ନନ୍ଦିଘୋଷ ବ୍ୟୁରୋ : ବେଲପାହାଡ ମ୍ୟୁନିସିପାଲଟିରେ ଦୁର୍ନୀତି ପ୍ରସଙ୍ଗ। ନିଲମ୍ବନ ହେଲେ ଯମଡା ତହସିଲଦାର। ବେଲପାହାଡ଼ ମ୍ୟୁନିସିପାଳିଟିର ପୂର୍ବତନ କାର୍ଯ୍ୟ ନିର୍ବାହୀ ଅଧିକାରୀ ତଥା ବର୍ତ୍ତମାନ ମୟୂରଭଞ୍ଜ ଜିଲ୍ଲାର ଜମଡା ତହସିଲଦାର ମଧୁସ୍ମିତା ସିଂହଙ୍କୁ ନିଲମ୍ବନ କରିଛି ରାଜସ୍ୱ ବିଭାଗ। ଏହାସହ ମୁଖ୍ୟାଳୟ ନଛାଡିବାକୁ ନିର୍ଦ୍ଦେଶ ଦିଆଯାଇଛି। ତଦନ୍ତ ସରିବା ଯାଏଁ ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ରହିବେ ମଧୁସ୍ମିତା। ମୟୂରଭଞ୍ଜ ଜିଲ୍ଲାପାଳଙ୍କ ବିନା ଅନୁମତିରେ ମୁଖ୍ୟାଳୟ ଛାଡ଼ି ପାରିବେ ନାହିଁ। ବେଳପାହାଡ଼ରେ କାର୍ଯ୍ୟ ନିର୍ବାହୀ ଅଧିକାରୀ ଭାବେ ଥିବା ବେଳେ ଷ୍ଟ୍ରିଟ ଲାଇଟ ପ୍ରୋଜେକ୍ଟ, କେଶ ବୁକ ଅନିୟମିତତା, ରସାୟନ କିଣାବିକା ଆଦିରେ ଦୁର୍ନୀତି ହେଇଥିବା ନେଇ ଅଭିଯୋଗ ପରେ EOW ବେଳପାହାଡ଼ ଆସି ଏହାର ଯାଞ୍ଚ କରିଥିଲା। ଏହି ଘଟଣାରେ ବେଳପାହାଡ଼ ମ୍ୟୁନିସିପାଳିଟିର ଆକାଉଣ୍ଟେଣ୍ଟ ବିଭୁତି ସାହୁ ଗିରଫ ହୋଇ ସାରିଛନ୍ତି।
ଗୁଣିଗାରେଡି ସନ୍ଦେହରେ ବୃଦ୍ଧଙ୍କୁ ନିସ୍ତୁକ ମାଡ଼
କେନ୍ଦ୍ରାପଡା : ଗୁଣିଗାରେଡି ସନ୍ଦେହରେ ବୃଦ୍ଧଙ୍କୁ ନିସ୍ତୁକ ମାଡ଼ । କେନ୍ଦ୍ରାପଡ଼ା ମାର୍ଶାଘାଇ ଥାନା ଅଧିନ ବରେଇ ରାଜସ୍ୱ ଗାଁରେ ଘଟିଛି ଅଭାବନୀୟ ଘଟଣା। ଗୁରୁତର ଅବସ୍ଥାରେ ବୃଦ୍ଧ ଜଣଙ୍କୁ କେନ୍ଦ୍ରାପଡ଼ା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଗଣେଷ ପୂଜାଦିନ ଇଚ୍ଛାପୁର ବଳଦେବଜୀଉଙ୍କ ମନ୍ଦିରରୁ କାମ ସାରି ଉମେଶ ଜାତି ରାତି ୧୦ଟାରେ ଘରକୁ ଫେରିଥିଲେ । ଘରେ ଖାଇ ପିଇ ବୃଦ୍ଧା ମା ଓ ପୁଅ ଉମେଶ ଶୋଇଥିବା ବେଳେ ପଡୋଶୀ ମିଟୁ ଓ ତାର ଦୁଇ ଭାଇ ଓ ବାପା ଚାରିଜଣ ଘର କବାଟ ଭାଙ୍ଗି ଘରେ ପଶିଥିଲେ । ୬୫ ବର୍ଷର ବୃଦ୍ଧ ଉମେଶଙ୍କୁ ରାତି ଅଧରେ ଘରୁ ଟେକି ନେଇ ନିସ୍ତୁକ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ମରିଯାଇଥିବା ଭାବି ଘର ଆଗରେ ଫୋପାଡ଼ି ଦେଇଥିଲେ। ପରିବାରର ଅଭିଯୋଗ ଅନୁଯାୟୀ, ସେହି ଗାଁର ଜଣେ ଯୁବକଙ୍କ ପତ୍ନୀଙ୍କୁ ଗୁଣି ହୋଇଥିବାର ସନ୍ଦେହ କରିଥିଲେ ଆକ୍ରମଣକାରୀ। ଗୁଣିଆ ସନ୍ଦେହରେ ଘରୁ ଉଠାଇ ନେଇ, ରଡ୍ ଓ ବାଡି ସାହାଯ୍ୟରେ ବୃଦ୍ଧଙ୍କୁ ରାତି ତମାମ ଉଲଗ୍ନ କରି ପିଟିଥିଲେ। ଏ ନେଇ ମାର୍ଶାଘାଇ ଥାନାରେ ବୃଦ୍ଧଙ୍କ ଝିଅ ଏତଲା ଦେବା ପରେ ପୋଲିସ ତଦନ୍ତ ଜାରି ରଖିଛି।
ପାରାଦୀପ ଆଇଓସିଏଲ ଗେଟରେ ଯୁବକଙ୍କ ବ୍ୟାଗରୁ ମିଳିଲା ଗୁଳି
ପାରାଦୀପ : ପାରାଦୀପ ଆଇଓସିଏଲ ଗେଟରେ ଯୁବକଙ୍କ ବ୍ୟାଗରୁ ମିଳିଲା ଗୁଳି । ଯାଞ୍ଚ ବେଳେ ବ୍ୟାଗରୁ ଗୁଳି ଜବତ କଲା ସିଆଇଏସଏଫ। ଯୁବକ ଜଣଙ୍କ ଆଇଓସିଏଲରେ ଠିକା କାମରେ ନିଯୁକ୍ତ ଥିବା ଟେକନୋମାଉଣ୍ଟ କମ୍ପାନୀର ସୁପରଭାଇଜର ଦେବାଶିଷ ଦାସ । ପାରାଦୀପ ରିଫାଇନାରୀ ୨ନଂ ଗେଟ୍ ଦେଇ ରିଫାଇନାରୀ ଭିତରକୁ ଯିବା ସମୟରେ ଯାଞ୍ଚ ବେଳେ ବ୍ୟାଗରୁ ଗୁଳି ଜବତ ହୋଇଛି। ଦେବାଶିଷକୁ ଅଟକ ରଖି ଅଧିକ ପଚରାଉଚରା କରୁଛି ଅଭୟଚାନ୍ଦପୁର ପୋଲିସ। ଆଇଓସିଏଲ ଭିତରେ ଗ୍ୟାସ, ପେଟ୍ରୋଲ, ଡିଜେଲ ପ୍ରଭୃତି ସାମଗ୍ରୀ ରହିଥିବାରୁ ଏହା ଭିତରକୁ ମୋବାଇଲ, ଇଲୋକ୍ଟ୍ରୋନିକ୍ସ ଡିଭାଇସ୍ ସମେତ କୌଣସି ସାମଗ୍ରୀ ନେବା ଉପରେ ସମ୍ପୂର୍ଣ୍ଣ କଟକଣା ରହିଛି। ତେବେ ସୁପରଭାଇଜର ଜଣଙ୍କ କାହିଁକି ନିଜ ବ୍ୟାଗରେ ଗୁଳି ନେଇଥିଲେ ତାହା ଜଣାପଡ଼ିନାହିଁ। ପୋଲିସ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ।
ବିହାର ନିର୍ବାଚନରେ ଏନଡିଏ ମେଣ୍ଟରେ ବିଗ୍ ବ୍ରଦର ଭୂମିକା ନେଇପାରେ ଜେଡିୟୁ
ନନ୍ଦିଘୋଷ ବ୍ୟୁରାେ : ବିହାର ନିର୍ବାଚନରେ ଏନଡିଏ ମେଣ୍ଟରେ ବିଗ୍ ବ୍ରଦର ଭୂମିକା ନେଇପାରେ ଜେଡିୟୁ । ଏନଡିଏରେ ଆସନ ବୁଝାମଣା ଏକ ପ୍ରକାର ଚୂଡ଼ାନ୍ତ ହୋଇଥିବା ସୂଚନା ମିଳିଛି । ୨୪୩ ଆସନ ବିଶିଷ୍ଟ ବିଧାନସଭା ଲାଗି ସମ୍ଭବତଃ ସେପ୍ଟେମ୍ବର ଦ୍ବିତୀୟ ସପ୍ତାହରେ ଆସନ ବୁଝାମଣା ସଂକ୍ରାନ୍ତ ଘୋଷଣା କରିପାରେ ଏନଡିଏ । ଦ୍ବିତୀୟ ସପ୍ତାହରେ ପ୍ରଧାନମନ୍ତ୍ରୀଙ୍କ ବିହାର ଗସ୍ତ କାର୍ଯ୍ୟକ୍ରମ ପରେ ଆସନ ବୁଝାମଣା ଘୋଷଣା ହେବ ବୋଲି ସୂଚନା ମିଳିଛି । ଜେଡିୟୁ ୧୦୨, ବିଜେପି ୧୦୧, ଚିରାଗ ପାଶଓ୍ବାନଙ୍କ ଲୋକଜନଶକ୍ତି ପାର୍ଟି (ରାମବିଳାସ) ୨୦ ଆସନରେ ଲଢିପାରନ୍ତି । ସେହିପରି ଜିତନରାମ ମାନଝିଙ୍କ ହିନ୍ଦୁସ୍ତାନୀ ଆଓ୍ବାମି ମୋର୍ଚ୍ଚା ହାମ-ଏସ ଏବଂ ଉପେନ୍ଦ୍ର କୁସବାହାଙ୍କ ରାଷ୍ଟ୍ରୀୟ ଲୋକ ମୋର୍ଚ୍ଚା ୧୦ଟି ଲେଖାଏଁ ଆସନ ପାଇବା ଏକ ରକମ ଚୂଡ଼ାନ୍ତ ହୋଇଥିବା କୁହାଯାଉଛି । ଉପେନ୍ଦ୍ର ବର୍ତ୍ତମାନ ରାଜ୍ୟସଭା ସାଂସଦ ଅଛନ୍ତି । ସେପଟେ ଜିତନରାମ ମାନଝୀ କେନ୍ଦ୍ରମନ୍ତ୍ରୀ ଥିବାବେଳେ ତାଙ୍କ ପୁଅ ସନ୍ତୋଷ ସୁମନ ବିହାରରେ ମନ୍ତ୍ରୀ ଅଛନ୍ତି । ଗତ ବିଧାନସଭା ନିର୍ବାଚନରେ ଜେଡିୟୁ ୧୧୫ ଆସନରେ ଲଢି ୪୩ ଆସନ ପାଇଥିଲା । ବିଜେପି ୧୧୦ ଆସନରେ ଲଢି ପାଇଥିଲା ୭୪ ଆସନ । ଏକକ ସଂଖ୍ୟା ଗରିଷ୍ଠ ଦଳ ଭାବେ ଆରଜେଡି ୭୫ ଆସନ ପାଇଥିଲା ।
ଆଜିଠାରୁ ଆରମ୍ଭ ହେବ ଏସସିଓ ସମ୍ମିଳନୀ, ବଢ଼ିବ ଭାରତ ଓ ଚୀନ ମଧ୍ୟରେ ସମ୍ପର୍କ
ନନ୍ଦିଘୋଷ ବ୍ୟୁରୋ : ବଢ଼ିବ ଭାରତ ଓ ଚୀନ ମଧ୍ୟରେ ସମ୍ପର୍କ। ଚୀନର ତିଆନଜିନରେ ଆଜିଠାରୁ ଆରମ୍ଭ ହେବ ସାଂଘାଇ ସହଯୋଗ ସଂଗଠନ ବା ଏସସିଓର ସମ୍ମିଳନୀ। ଏହି ଅବସରରେ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କୁ ଭେଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ତିଆନଜିନରେ ପହଞ୍ଚିବା ପରେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କିଙ୍କ ସହ ଫୋନରେ କଥାବାର୍ତ୍ତା ହୋଇଛନ୍ତି ମୋଦି। ଏହା ସହ ରୁଷ-ୟୁକ୍ରେନ ଯୁଦ୍ଧ ପ୍ରସଙ୍ଗରେ ସେ ଆଲୋଚନା କରିଥିବା ସୂଚନା ମିଳିଛି। ଗତବର୍ଷ ଅକ୍ଟୋବରରେ ଜିନପିଙ୍ଗଙ୍କ ସହ ମୋଦିଙ୍କ ଭେଟଘାଟ ହୋଇଥିଲା। ପ୍ରକୃତ ନିୟନ୍ତ୍ରଣ ରେଖା ବା ଏଲଓସିରେ ଦୁଇ ଦେଶ ମଧ୍ୟରେ ସ୍ଥିରତା ବଜାୟ ରଖିବା ପ୍ରସଙ୍ଗରେ ଦୁଇ ନେତାଙ୍କ ମଧ୍ୟରେ ହୋଇଥିଲା ସହମତି। ଏସସିଓ ସମ୍ମିଳନୀ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ, ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଓ କେନ୍ଦ୍ର ଏସିଆର ବହୁ ନେତାଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ୨୦୨୦ରେ ଗଲୱାନ ସଂଘର୍ଷ ପରଠାରୁ ଦୁଇ ଦେଶ ମଧ୍ଯରେ କୂଚନୈତିକ ତିକ୍ତତା ଲାଗି ରହିଥିଲା। ଭାରତ ଉପରେ ଆମେରିକାର ୫୦ ପ୍ରତିଶତ ଟାରିଫ ଲାଗୁ ପରିପ୍ରେକ୍ଷୀରେ ଏହି ଆଲୋଚନା ଗୁରୁତ୍ବପୂର୍ଣ୍ଣ ହେବ। ଏସସିଓର ମୋଟ ସଦସ୍ୟ ସଂଖ୍ୟା ରହିଛି ୯। ସେମାନେ ହେଲେ ଚୀନ, ଭାରତ, କାଜାକସ୍ତାନ, କିରଗୀଜସ୍ତାନ, ପାକିସ୍ତାନ, ରୁଷ, ତାଜିକିସ୍ତାନ, ଉଜବେକିସ୍ତାନ ଓ ଇରାନ। ଏହାକୁ ୨୦୦୧ରେ ପ୍ରତିଷ୍ଠା କରାଯାଇଥିଲା।

