spot_img
Home Blog Page 4769

ରାଜଧାନୀକୁ ଫେରିଲା କୋଭିଡ୍ କଣ୍ଟେନମେଣ୍ଟ ଜୋନ୍

ଭୁବନେଶ୍ୱର: କୋଭିଡର ନୂଆ ଭାରିଆଣ୍ଟ ଓମିକ୍ରନ ଆତଙ୍କ ଭିତରେ ରାଜଧାନୀ ଭୁବନେଶ୍ୱରକୁ ପୁଣି ଥରେ ଫେରିଛି କଣ୍ଟେନମେଣ୍ଟ ଜୋନ୍ । ଏକାଧିକ କୋଭିଡ୍ ସଂକ୍ରମିତ ଚିହ୍ନଟ ପରେ ସତର୍କତାମୂଳକ ପଦକ୍ଷେପ ନେଇ ବିଏମସି କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଛି । ବମିଖାଲର ଜୟଦୁର୍ଗା ନଗର ଓ ଭିଏସ୍ଏସ୍ ନଗରର ୧୧ ନମ୍ବର ୱାର୍ଡକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି ।

ବିଏମସି ନିର୍ଦ୍ଦେଶ ଅନୁଯାୟୀ, କଣ୍ଟେନମେଣ୍ଟ ଜୋନରୁ କେହି ବାହାରକୁ ଯାଇପାରିବେ ନାହିଁ କି ପ୍ରବେଶ କରିବେ ନାହିଁ । ବମିଖାଲ ଜୟଦୁର୍ଗା ନଗରର ପ୍ଲଟ ନମ୍ବର ୧୩୦୩/୧୩୦୪କୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି । କଣ୍ଟେନମେଣ୍ଟ ଜୋନରେ ବିଏମସି ସମସ୍ତ ଅତ୍ୟାବଶ୍ୟକୀୟ ସେବା ଯୋଗାଇଦେବ । କଣ୍ଟେନମେଣ୍ଟ ଜୋନରେ ଥିବା ଲୋକ ୯୩୩୮୭୩୩୬୪୧ ନମ୍ବରରେ କଲ୍ କରି ଔଷଧ୍ୟ ଓ ଅନ୍ୟ ଜିନିଷ ମଗାଇ ପାରିବେ ।

ସେହିଭଳି ଭିଏସ୍ଏସ୍ ନଗର ୧୧ ନମ୍ବର ୱାର୍ଡର ପ୍ଲଟ୍ ନମ୍ବର ଏଇ-୨୧୦କୁ କଣ୍ଟେନମେଣ୍ଟ ଜୋନ୍ କରାଯାଇଛି । କଣ୍ଟେନମେଣ୍ଟ ଜୋନକୁ ଲାଗି ରହିଥିବା ସରକାରୀ ଓ ଘରୋଇ ଶିକ୍ଷାନୁଷ୍ଠାନକୁ ବନ୍ଦ କରାଯାଇଛି । ବିଏମସି ପକ୍ଷରୁ କଣ୍ଟେନମେଣ୍ଟ ଅଞ୍ଚଳରେ ସମସ୍ତ ଅତ୍ୟାବଶ୍ୟକୀୟ ସାମଗ୍ରୀ ଉପଲବ୍ଧ କରାଯିବ ।

ଶୁଭମଙ୍କୁ ପୁଣି ସହାୟତାର ହାତ ବଢ଼ାଇଲା ପ୍ରଶାସନ

ବଲାଙ୍ଗିର: କୃତ୍ରିମ ଗୋଡ଼ ପାଇ ପୁଣି ଥରେ ଠିଆ ହୋଇଥିବା ଶୁଭମକୁ ମିଳିଲା ଆହୁରି ସରକାରୀ ସହାୟତା । ଶୁଭମର ପାଠପଢା ଦାୟିତ୍ୱ ହାତକୁ ନେଇଛି ବଲାଙ୍ଗିର ଜିଲ୍ଲା ପ୍ରଶାସନ । ଏହା ସହିତ ଶୁଭମ ଯେପରି ଭଲ ଖେଳାଳି ହୋଇ ବାହାରିବ ସେନେଇ ସମସ୍ତ ସହାୟତା ଯୋଗାଇ ଦିଆଯିବ ବୋଲି ଜିଲ୍ଲାପାଳ ଚଞ୍ଚଳ ରାଣା ପ୍ରତିଶ୍ରୁତି ଦେଇଛନ୍ତି ।

Bolangir Dist Administration Extended Help Hand For Shubham's Education

ସୁସ୍ଥ ହେବା ପରେ ବାପାଙ୍କ ସହିତ ଚାଲି ଚାଲି ଆସି ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କୁ ଦେଖା କରିଛନ୍ତି ଶୁଭମ । ବଡ଼ ହେଲେ ଜଣେ କ୍ରୀଡ଼ାବିତ୍ ହେବେ ବୋଲି ଶୁଭମ ଜିଲ୍ଲାପାଳଙ୍କୁ କହିଛନ୍ତି । ଦିବ୍ୟାଙ୍ଗଙ୍କ ପାଇଁ ଅନୁଷ୍ଠିତ ହେଉଥିବା କ୍ରୀଡ଼ାରେ ଶୁଭମକୁ ସାମିଲ୍ କରି ଉତ୍ସାହିତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ । ଶୁଭମ ଯେପରି ଭବିଷ୍ୟତରେ ଭଲ କ୍ରୀଡ଼ାବିତ ହେବ ସେନେଇ ରାଜ୍ୟ ସରକାରଙ୍କ ତରଫରୁ ସମସ୍ତ ପ୍ରକାର ସହଯୋଗ କରାଯିବ ବୋଲି ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଛନ୍ତି ।

Bolangir Dist Administration Extended Help Hand For Shubham's Education

ଏଥିସହିତ ଶୁଭମର ପାଠପଢ଼ା ଖର୍ଚ୍ଚ ଜିଲ୍ଲା ପ୍ରଶାସନ ବହନ କରିବ । ବଲାଙ୍ଗିର ଜିଲ୍ଲା ସଗାରପାଲି ଗାଁର ଶୁଭମ ଦୁର୍ଘଟଣାରେ ଗୋଡ଼ ହରାଇଥିଲେ । ଜିଲ୍ଲାପାଳଙ୍କ ଉଦ୍ୟମରେ କୃତ୍ରିମ ଗୋଡ଼ ଲଗାଇବା ପରେ ପୁଣି ଥରେ ଠିଆ ହୋଇ ଚାଲୁଛନ୍ତି ଶୁଭମ୍ । ଏନେଇ ନନ୍ଦିଘୋଷ ଟିଭିରେ ଖବର ପ୍ରସାରଣ ହୋଇଥିଲା ।

ଭାରତ-ଦକ୍ଷିଣ ଆଫ୍ରିକା ଟେଷ୍ଟ ସିରିଜ୍ ପୂର୍ବରୁ ଦକ୍ଷିଣ ଆଫ୍ରିକାକୁ ବଡ଼ ଝଟକା, ସିରିଜରୁ ବାହାରିଲେ ଏହି ଷ୍ଟାର ବୋଲର

ଜୋହାନର୍ସବର୍ଗ: ଆସନ୍ତା ଡିସେମ୍ବର ୨୬ରୁ ଆରମ୍ଭ ହେବାକୁ ଯାଉଛି ଭାରତ- ଦକ୍ଷିଣ ଆଫ୍ରିକା ଟେଷ୍ଟ ସିରିଜ୍ । ଏହି ତିନି ଟିକିଆ ଟେଷ୍ଟ ସିରିଜ ପୂର୍ବରୁ ଦକ୍ଷିଣ ଆଫ୍ରିକାକୁ ଲାଗିଛି ବଡ଼ ଝଟକା । ଦକ୍ଷିଣ ଆଫ୍ରିକା ଷ୍ଟାର ଦ୍ରୁତ ବୋଲର ଏନରିଚ୍ ନୋର୍କିଆ ଏହି ଟେଷ୍ଟ ସିରିଜରୁ ବାଦ ପଡ଼ିଛନ୍ତି । ଏହି ଟେଷ୍ଟ ସିରିଜ୍ ପାଇଁ ନୋର୍କିଆ ଦଳର ଚୟନ ପୂର୍ବରୁ ହିଁ ଆହତ ଥିଲେ । ତେବେ ଭାରତ ଦକ୍ଷିଣ ଆଫ୍ରିକା ଟେଷ୍ଟ ସିରିଜ୍ ପୂର୍ବରୁ ନୋର୍କିଆ ଫିଟ୍‌ ହୋଇପାରିନାହାନ୍ତି । ଯାହା ଫଳରେ ସେ ଏହି ଟେଷ୍ଟ ସିରିଜ ପୂର୍ବରୁ ଦକ୍ଷିଣ ଆଫ୍ରିକା ଦଳରୁ ବାହାର ଯାଇଛନ୍ତି ।

ଦକ୍ଷିଣ ଆଫ୍ରିକା ଦଳରେ ନୋର୍କିଆ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଉଥିଲେ । କଗିସୋ ରାବାଡାଙ୍କ ସହ ମିଶି ସେ ଦକ୍ଷିଣ ଆଫ୍ରିକା ଦଳକୁ ବହୁ ସଫଳତା ଦେଇଛନ୍ତି । କ୍ରିକେଟ ସାଉଥ ଆଫ୍ରିକା ଟ୍ୱିଟ କରି କହିଛି କି ଏନରିଚ୍ ନୋର୍କିଆ ତାଙ୍କ ପୂର୍ବ ଆଘାତ କାରଣରୁ ଟିମ୍ ଇଣ୍ଡିଆ ବିପକ୍ଷରେ ହେବାକୁ ଥିବା ତିନି ଟିକିଆ ଟେଷ୍ଟ ସିରିଜରୁ ବାଦ୍ ପଡ଼ିଛନ୍ତି ।

କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ଫଳରେ ନୋର୍କିଆଙ୍କ ସ୍ଥାନରେ ଆଉ କୌଣସି ଖେଳାଳିଙ୍କ ରିପ୍ଲେସମେଣ୍ଟ କରାଯାଇନାହିଁ । ଦକ୍ଷିଣ ଆଫ୍ରିକାରେ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ଦ୍ରୁତ ଗତରେ ସଂକ୍ରମଣ ହେଉଛି । ଯାହା ଫଳରେ ଉଭୟ ଦଳଙ୍କୁ କଡ଼ା ବାୟୋ ବବଲରେ ରଖାଯାଇଛି । ଚଳିତ ବର୍ଷ ନୋର୍କିଆ ୫ଟି ଟେଷ୍ଟ ମ୍ୟାଚ ଖେଳି ୨୫ ଓ୍ୱିକେଟ ଅକ୍ତିଆର କରିଥିଲେ । ଦକ୍ଷିଣ ଆଫ୍ରିକା ପାଇଁ ନୋର୍କିଆ ଏପର୍ଯ୍ୟନ୍ତ ୧୨ଟି ମ୍ୟାଚ ଖେଳି ୪୭ଟି ଓ୍ୱିକେଟ ହାସଲ କରିଛନ୍ତି ।

ବନ୍ଧାହେଲେ ଆନ୍ଧ୍ର ବ୍ୟାଙ୍କର ମହିଳା ଆସିଷ୍ଟାଣ୍ଟ ମ୍ୟାନେଜର

ଭୁବନେଶ୍ୱର: ଗ୍ରାହକଙ୍କ ବିଶ୍ୱାସ ଓ ଭରସାରେ ବିଷ । ଗିରଫ ହେଲେ ଆନ୍ଧ୍ର ବ୍ୟାଙ୍କର ମହିଳା ଆସିଷ୍ଟାଣ୍ଟ ମ୍ୟାନେଜର । ଭରତପୁର ଅଞ୍ଚଳରେ ଥିବା ଏକ ଆନ୍ଧ୍ର ବ୍ୟାଙ୍କର ସହକାରୀ ଶାଖା ପରିଚାଳକଙ୍କୁ ବାନ୍ଧିଛି କମିଶନରେଟ ପୋଲିସ । ଘରୋଇ ବ୍ୟାଙ୍କର ଆସିଷ୍ଟାଣ୍ଟ ମ୍ୟାନେଜର ମୀନା ନାଏକ ବ୍ୟାଙ୍କରେ ଗ୍ରାହକଙ୍କୁ ଠକୁଥିଲେ । ଅଭିଯୋଗ ଅନୁସାରେ, ଜଣେ ଅବସରପ୍ରାପ୍ତ ଶିକ୍ଷକ ଆନ୍ଧ୍ର ବ୍ୟାଙ୍କରେ ଅକ୍ଟୋବର ୧୬ ତାରିଖରେ ୧୦ ଲକ୍ଷ ଟଙ୍କା ଏକ ବର୍ଷ ପାଇଁ ଫିକ୍ସ ଡିପୋଜିଟ୍ (ସ୍ଥାୟୀ ଜମା) କରିଥିଲେ ।

Police Arrested Fraduters Bank Assistant Manager In Bhubanwsar

ସ୍ଥାୟୀ ଜମାର ଦିନକ ପରେ ଘରୋଇ ବ୍ୟାଙ୍କର ମହିଳା ଅଧିକାରୀ ଜଣଙ୍କୁ ଉକ୍ତ ଫିକ୍ସ ଡିପୋଜିଟରୁ ୭ ଲକ୍ଷ ଟଙ୍କା ଋଣ ଆକାରରେ ଉଠାଇ ନିଜ ସମ୍ପର୍କୀୟଙ୍କ ବିଭିନେ୍ନ ବ୍ୟାଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର କରିଥିଲେ । ଏନେଇ ଜମାକାରୀ ଅବସରପ୍ରାପ୍ତ ବ୍ୟାଙ୍କ ମ୍ୟାନେଜର ଅବଗତ ହେବା ପରେ କମିଶନରେଟ୍ ପୋଲିସରେ ଅଭିଯୋଗ କରିଥିଲେ । ପୋଲିସ ୪୨୦ ମହିଳା ବ୍ୟାଙ୍କ ଅଧିକାରୀ ମୀନା ନାଏକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

Police Arrested Fraduters Bank Assistant Manager In Bhubanwsar

ବ୍ୟାଙ୍କ ଅଡିଟରୁ ଜଣାପଡ଼ିଛି ସହକାରୀ ଶାଖା ପରିଚାଳକ ମୀନା ଏଭଳି ଭାବେ ଗ୍ରାହକଙ୍କ ଠାରୁ ୧ କୋଟିରୁ ଅଧିକ ଟଙ୍କା ଲୁଟିଛନ୍ତି । ମୀନା ପ୍ରାୟ ୧୧୬.୮୭ ଲକ୍ଷ ଟଙ୍କା ବିଭିନ୍ନ ଗ୍ରାହକଙ୍କ ଆକାଉଣ୍ଟରୁ ଲୁଟି ନେଇଛନ୍ତି । କର୍ତ୍ତୃପକ୍ଷ ମୀନାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଥିବା ବେଳେ ବ୍ୟାଙ୍କ ଅଡିଟରେ କାରନାମା ଧରାପଡ଼ିବା ପରେ ସେ କିଛି ଟଙ୍କା ଫେରାଇଛନ୍ତି । ଭରତପୁର ପୋଲିସ ଓ କମିଶନରେଟ ପୋଲିସର ଆଣ୍ଟି ଫ୍ରଡ୍ ସେଲ୍ ହାତରେ ଧରାପଡ଼ି ଜେଲ୍ ଯାଇଛନ୍ତି ମୀନା । ପୋଲିସ ଏବେ ବି ମାମଲାର ତଦନ୍ତ ଜାରି ରଖିଥିବା ବେଳେ ଠକେଇର ଶିକାର ଜମାକାରୀ ପୋଲିସରେ ଅଭିଯୋଗ କରିବାକୁ ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି ।

ଆଜି ରାତିରେ ବି ମଞ୍ଜ ଥରାଇବ ହାଡ଼ଭଙ୍ଗା ଜାଡ଼

ଭୁବନେଶ୍ୱର: ଅସହ୍ୟ ଶୀତରେ ଅସ୍ତବ୍ୟସ୍ତ ଓଡ଼ିଶା । ଖସୁଛି ପାରଦ, ବଢ଼ୁଛି ଶୀତ । ଆଜି ରାତିରେ ବି ମଞ୍ଜ ଥରାଇବ ହାଡ଼ଭଙ୍ଗା ଜାଡ଼ । ଏନେଇ ପାଣିପାଗ ବିଭାଗ ପକ୍ଷରୁ ୭ ଜିଲ୍ଲାକୁ ଦିଆଯାଇଛି ଅରେଞ୍ଜ ୱାର୍ଣ୍ଣିଂ । ପ୍ରବଳ ଶୀତ ନେଇ ସୁନ୍ଦରଗଡ଼, ଝାରସୁଗୁଡ଼ା, ମୟୂରଭଞ୍ଜ, କଳାହାଣ୍ଡି, ବଲାଙ୍ଗିର, ସୋନପୁର ଓ ବୌଦ୍ଧ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ରହିଛି । ସେହିଭଳି ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, କଟକ, ଗଞ୍ଜାମ, ନୟାଗଡ଼, ଯାଜପୁର, ଢେଙ୍କାନାଳ, କେନ୍ଦୁଝର, ଅନୁଗୁଳ, ଦେବଗଡ଼, ସମ୍ବଲପୁର, ବରଗଡ଼, ନୂଆପଡ଼ା, କନ୍ଧମାଳ ଓ ନବରଙ୍ଗପୁର ଜିଲ୍ଲାକୁ ପ୍ରବଳ ଶୀତ ନେଇ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି ।

ସେହିଭଳି ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ, କେନ୍ଦୁଝର, କନ୍ଧମାଳ, ଖୋର୍ଦ୍ଧା ଓ କଳାହାଣ୍ଡି ଜିଲ୍ଲାକୁ ଦିନ ବେଳା ଶୀତଲହରୀ ନେଇ ସତର୍କ କରାଇଛି ପାଣିପାଗ ବିଭାଗ । ଏସବୁ ଜିଲ୍ଲାର ଲୋକଙ୍କୁ ଘରେ ରହିବାକୁ ପରାମର୍ଶ ଦିଆଯାଇଛି । ୨୩ ତାରିଖରେ ପ୍ରବଳ ଶୀତ ନେଇ ଅନୁଗୁଳ, ସୋନପୁର, ବୌଦ୍ଧ, ବଲାଙ୍ଗିର, କଳାହାଣ୍ଡି, କନ୍ଧମାଳ, ନୂଆପଡ଼ା, ନବରଙ୍ଗପୁର, ମୟୂରଭଞ୍ଜ, କେନ୍ଦୁଝର, ଯାଜପୁର, ଢେଙ୍କାନାଳ, ବାଲେଶ୍ୱର, ଭଦ୍ରକ, ଗଞ୍ଜାମ, ନୟାଗଡ଼, କଟକ ଓ ଖୋର୍ଦ୍ଧାକୁ ୟେଲୋ ଆଲର୍ଟ ଦିଆଯାଇଛି ।

୨୪ ତାରିଖରେ କଳାହାଣ୍ଡି, ବଲାଙ୍ଗିର, ନୂଆପଡ଼ା, ନବରଙ୍ଗପୁର, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାକୁ ପ୍ରବଳ ଶୀତ ନେଇ ଦିଆଯାଇଛି ୟେଲୋ ଆଲର୍ଟ । ଆସନ୍ତା ୩ ଦିନ ଯାଏ ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ନାହିଁ । ତାପରେ ତାପମାତ୍ରା ଧିରେ ଧିରେ ୨ରୁ ୩ ଡିଗ୍ରୀ ଯାଏ ବଢ଼ିପାରେ । ଆଭ୍ୟନ୍ତରୀଣ ଓଡ଼ିଶାରେ ସର୍ବନିମ୍ନ ତାପମାତ୍ରା ଠାରୁ ପାରଦ ୫ରୁ ୬ ଡିଗ୍ରୀ ଖସିବ । ସେହିଭଳି ଉପକୂଳ ଓଡ଼ିଶାରେ ସର୍ବନିମ୍ନ ତାପମାତ୍ରା ଠାରୁ ପାରଦ ୪ରୁ ୫ ଡିଗ୍ରୀ ସେଲସିୟସ୍ ହ୍ରାସ୍ ପାଇପାରେ ।

ନୂଆ ଲେବର କୋଡ ଆଣିବେ କେନ୍ଦ୍ର ସରକାର, ସପ୍ତାହରେ ୪ ଦିନ କାମ ୩ ଦିନ ଛୁଟି

ନୂଆଦିଲ୍ଲୀ: ଆସନ୍ତା ନୂଆ ଆର୍ଥିକ ବର୍ଷରୁ ଆସିବ ନୂଆ ନିୟମ । ସପ୍ତାହରେ ୪ ଦିନ କାମ ଓ ୩ ଦିନ ଛୁଟି ନିୟମ ଲାଗୁ ହେବ । ଏହା ସହ ମଜୁରୀ, ସାମାଜିକ ନିରାପତ୍ତା, ଶିଳ୍ପ ସମ୍ପର୍କ ଓ ସ୍ୱାସ୍ଥ୍ୟ ସମ୍ପର୍କରେ ଚାରୋଟି ଲେବର କୋଡ ଆସିବ । ଏନେଇ ସମସ୍ତ ଯୋଜନା ଚୂଡାନ୍ତ  ହୋଇଛି । ନୂଆ ଲେବର କୋଡ ନେଇ ଖୁବ୍ ଶୀଘ୍ର ଗାଇଡଲାଇନ ଜାରି କରାଯିବ । ଏହି ନିଷ୍ପତ୍ତି ଯୋଗୁ ଦେଶରେ କର୍ମ ସଂସ୍କୃତିରେ ବ୍ୟାପକ ପରିବର୍ତ୍ତନ ଆସିବ । ଏହି ନିୟମ ନେଇ ନିଜ ନିଜର ଖସଡା ପ୍ରସ୍ତୁତ କରିବା ଲାଗି କେନ୍ଦ୍ର ସରକାର ରାଜ୍ୟଗୁଡିକୁ କହିଛନ୍ତି । କେନ୍ଦ୍ର ଶ୍ରମମନ୍ତ୍ରୀ ଭୂପେନ୍ଦ୍ର ଯାଦବ କହିଛନ୍ତି ବର୍ତ୍ତମାନ ସୁଦ୍ଧା ୧୩ଟି ରାଜ୍ୟ ନିଜ ନିଜର ଚିଠାନୀତି ପ୍ରସ୍ତୁତ କରିଛନ୍ତି ।

ନୂଆ ନିୟମ ଅନୁସାରେ କର୍ମଚାରୀମାନେ ଏହି ୪ ଦିନ ୧୨ ଘଣ୍ଟା ଲାଗି କାମ କରିବେ । ପ୍ରତିମାସରେ ଦାଖଲ ହେଉଥିବା କର୍ମଚାରୀଙ୍କ ଭବିଷ୍ୟନିଧି ପାଣ୍ଠିର ପରିମାଣ ବୃଦ୍ଧି ପାଇବ । ଏହା ଯୋଗୁ କର୍ମଚାରୀଙ୍କ ଦରମା ପରିମାଣ ହ୍ରାସ ପାଇବ । ବର୍ତ୍ତମାନର ନିୟମ ଅନୁସାରେ ଭବିଷ୍ୟନିଧି ପାଣ୍ଠି ପାଇଁ ଜଣେ ନିଯୁକ୍ତିଦାତାଙ୍କ ଅବଦାନ କର୍ମଚାରୀଙ୍କ ବେସିକ ଦରମା ଓ ମହଙ୍ଗାଭତ୍ତା ଉପରେ ନିର୍ଭର କରିଥାଏ । ଯଦି ଜଣେ କର୍ମଚାରୀ ମାସିକ ୫୦ ହଜାର ଟଙ୍କା ଦରମା ପାଆନ୍ତି ତେବେ ତାଙ୍କର ବେସିକ ଦରମା ହେବ ୨୫ ହଜାର ଟଙ୍କା । ଅବଶିଷ୍ଟ ୨୫ ହଜାର ଟଙ୍କା ଭତ୍ତା ଭାବେ ଗଣନା କରାଯାଇଥାଏ । ଯଦି ବେସିକ ପରିମାଣ ବୃଦ୍ଧି କରାଯାଏ ତେବେ ସେହି ଅନୁସାରେ ଅଧିକ ପିଏଫ ପରିମାଣ କର୍ମଚାରୀଙ୍କ ଦରମାରୁ ବିଯୁକ୍ତ କରାଯିବ । ଫଳରେ କର୍ମଚାରୀଙ୍କ ଟେକ୍ ହୋମ ଦରମା ପରିମାଣ ହ୍ରାସ ପାଇବ ।

କ୍ୟାବିନେଟ୍ ବୈଠକ ପରେ ସନ୍ଧ୍ୟା ୬ଟାରେ ରାଜ୍ୟବାସୀଙ୍କୁ ସମ୍ବୋଧନ କରିବେ ନବୀନ

ଭୁବନେଶ୍ୱର: କିଛି ସମୟ ପରେ ବସିବ ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ । ଭର୍ଚୁଆଲରେ ବସିବାକୁ ଥିବା ବୈଠକରେ ଅଧ୍ୟକ୍ଷତା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କ୍ୟାବିନେଟ୍ ବୈଠକ ପରେ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କ ସମ୍ବୋଧନ କରିବେ । ସନ୍ଧ୍ୟା ୬ଟାରେ ରାଜ୍ୟବାସୀଙ୍କୁ ସମ୍ବୋଧନ କରିବେ ମୁଖ୍ୟମନ୍ତ୍ରୀ । ତେବେ, ମୁଖ୍ୟମନ୍ତ୍ରୀ କଣ କହିବେ ତା’ଉପରେ ସମସ୍ତଙ୍କ ନଜର ରହିଛି ।

CM Naveen Patnaik Will Address People Of Odisha In Evening

ଆଗକୁ ପଞ୍ଚାୟତ ନିର୍ବାଚନ ଥିବାରୁ ରାଜ୍ୟ କ୍ୟାବିନେଟ୍ ବୈଠକରେ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇପାରେ । ଶିଳ୍ପ ସମ୍ପର୍କିତ କିଛି ପ୍ରସ୍ତାବକୁ ମୋହର ଦେଇପାରେ ରାଜ୍ୟ କ୍ୟାବିନେଟ୍ । ବିଦେଶ ସହ ଦେଶରେ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ମାମଲା ବଢ଼ୁଥିବା ବେଳେ ରାଜ୍ୟରେ ୨ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାକୁ ନେଇ ରାଜ୍ୟବାସୀଙ୍କୁ ସତର୍କ ସହ ପରାମର୍ଶ ଦେଇପାରନ୍ତି ମୁଖ୍ୟମନ୍ତ୍ରୀ ।

ଏସିଆନ ଚମ୍ପିଆନ୍ସ ଟ୍ରଫି ହକି, ଆଜି ସେମିରେ ଜାପାନକୁ ଭେଟିବ ଭାରତ

ଢ଼ାକା: ଚଳିତ ଏସିଆନ ଚମ୍ପିଆନ୍ସ ଟ୍ରଫି ହକିରେ ଆଜି ଖେଳାଯିବ ସେମିଫାଇନାଲ । ପ୍ରଥମ ସେମିଫାଇନାଲରେ ସାଉଥ କୋରିଆ ଓ ପାକିସ୍ତାନ ମୁହାଁମୁହିଁ ହେବେ । ସେହିପରି ଦ୍ୱିତୀୟ ସେମିଫାଇନାଲରେ ମୁହାଁମୁହିଁ ହେବେ ଭାରତ ଓ ଜାପାନ । ଚଳିତ ଏସିଆନ ଚମ୍ପିଆନ୍ସ ଟ୍ରଫି ହକିରେ ବିଜୟ ଧାରା ଜାରି ରଖିବା ପାଇଁ ଚେଷ୍ଟା କରିବ ଟିମ୍ ଇଣ୍ଡିଆ । ସେମିଫାଇନାଲରେ ବିଜୟ ଲାଭ କରି ଫାଇନାଲରେ ସ୍ଥାନ ପକ୍କା କରିବାକୁ ଚେଷ୍ଟା କରିବ ଟିମ୍ ଇଣ୍ଡିଆ ।

ଲିଗ୍ ପର୍ଯ୍ୟାୟରେ ଅପରାଜୟ ଧାରା ଜାରି ରଖିଥିଲା ଟିମ୍ ଇଣ୍ଡିଆ । ଲିଗ୍ ପର୍ଯ୍ୟାୟରେ ସମସ୍ତ ମ୍ୟାଚ ଜିତି ପଏଣ୍ଟ ଟେବୁଲରେ ପ୍ରଥମ ସ୍ଥାନରେ ରହିଥିଲା ଟିମ୍ ଇଣ୍ଡିଆ । ପ୍ରଥମ ସ୍ଥାନରେ ଲିଗ୍ ପର୍ଯ୍ୟାୟ ଶେଷ କରିବା ପରେ ସେମିଫାଇନାଲରେ ଜାପାନକୁ ଭେଟିବ ବ୍ଲୁ ବ୍ରିଗେଡ । ୧୯ ଡିସେମ୍ବରରେ ଭାରତ ଶେଷ ଲିଗ୍ ମ୍ୟାଚରେ ଜାପାନ ସହ ମୁହାଁମୁହିଁ ହୋଇଥିଲା । ଏହି ମ୍ୟାଚରେ ଭାରତ ଏକତରଫା ଭାବରେ ଜାପାନକୁ ପରାସ୍ତ କରିଥିଲା । ଲିଗ୍ ମ୍ୟାଚର ପ୍ରଦର୍ଶନ ସେମିଫାଇନାଲରେ ଦୋହରାଇବା ପାଇଁ ଲକ୍ଷ୍ୟ ରଖିଛି ଟିମ୍ ଇଣ୍ଡିଆ ।

 

ଓମିକ୍ରନ୍ ଆତଙ୍କ, ଭାରତରେ ୨୦୦ ପାର କଲା ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଭାରତରେ ଦିନକୁ ଦିନ ମାଡି ଚାଲିଛି କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ୍ । ଦେଶରେ ୨୦୦ ପାର କରିଛି ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା । ୧୩ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଆକ୍ରାନ୍ତଙ୍କ ସଂଖ୍ୟା ୨୦୨ରେ ପହଞ୍ଚିଛି । ସେମାନଙ୍କ ମଧ୍ୟରୁ ସୁସ୍ଥ ହୋଇଛନ୍ତି ୭୭ ସଂକ୍ରମିତ । ଏନେଇ ସୂଚନା ଦେଇଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁସାରେ ମହାରାଷ୍ଟ୍ରରେ ୫୪, ଦିଲ୍ଲୀରେ ୫୪, ତେଲଙ୍ଗାନାରେ ୨୦, କର୍ଣ୍ଣାଟକରେ ୧୯ ଜଣ ଓମିକ୍ରନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ରାଜସ୍ଥାନରେ ୧୮, କେରଳରେ ୧୫, ଗୁଜୁରାଟରେ ୧୪, ଉତ୍ତରପ୍ରଦେଶରେ ୨, ଓଡିଶାରେ ୨ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଆନ୍ଧ୍ରପ୍ରଦେଶ, ଚଣ୍ଡୀଗଡ, ତାମିଲନାଡୁ ଓ ପଶ୍ଚିମବଙ୍ଗରେ ଜଣେ ଲେଖାଏଁ ଓମିକ୍ରନ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେପଟେ ଦେଶରେ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୫ ହଜାର ୩୨୬ କୋଭିଡ ସଂକ୍ରମିତ । ଏହି ସଂଖ୍ୟା ଗତ ୫୮୧ ଦିନ ମଧ୍ୟରେ ସବୁଠାରୁ କମ୍ । ଏହାକୁ ମିଶାଇ ଦେଶରେ ମୋଟ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ୩ କୋଟି ୪୮ ଲକ୍ଷରେ ପହଞ୍ଚିଛି । ଏହା ସହ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୭୮ ହଜାର ପହଞ୍ଚିଛି ।

କୋଲକାତା ମ୍ୟୁନିସିପାଲିଟି ନିର୍ବାଚନରେ TMCର କ୍ଲିନ୍ ସୁଇପ୍

କୋଲକାତା: ପଶ୍ଚିମବଙ୍ଗରେ ନିଜର ଦବଦବା ଜାରି ରଖିଛି ତୃଣମୂଳ କଂଗ୍ରେସ । କୋଲକାତା ମ୍ୟୁନିସିପାଲିଟି ନିର୍ବାଚନରେ ପୁଣି କମାଲ କରିଛନ୍ତି ଦିଦି । କୋଲକାତା ମ୍ୟୁନିସିପାଲିଟି ନିର୍ବାଚନରେ କ୍ଲିନ ସୁଇପ୍ କରିଛି ଟିଏମସି । କୋଲକାତା ମ୍ୟୁନିସିପାଲିଟିରେ ନିର୍ବାଚନ ହୋଇଥିବା ୧୪୪ ସିଟ ମଧ୍ୟରୁ ୧୩୪ ସିଟରେ ଲିଡ୍ କରୁଛି ଦିଦିଙ୍କ ତୃଣମୂଳ କଂଗ୍ରେସ । ବିଜେପି ୩, କଂଗ୍ରେସ ୨ ଓ ବାମଦଳ ୪ଟି ସିଟରେ ଆଗରେ ରହିଛି । ୧୬ଟି କେନ୍ଦ୍ରରେ ଏହି ଭୋଟଗଣତି ଚାଲିଛି । ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହୋଇଛି ।

ଦିନ ୧୧ଟା ସୁଦ୍ଧା ଟିଏମସି ୭୪.୨ ପ୍ରତିଶତ ଭୋଟ ପାଇଥିବା ବେଳେ ବିଜେପିକୁ ୮ ପ୍ରତିଶତରୁ ବି କମ୍ ଭୋଟ ମିଳିଛି । ଭୋଟଗଣତି ସ୍ଥାନରେ ୧୪୪ ଧାରା ଲାଗୁ କରାଯାଇଛି । ସୁରକ୍ଷା ଦୃଷ୍ଟିରୁ ୩ ହଜାର ପୋଲିସ ମୁତୟନ ହୋଇଛନ୍ତି । ଅଧିକାଂଶ ସିଟରେ ଟିଏମସି ଲିଡ୍ କରିଥିବାରୁ ବିଭିନ୍ନ ସ୍ଥାନରେ ଆରମ୍ଭ ହୋଇ ଯାଇଛି ସେଲିବ୍ରେସନ । ଗତ ମ୍ୟୁନିସିପାଲିଟି ନିର୍ବାଚନ ଅପେକ୍ଷା ଚଳିତ ନିର୍ବାଚନରେ ଟିଏମସି ଅଧିକ ସିଟରେ ବିଜୟ ହାସଲ କରିବ ବୋଲି ଆଶା କରାଯାଉଛି । ୨୦୧୫ ନିର୍ବାଚନରେ ୧୪୪ ସିଟରୁ ୧୧୪ ଓ୍ୱାର୍ଡରେ ଟିଏମସି ଅକ୍ତିଆରକୁ ଆସିଥିଲା । ୧୫ ସିଟରେ ଜିତି ଦ୍ୱିତୀୟ ସ୍ଥାନରେ ରହିଥିଲା ସିପିଏମ୍ । ବିଜେପିକୁ ୭ ଓ କଂଗ୍ରେସ ୫ଟି ସିଟରେ ବହୁମତ ମିଳିଥିଲା ।