spot_img
Home Blog Page 4775

ରାଉରକେଲା ବନଖଣ୍ଡରେ ହେବ ବାଘ ଗଣନା

ରାଉରକେଲା: ରାଉରକେଲା ବନଖଣ୍ଡରେ ଗଣନା ହେବ ବାଘ ସଂଖ୍ୟା  । ଆସନ୍ତା ୨୫ ତାରିଖ ଠାରୁ ୩୦ ତାରିଖ ପର୍ଯ୍ୟନ୍ତ ବାଘ ଗଣନା ଅନୁଷ୍ଠିତ ହେବ। ଵାଘ ଗଣନାକୁ ସଫଳ କରିବା ପାଇଁ ଆଜି ରାଉରକେଲା ସହରର ଉଦିତନଗର ଆଇଟିଡିଏ ସମ୍ମିଳନୀ କକ୍ଷରେ ଵନ ବିଭାଗ କର୍ମଚାରୀ ଓ ଅଫିସରଙ୍କୁ ତାଲିମ ଦିଆଯାଇଛି। ରାଉରକେଲା ବନଖଣ୍ଡରରେ କାର୍ଯ୍ୟ କରୁଥିବା ଫରେଷ୍ଟ ଗାର୍ଡ, ଫରେଷ୍ଟର, ରେଞ୍ଜର ଓ ଏସିଏଫଙ୍କୁ ଆଜି ତାଲିମ ଦିଆଯାଇଛି।

ବାଘ ଗଣନାରେ ଚଳିତ ବର୍ଷ ନୂଆ ଟେକ୍ନୋଲୋଜି ବ୍ୟବହାର କରାଯିବ  ।  ମୋବାଇଲ ଆପ ଦ୍ୱାରା ବାଘ ଗଣନା କାର୍ଯ୍ୟ କରାଯିବ  । ଡ଼ିସେମ୍ବର ୨୫ ତାରିଖରୁ ଗଣନା କାର୍ଯ୍ୟ ଆରମ୍ଭ କରାଯିବ ବୋଲି  ରାଉରକେଲା ଡିଏଫଓ ଏନେଇ ସୂଚନା ପ୍ରଦାନ କରିଛନ୍ତି  । ବନ ବିଭାଗ ପକ୍ଷରୁ ବାଘ ଗଣନା ନେଇ ଏକ ପ୍ରସ୍ତୁତି ବୈଠକ ବସିଥିଲା  । ଯେଉଁଥିରେ ଏନେଇ ତାରିଖ ଧାର୍ଯ୍ୟ କରାଯାଇଛି  ।

ବିଶେଷକରି ଶୀତ ଋତୁରେ ଓଡ଼ିଶାରେ ବାଘ ଗଣନା କାର୍ଯ୍ୟ ଆରମ୍ଭ କରାଯାଏ  । ବାଘ ବଂଶ ବୃଦ୍ଧି କରିବା ନେଇ ରାଜ୍ୟ ସରକାର ଅନେକ ପଦକ୍ଷେପ ମାନ ଗ୍ରହଣ କରିଛନ୍ତି  । ଅଭୟାରଣ୍ୟ ନିକଟସ୍ଥ ଗ୍ରାମ ବା ଜଙ୍ଗଲବର୍ତ୍ତୀ ଅଞ୍ଚଳରେ ଅନେକ ସମୟରେ ବାଘ ସ୍ଥାନୀୟ ଲୋକ ଶିକାର କରିବା ଭଳି ଦୃଶ୍ୟ ଦେଖିବାକୁ ମିଳିଥାଏ  । ଅସନ୍ତୁଳିତ ଜଳବାୟୁ ଓ ଜଙ୍ଗଲକ୍ଷୟ ବର୍ତ୍ତମାନ ବିଶେଷଭାବେ ଏହି ଦୁର୍ଲଭ ଜୀବ ପାଇଁ ବିପଦ ସୃଷ୍ଟି କରିଛି  ।

ତେବେ ୨୦୨୦ ମସିହାର ଏକ ରିପୋର୍ଟ ମୁତାବକ ଦେଶରେ ୮ ବର୍ଷ ମଧ୍ୟରେ ପ୍ରାୟ ୭୫୦ ବାଘର ମୃତ୍ୟୁ ଘଟିଛି  । ଏଥିମଧ୍ୟରୁ ୩୬୯ଟି ବାଘଙ୍କର ସ୍ୱଭାବିକ କାରଣରୁ ମୃତ୍ୟୁ ଘଟିଛି  । ଏଥି ସହିତ ଶିକାର ଜନିତ କାରଣରୁ ଦେଶରେ  ୧୬୮ଟି ବାଘର ମୃତ୍ୟୁ ଘଟିଥିବା ରିପୋର୍ଟରେ ଉଲ୍ଲେଖ ରହିଛି  । ତେବେ ଏହାରି ଭିତରେ ୪୦ଟି ବାଘର ମୃତ୍ୟୁ ଜନିତ କାରମ ଜଣା ପଡ଼ିନାହିଁ  । ତେବେ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହେଉଛି ଶିକାର ଜନିତ ହତ୍ୟା  । ଏନେଇ ବନବିଭାଗ ସଜତ୍ନ ହେବା ବର୍ତ୍ତମାନ ସବୁଠୁ ବଡ଼ ଚ୍ୟାଲେଞ୍ଜ  ।

ପୁଷ୍ପା: ଦି ରାଇଜ୍, ଦୁଇ ଦିନରେ ରୋଜଗାର କଲା ୧୦୦ କୋଟି

ନୂଆଦିଲ୍ଲୀ: ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରି ପାଇଁ ୨୦୨୧ ଦମଦାର ରହିଛି । ସାଉଥ୍ ଫିଲ୍ମ କେବଳ ଭାରତୀୟ ଦର୍ଶକଙ୍କୁ ନୁହେଁ ବିଦେଶୀ ଦର୍ଶକ ମଧ୍ୟ ସାଉଥ ଫିଲ୍ମକୁ ପସନ୍ଦ କରିଛନ୍ତି । ବଡ଼ ବଜେଟର ଫିଲ୍ମ RRR ରିଲିଜ ହେବା ପୂର୍ବରୁ ଏକ ସାଉଥ ଫିଲ୍ମ ବକ୍ସ ଅଫିସରେ ଧମାଲ କରିଛି । ଏହି ଫିଲ୍ମର ନାମ ହେଉଛି ପୁଷ୍ପା: ଦ ରାଇଜ୍ । ଯାହାର ଅଭିନେତା ହେଉଛନ୍ତି ଅଲ୍ଲୁ ଅର୍ଜୁନ । ଅଲ୍ଲୁ ଅର୍ଜୁନ ଷ୍ଟାରର ଏହି ଫିଲ୍ମ ବକ୍ସ ଅଫିସରେ ଦୁଇ ଦିନରେ ୧୦୦ କୋଟିରୁ ଅଧିକ ରୋଜଗାର କରିଛି ।

ଟ୍ରେଡ ଆନାଲିଷ୍ଟ ରମେଶ ବାଲାଙ୍କ ଅନୁସାରେ ପୁଷ୍ପା ରିଲିଜ ହେବାର ଦୁଇ ଦିନ ମଧ୍ୟରେ ବିଶ୍ୱରେ ୧୦୦ କୋଟିରୁ ଅଧିକ ଟଙ୍କା ରୋଜଗାର କରିଛି । ଏହି ସାଉଥ ଇଣ୍ଡିଆନ ଫିଲ୍ମ ଡିସେମ୍ବର ୧୭ ଶୁକ୍ରବାର ରିଲିଜ୍ ହୋଇଥିଲା । ଏହି ଫିଲ୍ମ USA ବକ୍ସ ଅଫିସରେ ୧.୩୦ ମିଲିୟନ ଡଲାର ରୋଜଗାର କରିଛି । ଅର୍ଥାତ ଦୁଇ ଦିନରେ ଆମେରିକାରେ ୧୦ କୋଟି ଟଙ୍କା ରୋଜଗାର କରିଛି ।

ପୁଷ୍ପା ହିନ୍ଦୀ ବକ୍ସ ଅଫିସରେ କେତେ ଟଙ୍କା ରୋଜଗାର କରିଛି ତାହାର ସୂଚନା ଦେଇଛନ୍ତି ତରଣ ଆଦର୍ଶ । ତାଙ୍କ ଅନୁସାରେ ପୁଷ୍ପା ପ୍ରଥମ ଦିନରେ ହିନ୍ଦୀ ବକ୍ସ ଅଫିସରେ ୩ କୋଟି ଏବଂ ଦ୍ୱିତୀୟ ଦିନରେ ୪ କୋଟି ଟଙ୍କା ରୋଜଗାର କରିଛି । ତରଣ ଆଦର୍ଶଙ୍କ ଅନୁସାରେ ଏହି ଫିଲ୍ମ ଦୁଇ ଦିନରେ ହିନ୍ଦୀ ବକ୍ସ ଅଫିସରେ ୭ କୋଟି ଟଙ୍କା ରୋଜଗାର କରିଛି । ଏହି ଫିଲ୍ମ ଅଷ୍ଟ୍ରେଲିଆ ସମେତ ଅନ୍ୟ ଦେଶରେ ମଧ୍ୟ ଭଲ ରୋଜଗାର କରିଛି ।

ଫୋନ୍ କରି ସହଯୋଗର ଆଶ୍ୱାସନା ଦେଲେ ପ୍ରଧାନମନ୍ତ୍ରୀ: ଭାବବିହ୍ୱଳ ହେଲେ ପୂର୍ବତନ ସେନା ଅଧିକାରୀ

0

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଲୋକଙ୍କ ସହ ସମ୍ପର୍କ ଯୋଡ଼ି ଆସେ । ଯାହାକୁ ବିରୋଧୀ ମଧ୍ୟ ସ୍ୱୀକାର କରନ୍ତି । ଯାହାର ଏକ ଉଦାହରଣ ନିକଟ ଅତୀତରେ ଦେଖିବାକୁ ମିଳିଛି । ୨୦୧୬ ମସିହାରେ ସର୍ଜିକାଲ ଷ୍ଟ୍ରାଇକ ଟିମ୍‌ର କମାଣ୍ଡର ଥିବା ଲେଫ୍ଟନାଣ୍ଟ ଜେନେରାଲ୍ (ଅବସରପ୍ରାପ୍ତ) ଦୀପେନ୍ଦ୍ର ସିଂହ ହୁଡ୍ଡାଙ୍କ ଭଉଣୀ ସୁଷମାଙ୍କୁ କର୍କଟ ହୋଇଛି । ସୁଷମା ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି କର୍କଟ ରୋଗର ଚିକିତ୍ସା ନେଇ ଏକ ନୂଆ ଔଷଧକୁ ଭାରତରେ ମଞ୍ଜୁରୀ ଦେବାକୁ ଦାବି କରିଥିଲେ । ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ହୁଡ୍ଡାଙ୍କୁ ଫୋନ୍ ଆସିଥିଲା ଏବଂ ସେମାନଙ୍କୁ ପକ୍ଷରୁ ସହଯୋଗର ଆଶ୍ୱାସନା ଦିଆଯାଇଥିଲା । ପ୍ରଧାନମନ୍ତ୍ରୀଙ୍କ ପକ୍ଷରୁ ବ୍ୟକ୍ତିଗତ ଭାବେ ଯୋଗଯୋଗ କରାଯାଇଥିବାରୁ ଧନ୍ୟବାଦ ଜଣାଇଛନ୍ତି ସେନାର ଏହି ପୂର୍ବତନ ଅଧିକାରୀ । ଏବଂ ସୋସିଆଲ ମିଡିଆରେ ପ୍ରଧାନମନ୍ତ୍ରୀଙ୍କ ଏହି ମାନବିକତାର ଭୂରି ଭୂରି ପ୍ରଶଂସା କରିଛନ୍ତି ।

ସୁଷମା ହୁଡ୍ଡା ପିଏମ୍‌ଓକୁ ପଠାଇଥିବା ଇ-ମେଲ୍‌ରେ ଜରିଆରେ ଜଣାଇଛନ୍ତି ଯେ, ସେ ଟର୍ମିନଲ କ୍ୟାନସରରେ ପୀଡ଼ିତ ଏବଂ  ଆର୍ମି ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ତାଙ୍କର ଚିକିତ୍ସା ନେଇ ଏକ ନୂଆ ଔଷଧର ଆବଶ୍ୟକତା ରହିଛି । ଆମେରିକା ଗତ ଅପ୍ରେଲ ୨୦୨୧ରେ କ୍ୟାନସରର ଏହି ନୂଆ ଔଷଧ Sacituzumab Govitecanକୁ ମଞ୍ଜୁରୀ ଦେଇସାରିଛି । ୟୁରୋପିଆନ ଏଜେନ୍ସି ଠାରୁ ମଧ୍ୟ ଏ ସଂକ୍ରାନ୍ତରେ ମଞ୍ଜୁରୀ ମିଳିସାରିଛି । ସୁଷମା ୧୮ ଡିସେମ୍ୱରରେ ଟ୍ୱିଟ୍ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଏ ସମ୍ପର୍କରେ ଅବଗତ କରିଛନ୍ତି ।

ଶନିବାର ସନ୍ଧ୍ୟାରେ ଲେଫ୍ଟନାଣ୍ଟ ଜେନେରାଲ୍ ହୁଡ୍ଡା ଟ୍ୱିଟ୍ କରି ଜଣାଇଲେ ଯେ, ତାଙ୍କ ନିକଟକୁ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟରୁ ଫୋନ୍ ଆସିଥିଲା । ଟ୍ୱିଟ୍ କରାଯିବାର କିଛି ସମୟ ପରେ ହିଁ ତାଙ୍କ ନିକଟକୁ ପିଏମ୍‌ଓରୁ ଫୋନ୍ ଆସିଥିଲା । ପ୍ରଧାନମନ୍ତ୍ରୀ ତାଙ୍କ ଭଉଣୀଙ୍କ ମାମଲାରେ ଚିନ୍ତା ପ୍ରକଟ କରିଛନ୍ତି । ହୁଡ୍ଡା କହିଛନ୍ତି ଯେ, ପ୍ରଧାନମନ୍ତ୍ରୀଙ୍କ ଠାରୁ କଲ୍ ଆସିଥିବାରୁ ସେ ଗର୍ବ ଅନୁଭବ କରୁଛନ୍ତି ।

ଏଥିସହିତ ପଢ଼ନ୍ତୁ: ବ୍ରିଟେନରେ ଗୋଟିଏ ଦିନରେ ୧୦ ହଜାର ଓମିକ୍ରନ ସଂକ୍ରମିତ ଚିହ୍ନଟ: ଫେରିପାରେ ଲକଡାଉନ୍

ଓଡ଼ିଶା ମୋ ପରିବାର ପକ୍ଷରୁ ମାଗଣା ଚକ୍ଷୁ ଚିକିତ୍ସା

ଭୁବନେଶ୍ୱର: ଓଡ଼ିଶା ମୋ ପରିବାରର ନୂଆ ପ୍ରୟାସ । ପୂର୍ବରୁ ଜୀବନବିନ୍ଦୁ କାର୍ଯ୍ୟକ୍ରମ, ଦିବ୍ୟାଙ୍ଗଙ୍କ ପାଇଁ କୃତ୍ରିମ ଅଙ୍ଗ, ପ୍ରବାସରେ ରହୁଥିବା ବିପନ୍ନ ଓଡ଼ିଆଙ୍କୁ ସହାୟତା ତଥା ଅଚିହ୍ନା ମୃତଦେହର ସତ୍କାର ବ୍ୟବସ୍ଥା ଆଦି ସମାଜସେବା କରି ଆସୁଛି ଓଡ଼ିଶା ମୋ ପରିବାର । ଆଜିଠାରୁ ଏହି ସଂଗଠନ ଏକ ନୂଆ ଉଦ୍ୟମ ଆରମ୍ଭ କରିଛି । ଅର୍ଥ ଅଭାବରୁ ଚକ୍ଷୁ ଚିକିତ୍ସା କରିପାରୁ ନଥିବା ରୋଗୀଙ୍କ ପାଇଁ ମାଗଣା ଚକ୍ଷୁ ଚିକିତ୍ସା ବ୍ୟବସ୍ଥା କରିଛି ଓଡ଼ିଶା ମୋ ପରିବାର ।

Odisha Mo Parivar Organised Eye Checkup Camp

ଭୁବନେଶ୍ୱର ରେଣ୍ଟାଲ କଲୋନୀ ସରକାରୀ ସ୍କୁଲ ପରିସରରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି ।  ଯେଉଁଥିରେ ୨୦୦ରୁ ଅଧିକ ଲୋକଙ୍କର ଚକ୍ଷୁ ପରୀକ୍ଷା ସହ ମାଗଣା ଚିକିତ୍ସା ବ୍ୟବସ୍ଥା ହୋଇଛି । ପ୍ରଥମେ ଭୁବନେଶ୍ୱରରେ ଆରମ୍ଭ ହୋଇଛି ଏହି କାର୍ଯ୍ୟକ୍ରମ । ପରବର୍ତ୍ତୀ ସମୟରେ ସାରା ରାଜ୍ୟରେ କରାଯିବ ବୋଲି ଓଡ଼ିଶା ମୋ ପରିବାରର ଆବାହକ କହିଛନ୍ତି । ଏହି ଅବସରରେ ଭୁବନେଶ୍ୱର-ଉତ୍ତର ବିଧାୟକ ସୁଶାନ୍ତ ରାଉତ ଉପସ୍ଥିତ ଥିଲେ ।

ଏସିଆନ ଚମ୍ପିଆନ୍ସ ଟ୍ରଫି ହକି; ଶେଷ ଲିଗ୍ ମ୍ୟାଚରେ ଜାପାନକୁ ଭେଟିବ ଭାରତ

ଢ଼ାକା: ବାଂଲାଦେଶର ଢ଼ାକାରେ ଜାରି ରହିଛି ଏସିଆନ ଚମ୍ପିଆନ୍ସ ଟ୍ରଫି ହକି । ଏହି ଟୁର୍ଣ୍ଣାମେଣ୍ଟରେ ଟିମ୍ ଇଣ୍ଡିଆ ରବିବାର ତା’ର ଶେଷ ଲିଗ୍ ମ୍ୟାଚ ଖେଳିବାକୁ ଯାଉଛି । ଶେଷ ଲିଗ ମ୍ୟାଚରେ ଜାପାନକୁ ଭେଟିବ ଭାରତ । ଜାପାନ ବିପକ୍ଷ ମ୍ୟାଚରେ ବିଜୟ ଲାଭ କରି ଚଳିତ ଏସିଆନ ଚମ୍ପିଆନ୍ସ ଟ୍ରଫି ହକିରେ ବିଜୟର ହ୍ୟାଟ୍ରିକ କରିବା ଲକ୍ଷ୍ୟରେ ଟର୍ଫକୁ ଓହ୍ଲାଇବ ବ୍ଲୁ ବ୍ରିଗେଡ ।

ଏହି ଟୁର୍ଣ୍ଣାମେଣ୍ଟ ଆରମ୍ଭରୁ ଧିମା ଆରମ୍ଭ କରିଥିଲା ଟିମ୍ ଇଣ୍ଡିଆ । ପ୍ରଥମ ମ୍ୟାଚରେ କୋରିଆ ସହ ୨-୨ରେ ମ୍ୟାଚ ଡ୍ର’ ରଖିଥିଲା ଭାରତ । କିନ୍ତୁ ଏହା ପରେ ଫର୍ମକୁ ଫେରିଥିଲା ବ୍ଲୁ ବ୍ରିଗେଡ। ଦ୍ୱିତୀୟ ମ୍ୟାଚରେ ଆୟୋଜକ ବାଂଲାଦେଶକୁ ୯-୦ରେ ହରାଇ ହାସଲ କରିଥିଲା ବଡ଼ ବିଜୟ । ଦ୍ୱିତୀୟ ମ୍ୟାଚ ବିଜୟ ପରେ ତୃତୀୟ ମ୍ୟାଚରେ ଭାରତ ଭେଟିଥିଲା ପାରମ୍ପାରିକ ପ୍ରତିଦ୍ୱନ୍ଦୀ ପାକିସ୍ତାନକୁ । ଏହି ମ୍ୟାଚରେ ଭାରତ ୩-୧ରେ ପାକିସ୍ତାନକୁ ପରାଜିତ କରିଥିଲା । ପାକିସ୍ତାନ ବିପକ୍ଷରେ ବିଜୟ ସହ ଏହି ଟୁର୍ଣ୍ଣାମେଣ୍ଟର ସେମିଫାଇନାଲରେ ନିଜର ସ୍ଥାନ ପକ୍କା କରିଥିଲା ଟିମ୍ ଇଣ୍ଡିଆ ।

ଏସିଆନ ଚମ୍ପିଆନ୍ସ ଟ୍ରଫି ହକିରେ ଭାରତ ତିନୋଟି ମ୍ୟାଚ ଖେଳି ଦୁଇଟିରେ ବିଜୟ ଓ ଗୋଟିଏ ମ୍ୟାଚରେ ଡ୍ର’ ସହ ପଏଣ୍ଟ ଟେବୁଲରେ ପ୍ରଥମ ସ୍ଥାନରେ ରହିଛି । ପଏଣ୍ଟ ଟେବୁଲର ଦ୍ୱିତୀୟ ସ୍ଥାନରେ ରହିଛି କୋରିଆ, ତୃତୀୟ ସ୍ଥାନରେ ରହିଛି ଜାପାନ ଓ ଚତୁର୍ଥ ସ୍ଥାନରେ ରହିଛି ପାକିସ୍ତାନ । ଆଜି ଶେଷ ଲିଗରେ ମ୍ୟାଚରେ ମଧ୍ୟ ବିଜୟ ହାସଲ କରି ପଏଣ୍ଟ ଟେବୁଲରେ ଶୀର୍ଷ ସ୍ଥାନରେ ରହିବାକୁ ଚେଷ୍ଟା କରିବ ଟିମ୍ ଇଣ୍ଡିଆ ।

ଜାଲ୍ ସାର୍ଟିଫିକେଟ୍ ଦେଇ ଚାକିରି, ନକଲି ଶିକ୍ଷକଙ୍କୁ ଧରିବାକୁ ଜାରି ହେଲା SOP

ଭୁବନେଶ୍ୱର: ନକଲି ଶିକ୍ଷକଙ୍କୁ ତ୍ରାହି ନାହିଁ । ରାଜ୍ୟର ବିଭିନ୍ନ ଜିଲ୍ଲାରେ ମିଥ୍ୟା ଶିକ୍ଷାଗତ ପ୍ରମାଣପତ୍ର ଦେଇ ଚାକିରି କରିଥିବା ଶିକ୍ଷକ ଧରାପଡ଼ିବେ ଆଉ କାର୍ଯ୍ୟାନୁଷ୍ଠାନ ନିଆଯିବ । ଏନେଇ ଓଡ଼ିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁ ସମସ୍ତ ଜିଲ୍ଲା ଶିକ୍ଷାଅଧିକାରୀଙ୍କ ସହ ବିଇଓଙ୍କୁ ଚିଠି ଲେଖିଛନ୍ତି ।

ଜାଲ୍ ଶିକ୍ଷାଗତ ପ୍ରମାଣପତ୍ର ଦେଇ ଚାକିରି କରିଥିବା ଶିକ୍ଷକଙ୍କ ବିରୋଧରେ ପ୍ରମାଣ ମିଳିବାମାତ୍ରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ । ଏଫଆଇଆର୍ ଦିଆଯିବା ସହ ଚାକିରିରୁ ନିବୃତ୍ତ ନେଇ ବିଭାଗୀୟ ପଦକ୍ଷେପ ନେବେ ବ୍ଲକ ଶିକ୍ଷା ଅଧିକାରୀ । ତତସହିତ ନିଯୁକ୍ତି ବେଳେ ନକଲି ସାର୍ଟିଫିକେଟକୁ ପ୍ରଶୟ ଦେଇ କାର୍ଯ୍ୟରେ ଅବହେଳା କରିଥିବା ଅଧିକାରୀଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ହେବ ।

 SOP For Handling Fake Certificate Duplicate Teacher

ଶିକ୍ଷା ନିର୍ଦ୍ଦେଶକ, ଜିଲ୍ଲା ଶିକ୍ଷା ଅଧିକାରୀ ଓ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଯେ କୌଣସି ବ୍ୟକ୍ତି କିମ୍ବା କର୍ତ୍ତୃପକ୍ଷ ନକଲି ଶିକ୍ଷକଙ୍କ ବାବଦରେ ଅଭିଯୋଗ କରିପାରିବେ । ଅଭିଯୋଗ ପାଇବା ପରେ ଶିକ୍ଷା ନିର୍ଦ୍ଦେଶକ, ଜିଲ୍ଲା ଶିକ୍ଷା ଅଧିକାରୀ ଓ ବ୍ଲକ ଶିକ୍ଷା ଅଧିକାରୀ ତଦନ୍ତ ନିର୍ଦ୍ଦେଶ ଦେବେ । ଏଥିସହ ଅଭିଯୋଗ ଆସିଥିବା ଶିକ୍ଷକ ଯେଉଁ ବିଶ୍ୱବିଦ୍ୟାଳୟ କିମ୍ବା ବୋର୍ଡ ସାର୍ଟିଫିକେଟ୍ ନିଯୁକ୍ତି ବେଳେ ଦେଇଥିଲେ ଉକ୍ତ କର୍ତ୍ତୃପକ୍ଷଙ୍କୁ ଭେରିଫିକେସନ୍ ପାଇଁ ଲେଖାଯିବ । ଏଥିପାଇଁ ସମଗ୍ର ଶିକ୍ଷାରୁ ଟଙ୍କା ଖର୍ଚ୍ଚ ହେବ ।

ଆବଶ୍ୟକ ସ୍ଥଳେ କିଛି ଅଧିକାରୀଙ୍କୁ ଏଥିପାଇଁ ଦାୟିତ୍ୱ ଦିଆଯିବ । ଯାଞ୍ଚ ବେଳେ ସାର୍ଟିପିକେଟ୍ ଜାଲ୍ ଜଣାପଡ଼ିଲେ ଉକ୍ତ ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ଥାନାରେ ଅପରାଧିକ ମାମଲା ମଧ୍ୟ ନକଲି ଶିକ୍ଷକଙ୍କ ବିରୋଧରେ ରୁଜୁ କରାଯିବ ।

ବ୍ରିଟେନରେ ଗୋଟିଏ ଦିନରେ ୧୦ ହଜାର ଓମିକ୍ରନ ସଂକ୍ରମିତ ଚିହ୍ନଟ: ଫେରିପାରେ ଲକଡାଉନ୍

ଲଣ୍ଡନ: କରୋନା ଭାଇରସ୍‌ର ନୂଆ ଭ୍ୟାରିଆଣ୍ଟ ଓମିକ୍ରନକୁ ଗୁତୁତର ସହ ନନେବା ବଡ଼ ଭୁଲ ହୋଇପାରେ ।  ଖବର ଲେଖା ହେବା ବେଳକୁ ଭାରତରେ ଓମିକ୍ରମ ମାମଲା ମାତ୍ର ୧୪୩ ରହିଛି । କିନ୍ତୁ ମୋଟ ସଂକ୍ରମିତଙ୍କ ସଂଖ୍ୟା ଅପେକ୍ଷା ଦ୍ରୁତଗତିରେ ବଢ଼ିବା ଆଶଙ୍କାକୁ ଉପରେ ଧ୍ୟାନ ଦେବାକୁ ପଡ଼ିବ । ଭାରତରେ ଓମିକ୍ରନ ପ୍ରାରମ୍ଭିକ ସ୍ଥିତିରେ ରହିଥିବା ବେଳେ, ଆମ ଆଗରେ ବ୍ରିଟେନ ଭଳି ଦେଶର ଉଦାହରଣ ରହିଛି । ବିଶ୍ୱରେ ସର୍ବପ୍ରଥମେ ଟିକାକରଣ ଆରମ୍ଭ କରିଥିବା ତଥା କରୋନା କଟକଣାକୁ ସର୍ବପ୍ରଥମେ ଉଚ୍ଛଦେ କରିଥିବା ବ୍ରିଟେନ୍ ପୁଣି ପୂର୍ବସ୍ଥିତିକୁ ଫେରିପାରେ ।

ପ୍ରଥମ ପ୍ରବାହ ସମୟରେ ଇଟାଲୀରେ ସର୍ବାଧିକ ସଂକ୍ରମଣ ମାମଲା ସାମ୍ନାକୁ ଆସିଥିଲା ।  ତେବେ ବ୍ରିଟେନରେ ହସ୍ପିଟାଲରେ ଭର୍ତ୍ତି ହେବା ଓ ମୃତ୍ୟୁବରଣ କରିବା ଭଳି ମାମଲା କମ୍ ଥିଲା । ଶନିବାର ଏଠାରେ ଓମିକ୍ରନ ମାମଲାକୁ ମିଶାଇ ଦୈନିକ କରୋନା ସଂକ୍ରମଣ ୯୦ହଜାର ୪୧୮ ରେ ପହଞ୍ଚିଛି । ଏଯାବତ୍  ମୋଟ ୨୫ ହଜାର ଓମିକ୍ରନ ମାମଲା ସାମ୍ନାକୁ ଆସିଥିବା ବେଳେ ୭ଜଣଙ୍କ ମୃତ୍ୟୁ ହୋଇସାରିଛି । ଶନିବାର ସ୍ୱାସ୍ଥ୍ୟଅଧିକାରୀଙ୍କ କହିବା ହେଲା ଯେ, ଗତ ୨୪ ଘଣ୍ଟା ମଧ୍ୟରେ ଓମିକ୍ରନର ୧୦ ହଜାର ମାମଲା ସାମ୍ନାକୁ ଆସିଛି ।

ଓମିକ୍ରନକୁ ହାଲୁକା ଭାବେ ନେବା ଅନୁଚିତ । ଏହା ସାଧାରଣ ଥଣ୍ଡା ରୋଗ ନୁହେଁ । ଓମ୍ରିକନ୍ ଯୋଗୁଁ ଲୋକେ ଅସୁସ୍ଥ ହେବା ସହ ହସ୍ପିଟାଲରେ ଭର୍ତ୍ତି ହେଲା ଭଳି ପରିସ୍ଥିତି ଉପୁଜିପାରେ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞ ବୁସ୍ ବାଇ ଲି ଫୋବର୍ସ ପତ୍ରିକାରେ ପ୍ରକାଶିତ ଏକ ରିପୋର୍ଟରେ ଉଲ୍ଲେଖ କରିଛନ୍ତି । ଏଣୁ ଖୀଷ୍ଟମାସ୍ ଏବଂ ନୂଆବର୍ଷ ଭଳି ପର୍ବରେ ଲକ୍‌ଡାଉନ୍ ଲାଗୁ କରିବାକୁ ପରାମର୍ଶ ଦେଇଛନ୍ତି ବୁସ୍ ବାଇ ଲି ।

ଫିଲିପାଇନ୍ସରେ ରାୟର ତାଣ୍ଡବ, ୮୦ରୁ ଅଧିକ ମୃତ

ମନିଲା: ଫିଲିପାଇନ୍ସରେ ସାଇକ୍ଲୋନ ରାୟ’ର ତାଣ୍ଡବ । ବାତ୍ୟା ରାୟ ଆସିବା ଫଳରେ ଫିଲିପାଇନ୍ସରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଏହି ବାତ୍ୟା ଫଳରେ ୮୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବାବେଳେ ଅନେକ ଆହତ ହୋଇଛନ୍ତି । ସେହିଭଳି ଅନେକ ଲୋକ ଏବେବି ନିଖୋଜ ଥିବାବେଳେ ସେମାନଙ୍କ ପତ୍ତା ମିଳିପାରୁନି । ହଜାର ହଜାର ଲୋକ ବେଘର ହୋଇଯାଇଛନ୍ତି । ବାତ୍ୟା ରାୟର ପ୍ରକୋପ ଏତେ ଥିଲା ଯେ ଅନେକ ଘରର ଛପର ଉଡି ଯାଇଥିବାବେଳେ ଶହ ଶହ ବିଦ୍ୟୁତ ଖୁଣ୍ଟ ଉପୁଡି ପଡିଥିଲା । ଯାହାଫଳରେ ଅନେକ ଅଞ୍ଚଳରେ ବିଦ୍ୟୁତ ସେବା ପ୍ରଭାବିତ ହୋଇଛି ।

 

ବାତ୍ୟା ରାୟ ଆସିବା ପୂର୍ବରୁ ତିନି ଲକ୍ଷରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି । ସ୍କୁଲ, କଲେଜ ବନ୍ଦ ରହିଥିବାବେଳେ ବ୍ୟାଙ୍କ ସେବା ମଧ୍ୟ ବାତ୍ୟା ଦ୍ୱାରା ପ୍ରଭାବିତ ହୋଇଛି । ଏଭଳି କି ଅନେକ ସ୍ଥାନରେ ହସ୍ପିଟାଲ ମଧ୍ୟ ବନ୍ଦ କରାଯାଇଛି । ଉଦ୍ଧାର କାର୍ଯ୍ୟରେ ପ୍ରଶାସନ ସହ ପୋଲିସ ଓ ଉଦ୍ଧାରକାରୀ ଦଳ ନିୟୋଜିତ ହୋଇଛନ୍ତି । ଏହି ବାତ୍ୟାରେ ୭ ଲକ୍ଷ ୮୦ ହଜାରରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି ।  ଘଣ୍ଟା ପ୍ରତି ପ୍ରାୟ ୨୭୦ କିଲୋମିଟର ପବନ ବୋହିବା ସହ ପ୍ରବଳ ବର୍ଷା ମଧ୍ୟ ହୋଇଥିଲା । ଫିଲିପାଇନ୍ସର ଦକ୍ଷିଣ-ପୂର୍ବ ଅଞ୍ଚଳରେ ଲ୍ୟାଣ୍ଡଫଲ୍ କରିଥିଲା ବାତ୍ୟା ରାୟ । ଲୋକଙ୍କ ପାଖରେ କିଭଳି ଜରୁରୀକାଳୀନ ସେବା ପହଞ୍ଚି ପାରିବ ତାହା ଉପରେ ସରକାର ଧ୍ୟାନ ଦେଇଛନ୍ତି  ।

ରାଜ୍ୟର ୪ ଜିଲ୍ଲାରେ ଆରମ୍ଭ ହେବ ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟସେବା

ଭୁବନେଶ୍ୱର: ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଆଉ ଏକ ଇତିହାସ ଲେଖିବ ଓଡ଼ିଶା । ରାଜ୍ୟର ସାଢ଼େ ୩ କୋଟି ଲୋକଙ୍କୁ ବିଏସକେୱାଇ ସ୍ମାର୍ଟ ହେଲ୍‌ଥ କାର୍ଡରେ ମାଗଣା ସ୍ୱାସ୍ଥ୍ୟସେବା ପରେ ନବୀନ ସରକାରଙ୍କ ଆଉ ଏକ ଯୁଗାନ୍ତକାରୀ ନିଷ୍ପତ୍ତି । ଆସନ୍ତାକାଲି ଠାରୁ ରାଜ୍ୟରେ ଆରମ୍ଭ ହେବ ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟସେବା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଏହି ସେବାର ଶୁଭାରମ୍ଭ କରିବେ ।

 CM Naveen Patnaik To Launch Mukhyamanti Bayu Swasthya Seva
FILE PIC

ଉତ୍ତମ ସ୍ୱାସ୍ଥ୍ୟସେବା ପାଇଁ ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟସେବା ଆରମ୍ଭ ହେବ । ପ୍ରଥମ ପର୍ଯ୍ୟାୟରେ ୪ଟି ଜିଲ୍ଲାର ରୋଗୀ ଏହି ବାୟୁ ସ୍ୱାସ୍ଥ୍ୟସେବା ପାଇବେ । ମାଲକାନଗିରି, ନବରଙ୍ଗଗପୁର, କଳାହାଣ୍ଡି, ନୂଆପଡ଼ା ଜିଲ୍ଲାର ରୋଗୀଙ୍କ ପାଖରେ ହେଲିକପ୍ଟରରେ ପହଞ୍ଚିବେ ଡାକ୍ତରୀ ଟିମ୍ । ଆବଶ୍ୟକସ୍ଥଳେ ରୋଗୀଙ୍କୁ ଏୟାରଲିଫ୍ଟ ମଧ୍ୟ କରାଯାଇପାରେ । ପରବର୍ତ୍ତୀ ସମୟରେ ଅନ୍ୟ ଜିଲ୍ଲାରେ ମଧ୍ୟ ଏହି ସୁବିଧା ଉପଲବ୍ଧ ହେବ ।

ଭୌଗଳିକ ଭାବେ ଉପାନ୍ତ ଅଞ୍ଚଳରେ ଯୋଗାଯୋଗ ସୁବିଧା ନଥିବାରୁ ଏହା ବେଶ୍ ସହାୟକ ହେବ । ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟସେବା ଦ୍ୱାରା ଉପାନ୍ତ ଅଞ୍ଚଳର ଲୋକେ ସହଜରେ ଚିକିତ୍ସା ସେବା ପାଇ ପାରିବେ । ସମୟ ବଞ୍ଚିବା ସହ ଯାତାୟାତ ଯନ୍ତ୍ରଣାରୁ ରୋଗୀଙ୍କୁ ମିଳିବ ମୁକ୍ତି ।

ରାଜସ୍ଥାନରେ ଖସିଲା ପାରଦ, ମରୁଭୂମିରେ ପଡ଼ିଲା ବରଫ

ଜୟପୁର: ଉତ୍ତର ଭାରତରେ ଜାରି ରହିଛି ହାଡ ଭଙ୍ଗା ଶୀତ । ହାଡ ଭଙ୍ଗା ଶୀତ ଫଳରେ ମରୁଭୂମିରେ ବରଫ ପଡ଼ିଛି । ରାଜସ୍ଥାନର ଅଧିକାଂଶ ଅଞ୍ଚଳରେ ଭୟଙ୍କର ଶୀତ ପ୍ରବାହ ଜାରି ରହିଛି । ରାଜସ୍ଥାନର କିଛି ଅଞ୍ଚଳରେ ତାପମାତ୍ରା ବିଯୁକ୍ତ ୩ ରେକର୍ଡ କରାଯାଇଛି । ଯାହା ଫଳରେ ରାଜସ୍ଥାନର ମରୁଭୂମିରେ ପଡ଼ିଛି ବରଫର ଚାଦର ।

ଭାରତୀୟ ପାଣିପାଗ ବିଭାଗ ଅନୁସାରେ ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ଶୀତର ପ୍ରକୋପ ବଢ଼ିବା ବୋଲି କହୁଯାଇଛି । ଉତ୍ତରାଖଣ୍ଡ, ଜାମ୍ମୁ କାଶ୍ମୀର ଓ ହିମାଚଳ ପ୍ରଦେଶର ବହୁ ଅଞ୍ଚଳରେ ତୁଷାରପାତ ହେଉଥିବାର ନଜର ଆସିଛି । କାଶ୍ମୀରରେ ଯେପରି ବରଫପାତ ହୁଏ ସେହିପରି ଭାବରେ ରାଜସ୍ଥାନର ଫତେହପୁର, ଶେଖାବଟୀରେ ବରଫ ପଡ଼ିଥିବାର ଦେଖିବାକୁ ମିଳିଛି । ରାଜସ୍ଥାନର ଚାଷଜମିଠାରୁ ଆରମ୍ଭ କରି ଗଛ ପର୍ଯ୍ୟନ୍ତ ସବୁଠାରେ ବରଫ ପଡ଼ିଥିବାର ଦେଖିବାକୁ ମିଳିଛି । ରାଜସ୍ଥାନର ଫତେହପୁରରେ ୧୦ ବର୍ଷରେ ପ୍ରଥମ ଥର ପାଇଁ ରାତିର ତାପମାତ୍ରା ବିଯୁକ୍ତ ୫.୨ ଡିଗ୍ରୀ ରେକର୍ଡ କରାଯାଇଛି ।

ପାଣିପାଗ ବିଶେଷଜ୍ଞଙ୍କ କହିବା ଅନୁସାରେ ରାଜସ୍ଥାନର ଶେଖାବଟୀରେ ଗରମ ଦିନରେ ଅଧିକ ଗରମ ଏବଂ ଶୀତ ଦିନରେ ଅଧିକ ଶୀତ ଅନୁଭବ ହୁଏ । ଅନ୍ୟପଟେ ଉତ୍ତର ଦିଗରୁ ଆସୁଥିବା କୋହଲା ପବନ ଯୋଗୁଁ ରାଜସ୍ଥାନର ଅନେକ ଅଞ୍ଚଳରେ ଶୀତ ବଢ଼ିଛି। ଡିସେମ୍ବର ୧୮ରେ ରାଜସ୍ଥାନର ଚୁରୁ, ପଶ୍ଚିମ ରାଜସ୍ଥାନରେ ସର୍ବନିମ୍ନ ତାପମାତ୍ରା -୧.୧ ରେକର୍ଡ କରାଯାଇଛି। ଯେଉଁଠି ଗ୍ରୀଷ୍ଣରେ ତାପମାତ୍ରା ୫୦ଡିଗ୍ରୀ ଟପିଯାଏ । ଚୁରୁ, ମାଉଣ୍ଟଆବୁ, ଜୈସଲମର୍ ଭଳି ରାଜସ୍ଥାନର ୧୨ ଜିଲ୍ଲାରେ ତାପମାତ୍ରା ମାଇନସ୍ ୧ ଡିଗ୍ରୀ ତଳକୁ ଖସି ଯାଇଛି। ପାଣିପାଗ ବିଭାଗ ଅନୁଯାୟୀ, ଏଠାରେ ରାତିର ତାପମାତ୍ରା ଆହୁରି ୧ ଡିଗ୍ରୀ ତଳକୁ ଖସି ଆସୁଛି।