spot_img
Home Blog Page 4782

ବଲାଙ୍ଗୀରରେ ବିଭତ୍ସ, ଘରେ ପସି ଯୁବକକୁ ହତ୍ୟା

ବଲାଙ୍ଗୀର: ଗାନ୍ଧିନଗରପଡାରେ ଚାଞ୍ଚଲ୍ୟ । ଘରେ ପସି ଯୁବକଙ୍କୁ ହତ୍ୟା କଲେ ଦୁର୍ବୃତ୍ତ । ସୂଚନା ମୁତାବକ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଏହି ହତ୍ୟାକାଣ୍ଡ ଘଟାଇଛନ୍ତି ଦୁର୍ବୃତ୍ତ  ।  ଘର ଭିତରେ ପସି ହତ୍ୟା କରିବା ପରେ ଫେରାର ହୋଇଯାଇଛନ୍ତି  । ସେପଟେ ହତ୍ୟାର ଶିକାର ହୋଇଛନ୍ତି ଗାନ୍ଧିନଗରପଡାର ଅରବିନ୍ଦ କୁମାର ସିଂ ।

ଘରେ କେହି ନଥିବା ବେଳେ ଦୁଇ ଜଣ ଦୃର୍ବୃତ୍ତ ଘରେ ପସି ହତ୍ୟା କରିଥିଲେ , ପରେ କେହି ଦେଖିନବେ ଆଗରୁ ଫେରାର ହୋଇଯାଇଥିବା ସୂଚନା ମିଳିଛି । ମୃତ ଦେହକୁ ଦେଖିଲେ ସ୍ପଷ୍ଟ ଯେ, ଏକ ଧାରୁଆ ଅସ୍ତ୍ରରେ ଅତି ନିର୍ମମ ଭାବରେ ହତ୍ୟା କରାଯାଇଛି । ରକ୍ତ ଜୁଡୁବୁଡୁ ଅବସ୍ଥାରେ ଘର ଭିତରେ ପଡି ରହିଛି ମୃତ ଦେହ । ମୃତ ଯୁବକଙ୍କ ବୟସ ୩୭ ବର୍ଷ ହୋଇଥିବାବେଳେ ଘଟଣା ସମ୍ପର୍କରେ ଖବର ପାଇ ଟାଉନ ଥାନା ପୋଲିସ ତଦନ୍ତ ଆରମ୍ଭ କରିଛି  ।

ବିମାନରେ ଶୋଇପଡ଼ିଥିଲେ ଉଠିବା ପରେ ଏମିତି ଘଟିଲା…

0

ଆବୁଧାବି : ବିମାନରେ ଶୋଇପଡ଼ିବାରୁ ଇଣ୍ଡିଗୋ କର୍ମଚାରୀଙ୍କ ସହ ଏମିତି ଘଟଣା ଘଟିଥିଲା ଯାହା ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହେବେ । ଇଣ୍ଡିଗୋ ଏୟାରଲାଇନ୍ସ ମୁମ୍ବାଇରୁ ଆବୁଧାବି ଆସୁଥିବାବେଳେ ଜାହାଜର ଜଣେ ବ୍ୟାଗ୍ ହ୍ୟାଣ୍ଡେଲର ଜାହାଜର କାର୍ଗୋ କମ୍ପାର୍ଟମେଣ୍ଟରେ ଶୋଇପଡ଼ିଥିଲେ ଏବଂ ସିଧା ପହଞ୍ଚିଥିଲେ ଆବୁଧାବିରେ ।

ଏହି ବିମାନ ଚଳାଚଳ ଦାୟିତ୍ୱରେ ଥିବା ଡିଜିସିଏଙ୍କ କହିବାନୁସାରେ ରବିବାର ଲୋକଙ୍କ ଜିନିଷପତ୍ର ଜାହାଜରୁ ବାହାର କରିବା ପରେ ବ୍ୟାଗ୍ ହ୍ୟାଣ୍ଡେଲର ଜଣକ ଅତ୍ୟଧିକ କ୍ଳାନ୍ତ ହୋଇ ସେଠାରେ ଥିବା ଜିନିଷ ପଛପଟେ ହିଁ ଶୋଇପଡ଼ିଥିଲେ । ଜିନିଷ ଲୋଡ୍ ହେବା ପରେ ବିମାନର  ଦ୍ୱାର ବନ୍ଦ ହୋଇଯାଇଥିଲା ଏବଂ ବିମାନଟି ମୁମ୍ୱାଇରୁ ଆବୁଧାବି ନିମନ୍ତେ ବାହାରିଥିଲା । ଏହା ଭିତରେ କର୍ମଚାରୀଙ୍କ ନିଦ ଭାଙ୍ଗିଯାଇଥିଲେ ମଧ୍ୟ ଜାହାଜଟି ଉଡ଼ାଣ ଅବସ୍ଥାରେ ଥିବାରୁ ଓହ୍ଲାଇବା ପାଇଁ ତାଙ୍କ ପାଖରେ କୈାଣସି ଉପାୟ ନଥିଲା ।

ସାଧାରଣତଃ ଜାହାଜରେ ଲୋକଙ୍କ ଜିନିଷ ରଖାଯାଉଥିବା ସ୍ଥାନଟି ଭୀଷଣ ଥଣ୍ଡା ଏବଂ ଏଠାରେ ଅଧିକ ସମୟ ତିଷ୍ଠିବା ଜଣେ ମଣିଷପକ୍ଷେ କଷ୍ଟକର ହୋଇପଡ଼େ । ମାତ୍ର କର୍ମଚାରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ପରେ ବର୍ତ୍ତମାନ ସେ ସୁସ୍ଥ ଥିବା ଡିଜିସିଏ ସୂଚନା ଦେଇଛନ୍ତି । ଡିଜିସିଏଙ୍କ ଅନୁସାରେ ଆବୁଧାବି ଏୟାରପୋର୍ଟର ସହଯୋଗରେ ସଂପୃକ୍ତ  କର୍ମଚାରୀଙ୍କୁ ସେହି ବିମାନରେ ମୁମ୍ବାଇ ଅଣାଯାଇଥିଲା । ବର୍ତ୍ତମାନ କମ୍ପାନୀ କର୍ମଚାରୀ ଜଣଙ୍କୁ ଚାକିରିରୁ ନିଲମ୍ବିତ କରିଥିବା ବେଳେ ପୋଲିସ ମାମଲାର ଯାଞ୍ଚ ଆରମ୍ଭ କରିଛି ।

ଏକାସଙ୍ଗେ ନିଯୁକ୍ତି ପାଇଲେ ୩୦ ଇଲେକ୍ଟ୍ରିକାଲ ଇଞ୍ଜିନିୟର

ଭୁବନେଶ୍ୱର: ବିଦ୍ୟୁତ କ୍ଷେତ୍ରରେ ବିକାଶ ପାଇଁ ରାଜ୍ୟ ସରକାରଙ୍କ ଆଉ ଏକ ବଡ଼ ପଦକ୍ଷେପ । ୩୦ ଜଣ ଇଲେକ୍ଟ୍ରିକାଲ ଇଞ୍ଜିନିୟରଙ୍କୁ ନିଯୁକ୍ତି ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନବନିଯୁକ୍ତି ଇଞ୍ଜିନିୟରଙ୍କୁ ଏକ ଓରିଏନଟେସନ କାର୍ଯ୍ୟକ୍ରମ ଜରିଆରେ ସ୍ବାଗତ କରିଥିଲେ ମୁଖ୍ୟମନ୍ତ୍ରୀ । ସେମାନଙ୍କୁ ଲୋକସେବା ଭବନରେ ନିଯୁକ୍ତି ପତ୍ର ମିଳିଛି । ୩୦ ଜଣଙ୍କ ନିଯୁକ୍ତି ପରେ ବିଦ୍ୟୁତ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ସଂଖ୍ୟା ୧୧୬ରେ ପହଞ୍ଚିଛି ।

ନବ ନିଯୁକ୍ତ ଇଂଞ୍ଜିନିୟର ମାନେ ଗ୍ରାମ୍ୟ ଉନ୍ନୟନ ପୂର୍ତ୍ତ ଓ ଶକ୍ତି ବିଭାଗରେ କାମ କରିବେ । ଓଡ଼ିଶା ବିଦ୍ୟୁତ ଉତ୍ପାଦନର ବଳକା ରାଜ୍ୟ ବୋଲି ମୁଖ୍ୟମନ୍ତ୍ରୀ କହିବା ସହ ସାମଗ୍ରୀକ ବିକାଶରେ ଶକ୍ତି ବିଭାଗର ଭୂମିକା ଗୁରୁତ୍ବପୂର୍ଣ୍ଣ । ସେଥିପାଇଁ ଏହାକୁ ପ୍ରାଥମିକତା ଦିଆଯାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଶକ୍ତି ସଂରକ୍ଷଣ କ୍ଷେତ୍ରରେ ମଧ୍ୟ ରାଜ୍ୟ ଭଲ କାମ କରୁଛି । ଆମ ଘରେ ଏଲଇଡି ଯୋଜନାରେ ପ୍ରାୟ ୪ କୋଟି ଏଲଇଡି ବଲ୍ ବିତରଣ ହେଲାଣି ।

ପ୍ରଶାସନରେ ପାଇଭ ଟି ମନ୍ତ୍ର ଆପଣେଇବାକୁ ଏବଂ ମୋ ସରକାର ମାଧ୍ୟମରେ ଲୋକଙ୍କୁ ସମ୍ମାନର ସହ ସେବା ଯୋଗାଇବାକୁ ନବ ନିଯୁକ୍ତ ଇଞ୍ଜିନିୟରଙ୍କୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଫାଇଭ ଟି ସଚିବ ଭିକେ ପାଣ୍ଡିଆନ୍ ।

ବର୍ଷକରେ ୨ ଲକ୍ଷ ୭୦ହଜାର କୋଟି ଟଙ୍କାର ପୁଞ୍ଜିନିବେଶ

ଭୁବନେଶ୍ୱର: ଓଡିଶାରେ ବିଶ୍ବସ୍ତରୀୟ ଇସ୍ପାତ କାରଖାନା ପ୍ରତିଷ୍ଠା ଲାଗି ଗ୍ରୀନ ସିଗନାଲ । ପ୍ରକଳ୍ପ ଲାଗି ୧ ଲକ୍ଷ କୋଟିରୁ ଅଧିକ ଟଙ୍କା ନିବେଶ କରିବ ଆର୍ସେଲର ମିତ୍ତଲ ନିପ୍ପନ ଷ୍ଟିଲ । କେନ୍ଦ୍ରାପଡାରେ ଏହି ଇସ୍ପାତ କାରଖାନା ପ୍ରତିଷ୍ଠା କରାଯିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ଉଚ୍ଚସ୍ତରୀୟ ମଞ୍ଜୁର କର୍ତ୍ତୃପକ୍ଷ ବୈଠକରେ ଏହି ପ୍ରସ୍ତାବକୁ ମଞ୍ଜୁରୀ ଦିଆଯାଇଛି । ନିଷ୍ପତ୍ତି ଅନୁସାରେ କେନ୍ଦ୍ରାପଡାର ମହାକାଳପଡାରେ ବାର୍ଷିକ ୨୪ ନିୟୁତ ଟନ କ୍ଷମତାସମ୍ପନ୍ନ ସମନ୍ବିତ ଇସ୍ପାତ କାରଖାନା ପ୍ରତିଷ୍ଠା କରିବ ଆର୍ସେଲର ।

ଏଥିରେ ୧ ଲକ୍ଷ ୨ ହଜାର ୨୭୫ କୋଟି ଟଙ୍କା ନିବେଶ କରାଯିବ । ଏହି ପ୍ରକଳ୍ପ ଯୋଗୁ ପ୍ରତ୍ୟକ୍ଷ ଭାବେ ୧୬ ହଜାରରୁ ଅଧିକ କର୍ମନିଯୁକ୍ତି ହେବା ସହ ଅନେକ ପରୋକ୍ଷ ନିଯୁକ୍ତି ସୃଷ୍ଟି ହେବ । ପ୍ରକଳ୍ପରୁ ଅତ୍ୟାଧୁନିକ ଗ୍ରୀନ ଷ୍ଟିଲ ଟେକନୋଲୋଜିରେ ବିଭିନ୍ନ ଗ୍ରେଡର ୨୪ ନିୟୁତ ଟନ ଷ୍ଟିଲ ଉତ୍ପାଦିତ ହେବ । ଏହା ସହ ଅନ୍ୟାନ୍ୟ ଉଚ୍ଚମୂଲ୍ୟଯୁକ୍ତ ଇସ୍ପାତ ବି ଉତ୍ପାଦିତ ହୋଇପାରିବ । ଉକ୍ତ ପ୍ରକଳ୍ପରୁ ମଧ୍ୟ ଅନ୍ୟ ଏକ କାରଖାନାରୁ ୧୮ ଲକ୍ଷ ୭୫ ହଜାର ନିୟୁତ ଟନ ସିମେଣ୍ଟ ଉତ୍ପାଦିତ ହେବ । ଏହା ହେବ ଦେଶର ସର୍ବବୃହତ ସିମେଣ୍ଟ କାରଖାନା ।

ଏହି ପ୍ରକଳ୍ପ ପର୍ଯ୍ୟାୟକ୍ରମେ ୭ ବର୍ଷରେ ଶେଷ ହେବ । ପ୍ରକଳ୍ପ ଦ୍ବାରା ସାମଗ୍ରିକ ଭାବେ କେନ୍ଦ୍ରାପଡା ଜିଲ୍ଲାର ଭିତ୍ତିଭୂମି ବିକାଶ ହୋଇପାରିବେ । ଏହି ବୃହତ ପୁଞ୍ଜିନିବେଶ ଦ୍ବାରା ଓଡିଶାରେ ଗତ ବର୍ଷକ ଭିତରେ ୨ ଲକ୍ଷ ୭୦ହଜାର କୋଟି ଟଙ୍କାର ପୁଞ୍ଜିନିବେଶ ହୋଇଛି । ପ୍ରାୟ ୧ ଲକ୍ଷ ୬ ହଜାର ଲୋକଙ୍କ ଲାଗି ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି । ଏହାଦ୍ବାରା ଓଡିଶା ଦେଶର ସର୍ବବୃହତ ଇସ୍ପାତ ଉତ୍ପାଦନକାରୀ ରାଜ୍ୟର ମାନ୍ୟତା ଲାଭ କରିଛି । ୨୦୩୦ ସୁଦ୍ଧା ୧୦୦ ନିୟୁତ ଟନ ଇସ୍ପାତ ଉତ୍ପାଦନ ଲକ୍ଷ୍ୟ ହାସଲ ହେବ ।

ବିଜେପି ସହ ମେଣ୍ଟ କଲେ ଅମିରନ୍ଦର

ଚଣ୍ଡିଗଡ: ଆସନ୍ତା ବର୍ଷ ହେବାକୁ ଯାଉଛି ପଞ୍ଜାବରେ ବିଧାନସଭା ନିର୍ବାଚନ । ନିର୍ବାଚନ ପୂର୍ବରୁ ପଞ୍ଜାବରେ ରାଜନୈତିକ ମାହୋଲ ସରଗରମ ହୋଇସାରିଛି । ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ଅମିରନ୍ଦର ସିଂ କଂଗ୍ରେସରୁ ଇସ୍ତଫା ଦେଇ ଏକ ନୂଆ ଦଳ ଗଢ଼ିଥିଲେ । ପଞ୍ଜାବ ଲୋକ କଂଗ୍ରେସ ନାମରେ ଏକ ନୂଆ ଦଳ ଗଢ଼ିଥିଲେ ଅମିରନ୍ଦର । ତେବେ ଆସନ୍ତା ବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନରେ ଅମିରନ୍ଦରଙ୍କ ନୂଆ ଦଳ ପଞ୍ଜାବ ଲୋକ କଂଗ୍ରେସ ଭାରତୀୟ ଜନତା ପାର୍ଟି ସହ ମେଣ୍ଟ କରିବ ବୋଲି ଆଜି ଘୋଷଣା କରିଛନ୍ତି । ଶୁକ୍ରବାର କେନ୍ଦ୍ର ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାଓ୍ୱତଙ୍କ ସହ ଆଲୋଚନା ପରେ ଏହି ଘୋଷଣା କରିଛନ୍ତି ଅମିରନ୍ଦର । ପଞ୍ଜାବ ବିଧାନସଭା ନିର୍ବାଚନରେ ବିଜେପି, ପଞ୍ଜାବ ଲୋକ କଂଗ୍ରେସ ଏବଂ ଆଉ ଏକ ଦଳ ମିଶି ମେଣ୍ଟ କରିଛନ୍ତି ।

 

ଅମିରନ୍ଦର ସିଂ କହିଛନ୍ତି କି ଆମ ଦୁଇ ଦଳ ମଧ୍ୟରେ କିଛି ଦିନ ହେବ ଆଲୋଚନା ଜାରି ରହିଥିଲା । ପଞ୍ଜାବ ବିଧାନସଭା ନିର୍ବାଚନରେ ଆମେ ଭାରତୀୟ ଜନତା ପାର୍ଟିର ପ୍ରାର୍ଥିଙ୍କୁ ସମର୍ଥନ କରିବୁ ଏବଂ ବିଜେପି ଆମ ଦଳର ଆଶାୟୀଙ୍କୁ ମଧ୍ୟ ସମର୍ଥନ କରିବ ବୋଲି କହିଛନ୍ତି ଅମିରନ୍ଦର । କିନ୍ତୁ ବିଜେପି ଓ ପଞ୍ଜାବ ଲୋକ କଂଗ୍ରେସ ମଧ୍ୟରେ ଆସନ ବୁଝାମଣା ନେଇ କିଛି ସୂଚନା ଦେଇନାହାନ୍ତି ଅମିରନ୍ଦର । ବହୁତ ଶୀଘ୍ର ଆସନ ବୁଝାମଣା ହେବ ବୋଲି କହିଛନ୍ତି ଅମିରନ୍ଦର ସିଂ ।

 

ଆସନ୍ତା ବର୍ଷ ପଞ୍ଜାବରେ ହେବାକୁ ଥିବା ନିର୍ବାଚନ ପାଇଁ ଅମିରନ୍ଦର ସିଂ ନିଜ ଦଳର ଶକ୍ତି ବଢ଼ାଇବା ପାଇଁ ଚେଷ୍ଟା ଜାରି ରଖିଛନ୍ତି । ସେହି ନେତାମାନଙ୍କ ଉପରେ ଅମିରନ୍ଦରଙ୍କ ନଜର ରହିବ ଯେଉଁମାନଙ୍କୁ କଂଗ୍ରେସ ଚଳିତ ନିର୍ବାଚନରେ ଟିକେଟ ଦେବନାହିଁ । ସୂଚନା ଅନୁସାରେ ଏହି ମେଣ୍ଟରେ ସିନିଅର ପାର୍ଟନର ଭାବରେ ରହିବ ବିଜେପି । ପଞ୍ଜାବର ମୋଟ ଆସନରୁ ୬୦ରୁ ୭୦ ପ୍ରତିଶତ ଆସନରେ ପ୍ରାର୍ଥି ଦେଇପାରେ ବିଜେପି । ସେହପରି ୩୦ରୁ ୪୦ ପ୍ରତିଶତ ଆସନରେ ଅମିରନ୍ଦର ସିଂଙ୍କ ଦଳ ପ୍ରାର୍ଥି ଦେଇପାରେ ବୋଲି ଆଶା କରାଯାଉଛି ।

ଓମିକ୍ରନ୍ ଆତଙ୍କ: ଶହେ ଛୁଇଁଲା ସଂକ୍ରମିତ ସଂଖ୍ୟା

ନୂଆଦିଲ୍ଲୀ: ଭାରତରେ ଦିନକୁ ଦିନ ହୁ ହୁ ହୋଇ ମାଡି ଚାଲିଛି ଓମିକ୍ରନ୍ । କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ୍ ସାରା ଭାରତରେ ତା’ର କାୟା ବିସ୍ତାର କରିବାରେ ଲାଗିଛି । ଗୋଟିଏ ରାଜ୍ୟରୁ ଆଉ ଏକ ରାଜ୍ୟକୁ ବ୍ୟାପୁଛି କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ୍ । ଶୁକ୍ରବାର ଭାରତରେ ଶହେ ପାର କରିଛି ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା । ଏନେଇ ସ୍ୱାସ୍ଥ୍ୟ ବିଭାଗର ଯୁଗ୍ମ ସଚିବ ଲବ୍ ଅଗ୍ରଓ୍ୱାଲ ସୂଚନା ଦେଇଛନ୍ତି । ଦେଶର ୧୧ଟି ରାଜ୍ୟରୁ ଏପର୍ଯ୍ୟନ୍ତ ୧୦୧ ଜଣ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ବୋଲି କହିଛନ୍ତି ଲବ୍ ଅଗ୍ରଓ୍ୱାଲ । ଦେଶର ମହାରାଷ୍ଟ୍ରରୁ ସର୍ବାଧିକ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ନଭେମ୍ବର ୨୪ରେ ଦକ୍ଷିଣ ଆଫ୍ରିକାରେ ଚିହ୍ନଟ ହୋଇଥିଲା ପ୍ରଥମ ଓମିକ୍ରନ୍ ମାମଲା । ଏହା ପରେ ଗୋଟିଏ ପରେ ଗୋଟିଏ ଦେଶକୁ ମାଡି ଚାଲିଛି ଓମିକ୍ରନ୍ । ଏପର୍ଯ୍ୟନ୍ତ ବିଶ୍ୱର ୯୧ଟି ଦେଶରେ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇସାରିଲାଣି ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି । ଏହା ବ୍ୟତୀତ ପୂର୍ବରୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିସାରିଛି କି କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ୍ ଡେଲାଟା ଭାରିଆଣ୍ଟଠାରୁ ଦ୍ରୁତ ଗତିରେ ମାଡି ଚାଲିଛି । ଓମିକ୍ରନ ଭାରିଆଣ୍ଟ ପାଇଁ ଗୋଷ୍ଠୀ ସଂକ୍ରମଣ ହୋଇପାରେ ବୋଲି ଚେତାଇ ଦେଇଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ।

ଭାରତରେ ମଧ୍ୟ ଓମିକ୍ରନ୍ ତା’ର ଭୟବହତା ଦେଖାଇବା ଆରମ୍ଭ କରିସାରିଛି । ଶୁକ୍ରବାର ଭାରତରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୧୦୧କୁ ବୃଦ୍ଧି ପାଇଛି । ସେଥି ମଧ୍ୟରୁ ମହାରାଷ୍ଟ୍ରରେ ସର୍ବାଧିକ ୩୨ ଜଣ ଓମିକ୍ରନ୍‌ ଆକ୍ରାନ୍ତ ଥିବାବେଳେ, ଦିଲ୍ଲୀରୁ ୨୨, ରାଜସ୍ଥାନରୁ ୧୭, କର୍ଣ୍ଣାଟକରୁ ୮, ତେଲେଙ୍ଗାନାରୁ ୮, ଗୁଜରାଟରୁ ଏବଂ କେରଳରୁ ୫, ତାମିଲନାଡୁ, ପଶ୍ଚିମବଙ୍ଗ ଏବଂ ଆନ୍ଧ୍ରପ୍ରଦେଶ ଓ ଚଣ୍ଡିଗଡରୁ ଜଣେ ଲେଖାଏଁ ଓମିକ୍ରନ୍‌ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ତୃତୀୟ ପ୍ରବାହ ନେଇ ସଜାଗ ସରକାର, ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର: କରୋନାର ତୃତୀୟ ଲହରର ମୁକାବିଲା ପାଇଁ ପ୍ରସ୍ତୁତ ରାଜ୍ୟ ସରକାର । ସମସ୍ତ କୋଭିଡ ହସ୍ପିଟାଲକୁ ପ୍ରସ୍ତୁତ ରହିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ସରକାରଙ୍କ ସହଭାଗୀତାରେ ଚାଲିଥିବା ଘରୋଇ କୋଭିଡ ହସ୍ପିଟାଲ ଗୁଡିକ ମଧ୍ୟ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ସରକାର ।

ରାଜ୍ୟ ସରକାର କହିଛନ୍ତି କୋଭିଡ ବଢିଲେ ତୁରନ୍ତ ହସ୍ପିଟାଲ କାର୍ଯ୍ଯକ୍ଷମ କରିବାକୁ ପରାମର୍ଶ ରହିଛି । ହସ୍ପିଟାଲରେ ଅକ୍ସିଜେନ, ମେଡିସିନ ମହଜୁଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି ଡିଏମଇଟି ରମାରମଣ ମହାନ୍ତି  । କୋଭିଡ ମୁକାବିଲାରେ ଓଡ଼ିଶାର ପ୍ରୟାସ ବିଶ୍ୱରେ ପ୍ରଂଶାସ ଯୋଗ୍ୟ ହୋଇଛି  । ଆଗୁଆ ପଦକ୍ଷେପ, ମହାମାରୀ ମୁକାବିଲାର କୌଶଳ ଯୋଗୁଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଧ୍ୟ ସାବାସୀ ଦେଇଛି  ।

ତେଣୁ ଅନ୍ୟ ରାଜ୍ୟରେ ଓମିକ୍ରନ ବଢୁଥିବାବେଳେ ଏବେ ଠାରୁ ରାଜ୍ୟ ସରକାର ମୁକାବିଲା ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି  । ତୃତୀୟ ଲହର ନେଇ ବ୍ୟାପକ ସଜାଗ ହୋଇଛନ୍ତି  ।  ଯେପରି ଅଣାୟତ ନୁହେଁ ସେଥିପାଇଁ ଘରୋଇ ମେଡ଼ିକାଲକୁ ଏବେ ଠାରୁ ସଜାଗ ରହିବା ନେଇ ସୂଚନା ଦେଇଛନ୍ତି  ।

ପୁଣି ପରାଜିତ ପାକିସ୍ତାନ; ୩-୧ରେ ଜିତିଲା ଭାରତ

ଢ଼ାକା: ବାଂଲାଦେଶର ଢ଼ାକାରେ ଚାଲୁଅଛି ଏସିଆନ ଚମ୍ପିଆନ୍ସ ଟ୍ରଫି ହକି । ଏହି ଟୁର୍ଣ୍ଣାମେଣ୍ଟରେ ଆଜି ମୁହାଁମୁହିଁ ହୋଇଥିଲେ ଦୁଇ ପାରମ୍ପାରିକ ପ୍ରତିଦ୍ୱନ୍ଦୀ ଭାରତ-ପାକିସ୍ତାନ । ଏହି ମ୍ୟାଚରେ ଭାରତ ପାକିସ୍ତାନକୁ ୩-୧ରେ ପରାସ୍ତ କରିଛି । ଏହି ବିଜୟ ସହ ଭାରତ ଚଳିତ ଏସିଆନ ଚମ୍ପିଆନ୍ସ ଟ୍ରଫି ହକିର ସେମିଫାଇନାଲରେ ପ୍ରବେଶ କରିଛି । ମ୍ୟାଚ ଆରମ୍ଭରୁ ଆକ୍ରମଣାତ୍ମକ ଖେଳ ପ୍ରଦର୍ଶନ କରିଥିଲା ଟିମ୍ ଇଣ୍ଡିଆ । ପ୍ରଥମ କ୍ୱାଟରର ୭ ତମ ମିନିଟରେ ଭାରତକୁ ମିଳିଥିଲା ଏକ ପେନାଲ୍ଟି କର୍ଣ୍ଣର । ଏହି ପେନାଲ୍ଟି କର୍ଣ୍ଣରକୁ ଗୋଲରେ ପରିଣତ କରିଥିଲା ଟିମ୍ ଇଣ୍ଡିଆ ।  ଭାରତ ପକ୍ଷରୁ ହରମନପ୍ରୀତ ସିଂ ପ୍ରଥମ ଗୋଲ ସ୍କୋର କରିଥିଲା । ଭାରତର ଏହି ଗୋଲ ଫଳରେ ପ୍ରଥମ କ୍ୱାଟର ଶେଷ ହେବା ସମୟରେ ୧-୦ରେ ଭାରତ ଆଗୁଆ ରହିଥିଲା । ଦ୍ୱିତୀୟ କ୍ୱାଟରରେ ଉଭୟ ଦଳ ଗୋଲ କରିବାକୁ ବହୁ ଉଦ୍ୟମ କରିଥିଲେ । କିନ୍ତୁ ଗୋଲ ସ୍କୋର କରିବାରେ ବିଫଳ ହୋଇଥିଲେ ଉଭୟ ଦଳ ।  ଦ୍ୱିତୀୟ କ୍ୱାଟର ଗୋଲ ଶୂନ୍ୟ ରହିବା ପରେ ତୃତୀୟ କ୍ୱାଟରରେ ଗୋଲ ସ୍କୋର କରିଥିଲା ଭାରତ । ମ୍ୟାଚର ୪୨ତମ ମିନିଟରେ ଭାରତ ପକ୍ଷରୁ ଦ୍ୱିତୀୟ ଗୋଲ ସ୍କୋର କରିଥିଲେ ଆକାଶଦୀପ ସିଂ । ଭାରତର ଦ୍ୱିତୀୟ ଗୋଲ ପରେ ପାକିସ୍ତାନ କମବ୍ୟାକ କରିଥିଲା । ପାକିସ୍ତାନ ୪୪ତମ ମିନିଟରେ ଗୋଲ ସ୍କୋର କରି ମ୍ୟାଚକୁ ୨-୧ ସ୍ଥିତିକୁ ଆଣିଥିଲା ।

ତୃତୀୟ କ୍ୱାଟର ଶେଷ ହେବା ସମୟରେ ଭାରତ ୨-୧ରେ ଆଗୁଆ ରହିଥିଲା । ଚତୁର୍ଥ ତଥା ଶେଷ କ୍ୱାଟରରେ ଗୋଲ ସ୍କୋର କରିବା ପାଇଁ ଆକ୍ରମଣାତ୍ମକ ଖେଳ ପ୍ରଦର୍ଶନ କରିଥିଲା ପାକିସ୍ତାନ । କିନ୍ତୁ ପାକିସ୍ତାନର ସବୁ ଆକ୍ରମଣକୁ ଅଟକାଇଥିଲା ଭାରତ । ମ୍ୟାଚର ୫୪ତମ ମିନିଟରେ ଭାରତକୁ ମିଳିଥିଲା ଆଉ ଏକ ପେନାଲ୍ଟି କର୍ଣ୍ଣର । ଏହି ପେନାଲ୍ଟି କର୍ଣ୍ଣରକୁ ଗୋଲରେ ପରିଣତ କରିଥିଲା ଟିମ୍ ଇଣ୍ଡିଆ । ଭାରତ ପକ୍ଷରୁ ହରମନପ୍ରୀତଙ୍କ ଷ୍ଟିକରୁ ଆସିଥିଲା ତୃତୀୟ ଗୋଲ । ଏହି ଗୋଲ ସହ ଭାରତ ଏହି ମ୍ୟାଚକୁ ୩-୧ରେ ବିଜୟ ଲାଭ କରିଛି । ଏହି ବିଜୟ ସହ ଚଳିତ ଏସିଆନ ଚମ୍ପିଆନ୍ସ ଟ୍ରଫି ହକିରେ ଭାରତ ସେମିଫାଇନାଲରେ ପ୍ରବେଶ କରିଛି ।

ପଞ୍ଚାୟତ ନିର୍ବାଚନ ପୂର୍ବରୁ ବିଜେଡ଼ି ଶରଣରେ ବିପକ୍ଷ ନେତା

ଗଞ୍ଜାମ/ ଭଦ୍ରକ/ ଦେବଗଡ଼ : ପଞ୍ଚାୟତ ନିର୍ବାଚନ ପୂର୍ବରୁ ମଜବୁତ ହେଉଛି ବିଜେଡି ।ଗଞ୍ଜାମ ଜିଲ୍ଲା ଗୋପାଳପୁର ନିର୍ବାଚନ ମଣ୍ଡଳୀର କରାପଲ୍ଲୀରେ ବିଜେଡିର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ଗୋପାଳପୁର ନିର୍ବାଚନ ମଣ୍ଡଳୀର କଂଗ୍ରେସ ବିଧାୟକ ପ୍ରାର୍ଥୀ ଏସ. ଧର୍ମରାଜୁ ରେଡ଼୍ଡି ଆଜି ବିଜେଡିରେ ସାମିଲ ହୋଇଛନ୍ତି । ଏସ. ଧର୍ମରାଜ 2019ରେ ଗୋପାଳପୁର ନିର୍ବାଚନ ମଣ୍ଡଳୀର କଂଗ୍ରେସ ପ୍ରାର୍ଥୀ ରହିଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେଡିରେ ସାମିଲ ହୋଇଛନ୍ତି ଏସ. ଧର୍ମରାଜୁ ।

ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ମୁଖ୍ୟମନ୍ତ୍ରୀଙ୍କ ରାଜନୈତିକ ସଚିବ ଗୋପବନ୍ଧୁ ଦାସଙ୍କ ଉପସ୍ଥିତିରେ ବିଜେଡିରେ ସାମିଲ ହୋଇଛନ୍ତି ଧର୍ମରାଜୁ ।  ଏସ. ଧର୍ମରାଜୁଙ୍କ ସମେତ ବହୁ କଂଗ୍ରେସ କର୍ମୀ ମାନେ ମଧ୍ୟ ବିଜେଡିରେ ସାମିଲ ହୋଇଛନ୍ତି । ଗୋପାଳପୁର ନିର୍ବାଚନ ମଣ୍ଡଳୀରେ ବିଜୁ ଜନତା ଦଳକୁ ଆହୁରି ସୁଦୃଢ କରିବା ସହ ଆସନ୍ତା ପଞ୍ଚାୟତ ନିର୍ବାଚନରେ ବିଜେଡି ସମର୍ଥିତ ପ୍ରାର୍ଥୀ ମାନେ କିଭଳି ବିଜୟ ଲାଭ କରିବେ ସେ ନେଇ ରଣନୀତି ହେବ ବୋଲି କହିଛନ୍ତି ଏସ. ଧର୍ମରାଜୁ ରେଡ୍ଡି।

ଭଦ୍ରକ ବିଜେଡି ପକ୍ଷରୁ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ଭଦ୍ରକ ବ୍ଲକ କେଦାରପୁର ପଞ୍ଚାୟତର ବିଜେପି ନେତା ଲକ୍ଷ୍ମୀଧର ନାୟକଙ୍କ ନେତୃତ୍ୱରେ ଶତାଧିକ ବିଜେପି କର୍ମୀ ଆଜି ବିଜେଡିରେ ଯୋଗ ଦେଇଛନ୍ତି । ସଂସ୍କୃତି ଭବନ ଠାରେ ଆୟୋଜିତ ମିଶ୍ରଣ ପର୍ବରେ ବିଧାୟକ ସଞ୍ଜୀବ ମଲ୍ଲିକ ଦଳୀୟ ଉତ୍ତରୀୟ ଓ ଫୁଲତୋଡା ଦେଇ କର୍ମୀମାନଙ୍କୁ ସ୍ୱାଗତ କରିଥିଲେ । ବିଜେଡି ଏକ ଶୃଙ୍ଖଳିତ ଦଳ ଓ ଏଠି ସମସ୍ତେ ଜଣେ ଜଣେ କର୍ମୀ ହୋଇ କାମ କରି ଦଳକୁ ଜିତାଇବେ ବୋଲି କହିଥିଲେ ଭଦ୍ରକ ବ୍ଲକ ବିଜେଡି ସଭାପତି ପ୍ରଫୁଲ୍ଲ ନାୟକ । ମିଶ୍ରଣ ପର୍ବରେ ଦଳର ଅନ୍ୟ ନେତାମାନେ ମଧ୍ୟ ଉପସ୍ଥି ଥିଲେ  ।

ସେହିପରି ଦେବଗଡ଼ ଜିଲ୍ଲାରେ ମଧ୍ୟ ବିଜେଡିର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ବାରକୋଟ ବ୍ଲକ ଅନ୍ତର୍ଗତ ବାହାଡାପୋଷି ଗ୍ରାମରେ ଜୋନ୍ ସ୍ତରୀୟ ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ଓ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲା ବିଜେଡି ସଭାପତି ରୋମାଞ୍ଚ ରଞ୍ଜନ ବିଶ୍ୱାଳଙ୍କ ନେତୃତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ସୁଶାନ୍ତ ସିଂ ଯୋଗ ଦେଇ ଦଳୀୟ ନେତା ଓ କର୍ମୀଙ୍କ ସହ ଆଲୋଚନା କରିଥିଲେ । ମିଶ୍ରଣ ପର୍ବରେ ବାରକୋଟ ବ୍ଲକର ଦୁଇ ଜଣ ପୂର୍ବତନ ଅଧ୍ୟକ୍ଷଙ୍କ ସମେତ ୨୨ଟି ପଞ୍ଚାୟତରୁ ଶତାଧିକ ବିଜେପି ଓ କଂଗ୍ରେସ କର୍ମୀ ମୁଖ୍ୟମନ୍ତ୍ରୀଙ୍କ ବିକାଶ ଧାରାରେ ଅନୁପ୍ରେଣିତ ହୋଇ ବିଜେଡିରେ ସାମିଲ ହୋଇଥିଲେ ।

ଆଶା କର୍ମୀଙ୍କ ଦରମା ବୃଦ୍ଧି ପ୍ରସଙ୍ଗ: କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଭେଟିଲେ ବିଜେଡ଼ି ସାଂସଦ

ନୂଆଦିଲ୍ଲୀ : ନୂଆଦିଲ୍ଲୀର ନିର୍ମାଣ ଭବନ କାର୍ଯ୍ୟାଳୟରେ ୫ ବିଜେଡ଼ି ସାଂସଦ ସୁବାସ ସିଂହଙ୍କ ନେତୃତ୍ୱରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନ୍‌ସୁଖ୍ ମାଣ୍ଡଭିୟାଙ୍କୁ ସାକ୍ଷାତ କରି ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ସାଂସଦ ମହେଶ ସାହୁ, ପ୍ରମିଳା ବିଶୋଇ, ମଂଜୁଲତା ମଣ୍ଡଳ, ଚନ୍ଦ୍ରାଣୀ ମୁର୍ମୁ ଓ ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ ପ୍ରମୁଖ ମନସୁଖ୍ ମାଣ୍ଡଭିୟାଙ୍କୁ ସାକ୍ଷାତ କରିଛନ୍ତି । ବିଜେଡ଼ି ସାଂସଦ ସୁବାସ ସିଂହ ଗୃହର ଶୂନ୍ୟକାଳରେ ଆଶାକର୍ମୀମାନଙ୍କୁ ସରକାରୀ ମାନ୍ୟତା ଓ ସପ୍ତମ ବେତନ କମିଶନ ଦେବା ପାଇଁ ବାରମ୍ବାର ଦାବି କରି ଆସିଛନ୍ତି । ଚଳିତ ଶୀତ ଅଧିବେଶନରେ ସଂସଦର ଗୃହ କାର୍ଯ୍ୟ ପ୍ରାୟତଃ ମୁଲତବୀ ରହୁଥିବାରୁ ଗୃହର ଶୂନ୍ୟକାଳରେ ଆଶା କର୍ମୀଙ୍କ ସପ୍ତମ ବେତନ କମିଶନଙ୍କ ମାସିକ ୧୮ହଜାର ଟଙ୍କା ଲାଗୁ ଓ ସରକାରୀ ମାନ୍ୟତା ଦାବି ପ୍ରସଙ୍ଗ ଉଠିପାରିନଥିଲା ।

ଫଳରେ ଆଜି ନିର୍ମାଣ ଭବନ ଠାରେ ସାଂସଦ ସୁବାସ ସିଂହ, ମହେଶ ସାହୁ, ପ୍ରମିଳା ବିଶୋଇ, ମଂଜୁଲତା ମଣ୍ଡଳ ଓ ଚନ୍ଦ୍ରାଣୀ ମୁର୍ମୁ ମନ୍‌ସୁଖ୍ ମାଣ୍ଡଭିୟାଙ୍କୁ ସାକ୍ଷାତ କରି ଆଶା କର୍ମୀମାନଙ୍କୁ ବେତନ ଓ ସରକାରୀ ମାନ୍ୟତା ପ୍ରସଙ୍ଗରେ ପ୍ରାୟ ୨ଘଣ୍ଟା ଧରି ଆଲୋଚନା କରିଥିଲେ । ସାଂସଦ ସୁବାସ ସିଂହ ମନ୍ତ୍ରୀ ମନସୁଖ୍ ମାଣ୍ଡଭିୟାଙ୍କୁ ଅବଗତ କରି କହିଥିଲେ କରୋନା ସମୟରେ ଆଶାକର୍ମୀ ନିଜ ଜୀବନକୁ ବିପନ୍ନ କରି ଦୁର୍ଗମ ଅଞ୍ଚଳରେ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେଉଛନ୍ତି ଏବଂ ଅନ୍ୟାନ୍ୟ ଅପହଞ୍ଚ ଅଞ୍ଚଳରେ ବହୁବିଦ୍ଧ ଅସୁବିଧା ସତ୍ୱେ ପାଦରେ ଚାଲି ଚାଲି ଆଶା କର୍ମୀମାନେ କଷ୍ଟ ସହି ମା’ ଓ ଶିଶୁଙ୍କ ଚିକିତ୍ସା ସେବା ଯୋଗାଉଛନ୍ତି ।

ଦିନକୁ ୧୫ଘଣ୍ଟା କାମ କରିବି ମାସକୁ ୫ହଜାର ଟଙ୍କା ମିଳୁନାହିଁ । ଏହାଦ୍ୱାରା ଆଶାକର୍ମୀଙ୍କ ସାମାଜିକ ଓ ଅର୍ଥନୈତିକ ନିରାପତ୍ତା ତଥା ସୁରକ୍ଷା ବିପନ୍ନ ହେଉଛି । ସେମାନଙ୍କର ସାମାଜିକ ଓ ଅର୍ଥନୈତିକ ସୁରକ୍ଷା ସହିତ ପେନସନ, ପିଲାଙ୍କ ପାଠପଢା, ଗସ୍ତ ଖର୍ଚ୍ଚ ତଥା ମାସକୁ ୧୮ହଜାର ଟଙ୍କା ଦରମା ଯୋଗାଇ ଦେବା ନିହାତି ଜରୁରୀ ବୋଲି ସୁବାସ ସିଂହ ଦର୍ଶାଇଛନ୍ତି । ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୀର୍ଘ ଦିନ ଧରି କେନ୍ଦ୍ରକୁ ଆଶାକର୍ମୀଙ୍କ ବେତନ ବୃଦ୍ଧି ଓ ସରକାରୀ କର୍ମଚାରୀ ମାନ୍ୟତା ପ୍ରଦାନ କରିବା ପାଇଁ ପତ୍ର ଲେଖି ଆସୁଛନ୍ତି । ଏଠାରେ ଉଲ୍ଲେଖ ଯୋଗ୍ୟ ବର୍ତ୍ତମାନ ଆଶା କର୍ମୀଙ୍କ ବେତନକୁ ୬୦ପ୍ରତିଶତ ଦେଉଥିବାବେଳେ ରାଜ୍ୟ ସରକାର ୪୦ପ୍ରତିଶତ ବେତନ ପ୍ରଦାନ କରୁଛନ୍ତି ଏବଂ ଓଡ଼ିଶା ସରକାର ଆଶା କର୍ମୀଙ୍କୁ ମାସକୁ ୧ହଜାର ଟଙ୍କା ଅତିରିକ୍ତ ଆର୍ଥିକ ସହାୟତା ପ୍ରଦାନ କରୁଛନ୍ତି ।