ଶେଷ ହେଉଛି ବର୍ତ୍ତମାନର ଡିଜିପି ଅଭୟ କାର୍ଯ୍ୟକାଳ । ଅଭୟଙ୍କ ପରେ ଡିଜିପି ଭାବେ ଦାୟିତ୍ବ ନେବେ ସୁନୀଲ ବଂଶଲ ।

୧୯୮୭ ବ୍ୟାଚର ଆଇପିଏସ ଅଫିସର ସୁନୀଲ ବଂଶଲ ତାଙ୍କର ଚାକିରି ଜୀବନ ଓଡିଶାରୁ ହିଁ ଆରମ୍ଭ କରିଥିଲେ । ମୟୂରଭଞ୍ଜ ଭଳି ବଡ଼ ଜିଲ୍ଲାର ଏସପି ଭାବେ ଦାୟିତ୍ବ ନିର୍ବାହ କରିଥିଲେ । ପରେ ସେ କେନ୍ଦ୍ରକୁ ଡେପୁଟେସନରେ ଯାଇ ଗୁଇନ୍ଦା ବିଭାଗର ଗୁରୁତ୍ବପୂର୍ଣ୍ଣ ପଦରେ ରହି ନିଜର ଦକ୍ଷତା ପ୍ରମାଣିତ କରିଛନ୍ତି । ସୁନୀଲ ବଂଶଲ ବର୍ତମାନ ଗୁଇନ୍ଦା ବିଭାଗର ସ୍ବତନ୍ତ୍ର ନିର୍ଦ୍ଦେଶକ ଅଛନ୍ତି । ୨୦୨୦ ଅକ୍ଟୋବର ୧୯ରୁ ସେ ଏହି ଦାୟିତ୍ବରେ ଅଛନ୍ତି । ବଂଶଲ ୧୯୯୪ରେ ମୟୂରଭଞ୍ଜ ଜିଲ୍ଲା ଏସ୍‌ପି, ସମ୍ବଲପୁର ଭିଜିଲାନ୍ସ ଏସ୍‌ପି ଭାବେ ଦାୟିତ୍ବ ତୁଲାଇଥିଲେ ।

ଉତ୍ତେଜକ ଭାଷଣ ମାମଲାରେ ଆଜି କାର୍ଯ୍ୟାନୁଷ୍ଠାନ !

ନୂଆଦିଲ୍ଲୀ: ହରିଦ୍ବାର ଓ ଦିଲ୍ଲୀରେ ସଂଖ୍ୟାଲଘୁ ସମ୍ପ୍ରଦାୟଙ୍କ ବିରୋଧରେ ଉତ୍ତେଜିତ ଭାଷଣ ଦେବା ମାମଲାରେ ଆଜି ସୁପ୍ରିମକୋର୍ଟ ନେଇପାରନ୍ତି କାର୍ଯ୍ୟାନୁଷ୍ଠାନ । ନିଜ ଆଡୁ ମାମଲାର ବିଚାର କରି କାର୍ଯ୍ୟାନୁଷ୍ଠାନ ନେବାକୁ ସୁପ୍ରିମକୋର୍ଟର ୭୬ ଜଣ ଓକିଲ ପ୍ରଧାନ ବିଚାରପତି ଏନଭି ରମଣାଙ୍କୁ ଚିଠି ଲେଖିଛନ୍ତି  ।

ଡିସେମ୍ବର ୧୭ ଏବଂ ୧୯ରେ ସଂଖ୍ୟାଲଘୁଙ୍କୁ ନେଇ ଉତ୍ତେଜକ ଭାଷଣ ଦିଆଯାଇଥିବା ଅଭିଯୋଗ ହୋଇଛି । ଦିଲ୍ଲୀରେ ହିନ୍ଦୁ ଯୁବ ବାହିନୀ ଏବଂ ହରିଦ୍ବାରରେ ଜାତି ନରସିଂହ ନନ୍ଦ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଆତ୍ମ ଘୋଷିତ ସନ୍ଥମାନେ ବିବାଦୀୟ ଭାଷଣ ଦେଇଥିଲେ । ସଂଖ୍ୟାଲଘୁ ଗୋଷ୍ଠୀଙ୍କୁ ହତ୍ୟା କରିବା ପାଇଁ ସିଧାସଳଖ ଲୋକଙ୍କୁ ଉଷୁକାଇ ଥିଲେ । ଯାହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଥାନାରେ ମାମଲା ରୁଜୁ ହୋଇଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ । ଶେଷର ସୁପ୍ରିମକୋର୍ଟଙ୍କ ଓକିଲମାନେ ଭାଷଣ ଦେଇଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ପ୍ରଧାନ ବିଚାରପତିଙ୍କୁ ଚିଠି ଲେଖିଛନ୍ତି ।

ଅଭିଯୁକ୍ତଙ୍କ ବିରୋଧରେ ଆଇପିସି ୧୨୦ ବି, ୧୨୧ ଏ, ୧୨୪ ଏ, ୧୫୩ଏ, ୧୫୩ବି, ୨୯୫ଏ, ୨୯୮ ଧାରାରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ଓକିଲ । ଏଭଳି ଉତ୍ତେଜକ ଭାଷଣ ଦ୍ବାରା ଦେଶର ଏକତା, ସ୍ବାର୍ବଭୌମତ୍ବ ନଷ୍ଟ ହୋଇଥିବା ଅଭିଯୋଗ ହୋଇଛି । ଏଭଳି ଉତ୍ତେଜକ ଭାଷଣ ଦେଉଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନନେଲେ ସ୍ଥିତି ଆଗକୁ ଭୟାନକ ହୋଇପାରେ । ଯାହା ଉପରେ ରୋକ ଲଗାଇବାକୁ ଦାବି କରିଛନ୍ତି ସୁପ୍ରିମକୋର୍ଟ ଓକିଲ  ।

ଆଜି ଡିମ୍ପଲ-ସୁମିତ ବିବାଦର ଫଇସାଲା

ବ୍ରହ୍ମପୁର: ବ୍ରହ୍ମପୁର ବ୍ରହ୍ମାନଗରର ବହୁ ଚର୍ଚ୍ଚିତ ଡିମ୍ପଲ ଓ ସୁମିତଙ୍କ ପାରିବାରିକ ବିବାଦ ମାମଲାର ଆଜି ରାୟ ଶୁଣାଇବେ କୋର୍ଟ । ଦିନ ପରେ ଦିନ ଗଡୁଥିଲେ ବି ବିବାଦ ତୁଟିବା ବଦଳରେ ବଢ଼ିବାରେ ଲାଗିଛି । ସାହି ଦାଣ୍ଡରୁ ଆସି ସୁମିତଙ୍କ ଘର ବାରଣ୍ଡାରେ ବସି ନିଜର ହକ୍ ପାଇଁ ଡିମ୍ପଲ ବସିଛନ୍ତି ଧାରଣାରେ ।

ତେବେ ଆଜିର ରାୟରେ କଣ ବାହାରୁଛି ସମାଧାନର ବାଟ ? ତାକୁ ନେଇ ଚିନ୍ତାରେ ଡିମ୍ପଲ ଓ ସୁମିତ । ସେପଟେ ସୁମିତଙ୍କ ଓକିଲଙ୍କ ବିରୋଧରେ ଡିମ୍ପଲ ଆଣିଥିବା ଅଭିଯୋଗର ସ୍ପଷ୍ଟୀକରଣ ରଖିଛନ୍ତି ଆଇନଜୀବୀ ସୁରେନ୍ଦ୍ର ବେହେରା । କହିଛନ୍ତି, ଗୃହବନ୍ଦୀରେ ଥିବା ସୁମିତଙ୍କ ପରିବାରକୁ ଭେଟିବା ସହ କିଛି ଦସ୍ତାବିଜରେ ଦସ୍ତଖତ ପାଇଁ ସହଯୋଗୀ ଓକିଲଙ୍କ ସହ ସେ ସୁମିତଙ୍କ ଘରକୁ ଯାଇଥିଲେ  । ଘର ଆଗରେ ମୁତୟନ ପୋଲିସ ସହୟତାରେ ସେ ପରିବାର ଲୋକଙ୍କୁ ଭେଟିଥିଲେ । ମାତ୍ର ଡିମ୍ପଲ ଅଭିଯୋଗ କରିଥିଲେ ଯେ, ବିନା ଅନୁମତିରେ ସେ ରହୁଥିବା ସ୍ଥାନରେ ପଶିଥିଲେ ସୁମିତଙ୍କ ଓକିଲ ।

ଆଜିଠୁ ଘନ କୁହୁଡିକୁ ପ୍ରବଳ ବର୍ଷା

ଭୁବନେଶ୍ବର: ଆଜିଠାରୁ ସାରା ରାଜ୍ୟରେ ବର୍ଷା ସମ୍ଭାବନା । ସକାଳୁ ସକାଳୁ ଘନ କୁହୁଡି ସାଙ୍ଗକୁ ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ଅନୁମାନ ଲଗାଇଛି ।ଘନ କୁହୁଡି ପାଇଁ ୧୧ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ଓଡ଼ିଶାକୁ ପ୍ରବେଶ କରୁଥିବା ଜଳୀୟବାଷ୍ପପୂର୍ଣ୍ଣ ବାୟୁ ଏବଂ ଓ୍ବେଷ୍ଟର୍ଣ୍ଣ ଡିଷ୍ଟର୍ବାନ୍ସ ପ୍ରଭାବରେ ଆଜିଠୁ ତିନି ଦିନ ପର୍ଯ୍ୟନ୍ତ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ହେବ ।

ସୁନ୍ଦରଗଡ, ଝାରସୁଗୁଡା ଏବଂ କେନ୍ଦୁଝରରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ଥିବା ବେଳେ ଆସନ୍ତାକାଲି ଏବଂ ୨୯ ତାରିଖରେ ବଢିବ ବର୍ଷାର ପରିମାଣ । ରାଜ୍ୟର ଅନ୍ୟ ସ୍ଥାନରେ ପାଖାପାଖି ୬୦ ମିଲିମିଟର ପର୍ଯ୍ୟନ୍ତ ବର୍ଷା ହୋଇପାରେ ବୋଲି ସତର୍କ କରାଇଛି ପାଣିପାଗ କେନ୍ଦ୍ର । ସ୍ବାଭାବିକ ଠାରୁ ୨ ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇ ଜାଡ କମିଛି । ସେପଟେ ଜାନୁଆରୀ ପହିଲାରୁ ରାଜ୍ୟରେ ପୁଣି ଜାଡ ବଢିବ ବୋଲି ଆକଳନ କରିଛନ୍ତି ପାଣିପାଗ ବିଶେଷଜ୍ଞ । ୩୧ ତାରିଖରୁ ଉତ୍ତର ଦିଗରୁ ଥଣ୍ଡା ଶୁଷ୍କ ବାୟୁ ପ୍ରବାହ ବଢିବ । ଫଳରେ ଭୁବନେଶ୍ବର ତାପମାତ୍ରା ୧୦ ଡିଗ୍ରୀକୁ ଖସିବା ସହ ଉପାନ୍ତରେ ବି ଜାଡ ପଡିବ ।

ଅର୍ଦ୍ଧନିର୍ମିତ କଲେଜ ଘରେ ପଡ଼ିଛି ନରକଙ୍କାଳ

ଯାଜପୁର: ଅସମ୍ପୂର୍ଣ୍ଣ କଲେଜ ଘରେ ପଡ଼ିଛି ନରକଙ୍କାଳ । କଙ୍କାଳର ହାଡ଼ ସହ ଖପୁରୀ ପଡ଼ିଛି । ବରୀ ରାମଚନ୍ଦ୍ରପୁର ସ୍ଥିତ ଗୋପବନ୍ଧୁ ଚୌଧୁରୀ ମହାବିଦ୍ୟାଳୟର ଏକ ଅସମ୍ପୂର୍ଣ୍ଣ ଘରେ ଏକ କଙ୍କାଳ ପଡ଼ିଥିବା ଦେଖିବାକୁ ମିଳିଛି । ଆଜି କିଛି ଶ୍ରମିକ କାମ କରୁଥିବା ବେଳେ ଏହାକୁ ଦେଖିବାକୁ ପାଇଥିଲେ । ତେବେ ଏହି କଙ୍କାଳ କାହାର ତାହା ସ୍ପଷ୍ଟ ହୋଇ ନାହିଁ ।

ଏଥିସହ ପଢ଼ନ୍ତୁ: ବନ୍ଧା ହେଲେ କୋଟିପତି ଅତର ବ୍ୟବସାୟୀ: ୩୫୭ କୋଟି ଟଙ୍କା ଜବତ, ଆହୁରି ଚାଲିଛି ଖୋଜା

ଏ ବିଷୟରେ ଖବର ପାଇ କଲେଜ ଅଧ୍ୟକ୍ଷ ଆସନ୍ତାକାଲି ଥାନାରେ ଅଭିଯୋଗ କରିବେ ବୋଲି କହିଛନ୍ତି । ତେବେ କଲେଜ କ୍ୟାମ୍ପସ ଭିତର ଅସମ୍ପୂର୍ଣ୍ଣ କୋଠରୀକୁ କଙ୍କାଳ କୁଆଡ଼େ ଆସିଲା । ତାକୁ ନେଇ ସୃଷ୍ଟି ହୋଇଛି ଅନେକ ପ୍ରଶ୍ନବାଚୀ । ତଦନ୍ତ ହେଲେ ଏହି କଙ୍କାଳ ବିଷୟରେ ଜଣାପଡ଼ିବ ।

ବନ୍ଧା ହେଲେ କୋଟିପତି ଅତର ବ୍ୟବସାୟୀ: ୩୫୭ କୋଟି ଟଙ୍କା ଜବତ, ଆହୁରି ଚାଲିଛି ଖୋଜା

ଲକ୍ଷ୍ନୌ: ୟୁପି ନିର୍ବାଚନ ପୂର୍ବରୁ ବଡ଼ ରେଡ୍ । ଗିରଫ ହେଲେ କୋଟିପତି ଅତର ବ୍ୟବସାୟୀ ପୀୟୁଷ ଜୈନ୍ । ଜିଏସଟି ବିଭାଗ ପୀୟୁଷ ଜୈନଙ୍କୁ କାନପୁରରୁ ଗିରଫ କରିଛି । ବର୍ତ୍ତମାନ ଯାଏ ଚାଲିଥିବା ରେଡରୁ ୩୫୭ କୋଟି ଟଙ୍କା ସହ ବିପୁଳ ସୁନା ଅଳଙ୍କାର ଜବତ ହୋଇଛି । ଅପରେସନ୍ ବିଗ୍ ବଜାର୍ ଏବେ ବି ଜାରି ରହିଛି । କୁହାଯାଉଛି ପୀୟୁଷ ଜୈନ୍ ପ୍ରାୟ ୪୦ଟି କମ୍ପାନୀର ମାଲିକ ।

Kanpur Perfume Businessman Piyush Jain Arrested

ଟିକସ ଚୋରି ଅଭିଯୋଗରେ ପୀୟୁଷ ଜୈନଙ୍କୁ ସିଜିଏସଟି ଆଇନର ଧାରା ୬୯ ଅନୁସାରେ ଗିରଫ କରାଯାଇଛି । ଗୁରୁବାର ଜିଏସଟି ଗୁଇନ୍ଦା ନିର୍ଦ୍ଦେଶାଳୟ ଓ ଆୟକର ବିଭାଗ ମିଳିତ ଭାବେ କନୌଜର ଅତର ବ୍ୟବସାୟୀ ପୀୟୁଷ ଜୈନଙ୍କ କାନପୁର ଘରେ ରେଡ୍ କରିଥିଲା । ରେଡ୍ ବେଳେ ଆଲମାରୀରୁ ଏତେ ଟଙ୍କା ମିଳିଲା ଯେ ବ୍ୟାଙ୍କରୁ ଟଙ୍କା ଗଣିବା ମେସିନ୍ ମଗାଇବାକୁ ପଡ଼ିଥିଲା । ପ୍ରାୟ ୮ଟି ମେସିନରେ ଗଣା ଯାଇଥିଲା ଟଙ୍କା ।

ଦିନରୁ ଗାତରେ ଫସିଲେଣି ହାତୀ, ରାତିରେ ଆରମ୍ଭ ହେଉଛି ଉଦ୍ଧାର କାର୍ଯ୍ୟ

କାମାକ୍ଷାନଗର: ଢେଙ୍କାନାଳ ବନଖଣ୍ଡ ମହାବିରୋଡ଼ ରେଞ୍ଜ ଡିହଡୋଳ ଫରେଷ୍ଟ ସେକ୍ସନ ବଅଁରପାଳ ଗାଁରେ ଥିବା ଏକ ଗଭୀର ଗାତରେ ଫସିଲେ ୨ ହାତୀ । ଖାଦ୍ୟ ଅନ୍ୱେଷଣରେ ଗାଁ ମୁହାଁ ହୋଇଥିବା ୨ ଦନ୍ତା ଗଭୀର ଗାତରେ ଫସି ରହିଛନ୍ତି । ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇବା ପରେ ବନ ବିଭାଗ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି । କିଟି କିଟି ଅନ୍ଧାର ଭିତରେ ୨ଟି ଜେସିବି ମେସିନ୍ ମାଧ୍ୟମରେ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ୨ ଦନ୍ତା ଭିତରେ ଏକ ଛୁଆ ଦନ୍ତା ହାତୀ ରହିଥିବା ଦେଖିବାକୁ ମିଳିଛି ।

Elephant Rescue Operation In Kamakhyanagar

ଦିନ ବେଳା ୨ଟି ଦନ୍ତା ହାତୀ ଗାତରେ ପଡ଼ିଥିବା ବେଳେ ବନ ବିଭାଗ ଉଦ୍ଧାର କାର୍ଯ୍ୟ ରାତିରେ ଆରମ୍ଭ କରିଛି । ଯାହାକୁ ନେଇ ଲେକେ ବନ ବିଭାଗକୁ ସମାଲୋଚନା କରିଛନ୍ତି । ଏହି ଅଞ୍ଚଳରେ ଅନେକ ସମୟରେ ହାତୀ ଉପଦ୍ରବ ଲାଗି ରହୁଛି । ବନ ବିଭାଗର ଅପାରଗତା ଯୋଗୁଁ ଅନେକ ମୂଲ୍ୟବାନ ଜୀବନ ଓ ଧନ ସମ୍ପତ୍ତି ନଷ୍ଟ ହେଉଛି । ତେବେ ଉଭୟ ହାତୀ ଓ ମଣିଷକୁ ସୁରକ୍ଷା ଦେବା ପାଇଁ ବନ ବିଭାଗ ଅସଫଳ ହୋଇଥିବା ଅଭିଯୋଗ କରିଛନ୍ତି ଲୋକେ ।

ଓଡ଼ିଶା ପାଇଁ ବିଜୁବାବୁଙ୍କ ସବୁଠୁ ବଡ଼ ଉପହାର ନବୀନ: ପ୍ରଣବ

ଯାଜପୁର: ତିନୋଟି ଜିନିଷ ହେଉଛି ବିଜେଡିର ପୁଞ୍ଜି । ପ୍ରଥମ ବିଜୁ ବାବୁ ଯାହାଙ୍କ ନାଁରେ ପ୍ରତିଷ୍ଠା ହୋଇଛି ଦଳ । ବିଜୁବାବୁଙ୍କ ଆଦର୍ଶ, ନୀତି, କାର୍ଯ୍ୟକଳାପ ଧାରାକୁ ନେଇ ଦଳ ଠିଆ ହୋଇଛି । ୨୫ ତଳେ ମୁଖ୍ୟମନ୍ତ୍ରୀ ବିଜେଡିକୁ ତିଆରି କରିଥିଲେ ସାରା ଓଡ଼ିଶାକୁ ବିଶ୍ୱ ଦରବାରରେ ୧ ନମ୍ବର କରି ଗଢ଼ି ତୋଳିବାକୁ । ଯେଉଁଥିପାଇଁ ମୁଖ୍ୟମନ୍ତ୍ରୀ ସବୁବେଳେ କୁହନ୍ତି ମୁଁ ୧ ନମ୍ବର ହେଲେ ଖୁସି ନୁହେଁ, ଓଡ଼ିଶାକୁ ଯେଉଁଦିନ ୧ ନମ୍ବର କରି ଗଢ଼ି ତୋଳିଲେ ଖୁସି ହେବି ।

Naveen Patnaik The Big Gift Of Late Biju Babu For Odisha Says Pranab

ବିଜୁବାବଙ୍କୁ ଅଧୁରା ସ୍ୱପ୍ନକୁ ସାକାର କରିବାକୁ ଓଡ଼ିଶା ଚାଲି ଆସିଥିଲେ ନବୀନ ପଟ୍ଟନାୟକ । ସେବେ ଓଡ଼ିଶାର ନୂଆ ପରିଚୟ ସୃଷ୍ଟି ହୋଇଥିଲା, ଆଜି ୨୫ ବର୍ଷରେ ତାହା ସାରା ବିଶ୍ୱରେ ପ୍ରତିଷ୍ଠିତ ହୋଇଛି । ଆଗାମୀ ଦିନରେ ଇତିହାସ ଲେଖିବ ନବୀନଙ୍କ ପୂର୍ବର ଓଡ଼ିଶା କଣ ଥିଲା ଓ ନବୀନଙ୍କ ପରର ଓଡ଼ିଶାର ଇତିହାସ । ନବୀନ ସବୁବେଳେ କୁହନ୍ତି ସାଢ଼େ ଚାରିକୋଟି ଓଡ଼ିଆ ମୋ ପରିବାର, ସେ ଓଡ଼ିଶାକୁ ବିଶ୍ୱ ଦରବାରର ପରିଚିତ କରାଇଛନ୍ତି ।

ଏହି ଅବସରରେ ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ କହିଛନ୍ତି, ଓଡ଼ିଶାକୁ ବିଜୁବାବୁଙ୍କ ସବୁଠୁ ମୂଲ୍ୟବାନ ଉପହାର ହେଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜଗନ୍ନାଥ ଦେଶରେ ଜନ୍ମ ହୋଇ ନବୀନଙ୍କ ଭଳି ନେତୃତ୍ୱଙ୍କ ପାଖରେ କାମ କରି ନିଜକୁ ଧନ୍ୟ ମଣୁଥିବା କହିଛନ୍ତି ପ୍ରଣବ ପ୍ରକାଶ ଦାସ । ରାଜ୍ୟବ୍ୟାପୀ ବିଜେଡିର ୨୫ତମ ପ୍ରତିଷ୍ଠା ଦିବସ ପାଳନ ହେଉଥିବା ବେଳେ ଯାଜପୁରରେ ଦଳର କାର୍ଯ୍ୟକ୍ରମରେ ଯୋଗ ଦେଇ ଏଭଳି ମତ ରଖିଛନ୍ତି ପ୍ରଣବ ପ୍ରକାଶ ଦାସ ।

ବନ ବିଭାଗ ଓ ରେଳ ବିଭାଗ ଅଧିକାରୀଙ୍କ ମଧ୍ୟରେ ସମନ୍ୱୟ ଅଭାବରୁ ମଲେ କି ୨ ହାତୀ ?

ଟାଙ୍ଗୀ: ଭୁଷଣ୍ଡପୁର ହାତୀମୃତ୍ୟୁର ଆରମ୍ଭ ହେଲା କାରଣଖୋଜା । ଘଟଣାସ୍ଥଳରେ ତଦନ୍ତ ଆରମ୍ଭ କରିଛନ୍ତି ବନ ବିଭାଗ ଓ ରେଳବାଇ ଅଧିକାରୀ । ଗତକାଲି ହାତୀପଲ ରେଳ ଧାରଣା ପାର ହେଉଥିବା ବେଳେ ମାଲବାହୀ ଟ୍ରେନ୍ ଧକ୍କା ଦେଇଥିଲା । ଦୁର୍ଘଟଣାରେ ଦୁଇଟି ହାତୀର ଜୀବନ ଯାଇଛି । ତେବେ ବିଭାଗ-ବିଭାଗ ଭିତରେ ସମନ୍ୱୟ ଅଭାବରୁ ଏଭଳି ସ୍ଥିତି ଉପୁଜିଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା । ଓୟୁଏଟିର ବିଶେଷଜ୍ଞ ଦଳ ହାତୀଙ୍କ ବ୍ୟବଚ୍ଛେଦ କରିଥିବା ବେଳେ ପୋଷ୍ଟମର୍ଟମ ରିପୋର୍ଟରେ ଜଣାପଡ଼ିବ ହାତୀ ମୃତ୍ୟୁର ପ୍ରକୃତ କାରଣ ।

Who Is Responsible For Two Elephant Death By Train

ହାତୀ ମୃତ୍ୟୁ ପଛରେ ଦାୟୀ କିଏ ? କେଉଁ ପରିସ୍ଥିତିରେ ହାତୀକୁ ଧକ୍କା ଦେଲା ମାଲବାହୀ ଟ୍ରେନ୍ ? ହାତୀଙ୍କ ଗତିବିଧି ସମ୍ପର୍କରେ ଅବଗତ ଥିଲେ କି ଟ୍ରେନ୍ ପାଇଲଟ ? ଏସଓପିର ପାଳନ ହୋଇଥିଲା ନାଁ ନାହିଁ ? ଟ୍ରେନର ବେଗ ଅଧିକ ଥିଲା କି ? ଖୋର୍ଦ୍ଧା ଭୁଷଣ୍ଡପୁର କନ୍ତଳବାଇ ରେଳ ଫାଟକ ନିକଟରେ ହାତୀପଲଙ୍କୁ ମାଲବାହୀ ଟ୍ରେନ୍ ଧକ୍କା ଦେବା ଘଟଣାର ଆରମ୍ଭ ହୋଇଛି କାରଣ ଖୋଜା । ବନବିଭାଗ ଓ ରେଲବାଇ ଅଧିକାରୀ ଦୁର୍ଘଟଣାର ତଦନ୍ତ କରୁଛନ୍ତି । ବିଭାଗ-ବିଭାଗ ମଧ୍ୟରେ ସମ୍ମନ୍ୱୟର ଅଭାବକୁ ଦାୟୀ କରିଛନ୍ତି ସ୍ଥାନୀୟ ଲୋକ ।

Who Is Responsible For Two Elephant Death By Train

ପ୍ରତିବର୍ଷ ସ୍ଥାନୀୟ ଅଞ୍ଚଳରେ ହାତୀ ଉପଦ୍ରବ ଲାଗି ରହିଥିଲେ ମଧ୍ୟ ଏଯାଏ ହାତୀ ଚଲାପଥ ବା କରିଡର ଘୋଷଣା କରାଯାଇନି । ହାତୀଙ୍କ ଗତିବିଧି ସମ୍ପର୍କରେ ବନ ବିଭାଗ ପ୍ରତିଦିନ ରେଳବାଇକୁ ଅବଗତ କରିଥାଏ । ମାତ୍ର ଶନିବାର ସନ୍ଧ୍ୟାରେ ଘଟିଥିଲା କଣ ? ରେଳବାଇକୁ ଅବଗତ କରିଥିଲା କି ବନ ବିଭାଗ ? ମାଲବାହୀ ଟ୍ରେନର ଡ୍ରାଇଭରଙ୍କୁ ହାତୀପଲର ଗତିବିଧି ସମ୍ପର୍କରେ ଅବଗତ କରାଯାଇଛି କି ନାଁ ସେନେଇ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି ସ୍ଥାନୀୟ ବାସିନ୍ଦା ।

Who Is Responsible For Two Elephant Death By Train

ଶନିବାର ସନ୍ଧ୍ୟାରେ ୧୯ ଟିକିଆ ହାତୀପଲ ଟ୍ରେନ୍ ଲାଇନ୍ ପାର ବେଳେ କନ୍ତଳବାଇ ରେଳ ଫାଟକ ନିକଟରେ ଧକ୍କା ଦେଇଥିଲା ମାଲାବାହୀ ଟ୍ରେନ୍ । ଦୁର୍ଘଟଣା ପରେ ହାତୀପଲ ଜଙ୍ଗଲକୁ ପଳାଇଥିଲେ । ଆଜି ସକାଳୁ କନ୍ତଳବାଇ ଗହୀରରୁ ହାତୀଛୁଆ ଓ ଉଗ୍ରତାରା ଜଙ୍ଗଲରୁ ମାଇହାତୀର ମୃତଦେହ ଉଦ୍ଧାର କରାଯାଇଥିଲା । ଓୟୁଏଟିର ବିଶେଷଜ୍ଞ ଦଳ ପହଞ୍ଚି ବ୍ୟବଚ୍ଛେଦ କରିଛି । ଟାଙ୍ଗୀ ରେଞ୍ଜ ଅଞ୍ଚଳରେ ୩୨ଟି ହାତୀ ଅଛନ୍ତି । ବିଭିନ୍ନ ସମୟରେ ଖାଦ୍ୟ ଅନ୍ୱେଷଣରେ ଜନବସତି ଅଞ୍ଚଳକୁ ଚାଲିଆସିଥାନ୍ତି ହାତୀପଲ । ହାତୀ-ମଣିଷ ଲଢ଼େଇ ଭିତରେ ଅନେକ ଜୀବନହାନୀ ବି ଘଟିଛି । ଏବେ ହାତୀପଲ ପାଇଁ ବିପଦ ସାଜିଛି ଟ୍ରେନ୍ ।

ବିଜୟ ହଜାରେ ଟ୍ରଫି: ତାମିଲନାଡୁକୁ ୧୧ ରନରେ ପରାସ୍ତ କରି ପ୍ରଥମ ଥର ପାଇଁ ଚମ୍ପିଆନ ହେଲା ହିମାଚଳ ପ୍ରଦେଶ

ଜୟପୁର: ଇତିହାସ ରଚିଲା ହିମାଚଳ ପ୍ରଦେଶ । ଚଳିତ ବିଜୟ ହଜାରେ ଟ୍ରଫିରେ ପ୍ରଥମ ଥର ପାଇଁ ଚମ୍ପିଆନ ହୋଇଛି ହିମାଚଳ ପ୍ରଦେଶ । ତାମିଲନାଡୁକୁ ୧୧ ରନରେ ପରାସ୍ତ କରି ଇତିହାସ ରଚିଛି ହିମାଚଳ ପ୍ରଦେଶ । ରବିବାର ଖେଳାଯାଇଥିବା ଫାଇନାଲ ମ୍ୟାଚର ହିରୋ ଥିଲେ ହିମାଚଳ ପ୍ରଦେଶର ଓପନର ବ୍ୟାଟ୍ସମ୍ୟାନ ଶୁଭମ ଅରୋରା । ଯିଏକି ହିମାଚଳ ପ୍ରଦେଶ ପକ୍ଷରୁ ଅପରାଜିତ ୧୩୬ ରନ କରିଥିଲେ ।

ରବିବାର ଟସ୍ ଜିତି ବୋଲିଂର ନିଷ୍ପତ୍ତି ନେଇଥିଲା ହିମାଚଳ ପ୍ରଦେଶ । ପ୍ରଥମ ବ୍ୟାଟିଂ କରୁଥିବା ତାମିଲନାଡୁ ନିର୍ଦ୍ଧାରିତ ଓଭର ପୂର୍ବରୁ ସମସ୍ତ ଓ୍ୱିକେଟ ହରାଇ ୩୧୪ ରନ କରିଥିଲେ । ତାମିଲନାଡୁ ପକ୍ଷରୁ ଓ୍ୱିକେଟ କିପର ବ୍ୟାଟ୍ସମ୍ୟାନ ଦିନେଶ କାର୍ତ୍ତିକଙ୍କ ଦମଦାର ୧୧୬ ରନ ଓ ଶାହାରୁଖ ଖାନଙ୍କ ଦ୍ରୁତ ୪୨ ରନ ଫଳରେ ୩୧୪ ରନ କରିବାରେ ସଫଳ ହୋଇଥିଲା ତାମିଲନାଡୁ । ହିମାଚଳ ପ୍ରଦେଶ ପକ୍ଷରୁ ପଙ୍କଜ ଜୈଶଓ୍ୱାଲ ୪ଟି, ଅଧିନାୟକ ରିଷି ଧାଓ୍ୱନ ୩ଟି ଓ୍ୱିକେଟ ଅକ୍ତିଆର କରିଥିଲେ ।

୩୧୫ ରନର ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ କରିବାକୁ ପଡ଼ିଆକୁ ଓହ୍ଲାଇଥିଲା ହିମାଚଳ ପ୍ରଦେଶ । ହିମାଚଳ ପ୍ରଦେଶ ୪୭.୩ ଓଭରରେ ଚାରି ଓ୍ୱିକେଟ ହରାଇ ୨୯୯ ରନ ସଂଗ୍ରହ କରିଥିଲା । କିନ୍ତୁ ଏହା ପରେ ଖରାପ ଆଲୋକ କାରଣରୁ ଆଉ ଖେଳ ହୋଇ ପାରିନଥିଲା । ଯାହା ଫଳରେ VDJ ନିୟମ ଅନୁସାରେ ହିମାଚଳ ପ୍ରଦେଶ ୧୧ ରନରେ ଏହି ମ୍ୟାଚକୁ ନିଜ ନାମରେ କରିଥିଲା । ହିମାଚଳ ପ୍ରଦେଶ ପକ୍ଷରୁ ଶୁଭମ ଅରୋରା ୧୩୬ ରନ, ଅମିତ କୁମାର ୭୪ ଓ ରିଷି ଧାଓ୍ୱନ ୪୨ ରନ କରିଥିଲେ । ଫାଇନାଲରେ ଦମଦାର ଶତକ ପାଇଁ ଶୁଭମ ଅରୋରାଙ୍କୁ ମିଳିଥିଲା ମ୍ୟାନ ଅଫ ଦି ମ୍ୟାଚ ପୁରସ୍କାର ।