spot_img
Home Blog Page 476

ଜରାଜୀର୍ଣ୍ଣ ପଥପ୍ରାନ୍ତ ସୁବିଧା କେନ୍ଦ୍ର: ରକ୍ଷଣାବେକ୍ଷଣ ଅଭାବରୁ ବନ୍ଦ ପଡ଼ିଛି

ଜରାଜୀର୍ଣ୍ଣ ପଥପ୍ରାନ୍ତ ସୁବିଧା କେନ୍ଦ୍ର। ରକ୍ଷଣାବେକ୍ଷଣ ଅଭାବରୁ ବନ୍ଦ ପଡ଼ିଛି। ପାଲଟିଛି ଅସାମାଜିକ ଯୁବକଙ୍କ ଆଡ୍ଡାସ୍ଥଳୀ। ଏ ହେଉଛି କେନ୍ଦୁଝର ଘଟଗାଁ ବାଲିଯୋଡ଼ି ନିକଟରେ ପଥିକ ମାନଙ୍କ ପାଇଁ ନିର୍ମିତ ପଥପ୍ରାନ୍ତ ସୁବିଧା କେନ୍ଦ୍ରର ଦୃଶ୍ୟ। ତିନି ବର୍ଷ ପୂର୍ବେ ପ୍ରାୟ ଦୁଇ କୋଟି ଟଙ୍କାରେ ଏହି ପଥପ୍ରାନ୍ତ ସୁବିଧା କେନ୍ଦ୍ରକୁ ନିର୍ମାଣ କରିଥିଲା ପୂର୍ତ୍ତ ବିଭାଗ । ଯାତ୍ରୀ ମାନଙ୍କ ସୁବିଧା ପାଇଁ ଶୌଚାଳୟ, ଗାଡ଼ି ପାର୍କିଂ, ଆବଶ୍ୟକୀୟ ସାମଗ୍ରୀ ସହିତ ପାନୀୟ ଜଳର ବ୍ୟବସ୍ଥା କରାଯାଇଥିଲା । କିନ୍ତୁ କବାଟ ଝରକା ଭାଙ୍ଗି ଫ୍ୟାନ୍, ଲାଇଟ୍, ରେଲିଂ, ଗ୍ରିଲ ସବୁ ଚୋରି ହୋଇଗଲାଣି ।

ନିର୍ମାଣର ବର୍ଷେ ଯାଏଁ ଦେଖାରଖା କରିଥିଲା ପୂର୍ତ୍ତ ବିଭାଗ। ପରେ ଗତବର୍ଷ ମିଶନ ଶକ୍ତି ମହିଳାଙ୍କୁ ଏହାକୁ ହସ୍ତାନ୍ତର କରାଯାଇଥିଲା । ମିଶନ ଶକ୍ତି ଏହାକୁ ଗୋଟିଏ ବର୍ଷ ନିଜ ଅଧୀନରେ ରଖିବା ପରେ ଏହାକୁ ପର୍ଯ୍ୟଟନ ବିଭାଗକୁ ହସ୍ତାନ୍ତର କରିଥିଲା । ବିଭାଗୀୟ ଅଧିକାରୀଙ୍କ ଅବହେଳା ଯୋଗୁଁ ଜରାଜୀର୍ଣ୍ଣ ଅବସ୍ଥାରେ ପଡିରହିଛି ପଥପ୍ରାନ୍ତ ସୁବିଧା କେନ୍ଦ୍ର।

ଶିକ୍ଷକ ବଦଳିକୁ ନେଇ ତାତିଲେ ଛାତ୍ରଛାତ୍ରୀ: ଫାଟକରେ ତାଲା ପକାଇ ଧାରଣା

ସ୍କୁଲରେ ତାଲା। ଶିକ୍ଷକ ବଦଳିକୁ ନେଇ ତାତିଲେ ଛାତ୍ରଛାତ୍ରୀ। ଫାଟକରେ ତାଲା ପକାଇ ଧାରଣା। ଜୟପୁର ବ୍ଲକ ଗଡପଦର ହାଇସ୍କୁଲରେ ହାଇଡ୍ରାମା। ପରୀକ୍ଷା ପୂର୍ବରୁ ଗଣିତ ଓ ଇଂରାଜୀ ଭଳି ଗୁରୁତ୍ଵପୂର୍ଣ୍ଣ ବିଷୟ ପଢାଉଥିବା ଶିକ୍ଷୟିତ୍ରୀଙ୍କ ବଦଳିକୁ ବିରୋଧ କରିଛନ୍ତି ଛାତ୍ରଛାତ୍ରୀ । ପ୍ରଧାନ ଶିକ୍ଷକଙ୍କୁ ବଦଳିର କାରଣ ପଚାରିବାରୁ ଗ୍ରାମବାସୀଙ୍କୁ ସେ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ଫଳରେ ଗ୍ରାମବାସୀ ଉତ୍ୟକ୍ତ ହୋଇ ସ୍କୁଲ ଗେଟରେ ତାଲା ପକାଇଥିଲେ। ବଦଳି ହୋଇଥିବା ଶିକ୍ଷୟିତ୍ରୀଙ୍କୁ ପୁନଃନିଯୁକ୍ତି ସହ ପ୍ରଧାନଶିକ୍ଷକଙ୍କୁ ବଦଳି ଦାବି କରିଛନ୍ତି ଛାତ୍ରଛାତ୍ରୀ ।

୨ ଗଡ଼ପଦର ଉଚ୍ଚ ବିଦ୍ୟାଳୟରେ ଜୟପୁର ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ପହଞ୍ଚି ଉତ୍ୟକ୍ତ ଗ୍ରାମବାସୀଙ୍କୁ ବୁଝାସୁଝା କରିଥିଲେ। ଗ୍ରାମବାସୀଙ୍କ ଦାବିକୁ ଜିଲା ଶିକ୍ଷା ଅଧିକାରୀଙ୍କୁ ଜଣାଯାଇଛି । ପରବର୍ତ୍ତୀ ସମୟରେ ଯାହା ନିର୍ଦ୍ଦେଶ ଆସିବ ତା ପରେ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି  । ସେପଟେ ସ୍କୁଲରେ ବିଭିନ୍ନ ପ୍ରକାର ଦୁର୍ନୀତି ହେଉଥିବା ଅଭିଯୋଗ ଆଣିଛନ୍ତି ଗ୍ରାମବାସୀ । ଯାହାକୁ ଖଣ୍ଡନ କରିବା ସହ ବଦଳିରେ କୌଣସି ଭୂମିକା ନଥିବା ସ୍କୁଲ ପ୍ରଧାନ ଶିକ୍ଷକ କହିଛନ୍ତି । ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳ ଖେଳୁଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ। ତୁରନ୍ତ ଘଟଣାର ତଦନ୍ତ କରି ଶୀଘ୍ର ପଦକ୍ଷେପ ନେବା ଜରୁରୀ ହୋଇପଡ଼ିଛି।

ପୁରୀ ଦଳାଚକଟା ତଦନ୍ତ ରିପୋର୍ଟକୁ ନେଇ ବିଜେପି ଉପରେ ବର୍ଷିଲା କଂଗ୍ରେସ

ପୁରୀ ଦଳାଚକଟା ତଦନ୍ତ ରିପୋର୍ଟକୁ ନେଇ ବିଜେପି ଉପରେ ବର୍ଷିଲା କଂଗ୍ରେସ । ୧୭ ମାସର ତଦନ୍ତ ଚାଲିଥିଲା, କାଲି ଗୋଟିଏ ପୃଷ୍ଠା ରିପୋର୍ଟ ସାର୍ବଜନୀନ ହୋଇଛି । ନୂଆପଡା ଉପ ନିର୍ବାଚନ ସମୟରେ ପୁରୀ ଦଳାଚକଟା ରିପୋର୍ଟ ପ୍ରକାଶ ପାଇବା ଗୋଟିଏ ଗୁଳିରେ ଦୁଇଟି ଶିକାର । ତର୍କ ବିତର୍କ ଭିତରେ ସଭିଏଁ ବ୍ୟସ୍ତ ରହିବେ । ଭୋଟ ଚୋରି ପାଇଁ ବାଟ ଫିଟାଇ ଦିଆଗଲା । ଦକ୍ଷ ସରକାର ପ୍ରମାଣିତ କରିବା ପାଇଁ ନିଜ ପିଠି ନିଜେ ଥାପୁଡୁଛନ୍ତି । ଗତ ବର୍ଷ ରଥଯାତ୍ରା ସମୟରେ ବଡ଼ ଠାକୁର ରଥରୁ ପଡିଲେ, ସେ ରିପୋର୍ଟ ଆସିଲା ନାହିଁ। ରଥଯାତ୍ରାକୁ ପରିଚାଳନା ମନ୍ତ୍ରିସ୍ତରୀୟ କମିଟି ଗଠନ ହୋଇଥିଲା । ଉପ ମୁଖ୍ୟମନ୍ତ୍ରୀ ଅଧ୍ୟକ୍ଷତାରେ ଆଇନ ମନ୍ତ୍ରୀ ସ୍ୱାସ୍ଥ୍ୟମନ୍ତ୍ରୀ ଅନ୍ୟ ମନ୍ତ୍ରୀ ସଦସ୍ୟ ଥିଲେ। ଏବେ ଏହି କମିଟିର କାର୍ଯ୍ୟକାରିତାକୁ ନେଇ ପ୍ରଶ୍ନ ଉଠିଛି । ଏହି କମିଟି କର୍ଡନ ପାସ ବେପାର କରିବା ପାଇଁ ଗଠନ ହୋଇଥିଲା କି ବୋଲି ପ୍ରଶ୍ନ କରିଛି କଂଗ୍ରେସ । ଛୋଟ ମୁଣ୍ଡ କୁ ଧରି ବଡ଼ ବଡ଼ିଆଙ୍କୁ ଖସେଇବା ପାଇଁ ବାଟବଣା ତଦନ୍ତର ମିଛକୁ ନେଇ ଏହି ରିପୋର୍ଟ ସାର୍ଵ ଜନନୀ କରାଯାଇଛି । RTIରେ କିଛି ତଥ୍ୟ ଦିଆଗଲା ନାହିଁ ।

ବିଜେପି ନୂଆପଡା ପରାଜୟ ପାଇଁ ଭୟଭୀତ, ନବୀନଙ୍କ ଗସ୍ତ ପରେ ମୁଖ୍ୟମନ୍ତ୍ରୀ ଭୟଭୀତ: ବିଜେଡି

ବିଜେପି ନୂଆପଡା ପରାଜୟ ପାଇଁ ଭୟଭୀତ । ନିର୍ବାଚନ ସମୟରେ କେମିତି ସର୍କିଟ ହାଉସରେ ରହିଲେ ? ସେଠି ସରକାରୀ ଅଧିକାରୀଙ୍କ ସହ ଆଲୋଚନା କଲେ । ସେହିପରି ମୁଖ୍ୟମନ୍ତ୍ରୀ ଛତିଶଗଡ ସୀମା ଖୋଲି ଦେଲେ । ଯେପରି ଅର୍ଥ ଓ ଲୋକ ଆସି ନିର୍ବାଚନକୁ ପ୍ରଭାବିତ କରିବେ । ସୁନାବେଡା ଉଦ୍ୟାନକୁ ଯାଇ ଆଦିବାସୀଙ୍କୁ କହିଲେ ତିନି ଥର ଆସିଛନ୍ତି । ସେ ନିଜ ଆଦିବାସୀ ପରିଚୟ ଦେଖାଇବାକୁ ଯାଇଥିଲେ । ଶହ ଶହ ଆଦିବାସୀ ମହିଳାଙ୍କୁ ଧର୍ଷଣ କରାଯାଉଥିବା ବେଳେ କୁଆଡେ ଥିଲେ ମୁଖ୍ୟମନ୍ତ୍ରୀ ବୋଲି ପ୍ରଶ୍ନ କରିଛି ବିଜେଡି । ମୁଖ୍ୟମନ୍ତ୍ରୀ ହତାଶ ହେଲେଣି । ତାଙ୍କ ପାଇଁ ଓଡ଼ିଶା ଲଜ୍ଜିତ ବୋଲି କହିଛି ବିଜେଡି । ନବୀନ ପଟ୍ଟନାୟକଙ୍କ ଗସ୍ତ ପରେ ସେ ଭୟଭୀତ । ଏ ସବୁ ବିରୋଧରେ ଆଜି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପାଖରେ ଫେରାଦ ହୋଇଛି ବିଜେଡି । ସରକାରୀ କଳ ଅପବ୍ୟବହାର କରୁଛନ୍ତି ମୁଖ୍ୟମନ୍ତ୍ରୀ ଓ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ବିଜେଡିରେ ମିଶୁ ମିଶୁ ଜୁନେଦଙ୍କ ଘରେ ରେଡ କଲେ । ଆଜି ମନୋଜ ମିଶ୍ରଙ୍କ ଘରେ ରେଡ ହେଉଛି । ଏଥିରୁ କିଛି ମିଳିଲାନି କି ମିଳିବନି । ସେପଟେ ବିଜେପି AIକୁ ବି ଅପବ୍ୟବହାର କରୁଛି । ବଣ ବିଛୁଆତି ନାଁରେ ଏକ ID କରି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ, ପ୍ରାର୍ଥୀନୀ ସ୍ନେହାଙ୍ଗିନୀ ଛୁରିଆଙ୍କ AI ଭିଡିଓ ଓ ଅଶ୍ଳୀଳ କମେଣ୍ଟ ଦେଉଛି ବିଜେପି । ଏହି କାମରେ ବିଜେପି ସିଦ୍ଧହସ୍ତ । ଏଥିରୁ ବିଜେପି କ୍ଷାନ୍ତ ରହିବାକୁ CEO ଙ୍କ ଦୃଷ୍ଟି ଆକର୍ଷଣ କରିଛି ବିଜେଡି

ଗୁଜରାଟରୁ ତିନି ଆତଙ୍କବାଦୀ ଗିରଫ, ଭାରତର ତିନୋଟି ସହର ଥିଲା ଟାର୍ଗେଟରେ

ଗୁଜରାଟରୁ ତିନି ଆତଙ୍କବାଦୀ ଗିରଫ, ଭାରତର ତିନୋଟି ସହର ଥିଲା ଟାର୍ଗେଟରେ

ନନ୍ଦିଘୋଷ ବ୍ୟୁରୋ: ଗୁଜରାଟ ଏଟିଏସ ଓ କେନ୍ଦ୍ରୀୟ ସୁରକ୍ଷା ଏଜେନ୍ସି ମିଳିତ ଭାବେ ତିନି ଜଣ ଆତଙ୍କବାଦୀଙ୍କୁ ଗିରଫ କରିଛନ୍ତି । ଏହି ଗିରଫଦାରୀ ପରେ ବଡ଼ ଖୁଲାସା ହୋଇଛି । ଗିରଫ ଆତଙ୍କବାଦୀଙ୍କ ମଧ୍ୟରେ ଚୀନରେ ଏମବିବିଏସ କରିଥିବା ୩୫ ବର୍ଷିୟ ଡକ୍ତର ଅହମ୍ମଦ ମୋହିଉଦ୍ଦିନ ସୟଦ ରହିଛି । ଯିଏ ଆଇଏସକେପି ସହ ଜଡ଼ିତ ବିଦେଶରେ ବସିଥିବା କଟ୍ଟରପନ୍ଥିଙ୍କ ସମ୍ପର୍କରେ ଥିଲା । ଅହମ୍ମଦ ସହ ତା’ର ଦୁଇ ସହଯୋଗୀ ମହମ୍ମଦ ସୁହେଲ ଏବଂ ଆଜାଦ ସେଫି ଗିରଫ ହୋଇଛନ୍ତି । ଏସଟିଏଫ ଅନୁସାରେ ଏମାନେ ଅହମ୍ମଦାବାଦ, ଲକ୍ଷ୍ନୌ ଓ ଦିଲ୍ଲୀରେ ଆତଙ୍କବାଦୀ ଆକ୍ରମଣ କରିବାକୁ ପ୍ରସ୍ତୁତି ଚଲାଇଥିଲେ । ଏମାନଙ୍କ ଉପରେ ଦୀର୍ଘ ସମୟ ଧରି ଭାରତୀୟ ସୁରକ୍ଷା ଏଜେନ୍ସ ନଜର ରଖିଥିଲେ ।

ଗୁଜରାଟ ଏସଟିଏଫ ଅନୁସାରେ, ତିନି ଆତଙ୍କବାଦୀଙ୍କ ଉପରେ ପ୍ରାୟ ଏକ ବର୍ଷ ହେବ ନଜର ରଖାଯାଇଥିଲା । ଲଗାତାର ସେମାନଙ୍କ ଲୋକେସନ ଟ୍ରାକ କରାଯିବା ସହ ପ୍ରତି ମୁଭମେଣ୍ଟ ଉପରେ ନଜର ରଖାଯାଇଥିଲା । ଏମାନେ ଆଇଏସଆଇଏସର ଆଇସିକେପି ସହ ଜଡିତ ଦୁଇଟି ଭିନ୍ନ ମଡ୍ୟୁଲର ସଦସ୍ୟ ବୋଲି କୁହାଯାଉଛି । ଏସିଏସ ଡିଆଇଜି ସୁନୀଲ ଜୋଶୀଙ୍କ ଅନୁସାରେ, ମହମ୍ମଦ ମୋହିଉଦ୍ଦିନକୁ ନେଇ ସାଙ୍ଘାତିକ ଇନପୁଟ ମିଳିବାରେ ଲାଗିଛି । ସେ କଟ୍ଟରପନ୍ଥି ଗତିବିଧିରେ ସାମିଲ ଥିଲେ । ତେଣୁ ତାଙ୍କ ଗତିବିଧି ଉପରେ ନଜର ରଖାଯାଇଥିଲା ।

କାରରୁ ଧରାପଡ଼ିଲା ମୋହିଉଦ୍ଦିନ, ନେଉଥିଲା ବିଷାକ୍ତ ରସାୟନ

ଦୁଇଦିନ ପୂର୍ବରୁ ମୋହିଉଦ୍ଦିନକୁ ଏଟିଏସ ଅଡାଲଜ ଟୋଲ ଭେଟ ପାଖରୁ ଧରିଥିଲା । ଏହି ସମୟରେ ସେ କାରରେ ମାରଣାସ୍ତ୍ର ଓ ବିଷାକ୍ତ କେମିକାଲ ସାଙ୍ଗରେ ନେଇ ଯାଉଥିଲା । ପଚରାଉଚରାରୁ ଜଣାପଡ଼ିଥିଲା ବିଦେଶରେ ଥିବା ଆଇଏସକେପିର ସଦସ୍ୟଙ୍କ ସମ୍ପର୍କରେ ଥିଲା ମୋହିଉଦ୍ଦିନ । ଅନ୍ୟ ଗିରଫ ଆତଙ୍କବାଦୀଙ୍କ ସହ ମିଶି ସେ ଆକ୍ରମଣର ଷଡଯନ୍ତ୍ର କରୁଥିଲା । ଏମାନେ ଅହମ୍ମଦାବାଦ, ଲକ୍ଷ୍ନୌ ଓ ଦିଲ୍ଲୀରେ ରେକି କରିଥିଲେ । କୌଣସି ବଡ଼ ଧରଣର ଆକ୍ରମଣ ପାଇଁ ଏମାନେ ବ୍ଲ୍ୟୁ-ପ୍ରିଣ୍ଟ ପ୍ରସ୍ତୁତ କରିବା ଯୋଜନାରେ ଥିଲେ ।

ସାୟନାଇଡଠାରୁ ଭୟଙ୍କର କେମିକାଲ ତିଆରି କରୁଥିଲେ

ଏଟିଏସ ଅନୁସାରେ ତିନି ଆତଙ୍କବାଦୀ ରାୟଜିନ ନାମକ ଏକ ବହୁତ ବିଷାକ୍ତ କେମିକାଳ ତିଆରି କରୁଥିଲେ । ଏହା ସାୟନାଇଡଠାରୁ ବି ଅଧିକ ଭୟଙ୍କର । ଏହାର ଳ୍ପ ମାତ୍ର ବ୍ୟବହାର କରି ବହୁ ସଂଖ୍ୟାରେ ଧନଜୀବନ ହାନୀ କରାଯାଇ ପାରିଥାନ୍ତି । ଏହାକୁ ବନାଇବା ପରେ କେମିତି ଏହାକୁ ବ୍ୟବହାର କରିଥାନ୍ତେ ତା’ର ଯାଞ୍ଚ ଜାରି ରହିଛି । ପଚରାଉଚରାରୁ ଏହା ମଧ୍ୟ ଜଣାପଡ଼ିଛି, ଆତଙ୍କବାଦୀଙ୍କ ପାଖରୁ ଜବତ ଅସ୍ତ୍ରଶସ୍ତ୍ର ସେମାନେ ରାଜସ୍ଥାନର ହନୁମାନଗଡ଼ରୁ ମଗାଇଥିଲେ ।ଏମାନେ ଗୁଜରାଟରେ ଅସ୍ତ୍ରଶସ୍ତ୍ର ବଦଳାଇବାକୁ ଯାଇଥିବା ବେଳେ ଏଟିଏସ ସେମାନଙ୍କୁ କାବୁ କରି ନେଇଥିଲା । କାରଣ, ଏଟିଏସ୍ ଏମାନଙ୍କ ଗତିବିଧି ଉପରେ ନଜର ରଖିଥିଲା ।

ଜମି ସ୍କାମରେ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ପୁଅ: ୧୮୦୦ କୋଟିର ଜମି କିଣିଛନ୍ତି ୩୦୦ କୋଟିରେ !

ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ପୁଅ ଏମିତି ଏକ ଜମି ସ୍କାମରେ ଫସିଛନ୍ତି, ତାକୁ ସେ ନା ରଖିପାରୁଛନ୍ତି ନା ଛାଡ଼ି ପାରୁଛନ୍ତି। ରଖିଲେ କ୍ରିମିନାଲ କେସରେ ଫସିବେ। ନ ରଖି ବାତିଲ କଲେ ଦେବାକୁ ପଡ଼ିବ ୪୨ କୋଟି ଟଙ୍କାର ଷ୍ଟାମ୍ ଡ୍ୟୁଟି। ପୁଣେରେ ଥିବା ଏକ ସରକାରୀ ଜମି କିଣିବାକୁ ଡିଲ୍ କରିଥିଲେ ଅଜିତ ପାୱାରଙ୍କ ପୁଅ ପାର୍ଥ ପାୱାର। ତାଙ୍କ କମ୍ପାନୀ ଏହି ଡିଲ୍ କରିଥିଲା। କିନ୍ତୁ ସେହି ଜମି ଏକ ସରକାରୀ ଜମି ବୋଲି ଜଣାପଡ଼ିବା ପରେ ଅଡୁଆରେ ପଡିଛନ୍ତି ପାର୍ଥ ପାୱାର। ତାଙ୍କ ବାପା ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର କହିଛନ୍ତି, ଏହା ସରକାରୀ ଜମି ବୋଲି ପାର୍ଥ ଜାଣିନଥିଲେ। ଜମି ଫେରାଇ ଦେବାକୁ ସେ ପ୍ରସ୍ତୁତ। ତେବେ ଜମି ରେଜିଷ୍ଟ୍ରିକୁ ବାତିଲ କରିବା ପାଇଁ ପାର୍ଥଙ୍କ କମ୍ପାନୀକୁ ୪୨ କୋଟି ଟଙ୍କା ଦେବାକୁ ପଡ଼ିବ। ସେପଟେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସ କହିଛନ୍ତି, ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ। କାହାକୁ ଛଡ଼ାଯିବ ନାହିଁ। ତେବେ ଏତଲାରେ ପାର୍ଥ ପାୱାରଙ୍କ ନାଁ ନାହିଁ ବୋଲି କୁହାଯିବାରୁ ଚିଡ଼ି ଯାଇଥିଲେ ଦେବେନ୍ଦ୍ର ଫଡନଭିସ। ପୁଣେର ଏହି ୪୦ ଏକର ଜମିର ମାର୍କେଟ ରେଟ୍ ହେଉଛି ୧୮୦୦ କୋଟି ଟଙ୍କା। ସେହି ଜମିରେ ଏକ ଡାଟା ସେଣ୍ଟର ନିର୍ମାଣର ଯୋଜନା ହୋଇଥିବା କୁହାଯାଉଛି। ସେହି ଜମିକୁ ୩୦୦ ଟଙ୍କାରେ କିଣିଥିଲା ପାର୍ଥ ପାୱାରଙ୍କ କମ୍ପାନି। ବର୍ତ୍ତମାନ ଏହା ପାର୍ଥ ଓ ତାଙ୍କ ବାପା ଅଜିତଙ୍କ ଗଳାର କଣ୍ଟା ପାଲଟିଛି।

ନିର୍ବାଚନ ଆଚରଣବିଧି ଉଲଂଘନ କରୁଛି ବିଜେପି, କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝି ଜିତିବା ସୁନିଶ୍ଚିତ: ଭକ୍ତ ଦାସ

ନିର୍ବାଚନ ଆଚରଣବିଧି ଉଲଂଘନ କରୁଛି ବିଜେପି  । ନିର୍ବାଚନ ଆୟୋଗର ନିୟମ ଅନୁଯାୟୀ ଜଣେ ପ୍ରାର୍ଥୀ ପୋଷ୍ଟର ବ୍ୟାନର ପାଇଁ ୪୦ ଲକ୍ଷ ଟଙ୍କା ଖର୍ଚ କରିପାରିବେ । ହେଲେ ବିଜେପି କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛି  । ବିଜେପି ସଭାକୁ ଲୋକ ଆସୁନାହାନ୍ତି ସେମାନେ ଭିଡ କରିବାକୁ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଶହଶହ ବସରେ ଲୋକ ଆଣି ଭିଡ ଦେଖାଇଲେ । ଲୋକେ ବିଜେପି ପତାକା କାଢିକି ଫିଙ୍ଗି ଦେଇଛନ୍ତି । ନୂଆପଡ଼ାବାସୀ ବିଜେପିକୁ ସମର୍ଥନ କରୁନାହାନ୍ତି  । କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝି ଜିତିବା ସୁନିଶ୍ଚିତ ବୋଲି ପିସିସି ସଭାପତି ଭକ୍ତ ଦାସ କହଛନ୍ତି ।

ନୂଆପଡ଼ା ଉପନିର୍ବାଚନର ମତଦାନ ପୂର୍ବରୁ ନୂଆପଡ଼ାବାସୀଙ୍କୁ ବିଜେଡି ସୁପ୍ରିମୋଙ୍କ ଭିଡିଓ ବାର୍ତ୍ତା

ନୂଆପଡ଼ା ଉପନିର୍ବାଚନ ପୂର୍ବରୁ ନୂଆପଡ଼ାବାସୀଙ୍କୁ ବିଜେଡି ସୁପ୍ରିମୋଙ୍କ ଭିଡିଓ ବାର୍ତ୍ତା। ନୂଆପଡ଼ା ନିର୍ବାଚନମଣ୍ଡଳୀବାସୀଙ୍କୁ ଜୁହାର ଜଣାଇଛନ୍ତି ନବୀନ। ନୂଆପଡ଼ା, ଖରିଆର ରୋଡ, କୋମନା ସଭାରେ ବହୁ ସଂଖ୍ୟାରେ ସେମାନେ ସାମିଲ ହୋଇଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି। ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କୁ ବିପୁଳ ଭୋଟରେ ବିଜୟୀ କରିବା ଲାଗି ସେ ଆହ୍ବାନ ଦେଇଛନ୍ତି। ସେ କହିଛନ୍ତି- ସ୍ନେହାଙ୍ଗିନୀ ପଶ୍ଚିମ ଓଡ଼ିଶାର ଜଣେ ଟାଣୁଆ ନେତା। ସ୍ନେହାଙ୍ଗିନୀଙ୍କୁ ନୂଆପଡ଼ା ଉପନିର୍ବାଚନ ଲାଗି ମୁଁ ପ୍ରାର୍ଥୀ କରିଛି। ନୂଆପଡ଼ାରେ ରହି ସେବା କରିବା ଲାଗି ମୁଁ ତାଙ୍କୁ ନିର୍ଦ୍ଦେଶ ଦେଇଛି। ସ୍ନେହାଙ୍ଗିନୀ ସର୍ବଦା ଆପଣଙ୍କ ସୁଖ ଓ ଦୁଃଖର ସାଥୀ ହୋଇ ରହିବେ। ରାଜ୍ୟରେ ବିଜେପି ସରକାର ଆସିବା ଦିନରୁ ମାଙ୍କ ଉପରେ ଅତ୍ୟାଚାର ବଢ଼ିଚାଲିଛି। ମିଶନ ଶକ୍ତି ମାଆମାନେ ହଇରାଣ ହେଉଛନ୍ତି। ଓଡ଼ିଶାର ସୁନାମ ନଷ୍ଟ ହେଉଛି। ରାଜ୍ୟ ସରକାର ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ବନ୍ଦ କରିଦେଲେ। ଫଳରେ ରାଜ୍ୟବାସୀ ଦୁର୍ଦ୍ଦଶାର ଶିକାର ହେଉଛନ୍ତି। ରାଜ୍ୟ ସରକାର ମହିଳା ଓ ଆଦିବାସୀ ବିରୋଧୀ। ବିକାଶର ବିରୋଧୀ। ଆପଣମାନଙ୍କ ସହଯୋଗରେ ବିଜେପିର ପରାଜୟ ନୂଆପଡ଼ାରୁ ଆରମ୍ଭ ହେବ। ଆସନ୍ତା ୧୧ରେ ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀଙ୍କୁ ଶଙ୍ଖ ଚିହ୍ନରେ ଭୋଟ ଦେଇ ଆଶୀର୍ବାଦ କରିବାକୁ ସେ ଆହ୍ବାନ ଦେଇଛନ୍ତି। ଏହା ସହ ଶେଷ ନିଃଶ୍ବାସ ଥିବା ଯାଏ ସେ ଓଡ଼ିଶା ମା ଓ ରାଜ୍ୟବାସୀଙ୍କ ସେବା କରିଚାଲିବେ ବୋଲି କହିଛନ୍ତି ବିରୋଧୀ ଦଳ ନେତା।

ONGCରେ ୨୬୨୩ ପଦ ଖାଲି: କେବଳ ସାକ୍ଷାତକାର ଆଧାରରେ ହେବ ସିଲେକ୍ସନ

ସରକାରୀ ଚାକିରି ପାଇଁ ପ୍ରସ୍ତୁତି ଚଳାଇଥିବା ଆଶାୟୀଙ୍କ ପାଇଁ ଆସିଛି ଏକ ବଡ଼ ଖବର । ଅଏଲ ଆଣ୍ଡ ନ୍ୟାଚୁରାଲ ଗ୍ୟାସ କର୍ପୋରେସନ ଲିମିଟେଡ (ONGC)ରେ ଅଢ଼େଇ ହଜାରରୁ ଅଧିକ ପଦ ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଆପ୍ରେଣ୍ଟିସ ପଦରେ ଏହି ନିଯୁକ୍ତି ଦିଆଯିବ । ନଭେମ୍ବର ୧୯ ତାରିଖ ଆବେଦନର ଅନ୍ତିମ ତାରିଖ ରହିଛି । ଓଏନଜିସିର ଅଫିସିଆଲ ଓ୍ବେବସାଇଟ http://ongcindia.co.in/ କୁ ଯାଇ ପ୍ରାର୍ଥୀମାନେ ଆବେଦନ କରିପାରିବେ ।

ଏହି ଭର୍ତ୍ତି ମାଧ୍ୟମରେ ମୋଟ ୨୬୨୩ଟି ପଦ ପୂରଣ କରାଯିବ । ଉତ୍ତର କ୍ଷେତ୍ରରେ ୧୬୫, ପଶ୍ଚିମ କ୍ଷେତ୍ରରେ ୮୫୬, ମୁମ୍ବାଇ ସେକ୍ଟରରେ ୫୬୯, ପୂର୍ବ କ୍ଷେତ୍ରରେ ୪୫୮, ଦକ୍ଷିଣ କ୍ଷେତ୍ରରେ ୩୨୨, କେନ୍ଦ୍ରୀୟ କ୍ଷେତ୍ରରେ ୨୫୩ଟି ପଦ ଖାଲି ରହିଛି । ଏହି ପଦ ପାଇଁ ଆବେଦନ କରିବାକୁ ହେଲେ ପ୍ରାର୍ଥୀ ଡିପ୍ଲୋମା ଟ୍ରେଡ ପାସ କରିବା ସହ ୩ ବର୍ଷୀୟା ଇଞ୍ଜିନିୟରିଂ ଡିପ୍ଲୋମା ଓ ପ୍ରାସଙ୍ଗିକ କ୍ଷେତ୍ରରେ ସ୍ନାତକ ଡିଗ୍ରୀ କରିଥିବା ଆବଶ୍ୟକ । ସର୍ବନିମ୍ନ ବୟସ ୧୮ ଓ ସର୍ବାଧିକ ବୟସ ୨୪ ବର୍ଷ ହୋଇଥିବା ଆବଶ୍ୟକ । ଏସସି / ଏସଟିଙ୍କ ପାଇଁ ସର୍ବାଧିକ ବୟସ ୨୯, ଓବିସି (ନନ-କ୍ରିମି ଲେୟର)ଙ୍କ ପାଇଁ ସର୍ବାଧିକ ବୟସ ୨୭ ବର୍ଷ, ଦିବ୍ୟାଙ୍ଗ ପାଇଁ ସର୍ବାଧିକ ୩୪ ବର୍ଷ ରହିଛି । ଏଥିରେ କୌଣସି ପରୀକ୍ଷା ହେବ ନାହିଁ । କେବଳ ଇଣ୍ଟରଭ୍ୟୁ ଆଧାରରେ ପ୍ରାର୍ଥୀଙ୍କୁ ଚୟନ କରାଯିବ । ଅଫିସିଆଲ ଓ୍ବେବସାଇଟ୍ https://nats.education.gov.in/  ବା www.apprenticeshipindia.gov.in କୁ ଯାଇ ଆବେଦନ କରିପାରିବେ ।

ବିହାରର ସଡ଼କରୁ ମିଳିଲା ବହୁସଂଖ୍ୟକ VVPAT ପର୍ଚି ! AROଙ୍କୁ ସସପେଣ୍ଡ କଲେ ନିର୍ବାଚନ ଆୟୋଗ

ବିହାର ବିଧାନସଭା ନିର୍ବାଚନ ପାଇଁ ଗତ ୬ ତାରିଖରେ ପ୍ରଥମ ପର୍ଯ୍ୟାୟ ମତଦାନ ହୋଇଥିଲା । ଆସନ୍ତା ୧୧ ତାରିଖରେ ଦ୍ବିତୀୟ ପର୍ଯ୍ୟାୟ ମତଦାନ ଗ୍ରହଣ କରାଯିବ । ଭୋଟରଙ୍କୁ ନିଜ ସପକ୍ଷକୁ ଆଣିବା ପାଇଁ ରାଜନୈତିକ ଦଳମାନେ ଜୋରଦାର ପ୍ରଚାରରେ ବ୍ୟସ୍ତ ରହିଛନ୍ତି । ତେବେ ଏହା ମଧ୍ୟରେ ଏହା ବଡ଼ ଘଟଣା ସାମ୍ନାକୁ ଆସିଛି । ସମସ୍ତୀପୁର ଜିଲ୍ଲାରେ ସରାୟରଞ୍ଜନ ବିଧାନସଭା କ୍ଷେତ୍ରର କେଏସଆର କଲେଜ ନିକଟରେ ସଡ଼କ କଡ଼ରେ ବହୁସଂଖ୍ୟକ VVPAT ପର୍ଚି ଏଣେତେଣେ ହୋଇ ପଡ଼ିଥିବା ଦେଖିବାକୁ ମିଳିଛି ।

ଏହି ଘଟଣାକୁ ନେଇ ନିର୍ବାଚନୀ ପ୍ରକ୍ରିୟା ଓ ନିର୍ବାଚନ ଆୟୋଗଙ୍କ ପାରଦର୍ଶିତା ଉପରେ ପ୍ରଶ୍ନ ଉଠାଇଛି ଆରଜେଡି । ଇଭିଏମରୁ ବାହାରୁ ଥିବା VVPAT ପର୍ଚି ମିଳିବା ନେଇ ଆରଜେଡି ପକ୍ଷରୁ ଏକ୍ସ’ରେ ପୋଷ୍ଟ କରାଯାଇଛି । କେବେ, କିପରି ଓ କାହା ଇସାରାରେ ଏହି ପର୍ଚିଗୁଡ଼ିକୁ ଫିଙ୍ଗାଯାଇଛି ? ଚୋର ଆୟୋଗ କ’ଣ ଏହାର ଜବାବ ଦେବ? ବାହାରୁ ଆସି ବିହାରରେ ଡେରା ପକାଇଥିବା ଲୋକତନ୍ତ୍ରର ଡକାୟତଙ୍କ ନିର୍ଦ୍ଦେଶରେ କ’ଣ ଏହା ହେଉଛି ?

ମୁଖ୍ୟ ନିର୍ବାଚନ କମିଶନ (ସିଇସି) ଜ୍ଞାନେଶ କୁମାର ଏହି ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସମ୍ବନ୍ଧିତ ସହାୟକ ରିଟର୍ଣ୍ଣିଂ ଅଫିସର (ଏଆରଓ)ଙ୍କୁ ଲାପରବାହୀ ଅଭିଯୋଗରେ ନିଲମ୍ବିତ କରିଛନ୍ତି । ଏଥିସହିତ ତାଙ୍କ ବିରୋଧରେ FIR ଦାୟର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସମସ୍ତୀପୁର ଜିଲ୍ଲା ନିର୍ବାଚନ ଅଧିକାରୀ (ଜିଲ୍ଲାଧିକାରୀ)ଙ୍କୁ ଘଟଣାସ୍ଥଳକୁ ଯାଇ ଯାଞ୍ଚ କରିବାକୁ ଓ ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।